Unknown

 

 

 

 

 

 

 

 

 

ମହାଭାରତ ବିଚିତ୍ରା

ସୁବୋଧ କୁମାର ନନ୍ଦ

 

ବିଷୟ ସୂଚୀ

 

୧.

ଯକ୍ଷ–ଯୁଧିଷ୍ଠିର ସମ୍ବାଦ

୨.

ଅଷ୍ଟାବକ୍ର ଓ ବଳୀ ସମ୍ବାଦ

୩.

ଦ୍ରୌପଦୀ–ବୃକୋଦର–ଯୁଧିଷ୍ଠିର ସମ୍ବାଦ

୪.

ଶକୁନ୍ତଳା ଓ ଦୁଷ୍ମନ୍ତ ସମ୍ବାଦ

୫.

ଭୀଷ୍ମ–କର୍ଣ୍ଣ ସମ୍ବାଦ

୬.

ଦ୍ୟୁମତ୍‌ସେନ–ସତ୍ୟବାନ ସମ୍ବାଦ

୭.

ଦ୍ରୌପଦୀ–ସତ୍ୟଭାମା ସମ୍ବାଦ

୮.

ଅସିତ–ଦେବଳ–ନାରଦ ସମ୍ବାଦ

୯.

ଅଷ୍ଟକ–ଯଯାତି ସମ୍ବାଦ

୧୦.

ଇନ୍ଦ୍ର–ବକ ସମ୍ବାଦ

୧୧.

ଅଷ୍ମାୠଷି–ଜନକ ସମ୍ବାଦ

୧୨.

ବିଶ୍ୱାମିତ୍ର–ଚଣ୍ଡାଳ ସମ୍ବାଦ

୧୩.

ପିତା–ପୁତ୍ର ସମ୍ବାଦ

୧୪.

ନାରଦ–ଅକମ୍ପନ ସମ୍ବାଦ

୧୫.

ବିଷ୍ଣୁ–ମାନ୍ଧାତା ସମ୍ବାଦ

୧୬.

ନାରଦ–ସଞ୍ଜୟ ସମ୍ବାଦ

୧୭.

ବ୍ରାହ୍ମଣ–କୁଣ୍ଡାଧାର ସମ୍ବାଦ

୧୮.

ଇନ୍ଦ୍ର–ଲକ୍ଷ୍ମୀ ସମ୍ବାଦ

୧୯.

ଜାବାଳି–ତୁଳାଧାର ସମ୍ବାଦ

୨୦.

କପୋତ–କପୋତୀ କଥା

୨୧.

ଇନ୍ଦ୍ର–ଅମ୍ବରୀଷ ସମ୍ବାଦ

୨୨.

ବ୍ରହ୍ମଦତ୍ତ ଓ ପୂଜନୀ ସମ୍ବାଦ

୨୩.

ଇନ୍ଦ୍ରୋତ–ଜନମେଜୟ ସମ୍ବାଦ

୨୪.

ତାର୍କ୍ଷ୍ୟମୁନି–ସରସ୍ୱତୀ ସମ୍ବାଦ

୨୫.

ବିଦୁର–ଧୃତରାଷ୍ଟ୍ର ସମ୍ବାଦ

୨୬.

ସେନ୍‌ଜିତ ଓ ବ୍ରାହ୍ମଣ ସମ୍ବାଦ

୨୭.

ପବନ–ଶାଳ୍ମଳୀ ସମ୍ବାଦ

୨୮.

ପ୍ରହ୍ଲାଦ ଓ ବ୍ରାହ୍ମଣ ସମ୍ବାଦ

୨୯.

ବୃହସ୍ପତି ଓ ମନୁ ସମ୍ବାଦ

୩୦.

କାଶ୍ୟପ–ଶୃଗାଳ ସମ୍ବାଦ

୩୧.

ଶ୍ୱେତକେତୁ–ସୁବର୍ଚଳା ସମ୍ବାଦ

୩୨.

ବଳି–ବାସବ ସମ୍ବାଦ

୩୩.

ବୃକ୍ର–ଶୂକ୍ର ସମ୍ବାଦ

୩୪.

ବ୍ରାହ୍ମଣୀ–ବ୍ୟାଧ–ସର୍ପ ସମ୍ବାଦ

୩୫.

ଇନ୍ଦ୍ର–ଶୁକ ସମ୍ବାଦ

୩୬.

ଶୂଦ୍ରମୁନି ସମ୍ବାଦ

୩୭.

କପିଳ–ସ୍ୟୁମରଶ୍ମି ସମ୍ବାଦ

୩୮.

ଅଷ୍ଟବକ୍ର–ଉତ୍ତରଦିକ୍‌ ସମ୍ବାଦ

୩୯.

ମାତଙ୍ଗ–ଇନ୍ଦ୍ର ସମ୍ବାଦ

୪୦.

ଇନ୍ଦ୍ର–ବୃହସ୍ପତି ସମ୍ବାଦ

୪୧.

ସୁବର୍ଣ୍ଣ–ମନୁ ସମ୍ବାଦ

୪୨.

ବ୍ୟାସ–କୀଟ ସମ୍ବାଦ

୪୩.

ମୈତ୍ରେୟ–ବ୍ୟାସଦେବ ସମ୍ବାଦ

୪୪.

କାର୍ତ୍ତବୀର୍ଯ୍ୟାର୍ଜୁନ–ବାୟୁଦେବ ସମ୍ବାଦ

୪୫.

ବୃହସ୍ପତି–ଇନ୍ଦ୍ର ସମ୍ବାଦ

୪୬.

ମାଣ୍ଡବ୍ୟ ମୁନି–ଜନକ ସମ୍ବାଦ

୪୭.

ସଂବର୍ତ୍ତ–ମଋତ ସମ୍ବାଦ

୪୮.

ଘଣ୍ଟାକର୍ଣ୍ଣ-ଶ୍ରୀକୃଷ୍ଣ ସମ୍ବାଦ

୪୯.

ଶକୁନ–ଶୃଗାଳ ବିହ୍ୱଳ

୫୦.

ସୁଲଭା–ଜନକ ସମ୍ବାଦ

Image

 

ଯକ୍ଷ–ଯୁଧିଷ୍ଠିର ସମ୍ବାଦ

 

ଯୁଧିଷ୍ଠିରଙ୍କର କାମ୍ୟକ ବନରେ ଅବସ୍ଥାନ କାଳରେ ଭଗ୍ନୀପତି ସିନ୍ଧୁରାଜ ଜୟଦ୍ରଥଙ୍କର ଦ୍ରୌପଦୀଙ୍କ ପ୍ରତି ଅଶାଳୀନ ଆଚରଣରେ ବିଚଳିତ ହୋଇ ପାଣ୍ଡବ ଭାତୃଗଣ କାମ୍ୟକ ବନ ପ୍ରଶାନ୍ତିକୁ ତ୍ୟାଗ କରି ପୁନଶ୍ଚ ଦୈତବନରେ ପ୍ରବେଶ କରିଥିଲେ । ଦୈତବନରେ ପାଣ୍ଡବଗଣ ମୃଗୟାଦି କ୍ଷତ୍ରିୟ ଧର୍ମ ପାଳନ କରି ନିଃଶଙ୍କ ଚିତ୍ତରେ କାଳାତିପାତ କରୁଥିଲେ ।

 

ଏକଦା ଦ୍ରୌପଦୀଙ୍କ ସହ ପାଣ୍ଡବମାନେ ବିଶ୍ରାମ କରୁଥିବା ସମୟରେ ଏକ ଅଗ୍ନିହୋତ୍ରୀ ବ୍ରାହ୍ମଣ ସହସା ସେଠାରେ ଉପସ୍ଥିତ ହୋଇ ନିବେଦନ କରି କହିଲେ ‘ମହାରାଜ ! ଏକ ବନ୍ୟହରିଣ ବୃକ୍ଷଶାଖାସ୍ଥିତ ମୋର ଅଗ୍ନିହୋତ୍ରର ମନ୍ଥନଟିକୁ ଶୃଙ୍ଗଦ୍ୱାରା ହରଣ କରି ବନମଧ୍ୟରେ ଅଦୃଶ୍ୟ ହୋଇଅଛି । ଆପଣ ଏହି ବନର ରକ୍ଷକ ହିସାବରେ ମୋର ମନ୍ଥନଟିକୁ ମୃଗଠାରୁ ଉଦ୍ଧାର କରି ରାଜଧର୍ମ ରକ୍ଷା କରନ୍ତୁ ।’

 

ବ୍ରାହ୍ମଣର ବାକ୍ୟ ଶ୍ରବଣ କରି ପାଣ୍ଡବ ଭ୍ରାତାଗଣ ସ୍ୱ ସ୍ୱ ଆୟୁଧ ସହ ମୃଗ ଅନ୍ୱେଷଣରେ ବନ ମଧ୍ୟରେ ପ୍ରବେଶ କଲେ । ବନ ମଧ୍ୟରେ ଅଦୂରରେ ତୃଣ ସମାଚ୍ଛାଦିତ ଏକ ବିଶାଳକାୟ ମୃଗକୁ ଦେଖି ମୃଗପ୍ରତି ଅସ୍ତ୍ରମାନ ପ୍ରୟୋଗ କଲେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହି ଯେ ପାଣ୍ଡବଗଣଙ୍କର ସମସ୍ତ ଅସ୍ତ୍ର ନିଷ୍ଫଳ ହୋଇଥିଲା । ଲକ୍ଷ୍ୟ ଭେଦରେ ବିଫଳ ମନୋରଥ ହେବାରୁ ଧର୍ମରାଜ ବ୍ରାହ୍ମଣର ଧର୍ମରକ୍ଷା ନିମିତ୍ତ ମୃଗ ଅନ୍ୱେଷଣରେ ଗଭୀର ବନ ମଧ୍ୟରେ ପ୍ରବେଶ କଲେ । ଯୁଧିଷ୍ଠିର ଭାତୃବୃନ୍ଦଙ୍କ ସହିତ ମୃଗ ଅନ୍ୱେଷଣ କରିବା ସମୟରେ ସୂର୍ଯ୍ୟାସ୍ତ ସମାଗତ ହୋଇଥିଲା । ବ୍ୟର୍ଥମନୋରଥ କାନ୍ତିଶାନ୍ତ ପିପାସାର୍ତ୍ତ ଯୁଧିଷ୍ଠିର ଏକ ବଟବୃକ୍ଷ ମୂଳରେ ଉପବେଶନ କରି କନିଷ୍ଠତମ ନକୁଳଙ୍କୁ ଜଳ ନିମିତ୍ତ ସନ୍ନିକଟସ୍ଥ କୌଣସି ଜଳାଶୟର ସନ୍ଧାନ କରିବାକୁ କହିଥିଲେ । ତୃଷାର୍ତ୍ତ ନକୁଳ ବୃକ୍ଷାରୋହଣ କରି ଅଦୂରରେ ସାରସସମାଚ୍ଛାଦିତ ବୃକ୍ଷମାନ ନିରୀକ୍ଷଣ ପୂର୍ବକ ସନ୍ନିକଟସ୍ଥ ସରୋବର ଥିବାର ଅନୁମାନ କରିଥିଲେ । ଯୁଧିଷ୍ଠିର ନକୁଳଙ୍କଠାରୁ ସନ୍ନିକଟସ୍ଥ ସରୋବର ଥିବାର ସମ୍ବାଦ ଜାଣି ଜଳପାନ ନିମନ୍ତେ ସରୋବର ନିକଟକୁ ନକୁଳଙ୍କୁ ପ୍ରେରଣ କରିଥିଲେ ଏବଂ ତୂଣୀର ଦେଇ ଜଳ ଆଣିବାକୁ ମଧ୍ୟ ଆଦେଶ ଦେଲେ ।

 

ମୁହୂର୍ତ୍ତ ମଧ୍ୟରେ ନକୁଳ ତୂଣୀପାତ୍ର ଧରି ଜଳ ଆଣିବା ସକାଶେ ସରୋବର ନିକଟରେ ଉପସ୍ଥିତ ହେଲେ । ନକୁଳ ସରୋବରରେ ପ୍ରବେଶ ନିମନ୍ତେ ଅଗ୍ରସର ହେବାକ୍ଷଣି ଏକ ଆକାଶବାଣୀ ଶୁଣାଗଲା, ‘ମାଦ୍ରୀତନୟ ! ଅପେକ୍ଷା କର । ବହୁଦିନ ଧରି ଏହି ସରୋବର ମୋର ଅଧୀନ ଅଟେ । ମୋର ବିନାନୁମତିରେ ଏ ସରୋବର ମଧ୍ୟରେ କେହି କେବେହେଁ ପ୍ରବେଶ କରିପାରେ ନାହିଁ ।’ ଏହି ବାଣୀ ଶୁଣି ନକୁଳ ଚତୁର୍ଦ୍ଦିଗ ନିରୀକ୍ଷଣ କରି କାହାରିକୁ ନଦେଖି ପୁନଶ୍ଚ ସରୋବର ସମୀପସ୍ଥ ହେବା ନିମନ୍ତେ ଅଗ୍ରସର ହେଲେ । ପୁନଶ୍ଚ ବାଣୀ ଶୁଣାଗଲା ‘‘ମାଦ୍ରୀତନୟ-! ପ୍ରଥମେ ମୋ ପ୍ରଶ୍ନର ଉତ୍ତର ଦିଅ । ତତ୍‌ପରେ ଜଳପାନ ନିମନ୍ତେ ସରୋବରରେ ପ୍ରବେଶ କର । ଏହି ଆଦେଶ ଅମାନ୍ୟ କଲେ ମୃତ୍ୟୁ ଅବଶ୍ୟମ୍ଭାବୀ ।’ ତୃଷାର୍ତ୍ତ ନକୁଳ ସାବଧାନ ବାଣୀ ଅଗ୍ରାହ୍ୟ କରି ଜଳ ମଧ୍ୟରେ ପ୍ରବେଶ କରନ୍ତେ ମୂର୍ଚ୍ଛିତ ହୋଇ ଭୂତଳଶାୟୀ ହେଲେ ।

 

ସମୟ ଅତିକ୍ରାନ୍ତ ହେବାରୁ ଯୁଧିଷ୍ଠିର ସହଦେବଙ୍କୁ ନକୁଳଙ୍କ ଅନ୍ୱେଷଣ ତଥା ଜଳ ଆଣିବା ନିମନ୍ତେ ତୂଣୀପାତ୍ର ସହ ପ୍ରେରଣ କରିଥିଲେ । ଏକ ପରେ ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନଙ୍କୁ ମଧ୍ୟ ଜଳ ଆଣିବା ନିମନ୍ତେ ପ୍ରେରଣ କରିଥିଲେ ହେଁ, ଦୀର୍ଘ ପ୍ରତୀକ୍ଷା ପରେ କୌଣସି ଭ୍ରାତାର ପ୍ରତ୍ୟାଗମନ ଆଶା ନ ଦେଖି ସ୍ୱୟଂ ତୃଷାର୍ତ୍ତ ହୋଇଥିବାରୁ ସରୋବର ନିକଟରେ ଉପସ୍ଥିତ ହେଲେ-। ସରୋବର ନିକଟରେ ଭ୍ରାତାଗଣଙ୍କୁ ମୂର୍ଚ୍ଛିତ ଅବସ୍ଥାରେ ଦେଖି କିୟତ୍‌କ୍ଷଣ କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥାରେ ରହି ଭ୍ରାତାଙ୍କ ମୂର୍ଚ୍ଛା ଭଙ୍ଗ ନିମନ୍ତେ ଜଳ ଆଣିବାକୁ ସରୋବର ମଧ୍ୟକୁ ପ୍ରବେଶ କରନ୍ତେ ଆକାଶବାଣୀ ଶୁଣାଯାଇଥିଲା, ‘ମୋର ପ୍ରଶ୍ନର ଯଥାର୍ଥ ଉତ୍ତର ନ ଦେଇ ବାରି ସ୍ପର୍ଶ କଲେ ସମ୍ମୁଖସ୍ଥ ପ୍ରାଣବର୍ଜ୍ଜିତ ଭ୍ରାତୃବର୍ଗଙ୍କ ସଦୃଶ ତୁମ୍ଭର ମଧ୍ୟ ଦଶା ହେବ ।’’ ନୀତିବାନ ଯୁଧିଷ୍ଠିର ବାରିସ୍ପର୍ଶରୁ ନିବୃତ୍ତ ରହି ସବିନୟ ଅଦୃଶ୍ୟ ବାଣୀକର୍ତ୍ତାକୁ ସମ୍ବୋଧନ କରି କହିଲେ, ‘ମହାଭାଗ ଆପଣ କିଏ ? କେଉଁଠି ଥାଇ ଏପରି ବାଣୀ ଶୁଣାଉଅଛନ୍ତି । ଦୟାକରି ଦର୍ଶନ ଦିଅନ୍ତୁ-।’ ଉତ୍ତରରେ ଅଦୃଶ୍ୟବାଣୀ ହେଲା ‘ତୁମର ସମ୍ମୁଖସ୍ଥ ବଟବୃକ୍ଷରେ ବକରୂପୀ ପକ୍ଷ ଅବସ୍ଥାନ କରୁଛି ।’ ଏହାଶୁଣି ଯୁଧିଷ୍ଠିର ଉର୍ଦ୍ଧ୍ୱନୟନରେ ବଟବୃକ୍ଷକୁ ଦୃଷ୍ଟିଦେଇ ଏକ ବିରାଟକାୟ ବକରୂପୀ ଯକ୍ଷଙ୍କୁ ଦେଖିଲେ । ମୁହୂର୍ତ୍ତ ମଧ୍ୟରେ ଭ୍ରାତୃବର୍ଗଙ୍କର ମୃତ୍ୟୁ-ରହସ୍ୟ ହୃଦୟଙ୍ଗମ କରିପାରିଲେ । ଯକ୍ଷରାଜଙ୍କୁ ସଂଭ୍ରମ ସହକାରେ ପ୍ରଣାମ ଜଣାଇ ପ୍ରଶ୍ନ କରିବା ନିମନ୍ତେ ଅନୁରୋଧ କଲେ ।

ଯକ୍ଷ ମହାରାଜ ନିମ୍ନୋକ୍ତ ପ୍ରଶ୍ନମାନ ପଚାରିବାକୁ ଆରମ୍ଭ କଲେ ଓ ଯୁଧିଷ୍ଠିର ମଧ୍ୟ ସେ ସବୁର ଯଥାଯଥ ଉତ୍ତର ଦେଇଥିଲେ ।

୧ମ ପ୍ରଶ୍ନ : ଆଚ୍ଛା, ପାଣ୍ଡବଅଗ୍ରଜ ! କେଉଁ ଶକ୍ତି ବଳରେ ସୂର୍ଯ୍ୟ ପୂର୍ବଦିଗରେ ଉଦିତ ହୋଇ ପଶ୍ଚିମ ଦିଗରେ ଅସ୍ତମିତ ହୋଇଥାଆନ୍ତି ? ସୂର୍ଯ୍ୟଙ୍କର ଚତୁର୍ଦ୍ଦିଗରେ କେଉଁମାନେ ବିଚରଣ କରନ୍ତି ଓ କାହାର ଆଶ୍ରୟରେ ସୂର୍ଯ୍ୟଦେବ ପ୍ରତିଷ୍ଠିତ ।

ଉତ୍ତର : ସ୍ୱୟଂ ବ୍ରହ୍ମାହିଁ ସୂର୍ଯ୍ୟଦେବଙ୍କୁ ପୂର୍ବଦିଗରେ ଉଦିତ କରନ୍ତି ଓ ଧର୍ମଦେବ ଅସ୍ତମିତ କରାନ୍ତି । ଦେବତାହିଁ ପାର୍ଶ୍ୱଚର ହିସାବରେ ସୂର୍ଯ୍ୟଙ୍କ ଚତୁର୍ଦ୍ଦିଗରେ ବିଚରଣ କରିଥାନ୍ତି । ସତ୍ୟର ଆଶ୍ରୟରେ ହିଁ ସୂର୍ଯ୍ୟଦେବ ପ୍ରତିଷ୍ଠିତ ।

୨ୟ ପ୍ରଶ୍ନ : କିପରି ଭାବରେ ମନୁଷ୍ୟ ଶ୍ରୋତ୍ରୀୟ ହୋଇପାରିବ ଏବଂ ମହତ୍‌ପଦ ପ୍ରାପ୍ତ ହେବ । କାହାଦ୍ୱାରା ମନୁଷ୍ୟ ସହାୟସମ୍ପନ୍ନ ଓ ବୁଦ୍ଧିମାନ ହୋଇ ପାରିବ ?

ଉତ୍ତର : ବେଦ ଅଧ୍ୟୟନ ବଳରେ ମନୁଷ୍ୟ ଶ୍ରୋତ୍ରୀୟ ହୋଇପାରିବ । ତପସ୍ୟା ବଳରେ ମହତ୍‌ପଦ ପ୍ରାପ୍ତ ହୁଏ, ଧୈର୍ଯ୍ୟ ବଳରେ ମନୁଷ୍ୟ ସହାୟସମ୍ପନ୍ନ ହୋଇଥାଏ ଓ ଜ୍ଞାନୀମାନଙ୍କର ସେବାଦ୍ୱାରା ହିଁ ବୁଦ୍ଧିମାନ ହୁଏ ।

୩ୟ ପ୍ରଶ୍ନ : ବ୍ରାହ୍ମଣ ମଧ୍ୟରେ ଦେବତ୍ୱ କିପରି ଜଣା ଯାଇଥାଏ ? ବ୍ରାହ୍ମଣର ସତ୍‌ପୁରୁଷୋଚିତ ଗୁଣ ଓ ଅସତ୍ ପୁରୁଷୋଚିତ ଆଚରଣ କାହାକୁ କୁହାଯାଏ ? ସାଧାରଣ ମନୁଷ୍ୟଭାବର ଅର୍ଥ କଣ ?

ଉତ୍ତର : ସ୍ୱାଧ୍ୟାୟ ହିଁ ବ୍ରାହ୍ମଣର ଦେବତ୍ୱ । ତପସ୍ୟାହିଁ ବ୍ରାହ୍ମଣର ସତ୍‌ପୁରୁଷୋଚିତ ଗୁଣ ଓ ପରନିନ୍ଦା ଅସତ୍‌ପୁରୁଷୋଚିତ ଆଚରଣ । ମରଣଶୀଳତାହିଁ ସାଧାରଣ ମନୁଷ୍ୟଭାବ ଅଟେ ।

୪ର୍ଥ ପ୍ରଶ୍ନ : କ୍ଷତ୍ରିୟମାନଙ୍କ କ୍ଷେତ୍ରରେ ଉପଯୁକ୍ତ ଗୁଣଗୁଡ଼ିକ କିପରି ଭାବରେ ପ୍ରଯୁଜ୍ୟ ?

ଉତ୍ତର : ଧନୁର୍ବାଣହିଁ କ୍ଷତ୍ରିୟର ଦେବତ୍ୱ । ଯଜ୍ଞକର୍ମହିଁ ସତ୍‌ପୁରୁଷୋଚିତ୍ତ ଧର୍ମ, ଶରଣାଗତକୁ ତ୍ୟାଗ କରିବା ହିଁ କ୍ଷତ୍ରିୟର ଅସତ୍‌ପୁରୁଷୋଚିତ ଆଚରଣ । କ୍ଷତ୍ରିୟମାନଙ୍କର ଭୟହିଁ ସାଧାରଣ ମନୁଷ୍ୟଭାବ ଅଟେ ।

୫ମ ପ୍ରଶ୍ନ : ଆଚ୍ଛା ଯୁଧିଷ୍ଠିର ! ଯଜ୍ଞର ସାମ କଣ ଏବଂ ଯଜୁଃ କଣ ? କେଉଁ ଏକ ବସ୍ତ୍ରଦ୍ୱାରା ଯଜ୍ଞ ବରଣ କରାଯାଇଥାଏ, ମାତ୍ର ଅତିକ୍ରମ କରାଯାଇ ନଥାଏ ?

ଉତ୍ତର : ମହାରାଜ ! ‘‘ପ୍ରାଣୋ ବୈ ଯଜ୍ଞିୟଂ ସାମ ମନୋ ବୈ ଯଜ୍ଞିୟଂ ଯୁଜୁଃ । ଋଗେକା ବୃଣୁତେ ଯଜ୍ଞଂ ତାଂ ଯଜ୍ଞୋନାତି ବର୍ତ୍ତତେ’’ ଅର୍ଥାତ୍ ପ୍ରାଣହିଁ ଯଜ୍ଞର ସାମ, ମନ ଯଜୁଃ ଅଟେ । ଏକମାତ୍ର ଋକ୍‌ମନ୍ତ୍ରଦ୍ୱାରାହିଁ ଯଜ୍ଞ ବରଣ ହୋଇଥାଏ, ମାତ୍ର ଋକ୍‌ମନ୍ତ୍ର ଯଜ୍ଞକୁ ଅତିକ୍ରମ କରିପାରେନାହିଁ ।

 

୬ଷ୍ଠ ପ୍ରଶ୍ନ : ଠିକ୍‌ କଥା । ଆଚ୍ଛା କୃଷକ ପକ୍ଷରେ କେଉଁ ବସ୍ତୁ ସବୁଠାରୁ ପ୍ରଧାନ ଓ ରୋପଣକାରୀ ନିମନ୍ତେ କେଉଁ ବସ୍ତୁ ପ୍ରଧାନ । ପ୍ରତିଷ୍ଠିତ ଧନୀ ବ୍ୟକ୍ତିମାନଙ୍କର ପ୍ରିୟ ବସ୍ତୁ କ’ଣ ? ପିତାମାତାର ପ୍ରିୟ କିଏ ?

 

ଉତ୍ତର : କୃଷକ ପକ୍ଷରେ ବର୍ଷାହିଁ ପ୍ରଧାନ ବସ୍ତୁ । ରୋପଣକାରୀଙ୍କ ପକ୍ଷରେ ବୀଜହିଁ ପ୍ରଧାନ । ପ୍ରତିଷ୍ଠିତ ଧନୀ ବ୍ୟକ୍ତିର ଗୋସମ୍ପଦ ପ୍ରିୟ ଓ ପିତାମାତାଙ୍କର ପୁତ୍ରୋ ସନ୍ତାନ ସବୁଠାରୁ ପ୍ରିୟ ଅଟେ ।

 

୭ମ ପ୍ରଶ୍ନ : କିଏ ସେହି ପୁରୁଷ ଯେ ବୁଦ୍ଧିମାନ, ଲୋକମାନ୍ୟ, ଲୋକପୂଜ୍ୟ ହୋଇ ଇନ୍ଦ୍ରିୟ ଭୋଗ୍ୟ ବିଷୟରେ ରତ ରହି ସାଧାରଣ ପ୍ରାଣୀ ସଦୃଶ ଶ୍ୱାସ ପ୍ରଶ୍ୱାସ ଗ୍ରହଣ କରି ଜୀବିତ ମନେ ହେଲେ ସୁଦ୍ଧା ପ୍ରକୃତ ଅର୍ଥରେ ଜୀବିତ ନୁହେଁ ?

 

ଉତ୍ତର : ଆପାତଃ ଦୃଷ୍ଟିରେ ସମସ୍ତ ପୁରୁଷ ପ୍ରାଣୀ ଜୀବିତ ମନେହେଲେହେଁ କେବଳ ମାତ୍ର ସେହି ପୁରୁଷହିଁ ଜୀବିତ ଯେ କି ଦେବତା-ଅତିଥି-ଭୃତ୍ୟାଦି ପୋଷ୍ୟବର୍ଗ, ପିତୃପୁରୁଷ ଏବଂ ଆତ୍ମାର ଯଥାଯଥ ସେବା କରିଥାଏ । ଯେଉଁମାନେ ଏହା କରି ନଥାଆନ୍ତି ସେମାନେ ଜୀବିତ ହେଲେହେଁ ମୃତ ।

 

୮ମ ପ୍ରଶ୍ନ : ପୃଥିବୀ ଏବଂ ଧରିତ୍ରୀ ନିଃସନ୍ଦେହରେ ପୂଜନୀୟା ଓ ଗରୀୟସୀ । କିନ୍ତୁ ଏହି ପୃଥିବୀଠାରୁ ପୂଜନୀୟା ଓ ଗରୀୟସୀ କିଏ ଅଛନ୍ତି କି ? ସବୁଠାରୁ ଉର୍ଦ୍ଧ୍ୱରେ ଥାଇ ଆକାଶ ମହାନ୍ ଅଟେ । ଆକାଶଠାରୁ ମହାନ୍ କିଏ ଅଛି କି ? ପୁନଶ୍ଚ ବାୟୁହିଁ ଦ୍ରୁତଗାମୀ, କିନ୍ତୁ ବାୟୁଠାରୁ ଦ୍ରୁତ କିଏ ଅଛି କି ? ତୃଣ ସଂଖ୍ୟା ଗଣନାରେ ଅସଂଖ୍ୟ କିନ୍ତୁ ତୃଣଠାରୁ ଅଗଣନୀୟ ସଂଖ୍ୟା ଆଉ କିଛି ଅଛି କି ?

 

ଉତ୍ତର : ପୃଥିବୀଠାରୁ ଜନନୀ ଗରୀୟସୀ ଏବଂ ଆକାଶଠାରୁ ମହାନ୍‌ପିତା ଅଟନ୍ତି । ମନର ଗତି ବାୟୁର ଗତିଠାରୁ ଦ୍ରୁତତର । ତୃଣର ସଂଖ୍ୟା ଅଗଣିତ ହେଲେହେଁ ଚିନ୍ତାର ସଂଖ୍ୟା ତା’ଠାରୁ ଅଧିକ ।

 

୯ମ ପ୍ରଶ୍ନ : କେଉଁ ଜୀବ ନିଦ୍ରିତ ଅବସ୍ଥାରେ ଥାଇ ମଧ୍ୟ ଚକ୍ଷୁ ଖୋଲା ରଖିଥାଏ । ଜନ୍ମଲାଭ କରି ମଧ୍ୟ କେଉଁ ବସ୍ତୁ ଗତିହୀନ ହୋଇଥାଏ । କାହାର ହୃଦୟ ନାହିଁ ଓ କିଏ ଅତିଶୀଘ୍ର ବଢ଼ିପାରେ ?

 

ଉତ୍ତର : ମାଛହିଁ ଏକମାତ୍ର ଜୀବ ଯେ ନିଦ୍ରା ସମୟରେ ମଧ୍ୟ ଚକ୍ଷୁ ଖୋଲା ରଖିଥାଏ । କେବଳ ଡିମ୍ବ ଭୂମିଷ୍ଠ ହୋଇ ମଧ୍ୟ ଗତିହୀନ ହୋଇଥାଏ । ପଥରହିଁ କେବଳ ହୃଦୟଶୂନ୍ୟ । ସବୁଠାରୁ ନଦୀହିଁ ଦ୍ରୁତ ବେଗରେ ବଢ଼ିପାରେ ।

 

୧୦ମ ପ୍ରଶ୍ନ : ପ୍ରବାସ କାଳରେ ମନୁଷ୍ୟର ମିତ୍ର କିଏ ? ଗୃହାବସ୍ଥାନ କାଳରେ କିଏ ମିତ୍ର ? ରୋଗାକ୍ରାନ୍ତ ସମୟରେ ମନୁଷ୍ୟର ମିତ୍ର କିଏ ? ମୁମୂର୍ଷୁର ମିତ୍ର କିଏ ?

 

ଉତ୍ତର : ପ୍ରବାସରେ ସହଯାତ୍ରୀ ହିଁ ମନୁଷ୍ୟର ମିତ୍ର । ଗୃହାବସ୍ଥାନ କାଳରେ ପତ୍ନୀ ମିତ୍ର ହୋଇଥାଏ । ରୋଗଶଯ୍ୟାର ମିତ୍ର ଚିକିତ୍ସକ ଏବଂ ମୁମୂର୍ଷୁ ଅବସ୍ଥାରେ ମୁନୁଷ୍ୟର ଦାନହିଁ ଏକମାତ୍ର ମିତ୍ର ।

 

ଏକାଦଶ ପ୍ରଶ୍ନ : ପ୍ରାଣୀମାନେ ଅତିଥି ବୋଲି କାହାକୁ ମାନିଥାନ୍ତି ? ଏହି ଅତିଥିର ସେବା ମନୁଷ୍ୟ ମାତ୍ରେ ହିଁ କରିଥାନ୍ତି । ସନାତମ ଧର୍ମ କ’ଣ ? ଅମୃତ କି ବସ୍ତୁ ? ଜଗତର ସ୍ୱରୂପ କିଏ ?

 

ଉତ୍ତର : ଅତିଥି ସର୍ବଭୂତା ନାମାଗ୍ନିଃ ସୋମୋ ଗବାମୃତମ୍ । ସନାତନୋଽମୃତୋ ଧର୍ମୋବାୟୁଃ ସର୍ବମିଦଂ ଜଗତ୍ । ପ୍ରାଣୀମାନଙ୍କର ଅତିଥି ଅଗ୍ନି, ଗୋଦୁଗ୍‌ଧ ହିଁ ଅମୃତ ଓ ସନାତନ ଧର୍ମ ହିଁ ଅମୃତ ସମାନ । ବାୟୁମୟ ଏହି ଜଗତର ସ୍ୱରୂପ ହିଁ ବାୟୁ ଅଟେ ।

 

ଦ୍ୱାଦଶ ପ୍ରଶ୍ନ : କିଏ ନିଃସଙ୍ଗରେ ବ୍ରହ୍ମାଣ୍ଡ ବିଚରଣ କରେ ? କିଏ ଥରେ ଜନ୍ମଗ୍ରହଣ ପୁନଶ୍ଚ ଜନ୍ମ ପରିଗ୍ରହ କରିଥାଏ ? ହିମର ଭେଷଜ କ’ଣ ? ମହାକ୍ଷେତ୍ର କାହାକୁ କୁହାଯାଏ ?

 

ଉତ୍ତର : ଏକମାତ୍ର ସୂର୍ଯ୍ୟଦେବହିଁ ନିଃସଙ୍ଗରେ ବ୍ରହ୍ମାଣ୍ଡ ବିଚରଣ କରିଥାନ୍ତି । ଦ୍ୱିତୀୟ ଥର ଜନ୍ମ ପରିଗ୍ରହ ଏକମାତ୍ର ଚନ୍ଦ୍ର ହିଁ କରିଥାନ୍ତି । ଶୀତର ଏକମାତ୍ର ଔଷଧ ଅଗ୍ନି ଏବଂ ଏହି ପୃଥିବୀହିଁ ମହାକ୍ଷେତ୍ର ।

 

ତ୍ରୟୋଦଶ ପ୍ରଶ୍ନ : ଧର୍ମ, ଯଶ, ସ୍ୱର୍ଗ ଏବଂ ସୁଖ ଏହି ଚାରିଗୋଟିର ମୁଖ୍ୟ ସ୍ଥାନଗୁଡ଼ିକ କ’ଣ ?

 

ଉତ୍ତର : ଧର୍ମର ମୁଖ୍ୟସ୍ଥାନ ଦକ୍ଷତା, ଏକମାତ୍ର ଦକ୍ଷ ପୁରୁଷହିଁ ଧର୍ମ୍ମାଚରଣ କରିଥାଏ । ଯଶର ମୁଖ୍ୟ ସ୍ଥାନ ଦାନ । ସତ୍ୟହିଁ ସ୍ୱର୍ଗର ମୁଖ୍ୟ ସ୍ଥାନ ଏବଂ ସୁଖର ମୁଖ୍ୟ ସ୍ଥାନ ଅନାବିଳ ଚରିତ୍ର ।

 

ଚତୁର୍ଦ୍ଦଶ ପ୍ରଶ୍ନ : ମନୁଷ୍ୟର ଆତ୍ମା କ’ଣ ? ମନୁଷ୍ୟର ଦୈବକୃତ ସଖା କିଏ ? କିଏ ଜୀବନର ସହାୟ ? ମନୁଷ୍ୟ କେଉଁ ବସ୍ତୁକୁ ଅବଲମ୍ବନ କରି ନିଶ୍ଚିନ୍ତ ରହିପାରେ ?

 

ଉତ୍ତର : ପୁତ୍ରହିଁ ମନୁଷ୍ୟର ଆତ୍ମା ଓ ଦୈବକୃତ ସଖା ପତ୍ନୀ । ମେଘ ଜୀବନର ସହାୟ ଓ ଦାନହିଁ ମନୁଷ୍ୟର ପରମ ଅବଲମ୍ବନ ।

 

ପଞ୍ଚଦଶ ପ୍ରଶ୍ନ : କ’ଣ ସେ ଉତ୍ତମ ଗୁଣ ଯାହାଦ୍ୱାରା ମନୁଷ୍ୟ ଧନ୍ୟ ହୋଇଥାଏ ? ସର୍ବାପେକ୍ଷା ଉତ୍ତମ ଧନ କ’ଣ ? ସର୍ବଶ୍ରେଷ୍ଠ ଲାଭ କାହାକୁ ବୁଝାଏ ? ମନୁଷ୍ୟ ନାନା ପ୍ରକାରରେ ସୁଖୀ ହୋଇଥିଲେ ହେଁ କେଉଁଟି ପରମ ସୁଖ ?

 

ଉତ୍ତର : ଗୁଣ ମଧ୍ୟରେ ଉତ୍ତମ ଗୁଣ ଦକ୍ଷତା । ଯେଉଁ ବ୍ୟକ୍ତି ଦକ୍ଷ ସେହି ହିଁ ଧନ୍ୟ । ଶାସ୍ତ୍ର ଜ୍ଞାନହିଁ ଉତ୍ତମ ଧନ । ଆରୋଗ୍ୟ ଲାଭ ହିଁ ଉତ୍ତମ ଲାଭ ଏବଂ ଯେଉଁ ପୁରୁଷ ଯଦାଲାଭରେ ସନ୍ତୁଷ୍ଟ ରହିପାରେ ସେହି ହିଁ ପରମ ସୁଖୀ ।

 

ଷୋଡ଼ଷ ପ୍ରଶ୍ନ : ଇହ ଜଗତରେ କେଉଁ ଧର୍ମ ଶ୍ରେଷ୍ଠ ? କେଉଁ ଧର୍ମାଚରଣ ସଦା ଫଳଦାୟୀ ? କାହାକୁ ସଂଯମ କଲେ ଅନୁଶୋଚନା ହୁଏ ନାହିଁ ? କାହା ସହିତ ସନ୍ଧି କଲେ ସନ୍ଧିଭଗ୍ନର ଆଶଙ୍କା ନ ଥାଏ ?

 

ଉତ୍ତର : ଦୟାହିଁ ପରମ ଧର୍ମ୍ମ । ଦେବଭକ୍ତି ଧର୍ମାଚରଣ କେବେହେଁ ବିଫଳ ହୁଏ ନାହିଁ । ସଂଯତ ମନରେ କେବେହେଁ ଅନୁଶୋଚନା ହୋଇନଥାଏ । ସତ୍‌ଜନଙ୍କ ସହିତ ସନ୍ଧି କେବେହେଁ ଭଗ୍ନ ହେବାର ଆଶଙ୍କା ନ ଥାଏ ।

 

ସପ୍ତଦଶ ପ୍ରଶ୍ନ : ମନୁଷ୍ୟ କେଉଁ ବସ୍ତୁ ତ୍ୟାଗ କଲେ ମଙ୍ଗଳ ଲାଭ କରିଥାଏ । କେଉଁ ବସ୍ତୁ ବର୍ଜ୍ଜନ ଓ କେଉଁ ବସ୍ତୁ ସଂଶ୍ରବରେ ମନୁଷ୍ୟ ଶୋକ କରିବା ପରିବର୍ତ୍ତେ ଅର୍ଥଦାନ ଓ ସୁଖୀ ହୋଇଥାଏ ।

 

ଉତ୍ତର : ଯକ୍ଷରାଜ ! ମୋର ବିବେଚନାରେ ମାନଂହିତ୍ୱା ପ୍ରିୟୋ ଭବତି କ୍ରୋଧଂ ହିତ୍ୱା ନ ଶୋଚତି । କାମଂ ହିତ୍ୱା ଧନବାନ ଭବତି ଲୋଭଂ ହିତ୍ୱା ସୁଖୀ ଭବେତ୍ । ମନୁଷ୍ୟ ଯେତେବେଳେ ମାନ, ଅଭିମାନ ପରିତ୍ୟାଗ କରେ ସେତେବେଳେହିଁ ତା’ର ମଙ୍ଗଳ ହୋଇଥାଏ । କ୍ରୋଧ ତ୍ୟାଗ କରିବା ଦ୍ୱାରାହିଁ ଶୋକ ଦୂର ହୋଇଥାଏ । କାମନାଜୟ ଦ୍ୱାରାହିଁ ଅର୍ଥବାନ ହୋଇଥାଏ । ମନୁଷ୍ୟର ପରମ ସୁଖ କେବଳ ଲୋଭ ତ୍ୟାଗରେ ହିଁ ରହିଥାଏ ।

 

ଅଷ୍ଟାଦଶ ପ୍ରଶ୍ନ : ଦାନ ଉତ୍ତମ ହେଲେହେଁ କାହିଁକି କେବଳ ବ୍ରାହ୍ମଣଙ୍କୁ ଦାନ କରାଯାଇଥାଏ ? କାହିଁକି ନଟୀ, ନର୍ତ୍ତକୀ, ଭୃତ୍ୟକୁ ଦାନ କରାଯାଏ ? ଏବଂ ରାଜାଙ୍କୁ ଦାନ କରିବାର ମହତ୍ୱ କ’ଣ ?

 

ଉତ୍ତର : ମନୁଷ୍ୟ ବ୍ରାହ୍ମଣକୁ ଦାନକରେ, ଧର୍ମ୍ମ ନିମନ୍ତେ ଯଶ, ସୁନାମ ସକାଶେ ନଟ, ନର୍ତ୍ତକୀକୁ ଓ ଭରଣପୋଷଣ ନିମନ୍ତେ ଭୃତ୍ୟକୁ ଦାନ କରିଥାଏ । ଭୟମୁକ୍ତ ନିର୍ଭୟ ଜୀବନଯାପନ ନିମନ୍ତେ ମନୁଷ୍ୟ ରାଜାକୁ ଦାନ କରିଥାଏ ।

 

ଉନବିଂଶ ପ୍ରଶ୍ନ : ଏହି ଜଗତ କିଏ ଆବୃତ କରି ରଖିଛି ? କ’ଣ ସେ ବସ୍ତୁ ଯାହା ଜୀବନର ସ୍ୱରୂପ ପ୍ରକାଶରେ ବାଧା ସୃଷ୍ଟି କରେ । ମନୁଷ୍ୟ କେଉଁ ଫାନ୍ଦରେ ପଡ଼ି ମିତ୍ର ପରିତ୍ୟାଗ କରିଥାଏ ? କାହିଁକି ମନୁଷ୍ୟ ସ୍ୱର୍ଗକୁ ଯାଇପାରେ ନାହିଁ ?

 

ଉତ୍ତର : ମହାରାଜ ! ଅଜ୍ଞାନତା ଦ୍ୱାରାହିଁ ଏ ଜଗତ୍ ଆବୃତ । ପ୍ରବଳ ପରାକ୍ରାନ୍ତ ତମୋଗୁଣହିଁ ଜୀବନର ସ୍ୱରୂପ ପ୍ରକାଶରେ ବାଧା ସୃଷ୍ଟି କରେ । ଲୋଭଦ୍ୱାରାହିଁ ମନୁଷ୍ୟ ମିତ୍ର ପରିତ୍ୟାଗ କରିଥାଏ । ବିଷୟ ଆସକ୍ତି ହିଁ ମନୁଷ୍ୟର ସ୍ୱର୍ଗାରୋହଣରେ ବାଧା ଦେଇଥାଏ ।

 

ବିଂଶତି ପ୍ରଶ୍ନ : କାହାକୁ ମୃତ ମନୁଷ୍ୟ ଓ କାହାକୁ ମୃତରାଷ୍ଟ୍ର କୁହାଯାଏ ? କେଉଁ ଶ୍ରାଦ୍ଧକୁ ମୃତଶ୍ରାଦ୍ଧ ଓ କେଉଁ ଯଜ୍ଞକୁ ମୃତଯଜ୍ଞ ନାମରେ ଅଭିହିତ କରାଯାଏ ।

 

ଉତ୍ତର : ଶ୍ୱାସ ପ୍ରଶ୍ୱାସଦ୍ୱାରା ଜୀବିତ ଦରିଦ୍ର ମନୁଷ୍ୟ ହିଁ ମୃତ । ଅରାଜକ ରାଷ୍ଟ୍ର ହିଁ ମୃତରାଷ୍ଟ୍ର । ସୌତ୍ରିୟ ବ୍ରାହ୍ମଣ ପୁରୋହିତ ବ୍ୟତୀତ ଶ୍ରାଦ୍ଧ ମୃତଶ୍ରାଦ୍ଧ ଓ ଦକ୍ଷିଣା ବିହୀନ ଯଜ୍ଞକୁ ହିଁ ମୃତଯଜ୍ଞ କୁହାଯାଏ ।

 

ଏକବିଂଶତି ପ୍ରଶ୍ନ : ଆଚ୍ଛା ଯୁଧିଷ୍ଠିର ! ତପସ୍ୟାର ଲକ୍ଷଣ କଣ ? ଦମ କାହାକୁ କୁହାଯାଏ ? ପରକ୍ଷାନ୍ତି ଅର୍ଥାତ୍ ପରମ କ୍ଷମା ଓ ଲଜ୍ଜା କହିଲେ କଣ ବୁଝାଏ ?

 

ଉତ୍ତର : ମହାରାଜ ! ସ୍ୱଧର୍ମ୍ମ ନିଷ୍ଠାହିଁ ତପସ୍ୟାର ଲକ୍ଷଣ । ମାନସିକ ସଂଯମ ହିଁ ଦମ ଆଖ୍ୟା ନେଇଥାଏ । ଯେଉଁ ବ୍ୟକ୍ତି ଅବିଚଳ ଭାବରେ ଶୀତ, ଉଷ୍ମ ଓ ଦ୍ୱନ୍ଦକୁ ଗ୍ରହଣ କରିଥାଏ ସେ ହିଁ କେବଳ ପରମ କ୍ଷମାର ଅଧିକାରୀ । ଅକାର୍ଯ୍ୟରୁ ନିବୃତ୍ତ ରହିବାହିଁ ଲଜ୍ଜା ।

 

ଦ୍ୱିବିଂଶତି ପ୍ରଶ୍ନ : ଜ୍ଞାନ, ଶମ, ପରମଦୟା ଓ ସରଳତାର ଯଥାର୍ଥ ଲକ୍ଷଣ କଣ ?

 

ଉତ୍ତର : ପରମ ତତ୍ତ୍ୱର ଅନୁଭୂତି ହିଁ ଜ୍ଞାନର ଲକ୍ଷଣ । ଅବିଚଳିତ ପ୍ରଶାନ୍ତ ଚିତ୍ତ ହିଁ ଶମ-। ‘ସର୍ବେ ସୁଖୀନୋ ଭବନ୍ତୁ’–ଏହି ସଦ୍‌ଇଚ୍ଛା ହିଁ ପରମଦୟାର ଲକ୍ଷଣ ଓ ସମଚିତ୍ତତା ହିଁ ସରଳତା ।

 

ତ୍ରୟୋବିଂଶତି ପ୍ରଶ୍ନ : ମନୁଷ୍ୟର ଦୁର୍ଜ୍ଜୟ ଶତ୍ରୁ କିଏ ? କାହାକୁ ଅନନ୍ତ ବ୍ୟାଧି କୁହାଯାଏ-? ପ୍ରକୃତ ଅର୍ଥରେ ସାଧୁ ଓ ଅସାଧୁ କିଏ ?

 

ଉତ୍ତର : କ୍ରୋଧ ହିଁ ମନୁଷ୍ୟର ଦୁର୍ଜ୍ଜୟ ଶତ୍ରୁ । ଲୋଭ ହିଁ ଅନନ୍ତ ବ୍ୟାଧି । ଯେଉଁ ବ୍ୟକ୍ତି ସମସ୍ତଙ୍କର ମଙ୍ଗଳ କାମନା କରେ ସେ ସାଧୁ ଓ ଅମଙ୍ଗଳକାରୀ ହିଁ ଅସାଧୁ ।

 

ଚତୁର୍ବିଂଶତି ପ୍ରଶ୍ନ : ମୋହ କାହାକୁ କୁହାଯାଏ ? ମାନ କଣ ? ଆଳସ୍ୟ ଏବଂ ଶୋକ କାହାକୁ କୁହାଯାଏ ?

 

ଉତ୍ତର : ଧର୍ମରେ ମୂଢ଼ତା ହିଁ ମୋହ । ଆତ୍ମାଭିମାନକୁ ହିଁ ମାନ କୁହାଯାଏ । ଧର୍ମ୍ମ କର୍ମରେ ନିଷ୍କ୍ରିୟତାହିଁ ଆଳସ୍ୟ । ଅଜ୍ଞାନ ହିଁ ଶୋକ ଅଟେ ।

 

ପଞ୍ଚବିଂଶତି ପ୍ରଶ୍ନ : ଋଷିମାନଙ୍କର ସ୍ଥୈର୍ଯ୍ୟ, ଧୈର୍ଯ୍ୟ, ପରମସ୍ନାନ, ପରମଦାନ କାହାକୁ କୁହାଯାଇଥାଏ ?

 

ଉତ୍ତର : ସ୍ୱଧର୍ମରେ ସ୍ଥିର ରହିବା ହିଁ ସ୍ଥୈର୍ଯ୍ୟ । ଇନ୍ଦ୍ରିୟ ନିଗ୍ରହିଁ ଋଷିମାନଙ୍କର ଧୈର୍ଯ୍ୟ । ମନର ମାଳିନ୍ୟ ନାଶ ହିଁ ପରମସ୍ନାନ । ପ୍ରାଣୀଗଣକୁ ରକ୍ଷା କରିବା ହିଁ ପରମଦାନ ଅଟେ ।

 

ଷଷ୍ଠବିଂଶତି ପ୍ରଶ୍ନ : ଯଥାର୍ଥ ପଣ୍ଡିତ କିଏ ? ମୂର୍ଖ କିଏ ? କାମ ଓ ମାତ୍ସର୍ଯ୍ୟ କାହାକୁ କୁହାଯାଏ ?

 

ଉତ୍ତର : ଧର୍ମଜ୍ଞ ବ୍ୟକ୍ତି ହିଁ ଯଥାର୍ଥ ପଣ୍ଡିତ । ନାସ୍ତିକ ହିଁ ପରମ ମୂର୍ଖ । କାମ ହିଁ ସଂସାର ବନ୍ଧନର ଏକମାତ୍ର କାରଣ ଓ ହୃଦୟ ସନ୍ତାପ ହିଁ ମାତ୍ସର୍ଯ୍ୟ ଅଟେ ।

 

ସପ୍ତବିଂଶତି ପ୍ରଶ୍ନ : ଅହଂକାର, ଦମ୍ଭ, ପରମଦୈବ ଓ ଖଳତା କାହାକୁ କୁହାଯାଏ ?

 

ଉତ୍ତର : ପରମ ଅଜ୍ଞତା ହିଁ ଅହଂକାର । ନିଜକୁ ପରମ ଧାର୍ମିକ ମନେ କରିବା ହିଁ ଦମ୍ଭ । ଦାନର ଫଳ ହିଁ ପରମଦୈବ ଓ ପରନିନ୍ଦା ପରଦୋଷାନ୍ୱେଷୀ ହିଁ ଖଳତା ।

 

ଅଷ୍ଟବିଂଶତି ପ୍ରଶ୍ନ : ଧର୍ମ୍ମ, ଅର୍ଥ, କାମର ସ୍ୱରୂପ ଭିନ୍ନ ଏବଂ ପରସ୍ପର ନିତ୍ୟ ବିରୋଧୀଥିବା ସତ୍ତ୍ୱେ ମନୁଷ୍ୟର ଅଭ୍ୟୁଦୟ ନିମନ୍ତେ ଏହି ତିନୋଟି ବସ୍ତୁର ସହାବସ୍ଥାନ ଏକାନ୍ତ ଆବଶ୍ୟକ ? ସୁତରାଂ ଏହି ପରସ୍ପର ନିତ୍ୟବିରୋଧୀ ତ୍ରୟବର୍ଗର ସହାବସ୍ଥାନ କେଉଁଠାରେ ଓ କିପରି ସମ୍ଭବ ?

 

ଉତ୍ତର : ଯଦାଧର୍ମଶ୍ଚ ଭାର୍ଯ୍ୟାଚ ପରସ୍ପର ଶାନୁଗୈ । ତଦା ଧର୍ମାର୍ଧକାମାନାନଂ ତ୍ରୟଣାପି ସଙ୍ଗମଃ । ଯେତେବେଳେ ଧର୍ମ୍ମ ଓ ଭାର୍ଯ୍ୟା ଏକତ୍ର ଅବିରୋଧୀ ଭାବରେ ମନୁଷ୍ୟର ବଶୀଭୁତ ହୋଇଥାଏ ସେତିକିବେଳେ ଏହି ପରସ୍ପର ବିରୋଧୀ ତ୍ରିବର୍ଗର ସହାବସ୍ଥାନ ହୋଇଥାଏ-

 

ଉନ୍ନବିଂଶତି ପ୍ରଶ୍ନ : ସ୍ଖଳିତ ପତନଶୀଳ ମନୁଷ୍ୟ ଊଣାଅଧିକରେ ନରକଗାମୀ ହୋଇ ନରକ ଭୋଗ କରିଥାଏ କିନ୍ତୁ କେଉଁ ବ୍ୟକ୍ତି ଚିରଦିନ ନରକବାସ କରିଥାଏ ?

 

ଉତ୍ତର : ଏହି ସଂସାରରେ ତିନିପ୍ରକାର ମନୁଷ୍ୟ ଅକ୍ଷୟ ନର୍କ ଭୋଗ କରିଥାନ୍ତି । ପ୍ରଥମତଃ ଭିକ୍ଷାର୍ଥୀ ବ୍ରାହ୍ମଣଙ୍କୁ ଦେବି ବୋଲି କହି ଡାକି ନାସ୍ତିବାଣୀ ଶୁଣାଇ ଯେଉଁ ବ୍ୟକ୍ତି ତାହାକୁ ଫେରାଇ ଦେଇଥାଏ, ସେ ନରକ ଭୋଗ କରିଥାଏ । ଦ୍ୱିତୀୟତଃ ବେଦ, ଧର୍ମଶାସ୍ତ୍ର, ବ୍ରାହ୍ମଣ, ଦେବତା ଏବଂ ପିତୃପୁରୁଷଗଣଙ୍କ ବିଷୟରେ ଯେ ଭ୍ରାନ୍ତ ଓ ମିଥ୍ୟା ଧାରଣା ଦେଇଥାନ୍ତି ସେ ଅକ୍ଷୟ ନର୍କ ଭୋଗ କରିଥାନ୍ତି । ଯେଉଁ ବ୍ୟକ୍ତି ପ୍ରଚୁର ଧନୀ ହୋଇ ସୁଦ୍ଧା ଦାନ ଓ ଭୋଗ ନ କରି ଲୋଭବଶରେ ଅର୍ଥ ସଞ୍ଚୟ କରିଥାଏ କିନ୍ତୁ ଅର୍ଥ ନାହିଁ ବୋଲି ଛଳନା କରେ ସେପରି ବ୍ୟକ୍ତି ମଧ୍ୟ ଅକ୍ଷୟ ନର୍କବାସ କରିଥାଏ ।

 

ତ୍ରିଶଂତି ପ୍ରଶ୍ନ : ଆଚ୍ଛା, ଧର୍ମରାଜ ! ଜନୈକ ବ୍ରାହ୍ମଣ ବ୍ୟକ୍ତି ଉତ୍ତମ ବ୍ରାହ୍ମଣତ୍ୱ ଲାଭ ବରିବାକୁ ହେଲେ କୁଳ, ବୃତ୍ତି ଅର୍ଥାତ୍ ବର୍ଣ୍ଣୋଚିତ କର୍ମ, ସ୍ୱାଧ୍ୟାୟ ଶାସ୍ତ୍ର ଶ୍ରବଣ ମଧ୍ୟରୁ କେଉଁ ଗୋଟିକୁ ବିଶେଷ ଭାବରେ ଅବଲମ୍ବନ କରିବ ?

 

ଉତ୍ତର : ବର୍ଣ୍ଣୋଚିତ କର୍ମହିଁ ଉତ୍ତମ ବ୍ରାହ୍ମଣତ୍ୱ ଲାଭର ଏକମାତ୍ର ଉପାୟ ଓ ଅବଲମ୍ବନ-। ବ୍ରାହ୍ମଣୋଚିତ କର୍ମାଚରଣରୁ ବିଚ୍ୟୁତ ହେଲେ ବ୍ରାହ୍ମଣତ୍ୱ କ୍ଷୁର୍ଣ୍ଣ ହୋଇଥାଏ । ଆଚରଣ ଓ କର୍ମ ବ୍ରାହ୍ମଣର ବ୍ରାହ୍ମଣତ୍ୱ ଅଟେ । କ୍ରିୟାବାନ୍‍ ବ୍ରାହ୍ମଣ ହିଁ ପଣ୍ଡିତ ପଦବାଚ୍ୟ । ବେଦ ପାରଙ୍ଗମ ହୋଇ ମଧ୍ୟ ଯେଉଁ ବ୍ରାହ୍ମଣ ଦୂରାଚାରୀ ସେ ଶୂଦ୍ରଠାରୁ ଅଧମ ଓ ନୀଚ । ବିଦ୍ୱାନ ନ ହୋଇ ସୁଦ୍ଧା ଯେଉଁ ବ୍ରାହ୍ମଣ ବ୍ରାହ୍ମଣୋଚିତ କର୍ମରେ ନିଷ୍ଠାବାନ ଓ ସଂଯମୀ ସେହି ବ୍ୟକ୍ତି ହିଁ ବ୍ରାହ୍ମଣ ପଦବାଚ୍ୟ ଅଟେ ।

 

ଏକତ୍ରିଂଶତି ପ୍ରଶ୍ନ : ଆଚ୍ଛା ଧର୍ମରାଜ ! ସଂସାରରେ ମଧୁରଭାଷୀ ବ୍ୟକ୍ତି କି ଫଳ ପାଏ ? ବିଚାରଯୁକ୍ତ କର୍ମ କରିବା ବ୍ୟକ୍ତି କି ଫଳ ପାଇଥାଏ ? ବହୁ ବନ୍ଧୁବାନ୍ଧବ ଯୁକ୍ତ ମନୁଷ୍ୟର ଲାଭ କଣ-? ଏବଂ ଯେଉଁ ବ୍ୟକ୍ତି ସତତ ଧର୍ମ ନିରତ ଥାଏ ତାର ବା କି ଫଳ ଲାଭ ହୋଇଥାଏ ?

 

ଉତ୍ତର : ପ୍ରିୟଭାଷୀ ମନୁଷ୍ୟ ସମସ୍ତଙ୍କର ପ୍ରିୟ ହୋଇଥାଏ । ବିଚାର ବିବେଚନା କର୍ମ ହିଁ ସାଫଲ୍ୟ ଆଣିଥାଏ । ବହୁ ବନ୍ଧୁବାନ୍ଧବଯୁକ୍ତ ବ୍ୟକ୍ତି ହିଁ ସୁଖ ଲାଭ କରିଥାଏ ଏବଂ ଯେଉଁ ବ୍ୟକ୍ତି ସତତ ଧର୍ମ ନିରତ ଥାଏ ସେ ସଦ୍‌ଗତି ପ୍ରାପ୍ତ ହୁଏ ।

 

ଦ୍ୱିତ୍ରିଂଶତି ପ୍ରଶ୍ନ : ଏହାପରେ ଯକ୍ଷରାଜ ଗୋଟିଏ ଅଦ୍‌ଭୁତ ପ୍ରଶ୍ନ ପଚାରିଲେ ‘‘କୋ ମୋଦତେ କିମାଶ୍ଚର୍ଯ୍ୟଂ କିଃ ପନ୍ଥା କାଚବାର୍ତ୍ତିକା ମମୈତାଂଶ୍ଚତୁର ପ୍ରଶ୍ନାନ କଥୟିତ୍ୱାଂ ଜଳଂ ପିବ’’ ଅର୍ଥାତ୍ କିଏ ସୁଖୀ ? କଣ ଆଶ୍ଚର୍ଯ୍ୟ ? କେଉଁ ପଥ ? ଏବଂ ବାର୍ତ୍ତା କ’ଣ ? ଯୁଧିଷ୍ଠିର ମୋର ଏ ପ୍ରଶ୍ନ ଚାରୋଟିର ଉତ୍ତର ଦେଇ ଜଳପାନ କର ।

 

ଯୁଧିଷ୍ଠିର ଉତ୍ତର ଦେଇଥିଲେ ସାଙ୍ଗେ ସାଙ୍ଗେ ‘‘ପଞ୍ଚମେଽହନି ଷଷ୍ଠେ ବା ଶାକଂ ପଚତି ସ୍ୱେ ଗୃହେ ଅନୃଣୀ ଚାପ୍ରବାସୀ ଚ ସ ବାରିଚର ମୋଦତେ’’ ଅର୍ଥାତ୍ ହେ ବାରିଚର ! ଶୁଣନ୍ତୁ । ଯେଉଁ ମନୁଷ୍ୟ ଋଣ କରେ ନାହିଁ, ପ୍ରବାସରେ ରହେ ନାହିଁ ନିଜ ଘରେ ଶାକ ସିଦ୍ଧ କରି ପାଞ୍ଚ ଛ ଦିନ ଅନ୍ତରରେ ଖାଦ୍ୟ ଗ୍ରହଣ କରିଥିଲେ ମଧ୍ୟ ସେ ପ୍ରକୃତ ସୁଖୀ ।

 

ପୁନଶ୍ଚ ଯୁଧିଷ୍ଠିର କହିଲେ, ‘‘ଅହନ୍ୟହନି ଭୂତାନି ଗଚ୍ଛନ୍ତୀହ ଯମାଳୟମ୍ । ଶେଷାଃ ଜୀବତୁମିଚ୍ଛନ୍ତି କମାଶ୍ଚର୍ଯ୍ୟମତଃ ପରମ୍’’ ଅର୍ଥାତ୍ ପ୍ରତିଦିନ କିଏ ନା କିଏ ମୃତ୍ୟୁ ବରଣ କରିବା ମନୁଷ୍ୟ ଦେଖିମଧ୍ୟ ଯେତେବେଳେ ଭାବନ୍ତି ସେମାନେ ଚିରକାଳ ବଞ୍ଚିବେ ଓ ଧନ ସମ୍ପଦ ଭୋଗ କରିବେ- ୟାଠାରୁ ଆଶ୍ଚର୍ଯ୍ୟ ବିଷୟ କଣ ଥାଇପାରେ ? ପୁନଶ୍ଚ ପ୍ରଶ୍ନର ଉତ୍ତର ହିସାବରେ ଧର୍ମରାଜ କହିଲେ, ‘ତର୍କହୋ ପ୍ରତିଷ୍ଠଃ ଶୁତୟୋ ବିଭିନ୍ନା/ନୈକା ଋଷିର୍ଯସ୍ୟ ମତଂ ପ୍ରମାଣମ୍ । ଧର୍ମସ୍ୟ ତତ୍ତ୍ୱର ନିହିତଂ ଗୁହାୟାଂ । ମହାଜନୋ ଯେନ ଗତଃ ସ ପନ୍ଥା’’ । ଅର୍ଥାତ୍ ତର୍କ ଓ ବାଦପ୍ରତିବାଦ ବ୍ୟତୀତ ଶାସ୍ତ୍ର ତିଷ୍ଠି ପାରିବ ନାହିଁ । ଏପରି କୌଣସି ଶ୍ରୁତି ନାହିଁ ଯାହାର ବଚନ ପରସ୍ପର ଅବିରୋଧୀ । ଏପରି କୌଣସି ଋଷି ଦେଖାଯାଇ ନାହାନ୍ତି ଯାହାଙ୍କର ବଚନ ଓ ମତ ନିର୍ବିବାଦେ ସର୍ବଜନ ଗ୍ରହଣ ଯୋଗ୍ୟ ହୋଇଅଛି । ସେଥି ନିମନ୍ତେ ଧର୍ମତତ୍ତ୍ୱ ଅତ୍ୟନ୍ତ ନିଗୂଢ଼ । ଶାସ୍ତ୍ର ମାଧ୍ୟମରେ ତାହା ସଠିକ୍ ଭାବରେ କେବେ ହେଁ ଅନୁଧାବନ କରି ହେବ ନାହିଁ । ସେହି କାରଣ ଯୋଗୁଁ ମନୁଷ୍ୟ ମହାଜନଙ୍କର ପଥ ଅନୁସରଣ କରି ଚଳିବା ଉଚିତ୍ ଏବଂ ମହାଜନଙ୍କର ପଥ ହିଁ ଶ୍ରେଷ୍ଠ ପଥ । ପୁନଶ୍ଚ ଯୁଧିଷ୍ଠିର ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଲେ, ‘‘ଅସ୍ମିନ୍ ମହାମୋହମୟେ କଟାହେ / ସୂର୍ଯ୍ୟାଗ୍ନିନା / ରାତ୍ରିଦିବେନ୍ଧକେନ / ମାସର୍ତୁଦବୀପରିଘଟ୍ଟନେନ ଭୂତାନି କାଳଃ ପଚତୀତି ବାର୍ତ୍ତା’’ ଅର୍ଥାତ୍ ଏହି ସଂସାର ମହାମୋହମୟ ଏକ କଡ଼େଇ ସଦୃଶ । ମହାକାଳ ପ୍ରାଣୀଗଣଙ୍କୁ ଏହି କଡ଼େଇରେ ସୂର୍ଯ୍ୟରୂପ ଅଗ୍ନି ଦିନ ଓ ରାତ୍ରିରୂପ ଇନ୍ଧନଦ୍ୱାରା ମାସ ଓ ଋତୁରୂପ ହାତରେ ନିତ୍ୟ ନୈମତ୍ତିକ ପାକ କରି ଚାଲିଛନ୍ତି । ହେ ବାରିଚର ! ଏହାହିଁ ବାର୍ତ୍ତା ଅଟେ । ବକରୂପୀ ଯକ୍ଷ କହିଲେ–ପାଣ୍ଡବ ଅଗ୍ରଜ ! ଏ ପର୍ଯ୍ୟନ୍ତ ମୋର ପ୍ରତି ପ୍ରଶ୍ନର ଉତ୍ତର ଯେପରି ଭାବରେ ଦେଇଛ ସେଥିରେ ମୁଁ ଅତ୍ୟନ୍ତ ପ୍ରୀତ ହୋଇଚି । ତୁମର ଧୀଶକ୍ତିଦ୍ୱାରାହିଁ ତୁମ୍ଭେ ସ୍ୱପ୍ରତିଷ୍ଠିତ ହୋଇପାରିଛ । ମୋର ଆଉ କିଛି କହିବାର ନାହିଁ ।

 

ଯକ୍ଷରାଜଙ୍କର ଅନୁମତି ପାଇ ଯୁଧିଷ୍ଠିର ସରୋବରର ସେହି ନିର୍ମଳ ଜଳ ଅମୃତ ସଦୃଶ ପାନ କରି ସାରିଲା ପରେ ଯକ୍ଷ ପୁନଶ୍ଚ କହିଲେ, ଆଉ ଦୁଇଟି ପ୍ରଶ୍ନ ମାତ୍ର କରିବି । ସେ ପ୍ରଶ୍ନର ଉତ୍ତର ଦିଅ । ଯୁଧିଷ୍ଠିର ପ୍ରଶ୍ନ ଅପେକ୍ଷାରେ ରହିଲେ ।

 

ଯକ୍ଷରାଜ–ପ୍ରକୃତ ପୁରୁଷ କାହାକୁ କୁହାଯାଏ ? ସର୍ବଶ୍ରେଷ୍ଠ ଧନୀ କିଏ ?

 

ଯୁଧିଷ୍ଠିର ଉତ୍ତର ଦେଲେ : ଏହି ଜନ୍ମ ମରଣଶୀଳ ଜଗତରେ ଯେପରି କେହି ଅମର ନୁହନ୍ତି ସେହିପରି ପ୍ରତ୍ୟେକଙ୍କୁ କିଛି ନା କିଛି କର୍ମ କରିବାକୁ ପଡ଼ିଥାଏ । କେହି କେହି ଏପରି କର୍ମ କରିଥାନ୍ତି ଯାହାଦ୍ୱାରା ଜଗତ୍ ତଥା ପ୍ରାଣୀଜଗତଙ୍କୁ ସନ୍ତାପିତ କରିଥାଏ । ମୋ ମତରେ ସେମାନେ ପ୍ରକୃତ ପୁରୁଷ ପଦବାଚ୍ୟ ନୁହନ୍ତି । ଅନ୍ୟ ଦିଗରେ ଯାହାଙ୍କ କର୍ମ ଜଗତ ଓ ପ୍ରାଣୀକୁ ଉଜ୍ଜୀବିତ କରିଥାଏ ଏବଂ ସାରା ଭୁବନେ ଯାହାର ସ୍ମୃତି ବଂଶପରମ୍ପରାରେ ଜାଜ୍ଜଲ୍ୟମାନ ହୋଇ ରହେ ସେ ହିଁ ପ୍ରକୃତ ପୁରୁଷ ପଦବାଚ୍ୟ । ଯଥାର୍ଥ ପୁରୁଷ । ସର୍ବଶ୍ରେଷ୍ଠ ଧନୀ ବିଷୟରେ ମୁଁ କହିବି ଯେ ଅତୁଳ ଧନ ସମ୍ପଦର ଅଧିକାରୀ ଓ ଧନିକ ସମାଜର ଶିରୋମଣି ସର୍ବଶ୍ରେଷ୍ଠ ଧନୀ ପଦବାଚ୍ୟ ନୁହେଁ । ମୋ ମତରେ ‘‘ତୁଲ୍ୟେ ପ୍ରୀୟାପ୍ରିୟେ ଯସ୍ୟ- ଦୁଃଖେ ତଥୈବ ଚ / ଅତୀତାନାଗତେ ଚୋଭେ ସର୍ବୈ ସର୍ବ ଧନୀଶ୍ୱରଃ’’ । ଅର୍ଥାତ୍ ଯାହା ନିକଟରେ ପ୍ରିୟ ଅପ୍ରିୟ ଭେଦ ନାହଁ, ଅତୀତର କ୍ଳାନ୍ତିରେ ମୂହ୍ୟମାନ ହୋଇନାହିଁ, ଅନାଗତ ସମ୍ବନ୍ଧରେ କୌଣସି ଆଶଙ୍କା କରେ ନାହିଁ, ସଦା ସର୍ବଦା ପ୍ରଶାନ୍ତ ମନ ରଖିଥାଏ ସେହିଁ ପ୍ରକୃତ ଧନୀ ।

 

ଯୁଧିଷ୍ଠିରଙ୍କର ଏହି କଥା ଶୁଣି ଯକ୍ଷରାଜ ଅତ୍ୟନ୍ତ ପ୍ରୀତ ହୋଇ କହିଲେ : ପାଣ୍ଡବଅଗ୍ରଜ-! ଏହି ଉତ୍ତର ଦୁଇଟି ନିମନ୍ତେ ମୁଁ ତୁମକୁ ଗୋଟିଏ ବର ଦେବାକୁ ମନସ୍ଥ କରିଛି । ତୁମ୍ଭର ଏହି ଚାରି ଭାଇଙ୍କ ମଧ୍ୟରୁ ଜଣଙ୍କର ପ୍ରାଣଦାନ ମାଗିପାର । ଯୁଧିଷ୍ଠିର ଯକ୍ଷରାଜଙ୍କୁ କଥାରେ କହିଲେ : ଯଦି ଆପଣ ମୋ ଉତ୍ତରରେ ସନ୍ତୁଷ୍ଟ ହୋଇଛନ୍ତି ତାହେଲେ ନକୁଳକୁ ପ୍ରାଣଦାନ ଦିଅନ୍ତୁ ।

 

ଯୁଧିଷ୍ଠିରଙ୍କର ପ୍ରାର୍ଥନା ଶୁଣି ଯକ୍ଷରାଜ ବିସ୍ମିତ ହେଲେ । କହିଲେ : ତୁମ୍ଭର ପ୍ରିୟ ଭ୍ରାତା ଅର୍ଜ୍ଜୁନ ଭୀମାଦିଙ୍କ ପ୍ରାଣ ଭିକ୍ଷା ନକରି ନକୁଳର ପ୍ରାଣ ଦାନ କାହିଁକି ଇଚ୍ଛା କରିଅଛ ? ଯୁଧିଷ୍ଠିର କହିଲେ, ଯକ୍ଷରାଜ ! ମୁଁ ସଦା ଧର୍ମ ନିରତ । ସଦା ସର୍ବଦା ଧର୍ମକୁ ଅବଲମ୍ବନ କରି ଚାଲିଛି । ଧର୍ମ ସହିତ ବିଶ୍ୱାସଘାତକତା କୌଣସି ଦିନ କରିନାହିଁ ସେଥିନିମନ୍ତେ ନକୁଳ ପ୍ରାଣ ଭିକ୍ଷା କରିଛି ।

 

ଯକ୍ଷରାଜ ଯୁଧିଷ୍ଠିରଙ୍କ ବିଶ୍ୱାସଘାତକତା ଶବ୍ଦଶୁଣି ପଚାରିଲେ : ବିଶ୍ୱାସଘାତକତା କିପରି ? ବୁଝାଇ କୁହ ? ଯକ୍ଷରାଜ ! ମୋର ମାତୃଦେବୀ କୁନ୍ତୀଙ୍କ ସ୍ମୃତି ବହନ କରି ତିନିଭାଇ ମଧ୍ୟରୁ ମୁଁ ଜୀବିତ ଅଛି । କିନ୍ତୁ ମାତୃସମା ଅନ୍ୟତମ ମାତୃଦେବୀ ମାଦ୍ରୀଙ୍କର ସ୍ମୃତି ରଖିବା ନିମନ୍ତେ କେହି ନଥିବାରୁ ତାଙ୍କର ଗର୍ଭ ସମ୍ଭୂତ ଯମଜ ପୁତ୍ରଙ୍କ ମଧ୍ୟରୁ ନକୁଳଙ୍କ ପ୍ରାଣଦାନ ବର ମାଗିଛି । କାରଣ ମାଦ୍ରୀଙ୍କ ତନୟ ମଧ୍ୟରୁ ଜଣଙ୍କୁ ଫେରାଇ ନ ନେଲେ ଧର୍ମ ସହିତ ବିଶ୍ୱାସଘାତକତା ହେବ ନାହିଁ କି ? ଉତ୍ତର ଶୁଣି ଯକ୍ଷରାଜ ପୁଲକିତ ହୋଇ କହିଲେ କେବଳ ନକୁଳ କାହିଁକି ମୁଁ ତୁମ୍ଭର ଅନ୍ୟ ତିନି ଭ୍ରାତାଙ୍କ ପ୍ରାଣ ଦାନ ମଧ୍ୟ ଦେବି । ମୁହୂର୍ତ୍ତ ମଧ୍ୟରେ ସମସ୍ତ ମୃତ ଭ୍ରାତୃବର୍ଗଙ୍କର ପ୍ରାଣ ସଞ୍ଚାର ହୋଇଥିଲା । ଯକ୍ଷରାଜ ଯୁଧିଷ୍ଠିରଙ୍କୁ ବନବାସର ପରିସମାପ୍ତି ସମୟ ନିଃଶଙ୍କରେ କଟାଇବେ ବୋଲି ଆଶ୍ୱାସନା ମଧ୍ୟ ଦେଲେ ।

 

ଏହି ପର୍ବ ସମାଧାନ ପରେ ମଧ୍ୟ ଯୁଧିଷ୍ଠିରଙ୍କ ମନ ଅଶାନ୍ତ ଥିଲା । ଯେଉଁ କର୍ତ୍ତବ୍ୟ ପାଳନ ନିମନ୍ତେ ସେ ଏ ଅରଣ୍ୟ ମଧ୍ୟରେ ଏପରି ବିପାକରେ ପଡ଼ିଥିଲେ ସେହି କର୍ତ୍ତବ୍ୟ ଏ ପର୍ଯ୍ୟନ୍ତ ସମାହିତ ନ ହୋଇଥିବାରୁ ଅନ୍ତରରେ ଚିନ୍ତାଗ୍ରସ୍ତ ହୋଇ ଯକ୍ଷରାଜଙ୍କୁ ତାଙ୍କର ପ୍ରକୃତ ପରିଚୟ ଦେବା ନିମନ୍ତେ ଅନୁରୋଧ ଜଣାଇଥିଲେ । ଯକ୍ଷ ନିଜ ଆତ୍ମପରିଚୟ ଦେଇ କହିଲେ : ସେ ସଂଜୀବନୀପୁର ଅଧୀଶ୍ୱର ଯୁଧିଷ୍ଠିରଙ୍କ ପିତା ସ୍ୱୟଂ ଧର୍ମରାଜ । ଧର୍ମ ପରୀକ୍ଷା ନିମନ୍ତେ ସେ ମୃଗରୂପ ଧାରଣ କରିଥିଲେ ଏବଂ ଅରଣୀକାଷ୍ଠ ହିଁ ତାଙ୍କଦ୍ୱାରା ଆନୀତ ହୋଇଥିଲା । ଏହା କହି ଯୁଧିଷ୍ଠିରଙ୍କୁ ବ୍ରାହ୍ମଣର ଅରଣୀଟିକୁ ଯୁଧିଷ୍ଠିରଙ୍କୁ ଫେରାଇ ଦେଇ ସତ୍ୟରକ୍ଷା କରି ଧର୍ମପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଯକ୍ଷରୂପୀ ଧର୍ମରାଜଙ୍କୁ ଆଭୂମିପ୍ରଣାମାନ୍ତେ ପାଣ୍ଡବ ଭ୍ରାତୃଗଣ ୧୨ ବର୍ଷ ବନବାସ ଓ ୧ ବର୍ଷ କଷ୍ଟଦାୟକ ଅଜ୍ଞାତବାସ ନିଶ୍ଚିତ ରୂପେ ନିରାପଦରେ ଅତିକ୍ରମ କରିବାର ଆଶ୍ୱାସ ନେଇ ପ୍ରତ୍ୟାବର୍ତ୍ତନ କରିଥିଲେ ।

Image

 

ଅଷ୍ଟାବକ୍ର ଓ ବଳୀ ସମ୍ୱାଦ

 

ପାଣ୍ଡବକୁଳର ଅସ୍ତିତ୍ୱ ରକ୍ଷା କରିବା ନିମନ୍ତେ ପ୍ରତିସ୍ଫର୍ଦ୍ଧୀ ପ୍ରତିପକ୍ଷ କପଟାଚାରୀ ଦୁର୍ଯ୍ୟୋଧନାଦି ଭ୍ରାତାଙ୍କ ସହିତ ଯେ ମହାସମର ସୁନିଶ୍ଚିତ ଏକଥା ନିଶ୍ଚିତ ଭାବରେ ଜଣା ପଡ଼ିଥିଲା-। ଏହି ସମର ସୁନିଶ୍ଚିତ ହେବାର କାରଣ ମଧ୍ୟରେ ଶକୁନିଙ୍କର ନୀତିବହିର୍ଭୂତ ପଶାଖେଳରେ ପରାଜିତ ପାଣ୍ଡବଗଣଙ୍କ ଦ୍ୱାଦଶ ବର୍ଷ ବନବାସ ଓ ଏକ ବର୍ଷ ଅଜ୍ଞାତବାସ ସର୍ତ୍ତରେ ହସ୍ତିନାପୁରରୁ ବିତାଡ଼ନ ମୁଖ୍ୟ କାରଣ ଥିଲା । ଦୁର୍ଯ୍ୟୋଧନ ସପକ୍ଷରେ ମହାବଳ ପିତାମହ ଭୀଷ୍ମଠାରୁ ଆରମ୍ଭ କରି ମହାରଥୀଙ୍କର ସମାବେଶ ହୋଇଥିବା ବେଳେ ପାଣ୍ଡବଗଣଙ୍କର ଏକମାତ୍ର ତୃତୀୟ ପାଣ୍ଡବ ସେମାନଙ୍କର ସମକକ୍ଷ ଥିଲେ । ତଥାପି ସୂତପୁତ୍ର କର୍ଣ୍ଣ କେବଳ ମହାଧନୁର୍ଦ୍ଧର ନ ଥିଲେ, ଦୈବ ସାହାଯ୍ୟରେ ପ୍ରଭୂତ ଦିବ୍ୟ ଅସ୍ତ୍ରରେ, ସମୃଦ୍ଧ ଥିଲେ । ସୁତରାଂ କୌରବଗଣଙ୍କର ଏହି ଭାରୀ ପକ୍ଷ ସହିତ ସମକକ୍ଷ ହେବା ନିମନ୍ତେ ଯୁଧିଷ୍ଠିର ତୃତୀୟ ପାଣ୍ଡବ ଅର୍ଜ୍ଜୁନଙ୍କୁ ମହାଦେବଙ୍କଠାରୁ ଆରମ୍ଭ କରି ଦେବଲୋକବାସୀ ଦେବଗଣଙ୍କ ନିକଟକୁ ଦିବ୍ୟାସ୍ତ୍ର ସନ୍ଧାନରେ ପ୍ରେରଣ କରିଥିଲେ । ଅଗ୍ରଜଙ୍କ ଆଦେଶରେ ଅର୍ଜ୍ଜୁନ କାମ୍ୟକ ବନ ତ୍ୟାଗ କରି ଲୋକାଲୋକକୁ ଅସ୍ତ୍ର ସାଧନା ଉଦ୍ଦେଶ୍ୟ ନେଇ ଗମନ କରିଥିଲେ ।

 

ଯୁଧିଷ୍ଠିରଙ୍କ କାମ୍ୟକ ବନରେ ଅବସ୍ଥାନ କାଳରେ ହିଁ ଅର୍ଜ୍ଜୁନ ଦିବ୍ୟାସ୍ତ୍ର ସନ୍ଧାନରେ ଯାଇଥିଲେ । ଅର୍ଜ୍ଜୁନବିହୀନ କାମ୍ୟକ ବନ ଯା କିଛି ଦିନ ପୂର୍ବରୁ ମରୁଦ୍ୟାନ ସଦୃଶ ପ୍ରତିଭାତ ହେଉଥିଲା ତାହା ଅର୍ଜ୍ଜୁନଙ୍କ ବିହୀନରେ ଶ୍ରୀହୀନ ମରୁଭୂମି ସଦୃଶ ବିଷାଦ ମଳିନ ରୂପ ଧାରଣା କଲା । ପାଣ୍ଡବଗଣ ଓ ଦ୍ରୌପଦୀଙ୍କ ପକ୍ଷରେ ଅର୍ଜ୍ଜୁନବିହୀନ କାମ୍ୟକ ବନର ପ୍ରତିଟି ଦିନ ଶ୍ରୀହୀନ ଓ କାମନାଶୂନ୍ୟ ହେଲା । ଦୀର୍ଘକାଳ ଗତ ହେଲା ପରେ ମଧ୍ୟ ଅର୍ଜ୍ଜୁନଙ୍କର ପ୍ରତ୍ୟାଗମନ ତ ଦୂରର କଥା ତାଙ୍କର କୌଣସି ସମ୍ବାଦ ମିଳି ନ ଥିଲା । ବିଚଳିତ ଧର୍ମରାଜ ରାଜପୁରୋହିତ ଧୌମଙ୍କୁ ତୀର୍ଥ ପରିକ୍ରମାର ଦିଗ୍‌ଦର୍ଶନ ଦେବା ନିମନ୍ତେ ଅନୁରୋଧ କଲେ । ଧୌମଙ୍କ ସହିତ ଏଭଳି କଥୋପକଥନ ସମୟରେ ମହର୍ଷି ଲୋମଶ ସେଠାରେ ଉପସ୍ଥିତ ହୋଇଥିଲେ । ମହର୍ଷି ଲୋମଶଙ୍କୁ ଯଥାଯଥ ଅଭ୍ୟର୍ଥନା ଜଣାଇ ପଣ୍ଡୁ ପୁତ୍ରଗଣ ମହର୍ଷିଙ୍କ ଆଗମନ କାରଣ ପଚାରିଥିଲେ । ମହର୍ଷି ଲୋମଶ କହିଲେ ଯେ ସେ ଦେବରାଜ ଇନ୍ଦ୍ରଙ୍କ ଆଦେଶ ପାଇ ଅମରାବତୀରୁ ତୃତୀୟ ପାଣ୍ଡବ ଇଚ୍ଛା ପୂରଣ ନିମନ୍ତେ ଏଠାକୁ ଆସିଛନ୍ତି । ଉତ୍କଣ୍ଠିତ ପାଣ୍ଡବଗଣ ଅର୍ଜ୍ଜୁନଙ୍କ ସମ୍ବନ୍ଧରେ ପ୍ରଶ୍ନ କରିବାରୁ ଋଷିବର କହିଲେ ଅର୍ଜ୍ଜୁନଙ୍କ ସହିତ ସାକ୍ଷାତ ତାଙ୍କର ଅମରାବତୀରେ ହୋଇଥିଲା । ଅର୍ଜ୍ଜୁନ ସ୍ୱତପସ୍ୟା ବଳରେ ମହାଦେବଙ୍କର ବ୍ରହ୍ମଶର ଓ ପାଶୁପତ ଏବଂ ଦେବଗଣଙ୍କଠାରୁ ସର୍ବବିଧ ଦିବ୍ୟାସ୍ତ୍ର ପ୍ରାପ୍ତ ହୋଇଛନ୍ତି । ଦେବରାଜଙ୍କର ନିର୍ଦ୍ଦେଶ ଓ ଅର୍ଜ୍ଜୁନଙ୍କ ଆଜ୍ଞାରେ ପାଣ୍ଡବଭ୍ରାତାଙ୍କ ଦୁର୍ଗମ ପୁଣ୍ୟମୟ ତୀର୍ଥ ଭ୍ରମଣର ପଥପ୍ରଦର୍ଶକ ଓ ରକ୍ଷକ ହିସାବରେ ସେ ଏଠାକୁ ଆସିଛନ୍ତି । ଏହି ଉକ୍ତିରେ ହର୍ଷତୋଫୁଲ୍ଲ ପାଣ୍ଡବଗଣ କାଳବିଳମ୍ବ ନ କରି ମହର୍ଷି ଲୋମଶଙ୍କ ସହିତ ଦୁର୍ଗମ ତୀର୍ଥ ଦର୍ଶନାର୍ଥେ ଯାତ୍ରା ଆରମ୍ଭ କରିଥିଲେ । ଅଚୀରେ ଯୁଧିଷ୍ଠିର ଏକ ସବୁଜ ତରୁଲତା ପରିବୃତ୍ତ ମନୋରମ ତପୋବନରେ ଉପସ୍ଥିତ ହେଲେ । ପାଣ୍ଡବଅଗ୍ରଜ ଯୁଧିଷ୍ଠିର ତପୋବନର ପ୍ରଶାନ୍ତିରେ ମୁଗ୍ଧ ହୋଇ ତପୋବନ ସମ୍ବନ୍ଧରେ ଋଷି ଲୋମଶଙ୍କୁ ପ୍ରଶ୍ନ କରିଥିଲେ । ଲୋମଶ ଜଣାଇଥିଲେ ଯେ ଏହି ତପୋବନସ୍ଥିତରେ ମହର୍ଷି ଉଦାଳକଙ୍କ ପୁତ୍ର ଶ୍ୱେତକେତୁ ଆଶ୍ରମ କରି ଅବସ୍ଥାନ କରିଥିଲେ । ତପୋବନ ନିକଟସ୍ଥ ପ୍ରବାହିତ ନଦୀ ‘ସମଙ୍ଗା’ ନାମେ ନାମିତ । ଏହି ନଦୀରେ ଅବଗାହନ ମାତ୍ରେ ହିଁ ମାନବ ଶରୀରର ସମସ୍ତ ମାଳିନ୍ୟ ଦୂରୀଭୂତ ହୋଇଥାଏ ।

 

(ଯୁଧିଷ୍ଠିରଙ୍କର କାମ୍ୟକ ବନ ଅବସ୍ଥାନ କାଳରେ ଋଷି ଲୋମଶ ଅଷ୍ଟାବକ୍ର ବଳୀ ସମ୍ୱାଦଟି ଯୁଧିଷ୍ଠିରଙ୍କୁ ଶୁଣାଇଥିଲେ ।)

 

ଧର୍ମରାଜ ଯୁଧିଷ୍ଠିର ଶ୍ୱେତକେତୁ ଓ ଅଷ୍ଟାବକ୍ରଙ୍କ ସମ୍ବନ୍ଧରେ ପୂର୍ବରୁ କିଞ୍ଚିତ୍‌ ଶ୍ରବଣ କରିଥିଲେ ଯେ ଶ୍ୱେତକେତୁ ସ୍ୱଧ୍ୟାନ ଓ ଧାରଣା ବଳରେ ଜୀବ ଓ ବ୍ରହ୍ମର ଅପୂର୍ବ ସମନ୍ୱୟରେ ଅନ୍ଧକାରାବୃତ୍ତ ସତ୍ୟକୁ ତମସାମୁକ୍ତ କରି ପ୍ରତିଷ୍ଠା କରିପାରିଥିଲେ । ଅତଃପର ପାଣ୍ଡବଗଣ ନିକଟସ୍ଥ ସମଙ୍ଗା ନଦୀରେ ସ୍ନାନ ସାରି ଶ୍ୱେତକେତୁଙ୍କର ସ୍ୱହସ୍ତ ପ୍ରୋଧିତ ସୁପ୍ରାଚୀନ ବଟବୃକ୍ଷ ମୂଳରେ ଉପବେଶନ କଲେ । ଲୋମଶ ମହର୍ଷି ମଧ୍ୟ ସେ ସ୍ଥାନରେ ଉପବେଶନାନ୍ତେ କୌତୁହଳୀ ଯୁଧିଷ୍ଠିର ଲୋମଶ ଋଷିଙ୍କୁ ଶ୍ୱେତକେତୁଙ୍କର ବୃତ୍ତାନ୍ତ ଶୁଣାଇବା ନିମନ୍ତେ ଅନୁରୋଧ ଜଣାଇଲେ ।

 

ଲୋମଶଋଷି କାହାଣୀ ବୃତ୍ତାନ୍ତ ଆରମ୍ଭ କରି କହିଲେ ଋଷି ଉଦ୍ଦାଳଙ୍କର ଆତ୍ମଜ ନାମ ଶ୍ୱେତକେତୁ ଓ ଆତ୍ମଜା ନାମ ସୁଜାତା ଥିଲା । ସୁଜାତା କନିଷ୍ଠ ଭ୍ରାତା ଶ୍ୱେତକେତୁଙ୍କଠାରୁ ବୟସରେ ଅନେକ ବଡ଼ ଥିଲେ । କନ୍ୟା ହୋଇ ସୁଦ୍ଧା ସେ ଉଦ୍ଦାଳକଙ୍କର ଅବହେଳାର ପାତ୍ରୀ ନ ଥିଲେ । ବରଂ ଋଷି ଉଦ୍ଦାଳକ କନ୍ୟାଟିକୁ ବିଦୂଷୀ କରାଇଥିଲେ । ଉଦ୍ଦାଳକ ଋଷିଙ୍କ ଆଶ୍ରମରେ ଅଗଣିତ ଶିକ୍ଷାର୍ଥୀ ବେଦବିଦ୍ୟା ଅଭ୍ୟାସ ନିମନ୍ତେ ଆସୁଥିଲେ । ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଏକମାତ୍ର ‘କାହୋଡ଼’ ନାମଧାରୀ ଏକ ଶିକ୍ଷାର୍ଥୀ ନିଜର ଧୀଶକ୍ତି ଓ ପାଣ୍ଡିତ୍ୱ ବଳରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଋଷି ଉଦ୍ଦାଳକ ମଧ୍ୟ ‘କାହୋଡ଼’ଙ୍କୁ ଅତ୍ୟନ୍ତ ସ୍ନେହ ଚକ୍ଷୁରେ ଦେଖୁଥିଲେ ଏବଂ ପରବର୍ତ୍ତୀ କାଳରେ ଏହି ‘କାହୋଡ଼’ଙ୍କୁ ନିଜ କନ୍ୟା ସୁଜାତାକୁ ସଂପ୍ରଦାନ କରିଥିଲେ । ଅଷ୍ଟାବକ୍ର ଏହି କାହୋଡ଼ ଓ ସୁଜାତାଙ୍କ ଜନ୍ମିତ ସନ୍ତାନ ଥିଲେ ।

 

ଅଷ୍ଟାବକ୍ର ଋଷିଙ୍କର ଏତାଦୃଶ ନାମକରଣ କାରଣ ଜାଣିବାକୁ ଜନୈକ ପାଣ୍ଡବ ଋଷି ଲୋମଶଙ୍କୁ ପ୍ରଶ୍ନ ପଚାରିଥିଲେ । ଅଷ୍ଟାବକ୍ରଙ୍କର ଏତାଦୃଶ ନାମକରଣ ବିଷୟରେ ଲୋମଶ ଋଷି କହିଲେ ଯେ ଜନ୍ମହେବା କ୍ଷଣଠାରୁ ଅଷ୍ଟାବକ୍ରଙ୍କର ଶରୀର ଅଷ୍ଟବାଙ୍କ ବିଶିଷ୍ଟ ହୋଇଥିଲା । ସୁତରାଂ ତାଙ୍କର ନାମ ଅଷ୍ଟାବକ୍ର ଦିଆଯାଇଥିଲା । ଅଷ୍ଟାବକ୍ରଙ୍କର ଇତାଦୃଶ ଶରୀରର ଆକାର ନିମନ୍ତେ ତାଙ୍କର ପିତା ‘କାହୋଡ଼’ ହିଁ ଦାୟୀ । କାହୋଡ଼ ଉଦ୍ଦାଳଙ୍କ ଆଶ୍ରମରେ ପ୍ରତିଦିନ ବେଦ ପଠନ କରୁଥିବାରୁ ବେଦପଠନ ଶ୍ରେଷ୍ଠ ଥିଲେ । ଅଗଣିତ ଶିକ୍ଷାର୍ଥୀ କାହୋଡ଼ଙ୍କଠାରୁ ବେଦପଠନ ଅଭ୍ୟାସ ଶିକ୍ଷା କରୁଥିଲେ । ଏକଦା କାହୋଡ଼ ଆଶ୍ରମରେ ବେଦପଠନ ଅଭ୍ୟାସ କରାଉଥିବା ସମୟରେ ସୁଜାତା ମଧ୍ୟ ସେଠାରେ ଉପସ୍ଥିତ ରହି ବେଦପଠନ ଶ୍ରବଣ କରୁଥିଲେ । ହଠାତ୍‌ କେହି ଜଣେ କହିଉଠିଲା ‘ବେଦପଠନରେ ନିର୍ଭୁଲ ଉଚ୍ଚାରଣ’ ଆବଶ୍ୟକ । ଏହି ଉକ୍ତିରେ କାହୋଡ଼ ଇତସ୍ତତଃ ନିରୀକ୍ଷଣ କରି କାହାକୁ ନ ଦେଖି ପୂର୍ବବତ୍‌ବେଦ ପଠନରେ ମନୋଯୋଗ ଦେଲେ । ପୁନଶ୍ଚ ସେହି ଏକା ବାଣୀ ଶୁଣାଯାଇଥିଲା । ଏଥର କାହୋଡ଼ ବାଣୀ ଅନୁସରଣପୂର୍ବକ ଜାଣିପାରିଲେ ଯେ ବାଣୀ ସୁଜାତାଙ୍କ ଗର୍ଭଦେଶରୁ ନିର୍ଗତ ହୋଇଛି । ସୁଜାତା ସେତେବେଳେ ଗର୍ଭବତୀ ଥିଲେ । କାହୋଡ଼ ନିଜର ଔରସଜାତ ଅନାଗତ ସନ୍ତାନର ଟିପ୍‌ପଣୀ ଶୁଣି ଅପମାନରେ କ୍ରୋଧବଶତଃ ଆତ୍ମଜଙ୍କୁ ନିର୍ମମ ଅଭିଶାପ ଦେଇଥିଲେ ଯେ ‘‘ପୁତ୍ର ହୋଇ ସୁଦ୍ଧା ଯେ ଏତେ ଔଦ୍ଧତ୍ୟ ପ୍ରକାଶ କରିଛି ସେ ସମସ୍ତଙ୍କ ନିକଟରେ ହାସ୍ୟାସ୍ପଦ ଓ କରୁଣାର ପାତ୍ର ହୋଇ ଭୂମିଷ୍ଠ ହେଉ ।’’ ବ୍ରହ୍ମବିଦ୍‌ ମୁନିଙ୍କ ଅଭିଶାପରେ ଶିଶୁଟିର ଶରୀର ନଧରକାନ୍ତି ନହୋଇ ମସ୍ତକଠାରୁ ପାଦ ପର୍ଯ୍ୟନ୍ତ ଅଷ୍ଟବାଙ୍କ ନେଇ ଜନ୍ମଗ୍ରହଣ କରିଥିଲା । ସେହିଦିନଠାରୁ ସେ ଅଷ୍ଟାବକ୍ର ନାମରେ ପରିଚିତ ହୋଇଥିଲେ । ଅତ୍ୟନ୍ତ ସୌଭାଗ୍ୟବାନ ନ ହେଲେ କୌଣସି ପିତାର ଏପରି ପୁତ୍ର ଜନ୍ମ ଗ୍ରହଣ କରେ ନାହିଁ । ଜନ୍ମଗ୍ରହଣ କଲାପରେ ସେହି ପୁତ୍ରକୁ ଏପରି ବିକୃତ ଅବସ୍ଥା ଦେଖି ମହର୍ଷି କାହୋଡ଼ଙ୍କ ମନରେ ନିଶ୍ଚୟ ଅନୁତାପ ଜାତହେବା ସ୍ୱାଭାବିକ ବୋଲି ଜନୈକ ପାଣ୍ଡବ ମତବ୍ୟକ୍ତ କରିଥିଲେ । ଏହି ମନ୍ତବ୍ୟରେ ଲୋମଶମୁନି କହିଲେ ପୁତ୍ର ମୁଖ ଦର୍ଶନ କରିବାର ସୁଯୋଗ କାହୋଡ଼ ପାଇ ନଥିଲେ । ଜନ୍ମଅବଧି ବାରବର୍ଷ ବୟକ୍ରମଃ ପର୍ଯ୍ୟନ୍ତ ଅଷ୍ଟବକ୍ର ତାଙ୍କର ପିତାମହ ଉଦ୍ଦାଳକକୁ ହିଁ ପିତା ବୋଲି ଜାଣିଥିଲେ । ଋଷି ଉଦ୍ଦାଳକ ଓ କନ୍ୟା ସୁଜାତା ମଧ୍ୟ ଅଷ୍ଟାବକ୍ର ପିତା କାହୋଡ଼ଙ୍କର ମର୍ମାନ୍ତିକ ପରିସ୍ଥିତ ବିଷୟରେ ଜାଣିବାକୁ କାହାରିକୁ ଦେଇନଥିଲେ । କାହୋଡ଼ଙ୍କର ମର୍ମାନ୍ତିକ ପରିଣତ ବିଷୟରେ ଜାଣିବାକୁ କାହାରିକୁ ଦେଇନଥିଲେ । କାହୋଡ଼ଙ୍କର ମର୍ମାନ୍ତିକ ପରିଣତ ବିଷୟରେ କୌତୁହଳୀ ହୋଇ ପାଣ୍ଡବଗଣ ମୁନିଙ୍କୁ ପ୍ରଶ୍ନ ପଚାରିଥିଲେ । ଉତ୍ତରରେ ଲୋମଶ କହିଲେ ସେ ସମୟରେ ମିଥିଳାଧୀପ ଜନକ ନିଜେ ଯେପରି ବିଦ୍ୱାନ୍‌ ଥିଲେ ସେପରି ତାଙ୍କ ସଭାରେ ମଧ୍ୟ ବିଦ୍ୱାନ୍‌ମାନେ ଆଦୃତ ହେଉଥିଲେ । ଭାଗ୍ୟଚକ୍ରରେ ଏକଦା ଜନକ ତାଙ୍କ ସଭାରେ ଏପରି ଏକ ପଣ୍ଡିତବ୍ୟକ୍ତିଙ୍କୁ ପାଇଥିଲେ ଯାହାଙ୍କର ପାଣ୍ଡିତ୍ୟ ଓ ବାଗ୍ମୀତାରେ ମୁଗ୍ଧ ହୋଇ ରାଜା ତାଙ୍କୁ ସଭାପଣ୍ଡିତ ଆସନ ଦେଇଥିଲେ । ଦେଶ ବିଦେଶରୁ ପଣ୍ଡିତଗଣ ଜନକ ରାଜସଭାକୁ ଅର୍ଥ ଆଶାରେ ଆସୁଥିଲେ । ବିଚାର ସଭାରେ ସେହି ଦେଶବିଦେଶାଗତ ପଣ୍ଡିତଗଣଙ୍କୁ ନେଇ ସଭାପଣ୍ଡିତ ‘ବଳୀ’ ବସୁଥିଲେ । ସର୍ତ୍ତାନୁଯାୟୀ ସେହି ପଣ୍ଡିତଙ୍କୁ ବିଚାରରେ ଜୟ କରି ପାରିଲେ ସେମାନଙ୍କର ଆଶା ପୂରଣ ହେଉଥିଲା ଅନ୍ୟଥା ପଣ୍ଡିତମାନଙ୍କୁ ସମୁଦ୍ର ଗର୍ଭକୁ ନିକ୍ଷେପ କରିବା ନିମନ୍ତେ ସଭା ପଣ୍ଡିତ ‘ବଳୀ’ ଆଦେଶ ଦେଉଥିଲେ । ପରାଜିତ ପଣ୍ଡିତଗଣ ପ୍ରାଣ ନେଇ ପ୍ରତ୍ୟାବର୍ତ୍ତନ କରିବା ଅସମ୍ଭବ ଥିଲା । ଏଇକଥା ଶୁଣି ପାଣ୍ଡବଗଣ ବିସ୍ମିତ ହୋଇ ପଚାରିଲେ ଜନକ ବିଦ୍ୱାନ ଧାର୍ମିକ ହୋଇ ସୁଦ୍ଧା ଏପରି ଭାବରେ ବ୍ରାହ୍ମଣଙ୍କର ପ୍ରାଣ କିପରି ନେଉଥିଲେ ? ଲୋମଶ କହିଲେ–ଏହି ସର୍ତ୍ତ ପଣ୍ଡିତ ‘ବଳୀ’ ଜନକ ରାଜାଙ୍କ ସହିତ କରିଥିଲେ । ସତ୍ୟବାନ୍‌ ଜନକଙ୍କ ସର୍ତ୍ତକୁ ମାନିନେବା ପରେ ଉପେକ୍ଷା କରି ପାରିନଥିଲେ । ସତ୍ୟଭଙ୍ଗ ଆଶଙ୍କାରେ ଜନକ ବାଧ୍ୟ ହୋଇ ସଭାପଣ୍ଡିତ ‘ବଳୀ’ଙ୍କ ଇଚ୍ଛା ପୂରଣ କରୁଥିଲେ । ଏହିପରି ଏକଦା କାହୋଡ଼ ଜନକ ରାଜସଭାରେ ସଭାପଣ୍ଡିତ ବଳୀଙ୍କ ସହିତ ପରାଜୟ ସ୍ୱୀକାର କରି ସମୁଦ୍ର ଗର୍ଭକୁ ନିକ୍ଷିପ୍ତ ହୋଇଥିଲେ । ସୁତରାଂ ଅଷ୍ଟାବକ୍ର ଜନ୍ମ ଅବଧି ପିତାଙ୍କ ନ ଦେଖି ପିତାମହଙ୍କୁ ହିଁ ଜନ୍ମିତ ପିତା ଭାବରେ ଜାଣିଥିଲେ । କିନ୍ତୁ ସତ୍ୟ ଚିରଦିନ ସ୍ୱପ୍ରକାଶକ । ଘଟଣାଚକ୍ରରେ ଏକଦା ସେହି ସତ୍ୟ ଉଦ୍‌ଘାଟିତ ହୋଇଥିଲା । ଶିଶୁପୁତ୍ର ଅଷ୍ଟାବକ୍ର ଓ ମାତୁଳ ଶ୍ୱେତକେତୁ ସମବୟସ୍କ ନ ଥିଲେହେଁ ବୟସର ତାରତମ୍ୟ ଅଳ୍ପ ଥିବାରୁ ଦୁହେଁ ଦୁହିଁଙ୍କୁ ଭ୍ରାତୃଜ୍ଞାନ କରୁଥିଲେ । ଏହିପରି ଧୀରେ ଧୀରେ ଦୁଇଶିଶୁ କୁମାରଅବସ୍ଥା ପ୍ରାପ୍ତ ହୋଇଥିଲେ । ଉଦ୍ଦାଳକ ଅଷ୍ଟାବକ୍ରକୁହିଁ ଯେପରି ଅଧିକ ସ୍ନେହ କରୁଥିଲେ । ଏକଦା ଅଷ୍ଟାବକ୍ର ଓ ଶ୍ୱେତକେତୁଙ୍କ ମଧ୍ୟରେ ଉଦ୍ଦାଳକ ଋଷିଙ୍କ କ୍ରୋଡ଼ ନେଇ ଝଗଡ଼ା ସୃଷ୍ଟି ହୋଇଥିବାରୁ ଶ୍ୱେତକେତୁ କ୍ରୋଧବଶତଃ ଅଷ୍ଟାବକ୍ରଙ୍କୁ ନିଜ ପିତାଙ୍କ କ୍ରୋଡ଼ ଅଧିକାର କରିବାକୁ କହିଥିଲେ । ଉଦ୍ଦାଳକ ଋଷି କେବଳ ଶ୍ୱେତକେତୁଙ୍କର ପିତା ତେଣୁ ଉଦ୍ଦାଳକ ଋଷିଙ୍କ କ୍ରୋଡ଼ ଉପରେ କେବଳ ଶ୍ୱେତକେତୁଙ୍କର ହିଁ ଜନ୍ମଗତ ଅଧିକାର । ଏଇ କଥାରେ ଅଷ୍ଟାବକ୍ର ହୃଦୟଙ୍ଗମ କରିଥିଲେ ଯେ ଏତେଦିନ ଯାହାକୁ ପିତା ରୂପେ ଦେଖିଛନ୍ତି ସେ ତାଙ୍କର ପିତା ନୁହନ୍ତି ପିତାମହ ଏବଂ ଯାହାକୁ ଭ୍ରାତୃ ସଦୃଶ ମନେ କରିଥିଲେ ସେ ବାସ୍ତବରେ ତାଙ୍କର ମାତୁଳ ଶ୍ୱେତକେତୁ । ପିତାଙ୍କ ସମ୍ବନ୍ଧରେ ମାତା ସୁଜାତାଙ୍କ ନିକଟରୁ ଶୁଣି ଅଷ୍ଟାବକ୍ର ଅଚୀରେ ଶ୍ୱେତକେତୁଙ୍କ ସହିତ ଜନକ ରାଜାଙ୍କ ଦରବାରରେ ସଭାପଣ୍ଡିତ ‘ବଳୀ’ଙ୍କୁ ପ୍ରତ୍ୟକ୍ଷ କରିବା ନିମନ୍ତେ ଅଧୈର୍ଯ୍ୟ ହୋଇ ଉଠିଲେ । ଏଥିରେ ଉଦ୍ଦାଳକ ଓ ମାତା ସୁଜାତା ଅଷ୍ଟାବକ୍ରଙ୍କୁ ନିବୃତ୍ତ ରହିବା ନିମନ୍ତେ ଶତଚେଷ୍ଟା କରି ସୁଦ୍ଧା ଫଳପ୍ରଦ ହୋଇ ନଥିଲେ । ଶେଷରେ ଅଷ୍ଟାବକ୍ର ଶ୍ୱେତକେତୁଙ୍କ ସହିତ ଜନକ ରାଜ ଦରବାରକୁ ଯାତ୍ରା କରିଥିଲେ । ସଭାପଣ୍ଡିତ ବଳୀଙ୍କୁ ପ୍ରତ୍ୟକ୍ଷ କରିବା ନିମନ୍ତେ ଅଷ୍ଟାବକ୍ର ଦୃଢ଼ ସଂକଳ୍ପ ଥିବାରୁ ପିତାମହ ଉଦ୍ଦାଳକ ଓ ମାତା ସୁଜାତା କ୍ଷୁବ୍‌ଧ ମନରେ ଶ୍ୱେତକେତୁଙ୍କ ସହିତ ଅଷ୍ଟାବକ୍ରଙ୍କୁ ବିଦାୟ ଦେଇଥିଲେ ।

 

ଯଥା ସମୟରେ କିଶୋରଦ୍ୱୟ ମିଥିଳା ନଗରୀରେ ପ୍ରବେଶ କରିଥିଲେ । ବିରାଟ ଯଜ୍ଞ ମଣ୍ଡପ ପଥରେ ରାଜା ଜନକରକ୍ଷୀଙ୍କ ସମବ୍ୟବହାରେ ଆସୁଥିବାର ଦେଖିଲେ । ରକ୍ଷୀମାନେ ଶ୍ୱେତକେତୁ ଓ ଅଷ୍ଟବକ୍ରଙ୍କର ପଥରୋଧ କରିବାରୁ ବିକୃତଦର୍ଶନ ଅଷ୍ଟବକ୍ର ରାଜାଙ୍କୁ ନୀତିବଚନ ଶୁଣାଇ କହିଲେ, ‘‘ରକ୍ଷୀ ନିଶ୍ଚିତ ଭାବରେ ରାଜାଙ୍କ ରକ୍ଷକ ହୋଇ ପଥ ପରିଷ୍କାର କରିବା ଉଚିତ-କିନ୍ତୁ ଅନ୍ଧ, ବଧିର, ସ୍ତ୍ରୀ ଓ ଭାରବାହୀଙ୍କ ନିମନ୍ତେ ସଦାସର୍ବଦା ପଥମୁକ୍ତ ରହିବା ବିଧେୟ । ଯେ ହେତୁ ମୋର ଶରୀର ବିକଳାଙ୍ଗ ମୋତେ ପ୍ରବେଶ ପଥରେ ବାଧାଦେବା ଅନ୍ୟାୟ ।’’ ଏହି କଥା ଶୁଣି ଜନକ ରକ୍ଷୀଙ୍କୁ ଶ୍ୱେତକେତୁ ଓ ଅଷ୍ଟବକ୍ରଙ୍କ ନିମନ୍ତେ ପଥରୋଧ ନ କରିବାକୁ ଆଦେଶ ଦେଇଥିଲେ । ଏହି ଆଦେଶରେ ରକ୍ଷୀ ଭିତରକୁ ଯିବା ନିମନ୍ତେ ଦ୍ୱାର ଉନ୍ମୁକ୍ତ କରିଥିଲା । ତତ୍ପରେ କିଶୋରଦ୍ୱୟ ଯଜ୍ଞ ମଣ୍ଡପ ସମୀପ ନିକଟସ୍ଥ ହେବାରୁ ଅନ୍ୟ ଏକ ରକ୍ଷୀ ଦୁହିଁଙ୍କ ବୟଃକ୍ରମପ୍ରାପ୍ତ ନହୋଇଥିବାରୁ ସଭା ମଧ୍ୟକୁ ପ୍ରବେଶ ପଥରେ ବାଧା ସୃଷ୍ଟି କରିଥିଲା । ‘‘କେବଳ ପ୍ରାପ୍ତବୟସ୍କଙ୍କର ହିଁ ଭିତରେ ପ୍ରବେଶାଧିକାର ଅଛି ।’’ ଅଷ୍ଟବକ୍ର ରକ୍ଷୀକୁ କହିଲେ, ‘‘ବୟଃକ୍ରମ ନ ହେଲେହେଁ ସେ ଶାସ୍ତ୍ର ବେଦ ଅଧ୍ୟୟନ କରି ବୟୋବୃଦ୍ଧଙ୍କ ସଙ୍ଗେ ସମକକ୍ଷ ।’’ ଏହି କଥା ଶୁଣି ରକ୍ଷୀ ତାତ୍ସଲ୍ୟଭରା କଣ୍ଠରେ କହିଲା, ‘‘ବେଦଜ୍ଞାନ ଏତେ ଆୟାସ ସାଧ୍ୟ ଯାହାକି ତୁମ୍ଭେ ଦୁହେଁ ଏହି ଅଳ୍ପ ବୟସରେ ଅର୍ଜ୍ଜୁନ କରିସାରିଛି ? ଏହି ସଭାରେ କେତେ ବୟୋବୃଦ୍ଧ ପଣ୍ଡିତଗଣ ପରାଜୟ ସ୍ୱୀକାର କରି ପ୍ରାଣଦଣ୍ଡ ବରଣ କରିଛନ୍ତି । ତୁମରି ଏହି ପ୍ରଚେଷ୍ଟା କେବଳ ହାସ୍ୟାସ୍ପଦ ହେବା ହିଁ ସାର ହେବ ।’’

 

ଏକଥା ଶୁଣି ଅଷ୍ଟବକ୍ର ଶାସ୍ତ୍ରୋକ୍ତ ବାଣୀ ଉଦ୍ଧାର କରି କହିଲେ-ନ ତେଜ ସ୍ଥବିରୋ ଭବତି ଯେନାସ୍ୟ ପଳିତଂ ଶିରବ । ଜ୍ଞାଳୋଂପି ଯବ ପ୍ରଜାନାତି ତଂ ଦେବାଃ ସ୍ତବିରଂ ବିଦୁଃ । ଅର୍ଥାତ୍‌ ମନୁଷ୍ୟର ପକ୍ୱକେଶ ହେଲେ ତାକୁ ବୃଦ୍ଧ କୁହାଯାଏ ନାହିଁ । କୌଣସି ବାଳକ ଯଦି ଜ୍ଞାନସମୃଦ୍ଧ ହୁଏ ତାହେଲେ ଦେବତାଗଣ ତାକୁହିଁ ବୃଦ୍ଧ ଆଖ୍ୟା ଦେଇଥାନ୍ତି । ଆମକୁ ପ୍ରବେଶ ଅଧିକାର ଦେଲେ ତୁମେ ଶୀଘ୍ର ଦେଖିପାରିବ ଯେ ତୁମ୍ଭର ମଣ୍ଡପାଧୀଶଙ୍କ ତୁଳନାରେ ଆମ୍ଭେ କିଛି କମ୍‌ ନୋହୁଁ ।’’ କଥାଶୁଣି କିପରି ସ୍ତମ୍ଭିତ ହୋଇ ଦ୍ୱାରପାଳ ରହିଲା । ବାଳକ ଦ୍ୱୟଙ୍କୁ ସମ୍ବୋଧନ କରି କହିଲା, ‘‘ନିକଟରେ ରାଜା ଜନକ ଅଛନ୍ତି ତାଙ୍କ ନିକଟରୁ ପ୍ରବେଶାଧିକାର ଆଣିଲେ ମୁଁ ଭିତରକୁ ଯିବାର ଅନୁମତି ଦେବି ।’’

 

ଏହାପରେ ଅଷ୍ଟବକ୍ର ଶ୍ୱେତକେତୁଙ୍କ ସହିତ ରାଜର୍ଷି ଜନକଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ରାଜାଙ୍କୁ ଯଥୋଚିତ ସମ୍ଭାଷଣ ଜଣାଇ ଅଷ୍ଟବକ୍ର କହିଲେ, ‘‘ଆପଣଙ୍କ ସଭାରେ ବଳୀ ନାମକ ଏକ ବିଦ୍ୱାନ୍‌ ଅଛନ୍ତି ଏବଂ ଅନେକ ବିଦ୍ୱାନ ବିଦଗ୍‌ଧ ବିଚାର ସୁନିପୁଣ ବ୍ରାହ୍ମଣଗଣଙ୍କୁ ତର୍କରେ ପରାଜିତ କରି ପଣ୍ଡିତ ‘ବଳୀ’ ସମୁଦ୍ର ଜଳରେ ନିକ୍ଷେପ କରିଛନ୍ତି । ମୁଁ ସେହି ସଭାପଣ୍ଡିତ ବଳୀଙ୍କ ସହିତ ତର୍କ ବିଚାରରେ ଯୋଗଦେବା ନିମନ୍ତେ ଆସିଛି ।’’

 

ଏହି କଥା ଶୁଣି ରାଜା ଜନକ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ‘‘ବାଳକ ! ସଭା ପଣ୍ଡିତ ବଳୀଙ୍କର ବିଦ୍ୟାବତ୍ତା, ବାଗ୍ମୀତା ଏବଂ ପ୍ରଭାବ ସମ୍ବନ୍ଧରେ ବିଶେଷ ଭାବରେ ଜ୍ଞାତ ହୋଇନାହିଁ । ୟା ପୂର୍ବରୁ ବହୁତ ଜ୍ଞାନବୃଦ୍ଧବ୍ରାହ୍ମଣ ଏଠାରେ ଯୋଗଦେଇ ତର୍କଯୁଦ୍ଧରେ ପରାସ୍ତ ହୋଇ ସମୁଦ୍ର ମଧ୍ୟରେ ନିକ୍ଷିପ୍ତ ହୋଇଛନ୍ତି । ସୁତରାଂ ଏହି ବୟକ୍ରମରେ ଏପରି ଦୁରାଶା ନ କରିବା ହିଁ ଶ୍ରେୟ ।’’ ରାଜାଙ୍କର କଥା ଶୁଣି ଅଷ୍ଟବକ୍ର ଜଣାଇଲେ ଯେ ତାଙ୍କର ଜୀବନ ପ୍ରତି ମମତା ନଥିବାରୁ ହିଁ ସେ ଏପରି ସ୍ଥଳକୁ ଆସିଛନ୍ତି । ପରନ୍ତୁ ତାଙ୍କର ବିଶ୍ୱାସ ସୂର୍ଯ୍ୟ ଉଦିତ ହେଲେ ଯେପରି ତାରାଗଣ ନିଷ୍ପ୍ରଭ ହୋଇଥାନ୍ତି, ସେହିପରି ଏହି ପଣ୍ଡିତ ସଭାରେ ସଭା ପଣ୍ଡିତ ବଳୀ ତାଙ୍କଦ୍ୱାରା ନିଷ୍ପ୍ରଭ ହୋଇଥାନ୍ତି, ସେହିପରି ଏହି ପଣ୍ଡିତ ସଭାରେ ପଣ୍ଡିତ ବଳୀ ତାଙ୍କଦ୍ୱାରା ନିଷ୍ପ୍ରଭ ହେବେ । ରାଜା ଅଷ୍ଟବକ୍ରଙ୍କ ଇତାଦୃଶ ବାକ୍ୟରେ ପରୀକ୍ଷା କରିବା ନିମନ୍ତେ ପ୍ରକୃତ ଜ୍ଞାନୀର ଅବୟବର ପରିଚୟ ଦେଇ କହିଲେ ଯେ ଯଥାର୍ଥ ଜ୍ଞାନୀ ଓ ସୁପଣ୍ଡିତଙ୍କର ଅବୟବରେ ତିରିଶ, ସ୍କନ୍ଧବାର ଚବିଶପର୍ବ ଏବଂ ସମୁଦାୟ ୩୬୦ ଅର ବା ଶିର ବିଶିଷ୍ଟ ପଦାର୍ଥ ଥାଏ ।

 

ଅଷ୍ଟବକ୍ର ଉତ୍ତରରେ କହିଲେ ସେ ଏହି ସୁପଣ୍ଡିତଙ୍କ ପରିଚୟ ଜାଣିଛନ୍ତି । ସେ ନିରନ୍ତର ଗତିଶୀଳ । ତାଙ୍କର ଆଙ୍କିକ ସପରିମାଣ ତିରିଶଦିନ, ବାରୋଟି ଅମାବାସ୍ୟା ଓ ବାରୋଟି ପୂର୍ଣ୍ଣିମା ଉପରେ ଚବିଶପର୍ବ ନେଇ ବାରୋଟି ମାସରେ ନିଜକୁ ବିଭକ୍ତ କରି ଚକ୍ରାକାରରେ ଭ୍ରମଣ କରନ୍ତି । ଛ’ଟି ଋତୁରୂପୀ ନାଭିମୂଳରେ ତିନିଶହ ଷାଠିଏ ଥର ବିଶିଷ୍ଟ ହୋଇ ସମ ସମ୍ଭତ୍ସର କାଳଚକ୍ର ସଦୃଶ ଭୂମଣ୍ଡଳ ପରିକ୍ରମା କରୁଛନ୍ତି ଏବଂ ଯାହାର କରାଳ ଗ୍ରାସରୁ ଜୀବଗଣ ପରିତ୍ରାଣ ପାଇବା ଅସମ୍ଭବ, ସେହି ମହାପଣ୍ଡିତ ପୁରୁଷ ରାଜାଙ୍କୁ ରକ୍ଷା କରନ୍ତୁ । ଏତେ ଶୀଘ୍ର ରାଜା ଜନକ ତାଙ୍କ ପ୍ରଶ୍ନର ଭାବାର୍ଥ ଏପରି ଏକ କିଶୋରଠାରୁ ପାଇବା ଅସମ୍ଭବ ବୋଲି ଭାବିଥିଲେ । ସୁତରାଂ ଅଷ୍ଟବକ୍ରଙ୍କର ଉତ୍ତରରେ ରାଜା ସ୍ତମ୍ଭିତ ହେବା ସଙ୍ଗେ ସଙ୍ଗେ ଦ୍ୱିରକ୍ତି ନକରି ଯଜ୍ଞମଣ୍ଡପକୁ ଯିବା ନିମନ୍ତେ ଅନୁମତି ପ୍ରଦାନ କରିବା ପୂର୍ବରୁ ଅନ୍ୟ ଏକ ପ୍ରଶ୍ନ ପଚାରିଥିଲେ । ଏପରି ଦୁଇଟି ଜୀବ ଯେ କି ଦୁଇଟି ଘୋଟକୀ ସଦୃଶ ପରସ୍ପର ସଙ୍ଗେ ନିବିଡ଼ ଭାବରେ ସଂଯୁକ୍ତ ଏବଂ ଦୁହେଁ ନିମିଷକେ ଭୂମଣ୍ଡଳକୁ ବ୍ୟାଜ ଗତି ସଦୃଶ ଆସନ୍ତି । ଏଇ ଦୁଇଟି ବସ୍ତୁ କ’ଣ ଓ କାହାର ଗର୍ଭସମ୍ଭୂତ ବୋଲି ପଚାରିଥିଲେ ।

 

ଅଷ୍ଟବକ୍ର ଉତ୍ତରରେ କହିଲେ, ‘‘ସେ ଦୁଇଟି ବସ୍ତୁ ବଜ୍ର ଓ ବିଦ୍ୟୁତ୍‌ । ଗୋଟିଏ ସାଙ୍ଗରେ ଅନ୍ୟଟିର ସମ୍ପର୍କ ନିବିଡ଼ । ଜନନୀ ଯେପରି ସନ୍ତାନକୁ ଗର୍ଭରେ ଧାରଣ କରିଥାନ୍ତି ସେଇପରି ଏମାନେ ମେଘକୁ ଧାରଣ କରିଥାନ୍ତି ମଧ୍ୟେ ମଧ୍ୟେ ଯେତେବେଳେ ଦୁହିଁଙ୍କ ମଧ୍ୟରେ ସଂଘର୍ଷ ହୋଇଥାଏ ସେତେବେଳେ ଏମାନେ ପ୍ରକଟିତ ହୋଇ ପ୍ରଚଣ୍ଡ ଦାହିକ ଶକ୍ତି ଧାରଣ କରି ଶ୍ୱେନ ସଦୃଶ ଗତିରେ ପୃଥିବୀ ପୃଷ୍ଠରେ ଅବତୀର୍ଣ୍ଣ ହୋଇ ଲକ୍ଷ୍ୟବସ୍ତ୍ରକୁ ଭସ୍ମୀଭୂତ କରିଥାଆନ୍ତି ।’’

 

ରାଜା ଚମତ୍କୃତ । ଅନ୍ତରରେ ଭାବାନ୍ତର ହେଲେ ହେଁ ମୁଖମଣ୍ଡଳରେ ରାଜୋଚିତ ଗାମ୍ଭୀର୍ଯ୍ୟ ଧାରଣ କରି ପୁନଶ୍ଚ ଏକ ପ୍ରଶ୍ନ ଅଷ୍ଟବକ୍ରଙ୍କୁ ପଚାରିଥିଲେ । ପ୍ରଶ୍ନଟି ହେଲା, ‘‘କେଉଁ ପ୍ରାଣୀର ନିଦ୍ରିତ ଅବସ୍ଥାରେ ମଧ୍ୟ ଚକ୍ଷୁ ନିମୀଳିତ ହୁଏନାହିଁ । କେଉଁ ଜୀବ ଭୂମିଷ୍ଠ ହୋଇ ମଧ୍ୟ ଗତିହୀନ । କାହାର ହୃଦୟ ନାହିଁ ଏବଂ କିଏ ଦ୍ରୁତ ବେଗରେ ବୃଦ୍ଧି ପାଇଥାଏ ?’’

 

ଉତ୍ତର ରୂପେ ଅଷ୍ଟବକ୍ର କହିଲେ, ‘‘ନିଦ୍ରିତ ଅବସ୍ଥାରେ ଏକମାତ୍ର ମତ୍ସ୍ୟର ଚକ୍ଷୁ ନିମୀଳିତ ହୋଇନଥାଏ । ଡିମ୍ବ ପ୍ରସ୍ତୁତ ହୋଇ ସାରିଲା ପରେ ମଧ୍ୟ ଗତିହୀନ ଓ ନିଶ୍ଚଳ ହୋଇଥାଏ । ଏକମାତ୍ର ପର୍ବତରହିଁ ହୃଦୟ ନାହିଁ ଏବଂ ନଦୀ ସଦୃଶ କୌଣସି ବସ୍ତୁ ଏତେ ଦ୍ରୁତ ବଢ଼େ ନାହିଁ ।’’

 

ଏହି ଉତ୍ତର ପାଇଲା ପରେ ଜନକ ନିର୍ନିମେଷ ନୟନରେ ଅଷ୍ଟବକ୍ରଙ୍କୁ ଚାହିଁ ରହିଲେ । ଶ୍ଲୋକ ଉଦ୍ଧାର କରି ରାଜା କହିଲେ, ‘‘ନ ତ୍ୱଂ ବାଳଃ ସ୍ଥବିରଂ ସମ୍ମତୋ ମେ’’ । ଅର୍ଥାତ୍‌, ‘‘ତୁମ୍ଭେ ବାଳକ ସଦୃଶ ପ୍ରତ୍ୟକ୍ଷିତ ହେଲେ ହେଁ ବାଳକ ନୁହଁ । ମୋ ମତରେ ତୁମ୍ଭେ ଯଥାର୍ଥହି ଜ୍ଞାନବୃଦ୍ଧ । ମଣ୍ଡପରେ ପ୍ରବେଶ କରି ‘ବଳୀ’ଙ୍କ ସହିତ ଯୁକ୍ତି ବିଚାର ଅଧିକାର ତୁମ୍ଭର ଅଛି ।’’

 

ପ୍ରବେଶ ନିମନ୍ତେ ଆଉ କୌଣସି ବାଧା ନଥିବାରୁ ଶ୍ୱେତକେତୁ ଓ ଅଷ୍ଟବକ୍ର ଯଜ୍ଞ ମଣ୍ଡପରେ ପ୍ରବେଶ କଲେ । ବାକ୍‌ଚାତୁରୀପୂର୍ଣ୍ଣ ‘ଅଷ୍ଟବକ୍ର’ ଏକ କୌଶଳ ପ୍ରୟୋଗ କରି ସଭାରେ ଦଣ୍ଡାୟମାନ ହୋଇ ରାଜା ଜନକଙ୍କ ଉଦ୍ଦେଶ୍ୟରେ ଗୁରୁଗମ୍ଭୀର କଣ୍ଠରେ କହିଲେ, ‘‘ଭୂମଣ୍ଡଳରେ ଯେତେ ପର୍ବତ ଅଛି ସେମାନଙ୍କ ମଧ୍ୟରେ ଯେପରି ମୈନାକ, ଦେବତାଙ୍କ ମଧ୍ୟରେ ଯେପରି ଇନ୍ଦ୍ର, ନଦୀମାନଙ୍କ ମଧ୍ୟରେ ଯେପରି ଗଙ୍ଗା ସେହିପରି ପୃଥିବୀର ନୃପତିଙ୍କର ତୁଳନାରେ ରାଜା ଜନକ ଶ୍ରେଷ୍ଠ ନୃପତି । ଅଚିରେ ନୃପତି ଶ୍ରେଷ୍ଠ ତାଙ୍କର ଦରବାରରେ ଶୋଭାବର୍ଦ୍ଧନକାରୀ ପଣ୍ଡିତ ମୁଖ୍ୟ ‘ବଳୀ’ଙ୍କ ସହିତ ଅଷ୍ଟବକ୍ରଙ୍କୁ ସାକ୍ଷାତ କରିବାରେ ସୁଯୋଗ ଦିଅନ୍ତୁ’’ । ସମବେତ ରାଜନଗଣ ଓ ସଭାସଦ୍‌ ପଣ୍ଡିତବର୍ଗ ଅଷ୍ଟବକ୍ରଙ୍କର ଇତାଦୃଶ ବାକ୍ୟରେ ସ୍ତମ୍ଭୀଭୂତ ହୋଇ ଭବିତବ୍ୟ ଅଘଟଣକୁ ଅପେକ୍ଷା କରି ରହିଥିଲେ । ଏହି ବାକ୍ୟରେ ପଣ୍ଡିତମୁଖ୍ୟ ବଳୀ ମଧ୍ୟ କ୍ରୋଧାନ୍ୱିତ ହୋଇ କାଳବିଳମ୍ବ ନ କରି ଅଷ୍ଟବକ୍ରଙ୍କୁ ପ୍ରଶ୍ନ ପଚାରିବା ନିମନ୍ତେ ବ୍ୟଗ୍ର ହୋଇଥିଲେ । ସେ ଅଷ୍ଟବକ୍ରଙ୍କୁ ପ୍ରଶ୍ନ କଲେ, ‘‘ଏହି ବ୍ରହ୍ମାଣ୍ଡରେ ଯେତେ ପ୍ରକାରର ଅଗ୍ନି ଅଛି ସବୁଠାରେ ଅଗ୍ନିର ଏକ ପ୍ରତିରୂପ ମାତ୍ର-ଯେଉଁଠାରେ ଯେତେ ଶତ୍ରୁ ଅଛନ୍ତି ଦେବତାଙ୍କ ମଧ୍ୟରେ ଏକ ଇନ୍ଦ୍ର ହିଁ ନିଧନ କରିପାରନ୍ତି ଏବଂ ପିତୃଗଣର ଏକମାତ୍ର ଈଶ୍ୱର ଯମରାଜ ।’’ ଏତିକି କହି ବଳୀ ତାଙ୍କର ପ୍ରଶ୍ନ ଶେଷ କରିଥିଲେ ଅଷ୍ଟବକ୍ର ତତ୍‌କ୍ଷଣାତ୍‌ ଉତ୍ତର ଆକାରରେ କହିଲେ, ‘‘ଠିକ୍‌କଥା, ତେବେ ଅଗ୍ନି ଏକା ବିଚରଣ କରିପାରେ ନାହିଁ, ଇନ୍ଦ୍ରଙ୍କ ସଙ୍ଗେ ମିତ୍ରତା କରି ଏକ ସଙ୍ଗେ ଦୁଇଜଣ ବିଚରଣ କରିଥାନ୍ତି । ଦେବଋଷି କହିଲେ, ମାତ୍ର ଦୁଇଜଣଙ୍କୁ ବୁଝାଏ କାରଦ ଏବଂ ପର୍ବତ । ଅଭିନ୍ନ ହୃଦୟ ବନ୍ଧୁତ୍ୱ କେବଳ ମାତ୍ର ଦୁଇଜଣଙ୍କର ଅଛି ସେମାନେ ହେଲେ ଅଶ୍ୱିନୀକୁମାର ଦ୍ୱୟ । ରଥ ଦୁଇଚକ ଉପରେ ହିଁ ନିର୍ଭର କରି ଚାଲିଥାଏ । ବିଧାତା ପତି ଓ ପତ୍ନୀ ଦୁହିଁଙ୍କୁ ହିଁ ଜୀବନ ସଙ୍ଗୀତ ରୂପେ ରଖିଛନ୍ତି ।’’ ଅଷ୍ଟବକ୍ର ଉତ୍ତର ଦେଇ ନିଶ୍ଚୂପ ରହିଲେ । ସଙ୍ଗେ ସଙ୍ଗେ ବଳୀ ପୁନଶ୍ଚ ପ୍ରଶ୍ନ କଲେ, ‘‘କର୍ମାନୁସାରେ ଦେବତା, ମନୁଷ୍ୟ ଓ ତକ୍ଷକ ଏହି ତିନି ଯୋନିରେ ପ୍ରଜାଙ୍କର ଉତ୍ପତ୍ତି ହୋଇଥାଏ । ବାଜପେୟ ଯଜ୍ଞ କରିବାକୁ ହେଲେ ଋକ୍‌, ସାମ ଓ ଯର୍ଜୁ ବେଦକୁ ହିଁ ଅବଲମ୍ବନ କରାଯାଇଥାଏ । ଋତ୍ୱିକଗଣ ତ୍ରିସନ୍ଧ୍ୟାରେ ହିଁ ଯଜ୍ଞ ଅନୁଷ୍ଠାନ କରିଥାନ୍ତି । ତିନି ପ୍ରକାର ଭେଦରେ ଏହି ଗୋଲକ ବିଦ୍ୟମାନ ଯଥା–ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଏବଂ ମାତ୍ର ତିନିଗୋଟି ଜ୍ୟୋର୍ତିମୟ ବସ୍ତୁ ବିଦ୍ୟମାନ ଯଥା ସୂର୍ଯ୍ୟ, ଚନ୍ଦ୍ର ଓ ଅଗ୍ନି ।’’ ବଳୀ ଚୁପ ହେବା ଦେଖି ସଙ୍ଗେ ସଙ୍ଗେ ଉତ୍ତର ଦେଲେ ଅଷ୍ଟବକ୍ର ‘‘ବ୍ରାହ୍ମଣ ଜ୍ଞାନଲାଭ ନିମନ୍ତେ ଚାରିଗୋଟି ଆବାସ ସ୍ଥଳକୁ ଯାଇଥାଏ ଯଥା ବ୍ରହ୍ମଚର୍ଯ୍ୟ, ଗ୍ରାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ନ୍ୟାସ । ଜ୍ଞାନଯଜ୍ଞ ଚାରିଗୋଟି ବର୍ଣ୍ଣଦ୍ୱାରା ହିଁ ନିର୍ବାହ କରାଯାଇଥାଏ ଯଥା–ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୁଦ୍ର । ଏହି ଭୂମଣ୍ଡଳରେ ଚାରିଗୋଟି ଦିଗ ବିଦ୍ୟମାନ ଯଥା ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ । ପଦ୍ୟଛନ୍ଦ ଚାରି ଗୋଟି ପାଦରେ ବନ୍ଧାଯାଇଥାଏ । ବଳୀ ଅଷ୍ଟବକ୍ରଙ୍କ ଏତାଦୃଶ ଉତ୍ତରରେ ଆହୁରି ଉତ୍‌କ୍ଷିପ୍ତ ହୋଇ କହିଲେ, ‘‘ଶୁଣ ବାଳକ ! ଅଗ୍ନି ମାତ୍ର ପାଞ୍ଚ ପ୍ରକାରର ଯଥା-ଅଗ୍ନି ଗାର୍ହପତ୍ୟ, ଦକ୍ଷିଣାଗ୍ନି, ଅଦ୍ୱନୀୟ, ଏବଂ ଆବାସସ୍ଥ । ଆଠଟି ଅକ୍ଷର ବିଶିଷ୍ଟ ପଂକ୍ତି ଗଢ଼ାଯାଏ ଏବଂ ପାଞ୍ଚଟି ପଦରେ ଏକ ପଂକ୍ତି ଥାଏ । ମନୁଷ୍ୟ ଯେଉଁ ଯଜ୍ଞ କରେ ତା ମଧ୍ୟ ପାଞ୍ଚ ପ୍ରକାରର-ଯଥା ଦେବଯଜ୍ଞ, ଭୂତଯଜ୍ଞ, ନୃଯଜ୍ଞ ଏବଂ ଅଧ୍ୟାପନାଋପି ବ୍ରହ୍ମଯଜ୍ଞ । ଇନ୍ଦ୍ରିୟ ମଧ୍ୟ ପାଞ୍ଚ ପ୍ରକାରର । ଆହୁରି ମଧ୍ୟ ବେଦରେ ବର୍ଣ୍ଣିତ ଅଛି ସ୍ୱର୍ଗ ଅପ୍‌ସରାଗଣ ସମସ୍ତେ ପଞ୍ଚବେଶୀ ବୃତ । ପୃଥିବୀରେ ମଧ୍ୟ ପଞ୍ଚନଦୀସ୍ଥିତ ଦେଶ କେବଳ ମାତ୍ର ପୁଣ୍ୟମୟ ।’’ ଏତିକି କହି ବଳୀ ଅଷ୍ଟବକ୍ରଙ୍କୁ ନିରୀକ୍ଷଣ କଲେ ।

 

ଅଷ୍ଟବକ୍ର ବଳୀଙ୍କୁ ନିଶ୍ଚୁଥ ହେବା ଦେଖି ଯୁକ୍ତିକୁ ଖଣ୍ଡନ କରି କହିଲେ, ‘‘ଅଗ୍ନିର ଅଧ୍ୟୟନ ଦକ୍ଷିଣାରୂପେ ଛଅଗୋଟି ଗାଭୀ ଦାନ କରାଯାଇଥାଏ । ସମ୍ବତ୍ସରର କାଳଚକ୍ର କେବଳମାତ୍ର ଛଅଗୋଟି ଋତୁଦ୍ୱାରା ହିଁ ନିର୍ବାହ ହୋଇଥାଏ । ପାଞ୍ଚଟି ଜ୍ଞାନ ଇନ୍ଦ୍ରିୟ ସହିତ ମନକୁ ମିଶାଇ ଛଅଗୋଟି ଇନ୍ଦ୍ରିୟ ବିଦ୍ୟମାନ । କୃତ୍ତିକାଦି ନକ୍ଷତ୍ର ସଂଖ୍ୟା ମଧ୍ୟ ଛଅଗୋଟି । ବେଦଭକ୍ତି ସାଦ୍ୟସ୍କ ଯଜ୍ଞ ମଧ୍ୟ ଷଷ୍ଠ ପ୍ରକାରର ।’’ ଅଷ୍ଟବକ୍ରଙ୍କ ଏହି ଉତ୍ତରରେ ପୁନଶ୍ଚ ବଳୀ କହି ଉଠିଲେ, ‘‘ଗ୍ରାମ୍ୟ ପଶୁ ସାତ ପ୍ରକାରର ବିଦ୍ୟମାନ, ଯଜ୍ଞକର୍ମ ସାତଗୋଟି କର୍ମରେ ନିର୍ବାହ କରାଯାଇଥାଏ । ଋଷି କହିଲେ କେବଳ ସାତଜଣଙ୍କୁ ହିଁ ବୁଝାଇଥାଏ । ପୂଜାର ଉପକରଣ ମାତ୍ର ସାତପ୍ରକାରର ହୋଇଥାଏ । ସର୍ବଶେଷରେ ବୀଣାର ମଧ୍ୟରେ ଥିବା ତାର ସଂଖ୍ୟା ମାତ୍ର ସାତ ।’’

 

ମୃଦୁ ହସି ଅଷ୍ଟବକ୍ର ଏ ପ୍ରଶ୍ନର ଉତ୍ତର ଦେଇ କହିଲେ ସାତଗୋଟି ଗୃହ ପଶୁର ନାମ ଯଥା–ଗୋରୁ, ମହିଷ, ମେଣ୍ଢା, ଛାଗଳ, ଘୋଡ଼ା, କୁକୁର ଓ ଗଧ । ବନ୍ୟପଶୁ ଭାବରେ ସିଂହ, ବ୍ୟାଘ୍ର, ହସ୍ତୀ, ବାନର, ଭଲ୍ଲୁକ, ମୃଗ ଓ ସାପକୁ ବୁଝାଏ । ସାତ ଋଷିଙ୍କ ନାମ ହେଲା–ମରିଚୀ, ଅତ୍ରି, ପୁଲହ, ପୁଲସ୍ତ୍ୟ, ଋତୁ, ଅଙ୍ଗିରା ଓ ବଶିଷ୍ଠ । ଯଜ୍ଞ ନିର୍ବାହୀ ସାତଗୋଟି ଛନ୍ଦର ନାମ ହେଲା-ଗାୟତ୍ରୀ, ଉଷ୍ଣିକ, ଅନୁଷ୍ଟପ, ବୃହତ୍ତି, ପଂକ୍ତି ତ୍ରିଷ୍ଟପ ଓ ଜଗତୀ । ପୂଜାର ସାତଟି ଉପକରଣର ନାମ ଯଥା–ଗନ୍ଧ, ପୁଷ୍ପ, ଧୂପ,ଦୀପ, ନୈବେଦ୍ୟ, ଆଚମନ ଓ ତାମ୍ବୂଳ ।’’ ଏହି ଉତ୍ତର ପାଇବା ପରେ ମଧ୍ୟ ବଳୀ ନିରୁତ୍ତର ଥିବାରୁ ଅଷ୍ଟବକ୍ର ପୁନଶ୍ଚ କହିଲେ, ‘ଏକଶହ ସେର ଓଜନର ଭାର ନିମନ୍ତେ ଆଠଗୋଟି ଥଳୀ ଆବଶ୍ୟକ । ଆଠଗୋଟି ପାଦ ବିଶିଷ୍ଟ ପାର୍ବତ୍ୱ ସ୍ୱାରଭ ସିଂହକୁ ବଧ କରିଥାଏ । ଦେବଗଣଙ୍କ ମଧ୍ୟରେ ଅଷ୍ଟବସୁ ପ୍ରସିଦ୍ଧ । ସବୁ ଯଜ୍ଞରେ ଅଷ୍ଟକୋଣ ବିଶିଷ୍ଟ ଯପ ବ୍ୟବହୃତ ହୋଇଥାଏ ।’’ ଏତିକି କହି ଅଷ୍ଟବକ୍ର ପୁନର୍ବାର ବଳୀଙ୍କୁ ପ୍ରଶ୍ନ କରିବାର ସୁଯୋଗ ଦେଇଥିଲେ । ବଳୀ ଅଷ୍ଟବକ୍ରଙ୍କର ଆଠ ସଂଖ୍ୟା କାଟିବାକୁ ଯାଇ କହିଲେ, ‘‘ପିତୃଯଜ୍ଞରେ ଅଗ୍ନି ଜ୍ୱଳିତ ନିମନ୍ତେ ନଅଟି ସାଧଧେନୀ ମନ୍ତ୍ର ଉଚ୍ଚାରଣ କରିବାକୁ ହୋଇଥାଏ । ଏହା ବ୍ରହ୍ମାଣ୍ଡ ସୃଷ୍ଟିର କାରଣ ମଧ୍ୟ ନଅଟି ଯଥା–ପ୍ରକୃତି, ପୁରୁଷ, ମହତ୍ତତ୍ୱ, ଅହଙ୍କାର ଏବଂ ପାଞ୍ଚଟି ତତ୍‌ମନ୍ତ୍ର । ବୃହତ୍ତି ଛନ୍ଦ ନଅଗୋଟି ଅକ୍ଷର ବିଶିଷ୍ଟ । ସର୍ବଶେଷରେ ଗଣନା ଉପଯୋଗୀ ସଂଖ୍ୟା ମାତ୍ର ନଅଗୋଟି ।’’

 

ଅଷ୍ଟବକ୍ର ଯୁକ୍ତି ଛଳରେ ଉତ୍ତର ଦେଲେ, ‘‘ନଅଗୋଟି ସଂଖ୍ୟା ପରେ ମଧ୍ୟ ଆହୁରି କିଛି ଅଛି ଯେପରି ଦିଗ ଦେଖିବାକୁ ଗଲେ ଏ ପୃଥିବୀରେ ଦଶଗୋଟି ଦିଗ ବିଦ୍ୟମାନ ଯଥା–ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଅଗ୍ନି, ନୈଋତ, ବାୟୁ, ଇଶାନ, ଊର୍ଦ୍ଧ୍ଵ ଓ ଅଧ । ଦଶ ସଂଖ୍ୟାର ଗୁଣଫଳ ଏକ ସହସ୍ର ଅଟେ । ନାରୀର ଗର୍ଭଧାରଣ ସମୟ ଦଶମାସ ମାତ୍ର । ଶାସ୍ତ୍ରରେ ଦଶ ପ୍ରକାରର ନିନ୍ଦୁକଙ୍କ ନାମ ଉଲ୍ଲେଖ ଅଛି ଯଥା–ରୋଗୀ, ଦରିଦ୍ର, ଶୋକାର୍ତ୍ତ, ରାଜଦଣ୍ଡେ ଦଣ୍ଡିତ, ଶଠ, ଖଳ, ବୃତ୍ତିହୀନ, ମତ୍ତ, ଈର୍ଷାପରାୟଣ ଓ କାମୁକ । ମନୁଷ୍ୟ ଶରୀର ମଧ୍ୟ ଦଶ ଦଶା ଦେଇ ଗତି କରିଥାଏ ଯେପରି-ଗର୍ଭାବସ୍ଥା, ଜନ୍ମ, ବାଲ୍ୟ, କୌମାର, ପୌଗଣ୍ଡ, କୈଶୋର, ଯୌବନ, ପୌଢ଼, ବାର୍ଦ୍ଧକ୍ୟ, ଓ ମୃତ୍ୟୁ । ପୂଜନୀୟ ପୁରୁଷଙ୍କ ସଂଖ୍ୟା ମଧ୍ୟ ଦଶଗୋଟି ଯେପରି ଉପାଧ୍ୟାୟ, ପିତା, ଜ୍ୟେଷ୍ଠଭ୍ରାତା, ରାଜା, ମାତୁଳ, ଶଶୁର, ପିତାମହ, ବୟୋଜ୍ୟେଷ୍ଠ, କୁଟୁମ୍ବ ଓ ପିତୃବ୍ୟ ।

 

ଅଷ୍ଟବକ୍ରଙ୍କର ଏପରି ଯୁକ୍ତିରେ ବଳୀ ବିପର୍ଯ୍ୟସ୍ତ ହୋଇପଡ଼ିଲେ । କହିଲେ, ‘‘ବାଳକ ! ନଅ ସଂଖ୍ୟା ଅତିକ୍ରମ ଦଶ ସଂଖ୍ୟାର ଗାରିମା ଦେଖାଉଛି । ଦଶସଂଖ୍ୟା ଊର୍ଦ୍ଧ୍ୱରେ ମଧ୍ୟ ଆହୁରି ଅଛି-।’’ ବଳୀ କହିଲେ, ‘‘ପ୍ରାଣୀ ମାତ୍ରଙ୍କର ଇନ୍ଦ୍ରିୟ ୧୧ ଗୋଟି ଓ ଉପଭୋଗ ବସ୍ତୁର ସଂଖ୍ୟା ମଧ୍ୟ ଏଗାରଗୋଟି । ଯଥା ପାଞ୍ଚଟି ଜ୍ଞାନଇନ୍ଦ୍ରିୟ ଓ ପାଞ୍ଚ ଗୋଟି କର୍ମ ଇନ୍ଦ୍ରିୟ ସହିତ ମନ ମଧ୍ୟ ଏକ ଇନ୍ଦ୍ରିୟ ଅଟେ । ଯଜ୍ଞର ପ୍ରଥମ ଯୂପ ଏଗାରଟି ଥାଏ । ପ୍ରାଣୀର ବିକାର ମଧ୍ୟ ଏଗାର ପ୍ରକାରର ହୋଇଥାଏ । ରୁଦ୍ର ମଧ୍ୟ ଏଗାର ପ୍ରକାର ଯେପରି ମୃଗବ୍ୟାଧ, ସର୍ପ ନିଋତ, ଅଦୈକପାଦ, ଅହିବଂଧ୍ରୁ, ଶତ୍ରୁ, ତପନ, ପିନାକୀ, ଦହନ, ଈଶ୍ୱର ସ୍ଥାଣୁ ଓ ଭବ ।’’

 

ବଳୀ ଚୁପ୍‌ ହେବା ଦେଖି ଅଷ୍ଟବକ୍ର କହିଲେ, ‘‘ନାବାଳକ ଭାବରେ ଆପଣ ମୋତେ ହେୟ କଲେ ମଧ୍ୟ ଏହି ଏଗାର ସଂଖ୍ୟା ଊର୍ଦ୍ଧ୍ୱରେ ମଧ୍ୟ ମୁଁ ଆହୁରି ଜାଣିଛି–ଯେପରି ସମ୍ବତ୍ସରରେ ବାରଗୋଟି ମାସ ବିଦ୍ୟମାନ ଜଗତୀ ଛନ୍ଦରେ ଏକପଦରେ ବାରଗୋଟି ଅକ୍ଷର ନେଇ ଗଢ଼ା ହୋଇଥାଏ । ଆଦିତ୍ୟଙ୍କର ସଂଖ୍ୟା ମଧ୍ୟ ବାର ଅଟେ ଯେପରି ଧାତା, ମିତ୍ର, ଅର୍ଘମା, ଇନ୍ଦ୍ର, ବରୁଣ, ଅଂଶ, ଭଗ, ବିଦସ୍ଥାନ, ପୁଷା, ସବିତା, ତ୍ୱଷ୍ଟା ଓ ବିଷ୍ଣୁ ।’’

 

ହଠାତ୍‌ ବଳୀ କ୍ରୋଧରେ ଅସହିଷ୍ଣୁ ହୋଇ କହିଉଠିଲେ, ‘‘ଶାସ୍ତ୍ରରେ ତ୍ରୟୋଦଶୀ ତିଥିକୁହି ଉତ୍ତମ ତିଥି କୁହାଯାଇଥାଏ–ପୃଥିବୀର ଦ୍ୱୀପର ସଂଖ୍ୟା ମଧ୍ୟ ତେରଗୋଟି ।’’ ଏତିକି କହି କୌଣସି ଗୋଟିଏ ଶ୍ଲୋକ କହିବାକୁ ଆରମ୍ଭ କରି ବିସ୍ମୃତ ହେଲେ । ଶତଚେଷ୍ଟା ସତ୍ୱେ ଓ ସେ ଶ୍ଲୋକଟିକୁ ସେ ଉଦ୍ଧାର କରିପାରି ନଥିଲେ । ଅଷ୍ଟବକ୍ର ଯେପରି ‘ବଳୀ’ଙ୍କ ଏପରି ଅବସ୍ଥାକୁ ଅପେକ୍ଷା କରି ରହିଥିଲେ ସେ ହଠାତ୍‌ ବଳୀଙ୍କ ବିସ୍ମୃତ ଶ୍ଲୋକ ଉଦ୍ଧାର କରି କହିଲେ ସ୍ୱୟଂ ଭଗବାନ ବିଷ୍ଣୁ କେଶୀଦାନବ ସହିତ କେଇଦିନ ଯୁତ କରିଥିଲେ । ବେଦର ଅତିଛନ୍ଦରେ ତେରଗୋଟି ଅକ୍ଷର ବିଦ୍ୟମାନ । ଏତିକି କହି ଅଷ୍ଟବକ୍ର ବଳୀଙ୍କ ସ୍ମରଣ ଶକ୍ତିକୁ କଟାକ୍ଷ କରି କହିଲେ, ‘‘ପାଣ୍ଡିତମୁଖ୍ୟ ଆପଣଙ୍କ ଜ୍ଞାନଭଣ୍ଡାର ସ୍ୱଳ୍ପ ହୋଇଥିବାରୁ ଆପଣ ଏହି ବିଷୟରେ ଅଜ୍ଞ ।’’ ଏତିକିରେ ସମସ୍ତ ରାଜସଭା କୋଳାହଳପୂର୍ଣ୍ଣ ହୋଇଉଠିଲା । ଚତୁର୍ଦ୍ଦିଗରୁ ଅଷ୍ଟବକ୍ରଙ୍କର ଜୟଧ୍ୱନି ଭାସିଉଠିଲା । ତତ୍ପରେ ଜନକଙ୍କ ଉଦ୍ଦେଶ୍ୟରେ ଅଷ୍ଟବକ୍ର କହିଲେ, ‘‘ରାଜନ୍‌ ବର୍ତ୍ତମାନ ବଳୀ ଯୁକ୍ତିରେ ପରାସ୍ତ ହୋଇଛନ୍ତି ଅତଏବ ତାଙ୍କୁ ମଧ୍ୟ ସମୂହ ଗର୍ଭକୁ ନିକ୍ଷେପ କରାଯାଉ’’ ।

 

ବଳୀ କହିଲେ, ‘‘ମହାରାଜ ! ମୁଁ ମୋର ପରାଜୟ ଅଷ୍ଟବକ୍ରଙ୍କର ନିକଟରେ ସ୍ୱୀକାର କରୁଛି । ତେବେ ପରାଜିତ ପଣ୍ଡିତଗଣଙ୍କୁ ସମୁଦ୍ରକୁ ନିକ୍ଷେପ କରାଯାଇଥିଲେ ମଧ୍ୟ ସେମାନେ କେହି ମୃତ ନୁହନ୍ତି । ସବୁ ବୃତ୍ତାନ୍ତ ଶୁଣିସାରି ଯଦି ଆପଣ ମୋତେ ପ୍ରାଣଦଣ୍ଡ ଦିଅନ୍ତି ତା ମୁଁ ଗ୍ରହଣ କରିବି ।’’ ସମସ୍ତ ରାଜସଭା ନିସ୍ତବ୍‌ଧ ବଳୀଙ୍କ ବୃତ୍ତାନ୍ତ ଶୁଣିବା ନିମନ୍ତେ ଆଗ୍ରହୀ ହୋଇ ଅପେକ୍ଷାରେ ଥିଲେ । ବଳୀ କହିଲେ, ‘‘ମହାରାଜ ! ମୋର ପିତା ବସୁଦେବ ଆପଣଙ୍କ ସଦୃଶ ଏକ ଯଜ୍ଞ କରୁଛନ୍ତି । ସେହି ଯଜ୍ଞ ଦର୍ଶନ ନିମନ୍ତେ ମୁଁ ସମସ୍ତ ଜ୍ଞାନୀ ପଣ୍ଡିତଗଣଙ୍କୁ ସେଠାକୁ ପ୍ରେରଣ କରିଛି ମାତ୍ର । ମୋ ପିତାଙ୍କର ଯଜ୍ଞ ମଧ୍ୟ ପ୍ରାୟ ଶେଷ ହୋଇ ଆସିଛି । ଏହି ପଣ୍ଡିତ ବ୍ରାହ୍ମଣଙ୍କ ମଧ୍ୟରେ ଅଷ୍ଟବକ୍ରଙ୍କର ପିତା ‘କାହୋଡ଼’ ମଧ୍ୟ ଯଜ୍ଞ ପରିଦର୍ଶନରେ ଯାଇଛନ୍ତି ଏବଂ ଅଚିରେ କାହୋଡ଼ ସେଠାରୁ ପ୍ରତ୍ୟାବର୍ତ୍ତନ କରିବେ । ଏ ବିଷୟରେ ମୁଁ ନିଃସନ୍ଦେହ ।’’ ଏପରି କଥାବାର୍ତ୍ତା ପରେ ପରେ ପରମକାନ୍ତିବାନ କାହୋଡ଼ ଓ ଅନ୍ୟାନ୍ୟ ନିଖୋଜ ବ୍ରାହ୍ମଣଗଣ ଆସି ଯଜ୍ଞ ମଣ୍ଡପରେ ଉପସ୍ଥିତ ହେଲେ । ରାଜା ଜନକ ନିର୍ବାକ ହୋଇ ଚାହିଁ ରହିଥିଲେ ପ୍ରତ୍ୟୁତ୍ପନ୍ନ ଅଷ୍ଟବକ୍ରଙ୍କୁ । ଚମତ୍କୃତ ହୋଇ ରାଜା ନିଜ କର୍ତ୍ତବ୍ୟ ନିର୍ଦ୍ଧାରଣରେ ଯେପରି ବିଚଳିତ ହୋଇ ପଡ଼ିଥିଲେ । ଇତ୍ୟବସରରେ ବଳୀ ରାଜାଙ୍କ ଅନୁମତି କ୍ରମେ ଆସନତ୍ୟାଗ କରି ସମୁଦ୍ର ମଧ୍ୟକୁ ପ୍ରାଣ ବିସର୍ଜନ ଦେବା ନିମନ୍ତେ ଅଗ୍ରସର ହେଲେ ।

 

ଜନ୍ମାବଧି ନିଖୋଜ ପିତା ‘କାହୋଡ଼’ ଓ ମାତୁଳ ଶ୍ୱେତକେତୁଙ୍କୁ ନେଇ ଅଷ୍ଟବକ୍ର ଏଇ ଆଶ୍ରମକୁ ହିଁ ଫେରି ଆସିଥିଲେ । ଲୋମଶ ମୁନି କାହାଣୀ ଶେଷ କରି କହିଲେ–କାହୋଡ଼ ତାଙ୍କର ଗର୍ଭସ୍ଥ ଆତ୍ମଜକୁ ଅଭିଶାପ ଦାନ କଥା ସ୍ମରଣ କରି ଅନୁତାପ ଓ ଅନୁଶୋଚନାରେ ଲଜ୍ଜିତ ହୋଇଥିଲେ । ସେହି ଅଭିଶପ୍ତ ପୁତ୍ର ହିଁ ତାଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିପାରିଛି ଏକଥା ଜାଣିପାରି ପୁତ୍ରର କଦାକାର ରୂପ ନିମନ୍ତେ ନିଜକୁ ଧିକ୍‌କାର ଦେଇ ପୁତ୍ରକୁ କହିଲେ, ‘‘ଯାଅ ପୁତ୍ର ସମ୍ମୁଖସ୍ଥ ନଦୀରେ ସ୍ନାନ କରି ଆସ ।’’ ନିଃଶବ୍ଦରେ ଅଷ୍ଟବକ୍ର ପିତୃ ଆଜ୍ଞା ପାଳନ କରିବା ନିମନ୍ତେ ଏହି ନଦୀରେ ସ୍ନାନ କରିଥିଲେ । ସ୍ନାନାନ୍ତେ ତାଙ୍କର ବିକୃତ ଶରୀର ସୁନ୍ଦର ସୁସ୍ଥ ଅପରୂପ ହୋଇ ଉଠିଲା । ସେହି ଦିନଠାରୁ ଏହି ନଦୀ ସମଙ୍ଗା ନାମରେ ଅଭିହିତ ହେଲା–ଏତିକି କହି ଲୋମଶ ମୁନି କାହାଣୀ ଶେଷ କରିଥିଲେ ।

Image

 

ଦ୍ରୌପଦୀ ବୃକୋଦର ଯୁଧିଷ୍ଠିର ସମ୍ବାଦ

 

ଏହି ସମ୍ବାଦଟିକୁ ଦ୍ରୌପଦୀ ଯୁଧିଷ୍ଠିରଙ୍କୁ ଦ୍ୱୈତବନରେ ଅବସ୍ଥାନ କାଳରେ ପରିବେଶଣ କରିଥିଲେ ।

 

ଭରତ ବଂଶର ଜନ୍ମାନ୍ଧ ରାଜା ଧୃତରାଷ୍ଟ୍ରଙ୍କର ହସ୍ତୀନାପୁର ରାଜସଭାରେ ସାମ୍ରାଜ୍ୟ ଲୋଲୁପ ପୁତ୍ର କୌରବଗଣଙ୍କ ସହିତ ସହୋଦର ପାଣ୍ଡୁପୁତ୍ରଙ୍କର ସର୍ବଶେଷ ଦ୍ୟୁତକ୍ରୀଡ଼ା । ଆସରରେ ଆମନ୍ତ୍ରିତ ରାଜନବର୍ଗ ସମବେତ ହୋଇଥିଲେ । ଏକପକ୍ଷରେ ଗାନ୍ଧାର ରାଜପୁତ୍ର ମାତୁଳ ଶକୁନି ସହ ଦୁର୍ଯ୍ୟୋଧନ ଆଦି ଶତ ଭ୍ରାତୃବୃନ୍ଦ ଅନ୍ୟପକ୍ଷରେ ଯୁଧିଷ୍ଠିରାଦି ପଞ୍ଚୁ ପାଣ୍ଡୁ ପୁତ୍ର । ଦୁର୍ଯ୍ୟୋଧନଙ୍କର ଜ୍ଞାତି ଶତ୍ରୁ ପାଣ୍ଡୁପୁତ୍ର ମୂର୍ତ୍ତିମାନ ବିଘ୍ନ ସ୍ୱରୂପ ପ୍ରତ୍ୟେକ କାର୍ଯ୍ୟରେ ପ୍ରତିଟି ଆଶା ଆକାଂକ୍ଷା ବିରୋଧକ ଭାବରେ ପ୍ରତୀୟମାନ ହେଉଥିଲେ । ସେହିମାନଙ୍କୁ ସପରିବାରେ ଧ୍ୱଂସ କରିବା ନିମନ୍ତେ ଏହି ଛଳନାମୟ ଦ୍ୟୁତକ୍ରୀଡ଼ା ଆୟୋଜନ କରାଯାଇଥିଲା । କପଟୀ ଦୁର୍ଯ୍ୟୋଧନ ଏହି ଛନ୍ଦକପଟପୂର୍ଣ୍ଣ ଦ୍ୟୁତକ୍ରୀଡ଼ାରେ ସର୍ତ୍ତ ଆରୋପ କରି କହିଲେ ଯଦି ପାଣ୍ଡୁପୁତ୍ର କ୍ରୀଡ଼ାରେ ପରାଜିତ ହୁଅନ୍ତି ତାହେଲେ ମାତା କୁନ୍ତୀ ଓ ସପତ୍ନୀକ ପଞ୍ଚପାଣ୍ଡବ ଦ୍ୱାଦଶ ବର୍ଷ ବନବାସ ଓ ଏକବର୍ଷ ଅଜ୍ଞାତବାସରେ କାଳ ଯାପନ କରିବେ । ଅଜ୍ଞାତବାସ କାଳରେ ଗୁପ୍ତଚରାଦି ଯଦି ପାଣ୍ଡବ ପକ୍ଷର ସନ୍ଧାନ ଦିଅନ୍ତି ପୁନଶ୍ଚ ସର୍ତ୍ତାନୁଯାୟୀ ଦ୍ୱାଦଶବର୍ଷ ବନବାସ ଗମନ କରିବେ । ଏହି ସର୍ତ୍ତ ଉଭୟ ପକ୍ଷରେ ପ୍ରଯୁଜ୍ୟ ଥିଲେ ହେଁ ପ୍ରକାରାନ୍ତରେ ଏହା ପାଣ୍ଡବଙ୍କ ନିମିତ୍ତ ଉଦ୍ଦିଷ୍ଟ ଥିଲା । କାରଣ ଦୁର୍ଯ୍ୟୋଧନଙ୍କର କୁଟୀଳତା ଓ ଛଳନାପୂର୍ଣ୍ଣ ଆଚରଣ ଯୁଧିଷ୍ଠିର ସଠିକ୍‌ ଭାବରେ ହୃଦୟଙ୍ଗମ କରିପାରି ନଥିଲେ । ଆମନ୍ତ୍ରିତ ପାଶାସକ୍ତ ଦୁର୍ଜ୍ଜୟ ଯୁଧିଷ୍ଠିର ସର୍ତ୍ତର କୁଟୀଳତା ଚିନ୍ତାକରି ନପାରି ଯୁଧିଷ୍ଠିର ଦ୍ୟୁତକ୍ରୀଡ଼ାର ଏହି ସର୍ତ୍ତ ମାନିବା ଉଚିତ ବା ଅନୁଚିତ ଏହି ବିଷୟରେ ଭ୍ରାତୃବର୍ଗଙ୍କ ବିନା ପରାମର୍ଶରେ ନିଜର ସମ୍ମତି ଜଣାଇଥିଲେ । ସର୍ତ୍ତର କୁଟୀଳ ପରିଣାମରେ ଯଦି ବିପର୍ଯ୍ୟୟ ଘଟେ ତେବେ ବଳ-ବୀର୍ଯ୍ୟ-ଶୌର୍ଯ୍ୟମାନ ଅଦ୍ୱିତୀୟ ପାଣ୍ଡବଗଣଙ୍କ ପକ୍ଷରେ ଅଜ୍ଞାତ ବାସ ଯେ କିପରି କ୍ଲେଶଦାୟକ ହେବ ତାହା ମଧ୍ୟ ଯୁଧିଷ୍ଠିର ଥରେ ମାତ୍ର ବିଚାର କରି ନଥିଲେ । କୁଟୀଳ ଦୁର୍ଯ୍ୟୋଧନ ଯୁଧିଷ୍ଠିରଙ୍କର ସତ୍ୟାନୁସରିତାର ସୁଯୋଗ ନେଇ କପଟ ଦ୍ୟୁତକ୍ରୀଡ଼ାରୂପକ ମୋକ୍ଷମଜାଲରେ ଆବଦ୍ଧ କରି ବନବାସରେ ଅବଶିଷ୍ଟ ଜୀବନ ବିତାଇବା ନିମନ୍ତେ କିପରି ଆଗ୍ରହୀ ତାହା ତିଳେମାତ୍ର ବିଚାର ନକରି ଯୁଧିଷ୍ଠିର ଦ୍ୟୁତକ୍ରୀଡ଼ା ନିମନ୍ତେ ସମ୍ମତି ପ୍ରକାଶ କରିଥିଲେ । କାରଣ ଦ୍ୟୁତକ୍ରୀଡ଼ା ସେତେବେଳେ ଯୁଧିଷ୍ଠିରଙ୍କୁ ଚୁମ୍ବକ ସଦୃଶ ଆକର୍ଷଣ କରିଥିଲା ।

 

ଗାନ୍ଧାର ରାଜ ତନୟ କପଟୀ ମାତୁଳ ଶକୁନିର କୁପରାମର୍ଶରେ କପଟ ଦ୍ୟୁତକ୍ରୀଡ଼ା ଆରମ୍ଭ ହୋଇଥିଲା । ଦ୍ୟୁତକ୍ରୀଡ଼ାର ଅନିବାର୍ଯ୍ୟ କୁଟାଳ ଗତିରେ ସୁକଠୋର ନିୟମତାନ୍ତ୍ରିକ ସତ୍ୟାଶ୍ରୟୀ ତଥା ଧର୍ମାଶ୍ରୟୀ ଯୁଧିଷ୍ଠିର ପର୍ଯ୍ୟାୟକ୍ରମେ ପରାଜୟ ସ୍ୱୀକାର କରି ଚାଲିଥିଲେ । ସତ୍ୟ-ଧର୍ମ-ନ୍ୟାୟ ପ୍ରତି ସେ ବିଶ୍ୱାସଘାତକତା କରି ଏବଂ ଅର୍ଜ୍ଜୁନ ଭୀମାଦି ବୀରଗଣଙ୍କ ରୋଷକଷାୟିତ ଇଙ୍ଗିତରେ ସ୍ତବ୍ଧ ନହୋଇ ଅନ୍ୟାୟ ସର୍ତ୍ତାନୁଯାୟୀ ଯୁଧିଷ୍ଠିର ସପରିବାରେ ବନବାସ ଗମନାର୍ଥେ ଦ୍ୱୈତବନରେ ପ୍ରବେଶ କରିଥିଲେ । ମହାପ୍ରାଜ୍ଞ ସର୍ବଜ୍ୟେଷ୍ଠ ଯୁଧିଷ୍ଠିରଙ୍କର ଅନୁଗତ ଭାତୃବର୍ଗ ଓ ସହଧର୍ମିଣୀ ଦ୍ରୌପଦୀ ଜ୍ଞାନ ବୁଦ୍ଧିରେ ଯୁଧିଷ୍ଠିରଙ୍କଠାରୁ ନ୍ୟୂନ ନ ହେଲେ ହେଁ ଅଗ୍ରଜଙ୍କ ସିଦ୍ଧାନ୍ତ ସେତେବେଳେ ନିର୍ବିକାରରେ ସ୍ୱୀକାର କରିଥିଲେ । କିନ୍ତୁ ଦ୍ୱୈତବନ ପ୍ରବେଶାନ୍ତେ ପ୍ରଥମେ ଦ୍ରୌପଦୀ ପରେ ଭୀମଙ୍କ ସହିତ ଯୁଧିଷ୍ଠିର ଧୈର୍ଯ୍ୟର ଚରମତମ ପରୀକ୍ଷା ଦେଇଥିଲେ ।

 

ପ୍ରଥମରେ ଦ୍ରୌପଦୀ ଯୁଧିଷ୍ଠିରଙ୍କ ନିକଟରେ ଅଭିଯୋଗ କରି କହିଲେ ଦ୍ୟୁତକ୍ରୀଡ଼ା ଛନ୍ଦକପଟ ପୂର୍ଣ୍ଣଥିବା ଜାଣି ମଧ୍ୟ କାହିଁକି ଆପଣ ଜଣାଇ ନଥିଲେ ? ନିଜର ସାଧୁତା ଦର୍ଶାଇ କାହିଁକି ଆପଣ ଏହି ଅନାକାଂକ୍ଷିତ, ଅପ୍ରତ୍ୟାଶିତ ଏବଂ ଅବାଞ୍ଛିତ ବନବାସ ସ୍ୱୀକାର କଲେ ? ଏହି ବନବାସ ସହିତ ପତ୍ନୀ ତଥା ମାତାଙ୍କୁ ସ୍ୱ ସହୋଦର ସହିତ ଏହି ଅନଭ୍ୟସ୍ତ ଜୀବନ ଯାପନ ନିମନ୍ତେ କାହିଁକି ସ୍ୱୀକାର କଲେ ? ଯେଉଁମାନେ ଅନ୍ୟାୟ ଭାବରେ ଏହି ଅମର୍ଯ୍ୟାଦାକର ଜୀବନଯାପନ ଯଥା ଚୀରଦାସ ପରିଧାନ ପୂର୍ବକ ବନ୍ୟ ଜୀବନଯାପନ କରିବାକୁ ବାଧ୍ୟକଲେ କ୍ଷତ୍ରିୟ ବୀର ହୋଇ ସୁଦ୍ଧା ଧର୍ମରାଜ ଆପଣ କିପରି ଏହି ଅନ୍ୟାୟ ସହ୍ୟ କଲେ ? ଏହି ସବୁ ଦେଖି ସୁଦ୍ଧା ଧର୍ମରାଜ ଆପଣ କିପରି ଏହି ଅନ୍ୟାୟ ସହ୍ୟକଲେ ? ଏହି ସବୁ ଦେଖି ସୁଦ୍ଧା କିପରି ଧର୍ମରାଜ ଆପଣ କ୍ରୋଧାନ୍ୱିତ ନ ହୋଇ ରହି ପାରିଛନ୍ତି ? କାହିଁକି ସିଂହ ବିକ୍ରମ ଓ ସ୍ୱୀୟ ତେଜବଳରେ ପ୍ରତ୍ୟକ୍ଷ ଅରିକୁଳର ବିନାଶ ସାଧନ ନ କରି କ୍ଷମା ଦର୍ଶନରେ ସ୍ୱକ୍ଷତ୍ରିୟ ଧର୍ମର ମହିମାକୁ ମ୍ଲାନ କରିଛନ୍ତି ? ଏପରି ଅପାତ୍ରରେ କ୍ଷମା କେବେହେଁ କୌଣସି କ୍ଷତ୍ରିୟ କରିବାର ଦୃଷ୍ଟାନ୍ତ ଦେଖିଛନ୍ତି କି ?

 

ନିର୍ବାକ ବିସ୍ମିତ ଯୁଧିଷ୍ଠିର ଦ୍ରୌପଦୀ ବକ୍ତବ୍ୟ ଶୁଣି ଚାଲିଥିଲେ । ମୂର୍ତ୍ତିମତୀ ସହନଶୀଳା ଦ୍ରୌପଦୀ ଆଜି କ୍ଷମାର ପାତ୍ର ଅପାତ୍ର ବିଚାର କରିବାକୁ ଉଦ୍ୟତ ହୋଇଛନ୍ତି । ଯେଉଁ କ୍ଷମାଧର୍ମ କାଳାନ୍ତକ ଯମକୁ ପରାଭବ ସ୍ୱୀକାର କରିବାକୁ ବାଧ୍ୟ କରିଥିଲା । ସେହି ଧର୍ମାନୁସାରିତା କ୍ଷମାର ଅମୋଘ ଶକ୍ତି କଥା ଜାଣି ମଧ୍ୟ ଆଜି ଦ୍ରୌପଦୀ କ୍ଷମାଧର୍ମର ଗୁଣା ଗୁଣଠାରେ ସନ୍ଦେହ ପ୍ରକାଶ କରି ଚାଲିଛନ୍ତି । ନିର୍ବାକ୍‌ ଯୁଧିଷ୍ଠିର କେବଳ ବିସ୍ମୟଭରା ନୟନରେ ଶୁଣି ଚାଲିଥିଲେ କୃଷ୍ଣାଙ୍କ ବକ୍ତବ୍ୟ ।

 

ପୁନଶ୍ଚ ଦ୍ରୌପଦୀ ଆରମ୍ଭ କଲେ ଆପଣ ଧର୍ମ୍ମଜ୍ଞ ଓ ଧର୍ମ୍ମରାଜ ମଧ୍ୟ । ଆପଣଙ୍କର ଆଚାର ଆଚରଣ ଓ ସଠିକ୍‌ ସିଦ୍ଧାନ୍ତ ଉପରେ ସାଧାରଣ ମାନବ ସମାଜ ନିର୍ଭରଶୀଳ । ବିଶେଷରେ ଯେଉଁମାନେ କ୍ଷତ୍ରିୟ ସେମାନେ କେବଳ କ୍ଷମାକୁ ଏକମାତ୍ର ଧର୍ମ ଜ୍ଞାନ କରିବା ଠିକ୍‌ହେବ କି ? ସିଂହ ବିକ୍ରମରେ ନିଜ ତେଜରେ ପ୍ରତ୍ୟକ୍ଷ ଅରିକୁଳର ବିନାଶ ସାଧନ ନ କରି କେବଳ ମାତ୍ର କ୍ଷମା ପ୍ରଦର୍ଶନ କରି କ୍ଷତ୍ରିୟ ଧର୍ମ୍ମର ମହିମାକୁ ଅମ୍ଲାନ ରଖି ପାରିବେ କି ? ପ୍ରଜାଗଣ ବା କିପରି ସେହି କ୍ଷତ୍ରିୟ ମହିମାଚ୍ୟୁତ ରାଜାଙ୍କ ଉପରେ ନିର୍ଭରଶୀଳ ହୋଇ ରହି ପାରିବେ ? ମହାରାଜ କେବଳ ‘କ୍ଷମା’ ନୁହେଁ ଆପଣ ମଧ୍ୟ ପ୍ରଜାପାଳକ କେବଳ ନିଜପାଇ ନୁହେଁ ଏହି ସମାଜ ଓ ଜାତିର ଅଭ୍ୟୁଦୟ ନିମନ୍ତେ ସ୍ୱ ବିକ୍ରମ ପ୍ରକାଶ କରି ନ୍ୟାୟ ପ୍ରତିଷ୍ଠା କରନ୍ତି ।’’ ଏହି କଥପୋକଥନ କାଳରେ ଯୁଧିଷ୍ଠିର ନିର୍ବାକ ଶ୍ରୋତାର ଆସନ ଗ୍ରହଣ କରିଥିବାରୁ ଦ୍ରୌପଦୀ ବିରୋଚନ ପୁତ୍ର ‘ବଳି’ ଓ ହିରଣ୍ୟକଶ୍ୟପ ତନୟ ପ୍ରହ୍ଲାଦଙ୍କ କାହାଣୀ ଅବତାରଣା କରିଥିଲେ ।

 

ଏକଦା ପିତାମହ ପ୍ରହ୍ଲାଦ ପୌତ୍ର ବଳିଙ୍କର ସଂଶୟ ବିମୋଚନ ନିମନ୍ତେ କହିଥିଲେ ‘‘ନ ଶ୍ରେୟଃ ସତତଂ ତେଜୋ ନ ନିତ୍ୟଂ ଶ୍ରେୟସୀକ୍ଷମା ଇତି ତାତ ବିଜାନୀହି ଦ୍ୱୟମେତଦ୍‌ସଂଶୟମ’’ ଅର୍ଥାତ୍‌ ଯେପରି ତେଜପ୍ରକାଶ ସର୍ବଦା ଶ୍ରେୟସ୍କର ନୁହେଁ ସେହିପରି କ୍ଷମା ପ୍ରଦର୍ଶନ ସବୁ ସମୟରେ ଶ୍ରେୟ ନୁହେଁ । ନିଃସନ୍ଦେହରେ ସମୟ ଓ ପାତ୍ର ବିଶେଷରେ ଉଭୟ ହିଁ ଶ୍ରେୟସ୍କର । ସମୟ ଓ ପାତ୍ର ବିଚାର ନକରି ନିର୍ବିଶେଷ କ୍ଷମା ପ୍ରଦର୍ଶନ ଦୁର୍ବଳତାର ନାମାନ୍ତର ମାତ୍ର । ସମୟ ଓ ପାତ୍ର ବିଚାର ନ କରି ତେଜ ପ୍ରକାଶ ମଧ୍ୟ ଅନିଷ୍ଟକର । ଲଗାମତ୍ୟକ୍ତ ଘୋଟକ ଯେପରି ସତ୍ତ୍ୱାରୀର ନିର୍ଦ୍ଦେଶ ଆଗ୍ରାହ୍ୟ କରି ଯଥେଚ୍ଛା ବିଚରଣ କରିଥାଏ ସେହିପରି ସର୍ବକାର୍ଯ୍ୟରେ କ୍ଷମା ପ୍ରଦର୍ଶନ କରିଥିବା ନରପତି ନିଜର ମର୍ଯ୍ୟାଦା ହାନି କରିବା ସାଙ୍ଗେ ସାଙ୍ଗେ ଅଚିରେ ରାଜ୍ୟହୀନ ମଧ୍ୟ ହୋଇଥାନ୍ତି । ଅନ୍ୟପକ୍ଷରେ ଏହା ମଧ୍ୟ ଠିକ୍‌ ଯେ ଯଦି ଦଣ୍ଡମୁଣ୍ଡର କର୍ତ୍ତା ନିଜକୁ ଏକ ସ୍ୱତନ୍ତ୍ର ସତ୍ତା ବୋଲି ବିବେଚନା କରି କାର୍ଯ୍ୟ କରନ୍ତି ତା’ହେଲେ ମଧ୍ୟ ଧ୍ୱଂସ ଅନିବାର୍ଯ୍ୟ । ରଜଗୁଣ ସମ୍ପନ୍ନ ଦାମ୍ଭିକ ନରପତି ଦେଶକାଳ ପାତ୍ର ଅପାତ୍ର ନିର୍ବିଚାରରେ ଦମ୍ଭ ତଥା ତେଜ ପ୍ରକାଶ କରି ହିତାକାଂକ୍ଷୀ ମିତ୍ର ପରିତ୍ୟକ୍ତ ହୋଇ ସର୍ବନାଶ ସାଧନ କରିଥାନ୍ତି । ପୁନଶ୍ଚ ପ୍ରହ୍ଲାଦ କହିଲେ ଯେଉଁ କାର୍ଯ୍ୟ ଫଳରେ ମନୁଷ୍ୟ ଉଦ୍‌ଗ୍ରୀବ ହୋଇ କାଳ କାଟେ ସେହି କର୍ମ କେବେହେଁ କର୍ତ୍ତାର ମଙ୍ଗଳ ଆଣିବା ପରିବର୍ତ୍ତେ ବିନାଶ ହିଁ ସାଧନ କରିଥାଏ । ଅପରାଧିର କୁକର୍ମ ଯଦି ସହଜାତ ପ୍ରବଣତାରୁ ଘଟିଥାଏ ସେପରି କ୍ଷେତ୍ରରେ କ୍ଷମା ଧର୍ମ ଏକାନ୍ତ ବର୍ଜ୍ଜନୀୟ ବରଂ ଦମନ ନୀତି ହିଁ ଏକମାତ୍ର ଉପଯୁକ୍ତ ପନ୍ଥା । କାରଣ କ୍ଷମା ପ୍ରଦର୍ଶନ ହିଁ ଏ କ୍ଷେତ୍ରରେ ଅପରାଧ ପ୍ରଶୟର କ୍ଷମାନ୍ତର ମାତ୍ର । ସୁତରାଂ କୁକର୍ମ ଆଚରଣ କ୍ଷେତ୍ରରେ କଠୋର ବା ଦମନୀୟ ନୀତି ନିର୍ଦ୍ଧାରଣ ବିଶେଷ ବିଚାର ବିଶ୍ଲେଷଣ କରି ସଠିକ୍‌ ପଦକ୍ଷେପ ନେବା ହିଁ ବୁଦ୍ଧିମାନର କର୍ମ ଅଟେ ।’’

 

ପୁନଶ୍ଚ ଦ୍ରୌପଦୀ କହିଲେ ଏହି ପରିପ୍ରେକ୍ଷୀରେ ବଳି ପିତାମହ ପ୍ରହ୍ଲାଦଙ୍କୁ ଅଜ୍ଞାନବଶତଃ ଅପକର୍ମ ବା କୁକର୍ମ ଏବଂ ସଜ୍ଞାନ କୁକର୍ମ ସାଧନରେ ଦଣ୍ଡ ବିଶେଷରେ ପ୍ରଶ୍ନ କରିଥିଲେ । ମୁଖ୍ୟତଃ ବଳି ପିତାମହଙ୍କୁ ପ୍ରଶ୍ନ କରିଥିଲେ ଯେ ଏକ ପରୋପକାରୀ ସଜ୍ଜନ ବ୍ୟକ୍ତି ଯଦି ଅପକର୍ମ କରନ୍ତି ତା’ହେଲେ କେଉଁ ପ୍ରକାର ଦଣ୍ଡ ସେହି ବ୍ୟକ୍ତିଙ୍କ ପକ୍ଷରେ ପ୍ରଯୁଜ୍ୟ ହେବ ? ଉତ୍ତରରେ ଜ୍ଞାନବୁଦ୍ଧ ପ୍ରହ୍ଲାଦ ବୁଦ୍ଧଜନ ଅଭିମତ ଉଦ୍ଧାର କରି କହିଲେ ଜ୍ଞାନ ହେଉ ବା ଅଜ୍ଞାନ ହେଉ ସର୍ବବିଧ ଅପରାଧ ପ୍ରଥମଥର ନିମନ୍ତେ କ୍ଷମଣୀୟ । କିନ୍ତୁ ଦ୍ୱିତୀୟଥର ସେହି କର୍ମ ଅଳ୍ପାଧିକ ହେଲେ ମଧ୍ୟ ଗୁରୁଦଣ୍ଡ ଏପରିକି ପ୍ରାଣଦଣ୍ଡ ଯୋଗ୍ୟ ଅଟେ । ଏହି ଦଣ୍ଡବିଧାନରେ ଦଣ୍ଡଦାତା ସୁବିବେଚକ ହେବା ଏକାନ୍ତ ଆବଶ୍ୟକ । ଏଠାରେ ଦଣ୍ଡନୀତା ସୁବିବେଚନା କରି ସ୍ୱୀୟ ପ୍ରଜ୍ଞା ଓ ଧୀଶକ୍ତିଦ୍ୱାରା କର୍ମର ଗୁଣାଗୁଣ ବିବେଚନା କରି ଦଣ୍ଡ ନିରୂପଣ କରିବା ବିଧେୟ । ଯଦି ଏପରି କୌଣସି ଅପରାଧ ସଜ୍ଞାନରେ ଅପରାଧ କରି ମାନବ ସମାଜର କ୍ଷତ ସାଧନ କରିଥାଏ ଅଥଚ ଅତୀତରେ ସେହି ଅପରାଧ କର୍ମଦ୍ୱାରା ହିଁ ସମାଜର ପ୍ରଭୃତ ମଙ୍ଗଳ ସାଧନ କରିଛି ତା’ହେଲେ ସେ କ୍ଷମଣୀୟ । ପୁନଶ୍ଚ କୌଣସି ଅପକର୍ମକାରୀକୁ ଲୋକନିନ୍ଦା ନିବାରଣ ନିମନ୍ତେ କ୍ଷମା କରାଯାଇଥାଏ । ଏହାହିଁ ସାଧାରଣ ନିୟମ । ଏସବୁ ସତ୍ତ୍ୱେ ଏହା ମଧ୍ୟ ସ୍ୱୀକାର୍ଯ୍ୟ ଯେପରି ମୃଦୁଙ୍ଗ ଦାରୁଣଂହନ୍ତି ମୃଦୁନାଂ ହନ୍ତ୍ୟଦାଋଣମ୍‌ । ନାସାଧ୍ୟଂ ମୃଦୁଣା କିଞ୍ଚିତ ତସ୍ମାତ୍‌ ତୀବ୍ରତରଂ ମୃଦୁ ।’’ ଅର୍ଥାତ୍‌ ମୃଦୁତା ଯାହାକୁ କୋମଳ ସ୍ୱଭାବ କୁହାଯାଇଥାଏ ସେହି କୋମଳ ସ୍ୱଭାବ ମନୁଷ୍ୟର ଉଗ୍ର-ଅନୁଗ୍ର ଏହି ଉଭୟ ଭାବକୁ ହିଁ ଜୟ କରିଥାଏ । ମୃଦୁତା ହିଁ ଶତ୍ରୁଜୟର ସର୍ବୋତ୍ତମ ଉପାୟ । କିନ୍ତୁ ସଦା ଉଦ୍ଧତ ଆଚରଣକାରୀ ମୃଦୁତା ବା କ୍ଷମାର ଅଯୋଗ୍ୟ । ଏତିକି କହି ଦ୍ରୌପଦୀ ପୁନଶ୍ଚ ଧର୍ମରାଜଙ୍କୁ ସମ୍ବୋଧନ କରି କହିଲେ, ‘ମହାରାଜ ଆପଣ ଏହି ମହାପ୍ରାଜ୍ଞଙ୍କର ଉପଦେଶ ନସ୍ୟାତ୍‌ କରି ପାରିବେ କି ? ସତେ କୁଟୀଳ ଦୁରାଚାରୀ ଦୁର୍ଯ୍ୟୋଧନ ପ୍ରତି ବିକ୍ରମ ପ୍ରକାଶ କରି କ୍ଷତ୍ରିୟ ତେଜ ଓ ବଳଦ୍ୱାରା ଦଣ୍ଡବିଧାନ କରିବା ସମୟ ଏପର୍ଯ୍ୟନ୍ତ ହୋଇନାହିଁ କି ?

 

ଦ୍ୱୈତବନର ନିସ୍ତବ୍‌ଧ ପରିବେଶରେ ଏଇ କଥପୋକଥନ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ହେଁ ଯୁଧିଷ୍ଠିର ସ୍ୱଭାବ ଧର୍ମରେ ସ୍ଥିର ଚିତ୍ତରେ ସବୁ ଶୁଣୁଥିଲେ । ଦ୍ରୌପଦୀଙ୍କ କଥନ ଶେଷ ହେବା ଜାଣି ସେ କହିଲେ ରଜଗୁଣଜାତ କ୍ରୋଧ ଓ କ୍ଷତ୍ରିୟ ତେଜ ଏକ ପର୍ଯ୍ୟାୟ ଭୁକ୍ତ ନୁହେଁ । କ୍ରୋଧହିଁ ରିପୁର ବ୍ୟଞ୍ଜନ ଓ ଏହାର ପରିଣାମ ଭୟଙ୍କର । କିନ୍ତୁ ତେଜ ସ୍ୱପ୍ରକାଶକ । କ୍ରୋଧର ସ୍ୱାଭାବିକ ଗତି ବୁଦ୍ଧିକୁ ଆଚ୍ଛନ୍ନ କରି ବିଚାର ଶକ୍ତିକୁ ଲୋପ କରିଦିଏ । ଏହି କ୍ରୋଧ ହିଁ ଶତ୍ରୁତାର ବନ୍ଧନ ଯୋଗାଇଥାଏ । ଶତ୍ରୁତାଦ୍ୱାରାହିଁ ମନୁଷ୍ୟ ତାର ଇହକାଳ-ପରକାଳ ବର୍ତ୍ତମାନ ଓ ଭବିଷ୍ୟତ ବିନିଷ୍ଟ କରିଥାଏ । କିନ୍ତୁ ତେଜ ଅବିନଶ୍ୱର । ଅସ୍ୱୟାହୀନ କ୍ରୋଧସଂଯତ ଅନ୍ତକରଣ ହିଁ ତେଜର ଆଶ୍ରୟସ୍ଥଳ । ସେଥି ନିମନ୍ତେ ଧର୍ମାଶ୍ରୟୀ ହୋଇ ଏପର୍ଯ୍ୟନ୍ତ କ୍ରୋଧକୁ ପ୍ରଶୟ ଦେଇ ନାହିଁ, କି ଭବିଷ୍ୟତରେ ଦେବାର ସମ୍ଭାବନା ମଧ୍ୟ ନାହିଁ । କ୍ଷମାର ଶକ୍ତି ଅତୁଳନୀୟ । ମହର୍ଷି କହିଛନ୍ତି କ୍ଷମା ବ୍ରହ୍ମ କ୍ଷମା ସତ୍ୟଂ କ୍ଷମା ଭୂତଞ୍ଚି ଭାବିଚ । କ୍ଷମା ତପଃ କ୍ଷମାଶୌଚଂ କ୍ଷମୟେଦଂ ଧୃତଂ ଜଗତ୍‌ ।’’ ଅର୍ଥାତ୍‌ କ୍ଷମାହିଁ ତପ, କ୍ଷମାହିଁ ବ୍ରହ୍ମ, ସତ୍ୟ ଯଜ୍ଞ ଓ ଶମ ଅର୍ଥାତ୍ କ୍ଷମାହିଁ ମନୋନିଗ୍ରହ । ଏହି କ୍ଷମାହିଁ ବିଜୟର ସୋପାନ । ଯେଉଁ କ୍ଷମା ମଧ୍ୟରେ ଏତେ ଐଶ୍ୱର୍ଯ୍ୟ ତାକୁ ସତ୍ୟାଶ୍ରୟୀ ହୋଇ କିପରି ଅବହେଳା କରିବି ? ପୁନଶ୍ଚ ଯେଉଁ କ୍ଷମାର ଏତେ ବିପୁଳ ଶକ୍ତି ଅଛି ତାକୁ କୌଣସି ସାଧାରଣରିପୂସର୍ବସ୍ୱ ମନୁଷ୍ୟ ଆଶ୍ରୟ କରି ପାରିବ ନାହିଁ । ଯେଉଁ ବ୍ୟକ୍ତି ଅସତ୍ୟାଶ୍ରୟୀ ଧର୍ମ ବିଷୟରେ ଅଜ୍ଞାନୀ ଏବଂ ସତ୍ୟକୁ ସର୍ବଇନ୍ଦ୍ରିୟରେ ଉପଲବ୍‍ଧି କରିପାରି ନାହିଁ ସେହି ବ୍ୟକ୍ତିଠାରେ ଦୟା ଏବଂ କ୍ଷମା ଭଳି ମହତ୍‌ଗୁଣ କେବେ ହେଲେ ଆଶ୍ରୟ କରି ପାରିବିନାହିଁ । ଦୁର୍ଯ୍ୟୋଧନ ରିପୁଗ୍ରସ୍ଥ ଓ ସଦା ତିକ୍ତ ବିରକ୍ତ । କିନ୍ତୁ ଲାଳସା ସର୍ବସ୍ୱ ରିପୁକୁ ଜୟକରି ମୁଁ ଏହି ଧୈର୍ଯ୍ୟ ଓ କ୍ଷମାର ଅତୁଳ ଐଶ୍ୱର୍ଯ୍ୟ ଲାଭ କରିଛି । କ୍ଷମାର ଏହି ଅତୁଳନୀୟ ଶକ୍ତି କଥା ମହାତ୍ମା କଶ୍ୟପ ମଧ୍ୟ ସ୍ୱୀକାର କରିଛନ୍ତି ।

 

ଦୌପଦୀ କହିଲେ ହୁଏତ ଆପଣଙ୍କର କଥା ସତ୍ୟ ମହାରାଜ । ହୁଏତ ଆପଣ ସେହି ଐଶ୍ୱର୍ଯ୍ୟରେ ବଳବାନ; କିନ୍ତୁ ଏହି ବ୍ୟକ୍ତିଗତ ଐଶ୍ୱର୍ଯ୍ୟଦ୍ୱାରା ଆପଣ ଆମ୍ଭମାନଙ୍କୁ କୌଣସି ସୁଖସ୍ୱାଚ୍ଛନ୍ଦ୍ୟ ଦେଇପାରିନାହାନ୍ତି । ଆମ୍ଭେ ଆପଣଙ୍କୁ ଧାର୍ମିକ ବୋଲି ଜାଣିଅଛୁ ଏବଂ ଲୋକେ ମଧ୍ୟ ଧର୍ମ୍ମରାଜ ବୋଲି ଜାଣନ୍ତି ଏବଂ ଆହୁରି ମଧ୍ୟ ଜାଣିଛି ଯେ ଧର୍ମ ହିଁ ଧାର୍ମିକକୁ ରକ୍ଷା କରିଥାଏ । ସମୟ ଅସମୟରେ ଧର୍ମହିଁ ବୁଦ୍ଧିକୁ ସଦା ଜାଗ୍ରତ କରିଥାଏ । କିନ୍ତୁ ଆପଣଙ୍କୁ ଆପଣଙ୍କ ଧର୍ମ ବିପଦରେ ରକ୍ଷା କରିନାହିଁ । ତା ନ ହୋଇଥିଲେ ଆପଣ ନିଜେ ଧର୍ମରାଜ ହୋଇ ଦ୍ୟୁତକ୍ରୀଡ଼ା ଅନ୍ୟାୟ ଓ ସର୍ବନାଶୀ କ୍ରୀଡ଼ା ଜାଣି ମଧ୍ୟ ଆପଣ ସଦୃଶ ଉଦାର, ସତ୍ୟବାଦୀ, ଧାର୍ମିକ, କ୍ରୀଡ଼ାଶକ୍ତ ହୋଇ ସ୍ୱବିନାଶ ସଙ୍ଗେ ସଙ୍ଗେ ପରିବାରର ବିନାଶ ସାଧନ କିପରି କଲେ ? ଏହା କ’ଣ ଆପଣଙ୍କର ଧର୍ମାନୁସରିତାର ନମୁନା ? ମନରେ ମୋର ଦୁଃଖ ଜାତ ହୁଏ ଏଥିପାଇଁ କି ଆପଣଙ୍କ ସଦୃଶ ମନୁଷ୍ୟ ମୋହଚ୍ଛନ୍ନ ହୋଇ ସର୍ବନାଶ ଘଟାଇଛନ୍ତି । ଆପଣ ମଧ୍ୟ ମୋହଫାନ୍ଦରେ ପଡ଼ି କର୍ମଫଳ ଭୋଗ କରୁଛନ୍ତି । ଆଜି ଯେହେତୁ ଆମ୍ଭମାନଙ୍କ ଭାଗ୍ୟ ଆପଣଙ୍କ ସଙ୍ଗେ ଜଡ଼ିତ ଆମ୍ଭେମାନେ ମଧ୍ୟ ସମଦଶାପନ୍ନ ହୋଇ କର୍ମଫଳ ଭୋଗୁଅଛୁ । କହିପାରିବେ ମହାରାଜ କେଉଁ ପ୍ରାଣୀ, ସ୍ରଷ୍ଟାର ଅଧୀନ ନୁହେଁ ? କେଉଁ ପ୍ରାଣୀ ନିଜେ ସ୍ୱାଧୀନ ବୋଲି କହିପାରିବ ? ମୁଁ ଜ୍ଞାନୀଙ୍କ ମୁଖରୁ ଶୁଣିଛି, ‘‘ଯଥା ବାୟୋସ୍ତଣାଗ୍ରାଣି ବଶଂ ଯାନ୍ତି ବଳୀୟସଃ । ଧାତୁରେବଂ ବଶଂ ଯାନ୍ତି ସର୍ବଭୂତାନି ଭାରତ’’–ତୃଣଖଣ୍ଡ ଯେପରି ବଳବାନବାୟୁର ଅଧୀନ, ସେପରି ପ୍ରାଣୀଗଣ ବିଧାତାର ଅଧୀନ । ସେହି ବିଧାତା ହିଁ ଜଣକୁ ସାଧୁ ଓ ଅନ୍ୟ ଜଣକୁ ପ୍ରବଞ୍ଚକ ଶୋଷକ ଓ ଶୋଷିତ କରିଛନ୍ତି-। ଜଣେ ଜଣକୁ ଅନ୍ୟଜଣଙ୍କର ଖାଦ୍ୟ ଭାବରେ ସୃଷ୍ଟି କରିଛନ୍ତି । ପଥରଦ୍ୱାରା ଯେପରି ପଥର ଭଙ୍ଗାଯାଇଥାଏ ଲୁହା କରତଦ୍ୱାରା ହିଁ ଲୁହାକୁ କଟାଯାଇଥାଏ । ବିଧାତା ପୁରୁଷ ମଧ୍ୟ ସେହିପରି ଭାବରେ ସଚେଷ୍ଟ ପ୍ରବଞ୍ଚକଙ୍କଦ୍ୱାରା ନିଶ୍ଚେଷ୍ଟ ସାଧୁଙ୍କୁ ପ୍ରତାରଣା କରୁଛନ୍ତି କି ? ତା ନ ହୋଇଥିଲେ ବିଧାତାଙ୍କ ଶରଣ ଆଶ୍ରିତ ହୋଇ ଆପଣ ରକ୍ଷା ପାଇଥାନ୍ତେ । ସୁତରାଂ ଏ ଜଗତରେ ଦୟା ଓ କ୍ଷମାର ସ୍ଥାନ ନାହିଁ । ବଳହିଁ ଅଭ୍ୟୁଦୟର ଏକମାତ୍ର କାରଣ । ବଳବାନ ହୋଇ ମଧ୍ୟ ଆପଣ ବଳହୀନତାକୁ ଆଶ୍ରୟ କରି ନିଜେ କଷ୍ଟ ଭୋଗ କରିବା ସାଙ୍ଗେ ସାଙ୍ଗେ ଆମ୍ଭମାନଙ୍କୁ ମଧ୍ୟ କଷ୍ଟ ଦେଉଛନ୍ତି ।

 

ଦ୍ରୌପଦୀଙ୍କ କଥା ଶୁଣି ଯୁଧିଷ୍ଠିର କହିଲେ କୃଷ୍ଣା ତୁମର କଥା ନିଃସନ୍ଦେହରେ ଆପାତ ମଧୁର କିନ୍ତୁ ଗ୍ରହଣ ଯୋଗ୍ୟ ନୁହେଁ । କାରଣ ଜାଗତିକ ଜୀବନ ରୂପରେଖରେ ତୁମର ମନଧର୍ମ ସର୍ବୋପରି ବିଧାତା ପୁରୁଷଙ୍କ ସମ୍ବନ୍ଧରେ ସନ୍ଦିହାନ ହୋଇଛି ତେଣୁ ଧର୍ମାଚରଣର ଫଳ କଣ ତା ଜାଣି ସୁଦ୍ଧା ବିସ୍ମୃତ ହୋଇଅଛି । ତପସ୍ୟା, ବ୍ରହ୍ମଚର୍ଯ୍ୟ, ଯାଗ, ଯଜ୍ଞ, ବେଦାଧ୍ୟୟନ, ଦାନ, ସରଳତା ସର୍ବୋପରି ଲାଳସାହୀନତାର ବାଦି କୌଣସି ଫଳ ନଥାଏ ତାହେଲେ ତୁମ ମାର୍କଣ୍ଡେୟ ସଦୃଶ ଋଷି, ବ୍ୟାସ ବଳିଷ୍ଠ-ମୈତ୍ରେୟ-ନାରଦ ଶୁକ ଇତ୍ୟାଦି ମହାପୁରୁଷଙ୍କୁ ଚାକ୍ଷୁଷ କରି ପାରନ୍ତି ନାହିଁ । ସଂସାରରେ ସଂସାରୀ ମାନବର ଯା କରଣୀୟ କର୍ତ୍ତବ୍ୟ ତାହା ସର୍ବଦା ମୁଁ ପାଳି ଆସିଅଛି । ଶାସ୍ତ୍ର ଧର୍ମାନୁସାରେ ଅସୂୟାହୀନ ମନରେ ଫଳାଫଳ ପ୍ରତ୍ୟାଶା ନରଖି କର୍ତ୍ତବ୍ୟ ସମ୍ପାଦନ କରିଆସିଅଛି । କର୍ତ୍ତବ୍ୟ ସମ୍ପାଦନ କର୍ମରେ କେଭେ ଫଳାଫଳ ପ୍ରତ୍ୟାଶା କରିନାହିଁ । ଧର୍ମର ଫଳ ହଠାତ୍‌ ଦୃଶ୍ୟମାନ ହୋଇ ନଥାଏ । କାରଣ ଧର୍ମ କର୍ମର ଫଳାଫଳ ଯଦି ଶୀଘ୍ର ପ୍ରତୀୟମାନ ହୋଇ ମନୁଷ୍ୟ ପାଇପାରନ୍ତା ତାହେଲେ ଧର୍ମ ଆଜି ସୁଲଭ ଦ୍ରବ୍ୟ ଭଳି ଅନାଦରର ବସ୍ତ୍ର ହୁଅନ୍ତା । ଯଥା ସମୟରେ ଧର୍ମାଚାର ତାର ଫଳ ଅବଶ୍ୟ ଦେବ । ଅଧର୍ମୀ ମଧ୍ୟ ତା’ର ଫଳ ଅବଶ୍ୟ ଭୋଗ କରିବ-। ସୁତରାଂ ଏ କ୍ଷେତ୍ରରେ ଧୈର୍ଯ୍ୟ ସହ ଅପେକ୍ଷା ହିଁ ଏକମାତ୍ର ଉପାୟ । ପୁନଶ୍ଚ ଯୁଧିଷ୍ଠିର କହିଲେ ଦ୍ରୌପଦୀ ତୁମେ ସହଧର୍ମଣୀ ହୋଇ ଧର୍ମ ବିଧାତା ସମ୍ବନ୍ଧରେ ତୁମର ଏହି ଅବମାନନାକର ମନସ୍କତା ଶୀଘ୍ର ଦୂର ହେଉ ଏହାହିଁ ଭଗବାନଙ୍କ ନିକଟରେ ମୋର ପ୍ରାର୍ଥନା ।

 

ଏକଥା ଶୁଣି ଦୌପଦୀ କହିଲେ ମହାରାଜ ବିଧାତା ବା ଧର୍ମବିରୁଦ୍ଧରେ ଅବମାନନା କରିବାର ଅଭିପ୍ରାୟ ମୋର ନାହିଁ । ଏପରି ଅବଜ୍ଞା ଯେ ଔଦ୍ଧତ୍ୟର ଯମ ମାତ୍ର ତାହା ମୁଁ ଜାଣିଛି । ବିଧାତାଙ୍କୁ ଆସ୍ପର୍ଦ୍ଧା କରିବାର କ୍ଷମତା ଆମ ଭଳି ସାଧାରଣ ମାନବର ନାହିଁ । ମୁଁ ଯାହା କହିଛି ତା କେବଳ ମୋର ଦୁଃଖାନୁଭୁତିର ଅଭିଯୋଗ ମାତ୍ର । ସେ ଦୁଃଖ ଏପର୍ଯ୍ୟନ୍ତ ମୋର ଅପନୋଦନ ହୋଇନାହିଁ । ସେଥି ନିମନ୍ତେ ମୁଁ ଆହୁରି କିଛି କହିବି ଯାହା ହୁଏତ ଆପଣଙ୍କୁ ପ୍ରଳାପ ସଦୃଶ ଶୁଣାଯିବ ମୋର କହିବାର କାରଣ କେବଳ ଆପଣ । ଆପଣ ଚେଷ୍ଟାଶୂନ୍ୟ ଓ ଉଦ୍ୟୋଗହୀନ ଏପରି ଆଚରଣ ଆପଣଙ୍କ ସଦୃଶ ମହାରାଜାଙ୍କୁ ସାଜେନାହିଁ । ଏହି ବିଚିତ୍ରମୟ ଜଗତରେ କେହି ପ୍ରାଣୀ ନିଚେଷ୍ଟ ଭାବରେ କାଳ କାଟେ ନାହିଁ । ପ୍ରାଣୀ ମାତ୍ରେ ହିଁ କର୍ମ ସହିତ ସଂଯୁକ୍ତ । କର୍ମବିହୀନ ପ୍ରାଣୀ ଅଚିରେ ବିନାଶ ଲାଭ କରିଥାଏ । ଅଦୃଷ୍ଟବାଦୀ ପ୍ରାଣୀ ଅଜ୍ଞାନୀ ସଦୃଶ । କର୍ମ ହିଁ ମୂଳ ଓ ପୁରୁଷାକାର ହିଁ ମୁଖ୍ୟ । ମନୁ ମହାରାଜାଙ୍କ ସିଦ୍ଧାନ୍ତ ଅନୁସାରେ ମନୁଷ୍ୟ ତାର କର୍ମାଚରଣ କରିବାକୁ ବାଧ୍ୟ–ଅଦୃଷ୍ଟ ଓ ଭବିତବ୍ୟର ଦୋହାଇ ଦେଇ ନିଶ୍ଚୁପ ହୋଇ ରହିବା ପୁରୁଷାକାର ନୁହେଁ । ଦେବଗୁରୁ ବୃହସ୍ପତି ରାଜାଙ୍କ କର୍ମାଚାରଣ ସମ୍ବନ୍ଧରେ ରାଜନବର୍ଗକୁ ରାଜନୀତି ବିଷୟରେ ସାମ, ଦାନ, ଦଣ୍ଡ, ଭେଦନୀତି ସମ୍ବନ୍ଧରେ ରାଜନୀତି ଶିକ୍ଷା ରାଜ୍ୟପାଳନ ଉଦ୍ଦେଶ୍ୟରେ କହିଛନ୍ତି । ପୁନଶ୍ଚ ଦ୍ରୌପଦୀ ଧର୍ମପ୍ରାଣ ମହାପୁରୁଷ ମତ ଉଦ୍ଧାର କରି କହିଲେ ‘‘ନ ତ୍ୱେବାତ୍ମବମନ୍ତବ୍ୟଃ ପୁରୁଷେଣ କଦାଚନ । ନ ହ୍ୟାତ୍ମ ପରିଭୂତସ୍ୟ ଭୂର୍ତିଭବତି ଶୋଭନା’’ । ଅର୍ଥାତ୍‌ ମନୁଷ୍ୟ କେବେ ଯେପରି ନିଜକୁ ଅନାଦର ନ କରେ । ଯେଉଁ ବ୍ୟକ୍ତି ଆତ୍ମ ଅବମାନନା କରେ ତା’ର କେବେହେଁ ମଙ୍ଗଳ ହୋଇନଥାଏ । ହେ ଧର୍ମରାଜ ଆପଣଙ୍କର ଏହି ନିଚେଷ୍ଟତା ମଧ୍ୟରେ ତା’ରି ଅଭ୍ୟାସ ପାଇଁ ମୁଁ ଦୁଃଖିତ ।

 

ଉତ୍ତରରେ ଯୁଧିଷ୍ଠିର କିନ୍ତୁ କହିବା ପୂର୍ବରୁ ଭୀମସେନ ପରିବେଶ ବିସ୍ମୃତ ହୋଇ ଗର୍ଜନ କରି କହିଲେ–ଅଗ୍ରଜ କୃଷ୍ଣା ଠିକ୍‌ କଥା କହିଛନ୍ତି । ସଂସାରୀ ମନୁଷ୍ୟ କ’ଣ କେବଳ ଧର୍ମାଶ୍ରୟ କରି ଜୀବନରେ ସାଫଲ୍ୟ ଆଣିପାରିବ ? ସଂସାର ଏକ ଆଶ୍ରମ ସଦୃଶ । ଏଠାରେ ଧର୍ମ ସହିତ ଅର୍ଥ ଏବଂ କାମର ସମ୍ପର୍କକୁ ଆପଣ ଅସ୍ୱୀକାର କରିପାରିବେ ନାହିଁ । ଜ୍ଞାନୀ ହୋଇ ଆପଣ ଏହା ମଧ୍ୟ ଅସ୍ୱୀକାର କରିପାରିବେ ନାହିଁ ଯେ ବିନା ଅର୍ଥେ ଧର୍ମ ଅବଲମ୍ବନ ଅସମ୍ଭବ ଅଳ୍ପ ହେଲେ ହେଁ ଧର୍ମ ସହିତ ଅର୍ଥ ଅପରିହାର୍ଯ୍ୟ । ମେଘ ଓ ସମୁଦ୍ରର ସମ୍ପର୍କ ସଦୃଶ, ଧର୍ମ ଓ ଅର୍ଥ ଜଡ଼ିତ । ଏହା ବ୍ୟତୀତ କାମ କାମନା ମନୁଷ୍ୟର ସହଜାତ ପ୍ରବୃତ୍ତି । ଏହାକୁ ମଧ୍ୟ ଆପଣ ଅସ୍ୱୀକାର କରିପାରିବେ ନାହିଁ । ଯେତେବେଳେ ମନୁଷ୍ୟ ଏହି ତ୍ରିବର୍ଗ ସେବା କରିପାରେ ସେତେବେଳେ ହିଁ ତା’ର ଜୀବନର ପୂର୍ଣ୍ଣତା ଆସିଥାଏ । ମହାରାଜ ଆପଣ କେବଳ ସତ୍ୟନିଷ୍ଠାରେ ଧର୍ମାଚରଣ କରି ଅନ୍ୟ ଦୁଇଟିକୁ ତ୍ୟାଗ କରିଛନ୍ତି । କେବଳ ଧର୍ମ ଅବଲମ୍ବନରେ କେହି କେବେହେଁ କଲ୍ୟାଣ ସାଧନ ତଥା ଐଶ୍ୱର୍ଯ୍ୟ ଲାଭ କରିନାହାନ୍ତି । ଏହା ବ୍ୟତୀତ ଆମ୍ଭେମାନେ ସମସ୍ତ କ୍ଷତ୍ରିୟ ବ୍ରାହ୍ମଣ ନୋହୁଁ । ଆମ୍ଭମାନଙ୍କର ଯୁଦ୍ଧ ଓ ପ୍ରଜାପାଳନ ସ୍ୱଧର୍ମ । ଆପଣ କ୍ଷତ୍ରିୟ ବୀରଙ୍କ ମଧ୍ୟରେ ଅଗ୍ରଗଣ୍ୟ । ଅଥଚ ଆପଣ ସ୍ୱଧର୍ମ ପାଳନ ନକରି ବ୍ରାହ୍ମଣ ଧର୍ମ ଗ୍ରହଣ କରି ଆପଣଙ୍କ ସହିତ ଆମ୍ଭମାନଙ୍କୁ ମଧ୍ୟ ବିନାଶ କରିବାକୁ ବସିଛନ୍ତି । ଏହାଦ୍ୱାରା ଆପଣ ନିଜେ ଅବଜ୍ଞାର ପାତ୍ର ଭାବେ ବିବେଚିତ ହୋଇ ପୃଥିବୀକୁ ଅନାଚାରୀଙ୍କ ହାତରେ ଦେଇ ବିପର୍ଯ୍ୟସ୍ତ କରୁଛନ୍ତି । ଯେଉଁ କ୍ଷତ୍ରିୟ ସ୍ୱଧର୍ମ ପାଳନ କରେନାହିଁ ଆପଣ କ’ଣ ତାଙ୍କୁ ଧାର୍ମିକ କହିବେ ?

 

ଉତ୍ତେଜିତ ଭୀମସେନ ଏତିକି କହି ସାରିବା ପରେ ପୁନଶ୍ଚ କିଛି କହିବାକୁ ଉଦ୍ୟତ ହେଲେ । ମହାରାଜ ମୋର ଆହୁରି କିଛି କହିବାର ଅଛି । ଆପଣ ଯଦି ଶାସ୍ତ୍ର ବିଧି ମାନି ଚଳିବାକୁ ହିଁ ଧର୍ମାଚରଣ କହନ୍ତି ତାହେଲେ ଶାସ୍ତ୍ରରେ ଅଛି ‘‘ଧର୍ମଂ ପୂର୍ବେ ଧନଂ ମଧ୍ୟେ ଜଘନ୍ୟେ କାମମାଚରେତ୍‌ ଅହନ୍ୟନୁଚରେ ଦେବମେଷ ଶାସ୍ତ୍ର କୃତୋ ବିଧିବ ।’’ ଗୃହସ୍ଥ ମନୁଷ୍ୟ ପ୍ରତିଦିନ ଦିବସର ପ୍ରଥମଭାଗରେ ଧର୍ମକର୍ମସେବା, ମଧ୍ୟଭାଗରେ ଅର୍ଥସମାଗମର ଚିନ୍ତା ଓ ଦିବସ ଶେଷରେ ପବିତ୍ର ମନ ନେଇ କାମ ସେବା କରିବା ବିଧେୟ । ଆପଣ ଏହି ଶାସ୍ତ୍ରବାକ୍ୟ ମାନି ଚଳିଛନ୍ତି କି ? କେବଳ ତାହା ନୁହେଁ ଏହା ବ୍ୟତୀତ ଆମ ସମସ୍ତଙ୍କର ଏକ ନିର୍ଦ୍ଦିଷ୍ଟ ପରମାୟୁ ଅଛି । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହିଁ ଆମ୍ଭଙ୍କୁ ଆମ୍ଭର କରଣୀୟ କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ । ପରମାୟୁକୁ ମଧ୍ୟ ତିନି ଭାଗରେ ଭାଗ କରି ପୃଥକ ପୃଥକ କର୍ମ କରିବା ନିମନ୍ତେ ଉଦ୍ଦିଷ୍ଟ ଅଛି । ତଥାପି ଶାସ୍ତ୍ରବଚନ ଶୁଣନ୍ତୁ–କାମଂ ପୂର୍ବେ ଧନଂ ମଧ୍ୟେ ନଘନ୍ୟେ ଧର୍ମାମାଚରେତ୍‌ । ଆୟୁର ପ୍ରଥମ ଭାଗରେ, ଦ୍ୱିତୀୟ ଭାଗରେ ଧନ ଓ ଶେଷ ଭାଗରେ ଧର୍ମାଚରଣ କରିବା ଉଚିତ । ମହାରାଜ ଯେତେବେଳେ ଏପରି ଶାସ୍ତ୍ରବିଧାନ ଅଛି ଆମ୍ଭମାନଙ୍କ ଏହି ବୟସ କ’ଣ ବନବାସରେ କୃଚ୍ଛ୍ରସାଧନ ନିମନ୍ତେ ଉପଯୁକ୍ତ ? ପୁନଶ୍ଚ ଭୀମ କହିଲେ ସର୍ତ୍ତାନୁଯାୟୀ ନ୍ୟାୟ ନୀତି ପାଳନ କରିବା ଅବଶ୍ୟ କର୍ତ୍ତବ୍ୟ କିନ୍ତୁ କୁଟ ଚକ୍ରାନ୍ତକାରୀର ଆରୋପିତ ସର୍ତ୍ତପାଳନ ଶାସ୍ତ୍ର ବିରୁଦ୍ଧ । ଏପରି ସ୍ଥଳରେ ସ୍ୱଧର୍ମ ପାଳନ, ପ୍ରଜାପାଳନ ଓ ପରିବାରବର୍ଗଙ୍କ ପାଳନ ନିମନ୍ତେ ସର୍ତ୍ତ ଭଙ୍ଗ କରିବା ହିଁ କର୍ତ୍ତବ୍ୟ କର୍ମ । ଏହି ସର୍ତ୍ତ ଭଙ୍ଗ ପୂର୍ବକ କୁଚକ୍ରୀ ଦୁର୍ଯ୍ୟୋଧନକୁ ବିତାଡ଼ିତ କରି ସିଂହାସନ ପ୍ରାପ୍ତ ହୋଇ ଅକାତରରେ ଉପଯୁକ୍ତ ପାତ୍ରରେ ଧନ ଦାନ କରି ସର୍ତ୍ତ ଭଙ୍ଗ ଅପରାଧରୁ ମୁକ୍ତ ହେବା ଉଚିତ ।

 

ଧୈର୍ଯ୍ୟର ପ୍ରତିମୂର୍ତ୍ତି ଯୁଧିଷ୍ଠିର ସ୍ଥିର ଚିତ୍ତରେ ଭୀମସେନଙ୍କ ଉକ୍ତି ଶୁଣୁଥିଲେ । ଭୀମଙ୍କ ବାକ୍ୟଗୁଡ଼ିକ ତୀବ୍ର ବାଣ ସଦୃଶ ହୃଦୟ ମଧ୍ୟରେ ଆଘାତ ପାଉଥିଲେ ହେଁ ସେ କ୍ରୋଧାନ୍ୱିତ ହୋଇ ନଥିଲେ । କାରଣ ଗୋଟିଏ ଦିଗରୁ ଦେଖିଲେ ଭୀମ ନିର୍ଭୁଲ ତଥ୍ୟରେ ଯୁକ୍ତି ଦର୍ଶାଇଛନ୍ତି । ସେ ନିଜ ଆଶକ୍ତି ବଳରେ ଦ୍ୟୁତକ୍ରୀଡ଼ାରେ ଅବତୀର୍ଣ୍ଣ ହୋଇ ପରାଜୟ ସ୍ୱୀକାର କରି ସମସ୍ତ ପରିବାରବର୍ଗଙ୍କ ଦୁଃଖର କାରଣ ହୋଇଛନ୍ତି । ଏକଥା ମଧ୍ୟ ସତ୍ୟ ଯେ ଦ୍ୟୁତକ୍ରୀଡ଼ା ସମୟରେ ପର୍ଯ୍ୟାୟକ୍ରମେ ପରାଜୟ ସ୍ୱୀକାର କରିବା ସମୟରେ ଭୀମଙ୍କ ସହିତ ଅନ୍ୟ ଭ୍ରାତୃବର୍ଗ ନୀରବ ରହି କ୍ରୀଡ଼ାର ସର୍ତ୍ତରେ ଥରକୁ ଥର ସମ୍ମତି ପ୍ରଦାନ କରିଥିଲେ । ଆଜିର ବାକ୍ୟବାଣ ସେତିକିବେଳେ ଭୀମ କହିଥିଲେ ଏପରି ବିପର୍ଯ୍ୟୟ ହୋଇ ନଥାନ୍ତା । ପୁନଶ୍ଚ ଯୁଧିଷ୍ଠିର କହିଲେ ଅତୀତରେ ନୀରବ ସମର୍ଥନ ପ୍ରଦାନ କରି ବର୍ତ୍ତମାନ ସତ୍ୟବାକ୍ୟ ପାଳନ ସମୟରେ କ୍ଷୁବ୍‌ଧ ହୋଇ କିଛି ଲାଭ ନାହିଁ । ଏଥିରୁ ଅନୁମିତ ହୁଏ ଯେ ବନବାସ ଆମ୍ଭମାନଙ୍କର ଅଦୃଷ୍ଠ ଥିଲା । ଥରେ ପ୍ରତିଜ୍ଞାବଦ୍ଧ ହୋଇସାରି ପାଳନ ନ କରିବା ମୋ ପକ୍ଷରେ ଅସମ୍ଭବ । ଏହା କୌଣସି ସଦାଚାରୀ ବ୍ୟକ୍ତି କରିପାରିବ ନାହିଁ । ବିଶେଷତଃ ପ୍ରତିଜ୍ଞା ଭଙ୍ଗ ମୋ ପକ୍ଷରେ ଏପରି ଗୁରୁତର ଅପରାଧ ହେବ ଯେ ଯାହା ପୃଥିବୀର କୌଣସି ବସ୍ତୁ ବିନିମୟରେ ପାଳନ କରିପାରିବି ନାହିଁ । ରାଜ୍ୟ, ପୁତ୍ର–ଧନ, ଯଶ ଏପରିକି ଅମରତ୍ୱଠାରୁ ପ୍ରତିଜ୍ଞା ପାଳନ ଶ୍ରେଷ୍ଠ ଅଟେ । ଶତ୍ରୁରୂପୀ ଦ୍ରୁମକୁ ସମୂଳେ ବିନାଶ କରିବାକୁ ହେଲେ ତାହାକୁ ପରିପୂର୍ଣ୍ଣ ଭାବରେ ବୃଦ୍ଧି ଲାଭ ନିମନ୍ତେ ସୁଯୋଗ ଦେବା ଉଚିତ । ଆପାତ ଦୃଷ୍ଟିରେ ସେହି ଶତ୍ରୁରୂପୀ ଦ୍ରୁମ ମହାବଳ ହେଲେହେଁ ଅନ୍ତରରେ ହୀନବଳ ଅଟନ୍ତି ।

 

କିନ୍ତୁ ଭୀମ ଯୁଧିଷ୍ଠିରଙ୍କର ଏହି ଉକ୍ତିରେ ସନ୍ତୁଷ୍ଟ ନ ହୋଇ କ୍ରୁଧ ଗର୍ଜ୍ଜନକରି କହିଲେ ପ୍ରତୀକ୍ଷା-କାଳର ପ୍ରତୀକ୍ଷା । ଆପଣ କାଳ ସହିତ ସନ୍ଧି କରି ଚାଲିବା ନିମନ୍ତେ ଉପଦେଶ ଦେଉଛନ୍ତି-। ଏହା କ’ଣ ଆପଣଙ୍କ ଉପଯୁକ୍ତ ଉପଦେଶ ? ଆପଣ କାଳର ପ୍ରତୀକ୍ଷା କରି ସୁଯୋଗ ଉଦ୍ଦେଶ୍ୟରେ ରହିବା ପାଇଁ କହିଲେ । କିନ୍ତୁ ଏହା କିପରି ସମ୍ଭବ ? ମନୁଷ୍ୟର ପରମାୟୁ ସୀମିତ । ମନୁଷ୍ୟ ମାତ୍ରେ ହିଁ କାଳ କବଳିତ ଓ ଜରାବ୍ୟାଧି ମୃତ୍ୟୁଗ୍ରସ୍ଥ ହୋଇଥାଏ । ମନୁଷ୍ୟ ଜୀବନ ପ୍ରବାହ ଶେଷ ହୋଇଥାଏ କିନ୍ତୁ କାଳର ପ୍ରବାହ ଅନନ୍ତ । ସୁତରାଂ ଜୀବନ କାଳର ଏହି ଦୀର୍ଘ ତ୍ରୟୋଦଶ ବର୍ଷ ନିଶ୍ଚୁପ ହୋଇ ଅପେକ୍ଷା କରିବା ଅର୍ଥ ପ୍ରକାରାନ୍ତରେ ଜୀବନର ଅର୍ଦ୍ଧେକ ସମୟ ବିନିଷ୍ଟ କରିବା-। କାରଣ ତ୍ରୟୋଦଶ ବର୍ଷ ଅତିକ୍ରାନ୍ତରେ ସ୍ୱଶକ୍ତି ଓ ତେଜକ୍ଷୟ ମଧ୍ୟ ଅବଶ୍ୟମ୍ଭାବି । ଯେଉଁ ବୀର୍ଯ୍ୟ ଓ ସାମର୍ଥ୍ୟ ନେଇ ଆଜି ଆମ୍ଭେମାନେ ଶତ୍ରୁର ସମ୍ମୁଖୀନ ହୋଇପାରିବା ତେରବର୍ଷ ପରେ କ’ଣ ସେହି ସାମର୍ଥ୍ୟ ରହିବ ? ଯଦି ଭାବିଥାନ୍ତି କାଳହିଁ ଆମ ହାତରେ ଶତ୍ରୁ ପରାଜୟର ସୁଯୋଗ ଦେବ ତାହେଲେ ମୋର ଶେଷ କଥା ଶୁଣିଥାନ୍ତୁ ତେରମାସକୁ ତେରବର୍ଷ ରୂପେ ଗଣନା କରି ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ଆପଣଙ୍କର ଏହି ଭାକବାହୀ ବୃକ୍ଷ ବୃକୋଦରକୁ ଭଲ ଭାବରେ ଖାଦ୍ୟ ଦିଅନ୍ତୁ । ଏହାପରେ ଭୀମସେନ ନିଶ୍ଚୁପ ହୋଇ ରହିଲେ । ଯୁଧିଷ୍ଠିରଙ୍କ ଅନ୍ତରାତ୍ମାରୁ ଏକ ଦୀର୍ଘନିଶ୍ୱାସ ଯେପରି ବାହାରି ଆସିଲା ଓ ଯୁଧିଷ୍ଠିର କହିଲେ ଭ୍ରାତା ବୃକୋଦର ତୁମ୍ଭର ବାଣୀ ନିର୍ଭୁଲ । ତଥାପି ଏହି କାଳକ୍ଷେପଣ ନୀତିକୁ କାହିଁକି ଆମ୍ଭେ ଧାରଣ କରିଛୁ ତାକୁ ମନଯୋଗ ସହକାରେ ଶୁଣ । ଯୁଧିଷ୍ଠିର କାଳକ୍ଷେପଣ ନୀତି ଭୀମକୁ ବୁଝାଇବାକୁ ଯାଇ କହିଲେ କୌରବଙ୍କ ପକ୍ଷରେ ଅଗଣିତ ବୀର ଯଥା–ଭୁରିଶ୍ରବା, ଶଲ୍ୟ, ବୀର ଜରାସନ୍ଧ, ସୁତପୁତ୍ର କର୍ଣ୍ଣ ପ୍ରଭୃତି ରାଜନବର୍ଗ ଦୁର୍ଯ୍ୟୋଧନର ବହୁଛାୟା ତଳେ ଆଶ୍ରିତ ଥିବାରୁ ଦୁର୍ଯ୍ୟୋଧନ ନିମନ୍ତେ ପ୍ରାଣଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ପୁନଶ୍ଚ ଅନ୍ୟ ପକ୍ଷରେ ପିତାମହ ଭୀଷ୍ମ, ମହାବଳ ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଯଦିଓ ପାଣ୍ଡବଗଣଙ୍କୁ ସ୍ନେହ ଚକ୍ଷୁରେ ଦେଖନ୍ତି ତଥାପି ବର୍ତ୍ତମାନ ଦୁର୍ଯୋଧନ ଅନ୍ନରେ ପ୍ରତିପାଳିତ-ସୁତରାଂ ଅନ୍ନର ଋଣ ସୁଝାଇବା ନିମନ୍ତେ ସେମାନେ ସମସ୍ତେ ଆମ୍ଭ ବିରୁଦ୍ଧରେ ଅସ୍ତ୍ର ଧରିବାହିଁ ସ୍ୱାଭାବିକ୍‌ । ସର୍ବଶେଷରେ ଅଭେଦ୍ୟ କବଚଧାରୀ କର୍ଣ୍ଣକୁ ଧନୁର୍ଦ୍ଧର ଅର୍ଜ୍ଜୁନ ପରାସ୍ତ କରିବା ସହଜ ନୁହେଁ । ଏହି କଥା ଶୁଣିବା ପରେ ଭୀମସେନ କୌରବଚିତ୍ର ପ୍ରତ୍ୟକ୍ଷ କରି ନିଜେ ବିମର୍ଷ ରୂପ ଧାରଣ କରିଥିଲେ । ଦୁର୍ଯ୍ୟୋଧନ ବର୍ତ୍ତମାନ ରାଜ ଛତ୍ରଛାୟାରେ ଅବସ୍ଥିତ–ବର୍ତ୍ତମାନ ଅବସ୍ଥାରେ ପାଣ୍ଡବ ଯେତେ ବୀର ବା ଶକ୍ତିଧର ହୁଅନ୍ତୁ ନା କାହିଁକି ତାହା ନିଷ୍ଫଳ ହିଁ ହେବ । ବାସ୍ତବ ସତ୍ୟ ହୃଦୟଙ୍ଗମ ନକରି ଅଗ୍ରଜଙ୍କ ପ୍ରତି କଟୁବାଣୀ ଶୁଣାଇଥିବାରୁ ଭୀମସେନ ଲଜ୍ଜିତ ହେଲେ । ଜ୍ୟେଷ୍ଠ ଭ୍ରାତାଙ୍କ ବିଚାର ସୁବିଚାର ଅଟେ । ବର୍ତ୍ତମାନ କାଳହରଣ ହିଁ ଏକମାତ୍ର ଉପାୟ । ପାଣ୍ଡବ ପକ୍ଷର ଅଭ୍ୟୁଦୟ ନିମନ୍ତେ କାଳକ୍ଷେପଣ ହିଁ ଏକମାତ୍ର ପନ୍ଥା । ଏହା ଭୀମସେନଙ୍କ ସହିତ ଦ୍ରୌପଦୀ ମଧ୍ୟ ହୃଦୟଙ୍ଗମ କରି ଅନୁଶୋଚନା କରିଥିଲେ ।

Image

 

ଶକୁନ୍ତଳା ଓ ଦୁଷ୍ମନ୍ତ ସମ୍ବାଦ

 

ଏହି ସମ୍ବାଦଟିରେ ‘ମହାଋଷି ମାର୍କଣ୍ଡେୟ’ ଧର୍ମରାଜ ଯୁଧିଷ୍ଠିରଙ୍କ ହସ୍ତୀନାପୁର ଅବସ୍ଥାନ କାଳରେ ଭରତ ବଂଶର ପୁରାତନ ଆବହମାନ କାଳର ଏକ କାହାଣୀ ବର୍ଣ୍ଣନା କରୁଛନ୍ତି ।

 

ଦ୍ୱାପର ଯୁଗରେ ‘ଦୁଷ୍ମନ୍ତ’ ଏକ ମହାପ୍ରତାପଶାଳୀ ନୃପତି ଥିଲେ । ଏକଦା ମହାରାଜା ଅନୁଚରଙ୍କ ସହିତରେ ଗହନ ଅରଣ୍ୟ ମଧ୍ୟରେ ମୃଗୟାର୍ଥେ ପ୍ରବେଶ କରି ଶ୍ରାନ୍ତ, କ୍ଳାନ୍ତ, ତୃଷାର୍ତ୍ତ ଓ କ୍ଷୁଧାର୍ତ୍ତ ହୋଇ ଏକ ମରୁଦ୍ୟାନ ସଦୃଶ ଉପବନରେ ପ୍ରବେଶ କରିଥିଲେ । ଏହି ଉପବନ ହିଂସ୍ର ଶ୍ୱାପଦ-ସଂକୁଳହୀନ ଥିଲା । ମମତାପୁଷ୍ଟ ବାତାବରଣରେ ଏହାର ପରିବେଶ ଶ୍ରାନ୍ତ ପାନ୍ଥଗଣର ଏକ ମନୋରମ ଆଶ୍ରୟସ୍ଥଳୀ ଥିଲା । ବନ ପ୍ରାନ୍ତରରେ ‘ମାଳିନୀ’ ନାମୀ ଏକ ନଦୀର କୁଳୁକୁଳୁ ନାଦର ସ୍ୱଚ୍ଛ ଜଳସ୍ରୋତ ଓ ସ୍ନିଗ୍‌ଧ ସମୀରଣ ଶ୍ରାନ୍ତକ୍ଳାନ୍ତ ପଥିକର କ୍ଳାନ୍ତି ବିନୋଦନ କରୁଥିଲା ।

 

ଏହି ସମୟରେ ଇତସ୍ତତଃ ଅନ୍ୱେଷଣକାରୀ ମହାରାଜା ଦୁଷ୍ମନ୍ତ ଏହି ଉପବନରେ ପ୍ରବେଶ କରି ତପୋବନ ପ୍ରାନ୍ତରରେ ଅବସ୍ଥିତ ଏକ ପୂର୍ଣ୍ଣକୁଟୀରର ସମ୍ମୁଖସ୍ଥ ହେଲେ । ଏହି କୁଟୀରର ଶାନ୍ତ ପରିବେଶର ପ୍ରଶାନ୍ତରେ ରାଜାଙ୍କ ମନ ଉଲ୍ଲସିତ ହୋଇଉଠିଲା । ସେ କୁଟୀର ଅଭ୍ୟନ୍ତରସ୍ଥ ଆଶ୍ରମିକ ଉଦ୍ଦେଶ୍ୟରେ ଅନୁଚ୍ଚ କଣ୍ଠରେ ଆହ୍ୱାନ ମାତ୍ରେ ହିଁ ଅର୍ଗଳ ଦ୍ୱାର ଉନ୍ମୁକ୍ତ ହୋଇଥିଲା । କୁଟୀର ଅଭ୍ୟନ୍ତରରୁ ବହିର୍ଗତା ଏକ ତନ୍ୱୀ ଆଶ୍ରମବାସିନୀ ସହସା ମହାରାଜାଙ୍କୁ ଅଭ୍ୟର୍ଥନା ଜ୍ଞାପନାର୍ଥେ ଗୃହାଭ୍ୟନ୍ତରକୁ ଆଗମନ ନିମନ୍ତେ ଆମନ୍ତ୍ରଣ କରିଥିଲେ । ଏକ ନିର୍ଜ୍ଜନ କୁଟୀରରେ ଏକାକୀ ଏକ ଅତୀବ ରୂପଲାବଣ୍ୟମୟୀ ତନ୍ୱୀକୁ ଦର୍ଶନ କରି ମହାରାଜ ଦୁଷ୍ମନ୍ତ ବିସ୍ମିତ ତଥା ସ୍ତମ୍ଭିତ ହୋଇ ରହିଗଲେ । କନ୍ୟାଟି ବ୍ରାହ୍ମଣ ତନୟା ବା ମୁନିକନ୍ୟା ବା ଦେବକନ୍ୟା ଏହା ନିର୍ଣ୍ଣୟ କରି ନପାରି ବିହ୍ୱଳ ବିସ୍ମୟ ତଥା ନିର୍ନିମେଷ ଲୋଚନରେ ସ୍ଥିତବାକ୍‌ ହୋଇ ରାଜା ଆସନ ଅଳଂକୃତ କଲେ । ଆଶ୍ରମବାସିନୀ କନ୍ୟାଟି ମଧ୍ୟ ସମଦଶାପନ୍ନ ହୋଇ ମନ୍ତ୍ରମୃଗ୍‌ଧା ସଦୃଶ ଦଣ୍ଡାୟମାନ ହୋଇ ରହିଥିଲେ ହେଁ ଅନ୍ତରରେ ଅଭ୍ୟାଗତଙ୍କର ପରିଚୟ ନ ଜାଣିପାରି ମନର ଚାଞ୍ଚଲ୍ୟ ଓ ଉଦ୍‌ବେଗକୁ ପ୍ରଶୟ ନଦେଇ ମୁନିକନ୍ୟା ଅତିଥିଙ୍କର ଯଥୋଚିତ ସତ୍କାର ନିମନ୍ତେ ଆଗ୍ରହ ପ୍ରକାଶ କରିଥିଲେ । କାରଣ ସେହି ସମୟରେ କନ୍ୟାଙ୍କର ପିତା ମହର୍ଷି କଣ୍ୱ ଆଶ୍ରମରେ ଉପସ୍ଥିତ ନଥିଲେ ।

 

ମହାରାଜ କନ୍ୟାଙ୍କର ଆମନ୍ତ୍ରଣରେ ଆସନ ଗ୍ରହଣପୂର୍ବକ ନିଜର ଆତ୍ମ ପରିଚୟ ପ୍ରଦାନ କରି ତନ୍ୱୀଙ୍କୁ ସ୍ୱ ପରିଚୟ ପ୍ରଦାନ ନିମନ୍ତେ ନିବେଦନ କରିଥିଲେ ।

 

ଲଜ୍ଜାଶୀଳା ତନ୍ୱୀ ଆତ୍ମପରିଚୟ ପ୍ରଦାନ କରି କହିଲେ ଯେ ସେ ମହର୍ଷି କଣ୍ୱଙ୍କର କନ୍ୟା ‘ଶକୁନ୍ତଳା’ । ଏହି ଉତ୍ତରରେ ରାଜା ସନ୍ଧିଗ୍‍ଧ ହୋଇ କହିଲେ, ‘‘ସେ ଯେତେଦୂର ଜାଣନ୍ତି ମହର୍ଷି କଣ୍ୱ ସଂସାର ବିରାଗୀ । ତେଣୁ ତାଙ୍କର କନ୍ୟା ହେବା ଅସମ୍ଭବ ।’’ ସୁତରାଂ ଅକପଟରେ ସତ୍ୟ ପ୍ରକାଶ କର । କାରଣ ସତ୍ୟାଶ୍ରୟୀ ହୋଇ ଅକପଟରେ ସତ୍ୟ ପ୍ରକାଶ କରିବା ହିଁ ଆଶ୍ରମବାସିନୀଙ୍କର ଧର୍ମ’’ ।

 

ଶକୁନ୍ତଳା ରାଜାଙ୍କର ଏହି ଉକ୍ତିରେ ଲଜ୍ଜିତ ତଥା ସଙ୍କୁଚିତ ହୋଇ କହିଲେ ଏକଦା ସେ ତାଙ୍କର ଜନ୍ମ ବୃତ୍ତାନ୍ତ ସମ୍ବନ୍ଧରେ କଣ୍ୱ ମୁନିଙ୍କ ସହିତ ଏକ ଅଭ୍ୟାଗତ ଋଷିଙ୍କର କଥପୋକଥନ ଅନ୍ତରାଳରେ ଯାହା ଶୁଣିଛନ୍ତି ତାହା ଏହିପରି ।

 

ଏକଦା ଇନ୍ଦ୍ରଙ୍କ ଆଦେଶରେ ସ୍ୱର୍ଗ ଅପସରା ମେନକା ଋଷି ବିଶ୍ୱାମିତ୍ରଙ୍କର ତପଭଙ୍ଗ କରିଥିଲେ ଏବଂ ମେନକା ଓ ଋଷି ବିଶ୍ୱାମିତ୍ରଙ୍କର ସମ୍ଭୋଗରୁ ହିଁ ଶକୁନ୍ତଳା ଜନ୍ମଲାଭ କଲେ । ତତ୍‌ପରେ ବିଶ୍ୱାମିତ୍ର ସଂସାର ବନ୍ଧନରେ ବାନ୍ଧି ହୋଇଥିବା ଅନୁଭବ କରି ନିଜକୁ ଧିକ୍‌କାର ସହକାରେ ମେନକା ଓ ଶିଶୁକନ୍ୟାଟିକୁ ପରିତ୍ୟାଗ କରି ଅନ୍ୟତ୍ର କଠୋର ତପସ୍ୟା ନିମନ୍ତେ ସ୍ଥାନ ତ୍ୟାଗ କରିଥିଲେ । ବିଶ୍ୱାମିତ୍ରଙ୍କର ଏତାଦୃଶ ଆଚରଣରେ ମେନକା କ୍ଷୁବ୍‌ଧ ହୋଇ କନ୍ୟାଟିକୁ ପରିତ୍ୟାଗ କରି ପୁନଶ୍ଚ ଇନ୍ଦ୍ରଙ୍କ ଦରବାରରେ ଉପସ୍ଥିତ ହୋଇଥିଲେ । ମାତୃ-ପରିତ୍ୟକ୍ତ ଶିଶୁକନ୍ୟାଟିକୁ କତିପୟ ଶକୁନ ପକ୍ଷପୁଟରେ ଆଚ୍ଛାଦିତ କରି ପ୍ରାଣରକ୍ଷା କରିଥିଲେ । ଏହି ସମୟରେ ମହର୍ଷି କଣ୍ୱ ସ୍ନାନାର୍ଥେ ଆସି ନଦୀତଟସ୍ଥ ଶକୁନ ପରିବେଷ୍ଟିତ ଶିଶୁକନ୍ୟାଟିକୁ ଦେଖିଲେ-। ଶକୁନଗଣ କଣ୍ୱ ଋଷିଙ୍କୁ କନ୍ୟାଟିକୁ ପାଳିବା ନିମନ୍ତେ ଅନୁରୋଧ କରିଥିଲେ । ତତ୍ପରେ ଋଷି କନ୍ୟାଟିକୁ ଆଶ୍ରମକୁ ଆଣି ଲାଳନ ପାଳନ କରିଥିଲେ ଏବଂ ଶକୁନଗଣ ଆଚ୍ଛାଦିତ କରି ରଖିଥିବାରୁ କନ୍ୟାଟିର ନାମ ‘ଶକୁନ୍ତଳା’ ରଖିଥିଲେ ।

 

ଶକୁନ୍ତଳାଙ୍କର ଜୀବନବୃତ୍ତାନ୍ତ ଶୁଣି ରାଜା ଦୁଷ୍ମନ୍ତ ସଙ୍କୋଚ ତ୍ୟାଗକରି ସ୍ୱମନୋଭାବ ପ୍ରକାଶକରି କହିଲେ, ‘‘ଶକୁନ୍ତଳା ପ୍ରଥମ ଦର୍ଶନରୁ ହିଁ ମୁଁ ତୁମ୍ଭ ପ୍ରତି ମୁଗ୍‌ଧ ଓ ଆକୃଷ୍ଟ । ତୁମକୁ ଏକାନ୍ତ ଭାବରେ ପାଇବା ନିମନ୍ତେ ମୁଁ ବ୍ୟଗ୍ର । ସୁତରାଂ ତୁମ୍ଭେ ମୋତେ ପତି ରୂପରେ ବରଣ କରିବା ନିମନ୍ତେ ଅନୁରୋଧ କରୁଛି ।

 

ରାଜାଙ୍କର ଏହି ପ୍ରସ୍ତାବରେ ଶକୁନ୍ତଳା ଚମକୃତ ହୋଇ କହିଲେ ସେ ଏଯାବତ୍‌ ଅନୁଢ଼ା ଅତଏବ ପିତାଙ୍କ ଅଜ୍ଞାତ ଓ ଅନୁପସ୍ଥିତିରେ ପତିବରଣ ଶାସ୍ତ୍ରବିରୁଦ୍ଧ । କାରଣ ଅନୁଢ଼ା କନ୍ୟା ସର୍ବଦା ପିତାଙ୍କ ଅଧୀନ । ପିତାହିଁ କନ୍ୟାକୁ ସୁଯୋଗ୍ୟ ପାତ୍ରରେ ସମ୍ପ୍ରଦାନ କରିବା ବିଧେୟ । ସୁତରାଂ ଜ୍ଞାତସାରରେ ମୁଁ ପିତାଙ୍କୁ ଏହି ଅଧିକାରରୁ ବଞ୍ଚିତ କରିବା ଅସମର୍ଥ । ମହାରାଜ ମୋତେ କ୍ଷମା କରନ୍ତୁ ।

 

ଶକୁନ୍ତଳାଙ୍କ ଉକ୍ତିରେ ଦୁଷ୍ମନ୍ତ ଉକ୍ତି ଖଣ୍ଡନକାରୀ ଯୁକ୍ତି ଦର୍ଶାଇ କହିଲେ ଶୁଣ ଶକୁନ୍ତଳା, ମହର୍ଷି କଣ୍ୱ ତୁମ୍ଭର ପାଳକ ପିତା । ବାସ୍ତବରେ କ୍ଷତ୍ରିୟ ରାଜର୍ଷି ବିଶ୍ୱାମିତ୍ର ହିଁ ତୁମ୍ଭର ପିତା । ତାଙ୍କର ଔରସ ଜାତ କନ୍ୟା ହୋଇଥିବାରୁ ତୁମ୍ଭେ କ୍ଷତ୍ରିୟ କନ୍ୟା । କ୍ଷତ୍ରିୟ ମତରେ ଗାନ୍ଧର୍ବ ବିବାହ ଶାସ୍ତ୍ର ସମ୍ମତ । ସୁତରାଂ ଗାନ୍ଧର୍ବ ବିବାହ କରି ମୋତେ ପତି ରୂପେ ବରଣ କର ।

 

ଶକୁନ୍ତଳା ରାଜାଙ୍କର ଯୁକ୍ତିରେ ଦ୍ୱିଧାଗ୍ରସ୍ତ ହୋଇ ରହିଲେ । କାରଣ ସେ ମଧ୍ୟ ଦୁଷ୍ମନ୍ତଙ୍କ ପ୍ରତି ଅନୁରକ୍ତା ଥିଲେ । ଏକପକ୍ଷରେ ଅନୁରକ୍ତା ଅନ୍ତର ଓ ଅପର ପକ୍ଷରେ ଆଶ୍ରମର ପବିତ୍ରତା ନଷ୍ଟ ହେବାର ଆଶଙ୍କାରେ ଦ୍ୱିଧାଗ୍ରସ୍ତ ହୋଇ ସ୍ଥାଣୁବତ୍‌ ବସିରହିଲେ । ଏହା ଦେଖି ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ଶାସ୍ତ୍ରୋଦ୍ଧାର କରି କହିଲେ ‘‘ଆତ୍ମନୋ ବନ୍ଧୁ ରାତ୍ମୈବ, ଗତରାତ୍ମୈବ ରାତ୍ମନଃ / ଆତ୍ମନୋ ମିତ୍ରମାତ୍ମୈବ ତଥାତ୍ମା ଚାତ୍ମନଃ ପିତା ଆତ୍ମାନୈବାତ୍ମାମଃ ଦାନଂ କର୍ତ୍ତୁମହାର୍ଷି ଧର୍ମତଃ ।’’ ଅର୍ଥାତ୍‌ ଆତ୍ମାହିଁ ଆତ୍ମାର ବନ୍ଧୁ । ଆତ୍ମାହିଁ ଆତ୍ମାର ଗତି । ଆତ୍ମାହିଁ ଆତ୍ମାର ମିତ୍ର । ଆତ୍ମାହିଁ ଆତ୍ମାର ପିତା । ଅତଏବ କ୍ଷତ୍ରିୟ ଧର୍ମାନୁସାରେ ଉଭୟଙ୍କର ଆତ୍ମିକ ମିଳନ ହିଁ ପବିତ୍ର ମିଳନ । ଏହାଦ୍ୱାରା ଆଶ୍ରମର ପବିତ୍ରତା ନଷ୍ଟ ହେବାର ଆଶଙ୍କା ନାହିଁ କି ମହର୍ଷି କଣ୍ୱଙ୍କର ଅମର୍ଯ୍ୟାଦା ତଥା ଅସନ୍ତୋଷର କାରଣ ମଧ୍ୟ ନାହିଁ ।

 

ଏହାପରେ ଶକୁନ୍ତଳାଙ୍କର ସମୂହ ଦ୍ୱିଧା ଓ ସଙ୍କୋଚ ଦୂରୀଭୁତ ହୋଇଥିଲା ସତ କିନ୍ତୁ ନାରୀସତ୍ତାରେ ତାଙ୍କର ଏକ ସନ୍ଦେହ ଜାଗ୍ରତ ହେଲା । ପୁନଶ୍ଚ ସେ ଅଧୋବଦନରେ ରହିଲେ । ଏହା ଦେଖି ଦୁଷ୍ମନ୍ତ କାରଣ ଜାଣିବାକୁ ଶକୁନ୍ତଳାଙ୍କୁ ନିଃଶଙ୍କ ଚିତ୍ତରେ ମନୋଭାବ ପ୍ରକାଶ କରିବା ପାଇଁ ଅନୁରୋଧ କଲେ । ଶକୁନ୍ତଳା ନିର୍ଜ୍ଜନ କୁଟୀର ପ୍ରାଙ୍ଗଣରେ ଏକାକୀ ରହିଥିବାରୁ ତାଙ୍କର ମିଳନ ସମ୍ବନ୍ଧରେ ଅନ୍ୟ କେହି ଜାଣିବାର ସୁଯୋଗ ନଥିଲା । ତେଣୁ ସେ ଚିନ୍ତା କରୁଥିଲେ ଯେ ଯଦି ଭୂଖଣ୍ଡ ଅଧିପତି କାଳକ୍ରମେ ଏହି ମିଳନ ଉପାଖ୍ୟାନ ଭବିଷ୍ୟତରେ ବିସ୍ମୃତ ହେବେ ଏବଂ ଯଦି ମିଳନ ସମ୍ଭୁତ ବଂଶଜ ଅଜ୍ଞାତକୁଳଶୀଳ ଆଖ୍ୟା ଲାଭ କରେ ତାହେଲେ ଶକୁନ୍ତଳାଙ୍କର ଆତ୍ମଜ ରାଜସିଂହାସନରୁ ବଞ୍ଚିତ ହେବ । ଏହା ମନେ ମନେ ଚିନ୍ତାକରି ଶକୁନ୍ତଳା ରାଜାଙ୍କ ନିକଟରେ ସ୍ୱୀକୃତି ବଚନ ପ୍ରାର୍ଥନା କରି ନିଭୃତରେ ମନ କଥା ସବୁ କହିଗଲେ । ରାଜା ଦୁଷ୍ମନ୍ତ ସମସ୍ତ କଥା ଶୁଣିସାରି ପ୍ରତିଜ୍ଞା ବଚନ ଦେଇ କହିଲେ, ‘‘ଶକୁନ୍ତଳେ ତୁମର ଆତ୍ମଜ ଯଦି ପୁତ୍ର ସନ୍ତାନ ହୁଏ ତାହେଲେ ସେ ଅବଶ୍ୟ ସିଂହାସନାରତ ହୋଇ ରାଜଚକ୍ରବର୍ତ୍ତୀ ହେବ । ରାଜାଙ୍କର ସମ୍ମତି ବଚନ ପ୍ରାପ୍ତିରେ ଶକୁନ୍ତଳା ଗାନ୍ଧର୍ବ ବିବାହ ନିମନ୍ତେ ଅଗ୍ରସର ହେଲେ ଓ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା-

 

ସିଦ୍ଧ ମନୋରଥ ତୃପ୍ତକାମ ମହାରାଜ ଦୁଷ୍ମନ୍ତ ଏହାପରେ ସ୍ୱ ପ୍ରାସାଦ ଅଭିମୁଖେ ପ୍ରତ୍ୟାବର୍ତ୍ତନ କଲେ । ଫଳାହରଣ ଅନ୍ତେ ଆଶ୍ରମ ପ୍ରତ୍ୟାଗତ ମହର୍ଷି ‘କଣ୍ୱ’ କନ୍ୟାର ଗୋପନ ଆତ୍ମଦାନ ବୃତ୍ତାନ୍ତ ତପବଳରେ ଜ୍ଞାତ ହେବା ମାତ୍ରେ ପ୍ରସନ୍ନ ବଦନରେ କନ୍ୟାକୁ ଆଶୀର୍ବାଦ କରି କହିଲେ ‘‘ଅଦ୍ୟପ୍ରଭୃତି ଦେବୀ ତ୍ୱଂ ଦୁଷ୍ମନ୍ତସ୍ୟ ମହାତ୍ମନଃ / ପ୍ରତିବ୍ରତାଣାଂ ଯା ବୃତ୍ତିସ୍ଥାଂ ବୃତ୍ତି ମନୁପାଳୟ’’ । ଅର୍ଥାତ୍‌ ଅନେକ ବ୍ୟର୍ଥ ଋତୁ ଶେଷରେ ଯେଉଁ ଋତୁ କାଳକୁ ଦୈବ ପ୍ରେରିତ ରାଜା ଦୁଷ୍ମନ୍ତ ସାର୍ଥକ କରିଛନ୍ତି ସେହି ମହାତ୍ମାହିଁ ଆଜିଠାରୁ ତୁମର ପତି । ପତିବ୍ରତା ନାରୀର ଧର୍ମ ତୁମ୍ଭେ କାୟମନୋବାକ୍ୟରେ ଆଚରଣ କରି ସୁଖୀ ହୁଅ ।’’

 

କାଳକ୍ରମେ କଣ୍ୱମୁନିଙ୍କ ଆଶ୍ରମରେ ଶକୁନ୍ତଳାଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା । ବ୍ରାହ୍ମଣ ସମାବେଶରେ ଋଷି କଣ୍ୱ କ୍ଷତ୍ରିୟ ବର୍ଣ୍ଣୋଚିତ ସଂସ୍କାରାଦି ଅନ୍ତେ ଶିଶୁଟିକୁ ‘ସର୍ବଦମନ’ ନାମରେ ନାମକରଣ କରିଥିଲେ । ପ୍ରକୃତ ପକ୍ଷରେ ଶିଶୁଟି ବାଲ୍ୟକାଳରୁ ହିଁ ‘ସର୍ବଦମନ’ ନାମଟିକୁ ସାର୍ଥକ କରିଥିଲା । ଆଶ୍ରମସ୍ଥିତ ଅନ୍ୟାନ୍ୟ ବାଳକଗଣ ବାଲ୍ୟକାଳରୁ ତା’ର ବଶତା ସ୍ୱୀକାର କରିଥିଲେ । କଣ୍ୱମୁନି ଶିଶୁଟିର ଅପୂର୍ବ ଧୀଶକ୍ତି ଅନୁଭବ କରି ଶିଶୁଟିକୁ ସର୍ବବିଦ୍ୟା ଯଥା ବେଦବିଦ୍ୟା, ଧନୁର୍ବିଦ୍ୟା ଓ ଶସ୍ତ୍ରବିଦ୍ୟାରେ ପାରଙ୍ଗମ କରାଇଥିଲେ ।

 

ଯଥାସମୟରେ ‘ସର୍ବଦମନ’ ଯୁବରାଜ ଭାବରେ ଅଭିଷିକ୍ତ ବୟଃକ୍ରମ ପ୍ରାପ୍ତ ହେଲେହେଁ ମହାରାଜ ଦୁଷ୍ମନ୍ତଙ୍କ ନିକଟରୁ କୌଣସି ଆମନ୍ତ୍ରଣ ନ ଆସିବାରୁ ଶକୁନ୍ତଳା ମନେ ମନେ ସଂଶୟରେ ଆତଙ୍କିତ ହେଲେ । ଦୁଷ୍ମନ୍ତଙ୍କ ଏତାଦୃଶ ଆଚରଣରେ କଣ୍ୱଙ୍କ ପିତୃହୃଦୟ ବ୍ୟଥିତ ହେବାରୁ ସେ ପୁତ୍ର ସହ ଶକୁନ୍ତଳାଙ୍କୁ ମୃଷ୍ଟିମେୟ ଆଶ୍ରମବାସିନୀଙ୍କ ସହିତ ରାଜପୁରୀକୁ ଯାତ୍ରା ନିମିତ୍ତ ନିର୍ଦ୍ଦେଶ ଦେଲେ ।

 

ଏପରି ଏକ ଆଦେଶକୁ ହିଁ ଯେପରି ଶକୁନ୍ତଳା ଅପେକ୍ଷା କରି ରହିଥିଲେ । ସେ ବୁଝିଥିଲେ ଯେ ନାରୀର ନାରୀତ୍ୱ ପତିଗୃହରେହିଁ ପ୍ରତିପାଦିତ ହୋଇଥାଏ । ବିଶେଷତଃ ସ୍ୱାମୀକୁ ସତ୍‌ପଥରେ ଚାଳିତ କରି ତାଙ୍କର ସତ୍ୟବାକ୍ୟ ପାଳନ ନିମନ୍ତେ ସାହାଯ୍ୟ କରିବା ସ୍ତ୍ରୀର ପ୍ରଧାନ କର୍ତ୍ତବ୍ୟ ହୋଇଥିବାରୁ ସେ ସ୍ୱାମୀ ସହିତ ମିଳନ ନିମନ୍ତେ ଉତ୍କଣ୍ଠିତ ହେଲେ । ଆଶ୍ରମ ତ୍ୟାଗର ଦିବସ ସମାଗତ ହେବାରୁ କଣ୍ୱ ସପୁତ୍ର ଶକୁନ୍ତଳାଙ୍କୁ ସ୍ୱାମୀ ଗୃହାଭିମୁଖେ ବିଦାୟ ଦେଲେ ।

 

ପରିଷଦ ଗହଣରେ ରାଜା ଦୁଷ୍ମନ୍ତ ସିଂହାସନରେ ସମାସୀନ ଦରବାରରେ ଲଜ୍ଜାବନିତା ଶକୁନ୍ତଳା ମନ୍ଥର ପଦକ୍ଷେପରେ ପୁତ୍ର ସହିତ ପ୍ରବେଶ କଲେ ।

 

ନିର୍ବାକ ଓ ବିସ୍ମୟାଭିଭୂତ ପାରିଷଦବର୍ଗ ଅବଗୁଣ୍ଠନବତୀ ଏକ ନାରୀକୁ ସହସା ଦରବାରରେ ଦର୍ଶନ କରି ସ୍ତବ୍‌ଧ ହୋଇ ରହିଲେ । ରାଜା ଦୁଷ୍ମନ୍ତ ମଧ୍ୟ ନିର୍ବାକ୍‌ ହୋଇ ଶକୁନ୍ତଳାଙ୍କୁ ନିରୀକ୍ଷଣ କରିବାକୁ ଲାଗିଲେ । ସହସା ଶକୁନ୍ତଳା ସର୍ବଦମନକୁ ମହାରାଜ ଦୁଷ୍ମନ୍ତଙ୍କ ନିକଟକୁ ଯିବାକୁ ଆଦେଶ ଦେଇ କହିଲେ ‘ଯାଅ ପୁତ୍ର ପିତାଙ୍କୁ ପ୍ରଣାମ କର’ ।

 

ନୀରବ ରାଜସଭା ଶକୁନ୍ତଳାଙ୍କ ଉକ୍ତିରେ ଚକିତାହତ ପରି ଦେଖାଗଲା । ଉଚିତ ଗାମ୍ଭୀର୍ଯ୍ୟଭରା କଣ୍ଠରେ ଦୁଷ୍ମନ୍ତ ଅବଗୁଣ୍ଠନବତୀଙ୍କୁ ପରିଚୟ ଓ ଆଗମନର କାରଣ ପଚାରିଲେ । ସ୍ତମ୍ଭୀତା ଶକୁନ୍ତଳା ନିଜର ସମସ୍ତ ବିତ୍ତଚାଞ୍ଚଲ୍ୟ ଓ ଉଦ୍‌ବେଗ ଦମନ କରି ଭାରାକ୍ରାନ୍ତ ଅନ୍ତରରେ ନିଜର ପରିଚୟ ପ୍ରଦାନ କରି କହିଲେ ଯେ ସେ ମହର୍ଷି କଣ୍ୱଙ୍କର ପାଳିତା କନ୍ୟା ଶକୁନ୍ତଳା ଓ ଆଶ୍ରମରେ ଗାନ୍ଧର୍ବ ମତରେ ପରିଣୀତା ମହାରାଜା ଦୁଷ୍ମନ୍ତଙ୍କ ପତ୍ନୀ । ଆଗନ୍ତୁକ ଯୁବକ ହିଁ ମହାରାଜାଙ୍କର ଔରସ ଜାତ ପୁତ୍ର ‘ସର୍ବଦମନ’ ।

 

ଶକୁନ୍ତଳାଙ୍କର ଉପରୋକ୍ତ ଭକ୍ତିରେ ଦୁଷ୍ମନ୍ତ ବିସ୍ମୟ ଓ ବିଷ୍ଫରିତ ନେତ୍ରରେ ଶକୁନ୍ତଳାଙ୍କୁ ଅତି କଠୋର ବାକ୍ୟରେ ସଭାପଦବର୍ଗଙ୍କୁ ଜଣାଇଲେ ଯେ ଶକୁନ୍ତଳା ଅଜ୍ଞାତକୁଳଶୀଳା ଅରଣ୍ୟଚାରିଣୀ । ଏପରି ଅରଣ୍ୟଚାରିଣୀ ସହିତ କୌଣସି ରାଜାଙ୍କର ବିବାହ କ୍ଷତ୍ରିୟଧର୍ମ ବିରୁଦ୍ଧ । ତେଣୁ ଏପରି କେବେହେଁ ଘଟିନାହିଁ । ସୁତରାଂ ଏହି ଅବଗୁଣ୍ଠନବତୀ ନାରୀ କେବଳ ଭ୍ରଷ୍ଟାଚାରିଣୀ ନୁହେଁ ମିଥ୍ୟାବାଦିନୀ ମଧ୍ୟ ।

 

ରାଜାଙ୍କର ଏପରି ନିଷ୍ଠୁର ବାକ୍ୟବାଣ ପ୍ରୟୋଗରେ ବ୍ୟଥିତା ଶକୁନ୍ତଳା କିଂକର୍ତ୍ତବ୍ୟବିମୂଢ଼ ହୋଇ କିୟତ୍‍କ୍ଷଣ ହତବାକ୍‍ ହୋଇଥିଲେ । କିୟତ୍‍କାଳ ପରେ ନିଜ ସ୍ଥିତବସ୍ଥାକୁ ହୃଦୟଙ୍ଗମ କରି ଶାନ୍ତ କଣ୍ଠରେ ରାଜାଙ୍କୁ ତାଙ୍କର ଅତୀତର ଗୋପନ ପରିଣୟ ବୃତ୍ତାନ୍ତ ଏବଂ ଅତୀତରେ ରାଜା ଦେଇଥିବା ସର୍ତ୍ତ ଓ ବଚନମାନ ଶୁଣାଇଥିଲେ । ଏପରି ଶୁଣିବା ସମୟରେ ଦୁଷ୍ମନ୍ତଙ୍କ ମୁଖମଣ୍ଡଳ କ୍ରୋଧାନ୍ୱିତ ହୋଇ ରକ୍ତବରଣ ଧାରଣ କଲା । ରାଜା ଧୈର୍ଯ୍ୟ ହରାଇ ଭୃକୁଟୀ କୁଟିଳ କରି ଶକୁନ୍ତଳାଙ୍କୁ ନୀରବ ରହିବା ନିମନ୍ତେ ଆଦେଶ ଦେଇ କହିଲେ ଯେହେତୁ ଶକୁନ୍ତଳା ଅପସରାକନ୍ୟା ଛଳଚାତୁରୀରେ ଅଭ୍ୟସ୍ତା ଥିବାରୁ ପୁରୁଷକୁ ଛଳନା କରିବା ତାଙ୍କର ଧର୍ମ । କିନ୍ତୁ ଦୁଷ୍ମନ୍ତ ଏପରି ଛଳଚାତୁରୀରେ କେବେହେଁ ବିଭ୍ରାନ୍ତ ହେବେ ନାହିଁ । ଏପରି ମିଥ୍ୟାଚାରଣ ଓ ଛଳଚାତୁରୀଦ୍ୱାରା ସିଂହାସନ ପ୍ରାପ୍ତି ଆଶା ଦୁରାଶା ମାତ୍ର ।

 

ନିର୍ମମ ଆଘାତ ପ୍ରାପ୍ତ ଅନ୍ତରର ଦାବାନଳରେ ଦଗ୍‌ଧ ହୋଇ ଶକୁନ୍ତଳା ନାରୀତ୍ୱର ଅବମାନନା ସହ୍ୟ କରି ପାରି ନଥିଲେ । ନିର୍ଜ୍ଜନ କୁଟୀରରେ ଧର୍ମ ସାକ୍ଷୀ ରଖି ଯେଉଁ ରାଜା ତାଙ୍କୁ ପତ୍ନୀରୂପେ ଗ୍ରହଣ କରିଥିଲେ ଆଜି ସେହି ରାଜା ଧର୍ମପତ୍ନୀର ଅବମାନନା କରିବା ସାଙ୍ଗେ ସାଙ୍ଗେ ଆତ୍ମଜକୁ ମଧ୍ୟ ଅସ୍ୱୀକାର କରିଛନ୍ତି । ଆଜି ତାଙ୍କର ନାରୀତ୍ୱ ତଥା ମାତୃତ୍ୱ ଅବହେଳିତ ଓ ଲାଞ୍ଛିତ । ପୁରୁଷର ଏକ ବିଚିତ୍ର ଚରିତ୍ର ? ପ୍ରେମର ବାତାବରଣ ସୃଷ୍ଟିକରି ଚିରକାଳ ପୁରୁଷ ଏହିପରି ରମଣୀ ସମ୍ଭୋଗ ପରେ ଅନାଦରରେ ଉଚ୍ଛିଷ୍ଟ ଆକାରରେ ନିକ୍ଷେପ କରିଥାଏ । ଏହିସବୁ ମନେ ମନେ ଚିନ୍ତା କରିବାଦ୍ୱାରା ଶକୁନ୍ତଳାଙ୍କ ବିଶାଳ ଗମ୍ଭୀର ମୂର୍ତ୍ତି ଧୀରେ ଧୀରେ ପ୍ରକଟିତ ହେଲା । ସେ ରାଜାଙ୍କୁ ସମ୍ବୋଧନ କରି କହିଲେ–ରାଜନ କ୍ଷତ୍ରିୟ ଔରସଜାତ ବିଶ୍ୱାମିତ୍ରଙ୍କର କ୍ଷାତ୍ର କନ୍ୟା ସହିତ ସାଧାରଣ ସୁଖାଭିଳାଷିଣୀ ସ୍ଥଳାଭିଷିକ୍ତ କରିବାର ଅଧିକାର ଆପଣଙ୍କର ନାହିଁ, ଏବଂ ସ୍ୱ ଔରସଜାତ ଏହି ପୁତ୍ରକୁ ମଧ୍ୟ ଆପଣ ଅସ୍ୱୀକାର କରି ପାରିବେ ନାହିଁ ।

 

ଋଜୁତୀକ୍ଷ୍ମ ବର୍ଷାଫଳକ ସଦୃଶ ଶକୁନ୍ତଳାଙ୍କର ଗମ୍ଭୀର ବଚନ ରାଜାଙ୍କ ବକ୍ଷଭେଦ କଲା-। ବଜ୍ର ଗମ୍ଭୀର କଣ୍ଠରେ ରାଜା ଆଦେଶ ଦେଲେ ‘ସ୍ତବ୍‌ଧ ହୁଅ ଅର୍ବାଚୀନ ରମଣୀ । ଅଧୀଶ୍ୱର ରାଜା ଦୁଷ୍ମନ୍ତଙ୍କ ସମ୍ମୁଖରେ ଏହିଭଳି କଥା କହିବା ସ୍ପର୍ଦ୍ଧା କିପରି କରୁଛ ?’

 

ଶକୁନ୍ତଳା ରାଜାଙ୍କର ଗମ୍ଭୀର ଗର୍ଜ୍ଜନରେ କିଛିମାତ୍ର ବିଚଳିତ ନ ହୋଇ ସମାନ ଭଙ୍ଗୀରେ ଉତ୍ତର ଦେଲେ ସେ ଏହି ସ୍ପର୍ଦ୍ଧା ରାଜା ଦୁଷ୍ମନ୍ତଙ୍କଠାରୁ ହିଁ ପାଇଛନ୍ତି । କାରଣ ଯେଉଁ ପୁରୁଷ ନାରୀକୁ କେବଳ ସମ୍ଭୋଗ ସାମଗ୍ରୀ ବୋଲି ମନେ କରିଥାଏ ସେହିଭଳି ପୁରୁଷର ପୌରୁଷକୁ ଅବଜ୍ଞା କରିବା ସ୍ୱାଭାବିକ । ସେ ପୁରୁଷ ପୃଥିବୀର ଅଧୀଶ୍ୱର ହେଲେହେଁ ମୋ ଚକ୍ଷୁରେ କ୍ଲୀବ ମାତ୍ର । ପୁନଶ୍ଚ ଯେଉଁ ପିତା ତାର ଔରସଜାତ ଆତ୍ମଜକୁ ଅସ୍ୱୀକାର କରେ ସେ ତାର ସ୍ୱସ୍ଥିତିକୁ ମଧ୍ୟ ଅସ୍ୱୀକାର କରିଥାଏ । ଏହିପରି ବାକ୍‌ବିତଣ୍ଡାରେ ରାଜା ଦୁଷ୍ମନ୍ତ ଦାବାନଳ ସଦୃଶ ଜଳି ଉଠିଲେ-। ବାରମ୍ବାର ଶକୁନ୍ତଳାଙ୍କୁ ଚୁପ୍‌ ରହିବା ନିମନ୍ତେ ଆଦେଶ ଦେଇ ମଧ୍ୟ ନିଷ୍ଫଳ ହୁଅନ୍ତେ ହଠାତ୍‌ କହି ଉଠିଲେ ‘‘ସୈରିଣୀ ସ୍ୱ ପ୍ରତିଷ୍ଠା ମୋହରେ ମିଥ୍ୟାଶ୍ରୟ କରି ନେଇ କଦାଚ ମୋତେ ପ୍ରତାରଣା କରିପାରିବ ନାହିଁ ।’’

 

ପ୍ରତାରଣା ଶବ୍ଦ ଶୁଣି ଶକୁନ୍ତଳା ଅସହ୍ୟ କ୍ରୋଧାନଳରେ ରୋଷ କଷାୟିତ ନୟନରେ ରାଜାଙ୍କୁ କହିଲେ ‘‘ଛି ଛି ରାଜନ୍‌ ବିଶାଳ ଏହି ପୃଥିବୀରେ ସାମାନ୍ୟ ଭୁଖଣ୍ଡର ଅଧିପତି ହୋଇ ଆପଣଙ୍କର ଏତେ ଦମ୍ଭ ? ଆପଣ ଆପଣଙ୍କର ସ୍ୱଗଣ୍ଡୀ ଅତିକ୍ରମ କରି ଲୋକାଲୋକକୁ ଗମନ କରିପାରିବେ କି ? କିନ୍ତୁ ଯେହେତୁ ମୁଁ ସ୍ୱର୍ଗକନ୍ୟା ମୋର ସେ କ୍ଷମତା ଅଛି । ଆପଣ ସାମାନ୍ୟ ମାନବ ସନ୍ତାନ । ଆପଣଙ୍କୁ ବିଶ୍ୱାସ କରି ଆତ୍ମସମର୍ପଣ କରିଥିବାରୁ ଆପଣହିଁ ମୋ ଗର୍ଭରେ ସଞ୍ଚାର କରିଥିଲେ ଏହି ତନୟ । କିନ୍ତୁ ସେତେବଳେ ଯଦି ମୁଁ ଜାଣିପାରିଥାନ୍ତି ଯେ ଆପଣ ମନୁଷ୍ୟ ନାମଧାରୀ ଏକ ମନୁଷ୍ୟେତର ପ୍ରାଣୀ ଏବଂ ଯଦି ଜାଣିଥାନ୍ତି ଗୋଟିଏ ବିଷ୍ଠାଲୋଭୀ ଶୁକର ସହିତ ଆପଣଙ୍କର କିଛିମାତ୍ର ପାର୍ଥକ୍ୟ ନାହିଁ ତାହେଲେ–କ୍ରମ ଉଦ୍‌ଗାରିତ ଉତ୍ତେଜନା ବିଷରେ ଶକୁନ୍ତଳା ମୂହ୍ୟମାନ ହୋଇ କିଛିକ୍ଷଣ ରହିଲା ପରେ ପୁନଶ୍ଚ କହିଲେ ପୁତ୍ର ପିତାର ଆତ୍ମରିପ । ପିତା ପୁତ୍ରକୁ ଅସ୍ୱୀକାର କଲେ ଇହଲୋକ ତଥା ପରଲୋକରେ ପିତାର ଅସ୍ତିତ୍ୱ ବିନଷ୍ଟ ହୋଇଥାଏ । ଅତଃପର ପ୍ରସ୍ଥାନଦ୍ୟୋତା ଶକୁନ୍ତଳା ରାଜାଙ୍କୁ ପୁତ୍ର ଜନ୍ମକାଳୀନ ଦୈବବାଣୀ–‘ଶକୁନ୍ତଳା ତୁମ୍ଭର ଏହିପୁତ୍ର ହିଁ ଦେବ ପ୍ରେରିତ ରାଜଚକ୍ରବର୍ତ୍ତୀ’ ଶୁଣାଇ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ବାହାରିଲେ । କ୍ଷଣକ ମଧ୍ୟରେ ନିର୍ବାକ ଓ ବିବର୍ଣ୍ଣ ରାଜସଭାକୁ ଆଲୋଡ଼ିତ କରି ରାଜାଙ୍କର ଅବଚେତନ ମନରେ ବାଗମୟ ହୋଇ ଆକାଶବାଣୀ ସ୍ୱରୂପ ଶୁଣାଗଲା ରାଜା ଦୁଷ୍ମନ୍ତ ଶକୁନ୍ତଳାଙ୍କ ବଚନ ଅକପଟ ନିରାଟ ସତ୍ୟ ଓ ସର୍ବଦମନହିଁ ରାଜାଙ୍କର ଔରସଜାତ ଆଶ୍ରମ ପାଳିତ ପୁତ୍ର । ମସୀକୃଷ୍ଣ ଆକାଶର ନିର୍ମଳରୂପ ଧାରଣ ସଦୃଶ ଅବଚେତନ ମନର ବାଣୀ ସହସା ଦୁଷ୍ମନ୍ତଙ୍କ ମନର ମସୀକୃଷ୍ଣ ରୂପକୁ ଉଜ୍ଜ୍ୱଳ କରିଦେଲା । ଦୁଷ୍ମନ୍ତ ସତ୍ୟର ଆଲୋକରେ ନିଜର ଭ୍ରମ ହୃଦୟଙ୍ଗମ କରି ଶକୁନ୍ତଳାଙ୍କୁ ପୁତ୍ର ସହିତ ପାଛୋଟି ଆଣିବା ନିମନ୍ତେ ଅଗ୍ରସର ହେଲେ । ସତ୍ୟହିଁ ସ୍ୱପ୍ରକାଶ ଯାହାର ଓଜସ୍ୱିତା ନିକଟରେ ନତି ସ୍ୱୀକାର ନକରି କେହି କେଭେ ହେଲେ ତିଷ୍ଠି ପାରିବ ନାହିଁ ।

 

ଶକୁନ୍ତଳାଙ୍କର ଏହି ପୁତ୍ର ସର୍ବଦମନ କାଳକ୍ରମେ ଭରତ ନାମରେ ଆଖ୍ୟାତ ହୋଇଥିଲେ । ଏହିପରି ଭରତବଂଶ ଉଦ୍ଭବ ହୋଇଥିଲା ।

Image

 

Unknown

ଭୀଷ୍ମ–କର୍ଣ୍ଣ ସମ୍ବାଦ

 

ଶାନ୍ତନୁ ନନ୍ଦନ ଦେବବ୍ରତ ଭୀଷ୍ମ, କୌରବ ଓ ପାଣ୍ଡବଙ୍କର ପିତାମହ ସ୍ୱଶକ୍ତି ବଳରେ କର୍ତ୍ତବ୍ୟ ପଥରେ ଯେପରି ଦୁନିର୍ବାର ସେହିପରି ପିତାଙ୍କ ଆଶୀର୍ବାଦରେ ରଣକ୍ଷେତ୍ରରେ ଚିର ଅପରାଜେୟ ଓ ମୃତ୍ୟୁଞ୍ଜୟୀ ଥିଲେ । ନିଜ ଇଚ୍ଛାରେ ମୃତ୍ୟୁବରଣ ନ କରିବା ପର୍ଯ୍ୟନ୍ତ ସ୍ୱଂୟ ମୃତ୍ୟୁ ସେହି ଦୁର୍ଜ୍ଜୟ ବୀରଙ୍କୁ ମର୍ତ୍ତ୍ୟଲୋକରୁ ଆକର୍ଷଣ କରି ନେବାରେ ଅକ୍ଷମ ଥିଲେ । ତଥାପି ସେହି ଭୀଷ୍ମ ଉପାୟହୀନ ହୋଇ ଅନିଚ୍ଛା ସତ୍ତ୍ୱେ କୁଟଚକ୍ରୀ ଦୁର୍ଯ୍ୟୋଧନ ପକ୍ଷ ଅବଲମ୍ବନରେ ସଦାଧର୍ମାଶ୍ରୟୀ ପାଣ୍ଡବଙ୍କ ବିରୁଦ୍ଧରେ ରଣକ୍ଷେତ୍ରରେ ଅବତୀର୍ଣ୍ଣ ହେବା ନିମନ୍ତେ ବାଧ୍ୟ ହୋଇଥିଲେ-

 

ଶେଷ ପର୍ଯ୍ୟନ୍ତ ନାଯ୍ୟ ଦାବୀ ଆଦାୟ କରିବା ନିମନ୍ତେ ପାଣ୍ଡବଗଣ ବାଧ୍ୟ ହୋଇ ଅବାଞ୍ଛିତ ସମର ବରଣ କରିଥିଲେ । ସ୍ନେହାନ୍ଧ ଧୃତରାଷ୍ଟ୍ର ନିଜ ଅପତ୍ୟ ସ୍ନେହରେ ମୋହାଚ୍ଛନ୍ନ ହୋଇଥିଲେ । ସୁଯୋଗ୍ୟ ପରାମର୍ଶ ଉପଦେଶ ମଧ୍ୟ ତାଙ୍କର ରାଜଦଣ୍ଡକୁ ଅନ୍ୟାୟ ଅବିଚାର ବିରୁଦ୍ଧରେ ସୁକଠୋର କରିପାରି ନଥିଲା । ଶକୁନି ଓ କର୍ଣ୍ଣଙ୍କର କୁଟ ପରାମର୍ଶରେ ଚାଳିତ ସର୍ବଗ୍ରାସୀ ପ୍ରବଞ୍ଚିକ ଦୁର୍ଯ୍ୟୋଧନକୁ ନ୍ୟାୟପଥରେ ପରିଚାଳିତ କରି ପାଣ୍ଡବଙ୍କର ନାର୍ଯ୍ୟ ପ୍ରାପ୍ୟ ଦେଇ ଜ୍ଞାତି ଶତ୍ରୁତା ନାଶ କରିବା ନିମନ୍ତେ ସଞ୍ଜୟ, ବିଦୁର ପରଶୁରାମ, ଦ୍ରୋଣାଚାର୍ଯ୍ୟ ଏପରିକି ଭୀଷ୍ମଙ୍କର ଶତଚେଷ୍ଟା ଫଳପ୍ରଦ ହୋଇ ନଥିଲା । ଅଗତ୍ୟା ନିୟତିକୁ ସମସ୍ତେ ସ୍ୱୀକାର କରି ନେଇଥିଲେ । ଦୁର୍ଯ୍ୟୋଧନ ଅନ୍ମାଶ୍ରିତ ପିତାମହ ଭୀଷ୍ମ ଏବଂ ଏପରିକି ପାଣ୍ଡବଙ୍କର ଅସ୍ତ୍ରଗୁରୁ ଦ୍ରୋଣାଚାର୍ଯ୍ୟ ମଧ୍ୟ କୌରବ ପକ୍ଷକୁ ସମର୍ଥନ କରି ପାଣ୍ଡବଙ୍କ ବିରୁଦ୍ଧରେ ରଣ କ୍ଷେତ୍ରରେ ଅବତୀର୍ଣ୍ଣ ହେବା ପାଇଁ ବାଧ୍ୟ ହୋଇଥିଲେ ।

 

ସୁଦକ୍ଷ ରଣକୁଶଳୀ ଦେବବ୍ରତ ଭୀଷ୍ମଙ୍କର ସୁପରିକଳ୍ପିତ ରଣ ସଜ୍ଜାରେ ସଜ୍ଜିତ ରଣାଙ୍ଗନ କୁରୁକ୍ଷେତ୍ର । ପ୍ରଥମ ନଅଟି ଦିବସ କଟିଯାଇଥିଲା ସୂର୍ଯ୍ୟ ଉଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ରଣ କୌଶଳରେ । ଗୋଟିଏ ଗୋଟିଏ ଦିନ ଯେପରି ଗୋଟିଏ ଗୋଟିଏ ମୂର୍ତ୍ତିମାନ ବିଭୀଷିକା । ଅନ୍ନର ଶପଥରେ ଅନ୍ୟାୟ ଜାଣି ସୁଦ୍ଧା ପ୍ରତିଜ୍ଞାବଦ୍ଧ ଭୀଷ୍ମ କ୍ଷତ୍ରିୟାଧର୍ମ ପାଳନରେ ଅବିଚଳ ଓ ଦୁର୍ଜ୍ଜୟ ଥିଲେ । ସୀମିତ ନିହତ ସେନାନୀ ନେଇ ଉଲ୍ଲସିତ କୌରବ ପକ୍ଷ ପାଣ୍ଡବ ପରାଜୟ ସୁନିଶ୍ଚିତ ବୋଲି ଧରି ନେଇଥିଲେ । ଅଙ୍ଗୀକାରବଦ୍ଧ କେବଳ ଭୀଷ୍ମଙ୍କ ଦୌର୍ଦଣ୍ଡ ଗତି ଯେ କି ପରିମାଣରେ ଅମୋଘ ଓ ଅଜେୟ ତାହା କାହାର ଅଜଣା ନଥିଲା । ସେଥି ନିମନ୍ତେ ଦୁର୍ଯ୍ୟୋଧନ ଆପଣା ଶିବିରରେ ବସି ପାଣ୍ଡବ ନିଧନ ଦିନ ଗଣିବାରେ ଲାଗିଥିଲେ । ନବଦିନ ଅତିକ୍ରାନ୍ତ ହେବାରୁ ଉଲ୍ଲାସ ସହିତ ବିଜୟ ପତାକା ଉଡ଼ାଇବାର ବିଳମ୍ବ ଦେଖି ଦୁର୍ଯ୍ୟୋଦନ ଭୀଷ୍ମଙ୍କ ନିକଟରେ ଏହା ବିରୁଦ୍ଧରେ ଅଭିଯୋଗ କରି ଭୀଷ୍ମଙ୍କୁ ଭର୍ତ୍ସନା ସୂଚକ ବାକ୍ୟମାନ ପ୍ରକାରାନ୍ତରେ ଶୁଣାଇଥିଲେ ।

 

ଅପରପକ୍ଷରେ ସେହିପରି ବହୁ ସୈନ୍ୟ କ୍ଷୟରେ ମୃହ୍ୟମାନ ପାଣ୍ଡବଗଣ ଆପଣା ଶିବିରରେ ରହି ଦେବବ୍ରତଙ୍କ ପରାଜୟ ନିମନ୍ତେ କୌଶଳ ଚିନ୍ତା କରୁଥିଲେ । ଧର୍ମରାଜ ଯୁଧିଷ୍ଠିର ଚିନ୍ତାଗ୍ରସ୍ତ ହୋଇ ସମରନୀତି ଅନୁଧ୍ୟାନ କରୁଥିଲେ ।

 

ଦଶମ ଦିନର ସୂର୍ଯ୍ୟୋଦୟରେ ଆକାଶ ଲାଲ ହୋଇ ଉଠିଥିଲା । ଅଭିଯୁକ୍ତ ଦେବବ୍ରତ ଆଜି ଯେପରି ସର୍ବଗ୍ରାସୀ ବୈଶ୍ୱାନର ସଦୃଶ ରଣକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି । ପ୍ରାୟ ବିପର୍ଯ୍ୟସ୍ତ ପାଣ୍ଡବ ପକ୍ଷର ମହା ମହାରଥୀ ଯେପରି ସେହି ଦାବାନଳରେ ନିଃଶେଷ ହୋଇ ଯାଉଛନ୍ତି । ଭୀଷ୍ମ, ପାର୍ଶ୍ୱଚର ଶଲ୍ୟ, କୃପ, ଚିତ୍ରସେନ, ବିକର୍ଣ୍ଣ ଏବଂ ସମସ୍ତେ ଉଲ୍ଲସିତ ହୋଇ ଉଠିଛନ୍ତି । ଭୀଷ୍ମଙ୍କର ପ୍ରଚଣ୍ଡ ଶରାଘାତରେ ବିଗତପ୍ରାଣ ହୋଇ ଟଳି ପଡ଼ିଲେ ବିରାଟ ରାଜଭ୍ରାତା ଶତାନୀକ ଏବଂ ତାଙ୍କ ସହିତ ସହସ୍ରବୀର ନରପତି । ଏପରି ବିପର୍ଯ୍ୟୟରେ ପାଣ୍ଡବ ପକ୍ଷ ଥରକୁ ଥର ରଣକ୍ଷେତ୍ରରେ ଅନ୍ୟତ୍ର ରଣଲିପ୍ତ ଥିବା ଗାଣ୍ଡୀବଧାରୀ ଅର୍ଜ୍ଜୁନଙ୍କୁ ଆହ୍ୱାନ କଲେ, ‘ପିତାମହଙ୍କର ଏହି ଉତ୍ତାଳ ଶର ତରଙ୍ଗକୁ ନିସ୍ତରଙ୍ଗ କରିବା ନିମନ୍ତେ ହେ ଅର୍ଜ୍ଜୁନ ଶୀଘ୍ର ଆସ’ ।

 

ଶତ୍ରୁପକ୍ଷର ଅଣୁ ପରମାଣୁ ଛିଦ୍ର ସମ୍ବନ୍ଧରେ ସଦା ଜାଗ୍ରତ ପାଣ୍ଡବସହାୟ କୁଶଳୀ କୃଷ୍ଣ ଅର୍ଜ୍ଜୁନଙ୍କୁ ଡାକି ଆଣି କହିଲେ–‘‘ଏଷ ଶାନ୍ତନବୋ ଭୀଷ୍ଣଃ ସେନାୟୋରନ୍ତରେ ସ୍ଥିତଃ । ସନ୍ନିହିତ୍ୟ ବଳାଦେନଂ ବିଜୟସ୍ତେ ଭବିଷ୍ୟତି ।’’ ଅର୍ଥାତ୍‌ ଉଭୟ ସେନାନୀ ମଧ୍ୟରେ କୌରବଙ୍କର ଅଭେଦ୍ୟ କବଚ ସ୍ୱରୂପ ତାଳଚିହ୍ନିତ ଧ୍ୱଜା ଶୋଭିତ ରଥରେ ରଥାଋଢ଼ ବୀରଙ୍କୁ ଯଦି ତୁମେ ନିଜବଳରେ ପରାଜିତ କରିପାର ତା’ହେଲେ ତୁମର ବିଜୟ ସୁନିଶ୍ଚିତ, ସୁତରାଂ କାଳବିଳମ୍ବ ନ କରି ଶିଖଣ୍ଡୀଙ୍କୁ ସାରଥି କରି ସେହି ରଥାଋଢ଼ ବୀରଙ୍କ ନିକଟକୁ ଅଗ୍ରସର ହୁଅ ।’

 

କୃଷ୍ଣବୁଦ୍ଧି–ପରାକ୍ରମୀ ଅର୍ଜ୍ଜୁନ ମଧ୍ୟ ସାଙ୍ଗେ ସାଙ୍ଗେ ଶିଖଣ୍ଡୀକୁ ସାରଥି କରି ଭୀଷ୍ମଙ୍କ ନିକଟକୁ ସମବେତ ସେନା ସହିତ ଅଗ୍ରସର ହେଲେ । ଉଗ୍ର ଶିଖଣ୍ଡୀଙ୍କ ବାଣ ଭୀଷ୍ମଙ୍କ ବକ୍ଷରେ ଆଘାତ ପରେ ଆଘାତ ହାଣି ଚାଲିଥିଲା । ଶିଖଣ୍ଡୀ ପ୍ରତି ଅନଳସମ ଦୃଷ୍ଟି ଥରେ ମାତ୍ର ଭୀଷ୍ମ ନିକ୍ଷେପ କରିଥିଲେ । ଅଜେୟ ଭୀଷ୍ମ ପାଣ୍ଡବଗଣଙ୍କୁ ନିଧନ କରିବା ନିମନ୍ତେ ଶର ନିକ୍ଷେପ କରିଥିଲେ ହେଁ ଶିଖଣ୍ଡୀ ପ୍ରତି ଗୋଟିଏ ମାତ୍ର ଶର ନିକ୍ଷେପ କରି ନ ଥିଲେ । ଚିରସତ୍ୟ ଆବଦ୍ଧ ଭୀଷ୍ମପ୍ରତିଜ୍ଞା ମୃତ୍ୟୁ ସଦୃଶ ରଣକ୍ଷେତ୍ରରେ ମଧ୍ୟ ଭୀଷ୍ମଙ୍କର ସ୍ମୃତିରୁ ବିଚ୍ୟୁତ ହୋଇ ନଥିଲା । ନାରୀ ସହିତ ସେ କେବେହେଁ ସଂଗ୍ରାମ କରିବେ ନାହିଁ । ନଂପୁଷକ ଶିଖଣ୍ଡୀ ନାରୀ ସଦୃଶ । ଭୀଷ୍ମ ଏହି କଥା ମନେ ମନେ ସ୍ମରଣ କରିବା ସମୟରେ ପାଣ୍ଡବ ସଖା ଶ୍ରୀକୃଷ୍ଣଙ୍କୁ ମଧ୍ୟ ସ୍ମରଣ କରିଥିଲେ । ଶ୍ରୀକୃଷ୍ଣ ଯେ ସର୍ବକାଳରେ ସର୍ବଶ୍ରେଷ୍ଠ କୁଟନୀତିଜ୍ଞ ଏହା ଭୀଷ୍ମ ଜାଣିପାରିଲେ । ପରାକ୍ରମ ଯେତେ ସଂହତ ହେଉନା କାହିଁକି କୁଟନୀତିର କୁଟବୁଦ୍ଧିକୁ ଜୟ କରିବା ସାମର୍ଥ୍ୟ ତାଙ୍କର କୌଣସି ଦିନ ହେବ ନାହିଁ । ଏକଥା ବୁଝିପାରି ଭୀଷ୍ମ ନିଶ୍ଚେଷ୍ଟ ଭାବରେ ରଥାଋଢ଼ ରହି ଶରଜାଲରେ ବିଦ୍ଧ ହେବାକୁ ଲାଗିଲେ ।

 

ଶିଖଣ୍ଡୀଙ୍କ ଅନ୍ତରାଳରୁ ଝାଙ୍କ ଝାଙ୍କ ସୁତୀକ୍ଷ୍‌ଣ ବାଣ ଭୀଷ୍ମଙ୍କ ଶରୀର ଭେଦକରି ଚାଲିଲା । ସାଧାରଣ ଦୁର୍ଭେଦ୍ୟ ଚର୍ମ ଭେଦକରି ଯେତେବେଳେ ତାହା ତାଙ୍କର ବକ୍ଷସ୍ଥଳ ଭେଦ କଲା ସେତେବେଳେ ଭୀଷ୍ମ ଏହା ଯେ କେବଳ ଅର୍ଜ୍ଜୁନଙ୍କ ବାଣ ବୁଝିପାରିଥିଲେ । ତାଙ୍କର ଅତିପ୍ରିୟ ପୌତ୍ର ଧନଞ୍ଜୟଙ୍କଦ୍ୱାରା ଏଇଥର ସତ୍ୟରକ୍ଷା ନିମନ୍ତେ ତାଙ୍କୁ ପରାଜୟ ବରଣ କରିବା ସୁନିଶ୍ଚିତ ବୋଲି ଜାଣିପାରିଲେ । ଭୀଷ୍ମଙ୍କ ରକ୍ଷା ନିମନ୍ତେ କୌରବ ପକ୍ଷ ଆଗେଇ ଆସିଥିଲେ ହିଁ ଅର୍ଜ୍ଜୁନଙ୍କ ବାଣରେ ବିବ୍ରତ ହୋଇ ଭୀଷ୍ମଙ୍କୁ ରକ୍ଷା କରି ନ ପାରି ପଳାୟନ ପନ୍ଥୀ ହୋଇଥିଲେ ।

 

ଶତ ଶତ ଅଗ୍ନିମୁଖୀ ବାଣ ଭୀଷ୍ମଙ୍କ ବକ୍ଷ ଭେଦ କଲା ଓ ତାହାର ଦହନ ଜ୍ୱାଳା ସହ୍ୟ କରି ନ ପାରି ସେହି ନିଦାଋଣ ଶର ସହିତରେ ଭୂତଳଶାୟୀ ହେଲେ । ଭୀଷ୍ମଙ୍କ ଶରୀର ଶରରୂପୀ ଶଯ୍ୟାରେ ଶାୟିତ ହୋଇ ରହିଲା ।

 

କୁରୁକ୍ଷେତ୍ର ଯୁଦ୍ଧର ପ୍ରଥମ ଓ ପ୍ରଧାନ ପର୍ବ ସମାପ୍ତ ହେଲା । କୌରବଗଣ ପ୍ରମାଦ ଗଣିଲେ ଏବଂ ପାଣ୍ଡବଗଣ ଭୀଷ୍ମଙ୍କ ପତନରେ ମର୍ମାହତ ହୋଇ ରହିଲେ । ସମରସଜ୍ଜା ପରିତ୍ୟାଗ କରି ଈର୍ଷା ଦ୍ୱେଷ ଭୁଲି କୌରବ ପାଣ୍ଡବ ଆଦି ଯେ ଯେଉଁଠି ଥିଲେ ଦଉଡ଼ି ଆସିଥିଲେ ପିତାମହ ଭୀଷ୍ମଙ୍କ ନିକଟକୁ । ସମସ୍ତଙ୍କର ମନ ଭାରାକ୍ରାନ୍ତ । ବିଷର୍ଣ୍ଣବଦନ ଅର୍ଜ୍ଜୁନ କୃଷ୍ଣଙ୍କ ଉପଦେଶରେ ସ୍ୱଧର୍ମ ପାଳନ କରିବାକୁ ଯାଇ ଏପରି ଘଟଣା ଅବଶ୍ୟାମ୍ଭବୀ ବୋଲି ମନକୁ ସାନ୍ତ୍ୱନା ଦେଲେ ହେଁ ଭୀଷ୍ମଙ୍କ ନିମନ୍ତେ ତାଙ୍କ ଅନ୍ତର ବ୍ୟଥାତୁର ହୋଇ ଶୋକାର୍ତ୍ତ ହୋଇଥିଲା । ପିତାମହ ଭୀଷ୍ମ କିନ୍ତୁ ସ୍ନେହାତିଶଯ୍ୟରେ ଅର୍ଜ୍ଜୁନଙ୍କୁ ଶରଦ୍ୱାରା ତାଙ୍କର ମସ୍ତକ ନିମନ୍ତେ ଏକ ଉପାଧାନ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଅର୍ଜ୍ଜୁନ ଯୋଗ୍ୟ ଶର ଉପାଧାନରେ ପିତାମହଙ୍କ ଝୁଲନ୍ତା ମସ୍ତକକୁ ଶରୀର ସହିତ ସମାନ୍ତରାଳରେ ସ୍ଥାପନ କରିଥିଲେ । ତୃଷ୍ଣା ନିବାରଣାର୍ଥେ କୌଳିକ ସମ୍ପଦ ପରିତ୍ୟାଗୀ ପିତାମହଙ୍କୁ ଶରାନୁସନ୍ଧାନ କରି ଆଣି ଦେଇଥିଲେ ଭୂଗର୍ଭସ୍ଥ ଭେଗମତୀର ଅମୃତଧାରା । ସ୍ୱେଚ୍ଛା ମୃତ୍ୟୁ ବଳରେ ବଳୀୟାନ ଭୀଷ୍ମ ଏହି ଅବସ୍ଥାରେ ପାର୍ଥିବ ଲୋକରେ ପ୍ରାଣ ନେଇ ଅପେକ୍ଷା କରି ରହିଲେ ପୃଥିବୀର ଦକ୍ଷିଣାୟନ ଶେଷ ହୋଇ ଉତ୍ତରାୟଣ ଗତି ଆସିବା ପର୍ଯ୍ୟନ୍ତ ।

 

ତୃଷ୍ଣାତୃପ୍ତ ଭୀଷ୍ମ ସମବେତ ରାଜନ୍ୟବର୍ଗଙ୍କ ସମ୍ମୁଖରେ ମୃଦୁ ମଧୁର ଅଥଚ ଦୃଢ଼ ପ୍ରତ୍ୟୟ ନେଇ କହିଲେ ‘‘ଦୁର୍ଯ୍ୟୋଧନ ମହାପ୍ରୟାଣ ଯିବା ପୂର୍ବରୁ ମୁଁ ତୁମକୁ ସାବଧାନ କରାଇ କହୁଛି ତୁମେ ନିଜ ମୋହ ଓ ଅହଙ୍କାର ତ୍ୟାଗ କର । ଈର୍ଷା ମଧ୍ୟ ତ୍ୟାଗ କର । ତୁମ୍ଭର ଭ୍ରାତା ପାଣ୍ଡବଗଣ ଅପରାଜେୟ । ତାଙ୍କୁ ତାଙ୍କର ଇନ୍ଦ୍ରପ୍ରସ୍ଥ ଫେରାଇ ଦିଅ । ସେମାନଙ୍କ ସହିତ ସୌହାର୍ଦ୍ଦ୍ୟ ସ୍ଥାପନ କରି ଶାନ୍ତି ଲାଭ କର । ନଚେତ୍‌ ଶେଷରେ କେବଳ ତୁମେ ଯେ ଅନୁତାପାଳନରେ ଦଗ୍‌ଧ ହେବ ତା ନୁହେଁ ସମୂଳେ ବିନଷ୍ଟ ହେବ ।’’

 

ଭୀଷ୍ମଙ୍କ ଏତାଦୃଶ ବାକ୍ୟଶୁଣି ଚିନ୍ତାକୁଳ ମନନେଇ ସମସ୍ତେ ଯେ ଯାହାର ଶିବିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଦୁର୍ଯୋଧନ କ୍ଷୁବ୍‌ଧ ହୋଇଥିଲେ କାରଣ ପିତାମହଙ୍କ ପ୍ରତିଜ୍ଞା ଜାଣି ତାଙ୍କୁ ରଣରୁ ନିବୃତ୍ତ କରି ରଖିବା ନିମନ୍ତେ ଶିଖଣ୍ଡୀକୁ ଅଗ୍ରଭାଗରେ ରଖି ଅର୍ଜ୍ଜୁନ ଏକ ଅପକୌଶଳର ଆଶ୍ରୟ ନେଇଥିଲେ । ଯାହାଦ୍ୱାରା କୌରବ ପକ୍ଷର ଏକ ସୁଦୃଢ଼ ସ୍ତମ୍ଭ ବିନଷ୍ଟ ହେଲା । ଅନ୍ୟଦିଗରେ ଯୁଧିଷ୍ଠିର ଧର୍ମଜ୍ଞ, ନୀତିଜ୍ଞ, ସ୍ନେହ ପରାୟଣ ପିତାମହ ଭୀଷ୍ମଙ୍କୁ ଶର ଶଯ୍ୟାରେ ଶାୟିତ ହେବା ଦେଖି ବ୍ୟାକୁଳ ହୋଇଥିଲେ ।

 

ଶର ଶଯ୍ୟାରେ ନିର୍ବିକାର ଭାବରେ ଶାୟିତ ଥିଲେ ଭୀଷ୍ମ । ସେହି ସମୟରେ ତାଙ୍କୁ ସାକ୍ଷାତ୍‌ କରିବା ନିମନ୍ତେ ଦୁର୍ଯ୍ୟୋଧନଙ୍କର ଅନ୍ୟତମ ମନ୍ତ୍ରଣାଦାତା ଅଭେଦ୍ୟ କବଚ କୁଣ୍ଡଳଧାରୀ ମହାଧନୁର୍ଦ୍ଧର କର୍ଣ୍ଣ ଆସିଥିଲେ । ଭୀଷ୍ମଙ୍କ ଭୂପତିତ ହେବା ଶୁଣି କର୍ଣ୍ଣ ତାଙ୍କର ଶେଷ ଶ୍ରଦ୍ଧା ନିବେଦନ ନିମନ୍ତେ ରଣକ୍ଷେତ୍ରସ୍ଥ ଶରଶଯ୍ୟା ନିକଟରେ ଉପସ୍ଥିତ ହେଲେ । ଦେଖିଲେ ଭୀଷ୍ମଙ୍କ ଶରୀର ଶର ଶଯ୍ୟା ଉପରେ ଶାୟିତ ଓ ମସ୍ତକ ମଧ୍ୟ ଶର ରୂପୀ ଉପାଧାନରେ ଅବସ୍ଥିତ । କର୍ଣ୍ଣଙ୍କ ଚକ୍ଷୁ ଅଶ୍ରୁସିକ୍ତ ହୋଇ ଉଠିଲା । ଯଦିଓ ଭୀଷ୍ମ ତାଙ୍କୁ କୌଣସି ଦିନ ଆନ୍ତରିକ ସ୍ନେହ ବା ମଧୁର ବଚନ କହି ନ ଥିଲେ ବରଂ ରୋଷକଷାୟିତ ନୟନରେ ତାତ୍ସଲ୍ୟ ପ୍ରଦର୍ଶନ କରୁଥିଲେ ଏବଂ ଏହା କର୍ଣ୍ଣଙ୍କ ମନରେ ରେଖାପାତ କରିଥିଲେ ହେଁ ଆଜି ଭୀଷ୍ମଙ୍କୁ ଶରଶଯ୍ୟାରେ ଶାୟିତ ଦେଖି ସ୍ଥିର ରହି ନ ପାରି ଅଶ୍ରୁ ଗଦ୍‌ଗଦ୍‌ କଣ୍ଠରେ କହିଲେ ‘‘ହେ ମହାବାହୋ କୁରୁଶ୍ରେଷ୍ଠ ମୁଁ ରାଧେୟ କର୍ଣ୍ଣ ଆସିଛି, ଯାହାକୁ ଆପଣ କୌଣସି ଦିନ ସୁନଜରରେ ଦେଖି ନାହାନ୍ତି ଓ ଯାହାର ଗତିବିଧି ଉପରେ ଆପଣ ଏ ଯାବତ୍‌ କଡ଼ା ନଜର ରଖି ଆସିଛନ୍ତି ।’’ କର୍ଣ୍ଣଙ୍କ ବାକ୍ୟ ଶୁଣି ଭୀଷ୍ମ ପରିପୂର୍ଣ୍ଣ ଦୃଷ୍ଟିରେ କର୍ଣ୍ଣଙ୍କୁ ଚାହିଁଲେ ଓ ଦେହରକ୍ଷୀକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଲେ । କର୍ଣ୍ଣ ଦେଖିଲେ ଭୀଷ୍ମଙ୍କ ଚକ୍ଷୁରେ ଅନ୍ୟ ଏକ ଦୃଷ୍ଟି ଯାହାର ପରିଚୟ ସେ ଏଯାବତ୍‌ ପାଇ ନ ଥିଲେ । ହାତ ବଢ଼େଇ ଭୀଷ୍ମ କର୍ଣ୍ଣଙ୍କୁ ଟାଣି ଆଣିଲେ ନିଜ ବୁକୁ ଉପରକୁ ଯେପରି ଅପାର ସ୍ନେହରେ ପିତା ପୁତ୍ରକୁ ଟାଣି ଆଣେ ।

 

ଧୀରେ ଧୀରେ ଭୀଷ୍ମ କହିଲେ କର୍ଣ୍ଣ, ତୁମ୍ଭେ ମୋର କର୍ଣ୍ଣ । ତୁମେ ଆସିଅଛ । ମୁଁ ତୁମରି ଅପେକ୍ଷାରେ ଥିଲି ।

ଭୀଷ୍ମଙ୍କ ମଧୁର ବଚନ ଶୁଣି ଆପ୍ଳୁତ ଭାବରେ କର୍ଣ୍ଣ କହିଲେ କୁରୁବୀର ଆପଣ ଆଦେଶ କରନ୍ତୁ ଯଦି ଆପଣଙ୍କର କୌଣସି ଇଚ୍ଛା ଥାଏ ତାହା ଅବଶ୍ୟ ମୁଁ ପୂରଣ କରିବି ।

 

ଭୀଷ୍ମ କହିଲେ ‘‘କର୍ଣ୍ଣ ତୁମ୍ଭର ମାତ୍ରାଧିକ୍ୟ ସ୍ପର୍ଦ୍ଧା ଯେତେବେଳେ କୁମତି ଦୁର୍ଯ୍ୟୋଧନକୁ ପ୍ରକୃତ ପକ୍ଷରେ ସର୍ବନାଶ ଆଡ଼କୁ ଠେଲି ନେଲା ଓ ତୁମର ମଦମତ୍ତତା ଆଚରଣ ଯେତେବେଳେ ମୋତେ ଅବହେଳା କରିବାକୁ ଲାଗିଲା ଏବଂ ଆହୁରି ମଧ୍ୟ ଯେତେବେଳେ ତୁମ୍ଭର ପ୍ରତିକୂଳ ଆଚରଣରେ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ ଶ୍ରୀକୃଷ୍ଣ ସହାୟ ପାଣ୍ଡବଗଣ ସେତେବେଳେ ମୁଁ ତୁମ୍ଭଙ୍କୁ ଅସନ୍ତୋଷରେ ଘୃଣା କରୁଥିଲି । କିନ୍ତୁ ଯେଉଁଦିନ ମହର୍ଷି ନାରଦ ଓ ଋଷି କୃଷ୍ଣ ଦ୍ୱୈପାୟନଙ୍କ ମୁଖରୁ ତୁମ୍ଭର ଜନ୍ମ ପରିଚୟ ଶୁଣିଲି ସେ ଦିନରୁ ମୋ ମନରେ ତୁମ୍ଭପ୍ରତି ଜାତ ହୋଇଥିବା ଘୃଣା ଅସନ୍ତୋଷ ଚାଲିଯାଇଥିଲା, ବରଂ ପ୍ରତି ମୁହୂର୍ତ୍ତରେ ଅପେକ୍ଷା କରିଥିଲି ତୁମକୁ ଥରେ ଏକାନ୍ତରେ ସାକ୍ଷାତ୍‌ କରିବାଲାଗି । ଆଜି ତୁମେ ଯେତେବେଳେ ଆସିଅଛ ମୋର ଉତ୍ତରାୟଣ ଆଉ ବେଶୀ ଡେରି ନାହିଁ ।’’

 

ଏ କଥା ଶୁଣି କର୍ଣ୍ଣ କହି ଉଠିଲେ ‘ପିତାମହ’ ।

 

କର୍ଣ୍ଣଙ୍କ ଡାକ ନ ଶୁଣି କହି ଚାଲିଲେ ‘‘ଶୁଣିଛି ତୁମେ ରାଧେୟ ନୁହଁ । ପାଣ୍ଡବ ଜନନୀ କୁନ୍ତିଙ୍କର ପ୍ରଥମ ସନ୍ତାନ ସୂର୍ଯ୍ୟପୁତ୍ର ଯଥାର୍ଥ ପାଣ୍ଡବାଗ୍ରଜ । ଏହିକଥା ଶୁଣିବା ଦିନଠାରୁ ତୁମ୍ଭ ପ୍ରତି ମୋ ମନରେ ସ୍ନେହ ଉଦ୍ରେକ ହୋଇଥିଲା ସତ କିନ୍ତୁ ମୁଁ ତାହା କୌରବ ସଭାରେ ପ୍ରକାଶ କରି ନଥିଲି । କିନ୍ତୁ ତୁମେ ଯେତେବେଳେ ଦୁର୍ଯ୍ୟୋଧନ ପ୍ରରୋଚନାରେ ଧାର୍ମିକ ପାଣ୍ଡବଙ୍କ ପ୍ରତି କୁତ୍ସା ବର୍ଷଣ କରୁଥିଲ ଓ ସେମାନଙ୍କର ଅନିଷ୍ଟ ସାଧନ ନିମନ୍ତେ ମନ୍ତ୍ରଣା କରୁଥିଲ ସେତେବେଳେ ମୋର କ୍ଷତ୍ରିୟ ରକ୍ତ ତପ୍ତ ହୋଇ ଉଠୁଥିଲା ଏହା ଭାବି ଯେ ସର୍ବଗୁଣ ସମ୍ପନ୍ନ ହୋଇ ସୁଦ୍ଧା ନୀରାଶ୍ରୟଙ୍କ ସହିତ ମିଶି ତୁମେ ତୁମ୍ଭର ଗୁଣ ଓ ଐଶ୍ୱର୍ଯ୍ୟ ବିନଷ୍ଟ କରୁଅଛ । ସେହି ସମୟରେ ଅସମ୍ଭାଳ ହୋଇ ମୁଁ ତୁମକୁ ସୁତୀକ୍ଷଣ ବାକ୍ୟ ବାଣରେ ଜର୍ଜ୍ଜରିତ କରୁଥିଲି, କାଳେ ତୁମେ ମୋର ଏହି ବାକ୍ୟ ବାଣରେ ନିରୁତ୍ସାହିତ ହୋଇ ଅନ୍ୟାୟ ଅଧର୍ମରୁ ବିରତ ହେବ । ମୁଁ ଏପରି ବାକ୍ୟ ବାଣରେ ତୁମକୁ ବୁଝାଇ ଦେବାକୁ ମଧ୍ୟ ଚାହୁଁଥିଲି ଯେ ତୁମେ ଶର ସନ୍ଧାନୀ ଗାଣ୍ଡୀବଧାରୀ ଅର୍ଜ୍ଜୁନ ଏବଂ ଚକ୍ରୀ ଶ୍ରୀକୃଷ୍ଣଙ୍କ ସଦୃଶ ହେଲେ ହେଁ ଈର୍ଷାନଳ ତୁମକୁ କେବେ ହେଁ କ୍ଷମା କରିବ ନାହିଁ ଓ କେବେ ହେଁ ଦୈବକୁ ତୁମେ ଅସ୍ୱୀକାର କରି ପାରିବ ନାହିଁ କି ପୁରୁଷାର୍ଥ ପ୍ରତିଷ୍ଠା କରି ପାରିବ ନାହିଁ ।

 

ସୁସ୍ଥିର ଚିତ୍ତରେ କର୍ଣ୍ଣ ପିତାମହଙ୍କ ସବୁକଥା ଶୁଣୁଥିଲେ । ତତ୍ପରେ କହିଲେ–ମୁଁ ସବୁ ଜାଣେ ପିତାମହ । ପୁରୁଷାର୍ଥ କେବେହେଁ ଦୈବ ଅତିକ୍ରମ କରିପାରେ ନାହିଁ । ନିୟତିକୁ ଲଂଘନ କରିବା ଶକ୍ତି ମଧ୍ୟ କାହାରି ନାହିଁ । ତା ଯଦି ଥାଆନ୍ତା ତାହେଲେ ଆଜି ଆପଣଙ୍କୁ ଏହି ମର୍ମାନ୍ତିକ ଶରଶଯ୍ୟାରେ ଶାୟିତ ଅବସ୍ଥାରେ ଦେଖନ୍ତି ନାହିଁ । କିନ୍ତୁ ପିତାମହ ଏହି ଯୁଦ୍ଧ କଣ ଅନିବାର୍ଯ୍ୟ ନ ଥିଲା ? ମୁଁ ମଧ୍ୟ ଜାଣେ ଯେ ମୁଁ ରାଧେୟ ନୁହେଁ କୌନ୍ତେୟ । ମୁଁ ମୋର ତପସ୍ୱୀନୀ ମାତାଙ୍କର କୁମାରୀ ଅବସ୍ଥାରେ ସୂର୍ଯ୍ୟଙ୍କ ଔରସଜାତ ପୁତ୍ର, ଲୋକ ଲଜ୍ଜା ଭୟରେ ଯାହାକୁ ସେ ଜଳରେ ଭସାଇ ଦେଇଥିଲେ । ସମସ୍ତ ଜାଣି ସୁଦ୍ଧା ଆଜି ମୁଁ ପାଣ୍ଡବବୈରୀ ଦୁର୍ଯ୍ୟୋଧନର ସହାୟ ହୋଇ ରହିଛି ।

 

ଭୀଷ୍ମ କହିଲେ କର୍ଣ୍ଣ ତୁମେ ସତ୍ୟ କହିଛ । ଏହି ଯୁଦ୍ଧ ଅନିବାର୍ଯ୍ୟ ଥିଲା । ଅନିବାର୍ଯ୍ୟ ଗତିକୁ କେହି ରୋଧ କରି ପାରିବ ନାହିଁ । ଆଜି ମୁଁ ପ୍ରଥମରେ ସେହି ଗତିର ଚରମ ପରିଣିତିର ଶିକାର ହୋଇ ଶରଶଯ୍ୟାରେ ଶାୟିତ ରହି ମୃତ୍ୟୁ ଅପେକ୍ଷାରେ ଅଛି । ସୁତରାଂ ଅନ୍ତିମ ଶଯ୍ୟାରେ ଆଜି ମୋର ଏକ ଶେଷ କାମନା କରୁଛି–ମୋର ମୃତ୍ୟୁ ସହିତ ଏ ଯୁଦ୍ଧ ଶେଷ ହେଉ । ଏହା ଏକମାତ୍ର ତୁମେହିଁ କରିପାରିବ । ମୋର ଶେଷ ଇଚ୍ଛା ଶୁଣିବାକୁ ଚାହୁଁଥିଲ, ଏହି ମୋର ଶେଷ ଇଚ୍ଛା-। ‘‘ସୌନ୍ଦର୍ଯ୍ୟାଃ ପାଣ୍ଡବାଃ ବୀରା ଭ୍ରାତରସ୍ତେଂରିସୂଦନ / ସଙ୍ଗଚ୍ଛ ତୈର୍ମହାବାହୋ ମମ ଚେଦିଚ୍ଛସି ନିରିମୟାଃ । ସହୋଦର ଭାତୃଜ୍ଞାନରେ ତୁମ୍ଭେ ବୀର ପାଣ୍ଡବଙ୍କ ସହିତ ମିଳିତ ହୁଅ । ଏହି ଦୁର୍ଜ୍ଜନ ସଙ୍ଗ ପରିହାର କର । ମୋର ମୃତ୍ୟୁ ସହିତ ଏହି ଶତ୍ରୁତା ଅବସାନ ହେଉ ଏବଂ ଏ ଧରଣୀ ଶାନ୍ତ ହେଉ ।

 

ଭୀଷ୍ମଙ୍କ ଅନୁରୋଧରେ କର୍ଣ୍ଣ କିୟତ୍‌କ୍ଷଣ ନିର୍ବାକ ହୋଇ ରହିଥିଲେ । କପାଳରେ ସୁଗଭୀର ଚିନ୍ତାରେଖା ଦେଖା ଦେଇଥିଲା । କର୍ଣ୍ଣଙ୍କୁ ଏପରି ନିରୁତ୍ତର ଦେଖି ପୁନଶ୍ଚ ଭୀଷ୍ମ ପଚାରିଲେ କର୍ଣ୍ଣ ନିରୁତ୍ତର କାହିଁକି ରହିଅଛ ? ଅଧାର୍ମିକ ଦୁର୍ଯ୍ୟୋଧନ ପକ୍ଷ ତ୍ୟାଗ କରି ଏକମାତ୍ର ତୁମେହିଁ ଦୁର୍ଯ୍ୟୋଧନକୁ ଯୁଦ୍ଧରୁ କ୍ଷାନ୍ତ କରି ଶାନ୍ତ ପରିବେଶ ଫେରାଇ ଆଣି ପାରିବ ।

 

କର୍ଣ୍ଣ କହିଲେ ‘ପିତାମହ’ । କର୍ଣ୍ଣଙ୍କ କଣ୍ଠ ବ୍ୟଥାତୁର ଥିଲେହେଁ ଦ୍ୱିଧାହୀନ ଥିଲା । ମୁଁ ଆପଣଙ୍କର ମାର୍ଜ୍ଜନା ପ୍ରାର୍ଥୀ । ଆଜି ଏହି ମୁହୂର୍ତ୍ତରେ ମୁଁ ଆପଣଙ୍କ ଅଭିଳାଷ ପୂର୍ଣ୍ଣ କରିବାରେ ନିତାନ୍ତ ଅପାରଗ ।

 

ଭୀଷ୍ମ କାହିଁକି ବୋଲି ପଚାରିବାରୁ କର୍ଣ୍ଣ କହିଲେ ଆପଣ ଜାଣନ୍ତି ପିତାମହ ଦୁର୍ଯ୍ୟୋଧନ ନିକଟରେ ମୁଁ ପ୍ରତିଜ୍ଞାବଦ୍ଧ । ସେହି ସତ୍ୟକୁ ମୁଁ କିପରି ଅସ୍ୱୀକାର କରିବି ? ଜନନୀଙ୍କ କୁଣ୍ଠାରେ ଆତ୍ମ ପରିଚୟ ହୀନ ସୂତ୍ରପୁତ୍ର ମୁଁ ଯେତେବେଳେ ନିରାଶ୍ରୟ ହୋଇ ଘୁରି ବୁଲୁଥିଲି ସେତେବେଳେ ଏହି ଦୁର୍ଯ୍ୟୋଧନ ହିଁ ମୋତେ ଆଶ୍ରୟ ଦେଇଥିଲେ । ମୁଁ ମଧ୍ୟ ସେତେବେଳେ ତାଙ୍କୁ ଦେଇଥିଲି ମୋର ନିଃସର୍ତ୍ତ ଆଶ୍ୱାସ-‘ଯେ କୌଣସି ଅବସ୍ଥାରେ ମୁଁ ତାଙ୍କୁ ପରିତ୍ୟାଗ କରିବି ନାହିଁ । ଆଜି ଯେତେବେଳେ ଆପଣଙ୍କ ପତନରେ ତାଙ୍କର ଦୁର୍ଦ୍ଦିନ ସମ୍ମୁଖୀନ ଏହି ସମୟରେ ମୁଁ ମୋ ସତ୍ୟବାକ୍ୟ ଲଂଘି ଯଦି ତାଙ୍କୁ ପରିତ୍ୟାଗ କରେ ତାହେଲେ ମୋତେ ନୀଚ, ଭ୍ରଷ୍ଟ ବିଶ୍ୱାସଘାତକ ବୋଲି ଲୋକେ କହିବେ ନାହିଁ ? ଯେଉଁମାନେ ମୋର ଅଶ୍ୱାସ, ଶୌର୍ଯ୍ୟ ଓ ବଳବୀର୍ଯ୍ୟ ଉପରେ ଅଶେଷ ଆସ୍ଥା ରଖି ନିଶ୍ଚିନ୍ତ ଅଛନ୍ତି ସେମାନଙ୍କୁ ବର୍ତ୍ତମାନ ଅବସ୍ଥାରେ ପରିତ୍ୟାଗ କରି ନିରାଶ୍ରୟ କରିବା ଘୋର ଅନ୍ୟାୟ ହେବ ନାହିଁ କି ?

 

ନିର୍ବାକ ଭୀଷ୍ମ କର୍ଣ୍ଣଙ୍କ ଉକ୍ତି ଶୁଣୁଥିଲେ । ଶର ଶଯ୍ୟାରେ ଯନ୍ତ୍ରଣା ନେଇ ନିର୍ବାକ ନିଷ୍ପଲକ ନେତ୍ରରେ କର୍ଣ୍ଣଙ୍କୁ ଚାହିଁ ରହିଥିଲେ । କିଛିମାତ୍ର ଅତ୍ୟୁକ୍ତି କର୍ଣ୍ଣ କରି ନାହାନ୍ତି । ମୁହୂର୍ତ୍ତକ ମଧ୍ୟରେ ଆତ୍ମ ବିଶ୍ଳେଷଣ କରି ମନରେ ଚିନ୍ତା କଲେ କାହିଁ ଅନ୍ୟାୟ ଜାଣି ସୁଦ୍ଧା ସେ ନିଜେ ଅନ୍ନଦାତା ଦୁର୍ଯ୍ୟୋଧନଙ୍କୁ ତ ପରିତ୍ୟାଗ ପରିପାରି ନାହାନ୍ତି କି ସ୍ନେହସିକ୍ତ ପାଣ୍ଡବଗଣଙ୍କୁ ଦୁର୍ଯ୍ୟୋଧନ ଅତ୍ୟାଚାରରୁ ରକ୍ଷାକରି ପାରି ନାହାନ୍ତି ।

 

କର୍ଣ୍ଣ ଅଳ୍ପକ୍ଷଣ ମୌନ ରହିଲା ପରେ ପୁନଶ୍ଚ କହିଲେ ପିତାମହ ମୁଁ ଜାଣେ ଯେ ସର୍ବଶକ୍ତିମାନ ପୁରୁଷୋତ୍ତମ ବାସୁଦେବ କୃଷ୍ଣଙ୍କ ସହାୟରେ ପାଣ୍ଡବଗଣ ଅପରାଜେୟ ରହିବେ । ମୁଁ ଦୁର୍ଯ୍ୟୋଧନ ପକ୍ଷ ଅବଲମ୍ବନ କରି ଯେଉଁ ଶତ୍ରୁତା ଅର୍ଜ୍ଜିଛି ତାହାର ପରିସମାପ୍ତି ଏହି ରଣକ୍ଷେତ୍ରରେ ହିଁ ହେବ । ଆଶୀର୍ବାଦ କରନ୍ତୁ ପିତାମହ ମୁଁ ଯେପରି କ୍ଷତ୍ରିୟ ଧର୍ମର ଯଥାଯୋଗ୍ୟ ମର୍ଯ୍ୟାଦା ରକ୍ଷା କରି ପାରିବି । ମୋର କୃତ ଅପରାଧ ଆପଣ କ୍ଷମା କରନ୍ତୁ । ଆପଣଙ୍କୁ ଅବମାନନା କରିବା ସଙ୍ଗେ ସଙ୍ଗେ ଅନେକ କଟୁବାକ୍ୟ ମଧ୍ୟ କହିଅଛି । ଏହି ଅପରାଧ ଆପଣ କ୍ଷମା କରିବେ କିନ୍ତୁ ମୋର ଏ ପ୍ରକାର ଆଚରଣର ଏକମାତ୍ର କାରଣ ଥିଲା-କେବେହେଁ କୌଣସି କ୍ଷତ୍ରିୟ ତାର ଧର୍ମରୁ ବିଚ୍ୟୁତ ହୋଇ ଅପମୃତ୍ୟୁ ବରଣ ନ କରୁ ।

 

ସ୍ତମ୍ଭିତ ବିସ୍ମୟରେ କର୍ଣ୍ଣଙ୍କର ପ୍ରତିଟି କଥା ମନଦେଇ ଶୁଣୁଥିଲେ ପିତାମହ ଭୀଷ୍ମ । କର୍ଣ୍ଣଙ୍କ ବକ୍ତବ୍ୟ ଶେଷରେ ସେ କହି ଉଠିଲେ ସାଧୁ ସାଧୁ କର୍ଣ୍ଣ । ତୁମ୍ଭର ଗୋଟିଏ ବାକ୍ୟ ମଧ୍ୟ ଅଯୌକ୍ତିକ ନୁହେଁ । ମୁଁ ମଧ୍ୟ ତୁମ୍ଭ ମତ ସମର୍ଥନ କରି କହୁଅଛି ଯେ କ୍ଷତ୍ରିୟ ବୀରର ଏକମାତ୍ର କ୍ଷେତ୍ର ହିଁ ରଣକ୍ଷେତ୍ର । ଏହି ରଣକ୍ଷେତ୍ର ତ୍ୟାଗ କରି ଧର୍ମଚ୍ୟୁତ ହୋଇ ତାର ଅପମୃତ୍ୟୁ ନ ହେଉ । ବୀର ହାତରେ ବୀରର ମୃତ୍ୟୁ ହେଲେ ସ୍ୱର୍ଗଲାଭର ଦ୍ୱାର ପ୍ରଶସ୍ଥ ହୋଇଥାଏ । ହେ ସଦାଚାରୀ ବୀର କର୍ଣ୍ଣ ତୁମ୍ଭର ପରାକ୍ରମ ସହିତ ସତତା ମୋର ଅଜଣା ନାହିଁ । ତୁମ୍ଭର ଏକମାତ୍ର ପ୍ରତିଦ୍ୱନ୍ଦୀ ଗାଣ୍ଡୀବଧାରୀ ଅର୍ଜ୍ଜୁନ ହିଁ ଏକମାତ୍ର ମୂର୍ତ୍ତିମାନ ନିୟତି । ଆଶୀର୍ବାଦ କରୁଛି ଯେ ଯଥାର୍ଥ କ୍ଷତ୍ରିୟ ଧର୍ମରେ ତୁମ୍ଭେ କ୍ଷତ୍ରିୟ ବୀରର ଶେଷ ପରିଣତି ପ୍ରାପ୍ତ ହୁଅ ।

 

ଏହାପରେ ଏକ ଦୀର୍ଘଶ୍ୱାସ ତ୍ୟାଗ କରି ଭୀଷ୍ମ ନିଶ୍ଚୁପ ରହିଲେ ଓ କର୍ଣ୍ଣ ତାଙ୍କର ଶେଷ ଶ୍ରଦ୍ଧା ଜ୍ଞାପନ କରି ଦୁର୍ଯ୍ୟୋଧନଙ୍କ ଶିବିରକୁ ଫେରି ଆସିଥିଲେ ।

Image

 

ଦ୍ୟୁମତ୍‌ସେନ–ସତ୍ୟବାନ ସମ୍ବାଦ

 

ମାନସିକତା ଦୃଷ୍ଟିରୁ ମନୁଷ୍ୟ କେବେହେଁ ସମଧର୍ମୀ ନୁହେଁ । କାରଣ ବୈଷମ୍ୟ ଓ ବୈସାଦୃଶ୍ୟ ମନୁଷ୍ୟ ପକ୍ଷରେ ସ୍ୱତଃସିଦ୍ଧ । ଋଚି ଓ ପ୍ରବୃତ୍ତି ଏବଂ ସ୍ୱଭାବରେ ପ୍ରତ୍ୟେକ ମନୁଷ୍ୟ ଅନ୍ୟଠାରୁ ଭିନ୍ନ । ଏହି ସବୁ ବୈଷମ୍ୟ ମଧ୍ୟରେ ମଧ୍ୟ ଗୋଟିଏ ଦିଗରୁ ଦେଖିଲେ ସବୁ ମନୁଷ୍ୟ ଏକ ପ୍ରକାର ଜଣାଯାଆନ୍ତି । ଏହି ସାମ୍ୟ ଦିଗଟି ହେଲା ସମସ୍ତଙ୍କର ବଞ୍ଚିରହି ଜୀବନ ଉପଭୋଗ ନିମିତ୍ତ ବାସନା । ସାଧୁ ତା’ର ସ୍ୱଭାବାନୁସାରେ ସରଳ ପଥରେ ଜୀବନ ଅତିବାହିତ କରିଥିବାବେଳେ ଅସାଧୁ ସ୍ୱପ୍ରବୃତ୍ତି ଅନୁଯାୟୀ ଜଟିଳ ପଥରେ କାଳ କାଟି ପରିବେଶକୁ ଅଶାନ୍ତ ଓ ଅପରିଚ୍ଛନ୍ନ କରିଥାଏ । ଏହି ଦ୍ୱୈତ ଅବସ୍ଥା ନିୟନ୍ତ୍ରଣାଧିନ କରି ଦେଶର ଶାସକ ରାଜ୍ୟ ଶାସନ ଓ ପ୍ରଜାପାଳନ କରିଥାନ୍ତି । ରାଜ୍ୟରେ ଶାନ୍ତି, ଶୃଙ୍ଖଳା ରଖି ରାଜ୍ୟକୁ ସମ୍ପଦଶାଳୀ କରି ପ୍ରଜାଗଣକୁ କଲ୍ୟାଣମୟ ସ୍ୱାଧିକାରରେ ପ୍ରତିଷ୍ଠିତ ରଖିବା ନିମନ୍ତେ ଶାସକ ସର୍ବଦା ଜାଗ୍ରତ ହେବା ଉଚିତ । ଦୁଷ୍ଟଦମନ ଶିଷ୍ଟପାଳନ ହିଁ ରାଜଧର୍ମ ।

 

ଏହି କ୍ଷତ୍ରିୟଧର୍ମ ପାଳନରେ ରାଜ୍ୟ ଅସାଧୁ ଆଚରଣରେ ବିବ୍ରତ ପ୍ରଜା ସାଧାରଣଙ୍କର କଲ୍ୟାଣ ନିମନ୍ତେ ଅସାଧୁ ବ୍ୟକ୍ତିଙ୍କର ମୂଳୋଚ୍ଛେଦନ କରିଥାନ୍ତି । ଏହାହିଁ ରାଜାଙ୍କର ସାଧାରଣ ରାଜନୀତି । କିନ୍ତୁ ଅସାଧୁ ବ୍ୟକ୍ତିଙ୍କର ମୂଳୋଚ୍ଛେଦନ କରିବା ନିମନ୍ତେ ‘ବିନାଶ’ ଧର୍ମ ପ୍ରୟୋଗରେ ଅସାଧୁ ପ୍ରକୃତି ବା ଅସଦ୍‌ଆଚାର ଅଙ୍କୁରରେ ପରିପୂର୍ଣ୍ଣ ଭାବରେ ବିନାଶ ହୋଇଥାଏ କି ? ଦୁଷ୍ଟ ଓ ଅସାଧୁ ବ୍ୟକ୍ତି ନିମନ୍ତେ କେବଳ ମୃତ୍ୟୁଦଣ୍ଡ କ’ଣ ଯଥେଷ୍ଟ ? ଧର୍ମାଶ୍ରିତ କୁନ୍ତୀନନ୍ଦନ ଯୁଧିଷ୍ଠିରଙ୍କର ମନରେ ଏହି ସଂଶୟ ଜାତ ହେଲାରୁ ସଂଶୟ ମୋଚନାର୍ଥେ ପିତାମହ ଭୀଷ୍ମଙ୍କୁ ଉପରୋକ୍ତ ପ୍ରଶ୍ନ ପଚାରିଥିଲେ ।

 

ପିତାମହ କହିଲେ–ଦୁଷ୍ଟଦମନ ଓ ଶିଷ୍ଟପାଳନ ଧର୍ମସଂଗତ ରାଜଧର୍ମ । ଏହି ନୀତିରେ ବଳିଷ୍ଠ ନ ହେଲେ ରାଜା ଧର୍ମଚ୍ୟୁତ ହୋଇ ନିଜର ଅସ୍ତିତ୍ୱ ବିପନ୍ନ କରିଥାଏ । ଦୋଷ ଓ ଗୁଣ ଦୁଇଟିଯାକ ବିପରୀତ ଧର୍ମ ହେଲେ ହେଁ ମନୁଷ୍ୟକୁ ଏ ଦୁଇଟି ଗୁଣ ଦେଇ ଈଶ୍ୱର ସୃଷ୍ଟି କରିଛନ୍ତି । ଜଗତର ଏହି ଦୁଇ ଗୁଣଯୁକ୍ତ ମନୁଷ୍ୟଙ୍କ ମଧ୍ୟରୁ ନ୍ୟାୟନିଷ୍ଠ, ବୁଦ୍ଧିମାନ ଶୌର୍ଯ୍ୟବୀର୍ଯ୍ୟଶାଳୀ ମନୁଷ୍ୟ ଉପରେ ହିଁ ଈଶ୍ୱର ଅନ୍ୟମାନଙ୍କର ସଂରକ୍ଷଣ ଦାୟିତ୍ୱ ଦେଇଛନ୍ତି । ଏପରି ସଂଯମ ମଧ୍ୟରେ ରହି ଦୋଷ ପରିହାର କରି ସର୍ବଗୁଣ ସମନ୍ୱିତ ହେବା କେତେଜଣ ମନୁଷ୍ୟଙ୍କ ପକ୍ଷରେ ସମ୍ଭବ ? ସୁତରାଂ ଶାସକଙ୍କଠାରୁ ଶାସିତଙ୍କ ସଂଖ୍ୟା ବେଶୀ ହେବାହିଁ ସ୍ୱାଭାବିକ । ସେହି ଶାସିତମାନଙ୍କର ଦୋଷ ଅପରାଧାଦି ବିଚାର କରି ପ୍ରାଣଦଣ୍ଡ ଦେବା ପୂର୍ବରୁ ସ୍ୱନିଷ୍ଠ ନ୍ୟାୟବାନ ଶାସକ ବା ରାଜା ଏକାନ୍ତ ସୁସ୍ଥିର ଚିତ୍ତରେ ବିଚାର କରିବା ନିଶ୍ଚୟ ଆବଶ୍ୟକ । ଥରେ ରାଜା ଦ୍ୟୁମତ୍‌ସେନଙ୍କୁ ତାଙ୍କର ବିଦ୍ୱାନ ପୁତ୍ର ସତ୍ୟବାନ ଏହିପରି ଏକ ଘଟଣାରେ ବହୁତ ଚିନ୍ତିତ କରାଇଥିଲେ । ମନଦେଇ ଶୁଣ । ଯୁଧିଷ୍ଠିରଙ୍କୁ କହିଥିଲେ ପିତାମହ ଭୀଷ୍ମ ।

 

ଭୀଷ୍ମ କହିଲେ–ଏକଦା ରାଜା ଦ୍ୟୁମତ୍‌ସେନ କେତେଜଣ ଅପରାଧୀଙ୍କୁ ପ୍ରାଣଦଣ୍ଡ ଆଦେଶ ଦେଇ ବଧ୍ୟ ଭୂମିକୁ ପଠାଇଥିଲେ । ପ୍ରଜା ସାଧାରଣ ସେହି ଅପରାଧୀମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇଥିବାରୁ ରାଜା ସେମାନଙ୍କୁ ଶୁଳୀଦଣ୍ଡାଦେଶ ଦେଇଥିଲେ । ଅପରାଧୀମାନଙ୍କୁ ବଧ୍ୟଭୂମିକୁ ପଠାଯିବା ପରେ ପୁତ୍ର ସତ୍ୟବାନ ପିତା ଦ୍ୟୁମତ୍‌ସେନଙ୍କୁ ପଚାରିଲେ-:

 

ପିତା ଆପଣ ଏହି ଅପରାଧୀମାନଙ୍କୁ ପ୍ରକୃତରେ ପ୍ରାଣ ଦଣ୍ଡାଦେଶ ଦେଲେ କି ? ଏହିସବୁ ଅପରାଧୀ କ’ଣ ଏକ ପ୍ରକାର ଅପରାଧ କରିଅଛନ୍ତି ? ଆପଣଙ୍କର ସର୍ବଶେଷ ଦଣ୍ଡ ଆଦେଶ ପ୍ରାଣଦଣ୍ଡ ବ୍ୟତୀତ ଅନ୍ୟ କୌଣସି ଦଣ୍ଡାଦେଶ ନିମନ୍ତେ ଏମାନଙ୍କ ମଧ୍ୟରୁ କ’ଣ କେହି ଉପଯୁକ୍ତ ନୁହନ୍ତି ?

 

ପୁତ୍ରଙ୍କ ପ୍ରଶ୍ନରେ ପିତା ଦ୍ୟୁମତ୍‌ସେନ କହିଲେ : ପୁତ୍ର ଏମାନେ ସମସ୍ତେ ତସ୍କର, ଖଳ, ଦୁଷ୍ଟ ଓ ଦସ୍ୟୁ । ଅନେକ ନିରୀହ ନିର୍ବିବାଦୀ ମନୁଷ୍ୟଙ୍କର ଅର୍ଜ୍ଜିତ ଧନ, ସମ୍ପଦ ଲୁଣ୍ଠନ କରି ଆତଙ୍କ ସୃଷ୍ଟି କରିଛନ୍ତି ଓ ସେମାନଙ୍କର ସର୍ବନାଶ କରିଛନ୍ତି । ତେଣୁ ଜୀବିତ ରହି ରାଜ୍ୟ ମଧ୍ୟରେ ଅଶାନ୍ତି ଓ ନିରାପତ୍ତା ବିଘ୍ନ କରିବା ଅଧିକାର ସେମାନଙ୍କର ନାହିଁ । ମୋର ବିଚାରରେ ବଧ୍ୟ ଭୂମିହିଁ ସେମାନଙ୍କ ନିମନ୍ତେ ଏକମାତ୍ର ଉପଯୁକ୍ତ ସ୍ଥାନ ।

 

ଏହି କଥା ଶୁଣି ସତ୍ୟବାନ କହିଲେ : ମହାରାଜ ଅଭୟ ପ୍ରଦାନ କଲେ ମୁଁ କିଛି କହନ୍ତି-

 

ପିତା ସତ୍ୟବାନଙ୍କ କଥା ଶୁଣି କହିଲେ ମୁଁ ଜାଣେ ଯେ ମୋର ପୁତ୍ର ସତ୍ୟାଶ୍ରୟୀ, ବିନୀତ ଓ ଆସ୍ଥାଭାଜନ । ଯଦି ଏରୂପ ଦଣ୍ଡାଦେଶରେ ମୋର କିଛି ତ୍ରୁଟି ପରିଲକ୍ଷିତ କରିଅଛ ତାହେଲେ ତୁମ୍ଭର ବକ୍ତବ୍ୟ ଶୁଣିବାକୁ ମୁଁ ପ୍ରସ୍ତୁତ ଅଛି ।

 

ସତ୍ୟବାନ କହିଲେ : ମହାରାଜ ଆପଣଙ୍କ ବିଚାରରେ ଯଦି ଦୋଷୀ ସାବ୍ୟସ୍ତ ହୋଇ ଏକାଦିକ୍ରମେ ଦଳ ପରେ ଦଳ ଅପରାଧୀ ସଂଖ୍ୟା ବୃଦ୍ଧି ହୁଏ ତାହେଲେ ଆପଣ କଣ ସେହି ସମସ୍ତ ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବେ ?

 

ପିତା କହିଲେ : ନିଃଦ୍ୱିଧାରେ ସେହି ଦଣ୍ଡ ମୁଁ ଦେବି । କାରଣ ପ୍ରଜାଙ୍କୁ ଅଭୟ ପ୍ରଦାନ, ସୁଖ ସ୍ୱାଚ୍ଛନ୍ଦ୍ୟ ଦେବାହିଁ ରାଜଧର୍ମ । ଦୁଷ୍ଟଜନଙ୍କୁ ବିନାଶ କରିବା ରାଜ କର୍ତ୍ତବ୍ୟ । କର୍ତ୍ତବ୍ୟ ପାଳନ ନକରି ଦୁଷ୍ଟମାନଙ୍କୁ ପ୍ରଶ୍ରୟ ଦେଲେ ରାଜା ଧର୍ମଚ୍ୟୁତ ହୋଇଥାଏ ଓ ଏହାର ପରିଣତି ମଧ୍ୟ ଭୟାବହ ହୁଏ । ରାଜାକୁ ନୀରବ ହେବା ଦେଖି ପୁନଶ୍ଚ ସତ୍ୟବାନ କହିଲେ : ଯଦି ରାଜ୍ୟ କ୍ରମଶଃ ଧୀରେ ଧୀରେ ଦୁଷ୍ଟଜନ ପରିପୂର୍ଣ୍ଣ ହୁଏ ? ତାହେଲେ ? ଏପରି ପ୍ରଶ୍ନରେ ଦ୍ୟୁମତ୍‌ସେନ ମୁହୂର୍ତ୍ତକ ପାଇଁ ଚମକି ଉଠିଲେ, ପୁନଶ୍ଚ ସତ୍ୟବାନ କହିଲେ; ଦୁଷ୍ଟ ଗୋରୁଠାରୁ ଶୂନ୍ୟ ଗୁହାଳ ହୁଏତ କୌଣସି ବ୍ୟକ୍ତି ବିଶେଷର କାମ୍ୟ ହୋଇପାରେ, କିନ୍ତୁ ସୁବିଶାଳ ପ୍ରଜା ପ୍ରଜାପାଳନ ଅଧିକାରୀ ରାଜାଙ୍କ ନିକଟରେ ଯଦି ତାହାହିଁ କାମ୍ୟ ହୁଏ ତାହେଲେ ସ୍ରଷ୍ଟାକର ବିରୁଦ୍ଧାଚରଣ ହେବ ନାହିଁ କି ? ରାଜା ସେତେବେଳେ କାହାକୁ ନେଇ ରାଜ୍ୟ ଶାସନ କରିବେ ଓ ରାଜଧର୍ମ କିପରି ପାଳିତ ହେବ ?

 

ପୁତ୍ରଙ୍କର ଏପରି ଏକ ପ୍ରଶ୍ନ ନିମନ୍ତେ ରାଜା ଦ୍ୟୁମତ୍‌ସେନ ଯେପରି ପ୍ରସ୍ତୁତ ନ ଥିଲେ । କିଛି ସମୟ ସ୍ତବ୍‌ଧ ରହି ନିରୁତ୍ତାପ କଣ୍ଠରେ କହିଲେ ପୁତ୍ର ! ରାଜା ଯଦି ଅନ୍ୟାୟ, ଅନାଚାର ଅଧର୍ମକୁ ପ୍ରତିହତ ନ କରନ୍ତି ତାହେଲେ ରାଜା ଧର୍ମଚ୍ୟୁତ ହେବେ ନାହିଁ କି ? ଅଧର୍ମ ଓ ଅନ୍ୟାୟ ଯଦି ଅପ୍ରତିହତ ହୁଏ ତାହେଲେ ତାର ମାତ୍ରା ଉତ୍ତରୋତ୍ତର ବୃଦ୍ଧି ପାଇ ଏପରି ଏକ ପର୍ଯ୍ୟାୟରେ ପହଞ୍ଚେ ଯେଉଁଠାରେ କୌଣସି ରାଜଶକ୍ତି ତାକୁ ଦମନ କରିପାରେ ନାହିଁ । ପ୍ରତ୍ୟେକ ପ୍ରଜା ନିରାପତ୍ତାହୀନ ହେବା ସହିତ ରାଜା ମଧ୍ୟ ନିରାପତ୍ତାହୀନ ହୋଇଥାନ୍ତି । ଫଳରେ ରାଜଧର୍ମ ବିଲୁପ୍ତ ହୁଏ ।

 

ଏହି କଥା ଶୁଣି ସତ୍ୟବାନ କହିଲେ : ଏକଥା ଅବଶ୍ୟ ସତ୍ୟ ଯେ ରାଜା ପ୍ରଜାର ନିରାପତ୍ତା ରକ୍ଷା କରି ରାଜଧର୍ମ ପାଳନ କରନ୍ତି । କିନ୍ତୁ ରାଜା ଯଦି ବିଚାରରେ ଅଧର୍ମ ଅଥଚ ଆପାତ ଦୃଷ୍ଟିରେ ଧର୍ମ ବୋଲି ଭାବି ଆଚରଣ କରିଥାନ୍ତି ତାହେଲେ ସେ କଣ ପ୍ରକୃତ ରାଜଧର୍ମ ପାଳନ କରନ୍ତି ? ମୋ ମତରେ ରାଜାଙ୍କର ଏହି ରୂପ ଆଚରଣ ଧର୍ମାଚରଣ ନୁହେଁ ।

 

ଦ୍ୟୁମତ୍‌ସେନ କହିଲେ; ଅବଶ୍ୟ ତୁମର ମତ ଠିକ୍‌ । କିନ୍ତୁ ଦସ୍ୟୁବୃତ୍ତି ଲୁଣ୍ଠନ ଇତ୍ୟାଦି କଦାଚାର ଅତ୍ୟାଚାରକୁ ଯେଉଁମାନେ ଜୀବିକା ଭାବରେ ଗ୍ରହଣ କରି ରାଜ୍ୟରେ ଅରାଜକତା ସୃଷ୍ଟି କରିଥାନ୍ତି ସେମାନଙ୍କୁ ରାଜା ବିଚାରରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ପୂର୍ବକ ମୂଳୋତ୍ପାଟନ କରିବା ହିଁ ରାଜଧର୍ମ ।

 

ସତ୍ୟବାନ କହିଲେ; ପିତା ! ଏହିଠାରେ ହିଁ ମୋର ଆପଣଙ୍କ ସହିତ ମତର ପାର୍ଥକ୍ୟ ରହିଛି । ମୋ ମତରେ ଅପରାଧର ଗୁରୁତ୍ୱ ଅନୁସାରେ ଦଣ୍ଡ ଦେବାର ଭୟ ବା ନାମମାତ୍ର ଦଣ୍ଡ ଦେଇ ଯଦି ଅପରାଧୀଙ୍କୁ ଅପରାଧ ଆଚରଣରୁ ମୁକ୍ତ କରାଯାଇ ପାରିବ । ତାହେଲେ ପ୍ରଥମେ ରାଜା ଏହିପରି ପଦକ୍ଷେପ ନେବା ଉଚିତ । କାହାରିକୁ ମୂଳୋତ୍ପାଟନ କରିବା ସନାତନ ଧର୍ମ ବିରୁଦ୍ଧ-। ଅପରାଧୀର ମୃତ୍ୟୁଦଣ୍ଡ ସହିତ ତାର ନିରୀହ ପିତାମାତା, ସ୍ତ୍ରୀ ପୁତ୍ର ପରିଜନ ମଧ୍ୟ ପ୍ରକାରାନ୍ତରେ ମୃତ୍ୟୁଦଣ୍ଡ ଭୋଗ କରିଥାନ୍ତି । କାରଣ ଉପାର୍ଜ୍ଜନକ୍ଷମ ସେହି ଦଣ୍ଡିତ ଅପରାଧୀ ଉପରେ ହିଁ ସେମାନେ ନିର୍ଭରଶୀଳ ଥାନ୍ତି । ରାଜା ମୃତ୍ୟୁ ଦଣ୍ଡାଦେଶ ଦେବା ପୂର୍ବରୁ ଅପରାଧୀର ଆଶ୍ରିତ ପୋଷ୍ୟବର୍ଗଙ୍କର ଭବିଷ୍ୟତ ଭାବିବା ଉଚିତ । କାରଣ ଜୀବନଯାପନ ନିମନ୍ତେ ଅପରାଧୀର ପୋଷ୍ୟବର୍ଗ ଅଧର୍ମ, ଅନାଚାର ଓ ଅପରାଧମୂଳକ ପନ୍ଥା ଗ୍ରହଣ କରିବା ସ୍ୱାଭାବିକ । ଏହାଦ୍ୱାରା ଏକ ଦଣ୍ଡିତ ଅପରାଧୀ ବଦଳରେ ଏକାଧିକ ଅପରାଧୀ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥାଏ । ଏକଥା ମଧ୍ୟ ସତ୍ୟ ଯେ ଦୁର୍ନୀତିପରାୟଣ ଅପରାଧୀକୁ ଦମନ କରିବା ରାଜାଙ୍କର ସର୍ବପ୍ରଥମ କର୍ତ୍ତବ୍ୟ । କିନ୍ତୁ ମହାରାଜ ! ଚରମଦଣ୍ଡାଦେଶ ପୂର୍ବରୁ କେଉଁ ପରିବେଶ ବା ପରିସ୍ଥିତି ଅପରାଧୀକୁ ଜୀବିକା ନିର୍ବାହ ନିମନ୍ତେ ଦୁର୍ନୀତିଗ୍ରସ୍ତ କରିଅଛି ତାହାର ସୁବିଚାର ବିବେଚକ ରାଜାଙ୍କର କର୍ତ୍ତବ୍ୟକର୍ମ । ମନୁଷ୍ୟ କେବେହେଁ ଅପରାଧୀ ହୋଇ ଜନ୍ମଲାଭ କରି ନଥାଏ । ପରିବେଶ ଓ ପରିସ୍ଥିତି ହିଁ ତାହାକୁ ଧର୍ମଚ୍ୟୁତ କରି ଅଧର୍ମାଚରଣ କରିବା ନିମନ୍ତେ ବାଧ୍ୟ କରିଥାଏ । ଅତଏବ ଚରମ ଦଣ୍ଡାଦେଶ ବା ମୃତ୍ୟୁଦଣ୍ଡ ମୋ ମତରେ କଦାପି ‘ଅପରାଧ’କୁ ନିଶ୍ଚିହ୍ନ କରିପାରେ ନାହିଁ କି ଦୁଷ୍ଟଜନ ନିଃଶେଷ ହୁଅନ୍ତି ନାହିଁ । ପୁନଶ୍ଚ ରାଜଦରବାରରେ ରାଜ ମନ୍ତ୍ରୀବର୍ଗଙ୍କ ପରାମର୍ଶରେ ଅଭିଯୁକ୍ତ ଅପରାଧୀର ବିଚାର କରିଥାନ୍ତି । ରାଜା ସିଂହାସନାରୂଢ଼ ହୋଇ ମଧ୍ୟ କାମ, କ୍ରୋଧାଦିରିପୁଜୟୀ ବା ସ୍ଥିତଥୀ ହୋଇ ନଥାନ୍ତି । କ୍ରୋଧ, ଉତ୍ତେଜନା ହେବାହିଁ ସ୍ୱାଭାବିକ । ସୁତରାଂ ଏସବୁ ପରିପ୍ରେକ୍ଷୀରେ ‘ବିଚାର’ କେବେହେଁ ଧର୍ମାନୁକୂଳ ହେବନାହିଁ । ସତ୍ୟବାନଙ୍କର ଯୁକ୍ତିପୂର୍ଣ୍ଣ ବଚନ ଶୁଣି ଦ୍ୟୁମତ୍‌ସେନ କହିଲେ; ପୁତ୍ର ! ତୁମ୍ଭର ଯୁକ୍ତି ଅବଶ୍ୟ ଅଗ୍ରାହ୍ୟ ନୁହେଁ । କିନ୍ତୁ ଧର୍ମ ମର୍ଯ୍ୟାଦା ଓ ପ୍ରଜା ମର୍ଯ୍ୟାଦା ରକ୍ଷା କରିବା ହିଁ ରାଜଧର୍ମ ଓ ରାଜ କର୍ତ୍ତବ୍ୟ । ପୂର୍ବରୁ ଏପରି ଦିନ ଥିଲା ଯେତେବେଳେ ପ୍ରଜାଶାସନ ସରଳ ପଥରେ ସମାହିତ ହେଉଥିଲା । ପ୍ରଜାମାନେ ସେତେବେଳେ ସହଜ ସରଳ ଓ ସତ୍ୟାଶ୍ରୟୀ ଥିଲେ । କ୍ରୋଧ, ହିଂସା ରାଜ୍ୟରେ ବିରଳ ଥିଲା । ପ୍ରବୃତ୍ତି ବଶୀଭୂତ ହୋଇ ଯଦିବା କେହି ଅପରାଧ କରୁଥିଲା କେବଳ ମାତ୍ର ଦରବାରରେ ଧିକ୍‌କାର ହିଁ ତାର ଯଥେଷ୍ଟ ଶାସ୍ତି ହେଉଥିଲା । କାଳ ପ୍ରବାହରେ ମନୁଷ୍ୟ ସହଜ ସରଳ ପଥ ପରିତ୍ୟାଗ କରି କ୍ରମଶଃ ଜଟିଳ ପଥ ଗ୍ରହଣ କଲା, ସେତେବେଳେ ନିୟନ୍ତ୍ରଣ କରିବା ନିମନ୍ତେ କଟୁଭାଷା ଓ ଅର୍ଥଦଣ୍ଡ ଶାସ୍ତି ହିଁ ପ୍ରଦାନ କରା ଯାଉଥିଲା । କିନ୍ତୁ ବର୍ତ୍ତମାନ ଜଟିଳତର ଆଚରଣରେ ପ୍ରୟୋଜନ ଅନୁସାରେ ରାଜା ପ୍ରାଣଦଣ୍ଡ ଦେବାକୁ ବାଧ୍ୟ ହେଉଛନ୍ତି । ଏହି ପ୍ରାଣଦଣ୍ଡାଦେଶ ଦେଇ ମଧ୍ୟ ରାଜ୍ୟକୁ ଅପରାଧ ମୁକ୍ତ କରି ଧର୍ମ ମର୍ଯ୍ୟାଦା ରକ୍ଷା କରିବା ଅସମ୍ଭବ ହୋଇଅଛି । ସାଧାରଣତଃ ଯେଉଁମାନେ ଦସ୍ୟୁବୃତ୍ତି ଅବଲମ୍ବନ କରିଥାନ୍ତି ସେମାନେ ବିବେକହୀନ ହୋଇଥାନ୍ତି । ସେମାନଙ୍କର ଅପହରଣ କରିବା ସମୟରେ କୌଣସି ବାଛବିଚାର ବା ମମତା ବୋଧ ନଥାଏ । ମୋ ମତରେ ସେହିପରି ଅପରାଧୀ ପୁନଶ୍ଚ ସତ୍‌ହୋଇ ସଦାଚାର କରିବ ବୋଲି ଭାବି ଉପଯୁକ୍ତ ଦଣ୍ଡ ଦାନ ନ କରିବା ହିଁ ଅନ୍ୟାୟ, ଅଧର୍ମ ।

 

ପୁତ୍ର ସତ୍ୟବାନ ରାଜାଙ୍କର ଉକ୍ତି ଶୁଣି କହିଲେ : ଆପଣଙ୍କର ଯୁକ୍ତି ସ୍ୱୀକାର କଲେ ମଧ୍ୟ ଏପରି ଭାବନା ନେଇ କୌଣସି ରାଜା ଯଦି ଧର୍ମାନୁସାରେ ଶାସନ କରନ୍ତି ତାହେଲେ ସେପରି ଶାସନ ତ୍ରୁଟିପୂର୍ଣ୍ଣ ।

 

ଦ୍ୟୁମତ୍‌ସେନ କହିଲେ : ପୁତ୍ର ତୁମେ ଏଠାରେ ଧର୍ମ ସମ୍ବନ୍ଧରେ ଆକ୍ଷେପ କରୁଅଛ । ତେବେ କେଉଁ ପ୍ରକାର ଧର୍ମ ଅବଲମ୍ବନ କରି ରାଜା ରାଜ୍ୟଶାସନ କରିବ ?

 

ଦ୍ୟୁମତ୍‌ସେନଙ୍କ ପ୍ରଶ୍ନରେ ସତ୍ୟବାନ କହିଲେ : ନିରୀହ ଓ ସତ୍‌ ସ୍ୱଭାବଧର୍ମୀ ପ୍ରଜାଙ୍କୁ ନିରାପଦ ଓ ନିଶ୍ଚିନ୍ତରେ ରଖିବା ରାଜାଙ୍କର ଧର୍ମ । ଅନିଶ୍ଚିୟତାରେ କବଳିତ ହୋଇ ଦିଗ୍‌ଭ୍ରାନ୍ତ ମନୁଷ୍ୟ ତାର ଜନ୍ମଗତ ସତ୍‌ସ୍ୱଭାବ ଜଳାଞ୍ଜଳି ଦେଇଁ ଅପରାଧୀ ଜୀବନ ଅବଲମ୍ବନ କରିବାକୁ ବାଧ୍ୟ ହୋଇଯାଏ । ସେହିମାନଙ୍କର ଅନିଶ୍ଚିୟତା ଦୂର କରି, ଅଭାବ ପ୍ରତିହତ ରଖି, ଅପରାଧମୁଖୀ ନ କରାଇ ସତ୍‌ଜୀବନଯାପନ ନିମନ୍ତେ ଉତ୍ସାହିତ କରିବାହିଁ ପ୍ରକୃତ ରାଜଧର୍ମ । ପ୍ରଜାଙ୍କୁ ସଦାଚାରରେ ପାଳନ ଓ ଅଭାବ ଅଭିଯୋଗ ମୁକ୍ତ ରଖି ସୁଖୀ କରାଇବା ହିଁ ରାଜଧର୍ମ । ଯେଉଁ ରାଜା ରାଜ୍ୟ ମଧ୍ୟରେ ଚୋର ତସ୍କର ଅସାଧୁ ପାଦୁର୍ଭାବ ବୃଦ୍ଧିରେ ପ୍ରାଣଦଣ୍ଡ ଦେବା ପରିବର୍ତ୍ତେ ନିଜେ ଅନୁଶୋଚନା ଓ ଲଜ୍ଜାବୋଧ କରିଥାନ୍ତି ସେହି ପ୍ରକୃତ ରାଜା ଓ ରାଜଧର୍ମ ପାଳନକାରୀ ।

 

ତାତ ! ଆପଣ ସ୍ୱୀକାର କରନ୍ତି ଯେ କେବଳ ମାତ୍ର ପ୍ରାଣଦଣ୍ଡଦ୍ୱାରା ଅପରାଧ ନିବୃତ୍ତ ହୁଏ ନାହିଁ । ଯଦି ରାଜା ଓ ପ୍ରଜା ଉଭୟେ ଦଣ୍ଡ ଦେବା ଓ ଗ୍ରହଣ କରିବାରେ ନିର୍ଭୟ ହୁଅନ୍ତି ତାହେଲେ ସେ କ୍ଷେତ୍ରରେ ସେପରି ଦଣ୍ଡାଦେଶର କୌଣସି ସାର୍ଥକତା ନଥାଏ । ଦଣ୍ଡ ନିର୍ଭୟରେ ଗ୍ରହଣ କରିବା ସଦୃଶ ଯଦି ପ୍ରଜାଗଣ କ୍ରମଶଃ ଦୁରାଚାରୀ ହୁଅନ୍ତି ତାହେଲେ ସେ କ୍ଷେତ୍ରରେ ରାଜା କିପରି ଭାବରେ ଦୁଷ୍ଟ ଦମନ କରି ଶିଷ୍ଟ ପାଳନ କରିବେ ?

 

ଏହା ମଧ୍ୟ ସତ୍ୟ ଯେ ଅପରାଧୀ ମନରେ ଭୟ ସଞ୍ଚାର କରି ଅପରାଧ ମନସ୍କାତାକୁ ଦମନ କରି ଅନାଚାରମୁଖୀ ନ ହେବା ନିମନ୍ତେ ହିଁ ଦଣ୍ଡ ଦାନର ପ୍ରଧାନ ଉଦ୍ଦେଶ୍ୟ । ଦଣ୍ଡ ବିଷୟରେ ଭୟବୋଧ ଯଦି ଅପରାଧୀ ମନରୁ ଦୂରୀଭୂତ ହୁଏ ତାହେଲେ ଦଣ୍ଡର ସାର୍ଥକତା ନଥାଏ-। ରାଜା ନିଜେ ବିପନ୍ନ ହୋଇ ବିପନ୍ନ ପ୍ରଜାଗଣ ସହିତ ଅରାଜକତାର ଶିକାର ହୋଇଥାନ୍ତି ।

 

ପୁନଶ୍ଚ ରାଜା ପ୍ରାୟ ପାରିଷଦ୍‌ବର୍ଗ ବେଷ୍ଟିତ ହୋଇ ରହିଥାନ୍ତି । କାରଣ ପାରିଷଦ୍‌ବର୍ଗ ହିଁ ରାଜାଙ୍କର ମନ୍ତ୍ରଣାଦାତା । ପରରାଜ୍ୟ ଅଧିକାର ଇଚ୍ଛାଠାରୁ ସମ୍ପଦ ଭୋଗ ବାସନା ପର୍ଯ୍ୟନ୍ତ କୌଣସି ରାଜା କେବେ ଏହି ବାସନାରୁ ମୁକ୍ତ ହୋଇପାରି ନାହାନ୍ତି । କୂଟନୀତି, କୁଟକୌଶଳ ଅବଲମ୍ବନ କରି ରାଜା ପ୍ରଜା ଶାସନ କରିଥାନ୍ତି । ଏହି ନୀତିର ପ୍ରଭାବରେ ରାଜାଙ୍କୁ ପ୍ରଭାବିତ କରି ରଖିବା ସ୍ୱାଭାବିକ । ଫଳରେ ବିଚାର କ୍ଷେତ୍ରରେ ଏହି କୁଟନୀତି-ପ୍ରଭାବର ପ୍ରତିଫଳନର ଅଧିକ ସମ୍ଭାବନା ଥାଏ । କୌଣସି ରାଜା ଦୃଢ଼ ସ୍ୱରରେ ତାଙ୍କ ବିଚାର ‘ମନିନଶୀଳ’ ଏକଥା କହିବା ଅସମ୍ଭବ ।

 

ଏସବୁ ଶୁଣି ‘ଦ୍ୟୁମତ୍‌ସେନ୍‌ ପୁତ୍ରଙ୍କୁ ପଚାରିଲେ : ତାହେଲେ ଅପରାଧୀକୁ ଦଣ୍ଡଦାନ ବିଷୟରେ ରାଜଧର୍ମ କେଉଁ ଭାବରେ ହେବା ଉଚିତ ବୋଲି ତୁମେ ମନେକର ?

 

ସତ୍ୟବାନ କହିଲେ : ମୋ ମତରେ ବିଚାର ଦାୟିତ୍ୱ ଓ ଅପରାଧିର ଅପରାଧର ଗୁରୁତ୍ୱ ନିରୂପଣ କରିବା ଦାୟିତ୍ୱ ବିଦ୍ୟାବାନ, ହୃଦୟବାନ, ବ୍ରାହ୍ମଣ ଉପରେ ନ୍ୟସ୍ତ ରହିବା ଉଚିତ । ଯେଉଁ ବ୍ରାହ୍ମଣ ସମଦର୍ଶୀ ଓ ରାଜ୍ୟର ଅଭ୍ୟୁଦୟ ଯାହାର କାମ୍ୟ ସେହି ସତ୍‌ବ୍ରାହ୍ମଣ । ଏହିପରି ସତ୍‌ ବ୍ରାହ୍ମଣଙ୍କର ଦୃଷ୍ଟି ସ୍ୱଚ୍ଛ, ସ୍ୱାର୍ଥହୀନ ଓ ଉଦାର । ଏହାଙ୍କ ବିଚାର କେବେହେଁ ପକ୍ଷପାତ ଯୁକ୍ତ ହେବ ନାହିଁ, ପରନ୍ତୁ ଅପରାଧୀ ଏହି ବ୍ରାହ୍ମଣଙ୍କ ସଂସ୍ପର୍ଶରେ କୃତ ଅପରାଧ ନିମନ୍ତେ ଅନୁତପ୍ତ ହୋଇ କଳୁଷମୟ ଜୀବନଯାପନ ପ୍ରଣାଳୀ ପରିବର୍ତ୍ତନ କରିବା ନିମନ୍ତେ ଚେଷ୍ଟା କରିବ । ଔଦାର୍ଯ୍ୟ ଓ ଅହିଂସା ଏପରି ମହାନ୍‌ ଓ ଆକର୍ଷଣୀୟ ଯେ ଅତ୍ୟନ୍ତ ଦୁରାଚାରୀ ମଧ୍ୟ କଳୁଷମୁକ୍ତ ହୋଇଥାଏ । ଅବଶ୍ୟ ଏହାର ମଧ୍ୟ ବ୍ୟତିକ୍ରମ ଅଛି । ଯେଉଁ କ୍ଷେତ୍ରରେ ବିଚାରକ ବ୍ରାହ୍ମଣ ଅପରାଧୀର ଅଭ୍ୟୁଦୟ ଅସମ୍ଭବ ବୋଲି ଭାବନ୍ତି । ସେ କ୍ଷେତ୍ରରେ ବିଚାରକ ରାଜାଙ୍କୁ ଜଣାଇବା ବିଧେୟ ଏବଂ ରାଜା ସେହି ଅପରାଧୀକୁ ଦଣ୍ଡାଦେଶ କରିବା ଉଚିତ । କିନ୍ତୁ ମୋର ବିଶ୍ୱାସ ଔଦାର୍ଯ୍ୟ ଓ ଅହିଂସା ଅସମ୍ଭବକୁ ସମ୍ଭବ କରିପାରେ ଏବଂ କଳୁଷମୟ ପରିବେଶକୁ ସୌନ୍ଦର୍ଯ୍ୟମୟ କରିଥାଏ । ମହତ୍‌ ସତ୍‌ ସୁନ୍ଦରର ଅନୁକରଣ ଓ ଅନୁସରଣ କରିବା ହିଁ ମନୁଷ୍ୟର ସହଜାତ ଧର୍ମ । ଏହା ବ୍ୟତୀତ ପ୍ରଜାଙ୍କ ମଙ୍ଗଳ ସାଧନ ନିମନ୍ତେ ରାଜା ସଦା ଜାଗ୍ରତ ରହିବା ଆବଶ୍ୟକ ।

 

ଅନ୍ନଗତ ପ୍ରାଣ ନେଇ ମନୁଷ୍ୟ ଜନ୍ମଲାଭ କରେ । ସୁତରାଂ ଅନ୍ନର ଅପ୍ରତୁଳତା ଓ ଅସମ ବଣ୍ଟନହିଁ ମନୁଷ୍ୟ ମନକୁ ବିକ୍ଷୁବ୍‌ଧ କରି ଅନାଚାର ପଥ ଗ୍ରହଣ କରିବାକୁ ବାଧ୍ୟ କରିଥାଏ । ରାଜା ଯଦି ଏହି ଦିଗରୁ ସତର୍କ ରହି ଜୀବ ଅନୁପାତରେ ଉତ୍ପାଦନ ବୃଦ୍ଧି ପ୍ରଚେଷ୍ଟା, ବୃତ୍ତିମୁଖୀ ମନୁଷ୍ୟକୁ ନିଶ୍ଚିନ୍ତରେ ବୃତ୍ତି ଅବଲମ୍ବନ କରି ଜୀବିକା ନିର୍ବାହ କରିବାକୁ ଅକ୍ଳେଶ ପ୍ରୟାସ ଓ ସାହାଯ୍ୟ ପ୍ରଦାନ କରନ୍ତି ତାହେଲେ ସେହି ରାଜାହିଁ ଆଦର୍ଶ ଓ ସର୍ବଜନପ୍ରିୟ ହୋଇପାରନ୍ତି । ପ୍ରଜାଙ୍କୁ ଅଭାବରୁ ମୁକ୍ତ ରଖିବା ଓ ପ୍ରଜାଗଣଙ୍କର ଆତ୍ମିକ ଅଭ୍ୟୁଦୟ ଘଟାଇ ଅପରାଧ ଓ ଅପରାଧୀକୁ ସୁନିୟନ୍ତ୍ରିତ କରିବା ହିଁ ଯଥାର୍ଥ ରାଜଧର୍ମ ।

 

ରାଜା ଦ୍ୟୁମତ୍‌ସେନ୍‌ ପୁତ୍ର ସତ୍ୟବାନଙ୍କର ଯୁକ୍ତି ଶୁଣି ଚମତ୍କୃତ ହୋଇଥିଲେ ଏବଂ ଭବିଷ୍ୟତ ରାଜପଦ ଅଧିକାରୀ ପୁତ୍ରର ପ୍ରଜ୍ଞାରେ ଆତ୍ମବିହ୍ୱଳ ହେଲେ ।

Image

 

ଦ୍ରୌପଦୀ ସତ୍ୟଭାମା ସମ୍ବାଦ

 

ହସ୍ତିନାପୁର ପରିତ୍ୟାଗ କରି ପାଣ୍ଡବଗଣଙ୍କର ବନବାସ କାଳରେ ବିଜନ ବନସ୍ଥଳୀ ମଧ୍ୟ ଜନ ସମାକୀର୍ଣ୍ଣ ହେଉଥିଲା । ଯୁଧିଷ୍ଠିର ହସ୍ତିନାପୁର ଅବସ୍ଥାନ କାଳରେ ଯେପରି ସମାଦରରେ ଅତିଥି ଚର୍ଚ୍ଚା କରୁଥିଲେ କାମ୍ୟକ ବନରେ ମଧ୍ୟ ଅତିଥି ସତ୍କାର କରିବାରେ ତ୍ରୁଟି କରି ନଥିଲେ । ସେ ବନଜାତ ଦ୍ରବ୍ୟ ଫଳମୂଳ ଇତ୍ୟାଦି ଆହରଣ ପୂର୍ବକ ସମାଦରରେ ଅତିଥି ଚର୍ଚ୍ଚା କରୁଥିଲେ ।

 

କାମ୍ୟକ ବନରେ ଏହିପରି ଅବସ୍ଥାନ କାଳରେ ଏକଦା ଶ୍ରୀକୃଷ୍ଣ ମହର୍ଷି ସତ୍ୟଭାମାଙ୍କ ସହ ପାଣ୍ଡବ ଦର୍ଶନ ନିମନ୍ତେ କାମ୍ୟକ ବନକୁ ଆସିଥିଲେ । ପ୍ରିୟସଖା ଶ୍ରୀକୃଷ୍ଣଙ୍କ ଦର୍ଶନରେ ପାଣ୍ଡବଗଣ ହର୍ଷୋତ୍‌ଫୁଲ୍ଲ ହୋଇ ଅତିଥିଙ୍କୁ ସତ୍କାର କରିବା ନିମନ୍ତେ ବ୍ୟଗ୍ର ହୋଇ ଉଠିଲେ । ସେହି ସମୟରେ ସେଠାରେ ଅନ୍ୟାନ୍ୟ ଋଷିଙ୍କ ସହ ମହାଜ୍ଞାନୀ ଚିରଞ୍ଜିବୀ ମାର୍କଣ୍ଡେୟ ଋଷି ମଧ୍ୟ ଉପସ୍ଥିତ ଥିଲେ । ପାଣ୍ଡବ ଭ୍ରାତା ଅଭ୍ୟର୍ଥନା ସହ ସଖା ଶ୍ରୀକୃଷ୍ଣଙ୍କୁ ଆଣି ଅନ୍ୟାନ୍ୟ ଋଷି ତଥା ମାର୍କଣ୍ଡେୟଙ୍କ ସହିତ ପରିଚିତ କରାଇଥିଲେ । ଅନନ୍ତର ଯଦୁପତି ଶ୍ରୀକୃଷ୍ଣ ଋଷିବୃନ୍ଦ ଓ ପାଣ୍ଡବଭ୍ରାତା ମିଳିତ ହୋଇ କଥୋପକଥନରେ ବ୍ୟସ୍ତ ରହିଥିବା ସମୟରେ ମହର୍ଷି ସତ୍ୟଭାମା ରଥର ଅବତରଣ ପୂର୍ବକ ଏକାକୀ ନିର୍ଜ୍ଜନରେ ବସି ବିଶ୍ରାମ କରୁଥିବା ଦୌପଦୀଙ୍କ ସହ ସାକ୍ଷାତ କରିଥିଲେ । ସଖା ଶ୍ରୀକୃଷ୍ଣଙ୍କ ଦର୍ଶନରେ ପାଣ୍ଡବ ଭ୍ରାତାଗଣ ଯେପରି ଉତ୍‌ଫୁଲ୍ଲ ହୋଇ ଉଠିଥିଲେ ମହର୍ଷି ସଭ୍ୟମାନଙ୍କ ଆଗମନରେ ମଧ୍ୟ ଦ୍ରୌପଦୀ ସେହିପରି ହର୍ଷୋତ୍‍ଫୁଲ୍ଲ ହୋଇ ସତ୍ୟଭାମାଙ୍କୁ ଅଭ୍ୟର୍ଥନା ଜଣାଇଥିଲେ ।

 

ଜଳରେ ଜଳ ମିଶି ଜୁଆର ସୃଷ୍ଟି କଲାଭଳି ଦୁଇ ସଖୀଙ୍କ ମନ ମିଳନ ହେବାରୁ ମନଖୋଲା ଆଳାପ ଆରମ୍ଭ ହୋଇଥିଲା । ଏହି ପ୍ରାଣଖୋଲା ଆଳାପରେ ସତ୍ୟଭାମା ବହୁବଲ୍ଲଭା ଶ୍ରୀକୃଷ୍ଣଙ୍କର ତାଙ୍କପ୍ରତି ଏକନିଷ୍ଠ ପ୍ରେମରେ ସନ୍ଦେହ ପ୍ରକାଶକରି ମନଦୁଃଖ ପ୍ରକାଶ କରିଥିଲେ ଏବଂ ପ୍ରତି ପାଣ୍ଡବଙ୍କର ଅନ୍ୟ ପତ୍ନୀ ଥିବା ସତ୍ତ୍ୱେ ଦ୍ରୌପଦୀ କିପରି ପଞ୍ଚପାଣ୍ଡବ ସଦୃଶ ପୁରୁଷଙ୍କୁ ପତି ଭାବରେ ସେବା କରି ସନ୍ତୁଷ୍ଟ କରି ପାରିଛନ୍ତି ଏବଂ ଦ୍ରୌପଦୀ ସପତ୍ନୀଙ୍କ ସମ୍ବନ୍ଧରେ ଚିନ୍ତା ଶୂନ୍ୟ ହୋଇ କିପରି ନିଶ୍ଚିନ୍ତରେ କାଳ କାଟୁଛନ୍ତି ? ଏହି କଥା ସତ୍ୟଭାମା ଆଶ୍ଚର୍ଯ୍ୟାନ୍ୱିତ ହୋଇ ନିଜର ମନର ଆବେଗ ଦୂର କରିବା ନିମନ୍ତେ ପଚାରିଥିଲେ ।

 

ଦୌପଦୀ ସତ୍ୟଭାମାଙ୍କ ଉତ୍ତରରେ କହିଲେ ସେ ପଞ୍ଚପାଣ୍ଡବଙ୍କ ଅନ୍ୟ ପତ୍ନୀମାନଙ୍କର ଅସ୍ତିତ୍ୱ ଜାଣି ନାହାନ୍ତି । କାରଣ ପାଣ୍ଡବଗଣ ତାଙ୍କର ଏକାନ୍ତ ଅନୁଗାମୀ । ସତ୍ୟଭାମା ଏକଥା ଶୁଣି ପଚାରିଲେ; ଏହା କିପରି ସମ୍ଭବ ?

 

ଦ୍ରୌପଦୀ କହିଲେ : ସତ୍ୟଭାମା ! ମୁଁ ତ ମନେକରେ ଏହି ଅମିତ ବଳଶାଳୀ ପଞ୍ଚପାଣ୍ଡବ ଏ ଜଗତରେ ମୋ ବ୍ୟତୀତ ଆଉ କାହାରିକୁ ଜାଣନ୍ତି ନାହିଁ ।

 

ସତ୍ୟଭାମା : ଏକଥା ମୁଁ ସ୍ୱୀକାର କରୁଛି । ତୁମେ କିପରି ଏକାକିନୀ ଏହି ପାଣ୍ଡବ ଭ୍ରାତାଙ୍କର ହୃଦୟର ମଣି ହୋଇ ରହିଅଛ ? କିପରି ଏହି ଅସାଧ୍ୟ ସାଧନ କରିଛ ? ନିତ୍ୟ ନୂତନ ଅଭିଳାଷୀ ଏହି ଦୁର୍ଦ୍ଦଷ ପୁରୁଷ ଚିତ୍ତକୁ ତୁମେ କିପରି ଜୟ କରିଛ ? ନିଶ୍ଚୟ ତୁମେ ଏପରି କୌଣସି କୌଶଳ ଜାଣିଛ ଯାହାଦ୍ୱାରା ଏହିପରି ସ୍ୱାମୀମାନଙ୍କୁ ବଶ କରି ପାରିଛ ।’

 

ଦୌପଦୀ ସତ୍ୟଭାମାଙ୍କୁ ବଶକରି ରଖିବା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଚାରିଲେ : ବଶକରି ରଖିବା କଥା କାହିଁକି କହିଲ ?

 

ସତ୍ୟଭାମା କହିଲେ : ତା ନୁହେଁ ତ କଣ ନହେଲେ ଯେଉଁମାନେ ଏତେ ପତ୍ନୀ ଏତେ ରମଣୀ ସାନ୍ନିଧ୍ୟ ତ୍ୟାଗକରି ଏବଂ ଯେଉଁ ସ୍ୱାମୀମାନେ ଏକ ମୁହୂର୍ତ୍ତ ଅନ୍ୟ କାହାରି ବିଷୟରେ ନ ଭାବି କେବଳ ତୁମ୍ଭକୁ କେନ୍ଦ୍ର କରି ଅଛନ୍ତି–ଏହା ବଶ୍ୟତା ସ୍ୱୀକାର ନହୋଇ ଆଉ କଣ ହୋଇପାରେ-? ଯଦି ମୋତେ ତୁମ୍ଭର ଏହି ବିଦ୍ୟା ଶିଖାଇ ଦିଅନ୍ତ ତା’ହେଲେ ମୁଁ ଏପରି ସପତ୍ନୀଙ୍କ ଜ୍ୱାଳାରେ ଅସ୍ତବ୍ୟସ୍ତ ହୁଅନ୍ତି ନାହିଁ ।

 

ମୁହୂର୍ତ୍ତକ ମଧ୍ୟରେ ଦ୍ରୌପଦୀଙ୍କ ମୁଖ ଗମ୍ଭୀର ହୋଇ ଉଠିଲା । ସତ୍ୟଭାମାଙ୍କ କଥା ଶେଷ ନହେଉଣୁ କହିଲେ : ଯେଉଁ ନାରୀ ତନ୍ତ୍ର, ମନ୍ତ୍ର ବଳରେ ସ୍ୱାମୀକୁ ବଶୀଭୂତ କରିଥାଏ । ନାରୀ ହୋଇ ମଧ୍ୟ ସେ ଫୁଶ୍ଚଳୀ । ସ୍ତ୍ରୀ ହୋଇ ମଧ୍ୟ ଅଧର୍ମୀ ଓ ଜାୟା ହୋଇ ଅଜ୍ଞାନ ।

 

ଏ କଥାରେ ସତ୍ୟଭାମା ବୁଝିପାରିଲେ ଯେ ତାଙ୍କର ରହସ୍ୟାଳାପ ଭିନ୍ନରୂପ ଧାରଣ କରିଛି । ସେ ନିଶ୍ଚୁପ ହୋଇ ଦୌପଦୀଙ୍କ କଥା ଶୁଣିବାକୁ ଲାଗିଲେ ।

 

ପୁନଶ୍ଚ ଦ୍ରୌପଦୀ ଆରମ୍ଭ କଲେ : ପୁରୁଷ ଅନ୍ୟ ସ୍ତ୍ରୀ ସଂସର୍ଗ କଲେହେଁ ସେ ନିର୍ବୋଧ ନୁହେଁ । ଯେଉଁ ମୁହୂର୍ତ୍ତରେ ସ୍ୱାମୀ ସ୍ତ୍ରୀର ଛଳନାର ଅପକୌଶଳ ଜାଣିପାରେ ସେ ସେହି ମୁହୂର୍ତ୍ତରେ ସ୍ତ୍ରୀକୁ ତ୍ୟାଗ କରିଥାଏ । ଏହା ବ୍ୟତୀତ ଯେଉଁ ସ୍ତ୍ରୀ ସ୍ୱାମୀ ନିମନ୍ତେ ଛଳନାର ଅପକୌଶଳ ଆଶ୍ରୟ ନେଇଥାଏ ସେ ଅସତୀ ଓ ଅଧର୍ମ୍ମଚାରିଣୀ । କେବଳ ସେବା ଓ ଶ୍ରଦ୍ଧା ବଳରେ ପତିର ମନକୁ ଜୟ କରିବା ହିଁ ସ୍ତ୍ରୀର ଦକ୍ଷତା ।

 

ଏହିକଥା ଶୁଣି ସତ୍ୟଭାମା କହିଲେ : ଦ୍ରୌପଦୀ ତୁମର ଯୁକ୍ତି ସ୍ୱୀକାର କରୁଛି । ସ୍ତ୍ରୀର ଯଦି ଗୋଟିଏ ସ୍ୱାମୀ ହେବ ତା’ହେଲେ ଏହି ଶ୍ରଦ୍ଧା ଓ ସେବା ବଳରେ ହୁଏତ ଚେଷ୍ଟାକଲେ ସ୍ୱାମୀର ମନ ଜୟ କରିହେବ । କିନ୍ତୁ ତୁମ କ୍ଷେତ୍ରରେ ପଞ୍ଚପତିଙ୍କୁ ଏକାଧାରରେ ସେବା ଓ ଶ୍ରଦ୍ଧା କରିବା କିପରି ସମ୍ଭବ ହୋଇଛି । ଏହାହିଁ ଜାଣିବା ନିମନ୍ତେ ମୁଁ କୌତୁହଳୀ ହୋଇଛି ।

 

ସତ୍ୟଭାମାଙ୍କ ବଚନ ଶୁଣି ଦ୍ରୌପଦୀ କହିଲେ : ମୁଁ ପଞ୍ଚସ୍ୱାମୀଙ୍କ ପତ୍ନୀ ହୋଇଥିଲେ ହେଁ ସମସ୍ତଙ୍କ ପ୍ରତି ସମଭାବାପନ୍ନା ଓ ସମକର୍ତ୍ତବ୍ୟ ପରାୟଣା । ମୋର ପତିମାନଙ୍କର ସପତ୍ନୀ ଥିବା ସତ୍ତ୍ୱେ ଓ ସେ ମୁଁ କେବେହେଁ କାହାରି ପ୍ରତି କ୍ରୋଧ ବା ଘୃଣା ପ୍ରକାଶ କରିନାହିଁ । କଠୋର ସଂଯମ ଓ ବୁଦ୍ଧି ବିବେଚନା ବଳରେ ମୋ ନିଜ ମାନସିକ ଚାଞ୍ଚଲ୍ୟକୁ ଦମନ କରି ଏବଂ ମାନ ଅଭିମାନକୁ ବିସର୍ଜ୍ଜନ ଦେଇ ପତିମାନଙ୍କର ନିଷ୍କାମ ସେବା କରୁଛି । ପୁନଶ୍ଚ ଶୁଣ ସତ୍ୟଭାମା ଯେଉଁ ପତ୍ନୀ କାମନା ବଶବର୍ତ୍ତୀ ହୋଇ ପତିସେବା କରେ ସେ କେବେହେଁ ପତିର ଶ୍ରଦ୍ଧାଭାଜନ ହୋଇପାରିବ ନାହିଁ । ପତି ସର୍ବସ୍ୱ ପତ୍ନୀର ଶ୍ରଦ୍ଧା ଓ ବିଶ୍ୱାସହିଁ ଏକମାତ୍ର ଧର୍ମ ।

 

ଏତିକି ଶୁଣି ସତ୍ୟଭାମା ଦ୍ରୌପଦୀଙ୍କ ଯୁକ୍ତି ଖଣ୍ଡନ କରିବାକୁ ଯାଇ କହିଲେ : ପତ୍ନୀ ପକ୍ଷରେ ସଦାସର୍ବଦା ଏପରି କରିବା କେବେହେଁ ସମ୍ଭବ ନୁହେଁ । କାରଣ ପୁରୁଷ ମନ ଯେପରି ଚଞ୍ଚଳ ହୋଇ ନୂତନତ୍ୱ ସନ୍ଧାନ କରିଥାଏ ସେହିପରି ସ୍ତ୍ରୀ ମନ ମଧ୍ୟ ନଦୀ ସଦୃଶ ଚଞ୍ଚଳ । ସେହି ନଦୀରେ କଦାଚ ଜୁଆର ନ ଉଠିବା ହିଁ ଅସ୍ୱାଭାବିକ । ଯେତେବେଳେ ଏହି ଜୁଆର ଉଠିବ ତାକୁ ବନ୍ଧଦେଇ ଅଟକାଇବା ମଧ୍ୟ ଅସମ୍ଭବ ହେବ ।

 

ସତ୍ୟଭାମାଙ୍କ ଭକ୍ତିରେ ଦ୍ରୌପଦୀ ଦୃଢ଼ତା ଦେଖାଇ କହିଲେ : ଜୁଆରକୁ ବନ୍ଧ ଦେଇ ଅଟକାଇବାହିଁ ଦକ୍ଷତା । ଜୁଆରରେ ଭାସିଯିବା ସହଜସାଧ୍ୟ । ଜୁଆରରେ ଭାସିଯିବା ସମୟରେ ସ୍ତ୍ରୀ ସେତେବେଳେ ଧର୍ମ୍ମ ସାକ୍ଷୀ ରଖି ବିବାହ କରିଥିବା ସ୍ୱାମୀର ଜାୟା ନ ହୋଇ ଫୁଶ୍ଚଳୀ ହୋଇ ସ୍ୱାମୀଙ୍କ ପ୍ରତି ସମସ୍ତ ଶ୍ରଦ୍ଧା ହରେଇ ବସିବ । କୁଳହରା ହୋଇ ଅକୁଳରେ ଭାସି ଉଠିବ । ଅନ୍ୟପକ୍ଷରେ ସ୍ତ୍ରୀ ଯଦି ଥରେ ମନେ ମନେ ସ୍ଥିର କରେ ଯେ ଗତିହିଁ ତାର ଦେହ, ମନ, ପ୍ରାଣ ସର୍ବସ୍ୱ ଏବଂ ଏହି ବିଶ୍ୱାସରେ ଅଟଳ ରହେ ତାହେଲେ ତାକୁ କୌଣସି ଜୁଆର ଭସେଇ ନେଇ ପାରିବ ନାହିଁ । ଦ୍ରୌପଦୀ ନିଜର ପଞ୍ଚପତିଙ୍କ ଗରିମାର ଉଦାହରଣରେ କହିଲେ : ଦେଖ ସତ୍ୟଭାମା ! ମୋ ପତିଙ୍କ ଗରିମାରେ ମୁଁ ଗରୀୟସି କାରଣ ଶୌର୍ଯ୍ୟ, ବୀର୍ଯ୍ୟରେ ପଞ୍ଚୁପାଣ୍ଡବଙ୍କ ତୁଲ୍ୟ ପୁରୁଷ ଏ ପୃଥିବୀରେ ଆଉ କେହି ନାହାନ୍ତି ଏବଂ ପାଣ୍ଡବ ଅଗ୍ରଜ ଯୁଧିଷ୍ଠିରଙ୍କ ସଦୃଶ ରମଣୀୟ ଧର୍ମପ୍ରାଣ ଆଉ କେଉଁ ପୁରୁଷର ଅଛି ବୋଲି ବିଶ୍ୱାସ କରେ ନାହିଁ ।

 

ଏହି କଥାରେ ସତ୍ୟଭାମା କହିଲେ : ଦ୍ରୌପଦୀ ! ତୁମେ କଦାଚ ଅନ୍ୟ ପୁରୁଷଙ୍କ ଶୌର୍ଯ୍ୟ ବୀର୍ଯ୍ୟ ସମ୍ବନ୍ଧରେ କିଛି ଜାଣି ନଥାଇ ତୁମ ପତିଙ୍କ ସଦୃଶ ବୀର ଓ ପାଣ୍ଡବ ଅଗ୍ରଜଙ୍କ ଭଳି ଧାର୍ମିକ ଦ୍ୱିତୀୟ କେହି ନାହିଁ ବୋଲି କହିବା ଯୁକ୍ତିଯୁକ୍ତ ହେବ ନାହିଁ । କାରଣ ମୋ ସ୍ୱାମୀ ଶ୍ରୀକୃଷ୍ଣ ମଧ୍ୟ ଏ ତୁଳନାରେ କିଛି କମ୍‌ ନୁହନ୍ତି ! ଏବଂ ମୋ ସ୍ୱାମୀଙ୍କୁ ଯଥେଷ୍ଟ ସେବା ଯତ୍ନ କରି ମଧ୍ୟ ନିଜର ବଶୀଭୂତ କରିପାରି ନାହିଁ ।

 

ଏ କଥା ଶୁଣି ଦ୍ରୌପଦୀ ଲଜ୍ଜିତ ହୋଇ କହିଲେ : ଦେଖ ସତ୍ୟଭାମା ! ହୁଏତ ତୁମ କଥା ଠିକ୍‌ । କିନ୍ତୁ ମୁଁ ଆସ୍ଫାଳନ କରି ନାହିଁ । ଯାହା କରିଛି ମୋର ସ୍ୱ ଅନୁଭୂତି ହିଁ ଅନ୍ତରର ମନୋଭାବ ବର୍ଣ୍ଣନା କରିଛି ମାତ୍ର । ଏକଥା ସତ ଯେ ମୋର ପତିମାନଙ୍କ ବ୍ୟତୀତ ମୁଁ ଆଉ କାହାରିକୁ ଜାଣିବା ନିମିତ୍ତ ଚେଷ୍ଟା ମଧ୍ୟ କରିନାହିଁ । ମୋର ଏ ଅନୁଭୂତି ନିଜ ବିଶ୍ୱାସ ଉପରେ ହିଁ ପ୍ରତିଷ୍ଠିତ । କେବଳ ପତି ସର୍ବସ୍ୱ ପ୍ରାଣ ନେଇ ମୁଁ ସର୍ବଦା ପତିମାନଙ୍କର ସେବା କରି ଆସିଛି ଏବଂ ସର୍ବଦା କିପରି ପତିମାନଙ୍କୁ ସୁଖ ସ୍ୱାଚ୍ଛନ୍ଦ୍ୟ ଦେଇ ପାରିବି ଏହାହିଁ ଚିନ୍ତା କରିଛି ।

 

ଏକଥାରେ ସତ୍ୟଭାମା କହିଲେ : ତା’ହେଲେ କ’ଣ ନାରୀ ତାର ନିଜ ସତ୍ତା କିଛି ରଖିବ ନାହିଁ । ତୁମ୍ଭ ମତରେ ନାରୀ ସଦାସର୍ବଦା ପୁରୁଷ ଇଚ୍ଛା ନିକଟରେ ବନ୍ଦିହୋଇ ନିଜର ଅସ୍ତିତ୍ୱ ଭୁଲିଯିବ ? ଏହା ଅନ୍ୟାୟ । କାରଣ କେବଳ ଧର୍ମକୁ ସାକ୍ଷୀ ରଖି ନାରୀ ପୁରୁଷକୁ ବରଣ କରି ନଥାଏ ପୁରୁଷ ମଧ୍ୟ ନାରୀକୁ ଗ୍ରହଣ କରିଥାଏ ।

 

ଦ୍ରୌପଦୀ ସତ୍ୟଭାମାଙ୍କ ଏପରି ବାକ୍ୟରେ ଦ୍ୱିଧାଗ୍ରସ୍ତ ହୋଇ କହିଲେ ! ହୁଏତ ତୁମର କଥା ସତ୍ୟ ହୋଇପାରେ । କିନ୍ତୁ ଏକଥା ସତ ଯେ ନାରୀ ନଦୀ ହେଲେ ପୁରୁଷ ସମୁଦ୍ର ସଦୃଶ । ନଦୀ ତାର ଅସ୍ତିତ୍ୱ ଓ ସ୍ୱାତନ୍ତ୍ର୍ୟ ସବୁ ନେଇ ସାଗର ସହିତ ମିଶିଥାଏ । ନଦୀ ଭିନ୍ନ ପଥଗାମୀ ହେଲେ କେବଳ ନିଜର କଷ୍ଟ ବୃଦ୍ଧି କରି ମିଳନ ପଥକୁ ବନ୍ଧୁରମୟ କରିଥାଏ । ମୁଁ ଏହିକଥା ମୋ ବିବେକ ଓ ହୃଦୟଦ୍ୱାରା ବୁଝିପାରିଛି । ସେ ପତିଙ୍କ ନିକଟରେ ସପତ୍ନୀ ଥାଇ ସୁଦ୍ଧା ମୁଁ ନିଜକୁ ପତିଙ୍କ ପାଖରେ ସମର୍ପିତ କରିଥାଏ । ପତିର ଇଙ୍ଗିତ ବୁଝି ଚଳିବାହିଁ ପତ୍ନୀର ପ୍ରଧାନ କର୍ତ୍ତବ୍ୟ ଏବଂ ଧର୍ମ । ସ୍ୱାମୀର ମନ ଜୟ କରିବାକୁ ହେଲେ ପତ୍ନୀକୁ ଅହରହ ଘରଣୀ ହେବାକୁ ପଡ଼ିବ । ସର୍ବଦା ସ୍ୱାମୀଙ୍କୁ ସ୍ୱାସ୍ଥ୍ୟବାନ ନିଶ୍ଚିନ୍ତ ଓ ନିଋଦ୍‌ତା ରଖିବା ପତ୍ନୀର ପ୍ରଧାନ ଦାୟିତ୍ୱ । ହସ୍ତିନାପୁର ଅବସ୍ଥାନ କାଳରେ ପାଣ୍ଡବଗ୍ରଜ ନିତ୍ୟ ରାଜସ୍ୱୟ ଯଜ୍ଞ କରୁଥିଲେ । ପ୍ରତ୍ୟହ ଅଷ୍ଟସହସ୍ର ବ୍ରାହ୍ମଣ ସ୍ୱର୍ଣ୍ଣପାତ୍ରରେ ଅନ୍ନ ଗ୍ରହଣ କରୁଥିଲେ । ତ୍ରିଂଶ ସହସ୍ର ସ୍ନାତକ ରାଜପୁରୀରେ ଆଶ୍ରିତ ଥିଲେ । ପ୍ରତ୍ୟହ ଦଶ ସହସ୍ର ସନ୍ୟାସୀଙ୍କୁ ବିଶୁଦ୍ଧ ସ୍ୱର୍ଣ୍ଣପାତ୍ରରେ ଭିକ୍ଷାଦାନ ବ୍ୟବସ୍ଥା ଥିଲା । ଏହା ଧର୍ମ୍ମରାଜାଙ୍କର ନିତ୍ୟ ଯଜ୍ଞ ଥିଲା-। ଅତିଥି ପରିଚର୍ଯ୍ୟା ନିମନ୍ତେ ଏକ ଲକ୍ଷ ପରିଚାରିକା ନିଯୁକ୍ତ ଥିଲେ । ସୁତରାଂ ଧର୍ମରାଜଙ୍କର ସାହଚର୍ଯ୍ୟରେ ମୁଁ ନିତ୍ୟ ସେହି ଯଜ୍ଞର ଅତିଥିସେବା, ଦାସୀ ପରିଚାରିକାଙ୍କର ପରିଚର୍ଯ୍ୟା ସୂଚାରୁ ରୂପେ ତୁଲାଉଥିଲି । ସ୍ୱାମୀଙ୍କୁ ସବୁ କାର୍ଯ୍ୟରେ ସାହାଯ୍ୟ ଓ ନିଶ୍ଚିନ୍ତ କରିବା ହିଁ ମୋର ପ୍ରଧାନ କର୍ତ୍ତବ୍ୟ ମନେକରି ସଦାସର୍ବଦା ଜାଗ୍ରତ ରହୁଥିଲି । ଗୃହିଣୀ ଭାବରେ କର୍ତ୍ତବ୍ୟ ଭିତରେ ଗୋଷାଳକଙ୍କଠାରୁ ମେଷପାଳକ ଏପରିକି ଅନ୍ତଃପୁରର ପ୍ରତ୍ୟେକ କାର୍ଯ୍ୟ ନିଜ ତତ୍ୱାବଧାନରେ ଚାଳନା କରୁଥିଲି, କେବଳ ଏତିକି ନୁହେଁ ସତ୍ୟଭାମା ଏହା ବ୍ୟତୀତ ମୋର ପତିଙ୍କୁ ଅଯଥା ଉଦ୍‌ବିଗ୍ନ ନହେବା ପାଇଁ ଅନାଗାରର ସମୂହ ଆୟ ବ୍ୟୟର ହିସାବର ମଧ୍ୟ ଦାୟିତ୍ୱ ନେଇଥିଲି । କାରଣ ପତିମାନେ ନାନା କାର୍ଯ୍ୟରେ ବ୍ୟସ୍ତ ଥିବା ହେତୁ ଧନାଗାରର ହିସାବ ନିକାଶ ସୂଚାରୁ ରୂପେ ରଖି ନ ପାରିବାହିଁ ସ୍ୱାଭାବିକ୍‌ । ସ୍ତ୍ରୀର ଦାୟିତ୍ୱ ହିସାବରେ ମୁଁ ମଧ୍ୟ ଏହା ତୁଲାଉଥିଲି । ଏହି କର୍ତ୍ତବ୍ୟ ଓ ଦାୟିତ୍ୱ ତୁଲାଇବା ମୁଁ ସଦାସର୍ବଦା ପତିମାନଙ୍କୁ ବିଭ୍ରାନ୍ତି ମୁକ୍ତ କରି ପାରିଥିଲି ।

 

ସବୁ ଶୁଣି ସତ୍ୟଭାମା ଦ୍ରୌପଦୀଙ୍କ ଆତ୍ମସଂଯମ, କର୍ତ୍ତବ୍ୟନିଷ୍ଠା ଆତ୍ମତ୍ୟାଗର ଓ ବିଶ୍ୱାସର ପ୍ରଶଂସା କରିଥିଲେ । ଶ୍ରୀକୃଷ୍ଣଙ୍କ ପ୍ରତ୍ୟାବର୍ତ୍ତନ ସମୟ ଇଙ୍ଗିତରେ ଜାଣିପାରି ଦ୍ରୌପଦୀଙ୍କ ନିକଟରୁ ବିଦାୟ ନେଲେ ।

Image

 

ଅସିତ ଦେବଳ ନାରଦ ସମ୍ବାଦ

 

ପରମ ଭକ୍ତ ଓ ଜ୍ଞାନୀ ଦେବର୍ଷି ନାରଦ ଦେବଲୋକ, ମର୍ତ୍ତ୍ୟଲୋକ, ସୁରାସୁର ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ଦେବର୍ଷି ନାରଦଙ୍କ ମଧ୍ୟ ଗତିବିଧି ସର୍ବତ୍ର ଥିଲା ।

 

ଏକଦା ନାରଦ ଢିଙ୍କି ବାହନରେ ଆକାଶ ମାର୍ଗ ଭ୍ରମଣ ସମୟରେ ନିର୍ଜ୍ଜନ ବଣ ପ୍ରଦେଶରେ ଏକ ମନୋରମ ସ୍ଥାନରେ ମହାଜ୍ଞାନୀ ବ୍ରହ୍ମର୍ଷି ଅସିତ–ଦେବଳ’ଙ୍କୁ ଏକାନ୍ତରେ ବସିଥିବାର ଦେଖିଲେ । ଏହା ଦେଖି ଦେବର୍ଷି ନାରଦ କୌତୁହଳୀ ହୋଇ ସେଠାରେ ଉପସ୍ଥିତ ହେଲେ ଓ ବ୍ରହ୍ମର୍ଷିଙ୍କୁ ଅଭିନନ୍ଦନ ଜଣାଇଲେ । ଅସିତ ଦେବଳ ଦେବର୍ଷି ନାରଦଙ୍କୁ ଦେଖି ପ୍ରୀତ ହୋଇ ପ୍ରତ୍ୟଭିବାଦନ ଜ୍ଞାପନ ପୂର୍ବକ କୁଶାସନ ଦେଇ ଉପବିଷ୍ଟ ହେବାକୁ କହିଲେ ।

 

ଅତଃପର ଦେବର୍ଷି ସଂଭ୍ରମ ସହକାରେ ପଚାରିଲେ; ବ୍ରହ୍ମର୍ଷି ! ଆପଣ ଏକାନ୍ତରେ ଦୂରଦିଗନ୍ତ ଦୃଷ୍ଟିପାତ କରି କ’ଣ ଦେଖୁଥିଲେ ?

 

ଅସିତ ଦେବଳ କହିଲେ : ମୁଁ ଦେଖୁଥିଲି ମାୟାବୀର ମନୋରମ ମାୟାଜାଲ କେଡ଼େ ଅପୂର୍ବ ଓ ଶିଳ୍ପ ନୈପୁଣ୍ୟ କେଡ଼େ ଅସାଧାରଣ ! ଈଶ୍ୱରଙ୍କ ଲୀଳା ଅତି ବିଚିତ୍ର ! ଏହା ଶୁଣି ଦେବର୍ଷି ନାରଦ ପୁନଶ୍ଚ ପଚାରିଲେ–ବ୍ରହ୍ମର୍ଷି ଆପଣ ଜଗତସୃଷ୍ଟି ବିଷୟରେ କହୁଛନ୍ତି କି ? ଏ ସଚରାଚର ଜଗତ ସୃଷ୍ଟି ଅତି ସୁନ୍ଦର । ଦେବଳ କହିଲେ । ନାରଦ ପ୍ରଶ୍ନକଲେ ଆପଣଙ୍କର ବଚନ ସତ୍ୟ ଓ ଜଗତ୍‌ସୃଷ୍ଟି ଅତି ବିଚିତ୍ର ହେଲେ ହେଁ ବିଶ୍ୱ ସୃଷ୍ଟିର ରହସ୍ୟ ବିଷୟରେ ଆପଣଙ୍କର ଧାରଣା କଣ ? ସଚରାଚର ଏହି ବିଶ୍ୱ କେଉଁଠାରୁ ଉଦ୍‌ଭବ ହୋଇଛି ? ସୃଷ୍ଟି ମାତ୍ରେ ହିଁ ବିନାଶଶୀଳ ହେଲେ ବିନାଶ ପରେ ଏହାର ଅସ୍ତିତ୍ୱ ଥାଏ କି ? ଯଦି ଥାଏ ତା’ହେଲେ କେଉଁଠି ଓ କି ପ୍ରକାରରେ ଥାଏ ?

 

ନାରଦଙ୍କ ପ୍ରଶ୍ନ ଶୁଣି ଅସିତ ଦେବଳ ମୃଦୂ ହାସ୍ୟ କରି କହିଲେ : ଏହାର ରହସ୍ୟ କ’ଣ ଆପଣଙ୍କୁ ଅଜ୍ଞାତ ? ତଥାପି ଜାଣିବାର ଓ ଶୁଣିବାର ବାସନା ଆପଣଙ୍କର ଜାତ ହୋଇଥିବାରୁ ମୁଁ ତାହା ଅବଶ୍ୟ ପୂରଣ କରିବି ।

 

ଦେବଳ କହିଲେ : ସଚରାଚର ଏହି ବିଶ୍ୱର ସ୍ରଷ୍ଟା ‘କାଳ’ ଜଗତ ସୃଷ୍ଟି ନିମନ୍ତେ ପଞ୍ଚ ପଦାର୍ଥକୁ ଉପାଦାନ କାରଣ ହିସାବରେ ନେଇଥିଲେ, ଏହି ପାଞ୍ଚଟି ବସ୍ତୁ-ଆକାଶ-ବାୟୁ-ଅଗ୍ନି-ଜଳ ଓ ମାଟି । ଏହି ପାଞ୍ଚ ବସ୍ତୁକୁ ପଞ୍ଚ ମହାଭୂତ କୁହାଯାଇଥାଏ । ଏହି ପଞ୍ଚବସ୍ତୁ ନେଇ ‘କାଳ’ ପଞ୍ଜିକରଣ କରି ଦୃଶ୍ୟମାନ ବାହ୍ୟ ଜଗତ ପ୍ରଥମେ ସୃଷ୍ଟି କଲେ । ଏହା ସହିତ ପରେ ନବରୂପରେ ସ୍ଥାବର ଜଙ୍କମ ନେଇ ଏହି ବିଶ୍ୱ ଆବିର୍ଭାବ ଘଟିଲା । ଏହି ବିଶ୍ୱତାର ପୁରାତନ କଳେବର ତ୍ୟାଗ କରିବା ପରେ ନବରୂପରେ ନବକଳେବରରେ ନବପ୍ରାଣ ସ୍ଖଳିତ ହେଲା । ଯାହା ପ୍ରାକ୍‌ପ୍ରଳୟ କାଳରେ ଆରବବ୍‌ଧ ବା ଅନାରବ୍‌ଧ କର୍ମ ସଂଯୁକ୍ତ ହୋଇ ସ୍ପନ୍ଦନହୀନ ଥିଲା । ସେହି କର୍ମଜାତ ଫଳହିଁ ପ୍ରାଣଯୁକ୍ତ ସ୍ଖଳିତ ଓ କର୍ମାନୁସାରୀ ହୋଇ କାଳପ୍ରବାହରେ ପ୍ରବାହିତ ହେଲା । ପଞ୍ଚମହାଭୂତ କାଳ, ଭାବ ଓ ଅଭାବ ଜନିତ କର୍ମ ସଂସ୍କାରକୁ ନେଇ ପ୍ରାଣମୟ ହୋଇ ଉଠିଲା । ଏହି ଜଗତ୍‌ସୃଷ୍ଟିର ପ୍ରବାହ ନିତ୍ୟ, ଶାଶ୍ୱତ ଓ ଧ୍ରୁବ । ସୃଷ୍ଟି ପ୍ରବାହରୁ ଚରାଚର ପ୍ରାଣୀଙ୍କର ଉତ୍ପତ୍ତି ଓ ବିନାଶ କର୍ମ କ୍ରମାନ୍ୱୟରେ ଘଟିବାକୁ ଲାଗିଲା । ଏହି ପଞ୍ଚମହାଭୂତ ମଧ୍ୟରେ ହିଁ ସୃଷ୍ଟିର ସମୂହ ଉପାଦାନ ବିଦ୍ୟମାନ । ସର୍ବଦା ସ୍ମରଣ କରିବା ଉଚିତ୍‌ ‘ତସ୍ୟ ଭୂମି ପୟୋ ଦେହଃ ଶ୍ରୋତ୍ରମାମଶ ସମ୍ଭବମ୍ । ସୂର୍ଯ୍ୟାଚ୍ଚକ୍ଷୁର ସୁର୍ବାୟୋରଦ୍‌ଭ୍ୟସ୍ତ ଖଳୁ ଶୋଣିତମ୍‌’ । ଅର୍ଥାତ୍‌ ପ୍ରାଣୀମାନଙ୍କର ଶରୀର ମୃତ୍ତିକାର ଅନ୍ୟରୂପ । ପ୍ରାଣୀର ଶ୍ରୋତେନ୍ଦ୍ରିୟ ଆକାଶ ଜାତ । ସୂର୍ଯ୍ୟଙ୍କଠାର ଜୀବର ନେତ୍ର, ବାୟୁଠାରୁ ପ୍ରାଣର ବିକାଶ ଓ ଜଳଠାରୁ ଜୀବ ଶରୀରରେ ଶୋଣିତ ଉତ୍ପତ୍ତି ହୋଇଥାଏ । ପଞ୍ଚେନ୍ଦ୍ରିୟ ଯୁକ୍ତ ପ୍ରାଣ ପଞ୍ଚମହାଭୂତ ସହିତ ଓତଃପ୍ରୋତ ଭାବରେ ଜଡ଼ିତ । ଏହି ପଞ୍ଚେନ୍ଦ୍ରିୟ ସାହାଯ୍ୟରେ ମନୁଷ୍ୟ ସ୍ପର୍ଶ ଅନୁଭବ କରେ ଏବଂ ଶ୍ରବଣ ଦର୍ଶନ, ଆଘ୍ରାଣ ଓ ରସାସ୍ୱାଦନ କରିଥାଏ-

 

ପ୍ରକୃତିରେ ପରିବ୍ୟାପ୍ତ ଏହି ପଞ୍ଚେନ୍ଦ୍ରିୟ ଇନ୍ଦ୍ରିୟଗ୍ରାହ ହେଲେ ହେଁ ‘ଇନ୍ଦ୍ରିୟ’ ସ୍ୱୟଂ ଏହା ଉପଲବ୍‌ଧି କରିପାରେ ନାହିଁ । ଏଗୁଡ଼ିକ ଇନ୍ଦ୍ରିୟ ଉପଭୋଗ୍ୟ ବିଷୟ । କିନ୍ତୁ ଜୀବାତ୍ମାରେ ବାସନା ଉଦ୍ରେକ ହେଲେ ଇନ୍ଦ୍ରିୟ ଏମାନଙ୍କର ଗୁଣ ଉପଲବ୍‌ଧି କରି ଉପଭୋଗ କରିଥାଏ । ଜୀବାତ୍ମା ଜ୍ଞାନରେ ଜ୍ଞାନସମୃଦ୍ଧ ହୋଇ ଇନ୍ଦ୍ରିୟ ବର୍ଗ ନିଜ ନିଜ ବିଷୟ ଉପଭୋଗ କରୁଥିବାରୁ ନେତ୍ର, ନାସିକା, କର୍ଣ୍ଣ, ତ୍ୱକ ଓ ଜିହ୍ୱାକୁ ବିଦ୍ୱାନ୍‌ ମତରେ ପଞ୍ଚଜ୍ଞାନେନ୍ଦ୍ରିୟ କୁହାଯାଇଅଛି । ଇନ୍ଦ୍ରିୟଗ୍ରାହ ପ୍ରତିଟି ବିଷୟକୁ ଜୀବ ପୃଥକ ପୃଥକ ଭାବରେ ପ୍ରକାଶ କରିଥାଏ ଓ ମନ ସେହି ବିଷୟ ଗୁଡ଼ିକ ମନେ କରେ । ତତ୍ପରେ ମନ ବୁଦ୍ଧିକୁ ସେହି ବିବେକ ଦେଇଥାଏ । ଯାହାଦ୍ୱାରା କେଉଁ ବିଷୟଟି କେଉଁ ଇନ୍ଦ୍ରିୟଗ୍ରାହ୍ୟ ତାହା ସ୍ଥିର କରି ଇନ୍ଦ୍ରିୟ ଉପଭୋଗ ଯୋଗ ବିଷୟକୁ ଉପଭୋଗ କରିବାରେ ସମର୍ଥ କରିଥାଏ ।

 

ବିଷୟର ଉପଭୋଗ, ଭୋଗ ଜନିତ ଆନନ୍ଦ ଓ ବିଷାଦ ଇନ୍ଦ୍ରିୟ ଗ୍ରାହ୍ୟ ନୁହେଁ । ଦେହାଭ୍ୟନ୍ତରସ୍ଥ ଅଦୃଶ୍ୟ ଜୀବାତ୍ମା ହିଁ ଉପଭୋଗ କରିଥାନ୍ତି । ଅଜର, ଅମର, ସନାତନ ଓ ଶାଶ୍ୱତ ଏହି ଜୀବ ବା ଜୀବାତ୍ମା ଦେହ ସହିତ ଯୁକ୍ତ ହୋଇ କେତେବେଳେ ସୁମିଷ୍ଟ ରସାସ୍ୱାଦରେ ତୁଷ୍ଟ, ସୁଗନ୍ଧ ଆଘ୍ରାଣରେ ଆନନ୍ଦିତ ବା ସଙ୍ଗୀତର ମୂର୍ଚ୍ଛନାରେ ଲୀଳାୟିତ ହୋଇଥିବା ବେଳେ କେତେବେଳେ କଟ କଷାୟ ରସରେ ବିଷାଦଗ୍ରସ୍ତ ଓ ଅଶ୍ରାବ୍ୟ ପରିହାର ନିମନ୍ତେ ତତ୍ପର ହୋଇଥାନ୍ତି । ସେହି କାରଣ ଯୋଗୁଁ ଜ୍ଞାନୀମାନେ ବୁଦ୍ଧିକୁ ଯଥାଯୋଗ୍ୟ ମର୍ଯ୍ୟାଦା ଦେଲେ ହେଁ ତାକୁ ଶ୍ରେଷ୍ଠ ଆସନ ଦେଇ ନାହାନ୍ତି । ‘ଚିତ୍ତମିନ୍ଦ୍ରିୟ’ ସଘାଂତାତ୍‌ ପରମ ତସ୍ମାତ୍ ପରଂ ମନଃ / ମନସ୍ତତ୍ତ୍ୱ ପରାବୁଦ୍ଧିଃ କ୍ଷେତ୍ରଜ୍ଞୋ ବୁଦ୍ଧିତଃ ପରଃ ।’ ଚିତ୍ତ ଶରୀର ଓ ଇନ୍ଦ୍ରିୟଠାରୁ ଶ୍ରେଷ୍ଠ । ମନ ଚିତ୍ତଠାରୁ ଶ୍ରେଷ୍ଠ-। ବୁଦ୍ଧି ମନଠାରୁ ଶ୍ରେଷ୍ଠ ଓ ଜୀବାତ୍ମା ବୁଦ୍ଧିଠାରୁ ଶ୍ରେଷ୍ଠ । ସେହି କାରଣ ଯୋଗୁହିଁ ଅଧାତ୍ମାବିଦ୍‌ଗଣ ନେତ୍ର, ନାସିକା, କର୍ଣ୍ଣ, ଜିହ୍ୱା ଓ ତ୍ୱକ ଏହି ପଞ୍ଚେନ୍ଦ୍ରିୟ ସହିତ ଅନ୍ତରଇନ୍ଦ୍ରିୟ ଭାବରେ ରୂପ, ଚିତ୍ତ, ମନ ଓ ବୁଦ୍ଧିକୁ ଯୁକ୍ତକରି ମନୁଷ୍ୟର ଆଠଗୋଟି ଜ୍ଞାନେନ୍ଦ୍ରିୟ ବୋଲି କହିଥାନ୍ତି-

 

ଜ୍ଞାନେନ୍ଦ୍ରିୟ ମନୁଷ୍ୟକୁ ନିୟନ୍ତ୍ରଣ କରିଥାଏ । ପଞ୍ଚେନ୍ଦ୍ରିୟ ସାହାଯ୍ୟରେ ଜୀବାତ୍ମା ଦେହର ସଂରକ୍ଷଣ ଓ ଭାରସାମ୍ୟ ବଜାୟରଖି ଇନ୍ଦ୍ରିୟ ସାହାଯ୍ୟରେ ସମ୍ଭାବ୍ୟ କର୍ମ କରାଇଥାଏ । ଏହି କର୍ମଗ୍ରାହ୍ୟ ଇନ୍ଦ୍ରିୟଗୁଡ଼ିକୁ କର୍ମେନ୍ଦ୍ରିୟ କୁହାଯାଇଥାଏ; ଯଥା– ହସ୍ତ, ପଦ, ମୁଖ, ପାୟୁ ଓ ଉପସ୍ଥ । ଜୀବାତ୍ମା ହସ୍ତଦ୍ୱାରା ମନୁଷ୍ୟର ଗ୍ରହଣ କର୍ମ, ପାଦଦ୍ୱାରା ଗମନ, ମୁଖଦ୍ୱାରା ଶରୀର ଧାରଣ ନିମନ୍ତେ ଅନ୍ନଗ୍ରହଣ, ବାୟୁ ଦ୍ୱାର ଦେଇ ଅନ୍ନର ବର୍ଜ୍ୟ ପଦାର୍ଥ ବର୍ଜ୍ଜନ ଏବଂ ଉପସ୍ଥଦ୍ୱାରା ଆତ୍ମଜ କାମନା କରି ମୈଥୁନ କର୍ମ କରାଇଥାନ୍ତି । ଆଧ୍ୟାତ୍ମାବିଦ୍‌ମାନେ କହିଛନ୍ତି ଏହି କର୍ମେନ୍ଦ୍ରିୟ ସହିତ ବଳବୀର୍ଯ୍ୟ, ପ୍ରାଣ ଆପନ, ସମାନ, ଉଦାନ, ବ୍ୟାନବାୟୁ ଏହି ପଞ୍ଚପ୍ରାଣଦେହ ଅଭ୍ୟନ୍ତରରେ ରହି ବାହ୍ୟ କର୍ମଇନ୍ଦ୍ରିୟର କର୍ମକୁ ନିଜ ନିଜ ସାମର୍ଥ୍ୟ ଦେଇ ସାହାଯ୍ୟ କରିଥାନ୍ତି । କର୍ମଇନ୍ଦ୍ରିୟ ପାଞ୍ଚ ନହୋଇ ପ୍ରାଣଯୁକ୍ତ ହୋଇ ଏହା ଷଷ୍ଠ କର୍ମଇନ୍ଦ୍ରିୟ ବୋଲି କୁହାଯାଇଥାଏ ।

 

ଯେତେ ସମୟ ପର୍ଯ୍ୟନ୍ତ ମନୁଷ୍ୟ ଜାଗ୍ରତ ଅବସ୍ଥାରେ ଥାଏ, ଏମାନଙ୍କର କର୍ମ ପ୍ରବାହ ସେତେକ୍ଷଣ ଅତୁଟ ଥାଏ । ଜାଗ୍ରତ ଅବସ୍ଥାରେ ଅବିରତ କର୍ମକରି ଏହି ଦୁଇଜାତୀୟ ଇନ୍ଦ୍ରିୟ ଯଥା କର୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟ ସଙ୍ଗତ କାରଣରେ ଏକ ସମୟରେ ଅବସନ୍ନ ହୋଇ କ୍ଳାନ୍ତି ବିନୋଦନ ନିମନ୍ତେ ବିଶ୍ରାମ ଲିପ୍‌ସୁ ହୋଇଥାନ୍ତି । ଏହି ଇଚ୍ଛା ତୀବ୍ର ହେଲେ ମନୁଷ୍ୟ ନିଦ୍ରାଚ୍ଛନ୍ନ ହୁଏ । ନିଦ୍ରା ସମୟରେ ବାହ୍ୟ ଜଗତରୁ ମନୁଷ୍ୟର ଅସ୍ତିତ୍ୱ ଅପସୃତ ହୋଇଥାଏ । ଇନ୍ଦ୍ରିୟ ବର୍ଗ ସ୍ତବ୍‌ଧ ହୋଇଥାନ୍ତି କାରଣ ସେହି ସମୟରେ ଜୀବାତ୍ମା ପ୍ରବୃତ୍ତିର ମୂଳ କାରଣ ହୋଇଥିବାରୁ ନିଦ୍ରାଦ୍ୱାରା ନିବୃତ୍ତ ଓ ବର୍ଜ୍ଜନ ବିମୁଖ ହେବାରୁ ଇନ୍ଦ୍ରିୟ ବର୍ଗ ସ୍ତବ୍‌ଧ ହେବାହିଁ ସ୍ୱାଭାବିକ୍‌ ।

 

ମାଙ୍କଡ଼ସା ଯେପରି ପ୍ରୟୋଜନ ବୋଧରେ ଜାଲ ରଚନା କରି ପ୍ରୟୋଜନ ଶେଷରେ ଜାଲ ଗୁଡ଼ାଇ ନେଇ ଓ ପୁନଃ ପ୍ରୟୋଜନ ବୋଧରେ ସେହି ପ୍ରକାର ଜାଲ ରଚନା କରିଥାଏ, କାଳ ମଧ୍ୟ ସେହିପରି ପଞ୍ଚମୂଳ ବସ୍ତୁକୁ ଅବଲମ୍ବନ କରି ସଚରାଚର ଏହି ଜଗତ୍‌ ସୃଷ୍ଟି କରେ ଓ ପ୍ରଳୟ କାଳରେ ପଞ୍ଚମୂଳବସ୍ତୁକୁ ନିଜ ମଧ୍ୟରେ ବିଲୀନ କରିଥାଏ । ପୁନଶ୍ଚ ‘କାଳ’ ପ୍ରୟୋଜନ ବୋଧରେ ଜୀବାତ୍ମାକୁ ଜାଗ୍ରତ କରି ସୃଷ୍ଟିର ବିକାଶ ଘଟାଇ ଜୀବକୁ ତାର କର୍ମଫଳ ଭୋଗ କରିବାର ଅବକାଶ ଦେଇଥାଏ ।

 

ଏତେବେଳ ପର୍ଯ୍ୟନ୍ତ ନାରଦ ଅସିତ ଦେବଳଙ୍କ ସାରଗର୍ଭବାଣୀ ନିବିଷ୍ଟମନରେ ଶୁଣୁଥିଲେ । ଦେବଳଙ୍କ କଥାରେ ନାରଦ ପଚାରିଲେ ମହାଭାଗ ଜୀବାତ୍ମାକୁ ଜାଗ୍ରତ କାହିଁକି କରାଯାଏ ? ବ୍ରହ୍ମର୍ଷି କହିଲେ–କାରଣ ଜୀବତ୍ମା ହିଁ କର୍ମଫଳ ଭୋଗ କରିଥାନ୍ତି । ଯଦିବା ଜୀବାତ୍ମା ସ୍ୱଂୟ ନିଷ୍କଳୁଷ ତଥାପି ଶରୀର-ଇନ୍ଦ୍ରିୟ ସଙ୍ଗରେ ସଂପୃକ୍ତ ରହିଥିବାରୁ ସେ ତାହାର ସ୍ୱାଭାବିକ ସ୍ୱରୂପ ହରାଇ ଦେହ ସମ୍ୱନ୍ଧୀୟ ହର୍ଷ, ବିଷାଦ, ସୁଖ, ଦୁଃଖ ଓ ସନ୍ତାପାଦ କ୍ଲେଶ ଭୋଗ କରିବା ନିମନ୍ତେ ବାଧ୍ୟ ହୋଇଥାଏ । ଏହି ଭୋଗ କେବଳ ଜାଗ୍ରତ ଅବସ୍ଥାରେ ହିଁ ସମ୍ଭବ । ଯେପରି ଜାଗରଣ ପରେ ନିଦ୍ରା, ନିଦ୍ରାପରେ ଜାଗରଣ ଓ ମନୁଷ୍ୟ ଏକ କର୍ମର ନୂଆ ନୂଆ ପରିବର୍ତ୍ତିତ ପରିଣିତି ନେଇ କାଳ କାଟିଥାଏ, ସେପରି ପ୍ରଳୟ ପରେ ସ୍ରଷ୍ଟା ପୁନଃ ପ୍ରୟୋଜୋନ ବୋଧରେ ନୂତନ ସୃଷ୍ଟି କରିଥାନ୍ତି । ସେତେବେଳେ ସେହି ମନୁଷ୍ୟ ତାହାର କର୍ମସୂତ୍ର ଧରି ପୁନଶ୍ଚ ନବକଳେବର ବା ପରିବର୍ତ୍ତିତ କଳେବରରେ ଆତ୍ମପ୍ରକାଶ କରିଥାଏ । ପୂର୍ବଜନ୍ମର ପୁଣ୍ୟମୟ କର୍ମ ସଞ୍ଚିତ ଥିଲେ ସୃଷ୍ଟିର ନବଉନ୍ମେଷରେ ଜୀବ ସେହି ଫଳ ନେଇ ନବଶରୀର ଧାରଣ କରି ସେହି କର୍ମାନୁସାରେ କର୍ମ କରିଥାଏ । କିନ୍ତୁ ପୂର୍ବଜନ୍ମରେ ସେହି ସୃଷ୍ଟିର ଅମର୍ଯ୍ୟାଦ ଘଟାଇ ଅମଙ୍ଗଳମୟ କର୍ମ କରିଥିଲେ ପରଜନ୍ମରେ ସେହି ପୂର୍ବଜନ୍ମର କର୍ମଫଳ ଜୀବ ଭୋଗ କରିଥାଏ । ଏହାହିଁ ପ୍ରାରବ୍‌ଧ । ଏହି ପ୍ରାରବ୍‌ଧକୁ । କଦାପି ଲଘଂନ କେହି କରିପାରିବ ନାହିଁ । ‘‘ହିତ୍ୱା ହିତ୍ୱା ହ୍ୟୟଂ ପ୍ରୈତି ଦେହାତ ଦେହଂ କୃତାଶ୍ରୟଃ / କାଳୋ ସଞ୍ଚୋଦିତ କ୍ଷେତ୍ରୀ ବିଶିର୍ଣାଦ ବା ଗୃହାତ୍‌ ଗୃହମ୍‌ ।’’ ଅର୍ଥାତ୍‌ ବାସସ୍ଥାନ ଭଗ୍ନ ହେଲେ ମନୁଷ୍ୟ ଯେପରି ଅନ୍ୟ ଏକ ଅନୁରୂପ ବାସସ୍ଥାନରେ ଆଶ୍ରୟ ନେଇଯାଏ ଓ ସେହି ବାସସ୍ଥାନ ଭଗ୍ନ ହେଲେ ଅନୁରୂପ ଅନ୍ୟ ଏକ ସ୍ଥାନରେ ଆଶ୍ରୟ ନେଇଥାଏ, ସେହିପରି ଜୀବ, ଏକ ଶରୀର ତ୍ୟାଗ କରି ଅନ୍ୟଶରୀର ଧାରଣ କରିଥାଏ । ଏହା ସବୁ କର୍ମ ସ୍ୱୟଂ ‘କାଳ’ ହିଁ କରାଇ ଥାଆନ୍ତି । କାରଣ ଜୀବ ଦେହ ଆଶ୍ରୟ କରି ଇନ୍ଦ୍ରିୟ ସର୍ବସ୍ୱ ଓ ଦେହାଭିମାନୀ ହୋଇ ସ୍ୱରୂପକୁ ବିସ୍ମୃତ ହୁଏ । ଯେତେବେଳ ପର୍ଯ୍ୟନ୍ତ ମନୁଷ୍ୟ ବା ଜୀବ ଦେହାଭିମାନୀ ରହି ‘‘ମୁଁ ଦେହ ସର୍ବସ୍ୱ ନୁହେଁ, ମୁଁ ଆତ୍ମା ‘ବିଶ୍ୱାତ୍ମା’, ଏହି ଆତ୍ମଜ୍ଞାନର ଉନ୍ମେଷ ଘଟି ନ ଥାଏ ସେତେବେଳ ପର୍ଯ୍ୟନ୍ତ ଜନ୍ମ, କର୍ମ, ଜରା, ବ୍ୟାଧି ଓ ମୃତ୍ୟୁର ଆବର୍ତ୍ତରେ ମନୁଷ୍ୟ ବା ଜୀବ ପ୍ରଦକ୍ଷିଣ କରିଥାଏ । ଜୀବ ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ଚିତ୍ତ, ମନ, ବୁଦ୍ଧି ଓ ପ୍ରାଣ ନେଇ ଶରୀରରେ ଅଧିଷ୍ଠାନ କରିଥାଏ ।

 

ଏହା ବ୍ୟତୀତ ଭାବ ମଧ୍ୟ ସୃଷ୍ଟିର ଅନ୍ୟ, ଏକ ଉପାଦାନ । କାରଣ ଏହି ଜଗତ୍‌ଭାବମୟ । ବିଦ୍ୱାନମାନେ ଏହି ଭାବକୁ ତିନି ଭାଗରେ ବିଭକ୍ତ କରିଛନ୍ତି, ଯଥା– ସାତ୍ତ୍ୱିକ, ରାଜସିକ ଓ ତାମସିକ । ଗୋଟିଏ ଗୋଟିଏ ଜୀବ ସୃଷ୍ଟିର ନିର୍ଦ୍ଦିଷ୍ଟ ଭାବକୁ ଆଶ୍ରୟ କରିଥାନ୍ତି । ଏହାହିଁ ଭାବ ବା ଋଚିର ସ୍ୱରୂପ ।

 

ଜନ୍ମ ସଂସ୍କାରଦ୍ୱାରା ମନୁଷ୍ୟ ଜାଗ୍ରତ ଅବସ୍ଥାନରେ ଯେଉଁ ଭାବ ବା ଋଚିର ପରିଚୟ ନେଇ ଜନ୍ମିଥାଏ ସୁପ୍ତ ଅବସ୍ଥାରେ ଅଶ୍ରାନ୍ତ ମନ ସକ୍ରିୟ ଥିବାରୁ ସେହି ଭାବର ପ୍ରତିଫଳନ ଏହି ସ୍ୱପ୍ନମୟ ଜଗତରେ ଜୀବ ସ୍ୱପ୍ନ ବଳରେ ହିଁ ପ୍ରତ୍ୟକ୍ଷ କରିଥାଏ । ଏହାହିଁ ସୃଷ୍ଟି ଓ ଲୟର ସ୍ୱରୂପ । ଯେଉଁ ଜୀବ ଜ୍ଞାନ ମାର୍ଗ ଆଶ୍ରୟ କରିଥାଏ ସେ କେବଳ ଏହି ସୃଷ୍ଟି ଓ ଲୟ ଆବର୍ତ୍ତନରୁ ମୁକ୍ତି ଲାଭ କରିଥାଏ । ଜ୍ଞାନ ମାର୍ଗରେ ହିଁ ନିଃଶଦ୍ଦରେ ପ୍ରାରବ୍‌ଧ କ୍ଷୟ ହେବା ସହିତ ଶରୀରମନ ବାକ୍ୟଦ୍ୱାରା ସେ ଏପରି କୌଣସି କର୍ମ କରେ ନାହିଁ ଯାହା କର୍ମ ନ ହୋଇ କର୍ମ ବିପାକ ବୋଲି କୁହାଯିବ ।

 

ବ୍ରହ୍ମର୍ଷିଙ୍କ ମୁଖରୁ ନାରଦ ଜ୍ଞାନଗର୍ଭ ବାଣୀ ଶୁଣି ଦିବ୍ୟାନୁଭୂତିରେ ଆନନ୍ଦିତ ହୋଇ ଅଭିବାଦନ ଜଣାଇ ପୁନଶ୍ଚ ଆକାଶ ମାର୍ଗରେ ଅଦୃଶ୍ୟ ହୋଇଗଲେ ।

Image

 

ଅଷ୍ଟକ ଯଯାତି

 

ସ୍ୱ ଯୌବନ ଅନ୍ତେ ଜରା କବଳିତ ଶରୀରର ଅତୃପ୍ତ କାମନା ପୂରଣ ଆକାଂକ୍ଷାରେ କନିଷ୍ଠ ଯୁବକ ପୁତ୍ର ‘ପୁରୁ’ଙ୍କର ଇହଲୌକିକ ଅସରନ୍ତି ଭୋଗ ବାସନାର ଏକ ଚରମ ମୁହୂର୍ତ୍ତରେ ନହୁଷପୁତ୍ର ରାଜା ଯଯାତିଙ୍କ ମନରେ ପ୍ରଶ୍ନ ଜାଗରିତ ହେଲା–ଆଶ୍ଚର୍ଯ୍ୟ ! ଏହି ଲାଳସା, ଏହା କଣ କେଭେ ପ୍ରଶମିତ ହେବ ନାହିଁ ? ସୀମିତ ଜୀବନ କାଳରେ ଏ ଭୋଗବାସନା କଣ କେଭେଁ ଶେଷ ହେବ ନାହିଁ ? ନିତ୍ୟ ନୂତନ ଆସ୍ୱାଦିତ ଆକାଂକ୍ଷା ସମ୍ୱଳିତ ଏହି କାମନା ବାସନା ଶ୍ୟାମଳ ନଥର ତୃଣ ଲୋଲୁପୀ ଅଶ୍ୱ ସଦୃଶ ମନୁଷ୍ୟକୁ ଦୁର୍ବାର ଆକର୍ଷଣରେ ଆକର୍ଷିତ କରେ କାହିଁକି ?

 

ଏହି ପ୍ରଶ୍ନଗୁଡ଼ିକ ଯଯାତିଙ୍କ ମନରେ ଆସିଥିଲା । ଯେଉଁଠି ପ୍ରଶ୍ନ ନିର୍ଭିକ ଦ୍ୱିଧାହୀନ ଉତ୍ତର ମଧ୍ୟ ସେଠାରେ ସୁସ୍ପଷ୍ଟ ଓ ସଠିକମନ ମଧ୍ୟରେ ଜାଗରିତ ପ୍ରଶ୍ନର ଉତ୍ତର ସ୍ୱରୂପ ଯଯାତି ଭାବିଲେ ନା ମନୁଷ୍ୟକୁ ଆର୍କଷଣ କେଭେ ହେଁ ଟାଣି ନେଇ ପାରିବ ନାହିଁ । ମରୁଭୂମିର ତୃଷ୍ଣା ସଦୃଶ ଇନ୍ଦ୍ରିୟ ତୃଷ୍ଣା ମନୁଷ୍ୟକୁ ସବୁବେଳେ ଅତୃପ୍ତ ରଖିଥାଏ । ଏହି ଅତୃପ୍ତି ନେଇ ମନୁଷ୍ୟ ଜନ୍ମ ଲାଭ କରିଥାଏ । ତୃପ୍ତି ନିମିତ୍ତେ ମନୁଷ୍ୟ ଅବିରାମ ଭୋଗ ସୁଖ ଅନ୍ୱେଷଣରେ ଦୁର୍ବାର ଗତିରେ ଗମନ କରିଥାଏ । କିନ୍ତୁ ହଠାତ୍‌ ଦିନେ ସେହି ମୃଗତୃଷ୍ଣା ଧରି ସେହି ଅତୃପ୍ତି ମଧ୍ୟରେ ହିଁ ତା ଜୀବନର ପରିସମାପ୍ତି ଘଟିଥାଏ । ପ୍ରକୃତି ନିୟମ ଅନୁଯାୟୀ କେଶ ହୁଏ ପଳିତ । ଦନ୍ତ ଜୀର୍ଣ୍ଣ ଏବଂ ଶରୀର ଜୀର୍ଣ୍ଣଶୀର୍ଣ୍ଣ ହୋଇଥାଏ ସତ କିନ୍ତୁ ବଞ୍ଚି ରହିବାର ଆଶା ଜୀର୍ଣ୍ଣ ଶୀର୍ଣ୍ଣ, ଦୀର୍ଣ୍ଣ ହୋଇ ନଥାଏ-। ଅନ୍ତରର ସୁସ୍ପଷ୍ଟ ଉତ୍ତରରେ ରାଜା ଯଯାତିଙ୍କ ମନରେ ନିର୍ବେଦ ଜାତ ହୋଇଥିଲା । ଜୀବନ ସହିତ ଆଉ ଏକ ଜୀବନ ଯୋଗରେ । ଯୌବନ ସହିତ ଅନ୍ୟ, ଏକ ଯୌବନର ମିଳନ ବେଗର ବାସ୍ତବ ଅଭିଜ୍ଞତାରୁ ରାଜା ଉପଲବ୍‌ଧି କରିଥିଲେ ଏହି ଶରୀରର ରହସ୍ୟ । ସେହି ରହସ୍ୟ ଆପାତ ମଧୁର ହେଲେ ହେଁ ବନ୍ଧନର ଯନ୍ତ୍ରଣା ବ୍ୟତୀତ ଅନ୍ୟ କିଛି ନୁହଁ ।

 

ସୁତରାଂ ଦିନେ ଯଯାତି ଦେହର ସ୍ୱାଭାବିକ ନିୟମକୁ ସ୍ୱାଗତ ଜଣେଇ ପୁରୁଙ୍କ ରାଜ୍ୟାଭିଷେକ କରାଇ ବାନପ୍ରସ୍ଥ ନେଲେ । ଯେଉଁ ବାନପ୍ରସ୍ଥଦ୍ୱାରା ଜୀବନ ସତ୍ୟର ମୁହାଁ ମୁହିଁ ହୋଇ ସେହି ପରମ ସତ୍ୟକୁ ଉପଲବ୍‌ଧି କରି ହେବ ଏବଂ ଯାହାଦ୍ୱାରା ଅତୃପ୍ତି ଅବସାନରେ କ୍ରମବର୍ଦ୍ଧମାନ ତୃପ୍ତି ଲାଭ କରି ପରମାନନ୍ଦ ମିଳିବ । ସର୍ବଶେଷରେ ଜାଗ୍ରତ ବିବେକ ବେଗବାନ ହୋଇ ପିଞ୍ଜରଦ୍ୱାରା ଉନ୍ମୁକ୍ତ ହୋଇ ପାରିବ ।

 

ବାନପ୍ରସ୍ଥ ଆଶ୍ରମରେ ସୁକଠୋର ନିୟମ ସାଧନାରେ ଯଯାତି ଶେଷରେ ସିଦ୍ଧି ଲାଭ କରି ତଥାକଥିତ ସ୍ୱର୍ଗ ଲୋକ ଲାଭ କରିଥିଲେ ଯେଉଁ ସ୍ୱର୍ଗ ଲୋକରେ ମନୁଷ୍ୟ ଦେବତା ହୋଇଥାଏ ।

 

କିଛିକାଳ ଅତିବାହିତ ହେଲା ପରେ ସ୍ୱର୍ଗାଲୋକଧିପ ‘ଇନ୍ଦ୍ର’ ଦିନେ ଯଯାତିଙ୍କୁ ପଚାରିଲେ–ରାଜା ଯଯାତି ପାର୍ଥିବଲୋକରେ ଆପଣ ବହୁକାଳ ବିତାଇ ଅନେକ ସୁକର୍ମମାନ କରିଛନ୍ତି, କିନ୍ତୁ ବର୍ତ୍ତମାନ ଏହି ସ୍ୱର୍ଗଲୋକରେ ଯେଉଁ ତପସ୍ୟା ଆପଣ କଲେ ତାର ତୁଳାନାତ୍ମକ ମୂଲ୍ୟ କଣ ?

 

ଯଯାତି ଉତ୍ତର ଦେଲେ–ହେ ବାସବ, ତୁଲ୍ୟମୂଲ୍ୟ ବିଚାରରେ ମୋର ତପସ୍ୟା ତୁଲ୍ୟ ତପସ୍ୟା ଆଜିପର୍ଯ୍ୟନ୍ତ କେହି ମହର୍ଷି ମଧ୍ୟ କରି ନାହାନ୍ତି । ଏପରିକି ଦେବତା, ଗନ୍ଧର୍ବ, ମନୁଷ୍ୟଙ୍କ ମଧ୍ୟରେ ,ପରି ତପସ୍ୟା କରିବା ଦ୍ୱିତୀୟ କେହି ନାହାନ୍ତି । ମୋର ତୁଳନାରେ ଅନ୍ୟ କେହି ନଥିବାରୁ ‘ମୁଁ’ ହିଁ ମୋ ତୁଲ୍ୟ ।

 

ଯଯାତିଙ୍କର ଏପରି ଉତ୍ତରରେ ଦେବରାଜ ମୁଦୃହସି ବଜ୍ରଗମ୍ଭୀର କଣ୍ଠରେ କହିଲେ, ରାଜନ୍‌, ଏପରି ଉନ୍ମତ ଅବସ୍ଥା ପ୍ରାପ୍ତ ହୋଇ ସୁଦ୍ଧା ତୁମ୍ଭ ମଧ୍ୟରେ ତୁଲ୍ୟମୂଲ୍ୟ ବିଚାରବୋଧ ଏପରି ରହିବା ଅନୁଚିତ । ଆତ୍ମଗୌରବ ପ୍ରତିଷ୍ଠା କରିବା ବାସନାବୋଧ ତୁମ୍ଭ ମନରେ ଏ ଅବସ୍ଥାରେ କିପରି ଜାଗ୍ରତ ହୋଇଛି ? ଛୋଟ ବଡ଼ ଯେ ଯାହା ହେଉନା କାହିଁକି ପ୍ରତ୍ୟେକଙ୍କର ସ୍ୱକୀୟ ମର୍ଯ୍ୟାଦାକୁ ହେୟଜ୍ଞାନ କରି ଅବମାନନା କରିବାର ମାନସିକ ଅବସ୍ଥା ଏହି ସ୍ୱର୍ଗ ଲୋକରେ ତୁମ୍ଭର କିପରି ସମ୍ଭବ ହୋଇଛି ?

 

ରାଜା ଯଯାତି ତୁମ୍ଭର ସ୍ୱର୍ଗଲୋକ ବାସ କାଳ ଏହିଠାରୁ ହିଁ ସମାପ୍ତ ହେଲା । ମୋ ଆଦେଶରେ ତୁମେ ଏହି ମୁହୂର୍ତ୍ତରେ ଏଠାରୁ ଯାଇ ଭୌମ ନରକରେ ପତିତ ହୁଅ ।

 

ବଜ୍ରାହତ ହୋଇ ରହିଗଲେ ରାଜା ଯଯାତି । ଏତେ କାଳର ତପସ୍ୟା, କୃଚ୍ଛ୍ର ସାଧନା ପରେ ଅଳ୍ପ ଯେତିକି ଆନନ୍ଦ ସେ ପାଇଥିଲେ ମୁହୂର୍ତ୍ତ ମଧ୍ୟରେ ମିଳାଇଗଲା । ଦେବରାଜଙ୍କର ଆଦେଶ ଅମୋଘ । ତେଣୁ ତାଙ୍କୁ ଯିବାକୁ ହିଁ ହେବ । ବାସ୍ତବିକ ଯେ ନିଜର ଶ୍ରେଷ୍ଠତ୍ୱ ନିଜେ ପ୍ରତିପାଦିତ କରିଥାଏ, ସେ ପ୍ରଚ୍ଛନ୍ନ ଦମ୍ଭକୁ ସ୍ତମ୍ଭଜ୍ଞାନ କରେ ଯାହା ସୁସ୍ଥ ବିବେକର ପରିଚୟ ନୁହେଁ । ଏହାର ପ୍ରାୟଶ୍ଚିତ ଅବଶ୍ୟ କରଣୀୟ । ଏହା ଭାବି ଯଯାତି ଦେବରାଜଙ୍କୁ ଏକ ନିବେଦନ ଜଣାଇ କହିଲେ, ‘‘ହେ ବାସବ, କ୍ଷଣିକ ବିଭ୍ରାନ୍ତିରେ ଯେଉଁ ଭୁଲ ମୁଁ କରିଛି ତାହାର ପ୍ରାୟଶ୍ଚିତ ମୁଁ ନିଶ୍ଚୟ କରିବି, କିନ୍ତୁ ଏତିକି ଅନୁମତି ଦିଅନ୍ତୁ ଯେ ନରଲୋକରେ ମୁଁ ଯେପରି ସଜ୍ଜନ ସଙ୍ଗ ଲାଭ କରି ପାରିବା । ଯାହାଙ୍କ ସହିତ ନିରନ୍ତର ରହି ମୋର ଏହି ଆତ୍ମାଶ୍ଳାଘ୍ୟ ଦୂର କରିବା ସମ୍ଭବ ହେବ ।

 

ସମ୍ମତ ଜଣାଇଲେ ଦେବରାଜ ଇନ୍ଦ୍ର । ସତ୍‌ସଙ୍ଗ ଲାଭକରି ନିର୍ମଳ ଅନ୍ତଃକରଣରେ ପୁନଶ୍ଚ ଦେବଲୋକକୁ ପ୍ରତ୍ୟାବର୍ତ୍ତନ କରିବ ।

 

ସ୍ୱର୍ଗଲୋକରୁ ବିଚ୍ୟୁତ ହୋଇ ରାଜା ଯଯାତି ଯେତେବେଳେ ମର୍ତ୍ତ୍ୟଲୋକକୁ ଫେରି ଆସୁଥିଲେ ସେତେବେଳେ ମହାଶୂନ୍ୟରୁ ଏକ ତେଜୋଦୀସ୍ତ ଉଜ୍ଜ୍ୱଳ ନକ୍ଷତ୍ର ଖସିବା ସଦୃଶ ଦେଖାଯାଇଥିଲା । କ୍ୱଚିତ ଏପରି ଅଭାବନୀୟ ପତନ ଦେଖାଦେଇ ଥିଲେହେଁ ବିସ୍ମିତ ହୋଇଥିଲେ ସଜ୍ଜନ ରାଜର୍ଷି ‘ଅଷ୍ଟକ’ । ଅଷ୍ଟକ ଦେଖିଲେ ବୟଃପ୍ରବୀଣ ହୋଇ ସୁଦ୍ଧା ଏକ ଦ୍ୟୁତିମାନ ଯୁବକ ଯେପରି ଚତୁର୍ଦ୍ଦିଗ ଆଲୋକରେ ଉଦ୍‌ଭାସିତ କରି ମହାବେଗରେ ଉଲ୍‌କା ସଦୃଶ ପୃଥିବୀ ପୃଷ୍ଠକୁ ଅବତରଣ କରୁଛନ୍ତି । ମନେ ମନେ ‘ଅଷ୍ଟକ’ ଚିନ୍ତାକଲେ କିଏ ଏହି ତେଜୋଦୀପ୍ତ ପୁରୁଷ ? କାହିଁକି ବା ସ୍ୱର୍ଗଲୋକ ବିଚ୍ୟୁତ ହୋଇ ମର୍ତ୍ତ୍ୟକୁ ଆସୁଛନ୍ତି ? ଯଯାତି ଅନ୍ତରୀକ୍ଷ ପାର ନହେବା ପୂର୍ବରୁ ‘ଅଷ୍ଟକ’ ଊର୍ଦ୍ଧ୍ଵମୁଖରେ ସହି ତେଜୋଦୀପ୍ତ ଉଲ୍‍କାପିଣ୍ଡ ସଦୃଶ ପୁରୁଷଙ୍କ ପଚାରିଲେ–ଜ୍ୟୋତିବାନ ପୁରୁଷ ଆପଣ କିଏ ? କାହିଁକି ବା ସ୍ୱର୍ଗଲୋକର ଅପାର ଆନନ୍ଦତ୍ୟାଗ କରି ଏହି ମର୍ତ୍ତ୍ୟଲୋକାଭିମୁଖେ ପତିତ ହେଉଛନ୍ତି ? ମହାଶୂନ୍ୟରୁ ଉତ୍ତର ଦେଇଥିଲେ ଯଯାତି–ସେ ନହୁଷ ପୁତ୍ର ରାଜା ଯଯାତି–ଯେ କି ଏକ ସମୟରେ ଏହି ସସାଗରା ପୃଥିବୀର ଅଧିପତି ଥିଲେ ।

 

ରାଜା ଯଯାତିଙ୍କ ପରିଚୟ ପାଇ ବିସ୍ମିତ ହୋଇଥିଲେ ରାଜର୍ଷି ‘ଅଷ୍ଟକ’ । ଏପରି ପତନର କାରଣ କଣ ବୋଲି ପୁନଶ୍ଚ ପଚାରିଲେ ।

 

ରାଜା ଯଯାତି କହିଲେ–ହେ ମହାଭାଗ ! ମୋର ସ୍ୱ ତପସ୍ୟା ମାପ କାଠିରେ ଦେବତା ଓ ଋଷିଙ୍କର ତପସ୍ୟା ପରିମାପ କରି ସେମାନଙ୍କୁ ଅବମାନନା କରିଥିଲି । ଯାହା ଫଳରେ ଦେବରାଜ ଇନ୍ଦ୍ରଙ୍କ ଆଦେଶରେ ମୁଁ ସ୍ୱର୍ଗ ଲୋକରୁ ବିଚ୍ୟୁତ ହୋଇ ମର୍ତ୍ତ୍ୟଲୋକକୁ ପ୍ରାୟଶ୍ଚିତ କରିବା ଅଭିପ୍ରାୟରେ ଆସୁଅଛି । କିନ୍ତୁ ଦେବରାଜ ଇନ୍ଦ୍ର ମୋ ଅନୁରୋଧରେ ସତ୍‌ଜନ ସଙ୍ଗ ଲାଭ ଓ ସଜ୍ଜନସଙ୍ଗ ବାସର ଆଶ୍ୱାସ ଦେଇଛନ୍ତି । ଆପଣଙ୍କର ପରିଚୟ ଜାଣିନାହିଁ । ଜଣାଯାଏ ଆପଣ ମୋ ବୟସ ତୁଳନାରେ କନିଷ୍ଠ ।

 

ରାଜର୍ଷି ଅଷ୍ଟକ ରାଜା ଯଯାତିଙ୍କ ଏହି ରୂପ ଉତ୍ତରରେ ଆଶ୍ୱାସନା ଦେଇ କହିଲେ, ଆପଣ ନିଃଶଙ୍କ ଚିତ୍ତରେ ଆଗମନ କରନ୍ତୁ । ବୟସ ମର୍ଯ୍ୟାଦାରେ ମୁଁ ଆପଣଙ୍କ ସହିତ ଏକମତ ନୁହେଁ । କେବଳ ବୟସର ପରିମାପରେ କି କେହି କେବେ ଶ୍ରେଷ୍ଠତ୍ୱ ବା ଗୁରୁତ୍ୱ ଦାବୀ ନେଇ ପୂଜନୀୟ ହୋଇପାରେ ? ମୋର ତ ମନେହୁଏ, ‘‘ଯୋଂ ବିଦ୍ୟାୟା ତପସ୍ୟା ସମ୍ପ୍ରବୃଦ୍ଧଃ ସ ଏବ ପୂଜ୍ୟୋ (ବୃଦ୍ଧୋ) ଭବତି ଦ୍ୱିଜାନାମ୍‌ ।’’ ଅର୍ଥାତ୍‌ ବିଦ୍ୟା ଏବଂ ତପସ୍ୟା ବଳରେ ଯେଉଁ ଦ୍ୱିଜ ନିଜ ପରିବେଶକୁ ଅତିକ୍ରମ କରିପାରନ୍ତି ସେ ବୟସରେ କନିଷ୍ଠ ହେଲେ ହେଁ ପୂଜନୀୟ ଓ ବୟୋଜ୍ୟେଷ୍ଠ ମଧ୍ୟ ।

 

ଇତିମଧ୍ୟରେ ରାଜା ଯଯାତି ରାଜର୍ଷି ଅଷ୍ଟକଙ୍କ ପରିଚୟ ଜ୍ଞାତ ହୋଇ ସାରିଥିଲେ । କହିଲେ, ତୁମ୍ଭର ଯୁକ୍ତି ଅଗ୍ରାହ୍ୟ ନୁହେଁ ଅଷ୍ଟକ । ବିଦ୍ୟା ଓ ତପସ୍ୟା ବଳରେ ହିଁ ମନୁଷ୍ୟ ବୟସକୁ ଅତିକ୍ରମ କରି ବୟୋଜ୍ୟେଷ୍ଠଙ୍କର ଶ୍ରଦ୍ଧା ଓ ସମ୍ମାନର ପାତ୍ର ହୋଇପାରେ । କିନ୍ତୁ ସେ ବିଦ୍ୟା ଓ ତପସ୍ୟାର ସ୍ୱରୂପ କିପରି ହେବା ଉଚିତ ?

 

ଅଷ୍ଟକ କହିଲେ–ହେ ରାଜନ୍‌, ଆପଣ ମହାଜ୍ଞାନୀ । ଆପଣ କୁହନ୍ତୁ ସେ ବିଦ୍ୟା ଓ ତପସ୍ୟାର ସ୍ୱରୂପ କ’ଣ ?

 

ଯଯାତି ଅନ୍ତରୀକ୍ଷ ଲୋକରୁ କହିଲେ-ବିଦ୍ୟା ଅର୍ଜନ କରି ମଧ୍ୟ ଯେଉଁ ବିଦ୍ୱାନ ପ୍ରତିକୂଳ ପରିବେଶରେ ନିଜକୁ ଧୀର ସ୍ଥିର ରଖିପାରେ ନାହିଁ, ଯାହାର ଆଚରଣ ବିଜୟୀ ନୁହେଁ ଏବଂ ହୃଦୟର ପ୍ରସାରତାଦ୍ୱାରା ଆପାମର ମନୁଷ୍ୟ ମଧ୍ୟରେ ଯେ ଆତ୍ମା ଅନୁସନ୍ଧାନ କରେ ନାହିଁ ସେପରି ବିଦ୍ୱାନର ବିଦ୍ୟା ବୃଥା । ଏହିପରି ଆପାତ ‘ବିଦ୍ୱାନ’ ତୃପ୍ତି ଲାଭ ନକରି ନରକ ଯନ୍ତ୍ରଣା ଭୋଗ କରେ ମାତ୍ର । ବିଦ୍ୟାର ଐଶ୍ୱର୍ଯ୍ୟ ନିଃଶେଷରେ ବିତରଣ କରିବା ନିମନ୍ତେ ପ୍ରବଣତା ଯାହାର ନଥାଏ, ସେ ଯେତେ ବଡ଼ ବିଦ୍ୱାନ ହେଲେହେଁ ତାର ବିଦ୍ୟା ଓ ତପସ୍ୟା ବୃଥା । ସାମ୍ୟଭାବ ହିଁ ବିଦ୍ୟା ଓ ତପସ୍ୟାର ଫଳଶ୍ରୁତି ।

 

ଅଷ୍ଟକ ପଚାରିଲେ–ମହାଭାଗ, ପ୍ରତିକୂଳ ପରିସ୍ଥିତି ଆପଣ କାହାକୁ କହୁଛନ୍ତି ?

 

ଯଯାତି କହିଲେ–ରାଜର୍ଷି ଅଷ୍ଟକ ! ମନୁଷ୍ୟ ମାତ୍ରେ ହିଁ କର୍ମର ଅଧୀନ । ଏହି କର୍ମ ହିଁ ପାପ ଓ ପୁଣ୍ୟ ଅର୍ଜନ କରେଇ ଥାଏ । ମୋହଶୂନ୍ୟ କର୍ମ ମନୁଷ୍ୟର ହୃଦୟ ସତ୍ତାରେ ଉଦ୍‌ବୋଧନ ଘଟାଇ ଆନନ୍ଦାପ୍ଳୁତ କରିଥାଏ । ଅର୍ଥାତ୍‌ ପୁଣ୍ୟାର୍ଜନ ହୋଇଥାଏ । କିନ୍ତୁ ଯେଉଁଠାରେ ଆନନ୍ଦ ଆପାତତଃ ମାତ୍ର ରହି ପରିଣାମରେ କଷ୍ଟ ହିଁ ସାର ହୁଏ ସେଠାରେ ଅଜ୍ଞାତସାରରେ ପାପ ଅର୍ଜ୍ଜନ କରାଯାଇଥାଏ । ରାଜର୍ଷି ଏହି ‘ଆନନ୍ଦ’ ଓ ‘ବେଦନାବୋଧ କର୍ମ କରିବା ବ୍ୟକ୍ତିକୁ ଯଦି ଥରେ ଗ୍ରାସ କରେ ତା’ହେଲେ ସେ ବ୍ୟକ୍ତି ପ୍ରାରବ୍‌ଧର ଶିକାର ହୋଇଥାଏ । ଏହି ପ୍ରାରବ୍‌ଧ ଏତେ ବଳବାନ୍‌ ଯେ ତାକୁ ପରାଭୂତ କରି ଜାଗତିକ ଜୀବନ ଆୟାସସାଧ୍ୟ ହେବା ଅସମ୍ଭବ । ମନୁଷ୍ୟ ଜାଗ୍ରତ ବିବେକଦ୍ୱାରା ସ୍ପୃହାହୀନ ହୋଇ କର୍ମ ପ୍ରବାହରେ ନିଜକୁ ସମର୍ପଣ ନ କରିବା ପର୍ଯ୍ୟନ୍ତ ଏହି ଜାଗତିକ ଜୀବନ ଆୟାସ ସାଧ୍ୟ ରହିବା ଅସମ୍ଭବ ହୋଇଥାଏ ।

ପ୍ରାରମ୍ଭିକ ଆଳାପକୁ ଇତି କରି ‘ଅଷ୍ଟକ’ ତାଙ୍କର କୌତୂହଳ ନିବାରଣ ନିମନ୍ତେ ପୁନଶ୍ଚ ପଚାରିଲେ–ରାଜନ୍‌ ! ଆମେ ଜାଣୁ ଏବଂ ଶୁଣିଛୁ ଯେ ସ୍ୱର୍ଗଲୋକ ବଡ଼ ଦୁଷ୍ପ୍ରାପ୍ୟ । ଯେଉଁମାନେ ଥରେ ମାତ୍ର ସେହି ଲୋକ ଗମନ କରିଥାନ୍ତି ତାଙ୍କର ପତନ ହୁଏ ନାହିଁ । ଜନ୍ମ, ଜରା, ବ୍ୟାଧି ଊର୍ଦ୍ଧ୍ୱ ସେହି ଲୋକରେ ମହାପୁଣ୍ୟ ବଳରେ ସେମାନେ ଅନନ୍ତ କାଳ ସେଠାରେ କଟାଇଥାନ୍ତି । କିନ୍ତୁ ଆପଣଙ୍କ ବିଚ୍ୟୁତି ଓ ପତନ ଦେଖି ମୋ ମନରେ ସେ ‘ଲୋକ’ ସମ୍ୱନ୍ଧରେ ସନ୍ଦେହ ଜାତ ହୋଇଅଛି ।

ରାଜା କହିଲେ–ଅଷ୍ଟକ, ମନୁଷ୍ୟ ଯଦି ଇହଲୋକରେ ବୀତ୍ତହୀନ ହୋଇଯାଏ ତାହେଲେ ତାର ବନ୍ଧୁ, ବାନ୍ଧବ, ଆତ୍ମୀୟ ସ୍ୱଜନ ତାକୁ ପରିତ୍ୟାଗ କରିଥାନ୍ତି । ଜଗତରେ ଯେପରି ଏହି ନିୟମ ଅଛି ଦେବଲୋକରେ ମଧ୍ୟ ଏହି ନିୟମରେ ବ୍ୟତିକ୍ରମ ନାହିଁ । ନିଖୁଣ ଐଶ୍ୱର୍ଯ୍ୟମୟ ସେହି ଦେବଲୋକ । ଅମଳିନ, ଯେଉଁ ବିବେକ ବଳରେ ବିବେକବାନ ହୋଇ ମନୁଷ୍ୟ ସେହି ଦେବଲୋକ ଲାଭ କରିଥାଏ ସେଠାରେ ଅବସ୍ଥାନ କାଳରେ ଯଦି କୌଣସି ପ୍ରକାର ଅଣୁ ପରମାଣୁ ତ୍ରୁଟି ବା ମାଳିନ୍ୟ ଦେଖାଦିଏ, ତାହେଲେ ତତ୍‌କ୍ଷଣାତ୍‌ ସେହି ଅନାବିଳ ଆନନ୍ଦମୟ ଐଶ୍ୱର୍ଯ୍ୟ ଭ୍ରଷ୍ଟ ହୋଇଥାଏ । ଦେବଲୋକରେ ଅନନ୍ତ କାଳ ଅବସ୍ଥାନ ପାର୍ଥିବ ମନୁଷ୍ୟ ପକ୍ଷରେ କଠିନ । କିୟତ୍‌କ୍ଷଣ ନିଶ୍ଚୁପ ରହି ପୁନଶ୍ଚ ରାଜା ଯଯାତି କହିଲେ, ମୋର ପତନ କାରଣ ମୁଁ ତୁମ୍ଭକୁ ଏହା ପୂର୍ବରୁ କହିଛି ଏବଂ ଦେବରାଜଙ୍କ ଅନୁକମ୍ପା ମଧ୍ୟ ତୁମକୁ ଜଣାଇ ସାରିଛି । ରାଜଚକ୍ରବର୍ତ୍ତୀ ହୋଇ ପୃଥିବୀରେ ଅନେକ ପୁଣ୍ୟ କର୍ମ କରିସାରିଛି ଯା ଫଳ ସ୍ୱରୂପ ଦେବଲୋକ ଜୟ କରିଥିଲି । ସେହି ପୁଣ୍ୟ ବଳରେ ଦେବଲୋକ ଅବସ୍ଥାନ କାଳରେ କଠୋର ତପସ୍ୟା କରି ପୁଣ୍ୟ ସଞ୍ଚୟ କରିଥିବାରୁ ସହସ୍ରଦ୍ୱାର ବିଶିଷ୍ଟ ଅମରାବତୀ ନଗର ମୁଁ ଦେଖି ପାରିଲି । ସେଠାରେ ଏକ ହଜାର ବର୍ଷ ଅବସ୍ଥାନ ପରେ ଦୃଷ୍ପ୍ରାପ୍ୟ ‘ପ୍ରଜାପତି’ ଲୋକରେ ଦେବଗଣଙ୍କ ସମ ସମାନ ମର୍ଯ୍ୟାଦାରେ ଦଶଲକ୍ଷ ବର୍ଷ ନନ୍ଦନ କାନନରେ ବିହାର କରି କଟାଇଥିଲି । ପାରିଜାତ–ସୁରଭିତ ଅପ୍‌ସରା ପରିବୃତ୍ତ ସେହି ନନ୍ଦନକାନନରେ ଅସରନ୍ତି ଭୋଗ ଐଶ୍ୱର୍ଯ୍ୟ ମଧ୍ୟରେ ବିହାର କାଳରେ କେତେବେଳେ ମୋ ମନରେ ମାତ୍ସର୍ଯ୍ୟର ଅନୁପ୍ରବେଶ ଘଟିଥିଲା ତାହା ମୁଁ ଜାଣି ପାରିନଥିଲି । ସେହି ମାତ୍ସର୍ଯ୍ୟର ସ୍ୱରୂପ ପ୍ରକାଶ ପାଇଥିଲା ଦେବରାଜ ଇନ୍ଦ୍ରଙ୍କ ପରୀକ୍ଷାରେ । ଏଯାବତ୍‌ ଅର୍ଜ୍ଜୁନ କରିଥିବା ସମସ୍ତ ପୁଣ୍ୟ ମୋର କ୍ଷୟ ହୋଇଯାଇଥିବାରୁ ଇନ୍ଦ୍ରଙ୍କ ଆଦେଶରେ ନରଲୋକ ପ୍ରବେଶ କରିବାକୁ ଆସୁଅଛି । ବର୍ତ୍ତମାନ ତୁମ୍ଭ ସଦୃଶ ସଜ୍ଜନ ବର୍ଗଙ୍କ ସଙ୍ଗ ଲାଭ କରି ନିଃଶଙ୍କ ଚିତ୍ତରେ ସେହି ମାଳିନ୍ୟ ଦୂର କରିବାହିଁ ମୋର କର୍ତ୍ତବ୍ୟ କର୍ମ ।

ଅଷ୍ଟକ ପଚାରିଲେ–ମହାଭାଗ, ଇହଜଗତରେ ଆନନ୍ଦିତ କର୍ମ କରି ଦେହ ଅବସାନ ପରେ ସ୍ୱର୍ଗସୁଖ ଲାଭ କରି ମଧ୍ୟ ଅନନ୍ତକାଳ ପ୍ରବାହ ସଦୃଶ ମନୁଷ୍ୟ କଣ ଅନନ୍ତ-ସୁଖ ଭୋଗ କରି ପାରିବ କି ନାହିଁ ?

ମନୁଷ୍ୟକୁ କଣ ପୁନଃ ମନୁଷଃ ଜନ୍ମ ଦେଇ ଏହି ପୃଥିବୀକୁ ଫେରି ଆସିବାକୁ ହେବ ?

ଯଯାତି କହିଲେ–ହଁ ଅଷ୍ଟକ । ମନୁଷ୍ୟକୁ ଫେରି ଆସିବାକୁ ହିଁ ହେବ । ମନୁଷ୍ୟର ରକ୍ତ ପ୍ରବାହ ସହିତ ବିଭ୍ରାନ୍ତି ଓ ଆତ୍ମବିସ୍ମୃତି ମିଶ୍ରିତ ହୋଇ ରହିଛି । ମନୁଷ୍ୟ ଯେତେ ଦେବତ୍ୱ ଲାଭ ଓ ସୁଖ ଭୋଗ କରୁନା କାହିଁକି ଦିନେ ନା ଦିନେ ସେ ଏହି ବିଭ୍ରାନ୍ତିର କବଳିତ ହେବ ଏବଂ ଏହି ମର୍ତ୍ତ୍ୟଲୋକକୁ ପୁନଶ୍ଚ ଫେରି ଆସିବାକୁ ହେବ । ଏହି ପ୍ରତ୍ୟାବର୍ତ୍ତନ ନିମନ୍ତେ ମାତୃଗର୍ଭ ଅବଲମ୍ବନ କରିବାକୁ ବାଧ୍ୟ ହେବ । ବିଧିର ଏହା ଏକ ଅଲଂଘ୍ୟ ନିୟମ । ଏହାର ବ୍ୟତିକ୍ରମ ନାହିଁ । କାଳପ୍ରବାହ ସ୍ରୋତର ପ୍ରତିକୂଳ ଯିବାର ସାଧ୍ୟ ମନୁଷ୍ୟର କାହିଁ ? ପାର୍ଥିବ ମନୁଷ୍ୟ ପକ୍ଷରେ ଏହି କାଳର ପ୍ରତିକୂଳ ଗମନ ଯଦି ସମ୍ଭବ ହୁଅନ୍ତା ତାହେଲେ ଜୀବ ପ୍ରବାହ ଯେ ସ୍ତବ୍‌ଧ ହୋଇଯିବ ଅଷ୍ଟକ ।

ଜୀବ ପ୍ରବାହ ଯଥାର୍ଥ ହିଁ କହିଛନ୍ତି ରାଜା ଯଯାତି–ସୃଷ୍ଟି ଆରମ୍ଭରୁ ସଚରାଚର ଏହି ବିଶ୍ୱ ଜଗତରେ ଆଜି ପର୍ଯ୍ୟନ୍ତ ଏହି ଜୀବନ ପ୍ରବାହ ଅବିରାମ ଗତିରେ ପ୍ରବାହିତ । ପ୍ରବାହ କେତେବେଳେ ସ୍ତବ୍‌ଧ ହୋଇନାହିଁ କି ହେବନାହିଁ । ଏ ଧରଣୀ କେବେହେଁ ଜୀବ ଶୂନ୍ୟ ହେବ ନାହିଁ-। କାଳ-ପ୍ରବାହ ସହିତ ସମାନ ଛନ୍ଦରେ ଜୀବ-ପ୍ରବାହ ଚାଲୁଅଛି । କିନ୍ତୁ ଅବୟବ ଧରି ଏହି ଜୀବ-ପ୍ରବାହ ଧାରା କାଳ-ପ୍ରବାହ ସହିତ ଛନ୍ଦ ମିଳାଇ ଗତି କରୁଛି କିପରି ? ସନ୍ଦେହ ମୋଚନାର୍ଥେ ଅଷ୍ଟକ ଯଯାତିଙ୍କୁ ପଚାରିଲେ, ହେ ରାଜନ୍‌, ଆୟୁଶେଷରେ ମନୁଷ୍ୟର ଏହି ଦେହ ନିଷ୍ପ୍ରାଣ ହୋଇଥାଏ ଏବଂ ସେହି ଅବୟବକୁ କେହି ଜାଳିବା ବା ମାଟିରେ ପୋତି ମାଟି ସହିତ ମିଶାଇ ଦେଇଥାନ୍ତି । ତାପରେ ମଧ୍ୟ ଏ ଜୀବ ପ୍ରବାହ କିପରି ସମ୍ଭବ ହେଉଛି ?

 

ଯଯାତି କହିଲେ, ଅଷ୍ଟକ, ଜୀବ ଓ ଦେହ ଏକ ନୁହେଁ । ଦେହକୁ ଆଶ୍ରୟ କରି ଜୀବ ଜୀବାତ୍ମା ନାମରେ ଅଭିହିତ । ଏହି ଦେହ ପାର୍ଥିବ । ଯାହା ପାର୍ଥିବ ତାହା ବିନାଶଶୀଳ । ଆତ୍ମା ଅବିନଶ୍ୱର, ନିତ୍ୟ ଓ ସତ୍ୟସ୍ୱରୂପ । ଏହି ବିଶ୍ୱରେ ସେହି ଆତ୍ମା ସୂକ୍ଷ୍ମ ଶରୀର, କାରଣ ଶରୀର ବା ଲିଙ୍ଗ ଶରୀର ନାମରେ ପରିଚିତ । ତାହାକୁ ସାଧରଣ ଦୃଷ୍ଟିରେ ଦେଖିହୁଏ ନାହିଁ । ସମୟ ଅନୁସାରେ କାଳଚକ୍ରରେ ସେହି ଆତ୍ମା ନାନା ଶରୀର ଧାରଣ କରି ସୃଷ୍ଟି ପ୍ରବାହରେ ପ୍ରବାହିତ ହୋଇଥାନ୍ତି ।

 

ଅଷ୍ଟକ ପଚାରିଲେ–କାରଣ ବା ଲିଙ୍ଗ ଶରୀର କହିଲେ କାହାକୁ ବୁଝାଏ ? ଯଯାତି ଅଷ୍ଟକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ-ଜୀବ ଦଶଇନ୍ଦ୍ରିୟ ବିଶିଷ୍ଟ, ପାଞ୍ଚଟି କର୍ମ ଇନ୍ଦ୍ରିୟ ଓ ପାଞ୍ଚଟି ଜ୍ଞାନେନ୍ଦ୍ରିୟ । କର୍ମ ଇନ୍ଦ୍ରିୟଦ୍ୱାରା କର୍ମ କରିଥିବା ବେଳେ ଜ୍ଞାନ ଇନ୍ଦ୍ରିୟ ମାଧ୍ୟମରେ ଇନ୍ଦ୍ରିୟକୃତ କର୍ମ ସମ୍ବନ୍ଧରେ ଜ୍ଞାନ ଆହୃତ ହୋଇଥାଏ । ଏହି ଦଶଟି ଇନ୍ଦ୍ରିୟର ଉପଭୋଗ୍ୟ ବିଷୟ ପାଞ୍ଚଟି ଅର୍ଥାତ୍‌ ଶବ୍ଦ, ସ୍ପର୍ଶ, ରୂପ ଓ ଗନ୍ଧ । ଯାହାକୁ ପଞ୍ଚାତନ୍ମାତ୍ର କୁହାଯାଏ । ଏହାଙ୍କ ସହିତ ମନ ଓ ବୁଦ୍ଧି ସଂଯୁକ୍ତ । ଏହି ସାତୋଟି ପଦାର୍ଥକୁ ଲିଙ୍ଗ ଶରୀର କୁହାଯାଏ । ଦୃଷ୍ଟିର ଅନ୍ତରାଳରେ ରହି ଏହି ଶରୀର ହିଁ ସବୁ କିଛି ନିୟନ୍ତ୍ରଣ କରିଥାଏ । ତପସ୍ୟା, ସଦାଚାର, ବିବେକଦ୍ୱାରା ଏହି ଶରୀର ଯାହାର ଯେତେ ପୁଷ୍ଟ ସେ ସେତେ ନିର୍ଲେପ । ସ୍ୱର୍ଗ ତାର ସେତିକି ନିକଟତର ।

 

ଯଯାତିଙ୍କ ଠାରୁ ଜ୍ଞାନଗର୍ଭକ ସାର କଥାମାନ ଶୁଣି ଅଷ୍ଟକ ଓ ତାଙ୍କ ନିକଟରେ ଉପବିଷ୍ଟ ସଜ୍ଜନଗଣ ବହୁତ ତୃପ୍ତିଲାଭ କରିଥିଲେ । ଆଶ୍ରମ ଜୀବନରେ ଅଷ୍ଟକ ଗ୍ରାର୍ହସ୍ଥ୍ୟ, ବାନପ୍ରସ୍ଥ, ସନ୍ନ୍ୟାସ ଜୀବନ ସମ୍ବନ୍ଧୀୟ ଅନେକ ଆଲୋଚନା କରି ଉପଲବ୍‌ଧି କରିଥିଲେ ଯେ ସରଳତା, ସହୃଦୟତା ହିଁ ସତ୍‌ ଜୀବନ-ଯାପନର ଏକମାତ୍ର ଉପାୟ । ଏହାଦ୍ୱାରାହିଁ କାଳ ପ୍ରବାହକୁ ଜୟ କରାଯାଇ ପାରେ । ଏହାପରେ ଅଷ୍ଟକ ଯଯାତିଙ୍କୁ ଅନ୍ତରୀକ୍ଷରୁ କେଉଁ ଦିଗରେ ଯିବେ ବୋଲି ପଚାରିଥିଲେ । ଯଯାତି କହିଲେ, ଦେବରାଜଙ୍କ ଆଦେଶରେ ମୋତେ ବର୍ତ୍ତମାନ ପୃଥିବୀରେ ପ୍ରବେଶ କାରିବାକୁ ହିଁ ହେବ । ଅବଶ୍ୟ ସତଜନ ସଙ୍ଗ ଲାଭ କରିବି ।

 

ଅଷ୍ଟକ କହିଲେ–ରାଜନ୍‌, ପାରଲୌକିକ ଜ୍ଞାନରେ ଆପଣ ଯଥେଷ୍ଟ ଅଭୀଜ୍ଞ । ଆପଣ କୁହନ୍ତୁ ଏପରି ସତ୍‌ ଜୀବନ ଯାପନ କରି ମୁଁ କଣ କିଛି ପୁଣ୍ୟ ଅର୍ଜ୍ଜନ କରି ନାହିଁ ?

 

ଯଯାତି କହିଲେ–ଅଷ୍ଟକ, ଅବଶ୍ୟ ତୁମେ ପୁଣ୍ୟାର୍ଜନ କରିଛ । ତୁମ ନିମିତ୍ତ ସ୍ୱର୍ଗଲୋକ ଅପେକ୍ଷା କରିଛି ।

 

ଅଷ୍ଟକ ଯଯାତି କଥା ଶୁଣି କହିଲେ–ରାଜନ, ଆପଣ ପୁନଶ୍ଚ ଏହି ପାର୍ଥିବ ଲୋକରେ ପରିଭ୍ରମଣ କରନ୍ତୁ, ଏହା ମୋର କାମ୍ୟ ନୁହେଁ । ଯଦି ମୋ ନିମନ୍ତେ ସ୍ୱର୍ଗ ଲୋକର କୌଣସି ସ୍ଥାନ ଥାଏ ତାହା ମୁଁ ଆପଣଙ୍କୁ ଦାନ କରୁଛି । ଆପଣ ତାହା ଗ୍ରହଣ କରନ୍ତୁ । ପୃଥିବୀରେ ଆଉ ପ୍ରବେଶ କରନ୍ତୁ ନାହିଁ ।

 

ଯଯାତି କହିଲେ–ଏ କିପରି କଥା କହୁଛ ‘ଅଷ୍ଟକ’ ମୁଁ କ୍ଷତ୍ରିୟ । ମୋର ଦାନ କରିବା ଧର୍ମସାପେକ୍ଷ । ଦାନ ଗ୍ରହଣ ଅନ୍ୟାୟ ଓ ଅଧର୍ମ ମଧ୍ୟ । ତୁମେ ଯଦି ଦାନ କରିବାକୁ ଇଚ୍ଛା କର ତାହେଲେ ଉପଯୁକ୍ତ ପାତ୍ର ବ୍ରାହ୍ମଣକୁ ଦାନ କର ।

 

ଅଷ୍ଟକ ପ୍ରତ୍ୟାଖ୍ୟାତ ହେଲେହେଁ ଅଷ୍ଟକ ସମାବୃତ୍ତ ସଜ୍ଜନଗଣ ଯେଉଁମାନେ ଯଯାତିଙ୍କ ସାରଗର୍ଭକ ଆଲୋଚନାମାନ ଶୁଣୁଥିଲେ, ସମସ୍ତଙ୍କ ମନରେ ଏକ ବାସନା ଜାତ ହୋଇଥିଲା ଯେ ଯଯାତିଙ୍କୁ ଭୌମ ନରକ ଭୋଗ କରିବାକୁ ଦେବେ ନାହିଁ ।’’ ସୁତରାଂ ଉଦ୍ଦ୍ୟୋଗ ନ ହରାଇ ‘କାଶୀରାଜ ପ୍ରର୍ତଦିନ’, ‘ରାଜା ବସୁମନା’ ଉଶୀନରପୁତ୍ର ରାଜା ଶିବି ମଧ୍ୟ ସମସ୍ତ ଏହି ଏକ ଆବେଦନ କଲେ, ଆରମ୍ଭ ଅର୍ଜିତ ପୁଣ୍ୟନେଇ ଆପଣ ପୁନଶ୍ଚ ପୁଣ୍ୟମୟ ହୁଅନ୍ତୁ । ସ୍ୱର୍ଗଲୋକ ପ୍ରତ୍ୟାବର୍ତ୍ତନ କରନ୍ତୁ । କିନ୍ତୁ ଯଯାତି ସମସ୍ତଙ୍କର ଆବେଦନ ପ୍ରତ୍ୟାଖ୍ୟାନ କଲେ ।

 

ଅଷ୍ଟକ ପୁନଶ୍ଚ କହିଲେ, ରାଜନ୍‌, ଆପଣଙ୍କ ପତନ ଆମ୍ଭମାନଙ୍କ ପକ୍ଷରେ ଦୁର୍ବିସହ । ଆମ ସମସ୍ତଙ୍କର ସମ୍ମିଳିତ ପୁଣ୍ୟବଳରେ ବଳୀୟାନ ହୋଇ ଆପଣ ପୁନଶ୍ଚ ସ୍ୱର୍ଗଲୋକ ଫେରିଯାଆନ୍ତୁ ଏବଂ ଏହି ପୁଣ୍ୟ କ୍ଷୟରେ ଯଦି ଆମ୍ଭମାନଙ୍କୁ ନରକବାସ କରିବାକୁ ପଡ଼େ ତାହେଲେ ଆମ୍ଭେ ସଦାନନ୍ଦରେ ନରକବାସ କରିବୁ ।

 

ଯଯାତି କହିଲେ–‘ଅଷ୍ଟକ, ତୁମ୍ଭର ବଚନ ଅବଶ୍ୟ ସଜ୍ଜନ ସଦୃଶ । ତଥାପି ଏ ଦାନ ମୁଁ ଗ୍ରହଣ କରିପାରିବି ନାହିଁ । ଆଚାରବିହୀନ କର୍ମ ମୁଁ କେବେହେଁ କରିବି ନାହିଁ । ତୁମ୍ଭେମାନେ ସମସ୍ତେ ସତ୍‌ପୁରୁଷ, ବରଂ ଦେବ ନିର୍ଦ୍ଦିଷ୍ଟ ଯୋଗ୍ୟ କ୍ଷେତ୍ର ମୋ ପାଇଁ ପ୍ରସ୍ତୁତ କରିଦିଅ ।

 

ଠିକ୍‌ ଏହି ସମୟରେ ମୃଗ ଚର୍ମାବୃତା ତପସ୍ୱିନୀ ମାଧବୀ ମୃଗର ଆହାର ଅନ୍ୱେଷଣରେ ସେଠାରେ ଉପସ୍ଥିତ ହୋଇଥିଲେ । ଯଜ୍ଞ ଧୂମ ପୂତଗନ୍ଧରେ ଆମୋଦିତ ବନସ୍ଥଳୀ ଚତୁର୍ଦ୍ଦିଗ ନିରୀକ୍ଷଣ କରିବା ସମୟରେ ଉର୍ଦ୍ଧ୍ୱମୁଖରେ ବିଷର୍ଣ୍ଣ ମୁଖମଣ୍ଡଳରେ ଅଷ୍ଟକ ଓ ବସୁମନା ପ୍ରଭୃତିଙ୍କୁ ଦେଖି ମାଧବୀ ଊର୍ଦ୍ଧ୍ୱମୁଖ କରି ଦେଖି ଚମକି ପଡ଼ିଲେ । ତତ୍‌ପରେ ବିସ୍ମାୟାଚକିତ ଦୃଷ୍ଟିରେ ମାଧବୀଙ୍କ କଣ୍ଠରୁ ଯେପରି ସ୍ୱତଃ ଉଚ୍ଚାରିତ ହେଲା–ଏ କଣ ? ଆପଣ ? କହି ଆଭୂମି ପ୍ରଣାମ ଜଣାଇଲେ ।

 

ମାଧବୀଙ୍କୁ ଏପରି ବିସ୍ମିତ ଓ ଆଭୂମି ପ୍ରଣାମ କରିବା ଦେଖି ଅଷ୍ଟକ ହତଚକିତ ହୋଇ ପଚାରିଲେ–‘ମା ଆପଣ କଣ ଏହାଙ୍କ ପରିଚୟ ଜାଣନ୍ତି ? ମାଧବୀ କହିଲେ, କେବଳ ଜାଣିଛି କହିଲେ ଭୁଲ୍‌ ହେବ ପୁତ୍ର । ଏ ଆମ୍ଭର ଆତ୍ମୀୟ, ମୋର ପିତା ନହୁଷଙ୍କ ପୁତ୍ର ଯଯାତି । ତୁମ୍ଭର ମାତାମହ । ଯଯାତିଙ୍କୁ ଲକ୍ଷ୍ୟ କରି ମାଧବୀ କହିଲେ, କିନ୍ତୁ ସ୍ୱର୍ଗଲୋକ ଭ୍ରଷ୍ଟ ହୋଇ ଆପଣ ଏଠାରେ କିପରି ?

ଉତ୍ତରରେ ଆଦ୍ୟୋପ୍ରାନ୍ତ ସମସ୍ତ ଶୁଣି ମାଧବୀ କହିଲେ, ରାଜନ୍‌ ! ଆପଣଙ୍କର ଔରସ ଜାତ ମୋର ଭାଇ ପୁରୁର ଦାନ କୌଣସି ବସ୍ତୁ ଗ୍ରହଣ କରିବାରେ ଆପଣଙ୍କର କୌଣସି ଆପତ୍ତି ରହିପାରେ କି ? ଯଦି ନଥାଏ ତେବେ ମୁଁ ଆପଣଙ୍କର କନ୍ୟା ଓ ଅଷ୍ଟକ ଆପଣଙ୍କର ଦୌହିତ୍ର । ଏମାନେ ସଦାଚାରୀ ହୋଇଥିବାରୁ ଆପଣଙ୍କ ଦାନ ଗ୍ରହଣରେ କୌଣସି ବାଧା ନାହିଁ ।

ମନ ଦେଇ ମାଧବୀଙ୍କ ଯୁକ୍ତିପୂର୍ଣ୍ଣ କଥା ଶୁଣି ଯଯାତି କହିଲେ–ନା’ କନ୍ୟା ତୁମ୍ଭର ଏହି ଶ୍ରଦ୍ଧାଦାନ ମୁଁ କୌଣସି ମତେ ପ୍ରତ୍ୟାଖ୍ୟାନ କରିବି ନାହିଁ । ପୁତ୍ର ଯେପରି ଉପେକ୍ଷିତ ହୁଏ ନାହିଁ ସେହିପରି କନ୍ୟା ଓ କନ୍ୟାର ଗର୍ଭଜାତ ପୁତ୍ର ଉପେକ୍ଷିତ ହେବ ନାହିଁ । ମୋର ଦୌହିତ୍ରବର୍ଗଙ୍କର ଶ୍ରଦ୍ଧା ଅର୍ଘ୍ୟ ମୁଁ ସାନନ୍ଦରେ ଗ୍ରହଣ କରିବି । ଏଥି ସହିତ ମୁକ୍ତ କଣ୍ଠରେ ଏ କଥା ମଧ୍ୟ କହୁଛି–ଆଜିଠାରୁ ପୃଥିବୀରେ ପିତାଙ୍କ ପାରଲୌକିକ ଶ୍ରାଦ୍ଧ କର୍ମରେ ଦୌହିତ୍ର ପରମ ପବିତ୍ର ହିସାବରେ ଗଣ୍ୟ ହେବ । କାରଣ–

‘‘ପବିତ୍ରଂ ଦୌହିତ୍ର ମଦ୍ୟ ପ୍ରଭୃତି ପୈତୃକେ

ଭବିଷ୍ୟତି ନ ସନ୍ଦେହ ପିତୃଣାଂ ପ୍ରୀତି ବର୍ଦ୍ଧନମ୍‌ ।’’

ଦୋହିତ୍ରଗଣଙ୍କର ସଦାଚାର କର୍ମ ନେଇ ଭୌମ ନରକରୁ ଯଯାତି ଉଦ୍ଧାର ପାଇଥିଲେ-। ପୁନଶ୍ଚ ଅନ୍ତରୀକ୍ଷରୁ ସ୍ୱର୍ଗଲୋକକୁ ଆନନ୍ଦ ମନ ଓ ଅମଳୀନ ଅନ୍ତଃକରଣ ନେଇ ଯଯାତି ପ୍ରତ୍ୟାବର୍ତ୍ତନ କରିଥିଲେ ।

Image

 

ଇନ୍ଦ୍ର–ବକ ସମ୍ବାଦ

 

କାମ୍ୟକ ବନରେ ଅବସ୍ଥାନ ସମୟରେ ସପରିବାର ବେଷ୍ଟିତ ଯୁଧିଷ୍ଠିରଙ୍କୁ ମହର୍ଷି ମାର୍କଣ୍ଡେୟ ଏହି ସମ୍ବାଦଟି ପରିବେଷଣ କରିଥିଲେ । ଏହି ସମ୍ବାଦଟି ମାର୍କଣ୍ଡେୟ ଋଷିଙ୍କ ସୁଦୀର୍ଘ ଜୀବନକାଳ ମଧ୍ୟରେ ଘଟିଯାଇଥିବା ଘଟଣାବଳୀର ଅନୁଶୀଳନ ଓ ମନନଶୀଳତାର ଏକ ଉଦାହରଣ ମାତ୍ର । ମାର୍କଣ୍ଡେୟ ଋଷିଙ୍କର ଗୋଟିଏ ଗୋଟିଏ କାହାଣୀ ଏକ ଏକ ଆଦର୍ଶର ପ୍ରତିଛବି ମାତ୍ର ।

 

ଯୁଧିଷ୍ଠିରଙ୍କୁ ମାର୍କଣ୍ଡେୟ ପ୍ରସଙ୍ଗାନୁସାରେ ଏହି କାହାଣୀଟି ଶୁଣାଇଥିଲେ । ମହାମୁନି ଦଲ୍‌ଭଙ୍କ ପୁତ୍ର ‘ବକ’ ଯେପରି ମହାତପସ୍ୱୀ ସହିପରି ଦୀର୍ଘାୟୁ ଥିଲେ । ଦେବରାଜ ଇନ୍ଦ୍ର ସ୍ୱର୍ଗଲୋକରୁ ମର୍ତ୍ତ୍ୟକୁ ଆସି ‘ବକ’ ମୁନିଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ ।

 

ମାତୃ ଗର୍ଭରୁ ନିଃସୃତ ଶୁକ୍ର ଶୋଷିତରେ ମନୁଷ୍ୟ ନିର୍ଦ୍ଦିଷ୍ଟ ପରମାୟୁ ନେଇ ଜନ୍ମଲାଭ କରିଥାଏ ଓ କର୍ମଫଳ ଭୋଗ କରିଥାଏ । ପରମାୟୁ ଶେଷରେ ଏହି ନଶ୍ୱର ଦେହ ତ୍ୟାଗ କରି ସୂକ୍ଷ୍ମ ଶରୀର ବା ଦେହର ପରମାଣୁ ନେଇ ଏ ଜଗତରୁ ବିଦାୟ ନେଇଥାଏ । ଏହାହିଁ ପ୍ରକୃତିର ନିୟମ । ଏହି ନିୟମ ଅମୋଘ ଓ ଅନିର୍ବାର୍ଯ୍ୟ । ଜୀବ ଜଗତରେ ଜୀବ ପ୍ରବାହ ଦୁର୍ବାର ଗତିରେ ଗତିଶୀଳ । ଏହି ନିୟମର ବ୍ୟତିକ୍ରମହିଁ ପରମାଶ୍ଚର୍ଯ୍ୟ ଅଟେ । ଋଷିବର ‘ବକ’ ଏହି ପରମାଶ୍ଚର୍ଯ୍ୟ ବ୍ୟତିକ୍ରମର ଏକ ଜ୍ୱଳନ୍ତ ଉଦାହରଣ । କାରଣ ସପ୍ତକାଳଜୀବୀ ଅତି ବୃଦ୍ଧ ୠଷି ‘ବକ’ ଦିବ୍ୟକାନ୍ତି ଧାରଣ କରି ତରୁଣ ସଦୃଶ ଥିଲେ । ଯୁଧିଷ୍ଠିର ଏହି ପରମାଶ୍ଚର୍ଯ୍ୟ ଘଟଣା ଶୁଣି ମନ ମଧ୍ୟରେ ଚିନ୍ତା କଲେ, ଏହି ଦୁର୍ନିବାର ନିୟମ ବକମୁନିଙ୍କ ପକ୍ଷରେ ଲଂଘନ କିପରି ସମ୍ଭବ ହେଲା ? ସେହି ରହସ୍ୟ ଜାଣିବା ନିମନ୍ତେ ଯୁଧିଷ୍ଠିର ମାର୍କଣ୍ଡେୟଙ୍କୁ ପଚାରିଲେ ଯେ ‘‘ସେ ଶୁଣିଛନ୍ତି ବକ ମୁନି ଚିରାୟୁ’ କିନ୍ତୁ ଏହି ମର ଶରୀରରେ ସେ କିପରି ଏହି ଅଖଣ୍ଡ ପରମାୟୁର ଅଧିକାରୀ ହୋଇ ପାରିଲେ ?’’

 

ପ୍ରଶ୍ନ ଶୁଣି ମାର୍କଣ୍ଡେୟ କିୟତକାଳ ନୀରବ ରହି କହିଲେ ‘‘ରାଜନ୍‌, ବକମୁନି ମହାନ ତପସ୍ୱୀ ଓ ଦୀର୍ଘାୟୁ ଥିଲେ । ଏ ସମ୍ବନ୍ଧରେ ଅଧିକ ଜାଣିବା ନିମନ୍ତେ ପ୍ରୟାସ କରିବା ଅନୁଚିତ ।

 

ଯୁଧିଷ୍ଠିର ବୁଝିପାରିଲେ ଯେ ମାର୍କଣ୍ଡେୟ ଏହି ରହସ୍ୟ ଉଦ୍‌ଘାଟନ କରିବା ପାଇଁ ଅନିଚ୍ଛୁକ । ଅତଏବ ସେ ପ୍ରସଙ୍ଗାନ୍ତରରେ ପ୍ରଶ୍ନ କଲେ, ‘‘ଭଗବାନ, ମୁଁ ଶୁଣିଛି ବକମୁନି ଇନ୍ଦ୍ରଙ୍କର ବନ୍ଧୁତ୍ୱ ଲାଭ କରିଥିଲେ । ଦେବଲୋକବାସୀ ଇନ୍ଦ୍ରଙ୍କ ସହିତ ବକମୁନିଙ୍କ ସାକ୍ଷାତ୍‌ କିପରି ସମ୍ଭବ ହୋଇଥିଲା ? ଏବଂ ଦୁହିଁଙ୍କ ମଧ୍ୟରେ ଏପରି କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ଯାହାଫଳରେ ଦେବରାଜ ଇନ୍ଦ୍ର ମୁଗଧ୍‌ ହୋଇ ବକ ମୁନିଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ’’ ?

 

ମାର୍କଣ୍ଡେୟ କହିଲେ ‘‘ଧର୍ମପୁତ୍ର ! ଦେବରାଜ ଇନ୍ଦ୍ରଙ୍କ ସହିତ ବକମୁନିଙ୍କର ଦୁର୍ଲଭ ସଖ୍ୟତା ଏକ ଐତିହାସିକ ଘଟଣା । ମନ ଦେଇ ଶ୍ରବଣ କର ।’’ ମାର୍କଣ୍ଡେୟ କାହାଣୀ ବର୍ଣ୍ଣନା କଲେ । ‘‘ତୁମ୍ଭେ ନିଶ୍ଚୟ ଜାଣିଥିବ ଯେ ଦେବାସୁର ସଂଗ୍ରାମରେ ସମୁଦ୍ର ମନ୍ଥନ ଶେଷରେ ସମୁଦ୍ରୋଧିତ ଅମୃତ ପାନ କରି ହୀନବଳ ଦେବଗଣ ପୁନ୍ୟ ଶକ୍ତି ସାମର୍ଥ୍ୟ ପ୍ରାପ୍ତ ହୋଇଥିଲେ ଓ ଅସୁରକୁଳ ବିନାଶକରି ହୃତ ସ୍ୱର୍ଗରାଜ୍ୟ ଅଧିକାର କରିଥିଲେ ।’’

 

ଏହା ଶୁଣି ଯୁଧିଷ୍ଠିର କହିଲେ, ଏହା ଅବିସ୍ମରଣୀୟ ଏବଂ ଦେବଗଣ ସେହି ସମୟରେ ପ୍ରମତ୍ତ ଅସୁରକୁଳଙ୍କର ଅତ୍ୟାଚାର ଦମନ ନ କରିଥିଲେ କେବେଠାରୁ ଏହି ପୃଥିବୀ ରସାତଳଗାମୀ ହୋଇଥାଆନ୍ତା ।’’

 

ଯୁଧିଷ୍ଠିରଙ୍କ କଥା ଶେଷ ହେବା ପରେ ପୁନଶ୍ଚ ମାର୍କଣ୍ଡେୟ ଆରମ୍ଭ କଲେ, ‘‘ସେହି ଯୁଦ୍ଧରେ ମଦମତ୍ତ ଅସୁରଗଣଙ୍କ ସହିତ ବକାସୁରକୁ ଦମନ କରି ଦେବରାଜ ଇନ୍ଦ୍ର ଦେବଗଣଙ୍କ ସହିତ ପୁନଶ୍ଚ ସିଂହାସନାରୂଢ଼ ହୋଇଥିବାରୁ ଅଶାନ୍ତ ପୃଥିବୀ ଶାନ୍ତ ହୋଇଥିଲା ଓ ସ୍ୱର୍ଗ, ମର୍ତ୍ତ୍ୟ, ଅନ୍ତରୀକ୍ଷରେ ଶାନ୍ତି ସ୍ଥାପନ ହୋଇଥିଲା । ନିଶ୍ଚିନ୍ତରେ ଚନ୍ଦ୍ର, ବାୟୁ, ବରୁଣ, କୁବେର ଆଦି ଦେବଗଣ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ପାଳନ କରିଥିଲେ । ବ୍ରହ୍ମାଣ୍ଡର ପ୍ରଭୂତ କ୍ଷୟ କ୍ଷତି ଯଥାଶୀଘ୍ର ପୂରଣ କରି ପୂର୍ବ ସ୍ଥିତାବସ୍ଥା ପ୍ରତିଷ୍ଠା ନିମନ୍ତେ ସେମାନେ ପରିପୂର୍ଣ୍ଣ ଭାବରେ ସଜାଗ ହୋଇଥିଲେ । ଏହିପରି କିଛି କାଳ ଗତ ଅନ୍ତେ ‘ଇନ୍ଦ୍ର’ ଭୂମଣ୍ଡଳର କ୍ଷୟକ୍ଷତି ନିର୍ଦ୍ଧାରଣ ନିମନ୍ତେ ଅମରାବତୀରୁ ଐରାବତ ପୃଷ୍ଠରେ ଦ୍ୱିଲୋକ, ଭୂବଲୋକ ଅତିକ୍ରମ କରି ମର୍ତ୍ତ୍ୟରେ ଉପନୀତ ହୋଇଥିଲେ । ସେ ସେତେବେଳେ ଦେଖିଲେ ଯେଉଁ ସ୍ରୋତସ୍ୱିନୀମାନ ସଂଗ୍ରାମକାଳରେ କ୍ଷଣାକାର ରୂପ ଧାରଣ କରିଥିଲେ ସହି ସ୍ରୋତସ୍ୱିନୀମାନ ପୁନଶ୍ଚ ସ୍ଫୀତୋଦରା ଓ ସେମାନଙ୍କର ଉର୍ମିମାଳା ଦୁଇକୂଳ ପ୍ରବାହିତ କରି ସାଗରରେ ମିଶୁଅଛି । ଯେଉଁ ସବୁ ପ୍ରଜାଗଣ ବିରସ ବଦନରେ କର୍ମହୀନ ହୋଇ ମୃତ୍ୟୁକୁ ଅପେକ୍ଷା କରି ରହିଥିଲେ ସେମାନଙ୍କ କଣ୍ଠ ନିସୃତ ସଙ୍ଗୀତଧ୍ୱନି ଚତୁର୍ଦ୍ଦିଗ ମୁଖରିତ କରୁଛି । ସେମାନଙ୍କର ବୀଭିଷିକାମୟ ଦିନ ସ୍ମୃତି ସତେ ଯେପରି ସେମାନେ ବିସ୍ମୃତ ହୋଇଛନ୍ତି । ପୁନଶ୍ଚ ବାନପ୍ରସ୍ଥୀଗଣ ତପୋବନରେ ନିଶ୍ଚିନ୍ତ ଜୀବନଯାପନ କରୁଛନ୍ତି । ମୁନିୠଷିଗଣ ଯେ ଯାହାର କର୍ତ୍ତବ୍ୟ ଯୋଗ, ଯଜ୍ଞାଦି କର୍ମରେ ଲିପ୍ତ ଅଛନ୍ତି । ପ୍ରଦକ୍ଷିଣ କ୍ରମରେ ଦେବରାଜ ପୁନଶ୍ଚ ଦେଖିଲେ ମର୍ତ୍ତ୍ୟରେ ଶାସକଗଣ ସୁନିପୁଣ ଭାବରେ ଶାସନ କରୁଛନ୍ତି । ଏହିପରି ଭ୍ରମଣ ସମୟରେ ଇନ୍ଦ୍ର ପୂର୍ବଦିଗସ୍ଥ ସମୁଦ୍ର ତଟରେ ବୃକ୍ଷରାଜି ସମାବୃତ ଏକ ଆଶ୍ରମ ଦେଖିଲେ । ଇନ୍ଦ୍ର କିୟତକାଳ ଚିନ୍ତାକରି ଐରାବତ ପୃଷ୍ଠରୁ ଅବତରଣ ପୂର୍ବକ ଆଶ୍ରମରେ ଉପନୀତ ହେଲେ । ଏହି ଆଶ୍ରମଟି ମହାମୁନି ବକଙ୍କର ଆଶ୍ରମ ଥିଲା । ସହସା ଇନ୍ଦ୍ରଙ୍କ ଆଗମନରେ ବକମୁନି ସଶ୍ରଦ୍ଧା ଅଭ୍ୟର୍ଥନା ଓ ପାଦାର୍ଘ୍ୟ ଅର୍ପଣ କରି ଇନ୍ଦ୍ରଙ୍କୁ ଉପବେଶନ ନିମନ୍ତେ ଆସନ ପ୍ରଦାନ କଲେ । ପ୍ରୀତି ମନରେ ‘ଇନ୍ଦ୍ର’ ଉପବେଶନ କରି ଚିରଜୀବୀ ବକମୁନିଙ୍କ ଉଦ୍ଦେଶ୍ୟରେ କହିଲେ–‘ମୁନିବର, ଆପଣ ଅସୀମ ଶକ୍ତି ବଳରେ ଅଖଣ୍ଡ ପରମାୟୁ ନେଇ ଏହି ଜୀବମୟ ସଂସାରରେ ବାସକରି ଅନେକ କିଛି ଦେଖିଛନ୍ତି ଓ ଦେଖୁଛନ୍ତି ମଧ୍ୟ ।’’

 

ବକମୁନି ଉତ୍ତରରେ କହିଲେ ‘‘ଅବଶ୍ୟ ମୁଁ ଦେଖିଛି ଓ ଦେଖୁଅଛି ମଧ୍ୟ । ମୋର ଏହି ଦେଖିବା ଓ ଜାଣିବାର ଅନୁଭୂତି ଅତି ବିଚିତ୍ର ।’’

 

ଦେବରାଜ ଇନ୍ଦ୍ର ବକମୁନିଙ୍କ ଉତ୍ତର ଶୁଣି ପୁନଶ୍ଚ ପ୍ରଶ୍ନକଲେ ‘‘କାହିଁକି ଏହା ବିଚିତ୍ର ବୋଲି ଆପଣ କହୁଛନ୍ତି ମୁନିବର’’ ?

 

ବକମୁନି କହିଲେ–ଯେପରି ପ୍ରକୃତି ଜଗତରେ ନିତ୍ୟ ଆଲୋକ ଅନ୍ଧକାର ଖେଳ ଚାଲିଥାଏ ସେହିପରି ଜୀବଜଗତରେ ସୁଖ ଓ ଦୁଃଖରେ ନିତ୍ୟ ନୈମିତ୍ତିକ ଲୀଳା ଚାଲିଛି । ଚିରଜୀବୀ ହୋଇ ମୁଁ ଯେତେବେଳେ ଏହି ଦୁଇଟି ବସ୍ତୁର ଲୀଳା ଦେଖୁଥାଏ, ସେତେବେଳେ ମୋ ମନରେ ସ୍ୱତଃ ଜାତହୁଏ ଯେ ଏହି ବ୍ରହ୍ମାଣ୍ଡରେ ଏପରି କେହି ଜଣେ ନାହିଁ ଯେ କି ଏଇ ସୁଖଦୁଃଖ କବଳରୁ ନିସ୍ତାର ଲାଭ କରି ପାରିଛି ।’’

 

ଇନ୍ଦ୍ର ପଚାରିଲେ–‘‘ଆପଣଙ୍କଠାରେ ଏହାର ବ୍ୟତିକ୍ରମ ହୋଇଛି କି ?

 

ବକମୁନି କହିଲେ–ପରମ ପିତାଙ୍କ ସନ୍ତାନ ମନୁଷ୍ୟ ମଧ୍ୟରେ କେହି କେହି ଭୋଗବାସନା ଯୁକ୍ତ ଗୃହୀ ହେଲାବେଳେ ଆଉ କେହି ଭୋଗବାସନାମୁକ୍ତ ଗୃହତ୍ୟାଗୀ ସନ୍ନାସୀ ହୋଇଥାନ୍ତି । ଭୋଗବାସନା ଯୁକ୍ତ ଗୃହୀ ସ୍ତ୍ରୀ ପୁତ୍ର ପରିବାର ବେଷ୍ଟିତ ହୋଇ ସଂସାର କରିବା ସମୟରେ କିଏ ବା ବିପରୀତ ମନରେ ନିର୍ଜନରେ ସଙ୍ଗହୀନ ହୋଇ ଜୀବନ ବିତାଇଥାନ୍ତି । ମନ ବ୍ୟତୀତ ମନୁଷ୍ୟ ସ୍ଥିତି ଅସମ୍ଭବ । ଚକ୍ଷୁ ଓ କର୍ଣ୍ଣ ମନୁଷ୍ୟ ମନରେ ଜଗତର ବାର୍ତ୍ତା ଆଣି ଦେଇଥାନ୍ତି-। ମନୁଷ୍ୟ ଏହି ଚକ୍ଷୁ ଓ କର୍ଣ୍ଣର କର୍ତ୍ତବ୍ୟ କର୍ମକୁ ସମୂଳେ ବିନାଶ କରିପାରେ କି ? ତାହା କେବେହେଁ ସମ୍ଭବ ନୁହେଁ । ସେଥିପାଇଁ ମୁଁ ବନବାସୀ ହୋଇ ମଧ୍ୟ ସୁଦୀର୍ଘ ଜୀବନକାଳରେ ମୋର ଅନୁଭବଦ୍ୱାରା ଏହାର ଅନୁସରଣ ଜାଗ୍ରତ ହେବା ସ୍ୱାଭାବିକ ।’’

ଦେବରାଜ କହିଲେ–ଆପଣଙ୍କ ଯୁକ୍ତି ନିଶ୍ଚୟ ସ୍ୱୀକାରଯୋଗ୍ୟ । ଆପଣ ଏହି ଜଗତରେ ଏକଲକ୍ଷ ବର୍ଷ ଜୀବିତ ଅଛନ୍ତି । କିପରି ଭାବରେ ସୁଖ ଦୁଃଖକୁ ଆପଣ ଦେଖିଛନ୍ତି ଏବଂ ସୁଖ ଓ ଦୁଃଖ କାହାକୁ କୁହାଯାଏ ଦୟାକରି କୁହନ୍ତୁ ।

ବକମୁନି କହିଲେ–ଦେବରାଜ, ଅର୍ଥ ଓ ଆସକ୍ତି ଦୁଃଖବୋଧର ମୂଳ କାରଣ । ଜଗତରେ ବାସକରି ମୋର ଅଭିଜ୍ଞତାରୁ ମୁଁ ଏତିକି କହିବି ଯେ ମନୁଷ୍ୟ କେବଳ ଦୁଃଖ ଓ କ୍ଳେଶ ଭାର ବହନ ନିମନ୍ତେ ହିଁ ଏହି ସଂସାରରେ ଜନ୍ମଗ୍ରହଣ କରୁଅଛି । ଦେବରାଜ ମୁନିଙ୍କ କଥା ଶୁଣି କହିଲେ–ଭଗବାନ୍‌, ଏପରି କାହିଁକି କହୁଛନ୍ତି ? ଅର୍ଥ ଓ ଆସକ୍ତି ଯେ ଦୁଃଖର ମୂଳ କାରଣ ଆପଣ ତାହା ଅନୁଭବ କଲେ କିପରି ?

ମୁନି କହିଲେ–ସମାଜ ଓ ସଂସାରକୁ ଦେଖିଲେ ହିଁ ତାହା ଅନୁଭବ କରାଯାଏ । ମନୁଷ୍ୟ ସମୃଦ୍ଧିଶାଳୀ ହୋଇ ବିତ୍ତବାନ ହେବା ନିମନ୍ତେ ସଦାସର୍ବଦା ଚେଷ୍ଟିତ ହେବା ସ୍ୱାଭାବିକ । ଏଥି ନିମନ୍ତେ ସେ ଅହରହ ପ୍ରୟାସ କରି ଚାଲିଥାଏ । ଏହି ପ୍ରୟାସ ମଧ୍ୟ ମନୁଷ୍ୟ ସଦୃଶ ବିଚିତ୍ର । ଏହି ବିଚିତ୍ର ଗତିପଥରେ ଜଣେ ଧନୀ ହେବା ସମୟରେ ଅନ୍ୟ ଜଣେ ଧନହୀନ ହୋଇ କାଳ କାଟିଥାଏ-। ମନୁଷ୍ୟ ମଧ୍ୟରେ ଏହିପରି ଭାବରେ ଜଣେ ଭୂସ୍ୱାମୀ ହେଲାବେଳେ ଅନ୍ୟ ଜଣେ ସ୍ତ୍ରୀ ପୁତ୍ର ପରିଜନ ସହିତ ତାର ଦାସ ହୋଇଥାଏ । ଏହି ବିତ୍ତ ଓ ସମ୍ପଦଦ୍ୱାରାହିଁ ସମାଜର ପ୍ରକୃତ ରୂପ ଅଦ୍ଭୁତ ଭାବରେ ନିରନ୍ତର ବଦଳୁଥାଏ । ଯେଉଁ ଯୌଥ ଦାୟିତ୍ୱ ଏବଂ କର୍ତ୍ତବ୍ୟ କରିବା ନିମନ୍ତେ ମନୁଷ୍ୟ ସାମାଜିକ ଜୀବ ଭାବରେ ପରିଚିତ ହୋଇଥାଏ ଏବଂ ନିଜ ନିଜ କକ୍ଷ ପଥରେ ଚାଲୁଥିଲେ ହେଁ ନିଷ୍ଠାପର ଭାବରେ ବୃହତ୍ତର ସ୍ୱାର୍ଥକୁ ସମୃଦ୍ଧ କରିବା ଯେଉଁ ଦାୟିତ୍ୱର ଅନ୍ୟତମ ସର୍ତ୍ତ, ତାହା ସେ ବିତ୍ତଦ୍ୱାରା ନିୟନ୍ତ୍ରିତ କରି ସମାଜକୁ ବ୍ୟକ୍ତିକୈନ୍ଦ୍ରିକ କରିଦିଏ । ଯେତେବେଳେ ଏହି ପ୍ରବଣତା ମନୁଷ୍ୟ ମନରେ ଦେଖାଦିଏ ସେତେବେଳେ କେବଳ ଦୁଃଖ ହିଁ ତାକୁ ଗ୍ରାସ କରିଥାଏ । ବିତ୍ତବାନର ଆଧିପତ୍ୟରେ ବିତ୍ତହୀନ ସୁଖ ଶାନ୍ତିରେ ରହିପାରିବ କି ? ଯେଉଁ ବିତ୍ତ ଅକୁଳୀନକୁ କୁଳୀନ, ଜ୍ଞାନହୀନ ଅଜ୍ଞାନୀକୁ ଜ୍ଞାନବାନ କରି ଯଥାର୍ଥ ଅର୍ଥରେ ଜ୍ଞାନୀକୁ ଅପମାନ ଦେଇଥାଏ ସେପରି ବିତ୍ତରେ ଅନ୍ୟକିଛି ହେବା ସମ୍ଭବ ହେଲେହେଁ ସୁଖଶାନ୍ତି ଦେଇପାରୁ ନଥାଏ । ସୁଦୀର୍ଘ ପରମାୟୁ ନେଇ ମୁଁ ଏହି ଆବର୍ତ୍ତନ ଦେଖି ଆସିଛି ଓ ଏହା ମୋର ଅନୁଭୂତିରେ ଅନୁଭବ କରିଛି । ଦେବରାଜ ମୁଗ୍‌ଧ ହେଲେହେଁ ମୁନିଙ୍କୁ ବିଶଦ ଭାବରେ ପୁନଶ୍ଚ କହିବାକୁ ଅନୁରୋଧ ଜଣାଇଥିଲେ ।

ବକମୁନି କହିଲେ–ଦେବରାଜ ! ଆପଣ ସର୍ବଜ୍ଞ । ତଥାପି ଆପଣ ଯେତେବେଳେ‌ କହିବାକୁ ଆଦେଶ ଦେଇଛନ୍ତି, ମୁଁ କହୁଛି । ମୁନି କହିଲେ, ଦୀର୍ଘ ପରମାୟୁ ନେଇ ବଞ୍ଚିବା ସମୟରେ ମନୁଷ୍ୟ ପ୍ରକୃତିର ବୈତିତ୍ର୍ୟର ଶିକାର ହୋଇଥାଏ । ସେ ଜାଣେ ତାହାର ପ୍ରତିବେଶୀ କିଭଳି ସ୍ୱାର୍ଥପର ଦ୍ୱେଷପୂର୍ଣ୍ଣ । ସବୁ ଜାଣି ମଧ୍ୟ ସଂସାର ଗତିରେ ଯେତେବେଳେ ସେହି ପ୍ରତିବେଶୀ ସହିତ ସମ୍ବନ୍ଧ ରଖିବାକୁ ବାଧ୍ୟ ହୋଇଥାଏ ତାହା ତାର ଦୁଃଖର କାରଣ ହୋଇ ନଥାଏ କି ? ଯାହାଙ୍କ ସହିତ ଏକତ୍ର ବସବାସ ନିମନ୍ତେ ମନ ବିରୁଦ୍ଧାଚରଣ କରିଥାଏ, ଅଥଚ ସଂସାର ମଧ୍ୟରେ ରହି ତାହା କରିବାକୁ ପଡ଼ିଥାଏ ତାହା କି କମ୍‌ କ୍ଳେଶଦାୟକ ? ଜାଗତିକ ନିୟମାନୁସାରେ ଯେପରି ସୂର୍ଯ୍ୟ ପୂର୍ବଦିଗରେ ଉଦୟ ଓ ପଶ୍ଚିମ ଗଗନରେ ଅସ୍ତମିତ ହୁଅନ୍ତି, ସେହିପରି ଜନ୍ମଗ୍ରହଣ ସହିତ ମୃତ୍ୟୁ ଅନିବାର୍ଯ୍ୟ, ଅମୋଘ, ଅଲଂଘନୀୟ ଜାଣି ସୁଦ୍ଧା ପ୍ରିୟଜନ, ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁରେ ଅସହାୟ ଭାବରେ ମନୁଷ୍ୟ ଶୋକ ଦୁଃଖର ଶିକାର ହୋଇଥାଏ । କୁଳୀନର କୁଳଚ୍ୟୁତି, ଅକୁଳୀନର କୁଳଲାଭ, ସଂଯୋଗ, ବିୟୋଗ କେତେ ପ୍ରକାରର ଅଧୀନତା କେବଳ ଜୀବକା ନିର୍ବାହ ନିମନ୍ତେ ସ୍ୱୀକାର କରି ମନୁଷ୍ୟ ଦୁଃଖ ବରଣ କରିଥାଏ । ଯେପରି–

 

ନାନ୍ୟଦ୍‌ ଦୁଃଖତରଂ କିଞ୍ଚିଲ୍ଲୋକେଷୁ ପ୍ରତିଭାତି ମେ

ଅର୍ଥେବିହୀନଃ ପୁରୁଷଃ ପରୈଃ ସମ୍ପତ୍ତି ଭୂୟତେଃ ।’’

 

ଅର୍ଥବିହୀନ ବ୍ୟକ୍ତି ଯେତେବେଳେ ଅନ୍ୟଠାରେ ତିରସ୍କୃତ ହୋଇ ଅନୁକମ୍ପାର ପାତ୍ର ହୋଇଥାଏ ସେତେବେଳେ ସେହି ବ୍ୟକ୍ତିର ଏହାଠାରୁ ଅଧିକ ଦୁଃଖଦାୟକ ଏ ଜଗତରେ ଆଉ କଣ ହୋଇପାରେ ? କେବଳ ଏହି ମର୍ତ୍ତ୍ୟରେ କାହିଁକି ଦେବ-ଦାନବ-ଗନ୍ଧର୍ବ-ସର୍ପ-ରାକ୍ଷସ ଜଗତରେ ମଧ୍ୟ କେତେ ପ୍ରକାରର ଶୋକ ଦୁଃଖର ପ୍ରବାହ ନିରନ୍ତର ପ୍ରବାହମାନ, ତାହା ଆପଣଙ୍କର ଅଜଣା ନୁହେଁ । ଚିରଜୀବୀ ହୋଇ ମୁଁ ସେହି ମର୍ମାନ୍ତକ ଦୁଃଖ ଅନୁଭୂତି ଭୋଗ କରୁଅଛି ଦେବରାଜ ।

 

ଦେବରାଜ ପଚାରିଲେ–କିପରି ସେ ଦୁଃଖ ?

 

ବକମୁନି କହିଲେ–‘‘ହୀନଜ୍ଞାନଶ୍ଚ ଦୃଶ୍ୟନ୍ତେ କ୍ଳିଶ୍ୟନ୍ତେ ପ୍ରାଜ୍ଞକୋବିଦାଃ । ଅର୍ଥାତ୍‌ ଜ୍ଞାନହୀନ ମୂର୍ଖ ରାଜାର ସମ୍ମାନ ପାଇଥିବା ସମୟରେ ପ୍ରଜ୍ଞାବାନ ଉପେକ୍ଷାର ଅପମାନ ପାଇଥାନ୍ତି-

 

ସର୍ବଜ୍ଞ ଦେବରାଜ ଜାଣିପାରିଲେ ଯେ ଏ ବିଚିତ୍ର ସଂସାରରେ ଯାହା ସତ୍ୟ ତାହା ବକମୁନି ନିଜ ଜୀବନ ଦର୍ଶନଦ୍ୱାରା ଅନୁଭବ କରି ଅକପଟରେ କହିଗଲେ । କିନ୍ତୁ ଦୁଃଖ ବ୍ୟତୀତ ସୁଖ ବୋଲି ଅନ୍ୟ ଗୋଟିଏ ଅନୁଭବ ବସ୍ତୁ ଅଛି । ମନୁଷ୍ୟ କେବଳ କଣ ଦୁଃଖ ହିଁ ଭୋଗ କରିଥାଏ, ସୁଖ ଭୋଗ କରେ ନାହିଁ । ସେଥି ନିମନ୍ତେ ଦେବରାଜ କହିଲେ, ଆପଣଙ୍କର ଦୁଃଖବୋଧର ବିବରଣ ଶୁଣିଲି । ଏଥର ସୁଖବୋଧ ସମ୍ବନ୍ଧରେ ଆପଣଙ୍କ ଅନୁଭୂତି ଶୁଣିବାକୁ ଚାହୁଁଛି । ଦୟାକରି କୁହନ୍ତୁ ।

 

ବକମୁନି କହିଲେ–ଦେବରାଜ, ଏହି ସୁଖ ଭୋଗ ହିଁ ମନୁଷ୍ୟର କାମ୍ୟ ବସ୍ତୁ । କେବଳ ମନୁଷ୍ୟ କାହିଁକି, ଗନ୍ଧର୍ବ, ପିଶାଚ, କିନ୍ନର, ଦାନବ ଏପରିକି ଦେବତା ମଧ୍ୟ ଏହାକୁ କାମ୍ୟ କରିଥାନ୍ତି-। ବ୍ରହ୍ମାଣ୍ଡରେ ଏହାକୁ କିଏ ନଚାହେଁ ? କିନ୍ତୁ ଏହି ଚାହିଁବା ଓ ପାଇବା ମଧ୍ୟରେ ହିଁ ‘ସୁଖବୋଧ’ ପ୍ରଚ୍ଛନ୍ନ ହୋଇ ରହିଅଛି । ଯେଉଁମାନେ ଐଶ୍ୱର୍ଯ୍ୟରେ ରହି, ପ୍ରଭୂତ ଧନସମ୍ପଦଦ୍ୱାରା ଅନ୍ୟ ଉପରେ ପ୍ରଭୂତ୍ୱ ଦେଖାଇ ଓ ବିଳାସ ବ୍ୟସନରେ ପ୍ରକୃତ ସୁଖବୋଧ ନିହିତ ବୋଲି ଭାବନ୍ତି ମୋର ଅଭିଜ୍ଞତାରେ ମୁଁ ଏତିକି ଜାଣିଛି ଯେ ସେହିମାନଙ୍କ ଠାରୁ ଏହି ସୁଖବୋଧ ଅନେକ ଅନେକ ଦୂରରେ ରହିଥାଏ । ମୋର ଅନୁଭବଦ୍ୱାରା ମୁଁ ବୁଝିପାରିଛି ଯେ ନିଜ ସାମର୍ଥ ମଧ୍ୟରେ ହିଁ ସୁଖବୋଧ ନିହିତ । କିନ୍ତୁ ସେହି ସାମର୍ଥ୍ୟ ସର୍ବଗ୍ରାସୀ ନହୋଇ ବିପରୀତଧର୍ମୀ ହେବା ଆବଶ୍ୟକ ।

 

କାହାରି ଉପରେ ପ୍ରଭୂତ୍ୱ ବିସ୍ତାର ନକରି, କାହାକୁ ପ୍ରବଞ୍ଚନା ନକରି ଅସତ୍‌ ପରାମର୍ଶରେ ନିଜ ସତ୍ତାକୁ ବିସର୍ଜନ ନଦେଇ ସମସ୍ତଙ୍କୁ ଆପଣାର ମନେକରି ସମସ୍ତଙ୍କୁ ନେଇ ସମସ୍ତଙ୍କ ମଧ୍ୟରେ ଯେଉଁ ବ୍ୟକ୍ତି ନିଜ ସ୍ଥିତି ଜଗି ରହିପାରେ ସେ ହିଁ ସୁଖବୋଧ କରିଥାଏ । କେହି ସୁଖାଦ୍ୟ ଭକ୍ଷଣ କଲାବେଳେ ଯଦି କିଏ ଲୋଭାତୁର ଯେକି ସେପରି ଖାଦ୍ୟ ଭକ୍ଷଣ କରିବା ସାମର୍ଥ୍ୟହୀନ ସେହି ବ୍ୟକ୍ତି ନିଜକୁ ହୀନ କରି ସୁଖାଦ୍ୟ ଭକ୍ଷଣକାରୀର ଦ୍ୱାରସ୍ଥ ହୁଏ ତା’ହେଲେ ସେହି ଅନ୍ମ ସେହି ଲୋଭାତୁର ବ୍ୟକ୍ତିକୁ କେବେହିଁ ସୁଖ ଦେବ ନାହିଁ । ବରଂ ନିଜ ଚେଷ୍ଟାରେ ନିଜ ସାମର୍ଥ୍ୟ ଅନୁସାରେ ସେହି ବ୍ୟକ୍ତି ଅର୍ଜନ କରି ଯଦି ଶାକାନ୍ନ ମଧ୍ୟ ଭକ୍ଷଣ କରେ, ତାହା ତାକୁ ପରମାନ୍ନ ଭକ୍ଷଣ କଲାଭଳି ସୁଖଦାୟକ ହେବ । ନିଜକୁ ଅନ୍ନ ନିମନ୍ତେ ଦୀନହୀନ ନକରି, ଅପରର କୃପାପାତ୍ର ନହୋଇ ନିଜର ଶକ୍ତି ସାମର୍ଥ୍ୟର ମର୍ଯ୍ୟାଦାର ଯେଉଁ ବ୍ୟକ୍ତି ଠିକ୍‌ ଭାବରେ ବଜାୟ ରଖେ ସେ ହିଁ ଏକମାତ୍ର ସୁଖବୋଧ କରିଥାଏ । କାରଣ ଦିନମାନର ଅନ୍ନ ଚିନ୍ତା ତାକୁ ଜର୍ଜର କରିପାରେ ନାହିଁ । ଯେଉଁମାନେ ନିଜ ସାମର୍ଥ୍ୟନୁଯାୟୀ ଉପାର୍ଜନ ନକରି ପରାନ୍ନ ଭୋଜନ କରିବା ନିମନ୍ତେ ଆଗ୍ରହୀ, ସେମାନେ କୁକୁର ସଦୃଶ ଅନ୍ନ ଭକ୍ଷଣ କରିବା ପରିବର୍ତ୍ତେ ରକ୍ତ ହିଁ ଚାଟିଥାନ୍ତି । ପୁନଶ୍ଚ ମୁନି କହିଲେ, ମନୁଷ୍ୟ ଜୀବନ ଅନ୍ନଗତ ପ୍ରାଣ । ମନୁଷ୍ୟ ଅନ୍ନବିମୁଖ ହୋଇ ରହି ପାରେ ନାହିଁ । ନିଜର ସାମର୍ଥ୍ୟ ଅର୍ଜିତ ଅନ୍ନରେ ଅତିଥି ସେବା, କାକାଦି ପ୍ରାଣୀ ସେବା, ପିତୃପୁରୁଷ ବର୍ଗଙ୍କର ସେବା କରି ଅବଶିଷ୍ଟାଂଶ ଅନ୍ନ ମହାନନ୍ଦରେ ଯେଉଁ ବ୍ୟକ୍ତି ଭକ୍ଷଣ କରିଥାଏ, ତ୍ରିଜଗତରେ ସେହି ବ୍ୟକ୍ତି ସର୍ବଶ୍ରେଷ୍ଠ ସୁଖୀ । ପବିତ୍ର ଓ ଉଦାର ମାନସିକତା ଯାବତୀୟ ସୁଖର ଆଧାର ।

 

ବକମୁନିଙ୍କର ଅନୁଭୂତି ବଚନ ଶ୍ରବଣ କରି ଦେବରାଜ ଅତ୍ୟନ୍ତ ପ୍ରୀତି ହୋଇଥିଲେ ଏବଂ ସଖ୍ୟତା ବନ୍ଧନରେ ମୁନିବରଙ୍କୁ ଆବଦ୍ଧ କରି ପ୍ରତ୍ୟାଗମନ କରିଥିଲେ ।

Image

 

ଅଷ୍ମାଋଷି-ଜନକ ସମ୍ବାଦ

 

କୁରୁକ୍ଷେତ୍ର ରଣାଙ୍ଗନରେ କୌରବପକ୍ଷରେ ଶେଷ ସେନାପତି ଅସ୍ତ୍ରଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ପଞ୍ଚ ଦିବସ କାଳ ସଂଗ୍ରାମ ପତନ ଓ ମୃତ୍ୟୁ ହୋଇ ଭାରତ ଯୁଦ୍ଧ ସମାପ୍ତ ହୋଇଥିଲା । ମହାରାଜା ଧୃତରାଷ୍ଟ୍ରଙ୍କ ଶତ ପୁତ୍ର ମଧ୍ୟରୁ ଏକମାତ୍ର ଯୁଯୁତ୍ସୁ ବ୍ୟତୀତ ଅନ୍ୟ ସମସ୍ତ ପୁତ୍ର, ମହାବୀର ଅଧୀରଥ ସୁତକର୍ଣ୍ଣ, ଜୟଦ୍ରଥ, ଜରାସନ୍ଧ, ଶଲ୍ୟ ପ୍ରଭୃତି ରଣ ନିପୁଣ ବୀରଗଣ ଓ ଲକ୍ଷଲକ୍ଷ ବୀର ସେନାନୀଙ୍କର ନିଷ୍ପ୍ରାଣ ଶବଦେହ ଆକୀର୍ଣ୍ଣ ହୋଇ ସ୍ତବ୍‌ଧ ରଣକ୍ଷେତ୍ର ମାଂସ ମଜ୍ଜା ଲୋଭୀ ଶୃଗାଳଙ୍କର ଉଲ୍ଲାସ ଭୂମି ହୋଇଥିଲା । ରଣଭୂମିର ଏକ ପ୍ରାନ୍ତରେ ଶରଶଯ୍ୟାଶାୟୀ ଭୀଷ୍ମ ମୃତ୍ୟୁ ନିମନ୍ତେ ପୃଥିବୀର ଉତ୍ତରାୟଣ ଗତି ଅପେକ୍ଷାରେ ଥିଲେ ।

 

ପାଣ୍ଡବଗଣ ବିଜୟୀ ହେଲେ ମଧ୍ୟ ପାଣ୍ଡବ ଶିବିରରେ ଉଲ୍ଲାସଧ୍ୱନି ଉଠି ନଥିଲା । ପାଣ୍ଡବଗଣ କୌରବ ଭାତୃଗଣଙ୍କ ସୌହାର୍ଦ୍ଦ୍ୟରେ ହସ୍ତୀନାପୁର ରାଜ୍ୟ ଭାଗ କରି ରାଜ୍ୟଭୋଗ କରିବା ଇଚ୍ଛା ଥିଲେହେଁ, ପ୍ରତି ପଦରେ ଦୁର୍ଯ୍ୟୋଧନର ଚରମତମ ଔଦ୍ଧତ୍ୟ ଅପମାନ, ଲାଞ୍ଛନ, ବଞ୍ଚନା ପାଣ୍ଡବଗଣଙ୍କୁ ଅସ୍ତ୍ରଧାରଣ କରିବା ନିମନ୍ତେ ବାଧ୍ୟ କରିଥିଲା । କୁରୁକ୍ଷେତ୍ର ସମରରେ ଶତ୍ରୁପକ୍ଷକୁ ବିମର୍ଦ୍ଦିତ କରି ହସ୍ତୀନାପୁରର ନିରଙ୍କୁଶ ଆଧିପତ୍ୟ ଲାଭ ଓ ପାପାଚାରୀ ରଣ ଦୁର୍ମଦ କୌରବ ବୀରଗଣଙ୍କୁ ସମୋଚିତ ଶିକ୍ଷା ଦେଇଥିଲେ ହେଁ ପାଣ୍ଡବଗଣ ଆନନ୍ଦିତ କି ଉଲ୍ଲାସିତ ହୋଇନଥିଲେ । ପାଣ୍ଡବ ଶିବିର ଯେପରି ସ୍ତବଧ୍‌, ନିରାନନ୍ଦମୟ ଓ ନୀରବ ରହିଥିଲା ।

 

ସେହି ଶିବିରରେ ଯୁଧିଷ୍ଠିର ପ୍ରାଣପ୍ରତିମ ସହୋଦରମାନଙ୍କ ସହିତ ଦ୍ରୌପଦୀ, ସ୍ୱୟଂ ବ୍ୟାସଦେବ, ସଖା ଶ୍ରୀକୃଷ୍ଣ, ସାତ୍ୱିକି ଓ ଦେବର୍ଷି ନାରଦଙ୍କ ସହିତ ସମାସୀନ ଥିଲେ । ଶୋକାଭିଭୂତ ମୁହ୍ୟମାନ ଯୁଧିଷ୍ଠିରଙ୍କ ଅନ୍ତର ମଧ୍ୟରୁ ଏକ ଧିକ୍‌କାର ଯନ୍ତ୍ରଣା କ୍ଷର୍ମମୂଳକୁ ଅହରହ ବିଦ୍ଧ କରୁଥିଲା ।

 

ଧର୍ମକୁ ଆଶ୍ରୟ କରି ଧର୍ମରାଜ ନାମରେ ଖ୍ୟାତ ହୋଇଥିଲେ ହେଁ ଅତୀତ ଯୁଦ୍ଧ ଘଟଣାମାନ ପର୍ଯ୍ୟବେକ୍ଷଣ କରି ଯୁଧିଷ୍ଠିର ଭାବୁଥିଲେ ଯେ ଧର୍ମମର୍ଯ୍ୟଦା ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଏହି ଘୋର ଯୁଦ୍ଧରେ ଅସଂଖ୍ୟ ପ୍ରାଣନାଶ ଶତ ଶତ ପତ୍ନୀଙ୍କର ପତି ବିୟୋଗ ବ୍ୟଥା ଓ ଶତଶତ ମାତାର ପୁତ୍ରହାନୀ କାତରତା ନିମନ୍ତେ ସେ ନିଜକୁ ଦାୟୀ ବୋଲି ମନେ କରୁଥିଲେ । ସର୍ବୋପରି ପିତାମହ ଭୀଷ୍ମ ବ୍ୟତୀତ ଅନ୍ୟ ଦୁଇ ମହାରଥୀଙ୍କର ରଣାଙ୍ଗନରେ ମୃତ୍ୟୁ ଧର୍ମରାଜଙ୍କର ହୃଦୟ ଦଗ୍‌ଧ କରୁଥିଲା । ଅଶ୍ୱଥାମା ପିତା ଅଜେୟବୀର ପିତ୍ରୁପ୍ରତିମ ଅସ୍ତ୍ରଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ନିଷ୍ପ୍ରାଣ କରିବା ନିମନ୍ତେ ଯେଉଁ ଅପକୌଶଳ ଯୁଦ୍ଧ ନୀତି ଅନୁସାରେ ସତ୍ୟାଶ୍ରୟୀ ହୋଇ ମଧ୍ୟ ସେ କରିବାକୁ ବାଧ୍ୟ ହୋଇଥିଲେ, ସେହି ପାପାଚାର ଯୁଧିଷ୍ଠିରଙ୍କ ଅନ୍ତରକୁ ତିଳ ତିଳ ଦଗ୍‌ଧ କରୁଥିଲା । ହସ୍ତୀନାପୁର ସିଂହାସନର ନାଯ୍ୟ ଅଧିକାରୀ କର୍ଣ୍ଣଙ୍କର ଜନନୀ କୁନ୍ତୀ ସତ୍ୟ ପରିଚୟ ଗୋପନ କରି ପରୋକ୍ଷରେ ପଞ୍ଚଭ୍ରାତାଙ୍କଦ୍ୱାରା ହତ୍ୟା କରାଇବାର ମର୍ମାନ୍ତକ ଶୋକ ଯୁଧିଷ୍ଠିରଙ୍କୁ ଶୋକବିଦ୍ଧ କରୁଥିଲା । ଯୁଧିଷ୍ଠିର ମନେ ମନେ ଚିନ୍ତାକଲେ, କାହିଁକି ଜନନୀ କୁନ୍ତୀ କର୍ଣ୍ଣଙ୍କର ସତ୍ୟ ପରିଚୟ ଗୋପନ ରଖିଥିଲେ ? ସ୍ତ୍ରୀଜାତି ପ୍ରତି ଏକ ଅପରୀସିମ ଘୃଣା ଧର୍ମରାଜଙ୍କ ମନରେ ଉଦ୍ରେକ ହୋଇଥିଲା । ଘୋର ପାପ ଓ ମିଥ୍ୟାଶ୍ରୟରେ ସେ ବିଜୟ ହାସଲ କରିଛନ୍ତି, ଏକଥା ମନେକରି ହସ୍ତୀନାପୁର ସିଂହାସନରେ ସେ ଆସୀନ ହେବା ନିମନ୍ତେ ଦ୍ୱିଧାଗ୍ରସ୍ଥ ହେଲେ । ଯୁଧିଷ୍ଠିର ବିଚାରିଲେ ବାନପ୍ରସ୍ଥ ବା ସନ୍ନ୍ୟାସ ପରିବର୍ତ୍ତେ ଜୀବନ ବିନଷ୍ଟ କରିବା ହିଁ ପାପର ପ୍ରାୟଶ୍ଚିତ କରିବାର ଏକମାତ୍ର ପନ୍ଥା ।

 

କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭର ପ୍ରାକ୍‌କାଳରେ ଯେପରି ଗାଣ୍ଡିବୀ ଅର୍ଜୁନ ଯୁଦ୍ଧମାନ ଆତ୍ମୀୟ ବର୍ଗଙ୍କୁ ଦେଖି ବିଷାଦଗ୍ରସ୍ଥ ହୋଇଥିଲେ ସେହିପରି ଯୁଧିଷ୍ଠିର ଯୁଦ୍ଧ ବିଜୟ ପରେ ନିର୍ବେଦଗ୍ରସ୍ତ ହୋଇ ଶୋକରେ ମୁହ୍ୟମାନ ହେଲେ । ବିଷାଦଗ୍ରସ୍ଥ ଅର୍ଜୁନ ଯୁଦ୍ଧର ପ୍ରାକ୍‌କାଳରେ ଆତ୍ମୀୟ ପରିଜନଙ୍କୁ ରଣାଙ୍ଗନାରେ ସମବେତ ହୋଇଥିବାର ଦେଖି ପାର୍ଥସାରଥୀଙ୍କୁ ଆକୁଳ ହୋଇ କହିଥିଲେ, ମୁଁ ଧନ, ଗ୍ରାମ ଓ ରାଜ୍ୟ ଚାହେଁ ନାହିଁ, ଆତ୍ମୀୟ ପରିଜନ ବଦ୍ଧକରି ରକ୍ତ ଲିପ୍ତ ସୌଭାଗ୍ୟ ଚାହେଁ ନାହିଁ, ଅତଏବ ହେ କୃଷ୍ଣ, ମୋ ରଥକୁ ଶୀଘ୍ର ଏହି ରଣାଙ୍ଗନରୁ ଫେରାଇ ନିଅନ୍ତୁ-। ଠିକ୍‌ ସେହିପରି ଯୁଦ୍ଧଶେଷରେ ଅନ୍ୟ ରୂପରେ ଆକୁଳିତ ଯୁଧିଷ୍ଠିରଙ୍କ ମୁଖରୁ ନିଃସୃତ ହେବାରୁ ତାହାକୁ କ୍ଷାନ୍ତ କରିବା ନିମନ୍ତେ ଦେବର୍ଷି ନାରଦ, ବ୍ୟାସଦେବ, ପାଣ୍ଡବ ଭ୍ରାତାଗଣ ଓ ଦ୍ରୌପଦୀ ତତ୍‌ପର ହୋଇ ଉଠିଥିଲେ । ନାନା ଯୁକ୍ତିଜାଳ ବିସ୍ତାର କରି ବୀର କ୍ଷତ୍ରିୟ ସଦୃଶ ସିଂହାସନା ରୁଢ଼ ହୋଇ ଅଶ୍ୱମେଧ ଯଜ୍ଞ କରିବା ନିମନ୍ତେ ଯୁଧିଷ୍ଠିରଙ୍କୁ ପରାମର୍ଶ ଦେଲେ । ଯେପରି ପୁରୁଷୋତ୍ତମ ଶ୍ରୀକୃଷ୍ଣ ଯୁଦ୍ଧର ପ୍ରାରମ୍ଭରେ ଅର୍ଜ୍ଜୁନଙ୍କର ମୋହ ଦୂରୀଭୂତ କରି କ୍ଷତ୍ରିୟ ଧର୍ମପାଳନ କରିବାକୁ ଉଦ୍‌ବୁଦ୍ଧ କରାଇ ମୋହ ନିଦ୍ରାଭଙ୍ଗ ପୂର୍ବକ ଅର୍ଜ୍ଜୁନଙ୍କର ଶୌର୍ଯ୍ୟ, ବଳବୀର୍ଯ୍ୟ ଓ ପୌରୁଷ ଜାଗ୍ରତ କରିଥିଲେ, ସେହିପରି ଶାସ୍ତ୍ରଜ୍ଞ ବୁଦ୍ଧିମାନ ଯୁଧିଷ୍ଠିରଙ୍କୁ ମୋହମୁକ୍ତ କରିବା ନିମନ୍ତେ ସ୍ୱଂୟ ବ୍ୟାସଦେବ ଓ ଶ୍ରୀକୃଷ୍ଣ ପ୍ରୟାସ କରିଥିଲେ ।

 

ବ୍ୟାସଦେବ ଓ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଲେ, କ୍ଷତ୍ରିୟ ହୋଇ ରାଜଧର୍ମ ପାଳନରେ ବିମୁଖତା ଧର୍ମରାଜଙ୍କୁ ଶୋଭାପାଏ ନାହିଁ । ଆପଣ କାହାକୁ ଅଧର୍ମ ଓ ପାପ ବୋଲି କହୁଛନ୍ତି ? କଣ ବା ଅନ୍ୟାୟ କରିଛନ୍ତି ? ପ୍ରାକୃତିକ ଜଗତରେ ବାସକରି ପ୍ରକୃତିକୁ ଅବହେଳା ବା ଉପେକ୍ଷା କରି କର୍ମବିମୁଖ ହୋଇ ପଳାୟନ ବୃତ୍ତି ଗ୍ରହଣ କଣ ଧର୍ମରାଜ ଯୁଧିଷ୍ଠିର ଧର୍ମଜ୍ଞାନ ବୋଲି ଭାବୁଛନ୍ତି-? ପ୍ରାରମ୍ଭ ଭୋଗ ନିମନ୍ତେ ଆତ୍ମା ଇହଜଗତରେ ଶରୀରଧାରଣ କରେ । ଏହା କଣ ଧର୍ମରାଜ ବିସ୍ମୃତ ହେଲେ ? ମହାକାଳ ଏହି ପଞ୍ଚଭୌତିକ ଆତ୍ମାକୁ ବିନଷ୍ଟ କରି ପୁନଶ୍ଚ ସ୍ୱସ୍ଥାନକୁ ନିଅନ୍ତି । ଆପଣ କିପରି ବିସ୍ମୃତ ହୋଇଛନ୍ତି ଯେ ମର୍ତ୍ତ୍ୟଲୋକରେ ଏ ଶରୀର ନଶ୍ୱର, ଚିରସ୍ଥାୟୀ ନୁହେଁ ? ଆତ୍ମା ଶରୀର ଧାରଣ କଲେହେଁ ଅବିନଶ୍ୱର, ମୃତ୍ୟୁ ସେହି ଦୃଶ୍ୟ ଅନ୍ତରାଳର ନାମାନ୍ତର ମାତ୍ର । ପ୍ରକୃତପକ୍ଷେ ‘ନହୀନସ୍ଥି ନହନ୍ୟନ୍ତେ’–କେହି ମୃତ୍ୟୁବରଣ କରେ ନାହିଁ କି କେହି କାହାକୁ ମଧ୍ୟ ବଧ କରନ୍ତି ନାହିଁ । ଆପଣ କିପରି ନିଜକୁ ଲୋକକ୍ଷୟର କାରଣ ବୋଲି ଭାବୁଛନ୍ତି ? ଆପଣ ମଧ୍ୟ ଯଥାସମୟରେ ଏ ଇହଜଗତରୁ ବିଦାୟ ନେବେ । ସୃଷ୍ଟି ଓ ବିନାଶ ସର୍ବଶକ୍ତିମାନ ଈଶ୍ୱରଙ୍କ ଲୀଳା-। ମନୁଷ୍ୟ ସେହି ଲୀଳାର କ୍ରୀଡ଼ନକ ହୋଇ ଈଶ୍ୱରଙ୍କ ଇପ୍‌ସିତ କର୍ମମାନ ସମ୍ପାଦନ କରିଥାଏ । ମୋହଚ୍ଛନ୍ନ ହୋଇ ଆପଣ ଏ ସାରତତ୍ତ୍ୱ କିପରି ବିସ୍ମୃତ ହୋଇଛନ୍ତି ?

 

ପୁନଶ୍ଚ ବ୍ୟାସଦେବ କହିଲେ, ଏହି ସଂସାର ଅତି ବିଚିତ୍ର, ବୈଚିତ୍ର୍ୟମୟ । ସୁଖ ଦୁଃଖ, ହର୍ଷ ବିଷାଦ, ଅର୍ଥ ଅନର୍ଥ ନେଇ ଏ ଜଗତ ସୃଷ୍ଟି । କେହି ଅପୁତ୍ରକ ବା କେହି ବହୁପୁତ୍ରକ, କେହି ଧନୀ ବା କେହି ନିର୍ଧନୀ । ସୁପ୍ରଚୁର ଧନ ସମ୍ପଦର ଅଧିକାରୀ ହୋଇ ମଧ୍ୟ କିଏ ବା କୃପଣ ହୁଅନ୍ତି । ପ୍ରାରବ୍‌ଧ ବଶରେ ମନୁଷ୍ୟ ଏହି ସଂସାରରେ ବିଭିନ୍ନ ବୈଚିତ୍ର୍ୟ ନେଇ ଜନ୍ମଲାଭ କରିଥାଏ । ଯଥାର୍ଥ ପୁରୁଷ ହିଁ ଏହି ବୈଚିତ୍ର୍ୟକୁ ଉପଲବ୍‌ଧି କରି ସ୍ୱୀୟ କର୍ତ୍ତବ୍ୟ କର୍ମରେ ଅବିଚଳ ରୁହେ ।

 

ପ୍ରାଜ୍ଞ ଯୁଧିଷ୍ଠିର ଜାଣିଥିଲେ ଯେ ନାରଦ, ବ୍ୟାସଦେବ ପ୍ରଭୃତିଙ୍କ ବଚନ ଯୁକ୍ତିଯୁକ୍ତ, ତଥାପି ପ୍ରିୟଜନ ବିୟୋଗରେ ଅଭିଭୂତ ହୋଇ ସେ ନିଜକୁ ଶୋକମୁକ୍ତ କରିପାରୁ ନଥିଲେ । ଅନ୍ତରର ଶୋକ ସନ୍ତପ୍ତ ଅବସ୍ଥା ପୁନଶ୍ଚ ଯୁଧିଷ୍ଠିରଙ୍କ ମନରେ ନିର୍ବେଦ ଆଣିଦେଲା । ସେ ଭାବିଲେ କର୍ମଜନିତ ପାପ ଓ ଅଧର୍ମ ଯାହା କିଛି ହୋଇଛି ତାହାର ପ୍ରାୟଶ୍ଚିତ କର୍ମ ସର୍ବଜନବିଦିତ ଓ ସର୍ବସମ୍ମୁଖରେ ସମ୍ପାଦିତ ହେବା ଉଚିତ । ନଚେତ୍‌ ପରଜନ୍ମରେ ପ୍ରାରବ୍‌ଧ ଘୂର୍ଣ୍ଣିପାକରେ ଶରୀର ଧାରଣ କରି ଝଂଝା ବିକ୍ଷୁବ୍‌ଧ ହେବ । ସେ ହୃଦୟଙ୍ଗମ କରିଥିଲେ ଯେ ରାଜଧର୍ମାନୁସାରେ ଅଶ୍ୱମେଧ ଯଜ୍ଞ ଓ ପ୍ରଜାପାଳନ ଯର୍ଥାର୍ଥ ପ୍ରାୟଶ୍ଚିତ ହେଲେ ହେଁ ଅନ୍ତରସ୍ଥିତ ଅହରହ ଏକ ଧିକ୍‌କାର ଧ୍ୱନି ଶୁଣାଯାଉଥିଲା–କୁଳବିନାଶକାରୀ ଯୁଧିଷ୍ଠିର, ରାଜସୁଖ ନିମନ୍ତେ ଆତ୍ମୀୟ ସ୍ୱଜନ ଓ ଗୁରୁଜନ ସମସ୍ତଙ୍କୁ ବିନାଶ କରିଅଛ, ତୁମେ ମହାପାପୀ । ତୁମପରି ବିଶ୍ୱାସଘାତକର ଜୀବନ ଧିକ୍ ।’’ ଏହିପରି ଅନ୍ତର୍ଧ୍ୱନି ଅହରହ ମନରେ ଜାତ ହୋଇଥିବାରୁ ଧର୍ମରାଜ ବିବଶ ହୋଇଥିଲେ । ସବୁ ଯୁକ୍ତି ଶୁଣିସାରି ମଧ୍ୟ କହିଲେ, ହେ ତପୋଧନ, ଆପଣ ମୋତେ ଏଠାରେ ପରିତ୍ୟାଗ ପୂର୍ବକ ସ୍ୱସ୍ଥାନ ଗମନ କରନ୍ତୁ । ଆପଣଙ୍କଠାରେ ଏକମାତ୍ର ଭିକ୍ଷା ଯେ ମୁଁ ଏହି ବ୍ୟର୍ଥ ପ୍ରାଣ ଅନଶନଦ୍ୱାରା ତ୍ୟାଗ କରିବି । ଏହି ଅନୁମତି ଦିଅନ୍ତୁ ।

 

ଏହା ଶୁଣି ବ୍ୟାସଦେବ କହିଲେ, ନା ଯୁଧିଷ୍ଠିର । ଏ ପ୍ରକାର ଅନୁମତି ଆମ୍ଭେମାନେ ତୁମ୍ଭକୁ ଦେଇପାରିବୁ ନାହିଁ । ପ୍ରାଣତ୍ୟାଗ କରିବା ଅର୍ଥ ଆଳସ୍ୟକୁ ଆଶ୍ରୟ କରିବା । ଆଳସ୍ୟ ହୁଏତ ତୁମକୁ ବର୍ତ୍ତମାନ ସୁଖଶାନ୍ତି ଦେବ, କିନ୍ତୁ ୟା ପରେ ତୁମେ କଣ ପ୍ରାରବ୍‌ଧକୁ ଅସ୍ୱୀକାର କରି ଚିରନ୍ତନ ସୁଖ ଭୋଗ କରିପାରିବ ? ଆତ୍ମୀୟ ସ୍ୱଜନ, ବନ୍ଧୁ, ବାନ୍ଧବ, ସଂଯୋଗ ବିୟୋଗ ନିରନ୍ତର ପ୍ରବାହମାନ ଜଳଧାରାରେ କ୍ଷଣସ୍ଥାୟୀ ବୁଦ୍‌ବୁଦ୍ ସ୍ୱରୂପ । ଇହଜଗତରେ ନିରନ୍ତର ସୁଖ ଯେପରି ନାହିଁ ସେପରି ନିରନ୍ତର ଦୁଃଖ ମଧ୍ୟ ନାହିଁ । ପୁରାକାଳରେ ପ୍ରାଜ୍ଞ ରାଜ । ଜନକ ଠିକ୍‌ ତୁମ ସଦୃଶ ଥରେ ଶୋକାଭିଭୂତ ହୋଇଥିଲେ । ଋଷି ‘ଅଷ୍ମା’ ସେହି ସମୟରେ ଜନକଙ୍କୁ ଉପଦେଶ ଛଳରେ କହିଥିଲେ, ‘‘କ୍ୱାସେ କ୍ୱଚ ଚମିଷ୍ୟାମି କୋ ନ୍ୱହଂ କିମିହାସ୍ଥିତଃ / କସ୍ମାତ୍ କିମ୍‌ନୁଶୋଚେୟମ୍ ।’’ ଅର୍ଥାତ୍ ବିବେକାବାନ ପୁରୁଷ ସଦା ସର୍ବଦା ମନେରଖିବା ଉଚିତ ‘‘ମୁଁ କେଉଁଠାରେ ଅଛି ? କେଉଁଠିକି ଯିବି ? କାହିଁକି ଜଗତକୁ ଆସିଅଛି ? କାହାପାଇଁ ବା କାହିଁକି ମୁଁ ଶୋକ କରିବି ?’’

 

ପୁନଶ୍ଚ ଋଷି କହିଲେ, ‘‘ଅନିତ୍ୟେ ପ୍ରିୟ ସଂବାସେ ସଂସାରେ ଚକ୍ର ଦ୍ୱଗତୌ / ପଥି ସଂଗତ ମୈବେତଦ୍ ଭ୍ରାତା, ମାତା ପିତା ସଖା ।’’ ତୁମ୍ଭର ସଂସାରରେ ଯାହା ସହିତ ମଧ୍ୟ ଯେଉଁ ପ୍ରକାର ସମ୍ୱନ୍ଧ ଥିଲେ ହେଁ ଏମାନେ ସମସ୍ତେ ଅନନ୍ତ ପଥରେ ଏକାନ୍ତ ପଥିକ । ଏ ପଥ ଯାତ୍ରା କାଳରେ ମୁହୂର୍ତ୍ତକ ନିମନ୍ତେ ପ୍ରିୟଜନ ଭାବରେ ଏମାନଙ୍କର ସହିତ ମିଳନ ଘଟିଥାଏ ।

ଯୁଧିଷ୍ଠିର ବ୍ୟାସଦେବଙ୍କୁ କହିଲେ, ପିତାମହ ! ରାଜର୍ଷି ଜନକ ବ୍ରହ୍ମଜ୍ଞ ଥିଲେ ମଧ୍ୟ ଦେହଧାରୀ ହିସାବରେ ଦୁଃଖ ମଗ୍ନ ବା ଶୋକ କାତର ହେବା ଅସ୍ୱାଭାବିକ ନୁହେଁ । ଏହା ବ୍ୟତୀତ; ଋଷି ‘ଅଷ୍ମା’ ଆଉ କିଛି ଅଧିକ କଥା ଜନକଙ୍କୁ ଉପଦେଶ ହିସାବରେ କହିଥିଲେ କି ? ଯାହା ଶୁଣି ଜନକ ଶୋକତ୍ୟାଗ କରି ପାରିଥିଲେ ?

ବ୍ୟାସଦେବ କହିଲେ–ଋଷିଶ୍ରେଷ୍ଠ ଅଷ୍ମାଙ୍କ ଠାରୁ ଶାଶ୍ୱତ ସତ୍ୟବଚନ ଶ୍ରବଣ କରି ଜନକଙ୍କ ଅନ୍ତରରେ ଯେଉଁ ଚିର ସତ୍ୟକୁ ଶୋକ ଆଚ୍ଛାଦିତ କରି ରଖିଥିଲା ତାହା ଅପସରି ଯାଇଥିଲା । ଆତ୍ମସମ୍ୱିତ ପୁନଃ ପ୍ରାପ୍ତି ହେବାପରେ ଜନକଙ୍କ ଚିତ୍ତ ଶାନ୍ତ ହୋଇଥିଲା । ଜ୍ଞାତ ଓ ଧନ ବିନାଶରେ ମନୁଷ୍ୟର ବିଭ୍ରାନ୍ତି ହେବା ସ୍ୱାଭାବିକ ଧର୍ମ । ବିଭ୍ରାନ୍ତ ମୁକ୍ତ ରହିବା ହିଁ ନିତ୍ୟ ମନୁଷ୍ୟର ଧର୍ମ ଓ କର୍ତ୍ତବ୍ୟ । କିନ୍ତୁ ଏହି ବିଭ୍ରାନ୍ତ ମୁକ୍ତି ନିମନ୍ତେ ଉଦ୍ୟୋଗୀ ନ ହେଲେ ଅଜ୍ଞାନ ଅନ୍ଧକାରରେ ମନୁଷ୍ୟ ନିମଜ୍ଜିତ ରହି କାଳରୂପୀ ଚକ୍ର ଆବର୍ତ୍ତନର ସାଥୀ ହୋଇପାରେ ନାହିଁ କି ସ୍ଥିତି ଲାଭ କରିପାରେ ନାହିଁ ।

ପୁନଶ୍ଚ ବ୍ୟାସଦେବ କହିଲେ, ଅଷ୍ମାଋଷି ଜନକଙ୍କୁ ପଚାରିଥିଲେ–ରାଜନ୍ ! ଆପଣ ପାର୍ଥିବ ଧନକୁ ଯଥାର୍ଥ ଧନଜ୍ଞାନ କରି ଅଛନ୍ତି କି ? ଯଦି ସେହିପରି ହୁଏ ତାହେଲେ ଦୁଃଖ ଲାଭ ସୁନିଶ୍ଚିତ । ଅଷ୍ମାଋଷିଙ୍କର ଏ ପ୍ରକାର କଥା ଶୁଣି ଜନକ ଅଷ୍ମାଋଷିଙ୍କୁ ପଚାରିଥିଲେ–

ମହାଭାଗ, ଧନସମ୍ପଦ କଣ ଜୀବର ଜୀବିକା ନିମନ୍ତେ ପରମାର୍ଥ ନୁହେଁ ? ସୁଖଲାଭ ଯଦି ମନୁଷ୍ୟର କାମ୍ୟ ହୁଏ, ତାହେଲେ ଧନ ସମ୍ପଦ ନିଶ୍ଚୟ ଅପରିହାର୍ଯ୍ୟ ।

 

ଏହା ଶୁଣି ଅଷ୍ମ । କହିଲେ–ଧନ ସମ୍ପଦ ଭୋଗ ମଧ୍ୟରେ ଯେଉଁ ସୁଖ ନିହିତ ସେଇ ସୁଖ କଣ ଚିରନ୍ତନ ଓ କାମ୍ୟ ବୋଲି ମନେ କରନ୍ତି କି ? ଅଷ୍ମାଙ୍କର ଏହି ବାକ୍ୟରେ ଜନକ ହତବାକ୍‌ ହୋଇ ରହିଯାଇଥିଲେ ।

 

ଅଷ୍ମାଋଷି ପୁନଶ୍ଚ କହିଲେ, ରାଜନ୍ ! ଧନ ସମ୍ପଦରେ ସୁଖଲାଭ ଯଦି କାମ୍ୟ ହୁଏ ତାହେଲେ ସଞ୍ଚିତ ବା ଅର୍ଜିତ ଧନରେ ଧନୀ ସୁଖଭୋଗ କରି କେବେହେଁ ନିର୍ଧନ ହୁଅନ୍ତା ନାହିଁ । ଭୋଗାସକ୍ତିରେ କୁପଥଗାମୀ ହୋଇ ସେ ଦଣ୍ଡଗ୍ରହଣ ନିମନ୍ତେ ରାଜଦରବାରକୁ ଆସନ୍ତା ନାହିଁ । ସେହି ଧନସୁଖ ଯଦି ‘ସୁଖ’ ହୁଏ, ତାହେଲେ ଜୀବନ ଶେଷ ହେବା ପୂର୍ବରୁ ଭୋଗାକାଂକ୍ଷାକୁ ପୋଷଣ କରି ମନୁଷ୍ୟ ମୃତ୍ୟୁ କବଳିତ ହୁଅନ୍ତା ନାହିଁ । ଯାହା କେବଳ ପୀଡ଼ାଦାୟକ ତାହା କେବେହେଁ ପରମାର୍ଥ ହୋଇପାରେ ନାହିଁ ।

 

ଜନକ କହିଲେ–ମନୁଷ୍ୟ ସୁଖର ଆଶାୟୀ ଇହଜୀବନରେ ସେ କେବଳ ସୁଖକୁ ହିଁ ସନ୍ଧାନ କରିଥାଏ ।

 

ଉତ୍ତରରେ ଅଷ୍ମାଋଷି କହିଲେ–ପର୍ବତ ଶିଖରଜାତ ନଦୀ ନିର୍ବିଘ୍ନରେ ସୁଖ ଭୋଗ ନିମନ୍ତେ ସାଗରରେ ମିଳିତ ହେବାର ଆଶାରେ ପ୍ରବାହିତ ହୋଇଥାଏ । ଏହି ମିଳନ ନିମନ୍ତେ ଗତି ପଥରେ ଉପଳ ଖଣ୍ଡରେ ଦୀର୍ଣ୍ଣ ବୀଦିର୍ଣ୍ଣ ହୋଇ ସମତଳରେ ପ୍ରବାହମାନ କାଳରେ ନଦୀସ୍ରୋତ କେତେବେଳେ କର୍ଦ୍ଦମାକ୍ତ ବା କେତେବେଳେ ଶୈବାଳଚ୍ଛାଦିତ ପଥରେ ଗତି କଲାବେଳେ ସୌରଭରେ ସୁରଭିତ ହୋଇଥାଏ । କିନ୍ତୁ ନଦୀଜଳ ସ୍ୱାଭାବିକ ନିର୍ମଳ, ସ୍ୱଚ୍ଛ ଅସ୍ତିତ୍ୱ ନେଇ ଏସବୁ ବାଧାବିଘ୍ନ ଏଡ଼ାଇ ନିର୍ବିଘ୍ନରେ ସାଗରରେ ବିଲୀନ ହୋଇ ମହାସାଗରର ସତ୍ତା ହୋଇପାରେ କି ? ମନୁଷ୍ୟ ଜୀବନ ମଧ୍ୟ ଠିକ୍ ସେହିପରି । ରାଜନ୍‌, ଯେପରି ଦିନପରେ ପୁନଶ୍ଚ ଦିନ ଆଶା କରିବା ବୃଥା ସେହିପରି ସୁଖ ପରେ ସୁଖ ଆଶା କରିବା ବାତୁଳତା ମାତ୍ରା । ଦିନ ଶେଷରେ ରାତ୍ରି ହିଁ ଆସିବା ସ୍ୱାଭାବିକ୍ ଏବଂ ରାତ୍ରି ଶେଷରେ ଦିନ ଆସିବା ହିଁ ସତ୍ୟ । ସେହିପରି ପ୍ରାକୃତିକ ନିୟମରେ ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଚକ୍ରାକାରରେ ମନୁଷ୍ୟ ଭୋଗ କରିଥାଏ । ଏହି ଦୁଇଟିକୁ ମନୁଷ୍ୟ ଯେତେବେଳେ ଭୋଗୀ ସଦୃଶ ଭୋଗ କରିବାକୁ ଚାହେଁ ସେତେବେଳେ ବିଭ୍ରାନ୍ତି ସୃଷ୍ଟି ହୋଇଥାଏ ଓ ସେ ନିଜର ସତ୍ତା ଏବଂ ସ୍ୱରୂପକୁ ବିସ୍ମୃତ ହୁଏ । ଅର୍ଥ-ଅନର୍ଥ, ଲାଭ-କ୍ଷତି, ସଂଯୋଗ ବିଯୋଗ ଯେ ପ୍ରାରବ୍‌ଧ ଚାପରେ ସହଜାତ ଏ କଥା ମଧ୍ୟ ବିସ୍ମୃତ ହୋଇଥାଏ । ବଳବାନ୍ ପ୍ରାରବ୍‌ଧ ଓ ଅଦୃଷ୍ଟକୁ କୌଣସି ଜୀବ ଅସ୍ୱୀକାର କରିପାରେ କି ?

 

ପୁନଶ୍ଚ ଋଷି କହିଲେ, ରାଜନ୍ - ଆସ୍ତିକ ମତରେ ବେଦ ପ୍ରତିପାଦ୍ୟ ଈଶ୍ୱରଙ୍କୁ ସ୍ୱୀକାର କରି ବା ନାସ୍ତିକ ମତରେ ଈଶ୍ୱରଙ୍କୁ ଅସ୍ୱୀକାର କରି ଦେହୀର ପ୍ରାରବ୍‌ଧ ବା ଅଦୃଷ୍ଟ ଯେଉଁଟି ବଳବାନ୍ ଓ ବଳବତ୍ତର ତାହାକୁ ସ୍ୱୀକାର ନ କଲେ ଇହଜଗତର ବୈଚିତ୍ର୍ୟମୟ ସତ୍ୟକୁ ଉପଲବ୍‌ଧି କରି ହୁଏନାହିଁ । ଏ ଜଗତରେ ମନୁଷ୍ୟଙ୍କ ମଧ୍ୟରେ କେହି ବା ବୈଦ୍ୟ, କେହିବା ରୋଗୀ, କେହିବା ବଳବାନ, କେହିବା ଦୁର୍ବଳ ଆଉ କେହି ଚକ୍ଷୁସ୍ମାନ ହେଲାବେଳେ କେହି ଅନ୍ଧ, କେହି ସୁଶ୍ରୀତ, କେହି କୁତ୍ସିତ, କେହି ପୁରୁଷ ହେଲେ, କେହି ବା ସ୍ତ୍ରୀ ଆଉ କେହିବା ନପୁଂସକ, କେହି ଭୋଜନ ବିଳାସୀ ବା କେହି ଭୋଜନ ପରାଙ୍‌ମୁଖ । କେହି ସ୍ୱଳ୍ପାୟୁ ତ କେହି ଦୀର୍ଘାୟୁ ହୋଇଥାନ୍ତି । ସେହିପରି ରାଜନ୍‌ ମୃତ୍ୟୁରେ ମଧ୍ୟ ଦେହଧାରୀ ବୈଚିତ୍ର୍ୟର ଶିକାର ହୋଇଥାଏ–କେହି ରୋଗ ବା ଅଗ୍ନିଦଗ୍‌ଧ ବା ଜଳରେ ନିମଜ୍ଜିତ ହୋଇ, କେହି ଅତିଭୋଜନ ବା କେହି କ୍ଷୁଧା ତାଡ଼ନା ବା ଆକଣ୍ଠ ପିପାସାର୍ତ୍ତ ହୋଇ କେହି ବିଷଜ୍ୱାଳାରେ ତ କେହି ଉଚ୍ଚ ସ୍ଥାନରୁ ପତିତ ହୋଇ ମୃତ୍ୟୁବରଣ କରିଥାନ୍ତି-। ସମସ୍ତଙ୍କର ମୃତ୍ୟୁ ଏକପ୍ରକାର ହୋଇ ନ ଥାଏ । ଯେପରି ଶୟନ, ଭୋଜନ, ଉପବେଶନାଦିରେ ନିର୍ଦ୍ଦିଷ୍ଟ ସମୟ ମାନି ମନୁଷ୍ୟ ଚାଲିଥାଏ ସେପରି ଜୀବନର ବୈଚିତ୍ର୍ୟକୁ ବିଧିର ବିଧାନ ଅନୁସାରେ ମାନିବାକୁ ହୋଇଥାଏ । ପ୍ରାରବ୍‌ଧ ଫଳଶ୍ରୂତି ସ୍ୱରୂପ ଜନ୍ମ ମୁହୂର୍ତ୍ତରେ ମନୁଷ୍ୟ ଜୀବନର ଏହି ବୈଚିତ୍ରକୁ ନେଇ ଦେହ ଧାରଣ କରିଥାଏ । ପୁନଶ୍ଚ

 

‘‘ଜରା ମୃତ୍ୟୁହିଁ ଭୂତାନାଂ ଖାଦିତାରୌ ବୃକାବିବ

ବଳିନାଂ ଦୁର୍ବଳା ନାଞ୍ଚି ହ୍ରସ୍ୱାନାଂ ମହତାମପି

ନ କଶ୍ଚିଜ୍ୱାଭୂତିକ୍ରାମେଜ୍ୱରା ମୃତ୍ୟୁ ହି ମାନବଃ

ଅପି ସାଗର ପର୍ଯ୍ୟନ୍ତାଂ ବିଜିତେଽମାଂ ବସୁନ୍ଧରାମ୍’’

 

ଅର୍ଥାତ୍‍ ଏହି ସଂସାରରେ ଜରା ଓ ମୃତ୍ୟୁ ଦୁଇଟି ଚିତ୍ତାବାଘ ସଦୃଶ ମନୁଷ୍ୟକୁ ସଦାସର୍ବଦା ଆକ୍ରମଣୋଦିତ୍ୟ । ଯେଡ଼େ ବଳବାନ ବା ଦୁର୍ବଳ ଅବା ବୃହତ କି କ୍ଷୁଦ୍ର ହୋଇଥିଲେ ମଧ୍ୟ ଏହି ବାଘଠାରୁ କାହାରି ନିସ୍ତାର ନ ଥାଏ । ସମୟାନୁସାରେ ଜରା ଓ ମୃତ୍ୟୁ ଏ ଦୁହିଁଙ୍କର ଶିକାର ହେବାକୁହିଁ ହେବ । କାଳହିଁ ସ୍ରଷ୍ଟା, କାଳହିଁ ସଂହାର କର୍ତ୍ତା, କାଳରେ ହିଁ ମିଳନ କାଳରେ ହିଁ ବିଭେଦ, କାଳରେ ହିଁ ସଂଯୋଗ, କାଳରେ ହିଁ ବିୟୋଗ । ସମସ୍ତ କାଳର ଅଧୀନ । ଯେପରି ନଦୀ ତରଙ୍ଗରେ ଭାସମାନ ଦୁଇଟି କାଷ୍ଠଖଣ୍ଡ ଅନୁକୂଳ ସ୍ରୋତରେ ଭାସମାନ ଅବସ୍ଥାରେ ଏକ ସମୟରେ ଏକ ସ୍ଥାନରେ ମିଳିତ ହୋଇ ସଙ୍ଗ ସୁଖ ଅନୁଭବ କରିଥାନ୍ତି, କିନ୍ତୁ ସ୍ରୋତର ପ୍ରତିକୂଳରେ ବ୍ୟବଧାନ ସୃଷ୍ଟି ହୋଇ କାଷ୍ଠ ଦୁଇଖଣ୍ଡ ଅଲଗା ହୋଇଯାନ୍ତି, ଏହି ସଂସାରରେ ଆତ୍ମୀୟ ସ୍ୱଜନଙ୍କ ସହିତ ମନୁଷ୍ୟର ସମ୍ୱନ୍ଧ ସେହିପରି ହୋଇଥାଏ । ଦେହ ସହିତ ଦେହୀର ସମ୍ବନ୍ଧ ଯେପରି ଅନିତ୍ୟ ମନୁଷ୍ୟର ଆତ୍ମୀୟଙ୍କ ସହିତ ସମ୍ବନ୍ଧ ମଧ୍ୟ ସେହି ପରି ଅନିତ୍ୟ ।

 

ସ୍ତବ୍‌ଧ ହୋଇ ସ୍ମିତବାକରେ ବିଦେହରାଜ ଏ ପର୍ଯ୍ୟନ୍ତ ଋଷି ଅଷ୍ମାଙ୍କର ବଚନ ଶୁଣୁଥିଲେ-। ହଠାତ୍ ଋଷି ଅଷ୍ମା ରାଜା ଜନକଙ୍କୁ ପଚାରିଲେ, ରାଜନ, ଆପଣଙ୍କର ପିତା ଓ ପିତାମହ ବର୍ତ୍ତମାନ କେଉଁଠି ଅଛନ୍ତି ? ସେମାନେ ତ ବହୁ ପୂର୍ବରୁ ନଶ୍ୱର ଦେହ ତ୍ୟାଗ କରି ବିଦାୟ ନେଇଛନ୍ତି । ଆପଣ ଆପଣଙ୍କ ଚକ୍ଷୁରେ ତାଙ୍କୁ ଦେଖି ପାରୁଛନ୍ତି ନା ସେମାନେ ମଧ୍ୟ ଆପଣଙ୍କୁ ଦେଖିପାରୁଛନ୍ତି-? କୌଣସି ଉତ୍ତର ନ ଦେଇ ଜନକ ନିଶ୍ଚୁପ ରହିଲେ । ଶେଷରେ ଋଷି ଅଷ୍ମା କହିଲେ, ସ୍ୱର୍ଗ ଓ ନର୍କ ଏହି ଚର୍ମ ଚକ୍ଷୁରେ ଦୃଶ୍ୟମାନ ନୁହେଁ ଏବଂ ନିୟନ୍ତା ମଧ୍ୟ ସେହିପରି ଚକ୍ଷୁର ଅଦୃଶ୍ୟ । ଆଗମାଶ୍ରିତ ସତ୍ୟକୁ ଉପଲବ୍‌ଧି କଲେ ଅଦୃଶ୍ୟ ଦୃଶ୍ୟମାନ ହୋଇ ମନୁଷ୍ୟ ଶୋକ ରହିତ ହୋଇ ହୋଇ ପାରିବ । ସତ୍ୟ ଜ୍ଞାନୀର ସେହି ଚକ୍ଷୁ କେତେବେଳେ ବିଶ୍ୱାସଘାତକତା କରେ ନାହିଁ ।

 

କାହାଣୀ ଶେଷ କରି ବେଦବ୍ୟାସ କହିଲେ–ଜାଣ ଯୁଧିଷ୍ଠିର, ଏସବୁ କଥା ଶୁଣିବା ପରେ ଜନକ ଆତ୍ମ ସଂବିତ ଫେରି ପାଇଥିଲେ ଏବଂ ନିର୍ମୋହ ହୋଇ ଯାଇଥିଲେ ।

Image

 

Unknown

ବିଶ୍ୱାମିତ୍ର–ଚଣ୍ଡାଳ ସମ୍ବାଦ

 

ଅନୁସନ୍ଧିତ୍ସା ଯେପରି ଅନ୍ତହୀନ, ସେହିପରି ଜ୍ଞାନପିପାସୁର ଜ୍ଞାନ ଅନ୍ୱେଷଣ କେବେହେଁ ସମାପ୍ତି ହୋଇ ନଥାଏ ।

 

ଶରଶଯ୍ୟାଶାୟୀ ପିତାମହ ‘ଭୀଷ୍ମ’ଙ୍କୁ ଜ୍ଞାନପିପାସୁ ଯୁଧିଷ୍ଠିର ଜ୍ଞାନ ଅନ୍ୱେଷଣ ପୂର୍ବକ ପରିପ୍ରଶ୍ନ ପଚାରି ମନେହୁଏ ସତେ ଯେପରି ସେବା କରି ଆସୁଛନ୍ତି । ପିତାମହ ମଧ୍ୟ ଭାବୀ ଅଧିପତିଙ୍କୁ ଶିଷ୍ୟଜ୍ଞାନରେ ପ୍ରତିପ୍ରଶ୍ନର ଯଥାଯଥ ଉତ୍ତର ଦାନ କରି ରାଜାଙ୍କର ମାନସିକ ସ୍ତରର ଉପାଦାନଗୁଡିକୁ ସମୃଦ୍ଧ କରିବାରେ ସଦା ସଚେଷ୍ଟ ।

 

ଆପଦ୍‌କାଳୀନ ଧର୍ମତତ୍ତ୍ୱ ନିରୂପଣ ସୂତ୍ର ସମ୍ବନ୍ଧରେ ପ୍ରସଙ୍ଗାନ୍ତରରେ ଯୁଧିଷ୍ଠିର ପିତାମହଙ୍କୁ ପଚାରିଲେ, ‘‘ପିତାମହ, ସତ୍ୟ, ତ୍ରେତା, ଦ୍ୱାପର ଓ କଳିଯୁଗର ବିବର୍ତ୍ତନରେ ଏହି ଜୀବଜଗତ ନିତ୍ୟ ପରିବର୍ତ୍ତନଶୀଳ । ପ୍ରତି ଯୁଗରେ ମନୁଷ୍ୟର ଭିନ୍ନ ଭିନ୍ନ ଆଚରଣ ପ୍ରକାଶ ପାଇଥାଏ । ପ୍ରାକୃତିକ ଜଗତରେ ମଧ୍ୟ ସେହିପରି ଭିନ୍ନ ଭିନ୍ନ ପ୍ରକାରର ରୂପ ପ୍ରକଟ ହୋଇଥାଏ ଏବଂ ଏହା ମଧ୍ୟ ସତ୍ୟ ଯେ ବର୍ଣ୍ଣାଶ୍ରମ ସମାଜରେ ବ୍ରାହ୍ମଣଙ୍କ ସ୍ଥାନ ସମସ୍ତଙ୍କଠାରୁ ଊର୍ଦ୍ଧ୍ୱରେ । କ୍ଷତ୍ରିୟଠାରୁ ଶୂଦ୍ର ପର୍ଯ୍ୟନ୍ତ ସମସ୍ତେ ବ୍ରାହ୍ମଣଙ୍କ ଅନୁଶାସନ ପାଳନ କରି ବ୍ରାହ୍ମଣଙ୍କୁ ଯଥାଯୋଗ୍ୟ ମର୍ଯ୍ୟାଦା ଦେଇଥାନ୍ତି । କାରଣ ବ୍ରାହ୍ମଣ ସ୍ୱୟଂ ଧର୍ମ ଓ ଧର୍ମର ସଂସ୍ଥାପକ ଏବଂ ଲୋକଜଗତରେ ମନୁଷ୍ୟଜୀବନ ଯାତ୍ରାର ପଥ ନିର୍ଦ୍ଦେଶକ । କିନ୍ତୁ ଯୁଗ ପ୍ରବାହରେ ଏପରି ସମୟ ଆସେ ଯେତେବେଳେ ମାନବ ଆଚାରଭ୍ରଷ୍ଟ ସ୍ୱାର୍ଥାନ୍ୱେଷୀ ହୋଇ ସମାଜର ଅନୁଶାସନକୁ ଆଗ୍ରାହ୍ୟ କରି ସ୍ୱୀୟ ପ୍ରଭାବ ବିସ୍ତାର କରିବାକୁ ପ୍ରୟାସୀ ହୋଇଥାଏ । ଫଳତଃ ବ୍ରାହ୍ମଣ ବର୍ଣ୍ଣାଶ୍ରମରେ ତାର ମର୍ଯ୍ୟାଦାରୁ ବଞ୍ଚିତ ହୋଇଥାଏ । ଏହିପରି ପରିସ୍ଥିତିରେ ଜୀବଜଗତ ସ୍ରୋତ ଅନୁକୂଳରେ ଯଦି ବ୍ରାହ୍ମଣ ନିଜକୁ ସାମିଲ୍‌ ନକରି ଧର୍ମବିଚ୍ୟୁତି ନ ଘଟାଇ, ପରିବାର ପୋଷଣ ନିମନ୍ତେ ଧର୍ମକୁ ଅବଲମ୍ବନ କରି କାଳଯାପନ କରିବାକୁ ପ୍ରୟାସୀ ହୁଏ, ତାହେଲେ ସେ କି ପ୍ରକାରର ଜୀବିକା ନିର୍ବାହ କରିବ ?

 

ଧର୍ମରାଜାଙ୍କର ଏହି ପ୍ରଶ୍ନ ପିତାମହ ଭୀଷ୍ମ ଅତ୍ୟନ୍ତ ମନୋଯୋଗ ଦେଇ ଶୁଣି କହିଲେ, ରାଜନ୍‌ ! ‘କାଳ’ ବା ସମୟ କେବେହେଁ ଖଣ୍ଡ ବିଖଣ୍ଡିତ ହୋଇ ପ୍ରବାହମାନ ହୁଏ ନାହିଁ । କାଳ ଅଖଣ୍ଡ । ଏହି ଅଖଣ୍ଡ ‘କାଳ’କୁ ଯୁଗରୂପୀ ସୀମାବନ୍ଧନରେ ମନୁଷ୍ୟ ଆବଦ୍ଧ କରି ସତ୍ୟ, ତ୍ରେତା, ଦ୍ୱାପର ଓ କଳି ନାମରେ ନାମିତ କରିଅଛି ।

 

ଲୋକ-ସମାଜରେ ରାଜା ବା ଶାସକ ଏହି କାଳ ବିଭାଗର ମୂଳକର୍ତ୍ତା । ନଦୀର ସ୍ରୋତଧାରା ସଦୃଶ ମନୁଷ୍ୟ ସ୍ୱଭାବ ସ୍ୱଭାବତଃ ନିମ୍ନଗାମୀ । ଅକୃପଣ ପ୍ରକୃତି ଭଣ୍ଡାରରୁ ଯେତେ ଅଧିକ ଧନ ସମ୍ପଦ ଓ ସହଜଲଭ୍ୟ ଭୋଗ୍ୟ ବସ୍ତୁ ମନୁଷ୍ୟ ଲାଭ କରିଥାଏ ସେତେ ପରିମାଣରେ ମନୁଷ୍ୟର ଲାଳସା ଉଦ୍ରେକ ହୋଇ ପରିମାଣ ବୃଦ୍ଧି ଘଟାଇଥାଏ ।
 

 

ପ୍ରଥମରେ ଯେଉଁ ଔଦାର୍ଯ୍ୟର ବାତାବରଣରେ ଏହି ଧରାଧାମରେ ମନୁଷ୍ୟ ଜନ୍ମଲାଭ କରିଥାଏ, କାମନା, ବାସନା ଓ ଲାଳସା କ୍ରମଶଃ ମନୁଷ୍ୟକୁ ତାର ମୂଳାବସ୍ଥାନ ମାନସିକତାଠାରୁ ଦୂରେଇ ନେଇଥାଏ, ଫଳରେ ସ୍ୱାଭାବିକ ଉଦାର ମନ କ୍ରମଶଃ ସଂକୀର୍ଣ୍ଣରୁ ସଂକୀର୍ଣ୍ଣତମ ହୋଇଥାଏ । ସମବିଭାଗରୁ ଧୀରେ ଧୀରେ ଅସମ ଦିଗକୁ ଏବଂ ନିଃସ୍ୱାର୍ଥତାଠାରୁ ସ୍ୱାର୍ଥପରତା ଦିଗରେ ଗତି କରିଥାଏ । ଏହି ସ୍ୱାର୍ଥ ସମୃଦ୍ଧି ନିମନ୍ତେ ମନୁଷ୍ୟ କ୍ରମଶଃ ଆତ୍ମକୈନ୍ଦ୍ରିକ ହୋଇଉଠେ ଓ ନିଜ ବ୍ୟତୀତ ଅନ୍ୟ କାହାର ସ୍ଥିତି ଅନୁଭବ କରିପାରି ନଥାଏ । ଏହିପରି ଅବସ୍ଥାରେ ଯେଉଁ ଶାସକଙ୍କ ଉପରେ ମାନବଗୋଷ୍ଠୀ ସୁଖ ସ୍ୱାଚ୍ଛନ୍ଦ୍ୟର ଦାୟିତ୍ୱ ନ୍ୟସ୍ତ କରି ନିଶ୍ଚିନ୍ତ ରହିବା ନିମନ୍ତେ ଇଚ୍ଛା କରିଥାନ୍ତି, ସ୍ୱାଭାବିକ ନିୟମରେ ସେହି ଶାସକ ମଧ୍ୟ କାମନା ବାସନାର ଦାସ ହୋଇ ଆତ୍ମ-ସୁଖ ଓ ବିଳାସ ନିମନ୍ତେ ରାଜ୍ୟଲୋଲୁପୀ ହୋଇ ସାଧାରଣ ମନୁଷ୍ୟ ତୁଲ୍ୟ ହୋଇଥାନ୍ତି । ଏହିପରି ରାଜପ୍ରଶ୍ରୟରେ ମନୁଷ୍ୟ ଚରିତ୍ର ପରିବର୍ତ୍ତିତ ହୋଇଥାଏ । ଏହି ଏକ ଏକ ପରିବର୍ତ୍ତିତ ଚରିତ୍ରର ରୂପ, ସତ୍ୟ, ତ୍ରେତା, ଦ୍ୱାପର ଓ କଳି ନାମରେ ଚିହ୍ନିତ ହୋଇଥାଏ ।

 

ପୁନଶ୍ଚ ଭୀଷ୍ମ କହିଲେ, ଅନାଚାର ସର୍ବସ୍ୱ ଦୂଷିତ ସେହି ବର୍ଣ୍ଣାଶ୍ରମୀ ସମାଜରେ ବ୍ରାହ୍ମଣ କିପରି ସପରିବାର ପୋଷଣ କରି ପ୍ରାଣରକ୍ଷା କରିବ ତାହାର ଏକ ଜ୍ୱଳନ୍ତ ଉଦାହରଣ ଋଷି ବିଶ୍ୱାମିତ୍ର ଦେଇଅଛନ୍ତି । ଆପଦ କାଳରେ ବିଶ୍ୱାମିତ୍ରଙ୍କର ପ୍ରଦର୍ଶିତ ପଥ ହିଁ ଧର୍ମାନୁସାରୀ ବ୍ରାହ୍ମଣର ଜୀବନଧାରଣର ଯଥାର୍ଥ ଧର୍ମାନୁଗପଥ ।

 

ଯୁଧିଷ୍ଠିର ଏହା ଶୁଣି କହିଲେ, ପିତାମହ, ଋଷି ‘ବିଶ୍ୱାମିତ୍ର’ କଣ ଏପରି ଆପଦ ମଧ୍ୟରେ ଗତି କରିଥିଲେ ?

 

ଭୀଷ୍ମ କହିଲେ, ହଁ ରାଜନ୍‌ । ସେହି ସମୟରେ ବିଶ୍ୱାମିତ୍ରଙ୍କ ସଦୃଶ ମନୀଷୀ ମଧ୍ୟ ବ୍ରାହ୍ମଣ ଧର୍ମ ବହିର୍ଭୂତ ଯାହା ଅସ୍ପୃଶ୍ୟ ଓ ଅଖାଦ୍ୟ ସେହି ଖାଦ୍ୟବସ୍ତୁ ସଂଗ୍ରହ ନିମନ୍ତେ ଚଣ୍ଡାଳ ଗୃହରେ ପ୍ରବେଶ କରିଥିଲେ । ଏହା ଶୁଣି ଯୁଧିଷ୍ଠିର ଅତ୍ୟନ୍ତ ବିସ୍ମିତ ହୋଇ କହିଲେ, ପିତାମହ, ଏହା କଣ ସମ୍ଭବ ?

 

ଭୀଷ୍ମ କହିଲେ, କେବଳ ଚଣ୍ଡାଳ ଗୃହକୁ ବିଶ୍ୱାମିତ୍ର ଯାଇନଥିଲେ, ଅଧିକନ୍ତୁ ଚଣ୍ଡାଳ ସହିତ ଏହି ପ୍ରସଙ୍ଗରେ ବାକ୍‌ବିତଣ୍ଡା ମଧ୍ୟ କରିଥିଲେ । ବର୍ତ୍ତମାନ ସେହି ବାକ୍‌ବିତଣ୍ଡାର କାହାଣୀ ମନୋଯୋଗ ଦେଇ ଶ୍ରବଣ କର ।

 

ତ୍ରେତାଯୁଗ ଓ ଦ୍ୱାପର ଯୁଗର ସନ୍ଧିକ୍ଷଣରେ ପ୍ରଜାଭାରରେ ଭାରାକ୍ରାନ୍ତ ବିଶ୍ୱ ଭାଗ୍ୟବିଧାତା ରୁଦ୍ରମୂର୍ତ୍ତି ଧାରଣ କରି ସୃଷ୍ଟି ସଂହାର ନୃତ୍ୟରେ ଉନ୍ମତ୍ତ ହୋଇ ଉଠିଲେ । ରୁଦ୍ର ଭୟଭୀତ ଦେବରାଜ ଇନ୍ଦ୍ର ତ୍ରସ୍ତବ୍ୟସ୍ତ ହୋଇ ଅଜ୍ଞାତ ସ୍ଥାନରେ ଆତ୍ମଗୋପନ କଲେ । ଦେବଗୁରୁ ବୃହସ୍ପତି ମଧ୍ୟ ବିମୁଖ ହୋଇ ରହିଲେ । ନୀଳ ଆକାଶରୁ ମେଘମାଳା କ୍ରମଶଃ ଅପସୃତ ହୋଇ ରୌଦ୍ରଦଗ୍‌ଧ ଧରିତ୍ରୀ କ୍ରମଶଃ ଶୁଷ୍କ ହୋଇ ଉଠିଲା । ଦ୍ୱାଦଶ ବର୍ଷ କାଳ ପର୍ଯ୍ୟନ୍ତ ‘ରୁଦ୍ର’ଙ୍କର ଏହିପରି ତାଣ୍ଡବ ଲୀଳାରେ ଧରିତ୍ରୀ ମୂର୍ତ୍ତିକା ତପ୍ତଲୌହ ସଦୃଶ ରୁକ୍ଷ ହୋଇ ଉଠିଲା । ବୃକ୍ଷରାଜିର ସବୁଜ, ସବୁଜିମା କ୍ରମଶଃ ଲୋପ ହୋଇଗଲା । ଜଳହୀନରେ ଜୀବଜଗତ ହାହାକରି କରି ଉଠିଲା-। ଶୁଷ୍କ ମୂର୍ତ୍ତିକା ବକ୍ଷ ବିଦୀର୍ଣ୍ଣ ହୋଇ ଅଟ୍ଟାଳିକା ଠାରୁ ପର୍ଣ୍ଣକୁଟୀର ପର୍ଯ୍ୟନ୍ତ ଧ୍ୱଂସ ପ୍ରାପ୍ତ ହେଲା । ପୃଥିବୀରେ ଶସ୍ୟଭଣ୍ଡାର ଶୂନ୍ୟ ହୋଇଗଲା । ବ୍ୟବସାୟ ବାଣିଜ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇ ବନ୍ଦ ହୋଇଗଲା । ଯାଗଯଜ୍ଞ ମଧ୍ୟ ଲୋପ ପାଇଲା । ଦେବାଳୟ ଦ୍ୱାରମାନ ରୁଦ୍ଧ ହୋଇ ଏକ ଅଚିନ୍ତନୀୟ ପରିସ୍ଥିତି ଉଦ୍‌ଭବ ହେଲା ।

 

ଆତ୍ମରକ୍ଷା ବା ପ୍ରାଣରକ୍ଷା ପ୍ରାଣୀର ସ୍ୱଭାବଧର୍ମ । ଅନୁଗତ ପ୍ରାଣ ନିପୀଡ଼ିତ ହେଲେ, ଉଦ୍‌ଭ୍ରାନ୍ତ ମାନବ କୁଳର ବିବେକବୁଦ୍ଧି ନିବିଡ଼ ଅନ୍ଧକାରାଚ୍ଛନ୍ନ ହୋଇ ଉଠିଲା । ରୁଦ୍ରରୋଷଗ୍ରସ୍ତ ମାନବଗଣ କ୍ରମଶଃ ଆପଣା ପରବୋଧ ବିସ୍ମୃତ ହୋଇ ବିବେକହୀନ ଓ ନିର୍ମମ ହେବାରୁ ଚତୁର୍ଦ୍ଦିଗରେ ଅରାଜକତା ବ୍ୟାପ୍ତହୋଇ ସଦାଚାର ବିଲୁପ୍ତ ହେଲା । ପ୍ରାଣରକ୍ଷା ଆକୁଳତାରେ ବ୍ରାହ୍ମଣଗଣ ନିଜ ନିଜ ଆଶ୍ରମ ତ୍ୟାଗ କରି ଯାଗଯଜ୍ଞ, ସ୍ୱାଧ୍ୟ୍ୟାୟ ବିସ୍ମୃତ ହୋଇ ଉଦ୍‌ଭ୍ରାନ୍ତ ସଦୃଶ ଇତସ୍ତତଃ ବିଚରଣ କଲେ । ବୁଭୂକ୍ଷା ପୀଡ଼ିତ ମନୁଷ୍ୟଗଣ ବିବେକହୀନ ହୋଇ ଉଦରପୂର୍ତ୍ତି ନିମନ୍ତେ ସ୍ୱାମୀ ସ୍ତ୍ରୀକୁ, ପିତା ପୁତ୍ରକୁ, ପୁତ୍ର ପିତାକୁ, ଗୃହସ୍ୱାମୀ ଗୃହପାଳିତ ପଶୁ ଗବାଦି ପଶୁଙ୍କୁ ବିନଷ୍ଟ କରିବାକୁ ଲାଗିଲେ । ନିଦାରୁଣ କରୁଣ ଲୋକ ଓ ପଶୁ କ୍ଷୟ ଘଟିଲା ।

 

ଏହିପରି ଏକ ଚରମ ଦୁର୍ଦ୍ଦିନରେ ଋଷି ବିଶ୍ୱାମିତ୍ର ସପରିବାରରେ କ୍ଷୁଧା ତାଡ଼ନାକ୍ଳିଷ୍ଟ ହୋଇ ବ୍ରାହ୍ମଣୋଚିତ ସଂଯମହୀନ ହୋଇ ପତ୍ନୀ ଓ ପୁତ୍ରକୁ କୌଣସି ଏକ ଜନପଦ ଉପାନ୍ତରେ ଅପେକ୍ଷାମାନ ରଖି ସ୍ଥାନ, ଅସ୍ଥାନ, ଖାଦ୍ୟ, ଅଖାଦ୍ୟ ନିର୍ବିଚାରରେ ଖାଦ୍ୟ ସନ୍ଧାନ ସଂକଳ୍ପରେ ନିର୍ଗତ ହେଲେ । ଋଷି ଜାଣିଥିଲେ ଯେ ଦାୟିତ୍ୱ ଓ କର୍ତ୍ତବ୍ୟ ଅବହେଳାହିଁ ଧର୍ମ ସହିତ ପ୍ରତାରଣା ଓ ବିଶ୍ୱାସଘାତକତା ଏବଂ ଧର୍ମାନୁଶୀଳନର ପରିପନ୍ଥୀ ଅଟେ ।

 

ଏକପରେ ଏକ ଜନପଦ ସଜାଗ ଦୃଷ୍ଟିପାତରେ ଅତିକ୍ରମ କରି ଭିକ୍ଷାଟନ ପରିବେଶ ବଦଳରେ ଶୂନ୍ୟ ଜନପଦରେ ଇତସ୍ତତଃ ବିକ୍ଷିପ୍ତ ନରକଙ୍କାଳ ଋଷିଙ୍କର ଦୃଷ୍ଟିଗୋଚର ହେଲା । ପୁନଶ୍ଚ କିୟତଦୂର ଅଗ୍ରସର ହୁଅନ୍ତେ ଏକ କର୍କଶ କଳରବ ପଥଶ୍ରାନ୍ତ କ୍ଷୁଧାକ୍ଳାନ୍ତ ଋଷିଙ୍କର ଶ୍ରୁତିଗୋଚର ହେବାରୁ ସେହି କଳରବ ଅନୁସରଣ କରି ଜନପଦର ଶେଷପ୍ରାନ୍ତସ୍ଥ ଏକ ଚଣ୍ଡାଳ ପଲ୍ଲୀରେ ସେ ଉପନୀତ ହେଲେ ।

 

ସେହି ପଲ୍ଲୀ କେତେଗୋଟି ଚଣ୍ଡାଳଙ୍କର ବାସସ୍ଥାନ ଥିଲା । ସ୍ତବ୍‌ଧ ବିଶ୍ୱାମିତ୍ର ସେଠାରେ କେତେଗୋଟି ଗୃହର ଭଗ୍ନାବଶେଷ, ଶୂକର, ଗର୍ଦ୍ଦଭର ଚୂର୍ଣ୍ଣ ବିଚୂର୍ଣ୍ଣ ବିକ୍ଷିପ୍ତ ଅସ୍ଥି ଦେଖିଲେ । କତିପୟ ଗୃହରେ ମୃତବ୍ୟକ୍ତିଙ୍କର ପରିତ୍ୟକ୍ତ ବସ୍ତୁ ଆଚ୍ଛାଦିତ ଓ ମାଲ୍ୟାଦି ବସ୍ତୁରେ ସଜ୍ଜିତ ହୋଇଥିବାର ମଧ୍ୟ ଲକ୍ଷ୍ୟକଲେ । ପ୍ରତି ଗୃହର ଦ୍ୱାରରେ ପଶୁଙ୍କ ଚ୍ଛେଦନ ନିମିତ୍ତ ବ୍ୟବହୃତ ନାନା ଅସ୍ତ୍ର ମଧ୍ୟ ପଡ଼ିଥିବାର ଦେଖିଲେ । ପଲ୍ଲୀ ମଧ୍ୟରେ ଦେବାଳୟ ଦେଖି ମୁନିଙ୍କର ବୋଧଗମ୍ୟ ହେଲା ଯେ ଏହି ପଲ୍ଲୀ ଦୁର୍ଭିକ୍ଷ କବଳରୁ ମୁକ୍ତ ଅଟେ । କାଳବିଳମ୍ବ ନକରି ବିଶ୍ୱାମିତ୍ର ସେହି ପଲ୍ଲୀରେ ପ୍ରବେଶ କରନ୍ତେ ଗର୍ଦ୍ଦଭ ଓ କୁକୁର ନାଦରେ ସେହି ସ୍ଥାନ ନିନାଦିତ ହୋଇ ଉଠିଲା । ବୀଭତ୍ସ ମଦ୍ୟପ କତିପୟ ଚଣ୍ଡାଳ ରକ୍ତବର୍ଣ୍ଣ ନେତ୍ରରେ ବିଶ୍ୱାମିତ୍ରଙ୍କୁ ଦେଖିବାକୁ ଲାଗିଲେ । କ୍ଷୁଧାର୍ତ୍ତ ଋଷି କରଯୋଡ଼ି ବ୍ରାହ୍ମଣୋଚିତ ବୃତ୍ତି ଭିକ୍ଷା ନିମନ୍ତେ ପ୍ରତି ଦ୍ୱାରରେ ଭିକ୍ଷା ପ୍ରାର୍ଥନା ବଦଳରେ ନିର୍ବିକାର ତାଚ୍ଛଲ୍ୟପୂର୍ଣ୍ଣ ଦୃଷ୍ଟି ବ୍ୟତୀତ କିଞ୍ଚିତ ଅନ୍ନ, ଫଳମୂଳ ବା ମାଂସଖଣ୍ଡ ପ୍ରାପ୍ତିରେ ବ୍ୟର୍ଥକାମ ହେଲେ । ପଥଶ୍ରାନ୍ତ କ୍ଷୁଧାକ୍ଳାନ୍ତ ଋଷି ବିଶ୍ୱାମିତ୍ର ଦ୍ୱାର ଦ୍ୱାର ବୁଲି ଅବସନ୍ନ ହୋଇ ଅବଶେଷରେ ଏକ ଚଣ୍ଡାଳଗୃହ ଚଟାଣରେ ଅଚେତ ହୋଇ ନିଃଶବ୍ଦରେ ପଡ଼ି ରହିଲେ ।

 

କିଛି ସମୟ ପରେ ଅବସାଦଗ୍ରସ୍ତ ଋଷି ତନ୍ଦ୍ରାମୁକ୍ତ ହୋଇ ସେହି ଚଣ୍ଡାଳ ଗୃହାଭ୍ୟନ୍ତରରେ ସଦ୍ୟ କର୍ତ୍ତିତ କୁକୁରର ଏକ ଜଂଘା ମାଂସ ଦେଖି ପ୍ରାଣରକ୍ଷା ନିମନ୍ତେ ସେହି ମାଂସ ଅପହରଣ କରିବାର ମନସ୍ଥ କଲେ । ଅନ୍ନହୀନ ପ୍ରାଣର ଅକାଳ ମୃତ୍ୟୁ ଋଷି ବିଶ୍ୱାମିତ୍ର କଦାପି ବରଣ କରିବେ ନାହିଁ, କାରଣ ନିରନ୍ନ ପ୍ରାଣର ଅକାଳ ମୃତ୍ୟୁ ସର୍ବଦା ବର୍ଜନୀୟ ।

 

ଏତିକି ଶୁଣିସାରି ଯୁଧିଷ୍ଠିର ପଚାରିଲେ, ପିତାମହ ! ଋଷି ବର ବିଶ୍ୱାମିତ୍ର ବ୍ରହ୍ମଜ୍ଞ ବ୍ରାହ୍ମଣ ହୋଇ ମଧ୍ୟ ପ୍ରାଣରକ୍ଷା ନିମନ୍ତେ ଏପରି ଏକ ହୀନ ସିଦ୍ଧାନ୍ତ କିପରି ଗ୍ରହଣ କଲେ ?

 

ଭୀଷ୍ମ ଉତ୍ତର ଦେଲେ ଯେ ବିଶ୍ୱାମିତ୍ର ଯଥାର୍ଥ ବ୍ରହ୍ମଜ୍ଞ ଥିବାରୁ ହିଁ ଏହିପରି ଏକ ସିଦ୍ଧାନ୍ତ ନେଇ ପାରିଥିଲେ ।

 

ଯୁଧିଷ୍ଠିର ପୁଣି ପଚାରିଲେ, ପିତାମହ ! ହୀନବ୍ୟକ୍ତି ଗୃହରୁ ବ୍ରାହ୍ମଣର ଅଭକ୍ଷ ଖାଦ୍ୟହରଣ ଶାସ୍ତ୍ର ସମ୍ମତ କି ? ଶାସ୍ତ୍ର ମତରେ ତ ଚୌର୍ଯ୍ୟ ବୃତ୍ତି ଅପରାଧ ମୂଳକ ଓ ଅଭ୍ୟୁଦୟ ହୀନକର୍ମ ଅଟେ ।

 

ପିତାମହ ଉତ୍ତର ଦେଲେ ଯେ ଶାସ୍ତ୍ରରେ ନିଶ୍ଚିତ ବିଧାନ ଅଛି ଯେ–

 

‘‘ଆପତ୍‌ସୁ ବିହିତଂ ସ୍ତୈନ୍ୟଂ ବିଶିଷ୍ଟ-ସମ-ହୀନତଃ

ବିପ୍ରେଣ ପ୍ରାଣରକ୍ଷାର୍ଥଂ କର୍ତ୍ତ୍ୟାମିତି ନିଶ୍ଚୟଃ ।’’

 

ଅର୍ଥାତ୍‌ ଆପଦ କାଳରେ ପ୍ରାଣରକ୍ଷା ନିମନ୍ତେ ବିଶିଷ୍ଟ, ସମାନ ଓ ଏପରିକି ହୀନଜନ ଗୃହରୁ ଖାଦ୍ୟବସ୍ତୁ, ଆହାର୍ଯ୍ୟ ଅପହରଣ କରିବା ବିପ୍ରର କର୍ତ୍ତବ୍ୟ କର୍ମ । ସେପରି ସ୍ଥଳରେ ବ୍ରାହ୍ମଣର ବ୍ରାହ୍ମଣତ୍ୱ ହାନି ହୋଇ ନଥାଏ । ପୁନଶ୍ଚ ଶାସ୍ତ୍ରରେ ନିର୍ଦ୍ଦେଶ ଅଛି, ପ୍ରଥମତଃ ବିପ୍ର ହୀନବ୍ୟକ୍ତି ଗୃହରୁ ଖାଦ୍ୟ ଅପହରଣ ପ୍ରୟାସୀ ହେବ, ସଫଳ କାମ ନହେଲେ ସମଶ୍ରେଣୀ ଗୃହରୁ ପ୍ରୟାସୀ ହେବ ଓ ସେଥିରେ ବିଫଳ କାମ ହେଲେ ବିଶିଷ୍ଟ ବା ସମ୍ପଦଶାଳୀ ଗୃହରୁ ଖାଦ୍ୟ ଅପହରଣ କରିବାରେ ପ୍ରୟାସୀ ହେବ । ଅତଏବ ଶାସ୍ତ୍ରଜ୍ଞ ଋଷି ବିଶ୍ୱାମିତ୍ର କୌଣସି ଭ୍ରାନ୍ତ ସିଦ୍ଧାନ୍ତ ଦେଇ ନଥିଲେ ।

 

ପୁନଶ୍ଚ ପିତାମହ ପୂର୍ବ କାହାଣୀ ଅବତାରଣା କରି କହିଲେ, ସେହି ଚଣ୍ଡାଳ ଗୃହ ମଧ୍ୟରେ ଗୁରୁଭୋଜନ ଓ ଆସବପାନ ବିଭୋର ଏକ ଭୀଷଣକାୟ ଚଣ୍ଡାଳକୁ ଗୃହ ଚଟାଣରେ ଶାୟିତ ଦେଖି ମୁନି, ମାଂସ ଅପହରଣ ପରିକଳ୍ପନା ସ୍ଥିର କରି ସେହିଠାରେ ଅପେକ୍ଷମାନ ହେଲେ । କ୍ରମଶଃ ସୂର୍ଯ୍ୟ ଅସ୍ତାଚଳଗାମୀ ହେବାରୁ ସ୍ତିମିତ ଚଣ୍ଡାଳପଲ୍ଲୀ ଧୀରେ ଧୀରେ ସ୍ତବ୍‌ଧ ଓ ଅନ୍ଧକାରାଚ୍ଛନ୍ନ ହୋଇଗଲା । ପ୍ରାୟ ମଧ୍ୟରାତ୍ରୀ ହେବାରୁ ନିଶାଗ୍ରସ୍ତ ଚଣ୍ଡାଳକୁ ଅଚଳ ଦେଖି ଜଂଘା ମାଂସ ଅପହରଣର ଉପଯୁକ୍ତ ସମୟ ବୋଧରେ ନିଃଶବ୍ଦ ପଦ ସଞ୍ଚାରରେ ଆତ୍ମପ୍ରତ୍ୟୟ ଦେଇ ଗୃହ ମଧ୍ୟସ୍ଥ ପତିତ ମାଂସ ଖଣ୍ଡ ଅପହରଣ ନିମନ୍ତେ ଉଦ୍ୟତ ହେବା ମାତ୍ରେ ପ୍ରଚଣ୍ଡ ଏକ ହୁଙ୍କାର ଶବ୍ଦ ମୁହୂର୍ତ୍ତରେ ଋଷି ଭୀତ ଓ ସଙ୍କୁଚିତ ହେଲେ ।

 

ସେହି ସମୟରେ ଭୀଷଣକାୟ ଦୀର୍ଘଦେହୀ ନିଶାଚ୍ଛନ୍ନ ଚଣ୍ଡାଳ ଭୂମିଶଯ୍ୟା ତ୍ୟାଗକରି ତୀକ୍ଷ୍‌ଣ ଛୁରୀକା ହସ୍ତରେ ତୀବ୍ର ସ୍ୱରରେ ପଚାରିଲା, ମାଂସଖଣ୍ଡ ଅପହରଣ ନିମନ୍ତେ କିଏ ମୋ ଗୃହରେ ପ୍ରବେଶ କରିଛ ? ଭାବିଛୁ କି ମୁଁ ବେହୋଶ୍‌ ହୋଇ ନିଦ୍ରାମଗ୍ନ ଅଛି ? ଏତେ ବଡ଼ ଦୁଃସାହସ କାହାର ? ମୋ ହସ୍ତରୁ ଆଜି ତୋର ନିସ୍ତାର ନାହିଁ ।

 

ଅତିଶୟ ଲଜ୍ଜାରେ ଋଷି ବିଶ୍ୱାମିତ୍ର ମୁହୂର୍ତ୍ତକ ପାଇଁ ନିଶ୍ଚୁପ ରହି ପର ମୁହୂର୍ତ୍ତରେ ସଙ୍କୋଚ ପରିହାର କରି କହିଲେ ମୋର ପରିଚୟ ଶ୍ରବଣ କର । ଏହାପରେ ଯଦି ମୁଁ ବଧଯୋଗ୍ୟ ତାହେଲେ ବଧ କର ।

 

ସେହି କ୍ଷୀଣ ସ୍ୱର ଶ୍ରବଣ କରି ଚଣ୍ଡାଳ ସ୍ତବ୍‌ଧ ହୋଇ କହିଲା, ତୁମେ କିଏ ? ଶୀଘ୍ର ପରିଚୟ ପ୍ରଦାନ କର ।

 

ଋଷି କହିଲେ, ମୁଁ ଋଷି ବିଶ୍ୱାମିତ୍ର । ଏହି ଘୋର ଅନ୍ଧକାରରେ ତୁମେ ମୋତେ ଦେଖିପାରୁ ନାହଁ । ତଥାପି ବିଶ୍ୱାସ କର, ମୁଁ ମୋର ଆତ୍ମପରିଚୟ ଗୋପନ କରି ନାହିଁ ।

 

ଉତ୍ତର ଶୁଣି ଚଣ୍ଡାଳ ଯେପରି ମନ୍ତ୍ରମୁଗ୍‌ଧ ହୋଇ ରହିଲା । କ୍ଷଣକ ମଧ୍ୟରେ ସେହି କ୍ରୋଧଦୀପ୍ତ ସ୍ୱର ସକରୁଣ ହୋଇ ଉଠିଲା ଓ ହସ୍ତଧୃତ ଛୁରୀକା ଅଧଃପତିତ ହେଲା । ଚଣ୍ଡାଳ ଋଷିଙ୍କ ସମ୍ମୁଖରେ ନତଜାନୁ ହୋଇ କହିଲା, ମୁଁ ଆପଣଙ୍କୁ ଅନ୍ଧକାରରେ ଚିହ୍ନି ନପାରି ଦୁର୍ବ୍ୟବହାର କରିଅଛି, ସେଥିପାଇଁ ମୋତେ କ୍ଷମା ଦିଅନ୍ତୁ । କିନ୍ତୁ ଏହି ଅନ୍ଧକାର ରାତ୍ରୀର ଜଘନ୍ୟ କୁକୁରର ଜଂଘା ମାଂସ ଅପହରଣ ପୂର୍ବକ ହୀନ କର୍ମରେ ଆପଣ କାହିଁକି ଉଦ୍ୟତ ହୋଇଥିଲେ ? ଆପଣଙ୍କ ସଦୃଶ ମହାତ୍ମାଙ୍କ ପକ୍ଷରେ ଏହିପରି ନୀଚକର୍ମ ଶୋଭାପାଏ କି ? ମୋ’ପରି ହୀନବ୍ୟକ୍ତି ଗୃହରୁ ଋଷିଙ୍କର ଅସ୍ପୃଶ୍ୟହୀନ ଅଖାଦ୍ୟ ସଂଗ୍ରହ ପ୍ରଚେଷ୍ଠା ଶୋଭନୀୟ କି ?

 

ବିଶ୍ୱାମିତ୍ର କହିଲେ, ମୋର କର୍ମ ଅବଶ୍ୟ ଅଶୋଭନୀୟ । କିନ୍ତୁ ଏହି ପନ୍ଥା ବ୍ୟତୀତ ଦ୍ୱିତୀୟ ବିକଳ୍ପ ପନ୍ଥା ଆଉ କିଛି ନଥିଲା । ଭିକ୍ଷା ସଂଗ୍ରହ ନିମନ୍ତେ ଦ୍ୱାର ଦ୍ୱାର ବୁଲି ବିଫଳ ହୋଇଛି-। କ୍ରମଶଃ କ୍ଷୁଧା କାତର ହେବା ଫଳରେ ଚଳତ ଶକ୍ତି କ୍ଷୂର୍ଣ୍ଣ ହୋଇ ପରିବାର ବର୍ଗଙ୍କ ନିମନ୍ତେ କର୍ତ୍ତବ୍ୟ କର୍ମ ବୋଧହୁଏ ଆଉ କରି ହେବ ନାହିଁ, ଏହି ବୋଧରେ ଯେତେବେଳେ ବିବ୍ରତ, ସେହି ହତାଶ ମୁହୂର୍ତ୍ତରେ କୁକୁରର ଜଂଘା ମାଂସ ମୋର ଦୃଷ୍ଟି ଗୋଚର ହେଲା । କିନ୍ତୁ ଭିକ୍ଷା ପ୍ରାର୍ଥନାରେ ଯଦି ମୋତେ ପୂର୍ବଭଳି ଶୂନ୍ୟ ହସ୍ତରେ ଫେରିବାକୁ ହୁଏ ଏହି ଆଶଙ୍କାରେ ପ୍ରାଣ ଧାରଣ ନିମନ୍ତେ ରାତ୍ରିର ଏହି ଅନ୍ଧକାରରେ ଜଂଘା ମାଂସ ଅପହରଣ କରିବାକୁ ମନସ୍ଥ କରିଥିଲି ।

 

ଏହା ଶୁଣି ଚଣ୍ଡାଳ କହିଲା, ମୁନିବର, ଆପଣ ବ୍ରାହ୍ମଣ । ଧର୍ମାନୁସାରେ କୁକୁର ମାଂସ ବ୍ରାହ୍ମଣର ଅଭକ୍ଷ । ମୋ ଜ୍ଞାନରେ ମୁଁ ଜାଣିପାରୁଛି, ବର୍ଣ୍ଣୋଚିତ ଧର୍ମାନୁସରଣ ଠାରୁ ଆପଣ ବହୁତ ଦୂରେଇ ଯାଇଛନ୍ତି । କାରଣ ପ୍ରଥମରେ ଏହି ମାଂସ ଚଣ୍ଡାଳର ଗଚ୍ଛିତ ଧନ । ଦ୍ୱିତୀୟରେ ଜଂଘା ମାଂସ ସବୁଠାରୁ ନିକୃଷ୍ଟ ଅଂଶ ମାଂସ । କିନ୍ତୁ ସେହି ମାଂସ ଭକ୍ଷଣ ପୂର୍ବକ ପ୍ରାଣ ଧାରଣ ନିମନ୍ତେ ଆପଣ ଉଦ୍ୟତ ହୋଇଛନ୍ତି । ଏହି ରୂପ ଆଚରଣ ବ୍ରାହ୍ମଣର ବ୍ରାହ୍ମଣୋଚିତ ଧର୍ମର ବିପର୍ଯ୍ୟୟ ଘଟାଇବ ନାହିଁ କି ?

 

ବିଶ୍ୱାମିତ୍ର ଚଣ୍ଡାଳର ଯୁକ୍ତି ଶୁଣି କହିଲେ, ମୁଁ ତୁମ୍ଭ ବଚନର ପ୍ରତିବାଦ କରୁନାହିଁ । ତୁମେ ଯେହେତୁ ବୁଦ୍ଧିମାନ୍‌ ମତ ସମ୍ମତ ପ୍ରସଙ୍ଗ ଉତ୍‌ଥାପନ କରିଅଛ ସେଥିପାଇଁ କହୁଛି ଶୁଣ–

 

‘‘ଯେନ ଯେନ ବିଶେଷଣ କର୍ମଣା ଯେନ କଦାଚିତ

ଅଭ୍ୟୁଦ୍ୱୀବେତ୍‌ ସାବ୍ୟମାନଃ ସମର୍ଥୋ ଧର୍ମାମଚରେତ୍‌ ।’’

 

ଅର୍ଥାତ୍‌ କ୍ଷୁଧିତ ମୃତ୍ୟୁ ପଥଯାତ୍ରୀ ମନୁଷ୍ୟ ନିର୍ବିଚାରରେ ଯେକୌଣସି ଉପାୟରେ ପ୍ରଥମେ ଜୀବନ ରକ୍ଷା ନିମନ୍ତେ ଯେ କୌଣସି କର୍ମ ସାଧନାରେ ନିଜକୁ ସମର୍ଥବାନ୍‌ କରି ପଶ୍ଚାତ୍‌ରେ ଧର୍ମାନୁସରଣ କରିବ । ଏହା ଶାସ୍ତ୍ରୋକ୍ତ କ୍ଷୁଧା ତାଡ଼ନାରେ ମୋର ଶରୀର ଉଦ୍‌ବେଳିତ ହୋଇ ସମସ୍ତ ଶକ୍ତି ହ୍ରାସ ହୋଇ ପ୍ରାଣ ନିଃଶେଷ ପ୍ରାୟ । ଏହି କ୍ଷେତ୍ରରେ କାଳଷେପଣ ଦୁର୍ବିସହ ହେବାରୁ ଭକ୍ଷ ଅଭକ୍ଷ ବିଚାରହୀନ ହୋଇଛି । ସ୍ୱୟଂ ଅଗ୍ନିଦେବ ଦେବଗଣଙ୍କର ମୁଖ ଓ ପୁରୋହିତ ହୋଇ ଯଦିଚ ପବିତ୍ର ଖାଦ୍ୟ ଗ୍ରହଣ କରିଥାନ୍ତି ତଥାପି ଅବସ୍ଥା ବିପାକରେ ଖାଣ୍ଡବପ୍ରସ୍ଥରେ ତାଙ୍କୁ ସର୍ବଭୁଜ୍‌ହେବାକୁ ହୋଇଥିଲା । ଅତଏବ ଏହି ଜଂଘା ମାଂସ ମୋତେ ନେବାକୁ ଦିଅ, ବାଧା ଦିଅ ନାହିଁ ।

 

ଏହା ଶୁଣି ଚଣ୍ଡାଳ କହିଲା, ଆପଦ କାଳରେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟର ଶଶକ, ଶଲ୍ୟକ, ଗୋଧା, ଚଣ୍ଡାର ଓ କୁର୍ମ ଏହି ପଞ୍ଚପ୍ରାଣୀ ମାଂସ ଭକ୍ଷଣ ଶାସ୍ତ୍ର ସମ୍ମତ । କାରଣ ଏହି ପଞ୍ଚପ୍ରାଣୀଙ୍କର ପାଦ ପଞ୍ଚନଖ ବିଶିଷ୍ଟ । କିନ୍ତୁ କୁକୁର ମାଂସ ବିଶେଷରେ ଜଂଘା ମାଂସ ଶାସ୍ତ୍ର ବିରୋଧ । ଏହା ଅପୁଷ୍ଟିକର ଓ ଅସ୍ୱାଦୁ । ଏହା ବ୍ୟତୀତ ଏହି କୁକୁର ମାଂସ ଭକ୍ଷଣରେ ଆପଣଙ୍କର ଅମୃତମୟ ମାନସିକତା ଔଦାର୍ଯ୍ୟ ବିନଷ୍ଟ ହେବ । ଅତଏବ ମୋର ଅନୁରୋଧ ଆପଣ ଭକ୍ଷଣ ଗ୍ରହଣ କରି ଧର୍ମଚ୍ୟୁତ ହୁଅନ୍ତୁ ନାହିଁ । ଏହି ସଂକଳ୍ପ ତ୍ୟାଗ କରି ଆପଣ ଅନ୍ୟ କୌଣସି ଖାଦ୍ୟ ଗ୍ରହଣ କରନ୍ତୁ ।

 

ବିଶ୍ୱାମିତ୍ର କହିଲେ, ମୁଁ ଧର୍ମଚ୍ୟୁତ ହେବି ନାହିଁ । ସେହିପରି କୌଣସି ଘଟଣା ଘଟିଲେ, ମୋର ତପସ୍ୟା ବଳରେ ତାହା ପ୍ରତିରୋଧ କରିବାର କୌଶଳ ମୋର ଅଜଣା ନାହିଁ । ଦେଶରେ ଅକାଳ ଓ ଦୁର୍ଭିକ୍ଷ ହେଲେ କୌଣସି ଖାଦ୍ୟବସ୍ତୁ ଅଭକ୍ଷ ହୋଇ ନଥାଏ । ସେହି ସମୟରେ ଅଭକ୍ଷ ଅମୃତ ତୁଲ୍ୟ । କ୍ଷୁଧା ତାଡ଼ନାରେ ମହର୍ଷି ଅଗସ୍ତ୍ୟ ‘ବାତାପି’ ଅସୁରକୁ ଭକ୍ଷଣ କରି କ୍ଷୁଧା ନିବୃତ୍ତି କରିବାକୁ ଦ୍ୱିଧାବୋଧ କରି ନଥିଲେ । ସେ କ୍ଷେତ୍ରରେ ଏହି ଜଂଘା ମାଂସ ଭକ୍ଷଣରେ ମୋର କୌଣସି ଧର୍ମହାନୀ ହେବ ନାହିଁ । ତୁମେ ନିଶ୍ଚିତ ରହି ଏହି ମାଂସ ଖଣ୍ଡ ମୋତେ ନେବାକୁ ଦିଅ ।

 

ପ୍ରତ୍ୟୁତ୍ତରରେ ଚଣ୍ଡାଳ କହିଲା, ମହର୍ଷି ଅଗସ୍ତ୍ୟଙ୍କ ପ୍ରସଙ୍ଗ ଅବତାରଣା କରି ଆପଣ ଛଳନାର ଆଶ୍ରୟ ନେଉଛନ୍ତି ଏବଂ ମିଥ୍ୟା ଦୃଷ୍ଟାନ୍ତରେ ନିଜକୁ ପ୍ରବୋଧ ଦେଇ ପାପକର୍ମରେ ଲିପ୍ତ ହେବାକୁ କାହିଁକି ଯାଉଛନ୍ତି ?

 

ବିଶ୍ୱାମିତ୍ର କହିଲେ, ଆପଦକାଳ ହେଲେ ମଧ୍ୟ ମୋର ଏପରି ବୁଦ୍ଧି ଭ୍ରଂଶ ହୋଇ ନାହିଁ ଯେ ଯାହା ଫଳରେ ପାପଶୂନ୍ୟ ବିଚାରବୋଧ ଶୂନ୍ୟ ହୋଇଛି ।

 

ଚଣ୍ଡାଳ ଋଷିଙ୍କ ବଚନ ଶୁଣି ପୁନଶ୍ଚ କହିଲା, ମୁନି ଅଗସ୍ତ୍ୟ କଣ ପ୍ରକୃତ ପକ୍ଷରେ ସ୍ୱେଚ୍ଛାରେ ନିରୂପାୟ ହୋଇ କ୍ଷୁଧା ତାଡ଼ନାରେ ବାତାପିକୁ ଭକ୍ଷଣ କରିଥିଲେ ? ଏହା କଦାପି ନୁହେଁ-। ବ୍ରାହ୍ମଣକୁଳ ବିନାଶ କରିବାରେ ବାତାପି ଏପରି ଉନ୍ମତ୍ତ ହୋଇଥିଲେ ଯେ ବ୍ରାହ୍ମଣଗଣଙ୍କ ପ୍ରାର୍ଥନାରେ ଅଗସ୍ତ୍ୟ ମୁନି ବାତାପିକୁ ଭକ୍ଷଣ କରି ସେମାନଙ୍କୁ ରକ୍ଷା କରିଥିଲେ । ଏହି କର୍ମ ଅଗସ୍ତ୍ୟ ମୁନି ଯେଉଁ ମହତ୍‌ ଉଦ୍ଦେଶ୍ୟ ନେଇ କରିଥିଲେ ତାହା କଦାପି ଅପକର୍ମ ବା ଅଧର୍ମ ନୁହେଁ । ବୃହତ୍ତର ସ୍ୱାର୍ଥରେ ଆପାତତଃ ଧର୍ମବିରୁଦ୍ଧ ଜଘନ୍ୟତମ କର୍ମ କଦାପି ଅଧର୍ମ ନୁହେଁ । ସେହି କର୍ମ ସାଧନାରେ ପାପ ସ୍ପର୍ଶ କରେ ନାହିଁ । ମୋ ମତରେ ଏହା ହିଁ ସନାତନ ଧର୍ମ । କିନ୍ତୁ ଆପଣ ବ୍ରାହ୍ମଣ ହୋଇ କେଉଁ ବୃହତ୍ତର ମହତ୍ତର ଉଦ୍ଦେଶ୍ୟରେ ଏହି ପାପ କାମ କରିବା ନିମନ୍ତେ ଉଦ୍ୟୋଗୀ ହୋଇଛନ୍ତି ? ଯେତେ ଅକାଳ ଆସିଲେ ମଧ୍ୟ ବ୍ରାହ୍ମଣ ଉପବାସରେ ପ୍ରାଣତ୍ୟାଗ କରିଥାନ୍ତି ସତ କିନ୍ତୁ ଅଭକ୍ଷ ଭକ୍ଷଣ କରନ୍ତି ନାହିଁ ।

 

ଏହା ଶୁଣି ବିଶ୍ୱାମିତ୍ର କହିଲେ, ଚଣ୍ଡାଳ, ତୁମର ଯୁକ୍ତି ଅତି ସୁନ୍ଦର ଓ ସତ୍ୟ । ବୃହତ୍ତର ଓ ମହୋତ୍ତର ସ୍ୱାର୍ଥରେ ବର୍ଣ୍ଣୋଚିତ କର୍ମ ନ କରିଲେ ମଧ୍ୟ ଅପକର୍ମ କୁହାଯାଏ ନାହିଁ । ପରୋକ୍ଷରେ ସେହି ସ୍ଥଳରେ ସନାତନ ଧର୍ମକୁ ରକ୍ଷା କରାଯାଇଥାଏ । ସେହିପରି କର୍ମରେ ପାପ ହୁଏ ନାହିଁ, ଏହା ମୁଁ ଭଲ ଭାବରେ ଜାଣିଛି । ଜାଣିଛି ବୋଲି ବ୍ରାହ୍ମଣର ଅଭକ୍ଷ ଏହି କୁକୁର ମାଂସ ଖାଇବାକୁ ଉଦ୍ୟତ ହୋଇଛି । ବର୍ତ୍ତମାନ ମୋ ପକ୍ଷରେ କୁକୁର ମାଂସ ବା ଶୃଗାଳ ମାଂସର ଭେଦାଭେଦ ନାହିଁ । କେବଳ ମୋ ନିମନ୍ତେ ଏହି ମାଂସ ନେଉନାହିଁ, ମୋର ମିତ୍ରଙ୍କ ନିମନ୍ତେ ମଧ୍ୟ ଏହି ମାଂସ ନେବାକୁ ଉଦ୍ୟତ ହୋଇଛି । ଏହି ମାଂସ ମୋତେ ଯେ କୌଣସିମତେ ନେବାକୁ ହିଁ ହେବ ।

 

ଚଣ୍ଡାଳ ଏହା ଶୁଣି ପଚାରିଲା, ଆପଣଙ୍କ ମିତ୍ର କିଏ ? ବିଶ୍ୱାମିତ୍ର କହିଲେ, ମୋର ଏହି ଶରୀର ହିଁ ମୋର ମିତ୍ର । ଦେହର ଅକୃପଣ ବନ୍ଧୁତ୍ୱ ନଥିଲେ ମୋର ଏହି ଅସ୍ତିତ୍ୱ ସମ୍ଭବ ହୁଅନ୍ତା କି-? ଏହି ଦେହ ଯୋଗୁହିଁ ମୋର ସ୍ଥିତି ସମ୍ଭବ । ଦେହ ବିହୀନରେ ଧର୍ମାଧର୍ମ ବିଚାର ସମ୍ଭବ କି ? ଅନ୍ନ ନିର୍ଭର ମୋର ଏହି ଶରୀର ଅନ୍ନ ଅଭାବରେ ଦୁର୍ବଳ ହୋଇ ମୋତେ ତ୍ୟାଗ କରିବାକୁ ଉଦ୍ୟତ ହୋଇଅଛି । ଏହି ଦେହ ମୋ ନିମନ୍ତେ ସମସ୍ତ ଉତ୍ସର୍ଗୀକୃତ କରିଅଛି । ସୁତରାଂ ଏପରି ଦୁଃସମୟରେ ଯେଉଁ ଦେହ ମୋ ପାଇଁ ସମସ୍ତ ଉତ୍ସର୍ଗ କରିଛି ଯଦି ମୁ ସେହି ଦେହ ରକ୍ଷା କରିବାରେ ସମର୍ଥ ନହେବି, ତା’ହେଲେ ବିଶ୍ୱାସଘାତକତା ପାପରେ ଲିପ୍ତ ହେବି ନାହିଁ କି ? ପରଲୋକ କଥା ସ୍ୱତନ୍ତ୍ର । ଇହଲୋକର ଧର୍ମ ଅଧର୍ମ, ପାପପୂଣ୍ୟ ନେଇ ପରଲୋକ । କିନ୍ତୁ ଶରୀର ହିଁ ଇହଲୋକର ମୂଳଧନ । ଏହାକୁ ଅବଜ୍ଞା ଓ ତୁଚ୍ଛଜ୍ଞାନ କରି ଧର୍ମ ପାଳନ କରାଯାଏ ନାହିଁ-। ଅତଏବ ଶରୀର ରକ୍ଷା କରିବା ନିମନ୍ତେ ଅଭକ୍ଷ ଜାଣି ମଧ୍ୟ ମୁଁ ଏହି ମାଂସ ଗ୍ରହଣ କରିବା ପାଇଁ ଉଦ୍ୟତ ହୋଇଅଛି ।

 

ଚଣ୍ଡାଳ କହିଲା, ଆପଣ ତେବେ ସ୍ୱୀକାର କରୁଛନ୍ତି ଯେ କୁକୁର ମାଂସ ଅଭକ୍ଷ ଓ ହୀନ ଚଣ୍ଡାଳର ଦାନ ମଧ୍ୟ ବ୍ରାହ୍ମଣର ଗ୍ରହଣୀୟ ନୁହେଁ । କିନ୍ତୁ ଏତିକି କହିବା ନିମନ୍ତେ ମୁଁ ବାଧ୍ୟ ହେଉଛି ଯେ ଆପଣ ଆସକ୍ତି ବଶରେ ବିବେକ ବିଚାର ବୁଦ୍ଧି ଶୂନ୍ୟ ହୋଇ ଲାଳସାଶକ୍ତ ଓ ବେଦଜ୍ଞାନ ଭ୍ରଷ୍ଟ ହୋଇଛନ୍ତି । ତେଣୁ ଆପଣ ଶରୀର ଦ୍ୱାହି ଯେ କୌଣସି କାରଣବଶତଃ ଖାଦ୍ୟ, ଅଖାଦ୍ୟ ବିଚାରଶୂନ୍ୟ ହୋଇ ଅଭକ୍ଷ ଏହି କୁକୁର ଜଂଘା ମାଂସ ପ୍ରତି ଆକୃଷ୍ଟ ହୋଇଛନ୍ତି । ମୋର ଅନୁରୋଧ ଆପଣ ଏହି ଅଖାଦ୍ୟ ଗ୍ରହଣ କରି ଆପଣଙ୍କ ବ୍ରାହ୍ମଣତ୍ୱ ବିନାଶ କରନ୍ତୁ ନାହିଁ କି ମୋ’ଠାରୁ ମାଂସ ଗ୍ରହଣ କରି ମୋତେ ପାପଭାଗୀ କରନ୍ତୁ ନାହିଁ ।

 

କ୍ଷୁବ୍‌ଧ ବିଶ୍ୱାମିତ୍ର କହିଲେ, ମୋତେ ଉପଦେଶ ଦେବାର ଅଧିକାର ଚଣ୍ଡାଳର ନାହିଁ । ବୃଥା ବାକ୍ୟ ବ୍ୟୟରେ ମୋର ଅମୂଲ୍ୟ ସମୟ କାହିଁକି ନଷ୍ଟ କରୁଅଛ । ମୋର ଦେହ ଅଧିକ ଦୁର୍ବଳ ହେଉଅଛି । ସ୍ୱେଚ୍ଛାରେ ଏହି ମାଂସ ଖଣ୍ଡ ମୋତେ ନ ଦେଲେ ମୁଁ ସ୍ୱୟଂ ଏହା ନେଇ ଗ୍ରହଣ କରିବି-

 

ଚଣ୍ଡାଳ କହିଲା, ମୁନିବର ମୁଁ ଆପଣଙ୍କୁ ବାଧା ଦେଇ ପାରିବି ନାହିଁ । କିନ୍ତୁ ମୋର ବିଶ୍ୱାସ ଆପଣ ଏହି କର୍ମଜନିତ ଫଳ ଭୋଗ ନିଶ୍ଚୟ କରିବେ ।

 

ଦୁର୍ବଳ ହେଲେ, ମଧ୍ୟ ବିଶ୍ୱାମିତ୍ର କ୍ରୁଧ ହୋଇ ଉଠିଲେ । ସ୍ୱୀୟ ହସ୍ତରେ ସେ ଏହି ଜଂଘା ମାଂସ ଧାରଣ କରି ନିଷ୍କ୍ରାନ୍ତ ସମୟରେ କହିଲେ–ଚଣ୍ଡାଳ ! ଏହା ମଧ୍ୟ ଜାଣି ରଖ ଯେ ଏହି ମାଂସ ଭକ୍ଷଣରେ ମୁଁ କେବେହେଁ ଚଣ୍ଡାଳ ହେବି ନାହିଁ ।

 

କାହାଣୀ କହିସାରି ଅତଃପର ପିତାମହ ନିଶ୍ଚୁପ ହେବାରୁ ଯୁଧିଷ୍ଠିର ପଚାରିଲେ, ପିତାମହ, ଅବଶେଷରେ କଣ ବିଶ୍ୱାମିତ୍ର ସେହି ନିଷିଦ୍ଧ ମାଂସ ଭକ୍ଷଣ କରିଥିଲେ ।

 

ପିତାମହ କହିଲେ ଚଣ୍ଡାଳ ଗୃହରୁ କୁକୁରର ଜଂଘା ମାଂସ ସଂଗ୍ରହ କରି ଜନପଦ ଉପାନ୍ତରେ ଅପେକ୍ଷମାନ ପରିବାରଙ୍କ ନିକଟକୁ ଆସିଲେ । ବିଶ୍ୱାମିତ୍ର ପ୍ରଥମରେ ଦେବଗଣଙ୍କ ଉଦ୍ଦେଶ୍ୟରେ ଏହା ବିଧିପୂର୍ବକ ନିବେଦନ କରି ନିବେଦିତ ପ୍ରସାଦ ପରସ୍ପର ମଧ୍ୟରେ ବଣ୍ଟନ କରି ଭୋଜନ କରିବାର ସିଦ୍ଧାନ୍ତ ନେଇ ହୋମାଗ୍ନି ପ୍ରଜ୍ୱଳିତ କଲେ । ସ୍ୱୟଂ ଋଷି ବିଧି ଅନୁସାରେ ଗୁରୁପାକ କରି ଇନ୍ଦ୍ରାଦି ଦେବତା ଓ ଅର୍ଯମା ପିତୃଗଣ ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ ମାଂସ ଅଂଶ ଖଣ୍ଡ ପ୍ରତ୍ୟେକକୁ ପୃଥକ ପୃଥକ ଶାସ୍ତ୍ର ବିହିତ ଆହ୍ୱାନ ପୂର୍ବକ ହୋମାଗ୍ନିରେ ଅର୍ପଣ କରିବାକୁ ଲାଗିଲେ ।

 

ଋଷିଙ୍କର ଏହି କର୍ମରେ ଦେବଗଣ ବିବ୍ରତ ହୋଇ ପଡ଼ିବାରୁ ଦେବରାଜ ଇନ୍ଦ୍ର ସ୍ଥିର ରହି ନପାରି ଆକାଶ ବ୍ୟାପ୍ତ ହୋଇ ମସୀକୃଷ୍ଣ ହୋଇ ଉଠିଲେ । ପବନ ବେଗ ଶହ ବର୍ଷାର ଧାରାରେ ଦେବରାଜ ଧରିତ୍ରୀ ବକ୍ଷରେ ଅବତରଣ କରିବାକୁ ଲାଗିଲେ । ଫଳରେ ଧରିତ୍ରୀର ତାପ, ଦାହ ବିଦୁରିତ ହୋଇ ନଦନଦୀ ସରୋବର ବାରିପୂର୍ଣ୍ଣ ହୋଇ ଉଠିଲା । ମୃତପ୍ରାୟ ପ୍ରଜାଗଣ ଆକଣ୍ଠ ସ୍ୱଚ୍ଛ ଜଳ ପାନ କରି ନବ ଜୀବନ ପ୍ରାପ୍ତ ହେଲେ । ବୃକ୍ଷରାଜି ସବୁଜ ହୋଇ ଫଳମୂଳ ରସସିକ୍ତ ହୋଇ ଉଠିଲା ।

 

ଋଷିବର ବିଶ୍ୱାମିତ୍ର ସେହି ଅଭକ୍ଷ ଗ୍ରହଣ କରି ନଥିଲେ । ଆପାତତଃ ହୀନକର୍ମ ଜନିତ ପାପକୁ ତପସ୍ୟା ବଳରେ ବିଧୌତ କରି ସେ ଅଧିକ ଶକ୍ତିବାନ ହୋଇଥିଲେ ।

 

ପିତାମହ ଶେଷରେ କହିଲେ, ଜୀବନ ସଙ୍କଟାପନ୍ନ ଉଦ୍‌ଭ୍ରାନ୍ତ ନହୋଇ ବୁଦ୍ଧି ବୃତ୍ତି ଅବିଚଳ ରଖି ସଙ୍କଟାପନ୍ନ ମନୁଷ୍ୟ ସଙ୍କଟମୁକ୍ତ ହୋଇ ପ୍ରାଣରକ୍ଷା ନିମନ୍ତେ ଉଦ୍ୟୋଗୀ ହେବା ବିଧେୟ । ସେହି କ୍ଷେତ୍ରରେ ଯେକୌଣସି ଉପାୟ ଅବଲମ୍ୱନ କଲେ ମଧ୍ୟ ମନକୁ ନିଜ ଆୟତରେ ରଖି ଆତ୍ମରକ୍ଷା କରିବା ସର୍ବଦା ଉଚିତ । ଏହା ନକଲେ ମନୁଷ୍ୟ ପାପଭାଗୀ ହୋଇଥାଏ ଓ ଶେଷରେ ପ୍ରାଣ ବିନଷ୍ଟ ହୁଏ । ସର୍ବଦା ସ୍ମରଣ ରଖିବା ଉଚିତ–‘‘ଜୀବନ ପୁଣ୍ୟମକାପୋତି ପୁରୁଷୋଭଦ୍ର ମଶ୍ନୁତେ ।’’ ଅର୍ଥାତ୍‌ ଜୀବନ ସହିତ ଏକମାତ୍ର ଜୀବିତ ମନୁଷ୍ୟ ହିଁ ପୂଣ୍ୟକର୍ମ କରିବାର ସୁଯୋଗ ପାଇ କଲ୍ୟାଣ ଲାଭ କରିଥାଏ ।

Image

 

ପିତା–ପୁତ୍ର ସଂବାଦ

 

କଥା ପ୍ରସଙ୍ଗରେ ଏକଦା ଯୁଧିଷ୍ଠିର ପିତାମହ ଭୀଷ୍ମଙ୍କୁ ପଚାରିଥିଲେ–ପିତାମହ, ଜୀବ କାଳପୀଡ଼ିତ । ଜୀବଦ୍ଦଶାରେ କେଉଁ କର୍ମ କଲ୍ୟାଣକର ବୋଲି ଆପଣ ଅନୁମାନ କରନ୍ତି ?

 

ଭୀଷ୍ମ କହିଲେ-ରାଜନ୍‌, ତୁମେ ଧର୍ମପୁତ୍ର, ଧର୍ମାଶ୍ରୟୀ ଓ ଧର୍ମାତ୍ମା । ମୋର ଧାରଣା କେଉଁ କର୍ମ ଜୀବ ପକ୍ଷରେ ମଙ୍ଗଳମୟ ତାହା ତୁମ୍ଭର ଅଜଣା ନୁହେଁ । ତଥାପି ଯେତେବେଳେ ଜାଣିବାକୁ ଚାହୁଁଅଛ, କହୁଛି–

 

ଯେଉଁ କର୍ମସାଧନା କରି ସତ୍ୟାଶ୍ରୟରେ ବ୍ରହ୍ମକୁ ଜାଣି ହୁଏ ବିଶ୍ୱର ପ୍ରତି ଜୀବ ମଧ୍ୟରେ ନିଜର ଆତ୍ମାର ପ୍ରତି ରୂପ ଯେଉଁ କର୍ମ ମଧ୍ୟ ଦେଇ ଦେଖାଯାଏ ତାହାହିଁ କର୍ତ୍ତବ୍ୟ କର୍ମ । ସେହି କର୍ମ ଜୀବର କଲ୍ୟାଣ ସାଧନ କରି ପରମ ଆନନ୍ଦ ଦାନ କରିଥାଏ । ଏହି ସାରତତ୍ତ୍ୱ ମୁଁ ବହୁ ପୂର୍ବରୁ ଏକ ବ୍ରାହ୍ମଣ ଓ ତାହାର ପୁତ୍ର ସହିତ କଥୋପକଥନରୁ ଉପଲବ୍‌ଧି କରିଅଛି ।

 

କୌତୂହଳୀ ଯୁଧିଷ୍ଠିର ପିତାମହଙ୍କୁ ସେହି ପିତା ପୁତ୍ରର କଥୋପକଥନ ଶୁଣାଇବା ନିମନ୍ତେ ନିବେଦନ କଲେ ।

 

ପିତାମହ କହିଲେ, ପୂରାକାଳରେ ଏକ ସ୍ୱାଧ୍ୟାୟ ନିରତ ବ୍ରାହ୍ମଣ ନିତ୍ୟ ନୈମିତ୍ତିକ କର୍ତ୍ତବ୍ୟ କର୍ମ ସାଧନା କରି କାଳ ଅତିବାହିତ କରୁଥିଲେ । ଶାସ୍ତ୍ର ଗ୍ରନ୍ଥାଦି ପାଠ ବ୍ରାହ୍ମଣଙ୍କ ନିତ୍ୟ କର୍ମ ଥିଲା ଓ ସେହି ବ୍ରାହ୍ମଣ ସଦାଚାରୀ ଓ ଆଦର୍ଶ ଗୃହୀ ଥିଲେ । ସେହି ବ୍ରାହ୍ମଣଙ୍କର ପୁତ୍ର ନିରତିଶୟ ବୁଦ୍ଧିମାନ, ଅସାଧାରଣ ଧୀଶକ୍ତି ସମ୍ପନ୍ନ ଓ ବୁଦ୍ଧିରେ ତୀକ୍ଷ୍‌ଣ ଉତ୍କର୍ଷତା ପ୍ରତିପାଦିତ ହୋଇଥିବାରୁ ପିତା ପୁତ୍ରର ନାମ ‘ମେଧାବୀ’ ରଖିଥିଲେ । ବ୍ରାହ୍ମଣଙ୍କ ପୁତ୍ର ‘ମେଧାବୀ’ ପିତାଙ୍କୁ ସୂର୍ଯୋଦୟ ଠାରୁ ସୂର୍ଯାସ୍ତ ତ୍ରୁଟିଶୂନ୍ୟ ଶାସ୍ତ୍ରର ବିଧି ବିଧାନ ପାଳନ କରିବା ଦେଖି ଭାବିଲେ, ଏପରି ଅନୁଷ୍ଠାନ ପାଳନ କରି ମନୁଷ୍ୟ ‘ପରମ ଆନନ୍ଦ’ ଲାଭ କରି ପାରିବ ? ଏହି ବିଷୟ ଚିନ୍ତା କରୁ କରୁ ହଠାତ୍‌ ଏକ ଦିବ୍ୟ ଅନୁଭୂତି ‘ମେଧାବୀ’ ଅନୁଭବ କଲେ ।

 

ଏକଦା ମେଧାବୀ ପିତାଙ୍କୁ ପଚାରିଲେ-ଇହଜଗତରେ ମନୁଷ୍ୟ ଆୟୁ ସୀମିତ । ଏହି ସ୍ୱଳ୍ପକାଳ ମଧ୍ୟରେ କେଉଁ ଧର୍ମ ପାଳନ କଲେ ପ୍ରକୃତ ଧର୍ମାନୁଷ୍ଠାନ ହେବ ? ଧର୍ମର ସୁଫଳ ଓ କଲ୍ୟାଣ କିପରି ଲାଭ ହେବ ? ପିତା କହିଲେ-ବେଦାଦି ଗ୍ରନ୍ଥ ଅଥବା ଶାସ୍ତ୍ର ବର୍ଣ୍ଣିତ ବର୍ଣ୍ଣାଶ୍ରମ ଧର୍ମ ପାଳନକୁ କଲ୍ୟାଣକର, ଧର୍ମାନୁଷ୍ଠାନ ବୋଲି କୁହାଯାଏ । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏହି ତିନିବର୍ଣ୍ଣକୁ ଦ୍ୱିଜ ବୋଲି କୁହାଯାଏ । କାରଣ ବେଦରେ ଏହି ତିନିବର୍ଣ୍ଣ ନିମନ୍ତେ ଉପନୟନାଦି ସଂସ୍କାର ବିଧାନ ଅଛି । ଦ୍ୱିଜ ବ୍ୟତୀତ ଆଉ ଏକ ବର୍ଣ୍ଣ ଶୂଦ୍ର ନାମରେ ଆଖ୍ୟାତ । ବର୍ଣ୍ଣ ସୃଷ୍ଟି ସହିତ ଗୁଣଭେଦରେ ଜୀବିକା ମଧ୍ୟ ନିର୍ଦ୍ଦିଷ୍ଟ କରାଯାଇଛି । ଯଜନ ଯାଜଦ ଅଧ୍ୟୟନ-ଅଧ୍ୟାପନା ବେଦାଦି ପାଠ ବ୍ରାହ୍ମଣଙ୍କ ଜୀବିକା ଭୁଜବଳରେ ଦୁଷ୍ଟ ଦଳନ ଯାଗଯଜ୍ଞାଦି କର୍ମ ଓ ପ୍ରଜାଗଣ ସହିତ ବ୍ରାହ୍ମଣ କୁଳର ସୁରକ୍ଷା କ୍ଷତ୍ରିୟଙ୍କର ଧର୍ମ । କୃଷି କର୍ମ ଓ ବ୍ୟବସାୟବାଣିଜ୍ୟ ବୈଶ୍ୟର ଧର୍ମ । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟର ସେବାହିଁ ଶୂଦ୍ରର ଧର୍ମ ।

 

ଏହି ସଂସାରରେ ମନୁଷ୍ୟର ଗତିବିଧିକୁ ନିୟନ୍ତ୍ରଣ କରି ସଚଳ ରଖିବା ନିମନ୍ତେ ପ୍ରଥମେ ଗୁରୁକୁଳ ବାସପୂର୍ବକ ବେଦାଦି ପାଠାଭ୍ୟାସ ଓ ବ୍ରହ୍ମଚର୍ଯ୍ୟ ପାଳନ କରିବା କର୍ତ୍ତବ୍ୟ । ଏହି ପର୍ବ ଶେଷ ହେଲେ ଗୁରୁ ଅନୁମତିରେ ସୁଲକ୍ଷଣା କନ୍ୟାକୁ ସହଧର୍ମିଣୀ କରି ସଂସାର ବାସ କାଳରେ ଯାଗ ଯଜ୍ଞାଦି ସଂସ୍କାର କର୍ମରେ ନିରତ ରହି ସ୍ତ୍ରୀଗର୍ଭରୁ ଆତ୍ମଜ ପୁତ୍ର ଉତ୍ପନ୍ନ କରିବା କର୍ତ୍ତବ୍ୟ । କାରଣ ଶାସ୍ତ୍ରରେ ଅଛି ସଂସାରରେ ରହିବା ସମୟରେ ପିତା ଏପରି କିଛି କର୍ମ କରିଥାଏ ଯାହା ତାକୁ ନର୍କ ଫଳ ଭୋଗର ଭାଗୀଦାର କରିଥାଏ । ସେହି ନର୍କ ‘ପୁନାମ’ ନର୍କ ନାମରେ ଅଭିହିତ । ଏକମାତ୍ର ଆତ୍ମଜ ପୁତ୍ରହିଁ ପିତାକୁ ସେହି ନର୍କରୁ ଉଦ୍ଧାର କରିଥାଏ । ପୁତ୍ର ସାବାଳକତ୍ୱ ପ୍ରାପ୍ତ ହେଲେ ତାହାକୁ ଗୃହସ୍ଥାଶ୍ରମରେ ପ୍ରତିଷ୍ଠା କରି ସସ୍ତ୍ରୀକ ପିତା ଈଶ୍ୱର ଅନୁଧ୍ୟାନ ନିମନ୍ତେ ଆରଣ୍ୟକ ଜୀବନଯାପନ କରିବା ଉଚିତ । ଏହିପରି ଚରମ ବୈରାଗ୍ୟ ଆସିଲେ ସର୍ବଶେଷ ବୃତ୍ତି ‘ଆଶ୍ରମ ସନ୍ନ୍ୟାସ’ ନେଇ ଜୀବନ ବିତାଇବା ଉଚିତ । ଏହାହିଁ ସଂସାରଚକ୍ର ସହିତ ଜୀବନଚକ୍ରର ସମ୍ବନ୍ଧ ।

 

ଶାସ୍ତ୍ରାନୁସାରେ କ୍ରମାନୁଯାୟୀ ବୃତ୍ତ ନିଷ୍ଠାର ସହତି ଅତିକ୍ରମ କଲେ ମନୁଷ୍ୟର ଅଭ୍ୟୁଦୟ ଘଟିଥାଏ ।

 

ନିର୍ଦ୍ଦିଷ୍ଟ ମନରେ ପିତାଙ୍କ ବଚନମାନ ଶୁଣି ‘ମେଧାବୀ’ କହିଲେ-ପିତା ! ଆପଣଙ୍କର ବର୍ଣ୍ଣିତ ଶାସ୍ତ୍ର ନିର୍ଦ୍ଦିଷ୍ଟ ପଥ ଅବଲମ୍ୱନରେ ଅଭ୍ୟୁଦୟ ସୁଦୂର ସୁଦୀର୍ଘ କାଳ ଅପେକ୍ଷା ନ କଲେ ସେହି ପରମ କଲ୍ୟାଣ ଲାଭ କେବେହେଁ ସମ୍ଭବ ନୁହେଁ । କାରଣ ଏହି ଜଗତ ପୀଡ଼ିତ ଓ ଆବୃତ୍ତ । ନିରନ୍ତର ମନୁଷ୍ୟ ଦୈବର ଅମୋଘ ଅସ୍ତ୍ର ପ୍ରହାରରେ ଜର୍ଜ୍ଜରିତ । ଏପରି ଅବସ୍ଥାରେ ମନୁଷ୍ୟ କିପରି ସଂସାରରେ ଶାନ୍ତ ଚିତ୍ତରେ ବାସ କରି ପାରେ ? ଦୀର୍ଘକାଳ ଅଭ୍ୟୁଦୟ ନିମନ୍ତେ କିପରି ଅପେକ୍ଷା କରି ପାରିବ ? ଆପଣ କିପରି ଏତେ କାଳ ନିରୁଦ୍‌ବିଗ୍ନ ଜୀବନ କରି ଆସିଛନ୍ତି ?

 

ବ୍ରାହ୍ମଣ ପୁତ୍ରର ବଚନ ଶୁଣି ବିସ୍ମିତ ହୋଇ କହିଲେ–ପୁତ୍ରପୀଡ଼ିତ, ଆବୃତ୍ତ ଓ ଆହତ ଏହି ସବୁ ତୁମ୍ଭ ମୁଖ ନିଃସୃତ ଶବ୍ଦର ଅର୍ଥ ମୋର ବୋଧଗମ୍ୟ ହେଉନାହିଁ ।

 

ପୁତ୍ର କହିଲେ–

‘‘ମୃତ୍ୟୁନାଭ୍ୟାହତୋ ଲୋକ ଜରାୟା ପରିବାରିତଃ ।

 

ଅହୋରାତ୍ରଃ ପତନ୍ତିମେ ତଚ୍ଚ କସ୍ମାନ ବୁଧ୍ୟ ସେ ।’’

 

ଅର୍ଥାତ୍‌ ମୃତ୍ୟୁ ସମଗ୍ର ଜଗତକୁ ପୀଡ଼ିତ କରି ନ ଥାଏ କି ? ଜରା ବାର୍ଦ୍ଧକ୍ୟ ଏ ଜଗତକୁ ଆବୃତ୍ତ କରି ରଖିନାହିଁ କି ? ପ୍ରତି ରାତ୍ରୀ ଓ ପ୍ରତି ଦିନ ମନୁଷ୍ୟର ପରବର୍ତ୍ତୀ ପରିଣତିକୁ ଦୃତ ଅଗ୍ରଗାମୀ କରି ନଥାଏ କି ? ଜୀବନର ପ୍ରତିମୂହୁର୍ତ୍ତ ଦୃଷ୍ଟି ସମ୍ମୁଖରେ ଦ୍ରୁତ ଅପସୃତ ହୋଇନଥାଏ କି ? ନିଶ୍ଚିନ୍ତ ଚିତ୍ତରେ ଏପରି କାଳକ୍ଷେପ କରିବା ନିମନ୍ତେ ମନୁଷ୍ୟ ସମୟ ପାଇଥାଏ କି ?

 

ପୁତ୍ରର ବଚନରୂପୀ ପ୍ରଶ୍ନମାନ ଶୁଣି ପିତା ଯେପରି ଏକ ରହସ୍ୟମୟ ଜଗତରେ ଉପନୀତ ହେଲେ । ସେ ଭାବିଲେ ପୁତ୍ରର ଏପରି ବଚନିକା ଉଦ୍ଦେଶ୍ୟ କଣ ? ଜୀବନର ଆଶ୍ରମୋଚିତ କ୍ରମବିକାଶକୁ ପୁତ୍ର କଣ ଅସ୍ୱୀକାର କରୁଛି ?

 

ଇତ୍ୟବସରରେ ପୁନଶ୍ଚ ମେଧାବି କହିଲେ ଯଦି ମାଛ ଏକମାତ୍ର ଆଶ୍ରୟସ୍ଥଳୀ ଜଳାଶୟରୁ ଜଳହ୍ରାସ ପାଇବାର ଦେଖେ ତାହେଲେ ମାଛ କେଭେ ଶାନ୍ତି ଓ ଭରସାରେ ଜଳାଶ୍ରୟରେ ତିଷ୍ଠିପାରେ କି ? ମୋର ଅଭିଜ୍ଞତାରେ ମୁଁ ଦେଖୁଛି ଯେ ଏକ ରାତ୍ରୀ ଅତିବାହିତ ହେବା ସଙ୍ଗେ ସଙ୍ଗେ ମନୁଷ୍ୟ ଜୀବନର ସୀମିତ ଆୟୁ ଏକ ଦିନ ହ୍ରାସ ପାଉଛି, ସେହି କ୍ଷେତ୍ରରେ କଲ୍ୟାଣକାମୀ ମନୁଷ୍ୟ ଅପେକ୍ଷା କରି ରହିବା କିପରି ସମ୍ଭବ ? ପୁଷ୍ପ ସୌରଭ ଓ ସୌନ୍ଦର୍ଯ୍ୟରେ ମୁଗ୍‌ଧ ମନୁଷ୍ୟ ଯଦି ପୁଷ୍ପ ସଂଗ୍ରହ ବାସନା ନେଇ ପୁଷ୍ପବନରେ ପ୍ରବେଶ କରିବା ସମୟରେ କୌଣସି ବନ୍ୟଜନ୍ତୁ ଆକ୍ରମଣରେ ନିହିତ ହୁଏ, ତାହେଲେ ସେହି ମନୁଷ୍ୟର ପୁଷ୍ପ ସଂଗ୍ରହ ବାସନା ପୂର୍ଣ୍ଣ ହେବା ସମ୍ଭବ କି ?

 

ମୁଗ୍‌ଧ ଚିତ୍ତରେ ବ୍ରାହ୍ମଣ କହିଲେ, ସତ୍ୟତା କେଭେ ସମ୍ଭବ ହେବ ନାହିଁ, ନିୟତିଦ୍ୱାରା ଏ ଜଗତ୍‌ ପରିଚାଳିତ । ଅତଏବ ମନୁଷ୍ୟ କିପରି ନିୟତିକୁ ଅତିକ୍ରମ କରିପାରିବ ?

 

ପୁତ୍ର କହିଲେ–ଏହା ଯଦି ସତ୍ୟ ତାହେଲେ ‘‘ନହି ପ୍ରତିକ୍ଷତେ ମୃତ୍ୟୁଃ, କୃତଂ ବାସ୍ୟ ନବ କୃତମ୍‌ ।’’ ଅର୍ଥାତ୍‌ ମୃତ୍ୟୁ କେବେହେଁ କର୍ମ ସମାପ୍ତି ପାଇଁ ଅପେକ୍ଷା କରି ନଥାଏ । ଅତଏବ କଲ୍ୟାଣକାମୀ ଯେଉଁ ଆଚରଣ ମାଧ୍ୟମରେ ଜୀବ କଲ୍ୟାଣ ଲାଭ କରିବ, ସେହି ଆଚରଣର କ୍ରମାନୁସାରେ ଅନୁଷ୍ଠାନ କରିବା କେତେଦୂର ଯୁକ୍ତିସଙ୍ଗତ ? ଯେଉଁ ଶରୀର ଅନିତ୍ୟ, ଜରାବ୍ୟାଧି ଆକ୍ରମଣଗ୍ରସ୍ତ ଓ ମୃତ୍ୟୁ ଯେଉଁଠାରେ ନିଶ୍ଚିତ, ସେହି ଶରୀର ଭରସା ରଖି ବୁଦ୍ଧିମାନ ମନୁଷ୍ୟ ଆଶ୍ରମ ଧର୍ମ ପାଳନ କରି ଅଭ୍ୟୁଦୟ ଆଶା କରିବା ଅନୁଚିତ ।

 

ପୁତ୍ର କହିଲେ, ଏହି ଗୃହାଶ୍ରମ ଘୋର ସଂସାରୀ । ଏହା ସ୍ତ୍ରୀ ପୁତ୍ର ବିଷୟ ଆଶ୍ରୟଯୁକ୍ତ ସଂସାର ହୋଇ ଥିବାରୁ ଏହା ଏକ ଭୋଗର କ୍ଷେତ୍ର । ଭୋଗରୁ ଆସକ୍ତି ଜାତ ହୋଇଥାଏ । ଆସକ୍ତି ହିଁ ବନ୍ଧନ । ଯୌବନାବସ୍ଥାରେ ଆସକ୍ତି ବନ୍ଧନ ଦିଗରେ ଯଦି ମନୁଷ୍ୟର ମୃତ୍ୟୁ ଘଟେ, ତାହେଲେ ତାହାର ଅଭ୍ୟୁଦୟ କିପରି ଘଟିବ ? ପରମ କଲ୍ୟାଣ କିପରି ଲାଭ ହେବ ?

 

ପିତା ପୁତ୍ରର ବଚନ ଶୁଣି ପ୍ରଶ୍ନକଲେ–ତାହେଲେ ତୁମର ଅଭିମତ କଣ ପୁତ୍ର ?

 

ମେଧାବୀ କହିଲେ–ପିତା, ମୁଁ ବିଚାର ବୁଦ୍ଧି ସହିତ ଅନୁଭବ କରିଛି ଯେ ବିଚକ୍ଷଣ ବୁଦ୍ଧିମାନ ମନୁଷ୍ୟ କଲ୍ୟାଣଦାୟୀ କର୍ମରେ କାଳକ୍ଷେପଣ କରିବା ଅନୁଚିତ । କାଳ ଉପରେ ଆଧିପତ୍ୟ ବିସ୍ତାର ନିଃସନ୍ଦେହ ଦୁରୂହ । କିନ୍ତୁ ସଚେଷ୍ଟ ଓ ଉଦ୍ୟୋଗୀ ହେଲେ କାଳକୁ ଅନୁକୂଳରେ ଆୟତ କରାଯାଇଥାଏ ।

 

ପିତା ପଚାରିଲେ–କେଉଁ ପ୍ରକାରରେ କାଳକୁ ଅନୁକୂଳରେ ଅଣାଯାଇ ଆୟତ କରିହେବ ? ଏ ବିଷୟରେ ତୁମ ଚିନ୍ତାଧାରା କ’ଣ ?

 

ପୁତ୍ର କହିଲେ–ସତ୍ୟହିଁ ଜୀବନର ବ୍ରତ ଓ ଏକମାତ୍ର କାମ୍ୟ । ସତ୍ୟାଶ୍ରୟୀ ବୋଧରେ ନିଜକୁ ପ୍ରତିଷ୍ଠା କରିବାହିଁ ଜୀବନର ଏକାମାତ୍ର ଉଦ୍ଦେଶ୍ୟ । ଅନନ୍ତ ବିଷୟବାସନା ଭୋଗ ମଧ୍ୟରେ ପରମାର୍ଥ ନ ଥାଏ, ଥାଏ ମୋହ । ଦାରା ପୁତ୍ର ପରିବାର ଘର ସଂସାର ଏହାର ବିଭିନ୍ନ ରୂପ । ମାୟାର ବନ୍ଧନହିଁ ଆସକ୍ତିର ଅନ୍ୟ ଏକ ନାମାନ୍ତର । ଅବଶ୍ୟ ଅସ୍ୱୀକାର କରିହେବ ନାହିଁ–

 

‘‘ମୃତ୍ୟୁରାପଦ୍ୟେତେ ମୋହାତ୍‌, ସତ୍ୟେନ ପଦ୍ୟତେହ ମୃତମ୍‌ ।’’

 

ଅର୍ଥାତ୍‌ ମୋହ ମୃତ୍ୟୁକୁ ତ୍ୱରାନ୍ୱିତ କରେ । ସତ୍ୟ ଅମୃତର ଉପଲବ୍‌ଧି ଆଣିଥାଏ । ମୋ ଜ୍ଞାନବୁଦ୍ଧିରେ ମୁଁ ଜାଣିଛି ଯେ ଯୌବନହିଁ ସେହି ଉପଯୁକ୍ତ କାଳ ଯେଉଁ କାଳପରିସରରେ ମନୁଷ୍ୟ ସତ୍ୟକୁ ଲାଭ କରି ପରମାନନ୍ଦମୟ ମୁକ୍ତି ନିମନ୍ତେ ଜିତେନ୍ଦ୍ରିୟ, ସମଦର୍ଶିତା ବଳରେ ସତ୍ୟକାମ ହୋଇପାରେ । ଯୌବନକୁ ଗୃହସ୍ଥାଶ୍ରମରେ ଭୋଗ ସୁଖ ନିମନ୍ତେ ଆବଦ୍ଧ ନ ରଖି ଏହି ସମୟରେ ସତ୍ୟ ଅନୁସନ୍ଧାନୀ ଓ ସତ୍ୟାନୁସାରୀ ହେବା ଉଚିତ । କାରଣ ମନୁଷ୍ୟର ଏହି ସମୟ ଔଦଗ୍ୟପୂର୍ଣ୍ଣ ହୋଇଥିବାରୁ ଧର୍ମାନୁଚାରଣ ଓ ଧର୍ମଶୀଳ ହେବାର ଉପଯୁକ୍ତ ସମୟ । ପିତା ଏହି ଶରୀରରେ ମୃତ୍ୟୁ ଓ ଅମୃତ ଏହି ଉଭୟ ବିଦ୍ୟମାନ ହୋଇଥିବାରୁ ବୁଦ୍ଧିମାନ ପୁରୁଷ ଅମୃତ ଲାଭ ନିମନ୍ତେ ଉଦ୍ୟୋଗୀ ହୋଇଥାଏ ।

 

ନିବିଷ୍ଟ ଚିତ୍ତରେ ପିତା ପୁତ୍ରର ବାକ୍ୟ ଶ୍ରବଣ କରି ହୃଦୟଙ୍ଗମ କଲେ ଯେ ପୁତ୍ରର ଅନ୍ତର ବୈରାଗ୍ୟ ସମାଚ୍ଛାଦିତ ।

 

ଏ ଯାବତ ସେ ଆଶ୍ରମଧର୍ମ ପାଳନରେ ବ୍ରତୀ ହୋଇ ନିର୍ବିଶେଷ କଲ୍ୟାଣ ପ୍ରାପ୍ତି ନିମନ୍ତେ ଉଦ୍‌ଗ୍ରୀବ ହୋଇଥିଲେ । କିନ୍ତୁ ପୁତ୍ରର ବଚନ ଶୁଣିବା ପରେ ସେ ବୁଝିପାରିଲେ ଯେ ଏତେକାଳ ସେ କେବଳ କାଳହରଣ କରିଛନ୍ତି । ଅମୃତ ଆସ୍ୱାଦନରୁ ବଞ୍ଚିତ ହୋଇଛନ୍ତି । ଅତଏବ ପୁତ୍ର ଠାରୁ ଆହୁରି ଅଧିକ କିଛି ଜାଣିବା ନିମନ୍ତେ ଉଦ୍‌ଗ୍ରୀବ ହୋଇ ରହିଲେ ।

 

ପିତାଙ୍କ ଉତ୍ସାହ ଓ ଉଦ୍ଦୀପନା ଦେଖି ପୁତ୍ର କହିଲେ–ଆପଣଙ୍କ ମତରେ ପୁତ୍ର ବ୍ୟତୀତ ପିତାର ସଦ୍‌ଗତି ନାହିଁ । କିନ୍ତୁ କହିପାରିବେ କିଏ କାହାର ପୁତ୍ର ? କିଏ କାହାର ପିତା ? ସର୍ବତ୍ର ହିଁ ଏକ ଆତ୍ମା ବିରାଜମାନ । ପିତା, ପୁତ୍ର, ବିଶ୍ୱଚରାଚର ଏକ ଆତ୍ମାର ବିକାଶ ମାତ୍ର ଓ ଏକ ଆତ୍ମା ମଧ୍ୟରେ ହିଁ ଅବସ୍ଥିତ । ଏପରି ସ୍ଥଳରେ ପିତାଙ୍କ ମୁକ୍ତି ନିମନ୍ତେ ପୁତ୍ରର ପ୍ରୟୋଜନ ଅବଶ୍ୟମ୍ଭାବୀ କି-? ଯେଉଁ ବ୍ୟକ୍ତି ତପସ୍ୟା, ଯୋଗସାଧନା ଓ ତ୍ୟାଗ ସ୍ୱୀକାର କରି ଏହି କ୍ରୟର ଅନୁଶୀଳନ କରିଥାଏ, ସେହି ବ୍ୟକ୍ତି ନିକଟରେ କିଛି ଦୁର୍ଲ୍ଲଭ ହୋଇ ନଥାଏ । ମୋର ମନେହୁଏ-

 

‘‘ନାସ୍ତିବିଦ୍ୟା ସମଂ ଚକ୍ଷୁ ଚକ୍ଷୁରନାସ୍ତି ବିଦ୍ୟା ସମମ୍‌ ଫଳ ।

ନାସ୍ତି ରାଗ ସମମ୍‌ ଦୁଃଖଂ, ନାସ୍ତି ତ୍ୟାଗ ସମମ୍‌ ସୁଖଂ ।’’

 

ଅର୍ଥାତ୍‌ ବ୍ରହ୍ମବିଦ୍ୟା ସଦୃଶ ଏ ଜଗତରେ ଦ୍ୱିତୀୟ ବିଦ୍ୟା କିଛି ନାହିଁ, ବ୍ରହ୍ମବିଦ୍ୟା ସମ କୌଣସି ଫଳ ନଥାଏ । କ୍ରୋଧ ସଦୃଶ କୌଣସି ଦୁଃଖ ନାହିଁ । ତ୍ୟାଗ ସଦୃଶ କୌଣସି ସୁଖ ନଥାଏ । ଅତଏବ ମୋର ଦୃଢ଼ ବିଶ୍ୱାସ–

 

‘‘ନୈତାଦୃଶଂ ବ୍ରାହ୍ମଣସ୍ୟାସ୍ତି ବିତ୍ତଂ ଯଥୈକତାଂ ସମତା ସତ୍ୟତା ଚ

ଶୀଳେ ସ୍ଥିତର୍ଦଣ୍ତ ନିଧାନ ମର୍ଜବଂ ତତସ୍ତତଶ୍ଚୋ ପରମଃ କ୍ରିୟାଭଃ ।’’

 

ବ୍ରହ୍ମରେ ଏକୀଭାବ । ସର୍ବତ୍ର ସେହି ବ୍ରହ୍ମ ଦର୍ଶନ ହୋଇଥାଏ । ସମତା, ସତ୍ୟପରାୟଣତା, ସଦାଚାର, ନିଷ୍ଠା, ଅହିଂସା, ସରଳତା ଓ ସମୂହ ସକାମ କର୍ମତ୍ୟାଗ–ଏହି ସବୁ ତୁଲ୍ୟ ବ୍ରାହ୍ମଣର ଅନ୍ୟ କୌଣସି ଦ୍ୱିତୀୟ ପନ୍ଥା ବା ଧର୍ମ ନାହିଁ, ଯାହାର ଫଳ ସ୍ୱରୂପ ଅଭ୍ୟୁଦୟ ଲାଭ ତ୍ତ୍ୱରାନ୍ୱିତ କରିପାରିବ ।

 

ପୁତ୍ର ମେଧାବୀ ଓ ପିତା ଉଭୟେ ନୀରବ ରହିଲେ ।

 

ଅବଶେଷରେ ଭୀଷ୍ମ କହିଲେ–ଏହାପରେ ବ୍ରାହ୍ମଣ ଯାଗ ଯଜ୍ଞ ତ୍ୟାଗକରି ଆତ୍ମଯଜ୍ଞରେ ତତ୍‌ପର ହୋଇଥିଲେ ।

Image

 

ନାରଦ–ଅକମ୍ପନ ସମ୍ବାଦ

 

ଭୀଷ୍ମଙ୍କ ପତନ ପରେ ଦୁର୍ଯ୍ୟୋଧନ ଶିବିରରେ କର୍ଣ୍ଣଙ୍କ ପରାମର୍ଶରେ ଅସ୍ତ୍ରଗୁରୁ ଦ୍ରୋଣାଚାର୍ଯ୍ୟ କୌରବ ସେନାପତି ପଦ ପ୍ରାପ୍ତ ହୋଇଥିଲେ । ଦ୍ରୋଣାଚାର୍ଯ୍ୟଙ୍କର ସେନାପତି ପଦ ପ୍ରାପ୍ତିର ଦ୍ୱିତୀୟ ଦିବସ ଗତ ହେଲେହେଁ ପାଣ୍ତବ ବୀରଗଣଙ୍କ ମଧ୍ୟରୁ କେହି ରଣବୀର ମୃତ୍ୟୁ ଲାଭ କରି ନଥିଲେ । କିନ୍ତୁ କୌରବ ପକ୍ଷରୁ ବହୁ ସୈନ୍ୟ କ୍ଷୟ ଘଟିଥିଲା । ରୁଷ୍ଟ ଦୁର୍ଯ୍ୟୋଧନ ଏହି କାରଣ ଯୋଗୁଁ ସଭାସଦବୃନ୍ଦ ସମ୍ମୁଖରେ ଦ୍ରୋଣାଚାର୍ଯ୍ୟଙ୍କୁ କଟୁବାକ୍ୟ ପ୍ରୟୋଗ କରିବାରୁ ବ୍ରାହ୍ମଣ ଦ୍ରୋଣାଚାର୍ଯ୍ୟ କ୍ଷତ୍ରିୟ ବୀରସମ କ୍ଷାତ୍ର ତେଜୋଦୀପ୍ତ ହୋଇ ସଭାସଦ୍‌ ବୀରଙ୍କ ସମ୍ମୁଖରେ ଘୋଷଣା କରିଥିଲେ ଯେ ଆଗତ ଦିନ ଯୁଦ୍ଧରେ ଅର୍ଜ୍ଜୁନଙ୍କୁ ପରାକ୍ରମଶାଳୀ ସଂଶପ୍ତକ ବାହିନୀ ସହିତ ଯୁଦ୍ଧରେ ଲିପ୍ତ ରଖି, ଜୟଦ୍ରଥ ଓ ଅନ୍ୟାନ୍ୟ ମହାରଥୀଗଣଙ୍କ ସହିତ ଚକ୍ରବ୍ୟୁହ ଗଠନ କରି, ଅର୍ଜ୍ଜୁନଙ୍କ ପୁତ୍ର ଅଭିମନ୍ୟୁଙ୍କୁ ବନ୍ଦୀକରି ଦୁର୍ଯ୍ୟୋଧନଙ୍କ ହାତରେ ସମର୍ପଣ କରିବେ । ଦ୍ରୋଣାଚାର୍ଯ୍ୟ ଜ୍ଞାତ ଥିଲେ ଯେ ଚକ୍ରବ୍ୟୁହ ପ୍ରବେଶ କୌଶଳ ଅଭିମନ୍ୟୁ ଜାଣିଥିଲେ ହେଁ ଅର୍ଜ୍ଜୁନଙ୍କ ବ୍ୟତୀତ ବ୍ୟୁହ ନିର୍ଗତ କୌଶଳ ଅନ୍ୟ କେହି ଜାଣି ନଥିଲେ । ଏ ସମ୍ବାଦ ଚର ମୁଖରେ ଯୁଧିଷ୍ଠିର ପାଇଥିଲେ ।

 

ଅପରିସୀମ ପୌରୁଷ ନେଇ ଯୁଧିଷ୍ଠିର ଭୀମ, ସହଦେବ ଓ ନକୁଳ ସହିତ ଅଭିମନ୍ୟୁଙ୍କୁ ଅନୁସରଣ କରିଥିଲେହେଁ ଚକ୍ରବ୍ୟୁହ ଭେଦକରି କୌରବଗଣଙ୍କୁ ବିମର୍ଦିତ କରିବାକୁ ଅସମର୍ଥ ହୋଇଥିଲେ । ବ୍ୟୁହମୁଖ ରକ୍ଷାକାରୀ ଜୟଦ୍ରଥଙ୍କୁ ଉପେକ୍ଷା କରି ଅର୍ଜ୍ଜୁନ ପୁତ୍ର ‘ଅଭିମନ୍ୟୁ’ ମହାରଥୀ ସମାବିଷ୍ଟ ଚକ୍ରବ୍ୟୁହ ମଧ୍ୟରେ ପ୍ରବେଶ କରି କୁରୁବୀରଗଣଙ୍କୁ ଅସ୍ତ୍ରାଘାତରେ ବିପର୍ଯ୍ୟସ୍ତ କଲାବେଳେ ଯୁଧିଷ୍ଠିର, ନକୁଳ, ସହଦେବ ପ୍ରଭୃତି ପାଣ୍ତୁ ପୁତ୍ରଗଣ କୁରୁବୀର ଜୟଦ୍ରଥଙ୍କ ନିକଟରେ ପରାଜୟ ସ୍ୱୀକାର କରି ବ୍ୟୁହମୁଖ ତ୍ୟାଗ କରିଥିଲେ । ଯୁଧିଷ୍ଠିର ସହୋଦରଙ୍କ ସହିତ ଚକ୍ରବ୍ୟୁହ କ୍ଷେତ୍ର ପରିତ୍ୟାଗ କରିଥିଲେ ହେଁ ଅଭିମନ୍ୟୁଙ୍କ ନିମନ୍ତେ ସୁସ୍ଥିର ହୋଇ ନପାରି ଦୁଶ୍ଚିନ୍ତାଗ୍ରସ୍ଥ ହୋଇଥିଲେ । ମନେ ମନେ ଭାବିଲେ ଦୁର୍ଦ୍ଦର୍ଷ ଏହି ଚକ୍ରବ୍ୟୁହ ମଧ୍ୟରେ ଏକାକୀ ପୁତ୍ର ଅଭିମନ୍ୟୁଙ୍କୁ ତ୍ୟାଗକରି ଆତ୍ମରକ୍ଷା ନିମନ୍ତେ କାହିଁକି ସେହି ସ୍ଥାନ ତ୍ୟାଗକଲେ । ସଂଶପ୍ତକବାହିନୀ ଯୁଦ୍ଧରତ ଗାଣ୍ତିବ ଅର୍ଜ୍ଜୁନଙ୍କୁ ସେ କଣ ଜବାବ ଦେବେ ?

 

ବ୍ୟୁହମୁଖ ଭେଦକରି ବୀର ବାଳକ ଅଭିମନ୍ୟୁ ମାତ୍ର ଦୁଇଜଣ ପାର୍ଶ୍ୱଚର ସହିତ ବ୍ୟୁହ ଅଭ୍ୟନ୍ତରରେ ପ୍ରବେଶକରି କୌରବ ମହାରଥୀଙ୍କ ସହିତ ଦୁର୍ଦ୍ଧର୍ଷ ରଣ କରିଥିଲେ । ବ୍ୟୁହମୁଖ ଅତିକ୍ରମ ନକରିବା ହେତୁ ଅନ୍ୟ ପାଣ୍ତୁବୀରଗଣଙ୍କ ସାହାଯ୍ୟରୁ ଅଭିମନ୍ୟୁ ବଞ୍ଚିତ ହୋଇ ଏକାକୀ ସପ୍ତରଥୀ ବେଷ୍ଟିତ ଚକ୍ରବ୍ୟୁହ ମଧ୍ୟରେ ଯୁଦ୍ଧ କରିଥିଲେ । ଅବଶ୍ୟ ଅଭିମନ୍ୟୁ ଅନ୍ୟ କାହାର ସାହାଯ୍ୟ ଉପରେ ଭରସା ରଖିନଥିଲେ । ବ୍ୟୁହଚକ୍ର କେନ୍ଦ୍ର ବିନ୍ଦୁରେ ଅବସ୍ଥିତ ମହାରଥୀ ପରିବେଷ୍ଟିତ ଦୁର୍ଯ୍ୟୋଧନଙ୍କୁ ଲକ୍ଷ୍ୟ ରଖି ଅଭିମନ୍ୟୁ ବାଣଜାଲ ବିସ୍ତାର କରି ଅଗ୍ରସର ହେବାକୁ ଲାଗିଲେ । କିନ୍ତୁ କର୍ଣ୍ଣ ଅଭିମନ୍ୟୁଙ୍କର ଦୁର୍ବାର ଗତିକୁ ରୋଧକରି ଅଭିମନ୍ୟୁଙ୍କ ହସ୍ତସ୍ଥିତ ଧନୁ ବିନଷ୍ଟ କରିଦେଲେ । କୃତବର୍ମା ରଥାଶ୍ୱଗଣକୁ ବିନାଶ କରିଦେଲେ । ଅଭିମନ୍ୟୁଙ୍କର ଦୁଇ ପାର୍ଶ୍ୱରକ୍ଷୀ କୃପାଚାର୍ଯ୍ୟଙ୍କ ହସ୍ତରେ ପ୍ରାଣତ୍ୟାଗ କଲେ । ଦ୍ରୋଣାଚାର୍ଯ୍ୟ ପୂର୍ବଦିନ ଯୁଦ୍ଧ ଅଭିଜ୍ଞତାରେ ଦେଖିଥିଲେ ଯେ ତାଙ୍କ ସହିତ ପୁତ୍ର ଅଶ୍ୱଥାମା ଓ ଅନ୍ୟାନ୍ୟ ବୀରଗଣଙ୍କୁ ଏକାକୀ ଅଭିମନ୍ୟୁ ଯୁଦ୍ଧରେ ପରାସ୍ତ କରି ଦୁର୍ଯ୍ୟୋଧନଙ୍କ ପୁତ୍ର ଲକ୍ଷ୍ମଣଙ୍କୁ ଗଦାଘାତରେ ନିହତ କରିଥିଲେ । ପୁତ୍ରଶୋକାତୁର ଦୁର୍ଯ୍ୟୋଧନ ବ୍ୟୁହ ମଧ୍ୟରେ ଅଭିମନ୍ୟୁକୁ ଦେଖି ପୁର୍ବଦିନ ଯୁଦ୍ଧରେ ପୁତ୍ର ବିୟୋଗ ଦୃଶ୍ୟ ମନେପକାଇ ପୁତ୍ରହନ୍ତା ଅଭିମନ୍ୟୁଙ୍କୁ ଯେ କୌଣସିମତେ ବଧ କରିବାକୁ ଆଦେଶ ଦେଲେ ।

 

ଯୁଦ୍ଧର ନୀତିନିୟମ ଲଂଘି ଅନ୍ୟାୟ ଯୁଦ୍ଧରେ ପ୍ରବୃତ୍ତ ହୋଇ କୌରବ ବୀରଗଣ ଅନିଚ୍ଛାସତ୍ତ୍ୱେ ରାଜାଦେଶ ପାଳନ କରିଥିଲେ । ବ୍ୟୁହ ମଧ୍ୟରେ ସପ୍ତ ମହାରଥୀ କର୍ଣ୍ଣ, କୃପାଚାର୍ଯ୍ୟ, ଅଶ୍ୱଥାମା, କୋଶଳରାଜ ବୃହତବଳ, କୃତବର୍ମା, ସେନାପତି ଦ୍ରୋଣାଚାର୍ଯ୍ୟ ଓ ଜୟଦ୍ରଥ ଅଭିମନ୍ୟୁକୁ ବେଷ୍ଟନ କରି ଏକ ସଙ୍ଗେ ଆକ୍ରମଣ କରିଥିଲେ । କିନ୍ତୁ ଅବିଚଳିତ ଅଭିମନ୍ୟୁ ବିନା ଅସ୍ତ୍ରରେ ମହାରଥୀଙ୍କ ବାଣଘାତରେ ବିଦ୍ଧ ହୋଇ ରକ୍ତାପ୍ଳୂତ ଶରୀରରେ ରଣକ୍ଷେତ୍ରରେ ବୀରଗତି ପ୍ରାପ୍ତ ହୋଇଥିଲେ ।

 

ପାଣ୍ତବ ପକ୍ଷର ଏକ ଜ୍ୱଳନ୍ତ ଜ୍ୟୋତିଷ୍କ ପତନରେ କୌରବଗଣ ଉଲ୍ଲସିତ ହୋଇ ଉଠିଥିଲେ । ପାଣ୍ତବ ଶିବିର ସ୍ତବ୍‌ଧ, ମୂହ୍ୟମାନ ଓ ଅନ୍ଧକାରାବୃତ ହୋଇଥିଲା । ନୀତିଜ୍ଞ ଯୁଧିଷ୍ଠିର ଅର୍ଜ୍ଜୁନ ବ୍ୟତୀତ ଅନ୍ୟ ସହୋଦରଙ୍କ ସହିତ ଅଭିମନ୍ୟୁ ବିୟୋଗ ବ୍ୟଥାରେ କାତର ହୋଇ ଶୋକାଗ୍ରସ୍ଥ ହୋଇଥିଲେ । ସେହି ସମୟରେ ସାନ୍ତ୍ୱନା ଦେବା ନିମନ୍ତେ ବ୍ୟାସଦେବ ସେଠାରେ ଉପସ୍ଥିତ ହେଲେ । ଯୁଧିଷ୍ଠିର ବ୍ୟାସଦେବଙ୍କୁ ଦେଖି ଶୋକ ଜର୍ଜ୍ଜରିତ କଣ୍ଠରେ କହିଲେ, ପିତାମହ, ବଳଶାଳୀ ଅଗଣିତ କୌରବଙ୍କୁ ନିହତ କରି ପୁତ୍ର ଅଭିମନ୍ୟୁ ‘ମୃତ’ ନାମ ଧରି ରଣକ୍ଷେତ୍ରରେ ପ୍ରାଣହୀନ ହୋଇ ଶାୟିତ ଅଛି । ଯେଉଁସବୁ କୁରୁବୀରଗଣ ମୃତ୍ୟୁବରଣ କରିଛନ୍ତି ସେମାନଙ୍କର ହୁଏତ ଆୟୁକାଳ ଶେଷ ହୋଇଥିଲା ବା ଈର୍ଷାଦ୍ୱେଷ, ହିଂସାଦ୍ୱାରା ନ୍ୟାୟ ନୀତିକୁ ଜଳାଞ୍ଜଳିଦେଇ ନିଜ ଅସ୍ତିତ୍ୱ ଅସ୍ୱୀକାର କରି, କୌଣସିମତେ ପ୍ରାଣଧରି ମୃତ୍ୟୁ ଅପେକ୍ଷାରେ ବଞ୍ଚି ରହିଥିଲେ । କିନ୍ତୁ ମୋର ଏହି ପୁତ୍ର ନିଷ୍ପାପ ଅଭିମନ୍ୟୁର କହିପାରିବେ ପିତାମହ କସ୍ୟମୃତ୍ୟୁଃ, କୁତୋମୃତ୍ୟୁଃ କେନଃ ମୃତ୍ୟୁରିମାଃ ପ୍ରଜାଃ । ନିଷ୍ପ୍ରାଣ ଦେହର ‘ମୃତ୍ୟୁ’ ନାମ କେଉଁଠାରୁ ଆସିଛି, କାହିଁକି ବା ମୃତ୍ୟୁ ହୁଏ ଓ ଏହି ମୃତ୍ୟୁ କାହିଁକି ପ୍ରାଣୀଗଣଙ୍କୁ ଅପହରଣ କରେ । ସନ୍ତାନହରା ପିତାମାତାଙ୍କର ଚିରନ୍ତନ ପ୍ରଶ୍ନ ଯୁଧିଷ୍ଠିର ବ୍ୟାସଦେବଙ୍କୁ ପଚାରିଲେ ।

 

ବ୍ୟାସଦେବ କହିଲେ–ଏହିପରି ଏକ ପ୍ରଶ୍ନ ରାଜା ଅକମ୍ପନ ଦେବର୍ଷି ନାରଦଙ୍କୁ ପଚାରିଥିଲେ ।

 

ଯୁଧିଷ୍ଠିର ରାଜା ଅକମ୍ପନଙ୍କ ନାମ ଶୁଣି ସ୍ମୃତିପଟ୍ଟରେ ସେହି ନାମକୁ ସନାକ୍ତ କରିବା ନିମନ୍ତେ ଚେଷ୍ଟିତ ହୋଇଥିଲେ । କିନ୍ତୁ ଶୋକାତୁର ହୋଇଥିବାରୁ ରାଜାଙ୍କ ପରିଚୟ ତାଙ୍କ ନିକଟରେ ସ୍ପଷ୍ଟ ହୋଇପାରି ନଥିଲା ।

 

ଅତଃପର ବ୍ୟାସଦେବ କହିଲେ–ସତ୍ୟଯୁଗରେ ରାଜା ଅକମ୍ପନ ଏକ ପ୍ରତାପଶାଳୀ ରାଜା ଥିଲେ । ଅର୍ଜ୍ଜୁନଙ୍କ ପୁତ୍ର ଅଭିମନ୍ୟୁ ସଦୃଶ ‘ହରି’ ନାମରେ ରାଜାଙ୍କର ଏକ ପୁତ୍ର ଥିଲେ । ଶୌର୍ଯ୍ୟ ବୀର୍ଯ୍ୟ ଓ ପରାକ୍ରମରେ ସେହି ପୁତ୍ର ଭଗବାନ ଶ୍ରୀହରିଙ୍କ ସମତୁଲ୍ୟ ଥିଲେହେଁ ଏକଦା ଅଭିମନ୍ୟୁ ସଦୃଶ ଏକାକୀ ଶତ୍ରୁବେଷ୍ଟିତ ହୋଇ ସେହି ପୁତ୍ର ଅକାଳମୃତ୍ୟୁ ବରଣ କରିଥିଲେ । ରାଜା ଅକମ୍ପନ ପୁତ୍ର ଶୋକରେ ଧର୍ମୋଚିତ କର୍ମରୁ ବିରତ ରହିବା ଦେଖି ଦେବର୍ଷି ନାରଦ ରାଜାଙ୍କର ଶୋକତ୍ତାପ ନିବାରଣ କରିବା ନିମନ୍ତେ ସେଠାରେ ଉପନୀତ ହେଲେ । ଠିକ୍‌ ତୁମ୍ଭ ସଦୃଶ ରାଜା ଅକମ୍ପନ ଦେବର୍ଷି ନାରଦଙ୍କୁ ମୃତ୍ୟୁ ସମ୍ବନ୍ଧରେ ଏକ ପ୍ରକାର ପ୍ରଶ୍ନ କରିଥିଲେ । କଃ ଏସଃ ମୃର୍ତ୍ତୃରଭଗବାନ୍‌, କିଂ କାର୍ଯ୍ୟ ବଳ ପୌରୁଷଃ । ଅର୍ଥାତ୍‌ ଏ ମୃତ୍ୟୁ କିଏ ? ମୃତ୍ୟୁ ନିକଟରେ ମହାବଳୀ ମଧ୍ୟ ହୀନବଳ, କିନ୍ତୁ ମୃତ୍ୟୁ ସେହି ବଳ ପୌରଷ କେଉଁଠାରୁ ପ୍ରାପ୍ତ ହୋଇଅଛି । ଉତ୍ତରରେ ଦେବର୍ଷି ଯାହା କହିଥିଲେ ମନଦେଇ ଶୁଣ ।

 

ଦେବର୍ଷି ନାରଦ କହିଥିଲେ, ସର୍ବପ୍ରଥମେ ପ୍ରଜାପତି ବ୍ରହ୍ମାଙ୍କ ମନରେ ଏହି ବିଶ୍ୱକୁ ଜୀବ ସମୃଦ୍ଧ କରିବା ନିମନ୍ତେ ସଂକଳ୍ପ ଥିଲା । ବ୍ରହ୍ମାଙ୍କର ସେହି ସଂକଳ୍ପ କ୍ରମାନୁସାରେ ବାସ୍ତବ ରୂପ ନେଇଥିଲା । ସଚରାଚର ପୃଥିବୀ ସନ୍ତାନ ଧନ୍ୟା ହେଲା । ବାର୍ଦ୍ଧକ୍ୟ, ଜରା ଓ ମୃତ୍ୟୁ ସର୍ବପ୍ରଥମେ ପୃଥିବୀ ବକ୍ଷରେ ଅବିଦିତ ଥିଲା । ଅବିରାମ ପ୍ରାଣ ପ୍ରବାହରେ ପୃଥିବୀ ସମୃଦ୍ଧ ହୋଇଥିଲା ଓ ସୃଷ୍ଟିର ଆନନ୍ଦରେ ସ୍ରଷ୍ଟା ମଧ୍ୟ ନିମଗ୍ନ ହୋଇଥିଲେ । ସୃଷ୍ଟିର ଆନନ୍ଦରେ ସ୍ରଷ୍ଟା ଏପରି ମତ୍ତ ଥିଲେ ଯେ ସେହି ବିପୁଳ ପରିମାଣ ସନ୍ତାନଭାର ‘ମା’ ଧରିତ୍ରୀ ବହନ କରିବା ନିମନ୍ତେ କେତେ ପରିମାଣରେ ସକ୍ଷମ ହୋଇପାରିବ ଏହା ସ୍ରଷ୍ଟାଙ୍କର ଧାରଣାତୀତ ଥିଲା । ଏକଦା ଭାରାକ୍ରାନ୍ତ ଧରିତ୍ରୀଙ୍କ କରୁଣ ବିଳାପରେ ସ୍ରଷ୍ଟାଙ୍କ ଆନନ୍ଦ ବାଧାପ୍ରାପ୍ତ ହୋଇଥିଲା । ଆତ୍ମସ୍ଥ ହୋଇ ସ୍ରଷ୍ଟା ଦେଖିଲେ, ଦେବୀ ଧରିତ୍ରୀ ପ୍ରଜାସମୁଦ୍ର ଅତଳରେ ପ୍ରାୟ ନିମଜ୍ଜମାନ ସ୍ରଷ୍ଟା ଏହା ଦେଖି ସ୍ତମ୍ଭିତ ହୋଇଥିଲେ । ସ୍ରଷ୍ଟା ସ୍ତମ୍ଭିତ ହେବାରୁ ସୃଷ୍ଟି ମଧ୍ୟ ସ୍ତବ୍‌ଧ ହୋଇଥିଲା । ସ୍ରଷ୍ଟା ଚିନ୍ତା କରିବାକୁ ଲାଗିଲେ କିପରି ଭାବରେ ଧରିତ୍ରୀକୁ ଏ ଗୁରୂଭାର ମୁକ୍ତ କରିବେ । ଏହା ଚିନ୍ତା କରୁକରୁ କିଛିକାଳ ଅତିବାହିତ ହୋଇଥିଲା । କୌଣସି ଉପାୟ ନିର୍ଦ୍ଧାରଣରେ ଅସମର୍ଥ ହୋଇ ସ୍ରଷ୍ଟା ନିଜ ଉପରେ କ୍ରୁଦ୍ଧ ଓ ବିରକ୍ତ ହୋଇଥିଲେ । ସ୍ରଷ୍ଟାଙ୍କ ସେହି ଆତ୍ମକ୍ରୋଧରୁ ହିଁ ଅଗ୍ନି ଲେଲିହାନ୍‌ଶିଖା ନେଇ ଉତ୍ପନ୍ନ ହୋଇଥିଲା ଓ ସର୍ବଗ୍ରାମୀ ବୁଭୁକ୍ଷା ନେଇ ସ୍ରଷ୍ଟାଙ୍କର ସୃଷ୍ଟିକୁ ଗ୍ରାସ କରିବା ନିମନ୍ତେ ଅଗ୍ରସର ହେଲା-। ସର୍ବୋତମୁଖୀ ଅଗ୍ନିଗ୍ରସ୍ତ ପ୍ରାଣୀଗଣ ଭୀତ ହେବା ଦେଖି ମଧ୍ୟ ମାୟାହୀନ ନିର୍ମମ ସ୍ରଷ୍ଟା ନିର୍ବାକ ହୋଇ ରହିଲେ । ସୃଷ୍ଟିକୁ କ୍ରମାଗତଭାବେ ଭସ୍ମୀଭୂତ ହେବା ଦେଖି ପ୍ରାଣୀକୁଳ ରକ୍ଷାକାରୀ ‘ରୂଦ୍ର’ ସ୍ରଷ୍ଟାଙ୍କ ନିକଟରେ ଉପସ୍ଥିତ ହୋଇଥିଲେ । ରୁଦ୍ର ହିଁ ବ୍ରହ୍ମାଙ୍କର ମାନସ ପୁତ୍ର । ସେହି ମାନସ ପୁତ୍ର ଜାତ ହେବାବେଳେ ବ୍ରହ୍ମାଙ୍କୁ ସେମାନଙ୍କର କର୍ତ୍ତବ୍ୟ କଣ କୋଲି ପଚାରିଥିଲେ । ବ୍ରହ୍ମା କହିଥିଲେ ଯେ ସେମାନଙ୍କର ଏକ ମାତ୍ର କର୍ତ୍ତବ୍ୟ ପ୍ରାଣୀର ମଙ୍ଗଳସାଧନ । ଅତଏବ ସହସା ଅମଙ୍ଗଳ ରାଶି ପ୍ରଜାଗଣଙ୍କ ମଧ୍ୟରେ ଦର୍ଶନକରି ଅସ୍ଥିର ଚିତ୍ତରେ ରୁଦ୍ରଗଣ ବ୍ରହ୍ମାଙ୍କ ନିକଟରେ ନିବେଦନ କରି କହିଥିଲେ, ଆପଣ କ୍ରୋଧବଶବର୍ତ୍ତୀ ହୋଇ ଏପରି କାହିଁକି କରୁଛନ୍ତି ? ସ୍ଥାବର ଜଙ୍ଗମ ଆପଣଙ୍କର ଏହି ସୃଷ୍ଟି କ୍ରୋଧ ପ୍ରଜ୍ୱଳିତ ଅଗ୍ନିରେ କିପରି ଭସ୍ମୀଭୂତ ହେଉଛି, ତାହା ଆପଣ ଦେଖି ପାରୁ ନାହାନ୍ତି-? ପର୍ବତ ଶିଖରଠାରୁ ତୃଣଲତା ରୋଦନ ଆପଣ ଶୁଣିପାରୁ ନାହାନ୍ତି ? ପ୍ରାଣୀଗଣଙ୍କର ହାହାକାର ଆପଣଙ୍କର ମମତା ଜାଗ୍ରତ କରୁନାହିଁ ? ସ୍ରଷ୍ଟାର ରୋଷାଗ୍ନିରେ ପ୍ରଜାଗଣ ଏପରି ବିନଷ୍ଟ ଓ ସୃଷ୍ଟି ପ୍ରାଣୀଶୂନ୍ୟ ହେଲେ ଆମ୍ଭମାନଙ୍କୁ ଲୋକସ୍ରଷ୍ଟା ଭାବରେ ଆପଣ କାହିଁକି ଜାତ କରିଛନ୍ତି ?

 

ଚତୁଃବର୍ଗ ଅବଲୋକନ କରି ବ୍ରହ୍ମା ଦେଖିଲେ, ତାଙ୍କର ସୃଷ୍ଟି ଯେପରି ଏକ ଉଷର ମରୁଭୂମି ହୋଇଯାଇଛି । ଯାହା କିଛି ଅବଶିଷ୍ଟ ରହିଛି ତାକୁ ଅଗ୍ନି ମହାଉଲ୍ଲାସରେ ଗ୍ରାସ କରିବାକୁ ଅଗ୍ରସର ହେଉଅଛି । ଏହା ଦେଖି ବ୍ରହ୍ମା କହିଲେ, ରୁଦ୍ରଦେବ, ପ୍ରଜାଗଣ ଏପରି ବିନଷ୍ଟ ହୁଅନ୍ତୁ, ଏହା ମୋର ଅଭିପ୍ରାୟ ନଥିଲା । ପୃଥିବୀକୁ ଭାରମୁକ୍ତ କରିବା ନିମନ୍ତେ ଉପାୟ ନିର୍ଦ୍ଧାରଣ କରି ନପାରି ସ୍ୱୟଂ ରୋଷାବିଷ୍ଟ ହୋଇଥିଲି । ଅତଏବ ହେ ରୁଦ୍ର ! ତୁମ୍ଭର ପ୍ରାର୍ଥନା ପୂରଣ ନିମନ୍ତେ ମୁଁ ମୋର ରୋଷବହ୍ନିକୁ ଆତ୍ମସାତ୍‌ କରୁଛି ।

 

ମୁନିବର ଦୈପ୍ୟାୟନ ବ୍ୟାସଦେବ ଅତଃପର ଯୁଧିଷ୍ଠିରଙ୍କୁ କହିଲେ, ଜାଣ ଏହାପରେ ଏକ ଅଭୂତପୂର୍ବ ଘଟଣା ଘଟିଥିଲା । ଯୁଧିଷ୍ଠିର କୌତୂହଳୀ ହୋଇ କଣ ସେ ଘଟଣା ବୋଲି ପଚାରିଥିଲେ ।

 

ପୁନଶ୍ଚ ବ୍ୟାସଦେବ ନାରଦମୁନିଙ୍କ ଉପାଖ୍ୟାନ ସୂତ୍ର ଅବଲମ୍ବନ କରି କହିଲେ, ବ୍ରହ୍ମା ଆତ୍ମରୋଷାଗ୍ନି ସମ୍ବରଣ କରିବାଦ୍ୱାରା ତାଙ୍କର ଇନ୍ଦ୍ରିୟବର୍ଗ ମଥିତ ହେବାରୁ ରକ୍ତାଭ ଆୟତଲୋଚନା ଏକ ଘୋର କୃଷ୍ଣବର୍ଣ୍ଣା ନାରୀ ଉତ୍ପନ୍ନ ହୋଇଥିଲେ ।

 

ସ୍ରଷ୍ଟା ସେହି ନାରୀକୁ ଦେଖି କହିଲେ, ମୁଁ ପ୍ରଜାସଂହାର ଚିନ୍ତାରେ ବ୍ୟାକୁଳ ଥିଲି । ସେହି ବ୍ୟାକୁଳତାରୁ ତୁମେ ସଂହାର ରୂପିଣୀ ରମଣୀରୂପେ ଆବିର୍ଭୂତା ହେଲ, ଅତଏବ ତୁମେହିଁ ମୋର ସେହି ରୋଷମୁକ୍ତ ମାନସିକ ସଂକଳ୍ପ ପ୍ରତିଭୁ-ମୃତ୍ୟୁ । ନିର୍ବିଚାରରେ ପଣ୍ତିତ, ମୂର୍ଖ, ସବଳ, ଦୁର୍ବଳ ସମୂହକୁ ସଂହାର କରିବା ତୁମ୍ଭର ଏକମାତ୍ର କର୍ତ୍ତବ୍ୟ ହେଉ ।

 

ସେହି ଆଦେଶପ୍ରାପ୍ତି ପରେ କମ୍ପିତା ନାରୀରୂପୀ ମୃତ୍ୟୁ ବ୍ରହ୍ମାଙ୍କୁ ଅନୁରୋଧ କଲେ–ଭଗବନ୍‌, ଏହି କଠୋର ଆଦେଶ ପ୍ରତ୍ୟାହାର କରି ନିଅନ୍ତୁ । ମୁଁ ଅବଳା ରମଣୀ । ଏହି ଗୁରୁ ଦାୟିତ୍ୱ ମୋତେ ଅର୍ପଣ କରନ୍ତୁ ନାହିଁ । ଏହାହିଁ ମୋର ପ୍ରାର୍ଥନା ।

 

ସ୍ରଷ୍ଟା ପଚାରିଲେ–କାହିଁକି ଏପରି ସଙ୍କୋଚବୋଧ କରୁଛ ?

 

ମୃତ୍ୟୁ କହିଲେ–ମୁଁ ନାରୀ ରୂପରେ ସୃଷ୍ଟ । ଅତଏବ ପୁରୁଷ ସାଧ୍ୟ କର୍ମ କିପରି ମୋ ପକ୍ଷରେ କରିବା ସମ୍ଭବ ? ସ୍ନେହ, ମାୟା, ମମତା, ନାରୀଭୂଷଣ, ସେସବୁ ପରିତ୍ୟାଗ କରି ନାରୀ ଧର୍ମଚ୍ୟୁତ ହୁଏନାହିଁ କି ? ଯେଉଁମାନେ ପୁତ୍ର, ମିତ୍ର, ପିତା, ମାତା, ଭ୍ରାତା, ପତି ନେଇ ସଂସାର କରୁଛନ୍ତି, ସେମାନଙ୍କୁ ସଂସାର ବନ୍ଧନରୁ କିପରି ବିଚ୍ଛିନ୍ନ କରିବ ? ଏହା କଣ ଧର୍ମଚ୍ୟୁତକର୍ମ ହେବ ନାହିଁ ? ରୋଦନ ପରାୟଣା ସତୀର ଅଶ୍ରୁବିନ୍ଦୁ ଓ ଅନୁତାପାନଳରେ ମୁଁ ନରକଗାମୀ ହେବି ନାହିଁ ? ଅତଏବ ମୋର ପ୍ରାର୍ଥନା, ଆପଣ ଏହି କଠିନ ଆଦେଶ ପ୍ରତ୍ୟାହାର କରି ନିଅନ୍ତୁ । ଏହା କହୁ କହୁ ମୃତ୍ୟୁର ଅଶ୍ରୁ ସକଳ ନୟନରୁ ବିନ୍ଦୁ ବିନ୍ଦୁ ଲୋତକବାରି ପତନ ହେବାରୁ ସେହି ଲୋତକବିନ୍ଦୁ ଭୂମି ସ୍ପର୍ଶ କରିବା ପୂର୍ବରୁ ସ୍ରଷ୍ଟା ସ୍ୱୀୟ ଅଞ୍ଜଳିରେ ଧରିଥିଲେ । ଏହାପରେ ସ୍ନେହ ମଧୁର କଣ୍ଠରେ କହିଲେ ‘‘ମୃତ୍ୟୋ ସଂକଳ୍ପିତାସିତ୍ୱଂ ପ୍ରଜାସଂହାର ହେତୁନା ଗଚ୍ଛ ସଂହର ସର୍ବାସ୍ତ ପ୍ରଜା ମାତେ ବିଚାରଣା । ଅର୍ଥାତ୍‌ ହେ ମୃତ୍ୟୁ ଏହା ବିସ୍ମୃତ ହୁଅ ନାହିଁ ଯେ ମୋର ସଂହାର ସଂକଳ୍ପକୁ ହିଁ ତୁମେ ବାସ୍ତବ ରୂପ ଦେବ–ଅନ୍ୟ କୌଣସି ବିଚାରବୁଦ୍ଧି ତୁମ୍ଭର ରହିବା ଅନୁଚିତ । ଅତଏବ ମୋର ଆଦେଶ ତୁମେ ଅଗ୍ରସର ହୋଇ ନିର୍ବିଚାରରେ ସଂହାର କର । ତୁମର କୌଣସି ଅମଙ୍ଗଳ ହେବ ନାହିଁ ।

 

ତଥାପି ମୃତ୍ୟୁ ଇତସ୍ତତଃ ହେବାକୁ ଲାଗିଲେ । ମର୍ତ୍ତ୍ୟଲୋକୀ ମନୁଷ୍ୟର ଅଶ୍ରୁ ଅଭିଶାପ ଅତି ଭୀଷଣ ଓ ମାରାତ୍ମକ । ଅଶ୍ରୁ ଆବେଗ ଜାତ ହେଲାବେଳେ ଯେପରି ଅଶ୍ରୁବୋଧ ସମ୍ଭବ ନୁହେଁ, ସେହିପରି ଏ ପ୍ରକାର ଦୁରୂହ କାର୍ଯ୍ୟ ସୁପ୍ରଚୁର ସାଧନ ଶକ୍ତି ବ୍ୟତୀତ ସମ୍ପନ୍ନ କରିବା ସମ୍ଭବ ନୁହେଁ । ଅତଃପର ମୃତ୍ୟୁଦେବୀ ସୁକଠୋର ତପସ୍ୟା ବଳରେ ବ୍ରହ୍ମାଙ୍କର ନିରଙ୍କୁଶ ଆଶୀର୍ବାଦ ପ୍ରାପ୍ତ ହେବା ପ୍ରଥମ କର୍ତ୍ତବ୍ୟ ବୋଲି ସ୍ଥିର କରିଥିଲେ ।

 

ଇତି ମଧ୍ୟରେ ବ୍ରହ୍ମାଙ୍କ ମନରୁ ରୋଷାଗ୍ନି ତିରୋହିତ ହୋଇଥିଲା ଓ ମନର ପୂର୍ବ ପ୍ରଶାନ୍ତ ଭାବ ଫେରି ଆସିଥିଲା । ସ୍ରଷ୍ଟାଙ୍କ ମନ ମଧ୍ୟରେ ଚିନ୍ତାର କୌଣସି ଚିହ୍ନ ନଥିଲା । ଏହା ଦେଖି ରୁଦ୍ରଗଣ ପ୍ରସନ୍ନ ଚିତ୍ତରେ ନିଜ ଆବାସକୁ ପ୍ରତ୍ୟାଗମନ କରିଥିଲେ । ଲୋକାଲୋକ ପୁନଶ୍ଚ ପୂର୍ବପରି ସମୃଦ୍ଧ ହୋଇ ଉଠିଲା । ମୃତ୍ୟୁଦେବୀ ଦେବାଦେଶର ବିରତ ରହିବା ଅବସରରେ ଧେନୁକାଶ୍ରମ ଗମନ କରିଥିଲେ ।

 

ବ୍ରହ୍ମା ସୃଷ୍ଟିର ନବ ନବ ଆନନ୍ଦରେ ମତ୍ତ ରହିଥିବାରୁ ମୃତ୍ୟୁଦେବୀଙ୍କର ଏହି ଅନ୍ତର୍ଦ୍ଧାନ ହେବା ଜାଣିପାରି ନଥିଲେ । ସୁକଠୋର କୁଚ୍ଛ୍ର ସାଧନରେ ମୃତ୍ୟୁଦେବୀ ପ୍ରଥମେ ଧେନୁକାଶ୍ରମ ତାପରେ ନଳାଦେବୀ, କୌଶକୀନଦୀ, ପଞ୍ଚ ଗଙ୍ଗାତୀରସ୍ଥ ବିଜନ ଅରଣ୍ୟ, ମେରୁ ଶିଖର, ଗୋକର୍ଣ୍ଣ, ନୈମିଷାରଣ୍ୟ ଓ ମଳୟାଚଳରେ ଲୋକସ୍ରଷ୍ଟା ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବର ପାଇବା ଆଶାରେ ସୁକଠୋର ତପସ୍ୟାରତ ହେଲେ । ଇତି ମଧ୍ୟରେ ବ୍ରହ୍ମା ତାଙ୍କର ରୋଷଜାତ ମୃତ୍ୟୁକୁ ବିସ୍ମୃତ ହୋଇଥିଲେ । କିଛିଦିନ ଗତ ହେଲାପରେ ବ୍ରହ୍ମା ମୃତ୍ୟୁଦେବୀଙ୍କ ତପସ୍ୟାରେ ଆକୃଷ୍ଟ ହୋଇ ଦେବୀ ସମ୍ମୁଖରେ ଉପସ୍ଥିତ ହୋଇ କହିଲେ, ମୁଁ ତୁମ ତପସ୍ୟାରେ ତୁଷ୍ଟ । ତୁମର ଅଭିଳାଷ ପ୍ରକାଶ କର । ମୃତ୍ୟୁଦେବୀ ବ୍ରହ୍ମାଙ୍କୁ ପୂର୍ବକଥା ସ୍ମରଣ କରାଇଦେଇ କହିଲେ–ମହାଭାଗ, ସ୍ରଷ୍ଟାଙ୍କ ଆଦେଶ ଅଲଙ୍ଘନୀୟ । କିନ୍ତୁ ମୁଁ ଅବଳା, ଅଧର୍ମ ଭୟରେ ଭୀତାହୋଇ, ଅଭୟ ଆଶ୍ୱାସ ପ୍ରାର୍ଥନା କରୁଛି ।

 

ସ୍ରଷ୍ଟା ପଚାରିଲେ–କେଉଁ ଯୁକ୍ତିରେ ତୁମର କର୍ମକୁ ଅଧର୍ମ ଜ୍ଞାନ କରୁଅଛ ?

 

ମୃତ୍ୟୁଦେବୀ କହିଲେ–ସ୍ରଷ୍ଟାଙ୍କର ଏହି ଧର୍ମମୟ ଜଗତରେ ମାତାଠାରୁ ଶିଶୁ, ପତ୍ନୀଠାରୁ ସ୍ୱାମୀ, ଅଭିନ୍ନ ହୃଦୟ ବନ୍ଧୁଠାରୁ ବନ୍ଧୁକୁ ବିଚ୍ଛେଦ କରିବା ଅଧର୍ମ ନୁହେଁ କି ? ସେହି ଅଭିଶାପର ଗୁରୁଭାର ନିୟତ ମୁଁ ବହନ କରିବି ନାହିଁକି ?

 

ସ୍ରଷ୍ଟା କହିଲେ–ମୋ ଆଶୀର୍ବାଦରେ ତୁମେ ନିଶ୍ଚିନ୍ତ ରହିପାର । ଲୋକସ୍ଥିତିପାଇଁ ପ୍ରଜାର ସଂହାର ହିଁ ସନାତନ ଧର୍ମ । ଏହି ଧର୍ମରେ ଅବିଚଳ ରହି କର୍ତ୍ତବ୍ୟ ପାଳନ କର । ଅନ୍ୟ ଦେବଗଣ ମଧ୍ୟ ତୁମ୍ଭର ସହାୟ ହେବେ ।

 

ମୃତ୍ୟୁଦେବୀ କହିଲେ–ଯଦି ମୋ ବ୍ୟତୀତ ଆପଣଙ୍କର ଏହି କର୍ମ ସମ୍ପାଦିତ ହୋଇ ପାରିବ ନାହିଁ ତାହେଲେ ଆପଣଙ୍କର ଆଦେଶ ମୋର ଶିରୋଧାର୍ଯ୍ୟ । କିନ୍ତୁ ମୋର ଗୋଟିଏ ନିବେଦନ ଅଛି ।

 

ବ୍ରହ୍ମା କହିଲେ–ପ୍ରକାଶ କର ।

 

ମୃତ୍ୟୁ ଦେବୀ କହିଲେ–ଲୋଭଃ କ୍ରୋଧଂଭ୍ୟସୁୟେର୍ଷ୍ୟା ଦ୍ରୋହୋମୋହଶ୍ଚ ଦେହୀନାମ ଅହ୍ରୀଶ୍ଚାକ୍ୟୋନ୍ୟପରୁଷା ଦେହଂ ଭିନ୍ଦ୍ୟୁଃ ପୃଥରାବିଧାଃ । ଅର୍ଥାତ୍‌ ଲୋଭ, କ୍ରୋଧ, ଅସୂୟା, ଈର୍ଷା, ଦ୍ରୋହ, ମୋହ ନିର୍ଲ୍ଲଜତା ପୌରୁଷବାକ୍ୟ ପ୍ରାଣୀର ଦେହ ବିଦୀର୍ଣ୍ଣ କରି ସେମାନଙ୍କର ପ୍ରାଣ ହରଣ କରିବା ନିମନ୍ତେ ମୋତେ ଯେପରି ସୁପଥ ଦେଉ, ଏହାହିଁ ମୋର ପ୍ରାର୍ଥନା ।

 

ବ୍ରହ୍ମା କହିଲେ–ତୁମ୍ଭର ପ୍ରସ୍ତାବ ଉତ୍ତମ । ମୁଁ ତୁମ ପ୍ରସ୍ତାବ ସମର୍ଥନ କରୁଛି । ନିର୍ଭୟରେ ତୁମ୍ଭ କର୍ତ୍ତବ୍ୟ ପାଳନ କର । କାମ ଓ କ୍ରୋଧ ସୃଷ୍ଟିର ସହଜାତ ପ୍ରବୃତ୍ତି । ତୁମେ କେବେ ହେ ସେମାନଙ୍କର ବଶୀଭୂତ ହେବ ନାହିଁ । ମୋର ଆଶୀର୍ବାଦ ଓ ତୁମ୍ଭର କୁଚ୍ଛ୍ର ସାଧନା ବଳରେ ତୁମେ କାମ, କ୍ରୋଧରୁ ମୁକ୍ତି ଲାଭ କରିବ । ପ୍ରଲୁବ୍‌ଧମୟ ଜଗତରେ ଅଧିକାଂଶ ପ୍ରାଣୀ ସ୍ୱୀୟ ବୈଭବରେ ମତ୍ତ ଥାଆନ୍ତି ଓ ମିଥ୍ୟାଚାରର ଆଶ୍ରୟ ନେଇ ଆତ୍ମସ୍ୱରୂପକୁ ବିସ୍ମୃତ ହୋଇଥାନ୍ତି । ଏହିପରି ପ୍ରାଣୀ ମୃତ ସଦୃଶ । ସେମାନଙ୍କୁ ମର୍ତ୍ତ୍ୟଲୋକରୁ ଅପସାରିତ କଲେ ତୁମର କେବେହେଁ ଅଧର୍ମ ହେବ ନାହିଁ-। ଶାଶ୍ୱତ ସତ୍ୟହିଁ ତୁମ୍ଭର ଅବଲମ୍ବନ । ଏହା ବ୍ୟତୀତ ମୋଠାରୁ ଆଉ ଏକ ଆଶ୍ୱାସ ଗ୍ରହଣ କର ।

 

ଜୀବ ମର୍ତ୍ତ୍ୟଲୋକରେ ଏକ ନିର୍ଦ୍ଦିଷ୍ଟ ଆୟୁ ନେଇ ବିଚରଣ କରିବ । ବ୍ୟାଧହିଁ ତାର ଆୟୁ ସମାପ୍ତିର ଇଙ୍ଗିତ ହେବ ।

 

ମୃତ୍ୟୁଦେବୀ ପ୍ରଶ୍ନକଲେ–ପୃଥିବୀର ଲୋକଙ୍କ ମଧ୍ୟରେ ସେହି ବ୍ୟାଧି କେଉଁଠାରୁ ଆସିବ-

 

ବ୍ରହ୍ମା କହିଲେ–ତୁମ୍ଭର ମନେଥିବ ଯେ ମୋର ପ୍ରଥମ ଆଦେଶ ଶ୍ରବଣକରି ତୁମେ ଅଶ୍ରୁ ବିସର୍ଜ୍ଜନ କରିଥିଲ ଏବଂ ସେହି ଅଶ୍ରୁ ବିନ୍ଦୁକୁ ମୁଁ ଅଞ୍ଜଳିରେ ଧରି ରଖିଥିଲି । ସେହି ଏକ ଏକ ଲୋତକବିନ୍ଦୁ ଏକ ଏକ ବ୍ୟାଧିରୂପ ନେଇ ଶରୀରଧାରୀର ଅଭ୍ୟନ୍ତରରେ ପ୍ରବେଶ କରି ଆୟୁକ୍ଷୟ କରିବ ଓ କ୍ରମଶଃ ଜୀବକୁ ନିଷ୍ପ୍ରାଣ କରିବ । ସେହି ସମୟରେ ନିର୍ବିକାର ଚିତ୍ତରେ ତୁମେ ସେହି ପ୍ରାଣୀକୁ ସଂହାର କରିବ । ଦେବତା କେବେହେଁ ରୁଷ୍ଟ ହେବେନାହିଁ, ମୋର ଏହି ଆଶ୍ୱାସ ନେଇ ତୁମେ ନିଶ୍ଚିନ୍ତ ଚିତ୍ତରେ କର୍ମ ସାଧନ କର ।

 

ଆଜିଠାରୁତ୍ୱଂ ବୈ ଧର୍ମସ୍ତ୍ୱଂ ହି ଧର୍ମସ୍ୟ ଚେଶା

ଧର୍ମା ଭୂର୍ତ୍ତ୍ୱା ଧର୍ମନିତ୍ୟ ଧରିତ୍ରୀ

ତସ୍ମାତ୍‌ ପ୍ରାଣାନ୍‌ ସର୍ବଥେମାନ୍‌ ନିୟଚ୍ଛ ।

 

ଅର୍ଥାତ୍‌ ତୁମେହିଁ ପ୍ରାଣୀଗଣଙ୍କର ଧର୍ମ ଓ ତୁମେହିଁ ସେହି ଧର୍ମର ଈଶ୍ୱରୀ । ଧର୍ମକୁ ଆଶ୍ରୟ କରି ଓ ଧର୍ମାଶ୍ରିତା ଧରଣୀ ରୂପରେ ଜୀବଗଣଙ୍କର ପ୍ରାଣ ନିୟନ୍ତ୍ରଣ କର ।

 

ବ୍ୟାସଦେବ କହିଲେ–ନାରଦଙ୍କ ମୁଖରୁ ଏହି ତତ୍ତ୍ୱ ବଚନ ଶ୍ରବଣ କରି ରାଜା ଅକମ୍ପନଙ୍କ ଚିତ୍ତ ପ୍ରସନ୍ନ ହୋଇଥିଲା ଓ ସେ ପୁତ୍ରଶୋକ ନିବୃତ୍ତ ହୋଇଥିଲେ ।

 

ଅତଃପର ବ୍ୟାସଦେବ କହିଲେ–ହେ ଧର୍ମରାଜ, ତୁମ୍ଭ ସଦୃଶ ଧର୍ମଜ୍ଞଙ୍କୁ ଆଉ ଅଧିକ କଣ କହିବି ? ମନେରଖ ଏହି ଜଗତ ମୃତ୍ୟୁମୟ । କୌଣସି ପ୍ରାଣୀ ଅଖଣ୍ତ ପରମାୟୁ ନେଇ ଜନ୍ମହୋଇ ନ ଥାଏ ଓ ଆୟୁଶେଷରେ ଏହି ଜଗତରୁ ବିଦାଷ୍ଟ ନେବାକୁ ହୋଇଥାଏ । କେହି ଦୀର୍ଘାୟୁ କେହି ବା ସ୍ୱଳ୍ପାୟୁ ହୋଇଥାନ୍ତି । ବୀରପୁତ୍ର ଅଭିମନ୍ୟୁ ସ୍ୱଳ୍ପାୟୁ ଥିଲେ । ସେଥିପାଇଁ କୈଶୋର ଅତିକ୍ରମ ନକରି ସେ ଇହଲୋକରୁ ବିଦାୟ ନେଲେ । ତୁମପରି ବିବେକବାନ୍‌ ପୁରୁଷ ସେଥିପାଇଁ ଶୋକ କରିବା ଅନୁଚିତ ।

 

ଏହା ଶ୍ରବଣ କରି ସାମୟିକ ମୋହଗ୍ରସ୍ତ ଯୁଧିଷ୍ଠିରଙ୍କ ମନରୁ ଦୁଃଖରୂପୀ ଅନ୍ଧକାର ଦୁରୀଭୂତ ହୋଇଥିଲା । ସେ ବୁଝିପାରିଲେ ସ୍ୱୀୟ କର୍ତ୍ତବ୍ୟକର୍ମ ଶେଷରେ ଦେହକୁ ଏ ଧରଣୀ ତ୍ୟାଗ କରିବାକୁ ହିଁ ହେବ, ଏହାହିଁ ଧ୍ରୁବ ସତ୍ୟ ।

Image

 

ବିଷ୍ଣୁ–ମାନ୍ଧାତା ସମ୍ବାଦ

 

ଏକଦା ସର୍ବଶକ୍ତିମାନ ଈଶ୍ୱର ଆପଣା ଇଚ୍ଛାରେ ନିଜର ଏକାକୀତ୍ତ୍ୱ ଅବସାନ ନିମନ୍ତେ ଜଗତ୍‌ଠୁଷ୍ଟି କରିଥିଲେ । ସ୍ୱଧୀଣ୍ତି ପ୍ରଭାବରେ ଧର୍ମଚକ୍ର ପ୍ରତିଷ୍ଠା କରି ସୃଷ୍ଟିତି ଅବିରାମ ଓ ସ୍ୱଚ୍ଛନ୍ଦ ଗତିକୁ ଧର୍ମଚକ୍ର ନିର୍ଭରଶୀଳ କଲେ । ଈଶ୍ୱର ଆଶା କରିଥିଲେ ଯେ ଯେଉଁ ଚକ୍ର ଅବଲମ୍ବନରେ ସୃଷ୍ଟି ପ୍ରତିଷ୍ଠା କଲେ ସେ ସୃଷ୍ଟି ଈଶ୍ୱରଙ୍କ ମର୍ଯ୍ୟାଦା ଅକ୍ଷୁଣ୍ଣ ରଖି ଆତ୍ମକଲ୍ୟାଣ ସହିତ ଜଗତକଲ୍ୟାଣ ବ୍ରତୀ ହୋଇ ତାଙ୍କର ବାସନା ସମୃଦ୍ଧ ହେବା ସହିତ ସୃଷ୍ଟି ନିଜ ବର୍ଣ୍ଣଛଟା ବିକୀରଣ କରି କର୍ମକୁ ଉଦ୍‌ଭାସିତ କରିବ ଓ ଗୁଣାନୁସାରେ ମନୁଷ୍ୟଗଣ ସଂକୀର୍ଣ୍ଣତାରେ ଆବଦ୍ଧ ନ ହୋଇ ଯେ ଯାହାର ନିର୍ଦ୍ଦିଷ୍ଟ ପଥାନୁସାରେ କର୍ତ୍ତବ୍ୟ କର୍ମ ପାଳନ କରିବେ । ଯାହା ଫଳରେ ସୃଷ୍ଟି ସ୍ୱୀୟ ଧର୍ମକୁ ମହୀୟାନ କରିବ ଓ ସୃଷ୍ଟିରେ ସୁଖ ଉଲ୍ଲାସ ବିରାଜମାନ ହେବ ।

 

ସ୍ରଷ୍ଟା ଯେତେବେଳେ କିଛି ସୃଷ୍ଟି କରିଥାନ୍ତି, ସ୍ୱାଭାବିକ ଭାବରେ ଏକ ଆନନ୍ଦ ପ୍ରବାହ ସ୍ରଷ୍ଟାଙ୍କ ଚେତନାରେ ପ୍ରବାହିତ ହୋଇଥାଏ । ସେଇ ଚେତନାର ଅସ୍ତିତ୍ୱ ବିପୁଳ ସମୃଦ୍ଧ ହୋଇଥିବାରୁ ଓ ସର୍ବବ୍ୟାପକତା ହୋଇଥିବାରୁ ଜଗତ ସମୃଦ୍ଧିଶାଳୀ ହୋଇଥାଏ ଓ ସମସ୍ତେ ସମାନ ଭାବରେ ସେହି ଅସରନ୍ତି ଚେତନା ଧାରଣ କରି ଧର୍ମ ଓ ଧର୍ମର ସତ୍ୟକୁ ଅକ୍ଷୁଣ୍ଣ କରି ରଖିପାରିବେ । ଏହି ବିଶ୍ୱାସ ବ୍ୟତୀତ ସ୍ରଷ୍ଟାଙ୍କର ଅନ୍ୟ କୌଣସି ଆଶା ବା ଉଦ୍ଦେଶ୍ୟ ଜଗତ୍‌ସୃଷ୍ଟି କାଳରେ ନଥିଲା । ସୃଷ୍ଟି ମୁହୂର୍ତ୍ତରେ ସ୍ରଷ୍ଟା କେବେହେଁ ଚିନ୍ତା କରି ନଥିଲେ ଯେ କୌଣସି ସ୍ୱୟଂଜାତ ପ୍ରତିକୂଳ ସେହି ଆନନ୍ଦମୟ ସୃଷ୍ଟି ପ୍ରବାହର ଗତିପଥ ଭିନ୍ନମୁଖୀ କରିପାରେ ।

 

କିନ୍ତୁ ସମୃଦ୍ଧିର ଆକର୍ଷଣ ଏପରି ମୋହମୟ ଯେ ଭାବନା ସହିତ ବାସ୍ତବକୁ କଦାପି ସମସୂତ୍ରରେ ରଖିପାରେ ନାହିଁ । ଚିନ୍ତା ବା କାମନା ସହିତ ବିଚ୍ଛିନ୍ନତା ଘଟାଇ ତାହାକୁ ଅନିର୍ବାର୍ଯ୍ୟ ଭାବେ ବିପରୀତ ଧର୍ମୀ କରିଦିଏ । ଜଗତ୍‌ ସ୍ୱଭାବର ଏହି ଚିରନ୍ତନ ନିୟମ ନିକଟରେ ସ୍ରଷ୍ଟା ମଧ୍ୟ ପରାଜୟ ସ୍ୱୀକାର କରିଥାନ୍ତି ।

 

ସ୍ୱଭାବର ଏହି ଦୁର୍ନିବାର ଗତିକୁ ଜାଣି ସ୍ରଷ୍ଟା କଣ କେଭେ ଇଚ୍ଛା କରନ୍ତି ଯେ ତାଙ୍କର ଏହି ଆନନ୍ଦମୟ ସୃଷ୍ଟି ଉନ୍ମାଦ ମାର୍ଗଗାମୀ ହେଉ । ଧର୍ମଚକ୍ର ଆବର୍ତ୍ତନ ବ୍ୟାହତ ରହୁ ? ନା ଏକଥା ସ୍ରଷ୍ଟା କେଭେ ଚାହାନ୍ତି ନାହିଁ କି ଚାହିଁବେ ନାହିଁ ମଧ୍ୟ । ଈଶ୍ୱର ସମସ୍ତଙ୍କୁ ନିୟନ୍ତ୍ରଣ କରି ରଖିବାକୁ ଇଚ୍ଛା କରନ୍ତି । ସେ ନିୟନ୍ତ୍ରଣ ଏପରି ହେବ ଯେଉଁଥିରେ ଜଗତର ଶୃଙ୍ଖଳା ଅତୁଟ ରହି ସୁସଂସାର ସୁଷମା ବିରାଜ କରିବ ।

 

ସୃଷ୍ଟିର ପ୍ରଥମ ମୁହୂର୍ତ୍ତରୁ ହିଁ ଏହିପରି ସଂଶୟ ସ୍ରଷ୍ଟାଙ୍କ ମନରେ ଜାତ ହୋଇଥିଲା । ସ୍ରଷ୍ଟା ଦେଖିଲେ ଅସରନ୍ତି ସମ୍ପଦ ଲାଭ କରି ସୃଷ୍ଟି ସ୍ରଷ୍ଟାର ମନୋଜାତ ସଂକଳ୍ପରୁ ବିଚ୍ୟୁତ ହୋଇ ଧର୍ମଚକ୍ରକୁ ଅଗ୍ରାହ୍ୟ କରି ଆତ୍ମସୁଖ ସ୍ୱାଚ୍ଛନ୍ଦ୍ୟକୁ ମୁଖ୍ୟ ସ୍ଥାନ ଦେବାକୁ ଅଗ୍ରଣୀ ହୋଇଛି । ମିଷ୍ଟଭାଷୀ ହୋଇ ଆପଣା ଲୋକଙ୍କୁ ବଞ୍ଚିତ କରି ପ୍ରବଞ୍ଚକ ସାଜିଛି । ଏହିପରି କ୍ରମଶଃ ପୃଥିବୀ ଦାନବ, ଅସୁର ଆଦିରେ ପୂର୍ଣ୍ଣ ହୋଇଯିବାରୁ ସ୍ରଷ୍ଟା ସ୍ଥିର ହୋଇ ରହିପାରିଲେ ନାହିଁ । କ୍ଷତାହତ ପ୍ରଜାଗଣଙ୍କ ମର୍ମବେଦନା ଦୂରକରି ସ୍ୱାର୍ଥପର ଦାନବ ଅସୁରଗଣଙ୍କୁ ନିୟନ୍ତ୍ରଣ କରିବା ନିମିତ୍ତ ସେ କ୍ଷତ୍ରିୟ ସୃଷ୍ଟି କରିଥିଲେ । ସ୍ରଷ୍ଟା, ଆଦିଦେବ ନାରାୟଣ ହିଁ ଏହି କ୍ଷାତ୍ରଧର୍ମର ଉଦ୍‌ଗାତା–ପ୍ରବର୍ତ୍ତକ ।

 

ପ୍ରଜାପତି ଭଗବାନ ପ୍ରଜାବୃନ୍ଦକୁ ନିୟନ୍ତ୍ରଣ କରିବା ନିମନ୍ତେ ଏହି ଧର୍ମରେ ଯେଉଁମାନଙ୍କୁ ବିଶେଷ ଭାବରେ ଦୀକ୍ଷା ଦେଇଥିଲେ ସେମାନେ ନିୟନ୍ତ୍ରକ ବା ରାଜା ରୂପେ ପରିଚିତ ହେଲେ । ଏହି ରାଜଧର୍ମ ଏପରି ସୁମହାନ ଯାର ସଦୃଶ ଆଉ ଦ୍ୱିତୀୟ ଧର୍ମ ନାହିଁ ।

 

ସତ୍ୟଯୁଗର କାହାଣୀ–ଏକଦା ଯୁବନାଶ୍ୱ ତନୟ ମହୀପତି ମାନ୍ଧାତା ଦକ୍ଷତାର ସହିତ ଦୀର୍ଘକାଳ ପୃଥିବୀକୁ ଶାସନ କରି ରାଜଧର୍ମରୁ ଅବସର ନେଇ ପ୍ରବ୍ରଜ୍ୟା ଗ୍ରହଣ ସଂକଳ୍ପରେ ଭଗବାନ ବିଷ୍ଣୁଙ୍କୁ ଆରାଧନା କରିଥିଲେ ।

 

କ୍ଷତ୍ରବୀର୍ଯ୍ୟରେ ବଳୀୟାନ ମହୀପତି ମାନ୍ଧାତା, ଦେବରାଜ ଇନ୍ଦ୍ରଙ୍କ ଅନୁଗ୍ରହରେ ମହାବଳୀ ହୋଇ ପ୍ରଜାବୃନ୍ଦଙ୍କର ଦୁଃଖ ମୋଚନ କରି ସ୍ରଷ୍ଟାଙ୍କ ବାସନା ପୂର୍ଣ୍ଣ କରିଥିଲେ । ସୁତୀବ୍ର ଆନ୍ତରିକ ଆରାଧନା ଉପେକ୍ଷା କରି ନପାରି ଏକଦା ଜଗତ୍‌ପିତା ବିଷ୍ଣୁ ଦେବରାଜ ଇନ୍ଦ୍ରଙ୍କ ରୂପରେ ମାନ୍ଧତାଙ୍କୁ ଦର୍ଶନ ଦେଇ କହିଲେ–ମାନ୍ଧାତା ତୁମ୍ଭେ କାହିଁକି ଭଗବାନ ବିଷ୍ଣୁଙ୍କ ଦର୍ଶନାଭିଳାଷୀ ହୋଇଛି ?

 

ମାନ୍ଧାତା କହିଲେ–ସୁଦୀର୍ଘ କାଳ ରାଜଧର୍ମ ପାଳନରେ ମୁଁ ଶ୍ରାନ୍ତ ହୋଇଛି । ଶୁଣିଛି ଭଗବାନ ବିଷ୍ଣୁ ସ୍ୱୟଂ ସନ୍ନ୍ୟାସ ଧର୍ମର ପ୍ରବର୍ତ୍ତକ ମୁଁ ରାଜଧର୍ମରୁ ଅବସର ନେଇ ପ୍ରବ୍ରଜ୍ୟା ଗ୍ରହଣ କରିବାକୁ ସଙ୍କଳ୍ପ କରିଅଛି ।

 

ଦେବରାଜ ରୂପୀ ବିଷ୍ଣୁ କହିଲେ–ମର୍ତ୍ତ୍ୟ ଲୋକବାସୀ ହୋଇ କିପରି ସେହି ଦୁର୍ଜ୍ଞେୟ ଶକ୍ତିଧାରୀ ବିଷ୍ଣୁଙ୍କ ଦର୍ଶନ ଆଶା କରୁଛ ? ମୁଁ ସ୍ୱୟଂ ଦେବରାଜ ହୋଇ ଏପରିକି ଚତୁର୍ମୁଖ ବ୍ରହ୍ମା ମଧ୍ୟ ସୁକଠୋର ତପସ୍ୟା ବଳରେ କଦାଚିତ ବିଷ୍ଣୁଙ୍କ ଦର୍ଶନ ପାଆନ୍ତି । ଦେବଗଣ ମର୍ତ୍ତ୍ୟବାସୀର ଅଭିଳାଷ ପୂରଣ କରନ୍ତି କିନ୍ତୁ ତୁମେ ପ୍ରବ୍ରଜ୍ୟା ଗ୍ରହଣ ଅଭିଳାଷ କାହିଁକି କରିଅଛି ?

ମାନ୍ଧାତା କହିଲେ–ମୁଁ ବାହୁବଳରେ ଅଶାନ୍ତ ପୃଥିବୀକୁ ଶାନ୍ତ କରିଛି । ପ୍ରଜାବୃନ୍ଦଙ୍କୁ ଧର୍ମ ଅନୁଶାସନରେ କ୍ଷତମୁକ୍ତ କରିଅଛି ଓ ରାଜଧର୍ମର ସମୂହ କର୍ତ୍ତବ୍ୟ କର୍ମମାନ ସମାଧାନ କରିଛି । କିନ୍ତୁ ବର୍ତ୍ତମାନ ମୁଁ ମୁକ୍ତି କାମନା କରୁଅଛି । ମୁଁ ଶୁଣିଛି ଯେ ପ୍ରବ୍ରଜ୍ୟା ଗ୍ରହଣ ହିଁ ମୁକ୍ତିର ଏକମାତ୍ର ପନ୍ଥା । ସୁତରାଂ ସେହି ଧର୍ମକୁ ଆଶ୍ରୟ କରି ମୁଁ ବନବାସୀ ହେବାକୁ ଅଭିଳାଷ କରିଛି ।

ଇନ୍ଦ୍ରଋପୀ ବିଷ୍ଣୁ କହିଲେ–ଧର୍ମ ସମ୍ବନ୍ଧରେ ତୁମ୍ଭେ ବିଭ୍ରାନ୍ତ ହୋଇଅଛ ମାନ୍ଧାତା । ଧର୍ମାଶ୍ରୟୀ ହୋଇ ମଧ୍ୟ ନିଶ୍ଚିନ୍ଦ୍ର ଧର୍ମ ପାଳନ ପାଇଁ ସତ୍ୟ ସମ୍ବନ୍ଧରେ ତୁମ୍ଭର ସନ୍ଦେହ ଉଦ୍ରେକ ହେବାକୁ ପ୍ରବ୍ରଜ୍ୟା ଗ୍ରହଣ କରିବାକୁ ସଂକଳ୍ପ କରିଅଛି ।

କିନ୍ତୁ କ୍ଷତ୍ରିୟ ହୋଇ କ୍ଷାତ୍ରଧର୍ମ ପରିତ୍ୟାଗ କରି ଅନ୍ୟ କୌଣସି ଧର୍ମ ଆଶ୍ରୟ କଲେ କେବେହେଁ କାମ୍ୟ ମୁକ୍ତି ହେବ ନାହିଁ । ରାଜା ହୋଇ ଯଦି ମନେକର ଯେ ରାଜଧର୍ମୋଚିତ କର୍ମ ଶେଷ ହୋଇଛି ତାହେଲେ ତୁମ୍ଭର ଧର୍ମହାନି ହୋଇ ମୁକ୍ତି ସୁଦୂର ପରାହତ ହେବ । ବର୍ଣ୍ଣାନୁଯାୟୀ ଧର୍ମର ନିର୍ଦ୍ଦିଷ୍ଟ ଅନୁଶୀଳନ ହିଁ ମନୁଷ୍ୟକୁ ମୁକ୍ତି ଦିଏ ଓ ମୈତ୍ରୀ ବନ୍ଧନରେ ମର୍ତ୍ତ୍ୟକୁ ସ୍ୱର୍ଗ କରିଥାଏ ।

ଦେବରାଜଙ୍କ ବଚନମାନଙ୍କର ମର୍ମାର୍ଥ ବୁଝି ନ ପାରି କୌତୁହଳୀ ହୋଇ ଦେବରାଜଙ୍କୁ କେବଳ ଦୃଷ୍ଟି ନିକ୍ଷେପ କରି ନିଶ୍ଚୁପ ରହିଲେ ।

ଦେବରାଜରୂପୀ ବିଷ୍ଣୁ କହିଲେ–ବର୍ଣ୍ଣାନୁଯାୟୀ ଧର୍ମନିରତ ଓ ଧର୍ମପରାୟଣ ମନୁଷ୍ୟକୁ ରକ୍ଷା କରିବା କ୍ଷାତ୍ରଧର୍ମ ବା ରାଜଧର୍ମ । ଯଜନ-ଯାଜନ ଅଧୟନ-ଅଧ୍ୟାପନା ବ୍ରାହ୍ମଣଙ୍କ ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସେବାହିଁ ଶୂଦ୍ରର ଧର୍ମ । ପ୍ରତ୍ୟେକ ବ୍ୟକ୍ତିକୁ ନିଜ ନିଜ କର୍ମ ନିଷ୍ଠା ସହିତ ପାଳନ କରାଇବାର ଦାୟିତ୍ୱ ତୁଳାଇବାହିଁ ରାଜଧର୍ମର ବର୍ତ୍ତବ୍ୟ କର୍ମ । ନତୁବା ଏକର୍ମ ପାଳନରେ ଶାସକ ହିଁ ଏକମାତ୍ର ରାଜଧର୍ମ ।

ଆତ୍ମ ତ୍ୟାଗଃ ସର୍ବଭୂତାନୁକମ୍ପାଃ ଲୋକଜ୍ଞାନଂ ପାଳନଂ ମୋକ୍ଷଣଞ୍ଚି ।

ବିଷଣାନାଂ ମୋକ୍ଷଣଂ ପୀଡ଼ିତାନାଂ କ୍ଷାତ୍ରେ ଧର୍ମେ ବିଦ୍ୟତେ ପାର୍ଥିବାନାମ୍‌ । ଯେଉଁ କ୍ଷତ୍ରିୟ ନିଜକୁ ନଶ୍ୱର ଜାଣି ପରୋପକାର ନିମନ୍ତେ ଆତ୍ମତ୍ୟାଗ, ଦ୍ରୋହ, ଦ୍ୱେଷହୀନତା ନେଇ ପ୍ରାଣୀ ନିର୍ବିଶେଷେ ଦୟା, ଲୋକଚରିତ୍ର ସମ୍ବନ୍ଧରେ ଜ୍ଞାନ, ଦୁର୍ଗତଜନଙ୍କୁ ଦୁର୍ଗତିରୁ ଉଦ୍ଧାର ଓ ଆର୍ତ୍ତର ପରିପାଳନ ପାଇଁ ହୃଦୟବୋଧ ନଥାଏ ସେ କେବେହେଁ ସାର୍ଥକ ରାଜା ହୋଇପାରେ ନାହିଁ । କ୍ଷାତ୍ରଧର୍ମର ଦୁର୍ଲ୍ଲଭ ଓ ଦୁର୍ଜ୍ଞେୟ ଶକ୍ତି ଆଦିଦେବ ନାରାୟଣଙ୍କଠାରୁ ହିଁ ଉତ୍ପନ୍ନ । ସେହି ଆଦିଦେବ ଶିଷ୍ଟାଚାର ପାଳନ ଓ ସୁରକ୍ଷା ନିମନ୍ତେ କ୍ଷତ୍ରିୟ ରାଜାଙ୍କୁ ପୃଥିବୀର ଧର୍ମଚକ୍ର ନିୟନ୍ତ୍ରଣ କରିବା ନିମନ୍ତେ ଦାୟିତ୍ୱ ଦେଇ ଅଛନ୍ତି । ଅତଏବ ଯେଉଁ ରାଜଧର୍ମ ସର୍ବଗୁଣା ସମାବିଷ୍ଟ ସେହି ଗୁଣ ସମନ୍ୱିତ ରାଜାର ମୁକ୍ତି ନିମନ୍ତେ ଅନ୍ୟ ଆଶ୍ରମ ଧର୍ମ ଆଶ୍ରୟ ପ୍ରାର୍ଥୀ ହେବାର ପ୍ରୟୋଜନ କଣ ? ଯେପରି ସବୁ ନଦୀ ସମୁଦ୍ରରେ ମିଶିଥାଏ, ସେହିପରି ସବୁଧର୍ମ କ୍ଷାତ୍ରଧର୍ମରେ ସନ୍ନିବିଷ୍ଟ ଅଛି । ଏହି ଧର୍ମ ପାଳନରେ ମର୍ତ୍ତ୍ୟାଧୀପ ସଜାଗ ନରହିଲେ ବର୍ଣ୍ଣ ଧର୍ମଚ୍ୟୁତି ହୋଇ ଓ ରାଜ୍ୟର ଅନିଷ୍ଟଭାଗୀ ହୋଇ ରାଜାଙ୍କୁ ନରକ ଯନ୍ତ୍ରଣା ଭୋଗ କରିବାକୁ ହୁଏ ।

ପୁନଶ୍ଚ ଇନ୍ଦ୍ରରୂପୀ ବିଷ୍ଣୁ କହିଲେ, କ୍ଷାତ୍ରଧର୍ମ, ରାଜଧର୍ମ ଏକ ସୁବିଶାଳ ଅକ୍ଷୟ ବଟ । ଏହାର ଶାଖା ପ୍ରଶାଖାରେ ପ୍ରାଣୀମାନେ ନିର୍ଭୟରେ ବାସ କରିଥାନ୍ତି ଏହାର ମନୋରମ ଛାୟାରେ ତାପଦଗ୍‌ଧ ଜନଙ୍କର କ୍ଲାନ୍ତି ଦୂର ହୋଇଥାଏ । ସୁମହାନ କ୍ଷାତ୍ରଧର୍ମ ବିଷମକୁ ବିନାଶ କରି ପୃଥିବୀର ସୁଷମକୁ ପ୍ରତିଷ୍ଠା କରେ । ସ୍ୱୟଂ ଭଗବାନ ବିଷ୍ଣୁ କ୍ଷାତ୍ରଧର୍ମ ଅବଲମ୍ବନ କରି ଅସୁରକୁଳ ନିଧାନ କରି ସୃଷ୍ଟି ସହିତ ବ୍ରାହ୍ମଣ୍ୟାଦି ଧର୍ମରକ୍ଷା କରିଥିଲେ । କ୍ଷାତ୍ରଧର୍ମ ମଧ୍ୟରେ ସର୍ବଧର୍ମର ସାର ବିଦ୍ୟମାନ । ସୁତରାଂ ବାନପ୍ରସ୍ଥ ବା ସନ୍ନ୍ୟାସ ଧର୍ମ ଆଭିଳାଷୀ ହେବାର ଅର୍ଥ ମୂଳକାଣ୍ତକୁ ପରିତ୍ୟାଗ କରି ଭଙ୍ଗୁର ପ୍ରଶାଖାକୁ ଆଶ୍ରୟ କରିବା ।

କ୍ଷାତ୍ରଧର୍ମରେ ଅଭିଜ୍ଞ ଓ ଦେବଲୋକର ଶାସକଠାରୁ ରାଜଧର୍ମର ସୁମହାନ ଗତି ଶ୍ରବଣ କରି ରାଜା ମାନ୍ଧାତାଙ୍କ ସନ୍ୟାସ ଅଭିଳାଷ ବିଲୀନ ହୋଇଥିଲା । ସେ ବୁଝିଲେ ଯେ ଜଗତ୍‌ଚକ୍ରରେ ପରିବର୍ତ୍ତନ ଯେପରି ଅବଶ୍ୟମ୍ଭାବୀ ସେହିପରି ରାଜାଙ୍କର ନିରଳସ କର୍ମ ଓ ଅସ୍ତିତ୍ୱ ଜଗତକୁ ଦୁର୍ନୀତିମୁକ୍ତ କରିବା ଅବଶ୍ୟମ୍ଭାବୀ ।

ଇନ୍ଦ୍ରରୂପୀ ଭଗବାନ ବିଷ୍ଣୁ ରପଣଲୋକ ପ୍ରତ୍ୟାବର୍ତ୍ତନ ପୂର୍ବରୁ ମାନ୍ଧାତାଙ୍କୁ ଶେଷ ଉପଦେଶ ଦେଇଥିଲେ–

‘‘ପ୍ରବୃତ୍ତସ୍ୟ ଧର୍ମସ୍ୟବୁଦ୍ଧ୍ୟା ଯଃ ସ୍ମରତେ ଗତିମ୍‌ ।

ସ ମେ ମାନଶ୍ଚ ପୂଜ୍ୟଶ୍ଚ ତତ୍ର କ୍ଷେତ୍ରଂ ପ୍ରତିଷ୍ଠିତମ୍‌ ।’’

ଅର୍ଥାତ୍‌ ଯେଉଁ ରାଜା ସ୍ୱୀୟ ଧୀଶକ୍ତି ବଳରେ ପ୍ରବୃତ୍ତ ଧର୍ମର ଗତି ପ୍ରକୃତିକୁ ଅନୁଧାବନ କରିଥାଏ, ମର୍ତ୍ତ୍ୟଲୋକରେ ସେହି ରାଜାହିଁ ପ୍ରକୃତ ଶାସକ । ସେହି ଶାସକ ମୋର ମଧ୍ୟ ପୂଜନୀୟ, କାରଣ ସେହି ଧର୍ମରେ ହିଁ କ୍ଷାତ୍ରଧର୍ମ ବା ରାଜଧର୍ମ ପ୍ରତିଷ୍ଠିତ ।

Image

 

ନାରଦ–ସୃଞ୍ଜୟ ସମ୍ବାଦ

 

ଏକଦା ସ୍ୱର୍ଗରାଜ୍ୟ ପରିଭ୍ରମଣ କାଳରେ ଦେବର୍ଷି ନାରଦଙ୍କର ମର୍ତ୍ତ୍ୟରେ କିଛି କାଳ ଅବସ୍ଥାନ ନିମନ୍ତେ ମନରେ ବାସନା ଜାତ ହୋଇଥିଲା । କିନ୍ତୁ ସେ ଚିନ୍ତା କଲେ ଯେ ସମବୟସ୍କ ଜଣେ ସଙ୍ଗୀ ସାଙ୍ଗରେ ରହିଲେ ଭ୍ରମଣ ଆନନ୍ଦ ଉପଭୋଗ କରିହେବ । ଏହିପରି ଚିନ୍ତା କରି ସେ ତାଙ୍କର ଭଗିନେୟ ପର୍ବତ ମୁନିଙ୍କୁ ଦେଖାକରି ଏକାନ୍ତରେ ପଚାରିଲେ–ତୁମେ ମୋ ସହିତ କିଛି ସମୟ ମର୍ତ୍ତ୍ୟଲୋକକୁ ଭ୍ରମଣ କରିବା ନିମନ୍ତେ ଯିବ କି ?

 

ମାତୁଳଙ୍କ ଏହି ପ୍ରସ୍ତାବରେ ପର୍ବତ ମୁନି ଅବିଳମ୍ବେ ସମ୍ମତି ଜଣାଇଲେ । କିଛି କାଳରୁ ସେହିପରି ଏକ ଇଚ୍ଛା ପର୍ବତଙ୍କ ମନରେ ମଧ୍ୟ ଥିଲା । ପର୍ବତଙ୍କ ମତରେ ବିଭିନ୍ନ ସ୍ଥାନ ଦର୍ଶନ ଓ ଭ୍ରମଣ ବ୍ୟତୀତ ମନ ଅଶାନ୍ତ ହୋଇଥାଏ । କିନ୍ତୁ ମାତୁଳ ନାରଦ ଅତ୍ୟନ୍ତ ଖାମଖେୟାଲୀ ଥିବାରୁ କୌଣସି ଅଘଟଣ ଘଟିପାରେ ଏହି ଆଶଙ୍କାରେ ପର୍ବତ ମୁନି ଅଗ୍ରପଶ୍ଚାତ ବିବେଚନା କରି ମାତୁଳଙ୍କୁ ଏକ ସର୍ତ୍ତରେ ଆବଦ୍ଧ କରିବା ନିମନ୍ତେ କହିଲେ–ପରିଭ୍ରମଣ କାଳରେ ମୋର ବା ଆପଣଙ୍କର ମନରେ ଯଦି କୌଣସି ବାସନା ଉଦ୍ରେକ ହୁଏ ତାହେଲେ ଉଭୟ ଉଭୟଙ୍କ ନିକଟରେ ପ୍ରକାଶ କରିବା, ଗୋପନ ରଖିବା ନାହିଁ ।

 

ମାତୁଳ ନାରଦ ଏହି ସର୍ତ୍ତ ସ୍ୱୀକାର କରିବାରୁ ‘ପର୍ବତ’ ନାରଦଙ୍କ ସହିତ ସ୍ୱର୍ଗଲୋକରୁ ମର୍ତ୍ତ୍ୟଲୋକକୁ ଅବତରଣ କଲେ । ଇତସ୍ତତଃ ପରିଭ୍ରମଣ ସମୟରେ ଏକଦା ସେମାନେ ଶ୍ୱେତପୁତ୍ର ରାଜା ସୃଞ୍ଜୟଙ୍କ ସମୀପରେ ଉପନୀତ ହେଲେ । କ୍ଷତ୍ରିୟ ହୋଇ ମଧ୍ୟ ରାଜା ସୃଞ୍ଜୟ ସପରିବାରରେ ବନାଶ୍ରମରେ କାଳ ଅତିବାହିତ କରୁଥିଲେ । ମୁନିଦ୍ୱୟଙ୍କୁ ଦେଖି ରାଜା ଯଥୋଚିତ ଅଭ୍ୟର୍ଥନା କରି ସାଧ୍ୟମତେ ଅତିଥି ସତ୍କାର କରିଥିଲେ ।

 

ଆତିଥ୍ୟ ଗ୍ରହଣ କରି ମୁନିଦ୍ୱୟ ବନାଶ୍ରମରେ ରହି ପରିଭ୍ରମଣ କରି ମର୍ତ୍ତ୍ୟଲୋକର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ । ଅତିଥିଦ୍ୱୟଙ୍କର ସେବାଯନ୍ତ୍ର ଓ ଯାବତୀୟ ପରିଚର୍ଯ୍ୟା, ରାଜାଙ୍କ ଆଦେଶରେ ରାଜକନ୍ୟା କରୁଥିଲେ । କ୍ରମଶଃ କନ୍ୟାଟିର ସାନ୍ନିଧ୍ୟରେ ରୂପମୁଗ୍‌ଧ ନାରଦଙ୍କ ମନରେ ଭାବାନ୍ତର ଦେଖାଦେଲା । ଇତସ୍ତତ ଭ୍ରମଣ କରୁଥିଲେ ହେଁ ତାଙ୍କର ମାନସିକ ଅବସ୍ଥା ପୃର୍ବ ଭଳି ପ୍ରଫୁଲ୍ଲ ନଥିଲା । ପ୍ରଲୁବ୍‌ଧ ମଧୁକର ସଦୃଶ କନ୍ୟାର ସାନ୍ନିଧ୍ୟ ଓ ରୂପସୁଧା ପାନର ବାସନା ଦେବର୍ଷିଙ୍କ ମନରେ ଜାତ ହେବାରୁ ସେ ଯେପରି ବିବେକ ଠାରୁ ଏକ ସାବଧାନବାଣୀ ଶୁଣୁଥିଲେ–‘‘ତୁମେ ଜିତେନ୍ଦ୍ରିୟ, ସ୍ୱର୍ଗଲୋକବାସୀ ହୋଇ କିପରି ଏହି ପାର୍ଥିବ ଭୋଗ ବିଳାସ ବାସନା ତୁମେ ମନରେ ସ୍ଥାନ ଦେଉଅଛ ?’’ ତଥାପି ନାରଦ ପର୍ବତ ମୁନିଙ୍କ ସହ ଭ୍ରମଣ ସମୟରେ ପ୍ରାୟତଃ ଅନମନସ୍କ ରହୁଥିଲେ । ପର୍ବତ ମୁନି ନାରଦଙ୍କୁ ନାନା ରକମ ପ୍ରଶ୍ନ ପଚାରି ଅନ୍ୟମନସ୍କତା କାରଣ ବୁଝିବାକୁ ଚେଷ୍ଟା କଲେହେଁ ନାରଦ କୌଣସି ସଦୁତ୍ତର ଦେଇ ନଥିଲେ ।

 

ପର୍ବତ ମୁନି ନାରଦଙ୍କ ଭାବାବେଗର ସଦୁତ୍ତର ନ ପାଇବାରୁ ଯୋଗାସନରେ ଉପବିଷ୍ଟ ହୋଇ ମାତୁଳଙ୍କର ମାନସିକ ସ୍ୱରୂପ ଜାଣିପାରିଲେ । କ୍ରୋଧରେ ଏକାନ୍ତରେ ନାରଦଙ୍କୁ କହିଲେ–ସ୍ୱର୍ଗ ତ୍ୟାଗ କରି ମର୍ତ୍ତ୍ୟକୁ ଆସିବା ସମୟରେ ସର୍ତ୍ତ ଥିଲା ଯେ କେହି କାହାରି ମନ କଥା ଗୋପନ ରଖିବେ ନାହିଁ, କିନ୍ତୁ ତୁମେ ରାଜକନ୍ୟାର ପ୍ରେମାଶକ୍ତ । ସଜ୍ଜନ ହୋଇ ମଧ୍ୟ ଏକଥା ଗୋପନ ରଖି ସର୍ତ୍ତ ଭଙ୍ଗ କରିଛ ।

 

ନାରଦଙ୍କୁ ଇତସ୍ତତ ହେବାର ଦେଖି ପର୍ବତମୁନି ଅଧିକ କ୍ଷିପ୍ତ ହୋଇ ଉଠିଲେ, କହିଲେ–ସର୍ତ୍ତ ଭଙ୍ଗ ଅପରାଧରେ ମୁଁ ତୁମକୁ ଅଭିଶାପ ଦେଉଛି ଯେ ବାନର ବୃତ୍ତି ସଦୃଶ ଏଯାବତ୍‌ ତୁମେ ତୁମ ମନର ବାସନା ରଖିଥିବାରୁ ରାଜକନ୍ୟା ସହିତ ବିବାହ ପର ମୁହୂର୍ତ୍ତରେ ହିଁ ତୁମ୍ଭର ମୁଖ ବାନର ଆକୃତି ପ୍ରାପ୍ତ ହେବ ।

 

ପର୍ବତ ମୁନିଙ୍କ ଅଭିଶାପରେ ନାରଦଙ୍କର ମଧ୍ୟ ଧୈର୍ଯ୍ୟଚୁତି ହେଲା । ସେ ମଧ୍ୟ ପର୍ବତଙ୍କୁ ଅଭିଶାପ ଦେଲେ- ମୋର ଯେତେକ୍ଷଣ ପର୍ଯ୍ୟନ୍ତ ସ୍ୱାଭାବିକ ଅବସ୍ଥା ନହେବ–ସେତେକ୍ଷଣ ପର୍ଯ୍ୟନ୍ତ ତୁମ୍ଭର ସ୍ୱର୍ଗପଥ ରୁଦ୍ଧ ରହିବ ଓ ଏହି ମର୍ତ୍ତ୍ୟଲୋକରେ ତୁମେ ପରିଭ୍ରମଣ କରୁଥିବ ।

 

ଋଷିମାନଙ୍କର ବଚନ ବା ଅଭିଶାପ କେବେହେଁ ବିଫଳ ଯାଏ ନାହିଁ । ଅତଃପର ରାଜକନ୍ୟା ପ୍ରେମମୋହିତ ଦେବର୍ଷି ନାରଦ ରାଜକନ୍ୟାକୁ ବିବାହ କରିବା ପରକ୍ଷଣରେ ହିଁ ପୂର୍ବ ଅଭିଶାପ ଯୋଗୁଁ ନାରଦଙ୍କ ମୁଖ ବାନର ଆକୃତି ଧାରଣ କଲା ।

 

କୁତ୍ସିତ ଦର୍ଶନ ପତିଙ୍କୁ, ପତି ଜ୍ଞାନରେ ରାଜକନ୍ୟା ପୂର୍ବଭଳି ସେବା, ପରିଚର୍ଯ୍ୟା କରିବାକୁ ଲାଗିଲେ । ଅନ୍ୟ ଦିଗରେ ମର୍ତ୍ତ୍ୟ ଭୂମିରେ ବିଚରଣ ସମୟରେ ପର୍ବତ ମୁନି ସ୍ୱର୍ଗକୁ ଯିବାକୁ ବହୁତ ଚେଷ୍ଟା କରି ମଧ୍ୟ ନାରଦଙ୍କ ଅଭିଶାପ ଯୋଗୁଁ ବିଫଳ ହେଲେ । ପାର୍ଥିବ ମୋହରେ ସେ ନିଜେ ଆକୃଷ୍ଟ ହେଉଥିବାର ଅନୁଭବ କରି ଏକଦା ରାଜା ସୃଞ୍ଜୟଙ୍କ ନିକଟରେ ଉପସ୍ଥିତ ହେଲେ ଓ ରାଜକନ୍ୟାଙ୍କର ଅସାଧାରଣ ପତି ସେବା ଦର୍ଶନରେ ମୁଗ୍‌ଧ ହୋଇ ନାରଦଙ୍କ ପ୍ରତି ତାଙ୍କର ଅଭିଶାପ ପ୍ରତ୍ୟାହାର କରିଥିଲେ । ନାରଦ ମଧ୍ୟ ପର୍ବତ ମୁନିଙ୍କ ପ୍ରତି ଅଭିଶାପ ଅବିଳମ୍ବେ ପ୍ରତ୍ୟାହାର କଲେ ।

 

ପୂର୍ବ ସୌହାର୍ଦ୍ଦ୍ୟ ଫେରି ଆସିବାରୁ ଉଭୟ ଏକତ୍ର କିଛିକାଳ ମର୍ତ୍ତ୍ୟରେ କଟାଇଥିଲେ । ବର୍ଷାକାଳ ସମାଗତ ହେବାରୁ ସ୍ୱର୍ଗ କାତର ପର୍ବତମୁନି ସ୍ୱର୍ଗକୁ ଫେରିବା ନିମନ୍ତେ ମନସ୍ଥ କରିଥିଲେ ହେଁ ରାଜାଙ୍କ ଅନୁରୋଧରେ ଅଧିକ କିଛି କାଳ ସେଠାରେ ରହିଥିଲେ ।

 

ସେହି ସମୟରେ ନାରଦ ପର୍ବତ ମୁନିଙ୍କୁ କହିଲେ, ଏତେ କାଳ ରାଜା ସୃଞ୍ଜୟ ଆମ୍ଭ ଦୁହିଁଙ୍କର ସେବାଯତ୍ନ ନିଷ୍ଠାପର ଭାବରେ କରି ଆସିଛନ୍ତି, ସ୍ୱର୍ଗ ପ୍ରତ୍ୟାବର୍ତ୍ତନ ପୂର୍ବରୁ ରାଜାଙ୍କ ଅଭିଳାଷପୂର୍ଣ୍ଣ କରିବା ଆମ୍ଭର କର୍ତ୍ତବ୍ୟ ବୋଲି ମୁଁ ବିବେଚନା କରୁଛି । ଉଭୟେ ଏହି ପ୍ରସ୍ତାବରେ ସମ୍ମତ ହେବାରୁ ପର୍ବତ ମୁନି ରାଜା ସୃଞ୍ଜୟଙ୍କୁ ଏକାନ୍ତରେ କହିଲେ–ତୁମ ପରିଚର୍ଯ୍ୟାରେ ଆମ୍ଭେ ଅତୀବ ତୁଷ୍ଟ । ତୁମ୍ଭର କୌଣସି ଅଭିଳାଷ ଥିଲେ ତାହା ଆମ୍ଭେ ଅବଶ୍ୟ ପୂରଣ କରିବୁ ।

 

ରାଜା କହିଲେ–ମୁନିବର, ଏକମାତ୍ର ଏହି କନ୍ୟା ବ୍ୟତୀତ ମୋର ଦ୍ୱିତୀୟ କେହି ଆତ୍ମଜ ନାହାନ୍ତି । ମୁଁ ଏପରି ଏକ ପୁତ୍ର ଇଚ୍ଛା କରେ ଯେ ବିଦ୍ୟା ଜ୍ଞାନ ଶୌର୍ଯ୍ୟ ଓ ବଳରେ ଅତୁଳନୀୟ ହୋଇ ରହିବ ଓ ସେହି ଅଭିଲିପ୍‌ସିତ ପୁତ୍ର କେବେହେଁ କେଉଁଠାରେ ପରାଭବ ସ୍ୱୀକାର କରିବ ନାହିଁ ।

 

ପର୍ବତ କହିଲେ–ରାଜନ୍‌, ତୁମ୍ଭର ମନ ବାସନା ଅବଶ୍ୟ ପୂରଣ ହେବ । ଅଚିରେ ତୁମ୍ଭେ ସେହିପରି ଏକ ପୁତ୍ର ଲାଭ କରିବ । ସେହି ପୁତ୍ର ଭାଗ୍ୟରେ ତୁମ ଭାଗ୍ୟ ପରିବର୍ତ୍ତନ ହେବ । ସେ ପୁତ୍ର ଯେତେବେଳେ ହସିବ ସୁନା ଝରିବ ଓ କାନ୍ଦିଲେ ଅପ୍ରୁବିନ୍ଦୁ ସବୁ ସୁନା ହୋଇଯିବ । ଏହାପରେ ପର୍ବତ ମୁନି କିଛି କାଳ ଚିନ୍ତା କରି କହିଲେ- କିନ୍ତୁ ସେହି ପୁତ୍ର ଅତି ଅଳ୍ପାୟୁ ହେବ ।

 

ପର୍ବତଙ୍କ ଶେଷବାକ୍ୟ ଶୁଣି ରାଜାଙ୍କ ମନ ନିରାନନ୍ଦ ଓ ଭାରାକ୍ରାନ୍ତ ହେଲା । ଅନେକ ଅନୁରୋଧ ଓ ଉପରୋଧ କରିବା ସତ୍ତ୍ୱେ ମୁନିବର ନିରୁତ୍ତର ରହିଲେ । ଶେଷରେ ଦେବର୍ଷି ନାରଦ ରାଜାଙ୍କୁ ଆଶ୍ୱାସନା ଦେଇ କହିଲେ- ସେହି ଘୋର ଦୁର୍ଦ୍ଦିନରେ ମୋତେ ସ୍ମରଣ କଲେ ମୁଁ ସେହି ପୁତ୍ରକୁ ଯମାଳୟରୁ ଫେରାଇ ଆଣି ପାରିବି । ଏହା ଶୁଣି ରାଜା ଆଶ୍ୱସ୍ତ ହେଲେ ।

 

ଅତଃପର ଦେବର୍ଷି ନାରଦ ଓ ମହାତ୍ମା ପର୍ବତ ଉଭୟ ସ୍ୱର୍ଗଲୋକ ଗମନ କଲେ । ସତ୍ୟାଶ୍ରୟୀ ମୁନିବାକ୍ୟ କେବେହେଁ ବିଫଳ ଯାଏ ନାହିଁ । ଯଥା ସମୟରେ ଋଷିଙ୍କ ବଚନ ରୂପ ପରିଗ୍ରହ କରିଥିଲା ।

 

କିଛିକାଳ ଗତ ହେବା ପରେ ରାଜପରିବାରରେ ସେହିପରି ଏକ ଅସାମାନ୍ୟ ପୁତ୍ର ଜନ୍ମଗ୍ରହଣ କରିଥିଲା । ଜନ୍ମାବଧି ସେ ଅତୁଟ ସ୍ୱାସ୍ଥ୍ୟବାନ ଓ କନ୍ଦର୍ପ ସଦୃଶ ରୂପବାନ ଥିଲା । ଆନନ୍ଦିତ ଚିତ୍ତରେ ରାଜା ଦେଖିଲେ ପୁତ୍ରର ହସ ଓ କାନ୍ଦରେ ମୁନିଙ୍କ ବାକ୍ୟ ସତ୍ୟ ହୋଇ ତାହା ସୁବର୍ଣ୍ଣରେ ପରିଣତ ହେଉଛି । ଏପରିକି ପାଟିରୁ ଲାଳ ନିର୍ଗତ ହେଲେ ତାହା ମଧ୍ୟ ସୁବର୍ଣ୍ଣରେ ପରିଣତ ହେଉଛି । ଅସରନ୍ତି ସୁବର୍ଣ୍ଣରେ ରାଜପୁରୀ ପରିପୂର୍ଣ୍ଣ ହୋଇଯିବାରୁ ରାଜା ପୁତ୍ରର ନାମକରଣ କଲେ ‘ସ୍ୱର୍ଣ୍ଣଷ୍ଠିବୀ’ ।

 

ପୁତ୍ରର ପରିଚର୍ଯ୍ୟା ନିମନ୍ତେ ରାଜା ଏକ ବିଶ୍ୱସ୍ଥା ପରିଚାରିକା ନିୟୋଗ କଲେ । ଭବିଷ୍ୟତ ଅଘଟନ ଘଟିବା ପାଇଁ ଦେବର୍ଷି ନାରଦଙ୍କ ନିର୍ଭର ଆଶ୍ୱାସ ପାଇଥିବାରୁ ରାଜଦମ୍ପତ୍ତି ଅତୀତ ଓ ବର୍ତ୍ତମାନ କ୍ରମଶଃ ବିସ୍ମୃତ ହେଲେ ।

 

ସ୍ୱର୍ଣ୍ଣସ୍ତୂପରେ ଦିନକୁ ଦିନ ରାଜପୁରୀ ପୂର୍ଣ୍ଣ ହେବାକୁ ଲାଗିଲା । ଏତେ ବିପୁଳ ପରିମାଣ ସ୍ୱର୍ଣ୍ଣ କେଉଁ କାର୍ଯ୍ୟରେ ଲାଗିବ ଏହା ଭାବି ରାଜା, ଦାନ ଯାଗଯଜ୍ଞ ଇତ୍ୟାଦି ଓ ଅତିଥି ସେବାରେ ସ୍ୱର୍ଣ୍ଣଦାନ କରି ଭୁବନ ବିଖ୍ୟାତ ହେଲେ । ସୁବର୍ଣ୍ଣଷ୍ଠୀବି ମଧ୍ୟ ଦିନକୁ ଦିନ ଅଲୌକିକ ପରାକ୍ରମ ନେଇ ବଢ଼ିବାକୁ ଲାଗିଲା । ରାଜାଙ୍କର ସେହି ଦାନ, ସେବାର ସମ୍ବାଦ ଏକ ସମୟରେ ଭୂଲୋକରୁ ସ୍ୱର୍ଗ ଲୋକରେ ପହଞ୍ଚିଲା । ଦେବରାଜ ଇନ୍ଦ୍ର ମର୍ତ୍ତ୍ୟଲୋକର ରାଜା ସୃଞ୍ଜୟଙ୍କ ଦାନ, ସେବା ଖବରରେ ସନ୍ତ୍ରସ୍ଥ ହୋଇ ଉଠିଲେ । ଇନ୍ଦ୍ର ଚିନ୍ତା କଲେ, କେଉଁ ଉଦ୍ଦେଶ୍ୟରେ ରାଜା ଏପରି ବିପୁଳ ପରିମାଣରେ ସ୍ୱର୍ଣ୍ଣଦାନ ଓ ସେବା ଧର୍ମାନୁଷ୍ଠାନ କରୁଛନ୍ତି । ଉଦ୍ଦେଶ୍ୟହୀନ କର୍ମ ମର୍ତ୍ତଲୋକର ମନୁଷ୍ୟ କେବେହେଁ କରେ ନାହିଁ । ସେ ଭାବିଲେ ଯଦି କୌଣସି ମର୍ତ୍ତ୍ୟଲୋକ ଅଧିବାସୀ ସତ୍‌କର୍ମ ବଳରେ ମର୍ତ୍ତ୍ୟଲୋକରେ ସୁଖଭୋଗ ପ୍ରୟାସୀ ହୋଇ ନିରଙ୍କୁଶ ଆଧିପତ୍ୟ ବିସ୍ତାର ଲାଭ କରିପାରେ ତା’ହେଲେ ସେ ଯେ ଦିନେ ଅଚିରେ ସ୍ୱର୍ଗ ଲୋକରେ ଆଧିପତ୍ୟ ବିସ୍ତାର କରିବ ନାହିଁ । ଏ କଥା କିଏ ଅସ୍ୱୀକାର କରିପାରିବ ? ଏହି ଚିନ୍ତା କରୁ କରୁ ଦେବରାଜ ଇନ୍ଦ୍ର ନିଶ୍ଚିତ ସିଦ୍ଧାନ୍ତ ନେଲେ ଯେ ରାଜା ସୃଞ୍ଜୟ ଇନ୍ଦ୍ରପଦ ଅଭିଳାଷୀ ହୋଇ ଏପରି ଦାନ, ଧର୍ମ ସେବା ଇତ୍ୟାଦି ଧର୍ମନୁଷ୍ଠାନ କରି ଚାଲିଛନ୍ତି । ଏସବୁ ଧର୍ମାନୁଷ୍ଠାନର ମୂଳ କାରଣ ହିଁ ତାଙ୍କର ପୁତ୍ର ସୁବର୍ଣ୍ଣଷ୍ଠୀବି । କାରଣ ସୁପ୍ରଚୁର ଅର୍ଥ ସାମର୍ଥ୍ୟ ବ୍ୟତୀତ ଏତେ ବିପୁଳ ପରିମାଣରେ ସୁବର୍ଣ୍ଣ ଦାନ, ଧର୍ମ, ସେବା କର୍ମାଦି ଅନୁଷ୍ଠାନ ସମ୍ଭବ ନୁହେଁ । କେବଳ ପୁତ୍ର ସୁବର୍ଣ୍ଣଷ୍ଠୀବି ହିଁ ଏସବୁ କର୍ମର ମୂଳ ଇନ୍ଧନ । ସୁତରାଂ ଅଚିରେ ଏହି ପୁତ୍ର ବିନାଶ ନହେଲେ ରାଜା ସୃଞ୍ଜୟଙ୍କର ଇନ୍ଦ୍ରତ୍ୱ ପ୍ରାପ୍ତି ଅଗ୍ରଗତିକୁ ରୋଧ କରିବା ସମ୍ଭବ ହେବ ନାହିଁ । ଏହା ଚିନ୍ତାକରି ଦେବରାଜ ଇନ୍ଦ୍ର ରାଜପୁତ୍ର ସୁବର୍ଣ୍ଣଷ୍ଠୀବିକୁ ବିନାଶ କରିବା ନିମନ୍ତେ ଶେଷ ସିଦ୍ଧାନ୍ତ ନେଲେ ।

 

ପୁତ୍ର ବୟଃକ୍ରମ ପଞ୍ଚବର୍ଷ ହେବା ସମୟରେ ଏକଦା ସପୁତ୍ର ଓ ପରିଚାରିକା ସହ ରାଜଦମ୍ପତି ବନବିହାରରେ ନିର୍ଗତ ହୋଇ ଏକ ନଦୀ ପୁଳିନରେ ଉପନୀତ ହେଲେ । ପରିଚାରିକାକୁ ପୁତ୍ରର ଦାୟିତ୍ୱ ଅର୍ପଣ କରି ରାଜଦମ୍ପତି ନଦୀରେ ସ୍ନାନ ନିମନ୍ତେ ଜଳରେ ପ୍ରବେଶ କଲେ । ପୁତ୍ର ଚତୁର୍ଦ୍ଦିଗରେ ହର୍ଷୋତ୍‌ଫୁଲ ହୋଇ ଦୌଡ଼ା ଦୌଡ଼ି କରୁଥିଲେ ହେଁ ପରିଚାରିକାର ସଜାଗ ଦୃଷ୍ଟି ପୁତ୍ର ଉପରେ ହିଁ ନିବଦ୍ଧ ଥିଲା । ଅଦୂରରେ ପୁତ୍ର ଏକ ନିବିଡ଼ ଗୁଳ୍ମ ବୁଦା ନିକଟସ୍ଥ ହେବାରୁ ସହସା ସେହି ଗୁଳ୍ମବୁଦା ଭେଦ କରି ଏକ ବିଶାଳକାୟ ବ୍ୟାଘ୍ର ମୁହୂର୍ତ୍ତକ ମଧ୍ୟରେ ପୁତ୍ରକୁ ହରଣ କରି ଅଦୃଶ୍ୟ ହୋଇଗଲା । ସ୍ତମ୍ଭୀତା ପରିଚାରିକାର ଚିତ୍କାର ଓ ଆର୍ତ୍ତନାଦରେ ରାଜା ସେଠାରେ ତତ୍‌କ୍ଷଣାତ୍‌ ଉପସ୍ଥିତ ହେଲେ ହେଁ ପୁତ୍ରର ସନ୍ଧାନ ପାଇ ନଥିଲେ । ସେହି ଗୁଳ୍ମବୁଦା ବିଦୀର୍ଣ୍ଣ କରି ସହସ୍ର ରାଜା ବ୍ୟାଘ୍ର ଅନୁସନ୍ଧାନରେ ଯାଇ ଅଦୂରରେ ପୁତ୍ରର ରକ୍ତଶୂନ୍ୟ ନିଷ୍ପ୍ରାଣ ଦେହ ପତିତ ହୋଇଥିବାର ଦେଖିଲେ । ରାଜା ଶୋକଗ୍ରସ୍ତ ହୋଇ ଆକୁଳ କ୍ରନ୍ଦନ କରି ପୁତ୍ରର ସେହି ପ୍ରାଣହୀନ ଦେହ ଧାରଣ କରି ରାଣୀଙ୍କ ସମୀପବର୍ତ୍ତୀ ହୋଇଥିଲେ । ରାଜାଦମ୍ପତି ଉଭୟଙ୍କର ଶୋକାବେଗରେ ବନସ୍ଥଳୀ କାତର ହୋଇ ଉଠିଥିଲା । କେଉଁ ଅପରାଧ କୃତକର୍ମରୁ ଏପରି ଶାସ୍ତି ବିଧାତା ଦେଲେ ଏହା ଭାବିବାକୁ ଲାଗିଲେ ।

 

ଅକସ୍ମାତ୍‌ ରାଜା ସୃଞ୍ଜୟଙ୍କର ଦେବର୍ଷି ନାରଦ ଓ ମହାତ୍ମା ପର୍ବତମୁନିଙ୍କ ବାଣୀ ସ୍ମୃତି ପଥରେ ଉଦୟ ହୋଇଥିଲା । ତାଙ୍କର ମନେ ପଡ଼ିଲା ଯେ ମହାତ୍ମା ପର୍ବତମୁନି ପୁତ୍ର ସ୍ୱଳ୍ପାୟୁ ହେବ ବୋଲି କହିଥିଲେ ହେଁ ଦେବର୍ଷି ନାରଦ ଆଶ୍ୱାସ ଦେଇ କହିଥିଲେ, ଆପଦ କାଳରେ ସ୍ମରଣ ପୂର୍ବକ ସେ ଆସି ମୃତ ପୁତ୍ରକୁ ଯମାଳୟରୁ ଫେରାଇ ଆଣିବେ ।

 

ଏହା ସ୍ମରଣ କରି ରାଜା ଦେବର୍ଷି ନାରଦଙ୍କୁ ତତ୍‌କ୍ଷଣାତ୍‌ ମନେ ମନେ ସ୍ମରଣ କଲେ । ଦେବର୍ଷିଙ୍କ ଚିତ୍ତ ଚାଞ୍ଚଲ୍ୟ ହୋଇ ସତ୍ୟବାକ୍ୟ ରକ୍ଷା ନିମନ୍ତେ ସେଠାରେ ଉପସ୍ଥିତ ହେଲେ ।

 

ଦେବର୍ଷି ରାଜାଙ୍କୁ ଦେଖି କହିଲେ–ବ୍ୟାଘ୍ର ବିହୀନ ଏ ବନସ୍ଥଳୀ ବ୍ୟାଘ୍ରଦ୍ୱାରା ପୁତ୍ର ବିନଷ୍ଟ ହେଲେ ମଧ୍ୟ ରାଜାଙ୍କ ସଦୃଶ ମୃଗୟା ବୀର ହସ୍ତରୁ ସେହି ବ୍ୟାଘ୍ର ନିମିଷକେ କିପରି ଅନ୍ତର୍ହିତ ହେଲା ?

 

ରାଜା କହିଲେ–ମହାଭାଗ ! ଏହି ରହସ୍ୟ ମୋର ମଧ୍ୟ ବୋଧଗମ୍ୟ ହେଉନାହିଁ ।

 

ଦେବର୍ଷି କହିଲେ–ଦେବରାଜ ଇନ୍ଦ୍ରଙ୍କ ସହିତ ଅନ୍ତରଙ୍ଗତା ହେତୁ ପର୍ବତ ମହାତ୍ମା ଆପଣଙ୍କର ପୁତ୍ର ବାସନା ପୂର୍ଣ୍ଣ କଲେ ହେଁ ସ୍ୱଳ୍ପାୟୁ କରିଥିଲେ । କାରଣ ପର୍ବତ ମୁନିଙ୍କର ଆଶଙ୍କା ଥିଲା ପୁତ୍ର ସୌଭାଗ୍ୟରେ ଆପଣ ଦିନେ ଏପରି କୀର୍ତ୍ତିମାନ ହେବେ ଓ ଦେବରାଜ ଇନ୍ଦ୍ରଙ୍କର ପ୍ରତିସ୍ପର୍ଦ୍ଧୀ ହୋଇ ଦେବାଧିପ ହୋଇ ପାରନ୍ତି । ସେଥିପାଇଁ ଦେବରାଜ ପୁତ୍ର ନିଧନ ନିମନ୍ତେ ବ୍ୟାଘ୍ର ଋଷି ଅମୋକ୍ଷ ଶକ୍ତି ବଜ୍ରକୁ ପ୍ରେରଣ କରିଥିଲେ । ସେହି ଶକ୍ତି ପ୍ରତିରୋଧ କରିବା ପାର୍ଥିବ ମନୁଷ୍ୟ ପକ୍ଷରେ ଅସାଧ୍ୟ ।

 

ରାଜା କହିଲେ–ମହାଭାଗ ! ମୋର ଦେବାଧିପ ହେବାର କୌଣସି ମନୋବାଞ୍ଛା ନଥିଲା ।

 

ଦେବର୍ଷି କହିଲେ–ରାଜନ୍‌, ସତ୍‌ପୁରୁଷର ବସନା ସାଧାରଣ ମନୁଷ୍ୟ ସଦୃଶ କଦାପି ବିଶେଷ ଭାବରେ ଜାଗ୍ରତ ହୁଏ ନାହିଁ । ସେହି ବାସନା ସତକର୍ମ ସହିତ ପ୍ରକାରାନ୍ତରେ ଅଙ୍ଗାଅଙ୍ଗୀ ଜଡ଼ିତ ହୋଇଥାଏ ଓ ଏହା ଅପ୍ରତ୍ୟକ୍ଷ । ଦୁଗ୍‌ଧ ମଧ୍ୟରେ ମାଠା (ଛେନା) ସ୍ୱତନ୍ତ୍ର ଭାବରେ ଦେଖାଯାଏ କି ?

 

ଅତଃପର ଅବରୁଦ୍ଧ କଣ୍ଠରେ ରାଜା ସୃଞ୍ଜୟ ଦେବର୍ଷି ନାରଦଙ୍କୁ କହିଲେ, ଆପଣ ବଚନ ଦେଇଥିଲେ ଯେ ଆପଣ ମୋ ପୁତ୍ରକୁ ଜୀବନଦାନ କରିବେ, ଅତଏବ ବଚନ ରକ୍ଷା କରି ମୋ ପୁତ୍ରକୁ ଜୀବିତ କରନ୍ତୁ, ନଚେତ୍‌ ମୁଁ ଏହିଠାରେ ଆପଣଙ୍କ ସମ୍ମୁଖରେ ହିଁ ଆତ୍ମାଘାତୀ ହେବାକୁ ବାଧ୍ୟ ହେବି ।

 

ଦେବର୍ଷି କହିଲେ–ରାଜନ୍‌ ! ଆପଣ ଅଜ୍ଞାନୀ ନୁହନ୍ତି; ଜନ୍ମ ଓ ମୃତ୍ୟୁ ରହସ୍ୟ ମଧ୍ୟ ଆପଣଙ୍କର ଅଜଣା ନୁହେଁ । ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆୟୁଭୋଗ କରି ମନୁଷ୍ୟ ଏହି ପୃଥିବୀ ତ୍ୟାଗ କରିଥାଏ । ଅବଶ୍ୟ ସ୍ୱଇଚ୍ଛାରେ କେତେକ ନିଜ ଆୟୁକୁ ନିଃଶେଷ କରିଥାନ୍ତି । କିନ୍ତୁ କୌଣସି ଜ୍ଞାନୀ କେବେହେଁ ଏପରି କର୍ମ କରେ ନାହିଁ । ତା’ର କାରଣ ପ୍ରାରବ୍‌ଧ ଭୋଗ ଶେଷ ନହେବା ପର୍ଯ୍ୟନ୍ତ ଇହଜଗତରୁ ପରିତ୍ରାଣ ମିଳେ ନାହିଁ । ଜ୍ଞାନି କେବେହେଁ ମୃତ୍ୟୁଜନିତ ଶୋକ କରେ ନାହିଁ ।

 

ରାଜା କହିଲେ–ଦେବର୍ଷି ! ମୁଁ ସବୁ ଜାଣି ସୁଦ୍ଧା ମୋ ମନ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଛି । ବହୁପୁତ୍ର ମଧ୍ୟରେ ଏକ ପୁତ୍ର ମୃତ୍ୟୁ କିଞ୍ଚିତ୍‌ ବିୟୋଗ ବ୍ୟଥା ଆଣିଥାଏ, କିନ୍ତୁ ସର୍ବଗୁଣାନ୍ୱିତ ଏକମାତ୍ର ପୁତ୍ର ବିୟୋଗରେ କୌଣସି ପିତା ଆତ୍ମ ସମ୍ବରଣ କରିପାରେ କି ?

 

ଦେବର୍ଷି କହିଲେ–ରାଜା ଆପଣଙ୍କ ବଚନ ଅବଶ୍ୟ ସତ୍ୟ । ଗୁଣବାନ ଏକ ପୁତ୍ରର ପିତା ହେବାହିଁ ଦୁର୍ଭାଗ୍ୟଜନକ ଓ ସେହି ପୁତ୍ର ବିୟୋଗ ନିଶ୍ଚୟ ମର୍ମାନ୍ତକ । କିନ୍ତୁ ସେହି ଯନ୍ତ୍ରଣା କେବଳ ଆପଣ କଣ ଏକାକୀ ଏହି ପୃଥିବୀରେ ଭୋଗ କରିଛନ୍ତି ? ଧର୍ମ, ଜ୍ଞାନ, ବୈରାଗ୍ୟ ଓ ଐଶ୍ୱର୍ଯ୍ୟ ଏହି ଚତୁର୍ଗୁଣରେ ଆପଣ ମହୀୟାନ, ତଥାପି ଶୋକାତୁର ହୋଇ କିପରି ବିସ୍ମୃତ ହେଉଛନ୍ତି ଯେ ଜନ୍ମ ପରେ ମୃତ୍ୟୁ ଓ ମୃତ୍ୟୁ ପରେ ଜନ୍ମ ବ୍ରହ୍ମାଣ୍ତର ଏକ ନିର୍ବଶେଷ ଗୁଣ ? ସବୁଗୁଣକୁ ଅତିକ୍ରମ କରି ନିୟନ୍ତ୍ରଣାଧୀନ କଲେ ମଧ୍ୟ ମନୁଷ୍ୟ ଏହାକୁ ଅତିକ୍ରମ କରି ପାରେ ନାହିଁ-। ସମୟାନୁସାରେ ମନୁଷ୍ୟ କାଳ କବଳିତ ହୋଇଥାଏ । ଇତିହାସରେ ଏପରି କୌଣସି ମନୁଷ୍ୟ ଦେଖାଯାନ୍ତି ନାହିଁ ଯେ କି କେବେହେଁ ପୁତ୍ର ଶୋକାତୁର ହୋଇ ନାହାନ୍ତି । ଏପରି କାହାକୁ ଦେଖାଯାଏ ନାହିଁ ଯେ ମୃତ୍ୟୁକୁ ଅନୁଭବ କରି ନାହାନ୍ତି ।

 

ଏସବୁ ଉପଦେଶ ସତ୍ତ୍ୱେ ରାଜଦମ୍ପତିଙ୍କ ଶୋକାବେଗ ପ୍ରଶମିତ ହୋଇ ନଥିଲା ।

 

ପୁନଶ୍ଚ ଦେବର୍ଷି କହିଲେ–ମନୁଷ୍ୟ ଇତିହାସରୁ ଶିକ୍ଷାଲାଭ କରେ ଓ ସେହି ଇତିହାସ ଅନୁସରଣରେ ଜ୍ଞାନ ଆହରଣ କରିଥାଏ । ରାଜନ୍‌ଙ୍କ ପୂର୍ବାପର ଇତିହାସ ଅଜଣା ନଥିବ । ତଥାପି କ୍ରମାନୁସାରେ କେତେଗୋଟି ଐତିହାସିକ ସତ୍ୟ ଘଟଣା କହିବି–ଏହା ଶ୍ରବଣ କରନ୍ତୁ ଓ ଜଗତ୍‌ ସ୍ୱଭାବ ଅବହିତ ହୋଇ ଶୋକ ସମ୍ବରଣ କରନ୍ତୁ ।

 

କିୟତକାଳ ପରେ ଦେବର୍ଷି କହିଲେ–ମୁଁ କେତେଜଣ କ୍ଷିତପତୀଙ୍କ ନାମ, ଶୁଣାଇବି, ଯେଉଁମାନେ ବର୍ତ୍ତମାନ ଏ ଧରାଧାମରେ ନାହାନ୍ତି । ସେମାନଙ୍କ ଗୁଣାବଳୀ ମଧ୍ୟ ଆପଣଙ୍କ ସଦୃଶ ସମତୂଲ୍ୟ ଥିଲା ।

 

ଅରକ୍ଷିତଙ୍କ ପୁତ୍ର ରାଜା ମରୁତ ଯଜ୍ଞ ବୈଭବରେ ଦେବରାଜ ଇନ୍ଦ୍ରଙ୍କୁ ପରାଭୂତ କରିଥିଲା, ରାଜା ସୁହତ୍ର ଶତଯଜ୍ଞକାରୀ, ଅଙ୍ଗଦେଶ ଅଧିପତି ବୃହଦ୍ରଥ, ଇନ୍ଦ୍ରତୁଲ୍ୟ ପରାକ୍ରମଶାଳୀ ରାଜା ଶିବି, ଶତସହସ୍ର ଅଶ୍ୱମେଧ ଯଜ୍ଞକାରୀ ଦୁଷ୍ମନ୍ତ ତନୟ ରାଜା ଭରତ, ଅଯୋଧ୍ୟା ନରପତି ରାମଚନ୍ଦ୍ର ଏମାନେ ଏପରି କଣ ଅପରାଧ କରିଥିଲେ ସେମାନଙ୍କୁ ଇହଧାମ ତ୍ୟାଗ କରିବାକୁ ହୋଇଥିଲା ? ଧର୍ମ ପାଳନ ଓ ଧର୍ମ ସଂରକ୍ଷଣରେ ସେମାନଙ୍କର କୌଣସି ତ୍ରୁଟି ନଥିଲେ ମଧ୍ୟ ଆତ୍ମୀୟ ସ୍ୱଜନ ତ୍ୟାଗକରି ସେମାନଙ୍କୁ ପୃଥିବୀ ବକ୍ଷରୁ ବିଦାୟ ନେବାକୁ ହୋଇଥିଲା । ସ୍ୱୟଂ ଦେବରାଜଙ୍କ ଲାଳିତ ପାଳିତ ରାଜା ମାନ୍ଧାତା, ନହୁଷ ପୁତ୍ର ଯଯାତି, ରାଜା ଅମ୍ବରୀଷ, ପୁଣ୍ୟାତ୍ମା ଥିଲେ ମଧ୍ୟ ଏହି ପୃଥିବୀ ତ୍ୟାଗ କରିଥିଲେ । ଅମୂର୍ତରାୟର ପୁତ୍ର ଅଗ୍ନିଦେବଙ୍କ କୃପାରୁ ଅସରନ୍ତି ବୈଭବ ସମନ୍ୱିତ ଥିଲେ ହେଁ ସେ ପ୍ରାଣତ୍ୟାଗ କରିଥିଲେ । ସେମାନଙ୍କର ଶରୀର ଅସ୍ତିତ୍ୱ ଏହି ପୃଥିବୀରେ ଲୁପ୍ତ ହେଲା କାହିଁକି ? ରାଜନ୍‌ ବା ରାଜନ୍‌ଙ୍କ ପୁତ୍ର ତୁଳନାରେ ସେମାନଙ୍କର ଧର୍ମଜ୍ଞାନ, ବୈରାଗ୍ୟ, ଐଶ୍ୱର୍ଯ୍ୟ କିଛିମାତ୍ର ଊଣା ଥିଲା କି ? ନାରଦ ବଚନମାନ ଶ୍ରବଣ କରୁ କରୁ ରାଜାଙ୍କ ମାନସିକ ଉଦ୍‌ବେଳତା କ୍ରମଶଃ ସ୍ତୀମିତ ହୋଇଥିଲା । ସେ ଚିନ୍ତା କରି ଜାଣିପାରିଲେ ଯେ ତୁଲ୍ୟମୂଲ୍ୟ ବିଚାରରେ ଅତୁଳନୀୟ ସେହି ସବୁ ଐତିହାସିକ ନୃପତି ବୃନ୍ଦ ଇହଜଗତରୁ ବିଦାୟ ନେବାକୁ ବାଧ୍ୟ ହୋଇଛନ୍ତି । ନଶ୍ୱର ଏହି ପୃଥିବୀରେ ଦେହ ମଧ୍ୟ ନଶ୍ୱର । ମାୟା, ମମତା, ଶୋକ ଦୁଃଖ, ହର୍ଷ ବିଷାଦ, ବିଭ୍ରାନ୍ତିକର ମାୟାଜାଲ ମାତ୍ର–ଏମାନେ ସଂବିତ୍‌ ହରଣ କରି ମନୁଷ୍ୟ ସ୍ୱରୂପ ଓ ବସ୍ତୁର କ୍ଷଣସ୍ଥାୟୀତ୍ୱକୁ ବିସ୍ମୃତ କରାଇଥାଆନ୍ତି । ମୃତ୍ୟୁର ଅପର ନାମ ସ୍ୱାର୍ଥପରତା- ଜୀବନ୍ମୃତ ମନୁଷ୍ୟ ସେହି ଚିରନ୍ତନ ସତ୍ୟ ବିସ୍ମୃତ ହୋଇଥାଏ ।

 

ଅତଃପର ରାଜା ସୃଞ୍ଜୟଙ୍କ ଚିତ୍ତ ଧୀର ସ୍ଥିର ଓ ନିର୍ମୋହ ହୋଇଥିଲା । ସେ ମୃତ, ପୁତ୍ରଶୋକରୁ ମୁକ୍ତ ହୋଇଥିଲେ । ଜନ୍ମ ମୃତ୍ୟୁ ସାରତତ୍ତ୍ୱ ଜାଣି ମଧ୍ୟ ପୁତ୍ର ଶୋକାତୁର ହୋଇଥିବାରୁ ସେ ଲଜ୍ଜ୍ୟା ବୋଧ କରିଥିଲା । ଗତାୟୁ ପୁତ୍ର ନିମନ୍ତେ ରାଜାଙ୍କ ମୋହ ଦୂର ହୋଇଥିଲା । ତଥାପି ସତ୍ୟବାକ୍‌ ଦେବର୍ଷି ପୂର୍ବ ପ୍ରତିଶ୍ରୁତି ପାଳନ କରି ଅସରନ୍ତି ଶକ୍ତି ବଳରେ ରାଜା ସୃଞ୍ଜୟଙ୍କୁ ପୁନଶ୍ଚ ପୁତ୍ରବାନ କରି ଦେଇ ସ୍ୱୀୟଲୋକ ପ୍ରତ୍ୟାଗମନ କଲେ । ଏହି କାହାଣୀ ଶେଷରେ ଏତିକି ଉଲ୍ଲେଖ କରାଯାଇ ପାରେ–

 

ଅର୍ଜ୍ଜୁନଙ୍କ ପୁତ୍ର ବୀର ବାଳକ ଅଭିମନ୍ୟୁଙ୍କ ସହିତ ଅନ୍ୟ ଆତ୍ମୀୟ ସ୍ୱଜନଙ୍କ ବିୟୋଗ ବ୍ୟଥାରେ ଶୋକାତୁର ଯୁଧିଷ୍ଠିର ସିଂହାସନ ତ୍ୟାଗ ଇଚ୍ଛା ସହିତ ପ୍ରାଣ ମଧ୍ୟ ତ୍ୟାଗ ନିମନ୍ତେ ଇଚ୍ଛା କରିଥିବା ସମୟରେ ସମସ୍ତ ପରିବାର ବର୍ଗଙ୍କ ଏପରିକି ମାର୍କଣ୍ତେୟ ଋଷିଙ୍କର ସାନ୍ତ୍ୱନାବାଣୀରେ ଶୋକ ନିବୃତ୍ତ ନହେବାରୁ, ଅର୍ଜ୍ଜୁନଙ୍କ ସଖା ଶ୍ରୀକୃଷ୍ଣ ଏହା ରାଜା ସୃଞ୍ଜୟ ଓ ପୁତ୍ର ସ୍ୱର୍ଣ୍ଣଷ୍ଠୀବିର କାହାଣୀ ଶାନ୍ତି ପର୍ବରେ ଯୁଧିଷ୍ଠିରଙ୍କୁ ଶୁଣାଇଥିଲେ । ନାରଦ ମଧ୍ୟ ସେଠାରେ ସେ ସମୟରେ ଉପସ୍ଥିତ ସୃଞ୍ଜୟଙ୍କ ସହିତ ଯେଉଁ ଷୋଳଜଣ କୀର୍ତ୍ତିମାନ ରାଜାଙ୍କ ବୃତ୍ତାନ୍ତ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ଶାନ୍ତି ପର୍ବରେ ଶୁଣାଇଥିଲେ ସେହି ବୃତ୍ତାନ୍ତ ଏକଦା ଦେବର୍ଷି ନାରଦ ଦ୍ରୋଣ ପର୍ବରେ ଶୁଣାଇଥିଲେ ।

 

କିନ୍ତୁ ଏହି ଦୁଇ ପର୍ବ ମଧ୍ୟରେ କିଛି ବୈଷମ୍ୟ ପରିଲକ୍ଷିତ ହୁଏ । ଯେପରି ଦ୍ରୋଣ ପର୍ବରେ ନାରଦ କହିଥିଲେ ସୁବର୍ଣ୍ଣ ଲୋଭରେ ରାଜା ସୃଞ୍ଜୟ ଦସ୍ୟୁ ଲୁଣ୍ଠିତ ହୋଇଥିଲେ ଏବଂ ଦସ୍ୟୁମାନେ ହିଁ ପୁତ୍ର ସୁବର୍ଣ୍ଣଷ୍ଠୀବିଙ୍କୁ ହତ୍ୟା କରିଥିଲେ ଏବଂ ଷୋଳଜଣ କୀର୍ତ୍ତିମାନ ରାଜାଙ୍କ ନାମ କ୍ଷେତ୍ରରେ ରାଜା ପୁରୁଙ୍କ ପରିବର୍ତ୍ତେ ଶାନ୍ତି ପର୍ବରେ ଅଙ୍ଗରାଜ ମୃହଦ୍ରଥ ନାମ ଉଲ୍ଲେଖ କରିଛନ୍ତି ଓ ପରଶୁରାମଙ୍କ ନାମ ନାହିଁ ଯାହାକି କ୍ରୋଣପର୍ବରେ ନାରଦ ଉଲ୍ଲେଖ କରିଥିଲେ ।

 

ସେ ଯାହା ହେଉନା କାହିଁକି ଶ୍ରୀକୃଷ୍ଣ ବର୍ଣ୍ଣିତ ଏହି କାହାଣୀ ଶୁଣିବା ପରେ ଯୁଧିଷ୍ଠିର ମୋହମୁକ୍ତ ହୋଇ ରାଜ୍ୟଭାର ଗ୍ରହଣ ନିମନ୍ତେ ଉଦ୍ୟୋଗୀ ହୋଇଥିଲେ ।

Image

 

ବ୍ରାହ୍ମଣ–କୁଣ୍ତାଧାର ସଂବାଦ

 

କ୍ଲାନ୍ତୀହୀନ ଶରଶଯ୍ୟା ଶାୟିତ ପିତାମହ ଭୀଷ୍ମ । ସାର୍ଥକ ଶିଷ୍ୟର ପରିପ୍ରଶ୍ନ କିପରି ମାନବ ଦେହର ଯାବତୀୟ ରୋଗଯନ୍ତ୍ରଣା ଉପଶମକାରୀ ତାହା ଜ୍ଞାନପ୍ରବୁଦ୍ଧ ଗୁରୁରୂପୀ ପିତାମହ ଭୀଷ୍ମଙ୍କୁ ନଦେଖିଲେ କଳ୍ପନା କରିହେବ ନାହିଁ । ପିତାମହ ଭୀଷ୍ମଙ୍କ ଶରୀର ସାଧାରଣ ଦେହସର୍ବସ୍ୱ ହେଲେହେଁ ଇନ୍ଦ୍ରିୟ ପରିଚ୍ଛନ୍ନ । ଜ୍ଞାନ ଯେଉଁଠାରେ ଶରୀରକୁ ଆବୃତ୍ତ କରି ସମୁଜ୍ଜ୍ୱଳ କରିଥାଏ ସେଠାରେ କୌଣସି ଶାରୀରିକ କ୍ଳେଶ ରୂପରେ ମାନବସତ୍ତାକୁ କାତର କରି ପାରିନଥାଏ । ମହା ସଂଯମୀ ଦେବବ୍ରତ ଭୀଷ୍ମ ଏପରି ଏକ ଜ୍ଞାନୀ, ଧର୍ମମୟ ମହାପୁରୁଷ ଥିଲେ ।

 

ପ୍ରସଙ୍ଗାନ୍ତରରେ ସତ୍ୟାନୁସନ୍ଧାନୀ ଧର୍ମପରାୟଣ କୁନ୍ତୀନନ୍ଦନ ଯୁଧିଷ୍ଠିରଙ୍କ ସହିତ ତ୍ରିବର୍ଗ ବିଷୟରେ ପିତାମହ ଆଲୋଚନାରତ ଥିଲେ ।

 

ଯୁଧିଷ୍ଠିର ମନେ ମନେ ଚିନ୍ତା କରୁଥିଲେ ଯେ ମନୁଷ୍ୟର ମୋକ୍ଷଲାଭର ଅଭିଳାଷ ଥିଲେହେଁ ଧର୍ମ ତୁଳନାରେ ମନୁଷ୍ୟ, ଅର୍ଥ, କାମ ଓ ମୋହ ପ୍ରତି ଅଧିକ ପରିମାଣରେ ଅନୁରକ୍ତ । କେହି କେହି ଧର୍ମାଚରଣକୁ ଜୀବନ ସର୍ବସ୍ୱ କରିଥାନ୍ତି । କେହି କେହିବା ବ୍ୟକ୍ତିଗତ କାମନା, ବାସନା ବିସର୍ଜ୍ଜନ କରି ସଦାଚାର ଶିଷ୍ଟତା ଅବଲମ୍ବନ କରି ପରକୁ ଆପଣାର କରିବା ନିମିତ୍ତ କର୍ମମାନ କରି କାଳ କାଟିଥାନ୍ତି । ଆଉ କେହି କେହି ଅର୍ଥକୁ ଜୀବନର ମୂଳଧନ ମନେ କରିଥାନ୍ତି, କାରଣ ଅର୍ଥହୀନ ଜୀବନ ଦଳିତ, ମଥିତ ତୃଣ ସଦୃଶ ବିଷର୍ଣ୍ଣ ବୋଲି ଚିନ୍ତା କରିଥାନ୍ତି । କିଏବା ଭୋଗମୁଖୀ ହେବାହିଁ ଜୀବନର ଉଦ୍ଦେଶ୍ୟ ବୋଲି ମନେ କରିଥାନ୍ତି । ଏହି ଭୋଗମୁଖୀ ବ୍ୟକ୍ତିଙ୍କ ନିକଟରେ ବିଶ୍ୱ ଏକ ଅସରନ୍ତି ଭୋଗସାମଗ୍ରୀର ଆକର ରୂପେ ପ୍ରତିଭାତ ହୋଇଥାଏ ଓ ବିଶ୍ୱସ୍ରଷ୍ଟାଙ୍କର ସୃଷ୍ଟ ଭୋଗ ସାମଗ୍ରୀଗୁଡ଼ିକ କେବଳ ଉପଭୋଗ ନିମନ୍ତେ ଉଦ୍ଦିଷ୍ଟ ବୋଲି ଧାରଣା କରିଥାନ୍ତି । କିନ୍ତୁ ଧର୍ମ, ଅର୍ଥ, କାମ ଏହି କ୍ରୟ ସମନ୍ୱୟରେ ତ୍ରିବର୍ଗ ସୃଷ୍ଟି । ଏହି ତ୍ରୟର ସମନ୍ୱୟ ବ୍ୟତୀତ ଇହଜୀବନ ପରିପୂର୍ଣ୍ଣ ହେବା ଅସମ୍ଭବ । ତଥାପି ଯୁଧିଷ୍ଠିରଙ୍କ ମନରେ ସନ୍ଦେହ ଜାତ ହେଲା ଯେ ଏହି ତ୍ରିବର୍ଗ ମଧ୍ୟରୁ କେଉଁ ଗୋଟିକ ତାଙ୍କ ନିମନ୍ତେ ଉପଯୁକ୍ତ । ସେ ଚିନ୍ତା ରାଜ୍ୟରୁ ନିଜକୁ ବିଚ୍ଛିନ୍ନ କରି କହିଲେ ‘‘କସ୍ୟ ଲାଭୋ ବିଶିଷ୍ଟୋହତ୍ର ତନ୍‌ମେ ବୃହୀ ପିତାମହ ।’’ ଅର୍ଥାତ୍‌ ଏହି ତ୍ରୟ ମଧ୍ୟରୁ କେଉଁ ଗୋଟିକ ଲାଭ କରି ସ୍ଥିର ଚିତ୍ତରେ ଗ୍ରହଣ କଲେ ଜୀବନଶ୍ରେୟ ଓ ଅଭ୍ୟୁଦୟ ଘଟିବ ? କିନ୍ତୁ ନିଃଶ୍ରେୟସ ଅଭ୍ୟୁଦୟ ଲାଭ କରିବାରେ ଜାଗତିକ ଯାବତୀୟ ସମ୍ଭାର ବୁଚ୍ଛଜ୍ଞାନ କରାଯାଇଥାଏ । ସେଥିନିମିତ୍ତ କେତେଜଣ ବା ଏହି ଅଭ୍ୟୁଦୟ କାମନା କରିଥାନ୍ତି ? ଏବଂ କେତେଜଣ ବା ଏହାର ସ୍ୱରୂପ ଜାଣିପାରନ୍ତି ? ମନ ରିକ୍ତ ନହେଲେ କିଏ ବା ସେହି ସୁଦୁସ୍ତର ପଥରେ ଯିବା ନିମନ୍ତେ ଇଚ୍ଛାକରେ-? ସ୍ୱ ଚିନ୍ତାନିମୃତ ଏସବୁ ପ୍ରଶ୍ନ ଯୁଧିଷ୍ଠିର ପିତାମହଙ୍କୁ ଏକାଧାରରେ କରିଥିଲେ ।

 

ପିତାମହ ଯୁଧିଷ୍ଠିରଙ୍କର ପ୍ରଶ୍ନମାନ ଶୁଣି ଭବିଷ୍ୟତ ସମ୍ରାଟକୁ ସସ୍ନେହ ଦୃଷ୍ଟିରେ ଚାହିଁ କହିଲେ–ରାଜନ୍‌, ଧାର୍ମ୍ମିକ ହେଲେ ମଧ୍ୟ ତୁମ୍ଭର ସ୍ମରଣ ରଖିବା ଉଚିତ ‘ଧନେ ସୁଖକଳା କାଚିଦ୍‌ ଧର୍ମେ ତୁ ପରମଂ ସୁଖଂ ।’’ ଅର୍ଥାତ୍‌ ଧନସୁଖ ଓ ଅର୍ଥ ସମ୍ପଦସୁଖ ସେହି ଅନନ୍ତ ଅପାର ସୁଖର କଳା ମାତ୍ର । ଏକମାତ୍ର ଧର୍ମରେ ହିଁ ପରମସୁଖ ନିହିତ । ଅର୍ଥବାନ ଓ କାମମୟ ହେବା ଅତି ସହଜସାଧ୍ୟ କିନ୍ତୁ ଧର୍ମାତ୍ମା ହେବା ଓ ଧର୍ମପରାୟଣତା ଅବଲମ୍ବନ କରିବା ସହଜ ନୁହେଁ । ଏହା ଅତୀବ ଦୁରୂହ । ମନୁଷ୍ୟ ହିଁ ସେହି ଦୁରୂହ, ଦୁର୍ଜ୍ଜୟକୁ ଜୟ କରି ପାରେ । ଧର୍ମାତ୍ମା ମନୁଷ୍ୟକୁ ଦେବତା, ବ୍ରାହ୍ମଣ, ସାଧୁ, ଯକ୍ଷ, ଚାରଣ ଓ ଅପରାପର ପ୍ରାଣୀଗଣ ଶ୍ରଦ୍ଧା ଓ ପୂଜା କରିବାବେଳେ ଧନୀ ଓ ଭୋଗୀକୁ କେହି ପୂଜା କରି ନଥାନ୍ତି ।

 

ଯେଉଁମାନେ ଧାର୍ମିକ ସେମାନେ ସଂକଳ୍ପ ମାତ୍ରେହିଁ ଧନବାନ ହୋଇ ପାରନ୍ତି ଓ ଭୋଗସାମଗ୍ରୀ–ଇଚ୍ଛା ମାତ୍ରେହିଁ ଭୋଗ କରିଥାନ୍ତି । ଧାର୍ମିକ ବ୍ୟକ୍ତିର ଅର୍ଥ ଓ ଭୋଗ ନିମନ୍ତେ ବିଶେଷ କୌଣସି ଆୟସ ପ୍ରୟୋଜନ ହୋଇ ନଥାଏ ।

 

ଏ କଥା ଶୁଣି ଯୁଧିଷ୍ଠିର କହିଲେ–ପିତାମହ ମୁଁ ଜାଣେ ଅର୍ଥ ମନୁଷ୍ୟକୁ ବିଭ୍ରାନ୍ତ କରି ବିପଥଗାମୀ କରିଥାଏ ଓ ମରୀଚିକା ସଦୃଶ ଉଦ୍‌ଭ୍ରାନ୍ତ କରେ ।

 

କିନ୍ତୁ ଧର୍ମ କେବେହେଁ ବିଶ୍ୱାସଘାତକତା କରିନଥାଏ । ବରଂ ଜୀବନର ଜୀବନ ସର୍ବସ୍ୱ ହୋଇ ମନୁଷ୍ୟକୁ ‘ଆତ୍ମା’ର ‘ଆତ୍ମୀୟ’ କରିପାରିଥାଏ । କିନ୍ତୁ ଦେଖାଯାଏ ଯେ ଅର୍ଥ ବ୍ୟତୀତ ମନୁଷ୍ୟ ମୁହୂର୍ତ୍ତମାତ୍ର କାଳ କଟାଇ ପାରିନଥାଏ କି ତାହାର ଧର୍ମ, କର୍ମ, ଗ୍ରାସାଚ୍ଛାଦନ, ଯାଗ, ଯଜ୍ଞାଦି ମଧ୍ୟ ସମ୍ଭବ ହୋଇ ନଥାଏ ?

 

ଯୁଧିଷ୍ଠିରଙ୍କ କଥା ପୁଣି ପିତାମହ କହିଲେ–ଧର୍ମରାଜ ତୁମ୍ଭର ବଚନ ଯଥାର୍ଥ ହେଲେହେଁ ଅର୍ଥ ଗୌଣ ଓ ଧର୍ମହିଁ ମୁଖ୍ୟ । ବହୁ ପୂର୍ବରୁ ଏହା ଏକ ଚରମ ସିଦ୍ଧାନ୍ତ ହୋଇ ରହିଛି । ସେହି ସମ୍ବନ୍ଧରେ ଯତ୍ନ ସହକାରେ ଶୁଣ ।

 

ବହୁକାଳ ପୂର୍ବରୁ ଏକ ସହାୟ ସମ୍ବଳହୀନ ନିର୍ଧନ ବ୍ରାହ୍ମଣ ବାସ କରୁଥିଲେ । ଦାରିଦ୍ର୍ୟଉ କଷାଘାତରେ ନିଷ୍ପେଷିତ ହୋଇ ସେ କୌଣସିମତେ ଦିନ ଯାପନ କରୁଥିଲେ ହେଁ ଅସତ୍‌ ପଥ ଅବଲମ୍ବନ କରି ଅର୍ଥାଗମ ପନ୍ଥା ଆଶ୍ରୟ କରି ନଥିଲେ । ନିର୍ବିବାଦରେ ଯାଗ, ଯଜ୍ଞ ନିମନ୍ତେ ଅନେକ ତପସ୍ୟା କରିଥିଲେ ମଧ୍ୟ ଦେବତା ତୁଷ୍ଟ ନହେବାରୁ ସେ ନିର୍ଧନ ଥିଲେ । ଶେଷରେ ବ୍ରାହ୍ମଣ ସ୍ଥିର କଲେ ଯେ କଠୋର ସାଧନାରେ ଦେବତାଙ୍କୁ ତୁଷ୍ଟ କରି ନିଶ୍ଚୟ ସିଦ୍ଧିଲାଭ କରିବେ ଯାହା ଫଳରେ ଯାଗ ଯଜ୍ଞାଦି କର୍ମ ନିମନ୍ତେ ଅର୍ଥାଭାବ ଘଟିବ ନାହିଁ । ସଦାସର୍ବଦା ଅର୍ଥବାନ ରହି ନିଜ କର୍ମ ସେ କରି ପାରିବେ ।

 

ଏହି ସିଦ୍ଧାନ୍ତ ଦୃଢ଼ ଭାବରେ ଗ୍ରହଣ କରି ବ୍ରାହ୍ମଣ ସାଧନା ଆରମ୍ଭ କଲେ । କିଛିଦିନ ଏହିପରି ସାଧନାରତ ଅବସ୍ଥାରେ ଅତିକ୍ରାନ୍ତ ପରେ ଏକଦା ଏକ ଶ୍ୟାମବର୍ଣ୍ଣ ସୌମ୍ୟକାନ୍ତି ଦିବ୍ୟପୁରୁଷ ବ୍ରାହ୍ମଣଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ଭକ୍ତଭରେ ବ୍ରାହ୍ମଣ ସେହି ଦିବ୍ୟ ପୁରୁଷଙ୍କୁ ପଚାରିଲେ, ଆପଣ କିଏ ? ପରିଚୟ ଦିଅନ୍ତୁ ।

 

ଦିବ୍ୟ ପୁରୁଷ କହିଲେ ମୁଁ ଦୈବଅନୁଚର କୁଣ୍ତଧାର ମେଘ । ବ୍ରାହ୍ମଣ ପୂର୍ବରୁ ଶୁଣିଥିଲେ ଯେ ଦେବାନୁଚରଙ୍କର ଅସାଧ୍ୟ କିଛି ନାହିଁ ।

 

ଅତଏବ ସେ ସାଧ୍ୟମତେ ଦେବ-ଅନୁଚରଙ୍କୁ ପୂଜା ଅର୍ଚ୍ଚନା କରି ପରିତୁଷ୍ଟ ହେବା ନିମନ୍ତେ ଯତ୍ନ କଲେ । ବ୍ରାହ୍ମଣଙ୍କର ନିଷ୍ଠା ଓ ସତତାରେ ‘କୁଣ୍ତାଧାର’ ପ୍ରୀତ ହୋଇ ନିଜ ମନ ମଧ୍ୟରେ ବ୍ରାହ୍ମଣ ଅଭାବମୁକ୍ତ ହେବା ନିମନ୍ତେ ଚିନ୍ତା କଲେ ହେଁ ବ୍ରାହ୍ମଣଙ୍କ ମାନସିକ ଅଭିଳାଷ ‘ଧନୀ ହେବା’ ଜାଣିପାରି ନିଜର ଅଭିଳାଷ ଗୋପନ ରଖି ଉପଦେଶ ଛଳରେ କହିଲେ–ଯେଉଁମାନେ ମଦ୍ୟପ, ଚୋର, ଯେଉଁମାନେ ବ୍ରତାଚାରୀ ହୋଇ ବ୍ରତ ପାଳନ କରନ୍ତି ନାହିଁ, ସେମାନଙ୍କୁ ସତ୍‌ ହେବା ନିମନ୍ତେ ସତ୍‌ପୁରୁଷଗଣ ପ୍ରାୟଶ୍ଚିତ ବିଧାନ ଦେଇ ଯାଇଛନ୍ତି । କିନ୍ତୁ ଯେଉଁମାନେ କୃତଘ୍ନ ସେମାନଙ୍କର ନିଷ୍କୃତି ନଥାଏ ବା ପ୍ରାୟଶ୍ଚିତ ବିଧାନ ମଧ୍ୟ ନାହିଁ । ଶୁଣ ବ୍ରାହ୍ମଣ ଆଶା ଅଧର୍ମ, ଇର୍ଷାର ଅଧର୍ମର ମୂଳ । ଆଶାର ପୁତ୍ର ହିଁ ପୁତ୍ର କ୍ରୋଧ, ଶଠତାର ପୁତ୍ର ଲୋଭ, କିନ୍ତୁ କୃତଘ୍ନତାର ସନ୍ତାନ ଲାଭର ଯୋଗ୍ୟତା ନାହିଁ ।

 

ଦିବ୍ୟବାଣୀ ସଦୃଶ କୁଣ୍ତାଧାରଙ୍କ ବାକ୍ୟଶୁଣି ବ୍ରାହ୍ମଣଙ୍କ ଭକ୍ତିଭାବ ସୁଦୃଢ଼ ହୋଇ ଉଠିଲା ଓ ବ୍ରାହ୍ମଣଙ୍କ ଅଜ୍ଞାତସାରରେ ଦେବାନୁଚର ଅନ୍ତର୍ହିତ ହେଲେ । ଏହି ସମୟରେ ରାତ୍ରି ସମାଗତ ହେବାରୁ ବ୍ରାହ୍ମଣ ପ୍ରାଣଧାରଣ ନିମନ୍ତେ ଫଳମୂଳାଦି ଭକ୍ଷଣପୂର୍ବକ କୁଶଶଯ୍ୟାରେ ଶୟନକରି ଦେବାନୁଚର ‘କୁଣ୍ତଧାର’ଙ୍କ ବଚନମାନ ଚିନ୍ତା କରୁ କରୁ ଗଭୀର ନିଦ୍ରାମଗ୍ନ ହେଲେ । ନିଦ୍ରା ଅବସ୍ଥାରେ ବ୍ରାହ୍ମଣ ସ୍ୱପ୍ନ ଦେଖିଲେ–

 

ସେ ଯେପରି ଦେବସଭାରେ ଉପସ୍ଥିତ ହୋଇଛନ୍ତି । ବରଦ ଦେବଗଣ ନାନା ମଣିମୁକ୍ତା ଖଚିତ ନିର୍ଦ୍ଦିଷ୍ଟ ଆସନରେ ଉପବିଷ୍ଟ । ସୌରଭରେ ଚତୁର୍ଦ୍ଦିଗ ଆମୋଦିତ । ଅଗଣିତ ଯାଚକ ଦେବକୃପା ପ୍ରାପ୍ତିରେ ନିଜ ନିଜକୁ ଭାଗ୍ୟବାନ କରିବା ନିମିତ୍ତ ଦେବସଭାରେ ସମବେତ ଅଛନ୍ତି । ଯକ୍ଷରାଜ ‘ମଣିଭଦ୍ର’ ଜଣ ଜଣ କରି ଯାଚକମାନଙ୍କୁ ଦେବଗଣଙ୍କ ନିକଟକୁ ନେଇଯାଇ ସେମାନଙ୍କର ପ୍ରାର୍ଥନା ଜଣାଇଛନ୍ତି ଏବଂ ଦେବତାମାନେ ଶୁଣିସାରି ଯାଚକଙ୍କର କର୍ମଧାରା ପୁଙ୍ଖାନୁପୂଙ୍ଖ ରୂପେ ପରୀକ୍ଷା କରାଯାଉଛି । ଶୁଭକର୍ମର ଅଳ୍ପାଧିକ୍ୟ ମାତ୍ରାନୁସାରେ ଦେବଗଣ କାହାକୁ ରାଜଐଶ୍ୱର୍ଯ୍ୟ ଦେଇ ରାଜା ଓ କାହାକୁ ଧନସମ୍ପଦ ଦେଇ ଧନୀ କରୁଛନ୍ତି । ଯେଉଁମାନେ ସତ୍‌କର୍ମ କରି ପୁରସ୍କାର ସ୍ୱରୂପ ପୂର୍ବରୁ ରାଜ୍ୟ, ଧନାଦି ପ୍ରାପ୍ତ ହୋଇଥିଲେ, ଅସତ୍‌କର୍ମ ଫଳରେ ସେମାନଙ୍କୁ ରିକ୍ତ ନିଃସ୍ୱ କରିଦେଉଛନ୍ତି । ବ୍ରାହ୍ମଣ ପୁନଶ୍ଚ ଦେଖିଲେ ଯେ ଦେବାନୁଚର କୁଣ୍ତାଧାର ଦେବଗଣ ସମ୍ମୁଖରେ ଭକ୍ତିଭରେ ପ୍ରଣାମ କରି ଦଣ୍ତାୟମାନ ହୋଇ ଯକ୍ଷରାଜ ମଣିଭଦ୍ରଙ୍କୁ କହୁଛନ୍ତି ଦେବ ମୋର କୌଣସି ବ୍ୟକ୍ତିଗତ ବାସନା ଉଦ୍ଦେଶ୍ୟନେଇ ଏଠାକୁ ଆସିନାହିଁ, ଦରିଦ୍ର ବ୍ରାହ୍ମଣର ଆବେଦନ ଜଣାଇବା ନିମନ୍ତେ ଏଠାକୁ ଆସିଛନ୍ତି–ଏହା କହି ସେ ମଣିଭଦ୍ରଙ୍କ ଦୃଷ୍ଟି ବ୍ରାହ୍ମଣଙ୍କ ପ୍ରତି ଆକର୍ଷିତ କରିଥିଲେ । ମଣିଭଦ୍ର ବ୍ରାହ୍ମଣଙ୍କୁ ଦେଖି କୁଣ୍ତାଧାରଙ୍କୁ ପ୍ରଶ୍ନ କଲେ, କିଏ ଏହି ବ୍ରାହ୍ମଣ । କୁଣ୍ତାଧାର କହିଲେ, ଏହି ବ୍ରାହ୍ମଣ ମୋର ଜଣେ ଭକ୍ତ । ନିର୍ଧନ କିନ୍ତୁ ଅତି ସତ୍‌ । ଦେବଗଣ ଯଦି ପ୍ରସନ୍ନ ହେବେ ତାହାଲେ ଏହି ବ୍ରାହ୍ମଣଙ୍କୁ ଧନଦାନ ନଦେଇ ଅନ୍ୟ କିଛି ଦାନ ଦିଅନ୍ତୁ ।

 

ମଣିଭଦ୍ର ଯକ୍ଷରାଜ କହିଲେ–ଧନ ଆକାଂକ୍ଷା ମନୁଷ୍ୟ ଜୀବନର ବଡ଼ ଆକାଂକ୍ଷା, କିନ୍ତୁ ବ୍ରାହ୍ମଣ ନିମନ୍ତେ ଧନଦାନ ଅନୁଗ୍ରହ ଯଥେଷ୍ଟ ହେବନାହିଁ ବୋଲି କାହିଁକି ଭାବୁଛନ୍ତି ?

 

କୁଣ୍ତାଧାର କହିଲେ–ଦେବ ! ମନୁଷ୍ୟ କ୍ଷଣସ୍ଥାୟୀ । ଧନ ବଡ଼ କାତର ତୃଷ୍ଣା ଆୟୁ ଶେଷ ହେବା ସମୟରେ ଧନ ଭୋଗ ଶୋଷ ହୋଇଥିଲେ ହେଁ ଧନ ତୁଷ୍ଣା ରହିଯାଏ । ମୋର ଭକ୍ତ ଏହି ବ୍ରାହ୍ମଣଙ୍କୁ ମୁଁ ତୃଷ୍ଣାତୁର ହେବାକୁ ଚାହେଁ ନାହିଁ । ମୋର ପ୍ରାର୍ଥନା ଦେବତା ଅନୁଗ୍ରହରେ ଏ ବ୍ରାହ୍ମଣ ଧର୍ମାତ୍ମ ହୁଅନ୍ତୁ । ତାଙ୍କର ଯେପରି ସର୍ବଦା ଧର୍ମ ଜ୍ଞାନ ଅବିଚଳ ରହୁ । ବୁଦ୍ଧି କେବେହେଁ ଧର୍ମହୀନ ନହେଉ । ଏହାହିଁ ମୋର ପ୍ରାର୍ଥନା ।

 

ଯକ୍ଷରାଜ କହିଲେ–ରାଜ୍ୟଲାଭ ଓ ନାନାବିଧ ସୁଖହିଁ ଧର୍ମର ଫଳ । ସୁମମୃଦ୍ଧ ରାଜ୍ୟର ଅଧିପତି ହୋଇ ବିନା ଆୟାସରେ ଯାବତୀୟ ସୁଫଳ ବ୍ରାହ୍ମଣ ଭୋଗ କରିବେ ।

 

କିନ୍ତୁ କୁଣ୍ତାଧାର ମଣିଭଦ୍ରଙ୍କର ଏପରି ପ୍ରସ୍ତାବରେ ସମ୍ମତ ନହୋଇ କହିଲେ ମୋର ଏ ଭକ୍ତ ବ୍ରାହ୍ମଣ ଯେପରି ଧର୍ମାତ୍ମା ଓ ଧର୍ମସର୍ବସ୍ୱ ହେବେ ସେହି ଅନୁଗ୍ରହ ହିଁ ଆପଣ କରନ୍ତୁ ।

 

ବାରମ୍ବାର କୁଣ୍ତାଧାରଙ୍କର ଏପରି ପ୍ରାର୍ଥନାରେ ମଣିଭଦ୍ର ଦେବଗଣଙ୍କୁ ଲକ୍ଷ୍ୟକରି ଦେଖିଲେ ଦେବତାମାନଙ୍କର ମୁଖମଣ୍ତଳ ପ୍ରସନ୍ନ ହୋଇଛି । ସେ ଦେବ ଇଙ୍ଗିତ ବୁଝିପାରି ମଣିଭଦ୍ର କୁଣ୍ତାଧାରଙ୍କୁ କହିଲେ, ତୁମ୍ବର ଭକ୍ତ ବ୍ରାହ୍ମଣ ଦେବ ଅନୁଗ୍ରହରେ ଧର୍ମାତ୍ମା ହୋଇ ଧର୍ମରେ ଅତୁଟ ମତି ରଖିବେ ଓ ଧର୍ମକୁ ଆଶ୍ରୟ କରି ଅକ୍ଷୟ ସୁଖ ଲାଭ କରିବେ ।

 

ଏହିପରି ସ୍ୱପ୍ନ ଦେଖିସାରି ବ୍ରାହ୍ମଣଙ୍କର ସ୍ୱପ୍ନଅନ୍ତେ ନିଦ୍ରାଭଙ୍ଗ ହେଲା । ସେହି ସମୟରେ ଉଷାର ଆଲୋକ ଦିଗନ୍ତରେ ଦେଇଥିଲା । ଭାରାକ୍ରାନ୍ତ ମନରେ ବ୍ରାହ୍ମଣ ନିଜକୁ ଧିକ୍‌କାର କଲେ । କୁଣ୍ତାଧାର ଦେବାନୁଚରଙ୍କ ଉପରେ ତାଙ୍କର ଅଗାଧ ଆଶା ଓ ବିଶ୍ୱାସ ଥିଲା । କିନ୍ତୁ ଶେଷ ପରିଣତ କୁଣ୍ତାଧାର ଏପରି କରିବେ ବୋଲି ଭାବି ନଥିଲେ । ବ୍ରାହ୍ମଣ ମନେ ମନେ କହିଲେ, ମୋ ତପସ୍ୟା ଉଦ୍ଦେଶ୍ୟକୁ କୁଣ୍ତାଧାର ବୁଝିନପାରି ଧନ ଅନୁଗ୍ରହ ପରିବର୍ତ୍ତେ ଧର୍ମ ଅନୁଗ୍ରହ ପ୍ରାର୍ଥନା କଲେ ? ଏହିପରି ଚିନ୍ତା କରି ସେ ନିଜକୁ ଧିକ୍‌କାର କରି ବୈରାଗ୍ୟ ମନରେ ବକ୍‌କଳ ପରିଧାନ କରି ପୁନଶ୍ଚ କବ୍ରୋର ତପସ୍ୟା ନିମନ୍ତେ ବନ ଗମନ କଲେ ।

 

ଏତିକି କହି ଭୀଷ୍ମଦେବ ଯୁଧିଷ୍ଠିରଙ୍କୁ କହିଲେ–କୁନ୍ତୀନନ୍ଦନ ବ୍ରାହ୍ମଣ ଜୀବନ ପ୍ରତି ବୀତସ୍ପୃହ ହୋଇ ତପସ୍ୟା ଆରମ୍ଭ କରିଥିଲେ । ପ୍ରଥମେ ବ୍ରାହ୍ମଣ ଯତ୍‌ସାମାନ୍ୟ ଫଳମୂଳାଦି ଭକ୍ଷଣ କରି ତପସ୍ୟା କଲେ, କିନ୍ତୁ ପରେ ବୃକ୍ଷ ପତ୍ର ଭକ୍ଷଣ ଓ ସର୍ବଶେଷରେ ତାହା ମଧ୍ୟ ତ୍ୟାଗ କରି କେବଳ ବାୟୁଭୁକ୍‌ ହୋଇ ତପସ୍ୟା କରିଥିଲେ । ଦେହ ତାଙ୍କର କୃଶ ହୋଇଥିଲେ ମଧ୍ୟ ପ୍ରାଣବାୟୁ ନିର୍ଗତ ନହୋଇ ପ୍ରାଣଶକ୍ତି ଭରପୁର ହୋଇ ରହିଥିଲା ତପସ୍ୟା ପ୍ରତି ଶ୍ରଦ୍ଧାନ୍ୱିତ ହୋଇ ତପସ୍ୟା ନିକଟରେ ନିଜକୁ ସମର୍ପଣ କରିଥିଲେ । ଫଳରେ ବ୍ରାହ୍ମଣଙ୍କର ଅନ୍ତର୍ଦୃଷ୍ଟି ସ୍ୱଚ୍ଛ ହୋଇ ଅନୁଭୂତିର ଅନୁଭବ ଅହରହ ଜାଗ୍ରତ ହେଲା । ତାଙ୍କର ସେ ଅନୁଭୂତି ବଡ଼ ବିଚିତ୍ର ଥିଲା । ଯୁଧିଷ୍ଠିର ପଚାରିଲେ, କି ପ୍ରକାର ଅନୁଭୂତି ବ୍ରାହ୍ମଣ ଅନୁଭବ କରିଥିଲେ ପିତାମହ ?

 

ପିତାମହ କହିଲେ–ବ୍ରାହ୍ମଣ ଅନୁଭବ କଲେ ଯେ ସେ ଯଦି ତୁଷ୍ଟ ହୋଇ କାହାରିକୁ ଧନଦାନ ବା ରାଜ୍ୟଦାନ କରିବେ ବୋଲି କହନ୍ତି, ତାହେଲେ ସେ ବ୍ୟକ୍ତି ଅଚିରେ ଅବଶ୍ୟ ତାହା ଲାଭ କରିବ । ତାଙ୍କର ପ୍ରଦତ୍ତ ବାକ୍ୟ କେବେହେଁ ମିଥ୍ୟା ହେଲା ନାହିଁ । ଏହିପରି ଅନୁଭୂତି ପରେ ପୁନଶ୍ଚ ବ୍ରାହ୍ମଣ ତପସ୍ୟାମଗ୍ନ ହେଲେ । ଏହାପରେ ସେ ମାନସିକ ଦୃଷ୍ଟିଲେ ଦେଖିଲେ ଯେ କୌଣସି ସଂକଳ୍ପ ଜାତ ହେବାମାତ୍ରେ ତାହା ବାସ୍ତବରେ ପରିଣତ ହେଉଛି ।

 

ବିସ୍ମିତ ହୋଇ ବ୍ରାହ୍ମଣ ଚିନ୍ତା କଲେ ଅର୍ଥହୀନ ହେତୁ ନିଜର ଅକ୍ଷମତା ଦୂର କରିବା ପାଇଁ ଦୀର୍ଘକାଳ ସତ୍‌ପଥରେ ରହି ସତ୍‌ ଆଚରଣ କରି ଏପରି ଐଶ୍ୱର୍ଯ୍ୟ କିପରି ଲାଭ ହେଲା ? ଆପାତ ଅଭାବ ପ୍ରତୀୟମାନ ହେଲେହେଁ ଆଜି ସେ ଅଭାବହୀନ । ଅସାଧାରଣ ଏକ ଯୋଗଶକ୍ତି ନେଇ ବ୍ରାହ୍ମଣ ନିଜେ ସ୍ୱପ୍ନରେ ଦେଖିଥିବା ସେହି ଦରଦ ଦେବଗଣ ସଦୃଶ ଏକ ଅସାଧାରଣ ପୁରୁଷ ହୋଇଗଲେ । ଦେବାନୁଚର କୁଣ୍ତାଧାରଙ୍କ ନିମନ୍ତେ ବ୍ରାହ୍ମଣଙ୍କ ମନରେ ଅନୁତାପ ଆସିଲା । ଧନ ପରିବର୍ତ୍ତେ କୁଣ୍ତାଧାର ଯେତେବେଳେ ଦେବଗଣଙ୍କ ନିକଟରେ ଧର୍ମମତି ଅନୁଗ୍ରହ ପ୍ରାର୍ଥନା କରିଥିଲେ, ସେତେବେଳେ ବ୍ରାହ୍ମଣଙ୍କ ମନ କୁଣ୍ତାଧାରଙ୍କ ପ୍ରତି ବିରୂପ ହୋଇ ଉଠିଥିଲା । କିନ୍ତୁ ପରେ ବୁଝିପାରିଲେ ଯେ ଧର୍ମହିଁ ତାଙ୍କୁ ଅସରନ୍ତି ଐଶ୍ୱର୍ଯ୍ୟର ଅଧିଶ୍ୱର କରି ପାରିଛି । ତତ୍‌କ୍ଷଣାତ୍‌ ବ୍ରାହ୍ମଣ କୁଣ୍ତଧାରଙ୍କୁ ସ୍ମରଣ କରିବାରୁ କୁଣ୍ତାଧାର ସଙ୍ଗେ ସଙ୍ଗେ ପ୍ରତ୍ୟକ୍ଷଭୂତ ହୋଇଥିଲେ । କୃତଜ୍ଞ ଚିତ୍ତରେ ବ୍ରାହ୍ମଣ ଦେବାନୁଚରଙ୍କର ଯଥାବିଧି ପୂଜା ଅର୍ଚ୍ଚନା କଲେ । କୁଣ୍ଡାଧାର ବ୍ରାହ୍ମଣକୁ କହିଲେ- ତୁମେ ସତ୍‌ ଓ ଧାର୍ମିକ ହୋଇଥିବାରୁ ସୂହୃଦ ଜ୍ଞାନରେ ମୁଁ ତୁମ୍ଭର ସର୍ବବିଧ ମଙ୍ଗଳ ନିମନ୍ତେ ଦେବଗଣଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲି ଯେପରି ତୁମେ ଦେବତାଙ୍କ ପ୍ରତି ଆସ୍ଥାଶୀଳ ହୋଇ ଅଭ୍ୟୁଦୟ ଲାଭ କରିବ ଓ ତୁମର ଧନ ପରିବର୍ତ୍ତେ ଧର୍ମରେ ମତି ଅତୁଟ ରହିବ । ଧର୍ମକୁ ଆଶ୍ରୟ କରି ତୁମେ ତପସ୍ୟାରେ ସିଦ୍ଧିଲାଭ କରି ଦିବ୍ୟଦୃଷ୍ଟି ପାତ୍ର ହୋଇଅଛ । ଅନୁସନ୍ଧାନ କଲେ ତୁମେ ଜାଣିପାରିବ ଯେ ଧନାଭିଳାଷୀ ହୋଇ ଯେଉଁମାନେ ଏକଦା ଧନବାନର ଖ୍ୟାତି ଅର୍ଜନ କରିଥିଲେ ଓ ସମ୍ରାଟ ହୋଇ ରାଜ୍ୟସୁଖ ଭୋଗ କରୁଥିଲେ ସେମାନେ ବର୍ତ୍ତମାନ କେଉଁଠାରେ କିପରି ଭାବରେ ରହି କାଳ କାଟୁଛନ୍ତି ।

 

କୁଣ୍ଡାଧାରଙ୍କ ବାକ୍ୟରେ ବ୍ରାହ୍ମଣ ଦିବ୍ୟଦୃଷ୍ଟି ବଳରେ ଦେଖି ଚମତ୍କୃତ ହୋଇ କହିଲେ–କି ଆଶ୍ଚର୍ଯ୍ୟ କଥା ! ଧନସମ୍ପଦ ବଳରେ ଯେଉଁମାନେ ଏକଦା ସାଧାରଣ ମନୁଷ୍ୟ ନିକଟରେ ଦେବତା ସଦୃଶ ହୋଇଥିଲେ ସେହିମାନଙ୍କୁ ମହାନରକରେ ପତିତ ହୋଇ ନରକଯନ୍ତ୍ରଣା ଭୋଗ କରୁଥିବାର ମୁଁ ଦେଖୁଛି ।

 

କୁଣ୍ଡାଧାର କହିଲେ–ହେ ବ୍ରାହ୍ମଣ ! ଏହାହିଁ ସ୍ୱାଭାବିକ୍‌ । ଧନ ଓ ଭୋଗ ମନୁଷ୍ୟକୁ କେଉଁ ପରିଣତି ଆଣି ଦିଏ ତାହା ତୁମେ ଦିବ୍ୟ ଦୃଷ୍ଟି ବଳରେ ପ୍ରତ୍ୟକ୍ଷ କରିଛ । ଧନ ଓ ଭୋଗ କାମନା ପାର୍ଥିବ । ଦେବଗଣ ଏହି ପାର୍ଥିବ କାମନାକୁ ବିନା ଦ୍ୱିଧାରେ ପୂରଣ କରିଥାନ୍ତି । ସେମାନେ ଜାଣନ୍ତି ଯେ ମନୁଷ୍ୟ ହିଁ ଈଶ୍ୱରଙ୍କର ଶ୍ରେଷ୍ଠସୃଷ୍ଟି । ସେହି ମନୁଷ୍ୟ ମହାନଶକ୍ତି ଅଧିକାରୀ ହେଲେ ଦେବାସନ ଟଳାୟମାନ ହେବାର ଆଶଙ୍କା ଥାଏ । ସୁତରାଂ ମନୁଷ୍ୟ ଯେପରି ଆତ୍ମସଚେତନ ନହୁଏ ସେଥିପାଇଁ ଧନକୁ ଐଶ୍ୱର୍ଯ୍ୟ ଆକାରରେ ଦାନ କରି ମନୁଷ୍ୟକୁ ସର୍ବଦା ବଶୀଭୂତ କରି ରଖନ୍ତି । ବଶ କରିବା ନିମନ୍ତେ ଅସ୍ତମାନ ହେଲା–କାମ, କ୍ରୋଧ, ଲୋଭ, ଭୟ, ମଦ, ନିଦ୍ରା, ତନ୍ଦ୍ରା ଓ ଆଳସ୍ୟ । ଏକ ବା ଏକାଧିକ ପାଶରେ ଆବଦ୍ଧ ହୋଇ ଧନାଭିଳାଷୀ ମନୁଷ୍ୟ ଜୀବନରେ ଦୁଃଖଭୋଗ କରିଥାଏ ମାତ୍ର, ସୁଖ ଶାନ୍ତି ତାର ସୁଦୂର ପରାହତ ହୁଏ । ବନ୍ଧୁ ଜ୍ଞାନରେ ମୁଁ ଯଦି ତୁମକୁ ସେହି ଦୁଃଖଭୋଗରେ ବ୍ୟବସ୍ଥା କରିଦେଇଥାନ୍ତି ତାହାଲେ ପ୍ରକୃତ ବନ୍ଧୁ କୃତ୍ୟ କରନ୍ତି କି ?

 

କିଞ୍ଚିତ ନୀରବ ରହି କୁଣ୍ଡାଧାର ପୁନଶ୍ଚ କହିଲେ–ଇହଜଗତରେ ମନୁଷ୍ୟ ମୋହଯୁକ୍ତ । ମନୁଷ୍ୟ ଦେବତା ନିକଟରେ ପରମ ବସ୍ତୁ ସ୍ୱରୂପ ଧର୍ମଲାଭ ଧର୍ମାତ୍ମା ହେବା ନିମନ୍ତେ ପ୍ରାର୍ଥନା କରିବା ବିସ୍ମୃତ ହୋଇଥାଏ । ଧର୍ମ ପଥରେ ଜୀବର ଅଭ୍ୟୁଦୟ ବଡ଼ କଠିନ । ଦେବତାଗଣ ଏହି ପଥକୁ କଠିନ କରି ରଖିଛନ୍ତି । ଦେବତାଗଣ ଅନ୍ତରରେ ମନୁଷ୍ୟକୁ ଭୟ କରିଥାନ୍ତି । କାରଣ ଯଦି କେହି ଧର୍ମପଥରେ ଜୀବନ ଅତିବାହିତ କରିଥାଏ, କାମ ଲୋଭାଦିକୁ ପ୍ରେରଣ କରି ଦେବତାମାନେ ଘୋର ବିଘ୍ନ ସୃଷ୍ଟି କରିଥାନ୍ତି । ଯେଉଁ ମନୁଷ୍ୟ ଦୈବ ସହାୟରେ ସେଇ ବିଘ୍ନ ଅତିକ୍ରମ କରିପାରେ ଇହଲୋକରେ ସେହି ମନୁଷ୍ୟର ଦୁର୍ଲ୍ଲଭ ବୋଲି କିଛି ନଥାଏ । ଧର୍ମସହାୟରେ ସେ ସ୍ୱୟଂ ଦେବୋପମ ମହତ ଓ ମହୀୟାନ ହୋଇଥାଏ ।

 

ସେଥିନିମନ୍ତେ ଦେବଗଣଙ୍କ ନିକଟରେ ତୁମେ ଧମାର୍ତ୍ମା ହେବାପାଇଁ ମୁଁ ପ୍ରାର୍ଥନା କରିଥିଲି । ନିଷ୍ଠା ସହିତ ସେହି ପଥ ତୁମେ ଅନୁସରଣ କରି ଅପର୍ଯ୍ୟାପ୍ତ କ୍ଷମତାର ଅଧିଶ୍ୱର ହୋଇ ପାରିଛ ।

 

ଏହି କଥା କହି କୁଣ୍ଡାଧାର ବ୍ରାହ୍ମଣଙ୍କୁ ଆଲିଙ୍ଗନ ପାଶରେ ଆବଦ୍ଧ କରି ମୁହୂର୍ତ୍ତକ ମଧ୍ୟରେ ଅନ୍ତର୍ହିତ ହୋଇଗଲେ । ଅପାର ତୃପ୍ତିରେ ବ୍ରାହ୍ମଣଙ୍କ ମନ ଭରି ଉଠିଥିଲା ।

Image

 

ଇନ୍ଦ୍ର–ଲକ୍ଷ୍ମୀ ସମ୍ବାଦ

 

ଏକଦା ସ୍ୱତଃ ଦେବରାଜ ‘ଇନ୍ଦ୍ର’ ଶ୍ରୀହୀନ ହୋଇଥିଲେ ଓ ଅସୁରରାଜ ବଳି ଶ୍ରୀଯୁକ୍ତ ହୋଇ ତ୍ରିଜଗତ ପତି ଅଧିଶ୍ୱର ହୋଇଥିଲେ । ପୁନଶ୍ଚ କିଛିକାଳ ଅନ୍ତେ ଶ୍ରୀଦେବୀ ଅସୁର ରାଜାଙ୍କୁ ତ୍ୟାଗ କରି ବସବଙ୍କୁ ଆଶ୍ରୟ କରି ଶ୍ରୀଯୁକ୍ତ କରାଇଥିଲେ । କଥାପ୍ରସଙ୍ଗରେ ପିତାମହ ଏହି କଥା ଯୁଧିଷ୍ଠିରଙ୍କୁ କହିଲେ ।

 

ଯୁଧିଷ୍ଠିର କହିଲେ–ପିତାମହ, ମୁଁ ଶୁଣିଛି ଲକ୍ଷ୍ମୀ ଚଞ୍ଚଳା ଓ କାହା ନିକଟରେ ସର୍ବଦା ଅଚଳା ହୋଇ ରହିପାରନ୍ତି ନାହିଁ । କାହିଁକି ଏପରି ହୁଏ ? ଶ୍ରୀ ଯାହାକୁ ତ୍ୟାଗ କରେ ସେହି କ୍ଷେତ୍ରରେ ବଳ, ବୀର୍ଯ୍ୟ, ସୌର୍ଯ୍ୟ ଓ ପୁଷ୍ଟି ବା କାହିଁକି ବିନାଶ ହୁଏ ?

 

ପିତାମହ କହିଲେ–ଧର୍ମରାଜ, ତୁମ୍ଭର ଏହି ପ୍ରଶ୍ନଗୁଡ଼ିକ ଅନୁଧ୍ୟାନଯୋଗ୍ୟ । ଏହି ପ୍ରସଙ୍ଗରେ ପିତାମହ ଦେବରାଜ ଇନ୍ଦ୍ରଙ୍କର ସହିତ ଲକ୍ଷ୍ମୀଙ୍କର କଥୋପକଥନ ଅବତାରଣା କରିଥିଲେ ।

 

ପିତାମହ ଦେବବ୍ରତ କହିଲେ–ଏକଦା ଦେବରାଜ ଦୀର୍ଘ ତପସ୍ୟା ଓ ସାଧନା ବଳରେ ଜଗତକ୍ରତା ବିଷ୍ଣୁଙ୍କୁ ତୁଷ୍ଟକରି ନିଜ ସହିତ ଦେବକୁଳର ଆତ୍ମଶୁଦ୍ଧି ଆଣି ପାରିଥିଲେ । ଆତଃପର ବନ୍ଧନଦଶାରେ ପଡ଼ିଥିବା ବଳି ପାଖକୁ ଯାଇଥିଲେ ଓ ଅସୁରରାଜା ବଳି ଦେହରୁ ଏକ ଅପରୂପ ରମଣୀ ନିର୍ଗତା ହେବାର ଦେଖିଲେ । ସେହି ରମଣୀଙ୍କ ମୁଖ ମଣ୍ଡଳ ପ୍ରସ୍ଫୁଟିତ ପଦ୍ମସଦୃଶ ଉଦ୍‌ଭାସିତ ଓ ବାହୁଦ୍ୱୟ କେୟୁର ଶୋଭିତ ଥିଲା । ଏହିପରି ଅପୂର୍ବ କାନ୍ତିମୟୀ ରମଣୀ ଦର୍ଶନରେ ଦେବରାଜଙ୍କ ମନ ବିହ୍ୱଳିତ ଓ ଶ୍ରଦ୍ଧାପ୍ଳୁତ ହୋଇଥିଲା । ସବିସ୍ମୟ ଦେବରାଜ ତାଙ୍କର ବିହ୍ୱଳଭାବ ଦୂର କରି କମଳାକ୍ଷୀକୁ ପଚାରିଲେ, ଆପଣ କିଏ ?

 

ରମଣୀ ଉତ୍ତର ଦେଲେ–ବଳବୀର୍ଯ୍ୟ ସମନ୍ୱିତ, ପୂତଚରିତ୍ର ରାଜଦେହ ନିବାସିନୀ ମୁଁ ‘ଲକ୍ଷ୍ମୀ’ । କେହି ବା ମୋତେ ଦୁଃସହା, କେହିବା ‘ବିଧିତ୍ମା’ ନାମରେ ଅଭିହିତ କରିଥାନ୍ତି । ମୁଁ ଜଗତର ବିଧି ବିଧାନର ନିୟାମକ । ଜ୍ଞାନୀମାନେ ମୋତେ ‘ଭୂତି’ ଲକ୍ଷ୍ମୀ, ଶ୍ରୀ ରୂପରେ ଜାଣନ୍ତି । ମନୁଷ୍ୟ ତ ଦୂରର କଥା, କେଉଁ ଧାତା, ବିଧାତା ମଧ୍ୟ ମୋର ପରିଚୟ ଜାଣନ୍ତି ନାହିଁ ।

 

ଇନ୍ଦ୍ର ବୁଝିପାରିଲେ, ସେ ଦେବୀ ସେହି ‘ରାଜଲକ୍ଷ୍ମୀ’ ଯେ କି ଏକଦା ଦେବରାଜଙ୍କୁ ପରିତ୍ୟାଗ କରିବାରୁ ସେ ସ୍ୱୟଂ ଶ୍ରୀହୀନ, ନିଷ୍ପ୍ରଭ ହୋଇଥିଲେ ଓ ସ୍ୱର୍ଗଲୋକ ମରୁଭୂମି ସଦୃଶ ଶୁଷ୍କ ହୋଇଥିଲା । ତତ୍‌ପରେ ଲକ୍ଷ୍ମୀ ଅସୁରରାଜ ‘ବଳି’କୁ ଆଶ୍ରୟ କରିବାରୁ ଶୌର୍ଯ୍ୟ, ବୀର୍ଯ୍ୟ ଓ ଐଶ୍ୱର୍ଯ୍ୟରେ ମହୀୟାନ ହୋଇଥିଲେ । ଲକ୍ଷ୍ମୀଙ୍କୁ ବଳିରାଜ ଦେହରୁ ନିର୍ଗତ ହେବା ଦେଖି ଦେବରାଜ ପଚାରିଲେ–ଦେବୀ, ଆପଣ ସ୍ୱେଚ୍ଛାରେ ନା କେଉଁ ଦେବନିର୍ଦ୍ଦେଶରେ ବଳିରାଜଙ୍କୁ ପରିହାର କରି ଯାଉଛନ୍ତି ?

 

ଲକ୍ଷ୍ମୀ କହିଲେ–ମୁଁ କୌଣସି ଦେବତାର ଅଧୀନ ନୁହେଁ, ମୁଁ କେବଳ କାଳର ଅଧୀନ । ଯେଉଁ କାଳ ଅମୋଘ ଶକ୍ତିଦ୍ୱାରା ଏହି ବିଶ୍ୱ ଚରାଚରରେ ପ୍ରବାହମାନ, ସଚରାଚର ବିଶ୍ୱର ଉତ୍‌ଥାନ ପତନ ଯାହାର ନିୟନ୍ତ୍ରଣାଧୀନ, ମୁଁ ସେହି କାଳର ଅଧୀନ ଓ ଅନୁଗତା । ଯେଉଁଠାରେ ଯେତେ ସମୟ ‘କାଳ’ ସଦାଚାର ନଷ୍ଟ ହୋଇ ଅବସ୍ଥାନ କରିଥାନ୍ତି ମୁଁ ସେଠାରେ ସେତେକ୍ଷଣ ରହିଥାଏ । ନିରବଧି କାଳ ପ୍ରବାହ ସହିତ ମୁଁ ମଧ୍ୟ ପ୍ରବାହମାନ । ଏହି ତ୍ରିଜଗତରେ ମୋତେ କେହି ଏକ ସ୍ଥାନରେ ଆବଦ୍ଧ କରି ରଖିପାରନ୍ତି ନାହିଁ । ମୋର ଏହି ରହସ୍ୟ ବୁଝି ନ ପାରି ମନୁଷ୍ୟ ଭାବେ ଯେ ମୁଁ ଅତି ଚଞ୍ଚଳା ।

 

ଦେବୀଙ୍କ ବଚନର ମର୍ମାର୍ଥ ଅବଗତ ହୋଇ ଦେବରାଜ ପଚାରିଲେ- ବଳିରାଜା ଏପରି କି କର୍ମ କଲେ ଯେ ଆପଣ ତାଙ୍କୁ ପରିତ୍ୟାଗ କଲେ ?

 

ଲକ୍ଷ୍ମୀ କହିଲେ–ବଳିରାଜ ବର୍ତ୍ତମାନ କାଳ କବଳିତ । ଏହା ପୂର୍ବରୁ ବଳିରାଜାଙ୍କର ସତ୍ୟନିଷ୍ଠ, ତପସ୍ୟା ଶ୍ରଦ୍ଧା, ଧ୍ୟାନ, କର୍ମ ଓ ପରୋପକାରୀତା ପ୍ରଭୃତି ସଦ୍‌ଗୁଣାବଳୀରେ ‘କାଳ’ ଆବଦ୍ଧ ହୋଇ ବଳିରାଜାଙ୍କଠାରେ ଥିଲେ । ଏହାଦ୍ୱାରା ‘ବଳି’ ସମସ୍ତ ବାଧାବିଘ୍ନ ଅତିକ୍ରମ କରି ପାରିଥିଲେ । କ୍ରମଶଃ ସେହି କାଳର ବଶବର୍ତ୍ତୀ ହୋଇ କ୍ରମେ କ୍ରମେ ବଳିରାଜାଙ୍କ ମନରେ ଅହଙ୍କାର ଜାତ ହୋଇ ମହୀରୂହ ଆକାର ଧାରଣ କଲା । ଆତ୍ମଶ୍ମାଘାର ଦାସ ହୋଇ ରାଜା ‘ବଳି’ ନିଜର ସତ୍ତା ଓ ବିବେକ ବୁଦ୍ଧି ବିସର୍ଜନ କଲେ । ଏ ଜଗତରେ କ୍ଷଣସ୍ଥାୟୀ ଆଧିପତ୍ୟ ଲାଭ କରି ବଳି ନିଜକୁ ଚିନ୍ତା କଲେ ଯେ ସେ କେଡ଼େ ମହାନ୍‌ ଓ ମହୀୟାନ । ତାଙ୍କ ସଦୃଶ ଦ୍ୱିତୀୟ କେହି ଏ ତ୍ରିଜଗତରେ ନାହିଁ । ସେ ହିଁ କେବଳ ସମୂହ ଯାଗ, ଯଜ୍ଞ, କ୍ରିୟା କର୍ମର ପରିଚାଳକ । ସେ ହିଁ ରକ୍ଷାକର୍ତ୍ତା, ଏବଂ ସେ ଇଚ୍ଛା କଲେ ମୁହୂର୍ତ୍ତକ ମଧ୍ୟରେ ଏ ବ୍ରାହ୍ମଣ ଧ୍ୱସଂ କରି ପାରିବେ । କାଳପ୍ରବାହରେ ଏହି ଦମ୍ଭୋକ୍ତି ମୁଁ ଆଶ୍ରୟ କରିଥିବା ସମୟରେ ବଳିରାଜାଙ୍କ ଚିତ୍ତକୁ କଳୁଷିତ ଓ ମୋହଗ୍ରସ୍ତ କଲା । ‘କାଳ’ ବିଶ୍ୱକୁ ସୁସମୃଦ୍ଧ କରି ରଖିବା ଦାୟିତ୍ୱ ଯେଉଁ ରାଜାଙ୍କୁ ଦେଇଥାନ୍ତି ସେ ମୋହଗ୍ରସ୍ତ ହୋଇ କଳୁଷ କାଳିମାରେ ଚିତ୍ତ ମାଳିନ୍ୟ ଘଟାଇ ସ୍ୱାର୍ଥାନ୍ଧ ହେଲେ, କାଳଙ୍କର ଅମୋଘ ନିୟମରେ ସେହି ସ୍ଥାନ ମୋର ଏରିତ୍ୟାଜ୍ୟ । ସେହି ହେତୁ ଅସୁରରାଜ ‘ବଳି’ଙ୍କୁ ମୁଁ ତ୍ୟାଗ କରି ଯାଉଅଛି ।

 

ଦେବରାଜ କହିଲେ–ଏହା ଯଦି ସତ୍ୟ ହୁଏ, ତାହେଲେ ସେହି କାଳର ନିୟମ ଅନୁସାରେ ଆପଣଙ୍କୁ ଅବଶ୍ୟ କାହାକୁ ନା କାହାକୁ ଆଶ୍ରୟ ଦେବାକୁ ହିଁ ହେବ । କାରଣ ଭୁବନ କେବେହଁ ଲକ୍ଷ୍ମୀହୀନ ହୋଇ ରହିପାରିବ ନାହିଁ ।

 

ଲକ୍ଷ୍ମୀ କହିଲେ–ଦେବରାଜ, ତୁମ୍ଭର ବଚନ ଅବଶ୍ୟ ସତ୍ୟ । ‘କାଳ’ ନିର୍ଦ୍ଦେଶରେ ପବିତ୍ର ଚିତ୍ତ ତୁମ୍ଭଙ୍କୁ ହିଁ ମୁଁ ଆଶ୍ରୟ କରିବି ।

 

ଉତ୍‌ଫୁଲ୍ଲିତ ଚିତ୍ତରେ ଦେବରାଜ ଦେବୀଙ୍କୁ ପ୍ରଣତି ଜଣାଇଲେ । ଅତଃପର ଦେବରାଜ କିଞ୍ଚିତ୍‌ ଚିନ୍ତାକରି କହିଲେ–ଦେବୀ ! ଆପଣ ଅପରମିତ ଐଶ୍ୱର୍ଯ୍ୟଶାଳିନୀ, ମୁଁ ସେହି ତୁଳନାରେ ଅତି କ୍ଷୁଦ୍ର ଓ ନଗଣ୍ୟ । ମୁଁ କିପରି ଏହି ବିଶ୍ୱବ୍ୟାପିନୀ ଶକ୍ତିମୟୀଙ୍କର ମର୍ଯ୍ୟାଦା ରକ୍ଷା କରି ପାରବି-?

 

ଦେବୀ କହିଲେ–ଦେବରାଜ, ଏହି ତ୍ରିଭୁବନରେ ଏକାକୀ କୌଣସି ଦେବତା, ରାକ୍ଷସ, ମନୁଷ୍ୟ ମୋର ଶକ୍ତି ବହନ କରିପାରନ୍ତି ନାହିଁ । ମୋତେ ବହନ କରିବାର ଶକ୍ତି ଏକାକୀ ଏହି ତ୍ରିଜଗତରେ ନାହିଁ । ତଥାପି ମୁଁ ଜଣଙ୍କୁ ହିଁ ଆଶ୍ରୟ କରିଥାଏ । ବର୍ତ୍ତମାନଠାରୁ ସେହି ମହାତାପସ ଓ ପରାକ୍ରମୀ ତୁମ୍ଭଙ୍କୁ ହିଁ ଆଶ୍ରୟ କରି ରହିବି । ତୁମେହିଁ ଉଦ୍ୟୋଗୀ ପୁରୁଷ ଏବଂ ମୁଁ ଉଦ୍ୟୋଗୀଙ୍କୁ ହିଁ ଆଶ୍ରୟ କରିଥାଏ ।

 

ଦେବରାଜ କହିଲେ–ଦେବୀ ଆପଣଙ୍କ କୃପାରୁ ମୁଁ ଉଦ୍ୟୋଗୀ ଓ ପରାକ୍ରମଶାଳୀ ହେଲେହେଁ, ଆପଣଙ୍କ କରୁଣା ଅମଳିନ ରଖିବା ସକାଶେ କିପରି ପ୍ରତିଷ୍ଠା କରିବି ?

 

ଲକ୍ଷ୍ମୀ କହିଲେ–ତୁମ୍ଭେ ଜ୍ଞାନୀ, ବିବେକବାନ ଓ ପ୍ରବୃଦ୍ଧ ଆତ୍ମା । ତୁମ୍ଭର ଜ୍ଞାନ ବିଜ୍ଞାନରେ ଏ ଜଗତ ଆଲୋଡ଼ିତ । ଏ ଜଗତ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଏହି ଚତୁଃବର୍ଗରେ ପରିକ୍ରମଶୀଳ । ମୋ ନିକଟରେ ଏହି ଚତୁଃବର୍ଗ ସମାହିତ । ସୁତରାଂ ମୋର ଭାର ଏକାକୀ ଦୁଃସହ । କେବଳମାତ୍ର ଏକ ବିଶ୍ୱଜନନୀ ସତ୍ତା ନିକଟରେ ମୁଁ ‘ଶ୍ରୀ’ ଭାବେ ବିରାଜିତ ଓ ଏହି ‘ବିଶ୍ୱଜନନୀ ସତ୍ତା’ ମୋତେ ଚତୁଃବର୍ଗରେ ବିଭକ୍ତ କରି ସୁଷମାନ୍ୱିତ ହୋଇଥାଏ । ଅତଏବ ହେ ‘ବାସବ’ ତୁମ୍ଭେ ମୋତେ ସେହି ଭାବରେ ଧାରଣ କର ।

 

ଦେବୀଙ୍କ ବଚନ ଦେବରାଜ ଅନୁଧ୍ୟାନ କରିବାକୁ ଲାଗିଲେ ।

 

ଅତଃପର ଇନ୍ଦ୍ର କହିଲେ–ଦେବୀ ଏହା ଯଦି ହୁଏ, ତାହେଲେ ଆପଣଙ୍କର ପ୍ରଥମ ବର୍ଗର ଚରଣ ‘ଧରିତ୍ରୀ’ ଉପରେ ରଖନ୍ତୁ । ଏହି ପୃଥିବୀ କେବଳ ଜୀବଗଣର ଆବାସ ନୁହେଁ, ଦେବୀ ସ୍ୱୟଂ ଏହି ପ୍ରାଣୀକୁଳର ପ୍ରାଣଦାୟିନୀ ଓ ଜୀବନ ଧାରିଣୀ । ସହ୍ୟଶୀଳା ଏହି ଧରିତ୍ରୀ, ଦେବୀଙ୍କର’ ପ୍ରଥମ ଚରଣରେ ଚିର ସମ୍ପଦ ଶାଳିନୀ ହେଉ । ଇନ୍ଦ୍ରଙ୍କ ଅନୁରୋଧରେ ଦେବୀ ତତ୍‌କ୍ଷଣାତ୍‌ ପ୍ରଥମ ଚରଣ ସ୍ଥାପନ କଲାରୁ ପୃଥିବୀ ଅପରୂପା ହୋଇ ଉଠିଲା ।

 

ତାପରେ ଦେବୀ କହିଲେ ମୋର ଦ୍ୱିତୀୟ ଚରଣ କେଉଁଠି ରଖିବି ?

 

ଦେବରାଜ କହିଲେ–ଦେବୀ ଆପଣଙ୍କର ଦ୍ୱିତୀୟ ଚରଣ ‘ଜଳ’ ଉପରେହିଁ ପ୍ରତିଷ୍ଠା କରନ୍ତୁ । କାରଣ ଏହି ପାର୍ଥିବ ଜଗତରେ ଜଳହୀନ ଜୀବନ ଅସମ୍ଭବ । ଜଳର ଅପର ନାମ ଜୀବନ-। ଜୀବଲୋକରେ ଜଳର ଗତି ଅବିରାମ ରହିଲେ ଜୀବନ ପ୍ରବାହ କେବେହେଁ ବିଚ୍ଛିନ୍ନ ହେବ ନାହିଁ ଓ ଜୀବଗଣଙ୍କର ଜୀବନ ସୁସମୃଦ୍ଧ ହେବ ।

 

ଦେବୀ କହିଲେ, ତଥାସ୍ତୁ । ମୋର ଦ୍ୱିତୀୟ ଚରଣ ଜଳ ଉପରେହିଁ ପ୍ରତିଷ୍ଠା କଲି । ଏହାପରେ ପୃଥିବୀ ବେଷ୍ଟନ କରି ଜଳ ପ୍ରବାହ ପ୍ରବାହିତ ହୋଇ ଜୀବନ, ଜୀବିକାର ଦୁଃଖ ଦୂରୀଭୂତ ହେଲା । ମୂର୍ତ୍ତିକାମୟ ପୃଥିବୀ ଜଳଦ୍ୱାରା ଶସ୍ୟଶ୍ୟାମଳା ହୋଇ ଉଠିଲା ।

 

ତାପରେ ଦେବୀ କହିଲେ, ଦେବରାଜ, ମୋର ତୃତୀୟ ଚରଣ ସ୍ଥାପନର ସ୍ଥାନ ନିର୍ଦ୍ଦେଶ କର ?

 

ଇନ୍ଦ୍ର କହିଲେ–ଦେବୀ, ମନୁଷ୍ୟ ପୃଥିବୀରେ କାମନା ବାସନା ଧରି ଯାଗ ଯଜ୍ଞାଦି କର୍ମାନୁଷ୍ଠାନ କରିବ । ସେହି କର୍ମଜାତ ଫଳ ଆଶାରେ ଆହୁତି ଅଗ୍ନିରେ ପ୍ରଦାନ କରିବା ଅବଶ୍ୟମ୍ଭାବି । କାରଣ ଅଗ୍ନିମୁଖରେ ହିଁ ଦେବଗଣ ‘ହବ୍ୟ’ ଓ ପିତୃଗଣ ‘କବ୍ୟ’ ଗ୍ରହଣ କରିଥାନ୍ତି । ଅତଏବ ମୋର ପ୍ରାର୍ଥନା ଆପଣ ଆପଣଙ୍କର ତୃତୀୟ ଚରଣ ଅଗ୍ନିରେହିଁ ସ୍ଥାପନ କରନ୍ତୁ । ଏହାଫଳରେ ସମୂହ ନିତ୍ୟବସ୍ତୁ ଅଗ୍ନିଶୁଦ୍ଧ ହୋଇ ପାରିବ । ଅତଃପର ଦେବୀ ତୃତୀୟ ଚରଣ ଅଗ୍ନିରେ ହିଁ ପ୍ରତିଷ୍ଠା କଲେ । ପୁନଶ୍ଚ ଚତୁର୍ଥ ଚରଣ ସ୍ଥାନ ନିର୍ଦ୍ଦେଶ କରିବାକୁ ଇନ୍ଦ୍ରଙ୍କୁ ଅନୁରୋଧ କଲେ ।

 

ଇନ୍ଦ୍ର କହିଲେ–ଗୁଣ ତାରତମ୍ୟରେ ମନୁଷ୍ୟର ତାରତମ୍ୟ ଜଣାଯାଇଥାଏ । ତଥାପି ମୋର ପ୍ରାର୍ଥନା,, ଯେଉଁ ମନୁଷ୍ୟଗଣ ସର୍ବଦା ସତ୍‌, ପରିଚ୍ଛନ୍ନ ମନସ୍କ ଓ ବିବେକୀ ସେମାନଙ୍କ ଉପରେ ହିଁ ଆପଣ ଚତୁର୍ଥ ଚରଣ ପ୍ରତିଷ୍ଠା କରନ୍ତୁ । ପ୍ରସନ୍ନ ଚିତ୍ତରେ ଲକ୍ଷ୍ମୀଦେବୀ ଚତୁର୍ଥ ଚରଣ ଯୋଗ୍ୟ ମନୁଷ୍ୟଙ୍କ ଉପରେ ସ୍ଥାପନ କରି ଦେବରାଜଙ୍କୁ ନିର୍ଭୟରେ ତ୍ରିଭୁବନ ପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

 

ଅବଶେଷରେ ପିତାମହ ଯୁଧିଷ୍ଠିରଙ୍କୁ କହିଲେ–ଧର୍ମରାଜ, ଏହିପରି ବିଚକ୍ଷଣତା ସହିତ ଦେବରାଜ ଲକ୍ଷ୍ମୀଙ୍କୁ ସ୍ଥାନ ଦେଇ ସମସୂତ୍ରରେ ସମସ୍ତଙ୍କୁ ଗୁଚ୍ଛି, ଆତ୍ମ ଅଭ୍ୟୁଦୟ ଘଟାଇବାରେ ସମର୍ଥ ହୋଇଥିଲେ । ଫଳତଃ ବିଶ୍ୱ ମଙ୍ଗଳମୟ ହୋଇ ଉଠିଲା ।

 

ଏହି ଲକ୍ଷ୍ମୀଙ୍କ ପ୍ରସଙ୍ଗରେ ଆଉଥରେ ଦେବବ୍ରତ ଭୀଷ୍ମ ଯୁଧିଷ୍ଠିରଙ୍କୁ ଅନ୍ୟ ଏକ ସମ୍ବାଦ ପରିବେଷଣ କରିଥିଲେ । ତାହା ଇନ୍ଦ୍ର-ଲକ୍ଷ୍ମୀ ସମ୍ବାଦର ଦ୍ୱିତୀୟ କାହାଣୀ ହିସାବରେ ଅବତାରଣା କରାଯାଇଛି ।

 

(ଦ୍ୱିତୀୟ କାହାଣୀ)

 

ଲକ୍ଷ୍ମୀଙ୍କ ପ୍ରସଙ୍ଗରେ ଅନ୍ୟ ଏକ ସମ୍ବାଦ ପୁନଶ୍ଚ ପିତାମହ ଯୁଧିଷ୍ଠିରଙ୍କୁ ଶୁଣାଇଥିଲେ ।

 

ଦେବବ୍ରତ ଭୀଷ୍ମ କହିଲେ–ଏକଦା ତ୍ରିଭୁବନ ବିଚରଣକାରୀ ଦେବର୍ଷି ନାରଦ ଜଗତ୍‌ ପରିଭ୍ରମଣ କାଳରେ ମର୍ତ୍ତ୍ୟଲୋକରେ ଉପନୀତ ହେଲେ । ସେହି ସମୟରେ ଉଷା ଆଲୋକରେ ଆକାଶ ଦୀପ୍ତିମାନ ହୋଇଥିଲା ଏବଂ ଗଙ୍ଗାତୀରରେ ଦେବର୍ଷି ଉପନୀତ ହୋଇ ଗଙ୍ଗା ପୁତବାରିରେ ସ୍ନାନ ସମାପନ କରିଥିଲେ । ଦେବର୍ଷିଙ୍କ ଗଙ୍ଗାବାରିରେ ସ୍ନାନ ସମାପନ କରିବା ଉଦ୍ଦେଶ୍ୟ ନେଇ ଉପସ୍ଥିତ ହେଲେ । ତୀରବାସୀ ଋଷିଗଣ ମଧ୍ୟ ଉଷାକାଳରେ ସ୍ନାନାର୍ଥେ ଗଙ୍ଗାତୀରରେ ଉପସ୍ଥିତ ଥିଲେ । ସମସ୍ତେ ସ୍ନାନାନ୍ତେ ଜପାଦି କର୍ମ ସମାପ୍ତ କରି ଏକତ୍ର ସମବେତ ହୋଇ ଜୀବଗଣର ଅଭ୍ୟୁଦୟ ଓ ପତନର ଚର୍ଚ୍ଚା ସହିତ ପ୍ରାଚୀନ ଇତିହାସ ପର୍ଯ୍ୟାଲୋଚନ କରୁଥିଲେ ।

 

ଜବା କୁସୁମ ସଙ୍କାଶ ସୂର୍ଯ୍ୟଦେବ ଉଦୟ ହେବାରୁ ସର୍ବେ ସୂର୍ଯ୍ୟଙ୍କୁ ପ୍ରଣତି ଓ ବନ୍ଦନା ଜ୍ଞାପନ କରି ନିଜ ନିଜ ଆସନ ତ୍ୟାଗ କରିବା ସମୟରେ ଦେଖିଲେ ଯେ ସୁଦୂର ପୂର୍ବ ଦିଗନ୍ତର ପ୍ରତ୍ୟନ୍ତରୁ ଅନ୍ୟ ଏକ ତେଜୋମୟ ଜ୍ୟୋତି ଦ୍ୱିତୀୟ ସୂର୍ଯ୍ୟ ସଦୃଶ ଉଦିତ ହୋଇ ସେମାନଙ୍କ ନିକଟକୁ ଅଗ୍ରସର ହେଉଛି । କ୍ରମଶଃ ସେହି ଦିବ୍ୟ ପ୍ରଭା ସୂର୍ଯ୍ୟାଲୋକ ସନ୍ନିକଟସ୍ଥ ହେବାରୁ ଦେବର୍ଷି ନାରଦ ଓ ଦେବରାଜ ଇନ୍ଦ୍ର ଦେଖିଲେ ଯେ ଭଗବାନ ବିଷ୍ଣୁଙ୍କ ବିମାନ ସଦୃଶ ଏକ ଦିବ୍ୟ ବିମାନରେ ଅନନ୍ୟା ଅପ୍‌ସରା ପରିବେଷ୍ଟିତା ଜ୍ୟୋତିର୍ମୟୀ ଏକ କମଳାକ୍ଷୀ ରମଣୀ ବିମାନରେ ଉପବିଷ୍ଟା । ରମଣୀଙ୍କର ମୃଦୁ ମଧୁର ହାସ୍ୟରେଖା ଯେପରି ଏ ଦିବ୍ୟ ଜ୍ୟୋତି ରୂପ ଧାରଣ କରିଥିଲା । ସମସ୍ତେ ଏହି ଅଭାବନୀୟ ଦୃଶ୍ୟ ଦେଖି ବିସ୍ମୟାଭୂତ ହୋଇଥିଲେ । ଏହି ଦୃଷ୍ୟ ଦେଖି ସମସ୍ତେ ଚିନ୍ତା କରିବାକୁ ଲାଗିଲେ, କିଏ ଏହି ଦିବ୍ୟାଙ୍ଗନା’ ।

 

ଏହି ମର୍ତ୍ତ୍ୟରେ ଅବତରଣ କାହିଁକି କରୁଛନ୍ତି । ଏହା ପରେ ପରେ ବିମାନଟି ଭୂମି ସଂଲଗ୍ନ ହୋଇଥିଲା । ସମସ୍ତେ ସେହି ଦିବ୍ୟାଙ୍ଗନାଙ୍କୁ ମସ୍ତକ ଅବନତ ପୂର୍ବକ ଶ୍ରଦ୍ଧା ଜ୍ଞାପନ କଲେ ।

 

ପ୍ରଥମେ ଦୁର୍ଜ୍ଜୟ ସାହସ ସହିତ ଦେବରାଜ ଇନ୍ଦ୍ର ଓ ଦେବର୍ଷି ନାରଦ ଅଦୂରବର୍ତ୍ତୀ ବିମାନ ନିକଟକୁ ଯାଇ ପଚାରିଲେ–ହେ ଦିବ୍ୟାଙ୍ଗନା ! ଚାରୁହାସିନୀ ଆପଣଙ୍କ ପରିଚୟ ପ୍ରଦାନ କରି ଆଗମନର ଉଦ୍ଦେଶ୍ୟ କୁହନ୍ତୁ । ଆପଣଙ୍କର ଗନ୍ତବ୍ୟ ଲକ୍ଷ୍ୟ ସ୍ଥାନ ବା କେଉଁଠାରେ ?

 

ଦେବୀ କହିଲେ–ଦେବରାଜ, ଇନ୍ଦ୍ର ଆପଣ କଣ ମୋତେ ଜାଣିପାରୁନାହାନ୍ତି ? ମୁଁ ସେହି ରମଣୀ ଯାହାକୁ ପାଇବା ନିମନ୍ତେ ଦେବତା ଓ ମନୁଷ୍ୟ ସମସ୍ତେ କାମନା କରିଥାନ୍ତି । ମୋର କୃପାଦ୍ୱାରା ଧରିତ୍ରୀ ଧନ୍ୟା ହୋଇ ସଚରାଚର ଐଶ୍ୱର୍ଯ୍ୟମୟୀ ହୋଇଥାଏ ।

 

ଏହାପରେ ଦେବୀ ଇନ୍ଦ୍ରଙ୍କୁ ଆତ୍ମପରିଚୟ ଦେବା ଉଦ୍ଦେଶ୍ୟରେ କହିଲେ–

 

‘‘ଅହଂ ଲକ୍ଷ୍ମୀ ମହଂଭୂତିଃ ଶ୍ରୀଶ୍ଚାହଂ ବଳସୂଦନ ।

ଅହଂ ଶ୍ରଦ୍ଧା ଚ ମେଧାଚ ସ୍ୱଂନଭି ବିଜିତି ସ୍ଥିତଃ ।’’

 

ଅର୍ଥାତ୍‌ ହେ ବଳସୃଦନ ମୁଁ ହିଁ ଲକ୍ଷ୍ମୀ, ଭୂତି, ଶ୍ରୀ, ଶ୍ରଦ୍ଧା, ମେଧା, ସ୍ୱନୂଭି, ବିଜିତିଃ, ସ୍ଥିତିଃ, ଧୃତି, ସିଦ୍ଧି, କାନ୍ତି ଓ ସମୃଦ୍ଧି ।

 

ମୁଁ ଦେବଗଣଙ୍କର ସ୍ୱାହା ଓ ପିତୃଗଣଙ୍କର ସ୍ୱଧା । ମୁଁ ସଂସ୍କୃତି, ନିୟତି, ସ୍ମୃତି । ମର୍ତ୍ତ୍ୟଲୋକର ଶୌର୍ଯ୍ୟ ବୀର୍ଯ୍ୟଶାଳୀ ସ୍ୱଧର୍ମ ନିରତ ରାଜ ଶରୀରରେ ଓ ବୁଦ୍ଧିମାନ, ସତ୍ୟାଶ୍ରୟୀ, ସତ୍ୟବାଦୀ, ଧର୍ମପରାୟଣ ପୁରୁଷ ହୃହୟ ହିଁ ମୋର ବାସସ୍ଥାନ ।

 

ପରିଚୟ ପ୍ରାପ୍ତ ହୋଇ ଦେବରାଜ ଇନ୍ଦ୍ର ପୁନଶ୍ଚ ପ୍ରଣତି ଜଣାଇଲେ । ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ପଚାରିଲେ, ଦେବୀ ! ଆପଣ କେଉଁଠାରୁ ଆସିଲେ କାହିଁକି ଏହି ମର୍ତ୍ତ୍ୟଲୋକକୁ ଆସିଛନ୍ତି ? ସ୍ୱୀୟ କୃପା କଣାଦ୍ୱାରା କାହାକୁ ମହିମାନ୍ୱିତ କରିବାକୁ ଏଠାରେ ଉପନୀତ ହୋଇଛନ୍ତି-?

 

ଦେବୀ କହିଲେ–ଅସୁରଗଣଙ୍କ ସତ୍ୟନିଷ୍ଠା ଓ ଧର୍ମପରାୟଣତାରେ ପ୍ରୀତ ହୋଇ ମୁଁ ଏପର୍ଯ୍ୟନ୍ତ ଅସୁରପୁରୀରେ ଥିଲି । କିନ୍ତୁ ଅସୁରପୁରୀ କ୍ରମଶଃ ଅପବିତ୍ର ହେବାରୁ ସେହି ସ୍ଥାନ ତ୍ୟାଗ କରି ତୁମ ନିକଟକୁ ଆସିଅଛି । କାରଣ ତୁମେ ସତ୍ୟାଶ୍ରୟୀ ଓ ଧର୍ମାଶ୍ରୟୀ ହୋଇଥିବାରୁ ତୁମେ ହିଁ ମୋର ଅଭିଲିପ୍‌ସିତ ବାସସ୍ଥାନ ।
 

ଦେବୀଙ୍କ ଅଭିଳାଷ ଜାଣି ଇନ୍ଦ୍ର ଆନନ୍ଦିତ ହେଲେ, କାରଣ ଦୀର୍ଘକାଳ ସେ ଦେବୀଙ୍କ କୃପାରୁ ବଞ୍ଚିତ ହୋଇ ଦେବଗଣଙ୍କ ସହିତ ଶ୍ରୀହୀନ ହୋଇ ଐଶ୍ୱର୍ଯ୍ୟବିହୀନ ଜୀବନଯାପନ କରୁଥିଲେ । ଉଲ୍ଲାସ ପ୍ରଶମିତ ହେବାରୁ ଇନ୍ଦ୍ର କହିଲେ, ଦେବୀ ଆପଣ ଦୀର୍ଘକାଳ ଅସୁରପୁରୀରେ କି ଆଚାର ଆଚରଣ ଦେଖି ଆକୃଷ୍ଟ ହୋଇ ସେଠାରେ ବାସ କରିଥିଲେ ? ଏବଂ ବର୍ତ୍ତମାନ କଣ ଦେଖି ସେ ସ୍ଥାନ ପରିତ୍ୟାଗ କରି ଏଠାକୁ ଆସିଲେ ?

 

ଦେବୀ କହିଲେ–ଦେବରାଜ, ସତ୍ୟନିଷ୍ଠା ଓ ଧର୍ମାଚାର ପ୍ରଭୃତି ସଦ୍‌ଗୁଣାବଳୀ ଯେଉଁଠାରେ କାଳପ୍ରବାହରେ ବିଦ୍ୟମାନ ସେଠାରେ ମୁଁ ବାସ କରିଥାଏ । ଏପର୍ଯ୍ୟନ୍ତ ଅସୁରଗଣ ସେହିପରି ସଦ୍‌ଗୁଣାଚାରରେ ମୋତେ ଆବଦ୍ଧ କରି ରଖିଥିଲେ । କିନ୍ତୁ ବର୍ତ୍ତମାନ ସେହି ସଦ୍‌ଗୁଣହୀନ ହେବାରୁ ମୁଁ ସେହି ସ୍ଥାନ ପରିତ୍ୟାଗ କରିଛି ଓ ଯେଉଁଠାରେ ସଦ୍‌ଗୁଣାଚାର ବିଦ୍ୟମାନ ସେଠାରେହିଁ ମୁଁ ଆଶ୍ରୟ ନେଇ ଅଭ୍ୟୁଦୟ ଘଟାଇବି ।

 

ଇନ୍ଦ୍ର ପଚାରିଲେ–ଦେବୀ ! ଅସୁରଗଣ କିପରି ସଦାଚାରଗୁଣ ଆୟତ୍ତ କରିଥିଲେ ?

 

ଦେବୀ–ଦାନ, ଧର୍ମ, ବୁଦ୍ଧିମତ୍ତା, ସରଳତା, ଉଦ୍ୟମ, ନିରହଙ୍କାର, ପ୍ରୀତି, କ୍ଷମା, ତପସ୍ୟା, ସୂଚିତା, ମିଷ୍ଟଭାଷିତା ଓ ସର୍ବ ବିଷୟରେ ଅଦ୍ରୋହ ଚିତ୍ତ ହିଁ ସଦ୍‌ଗୁଣାବଳୀ । ଏହି ସବୁ ସଦ୍‌ଗୁଣରେ ହୃଦୟ ଆକାଶ ସଦୃଶ ଉଦାର ଓ ଅସୀମ ହୋଇ ଭେଦାଭେଦ ଶୂନ୍ୟ ହୁଏ । ବିଶ୍ୱ-ଚରାଚରରେ ସମଦୃଷ୍ଟି ସମ୍ପନ୍ନ ଜୀବ ‘ସତ୍ୟ’କୁ ଅନ୍ତରରେ ଉପଲବ୍‌ଧି କରିଥାଏ । ବାହ୍ୟିକ ଆଚରଣରେ ମଧ୍ୟ ସେହି ଔଦାର୍ଯ୍ୟ, କାମନା, ବାସନା, ଦ୍ୱେଷହୀନ ପ୍ରେମ, ପ୍ରୀତି ଓ ନିରଳସ ଗୁଣାବଳୀ କଲ୍ୟାଣକାମୀ ହୋଇ ବିକାଶ ଘଟାଇଥାଏ ଓ ଆଚରଣ ଧର୍ମାନୁକୁଳ ହୋଇଥାଏ । ଏକ ସମୟରେ ଅସୁରଗଣ ଏହିସବୁ ସଦ୍‌ଗୁଣ ଆୟତ୍ତ କରି ଅଚ୍ଛେଦ୍ୟ ବନ୍ଧନରେ ଆବଦ୍ଧ ହୋଇ ଉତ୍ତରୋତ୍ତର କଲ୍ୟାଣ ବ୍ରତରେ ଉଦ୍ୟୋଗୀ ହୋଇଥିଲେ ଏବଂ ସରଳ ଓ ନିର୍ଲୋଭୀ ହୋଇ ପରସ୍ୱ ଅପହରଣ କରୁନଥିଲେ । ଅସରନ୍ତି ଅଧ୍ୟବସାୟ ଓ ନିରଳସ କର୍ମ ଓ ନିଷ୍ଠା ସହିତରେ ଜ୍ଞାନ ଚର୍ଚ୍ଚାରେ ବ୍ରତୀ ଥିଲେ । ଜ୍ଞାନଲୋକ ପ୍ରାପ୍ତିରେ ଦେବ ଦ୍ୱିଜଭକ୍ତି, ଦୀନଦୟା, ପ୍ରଦର୍ଶନ କରି ସଞ୍ଜତ ଜୀବନଯାପନ କରୁଥିଲେ ।

 

ଅସୁର ରମଣୀଗଣଙ୍କର ମର୍ଯ୍ୟାଦା ମଧ୍ୟ ଅମଳିନ ଥିଲା । ସ୍ରଷ୍ଟାଙ୍କ ସୃଷ୍ଟି ଆରମ୍ଭରୁ ଏହି ସଦ୍‌ଗୁଣ ସମ୍ପନ୍ନ ଅସୁର ପ୍ରଜାଗଣଙ୍କର ଶ୍ରଦ୍ଧା ଓ ଭକ୍ତିରେ ଆକୃଷ୍ଟ ହୋଇ ସେମାନଙ୍କର ଆଶ୍ରୟୀ ହୋଇଥିଲେ । କିନ୍ତୁ କାଳର କରାଳ ଗତିରେ ଅସୁର କୁଳ ଦିଗଭ୍ରାନ୍ତ ହୋଇ ସଦ୍‌ଗୁଣାବଳୀ ବିସର୍ଜନ ଦେଇ, କାମ, କ୍ରୋଧ, ଲୋଭ, ବାସନା ଓ ପରଶ୍ରୀକାତରତା ଆଚରଣ କରି ଦୁର୍ଗୁଣାବଳୀପୂର୍ଣ୍ଣ ହୋଇ ଉଠିଲେ । କର୍ମ, ଅକର୍ମର ଭେଦ ବିସ୍ମୃତ ହୋଇ କାମପ୍ରବଣତାରେ ଅସୁର ରମଣୀଗଣ ସଂଭ୍ରମ ବିନଷ୍ଟ ହେବାରୁ ଶୂଚିତା ବିନାଶ ହୋଇ ବର୍ଣ୍ଣଶଙ୍କର ପ୍ରବଳ ହୋଇ ଉଠିଲେ । ସ୍ତ୍ରୀ ମର୍ଯ୍ୟାଦା ଲୋପ ହେଲା । ପ୍ରବଞ୍ଚକ, ପ୍ରତାରକ ଅସୁରଗଣ ସେଠାରେ ସମ୍ମାନର ପାତ୍ର ହୋଇ ଉଠିଲେ । ଗୁରୁଶିଷ୍ୟ ସମ୍ପର୍କ ବିପରୀତ ରୀତି ଧାରଣ କଲା । ଗୁରୁ ଶିଷ୍ୟର ଆଜ୍ଞାବହ ହେଲେ । ସଦ୍‌ଗୁଣଯୁକ୍ତ ଜ୍ଞାନୀଗଣ ଜୀବନରକ୍ଷା ନିମନ୍ତେ ସ୍ୱକର୍ମାନୁଷ୍ଠାନ ପରିତ୍ୟାଗ କରି କୃଷିକର୍ମ କରିବାକୁ ବାଧ୍ୟହେଲେ ଓ ମୂର୍ଖଗଣ ଜ୍ଞାନୀଙ୍କ ଆସନ ଲାଭ କରିବା ଫଳରେ ଯଥେଚ୍ଛାଚାରିତା ବୃଦ୍ଧି ପାଇଲା ଏବଂ ବର୍ତ୍ତମାନ ସେହି ଯଥେଚ୍ଛାଚାରିତାର ଫଳ ଅସୁରଗଣ ଭୋଗ କରୁଛନ୍ତି । ସେମାନେ ବର୍ତ୍ତମାନ ଶୌର୍ଯ୍ୟ, ବୀର୍ଯ୍ୟହୀନ ହୋଇ ଆପତ ବଳିଦେହୀ ହେଲେହେଁ କାନ୍ତିହୀନ ଓ ଦୁର୍ବଳ । କାଳର କରାଳ ଗତିରେ ଅସୁର କୁଳରେ ଅକାଳ ସୃଷ୍ଟି ହୋଇଛି ।

 

ପୁନଶ୍ଚ ଦେବୀ କହିଲେ ଶୌର୍ଯ୍ୟ, ବୀର୍ଯ୍ୟ ପରିଚ୍ଛନ୍ନ ପବିତ୍ରତା ହିଁ ମୋର ଆଶ୍ରୟସ୍ଥଳ । ଅସୁରଗଣଙ୍କ ଠାରେ ଅଶୃଚିତା ସୃଷ୍ଟି ହେବା ଦେଖି ମୁଁ ସେହି ସ୍ଥାନ ତ୍ୟାଗ କରିବାକୁ ଚଞ୍ଚଳ ହୋଇ ଉଠିଲି । କାଳପୂର୍ଣ୍ଣ ହେବାରୁ ଅଷ୍ଟସଖୀ ସହ ଅସୁର କୂଳ ତ୍ୟାଗ କରି ଦେବଗଣଙ୍କ ସହିତ ଇନ୍ଦ୍ରଙ୍କର ଆଶ୍ରୟୀ ହେବା ନିମନ୍ତେ ଆସିଅଛି । ବର୍ତ୍ତମାନଠାରୁ ମୁଁ ଦେବଗଣଙ୍କଠାରେ ବାସ କରିବି ।

 

ଦେବରାଜ ଲକ୍ଷ୍ମୀଙ୍କ ବଚନ ମନୋଯୋଗ ସହକାରେ ଶୁଣୁଥିଲେ । ଲକ୍ଷ୍ମୀଙ୍କ ‘ଅଷ୍ଟସଖୀ’ଙ୍କ ପ୍ରସଙ୍ଗ ଅବତାରଣା କରିବାରୁ ସେ ଅଷ୍ଟସଖୀଙ୍କ ପରିଚୟ ଜାଣିବା ନିମନ୍ତେ ପଚାରିଲେ ।

 

ଦେବୀ କହିଲେ–ଅଷ୍ଟସଖୀଙ୍କ ନାମ ହେଲା ଆଶା, ଶ୍ରଦ୍ଧା, ସ୍ମୃତି, ଶାନ୍ତି ବୀଜିତି, ସନ୍ନତି, କ୍ଷମା ଓ ବୃତ୍ତି । ବୃତ୍ତିର ଅପର ନାମ ଦୟା । ଏମାନଙ୍କ ମଧ୍ୟରୁ ଦୟା ସର୍ବକନିଷ୍ଠା ହେଉଥିବାରୁ ସର୍ବାଗ୍ରେ ରହିଥାଏ । ଏମାନଙ୍କ ସହିତ ମୋର ଓ ମୋ ସହିତ ଏମାନଙ୍କର କୌଣସି ଭେଦାଭେଦ ନାହିଁ ।

 

ସହସ୍ର ଲୋଚନ ଇନ୍ଦ୍ର ଓ ଦେବର୍ଷି ନାରଦ ଅନ୍ତରର ସହିତ ଲକ୍ଷ୍ମୀଦେବୀଙ୍କୁ ସ୍ୱାଗତ ଜଣାଇଲେ, ସମବେତ ମୁନିଋଷିଗଣ ଓ ଦେବଗଣ ମଧ୍ୟ ଦେବୀ ଆଗମନ ଉପଲବ୍‌ଧି କରି ଆନନ୍ଦିତ ହେଲେ । ଅତଃପର ଅମରାବତୀ ସବୁଦିଗରୁ ସମୃଦ୍ଧ ହୋଇ ଉଠିଲା ।

Image

 

Unknown

ଜାବାଳି–ତୁଳାଧାର ସମ୍ବାଦ

 

ବୈଚିତ୍ର୍ୟମୟ ଏହି ବିଶ୍ୱ ଧର୍ମରେ ବିଧୃତ । ମନୁଷ୍ୟ ସର୍ବମୟ ଈଶ୍ୱରଙ୍କର ଶ୍ରେଷ୍ଠ ସୃଷ୍ଟି । ମନୁଷ୍ୟ ଧର୍ମାବଦ୍ଧ ହୋଇ ଦାୟିତ୍ୱ ସମ୍ପନ୍ନ ହୋଇଥାଏ । ଈଶ୍ୱରଙ୍କର ପ୍ରାଣୀମାନଙ୍କ ପ୍ରତି ନିର୍ଦ୍ଦିଷ୍ଟ ଆଦେଶ ଅଛି । ସେ ଆଦେଶ ହେଲା, ଧର୍ମ ଆଚରଣ କର । ଧର୍ମପଥ ଅବଲମ୍ବନ କର । ଧର୍ମରେ ବିମୁଖ ହେଲେ ଅଧର୍ମ କବଳିତ ହେବ । ଧର୍ମାନୁସରଣରେ ଅଭ୍ୟୁଦୟ ଓ ଅଧର୍ମାଚରଣରେ ଆତ୍ମବିନାଶ ହୁଏ ।

 

କିନ୍ତୁ ଜୀବିକା ସର୍ବସ୍ୱ ଜୀବନର ପ୍ରତ୍ୟକ୍ଷ ବାସ୍ତବ ସତ୍ୟ-ରେଖା ଚିତ୍ରରେ ମନୁଷ୍ୟ ମନରେ ସ୍ୱତଃ ପ୍ରଶ୍ନ ଉଠେ, ଧର୍ମ କ’ଣ ? କାହାକୁ ବା ଅଧର୍ମ କୁହାଯାଏ । ଧର୍ମର ପଥ ଅତୀବ ସୂକ୍ଷ୍ମ କ୍ଷୂରଧାର । ଏହି ପଥ ସଦା ସତର୍କର ପଥ । ଯୁଗର ଆବର୍ତ୍ତନରେ ବେଦଗ୍ରନ୍ଥ ବିଭକ୍ତ ହୋଇ ବିରୋଧୀ ଶ୍ରୁତି ଗ୍ରନ୍ଥମାନ ଉଦ୍ଭବ ହୋଇଅଛି ଓ ସେହି ଅନୁସାରେ ମନୁଷ୍ୟ କର୍ମ ବିଭିନ୍ନ ଦିଗରେ ନିର୍ଦ୍ଦିଷ୍ଟ କରାହୋଇଛି ।

 

ସତ୍ୟ, ତ୍ରେତା, ଦ୍ୱାପର ଓ କଳିଯୁଗରେ ମନୁଷ୍ୟ ଧର୍ମ ଭିନ୍ନ ଭିନ୍ନ ରୂପ ନେଇଅଛି । ଅତଏବ ଅନୁମିତ ହୁଏ ଯେ ମୁନିଋଷି ଗଣ ଆତ୍ମଶକ୍ତି-ସାମର୍ଥ୍ୟ ଅନୁସାରେ ଧର୍ମର ବ୍ୟବସ୍ଥା କରି ଦେଇ ଅଛନ୍ତି । ଯେଉଁଠାରେ ବାସ୍ତବ ହିଁ ସତ୍ୟ, ସେଠାରେ ବେଦବାକ୍ୟକୁ ପ୍ରାମାଣିକ କୁହାଯାଇ ପାରେ କି ?

 

ଯେଉଁ ଆଚାର ଆଚରଣ ମାଧ୍ୟମରେ କଲ୍ୟାଣ ସାଧିତ ହୁଏ, ତାହାକୁ ସଦାଚାର କୁହାଯାଏ । କିନ୍ତୁ ଏପରି କେତେକ ଅସାଧୁ ସ୍ୱାର୍ଥପର କୁଟିଳ ବ୍ୟକ୍ତି ଦେଖାଯାନ୍ତି ଯେଉଁମାନେ କୁଟିଳତା ଓ ଅସାଧୁତା ଅନ୍ତର ମଧ୍ୟରେ ପୋଷଣ କରି ମଧ୍ୟ ଅନେକ ଉତ୍ତମ କର୍ମ କରିଥାନ୍ତି । ସେହିପରି କର୍ମ ସାଧନରେ ଧର୍ମ ଲାଭ ହୁଏ କି ?

 

ଶାସ୍ତ୍ରରେ ଅଛି ସ୍ୱଧର୍ମ ପାଳନ ହିଁ ଶ୍ରେୟ । କିନ୍ତୁ ବାସ୍ତବରେ ଦ୍ରୋଣାଚାର୍ଯ୍ୟ ବ୍ରାହ୍ମଣ ହୋଇ ମଧ୍ୟ କ୍ଷାତ୍ରଧର୍ମ ପାଳନ କରିଥିଲେ । ବିଶ୍ୱାମିତ୍ର ସ୍ୱଧର୍ମରେ ବିରତ ରହି ବ୍ରାହ୍ମଣ ଧର୍ମ ପାଳନ କରିଥିଲେ ହେଁ ଅମର ହେଲେ । ରାକ୍ଷସରାଜ ରାବଣ ସ୍ୱଧର୍ମରେ ରହି ମଧ୍ୟ ରାମଚନ୍ଦ୍ରଙ୍କ ହସ୍ତରେ ବିନଷ୍ଟ ହୋଇଥିଲା । ଅତଏବ ସ୍ୱଧର୍ମ ପାଳନରେ ଯେ ଧର୍ମଲାଭ ହୁଏ, ଏହା କୁହାଯାଇ ପାରେ କି-? ସ୍ଥାନ କାଳ ପାତ୍ରନୁସାରେ ଧର୍ମରେ ଅର୍ଥ ଯଦି ବିଭିନ୍ନ ହୁଏ, ତାହେଲେ ଧର୍ମ ଓ ଅଧର୍ମର ଯଥାର୍ଥ ସଂଜ୍ଞା କଣ ?

 

ଧର୍ମ ଅଧର୍ମ ସମ୍ବନ୍ଧରେ ସଂଶୟାକୁଳ ହୋଇ ସ୍ୱଂୟ ଯୁଧିଷ୍ଠିର ପିତାମହ ଭୀଷ୍ମଙ୍କୁ ଏହିପରି ପ୍ରଶ୍ନମାନ ଉତ୍‌ଥାପନ କରିଥିଲେ ।

 

ପିତାମହ ଭୀଷ୍ମ ଏହି ପ୍ରସଙ୍ଗରେ ଜାବାଳି-ତୁଳାଧାର ସମ୍ବାଦ ଯୁଧିଷ୍ଠିରଙ୍କୁ ଶୁଣାଇବାକୁ ଯାଇ କହିଲେ- ‘ଜାବାଳି’ ଏକ ମହା ସାଧକ, ଜପ ପରାୟଣ ପୁରୁଷ ଥିଲେ । ଆହାର ନିଦ୍ରା ତ୍ୟାଗ କରି ସେ ଜପରେ ସଦା ସର୍ବଦା ମଗ୍ନ ରହୁଥିଲେ ।

 

ଶାସ୍ତ୍ରରେ ଅଛି ନିରବଚ୍ଛିନ୍ନ ଜପରେ ସିଦ୍ଧି ଲାଭ ହୁଏ ଓ ସୁସ୍ଥିର ମନରେ ଜ୍ଞାନ ସହଜରେ ଲାଭ ହୁଏ । ଜାବାଳୀ ସେହିପରି ଏକ ବନବାସୀ ଜପ ସାଧକ ଥିଲେ ।

 

ବାରାଣସୀରେ ‘ତୁଳାଧାର’ ନାମରେ ଏକ ମହାଗୃହୀ ବୈଶ୍ୟ ବାସ କରୁଥିଲେ । ବ୍ୟବସାୟ ବାଣିଜ୍ୟ ତାଙ୍କର ପ୍ରଧାନ ଜୀବିକା ଥିଲା । ଏକଦା ଦୁଇ ବିପରୀତ ଧର୍ମୀଙ୍କ ମଧ୍ୟରେ ଧର୍ମ ଅଧର୍ମ ବିଷୟରେ ଏକ ଆଲୋଚନା ହୋଇଥିଲା । ପିତାମହ ଏତିକି କହି ଯୁଧିଷ୍ଠିରଙ୍କୁ କହିଲେ, ସେହି ଆଲୋଚନା ଶ୍ରବଣ କଲେ ଧର୍ମ ଓ ଅଧର୍ମର ସଂଜ୍ଞା ତୁମେ ଜାଣି ପାରିବ । ଅତଏବ ଶୁଣ ।

 

ପିତାମହ କହିଲେ–ଏକଦା ବନବାସୀ ଧାର୍ମିକ ମୁନି ଜାବାଳି ସିଦ୍ଧି ଲାଭ ପାଇ ସମୁଦ୍ର-ତୀରସ୍ଥ ଏକ ନିର୍ଜନ ସ୍ଥାନରେ ଘୋର ତପସ୍ୟା ମଗ୍ନ ହେଲେ । ଆହାର ବିହାର ବିଷୟରେ ଯେତେ ପ୍ରକାର କୃଚ୍ଛ୍ରତା ସମ୍ଭବ, ସେସବୁ ନିଷ୍ଠା ସହିତ ଅତିକ୍ରମ କରି କେବଳ ମାତ୍ର ବାୟୁ ଭକ୍ଷଣରେ ଦଣ୍ଡାୟମାନ ରହି ଜପ ସାଧନା କଲେ । ନଗ୍ନ ଦେହରେ ହରିଣ ଚର୍ମ ମାତ୍ର ପରିଧାନ କରି ଦୀର୍ଘକାଳ ତପସ୍ୟା ମଗ୍ନ ରହିବାରୁ ଜାବାଳିଙ୍କ ମସ୍ତକ ଜଟାବୃତ୍ତ ହୋଇଥିଲା । ନୀରବ, ନିଶ୍ଚଳ ମୁନିବର ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ଏହିପରି ଦୀର୍ଘକାଳ ନିଶ୍ଚଳ ରହି ସାଧନା ମଗ୍ନ ଥିଲେ ।

 

ଏକ ଚଟକ ଦମ୍ପତି ନିଥର ଦଣ୍ଡାୟମାନ ମୁନିଙ୍କୁ ନିରାପଦ ଆଶ୍ରୟ ମନେକରି ମୁନିଙ୍କ ମସ୍ତକସ୍ଥିତ ଜଟିଳ ଜଟା ମଧ୍ୟରେ ଆଶ୍ରୟ ନେଇଥିଲେ । ଦିନରେ ପକ୍ଷୀ ଦୁଇଟି ଇତଃସ୍ତତ ଘୁରି ବୁଲୁଥିଲେ ହେଁ ରାତ୍ରିକାଳରେ ସେହି ଜଟାକୁ ଆଶ୍ରୟସ୍ଥଳୀ କରି ନିଶ୍ଚିନ୍ତରେ ରାତ୍ରି ଯାପନ କରୁଥିଲେ-। ମୁନି ଜାବାଳିଙ୍କ ଏହା ଜ୍ଞାତ ସାରରେ ପର୍ବ ସମାହିତ ହେଲେହେଁ ମୁନି ନିଥର ରହିଥିଲେ କାରଣ ମୁନି ଚାଞ୍ଚଲ୍ୟ ପ୍ରକାଶରେ ମସ୍ତକ ଆନ୍ଦୋଳିତ ହେବ ହୁଏତ ପକ୍ଷୀ ମିଥୁନ ଭୀତତ୍ରସ୍ତ ହୋଇପାରେ । ଏହା ଭାବି ସେ ନିଶ୍ଚଳରୁ ନିଶ୍ଚଳତର ରହିଥିଲେ । ମୁନି ଭାବିଥିଲେ ଯେ ଆଶ୍ରୟକାମୀକୁ ଆଶ୍ରୟ ଦେବାହିଁ ଧର୍ମ । ପକ୍ଷୀ ମିଥୁନ ଜଟା ସଞ୍ଚାଳନ କଲେ ଭୀତ ହୋଇ ଆଶ୍ରୟ ତ୍ୟାଗ କରି ପାରନ୍ତି ଏବଂ ଏହା ଅଧର୍ମାଚରଣ ହେବ ଭାବି ମୁନି ନିଶ୍ଚଳ ରହିବା ହିଁ ସମୀଚୀନ ମନେ କଲେ ।

 

କିଛିକାଳ ଅତିବାହିତ ହେଲା ପରେ ଯଥା ସମୟରେ ପକ୍ଷିଣୀ ସେଇ ଜଟା ମଧ୍ୟରେ ଦୁଇଟି ଡିମ୍ବ ପ୍ରସବ କରିଥିଲା । ମଝିରେ ମଝିରେ ସେମାନେ ଖାଦ୍ୟ ସନ୍ଧାନରେ ଜଟା ମଧ୍ୟରୁ ନିଷ୍କ୍ରାନ୍ତ ଓ ପ୍ରତ୍ୟାବର୍ତ୍ତନ କରି ଡିମ୍ବର ଯତ୍ନ ନେଉଥିଲେ । ଡିମ୍ବର ଯେପରି କୌଣସି କ୍ଷତି ନ ଘଟେ ଓ ପକ୍ଷୀ ଦମ୍ପତି ଯେପରି ବିଭ୍ରାନ୍ତ ନ ହୁଅନ୍ତି ସେଥିପାଇଁ ମୁନି ନିଜର ନିଶ୍ଚଳତାକୁ ଅଧିକ ପରିମାଣରେ ନିଶ୍ଚଳ କରିବାରେ ଉଦ୍ୟୋଗୀ ହେଲେ ।

 

ଯଥା କାଳରେ ବିଦୀର୍ଣ୍ଣ ଡିମ୍ବ ଦୁଇଟିରୁ ପକ୍ଷୀ ଶାବକ ଦ୍ୱୟ ବର୍ହିଗତ ହୋଇ ଜଟା ମଧ୍ୟରେ କିଚର ମିଚର ହେବାକୁ ଲାଗିଲେ । ତଥାପି ମୁନି ଜାବାଳି ନିଥର ହୋଇ ରହିଲେ ।

 

ଧୀରେ ଧୀରେ ଜାବାଳାକ ପକ୍ଷୀ ଶାବକ ସାବାଳକ ହେବାରୁ ସେମାନେ ନିଷ୍କ୍ରାନ୍ତ ହୋଇ ସ୍ୱାଧୀନ ଭାବରେ ଖାଦ୍ୟ ସଂଗ୍ରହ କରିପାରିବା ଦେଖି ପକ୍ଷୀ ଦମ୍ପତି ସେମାନଙ୍କୁ ତ୍ୟାଗ କରି ଅନ୍ୟତ୍ର ଚାଲିଗଲେ । କିଛିକାଳ ଗତ ହେଲା ପରେ ଏକାକୀ ପ୍ରତ୍ୟୁଷରେ ଜଟାଶ୍ରୟ ତ୍ୟାଗ କରି ପକ୍ଷୀ ଶାବକଦ୍ୱୟ ମଧ୍ୟ ଅନ୍ୟତ୍ର ପ୍ରସ୍ଥାନ କଲେ । ତଥାପି ‘ଜାବାଳି’ ଦୀର୍ଘ ଏକମାସ କାଳ ସେମାନଙ୍କର ପ୍ରତ୍ୟାଗମନକୁ ପ୍ରତୀକ୍ଷା କରି ରହିଲେ ମଧ୍ୟ ସେମାନେ ଆଉ ମୁନିଙ୍କ ଜଟାକୁ ପ୍ରତ୍ୟାବର୍ତ୍ତନ କରି ନଥିଲେ । ଏହା ଦେଖି ମୁନି ସିଦ୍ଧାନ୍ତ କଲେ ଯେ ତାଙ୍କର ଧର୍ମ ସାଧନା ଶେଷ ହୋଇଛି ।

 

ଇତି ମଧ୍ୟରେ ସେ ସୁପ୍ରଚୁର ଜପସାଧନା କରିଥିବାରୁ ଜଳ, ସ୍ଥଳ ଓ ଅନ୍ତରୀକ୍ଷରେ ସ୍ୱେଚ୍ଛାରେ ବିଚରଣ କରିବା ସାମର୍ଥ୍ୟ ଅର୍ଜନ କରିଥିଲେ ।

 

ସେ ଏକଦା ନଦୀ ସ୍ନାନ ସମାପନ କରି ଉଦୀୟମାନ ସୂର୍ଯ୍ୟଦେବଙ୍କୁ ପ୍ରଣାମ କରି ଉଚ୍ଚାରଣ କଲେ ‘ଧର୍ମଃପ୍ରାପ୍ତୋମୟେତିବୈ’ ଅର୍ଥାତ୍‌ ଧର୍ମ ଲାଭ କରିଅଛି । ଏହି ସମୟରେ ଆକାଶରୁ ଅଦୃଶ୍ୟବାଣୀ ଶୁଣିଲେ–‘‘ଧର୍ମ ଜ୍ଞାନରେ ଏବେ ମଧ୍ୟ ତୁମ୍ଭେ କାଶୀର ତୁଳାଧର ବୈଶ୍ୟର ସମକକ୍ଷ ହୋଇନାହିଁ । ଗର୍ବିତ ନହୋଇ ‘ତୁଳାଧର’ଙ୍କ ଠାରୁ ଜ୍ଞାନ ଆହରଣ କର ।’’ ଏହା ଶ୍ରବଣ କରି ମୁନି ‘ଜାବାଳି’ ସ୍ତମ୍ଭିତ ହୋଇଗଲେ ।

 

ସେ ମନେ ମନେ କଳ୍ପନା ଜଳ୍ପନା କରିବାରୁ ଲାଗିଲେ, ‘ତୁଳାଧର’ କିଏ ? ଏପରି ନାମ ସେ କେବେ ଶୁଣିଛନ୍ତି ବୋଲି ମନେକରି ପାରିଲେ ନାହିଁ । କାଶୀ, ବାରାଣସୀ କେଉଁଠାରେ ? ଏହି ନିର୍ଜନ ସମୁଦ୍ର ତୀରଠାରୁ କାଶୀ କେତେଦୂର ହୋଇପାରେ । କିପରି ସେ ସେଠାକୁ ଯିବେ ? ଯିବାକୁ ହିଁ ପଡ଼ିବ କାରଣ ଅଦୃଶ୍ୟବାଣୀର ନିର୍ଦ୍ଦେଶରେ ତୁଳାଧରଙ୍କୁ ଦେଖି ଜାଣିବାକୁ ହେବ ସେ କେଡ଼େ ବଡ଼ ସାଧକ ଓ ଧର୍ମଜ୍ଞ ।

 

ଚାଞ୍ଚଲ୍ୟ ଦୁର୍ବାର ହେବାରୁ ସମୁଦ୍ରତୀରସ୍ଥ ବନବାସୀ ଅସୁରଗଣଙ୍କର ସେ ସାହାଯ୍ୟ ଚାହିଁଲେ । ମୁନିଙ୍କ ଅନୁରୋଧରେ ରାକ୍ଷସଗଣ କିଛି ପଥ ମୁନିଙ୍କ ସହିତ ଅଗ୍ରସର ହୋଇ ବାରାଣସୀ ଦିଗ ନିର୍ଦ୍ଦେଶ କରିଦେଲେ । ଜାବାଳି ପଦବ୍ରଜରେ ବାରାଣସୀ ଅଭିମୁଖେ କ୍ଲାନ୍ତିହୀନ ହୋଇ ଯାତ୍ରା ଆରମ୍ଭ କଲେ ।

 

ପଥ ମଧ୍ୟରେ ଯତ୍ରତତ୍ର ଖାଦ୍ୟ ଗ୍ରହଣ ଓ ରାତ୍ରିଯାପନ କରି କିଛିକାଳ ପଥ ଅତିକ୍ରମ କଲାପରେ ଅବଶେଷରେ ଏକ ପ୍ରଭାତରେ ଜାବାଳି କାଶୀଧାମରେ ପ୍ରବେଶ କଲେ । ସେଠାରେ ତୁଳାଧରଙ୍କ ବିଷୟରେ ସନ୍ଧାନ ନେଇ ତୁଳାଧରଙ୍କ ନିକଟରେ ଉପସ୍ଥିତ ହେଲେ ।

 

ମୁନିବରଙ୍କୁ ଦେଖି ‘ତୁଳାଧର ବୈଶ୍ୟ’ ଶଶବ୍ୟସ୍ତ ହୋଇ ଯଥାଯୋଗ୍ୟ ଆପ୍ୟାୟନ ଶେଷରେ କହିଲେ–ମୁନିବର ଆପଣଙ୍କ ଆଗମନକୁ ମୁଁ ପ୍ରତୀକ୍ଷା କରି ରହିଥିଲି । ମୁଁ ଜାଣେ ଯେ ଧର୍ମଜ୍ଞାନ ଲାଭ ପାଇଁ ଆପଣ ସୁଦୀର୍ଘ କାଳ କଠୋର ତପସ୍ୟା କରୁଥିଲେ । ସେହି ସମୟରେ ଆପଣଙ୍କ ମସ୍ତକ ଜଟାରେ ପକ୍ଷୀ-ଦମ୍ପତି ଡିମ୍ବ ପ୍ରସବ କରିଥିଲେ । ତତ୍ପରେ ଡିମ୍ବସ୍ଥ ଶାବକ ଦ୍ୱୟ ନିର୍ଗତ ହୋଇ ସାବାଳକ ହେବାରୁ ଜଟା ଆଶ୍ରୟ ତ୍ୟାଗ କରି ସେମାନେ ଅନ୍ୟତ୍ର ଗମନ କରିଥିଲେ-। କିନ୍ତୁ ଜପସିଦ୍ଧ ପୁରୁଷ ହୋଇ ମଧ୍ୟ ଆପଣ ଆଶ୍ରିତ ପାଳନ ଜନିତ ଧର୍ମକୁ ଧର୍ମଜ୍ଞାନ ଭାବି ଆନନ୍ଦିତ ହୋଇଥିଲେ । ସେହି ସମୟରେ ବାରାଣସୀ ଆସିବାକୁ ଆପଣ ଅଦୃଶ୍ୟ ଆକାଶବାଣୀର ନିର୍ଦ୍ଦେଶ ପାଇଥିଲେ । ଏହା ସତ୍ୟ ନୁହେଁ କି ?

 

ଜାବାଳି କହିଲେ–ବୈଶ୍ୟବର, ରସ, ରୂପ, ଗନ୍ଧ ଦ୍ରବ୍ୟର ବ୍ୟବସାୟ କରି ମଧ୍ୟ ଆପଣା ଏପରି ଜ୍ଞାନ କେଉଁଠାରୁ ପ୍ରାପ୍ତ ହୋଇଛନ୍ତି ?

 

ତୁଳାଧର–ଧର୍ମ ସହାୟତାରେ ମୁଁ ସବୁକିଛି ଜାଣିପାରେ । ଯେଉଁ ଧର୍ମକୁ ଆଶ୍ରୟ କରି ମୁଁ ଜୀବିକାରତ । ସେଠାରେ କୌଣସି କପଟତା ବା ବକ୍ରଗତି ନାହିଁ । ତୁଳା ଦଣ୍ଡରେ ମାପ କରି ଯାବତୀୟ ଦ୍ରବ୍ୟ ବିକ୍ରୟ କରୁଥିଲେ ମଧ୍ୟ, କେବେହେଁ ଖଳ ପ୍ରବଣତାକୁ ମୁଁ ପ୍ରଶୟ ଦେଇ ନାହିଁ । ନିର୍ମଳତା ଓ ଔଦାର୍ଯ୍ୟତା ମୋର ମୂଳଧନ । ଛଳନା ନୁହେଁ କି କପଟ ନୁହେଁ । କେଭେଁ କାହାରିକୁ କୌଣସି ବସ୍ତୁ ନିମନ୍ତେ ଅନୁରୋଧ କରିନାହିଁ କି କାହାପ୍ରତି ମୋର ଅଭିଯୋଗ ନାହିଁ ।

 

ମୁଁ ଜାଣେ, ‘‘ସର୍ବେଷାଂ ଯଃ ସୁହ୍ରୀନ୍ମିତ୍ୱଂ ସର୍ବେଷାଞ୍ଚ ହୀତେରତଃ

କର୍ମଣା ମନସା ବାଚ୍ଚା ସ ଧର୍ମଂ ବେଦ ଜାବଳେ ।’’

 

ଅର୍ଥାତ୍‌ ଯେଉଁ ବ୍ୟକ୍ତି ସମସ୍ତଙ୍କର ସୁହୃତ, ମନ, ବାକ୍ୟ କର୍ମଦ୍ୱାରା ସର୍ବଦା ଜୀବ କଲ୍ୟାଣରତ ସେ ହିଁ ଏକମାତ୍ର ପ୍ରକୃତ ଧର୍ମଜ୍ଞ । ମୁଁ ସେହି ଧର୍ମକୁ ନିଶ୍ଚିତ ଜ୍ଞାନରେ ଜାଣି, ଆଚାର ଆଚରଣ ମଧ୍ୟରେ ଧର୍ମକୁ ଅନୁସୃତ ରଖି ସର୍ବଦ୍ରଷ୍ଟା ହୋଇ ପାରିଛି । ଅଦୃଷ୍ଟ ବା ଅଶ୍ରୁତକୁ ମୁଁ ବିଶ୍ୱାସ କରେ ନାହିଁ । ନଚେତ୍‌ ଆପଣଙ୍କ ଏଠାକୁ ଆସିବାର ନିଗୁଢ଼ କାରଣ ମୁଁ କିପରି କହି ପାରନ୍ତି ?

 

ଜାବାଳି ଧର୍ମ ସମ୍ବନ୍ଧରେ ତୁଳାଧାରଙ୍କ ଠାରୁ ଅଧିକ ଜାଣିବା ନିମନ୍ତେ କୌତୁହଳୀ ହେଲେ ।

 

ତୁଳାଧର କହିଲେ–ଧର୍ମ ଅତି ସୂକ୍ଷ୍ମ ଓ ଇନ୍ଦ୍ରିୟାତୀତ । ଏହା ଅନୁଭବର ବସ୍ତୁ ଓ ସେହି ଅନୁଭୂତି ହିଁ ନିର୍ବାଣ । ପ୍ରତି ମନୁଷ୍ୟ ଅନ୍ତରସ୍ଥ ‘ଅହଂ’ ଧର୍ମକୁ ହିଁ ଆଶ୍ରୟ କରିଥାଏ । ଅହଂ ମଧ୍ୟରେ ସ୍ୱାର୍ଥଚିନ୍ତା, ଆତ୍ମପରଭେଦ, ବିଚ୍ଛେଦ-ବେଦନା, କାମନା-ବାସନା ବା କାମ୍ୟ ଲାଭର ଆନନ୍ଦ ନଥାଏ-। ସେହିପରି ‘ଅହଂ’ ମଧ୍ୟରେ ଆସକ୍ତି-ବିରକ୍ତି, ସୁଖ-ଦୁଃଖ ମଧ୍ୟ ନଥାଏ । ଏହାର ବୃତ୍ତ ବିରାଟ ଓ ସେହି ଅହଂ ସ୍ୱପ୍ରତିଷ୍ଠିତ । ସେହି ଅହଂ ବା ‘ମୁଁ’ କେଭେ ଭୟଭୀତ ହୁଏ ନାହିଁ । ‘ମୁଁ’ ନିଜେ ହିଁ ସେହି ଅହଂ ।

 

ଯେଉଁ ବ୍ୟକ୍ତି ନିରାସକ୍ତ, ସଦା ଉଦାସୀନ ଓ ବିଷୟ ବାସନାରେ ଆସକ୍ତି ଶୂନ୍ୟ ସେ ହିଁ ଭୟଶୂନ୍ୟ ହୋଇ ଅଭୟପଦ ଲାଭ କରିଥାଏ । ଯେଉଁ ବ୍ୟକ୍ତି ସେହି ଅଭୟ ‘ଅହଂ’କୁ ସଂସାରରେ ଲାଭ କରିଥାଏ ସେ ହିଁ କେବଳ କହିପାରେ ଯେ ସେହି ସନାତନ ଧର୍ମକୁ ସେ ଜାଣେ, ଯେଉଁ ସନାତନ ଧର୍ମ ବିଶ୍ୱକୁ ଅପୂର୍ବ ଏକ ନିର୍ଲିପ୍ତ ସୁଷମାରେ ଧାରଣ କରିଥାଏ ।

 

‘ଅହଂ’ ହିଁ ସ୍ୱଂୟ ଧର୍ମ । ଅହଂ ଜ୍ଞାନୀ ହିଁ ପ୍ରକୃତ ବିଦ୍ୱାନ ଏବଂ ସେ ସର୍ବଭୂତରେ ଏକ ଅଖଣ୍ଡ ସତ୍ତା ଦର୍ଶନ କରେ । ସେହି ଅଖଣ୍ଡ ସତ୍ତା ହିଁ ଆତ୍ମା । ଆତ୍ମା ବିଭିନ୍ନ ରୂପରେ ପ୍ରକାଶ ପାଇଥାଏ । ଯଉଁ ବ୍ୟକ୍ତି ସ୍ଥାବର, ଜଙ୍ଗମ, ବିଶ୍ୱ ଚରାଚରରେ ପ୍ରତି ବସ୍ତୁ ମଧ୍ୟରେ ନିଜ ଆତ୍ମା ଅନୁଭବ କରେ, ସେ କେବେହେଁ ହିଂସା, ଦ୍ୱେଷ, କ୍ରୋଧ ବା ମୋହର ବଶୀଭୂତ ହୋଇ ଅପରର କ୍ଷତି କରିପାରେ ନାହିଁ ।

 

ଅହିଂସା ଓ ଅଭୟ ଦାନ ହିଁ ଧର୍ମର ମୂଳବସ୍ତୁ । ଇନ୍ଦ୍ରିୟକୁ ଆୟତ୍ତ ରଖି ଅହିଂସା ଓ ଅଭୟ ଦାନକୁ ଯେଉଁ ବ୍ୟକ୍ତି ଆଶ୍ରୟ କରିଥାଏ, ସେ ଅପରକୁ ପରମାନନ୍ଦ ଦାନ କରି ନିଜେ ମଧ୍ୟ ନିରୁଦ୍‌ବିଗ୍ନ ଚିତ୍ତରେ ପରମ ଆନନ୍ଦ ଲାଭ କରେ । ସେହି ବ୍ୟକ୍ତି ନିକଟରେ ସ୍ୱର୍ଗଦେବତା ମଧ୍ୟ କ୍ଷୀଣପ୍ରଭ ହୁଅନ୍ତି ।

 

ଜାବାଳି ଗଭୀର ମନୋଯୋଗ ସହକାରେ ତୁଳାଧାରଙ୍କ ବଚନମାନ ଶୁଣୁଥିଲେ । କିନ୍ତୁ ଆତ୍ମମଗ୍ନ ତୁଳଧାରଙ୍କର ବଚନ ବିରତି ନହେବା ଯାଏ ମନଜାତ କେତେକ ପ୍ରଶ୍ନ ସେ ଦମନ କରି ରଖିଥିଲେ ।

 

ତୁଳାଧାର ପୁନଶ୍ଚ କହି ଚାଲିଲେ–ଜାବାଳି ! ମୁଁ ଦେଖିଛି ବ୍ୟାଘ୍ର ଦର୍ଶନରେ ମନୁଷ୍ୟ ଓ ହୀନବଳ ପ୍ରାଣୀଗଣ ଭୟରେ ପ୍ରକମ୍ପିତ ହୋଇଥାନ୍ତି, କିନ୍ତୁ ସେହି ବ୍ୟାଘ୍ର ତା’ଠାରୁ ଅପର ଏକ ବଳଶାଳୀ ଜନ୍ତୁ ଦର୍ଶନରେ ଆତ୍ମଗୋପନ କରିଥାଏ । ମୁଁ ଦେଖିଛି ବୃଷମାନଙ୍କୁ ସେମାନଙ୍କ ନିଜ ନିଜ ନିଶ୍ଚିନ୍ତ ଆଶ୍ରୟରୁ ଧରି ଆଣି ସ୍ୱାର୍ଥନ୍ୱେଷୀ ମନୁଷ୍ୟ ସେମାନଙ୍କର ନାସିକା ବିଦୀର୍ଣ୍ଣ କରି ରଶି ସାହାଯ୍ୟରେ ବାନ୍ଧି ରଖି ସାମର୍ଥ୍ୟାତୀତ ଭାର ବହନ କରାଇଥାଏ । ଆଉ ମଧ୍ୟ ଦେଖିଛି ଧନଶାଳୀ ମନୁଷ୍ୟ ଅପର ଏକ ଧନହୀନ ଦୁର୍ବଳ ମନୁଷ୍ୟକୁ ବାସରେ ପରିଣତ କରି କର୍କଶ ବାକ୍ୟ କଷାଘାତରେ ହୀନକର୍ମମାନ କରାଇଥାଏ ଏବଂ ଆହୁରି ମଧ୍ୟ ଦେଖିଛି ଯେ ଧରଣୀ ଯେ କି ଆଶ୍ରୟଦାତ୍ରୀ ଏବଂ ଯାହା ମଧ୍ୟରେ ଆତ୍ମାର ଦୃଷ୍ଟି ଅଗୋଚରରେ ଶତ ଶତ ଜୀବ ଆଶ୍ରୟ କରିଥାନ୍ତି, ସ୍ୱାର୍ଥାନ୍ୱେଷୀ ମନୁଷ୍ୟ ହଳ ଲଙ୍ଗଳ ମୁନରେ ଧରଣୀ ବୁକୁ ବିଦୀର୍ଣ୍ଣ କରି ସେହି ଜୀବଗୁଡ଼ିକ ନିତ୍ୟ ବିନାଶ କରିଥାଏ । ମୋ ମତରେ ଏଗୁଡ଼ିକ କ୍ରୁର କର୍ମ । ହିଂସା ସଦୃଶ ଅଧର୍ମ ନାହିଁ । ହିଂସାରୁ ହିଁ ପ୍ରତିହିଂସା ଜାତ ହୋଇଥାଏ । ଏହିସବୁ କ୍ରୁର କର୍ମଦ୍ୱାରା ମନୁଷ୍ୟର ଯେଉଁ ଉଦ୍ଦେଶ୍ୟ ସାଧିତ ହେଉନା କାହିଁକି ସେ କେବେହେଲେ ସେଇ ଲକ୍ଷ୍ୟରେ ପହଞ୍ଚି ପାରିବ ନାହିଁ । ଯେଉଁଠାରେ ଇନ୍ଦ୍ରିୟ ସମନ୍ୱିତ ହୋଇ ମଧ୍ୟ ଅନ୍ତର ମଧ୍ୟରେ ଏକ ନିର୍ବିକାର ‘ସତ୍ତା’ ସଦା ଜାଗ୍ରତ ଅବସ୍ଥାରେ ରହିଥାଏ, ଅନ୍ୟ ସ୍ୱାର୍ଥସିଦ୍ଧି ହେଲେ ମଧ୍ୟ ନିର୍ବିକାର ‘ସତ୍ତା’ ଲାଭ କରାଯାଏନା । ଏହି ନିର୍ବିକାର ‘ସତ୍ତା’ କ୍ରୁର କର୍ମର ଅତୀତ, ବିଶ୍ୱଜନୀନ ଶାଶ୍ୱତ ଓ ଏହି ସତ୍ତାହିଁ ସନାତନ ଧର୍ମ ଏବଂ ସତ୍ତା ହିଁ ବିବେକ ।

 

ସତ୍‌ ପୁରୁଷମାନଙ୍କର ଆଚରଣ ଅନୁଶୀଳନରେ ସେହି ସତ୍ତା ବା ଧର୍ମ ଲାଭ ହୋଇଥାଏ । ମୁନିଶ୍ରେଷ୍ଠ, ମୁଁ ମୋର ବୋଧଶକ୍ତି ବଳରେ ସେହି ‘ସତ୍ତା’କୁ ହିଁ ଉପଲବ୍‌ଧି କରିଛି । ସେହି କାରଣରୁ ଦ୍ରବ୍ୟ ବ୍ୟବସାୟୀ ହୋଇ ମଧ୍ୟ ମୁଁ ନିରୁଦ୍‌ବିଗ୍ନ ଓ ନିର୍ବିକାର । ଶୋକ-ଦୁଃଖ, ହର୍ଷ-ବିଷାଦ, ମୋତେ ସ୍ପର୍ଶ କରିପାରି ନାହିଁ । ଅତଃପର ତୁଳାଧାର ନିସ୍ତବ୍‌ଧ ରହିଲେ ।

 

ଜାବାଳି କହିଲେ–ବୈଶ୍ୟବର ଆପଣଙ୍କ ବକ୍ତବ୍ୟ ନିଃସନ୍ଦେହରେ ଆପତତଃ ରମଣୀୟ-। କିନ୍ତୁ ସେସବୁ ଉପଦେଶ ମୋ ମତରେ ଈଶ୍ୱରଙ୍କର ଅନଭିପ୍ରେତ । କାରଣ ଏହି ଉପଦେଶ ମାନି ଚଳିଲେ ଅଭ୍ୟୁଦୟ ନିମିତ୍ତ ଯେଉଁସବୁ ଯାଗଯଜ୍ଞ କରାଯାଇଥାଏ ତାହା ବନ୍ଦ ହୋଇଯିବ ନାହିଁ କି ? ଜୀବପ୍ରବାହ ସ୍ତବ୍‌ଧ ହୋଇଯିବ ବେଦ ବିହିତ କର୍ମର ବିଲୁପ୍ତ ଘଟିଲେ କେଉଁ ଧର୍ମ ଲାଭ ହେବ ? ବୈଶ୍ୟବରଙ୍କର ବକ୍ତବ୍ୟମାନ ଆପାତତଃ ନାସ୍ତିକ ବୋଲି ମୋର ପ୍ରତୀୟମାନ ହେଉଅଛି-

 

ତୁଳାଧାର ଜାବାଳିଙ୍କ ବକ୍ତବ୍ୟ ଶୁଣି କହିଲେ–ମୁନିବର, ମୁଁ ଆପଣଙ୍କର ଏ ସନ୍ଦେହ ନିରାସନ କରିବି । କିନ୍ତୁ ଆପଣ କହିବେ କି ମୋର ଉପଦେଶ ମଧ୍ୟରେ ଏପରି କଣ ଅଛି ଯାହାଦ୍ୱାରା ଯାଗଯଜ୍ଞଆଦି କର୍ମ ବନ୍ଦ ହୋଇଯିବ ? ଜୀବପ୍ରବାହ କିପରି ସ୍ତବ୍‌ଧ ହେବ ? ମୋର ଏହି ଉପଦେଶରେ ମନୁଷ୍ୟ ଈଶ୍ୱର ଜ୍ଞାନ ଓ ବେଦ ଜ୍ଞାନ ଲାଭ ନକରି ନାସ୍ତିକ ହେବ ବୋଲି କାହିଁକି କହୁଛନ୍ତି ?

 

ଜାବାଳି କହିଲେ–ଈଶ୍ୱର ଜୀବ ସୃଷ୍ଟି କରି ଜୀବନ ଧାରଣ ନିମନ୍ତେ ବୃତ୍ତି ମଧ୍ୟ ନିର୍ଦ୍ଧାରଣ କରିଛନ୍ତି । ପ୍ରତି ଜୀବ ଅନ୍ନଦ୍ୱାରା ହିଁ ଜୀବନ ରକ୍ଷା କରିଥାଏ । ମନୁଷ୍ୟ ସେହି ଅନ୍ନ ଉତ୍ପାଦନ ନିମନ୍ତେ ହଳ ଓ ବୃକ୍ଷ ସାହାଯ୍ୟରେ ଭୂମି କର୍ଷଣ କରିଥାଏ । କିନ୍ତୁ ବୃଷପ୍ରତି ଅତ୍ୟାଚାର ଓ ତାହାକୁ ବନ୍ଧନକରି କଷ୍ଟ ସାଧ୍ୟ ହଳକର୍ଷଣରେ ବୃଷକୁ ବ୍ୟବହାର କରାହେଉଛି ଭାବି ଯଦି ଭୂମି କର୍ଷଣକୁ ଅନ୍ୟାୟ କୁହାଯିବ, ତାହେଲେ ଅନ୍ନ ଉତ୍ପାଦନ ବନ୍ଦ ହେବନାହିଁ କି ? ଅନ୍ନହୀନ ହେଲେ ପ୍ରାଣରକ୍ଷା ବା ପ୍ରାଣ ପ୍ରବାହ ସୃଷ୍ଟିରେ କିପରି ରହିବ ? ସୃଷ୍ଟିର ମୁହୂର୍ତ୍ତରୁ ପଶୁ ଓ ମଣିଷ ମଧ୍ୟରେ ଯେଉଁ ଖାଦ୍ୟ ଓ ଖାଦକତା ସମ୍ବନ୍ଧ ରହିଛି ତାହା ଅସ୍ୱୀକାର କରିପାରିବେ କି ? ଅନ୍ନଭାବରେ ଜୀବନ ନରହିଲେ ବୈଦିକ ଯାଗଯଜ୍ଞ କିଏ କରିବ ? ଦେବତା ଓ ପିତୃଗଣଙ୍କ ନିମନ୍ତେ କବଦବିହିତ କର୍ମ କିପରି କରାଯିବ ? ସେହି ଦିଗରୁ ଦେଖିଲେ ଆପଣ ନାସ୍ତିକତାକୁ ପ୍ରଶ୍ରୟ ଦେଉ ନାହାନ୍ତି କି ?

 

ଏହା ଶୁଣି ତୁଳାଧାର ମୃଦୁହାସ୍ୟ କରି କହିଲେ–ମୁନିବର, ଆରଣ ବିଭ୍ରାନ୍ତ ହୋଇ ମୋ ବଚନର ମର୍ମାର୍ଥ ଅନୁଧାବନ କରି ପାରିନାହାନ୍ତି । ମୁଁ ଯାଚଯଜ୍ଞର ବିରୋଧୀ ନୁହେଁ । ମୁଁ ମଧ୍ୟ ଜାଣେ ଭୂମି ଅନ୍ନଦାୟୀ । ଭୂମିଜାତ ଫସଲ ଓ ଫଳମୂଳାଦି ଜୀବର ଆହାର । ଆହାର ହିଁ ପ୍ରାଣ ଶକ୍ତିକୁ ସଞ୍ଚାରିତ କରି ରଖିଛି । ମୁଁ ମଧ୍ୟ ଜାଣେ ଯେ ଜଗତରେ ଖାଦ୍ୟ ଓ ଖାଦକ ସମ୍ବନ୍ଧ ପ୍ରଚଳିତ । ଯାଗଯଜ୍ଞ ବ୍ୟତୀତ ଜୀବ ମଧ୍ୟ ରହିପାରେ ନାହିଁ । ଯେଉଁଠାରେ ଅଗ୍ନି ଅନିର୍ବାଣ, ଦେବ ଓ ପିତୃଗଣ ସଦା ଉନ୍ମୁଖ ସେଠାରେ ମନୁଷ୍ୟ କର୍ମବିମୁଖ ହୋଇ ରହିବା ଅସମ୍ଭବ । ନିଜର ସ୍ୱକର୍ମ ଯଦି ନିଜେ ସମ୍ପାଦନ ନ କରନ୍ତି ଏବଂ ନିଜର ନିର୍ଦ୍ଦିଷ୍ଟ ଜୀବିକାରେ ଥାଇ ନିଜେ ଯଦି ଶରୀର ସୁସ୍ଥ ନରଖନ୍ତି ତାହେଲେ କୌଣସି କର୍ମ ବା ଧର୍ମ ପାଳନ ଅସମ୍ଭବ ହେବ ନାହିଁକି ?

 

କିନ୍ତୁ ମନୁଷ୍ୟ ସାଧାରଣତଃ ଜୀବିକା ନିର୍ଦ୍ଦିଷ୍ଟ ଧର୍ମ ପାଳନ କରି କ୍ରମଶଃ ଲୋଲୁପତାର ଶିକାର ଓ ଆସକ୍ତିର ବଶବର୍ତ୍ତୀ ହୋଇ ଆତ୍ମକୈନ୍ଦ୍ରିକ ହୋଇଯାଏ । ଇନ୍ଦ୍ରିୟଭୋଗହିଁ ସେ କ୍ଷେତ୍ରରେ ମନୁଷ୍ୟର ପ୍ରଧାନ ଚିନ୍ତା ହୋଇଥାଏ । କିପରି ଭୋଗ୍ୟ ବସ୍ତୁ ଅଧିକ ପରିମାଣରେ ଆୟତ୍ତ କରାଯାଇପାରେ ସେହି ଚିନ୍ତା ଓ ପ୍ରବଣତା ମନୁଷ୍ୟକୁ ନିୟମ ବିରୁଦ୍ଧ କର୍ମ ପଥରେ ଅଗ୍ରସର କରାଇଥାଏ । ଏହି ଭୋଟ ବାସନାର ଇଚ୍ଛା ଉପେକ୍ଷା କରି ନପାରି ମନୁଷ୍ୟ ଅଚିରେ ହିଂସାଶ୍ରୟୀ ଓ ଆଗ୍ରାସୀ ହୋଇଯାଏ । ଏହି ଆଗ୍ରାସୀ ଓ ହିଂସାଶ୍ରୟୀ ମନୁଷ୍ୟ ବୁଝିପାରେ ନାହିଁ ଯେ ଆତ୍ମଧର୍ମ ଓ ଆତ୍ମକର୍ମ ବିଚ୍ୟୁତ ହୋଇ ସେ କାମନାବହୁଳ କର୍ମର ବଶବର୍ତ୍ତୀ ହୋଇ ରହିଛି । ମନୁଷ୍ୟ ନିର୍ଦ୍ଦିଷ୍ଟ ସ୍ୱକର୍ମ ପ୍ରତି ମୋହାଚ୍ଛନ୍ନ ହୋଇ ସର୍ବଜନିନ ଧର୍ମରୁ ବିସ୍ମୃତ ହୋଇ ବେଦ ବିହିତ ଅନୁଷ୍ଠାନ କର୍ମ ଓ ଯାଗଯଜ୍ଞର ଅର୍ଥକୁ ବିଅର୍ଥ କରି ଏପରି ଏକ ସିଦ୍ଧାନ୍ତ କରେ ଯାହା ମୁନିଋଷଙ୍କ ମତରେ ଅପବ୍ୟାଖ୍ୟା ବ୍ୟତୀତ ଅନ୍ୟ କିଛି ନୁହେଁ । ଫଳତଃ ବେଦଜ୍ଞାନର ଉଦ୍ଦେଶ୍ୟ ସାଧିତ ହୁଏ ନାହିଁ । ମନୁଷ୍ୟ ବାହ୍ୟିକ କ୍ରିୟାକର୍ମର ଆପତଃ ଫଳ ପ୍ରାପ୍ତ ହୋଇ କର୍ମ ବିପାକରେ ପତିତ ହୁଏ । ଯେଉଁଠାରେ ମୁଖ ଭୋଗ ନିମନ୍ତେ କାମନା ସର୍ବସ୍ୱ କର୍ମ ଉଦ୍ଦିଷ୍ଟ ସେଠାରେ ଆପାତ ଦୃଷ୍ଟିରୁ ସୁଖ ଲାଭ ହେଲେହେଁ ବାସ୍ତବ ସୁଖ ଲାଭ ହୁଏ ନାହଁ । ତ୍ୟାଗର ମାଧ୍ୟମରେ ହିଁ ସୁଖ ଲାଭ ହୋଇଥାଏ । କାମନାର ପ୍ରବାହ ଅତି ଭୀଷଣ ଓ ମାରାତ୍ମକ । ଶୁକ୍ର ଶୋଣିତ ସମ୍ପର୍କଜାତ ମନୁଷ୍ୟ ପରି ଜୀବିକା କର୍ମକୁ ଅନ୍ତର୍ନିହିତ କାମନାସକ୍ତ କରିଥାନ୍ତି ତାହେଲେ ବଂଶ ପରମ୍ପରା କାମନାର ଶିକାର ହୋଇଥାନ୍ତି । ଯେପରି ଆତ୍ମଜ ପିତାର ପ୍ରତିରୂପ ସେହିପରି କାମନା ଅନ୍ୟ ଏକ କାମନାର ଜନ୍ମଦାତା ।

 

କର୍ଦ୍ଦମାକ୍ତ ଜଳପ୍ରବାହ କର୍ଦ୍ଦମାକ୍ତ ହିଁ ରହିଥାଏ । ସେଠାରେ ପରିଚ୍ଛନତା ସୁଦୂର । କିନ୍ତୁ ଜଳ ସ୍ୱଭାବତଃ କେବେହେଁ କର୍ଦ୍ଦମାକ୍ତ ନୁହେଁ । ଜଳଧାରା ଆକାଶରୁହିଁ ପର୍ବତ ଶିଖରରେ ପତିତ ହୋଇ ତାହା ସ୍ରୋତସ୍ୱିନୀ ଝରଣା ରୂପରେ ତୃଷାର୍ତ୍ତର ତୃଷା ନିବାରଣ କରେ, ସେତେବେଳେ ସେହି ଜଳ ସ୍ୱଚ୍ଛ ପରିଚ୍ଛନ୍ନ ଥାଏ । ସେହିପରି କାମନା ବିହୀନ କର୍ମାନୁଷ୍ଠାନ ପର୍ବତ ଶିଖରର ସ୍ରୋତସ୍ୱିନୀ ଝରଣା ଜଳ ପରି ସ୍ୱଚ୍ଛ ।

 

ବେଦରେ ଯଜ୍ଞ କର୍ମ ବିଶ୍ୱକଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଅଛି । ସେହି ଯଜ୍ଞ କର୍ମ ଅନୁଷ୍ଠାନଦ୍ୱାରା ବିଶ୍ୱମାନବ ସମମୂତ୍ର ବନ୍ଧନରେ ବାନ୍ଧିହୋଇ ଆନନ୍ଦ ଅନୁଭବ କରିଥାଏ ।

 

ଏହା ଶୁଣି ଜାବାଳିଙ୍କ ମନରେ ଏକ ଅନୁଭୂତି ଜାଗ୍ରତ ହେଲା ।

 

ତୁଳାଧାର ପୁନଶ୍ଚ କହିଲେ–ଶ୍ରୁତି ବେଦ’ ମତରେ ଏଇ ସ୍ଥାବର ଅସ୍ଥାବର ଯୁକ୍ତ ବିଶ୍ୱ ମାନବ ସମୃଦ୍ଧ ଓ ଏହି ସଚରାଚର ଜଗତ ଆନନ୍ଦରୁହିଁ ଜାତ । ବ୍ୟକ୍ତି ଆନନ୍ଦ ସହିତ ସମଷ୍ଟି ଆନନ୍ଦ ସମଭାବରେ ନିହିତ । କିନ୍ତୁ ମାନବଗୋଷ୍ଠୀର ବ୍ରାହ୍ମଣ ବିଶେଷ ମନୁଷ୍ୟ କେଉଁ କର୍ମ ନିରାନନ୍ଦ ଓ ମାଳିନ୍ୟଯୁକ୍ତ ତାହା ମୁଁ ପ୍ରକାଶ କରୁଛି ।

 

ଜାବାଳି ଏହି କଥା ଶୁଣି କହିଲେ–ବୈଶ୍ୟବର ଆପଣ କେବଳ ବ୍ରାହ୍ମଣଙ୍କ କର୍ମକଥା କାହିଁକି ଉଲ୍ଲେଖ କରୁଛନ୍ତି ? ଜଗତରେ ବ୍ରାହ୍ମଣ ବ୍ୟତୀତ ଅପରାପର ବର୍ଣ୍ଣ ମଧ୍ୟ ଅଛନ୍ତି । ଆପଣଙ୍କ ମତରେ କିଏ ବ୍ରାହ୍ମଣ ବା ବ୍ରାହ୍ମଣର ସଜ୍ଞା କଣ ?

 

ତୁଳାଧାର କହିଲେ–ମୁନିବର ବ୍ରାହ୍ମଣଙ୍କ କଥା ଉଲ୍ଲେଖ କରିବାର କାରଣ ଏହି ଯେ ବ୍ରାହ୍ମଣହିଁ ଯାବତୀୟ କର୍ମ ଯଜ୍ଞର ପୁରୋହିତ । କର୍ମ ଆଦର୍ଶର ସ୍ଥାପୟିତ୍ୱ, ଓ ଧର୍ମର ବାର୍ତ୍ତାବହ । ବ୍ରାହ୍ମଣର ସ୍ୱଧର୍ମ ମାଳିନ୍ୟ ଘଟିଲେ ଅପରାପର ମନୁଷ୍ୟ କେବେହେଁ ଧର୍ମ ସୋପାନରେ ଆରୋହଣ କରି ପାରେ ନାହିଁ । ଆପାତତଃ ସୁଖଲାଭ ହେଲେହେଁ ସେହି ‘ଆନନ୍ଦ’ ପାଇ ନଥାଏ । ଅମୃତ ସନ୍ତାନ ହୋଇ ମଧ୍ୟ ଅମୃତ ଆସ୍ୱାଦନରୁ ବଞ୍ଚିତ ହୁଅନ୍ତି । ଜ୍ଞାନୀମାନେ କହିଛନ୍ତି–

 

ନିରାଶିଷମନାରମ୍ଭଂ ନିର୍ଜମସ୍କାରମ୍‌ ସ୍ତୁତିମ୍‌

ଅକ୍ଷୀଣଂ କ୍ଷୀଣକର୍ମାନଂ ତଂ ଦେବାଃ ବ୍ରାହ୍ମଣଂ ବିଦୁଃ ।

 

ଅର୍ଥାତ୍‌ ଯେଉଁ ବ୍ୟକ୍ତି ନିଃଆଶିଷ ଅର୍ଥାତ୍‌ ଯେଉଁ ବ୍ୟକ୍ତି ଆତ୍ମକୈନ୍ଦ୍ରିକ କାମନା ବିହୀନ କର୍ମ ଫଳରେ ଆଶାବିହୀନ ହୋଇ କର୍ମ ଉଦ୍ୟୋଗୀ ରହି ପ୍ରଶସ୍ତି ବ ସ୍ତୁତି ଲାଭରେ ନିରାସକ୍ତ ଥାଏ ସେ ହିଁ ନିର୍ବିକାର, ସମଦର୍ଶୀ ଗୁଣାନ୍ୱିତ ଓ ଆସକ୍ତି ବିହୀନ କର୍ମରେ ମହୀୟାନ ହୋଇ ପାରନ୍ତି ଏବଂ ବିବେକ ଚୈତନ୍ୟ ସର୍ବସ୍ୱ ସେହି ପୁରୁଷଙ୍କୁ ହିଁ ଦେବତାଗଣ ବ୍ରାହ୍ମଣ ଆଖ୍ୟା ଦେଇଛନ୍ତି ।

 

ସେହି ପୁରୁଷଙ୍କର ଆତ୍ମା ମୁଖ୍ୟ ହୋଇ ଇନ୍ଦ୍ରିୟ ଗୌଣ ହୋଇଥାଏ । ସେ ପୁରୁଷ ବିଶ୍ୱ ସଂସାରକୁ ସର୍ବତ୍ର ଆତ୍ମାମୟ ଦେଖିଥାନ୍ତି । ସେ ହିଁ ସ୍ୱୟଂ ଯଜ୍ଞାଦି କର୍ମର ଉପକରଣ । ତାଙ୍କର ଉଦାର ମାନସିକତାହିଁ ଯଜ୍ଞର ହୋତା ବା ପୁରୋଧା ହୋଇଥାଏ । ଆତ୍ମଯଜ୍ଞ ହିଁ ସେହି ପୁରୁଷର ପ୍ରଧାନ ଯଜ୍ଞ । ଯେଉଁ ଯଜ୍ଞରେ ଆତ୍ମସଂଯମ ଓ ଜୀବରକ୍ଷଣ ବ୍ୟତୀତ ହିଂସା ବା ଦ୍ୱେଷ ନଥାଏ, ସେହି କର୍ମରେ କୌଣସି ତ୍ରୁଟି ପରିଲକ୍ଷିତ ହେଲେହେଁ ତାହା ଦେହଧାରୀ ପକ୍ଷରେ ସ୍ୱାଭାବିକ୍‌ । ସେଥିରେ କୌଣସି କ୍ଷତି ହୁଏ ନାହିଁ, କାରଣ ସେ କର୍ମ ନିଷ୍କାମ କର୍ମ ।

 

କର୍ମ ହିଁ ସୃଷ୍ଟିର ଜୀବ । କର୍ମହିଁ ସ୍ରଷ୍ଟା, କର୍ମହିଁ ବନ୍ଧନ ଓ କର୍ମହିଁ ମୁକ୍ତି । ଅଗ୍ନିପ୍ରଦତ୍ତ ଆହୁତିର ଧୂମ ଆକାଶ ମଣ୍ଡଳ ପରିବ୍ୟାପ୍ତ ହୋଇଥାଏ ଏବଂ ସେହି ଶସ୍ୟ ପ୍ରାଣୀର ପ୍ରାଣ ଧାରଣର ମୁଖ୍ୟ ଭୂମିକା ନେଇଥାଏ । ଏହାହିଁ ପ୍ରକୃତିଗତ ନିୟମ । ଏହି ନିୟମରେ କୃତ୍ରିମତା ଆବଶ୍ୟକ ହୁଏ ନାହିଁ । ବିନା କର୍ଷଣରେ ପୃଥିବୀ ଅପର୍ଯ୍ୟାପ୍ତ ଫଳ, ପୁଷ୍ପ ଓ ଶସ୍ୟ ଯାହା ଜୀବନଧାରଣ ପକ୍ଷେ ପ୍ରୟୋଜନ ତାହା ଦାନ କରିଥାଏ । କିନ୍ତୁ ଇନ୍ଦ୍ରିୟାଶକ୍ତ ମନୁଷ୍ୟ ଏଥିରେ ସନ୍ତୁଷ୍ଟ ନହୋଇ କ୍ଷଣସ୍ଥାୟୀ ଧନାକାଂକ୍ଷାରେ ଏପରି କୌଶଳର ଆଶ୍ରୟ ନେଇଥାଏ ଯାହା ବିଜ୍ଞାନୋଚିତ ନୁହେଁ ।

 

କର୍ଷଣର କୃତ୍ରିମତାରେ ଶସ୍ୟ ସମ୍ଭାର ବୃଦ୍ଧି ହୋଇଥାଏ ସତ, କିନ୍ତୁ ସେଥିରେ ମନୁଷ୍ୟ ନିର୍ଲୋଭ ଓ ସମଦର୍ଶୀ ହୋଇ ପାରେକି ? ସେ ଶୋକତ୍ତାପ ଲୋଭ ନିର୍ଲୋଭ, ଈର୍ଷା ଦ୍ୱେଷର ସେହି ଊର୍ଦ୍ଧ୍ୱଲୋକଗତି କରିପାରେ ନାହିଁ । ଯେଉଁ ଲୋକକି ବ୍ରହ୍ମାଙ୍କ ସୁଯୋଗ୍ୟ ସ୍ଥାନ ବୋଲି ଆଖ୍ୟାତ ।

 

କିନ୍ତୁ ସେହି ମନୁଷ୍ୟର ମନ ନିର୍ମଳ ହୋଇ ଏକ ମନ ଏକ ପ୍ରାଣ ହେଲେ କର୍ମ କେବେହେଁ ସଂକୀର୍ଣ୍ଣ ହୁଏ ନାହିଁ କି ଅପ୍ରତୁଳତା ଦେଖାଯାଏ ନାହିଁ । ଅତଏବ ଆତ୍ମଯଜ୍ଞ ହିଁ ଶ୍ରେଷ୍ଠ ଯଜ୍ଞ । ନିଷ୍କାମ କର୍ମ ସାଧନହିଁ ସ୍ୱକର୍ମ । ଶ୍ରଦ୍ଧା ଓ ଅହିଂସାହିଁ ପରମ ଧର୍ମ । ଏପରି କ୍ଷେତ୍ରରେ ସବୁ କର୍ମ ଏକ ହୋଇଯାଏ ଯେପରି ବିଭିନ୍ନ ସ୍ଥାନର ଜଳଧାରା ଏକତ୍ର ହୋଇ ମହାସାଗରରେ ମିଶି ଏକ ହୋଇଥାଏ ।

 

ମନଦେଇ ଜାବାଳି ଏହି ଅଶ୍ରୁତ ବଚନମାନ ଶୁଣିଲେ । ମନ ମଧ୍ୟରେ ଗୋଟିଏ କଥା ବାରମ୍ବାର ଜାବାଳିଙ୍କ ମନ ମଧ୍ୟରେ ଉଚ୍ଚାରିତ ହେଲା ଆତ୍ମଯଜ୍ଞ, ଆତ୍ମଯଜ୍ଞ । ତାଙ୍କ ମନରେ ଆଉ କୌଣସି ସନ୍ଦେହ ରହି ନଥିଲା ।

Image

 

କପୋତ–କପୋତୀ କଥା

 

ପିତାମହ ଦେବବ୍ରତ ଭୀଷ୍ମଙ୍କୁ ସଦ୍‌ଗୁରୁ ରୂପେ ବିଚାର କରି ଯୁଧିଷ୍ଠିର ଧର୍ମ ସମ୍ବନ୍ଧରେ ଯଥେଷ୍ଟ ଜ୍ଞାନ ଲାଭ କରିଥିଲେହେଁ ପ୍ରସଙ୍ଗାନ୍ତରରେ ଏକଦା ପିତାମହଙ୍କୁ ପ୍ରଶ୍ନ ପଚାରିଥିଲେ, ପିତାମହ ! ଶରଣାଗତ ଅତିଥିକୁ ରକ୍ଷା କରିବା ହିଁ ମନୁଷ୍ୟର ପ୍ରକୃତ ଧର୍ମ । ସେହି ଧର୍ମ ଅନୁଶୀଳନରେ ହିଁ ମନୁଷ୍ୟ ଯଥାର୍ଥ ସୁଖ ଲାଭ କରିଥାଏ । କିନ୍ତୁ ସେହି ‘ଲାଭ’ ଓ ସୁଖର ସ୍ୱରୂପ କଣ ?

 

ପିତାମହ କହିଲେ–ମୁଁ ଜାଣେ ଯେ ତୁମ୍ଭର ଶରଣାଗତ ଆଶ୍ରିତ ପ୍ରତି ବାତ୍ସଲ୍ୟ ଭାବ ଅଛି ଓ ଅତିଥିସେବାରେ ତୁମ୍ଭେ ଅଦ୍ୱିତୀୟ । ଶରଣାଗତ ଆଶ୍ରିତକୁ ରକ୍ଷା ଓ ପାଳନ ହିଁ ତୁମ୍ଭେ ‘ଧର୍ମ’ ବୋଲି ବିଶ୍ୱାସ କର । ଏହିପରି ପ୍ରଶ୍ନ ତୁମ ପକ୍ଷେ ଅସମୀଚୀନ ନୁହେଁ । ଅନ୍ଧ ସଦୃଶ ଧର୍ମାନୁଶୀଳନ ଓ ଧର୍ମର ରହସ୍ୟ ଏବଂ ପରିଣତି ଜ୍ଞାତ ହୋଇ ଧର୍ମାନୁଶୀଳନରେ ଯଥେଷ୍ଟ ପାର୍ଥକ୍ୟ ଅଛି । ଏହି ବିଷୟରେ ଏକଦା ଧାର୍ମିକ ରାଜା ‘ମୁଚକୁନ୍ଦ ଦେବ’ ଋଷି ଭାର୍ଗବଙ୍କୁ ଏହିପରି ଏକ ପ୍ରଶ୍ନ ପଚାରିଥିଲେ । ଉତ୍ତରରେ ଋଷି ‘ଭାର୍ଗବ’ ଏକ ପ୍ରତ୍ୟକ୍ଷ କାହାଣୀ ମାଧ୍ୟମରେ ରାଜାଙ୍କୁ ବୁଝାଇଥିଲେ-। ଆଶାକରେ ସେହି କାହାଣୀ ଶୁଣି ତୁମେ ତୁମ ପ୍ରଶ୍ନର ଉତ୍ତର ପାଇ ପାରିବ ।

 

କିଞ୍ଚିତ୍‌ ନୀରବ ରହି ପିତାମହ ଭୀଷ୍ମ କହିଲେ-ଏକଦା ଏକ ନିବିଡ଼ ଅରଣ୍ୟରେ ପକ୍ଷୀଶିକାରୀ ଏକ ଲୋଲୁପ ବ୍ୟାଧ ପକ୍ଷୀ ଶିକାର କରି କାଳଯାପନ କରୁଥିଲା । ସେହି ବ୍ୟାଧି ସଂସାରୀ ହେଲେହେଁ ହୃଦୟତୀନ ଓ ବିବେକ ଶୂନ୍ୟଥିଲା । ଶ୍ରୀହୀନ କୃଷ୍ଣାକାୟ ବ୍ୟାଧର ବିକଟ ବିଶାଳ ମୁଖମଣ୍ଡଳ ତୁଳନାରେ କଣ୍ଠଦେଶ ଦୀର୍ଘ, ପାଦଦ୍ୱୟ କ୍ଷୁଦ୍ର ଓ ଜଂଘା ଦ୍ୱୟ ଅସ୍ୱାଭାବିକ ଦୀର୍ଘ ଥିଲା ।

 

ଦୟାମାୟାହୀନ ସେହି ବ୍ୟାଧ ଅତୀବ କ୍ରୁର ଓ କୁଟିଳ ପ୍ରକୃତିର ଥିଲା । ଫାଶ ଓ ଜାଲ ଧରି ସେହି ବ୍ୟାଧ ନିର୍ବିଶେଷରେ ପକ୍ଷୀମାନଙ୍କୁ ଫାଶରେ ଧରି ଜାଲରେ ବାନ୍ଧି ହାଟ ବଜାରରେ ବିକ୍ରୟ କରି ଭରଣ ପୋଷଣ କରୁଥିଲା । ପକ୍ଷୀଗଣଙ୍କର ଯେ ଘର ସଂସାର, ଶାବକାଦି ଥାଇପାରେ ଏକ ସାମାନ୍ୟତମ ବୋଧ ଶକ୍ତି ସେ ବ୍ୟାଧର ନଥିଲା । ହୃଦୟହୀନ ଓ କରୁଣାଶୂନ୍ୟ ସେହି ବ୍ୟାଧ ସ୍ୱପତ୍ନୀ ସହିତରେ ବନ ବନାନ୍ତରରେ ପକ୍ଷୀ ଶିକାର କରି ଆସୁଥିଲା ।

 

ଏକଦା ସେହି ବ୍ୟାଧ ବନାନୀ ମଧ୍ୟରେ ଶିକାର ଅନ୍ୱେଷଣ ସମୟରେ ସହସା ଆକାଶ ମେଘାଚ୍ଛନ୍ନ ହୋଇ ପ୍ରଚଣ୍ଡ ପବନ ବେଗ ସହିତରେ ମୂଷଳଧାରା ବର୍ଷଣରେ ଜଳ ସ୍ଥଳ ଏକାକାର ହୋଇଗଲା । ବୃକ୍ଷାଶ୍ରୟ ପକ୍ଷୀଗଣ ସଙ୍ଗେ ସଙ୍ଗେ ନିରାପଦ ଆଶ୍ରୟସ୍ଥଳୀ ନିଜ ନିଜ ବୃକ୍ଷ କୋଟରକୁ ଫେରି ଆସିଲେ ।

 

ଶ୍ୱାପଦଗଣ ଏହି ପ୍ରାକୃତିକ ଦୁର୍ଯ୍ୟୋଗରେ ଉଦ୍‌ଭ୍ରାନ୍ତ ହୋଇ ହିଂସା ଦ୍ୱେଷ ପରିହାର କରି ଯତ୍ର ତତ୍ର ନିରାପଦ ଆଶ୍ରୟ ଅନ୍ୱେଷଣ କରିବାକୁ ଲାଗିଲେ । ସେହି ସମୟରେ ବ୍ୟାଧ ନିଜ ଆବାସସ୍ଥଳୀରୁ ଏପରି ସୁଦୂର ବନ ମଧ୍ୟରେ ପ୍ରବେଶ କରିଥିଲା ଯେ ଗୃହ ପ୍ରତ୍ୟାବର୍ତ୍ତନ କରିବା ତା ପକ୍ଷରେ ଅସମ୍ଭବ ଥିଲା । ଅଗତ୍ୟା ସର୍ବାଙ୍ଗ ବର୍ଷାସ୍ନାତ ହୋଇ ପ୍ରବଳ ଶୀତ ଅନୁଭବ କରି ଆଶ୍ରୟ ସନ୍ଧାନରେ ଅଗ୍ରସର ହେଲା ।

 

ସହସା ବ୍ୟାଧ ସମ୍ମୁଖରେ ଏକ କପୋତୀ ଜଳସ୍ରୋତରେ ପତିତ ହେବାର ଦେଖି, ସେହି ଚରମ ବିପତ୍ତି କାଳରେ ମଧ୍ୟ ବ୍ୟାଧ ଦ୍ୱିଧାହୀନ ହୋଇ ଭାସିଯାଉଥିବା କପୋତୀକୁ ଜଳରୁ ଉଠାଇ ନିଜ ଜାଲରେ ଆବଦ୍ଧ କରି ରଖିଲା ।

 

ଏହା ଶୁଣି ବିସ୍ମୟରେ ଯୁଧିଷ୍ଠିର କହିଲେ, କି ଆଶ୍ଚର୍ଯ୍ୟ, ପିତାମହ ! ପିତାମହ କହିଲେ–ହଁ କୁନ୍ତୀନନ୍ଦନ, ଯେଉଁମାନଙ୍କର କ୍ରୁର କର୍ମ ସ୍ୱଭାବ ଗତ ହୋଇଥାଏ ସେମାନେ ସବୁ ଅବସ୍ଥା ଓ ସବୁ ସମୟରେ ସେହିପରି କର୍ମମାନ ବିନା ଦ୍ୱିଧାରେ କରିପାରନ୍ତି । ପ୍ରାଣ ବିନିମୟରେ ମଧ୍ୟ ସେମାନେ ସେହି କର୍ମ କରିବାକୁ କୁଣ୍ଠିତ ହୁଅନ୍ତି ନାହିଁ । ସେହି ବ୍ୟାଧର ମଧ୍ୟ ବିପନ୍ନ ବା ଆର୍ତ୍ତ ପ୍ରତି କୌଣସି ମମତା ନଥିଲା । ସ୍ୱାର୍ଥ ହିଁ ବ୍ୟାଧର ଜୀବନର ଏକମାତ୍ର ବ୍ରତ ଥିଲା । ଯାହାହେଉ ପକ୍ଷୀ ଶିକାର ଲାଭ କରି ଆନନ୍ଦଚିତ୍ତରେ ସେହି ବ୍ୟାଧ ଏକ ବିଶାଳକାୟ ମହୀରୂହକୁ ସମ୍ମୁଖରେ ଦେଖି ନିରାପଦ ଆଶ୍ରୟ ବୋଧରେ ସେହି ବୃକ୍ଷର ପାଦଦେଶରେ ବସି ରାତ୍ରିଯାପନ କରିବାକୁ ମନସ୍ଥ କଲା । ଅବିଳମ୍ବେ ବର୍ଷଣ ବନ୍ଦ ହୋଇ ଆକାଶ ମେଳମୁକ୍ତ ହେଲେହେଁ ରାତ୍ରି ସମୟରେ ବନପଥ ଅତିକ୍ରମ କରି ସ୍ୱସ୍ଥାନ ଗମନ ନିରାପଦ ମନେ ନକରି ଜାଲ ଓ ଫାଶ ବୃକ୍ଷ ମୂଳରେ ରଖି ଶୀତାର୍ତ୍ତ ହୋଇ ରାତ୍ରି କଟାଇବାକୁ ସ୍ଥିର କଲା ।

 

ସେହି ମହୀରୂହ ବନପକ୍ଷୀଗଣଙ୍କର ଏକ ଆଶ୍ରୟସ୍ଥଳୀ ଥିଲା । ଏକ କପୋତ ଦମ୍ପତି ସେହି ବୃକ୍ଷ ଶାଖାରେ ନୀଡ଼ ରଚନା କରି ବାସ କରୁଥିଲେ । ସେହି ବର୍ଷ ଦୁର୍ଦ୍ଦିନରେ କପୋତକୁ ବୃକ୍ଷଶାଖାସ୍ଥିତ ବାସସ୍ଥାନରେ ରହିବାକୁ କହି କପୋତୀ ଖାଦ୍ୟ ସନ୍ଧାନରେ ବାସସ୍ଥଳୀରୁ ନିର୍ଗତା ହୋଇଥିଲା ।

 

ଇତି ମଧ୍ୟରେ ଘୋର ବାରିବର୍ଷଣ ହେବାରୁ ଓ କପୋତୀ ପ୍ରତ୍ୟାବର୍ତ୍ତନ ନ କରିବାରୁ କପୋତ କପୋତୀର ପ୍ରତ୍ୟାବର୍ତ୍ତନ ଆଶାରେ ଉଦ୍‌ଗ୍ରୀବ ହୋଇ ଅପେକ୍ଷା କରି ରହିଥିଲା । କ୍ରମଶଃ ରାତ୍ରି ସମାଗତ ହେଲା ଓ କପୋତୀ ନୀଡ଼କୁ ପ୍ରତ୍ୟାବର୍ତ୍ତନ କରିବା ନଦେଖି କପୋତ ବିଳାପଗୁଞ୍ଜନ କରିବାକୁ ଲାଗିଲା ।

 

ସେହି ସମୟରେ ସେହି କପୋତୀ ପଥ ମଧ୍ୟରେ ବ୍ୟାଧ ଜାଲରେ ଆବଦ୍ଧ ହୋଇ ବୃକ୍ଷ ପାଦଦେଶରେ ଥିଲା । କପୋତର ବିଳାପ ଧ୍ୱନି ଶୁଣି, ଜାଲ ମଧ୍ୟସ୍ଥିତ କପୋତୀ ସଜାଗ ହୋଇ ଉଠିଲା । କିନ୍ତୁ ବ୍ୟାଧ ଜାଲଚ୍ଛିନ୍ନ କରି କପୋତ ସହିତ ମିଳିତ ହେବାର ସାଧ୍ୟ ‘କପୋତୀ’ର କାହିଁ ?

 

ଜାଲ ମଧ୍ୟରେ ଆବଦ୍ଧ ରହି କପୋତୀ କପୋତ ଉଦ୍ଦେଶ୍ୟରେ ମୃଦୁ ମଧୁର ଗୁଞ୍ଜନରେ କହିଲା–ହେ ପ୍ରାଣନାଥ ! ମୁଁ ଏହି ବୃକ୍ଷ ପାଦଦେଶରେ ବ୍ୟାଧର ଜାଲରେ ଆବଦ୍ଧା ଅଛି । ଏହି ଅନ୍ଧକାର ରାତ୍ରୀ ଯୋଗୁଁ ତୁମେ ମୋତେ ଦେଖି ପାରୁନାହିଁ ।

 

କପୋତୀର ବଚନ ଶୁଣି କପୋତ ବିଳାପ ସ୍ତବ୍‌ଧ କରି କହିଲା-କି ମହାପାପ ମୁଁ କରିଥିଲି ଯେ ସେ ପାପର ପ୍ରାୟଶ୍ଚିତ ତୁମକୁ ଏପରି କରିବାକୁ ହୋଇଛି ।

 

କପୋତୀ କହିଲା–ପାପ କଥା କାହିଁକି କହୁଛ ? ଏ ଜଗତରେ ଜୀବ ଭାଗ୍ୟର ଅଧୀନ-। ଏହାକୁ ଖଣ୍ଡନ କରିବା ଅସାଧ୍ୟ, ତଥାପି ଜୀବ ନିଜ ମଙ୍ଗଳ ନିମନ୍ତେ ଉଦ୍ୟୋଗୀ ହୋଇଥାଏ । କପୋତ କହିଲା ! ତୁମପରି ପତ୍ନୀ ବିହୀନରେ ମୋର କି ମଙ୍ଗଳ ଆଉ ହେବ ? କପୋତ ଜୀବଗଣ ତୀର୍ଯ୍ୟକ୍‌କ୍ଷୁଦ୍ର ପ୍ରାଣୀ–ସେହି ପ୍ରାଣୀର ଜୀବନ ଲୁବ୍‌ଧକ ହସ୍ତରେ ନିର୍ଭରଶୀଳ । ଅତଏବ ସେ ପ୍ରାଣୀ କି ମଙ୍କଳ ଆଶା କରିପାରେ ?

 

କପୋତୀ କହିଲା–ପ୍ରତ୍ୟେକ ପ୍ରାଣୀ ମାତ୍ରେହିଁ ସ୍ୱମଙ୍ଗଳ ଅଭିଳାଷୀ । କର୍ତ୍ତବ୍ୟ କର୍ମ ସୂଚାରୁ ରୂପେ ପାଳନ କଲେ ପ୍ରାଣୀର ମଙ୍ଗଳ ହୋଇଥାଏ । ବର୍ତ୍ତମାନ ତୁମ୍ଭର କର୍ତ୍ତବ୍ୟ ଏ ବ୍ୟାଧର ସେବା କରିବା ।

 

ବିସ୍ମିତ ହୋଇ କପୋତ କହିଲା–ମୋ ଠାରୁ ତୁମକୁ ଏହି ବ୍ୟାଧ ହିଁ ଛଡ଼ାଇ ନେଇଛି । କିପରି ମୁଁ ସେହି ବ୍ୟାଧର ସେବା କରିପାରିବି ? ଯେ ମୋର ଶତ୍ରୁ ତାକୁ ଦୟା ପ୍ରଦର୍ଶନ କରି ସେବା କିପରି କରିବି ?

 

କପୋତୀ କହିଲା–ତୁମେ ଅବୋଧ ନୁହଁ । ଶତ୍ରୁ ହେଲେହେଁ ଏହି ବ୍ୟାଧ ଏହି ରାତ୍ରୀ କାଳରେ ତୁମ ଆଶ୍ରିତ ଅତିଥି । ସେହି ବ୍ୟାଧ ବର୍ତ୍ତମାନ କ୍ଷୁଧାରେ କାତର ଓ ଶୀତରେ ପ୍ରକମ୍ପିତ । ଆମ୍ଭେ ଏହି ବୃକ୍ଷ ରୂପୀ ଗୃହ ନୀଡ଼ରେ ପୂରାପୂରି ଗୃହସ୍ଥ ଭାବରେ ଦୀର୍ଘକାଳ ବାସ କରିଥାଇଁ । ଜୀବନ ନିୟତିର ଅଧୀନ । ସେହି ଅଧୀନତାରୁ ମୁକ୍ତି ପାଇବା କାହା ପକ୍ଷରେ ସମ୍ଭବ ନୁହେଁ । ଆମ୍ଭେ ସମସ୍ତେ ମଧ୍ୟ ବିଧାତାଙ୍କ ସୃଷ୍ଟି ଓ ଆମପାଇଁ ଏହି କପୋତ ଜୀବନ ବିଧାତାର ହିଁ ଅଭିଳାଷ-। ବ୍ୟାଧ ଏହି ଦୁର୍ଦ୍ଦିନରେ ଆମର ଶରଣାଗତ ଅତିଥି । ଯଦି ସେହି ବ୍ୟାଧ ଯଥାଯୋଗ୍ୟ ସେବା ବଞ୍ଚିତ ହୋଇ ବିମୁଖ ହୋଇ ସ୍ଥାନ ତ୍ୟାଗ କରେ, ଶତ୍ରୁ ହେଲେ ମଧ୍ୟ ତୁମ୍ଭେ କାହିଁକି ଗୃହସ୍ଥ ଧର୍ମରୁ ବଞ୍ଚିତ ହେବ ? ଅସହାୟ କପୋତୀର ଏହି ଉପଦେଶ ବାଣୀ କପୋତ ହୃଦୟକୁ ଆନ୍ଦୋଳିତ କଲା-

 

କପୋତ କିଛିକ୍ଷଣ ଚିନ୍ତା କରି ଜାଣିପାରିଲା ଯେ ଏହି ବ୍ୟାଧକୁ ନିରାଶ କଲେ କପୋତୀ ମନ କ୍ଷୁଣ୍ଣ ହେବ ଓ ଗୃହସ୍ଥ ଧର୍ମର ହାନି ଘଟିବ । ବିଚ୍ଛେଦ ବେଦନା ଭୁଲି କପୋତ ତାର ଆବାସରୁ ବହିର୍ଗତ ହୋଇ ଦେଖିଲା ଯେ ସେହି ବିରାଟ ବ୍ୟାଧ ଶୀତରେ ଅସହାୟ ବୋଧକରି ପ୍ରକମ୍ପିତ ହୋଇ ଶୋଇ ରହିଛି । ଦୟାର୍ଦ ଚିତ୍ତରେ କପୋତ ବ୍ୟାଧକୁ କହିଲା-ତୁମ୍ଭ ପାଇଁ ମୁଁ କଣ କରିବି ?

 

ସ୍ତମ୍ଭିତ ବ୍ୟାଧ ମନୁଷ୍ୟ ବଚନ ସଦୃଶ କପୋତ ବଚନ ଶୁଣି କହିଲା, ଏହି ଶୀତରେ ମୋର ସର୍ବାଙ୍କ ଜଡ଼ତା ପ୍ରାପ୍ତ ହୋଇଅଛି ଓ ମୁଁ ସହଜ ହୋଇ ପାରୁନାହିଁ । ଯଦି ମୋତେ ସାହାଯ୍ୟ କରିବାକୁ ଇଚ୍ଛା କର, ତାହେଲେ ଅଗ୍ନି ଉତ୍ତାପରେ ଯେପରି ମୋର ଦେହ ସତେଜ ହେବ ସେହି ବ୍ୟବସ୍ଥା କରିଦିଅ ।

 

ଅତିଥିର ମନୋବାଞ୍ଛା ପୂର୍ଣ୍ଣ କରିବାହିଁ ଯଥାର୍ଥ ଆତିଥେୟତା, ଏହା ଭାବି ବ୍ୟାଧର କଥାନୁସାର କପୋତ ସେହି ଅନ୍ଧକାରରେ ସନ୍ନିକଟସ୍ଥ ଚତୁର୍ଦ୍ଦିଗରୁ ତୃଣଖଣ୍ଡମାନ ସାଧ୍ୟ ମତେ ସଂଗ୍ରହ କରି ସ୍ତୂପାକାର କରି ରଖିଲା ।

 

ବିସ୍ମୟ ଦୃଷ୍ଟିରେ ବ୍ୟାଧ କପୋତର ଏହି କର୍ମ ଉଦ୍‌ଯୋଗ ଦେଖି ଭାବିଲା, ଏହା କି କେଭେ ସମ୍ଭବ ?

 

ତତ୍‌ପରେ କପୋତ ଅଗ୍ନି ସନ୍ଧାନରେ ଇତସ୍ତତ ନିରୀକ୍ଷଣ କରି ସୁଦୂରରେ ଏକ କମାର ଶାଳର ଜ୍ୱଳନ୍ତ ଅଗ୍ନିକୁଣ୍ଡ ଦେଖି କ୍ଷିପ୍ର ଗତିରେ ସେଠାରେ ଉପନୀତ ହେଲା । ସେଠାରୁ ଅଗ୍ନି ପ୍ରଜ୍ଜ୍ୱଳିତ ଏକ କାଷ୍ଠ ଖଣ୍ଡ ଧରି ସ୍ତୂପୀକୃତ ତୃଣରେ ଅଗ୍ନି ସଂଯୋଗ କରିବା ମାତ୍ରେ ତାହା ଦାଉ ଦାଉ ଜଳିଉଠିଲା ।

 

ଅଗ୍ନିପ୍ରଜ୍ୱଳିତ ହେବାରୁ ରାତ୍ରି ଅନ୍ଧକାର ଦୂରୀଭୂତ ହୋଇ ଚତୁର୍ଦ୍ଦିଗ ଅଗ୍ନି ଆଲୋକରେ ଦୃଶ୍ୟମାନ ହେଲା ଓ ଶୀତଳ ବାତାବରଣ ଉତ୍ତପ୍ତ ହୋଇଉଠିଲା ।

 

କପୋତ କହିଲା–ମୁଁ ଅଗ୍ନି ପ୍ରଜ୍ଜ୍ୱଳିତ କରି ଦେଇଛି, ଆପଣ ଆପଣଙ୍କ ଦେହ ଉତ୍ତାପଦ୍ୱାରା ସତେଜ କରନ୍ତୁ । ବିସ୍ମୟରେ ବ୍ୟାଧ ଅଗ୍ନିଉତ୍ତାପ ଗ୍ରହଣ କରି ସତେଜ ହୋଇଉଠିଲା-। କପୋତକୁ ଦେଖି ତା ହୃଦୟରେ ଅଦ୍‌ଭୂତ ଭାବର ଚାଞ୍ଚଲ୍ୟରେ ଆନ୍ଦୋଳିତ ହେବାକୁ ଲାଗିଲା ।

 

ସେହି ଅଗ୍ନି ଆଲୋକରେ କପୋତ କପୋତୀକୁ ଦେଖି ଜାଣିପାରିଲା ଯେ କପୋତୀର ମୁଖରେ କ୍ଳେଶର ଚିହ୍ନ ମାତ୍ର ନାହିଁ ବରଂ ଆନନ୍ଦ ଉଚ୍ଛ୍ୱାସରେ ଉଦ୍‌ଭାଷିତ ।

 

ଇତି ମଧ୍ୟରେ ବ୍ୟାଧ ଅଗ୍ନି ଉତ୍ତାପ ଗ୍ରହଣ କରି ସତେଜ ହୋଇ ଶୀତକାତରତା ଦୂର ହୋଇଥିଲା ।

 

ଏହା ଦେଖି କପୋତ ପୁନଶ୍ଚ ବ୍ୟାଧକୁ ପଚାରିଲା–ଆପଣଙ୍କ ପାଇଁ ମୋର ଆଉ ଅଧିକ କିଛି କରିବାର ଅଛିକି ?

 

ବ୍ୟାଧ କହିଲା–ମୋର ଶରୀର ସତେଜ ହୋଇଛି, ଶୀତକାତରତା ଦୂର ହୋଇଛି, ସତ କିନ୍ତୁ ମୁଁ କ୍ଷୁଧା ଅନୁଭବ କରୁଛି । ଯଦି ତୁମେ ମୋ ପାଇଁ କିଛି ଖାଦ୍ୟ ବ୍ୟବସ୍ଥା କରିପାର ତାହେଲେ ମୁଁ ଚିରଉପକୃତ ରହିବି ।

 

ବ୍ୟାଧର ଏହି ଅନୁରୋଧରେ କପୋତ ବଡ଼ ବିବ୍ରତ ବୋଧ କରିଲା । କାରଣ କପୋତ ନୀଡ଼ରେ କେବେହେଁ ସଞ୍ଚିତ ଖାଦ୍ୟ ନଥାଏ । କପୋତ ଭାବିଲା ଗୃହସ୍ଥ ଗୃହରୁ ପ୍ରାର୍ଥିତ ଖାଦ୍ୟ ନପାଇ ଅତିଥି ବିମୁଖ ହୋଇ ଅଭୁକ୍ତ ଭାବରେ ବିଦାୟ ନେଲେ ଗୃହସ୍ଥର ଅକଲ୍ୟାଣ ହୁଏ ଓ ଈଶ୍ୱର ମଧ୍ୟ ଗୃହସ୍ଥ ପ୍ରତି ବିମୁଖ ହୋଇଥାନ୍ତି ।

 

ଏତିକି କହି ପିତାମହ କହିଲେ–ଜାଣ ଧର୍ମରାଜ, ସହାୟ ସମୂଳହୀନ ସେହି କପୋତ ବ୍ୟାଧର ପ୍ରାର୍ଥନାରେ ବିଚଳିତ ହୋଇଥିଲେ ହେଁ ବୁଦ୍ଧିଭ୍ରଂଶ ନକରି ବ୍ୟାଧର କ୍ଷୁଧା ନିରାକରଣ କରିପାରିଥିଲା ।

 

ଯୁଧିଷ୍ଠିର କିପରି ବୋଲି କହିବାରୁ, ପିତାମହ କହିଲେ–ଅତଃପର କପୋତ ବ୍ୟାଧକୁ କହିଲା ‘‘ମୋର ଜନ୍ମ କପୋତ କୁଳରେ, ନିଜର ସଞ୍ଚୟ ମୋର କିଛି ନାହିଁ । କ୍ଷୂଧାର୍ତ୍ତ ହୋଇ ଆପଣ ମୋ ଗୃହ ଦ୍ୱାରରେ ବସିଛନ୍ତି–ଆପଣଙ୍କ କ୍ଷୁଧା ନିରାକରଣ ହେବନାହିଁ ୟା କେଭେଁ ହୋଇପାରିବ ନାହିଁ । ମୁଁ ଏହି ପ୍ରଜ୍ୱଳିତ ଅଗ୍ନିରେ ଆତ୍ମାହୁତି ଦେଉଅଛି । ମୋର ଅଗ୍ନି ଦଗ୍‌ଧ ମାଂସ ଭକ୍ଷଣ କରି କ୍ଷୁଧା ନିବାରଣ କରନ୍ତୁ । ଏହା କହି ନିଃଶଙ୍କ ଚିତ୍ତରେ କପୋତ ସେହି ଅଗ୍ନିରେ ଝାମ୍ପ ଦେଲା ଓ ନିଜକୁ ବ୍ୟାଧର ଆହାର୍ଯ୍ୟରେ ପରିଣତ କରିଥିଲା ।

 

କପୋତର ଏହି ଆତ୍ମତ୍ୟାଗରେ ବିବେକହୀନ ବ୍ୟାଧର ହୃଦୟ ନୂତନ ଭାବରେ ଆନ୍ଦୋଳିତ ହେଲା । ଆତ୍ମାହୁତିପୂର୍ବରୁ କପୋତ ଯାହା କରିଥିଲା ତାହା ବାରମ୍ବାର ବ୍ୟାଧ ମନରେ ସ୍ମରଣ କରି କ୍ରମଶଃ ତା ଅନ୍ତରରେ ନିଜପ୍ରତି ଧିକ୍‌କାର ପରିପୂର୍ଣ୍ଣ ହେବାକୁ ଲାଗିଲା । ମନରେ ଧିକ୍‌କାରାଚ୍ଛାଦିତ ହେବାରୁ ବ୍ୟାଧର ଚିନ୍ତାଧାରାର ପରିବର୍ତ୍ତନ ଘଟିଲା । ସେ ଭାବିବାକୁ ଲାଗିଲା, ସେ ଏତେଦିନ ଯାଏ ଏ ପକ୍ଷୀଙ୍କର କରୁଣ ବିଳାପ ନଶୁଣି ଫାଶ ବସେଇ ଜାଲରେ ବାନ୍ଧି ନିର୍ବିକାର ଭାବରେ ମାଂସାଶୀ ବ୍ୟବସାୟୀଙ୍କୁ ବିକ୍ରୟ ଭରଣ ପୋଷଣ କରି ଆସିଛି । ଆଜି ସେହି କପୋତ ପକ୍ଷୀ କେଡ଼େ ବଡ଼ ଶିକ୍ଷା ନ ଦେଲା–ସାମାନ୍ୟ ପକ୍ଷୀ ଜୀବନ ଧରି ଅନ୍ୟ ପ୍ରୟୋଜନରେ ନିର୍ବିକାରରେ ନିଜ ପ୍ରାଣ ସମର୍ପଣ କରିଗଲା । ତା ଜୀବନ କେଡ଼େ ଉଦାର ଓ ମହତ୍‌ । ଅଥଚ ମୁଁ ମନୁଷ୍ୟ ହୋଇ ମଧ୍ୟ ବିବେକହୀନ ହୋଇ କ୍ରୁର କର୍ମମାନ କରି କେତେ ନିରୀହ ପ୍ରାଣୀଙ୍କର ସର୍ବନାଶ କରିଛି । କପୋତ ପକ୍ଷୀ ତୀର୍ଯ୍ୟକ ହୋଇ ମଧ୍ୟ କେଡ଼େ ସରଳ, ମୁଁ ମନୁଷ୍ୟ ହୋଇ କେଡ଼େ କୁଟିଳ ଓ କପଟୀ ।

 

ଆତ୍ମଗ୍ଳାନିରେ ବ୍ୟାଧ ଅନ୍ତରରେ ସଂବିତ୍‌ ଜାଗ୍ରତ ହେବାରୁ ସେ ପାପର ପ୍ରାୟଶ୍ଚିତ କରି ମୁକ୍ତି ପାଇବା ନିମନ୍ତେ ସ୍ଥିର କଲା ।

 

ବ୍ୟାଧ ଭାବିଲା, କପୋତ ଆତ୍ମାହୁତି ଦେଇ ପ୍ରକାରାନ୍ତରେ ତାକୁ ଶିକ୍ଷା ଦେଇଛନ୍ତି ଯେ ମନୁଷ୍ୟ ଜନ୍ମହୋଇ ମନୁଷ୍ୟ ଧର୍ମ ପାଳନ କର ତାହେଲେ ଜଗତରେ କଲ୍ୟାଣ ଲାଭ ହେବ ।

 

ପିତାମହ କହିଲେ–ଏହିପରି ଭାବି ସାରାରାତ୍ରୀ ପ୍ରଜ୍ୱଳିତ ଅଗ୍ନି ସମ୍ମୁଖରେ ବସି ବ୍ୟାଧ ସ୍ଥିର କଲା ଯେ ପାପାକ୍ଷୟ ନିମନ୍ତେ ସେ ମହାପ୍ରସ୍ଥାନର ପଥ ଅନୁସରଣ କରିବ । ଅନୁଶୋଚନାରେ ଜାଲମୁଖ ବନ୍ଧନମୁକ୍ତ କରିବାରୁ ଆବଦ୍ଧ ପକ୍ଷୀଗଣ ମୁକ୍ତ ହୋଇ ଉଡ଼ିଗଲେ ।

 

କିନ୍ତୁ ପତିହୀନା କରୋତୀ କରୁଣ ବିଳାପ ଧ୍ୱନି କରି ଜ୍ୱଳନ୍ତା ଅଗ୍ନି ନିକଟକୁ ଯାଇ କହିଲା, ପତିହୀନା ପତ୍ନୀର ଜୀବନରେ ପ୍ରୟୋଜନ କଣ ? ଗତାୟୁଃ ମହାନପତି ବ୍ୟତୀତ ମୋ ପକ୍ଷରେ ଜୀବିତ ରହିବା ଅସମ୍ଭବ । ଏହାପରେ କପୋତୀ ମୁହୂର୍ତ୍ତକ ମଧ୍ୟରେ ସେହି ପ୍ରଜ୍ୱଳିତ ଅଗ୍ନିରେ ଆତ୍ମାହୁତି ଦେଇଥିଲା । ଏହା ଦେଖି ଶତବର୍ଣ୍ଣ ବ୍ୟାଧ ନିଜକୁ ଧିକ୍‌କାର କରି ଉଠିଲା । ସେ ଯେପରି ଦିବ୍ୟଦୃଷ୍ଟିରେ ଦେଖିଲା କପୋତ କପୋତୀ ଦିବ୍ୟ ବିମାନରେ ସ୍ୱର୍ଗଲୋକ ଅଭିମୁଖରେ ଯାଉଛନ୍ତି । ପ୍ରଭାତ ହେବାରୁ ବ୍ୟାଧ ବିରାଗୀ ମନ ନେଇ ପୂର୍ବ ଦିଗରେ ଯାତ୍ରା ଆରମ୍ଭ କଲା । କ୍ଳାନ୍ତିହୀନ ସେହି ଯାତ୍ରାରେ କ୍ଷୁଧା ତୃଷ୍ଣା ଭୁଲି ବ୍ୟାଧ ଅବଶେଷରେ ଏକ କଣ୍ଟକ ଲତା ଗୁଳ୍ମ ଓ ସୁନିବିଡ଼ ବୃକ୍ଷ ଆଚ୍ଛାଦିତ ବନରେ ପ୍ରବେଶ କଲା । ସେହି କଣ୍ଟକ ଲତା ବିଦୀର୍ଣ୍ଣ କରି ଅତିକ୍ରମ କରିବା ସମୟରେ ବ୍ୟାଧର ଶରୀର କ୍ଷତ ବିକ୍ଷତ ହେବାକୁ ଲାଗିଲା । ସହସା ଏକ ପ୍ରଳୟ ଝଞ୍ଜାରେ ନିମିଷେକ ମଧ୍ୟରେ ବନ ପ୍ରଦେଶରେ ଦାବାନଳ ଜାତ ହେଲା । ପ୍ରାଣଭୟରେ ଶ୍ୱାପଦଗଣ ଇତସ୍ତତଃ ବିକ୍ଷିପ୍ତ ହେଲେ । ସେହି ଆଗ୍ରାସୀ ଲେଲିହାନ ଅଗ୍ନିଶିଖା ଦିଗକୁ ବ୍ୟାଧ ଅଗ୍ରସର ହୋଇ ଅଗ୍ନିରେ ଆତ୍ମାହୁତି ଦେଇଥିଲା ।

 

ଅବଶେଷରେ ପିତାମହ କହିଲେ–ରାଜନ୍‌, ଅଗ୍ନିରେ ଆତ୍ମାହୁତି ଦେବା ସମୟରେ ସେହି ଅତିଥିସେବୀ କପୋତ ସଦୃଶ ବ୍ୟାଧ ମନରେ ଦାହ ଯନ୍ତ୍ରଣା ବଦଳରେ ସୁଖ ପ୍ରବାହ ଜାତ ହୋଇଥିଲା । ସେଇ ସୁଖବୋଧରେ ସେ ଅମୃତ ପାନ ସଦୃଶ ତୃପ୍ତିଲାଭ କରିଥିଲା ।

Image

 

ଇନ୍ଦ୍ର ଅମ୍ବରୀଷ ସମ୍ବାଦ

 

ରାଜା ‘ନାଭାଗାକ’ର ପୁତ୍ର ଅମ୍ବରୀଷ ପୃଥିବୀରେ ବିପୁଳ ବିସ୍ତୃତ ଭୂଖଣ୍ଡର ଏକ ଅନ୍ୟତମ ଅଦ୍ୱିତୀୟ ପରାକ୍ରମଶାଳୀ ନୃପତି ଥିଲେ । ରାଜନଙ୍କର ନିପୁଣ ଶାସନାଧୀନରେ ପ୍ରଜାଗଣ ନିଶ୍ଚିନ୍ତ ଓ ସାମନ୍ତ ରାଜାଗଣ ନିର୍ଭୟରେ ବାସ କରୁଥିଲେ ।

ଅମ୍ବରୀଷ ନିଷ୍ଠା ଓ ଅଧ୍ୟବସାୟ ସହିତ ଦ୍ୱିଜାତୀୟ, ଯଥା କ୍ଷତ୍ରିୟ ଓ ବ୍ରାହ୍ମଣଙ୍କର କରଣୀୟ କର୍ମ ଏବଂ କର୍ତ୍ତବ୍ୟ ଯଥାଯଥ ପାଳନ କରୁଥିଲେ । କ୍ଷାତ୍ରଧର୍ମ ସୁଚାରୁରୂପରେ ପାଳନ କରିଥିବାରୁ ସେ ଲୋକସମାଜରେ ସୁନାମ ଅର୍ଜନ ପୂର୍ବକ କ୍ଷତ୍ରିୟ ସମାଜର ଶିରୋମଣି ହୋଇଥିଲେ ।

ଅମ୍ବରୀଷଙ୍କ ରାଜ୍ୟଶାସନ ଓ ନିଶ୍ଚିଦ୍ର ରାଜତ୍ୱରେ ଧରାଧାମ ସ୍ୱର୍ଣ୍ଣପ୍ରସୁ ହୋଇଥିଲା । ଏକଦା ସେହି ରାଜା କାଳ କବଳିତ ହୋଇ ନଶ୍ୱର ଶରୀର ତ୍ୟାଗ କରିଥିଲେ । ସ୍ୱଧର୍ମରେ ସ୍ଥିର ରହି କର୍ତ୍ତବ୍ୟନିଷ୍ଠ ଧର୍ମପ୍ରାଣ ପୁଣ୍ୟକାମୀ ଅମ୍ବରୀଷ ସ୍ୱର୍ଗଲୋକ ଗମନ କରି ସ୍ୱର୍ଗରେ ସୁଖ ଭୋଗ କରିବାକୁ ଲାଗିଲେ ।

କିଛି କାଳ ଏହିପରି ଗତ ହେବାପରେ ଦେବଲୋକରେ ଏକଦା ରାଜା ଅମ୍ବରୀଷ ଦେଖିଲେ ଅନୁପମ ଏକ ଜ୍ୟୋତିର୍ମୟ ବିମାନରେ ତାଙ୍କର ପରିଚିତ କେହି ଜଣେ ଦେବଲୋକ ଅବସ୍ଥିତ ଅମ୍ବରୀଷଙ୍କ ଉପରେ ଭାଗରେ ଅତି ମନ୍ଥର ଗତିରେ ବିହାର କରି ଫେରୁଛନ୍ତି । ରାଜା ରଥାରୋହୀ ପୁରୁଷଙ୍କ ସମ୍ବନ୍ଧରେ ଚିନ୍ତା କରିବାକୁ ଲାଗିଲେ, କିଏ ଏହି ରଥାରୂଢ଼ ପୁରୁଷ ? ବିମାନର ସେହି ତେଜପୁଞ୍ଜ ଭେଦ କରି ନିରୀକ୍ଷଣ କରିବା ମାତ୍ରେ ଅମ୍ବରୀଷ ବିସ୍ମୟ ବିହ୍ୱଳ ହୋଇ ଉଠିଲେ । କାରଣ ରଥାରୂଢ଼ ସେହି ବ୍ୟକ୍ତି ତାଙ୍କର ଅତି ପରିଚିତ । ରାଜା ଅମ୍ବରୀଷଙ୍କ ପୃଥିବୀରେ ରାଜତ୍ୱକାଳରେ ସେହି ବ୍ୟକ୍ତି ରାଜାଙ୍କର ବେତନଭୁକ୍ତ ସେନାପତି ଥିଲେ । ତାଙ୍କର ନାମ ସୁଦେବ ଥିଲା । ତାଙ୍କରି ଆଦେଶରେ ‘ସୁଦେବ’ ରଣ କ୍ଷେତ୍ରରେ ରଣ କରିବା ସମୟରେ ପ୍ରାଣତ୍ୟାଗ କରିଥିଲେ । କିନ୍ତୁ ସେହି ତୁଳନାରେ ସୁଦେବ କିପରି ଏହି ସୁବିପୁଳ ଐଶ୍ୱର୍ଯ୍ୟରେ ଐଶ୍ୱର୍ଯ୍ୟବାନ ହୋଇ ପାରିଛନ୍ତି ? ଜୀବିତ କାଳରେ ସୁଦେବ ଯୁଦ୍ଧବୃତ୍ତିଦ୍ୱାରା କୌଣସି ମତେ ଜୀବନଯାପନ କରିଥିଲେ । ସୁଦେବ ଜୀବନକାଳ ମଧ୍ୟରେ କେବେହେଁ ବେଦ ଅଧ୍ୟୟନ, ଦାନ, ଧର୍ମ ପାଳନ ଓ ଏପରିକି ଅତିଥିଙ୍କର ସୁନିପୁଣ ସେବା ମଧ୍ୟ କରି ନଥିଲେ । କେବଳ ଯୁଦ୍ଧ ବ୍ୟତୀତ ଅନ୍ୟ କୌଣସି ସତ୍‌କର୍ମ ସେ କେବେହେଁ କରି ନଥିଲେ । କିନ୍ତୁ କେବଳ ବୀରଗତି ପ୍ରାପ୍ତ ହୋଇ ଏହି ଦୁର୍ଲ୍ଲଭ ଐଶ୍ୱର୍ଯ୍ୟ ଓ ସୁବିପୁଳ ସମ୍ମାନର ଅଧିକାରୀ ସେ କିପରି ହୋଇପାରିଲେ ?

ସ୍ୱୟଂ ରାଜନ୍‌ ଅମ୍ବରୀଷ ଜୀବଦଶାରେ କ୍ଷାତ୍ରଧର୍ମବିଚ୍ୟୁତ ହୋଇ ନ ଥିଲେହେଁ ସେନାପତି ସୁଦେବ କେଉଁ ପୁଣ୍ୟବଳରେ ରାଜା ଅମ୍ବରୀଷଙ୍କୁ ଅତିକ୍ରମ କରି ଊର୍ଦ୍ଧ୍ୱଲୋକଗାମୀ ହୋଇପାରିଲେ ? ତେଜପୁଞ୍ଜ ସେହି ଦିବ୍ୟ ରଥାରୋହୀ ଅମ୍ବରୀଷଙ୍କ ଦିବ୍ୟବିମାନ ଅତିକ୍ରମ କରିବାରୁ ରାଜା ପୁନଶ୍ଚ ନିରୀକ୍ଷଣ କରି ତାଙ୍କର ଅନୁମାନ ନିର୍ଭୁଲ ଜାଣି ଦେଖିଲେ ଯେ ସେହି ବିମାନଧିଶ ସୁଦେବ ରାଜନଙ୍କ ବିମାନ ଅତିକ୍ରମ କରି ତାଙ୍କଠାରୁ ଆହୁରି ଊର୍ଦ୍ଧ୍ୱଲୋକରେ ଗତି କରୁଅଛି ।

ଏହା ଦେଖି ରାଜା ଅମ୍ବରୀଷ ସ୍ଥିର ହୋଇ ରହି ନପାରି ରହସ୍ୟ ସମାଧାନ ନିମନ୍ତେ ତତ୍‌କ୍ଷଣାତ୍‌ ଦେବରାଜ ଇନ୍ଦ୍ରଙ୍କ ନିକଟକୁ ଯାଇ ପଚାରିଲେ, ‘ଦେବରାଜ କେଉଁ ପୁଣ୍ୟ ବଳରେ ସେନାପତି ସୁଦେବ ତାଙ୍କର ବୈଭବକୁ ଅତିକ୍ରମ କରି ଊର୍ଦ୍ଧ୍ୱଲୋକଗାମୀ ହୋଇପାରିଛନ୍ତି ?

ଦେବରାଜ ସ୍ମିତ ହସି କହିଲେ, ଉର୍ଦ୍ଧ୍ୱଲୋକଗାମୀ ସୁଦେବଙ୍କୁ ତୁମ୍ଭେ ସଠିକ୍‌ ଭାବରେ ଚିହ୍ନି ପାରିଛ ତ ?

ଅମ୍ବରୀଷ କହିଲେ, ଯେଉଁ ସେନାପତି ଧରାଧାମାରେ ମୋର ଆଦେଶ ଅପେକ୍ଷାରେ ରହୁଥିଲେ ଓ ମୋ ଆଦେଶରେ ଯୁଦ୍ଧ କ୍ଷେତ୍ରରେ ବୀରବିକ୍ରମରେ ଯୁଦ୍ଧ କରୁଥିଲେ, ଯାହାର ଭରଣପୋଷଣ ସମସ୍ତ ଦାୟିତ୍ୱ ଜୀବଦଶାରେ ମୋତେ ବହନ କରିବାକୁ ହୋଇଥିଲା ସେହି ସୁଦେବ ସେନାପତିଙ୍କୁ ମୁଁ କିପରି ବିସ୍ମୃତ ହେବି ?

ଦେବରାଜ ଇନ୍ଦ୍ର କହିଲେ, ସୁଦେବ ପରଲୋକରେ ପୁଣ୍ୟବଳରେ ତୁମ୍ଭଙ୍କୁ ଅତିକ୍ରମ କରିବାର ଓ ଅଧିକ ଐଶ୍ୱର୍ଯ୍ୟ ଭୋଗ କରିବାର ଦେଖି ତୁମ୍ଭ ମନରେ କୌଣସି କ୍ଷୋଭ ଜାତ ହୋଇଅଛି କି ?

ରାଜନ୍‌, ଉତ୍ତରରେ କହିଲେ, କ୍ଷୋଭ ନୁହେଁ ଦେବରାଜ ମୋର ଅନ୍ତରରେ ବିସ୍ମୟ ଓ କୌତୁହଳ ଜାତ ହୋଇଅଛି ।

ସେନାପତି ସୁଦେବ ଜୀବିତ କାଳରେ ମୋ ଆଜ୍ଞାପାଳନ ବ୍ୟତୀତ ପରଲୋକରେ ଦେବଲୋକର ଅତୁଳନୀୟ ବୈଭବ ପ୍ରାପ୍ତି ନିମନ୍ତେ ଯେଉଁ ସବୁ ଯାଗଯଜ୍ଞାଦି କର୍ମ କରିବାକୁ ହୁଏ, ସେହିପରି କୌଣସି କର୍ମ ସେ କେବେ କରି ନଥିଲେ । ଅପର ପକ୍ଷରେ ମୋର କ୍ଷାତ୍ରଧର୍ମର ଯଥୋଚିତ କର୍ତ୍ତବ୍ୟ ସମ୍ପାଦନରେ କେବେହେଁ କୌଣସି କାର୍ପଣ୍ୟ ବା ନିଷ୍ଠାର ଅଭାବ ନଥିଲା । ମୁଁ ଜୀବଦଶାରେ ପ୍ରଜାଶାସନ, ରଣକ୍ଷେତ୍ରରେ ଯୁଦ୍ଧ ପରିଦର୍ଶନ ଓ ବର୍ଣ୍ଣଧର୍ମର କୌଣସି ବିଧି ବା ଆଚାର ପାଳନରେ କେବେହେଁ ତ୍ରୁଟି କରି ନଥିଲି । ଫଳରେ ଏହି ପୁଣ୍ୟଲୋକର ଅଧିବାସୀ ହେବାର ଅଧିକାର ମୁଁ ଅର୍ଜନ କରିପାରିଛି । ଅତଏବ ମୋର କୌତୂହଳ ଯେ ସୁଦେବ ଏପରି କେଉଁ ଗୁଣରେ ଗୁଣାୟିତ ଥିଲେ ଯା ଫଳରେ ସେ ମୋଠାରୁ ପୁଣ୍ୟତର ଲୋକ’ ଲାଭ କରିପାରିଛନ୍ତି ?

ଦେବରାଜ କହିଲେ–ରାଜା ଆଦେଶରେ ସୁଦେବ ରଣକ୍ଷେତ୍ରରେ ଶତ୍ରୁର ପରାକ୍ରମରେ ପୃଷ୍ଠା ପ୍ରଦର୍ଶନ କରି ରଣଭଙ୍ଗ ଦେଇ କେଭେଁ ଆତ୍ମରକ୍ଷା କରିଥିଲେ କି ?

ଉତ୍ତରରେ ରାଜା କହିଲେ, ସୁଦେବ ଏହା କେବେହେଁ କରିନଥିଲେ ।

ପୁନଶ୍ଚ ଦେବରାଜ ଇନ୍ଦ୍ର କହିଲେ, ଯୋଦ୍ଧାର କର୍ତ୍ତବ୍ୟ କର୍ମ ଅବିଚଳ ଭାବରେ ପାଳନ କରି ଓ ଦୁର୍ଜୟ ଶତ୍ରୁସେନା ଛିନ୍ନ ଭିନ୍ନ କରି ସମ୍ମୁଖ ସମରରେ ସୁଦେବ ପ୍ରାଣ ବିସର୍ଜନ ଦେଇ ନଥିଲେ କି ? ରାଜା ଏହା ସ୍ୱୀକାର କରିବାରୁ ଦେବରାଜ କହିଲେ, ଯୁଦ୍ଧ ଏକ ଯଜ୍ଞ । ସେହି ରଣଯଜ୍ଞରେ ଯୋଦ୍ଧା ନିଷ୍ଠା ସହିତ ବ୍ରତୀ ହୋଇ ପ୍ରାଣକୁ ନିର୍ଭୟରେ ଆହୁତି ଦେଇଥିବାରୁ ବିଧିର ବିଧାନରେ ସେହି ମୃତ ଯୋଦ୍ଧା ନିମନ୍ତେ ଊର୍ଦ୍ଧ୍ୱତର ସ୍ୱର୍ଗଲୋକ ନିର୍ଦ୍ଦିଷ୍ଟ ହୋଇ ରହିଅଛି । ସୁଦେବ ସେହି ଯଜ୍ଞ ବଳରେ ହିଁ ରାଜନ୍‌ଙ୍କୁ ଅତିକ୍ରମ କରିପାରିଛନ୍ତି ।

ରାଜା ଅମ୍ବରୀଷ ନିର୍ଦ୍ଦିଷ୍ଟ ଚିତ୍ତରେ ଇନ୍ଦ୍ରଙ୍କ ବଚନ ଶୁଣୁଥିଲେ । କିନ୍ତୁ ଦେବରାଜଙ୍କ ମୁଖ ନିଃସୃତ ଶବ୍ଦ ‘ରଣଯଜ୍ଞ’ ରାଜାଙ୍କ ଅନ୍ତରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

 

ପୁନଶ୍ଚ ନୀରବତା ଭଙ୍ଗକରି ଇନ୍ଦ୍ର କହିଲେ, ସୁଦେବଙ୍କ ଜୀବନର ସମୂହ ବୃତ୍ତାନ୍ତ ଓ କର୍ମାବଳୀ ହୁଏତ ରାଜନ୍‌ଙ୍କ ଅଗୋଚର । ତେଣୁ ସୁଦେବଙ୍କ ଜୀବନର ସମୂହ ବୃତ୍ତାନ୍ତ ମୁଁ ବର୍ତ୍ତମାନ ଶୁଣାଉଛି, ମନଦେଇ ଶ୍ରବଣ କର ।

 

ଇନ୍ଦ୍ର କହିଲେ, ଦେବଗଣଙ୍କୁ ପରିତୁଷ୍ଟ କରି ନିରୁଙ୍କୁଶ ରାଜତ୍ୱ କରିବା ଅଭିପ୍ରାୟରେ ଜୀବନକାଳରେ ତୁମ୍ଭେ ଏକ ଅଶ୍ୱମେଧ ଯଜ୍ଞ ଆୟୋଜନ କରିଥିଲ । ଯଜ୍ଞ ନିମନ୍ତେ ଯାହା କିଛି କରଣୀୟ କର୍ତ୍ତବ୍ୟ ତାହା ସମାପନ କରି ନିଶ୍ଚିନ୍ତ ନିର୍ବିଘ୍ନରେ ଯଜ୍ଞ ସମାପନ ଉଦ୍ଦେଶ୍ୟ ନେଇ ଯଜ୍ଞ ଆରମ୍ଭ କରିବା ସମୟରେ ମୁହୂର୍ତ୍ତକ ନିମନ୍ତେ ତୁମେ ଭାବିପାରି ନଥିଲ ଯେ କୌଣସି ନିଦାରୁଣ ପ୍ରତିକୂଳ ଘଟଣା ତୁମ ନିମନ୍ତେ ଅପେକ୍ଷା କରି ରହିଅଛି । ରାକ୍ଷସଗଣ ଚିରକାଳ ଯଜ୍ଞ ବିଘ୍ନକାରୀ ହିସାବରେ ଗଣ୍ୟ ହୋଇଥାନ୍ତି । ତଥାପି ତୁମ ରାଜ୍ୟର ରାକ୍ଷସଗଣଙ୍କ ପାଇଁ ତୁମେ ନିଶ୍ଚିନ୍ତ ଥିଲ, କାରଣ ଯଜ୍ଞ କ୍ଷେତ୍ରରେ ଯାବତୀୟ ସୁରକ୍ଷା ବ୍ୟବସ୍ଥା ତୁମ୍ଭ ସେନାପତି ସୁଦେବ ଏପରି କରିଥିଲେ ଯେ ଯଜ୍ଞ ମଣ୍ଡପକୁ କୌଣସି ବହିରାଗତ ବାଧା ପ୍ରବେଶ କରିବାର ସାଧ୍ୟ ନଥିଲା । କିନ୍ତୁ ତୁମ ଅଜ୍ଞାତରେ ତୁମ୍ଭର ଚିର ଶତ୍ରୁ ରାକ୍ଷସ ଶତଶୃଙ୍ଗର ରଣଦୁର୍ମଦ ତିନିପୁତ୍ର ଯଥା ସଂଯମ, ବିରମ ଓ ମହାବଳ ସୁସମ ରାକ୍ଷସଗଣଙ୍କୁ ସମବେତ କରି ପ୍ରଚଣ୍ଡ ଆକ୍ରୋଶରେ ଯଜ୍ଞ ପଣ୍ଡ କରି ତୁମ୍ଭ ପରାକ୍ରମକୁ ପ୍ରତିହତ କରିବା ନିମନ୍ତେ ଭିତରେ ଭିତରେ ପ୍ରସ୍ତୁତ ହୋଇଥିଲେ ।

 

ଯେଉଁ ସମୟରେ ଯଜ୍ଞ କ୍ଷେତ୍ରରେ ଆମନ୍ତ୍ରିତ ରାଜ୍ୟନବର୍ଗ, ହିତାକାଂକ୍ଷୀ ସଜ୍ଜନଗଣ ଓ ସମବେତ ପ୍ରଜାବୃନ୍ଦ ଉଦ୍‌ଗାତାଙ୍କର ଆବାହନୀ ସଙ୍ଗୀତ ଶ୍ରବଣ କରୁଥିଲେ ସେହି ସମୟରେ ଯଜ୍ଞ ଭୂମିରେ ହଜାର ହଜାର ରାକ୍ଷସଗଣ ରଣ ହୁଙ୍କାର ଦେଇ ପ୍ରବେଶ କରିଥିଲେ । ସେହି ରଣ ହୁଙ୍କାରରେ ଗଗନ ବିଦୀର୍ଣ୍ଣ ହୋଇଥିଲା । ସାମଗୀତ ସ୍ତବ୍‌ଧ ହୋଇ ପୂତ ଯଜ୍ଞାଗ୍ନି ନିର୍ବାପିତ ହୋଇଥିଲା । ପ୍ରାଣ ଭୟରେ ବ୍ୟାକୁଳ ପ୍ରଜାଗଣ ଉଦ୍‌ଭ୍ରାନ୍ତ ହୋଇଥିଲେ ମଧ୍ୟ ତୁମ୍ଭର ଆତ୍ମରକ୍ଷା ବ୍ୟତୀତ କୌଣସି ଉପାୟ ନଥିଲା । ତୁମ୍ଭେ ଯଜ୍ଞ ଭୂମି ତ୍ୟାଗକରି ମନ୍ତ୍ରୀଗଣଙ୍କ ସହିତ ରାଜପ୍ରାସାଦରେ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଥିଲ । ଏହାପରେ ଚିରଶତ୍ରୁ ସେହି ରାକ୍ଷସଗଣ ଶତକୋଟୀ ରାକ୍ଷସସେନାନୀ ସହିତ ଯଜ୍ଞ ପଣ୍ଡ କରି ପ୍ରଜାମାନଙ୍କୁ ଧରିନେଇ ନଗର ପ୍ରଜା ଶୂନ୍ୟ କରିଥିଲେ ।

 

ଏହି ସବୁ ଘଟଣା ଘଟିବାପରେ ପ୍ରାସାଦ ଆଭ୍ୟନ୍ତରରେ ମନ୍ତ୍ରୀବର୍ଗଙ୍କ ପରାମର୍ଶ ସଭା ବସିଥିଲା ଓ ସେହି ସଭାରେ ମନ୍ତ୍ରୀଗଣ ପରାମର୍ଶ ଦେଇ କହିଥିଲେ ଯେ ଏ ସମସ୍ତ ଘଟଣା ନିମନ୍ତେ ତୁମ୍ଭ ସେନାପତି ସୁଦେବ ଦାୟୀ ଅଟନ୍ତି । ଅଧିକନ୍ତୁ ସୁଦେବଙ୍କ ବିଶ୍ୱାସଘାତକତା ବ୍ୟତୀତ ଏପରି ଘଟଣା ଘଟିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀଗଣ ମତ ପ୍ରକାଶ କରିଥିଲେ । ସୁଦେବ ସେନାପତି ପଦରେ ରହିଥିବା ଦୃଷ୍ଟିରୁ ରାଜାଙ୍କର ବିଶ୍ୱାସର ସୁଯୋଗ ନେଇ ଚକ୍ରାନ୍ତ କରି ଏପରି ଘଟଣା ଘଟାଇଛନ୍ତି । ଅତଏବ ଶୀଘ୍ର ସୁଦେବଙ୍କୁ ସେନାପତି ପଦରୁ ଅବ୍ୟାହତି ଦେଇ ନିର୍ବାସନ ଦଣ୍ଡ ଦିଆଯାଉ ।

 

ଏହି ପରାମର୍ଶ ପରେ ତୁମ୍ଭେ ସୁଦେବଙ୍କ ବିଶ୍ୱାସଘାତକତା ଆଚରଣରେ ସନ୍ଦେହ ପ୍ରକାଶ କରିଥିଲେ ମଧ୍ୟ କ୍ରମାଗତ ଉତ୍ତରୋତ୍ତର ପ୍ରରୋଚନାରେ ତୁମ୍ଭେ ମନ୍ତ୍ରୀବର୍ଗଙ୍କର ପରାମର୍ଶ ମାନିବା ନିମନ୍ତେ ବାଧ୍ୟ ହୋଇଥିଲ । ସୁଦେବଙ୍କ ପଦରେ ଅନ୍ୟ ଜଣଙ୍କୁ ସେନାପତି ଭାବେ ନିଯୁକ୍ତି ଦେଇ ସୁଦେବଙ୍କ ନିର୍ବାସନ ଦଣ୍ଡ କାଏମ୍‌ ରଖିଥିଲ ।

 

କିନ୍ତୁ ଅନେକ କାଳ ଗତ ହେଲାପରେ ମଧ୍ୟ ଯେତେବେଳେ ନଗର ଓ ଗ୍ରାମ ଶତ୍ରୁ ହାତରୁ ମୁକ୍ତ ହୋଇ ପାରିଲା ନାହିଁ ଓ ପ୍ରଜାଙ୍କ ଉପରେ ଶତ୍ରୁଗଣ ଅକଥନୀୟ ଅତ୍ୟାଚାର ଆରମ୍ଭ ହୋଇଥିବା ଖବର ମନ୍ତ୍ରୀମାନଙ୍କ ନିଯୁକ୍ତ ଗୁପ୍ତଚର ଆସି ଦେଲେ, ସେତେବେଳେ ଏହି ମନ୍ତ୍ରୀଗଣ ସୁଦେବଙ୍କ ବିରୁଦ୍ଧରେ ପୁନଶ୍ଚ ଏକ ହୀନ ଚକ୍ରାନ୍ତ କରି ପରାମର୍ଶ ସଭା ଡକାଇଲେ । ଗୁପ୍ତଚର ମାର୍ଫତରେ ମନ୍ତ୍ରୀଗଣ ଜାଣିପାରିଥିଲେ ଯେ ସୁଦେବ ଜୀବିତ ରହି ନଗର ବାହାରେ କାୟକ୍ଳେଶରେ ଦିନ କଟାଉଛନ୍ତି । ଯଦି ଜୀବିତ ରହି ରାଜାଙ୍କ ସମ୍ମୁଖରେ ସୁଦେବ ସତ୍ୟ ଘଟଣା ପ୍ରକାଶ କରିଦେବେ ଏହି ଭୟରେ ମନ୍ତ୍ରୀଗଣ ପରାମର୍ଶ ସଭାରେ ମତ ପ୍ରକାଶ କରି ତୁମ୍ଭକୁ ଜଣାଇଲେ ଯେ ସୁଦେବଙ୍କୁ ପୁନଶ୍ଚ ଡକାଯାଇ ରାକ୍ଷସଗଣଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ପ୍ରେରଣ କରାଯାଉ । ଏହି ପରାମର୍ଶରେ ତୁମ୍ଭେ ପୁନଶ୍ଚ ସୁଦେବଙ୍କୁ ଡକାଇ ରାକ୍ଷସଗଣଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ନିର୍ଦ୍ଦେଶ ଦେଇ ସୁଦେବଙ୍କୁ କହିଥିଲ ଯେ ଯୁଦ୍ଧରେ ବିଜୟୀ ନହୋଇ ସେ ରାଜ୍ୟକୁ ଫେରିପାରିବେ ନାହିଁ । ଏହିପରି ନିର୍ମମ ଆଦେଶ ମନ୍ତ୍ରୀଙ୍କ ପରାମର୍ଶକ୍ରମେ ତୁମେ ଦେଇଥିଲ ।

 

ଇନ୍ଦ୍ର କହିଲେ, ପ୍ରକୃତରେ ସୁଦେବ ତୁମ୍ଭର ଅତ୍ୟନ୍ତ ପ୍ରିୟ ଓ ବିଶ୍ୱାସ ଭାଜନ ହୋଇଥିବାର ଦେଖି ମନ୍ତ୍ରୀଗଣ ସହ୍ୟକରି ନପାରି ସୁଦେବଙ୍କ ବିରୁଦ୍ଧରେ ଏହିପରି ଚକ୍ରାନ୍ତରେ ପରାମର୍ଶ କରି ତୁମ୍ଭକୁ ଜଣାଉଥିଲେ । ସୁଦେବଙ୍କ ନିର୍ବାସନ ଦଣ୍ଡ ଦେବାର ଏକମାତ୍ର କାରଣ ଥିଲା ଯେ ସୁଦେବଙ୍କୁ ଏକାକୀ ଦେଖି ରାକ୍ଷସଗଣ ନିହତ କରିବେ । କିନ୍ତୁ ସେହି ପରାମର୍ଶ ଯେତେବେଳେ ଫଳପ୍ରଦ ହୋଇ ନଥିଲା ଓ ସୁଦେବ ଜୀବିତ ଥିବାର ଖବର ଗୁପ୍ତଚର ଦେଇଥିଲେ, ସେତେବେଳେ ପୁନଶ୍ଚ ମନ୍ତ୍ରୀଗଣଙ୍କ ପରାମର୍ଶରେ ସୁଦେବଙ୍କୁ ରଣକ୍ଷେତ୍ରକୁ ରଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଗଲା କାରଣ ମନ୍ତ୍ରୀଗଣ ତୁମକୁ ଜଣାଇଥିଲେ ଯେ ସେମାନେ ଗୁପ୍ତଚରଦ୍ୱାରା ଖବର ପାଇଛନ୍ତି ଯେ ସୁଦେବ ରାକ୍ଷସଗଣଙ୍କ ସହିତ ମିଳିତ ହୋଇ ପୁନଶ୍ଚ ସେମାନଙ୍କୁ ସାହାଯ୍ୟ କରି ଦମନଲୀଳା ଆରମ୍ଭ କରିଛନ୍ତି । ସୁତରାଂ ସୁଦେବଙ୍କୁ ଶୀଘ୍ର ରାକ୍ଷସଗଣ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଉ । ସେହି ପରାମର୍ଶ ଅନୁସାରେ ସୁଦେବଙ୍କୁ ଡାକି ରଣକ୍ଷେତ୍ରକୁ ଯିବାକୁ ନିର୍ଦ୍ଦେଶ ଓ ବିଜୟୀ ହୋଇ ପ୍ରତ୍ୟାବର୍ତ୍ତନର ଆଦେଶ ତୁମ୍ଭେ ହିଁ ଦେଇଥିଲ ।

 

ସୁଦେବ ସେହି ଆଦେଶ ପାଇ କାଳବିଳମ୍ବ ନକରି ମୁଷ୍ଟିମେୟ ସେନାନୀ ସହିତ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ଆଦେଶ ପାଳନ ନିମନ୍ତେ ଏକାନ୍ତ ଚିତ୍ତରେ ଅଗ୍ରସର ହେଲେ ।

 

ସୈନ୍ୟପରିଚାଳନାଠାରୁ ଆରମ୍ଭ କରି ରଣକୌଶଳ ପର୍ଯ୍ୟନ୍ତ ସୁଦେବଙ୍କ ଅଗାଧ ଆସ୍ଥା ଓ ବିଶ୍ୱାସ ଥିଲେହେଁ ଶତ୍ରୁ ପକ୍ଷର ରାକ୍ଷସ ସୈନ୍ୟଙ୍କ ସମ୍ମୁଖୀନ ହୋଇ ଜାଣିପାରିଲେ ଯେ ଅସୁରଗଣଙ୍କର ସୁବିଶାଳ ସୁସଜ୍ଜିତ ବାହିନୀକୁ ପର୍ଯ୍ୟୁଦସ୍ତ କରିବା ତାଙ୍କ ପକ୍ଷରେ ଏପରିକି ଦିବ୍ୟାସ୍ତ୍ରଧାରୀ ରାଜା ଅମ୍ବରୀଷଙ୍କ ପକ୍ଷରେ ମଧ୍ୟ ସମ୍ଭବ ନୁହେଁ । ସୁତରାଂ ରଣଜୟ ନକରି ଫେରିବା ନିମନ୍ତେ ଆଦେଶ ନଥିବାରୁ ସେ କୌଣସି ଉପାୟରେ ଏହି ଶତ୍ରୁବାହିନୀକୁ ପରାସ୍ତ କରିବା ପାଇଁ ଚିନ୍ତା କଲେ । ସେ ସିଦ୍ଧାନ୍ତ ନେଲେ ଯେ ଶତ୍ରୁ ଜୟ କରିବା ନିମନ୍ତେ ଏକମାତ୍ର ଦୈବୀଶକ୍ତି ଶରଣାପନ୍ନ ହୋଇ ଦୈବ ଅନୁଗ୍ରହ ଲାଭ କରିବେ । ଏହି କଥା ମନେ ମନେ ଠିକ୍‌ କରି ସେ ଅଯଥା ସୈନ୍ୟଙ୍କ ପ୍ରାଣ ରଣକ୍ଷେତ୍ରରେ ବିନଷ୍ଟ କରିବାକୁ ଚାହିଁଲେ ନାହିଁ ତେଣୁ ସେ ତାଙ୍କର ସୈନ୍ୟବାହୀନିକୁ ପୁନରାୟ ରାଜ୍ୟକୁ ଫେରିଯିବାକୁ ନିର୍ଦ୍ଦେଶ ହେଲେ । ସ୍ୱୟଂ ସୁଦେବ ଦୈବ ସହାୟରେ ଯୁଦ୍ଧ ଜୟ କଲେ ହିଁ ଫେରିବା ନିମନ୍ତେ ସ୍ଥିର କରିଥିଲେ ଅନ୍ୟଥା ଆତ୍ମାହୁତିର ସଂକଳ୍ପ ନେଇ ଦୈବଙ୍କ ଅନୁଗ୍ରହ ନିମନ୍ତେ ଅଗ୍ରସର ହୋଇଥିଲେ ।

 

ସେନାନୀ ସୁଦେବଙ୍କ ଆଦେଶରେ ବିନା ଯୁଦ୍ଧରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଶୁଣି ତୁମେ ମନେ ମନେ ଅତ୍ୟନ୍ତ କ୍ଷୁବ୍‌ଧ ହୋଇଥିଲ ।

 

ସୁଦେବ ଅନେକ ଦିନ ଇତସ୍ତତଃ ଦୈବ ଅନୁଗ୍ରହ ଆଶାରେ ବିଚରଣ କରି ଅବଶେଷରେ ଶ୍ମଶାନରେ ଉପସ୍ଥିତ ହେଲେ । ପ୍ରଜାଗଣଙ୍କୁ ଶତ୍ରୁପକ୍ଷର ଅଯଥା ଅତ୍ୟାଚାର ଓ ପୀଡ଼ନ ଦେଖି ତାଙ୍କ ମନ ମଧ୍ୟ ବ୍ୟଥାତୁର ହୋଇ ଉଠିଥିଲା । ସେ ଶ୍ମଶାନରେ ବସି ଭାବିଲେ ଏକମାତ୍ର ଶ୍ମଶାନବାସୀ ଦେବଦେବ ମହାଶକ୍ତିଧର ମହାଦେବଙ୍କର ଶରଣନେବା ବିଧେୟ । ତାଙ୍କର ଅନୁଗ୍ରହ ବ୍ୟତୀତ ଏ ବିଶାଳ ରଣଜୟ ଅସମ୍ଭବ । ଏହା ଚିନ୍ତାକରି ସୁଦେବ ନିର୍ଦ୍ଦିଷ୍ଟ ମନରେ ମହାଦେବଙ୍କ ସ୍ତବଗାନ ପୂର୍ବକ ଆରାଧନା କରିବାକୁ ଲାଗିଲେ ।

 

ଦିନପରେ ଦିନ ଏହିପରି ଗତ ହେଲା, କିନ୍ତୁ କିଛି ଦୈବ ଅନୁଗ୍ରହର ଆଶା ନଦେଖି ସେ ଦିନେ ନିରାଶ ହୋଇ ନିଜକୁ ହତଭାଗ୍ୟ ମନେକରି ଆତ୍ମଧିକ୍‌କାର ସହକାରେ କଟୀସ୍ଥିତ ଖଡ଼୍‌ଗରେ ସ୍ୱମସ୍ତକ ଛେଦନ ଅଭିପ୍ରାୟରେ ପ୍ରାଣ ବିସର୍ଜନ କରିବାକୁ ମନସ୍ଥ କରି ଖଡ଼୍‌ଗ ଧରି ମସ୍ତକ ଆଘାତ କରିବା ସମୟରେ ସ୍ୱୟଂ ପିନାକପାଣି ଦେବଦେବ ମହାଦେବ ଶଙ୍କର ଆବିର୍ଭୂତ ହୋଇଥିଲେ । ସୁଦେବ ନିଜ ମସ୍ତକ ଚ୍ଛେଦନ ନକରି ତତ୍‌କ୍ଷଣାତ୍‌ ମହାଦେବଙ୍କ ପାଦତଳେ ପଡ଼ି ଆକୁଳ ଅନ୍ତରରେ କହିଲେ, ଦେବ ଯଦି ଆପଣ ଏହି ହତଭାଗ୍ୟକୁ ଦର୍ଶନଦେଇ କୃପା କରିଛନ୍ତି ଏହି ଅନୁଗ୍ରହ କରନ୍ତୁ, ମୁଁ ଯେପରି ସେହି ଦୁର୍ମଦ ରାକ୍ଷସ ପୁତ୍ରଗଣଙ୍କ ସହିତ ବିଶାଳ ଅସୁରବାହିନୀ ବିନାଶ କରି ପାରିବି ଓ ରୁଷ୍ଟ ରାଜାଙ୍କର ପ୍ରସନ୍ନତା ଫେରି ପାଇବା ସହିତ ରାଜା ଅମ୍ବରୀଷ ଯେପରି ପ୍ରଜାଗଣଙ୍କର ଆସ୍ଥା ଭାଜନ ହୋଇ ପାରିବେ ଏବଂ ବନ୍ଦୀ ପ୍ରଜାଗଣ ମୁକ୍ତ ହେବେ ।

 

ଭଗବାନ ଶଙ୍କର ଆଶ୍ୱାସ ବାଣୀ ଶୁଣାଇ କହିଲେ ସୁଦେବ ତୁମ୍ଭେ ସ୍ଥିର ହୁଅ । ତୁମ୍ଭର ସବୁ ଅଭିଳାଷ ମୁଁ ନିଶ୍ଚୟ ପୂରଣ କରିବି । ତୁମ୍ଭ ସଦୃଶ ରାଜଭକ୍ତ, ଧର୍ମପ୍ରାଣ ଯୋଦ୍ଧା ଏହି ସଂସାରରେ ଦୁର୍ଲଭ । ତୁମ୍ଭେ ପ୍ରଜାଙ୍କର ମଙ୍ଗଳ ନିମନ୍ତେ ନିଜ ପ୍ରାଣକୁ ତୁଚ୍ଛ ମନେ କରିଅଛ ।

 

ଏହା କହି ମହାଦେବ ସୁଦେବଙ୍କୁ ତାଙ୍କର ମହାପରାକ୍ରମଶାଳୀ ସେନାନୀଙ୍କର ପରାକ୍ରମ ଦାନ ଓ ତତ୍‌ସହିତ ଦିବ୍ୟାସ୍ତ୍ର ଦେଇଥିଲେ । ଅଧିକନ୍ତୁ ଅଗ୍ନି ବର୍ଣ୍ଣ ସୁବିଶାଳରଥ ଯାହାଦ୍ୱାରା ନିଜେ ମହାଦେବ ଏକ ସମୟରେ ତ୍ରିପୁରାସୁର ଅସୁରକୁ ବଧ କରିଥିଲେ, ସେହି ରଥ ମଧ୍ୟ ସୁଦେବଙ୍କୁ ଦାନକରି କହିଲେ, ତୁମ୍ଭେ ମୋର ଅୟୁତ ସୈନ୍ୟଙ୍କ ପରାକ୍ରମରେ ବଳଶାଳୀ ହୋଇ ନିର୍ଭୟରେ ଶତ୍ରୁ ସୈନ୍ୟଙ୍କ ମଧ୍ୟରେ କୌଣସି ଦିଗକୁ ଦୁଷ୍ଟିପାତ ନକରି ପ୍ରବେଶ କରିବ ।

 

ଦୈବୀଶକ୍ତିରେ ଶକ୍ତିମାନ ହୋଇ ବୀରପୁରୁଷ ଯୋଦ୍ଧା ସୁଦେବ ଅତଃପର ଅଗ୍ନିସମ ପୌରୁଷ ନେଇ ରଣକ୍ଷେତ୍ରରେ ଉପସ୍ଥିତ ହୋଇଥିଲେ । ଅଗ୍ନିରେ ପତଙ୍ଗ ଝାସ ଦେବା ସଦୃଶ ଝାଙ୍କ ଝାଙ୍କ ଶତ୍ରୁ ସୈନ୍ୟ ରଣକ୍ଷେତ୍ରରେ ମୃତ୍ୟୁବରଣ କରିଥିଲେ । ଶେଷରେ ଦୁର୍ମଦ ରାକ୍ଷସ ପୁତ୍ର ତିନିଜଣ ମଧ୍ୟ ନିହତ ହୋଇଥିଲେ । ଏସବୁ ହୋଇଥିବା ସତ୍ତ୍ୱେ ଓ ସୁଦେବ ରଣଜୟର ବାର୍ତ୍ତା ନେଇ ସେ ରାଜ୍ୟକୁ ଫେରି ପାରି ନଥିଲେ । ସେହି ନିଦାରୁଣ ରଣ ଯଜ୍ଞରେ ଆହତ ହୋଇ ସେ ତାଙ୍କର ନଶ୍ୱର ଶରୀର ସେହିଠାରେ ତ୍ୟାଗ କରିଥିଲେ ।

 

ଏହି ପର୍ଯ୍ୟନ୍ତ ରାଜା ଅମ୍ବରୀଷ ଇନ୍ଦ୍ରଙ୍କର ମୁଖନିଃସୃତ ତାଙ୍କର ସେନାପତି ସୁଦେବଙ୍କ ନିଭୃତ ରଣଯଜ୍ଞର ବୃତ୍ତାନ୍ତ ଶୁଣୁଥିଲେ । ସେ ସ୍ୱୟଂ ଦେବାନୁଗ୍ରହ ମହୀପତି ହୋଇଥିଲେ ହେଁ ଏହି ମୁହୂର୍ତ୍ତରେ ସୁଦେବଙ୍କ ତୁଳନାରେ ନିଜକୁ ନଗଣ୍ୟ ମନେକଲେ । ବିଚକ୍ଷଣ ରାଜା ହୋଇ ସୁଦ୍ଧା ସେ ମନ୍ତ୍ରୀଗଣଙ୍କର କୁପରାମର୍ଶ ଓ କୁଟିଳ ଜାଲରେ ଆବଦ୍ଧ ହୋଇ ଏହିପରି ଏକ ଦୁର୍ଲ୍ଲଭ ଚରିତ୍ରକୁ ସନ୍ଦେହ ଓ ବିଶ୍ୱାସଘାତକତା କାଳିମା ଲେପନ କରିଥିଲେ ବୋଲି ଜାଣି କ୍ଷୁବ୍‌ଧ ହୋଇଥିଲେ ।

 

ଅତଃପର ବିମର୍ଷ କଣ୍ଠରେ ରାଜା ଅମ୍ବରୀଷ କହିଲେ, ଦେବରାଜ, ସୁଦେବଙ୍କ ପ୍ରତି ମୋର ଆଉ କୌଣସି କ୍ଷୋଭ ନାହିଁ । ସମସ୍ତଙ୍କର ଅଜ୍ଞାତରେ ଏକାକୀ ସେ ଯେପରି ଭାବରେ ସ୍ୱୀୟ ଧର୍ମ ପାଳନ କରିଛନ୍ତି ତାହା ଅତୁଳନୀୟ । ସେଥି ନିମନ୍ତେ ସେ ଏହି ‘ଅତୁଳନୀୟ ଲୋକ’ର ବୈଭବପ୍ରାପ୍ତ ହୋଇଛନ୍ତି । ସୁଦେବ ତାଙ୍କର ଯଥାଯୋଗ୍ୟ ସମ୍ମାନପ୍ରାପ୍ତ ହେବା ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ ।

 

ଏହାଶୁଣି ଦେବରାଜ କହିଲେ, ହଁ ମହୀପତି, ଅନ୍ୟାୟ ବିରୁଦ୍ଧରେ ନ୍ୟାୟ ପ୍ରତିଷ୍ଠା କରିବା ନିମନ୍ତେ ଧରାଧାମରେ ଯେଉଁ ଯୋଦ୍ଧା ସୁଦେବଙ୍କ ସଦୃଶ ରଣ ଯଜ୍ଞରେ ବ୍ରତୀ ହୋଇ ପ୍ରାଣ ବିସର୍ଜ୍ଜନ କରନ୍ତି ବିଧିର ବିଧାନ ଅନୁସାରେ ସେହିମାନେ ହିଁ ସୁଦେବଙ୍କ ସଦୃଶ ଅମର ଲୋକରେ ଅତୁଳ ଐଶ୍ୱର୍ଯ୍ୟ ଓ ବିଭବ ନିର୍ବିକାର ଚିତ୍ତରେ ଭୋଗ କରିଥାନ୍ତି ।

 

ସବୁ ସନ୍ଦେହ ଦୂର କରି ରାଜା ଅମ୍ବରୀଷ ପୁନଶ୍ଚ ନିଜ ଲୋକକୁ ପ୍ରଶାନ୍ତି ନେଇ ପ୍ରତ୍ୟାବର୍ତ୍ତନ କଲେ ।

Image

 

ବ୍ରହ୍ମଦତ୍ତ ଓ ପୂଜନୀ ସଂବାଦ

 

ପାଣ୍ଡବାଗ୍ରଜ ଯୁଧିଷ୍ଠିର ଯେ ଭବିଷ୍ୟତ ମହୀପତି ହେବେ, ଏହା କୁରୁକ୍ଷେତ୍ର ରଣାଙ୍ଗନରେ ସ୍ଥିରୀକୃତ ହୋଇଥିଲା । ବିଚିତ୍ର ମନୁଷ୍ୟ ସମାବିଷ୍ଟ ବିଶାଳ ଭୂଖଣ୍ଡକୁ ସୁନିୟନ୍ତ୍ରିତ କରି ରଖିବା ଦାୟିତ୍ୱ ଯୁଧିଷ୍ଠିରଙ୍କ ଉପରେ ଆଜି ନ୍ୟସ୍ତ ହୋଇଅଛି ।

 

ଏହା ସର୍ବଜନବିଦିତ ଯେ ଚରିତ୍ର ଓ ବ୍ୟକ୍ତିତ୍ୱରେ ଧର୍ମରାଜ ଧର୍ମଜ୍ଞ ଜ୍ଞାନୀ, ପ୍ରଖର ବୁଦ୍ଧି ବୃତ୍ତି ସମ୍ପନ୍ନ, ସ୍ଥିତଧୀ ଓ ସମସ୍ତଙ୍କର ଆସ୍ଥାଭାଜନ ଥିଲେ । ସ୍ୱୟଂ ଯୁଧିଷ୍ଠିର ମଧ୍ୟ ଆତ୍ମପ୍ରତ୍ୟୟ ନେଇ ଆସ୍ଥାବାନ ହୋଇଥିଲେ । ଏହା ଅବଶ୍ୟ ସତ୍ୟ ଯେ ପ୍ରବାହମାନ ଜୀବନଧାରାରେ ଅନେକ ସଂଯୋଗ, ବିଯୋଗ ଘାତ ପ୍ରତିଘାତ, ଧର୍ମରାଜଙ୍କ ମାନସିକତାକୁ ସମୃଦ୍ଧ କରିଥିଲା । ତଥାପି ରାଜଦାୟିତ୍ୱ ସମାସୀନ ହେବାର ପ୍ରାକ୍‌କାଳରେ ଧର୍ମରାଜ ଯୁଧିଷ୍ଠିର ମନେକଲେ ଯେପରି ଆହୁରି ଅନେକ କିଛି ତାଙ୍କର ଜାଣିବାର ବାକି ରହିଯାଇଛି । ସେହି ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ ସର୍ବକାଳରେ ସର୍ବଶ୍ରେଷ୍ଠ । ସୁଅଭୀଜ୍ଞ ସମୃଦ୍ଧ ଜ୍ଞାନୀ ଶରଶଯ୍ୟାଶାୟୀ ପିତାମହଙ୍କ ନିକଟକୁ ଅଧିକ ଜ୍ଞାନଲାଭ ନିମନ୍ତେ ଯାଇଥିଲେ ।

 

ମୃତ୍ୟୁମୁଖୀ ଶରଶଯ୍ୟାଶାୟୀ ପିତାମହ ଉତ୍ତରାୟଣ ଅପେକ୍ଷାରେ ଥିଲେହେଁ ଯୁଧିଷ୍ଠିରଙ୍କୁ ଜ୍ଞାନ ପ୍ରଦାନରେ କେବହେଁ କାର୍ପଣ୍ୟ କରି ନଥିଲେ । ପିତାମହଙ୍କ ଅନ୍ତରରେ ପାଣ୍ଡବଗଣଙ୍କ ନିଷ୍ଠା, ସତ୍ୟତା ଓ ଶ୍ରଦ୍ଧା ପ୍ରଭୃତି ଗୁଣାବଳୀ ନିମିତ୍ତ ଯଥେଷ୍ଟ ସ୍ନେହ ଥିଲା । ଯୁଦ୍ଧ ଶେଷରେ ପାଣ୍ଡବାଗ୍ରଜ ଯୁଧିଷ୍ଠିର ମହାନ୍‌ ଦାୟିତ୍ୱରେ ଆସୀନ ହେବା ପ୍ରାକ୍‌କାଳରେ ପିତାମହ ତାଙ୍କୁ ସୁଦୀର୍ଘ ଜୀବନର ଅଭିଜ୍ଞତା ଲବ୍‌ଧ ଜ୍ଞାନ ଓ ଲୋକ ବ୍ୟବହାର ସମ୍ବନ୍ଧରେ ଉପଦେଶାବଳୀ ପ୍ରଦାନ କରିଥିଲେ ।

 

ଉପଦେଶ ଦେବା ସମୟରେ ପିତାମହ କହିଲେ, ଦେଶ ଶାସନରେ ରାଜା ବା ଶାସକଙ୍କ ଦୃଷ୍ଟି ସୁଦୂରପ୍ରସାରୀ କର୍ଣ୍ଣ ସଦା ସଜାଗ ରଖି ବୁଦ୍ଧି ବୃତ୍ତିକୁ ସୁତୀକ୍ଷ୍‌ଣ କରିବା ବିଧେୟ । ଅନାଗତ ସମ୍ବନ୍ଧରେ ସୁଚିନ୍ତା କରି ଆପାତଃ ସମ୍ବନ୍ଧରେ ରାଜାଙ୍କୁ କର୍ମପନ୍ଥା ସ୍ଥିର କରିବାକୁ ହେବ । ଶାସକଙ୍କର ସଦାସର୍ବଦା ମନେ ରଖିବାକୁ ହେବ ଯେ ମନୁଷ୍ୟ ମାତ୍ରେ ହିଁ ସ୍ୱାର୍ଥର ଦାସ । ସେ ନିଜ ବ୍ୟତୀତ ଅନ୍ୟ କାହାକୁ ଏପରି କି ସ୍ତ୍ରୀ, ପୁତ୍ର ପରିଜନବର୍ଗଙ୍କୁ ମଧ୍ୟ ସ୍ୱାର୍ଥ ଖାତିରରେ ବିଶ୍ୱାସ କରେ ନାହିଁ । ଯେତେ କ୍ଷଣ ମନୁଷ୍ୟ ଅନ୍ୟ ସାହାଯ୍ୟରେ ନିଜର ସ୍ୱାର୍ଥସିଦ୍ଧି, ନାମ, ଯଶ, ଖ୍ୟାତି ଓ ପ୍ରତିପତ୍ତି ଲାଭର ସୁଯୋଗ ଲାଭ କରିଥାଏ ସେତେକ୍ଷଣ ସେହି ସାହାଯ୍ୟକାରୀ ବ୍ୟକ୍ତି ତାର ମିତ୍ର ହୋଇଥାଏ-। କିନ୍ତୁ ଯେଉଁ ମୁହୂର୍ତ୍ତରେ ସ୍ୱାର୍ଥ କ୍ଷୁର୍ଣ୍ଣ ହୁଏ ସେତେବେଳେ ସେହି ସାହାଯ୍ୟକାରୀ ତାର ଶତ୍ରୁ ହୋଇଥାଏ । ସ୍ୱାଭାବିକ୍‌ ଏହି ଲୋକ ଚରିତ୍ର ଅତି ବିଚିତ୍ର । ଆଜି ଯେ ତୁମ୍ଭର ବନ୍ଧୁ ବା ମିତ୍ର କାଲି ସେହି ବ୍ୟକ୍ତି ତୁମ୍ଭର ଅପକାରୀ ଶତ୍ରୁ ହୋଇପାରେ । ସନ୍ଧି ଓ ବିଗ୍ରହ ସମନ୍ୱୟରେ ମାନବ ଜୀବନ ଗତିଶୀଳ । କେଉଁ ସମୟରେ କାହାକୁ ଆଶ୍ରୟ କରିବାକୁ ହେବ, ତାହା ସଠିକ୍‌ ଭାବରେ ଯେଉଁ ବ୍ୟକ୍ତି ନିର୍ଣ୍ଣୟ କରିପାରେ, ସେ କେବେହେଲେ ଚୋରାବାଲିରେ ଧସି ନଯାଇ ସଠିକ୍‌ ଭାବରେ ଜୀବନ ବିତାଇଥାଏ । ବୁଦ୍ଧିମାନ୍‌ ବ୍ୟକ୍ତି ଏହା ବିସ୍ମୃତ ହେବା ଉଚିତ ନୁହେଁ ଯେ ଆଜି ଯେଉଁ ବ୍ୟକ୍ତି ବିଶ୍ୱାସର ପାତ୍ର କାଲି ସେହି ବ୍ୟକ୍ତି ଅବିଶ୍ୱାସର ପାତ୍ର ହୋଇପାରେ । କାରଣ ପରିବେଶ ପରିସ୍ଥିତି ନିୟତ ପରିବର୍ତ୍ତନଶୀଳ ।

 

ବିଶ୍ୱାସ ମାନବ ଜୀବନର ଏକ ଅମୂଲ୍ୟ ସମ୍ପଦ । ଏହା ପ୍ରତିକୂଳ ପରିବେଶକୁ ଅନୁକୂଳ କରିଥାଏ । ଏହି ବିଶ୍ୱାସ ମଧ୍ୟ ଆତ୍ମପ୍ରତ୍ୟୟ ଆଣି ଦେଇଥାଏ ।

 

ଧର୍ମରାଜ ଯୁଧିଷ୍ଠିରଙ୍କର ସ୍ଥିର ଧାରଣା ଥିଲା ଯେ ବିଶ୍ୱାସ ପରିସରରେ ଅଲଭ୍ୟ ବୋଲି କିଛି ନାହିଁ ଓ ବିଶ୍ୱାସ ପରିସରରେ ପରିସ୍ଥିତି ଓ ପରିବେଶର କୌଣସି ଭୂମିକା ମଧ୍ୟ ନାହିଁ । କିନ୍ତୁ ପିତାମହଙ୍କ ଠାରୁ ଉପଦେଶ ଶୁଣି ଯୁଧିଷ୍ଠିରଙ୍କ ମନ ଚଞ୍ଚଳ ହୋଇ ଉଠିଲା । ସେ ମନେ ମନେ ଚିନ୍ତାକଲେ ଯେ ଏହି ଜଗତରେ କଣ କାହାକୁ ବିଶ୍ୱାସ କରି ନିଶ୍ଚିନ୍ତରେ ରହିହେବ ନାହିଁ ? ଲୋକ ବ୍ୟବହାରରେ ତା’ହେଲେ କଣ ବିଶ୍ୱାସକୁ ଅବିଶ୍ୱାସ କରି ଚଳିବାକୁ ହେବ ?

 

ଚିନ୍ତା ଜାତ ସଂଶୟକୁ ମନ ମଧ୍ୟରେ ନରଖି ଯୁଧିଷ୍ଠିର ପିତାମହଙ୍କୁ ପଚାରିଲେ–

 

‘‘ଉକ୍ତ ମନ୍ତୋ ମହାବାହୋ ବିଶ୍ୱାସ ନାସ୍ତି ଶତ୍ରୁଷୁ

କଥଂ ହି ରାଜା ବର୍ତ୍ତତେ ଯଦି ସର୍ବତ୍ର ନାଶ୍ୱସେତ ।’’

 

ଅର୍ଥାତ୍‌ ହେ ମହାବାହୋ ଆପଣ ପ୍ରଥମେ ଉପଦେଶ ଦେଲେ ଯେ ଶତ୍ରୁକୁ କଦାପି ବିଶ୍ୱାସ କରିବ ନାହିଁ । କିନ୍ତୁ ଏହା ସହିତ କାହାକୁ ବିଶ୍ୱାସ ନ କରିବାକୁ ମଧ୍ୟ ଉପଦେଶ ଦେଲେ । କିନ୍ତୁ ରାଜା ଯଦି ସମସ୍ତଙ୍କୁ ଅବିଶ୍ୱାସ କରେ ତାହେଲେ ସେ କିପରି ରାଜ୍ୟ ପରିଚାଳନା କରିବ ?

 

ପିତାମହ କହିଲେ, ଧର୍ମଜ୍ଞ, ତୁମ୍ଭର ପ୍ରଶ୍ନ ଅତି ସୁନ୍ଦର । ବିଶ୍ୱାସ ଓ ଅବିଶ୍ୱାସ ଘୂର୍ଣ୍ଣୀରେ ନ ଘୂରି ରାଜା କେଉଁ ଭାବରେ ରାଜ୍ୟ ଶାସନ କରିବ, ଏହାର ଏକ ସୁନ୍ଦର ସମାଧାନ ସୂତ୍ର ‘ପୂଜନୀ’ ରାଜା ବ୍ରହ୍ମଦତ୍ତଙ୍କୁ ଦେଇଛନ୍ତି ।

 

ପିତାମହଙ୍କ କଥା ଶୁଣି ରାଜା ଯୁଧିଷ୍ଠିର ବିସ୍ମିତ ନେତ୍ରରେ ପିତାମହଙ୍କୁ ଚାହିଁଲେ; କାରଣ ଏପରି କୌଣସି ରାଜାଙ୍କ ନାମ ସେ କେବେ ଶୁଣିଛନ୍ତି ବୋଲି ସ୍ମରଣ କରିପାରିଲେ ନାହିଁ ।

 

ପିତାମହ କହିଲେ, ବହୁକାଳପୂର୍ବେ ‘ବ୍ରହ୍ମଦତ୍ତ’ ‘କାମ୍ପିଲ୍ୟ’ ନଗରର ରାଜା ଥିଲେ । ‘ପୂଜନୀ’ ସେ ରାଜାଙ୍କର ଏକ ପୋଷା ପକ୍ଷୀ ଥିଲା ।

 

ଯୁଧିଷ୍ଠିର ପକ୍ଷୀ ଶବ୍ଦ ଶୁଣି ବିସ୍ମିତ ହୋଇ କହିଲେ, ‘ପକ୍ଷୀ’ ! ପିତାମହ କହିଲେ, ତୁମେ ନିଶ୍ଚୟ ଜାଣିଥିବ ଯେ ‘ଜୀଜୀବକ’ ନାମରେ ଏକ ଜାତୀୟ ପକ୍ଷୀ ଅଛି । ତୀର୍ଯ୍ୟକ ଯୋନିରେ ଜନ୍ମ ହେଲେ ମଧ୍ୟ ଅନ୍ୟ ପକ୍ଷୀଠାରୁ ଏହି ଜାତୀୟ ପକ୍ଷୀ ସ୍ୱତନ୍ତ୍ର । ଏମାନଙ୍କର ମେଧା ଓ ବୁଦ୍ଧି ଅତି ପ୍ରଖର ଓ ଅବିକଳ ମନୁଷ୍ୟ ସଦୃଶ କଥା କହିପାରନ୍ତି ଓ ମନୁଷ୍ୟଙ୍କ କଥା ମଧ୍ୟ ବୁଝି ପାରନ୍ତି । ଏକଦା ‘ପୂଜନୀ’ ପକ୍ଷୀ ବିଶ୍ୱାସ ଓ ଅବିଶ୍ୱାସ ପ୍ରସଙ୍ଗରେ ରାଜା ବ୍ରହ୍ମଦତ୍ତଙ୍କର ଜ୍ଞାନଚକ୍ଷୁ ଉନ୍ମେଷ କରି ଦେଇଥିଲା ।

 

କୌତୂହଳୀ ଯୁଧିଷ୍ଠିର ‘କିପରି’ ବୋଲି ପ୍ରଶ୍ନ କରିବାରୁ ପିତାମହ କହିଲେ, ଏକଦା ରାଜା ବ୍ରହ୍ମଦତ୍ତ ଓ ପୂଜନୀର ଏକ ସମୟରେ ସନ୍ତାନ ଭୂମିଷ୍ଠ ହୋଇଥିଲା । ଧାତ୍ରୀ କ୍ରୋଡ଼ରେ ରାଜପୁତ୍ର ଓ ପୂଜନୀ ପକ୍ଷୀର ଶାବକ ଏକତ୍ର ସ୍ନେହ ସହକାରେ ପାଳିତ ହେଉଥିଲେ । ରାଜଗୃହରେ ରାଣୀ ଅନ୍ୟ କାର୍ଯ୍ୟରେ ସଦାସର୍ବଦା ବ୍ୟସ୍ତ ରହୁଥିବାରୁ ରାଜପୁତ୍ରର ଯାବତୀୟ ସେବା ପରିଚର୍ଯ୍ୟା ବିଶ୍ୱସ୍ଥା ଧାତ୍ରୀ ଉପରେ ନ୍ୟସ୍ତ ଥିଲା । ପ୍ରତିଦିନ ପୂଜନୀ ରାଜ ପ୍ରାସାଦରୁ ନିର୍ଗତ ହୋଇ ଦୁଇଟି ପୁଷ୍ଟିକର ସୁସ୍ୱାଦୁ ଫଳ ସଂଗ୍ରହ କରି ଗୋଟିଏ ଫଳ ରାଜପୁତ୍ର ଓ ଅନ୍ୟଟି ନିଜର ଶାବକକୁ ଦେଉଥିଲା ।

 

ଏହିପରି କିଛିଦିନ ଗତ ହେଲାପରେ ଉଭୟଙ୍କ ଶିଶୁ ଦୁଇଟି ହୃଷ୍ଟପୃଷ୍ଟ ହୋଇ ଉଠିଲେ । ଏକଦା ପ୍ରତିଦିନ ଭଳି ପୂଜନୀ ଦୁଇଟି ତାଜା ଫଳ ସଂଗ୍ରହ କରି ଧାତ୍ରୀ ନିକଟକୁ ଯାଇ ଦେଖିଲା ଯେ ନିଜର ଶିଶୁ ଶାବକ ନିଷ୍ପ୍ରାଣ ହୋଇ ଚଟାଣରେ ପଡ଼ିଅଛି ଓ ଧାତ୍ରୀ କ୍ରୋଡ଼ରେ ରାଜପୁତ୍ର ନିଦ୍ରାମଗ୍ନ । ଅନୁସନ୍ଧାନରେ ପୂଜନୀ ଜାଣିପାରିଲା ଯେ ରାଜପୁତ୍ର ଏକାକୀ ଧାତ୍ରୀକ୍ରୋଡ଼ ଦଖଲ ନିମନ୍ତେ ପକ୍ଷୀ ଶାବକ ହତ୍ୟା କରି ଏପରି ନିର୍ମମ କାଣ୍ଡ କରିଅଛି ।

 

ଏହା ଜାଣିପାରି ପୂଜନୀର ମନ ବିଷାକ୍ତ ହୋଇ ଉଠିଲା । ରାଜାଙ୍କ ସହିତ ରାଜପରିବାର ପ୍ରତି ପୂଜନୀର ଯେ ଅଗାଧ ବିଶ୍ୱାସ ଥିଲା ତାହା ଭଙ୍ଗ ହେବାରୁ ପୂଜନୀର ମୋହଗ୍ରସ୍ତ ବୁଦ୍ଧି ବୃତ୍ତି ସଜାଗ ହୋଇ ଉଠିଲା । ମୁହୂର୍ତ୍ତକ ମଧ୍ୟରେ ପୂଜନୀର ରାଜପୁତ୍ର ପ୍ରତି ପୂର୍ବ ସ୍ନେହ ଅନ୍ତର୍ହିତ ହୋଇ ଅନ୍ତରରେ ପ୍ରତିଶୋଧ ଅଗ୍ନି ଜଳି ଉଠିଲା । ପୂଜନୀ ଅନ୍ତର ମଧ୍ୟରୁ ଯେପରି ଶୁଣି ପାରିଲା ରାଜପୁତ୍ର ଯେଉଁ କୁକର୍ମ କରିଛି ତାହାର ଉପଯୁକ୍ତ ଶାସ୍ତି ଏ ଜନ୍ମରେ ହିଁ ତାକୁ ଭୋଗ କରିବାକୁ ହେବ । ନିଜର ଗର୍ଭଜାତ ସନ୍ତାନକୁ ନିହତ ହେବାର ଦେଖି କୌଣସି ପିତାମାତା ସୁସ୍ଥିର ହୋଇ ରହି ପାରନ୍ତି ନାହିଁ । ସୁତରାଂ ନିଦାରୁଣ ରୋଷରେ ପୂଜନୀ ନିଜକୁ ସଂଯତ କରି ନପାରି ଧାତ୍ରୀ ପାର୍ଶ୍ୱରେ ନିଶ୍ଚିତ ଶାୟିତ ରାଜପୁତ୍ର ଉପରେ ବାଜପକ୍ଷୀ ସଦୃଶ ଝାମ୍ପଦେଇ ନିଜ ପାଦର ନଖ ସାହାଯ୍ୟରେ ଚକ୍ଷୁ ଦୁଇଟିକୁ ଖୋଳି ଦେଇ ଚକ୍ଷୁହୀନ କରିଦେଲା ।

 

ଆର୍ତ୍ତନାଦରେ ରାଜପ୍ରାସାଦ ମୁଖରିତ ହେଲା ଯେ ପୂଜନୀ ରାଜପୁତ୍ରକୁ ଅନ୍ଧ କରିଦେଇଛି । ଅସ୍ତବ୍ୟସ୍ତ ରାଜା ବ୍ରହ୍ମଦତ୍ତ ସେଠାକୁ ଆସି ପୂଜନୀର ମୃତ ଶାବକକୁ ଚଟାଣ ଶାୟିତ ଦେଖି ସେ ସମସ୍ତ ଘଟଣା ତତ୍‌କ୍ଷଣାତ୍ ବୁଝି ପାରିଲେ । ଅନ୍ଧପୁତ୍ର ନିମନ୍ତେ ଦୁଃଖ ପାଶୋରି ପୂଜନୀକୁ ଅଳିନ୍ଦର ଏକ ପ୍ରାନ୍ତରେ ଉପବିଷ୍ଟ ଦେଖି ରାଜା ଭାବିଲେ, ସମ୍ଭବତଃ ଭୟରେ ପୂଜନୀ ଅନ୍ତପୁର ଆଶ୍ରୟସ୍ଥଳୀ ତ୍ୟାଗ କରିଅଛି । ପୂଜନୀ ପ୍ରତି ସ୍ନେହାସକ୍ତ ରାଜା ପୁତ୍ରର ଦୁର୍ଦ୍ଦଶା ଭୁଲି ଅଳିନ୍ଦ ପାଖକୁ ଯାଇ କହିଲେ, ପୂଜନୀ ରାଜକୁମାର ଯେଉଁ ଅପରାଧ କରିଅଛି ସେଥିପାଇଁ ଉପଯୁକ୍ତ ଦଣ୍ଡ ତୁମେ ଦେଇଅଛ । ଏଥି ସକାଶେ ତୁମ ପ୍ରତି ମୋର କୌଣସି କ୍ଷୋଭ ନାହିଁ । ତୁମ୍ଭର ମଧ୍ୟ ମୋ ପ୍ରତି କୌଣସି ରାଗ ଦ୍ୱେଶ ରଖିବା ଅନୁଚିତ । କାହିଁକି ତୁମେ ଏହି ପ୍ରାସାଦରୁ ମୋ ସଙ୍ଗ ତ୍ୟାଗ କରିବାକୁ ଉଦ୍ୟତ ହୋଇଅଛ ? ପୂର୍ବରୁ ଯେପରି ଅନ୍ତଃପୁରରେ ବାସ କରୁଥିଲ, ସେହିପରି ସେଠାରେ ବାସ କର ।

 

ପୂଜନୀ କହିଲା, ରାଜନ୍‌ ! ଏହା ଆଉ କେବେହେଁ ସମ୍ଭବ ନୁହେଁ । ଅନ୍ତଃପୁର ତ ଦୂରର କଥା ଆଜିଠାରୁ ଏହାର ତ୍ରିସିମାନାରେ ମୋର ରହିବା ଅନୁଚିତ ।

 

ଏହି କଥା ଶୁଣି ରାଜା କାରଣ ପଚାରିବାରୁ ପୁନଶ୍ଚ ପୂଜନୀ କହିଲା–ରାଜନ୍‌, ‘ବିଶ୍ୱାସ’ ଥରେ ଭଙ୍ଗ ହେଲେ ପୁନର୍ବାର ଆଉ ଯୋଡ଼ି ହୁଏ ନାହିଁ । ଶତ୍ରୁତାର ଅନ୍ତରଙ୍ଗ ବନ୍ଧୁ ‘ଅପକର୍ମ’ । ଯେ କୌଣସି ଭାବରେ ସେହି କର୍ମ ଯଦି କେହି ଥରେ ମାତ୍ର କରିଥାଏ, ତଥାପି କ୍ଷତିଗ୍ରସ୍ତ ଅପରପକ୍ଷ ତାହା କେବେହେଁ ଭୁଲିପାରେ ନାହିଁ । ଏହାଦ୍ୱାରା ସେ ଅପକର୍ମକାରୀକୁ କେବେହେଁ ପୁନର୍ବାର ବିଶ୍ୱାସ କରେ ନାହିଁ । ମିତ୍ରତାର ଅନ୍ତରାଳରେ ଶତ୍ରୁତା ଚରିତାର୍ଥ କରିବାର ସୁଯୋଗ ଅପେକ୍ଷାରେ ରହିଥାଏ । ମୁଁ ଆପଣଙ୍କ ପୁତ୍ରର ଚକ୍ଷୁ ଦୁଇଟି ବିନଷ୍ଟ କରିଅଛି ଓ ସେଥି ନିମନ୍ତେ ଆପଣଙ୍କର ବିଶ୍ୱାସ ମଧ୍ୟ ହରେଇଛି । ରାଜନଙ୍କର କ୍ଷାତ୍ରରକ୍ତ (ଆତ୍ମଜ) ମୋର ସ୍ନେହ ମମତାକୁ ଉପେକ୍ଷା କରି ମୋ ପୁତ୍ରକୁ ନିହତ କରି ମୋର ଆପଣଙ୍କ ପ୍ରତି ବିଶ୍ୱାସ ମଧ୍ୟ ଭଙ୍ଗ କରିଛି । ସୁତରାଂ ବର୍ତ୍ତମାନ ଠାରୁ ଆମ୍ଭେ ପରସ୍ପର ଶତ୍ରୁ । ଅତଏବ ପୂର୍ବପରି ଅନ୍ତଃପୁର ବାସ ମୋ ପକ୍ଷରେ ଆଉ ସମ୍ଭବ ନୁହେଁ-

 

ରାଜନ କହିଲେ, ପୂଜନୀ ! ପୂର୍ବରୁ ମୁଁ କହିସାରିଛି ଅପକର୍ମ ପାଇଁ ତୁମେ ମୋର ପୁତ୍ରକୁ ଯେଉଁ ଶାସ୍ତି ଦେଇଅଛ ସେଥିରେ ମୋର ମନ କିଛିମାତ୍ର ବିରୂପ ହୋଇ ନାହିଁ । ସେଥି ସକାଶେ ତୁମ୍ଭର ମଧ୍ୟ କୌଣସି ବିରୂପ ଭାବ ରହିବା ଅନୁଚିତ । ତୁମ୍ଭେ ନିରପରାଧ । ବରଂ ମୋ ପୁତ୍ରକୁ ଉପଯୁକ୍ତ ଦଣ୍ଡ ଦାନ କରି ମୋତେ ଋଣମୁକ୍ତ କରିଅଛ । ଏହାପରେ ମଧ୍ୟ ବିରୂପ ମନୋଭାବ ନେଇ ଏହି ରାଜପୁରୀ ତ୍ୟାଗ ସଂକଳ୍ପ କାହିଁକି କରୁଅଛ ?

 

ପୂଜନୀ ସବୁ କଥା ଶୁଣିଲା ପରେ କହିଲା, ରାଜନ୍‌ ଆପଣଙ୍କ ବଚନ ସାଧାରଣ ସୁଚତୁର ମନୁଷ୍ୟର ଆପ୍ତ ବଚନ ସଦୃଶ ପ୍ରତୀୟମାନ ହେଉଅଛି । ଏହି ଜଗତରେ କେତେ ମିତ୍ର ଯେ ଶତ୍ରୁ ଭାବରେ ପରିଣତ ହେଉଛନ୍ତି ତାହାର ଇୟତା ନାହିଁ । ସେହି ଶତ୍ରୁତାର ଅବସାନ ଯେ କେବଳ ପ୍ରାଣ ବିନାଶରେ ସମ୍ଭବ ତା ଆପଣଙ୍କର ଅବିଦିତ ନୁହେଁ । ଆଜି ଯେ ମିତ୍ର କାଲି ସେ ଶତ୍ରୁ-। କେଉଁ କାରଣରୁ ମନୁଷ୍ୟ ମନୁଷ୍ୟର ଶତ୍ରୁ ହୋଇଥାଏ ଆପଣ ତାହା କହି ପାରିବେ କି ?

 

ପୂଜନୀ ଠାରୁ ରାଜା ଉତ୍ତର ଶୁଣିବା ଆଶାରେ ଚୁପ୍‌ହୋଇ ରହିଲାରୁ ପୂଜନୀ କହିଲା ନୀତିଜ୍ଞ ମନୀଷୀଗଣ କହିଛନ୍ତି–

 

‘‘ବୈରଂ ପଞ୍ଚ ସମୁଥାନଂ ଚଚ୍ଚ ବୁଧ୍ୟନ୍ତି ପଣ୍ଡିତାଃ

ସ୍ତ୍ରୀ କୃତଂ, ବାସ୍ତୁଜଂ ବାଗ୍‌ଜଂ, ସସାପତ୍ନ ପରାଧତମ୍‌ ।’’

 

ଅର୍ଥାତ୍‌ ଶତ୍ରୁତାର ପାଞ୍ଚଗୋଟି ମୂଳକାରଣ ହେଉଛି ସ୍ତ୍ରୀ, ବାସ୍ତୁ ବା ଜମି, ରୂଢ଼ବାକ୍ୟ, ଜାତିଗତ ଦ୍ୱେଷ ଓ କୌଣସି ଅପରାଧମୂଳକ କର୍ମ ସାଧନ । ପ୍ରତିଶୋଧ ପ୍ରବୃତ୍ତି ଚରିତାର୍ଥ ହିଁ ଶତ୍ରୁତାର ଧର୍ମ । ଯେତେ ପର୍ଯ୍ୟନ୍ତ ଏହି ଆସ୍ପୃହା ଅବସାନ ହୋଇ ନଥାଏ ସେତେପର୍ଯ୍ୟନ୍ତ ମନ ଶାନ୍ତ ବା ଚିତ୍ତ ସ୍ଥିର ହୋଇ ନଥାଏ ।

 

ରାଜା କହିଲେ, ଏହା ତୁମେ କିପରି ବୁଝିପାରୁ ନାହଁ ଯେ ତୁମ୍ଭର କୃତ ଅପରାଧ ନିମନ୍ତେ ମୋ ମନରେ ତୁମ୍ଭ ପ୍ରତି ଲେଶମାତ୍ର ଶତ୍ରୁତା ନାହିଁ ।

 

ପୂଜନୀ କହିଲା, ରାଜନ୍‌ ! ଆପଣ କେଭେଁ ନିଶ୍ଚିତ ଭାବରେ କହି ପାରିବେ କି ଆପଣଙ୍କର ଏହି ମାନସିକତା ଆମୃତ୍ୟୁ ଅତୁଟ ରହିବ ? ଜାଗତିକ ନିୟମରେ ଏହା କେବେହେଁ ସମ୍ଭବ ନୁହେଁ । ଅନ୍ଧପୁତ୍ର ପାଇଁ ଏକ ମନୋବ୍ୟଥା ଅଜ୍ଞାତରେ ଆପଣଙ୍କୁ ବ୍ୟଥାତୁର କରିବା ସଙ୍ଗେ ସଙ୍ଗେ ସେହି ବ୍ୟଥା ନିଜେ ଶାନ୍ତ ହେବା ନିମିତ୍ତ ଦିନେ ନା ଦିନେ ଲୋଲୁପ ହୋଇ ଉଠିବ । ଯେପରି ମୁଁ ମୋର ଶାବକର ନିଷ୍ଠୁର ଅପମୃତ୍ୟୁ ସ୍ମୃତି କେବେହେଁ ଭୁଲି ପାରିବି କି ? ମୁଁ ପ୍ରତିଶୋଧ ନେଇଛି ସତ କିନ୍ତୁ ତଥାପି ନିଜର ମନକୁ ପୂର୍ବପରି ପ୍ରଶାନ୍ତ ରଖି ପାରିବି କି ? ଏହା କେବେହେଁ ସମ୍ଭବ ନୁହେଁ । କୌଣସି କାରଣରୁ ଅବିଶ୍ୱାସର ବୀଜ ଥରେ ଉପ୍ତ ହେଲେ ଏହା ନିର୍ମୂଳ କରିବା ଦୁଃସାଧ୍ୟ । ଏହାପରେ ଯଦି କେହି ମିତ୍ରତାକୁ ଯୋଡ଼ିବାକୁ ଚାହେଁ ତାହେଲେ ସେ ମୂର୍ଖ । କାରଣ ମିତ୍ରତା ଆବରଣରେ ଶତ୍ରୁତା ଫଲ୍‌ଗୁଧାରା ସଦୃଶ ପ୍ରବାହିତ ହେବ । ରାଜନ୍‌, ଉଦାରତା ପ୍ରଦର୍ଶନ କରି ଆପଣ ହୁଏତ ମୋତେ କ୍ଷମା କରିବେ, କିନ୍ତୁ ଆପଣଙ୍କର ପରିଜନବର୍ଗ ଆତ୍ମୀୟ ସ୍ୱଜନ ଓ ବଂଶ ପରମ୍ପରା ଏହା କେବେହେଁ ବିସ୍ମୃତ ହୋଇ ପାରିବେ ନାହିଁ । ଅନ୍ତର ମଧ୍ୟରେ ସେମାନେ ପ୍ରତିଶୋଧ ନେବାର ସୁଯୋଗ ସନ୍ଧାନରେ ରହିବେ । ପୂର୍ବ ମିତ୍ରତାର ଦ୍ୱାହି ଦେଇ ଶତ୍ରୁ ଯଦି ମିତ୍ର ସାନ୍ନିଧ୍ୟରେ ଥାଏ ତାହେଲେ ମିତ୍ର ନିଶ୍ଚିତ ଭାବରେ ସୁଯୋଗ ସଦ୍‌ବ୍ୟବହର କରିଥାଏ, ଏହାହିଁ ସାଧାରଣ ନିୟମ ।

 

ପୁନଶ୍ଚ ପୂଜନୀ କହିଲା, ନୀତିବିଦ୍‌ଗଣ କହିଛନ୍ତି, ଯେ କୌଣସି କାରଣରୁ ଶତ୍ରୁତା ଥରେ ଗଢ଼ି ଉଠିଲେ, ସେହି ସ୍ଥାନ ତ୍ୟାଗ କରିବା ବିଧେୟ । ମିତ୍ର ମଧୁର ବାକ୍ୟକୁ ଫାନ୍ଦ ବୋଲି ଧାରଣା କରିବା ଉଚିତ । କାରଣ ସୁଚତୁର ଶତ୍ରୁ କଦାପି ପ୍ରକାଶ୍ୟରେ ଶତ୍ରୁତା କରେ ନାହିଁ । ଯେପରି ହସ୍ତିନୀର ମଦ ଗନ୍ଧରେ ମତ୍ତହସ୍ତୀ ସବୁ ଭୁଲି ଶିକାରୀ ହସ୍ତରେ ଧରା ଦେଇଥାଏ–ବୁଦ୍ଧିମାନ ଶତ୍ରୁ ସେହିପରି ପ୍ରତିପକ୍ଷ ଉପରେ ସୁଯୋଗର ଅପେକ୍ଷାରେ ରହି ଶତ୍ରୁତାର ସ୍ୱାଦ ମେଣ୍ଟାଇ ଥାଏ ।

 

ପଣ୍ଡିତଗଣଙ୍କ ବଚନ ଆନୁସାରେ କାହାର ପ୍ରତି ଅପରାଧ ମୂଳକ କର୍ମ ଯଦି କେହି କରିଥାଏ ତାହେଲେ ଅବିଳମ୍ବେ ସେହି ସ୍ଥାନ ତ୍ୟାଗ କରିବା ଉଚିତ । ଯଦିଓ ଆଶ୍ରୟଦାତା ମଧୁର ବଚନରେ ଆପ୍ୟାୟିତ କରି ସାଧୁତା ପ୍ରଦର୍ଶନ କରନ୍ତି, ତଥାପି ସେହି ଆଶ୍ରୟ ସର୍ବଦା ବର୍ଜ୍ଜନୀୟ । ଅତଏବ ରାଜନ୍‌ଙ୍କ ଉଦାରତା ସତ୍ତ୍ୱେ ଓ ମୋର ଏଠାରେ ରହିବା ସମୀଚୀନ ନୁହେଁ ।

 

ରାଜା କହିଲେ, ପୂଜନୀ ! ତୁମ୍ଭ ଯୁକ୍ତି ଅଯୌକ୍ତିକ ନୁହେଁ । ଲୋକନୀତିରେ ଏହା ବାସ୍ତବ ହେଲେହେଁ ଏହାର ମଧ୍ୟ ବ୍ୟତିକ୍ରମ ରହିଛି । ଏହା ନହେଲେ କିପରି ଏକ କୁକୁର ହିଂସ୍ର, ପ୍ରାଣୀ ଘାତକ, ଚଣ୍ଡାଳ ପ୍ରତି ଅଗାଧ ବିଶ୍ୱାସ ଓ ଅପରୀସୀମ ମମତା ନେଇ ସର୍ବଦା ଚଣ୍ଡାଳ ପ୍ରଭୁର ସଙ୍ଗ ହୋଇ ରହିଥାଏ ? କୁକୁର କଣ ବୁଝି ପାରେ ନାହିଁ ଯେ ନିଷ୍ଠୁର ଭାବରେ ପ୍ରାଣୀହତ୍ୟା ଯାହାର ଜୀବିକା ସେଠାରେ ଯେକୌଣସି ମୁହୂର୍ତ୍ତରେ ତାର ପ୍ରାଣ ବିନଷ୍ଟ ହୋଇପାରେ ? ଏହିପରି କ୍ଷେତ୍ରରେ କୁକୁରର ନିରାପତ୍ତା ଅଛି କି ? ତଥାପି କୁକୁର ଚଣ୍ଡାଳ ଗୃହରେ ରହିଥାଏ । ପ୍ରକୃତରେ ଦୁଇଜଣଙ୍କ ମଧ୍ୟରେ ପାରସ୍ପରିକ ଶତ୍ରୁତା କୌଣସି କାରଣରେ ଯେତେ ପରିମାଣରେ ଥିଲେ ମଧ୍ୟ ଏକତ୍ର ସହବସ୍ଥାନ ଫଳରେ ତାହା କ୍ରମଶଃ ଲୋପ ହୋଇ କାଳକ୍ରମେ ସୌହାର୍ଦ୍ଦ୍ୟ ସୃଷ୍ଟି ହୋଇଥାଏ-। ଯେପରି ପଦ୍ମପତ୍ର ଉପରେ ଜଳ ରହିପାରେ ନାହିଁ, ସେହିପରି ଯେଉଁଠାରେ ସୌହାର୍ଦ୍ଦ୍ୟ ବଳବାନ ସେଠାରେ ଶତ୍ରୁତା କଦାପି ତିଷ୍ଠିପାରେ ନାହିଁ ।

 

ପୂଜନୀ କହିଲା, ରାଜନ୍ ! ଆପଣଙ୍କ ଯୁକ୍ତି ତ୍ରୁଟିପୂର୍ଣ୍ଣ । ପରସ୍ପର ମଧ୍ୟରେ ଶତ୍ରୁତା ସୃଷ୍ଟି ହେବାର କାରଣ ଆଗରୁ ମୁଁ କହି ସାରିଛି । କୁକୁର ବ୍ୟତୀତ ପ୍ରାଣୀ ବିଶେଷ ମନୁଷ୍ୟର ଶତ୍ରୁତାର କାରଣ ବୁଦ୍ଧିଜନଙ୍କ ମତରେ ସ୍ତ୍ରୀ, ଜମି, କର୍କଶ ବାକ୍ୟ, ଜାତିଗତ ବିଦ୍ୱେଷ ଓ ଅପରାଧମୂଳକ କର୍ମ । କିନ୍ତୁ କୁକୁର ନିଜର ଆନୁଗତ୍ୟ ପ୍ରକାଶ କରିଥାଏ । ସୁତରାଂ ଯେତେକ୍ଷଣ ପର୍ଯ୍ୟନ୍ତ ଚଣ୍ଡାଳ କୁକୁରର ସେହି ଅଭାବ ପୂରଣ କରିଥାଏ ସେତେକ୍ଷଣ ପ୍ରହାର ସତ୍ତ୍ୱେ ଓ କୁକୁର ନିର୍ବିକାରରେ ସହ୍ୟ କରି ରହିଥାଏ । କିନ୍ତୁ ଏହି ଯୁକ୍ତିରେ ଶତ୍ରୁତା ନିରାସନ ଚେଷ୍ଟା ବୃଥା । ବିଦ୍ୱାନମାନେ କହିଛନ୍ତି–

 

‘‘ଏକାନ୍ତତୋ ନ ବିଶ୍ୱାସଃ କାର୍ଯ୍ୟା ବିଶ୍ୱାସ ଘାତକୈଃ ।’’

 

ଅର୍ଥାତ୍‌ ବିଶ୍ୱାସ ଘାତକକୁ କେବେହିଁ ବିଶ୍ୱାସ କରିବା ଉଚିତ ନୁହେଁ ଯେପରି ଜ୍ୱଳନ୍ତ କାଷ୍ଠ ମଧ୍ୟରେ ଅଗ୍ନି ପ୍ରଚ୍ଛନ୍ନ ଭାବରେ ରହିଥାଏ ସେହିପରି ବାହ୍ୟିକ ସୌହାର୍ଦ୍ଦ୍ୟ ପ୍ରଦର୍ଶନ କଲେ ମଧ୍ୟ ଶତ୍ରୁତା ଅନ୍ତର ମଧ୍ୟରେ ପ୍ରଚ୍ଛନ୍ନ ଭାବରେ ଥାଏ । ବାଡ଼ବାଜଳ ଯେପରି ସମୁଦ୍ରର ଅଗାଧ ଜଳରାଶିରେ ଶାନ୍ତ ହୋଇ ନଥାଏ, ସେହିପରି କ୍ରୋଧାଗ୍ନି କେବେହେଁ ପ୍ରଶମିତ ହୋଇ ନଥାଏ । ଧନ ବା ମଧୁର ବାକ୍ୟ ବା ଶାସ୍ତ୍ରଜ୍ଞାନ କ୍ରୋଧାଗ୍ନିକୁ ପ୍ରଶମିତ କରିପାରେ ନାହିଁ । ଶତ୍ରୁତା ଅପର ପକ୍ଷକୁ ବିନାଶ ନକରି କ୍ଷାନ୍ତ ହୁଏ ନାହିଁ ।

 

ବ୍ରହ୍ମଦତ୍ତ କହିଲେ, ପୂଜନୀ ! ତୁମ୍ଭ ବଚନ ଅଯୌକ୍ତିକ ନୁହେଁ । ତଥାପି ମୁଁ ସବୁକିଛି ବିଚାର କରି ସଂପ୍ରୀତି ଅକ୍ଷୁର୍ଣ୍ଣ କରିବା ନିମନ୍ତେ ରାଜ ଅନ୍ତଃପୁରରେ ବାସ କରିବା ନିମନ୍ତେ ବାରମ୍ବାର ଅନୁରୋଧ କରୁଅଛି ।

 

ପୂଜନୀ ପଚାରିଲା, ରାଜନ୍‌, ଆପଣ ସବୁକିଛି ସୂଚାରୁ ଭାବରେ ଚିନ୍ତା କରି ଅଛନ୍ତି କି ?

 

ରାଜନ୍‌ କହିଲେ, ପୂଜନୀ ! ଆମ୍ଭେ ଦୁହେଁ ଏତେକାଳ ଏକତ୍ର ବାସ କରିଛେ, ଏପରି ଏକ ଘଟଣା ଅପ୍ରତ୍ୟାଶିତ ଭାବରେ ଘଟିଅଛି । ତୁମ୍ଭର ଅପରିସୀମ ସ୍ନେହ ସତ୍ତ୍ୱେ ଓ ରାଜକୁମାର ତୁନ୍ଧର ଶାବକକୁ ବିନାଶ କରିଛି । ଏହି ସମସ୍ତ ନିୟତିର ଅବଧାରିତ କର୍ମ । ସବୁ ଘଟଣାର ମୂଳ କାରଣ ‘କାଳ’ ଅଟେ । ଏହି ଜୀବ ଜଗତରେ ସମସ୍ତ ଘଟଣାର ନିୟନ୍ତା ‘କାଳ’ । ତୁମେ ଓ ମୁଁ ନିମିତ୍ତ ମାତ୍ର । ଆମେ କେହି ଅପରାଧୀ ନୋହୁଁ । ଏହାହିଁ ମୋର ଧାରଣା । କାଳ ବା ଦୈବକୁ ସ୍ୱୀକାର କରି ମୁଁ ମୋ ମନକୁ ଶାନ୍ତ କରିଛି । ତୁମ୍ଭ ସହିତ ପ୍ରୀତି ମଧୁର ସମ୍ପର୍କ ବିଚ୍ଛେଦ କରିବାକୁ ମୁଁ ଚାହେଁ ନାହିଁ ।

 

ପିତାମହଙ୍କ କାହାଣୀ ଅନ୍ତରାଳରେ ଉପଦେଶାତ୍ମକ ବଚନ ପୁଣି ଧର୍ମରାଜ ଉତ୍କଣ୍ଠିତ ହୋଇ କହିଲେ–ପିତାମହ ! ରାଜା ‘ବ୍ରହ୍ମଦତ୍ତ’ ଯାହା କହିଛନ୍ତି ତାହା ବାସ୍ତବ ସତ୍ୟ । ସମସ୍ତ କାଳର ଅଧୀନ, କିନ୍ତୁ କାଳ କାହାରି ଅଧୀନ ନୁହେଁ । ଦୈବକୁ ଅସ୍ୱୀକାର କରିବା ସାଧ୍ୟ କାହାରି ନାହିଁ । କାଳ ପ୍ରବାହରେ ପ୍ରୀତି ଓ ଅପ୍ରୀତିକର ଘଟଣାମାନ ଏକ ପରେ ଏକ ସଂଘଟିତ ହୋଇଥାଏ । କାଳ ପ୍ରବାହରେ ମୋହଗ୍ରସ୍ଥ ହୋଇ ଅପ୍ରୀତିକର ଘଟଣା ନିମନ୍ତେ ଜଣେ ଅନ୍ୟ ଜଣକୁ ଦୋଷାରୋପ କରି ପ୍ରତିଶୋଧ ନେବା ନିମନ୍ତେ ଉଦତ୍ୟ ହୋଇଥାଏ ।

 

ପିତାମହ ଯୁଧିଷ୍ଠିରଙ୍କର ଏତାଦୃଶ ବଚନ ଶୁଣି କହିଲେ, ଧର୍ମରାଜ, ବ୍ରହ୍ମଦତ୍ତଙ୍କର ଏହି ଯୁକ୍ତି ଖଣ୍ଡନ କରି ପୂଜନୀ ଯାହା କହିଲା ତାହା ମନଦେଇ ଶ୍ରବଣ କର ।

 

ପିତାମହ କହିଲେ–ପୂଜନୀ କହିଲା, ରାଜନ୍‌ ! ଯଦି କାଳକୁ ଯାବତୀୟ କର୍ମର କାରଣ ବୋଲି ମନେକରନ୍ତି, ତାହେଲେ କାହାରି ସହିତ କାହାରି ଶତ୍ରୁତା ନହେବା ହିଁ ବାଞ୍ଛନୀୟ । କିନ୍ତୁ ବନ୍ଧୁବାନ୍ଧବ କୌଣସି କାରଣରୁ ନିହତ ହେଲେ, ସେମାନଙ୍କ ପରିଜନବର୍ଗ ପ୍ରତିଶୋଧ ନେବାକୁ କାହିଁକି ଉଦ୍ୟତ ହୁଅନ୍ତି ? ଯଦି ଉନ୍ନତି, ଅବନତି, ସୁଖ ଦୁଃଖ ଏବଂ ମୃତ୍ୟୁ ମଧ୍ୟ କାଳର ଅଧୀନ ତାହେଲେ ପୁରାକାଳରେ ଅସୁର ଓ ଦେବତାଙ୍କ ମଧ୍ୟରେ ବାରମ୍ବାର ଯୁଦ୍ଧ କରି ପରସ୍ପରକୁ ନିହତ କାହିଁକି କରିଥିଲେ ? ଯଦି କାଳ ହିଁ ସବୁ କିଛିର ନିୟାମକ ତାହେଲେ ମନୁଷ୍ୟ ରୋଗାଗ୍ରସ୍ତ ହୋଇ ବୈଦ୍ୟର ଶରାଣାପନ୍ନ କାହିଁକି ହୋଇଥାଏ ? ବୈଦ୍ୟ ମଧ୍ୟ ସଠିକ୍‌ ଔଷଧ ନିର୍ବାଚନ କରିବା ନିମନ୍ତେ ଚିନ୍ତା କାହିଁକି କରିଥାନ୍ତି ?

 

ପୁନଶ୍ଚ ଯଦି ସବୁକିଛି କାଳର ଅଧୀନ ତା’ହେଲେ ମନୁଷ୍ୟ ଶୋକାଗ୍ରସ୍ତ ହୋଇ ବିଳାପ ଓ ହାହାକାର କାହିଁକି କରେ ? ମନୁଷ୍ୟ କର୍ମ ଉପରେ ନାନାବିଧି ଶାସ୍ତ୍ରୀୟ ବିଧି ନିଷେଧ ଆରୋପିତ କାହିଁକି କରାଯାଇଛି ?

 

ଜ୍ଞାନୀମାନେ କହିଛନ୍ତି, ଜନ୍ମ ଯେପରି ଅସହ୍ୟ ଯନ୍ତ୍ରଣାଦାୟକ ମରଣ ମଧ୍ୟ ସହିପରି ଅସହ୍ୟ । ଜନ୍ମ ହିଁ ବନ୍ଧନ । ବଧ ଯୁପକାଷ୍ଠାରେ ଆବଦ୍ଧ ହେବା ହିଁ ବନ୍ଧନ । ମୋକ୍ଷକାମୀଗଣ ଜନ୍ମ ଓ ମୃତ୍ୟୁଠାରୁ ମୁକ୍ତହେବା ନିମନ୍ତେ ସାଧନା କରିଥାନ୍ତି । କିନ୍ତୁ ସାଧାରଣ ସଂସାରୀ ମନୁଷ୍ୟ ମୃତ୍ୟୁ ଓ ବନ୍ଧନକୁ ଭୟ କରିଥାନ୍ତି । ମୋର ପୁତ୍ର ଶୋକ ବିନିମୟରେ ରାଜନ୍‌ଙ୍କ ପୁତ୍ର ଉପରେ ମୁଁ ଯେଉଁ ନିଦାରୁଣ ପ୍ରତିଶୋଧ ନେଇଛି, ଆପଣ ସେହି ଶୋକ, ଦୁଃଖ ଯେତେ ଭୁଲିବାର ଚେଷ୍ଟା କଲେ ମଧ୍ୟ ସ୍ୱାଭାବିକ ନିୟମରେ ତାହା କେବେହେଁ ସମ୍ଭବ ନୁହେଁ । ମୁଁ ମଧ୍ୟ ସେହିପରି ମୋର ନିଃଅପରାଧ ଶାବକ ନିହତ ହେବାର କଥା କେବେହେଁ ଭୁଲି ପାରିବି ନାହିଁ । ବିଶ୍ୱାସ ପ୍ରତିଦାନରେ ଯେଉଁ ଦୁଃଖ ମୁଁ ଲାଭ କରିଛି, ରାଜନ୍‌ ମଧ୍ୟ ସେହିପ୍ରକାର ଦୁଃଖ ଅନୁଭବ କରୁ ନାହାନ୍ତି କି ଭବିଷ୍ୟତରେ ଏପରି ଦୁଃଖ ଅନୁଭବ କରିବେ ନାହିଁ, ଏହା ନିଶ୍ଚିତ ଭାବରେ କେବେହେଁ କହିହେବ ନାହିଁ । ଏହା କହିପାରନ୍ତି ଯେଉଁମାନେ ସଂସାର ବିରାଗୀ ମହାପୁରୁଷ ସେମାନଙ୍କ ପକ୍ଷରେ ସୁଖ ଦୁଃଖ ସବୁ ସମାନ ହୋଇଥାଏ । ରାଜନ୍‌ କୁହନ୍ତୁ ଆପଣ କଣ ସୁଖାଭିଳାଷୀ ନୁହନ୍ତି ? ଆପଣଙ୍କ ପ୍ରାଣ ଆପଣଙ୍କ ନିକଟରେ ପ୍ରିୟ ନୁହେଁ । ଆପଣଙ୍କ ପୁତ୍ର ଆପଣଙ୍କ ପ୍ରାଣାଧିକ ପ୍ରିୟ ନୁହେଁ ?

 

ମନୁଷ୍ୟ ପ୍ରିୟବସ୍ତୁ ଲାଭ କରି ସୁଖ ଉପରେ ଅଧିକ ସୁଖ ସନ୍ଧାନ କରିଥାଏ । ସେହି ସୁଖ ସନ୍ଧାନ ପଥରେ ବାଧା ଆସିଲେ ସେ ସେହି ଅନ୍ତରାୟକୁ ଅପସାରଣ କରିବା ନିମନ୍ତେ ଉଦ୍ୟୋଗ କରି ନଥାଏ କି ?

 

ମୁଁ ମନୁଷ୍ୟ ନୁହେଁ, ମୁଁ ଏକ ସାଧାରଣ ପକ୍ଷୀ । ମୋ ସହିତ ରାଜନଙ୍କ କେଉଁ ପ୍ରକାର ପ୍ରୀତି ଓ ସମ୍ପର୍କ ରହିପାରେ । ପ୍ରକୃତରେ ଦେଖିବାକୁ ଗଲେ ଆପଣ ଖାଦକ ଓ ମୁଁ ଖାଦ୍ୟ । ଏହା କିପରି ମୁଁ ବିଶ୍ୱାସ କରିବି ?

 

ରାଜନ୍‌ କହିଲେ, ପୂଜନୀ ! ତୁମ୍ଭେ ଏହା କ’ଣ କହୁଛ ? ମୋର ସେହି ଅଭିପ୍ରାୟ ଥିଲେ ବହୁପୂର୍ବରୁ ମୁଁ ତାହା ପୂରଣ କରି ପାରି ଥା’ନ୍ତି ।

 

ପୂଜନୀ ଉତ୍ତରରେ କହିଲା, ରାଜନ୍‌ ! ହୁଏତ ଆପଣ ସେତେବେଳେ ସେହି କଥା ଭାବି ପାରି ନଥିଲେ, କିନ୍ତୁ ଏହି ବ୍ୟାବହାରିକ ଜଗତରେ ବର୍ତ୍ତମାନ ଯେ ସେପରି ଚିନ୍ତା କରିବେ ନାହିଁ, ଏ କଥା ଆପଣ ନିଶ୍ଚିତ ଭାବରେ କହି ପାରିବେ କି ? ନୀତିଶାସ୍ତ୍ରର ସାରକଥା ହେଲା ‘‘ନିଶ୍ୱାସ ଶ୍ଚା ସୁଖୋଦୟଃ ।’’ ଅର୍ଥାତ୍‍ ବିଶ୍ୱାସ କେବେହେଁ ମନୁଷ୍ୟକୁ ଅଭିଳଷିତ ସୁଖ ଦେଇ ନଥାଏ । ଏହା ଦୁଃଖ ହିଁ ଦେଇଥାଏ । ସେଥିପାଇଁ ଦୈତ୍ୟରାଜ ପ୍ରହ୍ଲାଦଙ୍କୁ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ପୂର୍ବରୁ ସତର୍କ କରାଇ କହିଥିଲେ–

 

‘‘ଯେ ବୈରିଣଃ ଶ୍ରଦ୍ଧଧତେ ମତ୍ୟେ ସତ୍ୟେତିରେହପିବା

ବଧ୍ୟନ୍ତେ ଶ୍ରଦ୍ଧଧାନାସ୍ତୁ ମଧୁ ଶୁଷ୍କ ତୃଣୈ ଯଥା ।’’

 

ଅର୍ଥାତ୍‌ ଗର୍ତ୍ତ ମଧ୍ୟରେ ଶୁଷ୍କ ଘାସ ଅନ୍ତରାଳରେ ମଧୁ ଢଙ୍କା ହୋଇ ରହିଥିବା ଅବସ୍ଥାରେ କେହି ମଧୂ ଅଭିଳାଷୀ ଯଦି ଗର୍ତ୍ତ ମଧ୍ୟରେ ପ୍ରବେଶ କରାଏ ତାହେଲେ ତାର ମୃତ୍ୟୁ ସୁନିଶ୍ଚିତ । ରାଜନ୍‌ ଶତ୍ରୁତା ପରିବେଶ ଥରେ ସୃଷ୍ଟି ହେଲେ ସେଠାର ପ୍ରୀତି ପରିବେଶ କେଉଁ ସୃଷ୍ଟି ହୋଇପାରେ ନାହିଁ । ଯଦିବା ସୃଷ୍ଟି ହୁଏ ତାହା ମୂର୍ତ୍ତିକା ପାତ୍ର ସଦୃଶ ହୋଇଥାଏ । ଯାହା ଥରେ ଭଗ୍ନ ହେଲେ ଆଉ ସଂଯୋଗ କରାଯାଇ ପାରେନା । ଗୁରୁ ଶୁକ୍ରାଚାର୍ଯ୍ୟ ପୁନଶ୍ଚ କହିଥିଲେ, ‘‘ନ ହି ବୈରାଣି ଶ୍ୟାମନ୍ତି କୁଳେ ଦୁଃଖ ଗତାନିଚ । ଅଖ୍ୟାତାରଶ୍ଚ ବିଦ୍ୟନ୍ତେ କୁଳେ ବୈଧ୍ରୀୟତେ ପୁମାନ-।’’ ଯଦି କୌଣସି ବଂଶରେ ଦୁଃଖଦାୟକ ଶତ୍ରୁତା ଥରେ ଉଦ୍‌ଭବ ହୁଏ, ତାହା ସହଜରେ କ୍ଷାନ୍ତ ହୋଇ ନଥାଏ । ସେହି ଶତ୍ରୁତାକୁ ନାନା ଆଖ୍ୟାନରେ ପଲ୍ଲବିତ କରିବା ନିମନ୍ତେ ଅନେକ ଲୋକ ସେହି ବଂଶରେ ରହିଥାନ୍ତି-ଯେତେ ପର୍ଯ୍ୟନ୍ତ ଜଣେ ମାତ୍ର ବଂଶୋଭବ ସେହି ବଂଶରେ ଜୀବିତ ରହିଥାନ୍ତି, ସେତେଦିନ ପର୍ଯ୍ୟନ୍ତ ଶତ୍ରୁତା ଜୀବିତ ରହିଥାଏ । ବ୍ୟାବହାରିକ ଏହି ଲୋକ ଚରିତ୍ରକୁ ଅସ୍ୱୀକାର କରି ରାଜନଙ୍କ ସହିତ ମୋର ଏକତ୍ର ସହାବସ୍ଥାନ ଉଚିତ ହେବ କି ? ଆପଣ ଯେତେ ଆଶ୍ୱାସନା ଦେଲେ ମଧ୍ୟ ନୀତିଜ୍ଞାନରେ ମୁଁ ଜାଣିଛି ଯେ ଯଦି ସଂସାରରେ କୌଣସି ଅବାଞ୍ଛିତ କର୍ମ ସଗଂଠିତ ହୁଏ, କେବେହେଁ ବିଶ୍ୱାସ ଉପରେ ଆସ୍ଥା ରଖି ସେହି ସ୍ଥାନରେ ରହିବା ଉଚିତ ନୁହେଁ ।

 

ରାଜା କହିଲେ, ପୂଜନୀ ! ଯଦି ଏ ଜଗତରେ କାହାକୁ ବିଶ୍ୱାସ କରି ହେବ ନାହିଁ, ତାହେଲେ ବିଶ୍ୱାସ ବ୍ୟତୀତ ମନୁଷ୍ୟ ଅଭିଷ୍ଟ ବସ୍ତୁ ଲାଭ କିପରି କରିବ ? ବିଶ୍ୱାସ ନ ରହିଲେ ମନୁଷ୍ୟ କୌଣସି କର୍ମରେ ଉଦ୍ୟୋଗୀ ହୋଇ ପାରିବ ନାହିଁ । ଯଦି ମନୁଷ୍ୟ ସର୍ବଦା ସଂଶୟ ମଧ୍ୟରେ ଗତି କରିବ ତାହେଲେ ମନୁଷ୍ୟ ଜୀବିତ ହୋଇ ମଧ୍ୟ ମୃତ ସଦୃଶ ହେବ ନାହିଁ କି ?

 

ଉତ୍ତରରେ ପୂଜନୀ କହିଲା–ବିଶ୍ୱାସ ଓ ଅବିଶ୍ୱାସର କୌଣସି ପ୍ରଶ୍ନ ଏହି ଜାଗତିକ ନିୟମରେ ଉଠେ ନାହିଁ । କାରଣ ଏହି ଜଗତରେ କୌଣସି ମନୁଷ୍ୟ ନିଷ୍କ୍ରିୟ ହୋଇ ରହିପାରିବ ନାହିଁ । କାଳ, ଦୈବ, ସ୍ୱଭାବ ସବୁକିଛି ଥିବା ସତ୍ତ୍ୱେ ମନୁଷ୍ୟ ନିଜର ହିତ ଓ ଅଭ୍ୟୁଦୟ ନିମନ୍ତେ କର୍ମ କରିଯିବା ଉଚିତ । କେଉଁ କର୍ମ ନିଜର ହିତକର ଓ କେଉଁ କର୍ମ ଅହିତକର ଏହା ନବୁଝି ଯଦି ମନୁଷ୍ୟ କର୍ମ କରେ ତାହେଲେ ଅବଶ୍ୟ ଅନର୍ଥ ଭୋଗ କରିବାକୁ ହୋଇଥାଏ ।

 

ପୁରୁଷର ପୁରୁଷାର୍ଥ ହିତ ଓ ଅଭ୍ୟୁଦୟର ଅନ୍ୟତକ କାରଣ । ଯେଉଁମାନେ ନଂପୁଷକ ସେମାନେ କେବଳ ଦୈବ ଉପରେ ନିର୍ଭରଶୀଳ ହୋଇଥାନ୍ତି । ପ୍ରକୃତରେ ପୁରୁଷ ପୁରୁଷାକାର ଓ ଦୈବ ଆପେକ୍ଷିତ । ଏକ ଅପରକୁ ଆଶ୍ରୟ କରିଥାଏ । କୃଷକ ଯଥାସମୟରେ ଚାଷ କରି ଫସଲ ଉତ୍ପାଦନ ଉପରେ ନିର୍ଭରଶୀଳ ହୋଇଥାଏ । କିନ୍ତୁ ଫସଲ ବର୍ଷା ଉପରେ ନିର୍ଭାଶୀଳ । ଯଦି ବର୍ଷା ବିଳମ୍ବରେ ହୁଏ ଓ ଚାଷୀ ଏହାକୁ ଅଗ୍ରାହ୍ୟ କରି ଚାଷ କରି ବୀଜବପନ କରେ ସେହି କାଣ୍ଡଜ୍ଞାନହୀନତା ଯୋଗୁଁ ଯେପରି ଚାଷୀର ଶ୍ରମ ବିଫଳ ହୁଏ ସେହିପରି ଫସଲ ବିନା ଚାଷୀ ବୁଭୁକ୍ଷୁର ଶିକାର ହୋଇଥାଏ ।

 

ରାଜନ୍‌ଙ୍କ ଜାଣିବା ଉଚିତ ଯେ ଏହି ଜଗତରେ କେହି କାହାର ମିତ୍ର ନୁହେଁ ବା ମିତ୍ର ହୋଇ ସର୍ବଦା ରହିପାରେ ନାହିଁ । ଲୋକ ସମାଜରେ ଯେଉଁ ବନ୍ଧୂତ୍ୱ ବା ସୌହାର୍ଦ୍ଦ ଦେଖାଯାଏ ସେହିସବୁ କୃତ୍ରିମ, ଆପାତଃ ଓ ଆପେକ୍ଷିକ । ଯେଉଁ ବ୍ୟକ୍ତି ଆପେକ୍ଷିକ ମିତ୍ରତାକୁ ବିଶ୍ୱାସ କରିଥାଏ ସେହି ବ୍ୟକ୍ତି ଅଭ୍ୟୂଦୟ ବଦଳରେ ଦୁଃଖ ଓ ହତାଶାର ଜ୍ୱାଳା ଭୋଗ କରିଥାଏ । ଏହା ଯେପରି ସାଧାରଣ ମନୁଷ୍ୟ କ୍ଷେତ୍ରରେ ପ୍ରଯୂଜ୍ୟ ସେହିପରି ଦେଶ ଶାସକ ରାଜାଙ୍କ ପକ୍ଷରେ ମଧ୍ୟ ପ୍ରଯୁଜ୍ୟ । ଏହା ଜଗତିକ ନିୟମର ନିର୍ମମ ସତ୍ୟ ।

 

ରାଜନ ପଚାରିଲେ, ପୂଜନୀ, ତାହେଲେ ନୀତିଶାସ୍ତ୍ରାନୁସାରେ ଏହା କଣ ସ୍ୱୀକାର କରିବାକୁ ହେବ ଯେ ନିଜ ବ୍ୟତୀତ ଅନ୍ୟ କାହାକୁ ବିଶ୍ୱାସ କରିବା ମନୁଷ୍ୟର ଏକ ଭ୍ରମାତ୍ମକ କର୍ମ-?

 

ପୂଜନୀ କହିଲା–ରାଜନ୍‌, ଅନ୍ୟ କାହାରିକୁ ନିଜଭଳି ବିଶ୍ୱାସ କଲେ ଲୋକ ସମାଜରେ ସେହି ବିଶ୍ୱାସ କରିଥିବା ବ୍ୟକ୍ତିକୁ ସେହି ବିଶ୍ୱାସର ଖେସାରତ୍‌ ଦିନେ ନା ଦିନେ ଦେବାକୁ ପଡ଼ିବ । କାରଣ ଯାହା ପ୍ରିୟ, ମନୁଷ୍ୟ ତାହାହିଁ ଭଲ ପାଇଥାଏ । ମନୁଷ୍ୟ ନିଜ ତୁଳନାରେ ଅନ୍ୟ କାହାରିକୁ ସେତେ ଭଲପାଇ ନଥାଏ । ନିଜ ଅପେକ୍ଷା ଅନ୍ୟକୁ ଯଦି ମନୁଷ୍ୟ ଭଲ ପାଇଥାନ୍ତା, ତାହେଲେ ଆତ୍ମରକ୍ଷା ପାଇଁ ମନୁଷ୍ୟ ଏତେ ସଜାଗ ହୁଅନ୍ତା ନାହିଁ । ଜ୍ଞାନୀଜନଙ୍କ ମତରେ ‘‘ବିଦ୍ୟା ଶୌର୍ଯ୍ୟଞ୍ଚ, ଦାକ୍ଷଞ୍ଚି ବଳଂ, ଧୈର୍ଯ୍ୟଞ୍ଚି ପଞ୍ଚମମ୍‌ । ମିତ୍ରାଣି ସହାଜାନାହୁର୍ବତୟନ୍ତୀ ହ ତୈବୁଧାଃ ।’’ ଅର୍ଥାତ୍‌ ବିଦ୍ୟା, ଶୌର୍ଯ୍ୟ, ନୈପୁଣ୍ୟ, ବଳ, ଧୈର୍ଯ୍ୟ ଏହି ପାଞ୍ଚଗୋଟି ମନୁଷ୍ୟର ସ୍ୱାଭାବିକ ମିତ୍ର । ଏହି ପଞ୍ଚମିତ୍ର ଉପରେ ଅତୁଟ ବିଶ୍ୱାସ ରଖିବାହିଁ ବୁଦ୍ଧିମାନ ମନୁଷ୍ୟର କର୍ତ୍ତବ୍ୟ । ଏପରି କରିପାରିଲେ ମନୁଷ୍ୟ ଅନ୍ୟ କୌଣସି ବସ୍ତୁଠାରୁ ଉଦ୍‌ବିଗ୍ନ ହୋଇ ନଥାଏ ।

 

ପିତାମହ କହିଲେ, ଧର୍ମରାଜ ଏହିପରି ପୂଜନୀ ବିଶ୍ୱାସ ପ୍ରସଙ୍ଗରେ ରାଜାଙ୍କର ଜ୍ଞାନଚକ୍ଷୁ ଉନ୍ମୀଳନ ଘଟାଇ ଓ କେଉଁ ଭାବରେ ରାଜା ପ୍ରିୟଭାଜନ ହୋଇ ପାରିବେ ଏହି ଉପଦେଶମାନ ଦେଇ ପ୍ରାସାଦ ଅଳିନ୍ଦ ଚିରଦିନ ପାଇଁ ତ୍ୟାଗ କରିଥିଲା ।

Image

 

ଇନ୍ଦ୍ରୋତ–ଜନମେଜୟ ସଂବାଦ

 

ଯୁଧିଷ୍ଠିର ପ୍ରସଙ୍ଗାନ୍ତରରେ ପିତାମହ ଭୀଷ୍ମଙ୍କୁ ପଚାରିଲେ, ପିତାମହ, ଇହଜୀବନରେ ବା ଜୀବନାନ୍ତରରେ ମନୁଷ୍ୟ ପାପ କର୍ମ ଫଳ ଅବଶ୍ୟ ଭୋଗିଥାଏ । ଧର୍ମର ଅଲଂଘ୍ୟ ନିୟମାନୁସାରେ ପାପୀକୁ ପାପଫଳ ନିଶ୍ଚୟ ଭୋଗିବାକୁ ପଡ଼ିଥାଏ, ଏବଂ ପରଅନିଷ୍ଟକାରୀ ଅନିଷ୍ଟ କଲେ, ସେହି ଅନିଷ୍ଟ ତା’ର ନିକଟକୁ ପ୍ରତ୍ୟାଦିଷ୍ଟ ହୋଇ ଫେରି ଆସିଥାଏ । କିନ୍ତୁ ଜଗତରେ ଏପରି ମନୁଷ୍ୟ ଅଛନ୍ତି ଯେଉଁମାନଙ୍କର ପାପ ପୂଣ୍ୟ ଜ୍ଞାନ ନଥାଏ । ସେମାନେ ଅଜ୍ଞତା ବଶତଃ ପାପକର୍ମ କରିଥାନ୍ତି । ଅଜ୍ଞାତ ବଶତଃ ପାପକର୍ମ ସାଧନ କରିଥିଲେ ହେଁ ଜଗତରେ ସେମାନେ ନରକ ଯନ୍ତ୍ରଣା ଭୋଗ କରିଥାନ୍ତି । ସେମାନଙ୍କର ଏହି ନରକ ଯନ୍ତ୍ରଣାରୁ ଉଦ୍ଧାର ପାଇବାର କ’ଣ କୌଣସି ସମ୍ଭାବନା ନାହିଁ ? ଅଜ୍ଞାନ ବଶତଃ ଅପରାଧର ପାପ ବୋଝ କ’ଣ ସେମାନଙ୍କୁ ଇହଜୀବନ ତଥା ପରଜୀବନରେ ଭୋଗ କରିବାକୁ ପଡ଼ିବ ?

 

ପିତାମହ କହିଲେ, ଧର୍ମରାଜ, ଧର୍ମ ନିକଟରେ ଅଜ୍ଞାନତା ନିମନ୍ତେ କ୍ଷମା ନାହିଁ । ଅପରାଧ ବା ପାପକର୍ମର ପ୍ରାୟଶ୍ଚିତ ଫଳ ଅବଶ୍ୟ ଭୋଗ କରିବାକୁ ପଡ଼ିଥାଏ । କିନ୍ତୁ ଅଜ୍ଞାନ ବଶତଃ ପାପକର୍ମ ସାଧନ ପରେ ଯଦି ଅନୁତାପ ବା ଅନୁଶୋଚନା ଆସିଥାଏ ତାହେଲେ ସଜ୍ଞାନକୃତ ପାପୀ ତୁଳନାରେ ଏତେ ତୀବ୍ର ବା ତୀକ୍ଷ୍‌ଣ ଫଳ ଭୋଗ ହୁଏ ନାହିଁ । ଏପରି ଦୃଷ୍ଟାନ୍ତ ବିରଳ ନୁହେଁ । ମୋର ଜ୍ଞାନ ପରିସରଭୁକ୍ତ, ଯେଉଁ ଦୃଷ୍ଟାନ୍ତ ଦେଉଛି ତାହା ଶ୍ରବଣ କଲେ ନିଜେ ସମସ୍ତ ବିଷୟ ହୃଦୟଙ୍ଗମ କରି ପାରିବ । ଶ୍ରବଣ କର ।

 

ପିତାମହ କହିଲେ, ଏକ କାଳରେ ରାଜା ଜନମେଜୟ ଏକ ବିଶାଳ ଜନପଦରେ ରାଜତ୍ୱ କରୁଥିଲେ । ସେ ଜଣେ ଦୌର୍ଦଣ୍ଡ ପ୍ରତାପୀ ରାଜା ଥିଲେ । କର୍ତ୍ତବ୍ୟ କର୍ମ, ବିଶେଷତଃ ଶାସନ କ୍ଷେତ୍ରରେ ରାଜଧର୍ମ ଯାହା ଦୁଷ୍ଟଦମନ, ଶିଷ୍ଟପାଳନ ପରିସରଭୁକ୍ତ ଏବଂ ବ୍ରାହ୍ମଣ ବର୍ଗଙ୍କର ଯାଗଯଜ୍ଞାଦି କର୍ମ ନିମିତ୍ତ ଅନୁକୂଳ ପରିବେଶ ସଂରକ୍ଷଣ ବିଷୟରେ ସେହି ରାଜା ପୂରାପୂରି ଅଜ୍ଞ ଥିଲେ । ସେ କେବଳ ଜାଣିଥିଲେ ଯେ ପରାକ୍ରମର ଅନ୍ୟ ନାମ ରାଜା ବା ରାଜ୍ୟ ଶାସନ ।

 

ନିର୍ବିଚାର ଶାସନ ହିଁ ରାଜ୍ୟ ଶାସନ ବା ରାଜତ୍ୱ । ପ୍ରକୃତ ଶିକ୍ଷା ଓ ଜ୍ଞାନର ଅଭାବ ହେତୁ ରାଜାଙ୍କ ସ୍ୱଭାବ ଦାରୁଣ ରୁକ୍ଷ ଓ ଅସଂଯମ ପ୍ରକୃତିର ହୋଇଥିଲା । ସୁତରାଂ ଜନମେଜୟଙ୍କ ରାଜତ୍ୱରେ ପ୍ରଜାଗଣ ନିଷ୍ପେସିତ ଓ ବ୍ରାହ୍ମଣଗଣ ବର୍ଣ୍ଣୋଚିତ ପଦ ମର୍ଯ୍ୟଦାରୁ ବଞ୍ଚିତ ହୋଇଥିଲେ ।

 

ଏହା ସର୍ବଜନବିଦିତ ଯେ ବର୍ଣ୍ଣଶ୍ରେଷ୍ଠ ବ୍ରାହ୍ମଣବର୍ଗ ସମାଜର ମେରୁଦଣ୍ଡ ଓ କ୍ଷତ୍ରିୟଙ୍କର ବୁଦ୍ଧିବଳ । ରାଜ୍ୟରେ ବ୍ରାହ୍ମଣବର୍ଗ ଅବହେଳିତ ହେଲେ ରାଜାଙ୍କର ଅତ୍ୟନ୍ତ ଅମଙ୍ଗଳ ହୋଇଥାଏ, ଏପରିକି ସେ ରାଜା ମଧ୍ୟ ବିନଷ୍ଟ ହୋଇଥାନ୍ତି । ସେହିପରି ଘଟଣା ରାଜା ଜନମେଜୟଙ୍କ ଅଦୃଷ୍ଟରେ ଘଟିଥିଲା ।

 

ରାଜ୍ୟବ୍ୟାପୀ ପ୍ରଜାଗଣ ଅସନ୍ତୁଷ୍ଟ ହୋଇ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିଲେ । ଅତ୍ୟାଚାରିତ ଅଧିକାଂଶ ବ୍ରାହ୍ମଣ, ଜନମେଜୟଙ୍କ କୁଶାସନ ଫଳରେ ରାଜ୍ୟ ତ୍ୟାଗ କରିଥିଲେ ଓ ଅବଶିଷ୍ଟ ବ୍ରାହ୍ମଣ ବର୍ଗ ନୀରବ ରହି କାଳାତିପାତ କରୁଥିଲେ । ରାଜାଙ୍କର ଦମନ ଲୀଳା ପ୍ରଜାବୃନ୍ଦଙ୍କର ଉତ୍ତାଳ ବିଦ୍ରୋହ ଦମନ କରିବାକୁ ବ୍ୟର୍ଥ ହୋଇଥିଲା; ଫଳରେ ମହାପାପ ଗ୍ରାସ କରିବାରୁ ରାଜା ଜନମେଜୟ ଗାଦିଚ୍ୟୁତ ହୋଇ ନିର୍ବାସିତ ହୋଇଥିଲେ ।

 

ରାଜପ୍ରସାଦ ତ୍ୟାଗ କରି ରାଜା ‘ଜନମେଜୟ’ ଏକ ଦିନରେ ଆଶ୍ରୟ ନେଇଥିଲେ । ଫଳମୂଳ ଭକ୍ଷଣ, ସରୋବର ବା ନଦୀ ଜଳ ପାନ କରି ଦିନଯାପନ କରୁଥିଲେ । ଦୀନହୀନ ମଳିନ ବସନରେ ବନରୁ ବନାନ୍ତର ପରିଭ୍ରମଣ କାଳରେ ରାଜାଙ୍କ ମନ ଭିତରେ ଚିନ୍ତା ଜାତ ହେଲା । ସେ ଭାବିଲେ ଏପରି ଦଶା ତାଙ୍କର କାହିଁକି ହେଲା ? ଆତ୍ମଜିଜ୍ଞାସା ଓ ଆତ୍ମଚିନ୍ତା ନିବିଡ଼ ହେଲେ, ଅନେକ ଦୁରୂହ ପ୍ରଶ୍ନର ସମାଧାନ ଅତି ସହଜରେ ହୋଇଥାଏ । ଏକ ସମୟରେ ରାଜା ଜନମେଜୟଙ୍କର ମଧ୍ୟ ତାହାହିଁ ଘଟିଥିଲା ।

ମୁହୂର୍ତ୍ତକ ମଧ୍ୟରେ ରାଜା ଯେପରି ଆତ୍ମଦର୍ଶନ କରି ଆତ୍ମଜ୍ଞାନ ଲାଭ କରିଥିଲେ । ଅନୁତାପ ଦଗ୍‌ଧ ହୋଇ ସଂଯମ ଓ ତପସ୍ୟାର ଫଳଶ୍ରୁତି ରାଜା ପ୍ରାପ୍ତ ହେଲେ । ଆତ୍ମଗ୍ଲାନିରେ ରାଜାଙ୍କର ମନ ଅହରହ ଦଗ୍‌ଧ ହେଲା । ଏହି ମାନସିକ ଯନ୍ତ୍ରଣାରୁ ମୁକ୍ତି ପାଇବା ନିମନ୍ତେ ରାଜା ଅସ୍ଥିର ହୋଇ ଉଠିଲେ–କିପରି ସେ ଏହି ମହାପାପରୁ ମୁକ୍ତ ହୋଇ ପାରିବେ, ଏହା ଚିନ୍ତା କରି ସେ ବନବାସୀ ମୁନି ଏବଂ ବିଜ୍ଞ ବ୍ରାହ୍ମଣ ବର୍ଗଙ୍କ ନିକଟକୁ ଯାଇ ଜାଣିବାକୁ ଇଚ୍ଛୁକ ହେଲେ ମଧ୍ୟ କାହାରିଠାରୁ ସେ କୌଣସି ଦିଗ୍‌ଦର୍ଶନ ପାଇ ନଥିଲେ । କାରଣ ପୂର୍ବରୂ ସେ ସମସ୍ତଙ୍କୁ ଅବଜ୍ଞା ପ୍ରଦର୍ଶନ କରିଥିଲେ । ଫଳରେ ରାଜାଙ୍କର ମନସ୍ତାପ ଦ୍ୱିଗୁଣ ହୋଇ ଉଠିଲା ।

ଏହିପରି ବନରୁ ବନାନ୍ତର ବୁଲୁବୁଲୁ ଦିନେ ଜନମେଜୟ ଶକ୍ତିଧର ଶୌନକ ବଂଶୀୟ ‘ଇନ୍ଦ୍ରୋତ’ ମୁନିଙ୍କ ଆଶ୍ରମରେ ଉପନୀତ ହେଲେ । ରାଜା ସଂଭ୍ରମରେ ପ୍ରଣାମ ଜ୍ଞାପନ କରିବାରୁ ‘ମୁନି’ କର୍କଶ ସ୍ୱରରେ କହିଲେ, ଏଠାରୁ ଦୂର ହୁଅ ନରପିଶାଚ । ତୁମ୍ଭର ସର୍ବାଙ୍ଗରୁ ଦୂଷିତ ରକ୍ତ ଗନ୍ଧ ନିଃସୃତ ହେଉଅଛି । ଏଠାରେ ତୁମ୍ଭର କି ପ୍ରୟୋଜନ ? ମୋର ଆଶ୍ରମକୁ ଅପବିତ୍ର କରନାହିଁ ।

ଏହି ଚୂଡ଼ାନ୍ତ ଧିକ୍‌କାର ବାଣୀରେ ମଧ୍ୟ ରାଜା ନିଶ୍ଚଳ ହୋଇ ରହିଲେ ।

ମୁନିବର ଅଧିକତର କର୍କଶ ସ୍ୱରରେ କହିଲେ, ଦେଶର ସର୍ବନାଶ କରି ଅନେକ ବ୍ରାହ୍ମଣଙ୍କ ମୃତ୍ୟୁର କାରଣ ତୁମ୍ଭେ ହୋଇଅଛ । ପିତୃପୁରୁଷଙ୍କ ନାମ ଯଶ ଲୋପ କରି ସେମାନଙ୍କ ସୁଖ ଭୋଗକୁ ହତାଶ କରିଛ । ତୁମ୍ଭେ ମହାପାତକୀ, ତୁମ୍ଭକୁ ଦେଖିଲେ ମଧ୍ୟ ପାପ । ଅତଏବ ମୋ ସମ୍ମୁଖରୁ ଶୀଘ୍ର ଦୂର ହୁଅ ।

 

ରାଜା ଜନମେଜୟ ଏହି ଧିକ୍‌କାର ବାଣୀ ଶୁଣିବା ସତ୍ତ୍ୱେ ଓ ସକରୁଣ କଣ୍ଠରେ କହିଲେ, ହେ ମୁନିଶ୍ରେଷ୍ଠ, ମୋ କର୍ମ ନିଃସନ୍ଦେହରେ ‘ଧିକ୍‌କାର ଓ ତିରସ୍କାର ଯୋଗ୍ୟ । ଆପଣ ଯେତେ ଧିକ୍‌କାର ବା ତିରସ୍କାର କଲେ ମଧ୍ୟ ମୁଁ ଏହିଠାରୁ ଯିବିନାହିଁ । କୁକର୍ମ ଫଳରେ ମୁଁ ନିଦାରୁଣ ଅନ୍ତର୍ଜ୍ୱାଳାରେ ଭୟାଭୟ ଯନ୍ତ୍ରଣା ନିତ୍ୟ ଅନୁଭବ କରୁଅଛି । ଏହି ଯନ୍ତ୍ରଣାରୁ ମୁଁ ମୁକ୍ତି ଓ ଶାନ୍ତି ଚାହେଁ-। ମୁଁ ନିର୍ବୋଧ, ମୂର୍ଖ ଓ ଚପଲ । ମୋ ପୂର୍ବ କର୍ମ ମୋ ଅଜ୍ଞତାର ଫଳ । କ୍ରୁଦ୍ଧ ନ ହୋଇ ଆପଣ ମୋ ଉପରେ ଅନୁଗ୍ରହ କରନ୍ତୁ । ମୋତେ ଆପଣ ରକ୍ଷା କରନ୍ତୁ । ଯେଉଁପରି ଅବୋଧ ପୁତ୍ରକୁ ପିତା କ୍ଷମା କରିଥାନ୍ତି ସେହିପରି ମୋତେ ଆପଣ କ୍ଷମା କରନ୍ତୁ । ଅନୁଗ୍ରହ ଦେଖାଇ ଆପଣ ମୋତେ ମାନସିକ ଯନ୍ତ୍ରଣାରୁ ମୁକ୍ତି ଓ ଅଭ୍ୟୁଦୟ ନିମନ୍ତେ ଉପଦେଶ ଦିଅନ୍ତୁ ।

 

ରାଜା ଜନମେଜୟଙ୍କ କାତରତାରେ ମୁନି ଇନ୍ଦ୍ରୋତ କିଞ୍ଚିତ ବିଚଳିତ ହୋଇ କହିଲେ, ମୁଁ ଜାଣେ ଅଜ୍ଞତା ଶିକାର ହୋଇ ତୁମ୍ଭେ ତୁମ୍ଭର ପତନ ଘଟାଇଛ । ଯଦି ପ୍ରକୃତରେ ତୁମେ ଅନୁତପ୍ତ ତାହେଲେ ମୁଁ ତୁମକୁ କିଛି ଉପଦେଶ ଦେଇପାରେ ।

 

ମୁନିଙ୍କ ବଚନ ଶୁଣି ରାଜା ଜନମେଜୟ ତତ୍‌କ୍ଷଣାତ୍‌ କୃତାଞ୍ଜଳି ପୁଟରେ କହିଲେ, ମହାଭାଗ, ମୁଁ ପ୍ରକୃତରେ ଅନୁତପ୍ତ ଓ ଅହରହ ଆତ୍ମଗ୍ଲାନି ଓ ମାନସିକ ଯନ୍ତ୍ରଣା କ୍ଳିଷ୍ଟ ହୋଇଛି । ଆପଣ ମୋତେ ଉପଦେଶ ଦେଇ ଏଥିରୁ ମୁକ୍ତ କରନ୍ତୁ । ଅତଃପର ଇନ୍ଦ୍ରୋତ ମୁନି କହିଲେ, ରାଜନ୍‌, ତୁମ୍ଭର ମଙ୍ଗଳ ନିମନ୍ତେ ମୁଁ ତୁମକୁ କତିପୟ ଧର୍ମୋପଦେଶ ଦେବି । ମୋର ଉପଦେଶ ମନୋଯୋଗ ଦେଇ ଶ୍ରବଣ କର ଓ ସେହି ଅନୁସାରେ ଆଚରଣ କଲେ ତୁମ୍ଭର ଅଭ୍ୟୁଦୟ ଘଟିବ ଏବଂ ଏହି ନରକ ଯନ୍ତ୍ରଣାରୁ ମୁକ୍ତ ହେବ ।

 

ରାଜନ୍‌ କହିଲେ, ଅବଶ୍ୟ ମୁଁ ଆପଣଙ୍କ ଉପଦେଶ ଶ୍ରବଣ କରି ପାରିବି । ଏହି ଯନ୍ତ୍ରଣା ମୋ ପକ୍ଷରେ ଅଧିକ କାଳ ସହ୍ୟ କରିବା ସମ୍ଭବ ନୁହେଁ ।

 

ମୁନିବର କହିଲେ, ରାଜନ୍‌ ତୁମେ ପ୍ରତିଜ୍ଞା କର ଯେ ମନ, ବାକ୍ୟ ଓ କର୍ମରେ କଦାପି ବର୍ଣ୍ଣଶ୍ରେଷ୍ଠ ବ୍ରାହ୍ମଣଙ୍କର କ୍ଷତି କରିବ ନାହିଁ । ଅତଃପର ରାଜା ଜନମେଜୟ ଇନ୍ଦ୍ରୋତ ମୁନିଙ୍କର ଚରଣ ସ୍ପର୍ଶ କରି ପ୍ରତିଜ୍ଞା କରି କହିଲେ, ମୁଁ ମନ, ବାକ୍ୟ ଓ କର୍ମଦ୍ୱାରା କଦାପି ବ୍ରାହ୍ମଣ ଦ୍ରୋହୀ ହେବି ନାହିଁ । ଏହିପରି ଜନମେଜୟ ପ୍ରତିଜ୍ଞାବଦ୍ଧ ହେବା ପରେ ଇନ୍ଦ୍ରୋତ ମୁନି ରାଜାଙ୍କୁ ଦୁଃସାହସ ସହିତ ନିଜ ସାନ୍ନିଧ୍ୟରେ ରଖି ଦିନପରେ ଦିନ ଉପଦେଶ ଛଳରେ ନୀତିଜ୍ଞାନ ଓ ଧର୍ମଜ୍ଞାନ ଦେଲେ । ଅନୁଗତ ଶିଷ୍ୟ ସଦୃଶ ରାଜା ଜନମେଜୟ ସେହି ଉପଦେଶାବଳୀ ଶ୍ରବଣ କରି ଅବଶେଷରେ ତାଙ୍କର ଆତ୍ମଚେତନା ସଂଘଟିତ ହୋଇଥିଲା ଓ ସେ ଜ୍ଞାନାଲୋକରେ ପ୍ରବେଶ କରିଥିଲେ ।

 

ଏକପକ୍ଷରେ ଅନୁତାପାନଳ ଓ ଅନ୍ୟପକ୍ଷରେ ଆହାରାଦି ସଂକ୍ରାନ୍ତରେ ବାସନା, ଲାଳସାହୀନ ସଂଯମ ରାଜନଙ୍କ ଚିତ୍ତ ମାଳିନ୍ୟକୁ ଅପସାରିତ କରି ଜ୍ଞାନାଲୋକରେ ଆତ୍ମା ଓ ବିବେକକୁ ଭାସ୍ୱର ଓ ଉଦୀପ୍ତ କରିଥିଲା । ରାଜାଙ୍କର ଆମୂଳ ପରିବର୍ତ୍ତନ ଘଟିଲା ।

 

ମୁନିବର ‘ଇନ୍ଦ୍ରୋତ’ ରାଜାଙ୍କଦ୍ୱାରା ଅଶ୍ୱମେଧ ଯଜ୍ଞ କରାଇଥିଲେ ଓ ଅବଶେଷରେ ରାଜାଙ୍କୁ ରାଜ୍ୟରେ ବନ୍ଦିତ କରି ପ୍ରତିଷ୍ଠିତ କରାଇଥିଲେ ।

 

ପିତାମହ କହିଲେ, ମୁନିବର ରାଜନଙ୍କୁ ଶ୍ରେୟ ଲାଭ ନିମନ୍ତେ ଉପଦେଶ ଦେଇଥିଲେ । ସେହି ଉପଦେଶ ମଧ୍ୟରୁ ବିଶେଷତଃ ବ୍ରାହ୍ମଣ ବର୍ଗ ଯେପରି ସୁଖରେ ରହି ନିର୍ବିଘ୍ନରେ ସ୍ୱ କର୍ମ, ସ୍ୱଧ୍ୟାୟ ବ୍ରତୀ ହେବାରେ କୌଣସି ଅନ୍ତରାୟ ସୃଷ୍ଟି ନହେବ ସେଥିପାଇଁ ରାଜା ସଦାସର୍ବଦା ସଜାଗ ରହିବା ବିଧେୟ । ବ୍ରାହ୍ମଣବର୍ଗଙ୍କର ଅଭ୍ୟୁଦୟହିଁ ରାଜ୍ୟର ଅଭ୍ୟୁଦୟ । ଶିଷ୍ଟପାଳନ ଦୁଷ୍ଟଦମନ ହିଁ ରାଜ କର୍ତ୍ତବ୍ୟ । ଶିଷ୍ଟ ଓ ଦୁଷ୍ଟକୁ ଚିହ୍ନିତ କରିବା କ୍ଷେତ୍ରରେ ରାଜା ନିଜ ବୁଦ୍ଧି ବୃତ୍ତି ସଦା ସଜାଗ ରଖିବା କର୍ତ୍ତବ୍ୟ । ସ୍ୱଭାବିକ୍‌ ନିୟମାନୁସାରେ ଦୁଷ୍ଟଜନର ଏପରି ବିଶେଷ ଗୁଣ ଥାଏ, ଯାହାଦ୍ୱାରା ସେ ଅନ୍ୟକୁ ସହଜରେ ଆକର୍ଷଣ କରିନିଏ । କିନ୍ତୁ ରାଜା ଆଶକ୍ତିଶୂନ୍ୟ ଓ ଆକର୍ଷଣ ମୁକ୍ତ ରହିବା ବିଧେୟ ।

 

ସୁଖ ଦୁଃଖ ପ୍ରାଣଗଣଙ୍କର ସ୍ୱାଭାବିକ ଧର୍ମ । ଏହାର ମୂଳ କାରଣ ସଂସର୍ଗ । ଅହଙ୍କାର ତ୍ୟାଗୀ, ବଳବାନ ଓ ଓଜସମ୍ପନ୍ନ ବ୍ୟକ୍ତିହିଁ ଧର୍ମାଚରଣ କରିପାରେ । ଅତଏବ ରାଜା ମଧ୍ୟ ଶାରୀରିକ, ମାନସିକ ଦିଗରୁ ଧୈର୍ଯ୍ୟଶାଳୀ ଓ ତେଜସମ୍ପନ୍ନ ହେବା ବିଧେୟ । ଏହା କେବଳ ତପସ୍ୟାଦ୍ୱାରାହିଁ ସମ୍ଭବ ।

 

କୌତୂହଳୀ ହୋଇ ଯୁଧିଷ୍ଠିର ପଚାରିଲେ, କେବଳ ତପସ୍ୟା ବଳରେ କିପରି ସମ୍ଭବ, ପିତାମହ ?

 

ପିତାମହ କହିଲେ, ଜନମେଜୟଙ୍କର ମଧ୍ୟ ତୁମ୍ଭ ସଦୃଶ ଏହି କୌତୁହଳ ଜାତ ହୋଇଥିଲା । ଜନମେଜୟ ମୁନିଙ୍କୁ ଏହିପରି ପ୍ରଶ୍ନ ପଚାରିଥିଲେ । ଉତ୍ତରରେ ମୁନି କହିଥିଲେ, ‘‘ଯଜ୍ଞୋ, ଦାନଂ, ଦୟା, ବେଦାଃ, ସତ୍ୟଞ୍ଚ ପୃଥିବୀପତେ / ପଞ୍ଚୈତାନି, ପବିତ୍ରାଣି, ଷଷ୍ଠଂ ସୁଚରିତଂ ତପଃ’’ । ଅର୍ଥାତ୍‌ ଯଜ୍ଞ, ଦାନ, ଦୟା, ବେଦ ସତ୍ୟ ଏହି ପାଞ୍ଚଗୋଟି ପବିତ୍ର କର୍ମ । ଏହା ସହିତ ଆଚରିତ ଷଷ୍ଠ ପବିତ୍ର କର୍ମ ତପସ୍ୟା ଅଟେ । ବିଶେଷତଃ ତପସ୍ୟା କର୍ମ ରାଜାଙ୍କ ପକ୍ଷରେ ଅତି ପବିତ୍ର କର୍ମ । ଋଷିବର ପୁନଶ୍ଚ କହିଲେ, ରାଜନ୍‌, ସୁଗନ୍ଧ ସଂସ୍ପର୍ଶରେ ସୁଗନ୍ଧ ଭୋଗ କରାଯାଇଥାଏ । ଦୁର୍ଗନ୍ଧ ସଂସ୍ପର୍ଶରେ ଦୁର୍ଗନ୍ଧ ଭୋଗ କରିବାକୁ ହୋଇଥାଏ । କ୍ଳେଦହୀନ ନିରବିଚ୍ଛିନ୍ନ ସୁଖାଭିଳାଷୀ ହେବାକୁ ହେଲେ ତପସ୍ୟାହିଁ ଏକମାତ୍ର ପନ୍ଥା । ତପସ୍ୟାହିଁ ଶକ୍ତି, ତପସ୍ୟାହିଁ ମୁକ୍ତି ଓ ତପସ୍ୟାବଳରେ ଅପ୍ରାପ୍ତ କିଛି ନାହିଁ ।

 

ମୁନି ରାଜା ଜନମେଜୟଙ୍କୁ କହିଲେ, ଶାସ୍ତ୍ର ବିରୁଦ୍ଧ କର୍ମ ସାଧନ କରି ପଶ୍ଚାତରେ ଅନୁତପ୍ତ ହେଲେ, ମନୁଷ୍ୟ କୁକର୍ମ ଜନିତ ପାପମୁକ୍ତ ହୋଇଥାଏ ।

 

ଏହା ଶୁଣି ଜନମେଜୟ ପଚାରିଲେ, ମୁନିବର, ମନୁଷ୍ୟ ପ୍ରକୃତିର ଦାସ । ଶାସ୍ତ୍ର ସୁବିଶାଳ ହୋଇଥିବାରୁ ମନୁଷ୍ୟ ଏପରି କର୍ମ କରିପାରେ ଯାହାକି ଶାସ୍ତ୍ର ବିରୁଦ୍ଧ । ତାହାଲେ ସେହି ପାପରୁ ମୁକ୍ତ ହେବା ଉପାୟ କ’ଣ ଥାଇପାରେ ।

 

ମୁନି କହିଲେ–ଏହା ସ୍ୱାଭାବିକ୍‌ । ଯଦି ମନୁଷ୍ୟ ଏପରି କିଛି କର୍ମ କରେ ଯାହା ଶାସ୍ତ୍ର ବିରୁଦ୍ଧ ତାହାଲେ ସ୍ୱୀକାର କରି ଦ୍ୱିତୀୟବାର ସେପରି କର୍ମ ନକରିବା ନିମନ୍ତେ ଶପଥ ନେବା ବିଧେୟ । ଏହିପରି କ୍ରମାଗତ ଶପଥ ନେବାଦ୍ୱାରା ମନୁଷ୍ୟର ଆଚରଣ ସଂଶୋଧିତ ଓ ସଂଯତ ହୋଇଥାଏ । ବିବେକରେ ବିଚାର ବୁଦ୍ଧି ଓ ଭଲ ମନ୍ଦର ଜ୍ଞାନ ଜାଗ୍ରତ ହୋଇଥାଏ । ସେଥିପାଇଁ ଦେବଗଣ ଓ ଦେବଗୁରୁ ବୁହସ୍ପତି କହିଛନ୍ତି–‘‘କୃତ୍ୱା ପାପଂ ପୂର୍ବମ ବୁଦ୍ଧିପୂର୍ବଂ-ପୂଣ୍ୟାନିଚେତ୍ତ କୁରୁତେ ବୁଦ୍ଧି ପୂର୍ବମ / ସତତ୍‌ ପାପଂ ନୂଦତେ କର୍ମଶୀଳୋ / ବାସୋ ଯଥା ମଳିନଂ କ୍ଷାର ଯୁକ୍ତମ୍‌’’ ।

 

ଯଦି ମନୁଷ୍ୟ ଅଜ୍ଞତା ବଶତଃ ଓ ବୁଦ୍ଧିହୀନ ହୋଇ ପାପ କର୍ମ କରିଥାଏ ଓ ପଶ୍ଚାତରେ ଏହା ଜାଣିପାରି ପୂଣ୍ୟକର୍ମରେ ବ୍ରତୀ ହୋଇଥାଏ, ତାହାଲେ କ୍ଷାର ବା ସାବୁନ ଦେଇ ମଳିନ ବସ୍ତ୍ରାଦି ଧୌତ ହେଲେ ସେହି ବସ୍ତ୍ର ଯେପରି ଅମଳିନ ଓ ପରିଚ୍ଛନ୍ନ ହୋଇଥାଏ ସେହିପରି ମନୁଷ୍ୟର ସବୁ ପାପ ଓ ମାଳିନ୍ୟ ନିଃଶେଷରେ ବିଦୂରିତ ହୋଇଥାଏ ।

Image

 

ତାର୍କ୍ଷମୁନି ସରସ୍ୱତୀ ସମ୍ବାଦ

 

ଏହି ସମ୍ବାଦଟି ଯୁଧିଷ୍ଠିର ଯେତେବେଳେ ଦ୍ୱାଦଶ ବର୍ଷ ବନବାସ ଓ ଏକବର୍ଷ ଅଜ୍ଞାତବାସ ସର୍ତ୍ତ ପାଳନ ନିମନ୍ତେ କାମ୍ୟକ ବନରେ ବାସ କରୁଥିଲେ ସେତେବେଳେ ସେଠାରେ ଏକଦା ଶ୍ରୀକୃଷ୍ଣ ପାଣ୍ଡବଙ୍କ ଦର୍ଶନାଭିଳାଷୀ ହୋଇ ଆସିଥିଲେ । ସେହି ସମୟରେ ତ୍ରିକାଳଦର୍ଶୀ ମହାପ୍ରାଜ୍ଞ ଭୃଗୁନନ୍ଦନ ମାର୍କଣ୍ଡେୟ ଋଷି ଅନୁସନ୍ଧିତ୍ସୁ ଯୁଧିଷ୍ଠିର ଓ ସମବେତ ମୁନିଋଷିଗଣଙ୍କୁ ଏହି ସମ୍ବାଦଟି ଶ୍ରବଣ କରାଇଥିଲେ ।

 

ସରସ୍ୱତୀ ବିଦ୍ୟା ଏବଂ ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ ଏବଂ ସ୍ୱୟଂ ବିଦ୍ୟା ସ୍ୱରୂପିଣୀ ବେଦମାତା । ବିଦ୍ୟାରୂପିଣୀ ସରସ୍ୱତୀ ସହଜଲଭ୍ୟା ନୁହନ୍ତି । କାରଣ ମନୁଷ୍ୟ ଭୂମିଷ୍ଠ ହେବା ପରଠାରୁ ସ୍ୱ ସ୍ୱଭାବ ବଶରେ ସ୍ୱାର୍ଥପରତାର ନାମାନ୍ତର ଅବିଦ୍ୟା ନିକଟରେ ଷଡ଼ରିପୁ ସହିତ ଆତ୍ମସମର୍ପଣ କରିଥାଏ । କିନ୍ତୁ ବିଦ୍ୟା ସାଧନାଲବ୍‌ଧ ଧନ ହୋଇଥିବାରୁ ଅବଦମିତ ଷଡ଼ରିପୁ, କାମନାବାସନା ହୀନ ନିର୍ମଳ ନିଃସନ୍ଦେହ ଅନ୍ତଃକରଣରେ ଯେଉଁଠାରେ ହିଁ କେବଳ ଅପାର ଶ୍ରଦ୍ଧା ଥାଏ ସେଇଠାରେ ହିଁ ବିଦ୍ୟାରୂପୀ ଐଶ୍ୱର୍ଯ୍ୟ ଜାଜ୍ଜ୍ୱଲ୍ୟମାନ ହୋଇ ମନୁଷ୍ୟକୁ କଳୁଷ କାଳିମାହୀନ ଅସୀମ ଆନନ୍ଦ ଦେଇଥାଏ । ଏହିପରି ଗୁଣବାନ ମନୁଷ୍ୟ ନିକଟରେହିଁ ଶୁଚିଶୁଭ୍ରା ବିଦ୍ୟାରୂପୀ ସରସ୍ୱତୀ ଆବିର୍ଭୂତା ହୋଇଥାନ୍ତି ।

 

ଠିକ୍‌ ଏହିପରି ଏକ ଜାଗତିକ ନିଃସ୍ୱାର୍ଥକୈନ୍ଦ୍ରିକ କାମନା-ବାସନାହୀନ ନିର୍ମଳ ଅନ୍ତଃକରଣ ନେଇ ତାର୍କ୍ଷମୁନି ଦେବୀ ସରସ୍ୱତୀଙ୍କୁ ଆହ୍ୱାନ କରିଥିଲେ । ଋଷିଙ୍କ ଅନ୍ତଃକରଣରେ ଅମୋଘ ପ୍ରଶ୍ନମାନ ଜାଗରିତ ହୋଇଥିଲା ଯେ ମନୁଷ୍ୟ ମାତ୍ରେହିଁ ରଜଗୁଣସମ୍ପନ୍ନ ହୋଇଥିବାରୁ କର୍ମ କରିଥାଏ ଏବଂ ନିଜ କୃତକର୍ମ ଗୌରବର ପ୍ରଶଂସା ନିଜେ ପଞ୍ଚମୁଖରେ କରି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । ଋଷି ନିଜ ବିଚାର ବିଶ୍ଳେଷଣରୁ ବୁଝି ପାରିଥିଲେ ଯେ ଏହି ଜାତୀୟ କର୍ମ ଆଦୌ ଧର୍ମ ସାପେକ୍ଷ ନୁହେଁ । ଇହଲୋକରେ ମନୁଷ୍ୟ ଏହି କର୍ମକରି ନିଜର ଆତ୍ମତୃପ୍ତି କରି ସର୍ବନାଶ କରିବସେ । ଏହି ସିଦ୍ଧାନ୍ତ ମୁନିଙ୍କ ମନରେ ଜାଗରିତ ହେବାରୁ ସେ ଦେବୀ ସରସ୍ୱତୀଙ୍କୁ ଆବାହନ କରି ସିଦ୍ଧାନ୍ତର ସତ୍ୟାସତ୍ୟ ନିରୂପଣ ନିମନ୍ତେ ପ୍ରଶ୍ନ କରିଥିଲେ ।

 

‘‘କିନ୍ନୁଶ୍ରେୟଃ ପୁରୁଷ୍ୟେହ ଭଦ୍ରେ କଥଂ କୁର୍ବଦ କଚ୍ୟବତେ ସ୍ୱଧର୍ମାତ୍‌ ।

କଥଂ ବାଗ୍ନିଂ ଜୂହୁୟାଂ ପୂଜୟେ ବା କସ୍ମିନକାଳେ କେନ ଧର୍ମୋ ନ ନଶ୍ୟେତ୍‌ ।’’

 

ଅର୍ଥାତ୍‌ ହେ ମଙ୍ଗଳମୟୀ ! ଇହଲୋକରେ ମନୁଷ୍ୟର କଲ୍ୟାଣକର କିପରି ହେବା ଉଚିତ ଯାହାଦ୍ୱାରା ମନୁଷ୍ୟ ଧର୍ମଚ୍ୟୁତ ହେବ ନାହିଁ ଏବଂ କେଉଁ ସମୟରେ ଅଗ୍ନିଦ୍ୱାରା ହୋମ ବା ପୂଜା କରିବା ଉଚିତ ?

 

ଦେବୀ କହିଥିଲେ, ପୁତ୍ର ତୁମ୍ଭର ପ୍ରଶ୍ନ ଅତ୍ୟନ୍ତ ସାରବାନ, ଶ୍ରବଣକର । କୌଣସି ଭାବରେ ମୋହ-ମଦ-ମାତ୍ସର୍ଯ୍ୟ କବଳରୁ ନିଜକୁ ମୁକ୍ତ ଓ ଅପ୍ରମତ୍ତ ରଖି ସର୍ବଶ୍ରେଷ୍ଠ କଲ୍ୟାଣକର କର୍ମ ସାଧନ କରିବା ହିଁ ମନୁଷ୍ୟର ସର୍ବଶ୍ରେଷ୍ଠ କର୍ମ । ସ୍ୱଚ୍ଛ ଓ ନିର୍ମଳ ଅନ୍ତରରେ ନିତ୍ୟ ବେଦ ଅଧ୍ୟୟନ ଓ ବେଦାଭ୍ୟାସ ମନୁଷ୍ୟକୁ ମହିମାନ୍ୱିତ କରିବା ସଙ୍ଗେ ସଙ୍ଗେ ଦିବ୍ୟଚେତନା ସଞ୍ଚାରିତ କରିଥାଏ । ଯା ଫଳରେ ମନୁଷ୍ୟ ମୋହ ବିହୀନ ହୋଇ ବ୍ରହ୍ମରୂପୀ ସତ୍ୟ ସନାତନଙ୍କର ସାନ୍ନିଧ୍ୟ ଲାଭ କରିଥାଏ । ନିତ୍ୟ ବେଦାଭ୍ୟାସକାରୀ ମନୁଷ୍ୟ ଦୁଃଖ, ଜରା, ବ୍ୟାଧି ଆଶା ଓ ହତାଶାରେ ଅବିଚଳ ରହିଥାଏ ଏବଂ ବିଶ୍ୱରହସ୍ୟ ସେଇ ମନୁଷ୍ୟ ନିକଟରେ ହିଁ ଉଦ୍‌ଘାଟିତ ହୋଇଥାଏ ଏବଂ ଚତୁର୍ଦ୍ଦିଗ ଯେ ଅପାର ଆନନ୍ଦମୟ ଏହା ତାହାର ପ୍ରତୀୟମାନ ହୋଇଥାଏ । ଏହି ଅମ୍ଳାନ ଆନନ୍ଦ ଲାଭହିଁ ମନୁଷ୍ୟ ମାତ୍ରର ସ୍ୱଧର୍ମ ।

 

ମୁନିବର ଅତଃପର ଦେବଲୋକ ସମ୍ବନ୍ଧରେ ଦେବୀଙ୍କୁ ପ୍ରଶ୍ନ କରିଥିଲେ । ଦେବୀ କହିଲେ, ଯେତେବେଳେ ମନୁଷ୍ୟ ଦିବ୍ୟ ଚେତନା ଲାଭକରେ ସେତେବେଳେ ଦିବ୍ୟଲୋକ ତା ନିକଟରେ ମର୍ତ୍ତ୍ୟଲୋକ ସଦୃଶ ପ୍ରତ୍ୟକ୍ଷୀଭୂତ ହୁଏ । ପୁନଶ୍ଚ ଆତ୍ମ କଲ୍ୟାଣକାମୀ ମନୁଷ୍ୟର ଧର୍ମରେ ଅବିଚଳିତ ହୋଇ ରହିବା ନିମନ୍ତେ ସତ୍‌ପାତ୍ରରେ ଦାନ ହିଁ ଏକମାତ୍ର ପନ୍ଥା । ଏହି ଦାନସ୍ପୃହା ହିଁ ମନୁଷ୍ୟ ହୃଦୟକୁ ବିଶାଳ ଓ ଉନ୍ମୁକ୍ତ କରିଥାଏ, ଯାହା ଫଳରେ ସେହି ମନୁଷ୍ୟ କେବେହେଁ ଦୟା ବିହୀନ ଆଚରଣ କରି ପାରେନାହିଁ । ଦାନ ମଧ୍ୟରେ ପୁତ୍ର ଓ ଗୋଦାନ ହିଁ ଉତ୍ତମ ଦାନ । ଗୋଦାନଦ୍ୱାରା ବ୍ୟକ୍ତି ଉତ୍ତମ ଲୋକକୁ; ବୃକ୍ଷ ଦାନରେ ସୂର୍ଯ୍ୟଲୋକକୁ, ବସ୍ତ୍ର ଦାନରେ ଚନ୍ଦ୍ରଲୋକକୁ ଓ ସ୍ୱର୍ଣ୍ଣଦାନରେ ଅମର ଲୋକକୁ ଗମନ କରିଥାଏ । ସବତ୍ସା ସୁଖଦୋହନ ଯୋଗ୍ୟା ସୁନ୍ଦର ଶୃଙ୍ଗ ବିଶିଷ୍ଟ ଧେନୁ ଦାନ ହିଁ ବ୍ୟକ୍ତିକୁ ନିର୍ବିଶେଷ ପୁଣ୍ୟଭାଗୀ କରାଇଥାଏ ।

 

ପୁନଶ୍ଚ ମୁନି ନିର୍ବିଶେଷ ପୂଣ୍ୟ ବିଷୟରେ ଦେବୀଙ୍କୁ ପ୍ରଶ୍ନ କରିବାରୁ ଦେବୀ କହିଲେ ‘‘ଯାବନ୍ତି ରୋମାଣି ଭବନ୍ତି ଧେନ୍ୱାସ୍ତାବତ୍‌ ଫଳଂ ଭବତି ଗୋପ୍ରଦାନେ । ପୁତ୍ରାଂଶ୍ଚ ପ୍ରୋତ୍ରାଂଶ୍ଚ କୁଳଞ୍ଚ ସର୍ବ ସମାପ୍ତଂ ତାରୟେତ୍‌ ପରତ୍ର । ଅନଡ଼୍‌ବାହଂ ସୁବ୍ରତଂ ଯୋ ଦଦାତି ହଳସ୍ୟ ବୋଢ଼ାରମନନ୍ତବୀର୍ଯମ ଧୁରନ୍ଧରଂ ବଳବନ୍ତରଂ ଯୁବାନଂ ପ୍ରାପ୍ନୋତି ଲୋକାନ ଦଶ ଧେନୁ ଦସ୍ୟ ।’’ ଅର୍ଥାତ୍‌ ଧେନୁର ଗାତ୍ରରେ ଯେତେ ସଂଖ୍ୟାରେ ରୋମରାଶି ବିଦ୍ୟମାନ ସେତେକାଳ ଗୋଦାତା ଦାନର ପୂଣ୍ୟଫଳ ଭୋଗ କରିଥାଏ । ଏହି ଗୋଦାନ ଫଳରେ ଗୋଦାତାର ପୁତ୍ର ପୌତ୍ରାଦି ଓ ଅଧସ୍ତନ ସପ୍ତକୁଳ ଉଦ୍ଧାର ପାଇଥାଏ ଏବଂ ବୀର୍ଯ୍ୟବାନ ଅଥଚ ବିନୀତ ଓ ହଳକର୍ଷଣରେ କ୍ଳାନ୍ତି ବିହୀନ ଯୁବ ବୃଷ ଯେଉଁ ବ୍ୟକ୍ତି ଦାନ କରେ ସେହି ଧେନୁ ଦାନକାରୀ ଠାରୁ ଦଶଗୁଣ ପୁଣ୍ୟ ସଞ୍ଚୟ କରିଥାଏ ।

 

ଅତଃପର ଦେବୀ ମୁନିବରଙ୍କୁ ହୋମାଦି ସଂକ୍ରାନ୍ତ ଅଗ୍ନିହୋତ୍ର ସମ୍ବନ୍ଧରେ କହିଲେ, ଅଗ୍ନି ମୁଖରେ ହିଁ ଦିବ୍ୟଲୋକ ଦେବଗଣ ଯାବତୀୟ ଦାନଗ୍ରହଣ କରିଥାନ୍ତି । ମନୁଷ୍ୟ ଦେହ ମଧ୍ୟସ୍ଥ ଅଗ୍ନି ବୈଶ୍ୱାନର ଭାବେ ପରିଚିତ । ଅଗ୍ନିକୁ ସମର୍ପିତ ଅନ୍ନରେ ହିଁ ଦେବଗଣ ସନ୍ତୁଷ୍ଟ ହୋଇ ଯଜ୍ଞ କର୍ତ୍ତାର ମଙ୍ଗଳ ସାଧନ କରିଥାନ୍ତି । ପୁନଶ୍ଚ ଅଗ୍ନିହୋତ୍ରୀଙ୍କର ବିନା ହୋମରେ ନିବ୍ରତ ବେଦ ଅଧ୍ୟୟନ ଓ ବେଦାର୍ଥ ହୃଦୟଙ୍ଗମ ଫଳରେ ମଧ୍ୟ ଯଜ୍ଞ ସାର୍ଥକ ଓ ପରିପୂର୍ଣ୍ଣ ହୋଇଥାଏ । ଏହି ବେଦଜ୍ଞାନ ମନୁଷ୍ୟକୁ ପବିତ୍ର କରିଥାଏ । ଶ୍ରଦ୍ଧାହୀନ ହୋଇ ଅଗ୍ନିହୋତ୍ର ଯେତେ ଉତ୍କୃଷ୍ଟ ଅନ୍ନ ଆହୁତି ଦେଲେ ହେଁ ଦେବତାଗଣଙ୍କର ତାହା ଅଗ୍ରହଣୀୟ ହୋଇଥାଏ । ଅତଏବ ଶ୍ରଦ୍ଧା ଓ ପବିତ୍ରତା ହିଁ ସୂକ୍ଷ୍ମାତିସୂକ୍ଷ୍ମ ପରମାତ୍ମା ଦର୍ଶନ ଲାଭର ଏକମାତ୍ର ପନ୍ଥା ।

 

ତାର୍କ୍ଷମୂନିଙ୍କ ମନରେ ଥିବା ସମସ୍ତ ସଂଶୟ ଦୂରୀଭୂତ ହୋଇଥିଲା । ସାରମର୍ମ ଭାବେ ମୁନି ଜ୍ଞାତ ହେଲେ ଯେ ବଳରେ ହିଁ ଅପ୍ରାପ୍ୟ ପ୍ରାପ୍ୟ ହେବା ସମ୍ଭବ ଏବଂ ଦାନହିଁ ସର୍ବଶ୍ରେଷ୍ଠ କର୍ମ । ଏ ପର୍ଯ୍ୟନ୍ତ ‘ଲକ୍ଷ୍ମୀ’କୁ ହିଁ ଶ୍ରୀମଣ୍ଡିତା ଏବଂ କମନୀୟତାରେ ଅତୁଳନୀୟା ବୋଲି ଜ୍ଞାତ ହୋଇଥିଲେ, କିନ୍ତୁ ଦେବୀ ସରସ୍ୱତୀଙ୍କର ଅପରୂପା ଲାବଣ୍ୟ ଓ ପ୍ରଜ୍ଞାରେ ଆଶ୍ଚର୍ଯ୍ୟ ହୋଇ ସନ୍ଦେହ ମୋଚନାର୍ଥେ ଦେବୀଙ୍କୁ ‘ଏହା କିପରି ସମ୍ଭବ ବୋଲି’ ପ୍ରଶ୍ନ କରିଥିଲେ । ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦେବୀ ସରସ୍ୱତୀ କହିଲେ, ସେ ଏପର ଅପରୂପା ରୂପ ଉପାସକମାନଙ୍କ ଠାରୁ ହିଁ ପାଇଛନ୍ତି । ଏହି ଉପାସକମାନଙ୍କ ଅପୂର୍ବ ଶ୍ରଦ୍ଧାରେ ସେ ହୋଇଛନ୍ତି ଶ୍ରଦ୍ଧା ଓ ଲାବଣ୍ୟମୟୀ । ଉପାସକମାନଙ୍କର ସଶ୍ରଦ୍ଧ ଅନ୍ନ ନିବେଦନରେ ତାଙ୍କ ଶରୀର ପୁଷ୍ଟ ଓ ତୁଷ୍ଟ ହୋଇଅଛି । ନିଷ୍ଠା ସହିତ ସଂଗୃହୀତ ଉତ୍କୃଷ୍ଟ ସାମଗ୍ରୀ ଯାହା ଏକାତ୍ମ ଭାବରେ ଅଗ୍ନିରେ ଆହୁତି ଦେଇ ଉପାସକମାନେ ତୃପ୍ତି ଲାଭ କରିଥାନ୍ତି ସେହି ତୃପ୍ତିରେ ସେ ହୋଇଛନ୍ତି ତୃପ୍ତିମୟୀ । ପୁନଶ୍ଚ ପ୍ରଜ୍ଞାବାନ ହୋଇ ଉପାସକଙ୍କର ମୁଖମଣ୍ଡଳ ଯେତେବେଳେ ପ୍ରଜ୍ଞାରେ ଉଦ୍‌ଭାସିତ ହୋଇଥାଏ ସେହି କମନୀୟତାରେ ମଧ୍ୟ ସେ ହୁଅନ୍ତି କମନୀୟ ଏବଂ ଯେଉଁ ପ୍ରାଜ୍ଞ ଉପାସକ ଧୀଶକ୍ତି ଧାରଣରେ ଲାବଣ୍ୟମୟ ହୋଇଥାଏ–ଦେବୀ ସେହି ଲାବଣ୍ୟରେ ଲାବଣ୍ୟମୟୀ ହୋଇ ପାରିଛନ୍ତି । କାରଣ ମୂର୍ତ୍ତିମତୀ ପ୍ରଜ୍ଞା ବା ‘ବିଦ୍ୟା’ ଯାବତ୍‌ ସୌନ୍ଦର୍ଯ୍ୟ, କମନୀୟତା ଓ ନମନୀୟତାର ଆଧାର ଅଟେ ।

 

ତାର୍କ୍ଷକ ମୁନି ଅନେକ ସାଧନାନ୍ତେ ଦେବୀଙ୍କ ଦର୍ଶନ ପାଇଥିଲେ । ଦେବୀଙ୍କ ଦର୍ଶନରେ ସନ୍ଦେହମୁକ୍ତ ହୋଇ ଆଦେଶ ଲାଭର ସୁଯୋଗ ଆସିଥିବାରୁ ଚିନ୍ତିତ ମୁନି ପୁନଶ୍ଚ ଜ୍ଞାନନିଷ୍ଠ ଓ କର୍ମନିଷ୍ଠ ଋଷିଗଣ ଯେଉଁ ପରଂବ୍ରହ୍ମ ସାକ୍ଷାତ ଫଳରେ ମୋକ୍ଷ ବା ନିର୍ବାଣ ମୁକ୍ତିଲାଭ କରିଥାନ୍ତି ସେଇ ପରଂବ୍ରହ୍ମଙ୍କ ସ୍ୱରୂପ ସମ୍ବନ୍ଧରେ ଦେବୀଙ୍କୁ ପ୍ରଶ୍ନ ପଚାରିଥିଲେ ।

 

ଉତ୍ତରରେ ଦେବୀ କହିଲେ, ପାର୍ଥିବ ଭୋଗ ବାସନା ପରସ୍ପର ବାଲୁକା ରାଶି ସଦୃଶ ପୃଥକ । ସେହି ବାସନା ପରମାନ୍ନ ସଦୃଶ ଲୋଭନୀୟ । ମାତ୍ର ବାସନାର ପରିମାଣ କର୍ଦ୍ଦମାକ୍ତ ସଦୃଶ ଗ୍ଳାନିଯୁକ୍ତ । ଅନୁସନ୍ଧିତ୍ସୁ ଜାଗ୍ରତ ବିବେକଦ୍ୱାରା ନିଜକୁ ନିର୍ଲିପ୍ତ ରଖି ଧୀଶକ୍ତି ବଳରେ ପାର୍ଥିବ ଶୋକ, ଦୁଃଖ ସନ୍ତାପ ବିମୁକ୍ତ ପ୍ରଜ୍ଞାଶ୍ରୟୀ ହିଁ ସଂସାର ବନ୍ଧନରୁ ମୁକ୍ତିଲାଭ କରିଥାନ୍ତି । ସେହି ବନ୍ଧନମୁକ୍ତ ପୁରୁଷ ହିଁ ଅପରିସୀମ ଆନନ୍ଦ ବା ପରଂବ୍ରହ୍ମ ପ୍ରାପ୍ତ ହୁଅନ୍ତି । ସ୍ୱଅଧ୍ୟାୟ ନିରତ ବ୍ରାହ୍ମଣଗଣ ବ୍ରତ ଓ ପୁଣ୍ୟବଳରେ ଯାହାକୁ ଦର୍ଶନ କରିଥାନ୍ତି; ତପସ୍ୟା ବଳରେ ତପସ୍ୱୀଗଣ ଯାହାକୁ ଲାଭକରି ଶୋକ ବିମୁକ୍ତ ହୋଇଥାନ୍ତି ସେହି ପରାତ୍ପର ପ୍ରଖ୍ୟାତ ସ୍ୱତଃସିଦ୍ଧ ଓ ପୁରାତନ ପଦହିଁ ପରଂବ୍ରହ୍ମ ।

 

ଆଉ କୌଣସି ପ୍ରଶ୍ନ ମୁନି ତାର୍କ୍ଷକଙ୍କ ମନରେ ସନ୍ଦେହ ଜାତ ନ ହେବାରୁ ନିଜକୁ କୃତାର୍ଥ ମନେକରି ମୁନି ଦେବୀଙ୍କୁ ଆଭୂମି ପ୍ରଣାମ ଜଣାଇଥିଲେ ।

Image

 

Unknown

ବିଦୁର–ଧୃତରାଷ୍ଟ୍ର ସମ୍ବାଦ

 

ପାଣ୍ଡବଗଣ ଦ୍ୱାଦଶବର୍ଷ ବନବାସ ଓ ଏକବର୍ଷ ଅଜ୍ଞାତବାସ ବିରାଟ ରାଜଗୃହରେ ଅସୀମ ଧୈର୍ଯ୍ୟ ଏବଂ ବୁଦ୍ଧିମତ୍ତାଦ୍ୱାରା ନିର୍ବିଘ୍ନରେ ସମାପ୍ତ କରିଥିଲେ । ଦୁର୍ଯ୍ୟୋଧନଙ୍କର ସମସ୍ତ ଗୁପ୍ତଚରଙ୍କ କଳ କୌଶଳ କୌଣସି ଫଳପ୍ରଦ ହୋଇ ନଥିଲା । ଯେଉଁଦିନ ଏହି ଅଜ୍ଞାତବାସ ଶେଷ ହୋଇଥିଲା, ସେହି ଦିନ ହିଁ ବିରାଟ ରାଜାଙ୍କର ଅନୁପସ୍ଥିତିରେ କୂଟଚତ୍ରୀ କୌରବଗଣ ବିରାଟ ରାଜାଙ୍କର ଗୋସମ୍ପଦ ହରଣ କରିବାକୁ ଆସିଥିଲେ । ଛଦ୍ମବେଶୀ ଅର୍ଜ୍ଜୁନଙ୍କ ସାହାଯ୍ୟରେ ରାଜପୁତ୍ର ଉତ୍ତର କୁମାର କୌରବମାନଙ୍କୁ ଉଚିତ ଶିକ୍ଷା ଦେଇଥିଲେ ଏବଂ ସେହିଦିନ ହିଁ ଅଜ୍ଞାତବାସ କାଳ ସମାପ୍ତ ହୋଇଥିବାରୁ ଯୁଧିଷ୍ଠିର ନିଜର ଓ ତାଙ୍କ ଭ୍ରାତାମାନଙ୍କର ପରିଚୟ ପ୍ରଦାନ କରିଥିଲେ । ତତ୍ପରେ ବିରାଟ ରାଜା ପାଣ୍ଡବ ଭ୍ରାତାଙ୍କ ପ୍ରକୃତ ପରିଚୟ ଜ୍ଞାତ ହୋଇ ଯଥାଯୋଗ୍ୟ ସମ୍ମାନ ପ୍ରଦର୍ଶନ କରିଥିଲେ ଏବଂ ଅର୍ଜ୍ଜୁନଙ୍କ ପୁତ୍ର ଅଭିମନ୍ୟୁଙ୍କ ସହିତ ବିରାଟ ରାଜକନ୍ୟା ଉତ୍ତରାଙ୍କୁ ପରିଣୟ ସୂତ୍ରରେ ଆବଦ୍ଧ କରି ମହାଉତ୍ସବ ପାଳନ କରିଥିଲେ । ମତ୍ସ୍ୟ ଦେଶଠାରୁ ବିରାଟ ରାଜାଙ୍କ ସମ୍ପର୍କୀୟ ସମସ୍ତ ରାଜାଗଣ ଯୁଧିଷ୍ଠିରଙ୍କର ଆନୁଗତ୍ୟ ସ୍ୱୀକାର କରିଥିଲେ ।

 

ଦୁଃସମ୍ବାଦର ଗତି ବୋଧହୁଏ ବାୟୁଠାରୁ ଦ୍ରୁତତର । ଗୋସମ୍ପଦ ହରଣ କରିବା ସମୟରେ ବିରାଟ ରାଜକୁମାର ‘ଉତ୍ତର’ଙ୍କ ଅନ୍ତରାଳରେ ରହି ଯେଉଁ ଯୋଦ୍ଧା ଅପୂର୍ବ ରଣକୌଶଳ କୌରବଗଣ ପ୍ରତ୍ୟକ୍ଷ କରିଥିଲେ, ସେହିଥିରୁ କୌରବମାନଙ୍କ ମନରେ ଆଶଙ୍କା ଜାତ ହୋଇଥିଲା-। ପାଣ୍ଡବଗଣଙ୍କ ଅଜ୍ଞାତବାସ ସମାପ୍ତ ଖବର ଶୁଣି ସେ ଆଶଙ୍କା ସତ୍ୟରେ ପରିଣତ ହୋଇଥିଲା । ଫଳତଃ କୌରବଗଣଙ୍କର କୁଟିଳ କୂଟନୀତି ବ୍ୟର୍ଥ ହେବାର ଦେଖି ଗାନ୍ଧାର ନନ୍ଦନ ‘ଶକୁନି’ ସୂର୍ଯ୍ୟପୁତ୍ର କର୍ଣ୍ଣ ଓ ଗାନ୍ଧାରୀପୁତ୍ର ଦୁର୍ଯ୍ୟୋଧନ ବିଚଳିତ ହୋଇ ଦୁଃସହ ଭାବନାରେ ବୁଡ଼ି ରହିଲେ । ସବୁଠାରୁ ବେଶୀ ବିଚଳିତ ହୋଇଥିଲେ ସ୍ନେହାନ୍ଧ ଅନ୍ଧ ରାଜା ଧୃତରାଷ୍ଟ୍ର । ବାର୍ତ୍ତାର ସତ୍ୟାସତ୍ୟ ନିରୂପଣ ନିମନ୍ତେ ସେ ଅସ୍ଥିର ହୋଇ ସଠିକ ସମ୍ବାଦ ଆଣିବା ନିମନ୍ତେ ସଞ୍ଜୟକୁ ବିରାଟ ରାଜାଙ୍କ ନିକଟକୁ ପ୍ରେରଣ କରିଥିଲେ । ପାଣ୍ଡୁ ପୁତ୍ରଙ୍କ ନିମନ୍ତେ ଧୃତରାଷ୍ଟ୍ରଙ୍କ ଅନ୍ତରରେ ସ୍ଥାନ ଥିଲେହେଁ କେଜାଣି କହିଁକି ତାଙ୍କର ମନେ ହେଉଥିଲା ପାଣ୍ଡୁପୁତ୍ରଗଣ ଯେତେ ଧାର୍ମିକ, ଶୌର୍ଯ୍ୟ-ବୀର୍ଯ୍ୟପୂର୍ଣ୍ଣ ମହୀୟାନ ହେଲେହେଁ, ହସ୍ତୀନାପୁର ରାଜଐଶ୍ୱର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଭୋଗ କରିବାର ଏକମାତ୍ର ଅଧିକାର କେବଳ କୌରବପୁତ୍ରଙ୍କର ଅଛି । ଦୁର୍ଯ୍ୟୋଧନ ଓ ଦୁଃଶାସନ ଆଦିଙ୍କର ଅନ୍ୟାୟ ଯାଚଜ୍ଞା ଯେତେ କୁଟିଳତାପୂର୍ଣ୍ଣ ଥିଲେହେଁ ଧୃତରାଷ୍ଟ୍ର ତାଙ୍କ ବିବେକକୁ ଦମନ କରି ଜାଣିଶୁଣି ସେମାନଙ୍କର ଅନ୍ୟାୟ ଇଚ୍ଛାକୁ ଏପର୍ଯ୍ୟନ୍ତ ପ୍ରଶ୍ରୟ ଦେଇ ଆସିଛନ୍ତି । କିନ୍ତୁ ବର୍ତ୍ତମାନ କଣ କରିବେ ରାଜା ? ସମ୍ବାଦ ଶୁଣିବା ମାତ୍ରେହିଁ ସଞ୍ଜୟଙ୍କୁ ପାଣ୍ଡବଗଣଙ୍କ ସହିତ ସାକ୍ଷାତ କରି ସମ୍ବାଦ ଆଣିବା ନିମନ୍ତେ ପଠାଇଥିଲେ । ସଞ୍ଜୟ ମଧ୍ୟ କାଳବିଳମ୍ବ ନକରି ଉପପ୍ଳବ୍ୟ ପ୍ରଦେଶକୁ ଯାଇ ପାଣ୍ଡବଙ୍କ ସହିତ ମିଳିତ ହୋଇ ଫେରି ଆସିଛନ୍ତି । ଧୃତରାଷ୍ଟ୍ରଙ୍କ ସହିତ ଦେଖା ମଧ୍ୟ କରିଛନ୍ତି ସଞ୍ଜୟ । ଯାତାୟତର କ୍ଳାନ୍ତି ବିନୋଦନ ନିମନ୍ତେ ଧୃତରାଷ୍ଟ୍ର ସଞ୍ଜୟଙ୍କୁ ବିଶ୍ରାମ ନିମନ୍ତେ ଆଦେଶ ଦେବା ସମୟରେ ଯେପରି ଏକ ଅଶୁଭ ଇଙ୍ଗିତର ସଙ୍କେତ ପାଇଛନ୍ତି । ଯେତେଟିକେ ସଞ୍ଜୟଙ୍କ ନିକଟରୁ ରାଜା ଶୁଣିଛନ୍ତି ସେଥିରେ ଯେପରି ଅନ୍ୟ ଏକ ସୁରର ଆଭାସ ସେ ପାଇଛନ୍ତି । ବିଶ୍ରାମ ପାଇଁ ଯିବା ପୂର୍ବରୁ ସଞ୍ଜୟ କହିଗଲେ ‘‘କାଲି ସକାଳେ ରାଜଦରବାରରେ ମୋ ବକ୍ତବ୍ୟ କହିବି ।’’

 

ଏ କଥା ଶୁଣି ସାରିବା ପରେ କିପରି ଏକ ଶିଥିଳତା ଗ୍ରାସ କରିଛି ଧୃତରାଷ୍ଟ୍ରଙ୍କୁ । କାହିଁକି ସଞ୍ଜୟ ସଙ୍ଗେ ସଙ୍ଗେ ତାଙ୍କୁ ପୂର୍ଣ୍ଣ ସମ୍ବାଦ ନଜଣେଇ ରାଜଦରବାରରେ କହିବେ ବୋଲି ଶୁଣାଇଲେ-? ଏହି ଭାବନାରେ ଧୃତରାଷ୍ଟ୍ର ଚିନ୍ତାମଗ୍ନ ହୋଇ ଅସ୍ଥିର ହୋଇ ଉଠିଥିଲେ । ଅତିଥିବତ୍ସଳ ଯୁଧିଷ୍ଠିରଙ୍କର ଆତିଥେୟତା, ସମ୍ମାନୀୟ ବ୍ୟକ୍ତିଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ ଏବଂ ଯୁଧିଷ୍ଠିରଙ୍କର କମନୀୟ ମନୋଭାବ ଧୃତରାଷ୍ଟ୍ରଙ୍କର ଅଜଣା ନଥିଲା । ଏ କଥା ମଧ୍ୟ ଜାଣିଥିଲେ ଯେ ପାଣ୍ଡୁପୁତ୍ର ଯୁଧିଷ୍ଠିର ଯେତେ ନମନୀୟ ହେଲେହେଁ ନ୍ୟାୟ ଓ ସତ୍ୟ ଧର୍ମରେ ସେ ଅବିଚଳ ଥାଇ ପ୍ରାଣ ବିସର୍ଜନ କରିବା ନିମନ୍ତେ କୁଣ୍ଠାବୋଧ କରିବେ ନାହିଁ । ସଞ୍ଜୟ ରାଜସଭାରେ କି ବକ୍ତବ୍ୟ ଦେବେ ଏହି ବିଷୟରେ ଧୃତରାଷ୍ଟ୍ର ମନେ ମନେ କଳ୍ପନା କରୁଥିଲେ । ଏପରି ମଧ୍ୟ ହୋଇପାରେ ଯେ ପାଣ୍ଡବଗଣଙ୍କର ପୁରାତନ ଦାବି ହିସାବରେ ହସ୍ତୀନାପୁର ନମାଗି ତା’ ପରିବର୍ତ୍ତେ ପାଞ୍ଚଭାଇଙ୍କ ନିମନ୍ତେ ପାଞ୍ଚଖଣ୍ଡ ଗ୍ରାମ ଯଥା–ଅବିସ୍ଥଳ, ବୃକସ୍ଥଳ, ମାକଳୀ, ବାରଣାବତ ଆଉ ଯେ କୌଣସି ଗୋଟିଏ ଗ୍ରାମ ବା ଇନ୍ଦ୍ରପସ୍ଥ ଫେରାଇ ଦେବା ନିମନ୍ତେ ଦାବି ମଧ୍ୟ ରଖିପାରନ୍ତି । ଅନର୍ଥକ ସଂଘାତ, ଜ୍ଞାତିବିରୋଧ, ଲୋକକ୍ଷୟ ନକରି ଯେତିକି ନ୍ୟାୟସଂଗତ ସେତିକି ନେବାର ଦାବୀ ମଧ୍ୟ ପାଣ୍ଡୁପୁତ୍ର ପଣ କରିପାରନ୍ତି । ଯଦି ତାହାହିଁ ହୁଏ ସେ କାଲି ରାଜସଭାରେ କି ଉତ୍ତର ଦେବେ ? ଦାବି ମାନନେବା ନିମନ୍ତେ ନିଶ୍ଚୟ ସଞ୍ଜୟ ଆଦି ପାର୍ଶ୍ୱଚର ଗଣ ଅନୁରୋଧ ଜଣାଇପାରନ୍ତି । କାରଣ ପାଣ୍ଡୁପୁତ୍ରଙ୍କର ଦାବି ନ୍ୟାୟ ସଙ୍ଗତ । ଏହି ସବୁ କଥା ମନେ ମନେ ଚିନ୍ତାକରିବା ସମୟରେ ସେ ହଠାତ୍‌ ନିଜକୁ ନିଃସଙ୍ଗ ଓ ଅସହାୟ ମନେକଲେ । ପଥ ନିର୍ଦ୍ଦେଶକ ନିଜ କନିଷ୍ଠ ଭ୍ରାତା ବିଦୁରକୁ ସ୍ମରଣ କଲେ । ପୁତ୍ର ଦୁର୍ଯ୍ୟୋଧନ ପିତୃବ୍ୟ ବିଦୁରଙ୍କ କଥା ଉପେକ୍ଷା କରି ମାତୁଳ ଶକୁନି ଓ ସୁତପୁତ୍ର କର୍ଣ୍ଣଙ୍କ ପରାମର୍ଶରେ ଚାଲୁଥିଲେ ହେଁ ଧୃତରାଷ୍ଟ୍ର ବିଦୁରଙ୍କ ମନନଶୀଳତା ଓ ଦୂରଦର୍ଶିତା ହିଁ କେବଳ ବର୍ତ୍ତମାନ ତାଙ୍କର ବିବେକ ଶାନ୍ତ କରିପାରିବ, ଏ କଥା ବୁଝିପାରି ବିଦୁରଙ୍କୁ ତତ୍‌କ୍ଷଣାତ୍‌ ଆସିବା ନିମନ୍ତେ ଦୂତ ପଠାଇଥିଲେ । କାଳବିଳମ୍ବ ନକରି ଧୃତରାଷ୍ଟ୍ରଙ୍କୁ ବିଦୁର ସେହି ସମୟରେ ସାକ୍ଷାତ କରିଥିଲେ ।

 

ବିଦୁରଙ୍କୁ ଦେଖିବାକ୍ଷଣି ଧୃତରାଷ୍ଟ୍ର ସଞ୍ଜୟ ଫେରିଆସିବା କଥା ଜଣାଇ କହିଲେ ‘‘ବିଦୁର କାଲି ରାଜଦରବାରରେ ତାଙ୍କ ବକ୍ତବ୍ୟ ଦେବେ ବୋଲି କହିଯାଇଛନ୍ତି । ଏହା ଶୁଣିବାକ୍ଷଣି ମୋ ମନ ଏକପ୍ରକାର ଅଶାନ୍ତି ଜାତ ହୋଇଛି ଯା’ ଫଳରେ ଏହି ବିନିଦ୍ର ରଜନୀ ମୋତେ ଦୁଶ୍ଚିନ୍ତାରେ ପକାଇ ଜାଳି ପୋଡ଼ି ଦେଉଛି । ଭାଇ ବିଦୁର ମୁଁ ଏ ଅଶାନ୍ତିରୁ କିପରି ମୁକ୍ତ ହେବି ସେହି ଉପାୟ ମୋତେ ବତାଇଦିଅ ।

 

ବିଦୁର କହିଲେ, ରାଜନ୍‌ ! ଆପଣଙ୍କର ଏହି ବିଚଳିତ ଭାବ ଦେଖି ଗୋଟିଏ କଥା ମୁଁ କହିବାକୁ ଚାହୁଁଛି । ଯଦି ଅପରାଧ ନ ନିଅନ୍ତି ତାହେଲେ କହିବି । ଏଇ କଥାପରେ ଧୃତରାଷ୍ଟ୍ରଙ୍କ ଠାରୁ ଅନୁମତି ପାଇ ବିଦୁର କହିଲେ, ମହାରାଜା, ଯେଉଁ ମନୁଷ୍ୟ ବଳବାନଙ୍କ ସହିତ ବିଦ୍ରୋହ କରି ହୃତସର୍ବସ୍ୱ ସହାୟହୀନ ଓ ଦୁର୍ବଳ ହୋଇଥାନ୍ତି ସେହିମାନେ ହିଁ ବିନିଦ୍ର ରଜନୀ ଯାପନ କରି ବ୍ୟାକୁଳିତ ହୁଅନ୍ତି । ଆଉରି ମଧ୍ୟ ନିଦ୍ରା ଆସେ ନାହିଁ ସେହିମାନଙ୍କୁ ଯେଉଁମାନେ ଚୌର୍ଯ୍ୟବୃତ୍ତି ଅବଲମ୍ବନ କରନ୍ତି ଏବଂ ଯେଉଁମାନେ ପରଧନ ଲୋଲୁପ ହୋଇଥାନ୍ତି । ମହାରାଜ କଣ ସେପରି ଦୋଷରେ ଦୋଷୀ ହୋଇଛନ୍ତି କି ? ଧୃତରାଷ୍ଟ୍ର କହିଲେ, ଏଇ ବୃଦ୍ଧ ବୟସରେ ଯେ ଶତପୁତ୍ରଙ୍କର ପିତା ତାର ଏଇଜାତୀୟ ଦୋଷ ହେବା କିପରି ସମ୍ଭବ ।

 

ବିଦୁର କହିଲେ ‘ମହାରାଜ, ବୟସ କେବେହେଁ ସମ୍ଭବ ଓ ଅସମ୍ଭବ ମଧ୍ୟରେ ସୀମାବଦ୍ଧ ନୁହେଁ’ । ମୋହ କେବେହେଁ ସମୟ ଅପେକ୍ଷାରେ ନଥାଏ । କେବଳ ମୋହଗ୍ରସ୍ତ ମନୁଷ୍ୟ ହିଁ ମାନସିକ ବିଭୀଷିକାର ଶିକାର ହୋଇଥାନ୍ତି । ଆପଣ ମୋହଗ୍ରସ୍ତ ହୋଇନାହାନ୍ତି କି ? ସ୍ଥିର ଚିତ୍ତରେ ଆତ୍ମନୁଶୀଳନ କଲେ ବୁଝିପାରିବେ ।

 

ଧୃତରାଷ୍ଟ୍ର ଚେତନା ଫେରି ପାଇବା ସଦୃଶ ପଚାରିଲେ ମୋହଗ୍ରସ୍ତ ? ଏପରି କାହିଁକି କହୁଛ ବିଦୁର । ମାନସିକ ଚାଞ୍ଚଲ୍ୟ ମୋର ଏତେ ବେଶୀ ଯେ କୌଣସି ବିଷୟରେ ଚିନ୍ତା କରିବା ମୋ ପକ୍ଷରେ ଅସମ୍ଭବ ହୋଇ ପଡ଼ିଛି । କେଉଁ ଅପରାଧରେ ଏପରି ନରକ ଯନ୍ତ୍ରଣା ଭୋଗିବାକୁ ହେଉଛି ସେକଥା ଦୟାକରି ମୋତେ କୁହ ।

 

ବିଦୁର କହିଲେ, ମହାରାଜ ଆପଣ ଅନ୍ଧ ହୋଇଥିଲେ ହେଁ ଅବିଦ୍ୱାନ କି ଅଜ୍ଞାନୀ ନୁହନ୍ତି-। ଏ କଥା ମଧ୍ୟ ଆପଣ ଜାଣିଥିବେ ଯେ ଜ୍ଞାନୀ କେବେହେଁ ସତ୍ୟକୁ ଅନାଦର, ଅବହେଳା କରିପାରେ ନାହିଁ । ଜ୍ଞାନୀମାନଙ୍କର ସତ୍ୟହିଁ ପରମ ଆଶ୍ରୟ । ଯାହାକୁ ଅବଲମ୍ବନ କରି ଜ୍ଞାନୀଗଣ ମାନସିକ ଭୀତି, ଆଶଙ୍କା ଓ ଭୟକୁ ଦୂର କରିଦେଇ ପାରନ୍ତି । କିନ୍ତୁ ମହାରାଜ ଆପଣ ଆତ୍ମବିଶ୍ଳେଷଣ କରି ଦେଖନ୍ତୁ ନା ସେହି ସତ୍ୟକୁ କ’ଣ ଆପଣ ଆଶ୍ରୟ କରିଛନ୍ତି ?

 

ଧୃତରାଷ୍ଟ୍ର କହିଲେ ଯେପରି କିଛି ତ୍ରୁଟି ସେ କରି ନାହାନ୍ତି । ଯଦି କିଛି ତୃଟି ଲକ୍ଷ୍ୟ କରିଛ ତାହେଲେ ବିଦୁର ସେକଥା ମୋ ନିକଟରେ ପ୍ରକାଶ କର ।

 

ବିଦୁର କହିଲେ, ମହାରାଜ, ତ୍ରୁଟି ନିଶ୍ଚୟ ଅଛି ଏବଂ ସେହି ତ୍ରୁଟି କଣ ଆପଣ ମଧ୍ୟ ଜାଣନ୍ତି ଏବଂ ପ୍ରକାଶିତ ସତ୍ୟର ଆଲୋକରେ ସେହି ତ୍ରୁଟି ଆଜି କରାଳମୂର୍ତ୍ତି ଧାରଣ କରି ଆପଣଙ୍କୁ ବିଚଳିତ କରିଛି । ପୁନଶ୍ଚ ବିଦୁର କହିଲେ, ମହାରାଜ, ପାଣ୍ଡୁପୁତ୍ରଗଣ କେବେହେଁ ଅସଦାଚାରୀ ବା ଅଧାର୍ମିକ ନଥିଲେ । ସେମାନେ ଆପଣଙ୍କୁ ସେମାନଙ୍କର ପିତାଙ୍କ ଆସନ ଦେଇ ଯଥାଯୋଗ୍ୟ ସମ୍ମାନ ମଧ୍ୟ ଦେଇ ଆସିଥିଲେ । ସଦା ସର୍ବଦା ଆପଣଙ୍କ ଆଦେଶ ଉପଦେଶ ଅପେକ୍ଷାରେ ରହିଥିଲେ । ଏତିକି ଶୁଣିବା ପରେ ଧୃତରାଷ୍ଟ୍ର କହିଲେ, ଏ କଥା ତୁମର ସବୁ ସତ୍ୟ ଏବଂ ଏହି କଥା ମୁଁ ସ୍ୱୟଂ ଅନୁଭବ କରିଛି । ବରଂ ନିଜର ଜନ୍ମିତ ପୁତ୍ରମାନଙ୍କର ଆନ୍ତରିକତାରେ କିଛି ସନ୍ଦେହ ପ୍ରକାଶ କରିହୁଏ ମାତ୍ର ପାଣ୍ଡୁପୁତ୍ରଙ୍କର ଆନ୍ତରିକତା ଅନାବିଳ ।

 

ଏ କଥା ଶୁଣି ବିଦୁର କହିଲେ ‘‘ଯଦି ଏହାହିଁ ସତ୍ୟ, ତାହେଲେ ଆପଣ ସେହି ପାଣ୍ଡୁପୁତ୍ରଗଣଙ୍କୁ ଆପଣଙ୍କ ପୁତ୍ର ଦୁର୍ଯ୍ୟୋଧନ, କୁଚକ୍ରୀ ଶକୁନି ଓ ସୂତପୁତ୍ର କର୍ଣ୍ଣଙ୍କ ପରାମର୍ଶ କ୍ରମେ ନାଯ୍ୟ ଅଧିକାରରୁ ବଞ୍ଚିତ କରି କିପରି ବନବାସକୁ ପ୍ରେରଣ କରିଥିଲେ ? କୁହନ୍ତୁ ମହାରାଜ, ଆପଣ କଣ ପ୍ରକୃତରେ ବିବେକୀ ହୃଦୟରେ ଏସବୁ କରିଥିଲେ ? ନିଶ୍ଚୟ ନୁହେଁ । ସେଥିପାଇଁ କୌଣସି ବିବେକବାନ ମନୁଷ୍ୟ ଯେତେବେଳେ ସତ୍ୟକୁ ଉପେକ୍ଷା କରି ଅସ୍ୱୀକାର କରେ ଏବଂ ସେହି ସତ୍ୟ ଯେତେବେଳେ ନିଜ ତେଜରେ ସ୍ୱପ୍ରକାଶ କରେ, ସେତେବେଳେ ଉପେକ୍ଷାକାରୀ ଦଗ୍‌ଧ ହେବା ସ୍ୱଭାବିକ୍‌ । କାରଣ ମହାରାଜ ଏହାହିଁ ସତ୍ୟର ଧର୍ମ ।

 

ଏ କଥା ଶୁଣି ଅନ୍ଧ ଧୃତରାଷ୍ଟ୍ର କହିଲେ, ବିଦୁର ତୁମ୍ଭେ ନୀତିବାନ୍‌ । ଅତଏବ ଉଚିତ କଥା କହିବାହିଁ ତୁମ୍ଭର ସ୍ୱଭାବ ଧର୍ମ । ପାଣ୍ଡବ ଅଗ୍ରଜ ଯୁଧିଷ୍ଠିର ନିଶ୍ଚୟ ଅତୁଳନୀୟ । ଶୌର୍ଯ୍ୟରେ ବୀର୍ଯ୍ୟରେ ପାଣ୍ଡୁପୁତ୍ରଗଣ ସର୍ବଦା ସହୃଦୟ ଓ କଲ୍ୟାଣକାମୀ । କିନ୍ତୁ ତଥାପି–ଏତିକି କହି ଧୃତରାଷ୍ଟ୍ର ଚୁପ୍‌ ହୋଇଥିଲେ ।

 

ବିଦୁର କହିଲେ, ମୁଁ ମହାରାଜ, ଏହା ‘ତଥାପି’ ଆପଣଙ୍କ ସତ୍ତାକୁ ଗ୍ରାସ କରିଛି । ଏହି ‘ତଥାପି’ ନିମିତ୍ତ ଆପଣ ପଣ୍ଡିତ ହୋଇ ମଧ୍ୟ ଆଜି ସାଧାରଣ ଓ ଅର୍ବାଚୀନ ମନୁଷ୍ୟ ସ୍ୱଭାବ ଧାରଣ କରିଛନ୍ତି । ରାଜଧର୍ମ ନ୍ୟାୟ ଓ ନୀତିଧର୍ମରୁ ଆଜି ବଞ୍ଚିତ ହୋଇଛନ୍ତି । ମୋହଗ୍ରସ୍ଥ ସାଧାରଣ ମନୁଷ୍ୟ ସଦୃଶ ଆଜି ଆପଣ ନିଦାରୁଣ ଅଶାନ୍ତିରେ କାଳ କାଟୁଛନ୍ତି । କିନ୍ତୁ ମହାରାଜ, ଏହି ଅଶାନ୍ତି ଯାହା ଆଜି ଆପଣଙ୍କୁ ଗ୍ରାସ କରିଛି ତାହା ଦିନେ ଦାବାନଳ ରୂପ ଧାରଣ କରି ସମସ୍ତଙ୍କୁ ଜାଳି ଛାରଖାର ନକରି ନିର୍ବାପିତ ହେବନାହିଁ ।’’ ଧୃତରାଷ୍ଟ୍ର ବିଦୁରଙ୍କ କଥାଶୁଣି କହିଲେ, ବିଦୁର, ତୁମ୍ଭ କଥା ଏକାନ୍ତ ଯଥାର୍ଥ । କିନ୍ତୁ ବିଦୁର କହିଲେ ପୁନଶ୍ଚ ‘କିନ୍ତୁ’ କାହିଁକି ମହାରାଜ ? କ୍ରୋଧ ଔଦ୍ଧତା ଓ ଦମ୍ଭନେଇ ଯେଉଁମାନେ ନିଜକୁ ମହୀୟାନ ମନେକରନ୍ତି ବାସ୍ତବରେ କଣ ସେମାନେ ମହାନ ? ଯେଉଁମାନେ ସ୍ୱାର୍ଥନ୍ୱେଷୀଙ୍କୁ ମିତ୍ର କରି ପ୍ରକୃତ ମିତ୍ରଙ୍କୁ ଶତ୍ରୁ ହେବା ନିମନ୍ତେ ବାଧ୍ୟ କରିଥାନ୍ତି ସେମାନେ କଣ ବୁଦ୍ଧିବାନ ବୋଲି ଆପଣ ଭାବନ୍ତି ? ବଳବାନଙ୍କ ସହିତ ଯେଉଁମାନେ ଈର୍ଷାପରାୟଣ ହୋଇ ବିରୋଧ କରିଥାନ୍ତି ସେମାନେ କେବେହେଁ ସ୍ଥିର ହୋଇ ରହିପାରି ନଥାନ୍ତି ।

 

ଧୃତରାଷ୍ଟ୍ର ବିଦୁରଙ୍କ ଏପରି କଥାରେ ପଚାରିଲେ, ବଳବାନ ବୋଲି କାହାକୁ କହୁଛ ? ତୁମ୍ଭର ଉକ୍ତି ନିଶ୍ଚୟ ପାଣ୍ଡୁ ପୁତ୍ରଙ୍କ ପ୍ରତି ଉଦ୍ଦିଷ୍ଟ ? କିନ୍ତୁ ପାଣ୍ଡୁ ପୁତ୍ରଗଣଙ୍କ ତୁଳନାରେ କୌରବଗଣ କଣ ହୀନବଳ ?

 

ବିଦୁର କହିଲେ, ମହାରାଜ, ମୋହାନ୍ଧ ହୋଇ ଆପଣ ନୀତିଜ୍ଞ ହେଲେ ମଧ୍ୟ ନୀତିକୁ ଆଶ୍ରୟ କରିପାରୁ ନାହାନ୍ତି । ଶାରୀରିକ ବା ଅସ୍ତ୍ରବଳରେ ବଳୀୟାନମାନଙ୍କୁ ଯଦି ବଳବାନ ବା ମହାବଳ କୁହାଯାଏ ତାହେଲେ କେବଳ ତୃତୀୟ ପାଣ୍ଡବଙ୍କ ଶୌର୍ଯ୍ୟବୀର୍ଯ୍ୟ ପରାକ୍ରମ ଆପଣଙ୍କ ପୁତ୍ରମାନେ ବିରାଟ ରାଜାଙ୍କ ଗୋସମ୍ପଦ ହରଣ ସମୟରେ ହିଁ ପ୍ରତ୍ୟକ୍ଷ କରିଛନ୍ତି । ନା ମହାରାଜ ବଳବାନଙ୍କର ବିଚାର ଏପରି କରାଯାଏ ନାହିଁ । ଯେଉଁ ବ୍ୟକ୍ତି ସଂକଳ୍ପରେ ଅବିଚଳ ରହି ମନକୁ ସଂଯତ ଲକ୍ଷାଭିମୁଖୀ କରି ଈର୍ଷାକୁ ପ୍ରଶ୍ରୟ ଦେଇ ନଥାଏ ଏବଂ ଆତ୍ମଜ୍ଞାନ, ଦୟା, କ୍ଷମା, ଉଦ୍ୟୋଗ ଓ ସତ୍ୟକୁ ଆଶ୍ରୟ କରିଥାଏ ସେ ହିଁ ପ୍ରକୃତ ବଳବାନ । ସାର୍ଥକ ବଳବାନ ବ୍ୟକ୍ତି କେବେହେଁ ଚପଳତା, ଅସ୍ଥିରତା ପ୍ରଶ୍ରୟ ଦିଏ ନାହିଁ । ଧୈର୍ଯ୍ୟ, ସ୍ଥୈର୍ଯ୍ୟ, କ୍ଷମା ଏବଂ ସୁହୃତ ବାକ୍ୟହିଁ ହେଲା ବଳବାନଙ୍କର ସମାଶ୍ରୟ । ୟା ପରେ ମଧ୍ୟ କଣ ଆପଣ ତୁଲ୍ୟ ମୂଲ୍ୟ ବିଚାରରେ ମହାରାଜ ପାଣ୍ଡୁ ପୁତ୍ରଗଣଙ୍କୁ ଦୁର୍ବଳ ଏବଂ ରାଜସିଂହାସନ ଆରୂଢ଼ ହୋଇ ପ୍ରଜା ପାଳନରେ ଅକ୍ଷମ ବୋଲି କହିପାରିବେ ?

 

ଅନ୍ଧ ଧୃତରାଷ୍ଟ୍ର ନିର୍ବାକ ରହିଥିଲେ ଓ ତାଙ୍କର ମଣିହୀନ ଚକ୍ଷୁ ଗୋଲକ ମୁହୂର୍ତ୍ତକ ନିମନ୍ତେ ତ୍ରୀବ ଭାବରେ ଇତସ୍ତତ ହୋଇ ଉଠିଲା । ଧୃତରାଷ୍ଟ୍ରଙ୍କୁ ନୀରବ ଦେଖି ପୁନଶ୍ଚ ବିଦୁର କହିଲେ, ମହାରାଜ, ଆପଣ ଦୃଷ୍ଟିହୀନ, ସେଥିପାଇଁ ଅନେକ ବସ୍ତୁ ଆପଣଙ୍କ ଚକ୍ଷୁ ଅନ୍ତରାଳରେ ରହି ଯାଇଛି । ଅନ୍ତର୍ଦୃଷ୍ଟି ଦେଇ ଆପଣ ଯେତିକି ବି ଦେଖିପାରନ୍ତେ ତାହା ସ୍ନେହ ରୂପକ କଜ୍ଜଳର କାଳିମାରେ ଢାଙ୍କି ହୋଇ ଯାଉଛି । ଆପାତ ଦୃଷ୍ଟିରେ ଆପଣ ନିଜ ପୁତ୍ରଙ୍କୁ ବଳବାନ ଓ ପ୍ରଜାନୁରକ୍ତ ମନେ କରିଥିଲେ ହେଁ ବାସ୍ତବିକ୍‌ ବିପରୀତ ହିଁ ବାସ୍ତବ । କୁମନ୍ତ୍ରଣାର ଜାଲରେ ଆବଦ୍ଧ ରହି ଯେଉଁମାନେ ଆତ୍ମଶ୍ଲାଘ୍ୟର ବିଷ ପାନକରନ୍ତି ସେମାନେ କେବେହେଁ ବିଷକ୍ରିୟା ହସ୍ତରୁ ନିଷ୍କୃତି ପାଆନ୍ତି ନାହିଁ । ଏହି ଆତ୍ମଶ୍ଲାଘ୍ୟହିଁ ସେମାନଙ୍କୁ ସର୍ବଗ୍ରାସୀ କରିଦିଏ । ଧନସମ୍ପଦ ସମବଣ୍ଟନରେ ଯେଉଁ ସମଦର୍ଶିତାର ଆନନ୍ଦ ମିଳିଥାଏ ତାହା ସେମାନେ କେବେହେଁ ଲାଭ କରି ପାରନ୍ତି ନାହିଁ । ବରଂ ଧୀରେ ଧୀରେ ନିଜରୁ ଲୋକସମାଜରୁ ବିଚ୍ଛିନ୍ନ କରି ଅପମୃତ୍ୟୁରେ ପଡ଼ିଥାନ୍ତି । ମହାରାଜ ଆପଣ ଆପଣଙ୍କ ପୁତ୍ରକୁ ବୀର ପ୍ରଜାପାଳକ ଭାବେ ମନେ କଲେହେଁ ବୁଦ୍ଧିମାନଙ୍କ ହସ୍ତରେ ନିଶ୍ଚୟ ଦିନେ ନା ଦିନେ ନିଗ୍ରହ ହେବାହିଁ ସେମାନଙ୍କର ଶେଷ ପରିଣତି ହେବ । ଏବେ ମଧ୍ୟ ସମୟ ଅଛି, ଆପଣ ରାଜୋଚିତ କର୍ତ୍ତବ୍ୟ ପାଳନକରି ଏହି ଆସନ୍ନ ସଂକଟକୁ ଏଡ଼ାଇଦେଇ ପାରିବେ ।

 

ମହାରାଜ ଧୃତରାଷ୍ଟ୍ର ବିଦୁରଙ୍କ କଥା ନୀରବ ଭାବରେ ଶୁଣୁଥିଲେ । ଶେଷରେ କହିଲେ, ବିଦୁର ତୁମ କଥା ନିରାଟ ସତ୍ୟ ହେଲେହେଁ ମୋର ଏହି ଦୁର୍ବଳ ପିତୃ ହୃଦୟ ନେଇ କିପରି ଏ ସଂକଟ ଏଡ଼ାଇ ପାରିବି ? ବିଦୁର କହିଲେ, ମହାରାଜ ଆତ୍ମପ୍ରସାଦ ଲାଭ ନିମନ୍ତେ ଗୋଟିଏ ମାତ୍ର ପଥ ଅଛି ଯାହାକି ଆପଣ ସମସ୍ତ ଅଗ୍ରାହ୍ୟ କରି ଯାହା ସତ୍ୟ ନ୍ୟାୟ ଧର୍ମୋଚିତ ତାକୁହିଁ ଆଶ୍ରୟ କରନ୍ତୁ । ନାବିକ ଯେପରି ନିର୍ଭୟରେ ନଦୀପାର ହେବାର ଆନନ୍ଦ ଏକମାତ୍ର ନୌକାକୁ ଅବଲମ୍ବନ କରି ଉପଭୋଗ କରିଥାଏ, ସେହିପରି ଏହି ସଂସାର ରୂପୀ ସାଗରରୁ ପାର ହେବା ନିମନ୍ତେ ଏକମାତ୍ର ସତ୍ୟକୁହିଁ ଅବଲମ୍ବନ କରାଯାଏ ।

 

ମନୁଷ୍ୟ ଜନ୍ମକାଳରୁ କାମ-କ୍ରୋଧ-ଲୋଭ-ମୋହ ମଦ, ମାତ୍ସର୍ଯ୍ୟ ନାମରେ ଯେ ଛଅଗୋଟି ରିପୁର ତାଡ଼ନା ଭୋଗ କରିଥାଏ ସେହି ରିପୁକୁ କୌଣସି ମତେ ପ୍ରଶ୍ରୟ ନଦେଇ ଏକୟା ଦ୍ୱୈ ବିନିଶ୍ଚିତ୍ୟ ତ୍ରିଂଶ୍ଚତୁର୍ଭିବିଶେ କୁରୁ । ପଞ୍ଚ ନିତ୍ୱା ବିଦିତ୍ୱ ଷଟ୍‌ ସପ୍ତ ହିତ୍ୱା ସୁଖୀ ଭବ’’ । ଅର୍ଥାତ୍‌ ଏକକୁ ଅବଲମ୍ବନ କରି ଦୁଇକୁ ନିଶ୍ଚିତ କରନ୍ତୁ । ଅର୍ଥାତ୍‌ ବୁଦ୍ଧିଦ୍ୱାରା ପ୍ରଥମେ କର୍ତ୍ତବ୍ୟ ଏବଂ ଅକର୍ତ୍ତବ୍ୟ ସ୍ଥିର କରନ୍ତୁ । ତତ୍‌ପରେ ଚାରି ସାହାଯ୍ୟରେ ତିନିକୁ ବଶୀଭୂତ କରନ୍ତୁ । ଅର୍ଥାତ୍‌ ରାଜନୀତିର ସାମ-ଦାମ-ଭେଦ-ଦଣ୍ଡ ସାହାଯ୍ୟରେ ଶତ୍ରୁ ମିତ୍ର ଏବଂ ଉଦାସୀନ ବ୍ୟକ୍ତିଙ୍କୁ ବଶ କରନ୍ତୁ-। ଏଥିରେ ଯେପରି ଆପଣଙ୍କର କ୍ଷେତ୍ର ପ୍ରସ୍ତୁତ ହେବ ତାହାଦ୍ୱାରା ଆପଣ ସହଜରେ ପାଞ୍ଚକୁ ଅର୍ଥାତ୍‌ ଆମ୍ଭର ଜନ୍ମଗତ ପାଞ୍ଚ ଇନ୍ଦ୍ରିୟକୁ ଆୟତରେ ରଖି ଷଷ୍ଠକୁ ଭଲ ଭାବରେ ଜ୍ଞାତ ହେବା ଅର୍ଥାତ୍‌ ରମଣୀ, ପଶାଖେଳ, ମୃଗୟା, ସୁରା ପୁରୁଷବାକ୍ୟ–ନିର୍ମମ ଦଣ୍ଡବିଧାନ ଏବଂ ନିଜେ ଉଦ୍ୟୋଗହୀନ ରହି ଅପର ସାହାଯ୍ୟରେ ଧନଉପାର୍ଜନରେ କି ବିଚ୍ୟୁତି ଘଟିଥାଏ ତାହା ଜାଣି ପରିତ୍ୟାଗ କରନ୍ତୁ, ତେବେଯାଇ ଆତ୍ମପ୍ରସାଦ ଲାଭ କରି ଆପଣ ସୁଖୀ ହୋଇପାରିବେ । ଏହା କହି ବିଦୁର କ୍ଷଣକାଳ ଚୁପ୍‌ ରହିଥିଲେ । ମନେହେଲା ଯେପରି ଅନ୍ଧ ଧୃତରାଷ୍ଟ୍ର ବିଦୁରଙ୍କ କଥାଗୁଡ଼ିକ ମନେ ମନେ ଆବୃତ୍ତି କରିଚାଲିଛନ୍ତି । ପୁନଶ୍ଚ ବିଦୁର କହିଲେ, ଏକମେବାଦ୍ୱୀଚୟମ୍‌ ତଦ୍‌ ଯଦ୍‌ ରାଜନ୍‌ ନାବବୁଧ୍ୟସେ । ସତ୍ୟଂ ସ୍ୱର୍ଗସ୍ୱ ସୋପାନଂ ପାରାବାରସ୍ୟ ନୌରିବ । ଅର୍ଥାତ୍‌ ସମୁଦ୍ର ଅତିକ୍ରମ କରିବାକୁ ହେଲେ ନୌକାହିଁ ଯେପରି ଏକମାତ୍ର ସମ୍ୱଳ ସେପରି ସ୍ୱର୍ଗ ସୁଖକାମୀ ନିମନ୍ତେ ସତ୍ୟହିଁ ଏକମାତ୍ର ସେପାନ ଅଟେ । ସେହି ସତ୍ୟ ଓ ରାଜନୀତି ଆଶ୍ରୟକରି ମମତ୍ୱ ରୂପ ଇନ୍ଦ୍ରିୟକୁ ଦମନ କରି ଏବଂ ଜାଗ୍ରତ ବୁଦ୍ଧି ବଳରେ ମୋହମୁକ୍ତ ହୋଇ ଅନୁଗତ ପାଣ୍ଡବମାନଙ୍କୁ ନିର୍ଯ୍ୟାତନାରୁ ମୁକ୍ତ କରନ୍ତୁ ।

 

ମୋହାଚ୍ଛନ୍ନ ହୋଇ ଧୃତରାଷ୍ଟ୍ରଙ୍କର ଅନ୍ଧ ନୟନ ଦୁଇଟି ସ୍ଥିର ହୋଇ ରହିଲା । ବିଦୁରଙ୍କ ଉପଦେଶରେ ଧୃତରାଷ୍ଟ୍ରଙ୍କ ଅଶାନ୍ତ ହୃଦୟ ଯେ ଶାନ୍ତ ହୋଇନାହିଁ ଏ କଥା ବିଦୁର ଜାଣିପାରିଥିଲେ-। ଧୃତରାଷ୍ଟ୍ର ଅନାଗତ ଅଶୁଭ ଆଶଙ୍କାରେ ବିଚଳିତ ଏ କଥା ମଧ୍ୟ ବିଦୁର ବୁଝି ପାରିଥିଲେ । ପୁନଶ୍ଚ ବିଦୁର କହିଲେ, ମହାରାଜ, ଆପଣଙ୍କର ଆଶାଙ୍କାର ବୀଜ ଦୁର୍ଯ୍ୟୋଧନ ଭୂମିଷ୍ଠ ହେବା ସମୟରୁ ହିଁ ଜାତ ହୋଇଛି । ସେହି ବୀଜହିଁ ଆଜି ମହୀରୂହ ଆକାର ଧାରଣ କରିଛି-। ଯଦି ବଂଶର ମର୍ଯ୍ୟାଦା ଓ ଶତପୁତ୍ର ସହିତ କୁଳର ଅଭ୍ୟୁଦୟ ଇଚ୍ଛା କରନ୍ତି, ତାହାହେଲେ କୁଳାଙ୍ଗାର ଦୁର୍ଯ୍ୟୋଧନକୁ ତ୍ୟାଗ କରନ୍ତୁ । ଏ କଥା ଶୁଣି ଧୃତରାଷ୍ଟ୍ର କହିଲେ, ସେ ପାରିବେ ନାହିଁ । ବିଦୁର କହିଲେ, ପାରିବା ନପାରିବା ବିଚାର ଆପଣଙ୍କର । ଆପଣଙ୍କ ପୁତ୍ର ଦୁର୍ଯ୍ୟୋଧନ ଏକ ଗୁଣହୀନ ଧନୀ, ଅନ୍ୟ ଦିଗରେ ପାଣ୍ଡବଗଣ ଧାର୍ମିକ ଓ ସତ୍ୟାଶ୍ରୟୀ । ବିପରୀତ କୌଣସି ଗୁଣର ଆଭାସ ପାଣ୍ଡବ ପୁତ୍ରଙ୍କଠାରେ ଆପଣ କେଭେ ଦେଖିଛନ୍ତି କି ? ଧୈର୍ଯ୍ୟର ମୂର୍ତ୍ତିବିଗ୍ରହ ସଦା କ୍ଷମାଶୀଳ ପାଣ୍ଡୁ ପୁତ୍ରମାନଙ୍କଠାରେ ଦୁର୍ଯ୍ୟୋଧନ ଯେପରି ଅପରାଧ କରିଛି । ସେହି ଅପରାଧକୁ କ୍ଷାଳନ କରି ପୁତ୍ର ସ୍ନେହରେ ପାଣ୍ଡବଗଣଙ୍କୁ ସମାଦର କରି ମର୍ଯ୍ୟାଦାରେ ପ୍ରତିଷ୍ଠିତ କରନ୍ତୁ । ନଚେତ୍‌ ଏହି ଜୀବଦଶାରେ ଆପଣ ଆପଣଙ୍କର ଶତପୁତ୍ରର ଶୋଚନୀୟ ମୃତ୍ୟୁ ଦେଖି ଅନୁତାପ ଅନଳରେ ଦଗ୍‌ଧ ହେବେ ।’’

 

ଧୈର୍ଯ୍ୟ ଧରି ଶୁଣି ସାରି ଧୃତରାଷ୍ଟ୍ର କହିଲେ, ଜାଣ ବିଦୁର, ଯେତିକି ସମୟ ତୁମେ ମୋ ନିକଟରେ ଉପସ୍ଥିତ ଥାଅ ସେତିକି ସମୟ ସବୁ ରାଜୋଚିତ କର୍ମ କରିପାରିବ ବୋଲି ମୋର ମନେ ହୋଇଥାଏ । କିନ୍ତୁ ତୁମ୍ଭର ଆବର୍ତ୍ତମାନରେ ଯେତେବେଳେ ଦୁର୍ଯ୍ୟୋଧନ ମୋ ନିକଟରେ ଦଣ୍ଡାୟମାନ ହୁଏ ମୋର ରାଜୋଚିତ କର୍ତ୍ତବ୍ୟ ମୁଁ ବିସ୍ମୃତ ହୁଏ । ଯତ ଧର୍ମ ତତ ଜୟ । ଯେଉଁଠି ଧର୍ମ ଅଛି ସେଠାରେ ହିଁ ଜୟ ସ୍ୱାଭାବିକ । ପାଣ୍ଡୁପୁତ୍ରଗଣଙ୍କର ଜୟ ସୁନିଶ୍ଚିତ ଏବଂ ମୋର ଶତପୁତ୍ରଙ୍କର ଧ୍ୱଂସ ଅନିର୍ବାର୍ଯ୍ୟ, ଏ କଥା ଜାଣିଥିଲେ ହେଁ ମୋର ପୁତ୍ର ସ୍ନେହ ମୁଁ ତ୍ୟାଗ କରିପାରିବି ନାହିଁ ।

 

ବିଦୁରଙ୍କ ଅନ୍ତରଭେଦକାରୀ ଏକ ଗୁଞ୍ଜନ ଧ୍ୱନି ଉଠିଲା-ହାୟରେ ସ୍ନେହାନ୍ଧ ପିତା ।

Image

 

ସେନ୍‌ଜିତ୍‌ ଓ ବ୍ରାହ୍ମଣ ସମ୍ବାଦ

 

ପୃଥିବୀର ଶାସନ ଭାର ଗ୍ରହଣ କରିବା ପ୍ରାକ୍‌କାଳରେ କୁରୁକ୍ଷେତ୍ର ରଣାଙ୍ଗନରେ ଶର ଶଯ୍ୟାଶାୟୀ ପିତାମହ ଭୀଷ୍ମଙ୍କ ସହିତ ମହାତ୍ମା ଯୁଧିଷ୍ଠିରଙ୍କର ଉପଦେଶାତ୍ମକ ଆଳାପର ଯେପରି ଅନ୍ତ ନଥିଲା । ଧର୍ମରାଜ ସର୍ବଶାସ୍ତ୍ର ସୁନିପୁଣ ପିତାମହଙ୍କଠାରୁ ଯେତେ ପରିମାଣ ଉପଦେଶମାନ ଶୁଣୁଥିଲେ ସେ ସେତେ ପରିମାଣରେ ଜ୍ଞାନ ସମୃଦ୍ଧ ହେଉଥିଲେ ହେଁ ଯୁଧିଷ୍ଠିରଙ୍କ ମନ ମଧ୍ୟରେ ଜିଜ୍ଞାସା ଅଧିକରୁ ଅଧିକ ଜାତ ହୋଇ ପ୍ରଶ୍ନ ଆକାରରେ ପ୍ରକାଶ ପାଉଥିଲା । ରାଜ୍ୟ ଶାସନ କ୍ଷେତ୍ରରେ କେଉଁ ଧର୍ମ ବା ଆପାତଃ କାଳରେ କେଉଁ ଧର୍ମ ଅବଲମ୍ବନ କରି ନିମଜ୍ଜମାନ ଅବସ୍ଥାରୁ ନିଜକୁ ଉଦ୍ଧାର କରି ପାରିବ, ଏହିସବୁ ବିଷୟାତ୍ମକ ଉପଦେଶାବଳୀ ପାଣ୍ଡବାଗ୍ରଜ ପିତାମହଙ୍କ ନିକଟରୁ ମନୋଯୋଗ ଦେଇ ଶ୍ରବଣ କରି ଜ୍ଞାନ ସମୃଦ୍ଧ ହେଉଥିଲେ ।

 

ଶରଜାଲ ବିଦ୍ଧ ପିତାମହ ମଧ୍ୟ ଶାରୀରିକ ସମସ୍ତ ଯନ୍ତ୍ରଣା ଭୁଲି ନିଜର ସୁବିପୁଳ ଜ୍ଞାନ ଭଣ୍ଡାର ସଞ୍ଚିତଜ୍ଞାନଦ୍ୱାରା ଧର୍ମରାଜଙ୍କୁ ସାର୍ଥକ ଉତ୍ତରାଧିକାରୀ କରିବା ନିମନ୍ତେ ଚେଷ୍ଟିତ ଥିଲେ ।

 

ଏହିରୂପେ ଏକଦା ଯୁଧିଷ୍ଠିର ପଚାରିଲେ; ପିତାମହ ! ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ନ୍ୟାସ ଏହି ଚାରି ଆଶ୍ରମ ଅବସ୍ଥାରେ ଆଚରଣୀୟ ଧର୍ମ ନିଷ୍ଠା ସହିତ ଯଥାଯଥ ପାଳନ କରିମଧ୍ୟ ଅଧିକ ସୁଖ ପ୍ରାପ୍ତ ନହେଲେ, କୌଣସି ଲାଭ ହୁଏ ନାହିଁ । ସୁଖ ପାରାବରରେ ସୁଖରେ ବିଚରଣ କରିବାହିଁ ମନୁଷ୍ୟର କାମ୍ୟ ଓ ଶୋକଦୁଃଖ ଜ୍ୱାଳା ଯନ୍ତ୍ରଣାରୁ ମନୁଷ୍ୟ ମୁକ୍ତି କାମନା କରିଥାଏ । ସେଥିପାଇଁ ଶାସ୍ତ୍ରରେ ଆଶ୍ରମ ଧର୍ମ ପାଳନର ନିୟମ ଓ ନିର୍ଦ୍ଦେଶମାନ ରହିଅଛି । କିନ୍ତୁ ଏସବୁ କରିବା ସତ୍ତ୍ୱେ ଓ ମନୁଷ୍ୟ ଲକ୍ଷ୍ୟବସ୍ତୁ ଲାଭ କାହିଁକି କରିପାରେ ନାହିଁ ? ସାଧାରଣ ମନୁଷ୍ୟ ଧର୍ମାନୁଶୀଳନ କରି ମଧ୍ୟ ସଂସାର ଘୂର୍ଣ୍ଣିପାକରେ କାହିଁକି ଘୂରିବୁଲେ ? ଏହି ଆବର୍ତ୍ତରେ ମନୁଷ୍ୟର ମନ ମଧ୍ୟରେ ଏହି ପ୍ରଶ୍ନ କଣ ଜାଗ୍ରତ ହୁଏ ନାହିଁ ?

 

ପିତାମହ କହିଲେ, ଧର୍ମ ଓ ଜୀବ ଏକାନାଂ ଭାବେ ଜଡ଼ିତ । ଆଶ୍ରମ ବିହିତ ଧର୍ମ ପାଳନର ଉପଦେଶମାନ ନିଷ୍ଠା ସହିତ ପାଳନ କଲେ, ଇପ୍‌ସିତ ବସ୍ତୁ ଲାଭ ଅନିର୍ବାର୍ଯ୍ୟ । ଯେ କୌଣସି ଆଶ୍ରମରେ ରହି ଅତ୍ୟନ୍ତ ସୁଖାଭିଳାଷୀ ହେଲେ, ତପସ୍ୟାହିଁ ଏକମାତ୍ର ଆଚରଣୀୟ ଧର୍ମ-। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ‘‘ବହୁ ଦ୍ୱାରସ୍ୟ ଧର୍ମସ୍ୟ ନେହାସ୍ତି ବିଫଳା କ୍ରିୟା’’, ଅର୍ଥାତ୍‌ ବହୁଦ୍ୱାର ବିଶିଷ୍ଟ ଧର୍ମ ସାଧନା ନିଷ୍ଠା ପୂର୍ବକ ପାଳନହିଁ ଫଳପ୍ରଦ ହୋଇଥାଏ । ଧର୍ମ ଏକ କଳ୍ପତରୁ । ଘନ ପତ୍ର ପୁଷ୍ପ ସମ୍ଭାର ଯୁକ୍ତ ବହୁ ଶାଖା ପ୍ରଶାଖାରେ ମହୀୟାନ ଏହି ତରୁର ଏକ ନିଷ୍ଠ ସେବା କଦାପି ବୃଥା ହୁଏ ନାହିଁ । ନଚେତ୍‌ ବିବିକ୍ତ ନିର୍ଲିପ୍ତ ନିର୍ବିକାର ମନୁଷ୍ୟ ଇହଜଗତରେ ଦେଖା ଯାଇ ନଥାନ୍ତେ-

 

ପିତାମହ ପୁନଶ୍ଚ କହିଲେ, ପ୍ରଲୁବ୍‌ଧମୟ ଏହି ଜଗତ ନାନା ମନୋହର ପ୍ରଲୋଭନରେ ମନୁଷ୍ୟକୁ ନିତ୍ୟ ଆଶକ୍ତ କରି ରଖିଥାଏ, ଫଳରେ ମନୁଷ୍ୟ ଆତ୍ମ ସ୍ୱରୂପ ବିସ୍ମୃତ ହୋଇଥାଏ ଏବଂ ଏହି ବିସ୍ମୃତି ଫଳରେ ମନୁଷ୍ୟ-ସ୍ୱଭାବ ଲୁବ୍‌ଧକ ସଦୃଶ ଉଦରସେବୀ, କ୍ରୁର ଓ ସ୍ୱାର୍ଥପର ହୋଇଥାଏ । ଜୀବ ଜଗତରେ ଜୀବାତ୍ମା ମୁକ୍ତି ଲାଭ ନ କରିବା ପର୍ଯ୍ୟନ୍ତ ଜୀବଜଗତ ଆବର୍ତ୍ତର ଘୂର୍ଣ୍ଣୀପାକରେ ଘୂରିବୁଲେ ଓ ତାହାର ‘ଆତ୍ୟନ୍ତିକ’ ସୁଖ ଲାଭ ହେଇ ନଥାଏ ।

 

ପିତାମହଙ୍କ ବଚନ ଶୁଣୁ ଶୁଣୁ ଧର୍ମରାଜ କହି ଉଠିଲେ, ପିତାମହ, ଏହି ଜଗତର ଆକର୍ଷଣ ମାଧ୍ୟାକର୍ଷଣ ସଦୃଶ । ଏହି ଆକର୍ଷଣ ଯୋଗୁହିଁ ମୃତ୍ତିକା ବକ୍ଷ ବିଦୀର୍ଣ୍ଣ କରି ବୀଜ ମହୀରୂହ ରୂପ ଧାରଣ କରିଥାଏ । ଏହି ଆକର୍ଷଣରୁ ଆତ୍ମା ମୁକ୍ତି କିପରି ସମ୍ଭବ ? ଏହି ସଂସାରରେ ମନୁଷ୍ୟ ସ୍ତ୍ରୀ ପୁତ୍ର ପରିଜନ ବିୟୋଗରେ ସ୍ୱାଭବିକ ଭାବରେ ଶୋକାତୁର ହୋଇ ନଥାଏ କି ? ଏହି ଆତ୍ମୀୟ ଓ ପରିଜନବର୍ଗଙ୍କ ଆକର୍ଷଣକୁ ଉପେକ୍ଷା କରି ମନୁଷ୍ୟ କିପରି ଜୀବନ ଧାରଣ କରିପାରିବ ?

 

ଧର୍ମରାଜଙ୍କ ଏତାଦୃଶ ପ୍ରଶ୍ନ ଶୁଣି ପିତାମହ ଉତ୍ତର ଦେଲେ, ଧର୍ମରାଜ, ବୈରାଗ୍ୟ ସାଧନାରେ ମନୁଷ୍ୟ ଆକର୍ଷଣ ମୁକ୍ତ ହୋଇ ରହିବା ସମ୍ଭବ ।

 

ପିତାମହଙ୍କର ଏରୂପ ଉତ୍ତର ଶୁଣି ଧର୍ମରାଜ କହିଲେ, ପିତାମହ, ଏହି ସଂସାରରେ ବାସ କରି ସଂସାରୀ ବିରାଗୀ ହୋଇ ରହିବା କିପରି ସମ୍ଭବ ହେବ ?

 

ଯୁଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତରରେ ପିତାମହ କହିଲେ, ସ୍ଥିର ଜାଗ୍ରତ ବୁଦ୍ଧିଦ୍ୱାରା ସଂସାରର ପ୍ରତି ବସ୍ତୁର ସାରବତ୍ତା ପର୍ଯ୍ୟାଲୋଚନା କଲେ ସଂସାରରେ ରହି ମଧ୍ୟ ମନୁଷ୍ୟ ସଂସାର ବିରାଗୀ ହୋଇପାରେ । ସ୍ଥିତଧୀ ମନୁଷ୍ୟର ବୁଦ୍ଧି ସ୍ୱଚ୍ଛ ସରୋବର ଶୈବାଳ ଦାଶରେ ଆଚ୍ଛନ୍ନ ସଦୃଶ ଆଚ୍ଛାଦିତ ହୋଇଥାଏ । ପ୍ରଯତ୍ନ ଓ ପ୍ରୟାସ କଲେ ଏହା ସ୍ୱଚ୍ଛ ହୋଇଥାଏ । ଏହି ବିଷୟରେ ବହୁପୂର୍ବରେ ଏକ ରାଜା ଓ ଏକ ବ୍ରାହ୍ମଣ ମଧ୍ୟରେ ଯେଉଁ ଆଲୋଚନା ହୋଇଥିଲା ତାହା ଶ୍ରବଣ କର ।

 

ପିତାମହ କହିଲେ : କୌଣସି ଏକ ସମୟରେ ପୁତ୍ରଶୋକାତୁର, ବିଷର୍ଣ୍ଣ ‘ଶ୍ୱେନଜିତ୍‌’ ନାମରେ ଏକ ରାଜା ରାଜକାର୍ଯ୍ୟରେ ମନୋଯୋଗ ଦେଇ ନପାରିବାରୁ ରାଜ୍ୟରେ ବିଶୃଙ୍ଖଳା ହୋଇଥିଲା । ପ୍ରଜାଗଣ ଶୃଙ୍ଖଳା ଅଭାବରେ ଅନିଶ୍ଚୟତା ଓ ଆତଙ୍କିତ ହୋଇ ରହିଥିଲେ । ରାଜ୍ୟର ଏ ପ୍ରକାର ଦୁରବସ୍ଥା ହେବାରୁ ସଭାସଦ୍‌ ଓ ମନ୍ତ୍ରୀବର୍ଗ ରାଜାଙ୍କୁ ପୁତ୍ରଶୋକରୁ ନିବୃତ୍ତ ରଖିବା ନିମନ୍ତେ ବହୁ ସାନ୍ତ୍ୱନା ଦେବାର ଚେଷ୍ଟା କରିଥିଲେହେଁ ବିଫଳ ହୋଇଥିଲେ । ଏହି ସମୟରେ ରାଜାଙ୍କର ଏକ ପୂର୍ବ ପରିଚିତ ବ୍ରାହ୍ମଣ ସହସା ରାଜସଭାରେ ପ୍ରବେଶ କରିବାରୁ ରାଜା ବ୍ରାହ୍ମଣଙ୍କୁ ସାଦର ଅଭ୍ୟର୍ଥନା ଜ୍ଞାପନ କରିଥିଲେ । ବ୍ରାହ୍ମଣ ଅନୁଭବ କରିଥିଲେ ଯେ ରାଜା ଯେପରି ପୂର୍ବଭଳି ସ୍ୱାଭାବିକ୍‌ ନୁହନ୍ତି । ଅନୁସନ୍ଧାନରେ ବ୍ରାହ୍ମଣ ଜାଣିଲେ ଯେ ରାଜାଙ୍କର ସଦ୍ୟ ପୁତ୍ର ବିୟୋଗ ହୋଇଛି ଓ ସେହି କାରଣରୁ ରାଜା ସଦା ମୁହ୍ୟମାନ । ରାଜ୍ୟର ମଙ୍ଗଳ ନିମନ୍ତେ ରାଜାଙ୍କ ଅବସାଦ ମୋଚନ ସିଦ୍ଧାନ୍ତ ନେଇ ବ୍ରାହ୍ମଣ ରାଜାଙ୍କୁ ପଚାରିଲେ, ରାଜନ୍‌, ଆପଣ ପୁତ୍ରଶୋକରେ କାତର, ଏହା କ’ଣ ସତ୍ୟ ?

 

ରାଜା କହିଲେ, ଆତ୍ମଜର ବିୟୋଗ ବ୍ୟଥା ମୁଁ କୌଣସିମତେ ବିସ୍ମୃତ ହୋଇ ପାରୁନାହିଁ-

 

ରାଜାଙ୍କ ଉତ୍ତରରେ ବ୍ରାହ୍ମଣ କହିଲେ, ରାଜନ୍‌, ଏହାଦ୍ୱାରା ରାଜକର୍ତ୍ତବ୍ୟ ଅବହେଳିତ ହେଉନାହିଁ କି ? ଅନୁଗତର ରକ୍ଷଣାବେକ୍ଷଣ, ଭରଣପୋଷଣ ଆପଣଙ୍କର ଏକ ଗୁରୁ ଦାୟିତ୍ୱ । କିନ୍ତୁ ଆପଣଙ୍କ ଅବହେଳାଦ୍ୱାରା ସେମାନେ ତାଙ୍କ ଅଧିକାରରୁ କଣ ବଞ୍ଚିତ ହେଉନାହାନ୍ତି ? ପ୍ରଜାଗଣଙ୍କୁ ଆପଣ ଏପରି ଅସହାୟ କାହିଁକି କରୁଛନ୍ତି ?

 

ରାଜା କହିଲେ, ମୁଁ ଜାଣେ ମୋର ପ୍ରିୟ ପ୍ରଜାବନ୍ଧୁଙ୍କୁ ମୁଁ ଅବହେଳିତ କରି ରଖିଛି । କିନ୍ତୁ ନିଜକୁ ଅସହାୟ ଓ ଅବଶ ମନେକରି ମୁଁ ଉଦ୍ୟମହୀନ ହୋଇଅଛି ।

 

ବ୍ରାହ୍ମଣ କହିଲେ, ମହାରାଜ ଯଦି ଏହି ମୁହୂର୍ତ୍ତରେ ଆପଣଙ୍କ ପ୍ରାଣ ବିୟୋଗ ଘଟେ ତାହାଲେ ରାଜ୍ୟର ପ୍ରଜାଗଣ ଶୋକ ବିହ୍ୱଳ ହୋଇ ଉଠିବେ ଓ ଶୋକାତୁର ହୋଇ ଆପଣଙ୍କ ସଦୃଶ ଅବଶ ଓ ଉଦ୍ୟୋଗହୀନ ହେଲେ ପ୍ରଜାଗଣଙ୍କ ସହିତ ରାଜ୍ୟର ଯେଉଁ ଶୋଚନୀୟ ପରିଣତି ହେବ ସେଥିପାଇଁ କିଏ ଦାୟୀ ହେବ ? ଆପଣ ଶୋକଗ୍ରସ୍ଥ ହୋଇ ବୁଦ୍ଧିହୀନ ଓ ଦୀପ୍ତିହୀନ ହୋଇ ମୋହାଚ୍ଛନ ହୋଇଛନ୍ତି ।

 

ରାଜା କହିଲେ, ମୁଁ ପ୍ରକୃତରେ ଶୋକାହତ ଓ ମୁହ୍ୟମାନ । ନିଜ ଶରୀରଜାତ ପ୍ରତିରୂପ ପୁତ୍ରକୁ ସବୁ ପିତାମାତା ସ୍ନେହ କରିଥାନ୍ତି ଓ ପୁତ୍ରର ଦୀର୍ଘାୟୁ କାମନା କରିଥାନ୍ତି । ପୁତ୍ରର ସୁଖ ସ୍ୱାଚ୍ଛନ୍ଦ୍ୟ ନିମିତ୍ତ ପିତାମାତା ସର୍ବବିଧ ଯତ୍ନ ନେଇଥାନ୍ତି କିନ୍ତୁ ସେହି ପୁତ୍ରର ଅକାଳମୃତ୍ୟୁରେ ଏପରି କେଉଁ ପିତାମାତା ଏ ସଂସାରରେ ଅଛନ୍ତି ଯେ କି ଶୋକାତୁର ହୋଇ ନାହାନ୍ତି ? ବ୍ରାହ୍ମଣ କହିଲେ–ଏ ଜଗତରେ ସ୍ନେହ, ମାୟା ବ୍ୟତୀତ କୌଣସି ଜୀବ ତିଷ୍ଠିବା ଅସମ୍ଭବ । ପ୍ରତି ମନୁଷ୍ୟ ଏପରିକି ଜୀବଜନ୍ତୁ ମଧ୍ୟରେ ଆତ୍ମଜ, ଆତ୍ମୀୟ ମିତ୍ର ପ୍ରତି ସ୍ନେହ, ମାୟା ମମତା ରହିଥାଏ । ତିଳ ମଧ୍ୟରେ ତୈଳ ଯେପରି ଓତଃପ୍ରୋତ ଭାବରେ ଜଡ଼ିତ ଅବସ୍ଥାରେ ଥାଏ, ସେହିପରି ଜୀବ ସ୍ନାୟୁରେ ମଧ୍ୟ ସ୍ନେହ, ପ୍ରୀତି, କାମନା, ମାୟା ଓତଃପ୍ରୋତ ଭାବରେ ଜଡ଼ିତ । ସେହି କାରଣରୁ ମନୁଷ୍ୟ ଆତ୍ମରକ୍ଷା କରିବା ସହିତ ବାହ୍ୟିକ ସଙ୍ଗ ସୁଖ ମଧ୍ୟ କାମନା କରିଥାଏ । ସୁଖସ୍ପର୍ଶ, ରୂପଦର୍ଶନ, ମିଷ୍ଟରସାସ୍ୱଦନ, ସୁଗନ୍ଧରେ ପ୍ରଫୁଲ୍ଲିତ ହେବା ନିମନ୍ତେ ପ୍ରତ୍ୟେକ ମନୁଷ୍ୟ କାମନା କରିଥାଏ । ଏହା ମନୁଷ୍ୟର ସ୍ୱଭାବ ଧର୍ମ । ସେହି ଉଦ୍ଦେଶ୍ୟରେ ମନୁଷ୍ୟ ସ୍ତ୍ରୀ, ପୁତ୍ର ପରିଜନ ସହିତ ସଂସାର କରିଥାଏ ମଧ୍ୟ । କିନ୍ତୁ କାଳକ୍ରମେ ମନୁଷ୍ୟ ସଂସାର ପ୍ରତି ସ୍ନେହାଶକ୍ତ ଓ କାମନାଶକ୍ତ ହୋଇ ଏପରି ମୋହବିଷ୍ଟ ହୋଇଉଠେ ଯେ ନିଜର ଅସ୍ତିତ୍ୱ ବିପନ୍ନ କରିଥାଏ । ରାଜନ୍‌, ଆପଣ ସେହିପରି ନିଜକୁ ବିପନ୍ନ କରିଅଛନ୍ତି ।

 

ବ୍ରାହ୍ମଣଙ୍କ ଏହି କଥା ଶୁଣି ରାଜା ପଚାରିଲେ, ମହାଭାଗ, କାମନା, ବାସନା, ସୁଖ ଦୁଃଖ, ଶୋକ ବେଦନା, ଆଶା ହତାଶା ବ୍ୟତୀତ ମନୁଷ୍ୟ ସଂସାରରେ ତିଷ୍ଠି ରହିପାରେ କି ?

 

ବ୍ରାହ୍ମଣ ଉତ୍ତର ଦେଲେ, ସହଜରେ ତିଷ୍ଠି ପାରେ ନାହିଁ କିନ୍ତୁ ଇଚ୍ଛାକଲେ ତିଷ୍ଠି ପାରିବ ମଧ୍ୟ ।

 

ଏହା ଶୁଣି ରାଜା ପଚାରିଲେ, ଏହା କିପରି ସମ୍ଭବ ?

 

ବ୍ରାହ୍ମଣ କହିଲେ, ଯେଉଁ ବ୍ୟକ୍ତି ନିର୍ମଳ ବିବେକ ଓ ବୁଦ୍ଧିବଳରେ ଜଗତର ମୂଳ ରହସ୍ୟ ସନ୍ଧାନ ଲାଭ କରିଥାନ୍ତି ସେହି ବ୍ୟକ୍ତି ନିକଟରେ ଜାଗତିତ ସୁଖଦୁଃଖ, ଶୋକ ବେଦନା ସବୁ ସମାନ ଓ ଏକାକାର ସଦୃଶ ପ୍ରତୀୟମାନ ହୋଇଥାଏ । କିନ୍ତୁ ଯେଉଁ ବ୍ୟକ୍ତିର ବିବେକ ଓ ବୁଦ୍ଧି ସତ୍ତା ପରିଚ୍ଛନ୍ନ ନୁହେଁ ସେହି ବ୍ୟକ୍ତି ଏ ଜଗତର ମୂଳ ରହସ୍ୟ ଭେଦ କରିପାରେ ନାହିଁ । ସେ ବ୍ୟକ୍ତିହିଁ ଜାଗତିକ ସୁଖ ଦୁଃଖରେ ମୋହଗ୍ରସ୍ଥ ହୋଇଥାଏ ।

 

ପୁନଶ୍ଚ ବ୍ରାହ୍ମଣ କହିଲେ, ରାଜନ୍‌, ଯେଉଁ ପୁତ୍ର ବିୟୋଗରେ ଆପଣ ଆଜି ଶୋକ ବିହ୍ୱଳ, ସେହି ପୁତ୍ରର ଅସ୍ତିତ୍ୱ ଆପଣ ଆପଣଙ୍କ ଦୃଷ୍ଟି ଓ ଅନୁଭବରେ ପୂର୍ବରୁ ରଖିଥିଲେ କି ? କେବେହେଁ ରଖି ନଥିବେ ଓ ରଖିବା ମଧ୍ୟ ସମ୍ଭବ ନୁହେଁ । ପ୍ରକୃତିର ଅମୋଘ ନିୟମରେ ଏକ ଅଦୃଶ୍ୟ ଜଗତରୁ ଏହି ପ୍ରାଣ ଆପଣଙ୍କ ପୁତ୍ର ରୂପରେ ପ୍ରତ୍ୟକ୍ଷ ହୋଇଥିଲା ଓ ସେହିପରି ପ୍ରକୃତିର ଅନ୍ୟ ଏକ ନିୟମରେ ପିତୃତ୍ୱ ଆକର୍ଷଣ ଅଗ୍ରାହ୍ୟ କରି ଆପଣଙ୍କ ଦୃଷ୍ଟି ଅନ୍ତରାଳକୁ ସେହି ପ୍ରାଣ ଅନ୍ତର୍ହିତ ହୋଇଛି । ଅବଶ୍ୟ ଅପତ୍ୟ ସ୍ନେହର ବସ୍ତୁ ଓ ପତ୍ନୀ, ଧନ ଦୌଲତ କାମନାର ବସ୍ତୁ । କିନ୍ତୁ ଯେଉଁ ବ୍ୟକ୍ତି ବୁଦ୍ଧିମାନ ଓ ବିଚାର ବିଶ୍ଲେଷଣରେ ସ୍ଥିତଧୀ ସମ୍ପନ୍ନ ସେ ବୁଝିପାରେ ଯେ ଜଗତର ଦୃଷ୍ଟିଗୋଚର ଓ ପ୍ରତ୍ୟକ୍ଷ ବସ୍ତୁ ସମୂହ କ୍ଷଣସ୍ଥାୟୀ ଓ ନଶ୍ୱର । ସେହି ବ୍ୟକ୍ତି ଏହା ମଧ୍ୟ ଜାଣିଥାଏ ଯେ ଆସକ୍ତି ହିଁ ‘ବନ୍ଧନ’ ଓ ବନ୍ଧନ ହିଁ ଶୋକ, ଦୁଃଖ, ଜ୍ୱାଳା, ଯନ୍ତ୍ରଣା, ହତାଶାର ପ୍ରତିରୂପ । ଏହି ସଂସାରରେ ମନୁଷ୍ୟ ଆସକ୍ତି ବନ୍ଧନରେ ନିତ୍ୟ ଚିରନ୍ତନ ସତ୍ୟକୁ ଭୁଲିଯାଇ ସହଜ ଲଭ୍ୟ ବସ୍ତୁ ପ୍ରତି ପ୍ରଲୁବ୍‌ଧ ହୋଇଥାଏ ।

 

ଏହା ଫଳରେ ବିବେକ ବୁଦ୍ଧି ଆବୃତ ହୋଇ ରହିବାକୁ ଲୁବ୍‌ଧକ ସଦୃଶ କ୍ଷଣସ୍ଥାୟୀ ଭୋଗ୍ୟବସ୍ତୁ ନିୟତ ଅନ୍ୱେଷଣ କରିଥାଏ ଓ ଅବଶେଷରେ ହତାଶାର କୁମ୍ଭୀପାକରେ ନିମଜ୍ଜିତ ହୋଇଥାଏ । ବ୍ରାହ୍ମଣ ରାଜାଙ୍କର ମନୋଯୋଗ ଆକର୍ଷିତ ହେବାର ଦେଖି କହିଲେ, ଯେଉଁ ବ୍ୟକ୍ତି ସାଂସାରିକ ସୁଖକୁ ନିତ୍ୟ ସତ୍ୟ ଜ୍ଞାନରେ ନିରବଚ୍ଛିନ୍ନ ଭାବେ କାମନା କରିଥାନ୍ତି ସେହି ବ୍ୟକ୍ତି ହିଁ ଦୁଃସହ ଦୁଃଖ ଯନ୍ତ୍ରଣାର ଶିକାର ହୋଇଥାନ୍ତି । କାମନାରେ ଆକୁଳ ହୋଇ ଯେଉଁ ବ୍ୟକ୍ତି ନିୟତ ଲୋଲୁପ କାତର ସେ ହିଁ ବ୍ୟାକୁଳତା ଜନିତ ଅସ୍ଥିରତା ଅନୁଭବ କରିଥାନ୍ତି । ଏହି ସଂସାରରେ ସବୁ କିଛି କ୍ଷଣସ୍ଥାୟୀ । ଏହି ସଂସାର ଆଗମନ ଓ ପ୍ରସ୍ଥାନର ରଙ୍ଗମଞ୍ଚ ସଦୃଶ । ଯେପରି ମହାସମୁଦ୍ରରେ ଦୁଇଟି କାଷ୍ଠଖଣ୍ଡ ଭାସମାନ ଥିବା ସମୟରେ ସହସା ଏକସ୍ଥାନରେ ମିଳିତ ହୋଇ ଏକତ୍ରିତ ହୋଇଥାଏ ଓ ପରମୁହୂର୍ତ୍ତରେ ବିଶ୍ଲିଷ୍ଟ ହୋଇ ଅଜ୍ଞାତ ସ୍ଥାନକୁ ଗମନ କରିଥାଏ, ସେହିପରି ପୁତ୍ର, ପୌତ୍ର, ଜ୍ଞାତି, ବନ୍ଧୁ, ବାନ୍ଧବ, ସଂସାର ପାରାବାରରେ ଏକ କାଳରେ ଏକତ୍ର ମିଳିତ ହୋଇ ଭାସମାନ ବିଚ୍ଛିନ୍ନ କାଷ୍ଠଖଣ୍ଡ ସଦୃଶ ପରସ୍ପର ଠାରୁ କାଳକ୍ରମେ ବିଚ୍ଛିନ୍ନ ହୋଇ ଅଜ୍ଞାତ ପଥଯାତ୍ରୀ ହୋଇଥାନ୍ତି । ଅତଏବ ବୁଦ୍ଧିମାନ ମନୁଷ୍ୟ କାମନାର ଆସକ୍ତି ଓ ସ୍ନେହ ଆତିଶଯ୍ୟରେ ନିଜକୁ ବଧ କରି ଜ୍ଞାନାଚ୍ଛନ୍ନ ହୋଇ ରହିବା ଉଚିତ ନୁହେଁ । ଜ୍ଞାନହିଁ ମନୁଷ୍ୟର ପରମ ଆତ୍ମୀୟ । ଅଦୃଶ୍ୟରେ ଥାଇ ଜ୍ଞାନହିଁ ସର୍ବଦା ମନୁଷ୍ୟକୁ ଶୁଭାଶୁଭ ଦିଗ୍‌ ନିର୍ଦ୍ଦେଶ ମହତବାଣୀ ଆକାରରେ ଦେଇଥାଏ । ଯେପରି ‘‘ଜୀବିତଞ୍ଚି ଶରୀରେଣ ଜାତ୍ୟୈବ ସହଜାୟତେ । ଉଭେ ସହ ବିବର୍ତ୍ତେତେ ଉଭେ ସହ ବିନଶ୍ୟତଃ’’ । ଅର୍ଥାତ୍‌ ଜୀବନ ଓ ଶରୀର ସ୍ୱାଭାବିକ ଭାବେ ସହଜାତ । ଏମାନେ ଏକତ୍ରରେ ସହାବସ୍ଥାନ ଓ ଏକତ୍ର ଭାବରେ ସହଗମନ କରିଥାନ୍ତି । ଏହି ସହଗମନର କୌଣସି ନିଶ୍ଚିତ କାଳ ନିରୂପିତ ହୋଇ ନଥାଏ । ଏହା ଯେ କୌଣସି ସମୟରେ ଘଟିବା ସ୍ୱାଭବିକ ।

 

ପୁନଶ୍ଚ ବ୍ରାହ୍ମଣ କହିଲେ, ରାଜନ୍‌, ସମସ୍ତେ ଭାଗ୍ୟର ଅଧୀନ । ଭାଗ୍ୟରେ ସୁଖ ଭୋଗ ଥିଲେ ମନୁଷ୍ୟ ଯେ କୌଣସି ଅବସ୍ଥାରେ ରହି ମଧ୍ୟ ସାଂସାରିକ ସୁଖ ଭୋଗ କରିଥାଏ । ଭାଗ୍ୟ ବିପରୀତ ହେଲେ ବିଚ୍ଛେଦ ଦ୍ରୁତ ଗତିରେ ଆସିଥାଏ । ବିଚ୍ଛେଦ ଯନ୍ତ୍ରଣା ଏହି ସଂସାରରେ ମନୁଷ୍ୟ ହିଁ ଭୋଗ କରିଥାଏ । କିନ୍ତୁ ଜ୍ଞାନ ମନୁଷ୍ୟକୁ ନିୟତ ସଜାଗ ରଖି ଜଣାଇଦିଏ ଯେପରି ‘‘ସୁଖସ୍ୟନନ୍ତରଂ ଦୁଃଖଂ ଦୁଃଖସ୍ୟାନନ୍ତରଂ ସୁଖଂ / ସୁଖ-ଦୁଃଖେ ମନଷ୍ୟାଣାଂ ଚକ୍ରବତ୍‌ ପରିବର୍ତ୍ତିତଃ’’। ଅର୍ଥାତ୍‌ ସୁଖ ଶେଷରେ ଦୁଃଖ, ଦୁଃଖ ପରେ ସୁଖ ଚକ୍ରାକାରରେ ଆବର୍ତ୍ତିତ ହୋଇଥାଏ । ଜ୍ଞାନ ବାର୍ତ୍ତା ସମ୍ବନ୍ଧରେ କୁହାଯାଇଅଛି ଯେ ଦୁଃଖରେ କାତର ଓ ହତାଶାଗ୍ରସ୍ଥ ହୋଇ ଉଦ୍ୟମହୀନ ହେବା ଉଚିତ ନୁହେଁ । ଜ୍ଞାନ ସାରତତ୍ତ୍ୱ ଏହା ଯେ ‘‘କିଞ୍ଚିତ୍‌ଦେବ ମମତ୍ୱେନ ତଦା ଭବତି କଳ୍ପିତମ୍‌ / ତଦେବ ପରିତାପାର୍ଥଂ ସର୍ବଂ ସମ୍ପଦ୍ୟତେ ତଥା’’-ଅର୍ଥାତ୍‌ ଯେଉଁ ବ୍ୟକ୍ତି ଜାଗତିକ ବସ୍ତୁ ସମୂହକୁ ନିଜସ୍ୱ ବୋଲି କଳ୍ପନା କରିଥାନ୍ତି, ସେହି ବସ୍ତୁ ହିଁ ଶେଷରେ ପରିତାପର କାରଣ ହୋଇଥାଏ । ଜ୍ଞାନବଳରେ ଯେଉଁ ମନୁଷ୍ୟ ସ୍ୱାର୍ଥହୀନ ହୋଇ ଊର୍ଦ୍ଧ୍ୱଲୋକକୁ ଗତି କରିପାରେ ସେ ହିଁ ବ୍ରହ୍ମାନନ୍ଦ ଲାଭ କରେ । ଜଗତ୍‌ ପ୍ରପଞ୍ଚର କୌଣସି ବସ୍ତୁ ସେହି ମନୁଷ୍ୟକୁ ସନ୍ତପ୍ତ କରିପାରେ ନାହିଁ । ରାଜର୍ଷି ‘ଜନକ’ ଏହିପରି ଏକ ମହାଜ୍ଞାନୀ ପୁରୁଷ ଥିଲେ ।

 

ଏହିପରି ବଚନ ଓ ସାରଗର୍ଭକ ଉପଦେଶ ମାନ ଶୁଣୁ ଶୁଣୁ ରାଜା ସେନ୍‌ଜିତଙ୍କ ମନ ଅନେକାଂଶରେ ଦ୍ରବୀଭୂତ ହୋଇଥିଲା । ରାଜା କହିଲେ, ବ୍ରାହ୍ମଣ, ଆପଣଙ୍କୁ ଜଣେ ନିର୍ବିକାର ପୁରୁଷ ହିସାବରେ ମୁଁ ଜାଣିଅଛି । ଆପଣ କ’ଣ ଏହି ଜ୍ଞାନ ବଳରେ ଜାଗତିକ ଶୋକ ଦୁଃଖ ଜୟ କରିଛନ୍ତି ?

 

ବ୍ରାହ୍ମଣ ଉତ୍ତର ଦେଲେ, ରାଜନ୍‌, ଏହି ତପସ୍ୟାଲବ୍‌ଧ ଜ୍ଞାନରେ ମୁଁ ଜାଣିଅଛି ଯେ ଉତ୍ତମ ଠାରୁ ଅଧମ ସବୁ ପ୍ରକାରର ପ୍ରାଣୀ କର୍ମଶକ୍ତି ବଳରେ ଦୁଃଖ ଭୋଗ କରିଥାନ୍ତି ଓ କରୁଅଛନ୍ତି-। କାରଣ ଆସକ୍ତି ତୃଷ୍ଣା ସାଗର ସଦୃଶ ବାରି ପାନରେ ନିବାରିତ ହୋଇପାରେ ନାହିଁ । ତପସ୍ୟା ଜ୍ଞାନ ବଳରେ ଆହୁରି ଜାଣିଛି ଯେ ‘‘ଅହଂ ଏକୋ ନମେ କଶ୍ଚିନ୍ନାହ ମନଂସ୍ୟ କସ୍ୟଚିତ୍‌ / ନତଂ ପଶ୍ୟାମି ଯସ୍ୟାହଂ ତଂ ନ ପଶ୍ୟାମି ଯୋ ମମ’’ । ଅର୍ଥାତ୍‌ ଏହି ସଂସାରରେ ମୁଁ ଏକ ଏକାନ୍ତ ପଥିକ-। ମୋର ବୋଲି ଏ ସଂସାରରେ କେହି ନାହାନ୍ତି ଓ ମୁଁ ମଧ୍ୟ କାହାରି ନୁହେଁ । ଏପରି କାହାକୁ ଦେଖୁନାହିଁ ଯେ କି ମୋର ହୋଇ ପାରିବ । ଏହି ଦେହ ମଧ୍ୟ ମୋର ନିଜସ୍ୱ ନୁହେଁ । ଏହି ସମଗ୍ର ବିଶ୍ୱ ମୋର ଓ ମୁଁ ଏହି ବିଶ୍ୱର । ମୋର ଅସ୍ତିତ୍ୱ ବିଶ୍ୱମୟ । ଏହି ବିଶ୍ୱ ଯେପରି ମୋର ସେହିପରି ସମସ୍ତଙ୍କ ଅସ୍ତିତ୍ୱ ମଧ୍ୟ ବିଶ୍ୱମୟ ।

 

ଏହି ବିଶ୍ୱରେ ସମସ୍ତଙ୍କର ସମାନ ଅଧିକାର ଅଛି । ସମସ୍ତ ପ୍ରାଣୀଗଣ ସମାନ ସୁଖ ଦୁଃଖର ଅଧିକାରୀ । ଯେଉଁ ମୁହୂର୍ତ୍ତରେ ମୋର ଏପରି ଜ୍ଞାନ ଲାଭ ହୋଇଛି ସେହି ମୁହୂର୍ତ୍ତଠାରୁ ମୁଁ ମୁକ୍ତ ହୋଇ ପାରିଛି । ମୁଁ ସୁଖ ବା ଜାଗତିକ ଆନନ୍ଦରେ ଉନ୍ମାଦ ବା ଦୁଃଖ ଶୋକରେ କାତର ହୁଏ ନାହିଁ । ଯେତେକ୍ଷଣ ପର୍ଯ୍ୟନ୍ତ ମନୁଷ୍ୟ ତପସ୍ୟା ବଳରେ ପରମଜ୍ଞାନ ଲାଭ କରି ନିଃସ୍ୱାର୍ଥ ହୋଇ ବିଶ୍ୱଚେତନାରେ ନିଜକୁ ସମୃଦ୍ଧ କରି ନଥାଏ ସେତେକ୍ଷଣ ପର୍ଯ୍ୟନ୍ତ ସେ ନିଜେ ବିପନ୍ନ ହେବା ସଙ୍ଗେ ଅନ୍ୟକୁ ମଧ୍ୟ ବିପନ୍ନ କରିଥାଏ । ଆତ୍ୟନ୍ତିକ ସୁଖ ଲାଭ ନ ହୋଇ ଅନ୍ୟକୁ ଅସୁଖୀ କରିଥାଏ । ବ୍ରାହ୍ମଣଙ୍କ ଏତାଦୃଶ ବଚନ ଶୁଣିବା ପରେ ରାଜଙ୍କର ଶୋକ, ବିଷାଦ ଅନ୍ତର୍ହିତ ହୋଇଥିଲା ।

କୁହୁଡ଼ି ମୁକ୍ତ ନିର୍ମଳ ଆକାଶ ସଦୃଶ ରାଜା ସେନ୍‌ଜିତ୍‌ ନିର୍ମଳତାର ନିର୍ମାଲ୍ୟ ଲାଭ କରି ପ୍ରସନ୍ନ ହୋଇ ରାଜା ବ୍ରାହ୍ମଣଙ୍କୁ ପଚାରିଲେ–ମହାଭାଗ, ସବୁ ମନୁଷ୍ୟ କଣ ଏପରି ଜ୍ଞାନ ସମୃଦ୍ଧ ହୋଇ ପାରନ୍ତି ? ଏହା ସତ୍ୟ ଯେ କାମନା ଓ ସ୍ନେହ ବଳବତୀ ହେଲେ ଅଧିକ ଦୁଃଖ, ଯନ୍ତ୍ରଣା, ହତାଶ ଓ ବିଷାଦ ଜାତ ହୋଇଥାଏ । କିନ୍ତୁ ସର୍ବସାଧାରଣ ଜ୍ଞାନ ମାର୍ଗ ଅବଲମ୍ବନ କରି ଜ୍ଞାନ ସାଧନାର ପଥିକ ହୋଇପାରନ୍ତି ନାହିଁ । ବିଶ୍ୱଚେତନା ଲାଭ ହିଁ ମୁକ୍ତି । କିନ୍ତୁ ଏହି ବୈଚିତ୍ର୍ୟମୟ ଜଗତରେ ଅଧିକାଂଶ ମନୁଷ୍ୟ ଅଜ୍ଞାନତା ରୂପ ଅନ୍ଧକାରରେ ଆଜୀବନ ରହିଥାନ୍ତି । ତାହେଲେ ସେମାନେ କଣ ଆତ୍ୟନ୍ତିକ ସୁଖ ଭୋଗରୁ ବଞ୍ଚିତ ହୁଅନ୍ତି ?

ବ୍ରାହ୍ମଣ ରାଜାଙ୍କର ଏପରି ସାରଗର୍ଭ ପ୍ରଶ୍ନ ଶୁଣି କହିଲେ–ରାଜନ୍‌, ଆପଣ ବିଷାଦମୁକ୍ତ ହୋଇ ଏପରି ଚିନ୍ତାଶୀଳ ପ୍ରଶ୍ନ ପଚାରିବାରୁ ମୁଁ ଆପଣଙ୍କୁ ସାଧୁବାଦ ଦେଉଅଛି । ଆପଣଙ୍କ ପ୍ରଶ୍ନର ଉତ୍ତର ଶ୍ରବଣ କରନ୍ତୁ ।

ଯେଉଁ ମନୁଷ୍ୟ ସମ୍ପୂର୍ଣ୍ଣ ନିର୍ବୋଧ ଓ ମୂଢ଼ ବା ନିରତିଶୟ ଜ୍ଞାନୀ ଓ ଜ୍ଞାନ ପ୍ରବୁଦ୍ଧ ସେହିମାନେ ହିଁ ସୁଖ ଲାଭ କରି ପାରିଥାନ୍ତି । କିନ୍ତୁ ଯେଉଁ ମନୁଷ୍ୟ ଜ୍ଞାନ ଲାଭ କରିଥାଏ ଅଥଚ ସମ୍ପୂର୍ଣ୍ଣ ଜ୍ଞାନ ଲାଭ କରି ନଥାଏ, ସେହିମାନେ ଜ୍ଞାନ ପାପୀ ଭାବରେ ମୂଢ଼ତାରୁ ମୁକ୍ତ ନ ହୋଇପାରି ସୁଖ ଦୁଃଖର ମଧ୍ୟସ୍ଥଳରେ ରହି ତ୍ରିଶଙ୍କୁ ଅବସ୍ଥା ପ୍ରାପ୍ତ ହୋଇଥାନ୍ତି । ଏହି ତ୍ରିଶଙ୍କୁ ଅବସ୍ଥାରେ ମୁକ୍ତି ବା ସୁଖ ଲାଭ ହୋଇ ପାରେ ନାହିଁ । ଚରମ ଅବସ୍ଥା ପ୍ରାପ୍ତ ନ ହେଲେ କଦାପି ପରିପୂର୍ଣ୍ଣତା ଆସି ନଥାଏ ।

ରାଜା ଏ କଥା ଶୁଣି ପଚାରିଲେ ଯେଉଁମାନେ ମୂଢ଼ ବା ନିର୍ବୋଧ ସେମାନେ ପୂର୍ଣ୍ଣତା ଲାଭ କରି ପାରନ୍ତି କି ?

ବ୍ରାହ୍ମଣ କହିଲେ–ଯେଉଁମାନେ ଭଲ ମନ୍ଦ ବିଚାର କରି ନପାରି ଜଡ଼ ବୁଦ୍ଧି ସମ୍ପନ୍ନ ହୋଇ ପରିଣାମ ପ୍ରତ୍ୟାଶା ନରଖି କର୍ମ କରିଥାନ୍ତି, ସେମାନେ ମୁକ୍ତ । କିନ୍ତୁ ପରିଣାମଦର୍ଶୀ ମନୁଷ୍ୟ ଜ୍ଞାନର ଶୀର୍ଷ ମାର୍ଗରେ ଉପନୀତ ନ ହେଲେ ମୁକ୍ତି ସୁଦୂର ପରାହତ । ନିର୍ବୋଧର ଆପଣା ପର ବିଚାର ନଥାଏ । ଜ୍ଞାନ ଚର୍ଚ୍ଚାରେ ଯେଉଁମାନେ କିଞ୍ଚିତ ପରିଶୀଳିତ, ସେହିମାନଙ୍କର ଭେଦ ବୁଦ୍ଧି, ଆତ୍ମପର ଜ୍ଞାନ ଅର୍ଥାତ୍‌ ‘ଅବିଦ୍ୟା’ ଜାଗ୍ରତ ହୋଇଥାଏ । ଏହି ‘ଅବିଦ୍ୟା’ ମୁକ୍ତି ନ ହେଲେ ‘ମୁକ୍ତି’ ସମ୍ଭବ ହୋଇନଥାଏ । ରାଜା ଏହା ଶୁଣି ପଚାରିଲେ, ଜାଗତିକ ଜୀବ ହିସାବରେ ଅଜ୍ଞାନୀ ମଧ୍ୟ କାମନା କରି ନଥାଏ କି ?

 

ବ୍ରାହ୍ମଣ କହିଲେ, ଅଜ୍ଞାନୀ କାମନାରେ କୌଣସି କାମଗନ୍ଧ ନ ଥାଏ, ଯାହା ଶ୍ୱାସ ପ୍ରଶ୍ୱାସକୁ କଳୁଷିତ କରିଥାଏ । ଅଜ୍ଞାନୀର ନିଜସ୍ୱ ବୋଲି କିଛି ନଥାଏ । ତାହାର ହୃଦୟ ନିର୍ମଳ ଓ ଆକାଶ ସଦୃଶ ମୁକ୍ତ ଏବଂ ମନ ଶିଶୁ ସଦୃଶ ସରଳ । ଏହି ସରଳତାହିଁ ଔଦାର୍ଯ୍ୟ । ଔଦାର୍ଯ୍ୟ ହିଁ ମୁକ୍ତି ଆଣି ପାରିଥାଏ ।

 

କିଞ୍ଚିତ ନୀରବ ରହି ବ୍ରାହ୍ମଣ କହିଲେ, ରାଜନ୍‌, ଆତ୍ମ ସଚେତନ ମନୁଷ୍ୟଙ୍କ ମଧ୍ୟରେ ଯେଉଁ କାମନା ଜାଗ୍ରତ ହୋଇଥାଏ, ଏକମାତ୍ର ଆଶାଭଙ୍ଗର ନିର୍ମମ ଆଘାତପ୍ରାପ୍ତ ହୋଇ ଦୈବାତ୍‌ ଶୁଭବୁଦ୍ଧି ପ୍ରେରଣାରେ ତାହା ଗନ୍ଧହୀନ ହୋଇ ନିର୍ମଳ ହୋଇଥାଏ ।

 

ଏହି ଉକ୍ତିର ଏକ ପ୍ରତ୍ୟକ୍ଷ ପ୍ରମାଣ ବାରଙ୍ଗନା ‘ପିଙ୍ଗଳା’ ମଧ୍ୟରେ ଦେଖାଯାଇଥିଲା । ଦେହ ବ୍ୟବସାୟୀ ପରପୁରୁଷ ଜୀବିଣୀ ‘ପିଙ୍ଗଳା’ କାମାଶକ୍ତ ପୁରୁଷ ପ୍ରତ୍ୟାଶା ନେଇ ଅନେକ କାଳ ଅପେକ୍ଷା କରି ମଧ୍ୟ ଦେହଧାରୀ ପୁରୁଷ ମିଳନରେ ବ୍ୟର୍ଥ ହୋଇଥିଲା ସତ, କିନ୍ତୁ ହତାଶ ସ୍ରୋତରେ ଭାସି ନଯାଇ ଶୁଭ ବୁଦ୍ଧି ସମ୍ପନ୍ନା ହୋଇ ପାର୍ଥିବ ଦୟିତ ଉପରେ ଚରମ ବୈରାଗ୍ୟରେ ଆତ୍ମଦୟିତ ସହିତ ମିଳିତ ହୋଇ ଅବଶେଷରେ ପରମାନନ୍ଦ ଲାଭ କରିଥିଲେ ।

 

ଅତଃପର ରାଜା ସେନ୍‌ଜିତ୍‌ ଶୋକାବସ୍ଥା ତ୍ୟାଗ କରି ସ୍ୱାଭାବିକ ହୋଇଥିଲେ ।

 

ଅବଶେଷରେ କାହାଣୀ ସାଙ୍ଗ କରି ପିତାମହ ଧର୍ମରାଜଙ୍କୁ ଉପଦେଶ ଦେଇଥିଲେ ଯେ ସଂସାରରେ ବାସ କରି ମଧ୍ୟ ସଂସାର ବିରାଗୀ ହୋଇ ରହିବା ବିଧେୟ ।

Image

 

ପବନ–ଶାଳ୍ମଳୀ ସମ୍ବାଦ

 

ଏକ ପ୍ରସଙ୍ଗରୁ ଅନ୍ୟ ଏକ ପ୍ରସଙ୍ଗରେ ଆପାତଃ କାଳୀନ ଅନୁଶୀଳନୀୟ ଧର୍ମୋପଦେଶ ଓ ରାଜଧର୍ମ ସମ୍ୱନ୍ଧରେ ଧର୍ମରାଜ ଧୀମାନ ଯୁଧିଷ୍ଠିର ପିତାମହ ଭୀଷ୍ମଙ୍କ ନିକଟରୁ ସଦା ସର୍ବଦା ଶୁଣୁଥିଲେ ମଧ୍ୟ ଧର୍ମରାଜଙ୍କର ଜିଜ୍ଞାସାର ଅନ୍ତ ନଥିଲା । ଜ୍ଞାନବାନ ହୋଇ ସୁଦ୍ଧା ଜ୍ଞାନୀର ଜ୍ଞାନ ଆହରଣ କରିବାରେ ଯେପରି ଅନ୍ତ ନଥାଏ ସେହିପରି ଯୁଧିଷ୍ଠିରଙ୍କ ଜ୍ଞାନ ପିପାସା ଅନନ୍ତ ଥିଲା ।

 

ମାନସିକ ଦ୍ୱନ୍ଦ ନିରସନ ନିମନ୍ତେ ଏକ ସମୟରେ ଧର୍ମରାଜ ଯୁଧିଷ୍ଠିର ପିତାମହଙ୍କୁ ପ୍ରଶ୍ନ କରିଥିଲେ । ପିତାମହ ଏହି ସଂସାର ବିଚିତ୍ର ମାନସିକତାର ଆଧାର । ବୈଚିତ୍ର୍ୟମୟ ଏହି ସଂସାରରେ ଧନୀ, ଦରିଦ୍ର, ବଳବାନ, ଦୁର୍ବଳ, ଆପଣା ଆପଣା କକ୍ଷ ପଥରେ ନିତ୍ୟ ବିଚରଣ କରୁଥାନ୍ତି । କିନ୍ତୁ ବିଚରଣ ସମୟରେ ଯେ ସେମାନେ କକ୍ଷଚ୍ୟୁତ ହୁଅନ୍ତି ନାହିଁ, ଏପରି ନୁହେଁ । ବଳବାନ ଯେପରି ଦୁର୍ବଳକୁ ରକ୍ଷା କରେ ସେହିପରି କ୍ଷେତ୍ର ବିଶେଷରେ ନିମିଷକ ମଧ୍ୟରେ ତାକୁ ସଂହାର ମଧ୍ୟ କରିଥାଏ । ଦୁର୍ବଳ ମଧ୍ୟ ପାରସ୍ପରିକ ସମ୍ପର୍କ ସମ୍ୱନ୍ଧ ବିସ୍ମୃତ ହୋଇ ଆତ୍ମଶ୍ଲାଘ୍ୟରେ କେତେକ କ୍ଷେତ୍ରରେ ମତ୍ତ ହୋଇ ବଳବାନର ବିରୁଦ୍ଧାଚରଣ କରି ବିରାଗଭାଜନ ହୋଇଥାଏ । କିନ୍ତୁ ଏହି ସଂସାରରେ ସ୍ୱୀୟ ଅନିଷ୍ଟ ବା ବିନାଶ କାହାର କାମ୍ୟ ନୁହେଁ । ଯଦି ବଳବାନ ରୁଷ୍ଟ ହୋଇ ଆତ୍ମଶ୍ଲାଘ୍ୟ ପରାୟଣ ନିନ୍ଦୁକ ଦୁର୍ବଳକୁ ବିନାଶ କରିବାକୁ ଉଦ୍ୟତ ହୁଏ ଓ ଦୁର୍ବଳ ଯଦି ବୁଝିପାରିଥାଏ ଯେ ବଳବାନ ଠାରୁ ତାହାର ନିସ୍ତାର ନାହିଁ, ତେବେ ସେ କ୍ଷେତ୍ରରେ ଦୁର୍ବଳ, ବଳବାନ୍‌ ରୋଷ ବହ୍ନିରୁ ଆତ୍ମରକ୍ଷା ନିମନ୍ତେ କିପରି ଆଚରଣ କରିବା ଉଚିତ ?

 

ପିତାମହ ଯୁଧିଷ୍ଠିରଙ୍କ ଏତାଦୃଶ ପ୍ରଶ୍ନ ଶୁଣି କହିଲେ, ରାଜନ୍‌, ତୁମ୍ଭର ପ୍ରଶ୍ନ ପ୍ରସଙ୍ଗ ଅତି ଯୁକ୍ତିସଙ୍ଗତ । କିନ୍ତୁ ମୋର ପ୍ରଶ୍ନ ଏହି ଯେ ଏ ସଂସାରରେ କାହାକୁ ବଳବାନ ଓ ଦୁର୍ବଳ କୁହାଯାଏ ?

 

ପେଶୀବହୁଳ ପ୍ରଭୃତ ଶାରୀରିକ ବଳ ସମ୍ପନ୍ନ ବ୍ୟକ୍ତି କଣ ପ୍ରକୃତ ବଳବାନ ? କ୍ଷୀଣ ଦେହୀ କଣ ପ୍ରକୃତ ଦୁର୍ବଳ ? ଏହା ହୋଇଥିଲେ ଅଷ୍ଟାଦଶ ଅକ୍ଷୌହିଣୀ ସେନାଯୁକ୍ତ ବଳବାନ ଦୁର୍ଯ୍ୟୋଧନକୁ କରୁକ୍ଷେତ୍ର ଯୁଦ୍ଧରେ ଏକାକୀ ପାର୍ଥ ବିନଷ୍ଟ କରି ପାରିଥାନ୍ତେ କି ? ସୁତରାଂ ଶାରୀରିକ ବଳରେ ବଳଶାଳୀ କଦାପି ବଳବାନ ନୁହେଁ । ବୁଦ୍ଧି ବଳରେ ବଳୀୟାନ ହିଁ ପ୍ରକୃତ ବଳବାନ ଓ ଅଳ୍ପବୁଦ୍ଧି ବା ବୁଦ୍ଧିହୀନ ହିଁ ପ୍ରକୃତ ଦୁର୍ବଳ ।

 

ନୀତିଶାସ୍ତ୍ର ମତରେ ବୁଦ୍ଧିଯୁକ୍ତ ବଳବାନ ସହିତ ବୁଦ୍ଧିହୀନ ଦୁର୍ବଳ ଶତ୍ରୁତା କରିବା ଅନୁଚିତ । ଏପରି ଶତ୍ରୁତା ଆଚରଣ କ୍ଷେତ୍ରରେ ଦୁର୍ବଳ ବିନାଶ ଲାଭ କରିଥାଏ । ଦୁର୍ବୁଦ୍ଧି ବଶତଃ ଦୁର୍ବଳ ବଳବାନ ସହିତ ଶତ୍ରୁତା କରି ଯଦି ପଶ୍ଚାତରେ ନିଜ ଭୁଲ ସ୍ୱୀକାର କରେ ଓ ବଳବାନର ଶରଣାପନ୍ନ ହୋଇଥାଏ, ତାହେଲେ ସେ କ୍ଷେତ୍ରରେ ଦୁର୍ବଳ ବଳବାନର ରୋଷବହ୍ନିରୁ ଅବଶ୍ୟ ରକ୍ଷା ପାଇଥାଏ । ଏକଦା ଶାଳ୍ମଳୀ ବୃକ୍ଷ ବଳବାନ ପ୍ରଭଞ୍ଜନ ଠାରୁ ଏହି ପ୍ରକାର ଆତ୍ମରକ୍ଷା କରିବାରେ ସମର୍ଥ ହୋଇଥିଲା ।

 

ଏହା ଶୁଣି ଯୁଧିଷ୍ଠିର କିପରି ବୋଲି ପ୍ରଶ୍ନ ପଚାରିବାରୁ ପିତାମହ କହିଲେ-

 

ଏକଦା ଏକ ଅପୂର୍ବ ଘଟଣା ସଂଘଟିତ ହୋଇଥିଲା । ଲତା, ପୁଷ୍ପ ପାଦପ ଶ୍ରେଣୀ ଶୋଭିତ ହିମାଳୟର ପୃଷ୍ଠଭୂମିରେ ବୃକ୍ଷରାଜି ସହ, ଶାଖା ପ୍ରଶାଖା, ଫଳପୁଷ୍ପ ଶୋଭିତ ସ୍ଫୀତକାୟ ଏକ ଶାଳ୍ମଳୀ ବୃକ୍ଷ ଦଣ୍ଡାୟମାନ ରହି ପକ୍ଷୀ, ପକ୍ଷିଣୀଙ୍କର ଏକ ନିର୍ଭରଯୋଗ୍ୟ ଆଶ୍ରୟସ୍ଥଳୀ ହୋଇଥିଲା । ସେହି ବିଶାଳ ବୃକ୍ଷର ଘନଛାୟା, ବଣିକ ଗଣଙ୍କର ଆଶ୍ରୟସ୍ଥଳୀ ଓ ବନବାସୀ ତପସ୍ୱୀଗଣଙ୍କର ବାସସ୍ଥଳୀ ଥିଲା । ରୌଦ୍ରତାପ ଦଗ୍‌ଧ ପଥଚାରୀ ପଥିକର ଏହା ଏକ ନିର୍ଭରଯୋଗ୍ୟ ବିଶ୍ରାମସ୍ଥଳୀ ହୋଇଥିଲା ।

 

ଏକଦା ଦେବର୍ଷି ନାରଦ ପରିଭ୍ରମଣ କାଳରେ ସେହି ଶାଳ୍ମଳୀ ବୃକ୍ଷର ପାଦଦେଶରେ ଉପନୀତ ହେଲେ । ଶାଳ୍ମଳୀ ବୃକ୍ଷକୁ ଅବଲୋକନ କରି ଦେବର୍ଷି ବିଚାରିଲେ, ପବନଦେବଙ୍କ ପ୍ରବଳ ପ୍ରଭଞ୍ଜନରୁ କିପରି ଏହି ବିଶାଳ ତରୁବର ଆତ୍ମରକ୍ଷା କରିବାରେ ସମର୍ଥ ହୋଇଅଛି ? ଏହା ମନେ ମନେ ବିଚାର କରି କୌତୂହଳୀ ହୋଇ ଶାଳ୍ମଳୀ ବୃକ୍ଷକୁ ଦେବର୍ଷି ପଚାରିଲେ–ଶାଳ୍ମଳୀ, ତୁମ୍ଭେ ଅବଶ୍ୟ ପବନ ଦେବଙ୍କର ବନ୍ଧୁ ବା ମିତ୍ର ବା ଶରଣାଗତ ?

 

ଏହି ପ୍ରଶ୍ନ ଶୁଣି ଶାଳ୍ମଳୀ ଦେବର୍ଷିଙ୍କୁ ଯଥାଯୋଗ୍ୟ ସମ୍ମାନ ପ୍ରଦର୍ଶନ କରି ଉତ୍ତର ଦେଲା, ‘ମହାଭାଗ, କିପରି ଆପଣଙ୍କର ଏପରି ଅଦ୍ଭୁତ ଧାରଣା ଜାତ ହେଲା ?

 

ନାରଦ କହିଲେ, ଅଦ୍‌ଭୁତ ଧାରଣା କାହିଁକି କହୁଛ ? ଏହି ବ୍ରହ୍ମାଣ୍ଡରେ ପବନ ଦେବତାଙ୍କର ଅନୁଗ୍ରହ ବ୍ୟତୀତ ଏପରି ଅକ୍ଷତାବସ୍ଥାରେ ତିଷ୍ଠିବା କୌଣସି ବୃକ୍ଷ ପକ୍ଷେ ସମ୍ଭବ ନୁହେଁ ।

 

ଶାଳ୍ମଳୀ ନାରଦଙ୍କ ବଚନ ଶୁଣି ତାଚ୍ଛଲ୍ୟ ସ୍ୱରରେ କହିଲା ‘ଅନୁଗ୍ରହ’ ପବନ ଦେବତାଙ୍କ ଅନୁଗ୍ରହ । ଜାଣି ରଖନ୍ତୁ ମହାଭାଗ, ମୁଁ କାହାର ଅନୁଗ୍ରହ ବଳରେ ତିଷ୍ଠି ନାହିଁ । ମୋ ଅନୁଗ୍ରହ ଓ ଆଶ୍ରୟରେ ନିର୍ବିବାଦରେ କେବଳ ତୀର୍ଯ୍ୟକ ଯୋନି ପ୍ରାଣୀଗଣଙ୍କ ବ୍ୟତୀତ କେତେକ ମନୁଷ୍ୟ ମଧ୍ୟ ବାସ କରୁଛନ୍ତି ।

ବିସ୍ମୟାବିଷ୍ଟ ନାରଦ ଏହା ଶୁଣି କହିଲେ, ଶାଳ୍ମଳୀ ଏ ପ୍ରକାର ବଚନ ତୁମ୍ଭେ କିପରି କହୁଛ ? ଇନ୍ଦ୍ର, ଯମ, କୁବେର, ଜଳାଧିପତି ବରୁଣ ଏବଂ ବିଶ୍ୱ ଚରାଚର ପ୍ରତ୍ୟେକ ପ୍ରାଣୀ ପବନ ଦେବତାଙ୍କ ନିକଟରେ ନତ ମସ୍ତକ ଥିବାବେଳେ ସେହି ବାୟୁଦେବଙ୍କୁ ତୁମେ କିପରି ଉପେକ୍ଷା କରୁଛ ? ବାୟୁଦେବଙ୍କ ବଳର ପରିମାଣ ଓ ଶକ୍ତି ଅତି ଭୟଙ୍କର ଦାରୁଣ, ଏହା କଣ ତୁମ୍ଭେ ଜାଣିନାହଁ ?

ପୁନରପି ତାଚ୍ଛଲ୍ୟ ସ୍ୱରରେ ଶାଳ୍ମଳୀ କହିଲା, ବାୟୁଦେବ ବଳବାନ ହେଲେ ହୋଇପାରନ୍ତି ଏବଂ ସମସ୍ତେ ବାୟୁଦେବଙ୍କୁ ସମୀହ କରିପାରନ୍ତି; କିନ୍ତୁ ମୁଁ ସେହି ବାୟୁଦେବଙ୍କ ତୁଳନାରେ କମ୍‌ ବଳବାନ୍‌ ନୁହେଁ । ମୋ ନିଜ ଶକ୍ତି ବଳରେ ମୁଁ ଏପରି ବିଶାଳ ଓ ବଳିଷ୍ଠ ହୋଇଅଛି, ବାୟୁଦେବଙ୍କ ଅନୁଗ୍ରହରେ ନୁହେଁ ।

ଅଧିକନ୍ତୁ ବାୟୁଦେବତାଙ୍କ ସହିତ ମୋର କୌଣସି ମିତ୍ରତା ନାହିଁ, ସୁତରାଂ ପବନ ଦେବତାଙ୍କୁ ସମୀହ କରିବାର ପ୍ରଶ୍ନ ଉଠୁନାହିଁ । ରୁଷ୍ଟ କଣ୍ଠରେ ଦେବର୍ଷି କହିଲେ, ଚନ୍ଦନ, ଶାଳ, ସରଳ, ଦେବଦାରୁ, ଖୀରିଷ ଧନ୍ୱନ ଓ ବେତ ପ୍ରଭୃତି ବୃକ୍ଷ ତୁମ୍ଭଠାରୁ ଋଜୁ ଓ ବଳିଷ୍ଠ, କିନ୍ତୁ ଏମାନେ ସମସ୍ତେ ବାୟୁ ଦେବତାଙ୍କୁ ସମୀହ କରିଥାନ୍ତି । ମୋର ଅନୁମାନ ପବନଦେବଙ୍କ ତେଜ ଓ ବଳ ତୁମ୍ଭର ଅଜ୍ଞାତ ।

ଶାଳ୍ମଳୀ ସେହିପରି ତେଜୋଦୀପ୍ତ କଣ୍ଠରେ କହିଲା–ଦେବର୍ଷି, ମୁଁ ଏହା ନିଶ୍ଚିତ ଭାବରେ ଜାଣିଛି ଯେ ପବନ ଦେବତାଙ୍କ ପରାକ୍ରମ ତୁଳନାରେ ମୋର ପରାକ୍ରମ ନ୍ୟୁନ ନୁହେଁ । ନଚେତ୍‌ ଅପରାପର ବୃକ୍ଷ ସଦୃଶ ପବନ ଦେବତା ମୋର କ୍ଷତି କରିଥାନ୍ତେ । ପବନଦେବ ଯଦି ସୃଷ୍ଟି କର୍ତ୍ତା ବ୍ରହ୍ମା ହୋଇଥାନ୍ତେ, ତାହେଲେ ମୁଁ ମାନନ୍ତି ଯେ ସେ ମୋତେ କିପରି ରକ୍ଷା କରି ପାରିବେ । କିନ୍ତୁ ପବନ ଦେବ ଜଣେ ସାମାନ୍ୟ ଦେବତା । ସେ ମୋତେ କିପରି ରକ୍ଷା କରିବେ ? ପବନଦେବଙ୍କ ତେଜ, ବଳ ଓ ପ୍ରାଣ ଶକ୍ତି ଯେତେ ଥିଲେ ହେଁ ତହା ମୋ ତେଜ, ବଳର ଅଠର ଭାଗର ଏକ ଭାଗ ମାତ୍ର । ଅତଏବ ମୋର ପବନଦେବଙ୍କୁ ଭୟ କରିବାର କୌଣସି କାରଣ ନାହିଁ ।

ଅଧିକ କ୍ଷୁବ୍‌ଦ ହୋଇ ଦେବର୍ଷି କହିଲେ, ଶାଳ୍ମଳୀ ତୁମ୍ଭର ବାଚାଳତା ବନ୍ଦ କର । ମୋହଗ୍ରସ୍ତ ଓ ଦୁର୍ବଳ ହୋଇ ମଧ୍ୟ ତୁମ୍ଭେ ବଳବାନକୁ ଅବହେଳା କରିବାକୁ କୁଣ୍ଠିତ ନୁହଁ । କାକପକ୍ଷୀ ନିଜକୁ ମୟୂର ଭାବିଲେ ମଧ୍ୟ ସେ କେବେହେଁ ମୟୂର ହୋଇପାରିବ ନାହିଁ । ଏହି ସାରତତ୍ତ୍ୱକୁ ତୁମ୍ଭେ ତୁମ୍ଭ ଦମ୍ଭାବଶରେ ଅସ୍ୱୀକାର କରୁଅଛି । ମୁଁ ଯାଉଛି ପବନ ଦେବତାଙ୍କୁ ସବୁକଥା କହିବି । ଦେଖିବି କିଏ ବଳବାନ ଓ କିଏ ଦୁର୍ବଳ ।

 

ଅତଃପର ଦେବର୍ଷି ସେହି ସ୍ଥାନ ତ୍ୟାଗ କରି ପବନଦେବତାଙ୍କ ନିକଟରେ ଉପନୀତ ହେଲେ । ନାରଦଙ୍କ ବିମର୍ଷ ମୁଖମଣ୍ଡଳରେ ରୋଷ ଲକ୍ଷ୍ୟକରି ପବନ ଦେବତା ପଚାରିଲେ, ମହାଭାଗ, ଆପଣ ଅତ୍ୟନ୍ତ ରୁଷ୍ଟ ବୋଲି ମୁଁ ଅନୁମାନ କରୁଛି । ଏପରି କି ଘଟଣା ଘଟିଲା ଯେ ଆପଣ ସଂଯମ ଭଙ୍ଗ କରି ଏତାଦୃଶ ରୁଷ୍ଟ ହୋଇ ଅଛନ୍ତି ?

 

ଅସ୍ଥିର ଦେବର୍ଷି କହିଲେ, ମୋର ଏତାଦୃଶ ଆଚରଣ କରିବାର କାରଣ ଯଥେଷ୍ଟ ହୋଇଅଛି–ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ସମସ୍ତେ ଜାଣିଅଛୁ ଯେ ଆପଣଙ୍କର ସର୍ବବ୍ୟାପୀ ଶକ୍ତି ଅସୀମ । ସେହି କାରଣ ଯୋଗୁ ଆପଣଙ୍କୁ ସମସ୍ତେ ଶ୍ରଦ୍ଧା ଓ ଭକ୍ତି କରିଥାନ୍ତି । ସେହି ଶ୍ରଦ୍ଧା ଭକ୍ତିର ପାତ୍ର ଯଦି ଅସମ୍ମାନିତ ଓ ଅବଜ୍ଞାର ପାତ୍ର ହୁଏ ତାହେଲେ ଅତି ସଂଯମୀ ମଧ୍ୟ ଅସଂଯତ ଓ ରୁଷ୍ଟ ହେବା ସ୍ୱାଭାବିକ ।

 

ଏହି କଥା ଶୁଣିବା ପରେ ପବନ ଦେବତା ମହର୍ଷି ନାରଦଙ୍କୁ ପଚାରିଲେ, ଦେବର୍ଷି, ଏହି ବିଶ୍ୱରେ କିଏ ମୋତେ ତାଚ୍ଛଲ୍ୟ ଓ ଅବଜ୍ଞା କରି ଏ ପର୍ଯ୍ୟନ୍ତ ନିର୍ବିବାଦରେ ତିଷ୍ଠି ପାରି ଅଛି ?

 

ତତ୍‌କ୍ଷଣାତ୍‌ ନାରଦ ଉତ୍ତର ଦେଲେ, ସାମାନ୍ୟ ଏକ ଶାଳ୍ମଳୀ ବୃକ୍ଷ । ଏହାପରେ ନାରଦ ଆନୁପୂର୍ବିକ ସମୂହ ବୃତ୍ତାନ୍ତ ପବନ ଦେବତାଙ୍କୁ ଅବଗତ କରାଇଲେ । ଶେଷରେ ନାରଦ କହିଲେ, ଅବମାନନାକର ଉକ୍ତି ଏକ ମହାପାପ ଏବଂ ବିନା ପ୍ରତିବାଦରେ ସେହି ଉକ୍ତିକୁ ସହ୍ୟ କରିବା ମଧ୍ୟ ଅନ୍ୟାୟ । ଶକ୍ତିମାନ ହୋଇ ଦେବତା ଏହିପରି ଅନ୍ୟାୟ ସମର୍ଥନ କରି ସ୍ଥିର ରହିବା ଅଧିକତର ଅନ୍ୟାୟ ।

 

ପବନଦେବ କ୍ଷୁବ୍‌ଧ ହୋଇଥିଲେ ହେଁ ନାରଦଙ୍କ ଉକ୍ତି ଶୁଣି ତତ୍‌କ୍ଷଣାତ୍‌ କୌଣସି ପ୍ରତିକାର କରିବାକୁ ସଙ୍ଗତ ମନେ ନକରି ଉକ୍ତିର ସତ୍ୟାସତ୍ୟ ନିରୂପଣ ନିମନ୍ତେ ହିମାଳୟ, ପାଦଦେଶସ୍ଥ ସେହି ଶାଳ୍ମଳୀ ବୃକ୍ଷ ନିକଟକୁ ଯାଇ ପଚାରିଲେ–ଶାଳ୍ମଳୀ ତୁମ୍ଭେ ଦେବର୍ଷି ନାରଦଙ୍କୁ ମୋ ବିଷୟରେ ତୁଚ୍ଛ ତାଚ୍ଛଲ୍ୟ ପୂର୍ବକ ବଚନମାନ କହିଅଛ ?

 

ଉଦ୍ଧତ ଭଙ୍ଗୀରେ ଶାଳ୍ମଳୀ ଉତ୍ତର ଦେଲା, ଯାହା ସତ୍ୟ ତହାହିଁ କହିଛି । ସତ୍ୟ କଥାକୁ ଯଦି ଆପଣ ତାଚ୍ଛଲ୍ୟ ଭାବନ୍ତି ତାହେଲେ ମୋର କିଛି କହିବାର ନାହିଁ ।

 

ଗମ୍ଭୀର ହୋଇ ପବନଦେବ ପୁନଶ୍ଚ ପଚାରିଲେ, ତୁମେ କଣ ପ୍ରକୃତରେ ମୋର ପରାକ୍ରମ ଅସ୍ୱୀକାର କରୁଅଛ ? ତୁମେ କଣ ଭାବିଛ ଯେ ତୁମ୍ଭ ନିଜ ବଳରେ ତୁମ୍ଭେ ଏ ପ୍ରକାର ଅକ୍ଷତ ଅବସ୍ଥାରେ ଅଛ ? ଶାଳ୍ମଳୀ କହିଲା, ଏହା ମୋର କେବଳ ଧାରଣା ନୁହେଁ, ମୋର ପ୍ରତ୍ୟୟ-। ଆପଣଙ୍କ ବଳ ତୁଳନାରେ ମୋର ବଳ କୌଣସି ଅଂଶରେ ନ୍ୟୂନ ନୁହେଁ ।

 

ପବନଦେବ ଏହା ଶୁଣି କହିଲେ, ସାଧାରଣ ଅର୍ବାଚୀନ ମନୁଷ୍ୟ ସଦୃଶ ତୁମ୍ଭେ ମୋହଗ୍ରସ୍ତ, ତେଣୁ ଏହିପରି ସଦମ୍ଭ ଭକ୍ତି ମୋ ସମ୍ମୁଖରେ କରୁଅଛ । ଅକାରଣ ଦମ୍ଭ ପ୍ରକାଶ କରି ମୋ ସହିତ ଶତ୍ରୁତା କରି ମୋର ରୋଷାଗ୍ନିକୁ ଉଦ୍ଦୀପିତ କରନାହିଁ ।

 

ଶାଳ୍ମଳୀ ଉତ୍ତର ଦେଲା, ଆପଣଙ୍କ ରୋଷ ନିମନ୍ତେ ମୁଁ ଭୀତ ନୁହେଁ । ପରୀକ୍ଷା କରି ଦେଖି ପାରନ୍ତି ମୋର ଦମ୍ଭ ଯଥାର୍ଥ କି ନୁହେଁ । ରୁଷ୍ଟ ପବନ ଦେବ ଅସମ୍ଭାଳ ହୋଇ କହିଲେ, ଶୁଣ ଶାଳ୍ମଳୀ ଏ ପର୍ଯ୍ୟନ୍ତ ତୁମ୍ଭ ନିକଟରେ ମୋର ପ୍ରତାପ ସଂଯତ କରି ରଖିବାର ଏକମାତ୍ର କାରଣ ହେଲା ଭଗବାନ୍‌ ବ୍ରହ୍ମା ପ୍ରଜାସୃଷ୍ଟି ସମୟରେ ତୁମ୍ଭର ଛାୟାରେ ବିଶ୍ରାମ ନେଇଥିଲେ । ସେଥିଯୋଗୁଁ ମୁଁ ନିଶ୍ଚିତ ରୂପେ ନଜାଣି କୌଣସି ପରାକ୍ରମ ତୁମ୍ଭ ନିକଟରେ ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ । ଆଗାମୀ କଲ୍ୟହିଁ ତୁମ୍ଭେ ମୋର ରୂପ ଓ ସ୍ୱରୂପ ଦେଖିବ । ଦେଖିସାରିବା ପରେ ଭବିଷ୍ୟତରେ ତୁମେ ପ୍ରକୃତ ଶ୍ରଦ୍ଧା ଭାଜନଙ୍କୁ କେବେହେଁ ଅଶ୍ରଦ୍ଧା ଓ ଅପମାନ କରିବାର ସ୍ପର୍ଦ୍ଧା ରଖିବ ନାହିଁ । ଅତଃପର ପବନ ଦେବତା ନିଜ ଆଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

 

ଧର୍ମ୍ମରାଜ ପିତାମହଙ୍କୁ ପଚାରିଲେ–ପିତାମହ, ପବନଦେବ କଣ ଶାଳ୍ମଳୀକୁ ଉପଯୁକ୍ତ ଶାସ୍ତି ଦେଇଥିଲେ ? ମୋ ମତରେ କ୍ଷମା ଅଯୋଗ୍ୟ ଏହି ଶାଳ୍ମଳୀ ଉପଯୁକ୍ତ ଶିକ୍ଷା ପ୍ରାପ୍ତ ହେବାର ଯୋଗ୍ୟ ବସ୍ତୁ । ପବନଦେବ ନିଶ୍ଚୟ ସେହି ଶିକ୍ଷା ଶାଳ୍ମଳୀକୁ ଦେଇଥିବେ ।

 

ପିତାମହ କହିଲେ, ଶାସ୍ତ୍ରରେ ଅଛି ବାଳକ, ଜଡ଼, ଅନ୍ଧ, ବଧିର ଯଦି ପ୍ରତିପକ୍ଷଠାରୁ ଅଧିକ ବଳବାନ ହୋଇଥାନ୍ତି ତାହେଲେ ସେମାନଙ୍କର ଅହଂକାର କ୍ଷମାଯୋଗ୍ୟ । କିନ୍ତୁ ବୁଦ୍ଧିହୀନ, ମୂର୍ଖ ଦୁର୍ବଳ କେବେହେଁ କ୍ଷମା ଯୋଗ୍ୟ ନୁହନ୍ତି । ପବନଦେବ କ୍ଷମା କରି ନଥିଲେ ସତ, କିନ୍ତୁ ପ୍ରକୃତରେ ଯେ କ୍ଷମା କରି ନାହାନ୍ତି ଏ କଥା କହିହେବ ନାହିଁ । ସେ କିପରି ପିତାମହ ? ଯୁଧିଷ୍ଠିର ପଚାରିଲେ ।

 

ଭୀଷ୍ମ କହିଲେ, ପବନ ଦେବତା ପ୍ରସ୍ଥାନ କଲାପରେ ଆତ୍ମ ବିଶ୍ଲେଷଣ କରି ଶାଳ୍ମଳୀ ମନେ ମନେ ଶଙ୍କିତ ହୋଇ ଉଠିଲା । ଶାଳ୍ମଳୀ ମନେ ମନେ ଜାଣିଥିଲା ଯେ ଅନ୍ୟାନ୍ୟ ବିଶାଳ ପାଦପଙ୍କ ଶକ୍ତି ତୁଳନାରେ ତାର ଶକ୍ତି ଅତି ନଗଣ୍ୟ । ପବନ ଦେବତାଙ୍କ ପ୍ରବଳତମ ରୂପ ନହୋଇ ପ୍ରବଳତର ରୂପ ତାକୁ ଉତ୍ପାଟିତ କରିବା ନିମନ୍ତେ ଯଥେଷ୍ଟ । ଏହା ଅନୁଭବ କରି ଶାଳ୍ମଳୀ ମନ ସନ୍ତାପିତ ହେଲା । କିନ୍ତୁ ବର୍ତ୍ତମାନ ସେ ନିରୂପାୟ-କାରଣ ପରଦିନ ପ୍ରଭାତରେ ହିଁ ସେ ସମୂଳେ ଉତ୍ପାଟିତ ହେବ ।

 

ସ୍ତବ୍‌ଧ ଭୀତିଗ୍ରସ୍ତ ଶାଳ୍ମଳୀ ତତ୍‌କ୍ଷଣାତ୍‌ ପ୍ରାଣରକ୍ଷା ନିମିତ୍ତ ଏକ ଉପାୟ ନିର୍ଦ୍ଧାରଣ କଲା-। ବୁଦ୍ଧି ହିଁ ଏକମାତ୍ର ବନ୍ଧୁ ଯେ ଅସମୟ ବା ଦୁଃସମୟରେ ବିବେକବାନକୁ ସାହାଯ୍ୟ ଦେବାରେ କାର୍ପଣ୍ୟ କରି ନଥାଏ ।

 

ପରଦିନ ପ୍ରଭାତ ନ ହେଉଣୁ ଶାଳ୍ମଳୀ ଏକ କ୍ରୁଦ୍ଧ ଗର୍ଜନ ଶୁଣି ପାରିଲା ଏବଂ ଦେଖିଲା ଯେ ପ୍ରଭଞ୍ଜନ ସୃଷ୍ଟିକରି ପବନଦେବ ମହୀରୂହ କୂଳକୁ ଭୂପତିତ କରି ଦୁର୍ବାର ଗତିରେ ତା ନିକଟକୁ ଅଗ୍ରସର ହେଉଛନ୍ତି । ପବନ ଦେବ ନିକଟତର ହେବା ଦେଖି ବୁଦ୍ଧି ପ୍ରସୂତ ପୂର୍ବ କଳ୍ପନାନୁଯାୟୀ ଶାଳ୍ମଳୀ ନିଜର ପତ୍ର, ପୁଷ୍ପ ଶାଖା, ପ୍ରଶାଖାକୁ ନିଦାରୁଣ ଭାବରେ ସଙ୍କୁଚିତ କରିନେଲା । ମୂହୂର୍ତ୍ତକ ମଧ୍ୟରେ ସେହି ବିଶାଳ ମହୀରୂହ ଶାଖା, ପତ୍ର, ପୁଷ୍ପହୀନ ହୋଇ ବିଶୁଷ୍କ ଆକାର ଧାରଣ କରିଲା ।

 

ପବନଦେବ ଶାଳ୍ମଳୀ ସମ୍ମୁଖସ୍ଥ ହୋଇ ଏହି ଦୁର୍ଦ୍ଦଶା ନିରୀକ୍ଷଣ କରି ନିଜ ରୋଷ ସଂଯତ କରି କହିଲେ, ଶାଳ୍ମଳୀ ତୁମ୍ଭର ଦମ୍ଭ ପାଇଁ ସମୂଳେ ଭୂପତିତ କରିବା ହିଁ ମୋର ଉଚିତ କର୍ମ ହୋଇ ଥାଆନ୍ତା । କିନ୍ତୁ ତୁମ୍ଭେ ତୁମ୍ଭର ଅପରାଧ ବୁଝି ସନ୍ତପ୍ତ ହୋଇଥିବାରୁ ଦମ୍ଭର ପ୍ରାୟଶ୍ଚିତ କରିଅଛ । ଅତଏବ ମୁଁ ତୁମକୁ କ୍ଷମା କରିଛି । ସର୍ବଦା ସ୍ମରଣ ରଖିବ ଯେ ନିଜ ସାମର୍ଥ ନବୁଝି, ନିଜ ସ୍ୱରୂପ ବିସ୍ମୃତ ହୋଇ, ନିଜର ବଳ ପରାକ୍ରମକୁ ଯଥାର୍ଥ ପରୀକ୍ଷା ନକରି ଅଯଥା ଦମ୍ଭ ପ୍ରକାଶ କରି ବଳବାନ ପ୍ରତିପକ୍ଷକୁ ରୋଷାନ୍ୱିତ କରିବା କୌଣସି ବୁଦ୍ଧିମାନର ବୁଦ୍ଧିମତା ଲକ୍ଷଣ ନୁହେଁ ।

Image

 

ପ୍ରହ୍ଲାଦ ଓ ବ୍ରାହ୍ମଣ ସମ୍ବାଦ

 

କରୁକ୍ଷେତ୍ର ରଣାଙ୍ଗନରେ ଶାୟିତ ପିତାମହ ଭୀଷ୍ମଙ୍କୁ ଯୁଧିଷ୍ଠିର ଏକଦା ପଚାରିଥିଲେ, ପିତାମହ, ‘ଆନନ୍ଦ’ ମନୁଷ୍ୟର କାମ୍ୟ । ଆନନ୍ଦ ଲାଭ ପାଇଁ ମନୁଷ୍ୟ ଏହି ଇହଜଗତରେ ସଦା ଚେଷ୍ଟିତ, କିନ୍ତୁ ଦେଖାଯାଏ ଯେ ଆନନ୍ଦ ପରିବର୍ତ୍ତେ ମନୁଷ୍ୟ ଯେପରି ଦୁଃଖ ସାଗରରେ ସଦା ନିମଜ୍ଜିତ ହେଉଅଛି । ସ୍ୱାଭାବିକ ଭାବରେ ମନରେ ଚିନ୍ତା ଜାଗ୍ରତ ହୁଏ ଯେ, ଜଗତ କଣ ଆନନ୍ଦହୀନ ଏବଂ ଶୋକ ଦୁଃଖର ଆକାର ?

 

ପିତାମହ ଧର୍ମରାଜଙ୍କର ଏଭଳି ପ୍ରଶ୍ନ ଶୁଣି କହିଲେ–ଧର୍ମରାଜ, ପୃଥିବୀର ପବନ କଣ କେବଳ ପୂତିଗନ୍ଧମୟ ହୋଇଥାଏ ? ଏହି ପବନ କଣ ସୁଗନ୍ଧ ବହି ଆଣେ ନାହିଁ ? ଏ ପୃଥିବୀର ଆକାଶ କଣ ସଦା ସର୍ବଦା ମେଘାଚ୍ଛନ ରହିଥାଏ ? କେବେହେଁ ମେଘମୁକ୍ତ ହୋଇ ନିର୍ମଳ ହୁଏ ନାହିଁ ? ନିଶାର ଅନ୍ଧକାର କଣ ପୃଥିବୀ ବକ୍ଷରେ ସଦା ସର୍ବଦା ବିରାଜମାନ କରେ ? ଅନ୍ଧକାର ଅପସାରିତ ହୋଇ ଦିବାଲୋକ କଣ ପ୍ରକାଶିତ ହୁଏ ନାହିଁ ?

 

ଯୁଧିଷ୍ଠିର ପିତାମହଙ୍କ ପ୍ରଶ୍ନବାଚକ ଉକ୍ତି ଶ୍ରବଣ କରି କହିଲେ, ଏସବୁ ସତ୍ୟ ପିତାମହ । ରାତ୍ରୀ ପରେ ଦିନ, ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଜାଗତିକ ନିୟମରେ ଚକ୍ରବତ୍‌ ଘୂର୍ଣ୍ଣାୟମାନ ଏବଂ ମନୁଷ୍ୟ ମଧ୍ୟ ସେହି ଚକ୍ରରେ ଘୂରିବୁଲେ । କିନ୍ତୁ ଏହିପରି ଘୂର୍ଣ୍ଣୀ ଚକ୍ରରେ ନଘୂରି, ସମ୍ପୂର୍ଣ୍ଣ ଶୋକ, ବିଷାଦ ଶୂନ୍ୟ ହୋଇ ମନୁଷ୍ୟ ସର୍ବକାଳ ନିମନ୍ତେ ଅମୃତମୟ ଆନନ୍ଦ ଲାଭ କରିପାରେ କି ?

 

ପିତାମହ କହିଲେ, ଏହି ଇହଜଗତରେ ଆନନ୍ଦ ସହିତ ଶୋକ ଦୁଃଖ, ହତାଶା ବେଦନା, ଏକାଙ୍ଗ ଭାବେ ଜଡ଼ିତ । ସଯତ୍ନ ପ୍ରୟାସ କଲେ ମନୁଷ୍ୟ ନିରବଚ୍ଛିନ୍ନ ଆନନ୍ଦ ଲାଭ କରି ପାରିବ । ଯେଉଁ ବ୍ୟକ୍ତି ସନ୍ତରଣ ଅନଭିଜ୍ଞ ବା ସନ୍ତରଣ ଶିକ୍ଷାରେ ଆଗ୍ରହହୀନ ସେ ଦଳରେ ଭାସମାନ ହୋଇ ରହିବାକୁ ଚାହିଁଲେ ନିମଜ୍ଜିତ ହେବା ଅବଶ୍ୟମ୍ଭାବୀ । କିନ୍ତୁ ସୁପଟୁ ସନ୍ତରଣକାରୀ ନଦୀର ବିକ୍ଷୁବ୍‌ଧ ଜଳରାଶିରେ ମଧ୍ୟ ନିର୍ବିବାଦରେ ଭାସମାନ ହୋଇ ରହିପାରେ ।

 

ପୁନଶ୍ଚ ପିତାମହ କହିଲେ, ଏହି ପ୍ରସଙ୍ଗରେ ବହୁପୂର୍ବରୁ ଏକଦା ଦୈତରାଜ ପ୍ରହ୍ଲାଦଙ୍କ ସହିତ ସଦାନନ୍ଦମୟ ଏକ ବ୍ରାହ୍ମଣଙ୍କର ଯାହା ଆଲୋଚନା ହୋଇଥିଲା, ତାହା ଶ୍ରବଣ କର ।

 

ଦେବାସୁର ବନ୍ଦିତ ଦାନବରାଜ ‘ପ୍ରହ୍ଲାଦ’ ସ୍ୱୀୟ ରାଜ୍ୟରେ ସୁପ୍ରତିଷ୍ଠିତ ଥିବା ସମୟରେ, ପ୍ରଜା ନିର୍ବିଶେଷରେ ସମସ୍ତଙ୍କୁ ସମାନ ଆଚରଣ ପ୍ରର୍ଦଶନ ହେତୁ ପ୍ରଜାଗଣ ନିଶ୍ଚିନ୍ତ ରହିଥିଲେ । ରାଜ୍ୟରେ ଶାନ୍ତି ଶୃଙ୍ଖଳା ଅବ୍ୟାହତ ହୋଇ ରହିଥିଲା । ପ୍ରାୟଶଃ ରାଜା ରାଜ୍ୟ ମଧ୍ୟରେ ପରିଭ୍ରମଣ କରି ପ୍ରଜାଗଣଙ୍କର ଶୋକ ଦୁଃଖ, ଆନନ୍ଦ ଉଲ୍ଲାସ ଓ ବିଚିତ୍ର ଜୀବନ ଲୀଳା ଦେଖୁଥିଲେ । ନିତ୍ୟ ପରିଭ୍ରମଣ କାଳରେ ରାଜ୍ୟ ମଧ୍ୟରେ ଏକ ସଦାନନ୍ଦମୟ ବ୍ରାହ୍ମଣ ତାଙ୍କର ଦୃଷ୍ଟିଗୋଚର ହେଉଥିଲା-। ଆପାତଃ ଦୃଷ୍ଟିରେ ସେ ବ୍ରାହ୍ମଣ ଘୋର ସଂସାରୀ ହେଲେହେଁ ଦୁଃଖ ବିଷାଦ ପରିବର୍ତ୍ତେ ସଦା ଆନନ୍ଦମୟ ଏବଂ ଅଭାବ ଜନିତ କୌଣସି ଉଦ୍‌ବେଗ ନଥିଲା । ସେହି ବ୍ରାହ୍ମଣ ଉଦ୍‌ବେଗହୀନ, ଅସ୍ଥିରତା ଶୂନ୍ୟ ହୋଇଥିବାରୁ ଅସ୍ଥିରତା ଜନିତ ବିଷାଦଶୂନ୍ୟ ଓ ବିଷାଦ ଜନିତ ଶୋକ ଶୂନ୍ୟ ଥିଲେ-। ନିତ୍ୟ ପ୍ରତିଦିନ ଏହି ଘଟଣା ଦେଖି ରାଜା ଏକଦା କୌତୂହଳୀ ହୋଇ ସେହି ବ୍ରାହ୍ମଣଙ୍କ ସମୀପରେ ଉପନୀତ ହେଲେ ।

 

ବ୍ରାହ୍ମଣ ଦୈତରାଜ ପ୍ରହ୍ଲାଦଙ୍କୁ ଦେଖି ଯଥାଯୋଗ୍ୟ ଅଭ୍ୟର୍ଥନା କରିଥିଲେ ହେଁ ରାଜାଙ୍କର ଆଗମନ ସମ୍ବନ୍ଧରେ କୌଣସି କୌତୂହଳ ପ୍ରକାଶ କରି ନଥିଲେ । ଏପରି ବ୍ୟବହାରରେ ରାଜା ବିସ୍ମିତ ହୋଇ ବ୍ରାହ୍ମଣଙ୍କୁ କହିଲେ–ମହାଭାଗ, ମୁଁ ଆପଣଙ୍କଠାରୁ ଏକ ପ୍ରଶ୍ନର ଉତ୍ତର ପାଇବା ଆଶାରେ ଏଠାକୁ ଆସିଅଛି । ବ୍ରାହ୍ମଣ ରାଜାଙ୍କ ବଚନ ଶୁଣି କହିଲେ–ରାଜନ୍‌ ସେହି ପ୍ରଶ୍ନର ଉତ୍ତର ଯଦି ମୋ ଜ୍ଞାନ ପରିସଭୁକ୍ତ ହୋଇଥାଏ, ତାହେଲେ ମୁଁ ଅବଶ୍ୟ ଆପଣଙ୍କୁ ଉତ୍ତର ଦେବି, କେବେହେଁ ନିରାଶ କରିବି ନାହିଁ । ରାଜା କହିଲେ–ମୁଁ ନିୟତ ଲକ୍ଷ୍ୟ କରୁଛି ଯେ ଆପଣ ସଦାସର୍ବଦା ନିରୁଦ୍‌ବିଗ୍ନ, ଉଲ୍ଲାସହୀନ ଓ ଶୋକହୀନ । ସଂସାରୀ ହୋଇ ମଧ୍ୟ ଆପଣ ସଂସାରୀ ନୁହନ୍ତି । ସଦାସର୍ବଦା ଆପଣ ଯେପରି ଏକ ଅବ୍ୟକ୍ତ ଆନନ୍ଦ ମଧ୍ୟରେ ରହିଛନ୍ତି ଯାହାକି କୌଣସି ସଂସାରୀ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ ।

 

ପ୍ରସଙ୍ଗର ଗୁରୁତ୍ୱ ନଦେଇ ବ୍ରାହ୍ମଣ କହିଲେ ଏହି କଥା, ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ? ରାଜା କହିଲେ, ମୁଁ ଜାଣିବାକୁ ଚାହେଁ ଏହି ସଂସାରରେ ବାସକରି ଆପଣ କିପରି ଏପରି ସଦାନନ୍ଦମୟ । ମନୁଷ୍ୟ ସଂସାରରେ କାମ ଓ କ୍ରୋଧ ସ୍ରୋତରେ ସଦାସର୍ବଦା ବ୍ୟତିବ୍ୟସ୍ତ ଥିବାବେଳେ ଆପଣ କିପରି ଏ ପ୍ରକାର ସ୍ଥିର, ଉଦାସୀନ ଓ ଅଚଞ୍ଚଳ ରହିଛନ୍ତି ?

 

ବ୍ରାହ୍ମଣ କହିଲେ, ରାଜନ୍‌, ଏହି ସଂସାରକୁ ଦେଖି ଓ ପର୍ଯ୍ୟାଲୋଚନା କରି, ସଂସାରରେ ସାରସତ୍ତ୍ୱ ଜାଣିବା ପରେ ମୁଁ ଶୋକ-ବିଶୋକ, ହର୍ଷ-ବିଷାଦ, ସୁଖ-ଦୁଃଖ, ଓ କାମନା-ବାସନାଠାରୁ ମୁକ୍ତ ହୋଇଛି । ଏ ଜଗତର କୌଣସି ପ୍ରତିକୂଳ ଘଟଣା ମୋତେ ପ୍ରତିକୂଳ ବୋଲି ମନେହୁଏ ନାହିଁ କି ଅନୁକୂଳ ଘଟଣାର ଆନୁକୂଲ୍ୟରେ ମୁଁ ବିଚଳିତ ହୁଏ ନାହିଁ ।

 

ଦୈତରାଜ ପଚାରିଲେ, କଣ ସେହି ସାରସତ୍ତ୍ୱ ଯାହା ଉପଲବ୍‌ଧି କରି ଆପଣ ଅପରାପର ମନୁଷ୍ୟଙ୍କ ଠାରୁ ନିଜକୁ ସ୍ୱତନ୍ତ୍ର କରି ପାରିଛନ୍ତି ? ଜୀବିକା ନିର୍ବାହ ନିମନ୍ତେ ମନୁଷ୍ୟ ସଚେଷ୍ଟ ହୋଇ ନିତ୍ୟ ସଂଗ୍ରାମରତ ହେଲାବେଳେ ଆପଣ ଏ ଦିଗରେ ଉତ୍ସାହହୀନ, ଆଗ୍ରହଶୂନ୍ୟ ଓ ଉଦ୍ଦୀପନାହୀନ । ଏହି ଚେଷ୍ଟାହୀନ ଓ ଉତ୍ସାହହୀନ ଜୀବନଯାପନ କରି ଆପଣ କିପରି ସୁଖରେ ଜୀବନଯାତ୍ରା ନିର୍ବାହ କରି ପାରୁଛନ୍ତି ? ଅନ୍ନହୀନ ପ୍ରାଣ ବା ଅଭାବଗ୍ରସ୍ତ ଜୀବ କେବେହେଁ ଆନନ୍ଦ ଅନୁଭବ କରି ପାରେ କି ?

ବ୍ରାହ୍ମଣ ରାଜାଙ୍କ ବଚନ ଶୁଣି କହିଲେ, ରାଜନ୍‌, ଏହା ସତ୍ୟ ଯେ ପ୍ରାଣ ଅନ୍ନମୟ ଓ ଅନ୍ନର ଦାସ । କ୍ଷୁଧାର୍ତ୍ତ ମନୁଷ୍ୟ କେବେହେଁ ଆନନ୍ଦ ଅନୁଭବ କରି ପାରେ ନାହିଁ । କିନ୍ତୁ କ୍ଷୁଧା ଧର୍ମକୁ ଉପଲବ୍‌ଧି କରି, ଓ କ୍ଷୁଧାର ସର୍ବଗ୍ରାସୀ ଆକାଂକ୍ଷା ସ୍ୱରୂପକୁ ଚିହ୍ନି, କ୍ଷୁଧାକୁ ନିୟନ୍ତ୍ରଣାଧୀନ କରିବା ଅସମ୍ଭବ । ଏହାଦ୍ୱାରା କ୍ଷୁଧା କେବେହେଁ ନିବୃତ୍ତ ହୋଇ ନଥାଏ । ଖାଦ୍ୟ ଗ୍ରହଣ କରି କ୍ଷୁଧା ନିବୃତ୍ତ ହୋଇ ସାମୟିକ ଆନନ୍ଦ ଓ ତୃପ୍ତି ଲାଭ କରାଯାଉଥିଲେ ହେଁ ପୁନଶ୍ଚ କ୍ଷୁଧା ତାଡ଼ନାରେ ମନୁଷ୍ୟ ଅସ୍ଥିର ଓ ଅତୃପ୍ତ ହେବା ସ୍ୱାଭାବିକ ।

ଜୀବନ ଧାରଣ ନିମନ୍ତେ ଖାଦ୍ୟ ଆହରଣ ଅପରିହାର୍ଯ୍ୟ ସତ, କିନ୍ତୁ କେବଳ ଅନ୍ନ ନିର୍ଭର ହେଲେ ମନୁଷ୍ୟ ପ୍ରାଣ ଅନ୍ନର ଦାସ ହୋଇ ଆପଣା ଅସ୍ତିତ୍ୱ ବିସ୍ମୃତ ହୋଇଥାଏ ଏବଂ କେବଳ ଅନ୍ନର ଇଙ୍ଗିତରେ ଜୀବନ ଯାପନ କରିଥାଏ ।

ସେ ବିସ୍ମୃତ ହୁଏ ଯେ ନିଜକୁ ଧାରଣ କରି ରଖିବା ନିମନ୍ତେ ନିଜ ମଧ୍ୟରେ ଯଥେଷ୍ଟ ଅନ୍ନ ରହିଅଛି । ଫଳତଃ ସେ ପରନିର୍ଭରଶୀଳ ହୋଇଥାଏ । ପରନିର୍ଭରଶୀଳ ବ୍ୟକ୍ତି କେବେହେଁ ସ୍ଥାୟୀ ଆନନ୍ଦ ଲାଭ କରି ପାରେ ନାହିଁ ।

ବ୍ରାହ୍ମଣ ପୁନଶ୍ଚ କହିଲେ, ଅଜଗର ସର୍ପର ଦେହ ବିଶାଳକାୟ ଓ ଏହା ପ୍ରାୟ ନିଶ୍ଚଳ ଜୀବନ ଯାପନ କରିଥିଲେହେଁ ନିଶ୍ଚିନ୍ତରେ ବହୁକାଳ ପର୍ଯ୍ୟନ୍ତ ଜୀବିତ ରହିଥାଏ । ସେହି ସର୍ପର ପ୍ରାଣ ଧାରଣର ତାଗିଦ୍‌ ସ୍ୱାଭାବିକ ଭାବରେ ଥିଲେହେଁ ସେ ନିର୍ବିବାଦରେ ସୁସ୍ଥ, ସବଳ ପ୍ରାଣମୟ ଜୀବନ ଯାପନ କରିଥାଏ । ଏହି ଅଜଗର ସର୍ପହିଁ ମୋ ଜ୍ଞାନଚକ୍ଷୁ ଉନ୍ମୀଳନ କରିଅଛି । ଯଦି ମନୁଷ୍ୟ ନିର୍ବିବାଦ ଓ ନିଶ୍ଚିନ୍ତ ଜୀବନ ଯାପନ କରିବାକୁ ଇଚ୍ଛା କରେ, ତାହେଲେ ଅନ୍ନଗତ ପ୍ରାଣ ନହୋଇ, ଅନ୍ନ ନିମନ୍ତେ ଋଷାଋଷି ଓ କ୍ଷୁଧା ଜ୍ୱାଳା ଯନ୍ତ୍ରଣା ଭୋଗ ନକରି ଏହି ନିରୁଦ୍‌ବେଗ ଅଜଗର ବୃତ୍ତି ଧାରଣ କରିବା ହିଁ ଶ୍ରେୟ ଅଟେ ।

 

ବିବେକବାନ ମନୁଷ୍ୟ ଅସ୍ଥିରତାକୁ କାମ୍ୟବସ୍ତୁ ବୋଲି ଗ୍ରହଣ କରି ନଥାଏ । ମୁଁ ମୋର ବିବେକ ନିର୍ଦ୍ଦେଶରେ ଅଜଗର ବୃତ୍ତି ନେଇ ଏହି ସଂସାରରେ ଜୀବିକା ନିର୍ବାହ କରୁଅଛି । ମୁଁ ଦେଖୁଛି ଯେ ଅର୍ଥପାଇଁ ବିଦ୍ୟା, ଜ୍ଞାନ ଓ ଗୁଣରେ ଅପେକ୍ଷାକୃତ ଉନ୍ନତ ମନୁଷ୍ୟ ଅନାର୍ଯ୍ୟ, କୃପଣ ବ୍ୟକ୍ତି ନିକଟରେ ଦାସତ୍ୱ ବନ୍ଧନରେ ଆବଦ୍ଧ ହୋଇ ରହିଅଛି । ଏହିସବୁ ଦେଖି ଅଜଗର ବୃତ୍ତିରେ ଜୀବନ ନିର୍ବାହ ପ୍ରଣାଳୀକୁ ମୁଁ ଧ୍ରୁବ ଓ ପରମ ସତ୍ୟ ବୋଲି ଜ୍ଞାନ କରେ ।

 

ଧର୍ମ ସଂଗତ କୌଣସି ଭୋଗ୍ୟବସ୍ତୁକୁ ମୁଁ ପ୍ରତ୍ୟାଖାନ କରେ ନାହିଁ । ଖାଦ୍ୟବସ୍ତୁ ଅଭାବରେ ମଧ୍ୟ ମୁଁ କେବେହେଁ କୌଣସି ଲାଳସା ବା ଆକାଂକ୍ଷା ଅନୁଭବ କରେ ନାହିଁ । କେତେକ ଅନ୍ନଦାତା ଏପରି ଅଛନ୍ତି ଯେଉଁମାନେ ନାନାବିଧ ଉତ୍କୃଷ୍ଟ ଅନ୍ନରେ ସୁପ୍ରଚୁର ଭୋଜନ କରାଇ ଥାଆନ୍ତି ଏବଂ ଏପରି ମଧ୍ୟ କେତେକ ଅଛନ୍ତି, ଯେଉଁମାନେ ସାଧ୍ୟମତେ ଅଳ୍ପ ଭୋଜନ କରାଇ ଥାଆନ୍ତି । ସୁପ୍ରଚୁର ଅନ୍ନ ଦାନ ମିଳିଲେ, ମୁଁ ଅପରିମିତ ଚର୍ବ୍ୟ, ଚୋଷ୍ୟ, ଲେହ୍ୟ ଓ ପେୟ ଭୋଜନ କରିଥାଏ ଏବଂ ଯଦି ଭାଗ୍ୟରେ କିଛି ନଜୁଟେ ତାହେଲେ ଖୁଦ ବା ପିନାକ ବା ଭୂଷି ଜାତୀୟ ଖାଦ୍ୟ ବସ୍ତୁ ନିର୍ଦ୍ୱନ୍ଦରେ ଗ୍ରହଣ କରିଥାଏ । ପୁନଶ୍ଚ କେତେବେଳେ ଏପରି ମଧ୍ୟ ହୋଇଥାଏ ଯେ କୌଣସି ଆହାର ମଧ୍ୟ ମିଳି ନଥାଏ । ସେହିପରି କେତେବେଳେ ମସୃଣ ପଲଙ୍କ ଶଯ୍ୟାରେ ଶୟନ ଓ କେତେବେଳେ ଭୂମି ଉପରେ ଶୟନ କରିଥାଏ । ପୁନଶ୍ଚ ପ୍ରାପ୍ତି ଯୋଗରେ ବହୁମୂଲ୍ୟ ବସ୍ତ୍ରାଦି ପରିଧାନ କରିଥାଏ ଓ ଭାଗ୍ୟରେ ନ ଜୁଟିଲେ ମୃଗଚର୍ମ ମଧ୍ୟ ପରିଧାନ କରେ । କିନ୍ତୁ ଏହି ସୁଖାଦ୍ୟ ଓ ବସନ ଭୂଷଣ ମୋତେ କେବେହେଁ ଅପରିହାର୍ଯ୍ୟ ବୋଲି ମନେ ହୋଇନାହିଁ ।

 

ପ୍ରହ୍ଲାଦ କହିଲେ–ବ୍ରାହ୍ମଣ, ଆପଣ ଶାରୀରିକ ସମର୍ଥବାଦ ହୋଇ ନିଶ୍ଚେଷ୍ଟ ରହି ଏପରି ଅଜଗର ବୃତ୍ତି ଅବଲମ୍ୱନ କରିବା କେତେଦୂର ଯଥାର୍ଥ ?

 

ବ୍ରାହ୍ମଣ ଉତ୍ତର ଦେଲେ, ରାଜନ୍‌, ଆପଣଙ୍କର ଏହି ଉକ୍ତି ତୃଟିପୂର୍ଣ୍ଣ । କାରଣ ମନୁଷ୍ୟ ବିଭ୍ରାନ୍ତ ହେଲେ ପ୍ରକୃତିର ସ୍ୱାଭାବିକ ନିୟମ ନିକଟରେ ଆତ୍ମବଶ ହୋଇ ନିରନ୍ତର ସନ୍ତାପିତ ହୋଇଥାଏ ।

 

ରାଜା କିପରି ବୋଲି ପଚାରିବାରୁ, ବ୍ରାହ୍ମଣ କହିଲେ, କାମନାରୁ ଲୋଭ, ଲୋଭରୁ ମୋହ, ମୋହରୁ ଭୟ ଓ ଭୟରୁ କ୍ରୋଧ ଜାତ ହୁଏ । ଆତ୍ମ ହନନରେ ହିଁ କ୍ରୋଧର ଅବସାନ ହୋଇଥାଏ । ଏହାହିଁ ସଂସାରର ସ୍ୱାଭାବିକ ଗତି । ଏହି ଗତିରେ ସଂସାରୀ ମନୁଷ୍ୟ ନିତ୍ୟ ସନ୍ତାପିତ ହୋଇଥାଏ । ଇପ୍‌ସିତ ବସ୍ତୁ ପ୍ରାପ୍ତି ଆଶାରେ ଆପ୍ରାଣ ଚେଷ୍ଟା କରି ବିଫଳ ହେଲେ ମନୁଷ୍ୟ ବିଷାଦ ମଗ୍ନ ହୋଇଥାଏ । ଏହି ଇପ୍‌ସିତ ବସ୍ତୁ ଲାଭ ଚେଷ୍ଟାରେ ଆଳସ୍ୟ ନଥିଲେ ମଧ୍ୟ କାହିଁ ମନୁଷ୍ୟ ତ ତୃପ୍ତିଲାଭ କରିପାରେ ନାହିଁ । ଅନ୍ୟ ଦିଗରେ ଯେପରି ଅଜଗର ସର୍ପ କଦାପି କାତର ହୋଇନଥାଏ ସେହିପରି ମୋ ନିକଟରେ ଏହି ଅତୃପ୍ତି ଜନିତ କାତରତା ଆପଣ କେବେହେଁ ଦେଖିବେ ନାହିଁ ।

 

କାମ୍ୟବସ୍ତୁ ପ୍ରତି ପ୍ରଲୁବ୍‌ଧ ହୋଇ ମନୁଷ୍ୟ କାମନାର ଦାସତ୍ୱ ସ୍ୱୀକାର କରିଥାଏ । ଅନନ୍ତ ବୁଭୁକ୍ଷା ହିଁ ଏହି ପ୍ରବୃତ୍ତିର ସହଜାତ ଧର୍ମ । ସେହି ବୁଭୁକ୍ଷା ବିବେକ ବିରୋଧୀ ହେଲେହେଁ ପ୍ରବୃତ୍ତିଦ୍ୱାରା ପରିଚାଳିତ ହୋଇ ମନୁଷ୍ୟ ନିର୍ବିଚାରରେ ପ୍ରବୃତ୍ତିର ନିର୍ଦ୍ଦେଶ ମାନି ପରିଚାଳିତ ହୋଇଥାଏ ।

 

ପୁନଶ୍ଚ ଏହି ପୃଥିବୀ ମନୁଷ୍ୟର ଶାଶ୍ୱତ ବାସସ୍ଥଳୀ ନୁହେଁ । ଏହି ବାସସ୍ଥାନର ଯବନିକା ପତନ ଅବଶ୍ୟମ୍ଭାବୀ । ଶରୀରଧାରୀ ମନୁଷ୍ୟ ମଧ୍ୟ ଅମର ନୁହେଁ ଏବଂ ପାର୍ଥିବ ଭୋଗ୍ୟ ବସ୍ତୁ ମଧ୍ୟ ନଶ୍ୱର । ସୁତରାଂ ଏହି ନଶ୍ୱର ଭୋଗ୍ୟ ବସ୍ତୁ ପ୍ରତି ଆକୃଷ୍ଟ ହୋଇ ଏହାକୁ ଲାଭ କରିବା ନିମନ୍ତେ କର୍ମଲିପ୍ତ ହେଲେ ପରବର୍ତ୍ତୀ କାଳରେ ମନୁଷ୍ୟ କେବଳ ସନ୍ତପ୍ତ ହୋଇଥାଏ । ଯେପରି ନିକ୍ଷିପ୍ତ ବାଣ ଲକ୍ଷ୍ୟ ବସ୍ତୁକୁ ନିଶ୍ଚିତ ଭାବରେ ଭେଦ କରେ ସେହିପରି ଯଥାର୍ଥ ସଂସାର ବୃତ୍ତିକୁ ଉପେକ୍ଷା କରି ଲୁବ୍‌ଧକ କର୍ମ ସାଧନ କଲେ ମନୁଷ୍ୟ ସେହିପରି ଫଳ ନିଶ୍ଚୟ ଭୋଗ କରିଥାଏ । ଏହି ବାସ୍ତବ ସତ୍ୟ ମୁଁ ଜ୍ଞାନବଳରେ ଉପଲବ୍‌ଧି କରିପାରିଛି । ତେଣୁ ମୋ ମଧ୍ୟରେ କୌଣସି କର୍ମଶକ୍ତି ନାହିଁ । ପ୍ରହ୍ଲାଦ ପଚାରିଲେ, ମହାଭାଗ, ଆପଣ ଯଥାର୍ଥ ସଂସାର ବୃତ୍ତି ପ୍ରସଙ୍ଗ ଅବତାରଣା କରିଛନ୍ତି ସତ, କିନ୍ତୁ ଏହାର ସ୍ୱରୂପ କଣ ?

 

ବ୍ରାହ୍ମଣ କହିଲେ, ଯେଉଁ ବ୍ୟକ୍ତି କାମ, କ୍ରୋଧ, ଲୋଭ ଓ ଅସୂୟାହୀନ ହୋଇ ସଂସାରରେ ନିଜକୁ ପର ମଧ୍ୟରେ ଓ ପରକୁ ନିଜ ମଧ୍ୟରେ ଅନୁଭବ କରି ସ୍ଥିର ଚିତ୍ତରେ କର୍ମାନୁଷ୍ଠାନ କରେ, ଆତ୍ମତତ୍ତ୍ୱଜ୍ଞ ଓ ବ୍ରହ୍ମଜ୍ଞ ହୋଇ ସେହି ମନୁଷ୍ୟ ଯଥାର୍ଥ ସଂସାର ବୃତ୍ତି ଅନୁସରଣ କରିଥାଏ ଏବଂ ଫଳତଃ ସେହି ବ୍ୟକ୍ତିହିଁ ନିରବଚ୍ଛିନ୍ନ ସୁଖ ଭୋଗ କରିପାରେ । ମୁଁ ସେହି ସୁଖ ଭୋଗ କରୁଛି ।

 

ପୁନଶ୍ଚ ବ୍ରାହ୍ମଣ କହିଲେ, ଏହା ବ୍ୟତୀତ ପୃଥିବୀରେ ମନୁଷ୍ୟ ଦୁଇଟି ସୀମାନ୍ତ ରେଖା ମଧ୍ୟରେ ବିଚରଣ କରିଥାଏ । ଗୋଟିଏ ଜନ୍ମ, ଅନ୍ୟଟି ମୃତ୍ୟୁ । ଜନ୍ମ ପୂର୍ବରୁ ପୃଥିବୀରେ ମନୁଷ୍ୟର ଯେପରି କୌଣସି ଅସ୍ତିତ୍ୱ ନଥାଏ, ମୃତ୍ୟୁପରେ ମଧ୍ୟ ସେପରି କୌଣସି ଅସ୍ତିତ୍ୱ ରହେ ନାହିଁ । ପ୍ରବାହମାନ ଜଳ ବକ୍ଷରେ ବିଭିନ୍ନ ପ୍ରକାର ବୁଦ୍‌ବୁଦ୍‌ମାନ ସୃଷ୍ଟି ହୋଇ ଯେପରି ପରମୁହୂର୍ତ୍ତରେ ବିଲୀନ ହୋଇଯାଏ ସତ, କିନ୍ତୁ ଜଳର ପ୍ରବାହମାନତା ଚିର ଅକ୍ଷୂର୍ଣ୍ଣ ରହିଥାଏ । ଏହି ରହସ୍ୟ ଅନୁଧାବନ କରି ମଧ୍ୟ ଯେଉଁ ମନୁଷ୍ୟର ବିବେକ ବୁଦ୍ଧି ଜାଗ୍ରତ ହୋଇ ନଥାଏ ସେ ନିତାନ୍ତ ତମଗୁଣାପନ୍ନ ବ୍ୟକ୍ତି ଅଟେ । ଏହି ସବୁ ଦେଖି ଓ ଉପଲବ୍‌ଧି କରି ମୁଁ ଜାଣିଛି ଯେ ‘‘ସୁଖମ୍‌ ସୁଖ, ମଲାଭ, ମର୍ଥଲାଭଂ / ରତ ମରତଂ ମରଣଞ୍ଚ ଜୀବିତଞ୍ଚ ବିଧି ନିୟତ ମବେକ୍ଷ୍ୟ ତତତ୍ତ୍ୱାହମ୍‌ / ବ୍ରମୈଦ ମାଜଗରନ୍‌ ଶୂଚି ଶୂଳା ।’’ ଅର୍ଥାତ୍‌ ଏହି ସୁଖ-ଦୁଃଖ, ଲାଭ-ଅଲାଭ, ଆଶକ୍ତି-ଅନାଶକ୍ତି, ଜୀବନ-ମରଣ, ଦୈବାଧୀନ ଜାଣି ବିଶୁଦ୍ଧ ଚିତ୍ତରେ ଆଜଗର ବ୍ରତ ଅବଲମ୍ୱନ କରି ମୁଁ ମହାନନ୍ଦରେ ରହିଅଛି ।

 

ବ୍ରାହ୍ମଣ ବଚନ ଶୁଣି ସାରି ରାଜା ଯେପରି ଅନ୍ୟ ଏକ ଦିଗ୍‌ଦର୍ଶନ ପାଇଥିଲେ । ବ୍ରାହ୍ମଣଙ୍କୁ ବିନୀତ ଶ୍ରଦ୍ଧା ଜ୍ଞାପନ କରି ରାଜା ପ୍ରହ୍ଲାଦ ସେହି ସ୍ଥାନ ତ୍ୟାଗ କଲେ ।

Image

 

ବୃହସ୍ପତି ଓ ମନୁ ସମ୍ୱାଦ

 

ବୁଦ୍ଧିମାନ ମନୁଷ୍ୟ ମନରେ ଯେଉଁ ପ୍ରଶ୍ନ ସଦା ଜାଗ୍ରତ ହୋଇଥାଏ ପ୍ରସଙ୍ଗାନ୍ତରରେ ସେହିପରି ଏକ ପ୍ରଶ୍ନ ଯୁଧିଷ୍ଠିର ପିତାମହ ଭୀଷ୍ମଙ୍କ ସମ୍ମୁଖରେ ଉତ୍‌ଥାପନ କରି କହିଲେ, ପିତାମହ, ଆପ୍ତ ବଚନାନୁସାରେ ମନୁଷ୍ୟ କର୍ମମୁଖୀ ହେବା ବିଧେୟ । ଏହି କର୍ମର ନିର୍ଦ୍ଦେଶମାନ ମଧ୍ୟ ବେଦାଦି ଗ୍ରନ୍ଥରେ ଲିପିବଦ୍ଧ ହୋଇ ରହିଅଛି । ଫଳହୀନ ବୃକ୍ଷ ସଦୃଶ କର୍ମହୀନ ମନୁଷ୍ୟ ସାରଶୂନ୍ୟ-। କର୍ମହିଁ ମନୁଷ୍ୟ ଅସ୍ତିତ୍ୱକୁ ଧାରଣ କରି ରଖିଥାଏ । ବେଦ ବିହିତ କର୍ମ ଯଥା ଯାଗଯଜ୍ଞ, ପୂଜା, ଅର୍ଚ୍ଚନା ମାଧ୍ୟମରେ ମନୁଷ୍ୟ ପରମାତ୍ମାଙ୍କ ସ୍ୱରୂପ ଉପଲବଧି କରି ପାରେ କି ?

 

ପିତାମହ ଯୁଧିଷ୍ଠିରଙ୍କ ପ୍ରଶ୍ନ ଶୁଣି କହିଲେ, ଧର୍ମରାଜ, ଏହା ଏକ ଉତ୍ତମ ପ୍ରଶ୍ନ । ଏହି ବିଷୟ ବହୁ ପୂର୍ବରୁ ଦୁଇ ମହାନ୍‌ ବିଦ୍ୱାନ୍‌ଙ୍କ ମଧ୍ୟରେ ଆଲୋଚିତ ହୋଇ ଏହି ସମସ୍ୟା ସମାଧାନ ହୋଇଅଛି । ମୋର ଅନୁମାନ ତୁମ୍ଭେ ଏ ବିଷୟରେ ଜ୍ଞାତ ନୁହଁ ।

 

ଯୁଧିଷ୍ଠିର ପିତାମହଙ୍କ ବଚନ ଶୁଣି ପଚାରିଲେ, ପିତାମହ, ଆପଣ ଯେଉଁ ଦୁଇ ବିଦ୍ୱାନଙ୍କ କଥା ଉଲ୍ଲେଖ କଲେ, ସେ, ଦୁଇ ମହାନ୍‌ ବ୍ୟକ୍ତି କିଏ ଏବଂ ସେମାନେ କେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ?

 

ପିତାମହ ଉତ୍ତର ଦେଲେ, ଧର୍ମରାଜ, ଜଣେ ମହାପୁରୁଷ ହେଉଛନ୍ତି ଦେବର୍ଷି ଓ ମହର୍ଷି ‘ବୃହସ୍ପତି’ ଓ ଅନ୍ୟ ମହାପୁରୁଷ ହେଲେ ସ୍ୱୟଂ ପ୍ରଜାପତି ‘ମନୁ ମହାରାଜା’ ।

 

ମହର୍ଷି ବୃହସ୍ପତି ଏକଦା ମନୁ ମହାରାଜଙ୍କୁ ଏକାନ୍ତରେ କହିଲେ, ମନୁଷ୍ୟର ଅନ୍ତର୍ଜାତ ବାସନା ଅବଲମ୍ୱନହୀନ ହୋଇ ଜାତ ହୋଇ ନଥାଏ । କାମ୍ୟ ବସ୍ତୁ ବିଷୟରେ ପରିଚ୍ଛନ୍ନ ଜ୍ଞାନ ଉଦୟ ହୋଇ ନଥିଲେ ଓ ବସ୍ତୁଟିର ସମ୍ୟକ ପରିଚିତି ନହେବା ପର୍ଯ୍ୟନ୍ତ, ସେହି ବସ୍ତୁ ଲାଭ ନିମନ୍ତେ କୌଣସି ଉଦ୍ୟୋଗ ମନୁଷ୍ୟ କରି ନଥାଏ । ବସ୍ତୁ ବିଷୟରେ ସମ୍ୟକ ଜ୍ଞାନ ନଥିଲେ କାମନା ଜାଗ୍ରତ ନହେବା ସ୍ୱାଭାବିକ ଏବଂ କାମନା ଜାଗ୍ରତ ନହେଲେ ମନୁଷ୍ୟର କର୍ମୋଦ୍ୟମ ମଧ୍ୟ ଜାଗ୍ରତ ନହେବା ସ୍ୱାଭାବିକ । ଏ ବିଷୟରେ ଆପଣଙ୍କର ମତ କ’ଣ ?

 

ଉତ୍ତରରେ ମନୁ ମହାରାଜ କହିଲେ, ଏହା ସତ୍ୟ ଯେ ବସ୍ତୁ ସମ୍ୱନ୍ଧୀୟ ଜ୍ଞାନ ଓ ଉପଯୋଗିତାର ସମ୍ୟକ ଜ୍ଞାନ ନଥିଲେ ବସ୍ତୁ ଲାଭର ବାସନା ଅନ୍ତରରେ ଜାଗ୍ରତ ହୋଇ ନଥାଏ । ଫଳ ସୁମିଷ୍ଟ କି ତିକ୍ତ ଏହା ନଜାଣି ସଂଗ୍ରହ କରିବା ନିମନ୍ତେ କେହି ବୃକ୍ଷାରୋପଣ କରେ ନାହିଁ । ସୁତରାଂ ବସ୍ତୁ ବିଷୟରେ ଜ୍ଞାନ ପ୍ରଥମେ ଲାଭକରି ଶେଷରେ କର୍ମ କରାଯାଇଥାଏ ।

 

ବୃହସ୍ପତି କହିଲେ, ମହାରାଜ, ଅର୍ଥଶାସ୍ତ୍ର ଓ ବେଦାଦି ଗ୍ରନ୍ଥ ଜ୍ଞାନ ନିଃଶେଷରେ ମୋର ଆୟତ୍ତାଧୀନ । କର୍ମମୟ ବେଦକାଣ୍ଡ ବିଷୟରେ ଜ୍ଞାନ ସମୃଦ୍ଧ ହୋଇ ମୁଁ ନିଜକୁ କର୍ମ କୁଶଳୀ କରି ପାରିଛି । ନୀତିଶାସ୍ତ୍ର ଠାରୁ ଅର୍ଥଶାସ୍ତ୍ର ପର୍ଯ୍ୟନ୍ତ ବ୍ୟବହାରିକ ପ୍ରୟୋଗ ବିଷୟରେ ମୁଁ ନିଶ୍ଚିତ ରୂପେ ବିଜ୍ଞ ଓ ଯେକୌଣସି କର୍ମ ବାସନାକୁ ମୁଁ ନିଃସନ୍ଦେହରେ ତୃପ୍ତ କରିପାରେ, କିନ୍ତୁ କେଉଁ ଉଦ୍ଦେଶ୍ୟ ବା କାହା ଉଦ୍ଦେଶ୍ୟରେ ଏସବୁ କର୍ମଯଜ୍ଞ ଉଦ୍ଦିଷ୍ଟ ସେହି ତତ୍ତ୍ୱ ବା ରହସ୍ୟ ଏବେ ମଧ୍ୟ ମୋର ଅଜ୍ଞାତ । ମୋର ଗ୍ରନ୍ଥାବଦ୍ଧ ଜ୍ଞାନରେ ମୁଁ କେବଳ ଉପଲବ୍‌ଧି କରି ପାରିଛି ଯେ ଏହି ପୃଥିବୀ, ବାୟୁ, ଆକାଶ, ଜଳ, ଦ୍ୟୁଲୋକ, ଦେବଲୋକ ଉତ୍ପତ୍ତି ମୂଳରେ ଏକ କାରଣ ଉପାଦାନ ରହିଅଛି । ସେହି ପରମ କାରଣ ଉପାଦାନ ସମ୍ବନ୍ଧରେ ଏବେ ମଧ୍ୟ ମୁଁ ଅଜ୍ଞ । ଅତଏବ ଇଚ୍ଛା କଲେ ମଧ୍ୟ ମୋର କର୍ମ ସମୂହକୁ ସେହି ପଥରେ ପରିଚାଳିତ କରିବା ନିମନ୍ତେ ସକ୍ଷମ ହୋଇ ନାହିଁ । ତେଣୁ ମୋର ପ୍ରଶ୍ନ ଏହା ଯେ ପୃଥିବୀର ମୂଳ ଉପାଦାନ କ’ଣ ? ତତ୍ତ୍ୱଜ୍ଞାନ ସମୃଦ୍ଧରେ କି ଲାଭ ହୋଇଥାଏ ? କର୍ମର ସ୍ୱରୂପ କଣ ? ଜୀବ ଏକ ଦେହ ତ୍ୟାଗକରି ଦେହାନ୍ତର ଆଶ୍ରୟ କରିଥାଏ, କିନ୍ତୁ ଏହି ବିଚ୍ୟୁତି ଓ ସଂଯୋଗ କିପରି ସଂଘଟିତ ହୋଇଥାଏ ?

 

ଯୁଧିଷ୍ଠିର ପିତାମହଙ୍କ ଏପରି ଚିନ୍ତାପ୍ରଦ ଯୁକ୍ତି ଅବତାରଣାରେ କୌତୁହଳୀ ହୋଇ କହିଲେ, ପିତାମହ, ଏପରି ଚିନ୍ତାଶୀଳ ପ୍ରଶ୍ନର କି ଉତ୍ତର ମନୁ ମହାରାଜ ବୃହସ୍ପତିଙ୍କୁ ଦେଇଥିଲେ ?

 

ପିତାମହ କହିଲେ–ମନୁ ମହାରାଜ ଉତ୍ତରରେ କହିଥିଲେ ସ୍ୱାଭାବିକ୍‌ ଭାବରେ ମନୁଷ୍ୟ ଏକ ନିର୍ଦ୍ଦିଷ୍ଟ କାରଣ ଯୋଗୁ କର୍ମ ପ୍ରବୃତ୍ତ ହୋଇଥାଏ ଏବଂ ଏହି ନିର୍ଦ୍ଦିଷ୍ଟ କାରଣ ହିଁ କାମନା ଯାହା ପ୍ରିୟ, ଇଷ୍ଟ ଓ ସୁଖକର । ଏହି କାମନା ପ୍ରେରିତ ହୋଇ ମନୁଷ୍ୟ କର୍ମପ୍ରବୃତ୍ତ ହୋଇଥାଏ । ଏହି କର୍ମ ପ୍ରବୃତ୍ତିର ଅନ୍ୟ ଏକ କାରଣ ହେଲା ଅନିଷ୍ଟ ଠାରୁ ନିଜକୁ ଦୂରେଇ ରଖି ଦୁଃଖ ଭୋଗରୁ ମୁକ୍ତ ହେବା । ଯାହା ପ୍ରିୟ ତାହାହିଁ ହିତକର ଓ ସୁଖଦାୟକ ଓ ଯାହା ଅପ୍ରିୟ ତାହା ଅହିତକର, ସୁତରାଂ ଦୁଃଖଦାୟକ ।

 

ବେଦବିହିତ କର୍ମ ଯଥା ଯାଗଯଜ୍ଞ, ଦାନ ଇତ୍ୟାଦି ମଧ୍ୟରେ କାମନା ମଧ୍ୟ ଥାଏ । ଏହି କାମନା ଯେପରି ମୋର ଧନଲାଭ, ସୁଖଲାଭ ସର୍ବଲାଭ ହେଉ । ଯେତେବେଳ ପର୍ଯ୍ୟନ୍ତ ମନୁଷ୍ୟ ଏହି କାମନାରେ କର୍ମ କରିଥାଏ, ସେତେବେଳ ପର୍ଯ୍ୟନ୍ତ ସେ କର୍ମଯୋଗ ବା କର୍ମ ମାର୍ଗରେ ବିଚରଣ କରିଥାଏ, କିନ୍ତୁ କାରଣ ଉପାଦାନର ସନ୍ଧାନ ପାଇ ନଥାଏ । ଅପର ଦିଗରେ କାମନାତ୍ୟାଗୀ ହୋଇ ତତ୍ତ୍ୱଜ୍ଞାନ ପ୍ରବୃଦ୍ଧ ହେଲେ ଜ୍ଞାନଯୋଗ ଯୁକ୍ତ ହୋଇ ମନୁଷ୍ୟ ପରମାତ୍ମାକୁ ଉପଲବ୍‌ଧି କରିଥାଏ । ଏହି ପରମାତ୍ମା ଜାଗତିକ ଅନିଷ୍ଟ, ସୁଖ ଦୁଃଖ ସୀମାରେ ଆବଦ୍ଧ ନୁହନ୍ତି ।

 

ବୃହସ୍ପତି କହିଲେ, ମନୁଷ୍ୟ ଦୁଃଖ, କଷ୍ଟ, ଜ୍ୱାଳା, ଯନ୍ତ୍ରଣା ଭୋଗ କରିବାକୁ କେବେହେଁ କାମନା କରି ନଥାଏ, କାରଣ ସ୍ୱୀୟ ଅନିଷ୍ଟ କାହାରି କାମ୍ୟ ନୁହେଁ । ସୁଖ ସ୍ୱାଚ୍ଛନ୍ଦ୍ୟ କାମନାରେ ହିଁ ମନୁଷ୍ୟ କର୍ମ କରିଥାଏ ଏବଂ କାମନା ବିହୀନରେ କର୍ମ ନଥାଏ ଓ କର୍ମ ବ୍ୟତୀତ ମନୁଷ୍ୟ ତିଷ୍ଠିପାରେ ନାହିଁ ।

 

ବୃହସ୍ପତିଙ୍କର ଏତାଦୃଶ ଯୁକ୍ତି ଶୁଣି ମନୁ ମହାରାଜ କହିଲେ, ଆପଣଙ୍କ ବଚନ ଅବଶ୍ୟ ସତ୍ୟ । ଜୀବ ସୃଷ୍ଟି କାଳରେ ସୃଷ୍ଟିକର୍ତ୍ତା ମନୁଷ୍ୟର ଅବୟବ ସହିତ ମନ ଓ କର୍ମ ମଧ୍ୟ ସୃଷ୍ଟି କରିଥିଲେ । ଏହି ଜୀବଜଗତରେ ମନହିଁ କର୍ମର ପ୍ରଭୁ । ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଅର୍ଥାତ୍‌ ବାହ୍ୟ ଜଗତ ଦୃଷ୍ଟ ଇନ୍ଦ୍ରିୟ ଗ୍ରାହ୍ୟ ବସ୍ତୁକୁ ମନୁଷ୍ୟ ନିଃଶେଷରେ ଉପଭୋଗ କରିବାହିଁ ସୁଖ ଓ ଜୀବନର ସାରସତ୍ତ୍ୱ ବୋଲି ମନେ କରିଥାଏ । ସେହି ବସ୍ତୁ ଲାଭ ନିମନ୍ତେ କାମନା ଓ ବାସନା ପ୍ରାକୃତିକ ନିୟମାନୁଯାୟୀ ମନୁଷ୍ୟ ମନ ମଧ୍ୟରେ ଜାଗ୍ରତ ହୋଇଥାଏ । ଏହି ଆସ୍ପୃହା ଭୋଗାକାଂକ୍ଷା ଚରିତାର୍ଥ କରିବା ନିମନ୍ତେ ‘ମନ’ ଅପରାପର ଇନ୍ଦ୍ରିୟ ବର୍ଗ ବ୍ୟବହାର କରି ଓ ଅଙ୍ଗ ପ୍ରତ୍ୟଙ୍ଗ ସଞ୍ଚାଳିତ କରାଇ ଇନ୍ଦ୍ରିୟ ସାହାଯ୍ୟରେ କାମ୍ୟ ବସ୍ତୁମାନ ଆହରଣ କରି ନିଜକୁ ତୃପ୍ତ କରିଥାଏ । ଏହି ଭାବରେ ଏ ଜଗତରେ ମନୁଷ୍ୟ କର୍ମ ପ୍ରବୃତ୍ତ ହୋଇଥାଏ । କର୍ମ ଏକ ପ୍ରବାହ । ସୃଷ୍ଟିର ପ୍ରଥମ ମୁହୂର୍ତ୍ତରୁ ଜଗତ୍‌ବ୍ୟାପୀ ବେଗମାନ ନଦୀ ସଦୃଶ ଦୁରନ୍ତ ଏହି ପ୍ରବାହ ସଦା ପ୍ରବାହମାନ । ଏହି ପ୍ରବାହ ନିରବଚ୍ଛିନ୍ନ । ବଂଶ ପରମ୍ପରାରେ ମାଛ ଯେପରି ଅନୁକୂଳ ସ୍ରୋତରେ ଭାସିଥାଏ ଜୀବ ଜଗତରେ ଜୀବ ସେହିପରି କର୍ମ ପ୍ରବାହରେ ଭାସମାନ ।

 

ଏହି କର୍ମପ୍ରବାହ ସଦୃଶ ଜୀବପ୍ରବାହ ମଧ୍ୟ ଜୀବଜଗତରେ ଅବିରାମ ଓ ଅବିଚ୍ଛନ୍ନ । ସୀମିତ ଜୀବନରେ ମନୁଷ୍ୟ କର୍ମ କରି ଜୀବ ପ୍ରବାହରେ ସାମିଲ ହୋଇଥାଏ । ଜୀବପ୍ରବାହରେ ଜୀବର ଜୀବନ ସମାପ୍ତି ହେଲେହେଁ ପ୍ରବାହ ବିଲୁପ୍ତ ହୋଇ ନଥାଏ । ଜୀବନ ଶେଷରେ ଅନ୍ୟ ଏକ ଜୀବନ ଓ ଏହାପରେ ପୁନଶ୍ଚ ଅନ୍ୟ ଏକ ଜୀବନ । ଏହିପରି ଜୀବନାନ୍ତରରେ ସ୍ୱୟଂ ସୃଷ୍ଟ ଜୀବପ୍ରବାହକୁ ଜୀବ ଅନୁସରଣ କରି ଗତିଶୀଳ ହୋଇଥାଏ ।

 

ବୃହସ୍ପତି ମନୁଙ୍କର ଏପରି କଥା ଶୁଣି ପଚାରିଲେ, ମହାରାଜ ଆପଣ କଣ ମନୁଷ୍ୟର ପୂର୍ବକୃତ କର୍ମ ସମ୍ୱନ୍ଧରେ କହୁ ଅଛନ୍ତି ? ମନୁ କହିଲେ, ମନୁଷ୍ୟ ମନଜାତ ପୂର୍ବକୃତ କର୍ମପ୍ରବାହ ଅନୁସରଣ କରିଥାଏ । କାରଣ ମନହିଁ ଏ ଜଗତରେ କର୍ମ ପ୍ରବାହର ସ୍ରଷ୍ଟା । କାମନା ବାସନା ମଧ୍ୟ ସେହି କର୍ମ ପ୍ରବାହ-ଅନ୍ତର୍ଗତ । କିନ୍ତୁ ଜୀବର ଶରୀର ବାସନା ଓ କାମନା ଜାତ କର୍ମଫଳ ଭୋଗ କରିଥାଏ । ଦେହ ଉପଭୋଗ୍ୟ ଯାବତୀୟ ଆନନ୍ଦ ଭୋଗକରେ ଏବଂ ଇନ୍ଦ୍ରିୟ ବର୍ଗ ମଧ୍ୟ ତୃପ୍ତ ହୋଇଥାନ୍ତି । ମନ ମଧ୍ୟ ଦେହ ସଦୃଶ ଆନନ୍ଦ ଉପଭୋଗ କରିଥାଏ ଓ ବାଧାହତ ହେଲେ ଦୁଃଖ ଓ ବେଦନା ଅନୁଭବ କରିଥାଏ । ଭୋଗାକାଂକ୍ଷାର ପ୍ରବଣତା ବଶତଃ ବାଧାଜନିତ ଦୁଃଖ ଆସିଲେ ମନ ସହଜ ସରଳ ଗତିପଥ ପରିବର୍ତ୍ତିତ କରି କାମ୍ୟବସ୍ତୁ ଲାଭ ନିମନ୍ତେ କର୍ମଧାରାକୁ ପରିବର୍ତ୍ତିତ କରାଇଥାଏ । ଏହାହିଁ ପ୍ରକୃତିର ନିୟମ ଓ ସୃଷ୍ଟିର ସହଜାତ ଧର୍ମ । ଉତ୍ସମୁଖରୁ ଉତ୍ସାରିତ ନଦୀର ଗତିପଥ ଉପଳଖଣ୍ଡଦ୍ୱାରା ବିଘ୍ନପ୍ରାପ୍ତ ହେଲେ ନଦୀ ଗତିପଥ ପରିବର୍ତ୍ତନ କରି ନିଜ ଧାରାକୁ ଅବ୍ୟାହତ କରି ରଖିଥାଏ । ଯଦିଓ ନଦୀର ଉତ୍ସମୁଖର କୌଣସି ନିର୍ଦ୍ଦିଷ୍ଟ ଗତିରେଖା ନଥାଏ ଏବଂ ସେହି ଉତ୍ସମୁଖ ଶତ ସହସ୍ର ଧାରାରେ ନିତ୍ୟ ଉତ୍ସାରିତ ହୋଇଥାଏ । କୌଣସି ବାଧା, କୌଣସି ବିପର୍ଯ୍ୟୟ ନଦୀର ଉତ୍ସାରିତ ଆନନ୍ଦକୁ ବିପର୍ଯ୍ୟସ୍ତ କରିପାରେ ନାହିଁ ।

 

ବୃହସ୍ପତି କହିଲେ–ଉତ୍ସ ନିର୍ବିକାର । ଏହି ଉତ୍ସକୁ ଯେପରି କୌଣସି ବାଧା ବିପର୍ଯ୍ୟୟ ବିଚ୍ଛିନ୍ନ କରିପାରେ ନାହିଁ, ସେହିପରି ଏହା ମଧ୍ୟ ସତ୍ୟ ଯେ ସହସ୍ର ପର୍ବତ ବାଧାକୁ ଅତିକ୍ରମ କରି ସମତଳମୁଖୀ ନଦୀ ସମତଳରେ ପ୍ରବାହିତ ହୋଇ ଶେଷରେ ଅନନ୍ତ ଅସୀମ ମହାସମୁଦ୍ରରେ ବିଲୀନ ହୋଇଥାଏ । ମନୁ ମହାରାଜ କହିଲେ, ଆପଣଙ୍କ ବଚନ ଯଥାର୍ଥ । ପରମାତ୍ମା ବା ବ୍ରହ୍ମଜାତ ଜୀବ, ଜୀବ ଦେହ ନେଇ ପାର୍ଥିବ ଉପଭୋଗ୍ୟ ବସ୍ତୁ ସର୍ବସ୍ୱ ସହିତ ଅନନ୍ତ, ଅସୀମ, ନୀରବଚ୍ଛିନ୍ନ, ଆନନ୍ଦମୟ ସତ୍ତା ପରମାତ୍ମା ସହିତ ମିଳିତ ହେବା ନିମନ୍ତେ ନିୟତ ପ୍ରବାହମାନ । ତତ୍ତ୍ୱଜ୍ଞାନ ପ୍ରକଟିତ ହେଲେ ମନୁଷ୍ୟ କର୍ମ ମାଧ୍ୟମରେ ପାର୍ଥିବ ନଶ୍ୱର କ୍ଷଣସ୍ଥାୟୀ ବସ୍ତୁ ଲାଭ ଆନନ୍ଦିତ ହୁଏ ନାହିଁ କି ବିଫଳ ହେଲେ ବେଦନା ବା ଦୁଃଖରେ କାତର ହୋଇ ଆବେଗରେ ଦୁର୍ବିସହ ପରିଣତି ଦିଗରେ ଗତି କରେ ନାହିଁ । ତତ୍ତ୍ୱଜ୍ଞାନୀ ସୁଖ ଦୁଃଖରେ ସମଦର୍ଶୀ । ଯେପରି ଚକ୍ଷୁସ୍ମାନ ପଥ ଅତିକ୍ରମ ସମୟରେ କଣ୍ଟକ ଓ ସର୍ପ ପ୍ରତି ସଜାଗ ଥାଏ, ସେହିପରି ଜ୍ଞାନ ବଳରେ ମନୁଷ୍ୟ ସମୂହ ବାଧା ବିଘ୍ନରୁ ନିଜକୁ ସଯତ୍ନ ରକ୍ଷା କରିଥାଏ ।

 

ପ୍ରତ୍ୟୁତ୍ତରରେ ବୃହସ୍ପତି କହିଲେ, ଭୋଗ ବ୍ୟତୀତ ଜୀବନ ଅସ୍ତିତ୍ୱ କିପରି ସମ୍ଭବ ? ଦୁଃଖ ପରେ ସୁଖ ଓ ସୁଖ ପରେ ଦୁଃଖ ଜୀବନ ପଥରେ ଅନିବାର୍ଯ୍ୟ, ଏହା କ’ଣ ଅସ୍ୱୀକାର୍ଯ୍ୟ ? ପ୍ରତି କର୍ମର ପରିଣତି ଭୋଗ । କାରଣ କର୍ମ ସହିତ କର୍ମଫଳ ଏକାଙ୍ଗ ଭାବେ ଜଡ଼ିତ । କିନ୍ତୁ ଏହି ଫଳ ଭାଗ କିଏ କରିଥାଏ ? ଜୀବାତ୍ମା ନା ପୁରୁଷ ?

 

ମନୁ ମହାରାଜ ଉତ୍ତର ଦେଲେ, ମହର୍ଷି ! ଆତ୍ମା କିପରି ଏହି ଫଳ ଭୋଗ କରିବ ? ଯେପରି ନୀଳବର୍ଣ୍ଣ ସଂସ୍ପର୍ଶରେ ଶୁଭ୍ର ବସ୍ତ୍ରଖଣ୍ଡ ନୀଳବର୍ଣ୍ଣ ଓ ରକ୍ତବର୍ଣ୍ଣ ସଂସ୍ପର୍ଶରେ ରକ୍ତବର୍ଣ୍ଣ ଧାରଣ କରିଥାଏ, ସେହିପରି ଜୀବାତ୍ମା ମନ ସହିତ ରହି ମାନସିକ ସମୂହ କର୍ମର ଫଳ ଭୋଗ କରିଥାଏ । ଶୁଭ କର୍ମର ଶୁଭ ଫଳ ଓ ଅଶୁଭ କର୍ମର ଅଶୁଭ ଫଳ ହୋଇଥାଏ । ଯେପରି ମନ କାମନା ବାସନା ଚରିତାର୍ଥ ନିମନ୍ତେ ଦେହ ସାହାଯ୍ୟରେ କର୍ମ କରାଇଥାଏ, ସେହିପରି ଜୀବାତ୍ମା ଦେହ ମଧ୍ୟରେ ରହି କର୍ମଫଳ ଭୋଗ କରିଥାଏ ।

 

ପ୍ରକୃତି ନିୟମାନୁସାରେ ଜୀବାତ୍ମା ଫଳ ଭୋଗ ଆକାଙ୍‌କ୍ଷା ନେଇ ଦେହ ଧାରଣ କରିଥାଏ । କାରଣ ଦେହ ହିଁ ସୁଖ ଦୁଃଖ ଭୋଗର ଏକମାତ୍ର କେନ୍ଦ୍ରସ୍ଥଳ ।

 

ପୁନଶ୍ଚ ମନୁ ମହାରାଜ କହିଲେ, ବେଦରେ ଅଛି ଯେ ଇହ ଜଗତରେ ଯାବତୀୟ କର୍ମ ଗୁଣାତ୍ମକ ଓ ଗୁଣ ସମନ୍ୱିତ । ଏହି ଗୁଣ ତିନି ପ୍ରକାରରେ ପ୍ରକାଶିତ ହୋଇଥାଏ । ଯଥା–ସାତ୍ତ୍ୱିକ, ରାଜସିକ ଓ ତାମସିକ । ବେଦ ବିହିତ କର୍ମ ମନ୍ତ୍ରୋଚ୍ଚାରଣଦ୍ୱାରା କରାଯାଇଥାଏ । ଫଳତଃ କର୍ମଫଳ ଗୁଣ ସମନ୍ୱିତ ହୋଇଥାଏ ଓ ଦେହଧାରୀ ହିଁ ଏହାକୁ ଭୋଗ କରିଥାଏ । କାରଣ ଅଭୀଷ୍ଟ ବସ୍ତୁ ଲାଭ ନିମନ୍ତେ ହିଁ ମନୁଷ୍ୟ କର୍ମ କରିଥାଏ ଓ ଗୁଣ ଭେଦରେ ସେହି କର୍ମଫଳ ଲାଭ ସାତ୍ତ୍ୱିକ, ରାଜସିକ ଓ ତାମସିକ ହୋଇଥାଏ । ଏ ସମସ୍ତ କାମନାର ପରିଣତି । ମନୁଷ୍ୟ ମନୋଜାତ ଏହି ‘କାମନା’ ବୁଦ୍ଧିକୁ ମୋହାଚ୍ଛନ୍ନ ରଖି କୃତ କର୍ମ ଫଳ ଭୋଗ କରାଇଥାଏ ।

 

ମହର୍ଷି ବୃହସ୍ପତି ଏ କଥା ଶୁଣି ପଚାରିଲେ, ମହାରାଜ, ‘ବୁଦ୍ଧି ମୋହାଚ୍ଛନ’ ବୋଲି ଆପଣ କେଉଁ ଲକ୍ଷ୍ୟରେ କହିଛନ୍ତି ? ମନୁ ମହାରାଜ କହିଲେ- ଜାଲ ବିସ୍ତାର କରି ମାଙ୍କଡ଼ସା ଯେପରି ସ୍ୱାଧୀନ ବିହାର ପତଙ୍ଗକୁ ଜାଲରେ ଆବଦ୍ଧ ରଖି ଆତ୍ମସାତ କରିଥାଏ ସେହିପରି ପ୍ରକୃତି ମନୁଷ୍ୟ ଚତୁର୍ଦ୍ଦିଗରେ ମାୟାଜାଲ ବିସ୍ତାର କରି ମନୁଷ୍ୟର ‘ସ୍ୱରୂପ’ ଓ ‘ସତ୍ତା’କୁ ବିସ୍ମୃତ କରାଇ ଆତ୍ମବୋଧ ପରିବର୍ତ୍ତେ ଦେହ ବୋଧ ଜାଗ୍ରତ କରାଇଥାଏ । ଆତ୍ମା ଦେହ ନୁହେଁ କି ଦେହ ସଦୃଶ ବିନାଶଶୀଳ ନୁହେଁ । ବିନାଶଶୀଳ ବସ୍ତୁ ନିମନ୍ତେ କାମନା, ବାସନା, ଲାଳସା ଓ ଏକାନ୍ତ ଭୋଗାକାଙ୍‌କ୍ଷା ଅଜ୍ଞାନତାର ପରିଣତି । କିନ୍ତୁ ମନୁଷ୍ୟ ଯଦି ନିଷ୍କାମୀ, ନିର୍ମୋହୀ ଓ ବାସନାହୀନ ହୋଇପାରେ ତା ହେଲେ ଏହି ଦେହାତ୍ମବୋଧ ତାକୁ ସୀମାୟିତ କରି ରଖିପାରେ ନାହିଁ । ସେପରି କ୍ଷେତ୍ରରେ ମନୁଷ୍ୟ ସୁଖ ଦୁଃଖ, ଆନନ୍ଦ ବେଦନା ମଧ୍ୟରେ କୌଣସି ପୃଥକ ସତ୍ତା ଦେଖି ନଥାଏ ଓ ନିରାସକ୍ତ ଭାବେ କର୍ମ କରିଥାଏ ।

 

ଜୀବ ଦେହରେ ‘ଜୀବାତ୍ମା’ ରୂପରେ ବିରାଜମାନ ହିଁ ପୁରୁଷର ସ୍ୱରୂପ । ତତ୍ତ୍ୱଜ୍ଞାନ ଅର୍ଥାତ୍‌ ମୋର, ତୁମ୍ଭର ଏହି ଭେଦାଭେଦହୀନ ମିଥ୍ୟାଶୂନ୍ୟ ନିର୍ମଳ ଜ୍ଞାନ ମନୁଷ୍ୟକୁ ସମସ୍ତ ପାର୍ଥିବ ବନ୍ଧନରୁ ମୁକ୍ତି ଦେଇଥାଏ, ଫଳରେ ସେହି ମନୁଷ୍ୟ ସେତେବେଳେ ଜୀବନ୍ମୁକ୍ତ ହୋଇଥାଏ । ସେହି ଜୀବନ୍ମୁକ୍ତ ପୁରୁଷ ବ୍ୟକ୍ତିଗତ ଆଶା ଆକାଙ୍‌କ୍ଷା କର୍ମର ସର୍ତ୍ତ ସାପେକ୍ଷ ନହୋଇ ବିଶ୍ୱଜନୀନ ଆତ୍ମା ଉତ୍କର୍ଷ ସାଧନକୁ ଏକମାତ୍ର କର୍ତ୍ତବ୍ୟ ବୋଲି ଜ୍ଞାନ କରିଥାଏ । ବେଦ ବିହିତ ସମସ୍ତ କର୍ମ ଆତ୍ମା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ । ଏହି କର୍ମଦ୍ୱାରା ଆତ୍ମଜ୍ଞାନ ଲାଭ ହୋଇ ଆତ୍ମାକୁ ଉପଲବ୍‌ଧି କରାଯାଏ ।

 

କାମନା, ବାସନା, ମୋହତ୍ୟାଗ ନକଲେ, ମନୁଷ୍ୟ ଆତ୍ମସଚେତନ ହୋଇ ନଥାଏ । ଯେପରି ତୃଷାତୁର ମନୁଷ୍ୟ ସରୋବର ଜଳପାନ ନିମନ୍ତେ ହେଉ ବା ସ୍ନାନ ନିମନ୍ତେ ପ୍ରବେଶ କରି ସ୍ନାନ ବା ପାନ ନିମନ୍ତେ ଜଳରେ ଭାସମାନ ଶୈବାଳ ବା ଆବର୍ଜନା ହସ୍ତଦ୍ୱାରା ଦୂରକୁ ଆଡ଼େଇ ଦେଇଥାଏ, କାରଣ ସେ ଜାଣିଥାଏ ଯେ ଜଳ ଉପରେ ଭାସମାନ ଆବର୍ଜନା ଥିଲେହେଁ ଜଳ ସ୍ୱଭାବତଃ ନିର୍ମଳ ଓ ଶରୀର ଏବଂ ମନର ତୃପ୍ତି ଦାୟକ । ଆତ୍ମା ମଧ୍ୟ ଠିକ୍‌ ସେହିପରି :

 

‘‘ନ ସ୍ତ୍ରୀ ପୂମାନ ନାପି ନପୁଂସକଞ୍ଚି

ନ ସନ୍ନ ଚାସତ୍‌ ସଦସଚ୍ଚ ତନ୍ନ

ପଶ୍ୟନ୍ତି ଯଦ୍‌ ବ୍ରହ୍ମବିଦୋ ମନୁଷ୍ୟା-

ସ୍ତଦକ୍ଷରଂ ନ କ୍ଷରତୀତି ବିଦ୍ଧି ।।’’

 

ଅର୍ଥାତ୍‌ ମହର୍ଷି, ଏହି ଆତ୍ମା ସ୍ତ୍ରୀ ନୁହେଁ, କି ପୁରୁଷ ନୁହେଁ, କି ନପୁଂସକ ମଧ୍ୟ ନୁହେଁ । ଏହି ଆତ୍ମା ଅସତ୍‌ ନୁହେଁ, ସତ୍‌ ନୁହେଁ କି ସଦାସତ୍‌ ମଧ୍ୟ ନୁହେଁ । ଏକମାତ୍ର ଯେଉଁମାନେ ବ୍ରହ୍ମଜ୍ଞାନୀ ସେମାନେ ହିଁ ଆତ୍ମାକୁ ପ୍ରତ୍ୟକ୍ଷ କରି କର୍ମ ନିୟନ୍ତ୍ରଣ କରିଥାନ୍ତି । ଏହି ଆତ୍ମା ଅକ୍ଷୟ ଓ ବ୍ୟୟ ଜନିତ କୌଣସି ହ୍ରାସ ବା ସଞ୍ଚୟ ଜନିତ ସ୍ଥୂଳ ହୁଏ ନାହିଁ । ଅନାଦି ଅନନ୍ତ କାଳରୁ ଏହା ଅବ୍ୟୟ ଅକ୍ଷର ରୂପନେଇ ବିରାଜମାନ । ଯେତେବେଳ ପର୍ଯ୍ୟନ୍ତ ମନୁଷ୍ୟ ଆତ୍ମାର ସ୍ୱରୂପ ଜ୍ଞାନ ଲାଭ କରି ନଥାଏ ସେ ପର୍ଯ୍ୟନ୍ତ କର୍ମ ମନୁଷ୍ୟଠାରେ ଆଶା ନିରାଶା ଜନିତ ସୁଖ ଦୁଃଖର ପ୍ରଭାବ ବିସ୍ତାର କରିଥାଏ । ଅଜ୍ଞାନତା ବଶରେ ମନୁଷ୍ୟ ଆତ୍ମା ସ୍ୱରୂପ ଓ ବୈଶିଷ୍ଟ୍ୟକୁ ବିସ୍ମୃତ ହୋଇ ଇହଲୌକିକ କ୍ଷଣସ୍ଥାୟୀ ଜୀବନକୁ ଚରମ ଓ ପରମ ଜ୍ଞାନ କରି ସ୍ୱାର୍ଥଯୁକ୍ତ କର୍ମ କରିଥାଏ ।

 

ପୁନଶ୍ଚ ମନୁ ମହାରାଜ କହିଲେ, ମହର୍ଷି, ନଦୀ ପ୍ରବାହରେ ମାଛର ଅବସ୍ଥା ସମ୍ବନ୍ଧରେ ମୁଁ ଆଗରୁ ଅବତାରଣା କରି ସାରିଛି । ବଂଶ ପରମ୍ପରାଗତ ମାଛ ଯେପରି ଏହି ପ୍ରବାହରେ ଗତି କରିଥାଏ, ସେହିପରି ମନୁଷ୍ୟ ଭୋଗାସକ୍ତିର ଦାସ ହୋଇ ଉପଭୋଗ୍ୟ ବସ୍ତୁର କାମନା ନେଇ ତାର ପୂର୍ବକର୍ମ ପ୍ରବାହକୁ ଅନୁସରଣ କରିବା ନିମନ୍ତେ ପୂର୍ବ ଦେହ ବିନଷ୍ଟ ହୋଇଥିଲେ ହେଁ ପୁନର୍ବାର ଦେହ ଧାରଣ କରିଥାଏ । ସର୍ପ ଯେପରି ଖୋଳପା ମୁକ୍ତ ହେବାପରେ ପୁନରାୟ ନବଦେହ ଧାରଣ କରି ସର୍ପ ବୃତ୍ତିକୁ ଆଶ୍ରୟ କରିଥାଏ, ସେହିପରି ମନୁଷ୍ୟ ଦେହ ଦୀର୍ଣ୍ଣ ଓ କ୍ଷୟ ହେଲେ ନବଦେହ ଧାରଣ କରିଥାଏ । ଅଗ୍ନିଶିଖା, ବାୟୁବେଗ, ନଦୀଜଳ ପ୍ରବାହ ଯେପରି ବିରାମହୀନ, ଭୋଗାସକ୍ତ ମନୁଷ୍ୟର ଦେହ ଧାରଣ ସେହିପରି ବିରାମହୀନ । ଏହି ପ୍ରବାହ ହିଁ ପ୍ରାରବ୍‌ଧ । ଏକମାତ୍ର ଆତ୍ମଜ୍ଞାନ ହିଁ ଏହି ଜୀବନ ପ୍ରବାହକୁ ସ୍ତବ୍‌ଧ କରିପାରେ । ଏହି ପ୍ରବାହ ସ୍ତବ୍‌ଧ ହୋଇଗଲେ ଜୀବ ଦେହରୁ ଦେହାନ୍ତର ଗ୍ରହଣ କରି ନଥାଏ । କାରଣ ସେତେବେଳେ ଜୀବ ସହିତ ସଂଯୁକ୍ତ ହେବାର କୌଣସି ବସ୍ତୁ ନଥାଏ କି ବିଯୁକ୍ତ ହେବାର କିଛି ଆଶଙ୍କା ମଧ୍ୟ ନଥାଏ ।

 

ପୁନଶ୍ଚ ମନୁ ମହାରାଜ କହିଲେ, ମହର୍ଷି, ଏ ସବୁର ମୂଳ କାରଣ ମନର ଦୋଳାୟମାନ ସ୍ଥିତିକୁ ସଂଯତ କରି ବୁଦ୍ଧିକୁ ସ୍ଥିତଧୀ କରି ମନୁଷ୍ୟ ଜ୍ଞାନ ସମୃଦ୍ଧ ହେଲେ ପରମାତ୍ମାଙ୍କୁ ପ୍ରତ୍ୟକ୍ଷ କରି ପାରିବ । ଏହା ଉପଲବ୍‌ଧି କରି ବିଶ୍ଳେଷଣଦ୍ୱାରା ସ୍ଥାବର ଜଙ୍ଗମ ଯୁକ୍ତ ଏହି ବ୍ରହ୍ମାଣ୍ଡ ଉତ୍ପତ୍ତି ଓ ଉପାଦାନର ମୂଳ କାରଣ ଜାଣି ପାରିବ । ଏହି ଆତ୍ମଜ୍ଞାନ ଲବ୍‌ଧ ପୁରୁଷ ଦେଖିପାରେ ଯେ ଏହି ଅବିନାଶୀ, ଅକ୍ଷୟ ପରମାତ୍ମାଠାରୁ ଆକାଶ, ଆକାଶରୁ ବାୟୁ, ବାୟୁଠାରୁ ଅଗ୍ନି, ଅଗ୍ନିଠାରୁ ଜଳ ଓ ଜଳଠାରୁ ପୃଥିବୀ ଉତ୍ପନ୍ନ ହୋଇଅଛି । ଆତ୍ମା ପ୍ରାଣୀ ଦେହରେ ଜୀବାତ୍ମା ରୂପରେ ଅବସ୍ଥାନ କରେ ଓ ଗୁଣଭେଦରେ ମନୁଷ୍ୟଦ୍ୱାରା କର୍ମ କରାଇଥାଏ । ଯେପରି ପ୍ରଳୟଦ୍ୱାରା ପରମାତ୍ମା ସମସ୍ତ ସତ୍ତାକୁ ବିନାଶ କରି ବିଲୀନ କରିଥାନ୍ତି, ସେହିପରି ଆୟୁ ଶେଷରେ ପ୍ରାଣୀ ମଧ୍ୟ ସତ୍ତାରେ ବିଲୀନ ହୋଇଯାଏ । ପୁନଶ୍ଚ ପୂର୍ବସୂତ୍ର ଧରି ପରମାତ୍ମା ଏକ ଭାବରେ ସୃଷ୍ଟି କରି ଚାଲିଛନ୍ତି ଓ ଏହି ସୃଷ୍ଟିର ଉପାଦାନ ‘ପରମ କାରଣ’ ଅଟେ । ଏହି ପରମ କାରଣ ଜଗତର କର୍ତ୍ତା ଓ ଯାହା କିଛି ଦୃଶ୍ୟମାନ ତାହା ‘ପରମ କାରଣ’ର କାର୍ଯ୍ୟ ।

 

ଅତଃପର ବୃହସ୍ପତି କହିଲେ, ଜୀବ ଦେହରେ ଯଦି ଆତ୍ମା ବିରାଜମାନ ତା’ହେଲେ ଶରୀର ବ୍ୟବଚ୍ଛେଦରେ ଯେପରି ଶରୀର ଅଭ୍ୟନ୍ତରସ୍ଥ ଅପରାପର ବସ୍ତୁମାନ ଦେଖାଯାଏ, ସେହିପରି ଆତ୍ମାକୁ ମଧ୍ୟ ଦେଖିପାରିବା ଉଚିତ । କିନ୍ତୁ ସ୍ଥୂଳ ଦୃଷ୍ଟିରେ ଆତ୍ମା ଦୃଶ୍ୟମାନ ହୁଏ ନାହିଁ କାହିଁକି ?

 

ମନୁ ମହାରାଜ କହିଲେ, ମହର୍ଷି, ଆପଣ ନିଭ୍ରାନ୍ତ ନହୋଇ ଶ୍ରୁତି ବଚନ ସ୍ମରଣ କରନ୍ତୁ । ଶ୍ରୁତି ବଚନାନୁସାରେ ବସ୍ତୁର ଦୁଇଟି ରୂପ ଥାଏ; ଗୋଟିଏ ସ୍ଥୂଳ ଓ ଅପରଟି ସୂକ୍ଷ୍ମ । ବୀଜ ମଧ୍ୟସ୍ଥ ମହୀରୂହ ବୀଜ ମଧ୍ୟରେ କେବେହେଁ ଦେଖାଯାଇଥାଏ କି ? ବୀଜରୁ ମହୀରୂହ ଉତ୍ପନ୍ନ ହେବାପରେ ବୀଜର ଅସ୍ତିତ୍ୱ ବା ପ୍ରତ୍ୟକ୍ଷୀଭୂତ କରାଯାଇଥାଏ କି ? କିନ୍ତୁ ଏହା ନିଶ୍ଚୟ ସ୍ୱୀକାର୍ଯ୍ୟ ଯେ ବୀଜ ମଧ୍ୟରେ ମହୀରୂହ ଅସ୍ତିତ୍ୱ ଯେପରି ଥାଏ ସେହିପରି ମହୀରୂହ ମଧ୍ୟରେ ବୀଜ ଅସ୍ତିତ୍ୱ ମଧ୍ୟ ରହିଥାଏ । ଆତ୍ମା ଠିକ୍‌ ଏହି ବୀଜ ଓ ମହୀରୂହ ସଦୃଶ ଦେହ ମଧ୍ୟରେ ଥାଏ । କିନ୍ତୁ ଏହା ଏପରି ସଂହତ ଓ ସୂକ୍ଷ୍ମ ଯେ ତାହା ପ୍ରତ୍ୟକ୍ଷ କରିବାକୁ ହେଲେ ଅତୀବ ଶକ୍ତିଶାଳୀ ଅଣୁବୀକ୍ଷଣ ମାଧ୍ୟମ ନେବାକୁ ହେବ ଏବଂ ସେହି ଅଣୁବୀକ୍ଷଣ ମାଧ୍ୟମ ହିଁ ‘ଆତ୍ମଜ୍ଞାନ’ ।

 

ପୁନଶ୍ଚ ମନୁ ମହାରାଜ କହିଲେ, ମନୁଷ୍ୟର ଏହି ଜ୍ଞାନ ଯେତେ ଅଧିକ ସଂହତ, ସ୍ୱଚ୍ଛ ଓ ନିର୍ମଳ ହେବ, ପରମାତ୍ମା ସେତେ ଅଧିକ ପରିମାଣରେ ମନୁଷ୍ୟର ପ୍ରତ୍ୟକ୍ଷ ହୋଇଥାନ୍ତି । କିନ୍ତୁ ମନୁଷ୍ୟ ତିନୋଟି ବସ୍ତୁରେ ସୀମାୟିତ ଯଥା ମନ, ଇନ୍ଦ୍ରିୟ ଓ ବୁଦ୍ଧି । ଦେହ କ୍ଷେତ୍ରରେ ବୁଦ୍ଧି ରାଜା ସ୍ୱରୂପ ଓ ମନ ପ୍ରଧାନ ଅମାତ୍ୟ ସ୍ୱରୂପ ଏବଂ ପଞ୍ଚେନ୍ଦ୍ରିୟ ଅମାତ୍ୟଙ୍କ ନିର୍ଦ୍ଦେଶରେ ବାହ୍ୟଜଗତରୁ ଉପଭୋଗ ବସ୍ତୁର ସମ୍ବାଦ ସଂଗ୍ରହ କରିଥାନ୍ତି । ‘ମନ’ ନିର୍ଭର, ରାଜ ‘ବୁଦ୍ଧି’ ଯଦି ନିର୍ବିଚାରରେ ଏହା ଉପଭୋଗ କରେ, ତା’ହେଲେ ‘ବୁଦ୍ଧି ରୂପ ରାଜା’ ମୋହଗ୍ରସ୍ତ ହୋଇ ନିଜର ସତ୍ତା ବିସର୍ଜନ କରିଥାନ୍ତି ଓ ସେହି ‘ବୁଦ୍ଧି ରୂପ ରାଜା’ ବିସ୍ମୃତ ହୋଇଥାନ୍ତି ଯେ ତାଙ୍କର ଅସ୍ତିତ୍ୱ ଆତ୍ମା ଉପରେ ନିର୍ଭରଶୀଳ ଏବଂ ସେ ଆତ୍ମା ନିକଟରେ ଦାୟୀ । ଯଦି ବୁଦ୍ଧିମାନ ମନୁଷ୍ୟ ବହିର୍ଜଗତରୁ ନିଜକୁ ପ୍ରତ୍ୟାହାର କରି ଆତ୍ମା ମଧ୍ୟରେ ନିଜକୁ ସମାହିତ କରି ଅନ୍ତର୍ମୁଖୀ କରାଇପାରେ ତାହେଲେ ଏହି ଦାୟିତ୍ୱ ସେହି ବୁଦ୍ଧିଯୁକ୍ତ ମନୁଷ୍ୟ ପାଳନ କରିବାରେ ସମର୍ଥ ହେବ । କେବଳ ଜ୍ଞାନ ଦୃଷ୍ଟିରେ ହିଁ ପରମାତ୍ମାକୁ ପ୍ରତ୍ୟକ୍ଷ କରାଯାଇ ପାରେ । ଯେପରି କୁଶଳୀ ଶିକାରୀ ନିଜର ପୋଷାହାତୀ ସାହାଯ୍ୟରେ ବନ୍ୟହସ୍ତୀକୁ ବନ ମଧ୍ୟରୁ ଧରି ଆଣିଥାଏ, ଯେପରି ପକ୍ଷୀ ଶିକାରୀ ପୋଷାପକ୍ଷୀ ସାହାଯ୍ୟରେ ଉଡ଼ନ୍ତା ପକ୍ଷୀକୁ ଧରିଥାଏ ଓ କେଉଟ ଜଳାଭ୍ୟନ୍ତରସ୍ଥ ମାଛକୁ ସୂତ୍ର ନିର୍ମିତ ଜାଲରେ ଧରିଥାଏ, ସେହିପରି ଜ୍ଞାନବସ୍ତୁକୁ କେବଳ ମାତ୍ର ଜ୍ଞାନ ସାହାଯ୍ୟରେ ଉପଲବ୍‌ଧି କରି ପ୍ରତ୍ୟକ୍ଷ କରାଯାଏ ।

 

ପରମାତ୍ମା ଜନ୍ମ, ବୃଦ୍ଧି ଓ କ୍ଷୟର ଅତୀତ । ଏହା କେବଳ ଜ୍ଞାନ ମାର୍ଗରେ ହିଁ ପ୍ରତ୍ୟକ୍ଷୀଭୂତ ହୋଇଥାଏ । ପ୍ରବୃତ୍ତି ମାର୍ଗ ତ୍ୟାଗକରି ନିବୃତ୍ତ ମାର୍ଗ ଅବଲମ୍ବନ କରି ନିଜକୁ ବିଶ୍ୱମୟ କରିପାରିଲେ ଆତ୍ମଦର୍ଶନ ଲାଭ ହୁଏ ।

 

କିଞ୍ଚିତ ନୀରବ ରହି ଅବଶେଷରେ ମନୁ ମହାରାଜ କହିଲେ, ସର୍ବଦା ଏହି ପ୍ରବାଦ ବାକ୍ୟ ସ୍ମରଣ ରଖିବା ଉଚିତ । ଅହିଦେବ ଦ୍ୟୁହେଃ ପାଦାନ୍‌ ପଶ୍ୟତୀତି ହି ନଃ ଶ୍ରୁତମ୍‌–‘‘ଅର୍ଥାତ୍‌ ସର୍ପର ପାଦ ସର୍ପ ହିଁ ଦେଖିଥାଏ, ଅନ୍ୟ କେହି ଦେଖିପାରି ନଥାନ୍ତି ।’’

Image

 

କାଶ୍ୟପ–ଶୃଗାଳ ସମ୍ବାଦ

 

ଏକଦା ଏକ ଧନମଦମତ୍ତ ବୈଶ୍ୟ ଅକାରଣରେ ତପସ୍ୱୀ କାଶ୍ୟପଙ୍କୁ କଷାଘାତଦ୍ୱାରା ଅପମାନ କରିବା ଫଳରେ ତପସ୍ୱୀ କାଶ୍ୟପ ଆତ୍ମହତ୍ୟା କରିବାର ସଂକଳ୍ପ ନେଇଥିଲେ । ଅନେକ ଭାବିଚିନ୍ତି ମଧ୍ୟ ଅପମାନ ଜ୍ୱାଳା ନିବୃତ୍ତିର ବିକଳ୍ପ ପନ୍ଥା ନିର୍ଦ୍ଧାରଣ କରି ନ ପାରି ଅବଶେଷରେ ତପସ୍ୱୀ କାଶ୍ୟପ ଆତ୍ମହତ୍ୟାହିଁ ଶ୍ରେୟ ବୋଲି ସ୍ଥିର କଲେ । ତାଙ୍କର ମନେ ହୋଇଥିଲା ମାନ ସମ୍ମାନ ଲୁଣ୍ଠିତ, ପଦ ଦଳିତ ଓ ନିଶ୍ଚେଷ୍ଟ ହେଲେ, ଜୀବନ ଧାରଣ ବୃଥା, ଏବଂ ଯେଉଁ ସମାଜରେ ଅଜ୍ଞାନୀ ବିବେକ ଶୂନ୍ୟ ବର୍ଣ୍ଣେତର ବୈଶ୍ୟ ନିଜ ଅଧିକାର ସୀମା ଲଂଘନ କରି ବିନାଦ୍ୱିଧାରେ ତପସ୍ୱୀ କାଶ୍ୟପଙ୍କୁ କଷାଘାତରେ ଅପମାନ କରିବାର ସାହସ କରିପାରେ, ସେହିପରି ସମାଜରେ ତପସ୍ୱୀ କାଶ୍ୟପଙ୍କ ଜୀବନ ଧାରଣ କରି ବଞ୍ଚିରହିବା ଅର୍ଥହୀନ ବୋଲି ସେ ଭାବିଥିଲେ । ଅଧିକନ୍ତୁ କାଶ୍ୟପ ଜାଣିଥିଲେ ଯେ ଏଭଳି ଅପମାନର ଜ୍ୱାଳା ଯନ୍ତ୍ରଣା କେବେହେଁ ପ୍ରଶମିତ ହୋଇ ପାରିବ ନାହିଁ । କ୍ଷାତ୍ର ଶକ୍ତି ସାହାଯ୍ୟରେ ଅପମାନର ପ୍ରତିଶୋଧ ନେଲେହେଁ, ତାଙ୍କର ଅପମାନ ଜ୍ୱାଳା କଦାପି ନିର୍ବାପିତ ହେବ ନାହିଁ । ସୁତରାଂ ଏତାଦୃଶ ବିପନ୍ନ ବିଡ଼ମ୍ବିତ ଜୀବନ ମୃତ୍ୟୁ ସମାନ ଏବଂ ଏହା ଏକ ନିର୍ମମ ସତ୍ୟ ହୋଇଥିବାରୁ ତାଙ୍କର ଏ ସଂସାରରେ ବଞ୍ଚିରହିବା ନିରର୍ଥକ ବୋଲି ଚିନ୍ତା କରି ଅବଶେଷରେ ଆତ୍ମହତ୍ୟା ସଂକଳ୍ପ ନେଇ ଦରିଦ୍ର ଜୀବନର ଅବସାନ ନିମନ୍ତେ ଏକ ନିର୍ଜନ ବନକୁ ଗମନ କଲେ ।

 

ତପସ୍ୱୀ ସେହି ନିର୍ଜନ ବନରେ ପ୍ରାୟୋପବେଶନରେ ବସିରହି କେବଳ ମାତ୍ର ବାୟୁ ଭକ୍ଷଣରେ ଦିନ ଯାପନ କରି କ୍ରମଶଃ ଦୁର୍ବଳରୁ ଦୁର୍ବଳତର ହୋଇ ମୃତ୍ୟୁ ଅପେକ୍ଷାରେ ରହିଲେ । ଅନାହାରରେ ତାପସଙ୍କ ଦେହ କ୍ଷୀଣରୁ କ୍ଷୀଣତର ହେବାକୁ ଲାଗିଲା । ଇନ୍ଦ୍ରିୟ ବର୍ଗ ନିରତିଶୟ ଦୁର୍ବଳ, ଦୃଷ୍ଟିଶକ୍ତି ଅସ୍ୱଚ୍ଛ ଓ ଶ୍ରବଣେନ୍ଦ୍ରିୟ ଅସ୍ପଷ୍ଟ ହୋଇ ଉଠିଲା । ଋଷିଙ୍କର ଉତ୍‌ଥାନ ଶକ୍ତି ପ୍ରାୟ ରହିତ ହେଲା ।

 

ଏହିପରି ଅବସ୍ଥାରେ ମୁଦ୍ରିତ ନେତ୍ରରେ ଶାୟିତ କାଶ୍ୟପ ହଠାତ୍‌ ଯେପରି ଶୁଣିଲେ କିଏ ଯେପରି କହୁଅଛି, ‘‘ମାନସିକ ସନ୍ତାପ ଦୂର କରିବା ପାଇଁ ଆତ୍ମହତ୍ୟା ପନ୍ଥା କାହିଁକି ନିର୍ଣ୍ଣୟ କରିଛନ୍ତି-? ଏହାଦ୍ୱାରା ଆପଣ କଣ ଶାନ୍ତି ଲାଭ କରିବେ ? ଆପଣଙ୍କର ଆତ୍ମା କଣ ଏହି ରୂପରେ ତୃପ୍ତ ହୋଇ ପାରିବ ? ତପସ୍ୟା ହିଁ ବ୍ରାହ୍ମଣ ଧର୍ମ । ସେହି ଧର୍ମରୁ ବିଚ୍ୟୁତ ହୋଇ ଆପଣ ଘୋରତର ପାପଲିପ୍ତ କାହିଁକି ହେଉଛନ୍ତି ?’’

 

ଏ ପ୍ରକାର ବାଣୀରେ ମୁନି ଭାବିଲେ, ଏହି ନିର୍ଜନ ବନରେ ଅକସ୍ମାତ୍‌ ଏପରି ବଚନ କିଏ ଶୁଣାଉଅଛି । ଏହା ଚିନ୍ତା କରି ମୁଦ୍ରିତ ନୟନ ଉନ୍ନୀଳନ କରି ଅସ୍ୱଚ୍ଛ ଦୃଷ୍ଟିରେ ଦେଖିଲେ ଏକ ବିଶାଳକାୟ ଶୃଗାଳ ଅତି ସନ୍ନିକଟରେ ପଶ୍ଚାତ ପାଦଦ୍ୱୟରେ ତାର ଶରୀର ଭାର ରଖି ଉପବିଷ୍ଟ ହୋଇଅଛି ଓ ଶୃଗାଳର ନୀଳାଭ ନେତ୍ର ଦ୍ୱୟ ଯେପରି ଏକ ଲୟରେ ମୁନିଙ୍କୁ ଦେଖୁଛି ।

 

ପୁନଶ୍ଚ କାଶ୍ୟପ ନୟନ ମୁଦ୍ରିତ କରି ଭାବିଲେ, ସମ୍ଭବତଃ ଶୃଗାଳ ମୋର ପ୍ରାଣ ନିଷ୍କ୍ରାନ୍ତନ ହେବା ପର୍ଯ୍ୟନ୍ତ ଏଠାରେ ଅପେକ୍ଷା କରିଅଛି । ପ୍ରାଣ ନିଷ୍କ୍ରାନ୍ତ ହେଲେ ମୋର ଏହି ଶରୀର ଶୃଗାଳର ଆହାର୍ଯ୍ୟ ହେବ । ଏହା ଚିନ୍ତା କରି ମୁନି ଶଙ୍କିତ ହୋଇ ଉଠିଲେ ।

 

ଇତ୍ୟବସରରେ ଶୃଗାଳ କହିଲା, ସତ୍ୟ ଓ ମିଥ୍ୟା ଯେ କୌଣସି କାରଣରେ ଆତ୍ମହତ୍ୟା ଅଧିକାର କୌଣସି ପ୍ରାଣୀର ନାହିଁ କି ରହିବା ମଧ୍ୟ ଉଚିତ ନୁହେଁ । ମନୁଷ୍ୟ ଜନ୍ମ ଓ ପ୍ରାଣୀ ଜଗତର ଶ୍ରେଷ୍ଠ ଜନ୍ମ ଓ ଏହା ଅନେକ ପୁଣ୍ୟର ଫଳ । ସେହି ଜନ୍ମ ଲାଭ କରି, ଆତ୍ମହତ୍ୟା ପ୍ରଚେଷ୍ଟା ଧର୍ମ ସଂଗତ ନୁହେଁ କାରଣ ଏପରି ଦୁର୍ବୁଦ୍ଧି ସବୁ ସୂକୃତକୁ ବିନଷ୍ଟ କରି ଦୁର୍ଭୋଗର କାରଣ ହୋଇଥାଏ ।

 

ପୁନଶ୍ଚ ଶୃଗାଳ କହିଲା, ଋଷିବର, ଆପଣ ମନୁଷ୍ୟ କୁଳରେ ଜନ୍ମଲାଭ କରି ଧର୍ମାଚରଣରୁ ନିଜକୁ ବିରତ ରଖି, ମୋହ ବଶରେ ଏପରି ନିଜକୁ ବିନଷ୍ଟ କରିବା ନିମନ୍ତେ କାହିଁକି ଉଦ୍ୟତ ହୋଇଛନ୍ତି ? ମୋର ଅନୁରୋଧ ଆପଣ ଆହାର ଗ୍ରହଣ କରି ଦେହ ସୁସ୍ଥ ରଖି ସ୍ୱଧର୍ମ ବ୍ରତୀ ହୁଅନ୍ତୁ ।

 

ଏହିପରି ବଚନମାନ ଶୁଣି କାଶ୍ୟପଙ୍କ ଶରୀର, ପ୍ରାଣ, ଦୃଷ୍ଟି ଓ କର୍ଣ୍ଣ ଦୁର୍ବଳ ହୋଇଥିଲେହେଁ, ସେ ବିସ୍ମିତ ହୋଇ ଶୃଗାଳକୁ ଦେଖିବାକୁ ଲାଗିଲେ ।

 

ସ୍ୱଭାବ ସିଦ୍ଧ ଭଙ୍ଗୀରେ ପୁନଶ୍ଚ ଶୃଗାଳ କହିଲା, ସମ୍ଭବତଃ ମୁନିବର, ଆପଣଙ୍କର ଇନ୍ଦ୍ରିୟାଚ୍ଛନ ଓ ଅବସନ୍ନ ରହିଥିବାରୁ ଆପଣ ମୋ ବଚନ ଅନୁଧାବନ କରିପାରି ନାହାନ୍ତି ।

 

ଏହା ଶୁଣି କ୍ଷୀଣ କଣ୍ଠରେ କାଶ୍ୟପ କହିଲେ, ଚତୁଷ୍ପଦ ପ୍ରାଣୀଙ୍କ ମଧ୍ୟରେ ଶୃଗାଳ ଯଥେଷ୍ଟ ବୁଦ୍ଧିମାନ ହେଲେହେଁ କେଉଁ ଅବସ୍ଥାରେ ମନୁଷ୍ୟ ଆତ୍ମହତ୍ୟା କରିବାର ପ୍ରଚେଷ୍ଟା ନେଇଥାଏ, ତାହା ତୁମ ବୁଦ୍ଧିର ଅଗମ୍ୟ ।

 

ଋଷିଙ୍କ ବଚନ ଶୁଣି ଶୃଗାଳ କହିଲା, ମୁନିବର, ଆପଣଙ୍କ ଆତ୍ମହତ୍ୟାର କାରଣ ମୁଁ ଜାଣିଛି । ଧନଗର୍ବୀ ଏକ ବଣିକ ଆପଣଙ୍କୁ ଅବଜ୍ଞା ଓ ତୁଚ୍ଛ ଜ୍ଞାନ କରି ଚାବୁକରେ କଷାଘାତ କରିଅଛି, ଏବଂ ସେହି ଦୁଃଖ ଓ ଅପମାନ ଅବସାନ ଘଟାଇବା ନିମନ୍ତେ ଆପଣ ଶରୀର ତ୍ୟାଗ କରିବାକୁ ଉଦ୍ୟତ ହୋଇଛନ୍ତି । ଏହି ଘଟଣା ମୁଁ ଜାଣିଛି ଓ ଦେଖିଅଛି ମଧ୍ୟ ।

 

କାଶ୍ୟପ କହିଲେ, ତୁମ୍ଭର ବଚନ ଅବଶ୍ୟ ସତ୍ୟ । ବ୍ରାହ୍ମଣ କୁଳରେ ଜନ୍ମଲାଭ କରି ପ୍ରାପ୍ୟ ସମ୍ମାନ ବା ମର୍ଯ୍ୟାଦାରୁ ବଞ୍ଚିତ ହୋଇ ଜୀବିତ ରହିଲେ, ଏହି ଅପମାନ ଜନିତ ଯନ୍ତ୍ରଣା ମର୍ମେ ମର୍ମେ ଭୋଗ କରିବାକୁ ହେବ । ମୁଁ ମନୁଷ୍ୟ ହୋଇ ଏହା କିପରି କାମନା କରିବି ?

 

ଶୃଗାଳ କହିଲା, ଅନେକ ଜନ୍ମ ଅତିକ୍ରାନ୍ତ ହେଲେ ଏକ ପ୍ରାଣ ଓ ଜୀବ ମନୁଷ୍ୟ ଅବୟବ ଧାରଣ କରିଥାଏ । ମନୁଷ୍ୟ ଜନ୍ମ ଲାଭ କରି ଯେଉଁ ମନୁଷ୍ୟ ତାର କ୍ରମବିକାଶ ଘଟଣାବଳୀ ବିସ୍ମୃତ ହୋଇଥାଏ, ସେହି ମନୁଷ୍ୟ ମୋହ ଗ୍ରସ୍ଥ ହୋଇ ନଥାଏ କି ? ଏପରି ମୋହଗ୍ରସ୍ଥ ହେବା ମନୁଷ୍ୟ ପକ୍ଷରେ ଅସଙ୍ଗତ ।

 

କିନ୍ତୁ ଏହି ପ୍ରାଣୀ ଜଗତରେ ଏହି ମନୁଷ୍ୟ କାହିଁକି ମୋହଗ୍ରସ୍ଥ ହୋଇଥାଏ, ତାହା ମୋ ଠାରୁ ଶ୍ରବଣ କରନ୍ତୁ । ଏହା କହି ଶୃଗାଳ କିୟତ୍‌କ୍ଷଣ ନିଶ୍ଚୁପ ରହି ପୁନଶ୍ଚ କହିବାକୁ ଆରମ୍ଭ କଲା ।

 

ଆସକ୍ତି ହିଁ ମନୁଷ୍ୟକୁ ମୋହଗ୍ରସ୍ଥ କରିଥାଏ । ଧନ, ଜନ, ଯୌବନ ଭୋଗ ବିଳାସର ଅଧିକାର ନେଇ ମନୁଷ୍ୟ ପୃଥିବୀରେ ଜନ୍ମ ନେଇଥାଏ । ଏହିସବୁ ସ୍ୱାଧିକାର ଭୋଗ ବାସନାରେ ମନୁଷ୍ୟ ଏପରି ଲୋଲୁପ ସର୍ବସ୍ୱ ହୋଇ ଉଠେ ଯେ, ସେ ତାର ଜନ୍ମ ସର୍ତ୍ତ ବିସ୍ମୃତ ହୋଇଥାଏ, ଫଳତଃ ବିଚାର ବୁଦ୍ଧି ଶୂନ୍ୟ ହୋଇ ଅଧିକରୁ ଅଧିକତର ଭୋଗ ବିଳାସ ହିଁ କାମନା କରିଥାଏ । ପରିଣାମରେ ଦୁର୍ବୁଦ୍ଧି ଗ୍ରସ୍ଥ ହୋଇ ଜାଲରେ ଆବଦ୍ଧ ହୋଇଥିବା ଜଳଚର ମତ୍ସ୍ୟ ସଦୃଶ ଛଟପଟ ହୋଇ ମୃତ୍ୟୁବରଣ କରିଥାଏ ।

 

ପୁନଶ୍ଚ ଶୃଗାଳ କହିଲା, ବର୍ଣ୍ଣାନୁଯାୟୀ ସବୁ ମନୁଷ୍ୟଙ୍କର ଧର୍ମ କର୍ମ ସମାନ ନୁହେଁ । ବ୍ରାହ୍ମଣଙ୍କର ଧର୍ମ ବେଦାଦି ପାଠ, ଅଧ୍ୟୟନ ଓ ଅଧ୍ୟାପନା, କ୍ଷତ୍ରିୟଙ୍କର ପ୍ରଜାପାଳନ, ବୈଶ୍ୟଙ୍କର ବ୍ୟବସାୟ ଓ କୃଷି ଓ ଶୁଦ୍ରଙ୍କର ଧର୍ମ ସେବାଧର୍ମ ଅନ୍ତର୍ଗତ । କିନ୍ତୁ ସ୍ୱଭାବତଃ ଏହି ବର୍ଣ୍ଣଧର୍ମରୁ ମନୁଷ୍ୟ ବିଚ୍ୟୁତ ହୋଇଥାଏ । ଆପଣ ଜଣେ ବନବାସୀ ତପସ୍ୱୀ ବ୍ରାହ୍ମଣ । ତପସ୍ୟା ଓ ଗ୍ରନ୍ଥାଦି ଅନୁଶୀଳନ ଆପଣଙ୍କର ଧର୍ମ । ଆପଣ କଣ ଏହା ଅସ୍ୱୀକାର କରି ପାରିବେ ?

 

ମୁନିଙ୍କୁ ନିରୁତ୍ତର ଦେଖି ପୁନଶ୍ଚ ଶୃଗାଳ କହିଲା, ମୋର ବିଶ୍ୱାସ ମନୁଷ୍ୟର ଏପରି ଆଚରଣ ପରିବର୍ତ୍ତନ ନିମନ୍ତେ ‘ଗୁଣ’ ହିଁ ମୂଳକାରଣ । ମନୁଷ୍ୟ ସମାଜରେ ବିଦ୍ୱାନ, ଜ୍ଞାନୀ ଓ ଗୁଣୀ ମଧ୍ୟ ବିପରୀତ ଆଚରଣ ପ୍ରଦର୍ଶନ କରିଥାନ୍ତି । ସର୍ବଜ୍ଞ ହୋଇ ମଧ୍ୟ ସେମାନେ ସ୍ୱଧର୍ମ କର୍ମ ପାଳନ ନକରି ବିପରୀତ କର୍ମାଚରଣ କରିଥାନ୍ତି । ଯେପରି ବୈଶ୍ୟ ବର୍ଣ୍ଣସୀମା ଲଂଘନ କରି ଆପଣଙ୍କୁ କଷାଘାତରେ ଅପମାନ କରିଅଛି, ଏହାର ମୂଳ କାରଣ ‘ଅହଙ୍କାର’ । ଏହି ଅହଙ୍କାରର କାରଣ ହେଉଛି ଅସନ୍ତୋଷ ଜନିତ ଆସକ୍ତି, ଲୋଭ ଓ କାମନା ।

 

ପୁନଶ୍ଚ ଶୃଗାଳ କହିଲା, ମୁଁ ଏକ ଚତୁଷ୍ପଦ ପ୍ରାଣୀ; ପଶୁ ଯୋନିରେ ଜନ୍ମ ଲାଭ କରିଅଛି ସତ, କିନ୍ତୁ ପଶୁ ଜଗତରେ ଏପରି ବିପରୀତ ଆଚରଣ କେଭେଁ ଦେଖାଯାଏ ନାହିଁ, ଯାହାକି ମନୁଷ୍ୟ ଜଗତରେ ଅଧିକରୁ ଅଧିକ ମାତ୍ରାରେ ଦେଖାଯାଇଥାଏ । ମନୁଷ୍ୟ ଜଗତରେ ମୁଁ ଲକ୍ଷ୍ୟ କରି ଦେଖିଛି ଯେ କେହି ଆଜନ୍ମ ସୁଖୀ, ତ କେହି ଜନ୍ମାବଧି ଦୁଃଖୀ । କେହି ଧନବାନ ହେଲେ କେହି ନିର୍ଧନ । ପୁନଶ୍ଚ କେଉଁ ଧନବାନ ବ୍ୟକ୍ତି ଆଧିପତ୍ୟ ବିସ୍ତାରି ଶୋଷଣ ପୂର୍ବକ ଅଧିକତର ଧନୀ ହେବା ନିମନ୍ତେ ସଦାସର୍ବଦା ଚେଷ୍ଟିତ ।

 

ରାଜନ୍‌ ବର୍ଗଙ୍କ ମଧ୍ୟରେ କେହି କେହି ରାଜା ଦେବାସନ ପ୍ରାପ୍ତ ହୋଇ, ଦେବରାଜଙ୍କ ସମକକ୍ଷ ହେବା ନିମନ୍ତେ ସଚେଷ୍ଟ । ଏପରି ଅନେକ ଘଟଣା ଦେଖି ମୁଁ ଜାଣିଅଛି ଯେ ଏହି ସଂସାରରେ ପରମ ସୁଖୀ ଅତି ଦୁର୍ଲଭ । ମୋର ଦୁଃଖ ଏହି ଯେ ଜୀବଗଣଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ଆତ୍ମସଚେତନ ହୋଇ ରହିବା ନିମନ୍ତେ ପ୍ରୟାସହୀନ । ମନୁଷ୍ୟ ଆପାତଃ ସୁଖୀ ଅବସ୍ଥାରେ ଯେ ସେ ସୁଖୀ ହୋଇଛି ଓ ଆମୃତ୍ୟୁ ସେ ସୁଖୀ ହୋଇ ରହିବ, କିନ୍ତୁ ସେ ଭୁଲିଯାଏ ଯେ ସୁଖ ପରେ ହିଁ ଦୁଃଖ ଅବଶ୍ୟମ୍ଭାବୀ । ଭାଗ୍ୟଚକ୍ରକୁ ମନୁଷ୍ୟ କେବେହେଁ ସ୍ତବ୍‌ଧ କରି ପାରିବ ନାହିଁ । ସୁତରାଂ ସେହି ଚକ୍ରରେ ମନୁଷ୍ୟ ସର୍ବଦା ବିବର୍ତ୍ତିତ ଓ ଖଣ୍ଡ ବିଖଣ୍ଡିତ ହୋଇ କାତର ଆର୍ତ୍ତନାଦ କରି ଦୁଃସହ ଯନ୍ତ୍ରଣା ଅନୁଭବ କରିଥାଏ ।

 

ମୋର ବିଶ୍ୱାସ ଯେ କୌଣସି ବର୍ଣ୍ଣରେ ମନୁଷ୍ୟ ଜନ୍ମ ହେଲେହେଁ, ଯଦି ନିଷ୍ଠାପୂର୍ବକ ସ୍ୱଧର୍ମ ପାଳନ ନ କରି ବିପରୀତ ଧର୍ମାଚରଣ କରେ, ତାହେଲେ ସମ୍ମିଳିତ କଲ୍ୟାଣ ଲାଭ ପରିବର୍ତ୍ତେ କୃତକର୍ମ ଫଳ ସେହି ମନୁଷ୍ୟ ଅବଶ୍ୟ ଭୋଗ କରିଥାଏ ।

 

କୌତୂହଳୀ ଦୃଷ୍ଟିରେ କାଶ୍ୟପ କ୍ଷୀଣ କଣ୍ଠରେ ପ୍ରଶ୍ନ କଲେ, ତୁମ୍ଭେ କିଏ ? ଏତେ କଥା ତୁମ୍ଭେ ପଶୁ ହୋଇ କିପରି ଜାଣିପାରିଛ ?

 

ଦୀର୍ଘନିଃଶ୍ୱାସ ତ୍ୟାଗ ପୂର୍ବକ ଶୃଗାଳ କହିଲା, ଅନେକ ସୁକୃତ ବଳରେ ମୁଁ ବର୍ଣ୍ଣଶ୍ରେଷ୍ଠ ବ୍ରାହ୍ମଣ କୁଳରେ ଏକଦା ଜନ୍ମଲାଭ କରିଥିଲି । ଜୀବନରେ ଶାସ୍ତ୍ରବାକ୍ୟ ପାଳନ ଓ ଧର୍ମାଚରଣ ମୁଁ କେବେହେଁ କରି ନଥିଲି । କାରଣ ମୁଁ ଜାଣି ପାରି ନଥିଲି ଯେ ଏହି ଜୀବନ ପ୍ରବାହ ନିରବଚ୍ଛିନ୍ନ ଓ କର୍ମ ସକଳ ଏକ ପରିଣତି ଅଧୀନ । ସେହି ପରିଣତିକୁ ଜୀବନ ପ୍ରବାହ ପଥରେ କର୍ମ କରିଥିବା କର୍ମୀହିଁ ଭୋଗ କରିଥାଏ । ଅତଏବ, ଏହି ଜନ୍ମରେ ସେହି କର୍ମର ପରିଣତି ଫଳ ଭୋଗ କରୁଅଛି ଓ ପଶୁ ଯୋନିରେ ଧୂର୍ତ୍ତ, କୂଟ ଶୃଗାଳ ଜନ୍ମ ଲାଭ କରିଅଛି ।

 

ପୁନଶ୍ଚ ଶୃଗାଳ କହିଲା, ମୁଁ ଚାହିଁଥିଲେ ଆପଣଙ୍କ ସଦୃଶ ଆତ୍ମହତ୍ୟା କରି ପରନିର୍ଭରଶୀଳ ଏହି ଜଘନ୍ୟ ଜୀବନ ଆବସାନ ଘଟାଇ ପାରିଥାନ୍ତି, କିନ୍ତୁ ମୁଁ ଏହା କରିନାହିଁ କି କରିବି ନାହିଁ । କାରଣ ମୁଁ ଜାଣିଛି ଯେ ଫଳଭୋଗ ଶେଷ ନ ହେବା ପର୍ଯ୍ୟନ୍ତ ମୋର ଶରୀର ମୁକ୍ତିଲାଭ କଲେହେଁ କର୍ମଫଳରୁ ମୁକ୍ତ ହେବା ଅସମ୍ଭବ । ଏହି ଅସହାୟ ପଶୁ ଜୀବନ ଯାପନ କରି ମଧ୍ୟ ନିଜକୁ ଭାଗ୍ୟବାନ ମନେ କରୁଅଛି, କାରଣ ମୋଠାରୁ ଜଘନ୍ୟ କୃମି, କୀଟାଦି ରୂପରେ କେତେ ପ୍ରାଣୀ ଆହୁରି ଅସହାୟ ହୋଇ ଜୀବନ ଯାପନ କରୁଛନ୍ତି ।

 

ଋଷିବର, ଆପଣ ସୁକୃତ ବଳରେ ସର୍ବୋତ୍ତମ ସୃଷ୍ଟି ଓ ଆତ୍ମସହାୟ ସବଳ ସମ୍ପନ୍ନ ମନୁଷ୍ୟ ଜନ୍ମ ଲାଭ କରିଛନ୍ତି । ଦୀର୍ଘକାଳ ତପସ୍ୟାରତ ଓ ଜ୍ଞାନ ପ୍ରବୁଦ୍ଧ ହୋଇ ମଧ୍ୟ ଏହି ଅପମାନ ଜ୍ୱାଳା ନିବୃତ୍ତ ନିମନ୍ତେ ଆପଣ ଆତ୍ମହତ୍ୟା ପ୍ରଚେଷ୍ଟା ଚିନ୍ତା କିପରି କରିପାରିଲେ ? ପୁନଶ୍ଚ ଶୃଗାଳ କହିଲା, ମନୁଷ୍ୟର ଅସାଧ୍ୟ କିଛି ନାହିଁ । ସୁଖ-ଦୁଃଖ, ଆନନ୍ଦ-ବିଷାଦ ଏ ଦୁଇଟି ବିପରୀତ ସତ୍ତା ମନୁଷ୍ୟ ମଧ୍ୟରେ ହିଁ ଥାଏ । ମନୁଷ୍ୟ ହୃଦୟ ସାହାଯ୍ୟରେ ସୁଖ-ଦୁଃଖ ଅନୁଭବ ଓ ବୁଦ୍ଧିଦ୍ୱାରା ବିଚାର କରି ପାରିଥାଏ, ଯାହା ମନୁଷ୍ୟେତର ପ୍ରାଣୀ ପକ୍ଷରେ ଅସମ୍ଭବ ।

 

ମନୁଷ୍ୟ ତାର ସହଜାତ ବୁଦ୍ଧି ବୃତ୍ତି ବଳରେ ଯେ କୌଣସି ପ୍ରଶ୍ନର ସମାଧାନ କରି ପାରିଥାଏ । ସୁଖ-ଦୁଃଖ ଗୁଣାଗୁଣକୁ ପର୍ଯ୍ୟାଲୋଚନା କରିବା ଶକ୍ତି ଧରି ମନୁଷ୍ୟ ଯଦି ଦୁଃଖକୁ ପ୍ରକୃତ ଦୁଃଖ ଓ ସୁଖକୁ ପ୍ରକୃତ ସୁଖ ଜ୍ଞାନ କରେ, ତାହେଲେ ସେ ଦୁଃଖ କାତର ଓ ସୁଖାସକ୍ତ ସର୍ବସ୍ୱ ହୋଇ ରହିବା ସ୍ୱାଭାବିକ ।

 

ମୁନିବର ଆପଣ ବର୍ଣ୍ଣଶ୍ରେଷ୍ଠ ବ୍ରାହ୍ମଣ । ଆପଣ ସୁଖ ଓ ଦୁଃଖକୁ ଏକ ବ୍ୟାଧି ରୂପରେ ଜ୍ଞାନ କରୁନାହାନ୍ତି କି ? ଦେହର ବ୍ୟାଧି ଭେଷଜରେ ଆରୋଗ୍ୟ ଲାଭ ହୋଇଥାଏ କିନ୍ତୁ ଆତ୍ମା ବ୍ୟାଧି ସମଦର୍ଶୀତା ଓ ସନ୍ତାପହୀନ ସାଧନା ବ୍ୟତୀତ ନିରାମୟ ହୋଇ ପାରେ ନାହିଁ । ଏକମାତ୍ର ମନୁଷ୍ୟହିଁ ଆତ୍ମାବ୍ୟାଧିକୁ ଜ୍ଞାନ ବଳରେ ନିରାମୟ କରିପାରେ । କିନ୍ତୁ ବ୍ରାହ୍ମଣ ଉପଯୁକ୍ତ କର୍ତ୍ତବ୍ୟ ଅବହେଳା କରି ଓ ମନୁଷ୍ୟ-ଜନ୍ମ-ମହତ୍ତ୍ୱ ବିସ୍ମୃତ ହୋଇ ଆପଣା ବୃଥା ଆତ୍ମ ହନନଂ ପ୍ରଚେଷ୍ଟାରେ କାହିଁକି ଉଦ୍ୟତ ହୋଇଛନ୍ତି ? ଏହି ଦୁର୍ବୃଦ୍ଧି ପରିତ୍ୟାଗ କରି ଧର୍ମାଚରଣରେ ମନୋଯୋଗ ଦେଇ ଆପଣଙ୍କର ସବୁ ଅବସାଦ ଦୂର କରି ଓ ସବୁକ୍ଷେତ୍ରରେ ବିଶ୍ୱାତ୍ମାର ଆନନ୍ଦମୟ ସତ୍ତା ଅନୁଭବ କରନ୍ତୁ ।

 

ଶୃଗାଳ ବଚନମାନ ଶୁଣି କାଶ୍ୟପଙ୍କର ଅବସାଦ ଓ ଦୁଃଖ ଅବସାନ ହୋଇ ଏକ ଶ୍ରଦ୍ଧା ଆଲୋକ ଅନ୍ତରରେ ବିଚ୍ଛୁରିତ ହେଲା । ଶୃଗାଳ ଅନ୍ତର୍ହିତ ହେବାରୁ ଏକ ଦିବ୍ୟ ଆଲୋକରେ କାଶ୍ୟପ ଜାଣିପାରିଲେ ଯେ ସ୍ୱୟଂ ଦେବରାଜ ଇନ୍ଦ୍ର ମୁନିବରଙ୍କର ମୋହଗ୍ରସ୍ଥ ଇନ୍ଦ୍ରିୟ ବର୍ଗକୁ ମୋହମୁକ୍ତ କରିବା ନିମନ୍ତେ ଶୃଗାଳ ରୂପରେ ସେଠାକୁ ଆସିଥିଲେ ।

 

ଏହିପରି କାଶ୍ୟପଙ୍କର ଆତ୍ମହତ୍ୟା ସଂକଳ୍ପ ଦୂରୀଭୂତ ହୋଇ ଜୀବନାଲୋକରେ ସେ ଯେପରି ନବଜୀବନ ପ୍ରାପ୍ତ ହୋଇ ନଳ ରୂପରେ ବିଶ୍ୱମୟ ଜୀବନ ସତ୍ତା ଅନୁଭବ କଲେ ।

Image

 

ଶ୍ୱେତକେତୁ ଓ ସୁବର୍ଚଳା ସମ୍ବାଦ

 

ଯୁଧିଷ୍ଠିରଙ୍କର ପ୍ରତିପ୍ରଶ୍ନ ପିତାମହଙ୍କ ପ୍ରତି ଅତି କୌତୂହଳପୂର୍ଣ୍ଣ ଥିଲା । ଯୁଧିଷ୍ଠିର ପଚାରିଲେ, ପିତାମହ, ଏହି ସଂସାରରେ କଣ ଏପରି ମନୁଷ୍ୟ ଅଛନ୍ତି, ଯେ କି ସର୍ବସ୍ୱ ଜଳାଞ୍ଜଳି ଦେଇ ନିର୍ବିକାର ଚିତ୍ତରେ ରହି ସୁଖରେ ସଂସାର ଯାତ୍ରା ନିର୍ବାହ କରିପାରନ୍ତି ?

 

ପିତାମହ ପଚାରିଲେ, ତୁମର ଧାରଣା କଣ ? ସଂସାରରେ ରହି ନିର୍ବିକାର ଚିତ୍ତରେ ସଂସାର ଯାତ୍ରା ସମ୍ଭବ କି ଅସମ୍ଭବ ? ଏହା ତୁମ୍ଭ ପ୍ରଶ୍ନର ମର୍ମାର୍ଥ ନୁହେଁ କି ?

 

ଧର୍ମରାଜ କହିଲେ, ସମ୍ଭବ ଓ ଅସମ୍ଭବ ପ୍ରଶ୍ନ ଅସ୍ୱୀକାର କରାଯାଇ ପାରେ କି ? ପତିପତ୍ନୀ ପ୍ରତି କାମାସକ୍ତି ଅନୁଭବ କରେ ନାହିଁ କି ? ପତି ପତ୍ନୀର ମନୋରଞ୍ଜନ ନିମନ୍ତେ ଉଦ୍ୟମ କରେ ନାହିଁ କି ? ପୁତ୍ର କନ୍ୟା ପ୍ରତି ସ୍ନେହ ପରାୟଣ ହୋଇ ସେମାନଙ୍କର ଶୁଭାଶୁଭ ପାଇଁ ପିତା ଉଦ୍‌ବିଘ୍ନ ହୁଏ ନାହିଁ କି ? ପରିବାରବର୍ଗଙ୍କ ଭରଣ ପୋଷଣ ପାଇଁ ସଂସାରୀ ମନୁଷ୍ୟ କର୍ମ ପ୍ରଚେଷ୍ଟା କରି ନଥାଏ କି ? ପତ୍ନୀକୁ କେନ୍ଦ୍ରକରି ପତିର କାମବଶର ଆବର୍ତ୍ତନ ଓ ପୁତ୍ରକନ୍ୟାକୁ କେନ୍ଦ୍ରକରି ମାୟା, ମମତା ଓ ସ୍ନେହର ଆବର୍ତ୍ତନ, ଏହିସବୁ ଦେଖି ମୋର ଅନୁମାନ ଏହି ଯେ ପରିବାର ବର୍ଗର ସାମାନ୍ୟତମ ଅଶୁଭ ଅବସ୍ଥା ହେଲେ ପିତା ପକ୍ଷରେ ଜୀବନ ଧାରଣ ଦୁର୍ବିସହ । ପୁନଶ୍ଚ ମୋର ଅନୁମାନ ଏକ ଦୁରନ୍ତ ଅପ୍ରତିହତ ଆବେଗର ତାଡ଼ନାରେ ଅହରହ ସଂସାରୀ ମନୁଷ୍ୟ ଜର୍ଜରିତ । ଅତଏବ ମୋ ପ୍ରଶ୍ନ ଏହି ଯେ ନରଦେହୀର ସଂସାରରେ ରହି ନିର୍ବିକାର ସଂସାର ଯାତ୍ରା କିପରି ସମ୍ଭବ ?

 

ପିତାମହ କହିଲେ, ଧର୍ମରାଜ ତୁମ୍ଭର ସନ୍ଦେହ ଅମୂଳକ ନୁହେଁ । ଭୋଗ ବିଳାସର ସୁପ୍ରଚୁର ଉପକରଣ ଭୋଗର ଅନ୍ତରାୟ ନହେଲେ ମନୁଷ୍ୟ ନିଜକୁ ସଂଯତ ରଖିପାରେ ନାହିଁ । ଲୋଭନୀୟ ଖାଦ୍ୟ ବସ୍ତୁ ସମ୍ମୁଖରେ ଦେଖି ମନୁଷ୍ୟ ଲୁବ୍‌ଧ ହେବା ସ୍ୱାଭାବିକ । ତଥାପି ଏହି ଇହଜଗତରେ, ଅସମ୍ଭବ ବୋଲି କିଛି ନାହିଁ । ଏକ ସମୟରେ ଯାହା ଅସମ୍ଭବ, ଅନ୍ୟ ସମୟରେ ସେହି ଅସମ୍ଭବ ମଧ୍ୟ ସମ୍ଭବ ହୋଇଥାଏ ।

 

ଯୁଧିଷ୍ଠିର ପ୍ରଶ୍ନ କଲେ, ପିତାମହ ! ଏପରି କେଉଁ ମନୁଷ୍ୟକୁ ଆପଣ ଜାଣି ଅଛନ୍ତି କି ?

 

ପିତାମହ କହିଲେ, ସେହିପରି ଜଣେ ମହାପୁରୁଷଙ୍କୁ ମୁଁ ଜାଣିଅଛି, ଯାହାର କହାଣୀ ଶୁଣିଲେ ତୁମ୍ଭେ ସନ୍ଦେହ ମୁକ୍ତ ହେବ । ଅତଃପର ପିତାମହ କାହାଣୀ ପ୍ରସଙ୍ଗ ଅବତାରଣା କରି କହିଲେ, ଏକ ସମୟରେ ସଂସାରୀ ଦେବଳ ଋଷି ସଂସାର ଆଶ୍ରମରେ ସ୍ତ୍ରୀ, ପୁତ୍ର, କନ୍ୟା ସହ ବାସ କରୁ‌ଥିଲେ । ମହର୍ଷି ଅସାମାନ୍ୟ ଜ୍ଞାନୀ ଥିଲେ । ମହର୍ଷିଙ୍କୁ ବ୍ରହ୍ମର୍ଷି କହିଲେ, ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଋଷିଙ୍କର ଏକମାତ୍ର କନ୍ୟା ‘ସୁବର୍ଚଳା’ ଦେହ ସୌଷ୍ଠବ ଓ ସୌନ୍ଦର୍ଯ୍ୟରେ ଦେବୀ ପ୍ରତିମା ତୁଲ୍ୟ ଥିଲେ । ସେହି କନ୍ୟା ଅଧିକାଂଶ କାଳ ପିତୃ ସାନ୍ନିଧ୍ୟରେ ରହି ନାନାବିଧ ଜ୍ଞାନଗର୍ଭ ଆଲୋଚନାମାନ ଶୁଣୁଥିଲେ । ବୁଦ୍ଧିମତୀ କନ୍ୟାଟିର ଜ୍ଞାନ ପିପାସାର ଅନ୍ତ ନଥିଲା ।

 

କ୍ରମଶଃ କନ୍ୟା ସୁବର୍ଚଳା ବିବାହଯୋଗ୍ୟା ହୋଇ ଉଠିଲେ । ‘ଦେବଳ’ ଉପଯୁକ୍ତ ପାତ୍ର ସନ୍ଧାନରେ ଅଧୀର ହେଲେ । ଋଷିବର ସ୍ଥିର କରିଥିଲେ ଯେ ରୂପ, ଗୁଣ ଓ ବୁଦ୍ଧିମତ୍ତାରେ ଯୋଗ୍ୟ ପାତ୍ର ହସ୍ତରେ ହିଁ କନ୍ୟା ସମର୍ପଣ କରିବେ, ନଚେତ୍‌ କନ୍ୟାଟିର ଯଥାଯୋଗ୍ୟ ମର୍ଯ୍ୟାଦା ରକ୍ଷା ହେବ ନାହିଁ । ଏହିପରି ଚିନ୍ତାକରି ଋଷି ‘ଦେବଳ’ ଯେପରି ନିଜକୁ ନିରୂପାୟ ବୋଧ କଲେ । ପିତାଙ୍କର ମାନସିକ ଚାଞ୍ଚଲ୍ୟ ଓ ଚିତ୍ତ ଅସ୍ଥିରତା କନ୍ୟାର ଦୃଷ୍ଟିଗୋଚର ହେଲା ଓ ସେ ଏହାର କାରଣ ମଧ୍ୟ ଜାଣିପାରି ଥିଲେ ।

 

ଏହା ଜାଣିପାରି ଏକଦା ସୁବର୍ଚଳା ପିତାଙ୍କୁ ଏକାନ୍ତରେ କହିଲେ, ମୋତେ ପାତ୍ରସ୍ଥ କରିବା ନିମନ୍ତେ ଆପଣ ବ୍ୟାକୁଳ । କିନ୍ତୁ ଏହି ବିଷୟରେ ମୋର କିଛି କହିବାର ଅଛି । ଅବଶ୍ୟ ଲୋକାଚାର ମତରେ କନ୍ୟା ବିବାହ ପ୍ରସଙ୍ଗରେ ପାତ୍ର ନିର୍ବାଚନ ଓ କନ୍ୟା ସମ୍ପ୍ରଦାନ ପିତାର ଦାୟିତ୍ୱ; ଏବଂ କନ୍ୟା ନିର୍ବିଚାରରେ ପିତୃ ଆଜ୍ଞା ପାଳନ କରିଥାଏ, କିନ୍ତୁ ଏ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଅଛି ।

 

ଏହା ଶୁଣି ପିତା ବିସ୍ମିତ ହେଲେ ଓ ସସ୍ନେହରେ କନ୍ୟାକୁ ପଚାରିଲେ, ତୁମର ଏ କ୍ଷେତ୍ରରେ କଣ କହିବାର ଅଛି ?

 

ସୁବର୍ଚଳା କହିଲେ–ପିତଃ, ମୋ ଭର୍ତ୍ତା ସମ୍ବନ୍ଧରେ ମୁଁ ମୋ ମନ ମଧ୍ୟରେ ଏକ ସର୍ତ୍ତ ରଖିଛି । ଯେଉଁ ବ୍ୟକ୍ତି ମୋ ସର୍ତ୍ତର ଅନୁକୂଳ ହେବ ସେହି ଭର୍ତ୍ତା ହସ୍ତରେ ଆପଣ ମୋତେ ସମ୍ପ୍ରଦାନ କରିବେ ଏବଂ ସେ ହିଁ ମୋର ଭରଣ ପୋଷଣର ଅଧିକାର ଅର୍ଜନ କରିବ ।

 

ଋଷି ଦେବଳ–ସେ ସର୍ତ୍ତ କ’ଣ ?

 

ସୁବର୍ଚଳା–ଯେଉଁ ବ୍ୟକ୍ତି ମୋର ପତି ହେବେ ସେ ଏକ ସଙ୍ଗେ ଚକ୍ଷୁହୀନ ‘ଅନ୍ଧ’ ଓ ଚକ୍ଷୁସ୍ମାନ ‘ଅନନ୍ଧ’ ହେବ ।

 

ଅତ୍ୟନ୍ତ ବିସ୍ମୟରେ ଋଷି ବ୍ୟତିବ୍ୟସ୍ତ ହୋଇ ଉଠିଲେ । ସେ ଚିନ୍ତା କଲେ, ଏକ ଦେହରେ ଏପରି ବିପରୀତ ଅବସ୍ଥାନ କିପରି ସମ୍ଭବ ? ଏହା ସୁର୍ବଚଳାର ଏକ ପ୍ରଳାପ ମାତ୍ର ।

 

ବିସ୍ମୟ ଅବସାନ ଘଟାଇ ଦେବଳ କହିଲେ, ତୁମେ ଯାହା କହୁଅଛ, ଭାବିଚିନ୍ତି କହୁଛ ତ-?

 

ସୁବର୍ଚଳା–ମୋରି ଉକ୍ତିରେ କୌଣସି ବାଚାଳତା ନାହିଁ ।

 

ଋଷି ଦେବଳ–ଏକ ଶରୀରରେ ଚକ୍ଷୁହୀନ ଓ ଚକ୍ଷୁସ୍ମାନ କିପରି ସମ୍ଭବ ?

 

ସୁର୍ବଚଳା–ଏହା ସମ୍ଭବ । ଆପଣ ମନ ମଧ୍ୟରେ ଯେଉଁସବୁ ପାତ୍ରଙ୍କୁ ମନୋନୀତ କରିଛନ୍ତି, ସେମାନଙ୍କୁ ଆମନ୍ତ୍ରଣ କରନ୍ତୁ । ମୋତେ ମଧ୍ୟ ମୋର ମନୋନୀତ ପତି ନିର୍ବାଚନ କରିବାର ସୁଯୋଗ ଦିଅନ୍ତୁ ।

 

ଅତଃପର ନିରୂପାୟ ଋଷି ଦେବଳ କନ୍ୟା କଥାରେ ସମ୍ମତି ଜ୍ଞାପନ କରି ଏକ ଶୁଭ ଦିନରେ ସମର୍ଯ୍ୟାଦା ସମ୍ପନ୍ନ, ଋଷିଗଣଙ୍କ ସହିତ ନିର୍ବାଚିତ ବ୍ରାହ୍ମଣ କୁମାର ଗଣଙ୍କୁ ଆମନ୍ତ୍ରଣ ଜଣାଇଲେ । ଯଥା ସମୟରେ ସେମାନେ ଋଷି ଦେବଳଙ୍କ ଗୃହରେ ଉପନୀତ ହେଲେ । ଇତି ପୂର୍ବରେ ସୁବର୍ଚଳାଙ୍କର ରୂପଗୁଣର ସମ୍ବାଦ ଋଷିଗଣଙ୍କର କର୍ଣ୍ଣ ଗୋଚର ହୋଇଥିଲା । ଅତଏବ ସ୍ୱୟମ୍ବର ସଭାରେ ସ୍ୱତୀସ୍ପର୍ଦ୍ଧା ନେଇ ଆସିବା ନିମନ୍ତେ କୁଣ୍ଠାବୋଧ କରି ନଥିଲେ ।

 

ସଭାରେ ସମାଗତ ଋଷିଗଣ ଓ ବ୍ରାହ୍ମଣ ଯୁବକମାନଙ୍କୁ ସାଦର ଅଭ୍ୟର୍ଥନା ଜଣାଇ ଋଷିକନ୍ୟାଙ୍କୁ କହିଲେ, ତୁମ୍ଭେ ପତି ନିମନ୍ତେ ମନରେ ଏହି ଯୁବକମାନଙ୍କ ମଧ୍ୟରୁ ଯାହାକୁ ଯୋଗ୍ୟ ପତି ରୂପେ ନିର୍ବାଚନ କରିବ, ସେହି ଯୁବକଙ୍କ ହସ୍ତରେ ମୁଁ ତୁମକୁ ସମ୍ପ୍ରଦାନ କରିବି ।

 

ଅତଃପର ସୁବର୍ଚଳା ପ୍ରଣାମ ପୂର୍ବକ ଦ୍ୱିଧାହୀନ କଣ୍ଠରେ ସର୍ତ୍ତ ଆରୋପ କରି କହିଲେ :

 

‘‘ଯଦ୍ୟସ୍ତି ସମିତୌ ବିପ୍ରୋ ହନ୍ଧୋଂ ନନ୍ଧ ସମେବରଃ’’

 

ଅର୍ଥାତ୍ ଏହି ସମବେତ ବ୍ରାହ୍ମଣ କୁମାରଗଣଙ୍କ ମଧ୍ୟରୁ ଯେଉଁ ବ୍ରାହ୍ମଣକୁମାର ଯୁଗପତ୍ ଅନ୍ଧ ଓ ଅନନ୍ଧ ସେ ହିଁ ମୋର ପତି ହେବ ।

 

ସମବେତ ବ୍ରାହ୍ମଣ କୁମାରଗଣ ନିର୍ବାକରେ ରହି ପରସ୍ପର ଦୃଷ୍ଟି ବିନିମୟ କରିବାକୁ ଲାଗିଲେ । ଋଷିଗଣ ମଧ୍ୟ କନ୍ୟାଟିର ଔଦ୍ଧତ୍ୟ ଓ ଅର୍ବାଚୀନତାରେ ସ୍ତମ୍ଭିତ ହେଲେ । ସେମାନେ ସମସ୍ତେ ଏକମତ ହେଲେ ଯେ ଶ୍ରଦ୍ଧେୟ ଦେବଳ, କନ୍ୟାଟିକୁ ବିକୃତ ମସ୍ତିଷ୍କା ଜାଣି ମଧ୍ୟ କେଉଁ ଦୁର୍ବଳ ମାନସିକତାର ଶିକାର ହୋଇ ସେମାନଙ୍କୁ ଏଠାକୁ ଆହ୍ୱାନ କରିଥିଲେ । ପାଣି ପ୍ରତ୍ୟାଶୀ କୁମାରଗଣ ହତୋତ୍ସାହ ହୋଇଥିଲେ । ସମସ୍ତଙ୍କ ମନ, ଏହି ବିଷୟରେ ଋଷିଙ୍କ ପ୍ରତି ଧିକ୍କାର ପୂର୍ଣ୍ଣ ହୋଇଥିଲା । ଦୂରନ୍ତ ଅସନ୍ତୋଷ ସହିତ ସେମାନେ ସମସ୍ତେ ସେହି ସ୍ଥାନ ତ୍ୟାଗ କଲେ ।

 

ଏହିପରି ଘଟଣାରେ ଋଷି ଦେବଳ ବିମର୍ଷ ହେଲେ । କନ୍ୟାଟିର ଭବିଷ୍ୟତ ଚିନ୍ତା ଓ ଦୁର୍ଦୈବରେ ଋଷି ମୁହ୍ୟମାନ ହୋଇ ଉଠିଲେ ।

 

କାଳକ୍ରମରେ ପିତାଙ୍କ ବିମର୍ଷତାରେ ବିଚଳିତ ହୋଇ କନ୍ୟା ସୁବର୍ଚଳା କହିଲେ, ପିତଃ ମୋତେ ପତିଗୃହରେ ପତିସାନ୍ନିଧ୍ୟରେ ସୁଖୀ ରହି ଆପଣ ଦେଖିବାକୁ ଚାହାନ୍ତି କି ?

 

ପିତା ଦେବଳ କହିଲେ–ଏହା ଅବଶ୍ୟ ସବୁ ପିତାଙ୍କର କାମ୍ୟ ।

 

ସୁବର୍ଚଳା କହିଲେ–ଅକାରଣ ଦୁଃଶ୍ଚିନ୍ତାରେ ନିଜକୁ କାହିଁକି ବିବ୍ରତ କରୁଛନ୍ତି ? ମୁଁ ଏପର୍ଯ୍ୟନ୍ତ ଆପଣଙ୍କ ସାନ୍ନିଧ୍ୟ ଲାଭକରି ଜ୍ଞାନଚର୍ଚ୍ଚା ଓ ଜ୍ଞାନନୁଶୀଳନ କରିବା ପରେ ମଧ୍ୟ, ମୋତେ ଅର୍ବାଚୀନ ବୋଲି କାହିଁକି ଭାବୁଛନ୍ତି ?

 

ମହର୍ଷି ଦେବଳ–ମୁଁ ଏହା ଭାବୁନାହିଁ । କିନ୍ତୁ ମୁଁ ଜାଣିପାରୁ ନାହିଁ ତୁମ୍ଭର ସର୍ତ୍ତ ପୂରଣ କରି ଏପରି ରହସ୍ୟମୟ ପାତ୍ର କିଏ ହୋଇ ପାରିବ ଓ ସେହି ପାତ୍ର ନିମନ୍ତେ ମୋତେ କେତେ କାଳ ଏପରି ଅପେକ୍ଷା କରିବାକୁ ପଡ଼ିବ ?

 

ଧୀରେ ଧୀରେ କ୍ରମଶଃ ଋଷି, ଦେବଳଙ୍କ ଗୃହ ପରିବେଶରେ ଯଥାରୀତି କ୍ରିୟା କର୍ମ, ଯାଗଯଜ୍ଞ, ଅତିଥିସେବା, ବେଦାଧ୍ୟୟନ, ଜ୍ଞାନନୁଶୀଳନ ପୂର୍ବପରି ନିୟମିତ ହୋଇ ଉଠିଲା । ଋଷି ଦେବଳ ମଧ୍ୟ ଭବିତବ୍ୟ ହସ୍ତରେ ନିଜକୁ ସମର୍ପଣ କରି କନ୍ୟାଦାୟମୁକ୍ତ ହେବା ଦିନ ଅପେକ୍ଷାରେ ରହିଲେ ।

 

ଇତିମଧ୍ୟରେ ସୁବର୍ଚଳାଙ୍କର ପତି ନିର୍ବାଚନ ସର୍ତ୍ତ ଦେଶ ଦେଶାନ୍ତର ବ୍ୟାପୀ ଥିଲା । ଏହା ଏକ ପ୍ରଳାପ ବୋଲି କହି ମୃଦୁ କଟାକ୍ଷ, କେହି ବା ଅନୁକମ୍ପା ପ୍ରଦର୍ଶନ ଓ କେହି କେହି ସମବେଦନା ଜ୍ଞାପନ କରି କହିବାକୁ ଲାଗିଲେ–ଋଷିଙ୍କ କନ୍ୟା କିପରି ବିକୃତା ମସ୍ତିଷ୍କା ହୋଇଗଲେ-?

 

ଏହିପରି କିଛି ସମୟ ଅତିବାହିତ ହେଲାପରେ, ଅଯାଚିତ ଭାବରେ ଏକଦା ସୁଠାମ ସୁଦର୍ଶନ ବ୍ରାହ୍ମଣ ଯୁବକ ଋଷିଙ୍କ ଦ୍ୱାରଦେଶରେ ଉପନୀତ ହେଲେ । ଋଷି ସେହି ବ୍ରାହ୍ମଣ ଯୁବକଙ୍କୁ ଦେଖି ପଚାରିଲେ–ତୁମ୍ଭର ପରିଚୟ କ’ଣ ? କାହିଁକି ବା ମୋ ଗୃହକୁ ଆସିଅଛ ?

 

ଆଗନ୍ତୁକ କହିଲେ–ମହାଭାଗ ! ମୁଁ ଋଷି ଉଦାଳକଙ୍କର ପୁତ୍ର ‘ଶ୍ୱେତକେତୁ’ । ମୁଁ ଆପଣଙ୍କ କନ୍ୟାଟିର ପାଣିଗ୍ରହଣ ପ୍ରାର୍ଥୀ ହିସାବରେ ଏଠାକୁ ଆସିଅଛି ।

 

ପୂର୍ବରୁ ଋଷି ଦେବଳ ଜାଣିଥିଲେ ଯେ ଋଷି ଶ୍ରେଷ୍ଠ ‘ଉଦାଳକ’ ଋଷିକୁଳର ଏକ ଅନ୍ୟତମ ଜ୍ୟୋତିଷ୍କ । ସେ ଭାବିଲେ, ଶ୍ୱେତକେତୁ କଣ ଭବିତବ୍ୟ ନିର୍ଦ୍ଦେଶରେ ଏଠାକୁ ଏପରି ଆସିଛନ୍ତି ?

 

ଋଷି ଦେବଳ ପ୍ରଶ୍ନ କଲେ–ତୁମେ ମୋ କନ୍ୟାର ସର୍ତ୍ତ ବିଷୟରେ ଜ୍ଞାତ ହୋଇଅଛ ତ ? ଋଷିଙ୍କ ପ୍ରଶ୍ନରେ ଶ୍ୱେତକେତୁ ସମ୍ମତ ପ୍ରଦାନ କରିବାରୁ ଋଷିଙ୍କ ସହିତ ସମବେତ ଶିଷ୍ୟ ବର୍ଗ ମଧ୍ୟ ବିସ୍ମିତ ହେଲେ ।

 

ପିତୃ ଆଜ୍ଞାରେ ସୁବର୍ଚଳା ଯଥୋଚିତ ଅତିଥି ସତ୍କାର କରି କୌତୁହଳୀ ଦୃଷ୍ଟିରେ ଶ୍ୱେତକେତୁଙ୍କୁ ଦେଖୁଥିଲେ । ପିତାଙ୍କୁ ଅଧିକ କିଛି କହିବାର ସୁଯୋଗ ନଦେଇ ସେ ଯୁବକଙ୍କ ଉଦ୍ଦେଶ୍ୟରେ କହିଲେ, ଆପଣ ମୋ ସର୍ତ୍ତ କଣ ଶୁଣିଛନ୍ତି ତ ! କୁହନ୍ତୁ ମୋ ସର୍ତ୍ତ କଣ ?

 

ଶ୍ୱେତକେତୁ–ଯେଉଁ ବ୍ୟକ୍ତି ଚକ୍ଷୁହୀନ ଓ ଚକ୍ଷୁସ୍ମାନ ଏକସଙ୍ଗେ ହେବେ ସର୍ତ୍ତାନୁସାରେ ସେ ହିଁ ଆପଣଙ୍କର ପତି ଯୋଗ୍ୟ ।

 

ଶାନ୍ତ କଣ୍ଠରେ ସବର୍ଚଳା କହିଲେ–ଆପଣ କଣ ଯୋଗ୍ୟ ପାତ୍ର ?

 

ଶ୍ୱେତକେତୁ କହିଲେ–ତା ନ ହୋଇଥିଲେ ପାଣିଗ୍ରହଣ ପ୍ରତ୍ୟାଶା ନେଇ ଏଠାକୁ କାହିଁକି ଆସନ୍ତି ?

 

ସୁବର୍ଚଳା କହିଲେ–ଆପଣ ତ ସମସ୍ତଙ୍କୁ ଦେଖୁଛନ୍ତି, ଆପଣ କିପରି ଚକ୍ଷୁହୀନ ଅନ୍ଧ ।

 

ଶ୍ୱେତକେତୁ–ଚକ୍ଷୁସ୍ମାନ ହେଲେ ହେଁ ଯଥାର୍ଥ ମୁଁ ଅନ୍ଧ । ବାହ୍ୟ ଦୃଶ୍ୟାବଳୀ ମୋର ଇନ୍ଦ୍ରିୟ ପଥରେ ପ୍ରତିଭାତ ହେଲେହେଁ, ଆତ୍ମମଗ୍ନ ଅବସ୍ଥାରେ ମୁଁ ପ୍ରକୃତ ଅନ୍ଧ । ଚକ୍ଷୁ ଥିଲେ କଣ ସବୁ ଦେଖାଯାଏ ? ଅନ୍ଧବ୍ୟକ୍ତି ଚକ୍ଷୁହୀନ ହୋଇ ଚକ୍ଷୁସ୍ମାନଙ୍କ ଠାରୁ ଅନେକ କିଛି ବେଶି ଦେଖି ପାରନ୍ତି । ଚକ୍ଷୁ ହିଁ କଣ ଚକ୍ଷୁସ୍ମାନଙ୍କର ପ୍ରକୃତ ସଜ୍ଞା । କେବଳ ଚକ୍ଷୁ ନଥିଲେ କଣ ମନୁଷ୍ୟ ପ୍ରକୃତ ଚକ୍ଷୁହୀନ ? ମୋର ଧାରଣା ଆପଣଙ୍କ ଇଙ୍ଗିତରେ ଅନ୍ୟ ଅର୍ଥ ଅଛି, ଯାହା ଏପର୍ଯ୍ୟନ୍ତ ଉପଲବ୍‍ଧି କରିପାରି ନାହାନ୍ତି ।

 

ଏତେବେଳ ପର୍ଯ୍ୟନ୍ତ ସମବେତ ପ୍ରତିବେଶୀ ଋଷିଗଣଙ୍କ ସହିତ ଋଷିବର ‘ଦେବଳ’ ମଧ୍ୟ ଉଭୟଙ୍କର କଥୋପକଥନ ଶୁଣୁଥିଲେ ।

 

ଅତଃପର ଆତ୍ମମଗ୍ନ ଶ୍ୱେତକେତୁ କହିଲେ–

 

‘‘ଯେନେଦଂ ବୀକ୍ଷତେ ନିତ୍ୟଂ ବୃଣୋତି ସ୍ଫୃଶତେଂମ ବା

ଘ୍ରାୟତେ ବ୍ୟକ୍ତି ସତତଂ ଯେନେଦଂ ରସତେ ପୁନଃ

ନ ଚକ୍ଷୁ ବିର୍ଦତେ ହ୍ୟେତତ୍ ସବୈ ଭୂତାନ୍ଧ ଉଚ୍ୟତେ ।’’

 

ଅର୍ଥାତ୍ ଯାହାଙ୍କର ଶକ୍ତି ବଳରେ ଜୀବାତ୍ମା ଶକ୍ତିବାନ ହୋଇ, ଦୃଶ୍ୟମାନ ଜଗତର ସବୁ କିଛି ଦେଖନ୍ତି, ଗ୍ରହଣ କରନ୍ତି, ସ୍ପର୍ଶ କରନ୍ତି, ଆଘ୍ରାଣ ନିଅନ୍ତି, କଥା କହନ୍ତି, ବସ୍ତୁର ବିଭିନ୍ନ ସ୍ୱାଦ ଗ୍ରହଣ କରନ୍ତି, ତତ୍ତ୍ୱ ମନନ କରନ୍ତି, ବୁଦ୍ଧି ସାହାଯ୍ୟରେ ନିଶ୍ଚୟ କରନ୍ତି, ସେହି ପରମାତ୍ମା ହିଁ ପ୍ରକୃତ ‘ଚକ୍ଷୁ’ । ଯାହାର ଏହି ଚକ୍ଷୁ ନାହିଁ ସେ ଅନ୍ଧ । ଶୁଦ୍ଧ ସତ୍ୟ, ସର୍ବଶକ୍ତିମାନ ପରମାତ୍ମା ସବୁ କିଛି ଦେଖନ୍ତି ଓ ଦେଖୁଛନ୍ତି । ସୁତରାଂ ସେହି ପରମାତ୍ମା ହିଁ ପ୍ରକୃତ ଚକ୍ଷୁସ୍ମାନ । ଲୌକିକ ଚକ୍ଷୁ ଦୃଷ୍ଟି ସହିତ ପରମାତ୍ମାଙ୍କ ଦୃଷ୍ଟି ଏକ ନୁହେଁ । ପରମାତ୍ମାଙ୍କ ଦୃଷ୍ଟିରେ ଦର୍ଶନର ନିରବଚ୍ଛିନ୍ନ ନିଷ୍କଳୁଷ ଆନନ୍ଦ ଥାଏ । ଲୌକିକ ଦୃଷ୍ଟିରେ ମୋହ, ଲୋଭ ଓ ଆସକ୍ତି ଥାଏ । ଜ୍ଞାନୀମାନଙ୍କ ମତରେ ଏହାହିଁ ‘ଅନ୍ଧତ୍ୱ’-। ମୁଁ ସେହି ଅମୃତମୟ ପରମାତ୍ମାଙ୍କ ଇଙ୍ଗିତ ଓ ଦୃଷ୍ଟିରେ ସବୁ କିଛି ଦେଖେ ଓ ନିତ୍ୟ ନୈମିତ୍ତିକ କର୍ମ କରିଥାଏ । ଅତଏବ, ମୋ ନିକଟରେ ପ୍ରିୟ ଓ ଅପ୍ରିୟ ସବୁ ସମାନ । ‘ପ୍ରାକୃତ’ ଜନ ସଦୃଶ ଈର୍ଷା ବା ଦ୍ୱେଷ ମୋତେ ବିଚଳିତ କରିପାରେ ନାହିଁ । ଅତଏବ, ଆପଣଙ୍କର ସର୍ତ୍ତ ଅନୁସାରେ ମୁଁ କଣ ଯୁଗପତ୍ ଅନ୍ଧ ଓ ଅନନ୍ଧ ନୁହେଁ ?

 

ଏକ ଅନାବିଳ ପ୍ରଶାନ୍ତିରେ ସୁବର୍ଚଳାଙ୍କ ମନରେ ଶ୍ୱେତକେତୁଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ଭ୍ରମ ଜାତ ହେଲା । ସେ ନିଃସନ୍ଦେହ ହେଲେ ଯେ ଏହି ଅତିଥି ହିଁ ତାଙ୍କର ଅଭିଳଷିତ ପତି ।

 

ସଂକୋଚରେ ସୁବର୍ଚଳା କହିଲେ–ଆପଣଙ୍କୁ ମୋର ପତି ରୂପେ ମନୋନୀତ କଲେହେଁ ଅବଶିଷ୍ଟ ଲୌକିକ ଅଧିକାର ପାଇଁ ମୋର ପିତାଙ୍କୁ ଅନୁରୋଧ କରନ୍ତୁ ।

 

ଏପର୍ଯ୍ୟନ୍ତ କହିସାରି ଭୀଷ୍ମ କହିଲେ, ଅତଃପର କାଳ ବିଳମ୍ବ ନକରି ପିତା ‘ଦେବଳ’ କନ୍ୟା ସୁବର୍ଚଳାଙ୍କୁ ଶ୍ୱେତକେତୁଙ୍କ ହସ୍ତରେ ସମର୍ପଣ କଲେ । ଋଷି ଉଦାଳକ ମଧ୍ୟ ସେତେବେଳେ ସେଠାରେ ଉପସ୍ଥିତ ଥିଲେ ।

 

ବ୍ରହ୍ମଚର୍ଯ୍ୟାଶ୍ରମରୁ ଗୃହସ୍ଥାଶ୍ରମରେ ପ୍ରବେଶ କରି ‘ସୁବର୍ଚଳା’ ଓ ଶ୍ୱେତକେତୁ’ ଆଜୀବନ ସୁଖ ଉପଭୋଗ କରିଥିଲେ ।

 

ଅତଃପର ଧର୍ମରାଜ ଯୁଧିଷ୍ଠିର ମନରେ ସଂଶୟ ଜାତ ହୋଇ ପ୍ରଶ୍ନ ପରେ ପ୍ରଶ୍ନ ନିର୍ବାକ ପ୍ରଶ୍ନମାନ ମନ ମଧ୍ୟରେ ଜାତ ହେବାକୁ ଲାଗିଲା- ନାରୀର ସହଜାତ ମୋହନୀୟ ଆକର୍ଷଣ, ପୁରୁଷର ଦୁର୍ବାର କାମାସକ୍ତି, ଗ୍ରାସାଚ୍ଛାଦନ ଚିନ୍ତା ମୋଚନ ନିମନ୍ତେ ଉଦ୍ୟୋଗ, ଏହି ସଂସାରକୁ ନିତ୍ୟ ନିରନ୍ତର ନିୟନ୍ତ୍ରଣ କରିଥାଏ । ଏହାକୁ ଅବଜ୍ଞା କରି ସଂସାରରେ ରହିବା କଣ ସମ୍ଭବ ? ରୂପ ସୌନ୍ଦର୍ଯ୍ୟର ଆକର୍ଷଣ କେଉଁ ପୁରୁଷ ଅନୁଭବ କରି ନଥାଏ ? ସେହି ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ସଙ୍ଗମାସାକ୍ତ ହେବା ମଧ୍ୟ ଅସମ୍ଭବ ନୁହେଁ, କିନ୍ତୁ ସେହି ସମୟରେ ତତ୍ତ୍ୱ କଥା ମନ ମଧ୍ୟରେ ଉଦୟ ହେବାର ଅବକାଶ ଥାଏ କି ? ଶ୍ୱେତକେତୁ ଗୃହସ୍ଥାଶ୍ରମରେ ପ୍ରବେଶକରି ପତ୍ନୀ-ଚର୍ଚ୍ଚା ଓ ସଂସାରର ଯାବତୀୟ କର୍ମ କଣ ପାଳନ କରୁ ନଥିଲେ ? ଏହିପରି ସଂଶୟ ଯୁଧିଷ୍ଠିରଙ୍କ ମନ ମଧ୍ୟରେ ଜାତ ହେବାରୁ, ଦୂରଦର୍ଶୀ ପିତାମହ ଯୁଧିଷ୍ଠିରଙ୍କ ମନୋବସ୍ଥା ଜାଣିପାରି ପ୍ରସଙ୍ଗ ଅବତାରଣା କରି କହିଲେ–

 

ଶ୍ୱେତକେତୁ ସଂସାରୀ ଭାବରେ ସ୍ୱାଭାବିକ ଜୀବନ ଯାପନ କରିଥିଲେ । ପତ୍ନୀର ଭରଣପୋଷଣ, ପୁତ୍ରକନ୍ୟାଗଣଙ୍କର ଦାୟିତ୍ୱ, ପିତା, ମାତା ଓ ଅତିଥି ସେବା ଇତ୍ୟାଦି କରଣୀୟ କର୍ତ୍ତବ୍ୟ ଯଥାଯଥ ପାଳନ କରୁଥିଲେ । ପତିଙ୍କର ଯଥାଯଥ ପରିଚର୍ଯ୍ୟାରେ ସୁବର୍ଚଳା ମଧ୍ୟ ସଜାଗ ଥିଲେ ।

 

ଏକଦା ଗୃହକର୍ମ ସମ୍ପାଦନା କରି ସୁବର୍ଚଳା ଅବକାଶ ଦେଖି ପତିଙ୍କୁ ଏକାନ୍ତରେ ପ୍ରଶ୍ନ କଲେ–ଦ୍ୱିଜଶ୍ରେଷ୍ଠ, ସତ୍ୟ କୁହନ୍ତୁ, ଆପଣ କିଏ ? ଶ୍ୱେତକେତୁ କହିଲେ–ମୁଁ କିଏ ! ଏବେ ମଧ୍ୟ ତୁମ୍ଭେ ଅଜ୍ଞାତ ଅଛକି ? ତୁମେ ମୋତେ ଦ୍ୱିଜଶ୍ରେଷ୍ଠ ସମ୍ୱୋଧନ କରି ସାରିବା ପରେ ମଧ୍ୟ ଅଧିକ କିଛି ଜାଣିବାର ପ୍ରୟୋଜନ ଅଛି କି ?

 

ସୁବର୍ଚଳା କହିଲେ–ମୋର ଜିଜ୍ଞାସ୍ୟ ବସ୍ତୁ ଆପଣଙ୍କ ହୃଦୟ ଗହ୍ୱରରେ ଯେ ନିତ୍ୟ ବିରାଜମାନ ଓ ଆପଣ ଯାହାର ପ୍ରତିରୂପ, ତାର ପରିଚୟ କଣ ?

 

ଶ୍ୱେତକେତୁ କହିଲେ–ଅପୂର୍ବ ଓ ଅଦୃଷ୍ଟ ଆତ୍ମା ହିଁ ମୋ ଅନ୍ତରରେ ନିତ୍ୟ ବିରାଜମାନ । ଆତ୍ମା ନାମଗୋତ୍ରହୀନ ଓ ଏହାର ସତ୍ତା ଓ ବୈଶିଷ୍ଟ୍ୟ ଅନିର୍ବଚନୀୟ । ନିର୍ବିଶେଷ ସେହି ସତ୍ତାକୁ ନାମ ଗୋତ୍ର ମାଧ୍ୟମରେ ଦେଖିବାକୁ ହେଲେ, ସେହି ଅନନ୍ତ ଅସୀମ ସତ୍ତାକୁ ଶରୀର ବନ୍ଧନରେ ଆବଦ୍ଧ ହେବାକୁ ହେବ । ପରମାତ୍ମା ଅଂଶରୂପୀ ଜୀବାତ୍ମା ‘ମୁଁ ବା ‘ଅହଂ’ ଜୀବରୂପରେ ଏହି ଶରୀରଧାରୀ ‘ଶ୍ୱେତକେତୁ’ । ‘ଅହଂ’ ବିଶ୍ୱ ମଧ୍ୟରେ ବିଭିନ୍ନ ରୂପରେ ବିରାଜିତ । ଯଦି ମୁଁ କହେ ‘‘ମୁଁ ଉଦାଳକ ପୁତ୍ର ଶ୍ୱେତକେତୁ’’, ତାହେଲେ ମୋର ପରିଚୟ ସମ୍ପୂର୍ଣ୍ଣ ହେବ କି ? ଆତ୍ମ ପରିଚୟର ଏହି ଅଭିବ୍ୟକ୍ତି ଅହଂକାରର ନାମାନ୍ତର ନୁହେଁ କି ? ଏହି ଅହଙ୍କାର ଅନୁଭୂତି ସାପେକ୍ଷ ପରମାତ୍ମାଙ୍କ ଅଖଣ୍ଡ ବିଶ୍ୱସତ୍ତାଠାରୁ ବିଚ୍ୟୁତ ଘଟାଇ ଜୀବକୁ ସଂକୀର୍ଣ୍ଣ କରି ଦିଏ ନାହିଁ କି ? ମୁଁ ନିଜକୁ ଅଖଣ୍ଡ ବିଶ୍ୱସତ୍ତା ପରମାତ୍ମାଙ୍କ ରୂପରେ ଜାଣିଛି ।

 

ସୁବର୍ଚଳା କହିଲେ–ଯଦି ଆପଣ ନିଜକୁ ସେହି ନିର୍ବିକାର ଅଖଣ୍ଡ ପରମାତ୍ମା ରୂପରେ ଜାଣନ୍ତି, ତାହାଲେ କେଉଁ ଭାବରେ ସଂସାର ରାଜନୀତି ପାଳନ କରି, ଦ୍ୱାର ପରିଗ୍ରହ, ସନ୍ତାନ ଉତ୍ପାଦନ, ଭରଣପୋଷଣ ଇତ୍ୟାଦି କର୍ମ କିପରି କରୁଛନ୍ତି ?

 

ଶ୍ୱେତକେତୁ–ଅଙ୍ଗ, ପ୍ରତ୍ୟଙ୍ଗାଦି ଦେହଯୁକ୍ତ ଜୀବତ୍ମା, କର୍ମ ନକରି ରହିପାରେ କି ? କର୍ମ ହିଁ ଜୀବାତ୍ମାର ଅସ୍ତିତ୍ୱକୁ ଧାରଣ କରି ରଖିଥାଏ । କର୍ମ ମଧ୍ୟରେ ହିଁ ‘ଆନନ୍ଦ’, ପ୍ରଭାବ ଥାଏ । ସେହି ଆନନ୍ଦରେ ପରମାତ୍ମା ‘ଆନନ୍ଦଦାନ’ ଓ ଆନନ୍ଦ ରସରେ ପରମାତ୍ମା । ‘ରସମୟ’ । ବହୁ ମଧ୍ୟରେ ନିଜକୁ ବିଲୀନ କରି ଆତ୍ମାସ୍ୱରୂପ ଉପଲବ୍‍ଧି କରିବା ଏକ ଅଦ୍ୱିତୀୟ ଆନନ୍ଦ । କର୍ମ ମାଧ୍ୟମରେ ହିଁ ଏହି ଅଦ୍ୱିତୀୟ ସହିତ ସାଯୁଜ୍ୟ ସମ୍ଭବ ? ଯଦି ଅଜ୍ଞାନ ବାଶତଃ ଜୀବାତ୍ମା ନିଜକୁ କର୍ମକର୍ତ୍ତା ଭାବି କର୍ମ ପ୍ରବୃତ୍ତ ହୁଏ, ତାହେଲେ ଅବିବେଚକ ସଦୃଶ ପ୍ରବୃତ୍ତି ନିକଟରେ ଦାସତ୍ୱ ବନ୍ଧନରେ ଆବଦ୍ଧ ହୋଇଥାଏ । କିନ୍ତୁ ବିବେକବାନ ବ୍ୟକ୍ତି ‘ପୁରୁଷ-ସ୍ୱରୂପ’ ମଧ୍ୟରେ ଆତ୍ମମଗ୍ନ ରହି କର୍ମରେ ପ୍ରବୃତ୍ତ ହୋଇଥାଏ । ମୁଁ ମହାଜନ ପନ୍ଥା ହିଁ ଅନୁସରଣ କରିଅଛି । ପ୍ରକୃତି ନିୟମ ପାଳନ କଲେ ହିଁ ମୁଁ ଏକ ସ୍ୱତନ୍ତ୍ର ପୁରୁଷ, କାରଣ ମୁଁ ମୋହମୁକ୍ତ, ଈର୍ଷାଶୂନ୍ୟ ଓ ଆସକ୍ତିଶୂନ୍ୟ । ସମସ୍ତଙ୍କ ମଧ୍ୟରେ ରହି ମଧ୍ୟ ମୁଁ ‘ଏକକ’ । ‘ଏକକ’ ହୋଇ ମଧ୍ୟ ମୁଁ ସମସ୍ତଙ୍କ ମଧ୍ୟରେ ରହି କର୍ମ କରିଥାଏ । ତୁମେ ଏହିପରି କର୍ମ କଲେ ଅବଶ୍ୟ ସୁଖୀ ହେବ ।

 

ପୁନଶ୍ଚ ଜୀବ ଶରୀର ଧାରଣ କରି ପରମାତ୍ମା ଜ୍ଞାନରେ ଜ୍ଞାନଯୁକ୍ତ ହେଲେ କର୍ମ ମାର୍ଗରୁ ବିରତ, କେବଳ ଜ୍ଞାନ ମାର୍ଗରେ ନିଜକୁ ଆବଦ୍ଧ ରଖିଥାଏ ଏବଂ କର୍ମରେ ସ୍ୱେଚ୍ଛାଚାରିତା ଆସିଥାଏ-। କିନ୍ତୁ ଜଗତ ସ୍ରଷ୍ଟା ପରମାତ୍ମା ଶ୍ରୀହରିଙ୍କର ଏହା ଅଭୀଷ୍ଟ ନୁହେଁ ।

 

ଯେଉଁ ବ୍ୟକ୍ତିଙ୍କର ଜ୍ଞାନବୋଧ ସଦା ଜାଗ୍ରତ, ‘କର୍ମ’ କେବେହେଁ ସେହି ବ୍ୟକ୍ତିର ‘କାରଣ’ ହୋଇ ନଥାଏ, ବରଂ ମୁକ୍ତିର ସୋପାନ ହୋଇଥାଏ । ମୁଁ କର୍ମଯୋଗୀ ପୁରୁଷ । ମୋର କର୍ମ ସ୍ୱାର୍ଥସିଦ୍ଧି ମାର୍ଗରେ ଉଦ୍ଦିଷ୍ଟ ନୁହେଁ । ଜଗତର ମଙ୍ଗଳ ନିମନ୍ତେ ମୋର କର୍ମ ଉଦ୍ଦିଷ୍ଟ । ତୁମେ ମଧ୍ୟ ଏପରି କର୍ମଯୁକ୍ତ ହୋଇ ଜ୍ଞାନାଗ୍ନି ପ୍ରଜ୍ୱଳିତ କରି ଅହଙ୍କାର ଭସ୍ମୀଭୂତ କର ।

 

ପିତାମହ କହିଲେ–ଶ୍ୱେତକେତୁଙ୍କର ଏହି ଯୁକ୍ତିପୂର୍ଣ୍ଣ ବଚନମାନ ଶୁଣି ନିରୁତ୍ତର ନରହି ସୁବର୍ଚଳା ଉତ୍ତରୋତ୍ତର ପ୍ରଶ୍ନ କରିବାକୁ ଲାଗିଲେ ।

 

ସୁବର୍ଚଳା–‘ଶବ୍ଦ’ କାହାକୁ କୁହାଯାଏ ? ‘ଅର୍ଥ’ କାହାକୁ କୁହାଯାଏ ?

 

ଶ୍ୱେତକେତୁ–ବ୍ୟତ୍ୟୟେନଚ ବର୍ଣ୍ଣାନାଂ ପରିବାଦ କୃତୋହି ଯଃ/ସ ଶବ୍ଦ ଲତି ବିଜ୍ଞେୟସ୍ତନ୍ନିପାତୋ ହର୍ଥ ଉଚ୍ୟତେ । କୌଣସି ବ୍ୟତିକ୍ରମ ନଘଟାଇ କ୍ରମାନୁସାରରେ ବର୍ଣ୍ଣ ଉଚ୍ଚାରଣରେ ହିଁ ଯାହା ପ୍ରକାଶ ଘଟିଥାଏ, ତାହାକୁ ଶବ୍ଦ କୁହାଯାଏ । ଶବ୍ଦ ସାହାଯ୍ୟରେ ଯେଉଁ ଅଭିପ୍ରାୟ ପ୍ରତୀତି ହୁଏ ତାହାକୁ ‘ଅର୍ଥ’ କୁହନ୍ତି ।

 

ସୁବର୍ଚଳା ପ୍ରଶ୍ନ କଲେ–ଯଦି ‘ଶବ୍ଦ’ ନିର୍ଘୋଷିତ ହେଲେ ଅର୍ଥର ପ୍ରତୀତି ହୁଏ ତାହାଲେ ଶବ୍ଦ ଓ ଅର୍ଥ ମଧ୍ୟରେ ଯେ ନିଗୂଢ଼ ସମ୍ବନ୍ଧ ବିଦ୍ୟମାନ, ଆପଣ ଏହା ଅସ୍ୱୀକାର କରନ୍ତି କି ?

 

ଶ୍ୱେତକେତୁ–ଶବ୍ଦ ଓ ଅର୍ଥ ମଧ୍ୟରେ ନିଗୂଢ଼ ସମ୍ବନ୍ଧ ଥିଲେ ମଧ୍ୟ ଏହା ଏକ ନିତ୍ୟ ସମ୍ବନ୍ଧ ନୁହେଁ । ଏହା ଏକ କ୍ଷଣସ୍ଥାୟୀ ସମ୍ବନ୍ଧ । ଯେପରି ପଦ୍ମ ପତ୍ରର ଉପରି ଭାଗରେ ବଳ ଲିପ୍ତ ନରହି ପ୍ରତି ମୁହୂର୍ତ୍ତରେ ବିଚ୍ୟୁତ ହେବା ନିମନ୍ତେ ଟଳୀୟମାନ । ସେପରି ଶବ୍ଦ ସହିତ ଅର୍ଥର ସମ୍ବନ୍ଧ ଅସମ୍ପୃକ୍ତ ଓ ଅନିୟତ ।

 

ସୁବର୍ଚଳା–‘ଅନିୟତ’ କାହିଁକି କହୁଛନ୍ତି ? ଅର୍ଥହୀନ ଶବ୍ଦ କଣ ଥାଇପାରେ ? ଶବ୍ଦର ଅସ୍ତିତ୍ୱ କଣ ସର୍ବଦା ଅର୍ଥ ଉପରେ ନିର୍ଭଳଶୀଳ ନୁହେଁ ?

 

ଶ୍ୱେତକେତୁ–କିଏ କହେ ଅର୍ଥ ବ୍ୟତୀତ ଶବ୍ଦ ଅସ୍ତିତ୍ୱ ଅଛି ? କ୍ରମାନୁସାରେ ନହୋଇ ବିପରୀତ କ୍ରମରେ ଶବ୍ଦ ଉଚ୍ଚାରିତ ହେଲେ, ସେହି ଶବ୍ଦର ଅର୍ଥ ମଧ୍ୟ ଥାଏ । କ୍ରମାନୁସାରେ ବର୍ଣ୍ଣ ‘ସର’ ବଦଳରେ ‘ରସ’ ବା ନଦୀ ବଦଳରେ ‘ଦୀନ’ ଉଚ୍ଚାରଣ କଲେ ଏହାର ଅବଶ୍ୟ ଏକ ଅର୍ଥ ରହିଥାଏ ।

 

ସୁବର୍ଚଳା କହିଲେ–ବିଦ୍ୱାନଗଣଙ୍କ ମତରେ ମଧ୍ୟ ଶବ୍ଦ ସମ୍ପର୍କରେ ହିଁ ଅର୍ଥ ପ୍ରକାଶ ହୁଏ । କିନ୍ତୁ ଆପଣଙ୍କ ମତରେ ଶବ୍ଦ ଓ ଅର୍ଥ ମଧ୍ୟରେ ସମ୍ପର୍କ ଅନିୟମିତ । ଏହିପରି ବକ୍ତବ୍ୟ ‘ଶ୍ରୁତି’ ବିରୁଦ୍ଧ ନୁହେଁ କି ?

 

ଶ୍ୱେତକେତୁ–ମୁଁ କୌଣସି ବିରୁଦ୍ଧ ବାକ୍ୟ କହି ନାହିଁ । ପୃଥିବୀର ଉପରି ଭାଗରେ ନୀଳ ଆକାଶ, ଆକାଶର ନିମ୍ନ ଭାଗରେ ପୃଥିବୀ–ଏହି ଦୁହିଁଙ୍କ ମଧ୍ୟରେ ଯେପରି ସମ୍ବନ୍ଧ ରହିଥାଏ, ସେହିପରି ଶବ୍ଦ ଓ ଅର୍ଥ ମଧ୍ୟରେ ସମ୍ବନ୍ଧ ଥାଏ । କିନ୍ତୁ ଏ ସମ୍ବନ୍ଧ କଣ ନିତ୍ୟ ସମ୍ବନ୍ଧ ?

 

ସୁବର୍ଚଳା–ଯେତେବଳେ କୌଣସି ବିଦ୍ୱାନ ଅହଂ ବା ମୁଁ ଏହି ଶବ୍ଦ ଉଚ୍ଚାରଣ କରନ୍ତି, ସେହି କ୍ଷେତ୍ରରେ ଏହି ଶବ୍ଦର ଲକ୍ଷାର୍ଥ ‘ଆତ୍ମା’ । କିନ୍ତୁ ଶ୍ରୁତି ମତରେ ଅଚିନ୍ତନୀୟ ‘ପରମାତ୍ମା’କୁ କୌଣସି ବାକ୍ୟ ବା ଶବ୍ଦ ପ୍ରକାଶ କରିପାରେ ନାହିଁ, ଯଥା–‘ଯତୋ ବାଚେ ନିର୍ବର୍ତ୍ତନ୍ତେ’’ । ବାକ୍ୟ ପରମାତ୍ମାଙ୍କ ସନ୍ଧାନ ନପାଇ ଫେରିଆସେ । ଅତଏବ ସେହି ଆତ୍ମା ସମ୍ବନ୍ଧରେ ଅହଂ ଶବ୍ଦ ପ୍ରୟୋଗ ମିଥ୍ୟାଚାର ନୁହେଁ କି ?

 

ଶ୍ୱେତକେତୁ ବୁଝିପାରିଲେ ଯେ ‘ସୁବର୍ଚଳା’ ପ୍ରଶ୍ନରେ ଏକ ଜଟିଳତମ ଅଂଶ ଅବତାରଣା କରୁଛନ୍ତି ।

 

ଶ୍ୱେତକେତୁ କହିଲେ–‘ଶ୍ରୁତି’ ବିରୁଦ୍ଧ କୌଣସି ବାକ୍ୟ ମୁଁ ଉଚ୍ଚାରଣ କରୁନାହିଁ । ଶବ୍ଦ ଓ ଭାବ ଏକ ବସ୍ତୁ ନୁହେଁ । ଶବ୍ଦ ଅସୀମ ଓ ଭାବ ଅସୀମ । ଶବ୍ଦ ସଗୁଣ ଓ ଭାବ ନିର୍ଗୁଣ । ଶବ୍ଦ ଅବ୍ୟୟବୀ କିନ୍ତୁ ଭାବ ନିରବୟବ ଓ ନିରାକାର । ଶବ୍ଦ ସୀମା ମଧ୍ୟରେ ସୀମିତ ପ୍ରକାଶ କରିଥାଏ । କିନ୍ତୁ ଭାବ ରାଜ୍ୟରେ ବିରାଜମାନ ବସ୍ତୁକୁ ଭାବହିଁ ସେହି ବସ୍ତୁର ଅର୍ଥ ବହନ କରିଥାଏ । ସେହି କ୍ଷେତ୍ରରେ ଶବ୍ଦ ଏକ ‘ଆଲମ୍ବନ’ ଭୂମିକା ପାଳନ କରେ ।

 

‘‘ଅହଂ ଶବ୍ଦୋ ହ୍ୟହଂଭାବୋ ନାତ୍ମଭାବେ ଶୁଭବ୍ରତୋ

ନ ବର୍ତ୍ତନ୍ତେ ପରେହଚିନ୍ତ୍ୟେ ବାଚଃ ସଗୁଣ ଲକ୍ଷଣାଃ ।’’

 

ଅର୍ଥାତ୍ ଅହଂ ସଗୁଣ ପଦାର୍ଥ ସହିତ କେବଳଯୁକ୍ତ । ଏହି ଶବ୍ଦ କଦାପି ପରଂବ୍ରହ୍ମ, ପରମାତ୍ମାଙ୍କୁ ଲକ୍ଷ୍ୟକରି ନଥାଏ । କିନ୍ତୁ ନିର୍ଗୁଣ ଅହଂ ‘ଭାବ’ ପରମାତ୍ମାଙ୍କୁ ଲକ୍ଷ୍ୟ କରିଥାଏ । ଯେପରି ମୃତ୍ତିକା ବା ମୃତ୍ତିକା ଭାବରୁ ମୃତ୍ତିକା ଘଟ ସୃଷ୍ଟି ହୋଇଥାଏ, ସେହିପରି ପରମାତ୍ମାଙ୍କ ଠାରୁ ଏହି ସଚରାଚର ବିଶ୍ୱସୃଷ୍ଟ । ବିଶ୍ୱର ପ୍ରତ୍ୟେକ ବସ୍ତୁ ମଧ୍ୟରେ ପରମାତ୍ମା ‘ଭାବ’ ବିଦ୍ୟମାନ । ଅଚିନ୍ତନୀୟ ପରମାତ୍ମା ‘ଅହଂ’ ନୁହନ୍ତି । ‘ଅହଂ’ ଭାବ ହିଁ ‘ଆତ୍ମଭାବ’ ଓ ଏହା ‘ଅହଂ’ ଜାଣିବାର ମାଧ୍ୟମ । ଆତ୍ମମଗ୍ନ ‘ଆତ୍ମଭାବ’ ବିଭୋର, ଆତ୍ମ ସମାହିତ ମନୁଷ୍ୟକୁ, ବାହ୍ୟର କୌଣସି ଶବ୍ଦ ଅର୍ଥ ବହନ କରିପାରେ ନାହିଁ । ଆତ୍ମ ସମାହିତ ବ୍ୟକ୍ତି ନିକଟରେ ଯେକୌଣସି ଶବ୍ଦ ନିରର୍ଥକ । ନାମ ଓ ବାକ୍ୟର ଅତୀତ ‘ପରମାତ୍ମା’ଙ୍କ ଉଦ୍ଦେଶ୍ୟରେ ‘ଅହଂ’ ଶବ୍ଦ ପ୍ରୟୋଗ ଏକ ଭ୍ରାନ୍ତି ବ୍ୟତୀତ ଅନ୍ୟ କିଛି ନୁହେଁ । ‘ମୁଁ ଶ୍ୱେତକେତୁ’, ‘ତୁମେ ସୁବର୍ଚଳା’, ‘‘ଏହିମାନେ ମୋର ପିତାମାତା’’ ବା ‘ମୋର ପୁତ୍ର’, ଏହିସବୁ ବାକ୍ୟମାନ ‘ପରମାତ୍ମା’ଙ୍କ ‘ଉପାଧି’ ମାତ୍ର । ପରମାତ୍ମା ସମସ୍ତଙ୍କ ମଧ୍ୟରେ ବିରାଜମାନ ।

 

ଅସୀମ ଅନନ୍ତ ଆକାଶ ବିଭିନ୍ନ ଆଧାର ଓ ପ୍ରତିରୂପରେ ପ୍ରତିଭାତ ହୋଇଥାଏ । କିନ୍ତୁ ଆଧାରବଦ୍ଧ ‘ଆକାଶ’, ‘ମହାକାଶ’ ନୁହେଁ । ସେହିପରି ଅସୀମ ପରମାତ୍ମାଙ୍କୁ କୌଣସି ଲୌକିକ ଶବ୍ଦ ପ୍ରକାଶ କରିପାରେ ନାହିଁ । ଲୌକିକ ନେତ୍ରରେ ମଧ୍ୟ ଏହା ଦେଖାଯାଏ ନାହିଁ । ଜ୍ଞାନ ଦୃଷ୍ଟି ବ୍ୟତୀତ ପରମାତ୍ମା ଦର୍ଶନ ଅସମ୍ଭବ ।

 

ସୁବର୍ଚଳା ପୁନଶ୍ଚ ପଚାରିଲେ–ଆତ୍ମା ଅବଶ୍ୟ ଜ୍ଞାନ ସ୍ୱରୂପ ଓ ଆତ୍ମାକୁ ଆପଣଙ୍କ ମତରେ ଅସୀମ ସର୍ବବ୍ୟାପୀ ଆକାଶ ସଦୃଶ ଦେଖିପାରିବା ଉଚିତ । କିନ୍ତୁ ଆକାଶ ସର୍ବଦା, ଦୃଶ୍ୟମାନ, କିନ୍ତୁ ଆତ୍ମା ସେହିପରି ଦୃଶ୍ୟପଟରେ କାହିଁକି ପ୍ରତିଭାତ ହୁଅନ୍ତି ନାହିଁ ?

 

ମୃଦୁହାସ୍ୟ କରି ଶ୍ୱେତକେତୁ କହିଲେ–ସୁବର୍ଚଳେ ! ଆକାଶର ଆଦି ଓ ଅନ୍ତଚର୍ମ ଚକ୍ଷୁରେ ଦେଖିବା ସମ୍ଭବ ନୁହେଁ । ଏହାର କୌଣସି ନିର୍ଦ୍ଦିଷ୍ଟ ଆକାର ବା ଅବୟବ ନାହିଁ । ଏହା ଏକ ଶୂନ୍ୟ–ମହାଶୂନ୍ୟ । ଯଦିଚ ପୃଥିବୀର ପାର୍ଥିବ ବସ୍ତୁ ଆକାଶରୁ ସୃଷ୍ଟ ଓ ଆକାଶ ଏହି ଜଗତକୁ ଧାରଣ କରି ରଖିଛି ତଥାପି ଏହି ଆକାଶ ସେହି ଦୃଶ୍ୟମାନ ‘ଆକାଶ’ ନୁହେଁ । ଦୃଶ୍ୟମାନ ଆକାଶର ଅନ୍ତରାଳରେ ‘ମହାକାଶ’ ବା ସତ୍ୟ ସ୍ୱରୂପ ପରମାତ୍ମା ବିଦ୍ୟମାନ । ମନୁଷ୍ୟ ତ୍ୱକ୍ ସାହାଯ୍ୟରେ ଆକାଶ ଜାତ ବାୟୁ, ନାସିକା ସାହାଯ୍ୟରେ ଗନ୍ଧ, ନେତ୍ର ସାହାଯ୍ୟରେ ଜ୍ୟୋତି, ତାରକା, ମେଘ କିରଣ ପ୍ରତ୍ୟକ୍ଷ କରିପାରେ, କିନ୍ତୁ ସେହି ଆକାଶ ଏପରି ପ୍ରତ୍ୟକ୍ଷର ବସ୍ତୁ ନୁହେଁ । ଆତ୍ମା ସହିତ ପ୍ରକୃତି ସଂଯୋଗ ଜାତ ବସ୍ତୁ ହିଁ ପ୍ରତ୍ୟକ୍ଷ କରାଯାଏ, ପରମାତ୍ମା ସ୍ୱରୂପ–

 

‘‘ନ ଚସ୍ତ୍ରୀ, ନ ପୁମାଂଶ୍ଚୈବ ତଥୈବ ନ ନପୁଂସକଃ

କେବଳ ଜ୍ଞାନମାତ୍ରମ୍ ତତ୍ ତସ୍ମିନ୍‍ ସର୍ବଂପ୍ରତିଷ୍ଠିତମ୍ ।’’

 

ଅର୍ଥାତ୍ ପରମାତ୍ମା ନା ସ୍ତ୍ରୀ, ନା ପୁରୁଷ, ନା ନପୁଂସକ । ଏହା ଜ୍ଞାନ ସ୍ୱରୂପ ଓ ‘ବିଶ୍ୱ-ପରମାତ୍ମା’ରେ ହିଁ ପ୍ରତିଷ୍ଠିତ । ବାକ୍ୟ ପରମାତ୍ମାକୁ ପ୍ରକାଶ କରିପାରେ ନାହିଁ । କେବଳ ସୂକ୍ଷ୍ମ ବୁଦ୍ଧି ବଳରେ ହିଁ ପରମାତ୍ମା ଦର୍ଶନ ଲାଭ ସମ୍ଭବ ।

 

ସୁବର୍ଚଳା କହିଲେ–ଭଗବାନ, ତା’ହେଲେ ଶବ୍ଦ କଣ ଅର୍ଥହୀନ ?

 

ଶ୍ୱେତକେତୁ–କୌଣସି ଶବ୍ଦ ନିରର୍ଥକ ନୁହେଁ । ଶବ୍ଦର ବାଚ୍ୟାର୍ଥରେ ଅର୍ଥକୁ ସୀମାବଦ୍ଧ କରି ଲକ୍ଷାର୍ଥକୁ ନ ଦେଖିଲେ ଶବ୍ଦ ନିରର୍ଥକ ହୁଏ । କେବଳ ସୂକ୍ଷ୍ମ ବୁଦ୍ଧି ବଳରେ ହିଁ ଶବ୍ଦକୁ ଲକ୍ଷାର୍ଥର ଅଭିମୁଖୀ କରାଯାଇପାରେ । ଲକ୍ଷାର୍ଥ ପ୍ରାପ୍ତ ହେଲେ ‘ଅହଂ’ ବା ‘ମୁଁ’ ଏହି ନଶ୍ୱର ଦେହ ସର୍ବସ୍ୱ ନହୋଇ ପରମାତ୍ମାରେ ପ୍ରଯୁକ୍ତ ହୋଇ ବ୍ୟାପ୍ତି ଲାଭ କରେ, ସଦା-ଆନନ୍ଦ ଓ ତୃପ୍ତି ଦିଏ, ଜ୍ଞାନମୟ କରେ ଓ ଅଭ୍ୟୁଦୟ ଘଟାଇଥାଏ । ସେହି କ୍ଷେତ୍ରରେ ‘ଅହଂ’ ବା ‘ମୁଁ’ ନିଜ ମଧ୍ୟରେ ‘ବିଶ୍ୱସତ୍ତା’କୁ ଓ ପରମାତ୍ମାଙ୍କୁ ଉପଲବ୍ଧି କରିଥାଏ । ପରମାତ୍ମା ମଧ୍ୟରେ ବ୍ୟଷ୍ଟି ହୋଇ, ବ୍ୟଷ୍ଟି ମଧ୍ୟରେ ଆବଦ୍ଧ ନରହି ସମଷ୍ଟି ହୁଏ । ଏହାହିଁ ହେଉଛି ପରମ ବିଜ୍ଞାନ ।

 

ପିତାମହଙ୍କ ଏପରି ଜ୍ଞାନଗର୍ଭ ସାର ବଚନମାନ ଶୁଣୁ ଶୁଣୁ ଧର୍ମରାଜ ଏପରି ଆତ୍ମମଗ୍ନ ଥିଲେ ଯେ, ପିତାମହ ନିଶ୍ଚୁପ ହୋଇ ରହିବା କଥା ଜାଣିପାରି ନଥିଲେ । ସଂବିତ୍ ପ୍ରାପ୍ତ ହୋଇ ଯୁଧିଷ୍ଠିର କହିଲେ- ମୋର ଏକ ଦିଗ୍‍ଦର୍ଶନ ପ୍ରାପ୍ତ ହେଲା । ସଂସାରରେ ରହି ଓ ଯାବତୀୟ କର୍ମ ବ୍ୟସ୍ତ ରହି ଯେ ନିର୍ବିକାର ଜୀବନ ଯାପନ କରାଯାଇ ପାରେ, ଆପଣଙ୍କଠାରୁ ଏହି ଆଲେଖ୍ୟ ଶ୍ରବଣ କରି ନଥିଲେ, ସମ୍ଭତଃ ମୋର ପ୍ରତ୍ୟୟ ହୁଅନ୍ତା ନାହିଁ ।

Image

 

Unknown

ବଳି–ବାସବ ସମ୍ବାଦ

 

ମହାକାଳ ଅଲକ୍ଷ୍ୟରେ ନିରବଚ୍ଛିନ୍ନ ଗତିରେ ପ୍ରବାହମାନ । କୌଣସି ବୁଦ୍ଧିମାନ ମନୁଷ୍ୟ ବା ବୁଦ୍ଧିମତାର ଦେବତା ଏହି ଦୁର୍ଦମ କାଳ ପ୍ରବାହର ଉତ୍ସ ଓ ଅନ୍ତ ଜାଣିପାରି ନଥାନ୍ତି । ପ୍ରସଙ୍ଗାନ୍ତରରେ ଏକଦା ପିତାମହ ଭୀଷ୍ମ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି କଥା କହିଥିଲେ । କାଳ ପ୍ରବାହର ବିଶେଷତ୍ୱ ବିଷୟରେ ସମ୍ୟକ ଜ୍ଞାନ ଯୁଧିଷ୍ଠିରଙ୍କୁ ଦେବା ଉଦ୍ଦେଶ୍ୟରେ କହିଲେ–

 

ଧର୍ମରାଜ, ଦୁର୍ଦମ ବୀର ମଧ୍ୟ କାଳ ନିକଟରେ ପରାଜୟ ସ୍ୱୀକାର କରିବାକୁ ବାଧ୍ୟ । ଦୁର୍ନିରୀକ୍ଷ ଏହି ମହାବେଗବାନ ‘କାଳଚକ୍ର’ ନିରନ୍ତର ଆବର୍ତ୍ତନ ପଥରେ ସୃଷ୍ଟି ପାଳନ ଓ ସଂହାର କରି ବିଶ୍ୱବ୍ରହ୍ମାଣ୍ଡର ଭାଗ୍ୟଚକ୍ର ନିୟନ୍ତ୍ରଣ କରୁଅଛି । ସେହି ଚକ୍ର ଆଧିପତ୍ୟ ବିସ୍ତାର କରି ପୁରୁଷାର୍ଥକୁ ମଧ୍ୟ ଅବଦମିତ କରି ରଖିଅଛି । ‘କାଳ’କୁ ଅତିକ୍ରମ ଓ ଅବଜ୍ଞା କରିବା ସାଧ୍ୟ ଓ ସାମର୍ଥ୍ୟ କାହାର ନାହିଁ । ଅଜ୍ଞାତ ସେହି ରହସ୍ୟର ଫଳଶ୍ରୁତିକୁ ଯେଉଁ ଜୀବ ନିର୍ଦ୍ୱିଧାରେ ଗ୍ରହଣ କରିପାରେ ସେ ହିଁ ପ୍ରକୃତ ଜ୍ଞାନୀ । ସେ ହିଁ ଘାତ ପ୍ରତିଘାତ ମୟ ଜୀବନରେ ନିଜ ସତ୍ତାର ଉତ୍ତରଣ ସେ ଦେଖିପାରି ଅଭ୍ୟୁଦୟ ଲାଭ କରେ ।

 

ବିନଷ୍ଟ ସୁଖ, ବିନଷ୍ଟ ଧନ ସମ୍ପଦ, ଆତ୍ମୀୟ ପରିବୃତ ମାୟାମୟ ସଂସାର ଓ ବିନଷ୍ଟ ରାଜ୍ୟ ପାଟରେ ଶୋକ କାତର ମନୁଷ୍ୟର କଲ୍ୟାଣ ମାର୍ଗର ନିର୍ଦ୍ଦେଶମାନ ପିତାମହ ଭୀଷ୍ମ ଉପରୋକ୍ତ ଉପଦେଶ ଆକରରେ ଧର୍ମରାଜଙ୍କୁ ଶୁଣାଇ ଥିଲେ । ଏହି ପ୍ରସଙ୍ଗରେ ସେ ଦେବରାଜ ଇନ୍ଦ୍ର ଓ ଅସୁରରାଜ ‘ବଳି’ର ପ୍ରସଙ୍ଗ ଅବତାରଣା କରିଥିଲେ ।

 

ପ୍ରବଳ ପରାକ୍ରାନ୍ତ ଅସୁରରାଜ ବିରୋଚନ ପୁତ୍ର ‘ବଳି’, ଶୌର୍ଯ୍ୟ, ବୀର୍ଯ୍ୟ, ଓଜସ୍ୱୀତା ଓ ସଂନିଷ୍ଠ ଧର୍ମାଚରଣ ପ୍ରବାହରେ ଦେବକୁଳ ଆଧିପତ୍ୟ ଖର୍ବକରି ତ୍ରିଭୁବନରେ ଏକଛତ୍ର ଅଧୀପତି ହୋଇଥିଲେ । କମଳାଳୟ ବାସିନୀ ‘କମଳା’ଙ୍କ ଅନୁଗ୍ରହରେ ଅତୁଳ ସମ୍ପଦର ଅଧୀଶ୍ୱର ହୋଇ, ସେ ଦାନ ମଦରେ ମତ୍ତ ହୋଇ ଉଠିଥିଲେ । ‘ବଳି’ଙ୍କର ପ୍ରତାପରେ ଦେବଗଣ ଓ ଦିଗପାଳଙ୍କ ସହିତ ଦେବରାଜ ‘ଇନ୍ଦ୍ର’ ସ୍ୱର୍ଗଲୋକ ଚ୍ୟୁତ ହୋଇ, ମର୍ଯ୍ୟାଦାସୀନ ହେବା ନିମନ୍ତେ ଆକୁଳତାର ବ୍ୟାକୁଳ ପ୍ରାର୍ଥନାରେ ସ୍ୱୟଂ ବିଷ୍ଣୁ ବାମନବେଶୀ ପ୍ରାର୍ଥୀ ‘ବାମନ’ ବେଶରେ ବଳିର ରାଜସଭାରେ ଆବିର୍ଭୂତ ହୋଇ ତିନିପାଦ ପରିମିତ ସ୍ଥାନ ପ୍ରାର୍ଥନା କରିଥିଲେ । ମହାନଦୀ ବଳିଙ୍କର ସେହି ଦାନରେ ପ୍ରଭାବ ଓ ଆଧିପତ୍ୟ ଖର୍ବ ହୋଇ ନିଃସ୍ୱ ଓ ରିକ୍ତ ହୋଇଥିଲେ । ଦେବରାଜ ଇନ୍ଦ୍ର ଦିଗପାଳଙ୍କ ସହିତ ପୁନଃ ସ୍ୱର୍ଗରାଜ୍ୟରେ ପ୍ରତିଷ୍ଠିତ ହୋଇ ହୃତଶ୍ରୀ ଓ ଲକ୍ଷ୍ମୀଙ୍କୁ ପୁନଃ ପ୍ରାପ୍ତ ହୋଇଥିଲେ ।

 

ଅତଃପର ପିତାମହ ପୁନଶ୍ଚ କହିଲେ–ଏହିପରି ଦୈତ୍ୟ ‘ସତ୍ତା’ ଯଥା ପତ୍ତନ-ଅଭ୍ୟୁଦୟ, ସୁଖ-ଦୁଃଖ-ବିଷାଦରେ କାଳ ପ୍ରବାହ ପ୍ରବାହମାନ ଓ ବୈଚିତ୍ର୍ୟ ମଧ୍ୟରେ ଜୀବନ ପ୍ରବାହକୁ କାଳ ପ୍ରବାହିତ କରିଥାନ୍ତି । ମୂଳସୂତ୍ରର ସମ୍ୟକ ଜ୍ଞାନ ନଥିଲେ ଅକାଳରେ ବୃନ୍ତଚ୍ୟୁତ ପୁଷ୍ପ ସଦୃଶ ଜୀବନ ସୂରହୀନ ଓ ଅର୍ଥହୀନ ହୋଇଥାଏ ।

 

ପୂର୍ବ କାହାଣୀ ପ୍ରସଙ୍ଗ ପୁନଶ୍ଚ ପିତାମହ ଆରମ୍ଭ କଲେ । ସ୍ୱର୍ଗରାଜ୍ୟରେ ପ୍ରତିଷ୍ଠିତ ହୋଇ ଦେବାଧିପତି ଇନ୍ଦ୍ର ଏକଦା ଦିଗପାଳ ପରିବୃତ୍ତ ହୋଇ ଗଜରାଜ ଐରାବତ ପୃଷ୍ଠରେ ମର୍ତ୍ତ୍ୟଲୋକ ପରିଦର୍ଶନରେ ନିର୍ଗତ ହୋଇଥିଲେ । ପରିଭ୍ରମଣ କାଳରେ ଏକ ସମୁଦ୍ର ତଟପ୍ରାନ୍ତବର୍ତ୍ତୀ ଏକ ପର୍ବତ ପଥ ରେଖା ଦେଇ କେତେଗୋଟି ଗୁହ! ଅତିକ୍ରମ କରି ଅବଶେଷରେ ଅନୁଗାମୀ ବୃନ୍ଦ ସହ ଏକ ଗୁହା ମୁଖରେ ଉପନୀତ ହେଲେ । ସେହି ଗୁହାର ଦ୍ୱାରଦେଶରେ, ପ୍ରତିସ୍ପର୍ଦ୍ଧୀ ଦଣ୍ଡାୟମାନ ବିରୋଚନ ପୁତ୍ର ‘ବଳି’ଙ୍କୁ ଆଦିଗନ୍ତ ସମୁଦ୍ରକୁ ନିର୍ନିମେଷ ନେତ୍ରରେ ଅବଲୋକନ କରିବାର ଦେଖି ଦେବରାଜ ଅତୀବ ବିସ୍ମିତ ହେଲେ । କିନ୍ତୁ ବଳିଙ୍କର କୌଣସି ଦିଗ ପ୍ରତି ଭ୍ରୂକ୍ଷେପ ନଥାଇ, ଆତ୍ମ ସମାହିତ ହୋଇ ଗୁହା ମୁଖରେ ଦଣ୍ଡାୟମାନ ହୋଇ ରହିଥିଲେ । ‘ବଳି’ଙ୍କର ଏହି ନିର୍ବିକାର ଚିତ୍ତ ଦେବରାଜଙ୍କୁ ଅଧିକତର ବିସ୍ମିତ କରିଥିଲା । କାରଣ, ବିଶେଷତଃ କୌଣସି ରାଜା ନିଃସ୍ୱ, ରିକ୍ତ ହେଲେ ସ୍ୱାଭାବିକ ନିୟମରେ ତାର ଜୀବନ ଦୁର୍ବିସହ ହୋଇଥାଏ । କିନ୍ତୁ ଏହାର ବ୍ୟତିକ୍ରମ ଦେଖି ଦେବରାଜ ବିସ୍ମିତ ହୋଇଥିଲେ । ହସ୍ତୀ ପୃଷ୍ଠାସୀନ ହୋଇ ଦେବରାଜ କହିଲେ, ‘ତୁମେ ବିରୋଚନ ପୁତ୍ର ବଳି ନୁହେଁ କି’ ?

 

ଅକମ୍ପ କଣ୍ଠରେ ବଳି କହିଲେ–ମୁଁ ଆପଣଙ୍କ ପୂର୍ବ ଶତ୍ରୁ ‘ବଳି’ । ବିସ୍ମିତ ଓ ଆତଙ୍କିତ ହେଲେ କି ?

 

ଦେବରାଜ କହିଲେ–ଏକ ଭିକ୍ଷୁକକୁ ଦେଖି ଦେବରାଜ ଆତଙ୍କିତ ହୁଅନ୍ତି ନାହିଁ । ମୋର ବିସ୍ମୟ ଏହି ଯେ ନିଦାରୁଣ ବିପର୍ଯ୍ୟୟ ପରେ ମଧ୍ୟ ତୁମେ ନିର୍ବିକାର ଚିତ୍ତରେ ଏଠାରେ ଯେପରି କାହା ଅପେକ୍ଷାରେ ଅଛ ।

 

ବଳି କହିଲେ–ଆପଣଙ୍କର ଏହି ଧାରଣା ଅଯୌକ୍ତିକ ନୁହେଁ । ଯେପରି ତାଚ୍ଛଲ୍ୟ ପୂର୍ଣ୍ଣ ହାସ୍ୟରେଖା ଦେବରାଜଙ୍କ ମୁଖମଣ୍ଡଳରେ ଫୁଟି ଉଠିଲା ସେଥିପ୍ରତି ନଜର ନ ଦେଇ ନିରୁଦ୍‍ବିଗ୍ନ ବଳି କହିଲେ- ଅବଚଳିତ ରହି ଅପେକ୍ଷା କରିବା ହିଁ ବୁଦ୍ଧିମାନର ଧର୍ମ ।

 

ଦେବରାଜ କହିଲେ–ଯେଉଁ ରାଜଳକ୍ଷ୍ମୀ ଲାଭ କରି ଏକଦା ଅସୁରରାଜ ତ୍ରିଭୁବନ ବିଜୟୀ ହୋଇଥିଲ, ଆଜି ସେହି ରାଜଲକ୍ଷ୍ମୀ ତୁମକୁ ତ୍ୟାଗ କରିଛନ୍ତି । ଆଜ୍ଞାବହ ପ୍ରଜା, ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ ସମସ୍ତେ ତୁମକୁ ପରିତ୍ୟାଗ କରିଛନ୍ତି । ତୁମେ ଏବେ ହତଶ୍ରୀ, ଦୀନଠାରୁ ହୀନ, କୃପାପାତ୍ର । ଏହି ନିର୍ଜନରେ କିପରି ବିନା ଆକ୍ଷେପରେ ଜୀବିତ ରହିଅଛ ?

 

ବଳି କହିଲେ–ଦେବରାଜ, ମୁଁ ଜୀବିତ ରହିଛି ଓ ରହିବି ମଧ୍ୟ । ଶ୍ରୀହୀନ ହେଲେ ହେଁ, ମୁଁ ବୋଧଶକ୍ତିଶୂନ୍ୟ, ବିବେକହୀନ ହୋଇନାହିଁ । ବିବେକଶୂନ୍ୟ ହୋଇଥିଲେ ବାସବଙ୍କର ଏହି କଟାକ୍ଷ, ବିଦ୍ରୁପର ସମ୍ମୁଚିତ ଉତ୍ତର ମୁଁ ଦେଇଥାନ୍ତି । ଆଶା କରେ ବାସବ ଓ ଦିଗପାଳଗଣଙ୍କର ମୋର ବଳ ବୀର୍ଯ୍ୟ ପରିଚୟ ଅଜ୍ଞାତ ନୁହେଁ । ଦେବାସୁର ସଂଗ୍ରାମରେ ମୋ ପ୍ରବାହରେ ଦିଗପାଳ ଗଣ ସହ ଆତ୍ମରକ୍ଷା ନିମନ୍ତେ ପଳାୟନ କରି ଆପଣ ଆତ୍ମଗୋପନ କରିଥିଲେ । ବୋଧକରି ଏହା ଆପଣ ଏବେ ମଧ୍ୟ ବିସ୍ମୃତ ହୋଇ ନାହାନ୍ତି । ମୋର ସାମର୍ଥ୍ୟ ଏବେ ମଧ୍ୟ ଅତୁଟ ରହିଛି । ଶ୍ରୀହୀନ ହେଲେହେଁ ମୁଁ ଆପଣଙ୍କ ସଦୃଶ ଅର୍ବାଚୀନ ହୋଇନାହିଁ ।

 

ଭ୍ରୂକୁଟି କୁଟିଳ କଣ୍ଠରେ ଦେବରାଜ ପଚାରିଲେ–କେଉଁ ଦିଗରୁ ମୁଁ ଅର୍ବାଚୀନ ?

 

ବଳି କହିଲେ–ସବୁ ଦିଗରୁ ଆପଣ ଅର୍ବାଚୀନ । ଆପଣଙ୍କର ଭାଗ୍ୟ ସୁପ୍ରସନ୍ନ ହେବାରୁ ଆପଣ ତ୍ରିଭୁବନ ପତି ହୋଇ ସ୍ୱର୍ଗ ସିଂହାସନ ପ୍ରାପ୍ତ ହୋଇଛନ୍ତି ସତ, କିନ୍ତୁ ସେହି ଆସନ-ମର୍ଯ୍ୟାଦା ଲାଭ କରି ପରାଭୂତ ବ୍ୟକ୍ତିକୁ ତାଚ୍ଛଲ୍ୟ ପ୍ରଦର୍ଶନ ଓ ଅପମାନ କରିବା ଯେ ଅନୁଚିତ ଓ ଅସଂଗତ ସେହି ବୋଧଶକ୍ତି ଶୂନ୍ୟ ହୋଇଥିବାରୁ ଆପଣଙ୍କୁ ମୁଁ ଅର୍ବାଚୀନ ବ୍ୟତୀତ ଆଉ କଣ ଭାବିପାରେ ? ଯେଉଁ ଲକ୍ଷ୍ମୀ ଲାଭ କରି ଆପଣ ବର୍ତ୍ତମାନ ଧନ, ଜନ ସମୃଦ୍ଧ, ସେହି ଲକ୍ଷ୍ମୀ ଆପଣଙ୍କ ଆଶ୍ରୟରେ ଯେ ଚିରଦିନ ରହିବେ, ଏହା ଆପଣ ଭାବିଛନ୍ତି କି ? ମୋର ଅନୁମାନ ଆପଣ ଏହି ରୂପ ଭାବନା ନେଇ ମୋତେ ଉପହାସ କରିଛନ୍ତି, ସୁତରାଂ ଏହି ଦୃଷ୍ଟିରୁ ଆପଣ ଅର୍ବାଚୀନ । ଆପଣ ଅର୍ବାଚୀନ ନ ହୋଇଥିଲେ ଇତିହାସ ଚେତନା ଶୂନ୍ୟ ହୋଇ ପ୍ରବାହ ଓ ପ୍ରଭୁତ୍ୱ ଚିରସ୍ଥାୟୀ ବୋଲି ଭାବି ନ ଥାନ୍ତେ । ଆପଣ କ’ଣ ଭାବୁଛନ୍ତି ଯେ ଏହି ଭୂମଣ୍ଡଳରେ ଏକମାତ୍ର ଆପଣ ହିଁ ଶତଯଜ୍ଞ କରି ଶତକ୍ରତୁ ହୋଇଛନ୍ତି ଓ ବଳବୀର୍ଯ୍ୟ ଐଶ୍ୱର୍ଯ୍ୟ ସମନ୍ୱିତ ହୋଇ ଏକମାତ୍ର ଆପଣ ହିଁ ରାଜଲକ୍ଷ୍ମୀ ଲାଭ କରିଛନ୍ତି ? ଆପଣ ବିସ୍ମୃତ ହୋଇଛନ୍ତି ଯେ ଏକଦା ଏହି ଭୂମଣ୍ଡଳରେ ରାଜା, ପୃଥୁ, ପୁରୁ, ନମୂଚୀ, ନରକାସୁର, ଅଶ୍ୱଗ୍ରୀବ, ବିରୋଚନ, ସୁହତ୍ର, ହିରଣ୍ୟକଶ୍ୟପୁ ପ୍ରଭୃତି ପ୍ରଭାବଶାଳୀ ନୃପତିବୃନ୍ଦ ରାଜଲକ୍ଷ୍ମୀ ଲାଭ କରି ସ୍ୱର୍ଗଲୋକରେ ଇନ୍ଦ୍ରତ୍ୱ ଭୋଗ କରିଥିଲେ । କିନ୍ତୁ କାଳ ପ୍ରବାହରେ ସେମାନେ ବିଲୀନ ହୋଇଛନ୍ତି । ରାଜଲକ୍ଷ୍ମୀ ମଧ୍ୟ ସେହି ପ୍ରବାହରେ ସେମାନଙ୍କୁ ତ୍ୟାଗ କରି ଅନ୍ୟ ଆଶ୍ରୟରେ ଅଛନ୍ତି । ବାସ୍ତବ ଜଗତରେ ତୃଷାର୍ତ୍ତ ଗାଭୀ ଯେପରି ଜଳାଶ୍ରୟରେ ଜଳପାନ କରି, ସେହି ସ୍ଥାନ ତ୍ୟାଗ କରି ଅନ୍ୟତ୍ର ଗମନ କରିଥାଏ; ସେହିପରି ଲକ୍ଷ୍ମୀ ମଧ୍ୟ ଚଞ୍ଚଳା । ଏହି ନିର୍ମମ ସତ୍ୟକୁ ଉପଲବ୍ଧି ନ କରି ଯେଉଁ ବ୍ୟକ୍ତି ଆପଣଙ୍କ ସଦୃଶ ମଦମତ୍ତ ହୋଇ ଆଷ୍ଫାଳନ କରିଥାଏ, ସେହି ବ୍ୟକ୍ତିକୁ ଅର୍ବାଚୀନ ବ୍ୟତୀତ ଅନ୍ୟ କିଛି କୁହାଯାଇପାରେ କି ?

 

ବଳିରାଜଙ୍କ ବଚନମାନ ଶୁଣି ଦେବରାଜ ଆରକ୍ତ ହୋଇ ଉଠିଲେ । ଗମ୍ଭୀର ନିନାଦରେ ଦେବରାଜ କହିଲେ–ମୋର ଉଦ୍ୟତ ବଜ୍ର ଓ ବରୁଣ ଫାଶ ତୁମ ଅନ୍ତରରେ ତ୍ରାସ ସଞ୍ଚାର କରୁନାହିଁ କି ? ମୋ ଭୟରେ ତ୍ରିଭୁବନ ଭୀତ ଅଥଚ ତୁମେ ହତଶ୍ରୀ ହୋଇ ମଧ୍ୟ ଏପରି ପ୍ରତ୍ୟୁତ୍ତର ଦେବା ସ୍ପର୍ଦ୍ଧା କେଉଁଠାରୁ ଲାଭ କରିଅଛ ? ଜାଣିରଖ ମୁଁ ଇଚ୍ଛା କଲେ ମୁହୂର୍ତ୍ତକ ମଧ୍ୟରେ ତୁମକୁ ବିନାଶ କରିପାରେ ।

 

ଅନୁକମ୍ପା ସ୍ୱରରେ ବଳି କହିଲେ–ଦେବରାଜ, ତ୍ରାସ, ବିନାଶ, ସ୍ପର୍ଦ୍ଧା ପୁନଶ୍ଚ ଅର୍ବାଚୀନ ସଦୃଶ ଆପଣ ଏସବୁ କଣ କହୁଅଛନ୍ତି ? ଆପଣ ଅର୍ବାଚୀନ କାରଣ ପ୍ରଥମତଃ ଆପଣ ବିସ୍ମୃତ ହୋଇଛନ୍ତି ଯେ ସଂଗ୍ରାମରେ ଜୟ, ପରାଜୟ ସଂଗ୍ରାମରତ ଦୁଇପକ୍ଷରେ ଅଜ୍ଞାତ । ଦ୍ୱିତୀୟତଃ ଯେଉଁ ‘ବଳି’ ଏକଦା ଦ୍ୱାଦଶ ଆଦିତ୍ୱ ତେଜ, ଧାରଣ କରି ପ୍ରଜାପାଳନ ଓ ଶାସନ କରୁଥିଲା, ହତଶ୍ରୀ ହେଲେ ମଧ୍ୟ ସେହି ତେଜ ଏବେ ମଧ୍ୟ ସମ୍ପୂର୍ଣ୍ଣ ନିଷ୍ପ୍ରଭ ନୁହେଁ । କିନ୍ତୁ ସମୟ ଅନୁକୂଳ ନ ଥିବାରୁ ମୁଁ ପରାକ୍ରମ ପ୍ରକାଶରେ ପରାଙ୍‍ମୁଖ । ନଚେତ୍ ଏପରି ଔଦ୍ଧତ୍ୟର ସମୁଚିତ ଉତ୍ତର ଆପଣ ସଙ୍ଗେ ସଙ୍ଗେ ପାଇଥାନ୍ତେ । ତୃତୀୟତଃ ଏ ଦେହ ଏକ ଆବରଣ ମାତ୍ର ଏବଂ ଅସ୍ଥାୟୀ । ଯେପରି ସମୁଦ୍ର ଜଳପ୍ରବାହର ଅନ୍ତିମ ଆଶ୍ରୟସ୍ଥଳୀ, ସେହିପରି ମୃତ୍ୟୁ ଦେହଧାରୀ ଅନ୍ତିମ ଆଶ୍ରୟ । ପୁନଶ୍ଚ ମୁଁ ଜାଣିଛି ଯେ ‘‘ହତଂ ହନ୍ତି ହତୋହ୍ୟେବ ମୋ ନର ହ୍ୟନ୍ତି କଞ୍ଚମ୍‍ / ଉଭୌ ତୌ ନବୀଜନୀତୋ ଯଶ୍ଚ ହତଶ୍ଚ ଯଃ’’ । ଅର୍ଥାତ୍ ଯେଉଁ ବ୍ୟକ୍ତି ହତ୍ୟାକରେ ସେ ହତ୍ୟାକାରୀ । ଯେଉଁ ବ୍ୟକ୍ତି ହତ ହୁଏ, ସେ ନିହତ ବ୍ୟକ୍ତି । କିନ୍ତୁ ଏ ଦୁହିଁଙ୍କ ମଧ୍ୟରୁ କେହି ଜାଣି ନଥାନ୍ତି ଯେ ଏକ ମୃତ ଅପର ଏକ ମୃତକୁ ହିଁ ହତ୍ୟା କରିଅଛି । ଯଦି କୌଣସି ବିନାଶୀ ଦେହଧାରୀକୁ ଅନ୍ୟ କେହି ଅକାଳରେ ବିନାଶ କରେ, ଜ୍ଞାନଦ୍ୱାରା ମୁଁ ଜାଣିଛି ଯେ ନିହତ ବ୍ୟକ୍ତିର ଆୟୁ କାଳ ଶେଷ ହୋଇଥିଲା ଓ ଇହଧାମରୁ ମୁକ୍ତି ନିମନ୍ତେ ‘କାଳ’ ଅନ୍ୟ ଏକ ବ୍ୟକ୍ତିକୁ ହତ୍ୟାକାରୀ ଭାବରେ ‘ନିହତ’କୁ ବିନାଶ ନିମନ୍ତେ ପ୍ରେରଣ କରିଥିଲେ । ଆପଣଙ୍କ ନିର୍ଦ୍ଦେଶରେ ଯଦି କୌଣସି ଗୁପ୍ତ ଘାତକ ଶତ୍ରୁକୁ ନିହତ କରେ, ତାହେଲେ ସେହି ଗୁପ୍ତ ଘାତକ କଣ ହତ୍ୟାକାରୀ ହେବା ବା ଇପ୍ସିତ କର୍ମସାଧନ ନିମନ୍ତେ ଆଜ୍ଞାକାରୀର ମାଧ୍ୟମ ହେବ ? ଅତଏବ ପୁରନ୍ଦର ଆପଣଙ୍କର ଏହି ଜାତୀୟ ଆସ୍ଫାଳନ ଅର୍ବାଚୀନତା ଓ ନାବାଳକତ୍ୱର ପ୍ରକାଶ ମାତ୍ର ।

 

ପୁନଶ୍ଚ ବଳି କହିଲେ–କାଳବଶରେ ମୁଁ ହୀନବଳ ହୋଇଅଛି, ଓ ଲକ୍ଷ୍ମୀ ଲାଭ କରି ଆପଣ ବଳବାନ ହୋଇଛନ୍ତି । କାଳ ନିର୍ଦ୍ଦେଶରେ ମୁଁ ମୋର କୃତକର୍ମଫଳ ଭୋଗ କରୁଛି , ଓ ଆପଣ ତ୍ରିଲୋକେଶ୍ୱର ହୋଇ କାଳ ପ୍ରଭାବରେ ଦେବରାଜ ହୋଇଅଛନ୍ତି । କିନ୍ତୁ ସ୍ୱୀୟ ମଙ୍ଗଳ ଓ ଅଭ୍ୟୁଦୟ ନିମନ୍ତେ ଆସ୍ଫାଳନ ବଦଳରେ ନିଜକୁ ସଂକ୍ଷତ କରିବା ଉଚିତ । କାଳଚକ୍ରକୁ ଉପେକ୍ଷା ନ କରି ଆପଣ ନିଜକୁ ଶାନ୍ତ ରଖନ୍ତୁ । ନଚେତ୍ ମୋ ସଦୃଶ କାଳଚକ୍ରରେ ଆପଣଙ୍କୁ ମଧ୍ୟ ସେହି ଦଶା ଭୋଗ କରିବାକୁ ପଡ଼ିବ ଏବଂ କୃତକର୍ମଫଳ ଆପଣଙ୍କୁ ଛିନ୍ନ ଭିନ୍ନ କରିଦେବ ।

 

ବଳିର ନିର୍ଭୀକ ବଚନମାନ ଶୁଣି ବଜ୍ରଧାରୀଙ୍କ ଉଦ୍ୟତ ବଜ୍ର ଯେପରି ସ୍ତିମିତ ହୋଇଗଲା । ଦେବରାଜ ଶାନ୍ତ କଣ୍ଠରେ କହିଲେ, କାଳ-କାଳଚକ୍ର କାଳପ୍ରବାହ ଏସବୁ କଣ ପ୍ରଳାପ ଉକ୍ତି କରୁଅଛ ?

 

ବଳି କହିଲେ–ଦେବରାଜ, ମୋର ଉକ୍ତି ପ୍ରଳାପ ନୁହେଁ. ଏହା ସତ୍ଆଳାପ ଓ ସଂଳାପ । ଯାହା ସତ୍, ସତ୍ୟ, ନିତ୍ୟ ମୁଁ ସେହି କଥାହିଁ କହିଛି । ସତ୍ୟକୁ ଜାଣି ମୁଁ ନିଶ୍ଚିନ୍ତରେ କାଳକ୍ଷେପ କରୁଅଛି । ଯେପରି ଭୂମଣ୍ଡଳରେ ଦୁର୍ନିରୀକ୍ଷ୍ୟ ବାୟୁ ପ୍ରବାହ ଅବିରାମ ପ୍ରବାହମାନ । ସେହିପରି ଏହି ଜୀବଜଗତରେ ଜୀବ-ପ୍ରବାହ କାଳ-ପ୍ରବାହରେ ପ୍ରବାହମାନ । ଏହି କାଳ-ପ୍ରବାହର ପ୍ରବାହମାନତା ଉତ୍‍ଥାନ-ପତ୍ତନ, ଓ ଜନ୍ମ-ମୃତ୍ୟୁ ମଧ୍ୟରେ ଜୀବ-ପ୍ରବାହକୁ ପ୍ରବାହମାନ ରଖିଅଛି । ଏହାହିଁ ପ୍ରବାହ ଓ ଆବର୍ତ୍ତନର ପଥ । ଯେପରି ସୂର୍ଯ୍ୟଙ୍କୁ କେନ୍ଦ୍ରକରି ପୃଥିବୀ ଆବର୍ତ୍ତିତ ହୁଏ ଓ ପୃଥିବୀକୁ କେନ୍ଦ୍ର କରି ସୂର୍ଯ୍ୟଙ୍କ ଆବର୍ତ୍ତନ ଜଣାଯାଇଥାଏ, ସେହିପରି କାଳର ଚକ୍ରାବର୍ତ୍ତନ ପ୍ରାଣକୁ କେନ୍ଦ୍ରକରି ହୋଇଥାଏ । ଏହା ନ ହୋଇଥିଲେ ଦିନ ପରେ ରାତ୍ରି, ରାତ୍ରି ପରେ ଦିନ, ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ, ବିରହ ପରେ ମିଳନ, ମିଳନ ପରେ ବିରହ ଏହି ଜଗତରେ ସମ୍ଭବ ହୁଅନ୍ତା ନାହିଁ । ଆମ୍ଭ ଉଭୟଙ୍କର ଅବସ୍ଥା ପରିବର୍ତ୍ତନ ଏହି କାଳ ଆବର୍ତ୍ତନରେ ଘଟିଅଛି । ତା ନ ହୋଇଥିଲେ ମୁଁ, ଯେକି ଦିନେ ଇନ୍ଦ୍ରାସନ ଲାଭ କରିଥିଲି, ସେହି ମୁଁ ଆଜି ଗୁହାବାସୀ ହୋଇନଥାନ୍ତି-। ଆପଣ ଯେ କି ଦିନେ ଇନ୍ଦ୍ରାସନ ଚ୍ୟୁତ ହୋଇଥିଲେ, ଆଜି ଦେବରାଜ ହୋଇ ନଥାନ୍ତେ । କାଳଚକ୍ରକୁ ଅତିକ୍ରମ କରି ଯିବା ଅସାଧ୍ୟ । ସେ ଚକ୍ରକୁ ସ୍ତବ୍ଧ କରିବା ସାମର୍ଥ୍ୟ କାହାର ନାହିଁ । ଦେବଲୋକବାସୀ ଦେବବୃନ୍ଦଠାରୁ ମର୍ତ୍ତ୍ୟବାସୀ ମନୁଷ୍ୟ ଓ କୀଟ ପତଙ୍ଗ ପର୍ଯ୍ୟନ୍ତ କାଳର ନିୟନ୍ତ୍ରଣାଧୀନ ।

 

ଅତଃପର ଉଦାସ କଣ୍ଠରେ ବଳିରାଜ କହିଲେ, ‘‘କାଳେ ନାହଂ ତ୍ୱାମଜୟଂ କାଳେନାହଂ ଜିତସ୍ତୟା / ଗନ୍ତା ଗତିମତାଂ କାଳଃ କାଳଃ କଳୟତି ପ୍ରଜାଃ ।’’ ଅର୍ଥାତ୍ କାଳ ସାହାଯ୍ୟରେ ମୁଁ ଆପଣଙ୍କୁ ଜୟ କରିଥିଲି, ସେହି କାଳ ସାହାଯ୍ୟରେ ପୁନଶ୍ଚ ଆପଣ ମୋତେ ଜୟ କରିଛନ୍ତି । ଗତିଶୀଳ ପ୍ରାଣ ସହିତ ଏକମାତ୍ର କାଳ ହିଁ ଗତି କରିଥାଏ ଓ ଶକ୍ତି ଯୋଗାଇଥାଏ । ଏହି କାଳ ହିଁ ପ୍ରଜାଗଣ ସଂହାର କରିଥାଏ । ନିରବଧି କାଳ ଅନନ୍ତ, ଏହାର ଆଦି ନାହିଁ କି ଅନ୍ତ ନାହିଁ । ଆୟୁ ସ୍ୱରୂପ ସେହି କାଳକୁ ଜ୍ଞାନୀମାନେ କିପରି ଜାଣନ୍ତି, ତାହା ଶ୍ରବଣ କରନ୍ତୁ–‘‘ମାସ ମାସାର୍ଦ୍ଧ ବେଶ୍ମାନ, ମହୋରାତ୍ରିଭି ସଂବୃତମ୍ / ଋତୁଦ୍ୱାରଂ ବର୍ଷ ମୁଖମାୟୁର୍ବେଦ ବିଦୋ ଜନାଃ ।’’ ଅର୍ଥାତ୍ ନିଃଅବୟବ ସେହି କାଳର ସାକାର ଅବ୍ୟୟବ ରୂପେ ଜ୍ଞାନୀଗଣ କହିଛନ୍ତି ଯେ ମାସ, ପକ୍ଷ ଅବ୍ୟୟବରୂପୀ କାଳର ଶରୀର, ଷଡ଼ଋତୁ ହିଁ ଷଷ୍ଠ ଇନ୍ଦ୍ରିୟ, ବର୍ଷ କାଳର ମୁଖ । କାଳ ଜୀବର ଭାଗ୍ୟ ନିୟନ୍ତା ଓ ଜୀବର ଆୟୁ । ସେହି ‘କାଳ’କୁ ମୁଁ ଜ୍ଞାନ ବଳରେ ଜାଣିପାରିଛି । ଏହି ବିପର୍ଯ୍ୟୟରେ ମଧ୍ୟ ମୋର ଆକ୍ଷେପ ନାହିଁ, ହତାଶା ନାହିଁ, ଈର୍ଷା ଦ୍ୱେଷ ନାହିଁ, ମୁଁ ନିଶ୍ଚିନ୍ତ ଯେ ଏହି କାଳ ମୋତେ ପୁନଶ୍ଚ ଉତ୍ତରଣ ପଥକୁ ନେବ ।

 

ପିତାମହ କହିଲେ–ଏତିକି କହି ବଳି ଉଦାସ ଦୃଷ୍ଟିରେ ପୂର୍ବପରି ଦୂରକୁ, ବହୁଦୂରକୁ ଦୃଷ୍ଟିପାତ କରି ରହିଥିଲେ । ବିସ୍ମିତ ବିହ୍ୱଳ ଦେବରାଜଙ୍କର ମଧ୍ୟ ଏକ ଅପୂର୍ବ ମାନସିକ ପରିବର୍ତ୍ତନ ହୋଇଥିଲା ।

 

ଯୁଧିଷ୍ଠିର ଏହି କଥା ଶୁଣି ପଚାରିଲେ–କି ପରିବର୍ତ୍ତନ ହୋଇଥିଲା, ପିତାମହ ?

 

ପିତାମହ କହିଲେ–ଭଗବାନ ବିଷ୍ଣୁଙ୍କ ସହାୟତାରେ ବଳିଠାରୁ ହୃତ ସ୍ୱର୍ଗ ରାଜ୍ୟ ପୁନଃପ୍ରାପ୍ତ ହେବାପରେ ଇନ୍ଦ୍ରଙ୍କର ବଳି ପ୍ରତି ଏକ ନିଦାରୁଣ କ୍ରୋଧ ଜାତ ହୋଇଥିଲା । ଇନ୍ଦ୍ରପଦରେ ଆସୀନ ହୋଇ ଦେବରାଜ ସ୍ଥିର କରିଥିଲେ ଯେ ଆଧିପତ୍ୟ ରକ୍ଷା କରିବାକୁ ହେଲେ ବଳିର ପ୍ରାଣ ସଂହାର କରି ଶତ୍ରୁ ନିର୍ମୂଳ କରିବା ବିଧେୟ, ନଚେତ୍ ଭବିଷ୍ୟତରେ ଅସୁରକୁଳ ବଳିଙ୍କ ନେତୃତ୍ୱରେ ସଂଘ ବଦ୍ଧ ହୋଇ ପାରନ୍ତି । ସେହି ଉଦ୍ଦେଶ୍ୟ ନେଇ ଇନ୍ଦ୍ର ବଳିଙ୍କ ସନ୍ଧାନରେ ତ୍ରିଭୁବନ ପରିଭ୍ରମଣରେ ନିର୍ଗତ ହୋଇଥିଲେ । କିନ୍ତୁ ବଳିଙ୍କ ସହିତ ସାକ୍ଷାତ ପରେ ଓ ତାଙ୍କଠାରୁ ଉପଦେଶ ଶୁଣିଲା ପରେ ଦେବରାଜ କହିଲେ ‘‘ଅସ୍ମତସ୍ତେ ଭୟଂ ନାସ୍ତି ସମୟଂ ପ୍ରତିପାଳୟ / ସୁଖୀଭବୋ ନିରାବାଧଃ ସ୍ୱସ୍ଥଚେତା ନିରାମୟଃ ।’’ ଅର୍ଥାତ୍ ବଳି ମୋଠାରୁ ତୁମ୍ଭର ଭୟର କୌଣସି କାରଣ ନାହିଁ, କି ତୁମକୁ ଉଦବିଗ୍ନ କରିବା ମାନସରେ ଭବିଷ୍ୟତରେ ମୁଁ ଏଠାକୁ ଆସିବି ନାହିଁ । ନିରବଚ୍ଛିନ୍ନ ମନରେ ତୁମେ କାଳକୁ ଅପେକ୍ଷା କର । କାଳ ତୁମକୁ ସୁସ୍ଥ ଓ ନିରାମୟ ରଖୁ । ଅସୁରକୁଳ ସମ୍ଭବ ହୋଇ ମଧ୍ୟ ଜ୍ଞାନବଳରେ ତୁମ୍ଭେ ଅନୁଦ୍‍ବିଗ୍ନ ଓ ସ୍ଥିରଚିତ୍ତ । ତତ୍ତ୍ୱଜ୍ଞାନୀ ହୋଇ ତୁମ୍ଭେ ଏହି ବିଶ୍ୱ ରହସ୍ୟକୁ ଜାଣି ପାରିଛ । କୌଣସି ଦେହଧାରୀ ପକ୍ଷରେ ଏପରି ଜ୍ଞାନ ଦୁର୍ଲ୍ଲଭ । ଶତ୍ରୁ କୁଳରେ ଜନ୍ମ ହେଲେହେଁ ତୁମ୍ଭ ପରି ଜ୍ଞାନୀର ଅନିଷ୍ଟ ମୁଁ କେବେହେଁ କରିବି ନାହିଁ । ସତ୍ୟକୁ ଜାଣି ଓ ଉପଲବ୍ଧି କରି ତୁମ୍ଭେ ସତ୍ୟ ବଚନ କହିଅଛ ।

 

ଦୁର୍ନିରୀକ୍ଷ୍ୟ, ଦୁର୍ବାର ମହାସମୁଦ୍ର ସଦୃଶ ନିରବଧି ଏହି କାଳ ପ୍ରବାହ ଶାସନ-ବାରଣହୀନ ସ୍ୱାଧୀନ । ଏହି ନଶ୍ୱର ଜଗତରେ ସବୁକିଛି ସଞ୍ଚରଣଶୀଳ । ଆଜି ଅଛି ତ କାଲି ନାହିଁ-। ନିଃସ୍ୱ ହୋଇ ଯେଉଁମାନେ ବିଳାପ କରିଥାନ୍ତି ସେମାନେ ଅନ୍ଧ । ସେହିପରି ଯେଉଁମାନେ ଧନଜନ ଯୌବନ ଉପଭୋଗରେ ମତ୍ତ ହୋଇ ଉଠନ୍ତି ସେମାନେ ମଧ୍ୟ ଅନ୍ଧ । କାରଣ ସମଦର୍ଶୀ କାଳର ଯଥାର୍ଥ ପରିଚୟ ସେହିମାନେ ଜାଣି ପାରି ନଥାନ୍ତି । ବିବେକ ଓ ବୁଦ୍ଧି ବଳରେ କାଳ-ଜ୍ଞାନ ଆସିଥାଏ । କିନ୍ତୁ ଏହି ବିବେକ-ବୁଦ୍ଧି, ପ୍ରବୃତ୍ତି ସମ୍ଭବ ନିତ୍ୟସଙ୍ଗୀ ଈର୍ଷା, ଅଭିମାନ, କାମ, କ୍ରୋଧ, ଲୋଭ, ଭୟ, ସ୍ପୃହା, ମୋହରେ ଆଚ୍ଛନ ହେଲେ କାଳ ସମ୍ବନ୍ଧରେ ଜ୍ଞାନ ଲାଭ ହୁଏ ନାହିଁ । ଯେପରି ମହାଜନ ଋଣୀ ଠାରୁ ସୁଧର ଭଗ୍ନାଂଶ ମଧ୍ୟ ଆଦାୟ କରିନିଏ, ସେହିପରି କାଳ ମଧ୍ୟ ସୃଷ୍ଟି ଓ ପ୍ରାଣୀଠାରୁ ଦିନ, ରାତି, ମାସ-କ୍ଷଣ-ପଳ-କାଷ୍ଠା-ଅନୁପଣ-ବିପଳ ମଧ୍ୟ ହିସାବ କରି ଆଦାୟ କରିନିଏ । ଏହି ‘ଆଦାୟ’ ନିକଟରୁ ତ୍ରିଭୁବନରେ କାହାରି ପରିତ୍ରାଣ ନାହିଁ । ମୁଁ ଦେବେନ୍ଦ୍ର ହୋଇ ମଧ୍ୟ ତୁମ୍ଭପରି ସଜ୍ଜନଙ୍କୁ ସାଧୁବାଦ ଜ୍ଞାପନ କରୁଅଛି ।

 

ସର୍ବଶେଷରେ ପିତାମହ କହିଲେ–ଧର୍ମନନ୍ଦନ ଏହାପରେ ତୃପ୍ତ ମନରେ ଦେବରାଜ, ଦେବଗଣଙ୍କ ସହିତ ଅମରାବତୀକୁ ପ୍ରତ୍ୟାଗମନ କରିଥିଲେ ।

Image

 

ବୃତ୍ର–ଶୁକ୍ର ସମ୍ବାଦ

 

ହସ୍ତିନାପୁର ରାଜସିଂହାସନ ପ୍ରାପ୍ତ ହୋଇଥିଲେହେଁ ପାଣ୍ଡବାଗ୍ରଜ ‘ଯୁଧିଷ୍ଠିର’ଙ୍କ ଅନ୍ତର ନିର୍ବେଦ ମୁକ୍ତ ହୋଇ ନଥିଲା ।

 

ପ୍ରତି ମନୁଷ୍ୟର ମନୋଭୂମିରେ ଏହି ‘ଅନୀହା’ ଘୂର୍ଣ୍ଣାବର୍ତ୍ତ ସଦୃଶ ମଧ୍ୟେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଥାଏ । ସେହି ସମୟରେ ମନୁଷ୍ୟର ମନେହୁଏ ସଂସାର, ସ୍ତ୍ରୀ, ପୁତ୍ର, ପରିବାର, ସୁଖଭୋଗର ତିଳ ତିଳ ଦଗ୍ଧ ହେବା ହିଁ ଯେପରି ଜୀବନର ପରିବର୍ତ୍ତିତ ପରିପ୍ରକାଶ । ସେହି ସମୟରେ ଲୋକାଳୟ ବିଷମୟ ସଦୃଶ ମନେ ହୋଇଥାଏ ଓ ମନୁଷ୍ୟ ନିର୍ଜନ ସ୍ଥାନରେ ନିଜର ସତ୍ତା ବିଶ୍ଳେଷଣ କରିବାକୁ ଚାହେଁ ।

 

ଏହି ଜଗତ୍‌ ଭାବମୟ । ସେହି ଜଗତର ମନୁଷ୍ୟ ଏକ ବାସିନ୍ଦା । କାଳ ପ୍ରବାହ ହିଁ ମନୁଷ୍ୟକୁ ଏକ ଭାବରୁ ଅନ୍ୟ ଭାବଜଗତୁ ନେଇଥାଏ । ତେଣୁ ବିଷୟଭୋଗୀ ସଂସାରୀ ମନୁଷ୍ୟ ଏକ ନିର୍ଦ୍ଦିଷ୍ଟ ଭାବ ଆଶ୍ରୟ କରି ସ୍ଥାୟୀ ଭାବରେ ଅବସ୍ଥାନ କରିବା ସମ୍ଭବ ହୁଏ ନାହିଁ । ଏହି କାରଣ ଯୋଗୁ ହିଁ ‘ଅନୀହା’ର ଶେଷ ପରିଣତ ବୈରାଗ୍ୟ । ଏହି ଗତାଗତ ମଧ୍ୟରେ ଯେଉଁ ମନୁଷ୍ୟ ପରମ ନିଶ୍ଚିନ୍ତରେ ‘ଅନୀହା’କୁ ଉପଲବ୍ଧି କରିପାରେ ଜ୍ଞାନବାନଙ୍କ ମତରେ ସେହି ମନୀଷୀ ।

 

ହସ୍ତିନାପୁର ରାଜସିଂହାସନ ପ୍ରାପ୍ତି ପରେ ମଧ୍ୟ ଧର୍ମରାଜ ଏହି ଭାବାଭାବ କାରଣ ଯୋଗୁ ନିର୍ବେଦମୁକ୍ତ ହୋଇ ପାରି ନଥିଲେ । ବିକ୍ଷୁବ୍ଧ ଚିତ୍ତରେ ଏହି ସଂଶୟ ମୋଚନ ନିମନ୍ତେ ପିତାମହଙ୍କୁ ପଚାରିଲେ–ବିମୁକ୍ତା ସପ୍ତଦଶଭିର୍ହେତୁ ଭୂତୈଶ୍ଚ ପଞ୍ଚଭିଃ / ଇନ୍ଦ୍ରିୟଥୈ ଜୂଣଶ୍ଚୈବ ଅଷ୍ଟାଭିଶ୍ଚ ପିତାମହ ।’’ ଅର୍ଥାତ୍ ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚକର୍ମେନ୍ଦ୍ରିୟ ଓ ପଞ୍ଚପ୍ରାଣ, ମନ ଏବଂ ବୁଦ୍ଧି ଏହି ସପ୍ତଦଶଗୋଟି ବସ୍ତୁ ସହ ‘ପଞ୍ଚବିଷୟ’ ଓ ସତ୍ତ୍ୱ, ରଜ, ତମ ଏହି ତିନିଗୁଣ ସହିତ ଅବିଦ୍ୟା, ଅହଂକାର ଓ କର୍ମ ଏପରି ଅଷ୍ଟବିଂଶ ବସ୍ତୁଦ୍ୱାରା ମନୁଷ୍ୟର ସୁଖ ତୁଳନାରେ ଦୁଃଖ ଯେପରି ଅଧିକ-। ଏହି ଅଷ୍ଟବିଂଶ ବନ୍ଧନରୁ ମନୁଷ୍ୟ କେବେହେଁ ମୁକ୍ତି ଲାଭ କରିପାରେ କି ? ଜନ୍ମ, ଜରା ଓ ମୃତ୍ୟୁ ଯନ୍ତ୍ରଣା ମୁକ୍ତ ହୋଇ ମନୁଷ୍ୟ କେବେ ଅନାବିଳ ପ୍ରଶାନ୍ତି ପାଇ ପାରେ କି ?

 

ପିତାମହ କହିଲେ–ମନୁଷ୍ୟ ଏହି ପ୍ରଶାନ୍ତି ଲାଭ କରି ପାରେ, ସୁଖ ଦୁଃଖ, ଲାଭ-ଅଲାଭ, ଜନ୍ମ-ମୃତ୍ୟୁ ଏହା ସମସ୍ତ ଅନିତ୍ୟ ଓ ଅସ୍ଥାୟୀ ଏବଂ ସସୀମ । ପରମାନନ୍ଦ ବ୍ୟତୀତ ମନୁଷ୍ୟ ବନ୍ଧନ ମୁକ୍ତ ହୋଇ ପାରି ନଥାଏ ।

 

ଯଥାର୍ଥ ମନୁଷ୍ୟ ନିକଟରେ ଅସାଧ୍ୟ ବା ଅପ୍ରାପ୍ୟ କିଛି ନଥାଏ । ତୁମେ ଧର୍ମଜ୍ଞ ଓ ତୀକ୍ଷ୍‍ଣ ବିଚାର ସମ୍ପନ୍ନ ହୋଇଥିବାରୁ ଏହା ନିଶ୍ଚୟ ଜାଣ ଯେ ଆସକ୍ତି ହିଁ ବନ୍ଧନର କାରଣ । ତୁମ ପଳରି ଜୀତେନ୍ଦ୍ରିୟ ସଂସ୍କାର ମୁକ୍ତ ହେବା ଦୁଃସାଧ୍ୟ ନୁହେଁ । ସଂସ୍କାର ମୁକ୍ତ ହେଲେ ତୁମେ ଉପଲବ୍ଧି କରିପାରିବ ଯେ ତୁମେ ମୁକ୍ତ, ଶୁଦ୍ଧ ଓ ଅପାପବିଦ୍ଧ ।

 

ଯୁଧିଷ୍ଠିର ପଚାରିଲେ–ପ୍ରତ୍ୟେକ କର୍ମର ଏକ ପରିଣତି ଥାଏ । ପରବର୍ତ୍ତୀ କାଳରେ ସେହି ପରିଣତି ଫଳାନୁଯାୟୀ ଜୀବନ ଗତି ନିୟନ୍ତ୍ରଣ କରିଥାଏ । ମନୁଷ୍ୟ ସୁକର୍ମରେ ଆନନ୍ଦ ଅନୁଭବ କରି ସୁକର୍ମ କରିବା ନିମନ୍ତେ ପ୍ରବଣତା ଲାଭ କରିଥିବା ବେଳେ, କୁକର୍ମ ମଧ୍ୟରେ ମନୁଷ୍ୟ ଆପାତତଃ ଆନନ୍ଦ ଅନୁଭବ କରି ସେହି ପଥରେ ଗତି କରିଥାଏ । ଫଳରେ କୁକର୍ମୀର ଜୈବିକ ଗଠନ ମଧ୍ୟ ସେହିପରି ହୋଇଥାଏ । ଏହା ହିଁ ସଂସ୍କାର । ଜୀବାତ୍ମା ପାପ, ପୁଣ୍ୟର ଫଳଶ୍ରୁତି ଭୋଗ କରିଥାଏ । କାରଣ ଏହି କର୍ମ ଫଳର ‘ପ୍ରତିଫଳନ’ ଜୀବାତ୍ମା ମଧ୍ୟରେ ହିଁ ହୋଇଥାଏ ଏବଂ ସେହି ପ୍ରତିଫଳନ ଅନୁସାରେ ଜୀବ ପ୍ରତିଫଳିତ ହୁଏ । ଏହି ‘କର୍ମ ପ୍ରତିଫଳନ’ ଜୀବାତ୍ମାର ରଞ୍ଜିତ ବର୍ଣ୍ଣନ ପ୍ରତିଫଳନ । ସେହି ବର୍ଣ୍ଣର ବିଚ୍ଛୁରଣ ଅର୍ଥାତ୍ ଆନନ୍ଦ, ବେଦନା, ଆଶା, ହତାଶା ସୁଖ ଦୁଃଖ ହିଁ ଜୀବାତ୍ମା ବା ମନୁଷ୍ୟ ହିଁ ଭୋଗ କରିଥାଏ । ଏହି ପ୍ରତିଫଳନର ବିଚ୍ଛୁରଣରୁ ନିଜକୁ ମୁକ୍ତ ରଖିବାକୁ ହେଲେ ସ୍ୱଭାବ ଶୁଦ୍ଧ, ନିଷ୍କଳ ଜୀବାତ୍ମାକୁ ଉପଲବ୍ଧି କରି ଜ୍ଞାନ ସମୃଦ୍ଧ ହେବାକୁ ହେବ । ସାଧନା ହିଁ ଜୀବନ୍ମୃକ୍ତ ହେବାର ଏକମାତ୍ର ପନ୍ଥା । ଏହି ସାଧନା ବଳରେ ବିଷୟ–ଆଶ୍ରୟ, ପାର୍ଥିବ ଭୋଗ ଐଶ୍ୱର୍ଯ୍ୟ, ମନ ଆବିଳତା ଓ ଅସ୍ଥିରତାକୁ ମୁକ୍ତ ହୋଇ ମନୁଷ୍ୟ ପରମାନନ୍ଦ ଲାଭ କରିଥାଏ । ଧର୍ମରାଜ ଏହି ସମସ୍ତ ବିଷୟ ଯେ ଅବଗତ ନଥିଲେ ତାହା ନୁହେଁ ତଥାପି ତାଙ୍କ ମନରେ କେଉଁଠି ଯେପରି ଏକ ସନ୍ଦେହ ମଧ୍ୟେ ମନ ଆଲୋଡ଼ିତ କରୁଥିଲା–ସେ ଭାବିଲେ ଐଶ୍ୱର୍ଯ୍ୟ ନିବସୀମ ଭୋଗ ବିଳାସରୁ ମନୁଷ୍ୟ କଣ ନିବୃତ୍ତ ରହିପାରେ ? ସେ ଭାବୁଥିଲେ ଯେପରି ଅଜଗର ସର୍ପ-ନିଃଶ୍ୱାସରେ ସାମର୍ଥ୍ୟବାନ ଶିକାର ସାମର୍ଥ୍ୟହୀନ ହୋଇ ସର୍ପ ମୁଖ ଗହ୍ୱରରେ ପ୍ରବିଷ୍ଟ ହୋଇ ଆହାରରେ ପରିଣତ ହୁଏ । ମନୁଷ୍ୟ ନିକଟରେ ଐଶ୍ୱର୍ଯ୍ୟ ଓ ଭୋଗବିଳାସ ଠିକ୍ ସେହିପରି । ଭୋଗବିଳାସର ପ୍ରତିଘାତରେ ଅଭିଭୂତ ନ ହୋଇ ଓ ସଂସାର ଅନିତ୍ୟତାକୁ ସ୍ୱୀକାର କରି କୌଣସି ମନୁଷ୍ୟ ନିର୍ବିକାର ରହିପାରେ କି ? ଅବଶ୍ୟ ପିତାମହଙ୍କ ଉପଦେଶାନୁସାରେ ଇନ୍ଦ୍ରିୟ ସଂଯତ କରି ଜୀବନ୍ମୂକ୍ତି ସାଧନାରେ ମନୁଷ୍ୟ ନିର୍ବିକାର ହୋଇପାରେ, କିନ୍ତୁ ସେହି ସାଧନା ଦେବଦୁର୍ଲ୍ଲଭ ବସ୍ତୁ । ଏହିପରି ମନ ମଧ୍ୟରେ ଚିନ୍ତା କରିବା ସମୟରେ ପିତାମହ କହିଲେ -

 

ଧର୍ମରାଜ ବୃତ୍ରାସୁର ସତ୍ୟାଶ୍ରୟୀ ହୋଇ ତପସ୍ୟା ବଳରେ ସୁଖ ସମୃଦ୍ଧି ଓ ସାମର୍ଥ୍ୟ ଲାଭ କରି ଦେବରାଜ ଇନ୍ଦ୍ରଙ୍କୁ ପରାଜିତ କରି ଇନ୍ଦ୍ରାସନ ପ୍ରାପ୍ତ ହୋଇଥିଲେ । ଦୀର୍ଘକାଳ ସାଧନା ବଳରେ ଦେବରାଜ ଇନ୍ଦ୍ର ବୃତ୍ରାସୁରକୁ ପରାଜିତ କରି ହୃତ ରାଜ୍ୟ ପୁନଃଉଦ୍ଧାର କରିଥିଲେ । କିନ୍ତୁ ଏହି ପ୍ରସଙ୍ଗରେ ଲକ୍ଷ୍ୟଣୀୟ କଣ ତୁମେ ଜାଣିପାରିଛ କି ? ଲକ୍ଷ୍ୟଣୀୟ ବିଷୟ ଏହି ଯେ ସ୍ୱର୍ଗରାଜ୍ୟ, ସୁବିପୁଳ ଐଶ୍ୱର୍ଯ୍ୟ, ଅନନ୍ତ ସୁଖଭୋଗ, ଏହି ସମସ୍ତ ପ୍ରାପ୍ତ ଓ ପୁନଶ୍ଚ ବଞ୍ଚିତ ହୋଇଥିଲେ ହେଁ ବୃତ୍ରାସୁର ନିର୍ବିକାର ଥିଲେ । ହରେଇ ଥିବା ହତାଶାରେ ବେଦନା ଯାହାକି ପ୍ରତ୍ୟେକ ଦେହଧାରୀ ଅନୁଭବ କରିଥାଏ । ସେହି ପ୍ରକାର ଅନୁଭୂତି ବୃତ୍ରାସୁର ମନରେ କେବେହେଁ ଆସି ନଥିଲା । ନିଃସ୍ୱ ହୋଇ ମଧ୍ୟ ସେ କେବେହେଁ ଅନୁଶୋଚନା କରି ନଥିଲେ ।

 

ପିତାମହଙ୍କଠାରୁ ବୃତ୍ରାସୁରଙ୍କର ଏହି ବୈଶିଷ୍ଟ୍ୟମୟ କଥା ଶୁଣି ଧର୍ମରାଜ ପଚାରିଲେ- ହୃତ ସର୍ବସ୍ୱ ହୋଇ ବୃତ୍ରାସୁର କିପରି ନିର୍ବିକାର ଥିଲେ ? ପିତାମହ କହିଲେ–ଦୈତଗୁରୁ ଶୁକ୍ରାଚାର୍ଯ୍ୟ ବୃତ୍ରାସୁରଙ୍କର ଏପରି ଆଚରଣରେ ତୁମ ସଦୃଶ କୌତୁହଳୀ ହୋଇ ବୃତ୍ରାସୁରଙ୍କୁ ପଚାରିଥିଲେ, ‘‘ପରାଜୟ ସ୍ୱୀକାର କରି ତୁମେ ଏପରି ନିର୍ବିକାର, ନିଚେଷ୍ଟ ଓ ନିରୁଦ୍‍ବିଗ୍ନ ରହିଅଛ କିପରି ?

 

ଉତ୍ତରରେ ବୃତ୍ରାସୁର କହିଥିଲେ, ଗୁରୁଦେବ ସତ୍ୟଦ୍ରଷ୍ଟାର ଶାସ୍ତ୍ରବାକ୍ୟ ଯେ ମିଥ୍ୟା ନୁହେଁ, ମୁଁ ଏହା ନିଶ୍ଚିତ ରୂପରେ ଜାଣିଅଛି ।

 

ଶୁକ୍ରାଚାର୍ଯ୍ୟ ପଚାରିଲେ–କଣ ଜାଣିଅଛ ?

 

ବୃତ୍ରାସୁର–କୃତ କର୍ମହିଁ ଜୀବନକୁ ନିୟନ୍ତ୍ରଣ କରିଥାଏ । କୃତ କର୍ମହିଁ ଶରୀର ଧାରଣ କରାଏ ଓ ଶରୀର ଅବସାନ ଘଟାଏ । କର୍ମଫଳରୁ ଜୀବମାତ୍ରେ ହିଁ ସୁଖଦୁଃଖ, ପାପପୁଣ୍ୟ, ଭୋଗ କରିଥାଏ । କର୍ମ ପ୍ରବାହ କାଳପ୍ରବାହ ସଦୃଶ ଅନନ୍ତ । କର୍ମର ପ୍ରତିଫଳ ପ୍ରତ୍ୟେକ ଜୀବ ଭୋଗ କରିଥାଏ । ଶାସ୍ତ୍ରର ଅମୋଘ ବାଣୀ ଅଛି–‘‘ଯଥା କର୍ମ ତଥା ଲାଭ ଇତି ଶାସ୍ତ୍ର ନିଦର୍ଶନମ୍ । ଯେପରି କର୍ମ ସେହିପରି ଫଳ ସୁନିଶ୍ଚିତ । ଭୋଗର ପ୍ରକାର ଭେଦ ମଧ୍ୟ ନିଶ୍ଚିତ ହୋଇ ରହିଥାଏ । ‘କାଳ’ ସବୁ କିଛିର କର୍ତ୍ତା । ସେ ଜୀବକୁ ଅନନ୍ତ କାଳବଧି ଭୋଗ କରାଇଥାଏ । ସୁତରାଂ ମୁଁ ହତଶ୍ରୀ ହେଲେହେଁ ବିମର୍ଷ ନୁହେଁ ।

 

ଶୁକ୍ରାଚାର୍ଯ୍ୟ ବୃତ୍ରାସୁରଙ୍କ ଏପରି ବଚନମାନ ଶୁଣି ସ୍ତମ୍ଭିତ ହେଲେ । ଶୁକ୍ରାଚାର୍ଯ୍ୟ କହିଲେ- ଅସୁର କୁଳରେ ଜାତ ହୋଇ ଓ ଅସୁରରାଜ ହୋଇ ତୁମେ ଏହିସବୁ ଅସୁର ଚିନ୍ତା ବିରୋଧୀ ବଚନ କିପରି କହୁଅଛ ? ଭାଗ୍ୟବାଦୀ କାପୁରୁଷ ଦେବଗଣ’, କର୍ମଫଳ, କର୍ମ ପ୍ରବାହ, ଜନ୍ମମୃତ୍ୟୁ ଆବର୍ତ୍ତରେ କାଳଭୋଗ, ଏହି ସବୁ ବଚନମାନ କହିଥାନ୍ତି । ଯେଉଁଠାରେ ଅସୁରକୂଳ ସ୍ୱୀୟ ଅଧ୍ୟବସାୟ ବଳରେ ଶୌର୍ଯ୍ୟ, ବୀର୍ଯ୍ୟ ସମନ୍ୱିତ ଓ ପୁରୁଷାକାର କରାୟତ, ସେଠାରେ ଏପରି କୁଳବିରୋଧୀ ବଚନମାନ କହି ପ୍ରକାରାନ୍ତରେ ସେହି ଦୈବୀଶକ୍ତି ଓ ଦୈବୀମାୟା ନିକଟରେ ଆତ୍ମସମର୍ପଣ କରୁ ନାହିଁ କି ? ତୁମେ ନୀତିବିରୁଦ୍ଧ ବଚନ ଓ ନୀତି ବିରୁଦ୍ଧ କର୍ମ କହି ନିଜକୁ ହୀନବଳ କାହିଁକି କରୁଅଛ ? ଭାଗ୍ୟର ଆଳ ଦେଖାଇ ସୁରାଧିପତ୍ୟକୁ ସ୍ୱୀକାର କରି ଅସୁର କୁଳକୁ କାହିଁକି ଦୁର୍ବଳ କରୁଅଛ ? ତୁମର ବଚନ ଶୁଣି ମୁଁ ଅନୁମାନ କରୁଛି ଯେ ତୁମେ ମାନସିକ ଭାରସାମ୍ୟ ଚ୍ୟୁତ ହୋଇ ପ୍ରଳାପ କରୁଅଛ ମାତ୍ର । ଶୁକ୍ରାଚାର୍ଯ୍ୟଙ୍କ ଏତାଦୃଶ ବାକ୍ୟରେ ବୃତ୍ରାସୁର ଅବଚଳିତ ହୋଇ କହିଲେ–ଋଷିବର, ଆପଣ ସର୍ବଶାସ୍ତ୍ର ସୁପଣ୍ଡିତ ଓ ଅସୁର କୁଳର ପଥ ପ୍ରଦର୍ଶକ-। ତଥାପି ଦେବାସୁର ସଂଗ୍ରାମରେ ମୁଁ ଯାହା ଅନୁଧାବନ କରିଛି ତାହା ଶ୍ରବଣ କରନ୍ତୁ ।

 

ଦେବଲୋକ ଜୟ କରିବା ପାଇଁ ମୁଁ କଠୋର ତପସ୍ୟା କରି ବିପୁଳ ତେଜ ଓ ଶକ୍ତି ଅର୍ଜନ କରିଥିଲି । ମୋର ପରାକ୍ରମରେ ତ୍ରିଲୋକ ସନ୍ତ୍ରସ୍ତ ହୋଇଥିଲା । କିନ୍ତୁ ସେହି ତପସ୍ୟା ବଳ ଓ ବିପୁଳ ତେଜ କାହିଁକି ଅପହୃତ ଓ ମ୍ଲାନ ହେଲା ?

 

ଐଶ୍ୱର୍ଯ୍ୟ ମଦମତ୍ତ ହୋଇ ଯେଉଁସବୁ କାର୍ଯ୍ୟ କରିଥିଲି ତାହାର ପରିଣାମ ମୁଁ ବର୍ତ୍ତମାନ ଭୋଗ କରୁନାହିଁ କି ? ଏହା ଯଦି ନହୁଏ, ତାହେଲେ ତପସ୍ୟାଦ୍ୱାରା ଯାହାଙ୍କୁ ତୁଷ୍ଟ କରି ମୁଁ ସେହି ଅସୀମ ଶକ୍ତିର ଅଧିକାରୀ ହୋଇଥିଲି ଦେବାସୁର ସଂଗ୍ରାମ ରଣକ୍ଷେତ୍ରରେ ଇନ୍ଦ୍ରଙ୍କ ପଶ୍ଚାତରେ ‘ଇନ୍ଦ୍ରଶକ୍ତି ସହାୟକ ରୂପେ ସେହି ଭଗବାନ ବିଷ୍ଣୁ ଯେ–

ବୈକୁଣ୍ଠେ ପୁରୁଷୋଠ୍‍ନନ୍ତ ଶୁକ୍ଳୋ ବିଷ୍ଣୁଃ ସନାତନଃ

ମୁଞ୍ଜକେଶୋ ହରିଶ୍ମଶ୍ରୂ ସର୍ବଭୁତୋ ପିତାମହ ।’’

 

ଅର୍ଥାତ୍ ସେହି ବୈକୁଣ୍ଠବାସୀ ମୁଞ୍ଜ ତୃଣ ସଦୃଶ ପିଙ୍ଗଳ କେଶ, ପିଙ୍ଗଳ ଶ୍ମଶ୍ରୂ ସମନ୍ୱିତ ଶୁକ୍ଳ ବର୍ଣ୍ଣ ଅନନ୍ତ ପୁରୁଷ ସର୍ବଲୋକ–ଆଦି-ସନାତନ ବିଷ୍ଣୁଙ୍କୁ ମୁଁ କିପରି ଦର୍ଶନ କରିଥିଲି ? ଶ୍ରୀହରିଙ୍କ ପଦ୍ମ ପଳାଶଲୋଚନ ମୋତେ ସେହି ମୁହୂର୍ତ୍ତରେ କାହିଁକି ବିହ୍ୱଳ କରିଥିଲା ? ମୋର କାହିଁକି ଧାରଣା ହେଲା ଯେ ସେହି ରଣକ୍ଷେତ୍ରରେ ମୁଁ ରିକ୍ତ ଓ ନିଃସ୍ୱ । ସୁତରାଂ ମୁଁ ଉପଲବ୍ଧି କରି ଜାଣିଛି ଯେ ମୋର ଏହି ପରିଣାମ ନିମନ୍ତେ ମୋର କର୍ମ ହିଁ ଦାୟୀ । ସେଥିଲାଗି ମୁଁ ଅଧୀର କିମ୍ବା ଶୋକ ଦଗ୍ଧ ନୁହେଁ ।

ସତ୍ୟ ଜ୍ଞାନୀ ଶୁକ୍ରାଚାର୍ଯ୍ୟ ବଳରେ ଦେବଗୁରୁ ବୃହସ୍ପତିଙ୍କର ସମକକ୍ଷ ଥିଲେ । ସେ ବୃତ୍ରାସୁରଙ୍କର ଶାଶ୍ୱତ ସନାତନ ସତ୍ୟ ଉପଲବ୍ଧିରେ ପ୍ରୀତ ହେଲେହେଁ କେତେକ ଆନୁସଙ୍ଗିକ ପ୍ରଶ୍ନ ଋଷିଙ୍କ ମନରେ ଜାତ ହୋଇଥିଲା । କିନ୍ତୁ ସେ ନୀରବ ରହି ବୃତ୍ରାସୁରଙ୍କର ପରବର୍ତ୍ତୀ ବଚନ ଶୁଣିବା ଅପେକ୍ଷାରେ ରହିଲେ ।

ବୃତ୍ରାସୁର ପଚାରିଲେ–ଗୁରୁଦେବ ଅଷ୍ଟ ଐଶ୍ୱର୍ଯ୍ୟ କାହାକୁ କୁହାଯାଏ ? ଯୋଗ ଓ ବିଭୂତି ବ୍ରହ୍ମଜ୍ଞାନ ଏହି ଉଭୟଙ୍କର ବର୍ଣ୍ଣ କ’ଣ ? କିପରି ପରମ ଐଶ୍ୱର୍ଯ୍ୟ ବିନଷ୍ଟ ହୁଏ ? ମୋର ଅଧିକାଂଶ ପୁଣ୍ୟକ୍ଷୟ ହୋଇଥିଲେ ହେଁ କିଞ୍ଚିତ୍ ପୁଣ୍ୟ ସଞ୍ଚିତ ଥିବାରୁ ଏହିସବୁ ପ୍ରଶ୍ନ ମୁଁ ଉତ୍ଥାପନ କରୁଛି । ଶୁକ୍ରାଚାର୍ଯ୍ୟ ଏହା ଶୁଣି କହିଲେ–ଅବଶିଷ୍ଟ ପ୍ରଶ୍ନ ଯଦି କିଛି ଥାଏ ତା’ହେଲେ ସେ ସମସ୍ତ ନିଃସଂକୋଚରେ ପ୍ରକାଶ କର ।

ବୃତ୍ରାସୁର କହିଲେ–ଜୀବମାତ୍ରେ ହିଁ ଜୀବନ ଧାରଣ କରି ରହିବାକୁ କାହିଁକି ଇଚ୍ଛା କରେ-। ଜୀବ କାହିଁକି ନାନା କର୍ମରେ ଲିପ୍ତ ହୁଏ ? କେଉଁ କର୍ମ ଓ ଜ୍ଞାନ ବଳରେ ଅବିନାଶୀ ସନାତନ ପରମ ସତ୍ୟ ଲାଭ ହୁଏ ? ବୃତ୍ରାସୁର ପ୍ରଶ୍ନ ଶୁଣି ଶୁକ୍ରାଚାର୍ଯ୍ୟ କହିଲେ, ବୋଧଦୟ ନହେଲେ ସତ୍ୟଜ୍ଞାନ ଲାଭପାଇଁ ମନ ବ୍ୟାକୁଳ ହୋଇନଥାଏ । ଜ୍ଞାନୋଦୟ ହେଲେ ସର୍ବବ୍ୟାପୀ ପରମ ସତ୍ୟ ସ୍ୱରୂପ ବିରାଜମାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ ବାସନା ଜାତ ହୋଇଥାଏ । ବିଷ୍ଣୁ ହିଁ ସ୍ୱୟଂ ଅନନ୍ତ ପୁରୁଷ ଓ ଜୀବର ଏକମାତ୍ର ଗତି, ମୁକ୍ତି ଓ ଭୁକ୍ତି ବୃତ୍ରାସୁରଙ୍କର ଅନ୍ୟାନ୍ୟ ପ୍ରଶ୍ନଗୁଡ଼ିକର ଉତ୍ତର ଶୁକ୍ରାଚାର୍ଯ୍ୟ ଦେବାକୁ ଉଦ୍ୟତ ହେଲାବେଳେ, ଅକସ୍ମାତ୍ ସେହିଠାରେ ମହାମୁନି ସଂସାର ବିରାଗୀ ବ୍ରହ୍ମାଙ୍କ ମାନସ ପୁତ୍ର ଦେବ ‘ସନତ୍‍କୁମାର’ ଆବିର୍ଭୁତ ହେଲେ । ମୁନିବର ଦେବ ସନତ୍‍କୁମାରଙ୍କୁ ଯଥାଯୋଗ୍ୟ ଆର୍ତ୍ତବାଦନ ଜ୍ଞାପନ କରି ଆସନ ପ୍ରଦାନ କଲେ । ଶୁକ୍ରାଚାର୍ଯ୍ୟ ସନତ୍‍କୁମାରଙ୍କୁ ଦାନବରାଜ ବୃତ୍ରାସୁରଙ୍କୁ ଜ୍ଞାନାଲୋକରେ ପ୍ରଦୀପ୍ତ କରାଇବାକୁ ଅନୁରୋଧ କଲେ-। ସନତ୍‍କୁମାର ବୃତ୍ରାସୁରଙ୍କ ବଚନମାନର କିୟଦଂଶ ଶୁଣିଥିଲେ ।

ବିମୁଗ୍‌ଧ କଣ୍ଠରେ ସନତ୍‍କୁମାର କହିଲେ, ଦାନବ ରାଜଙ୍କ ବଚନ ସତ୍ୟ, କାରଣ ଶ୍ରୀହରି ଏଇ ବିଶ୍ୱ ଏକମାତ୍ର ଆଶ୍ରୟସ୍ଥଳୀ । ବିଷ୍ଣୁ ବିଶ୍ୱସ୍ରଷ୍ଟା ପାଳନକର୍ତ୍ତା ଓ କାଳ ପ୍ରବାହରେ ଏହି ବିଶ୍ୱସ୍ରଷ୍ଟାଙ୍କ ମଧ୍ୟରେ ବିଲୀନ ହୋଇଥାଏ ।

ଦାନବରାଜ ପ୍ରଶ୍ନ କଲେ–ଶ୍ରୀବିଷ୍ଣୁଙ୍କର ସୃଷ୍ଟି ପାଳନ ଓ ସଂହାର ରୂପ ପ୍ରତ୍ୟକ୍ଷ କରାଯାଇ ପାରେ କି ?

 

ସନତ୍‍କୁମାର କହିଲେ–ଯେପରି ମୁଁ ତୁମକୁ ପ୍ରତ୍ୟକ୍ଷ କରୁଅଛି ଓ ତୁମେ ମୋତେ ପ୍ରତ୍ୟକ୍ଷ କରୁଅଛ, ସେହିପରି ଶ୍ରୀହରିଙ୍କୁ ପ୍ରତ୍ୟକ୍ଷ କରାଯାଏ, କିନ୍ତୁ ସେହି ପ୍ରତ୍ୟକ୍ଷର ଉପାୟ ଭିନ୍ନ ।

 

ବୃତ୍ରାସୁର ପଚାରିଲେ, କଣ ସେହି ଉପାୟ ?

 

ସନତ୍‍କୁମାର କହିଲେ–ମନୁଷ୍ୟ ପଞ୍ଚେନ୍ଦ୍ରିୟ ସାହାଯ୍ୟରେ ବାହ୍ୟଜଗତର ଲାଳସା ଚରିତାର୍ଥ କରିବା ପାଇଁ ରୂପ, ରସ, ଗନ୍ଧ ଉପଭୋଗ କରିଥାଏ । ପଞ୍ଚେନ୍ଦ୍ରିୟଙ୍କର ଏହି ବର୍ହିଜଗତରେ ଲାଳସା ଦମନ କରି ଅନ୍ତର୍ମୁଖୀ କରାଗଲେ, ମନକୁ ବୁଦ୍ଧି ସାହାଯ୍ୟରେ ବିଶୁଦ୍ଧ କଲେ, ମନର ଚଞ୍ଚଳ ଅବସ୍ଥାକୁ ନିଶ୍ଚଳ କରି ବୁଦ୍ଧିଦୀପ୍ତ କରିପାରିଲେ, ବିଶ୍ୱରୂପ ‘ବିଶ୍ୱାତ୍ମା’, ବିଭୁ-ବିଷ୍ଣୁ ଅନ୍ତର ଜଗତରେ ପ୍ରକାଶିତ ହୋଇ ବର୍ହିଜଗତକୁ ଉଦ୍‍ଭାସିତ ହୋଇଥାନ୍ତି । ଏହାର ଏକମାତ୍ର ପନ୍ଥା ସଂଯମ-ସାଧନା । ଶାସ୍ତ୍ରରେ ଅଛି ଦୈବ ଜ୍ଞାନବତା-ଶକ୍ୟସ୍ତ ପସା ନୈବ ଚେଜୟା-ଅର୍ଥାତ୍ ଶାସ୍ତ୍ରଜ୍ଞାନ, ଯାଗଯଜ୍ଞ ମଧ୍ୟ ତପସ୍ୟା ନୁହେଁ, ଏକମାତ୍ର ନିର୍ମଳ ଅନ୍ତଃକରଣ ବିଭୁଙ୍କ ପ୍ରତିଭାତ ହେବାର ଏକମାତ୍ର ସ୍ଥାନ ଓ ମନକୁ ଶୁଦ୍ଧ କରିବା ହିଁ ଜୀବନ ଧାରଣର ଏକମାତ୍ର ସର୍ତ୍ତ । ଏହି ସର୍ତ୍ତ ଯଥାଯଥ ପାଳନ କଲେ ମନୁଷ୍ୟ ଜନ୍ମ ଜନ୍ମାନ୍ତରକୁ ଅପେକ୍ଷା କରି ନଥାଏ । ଏକମାତ୍ର ଯୋଗୀ ହିଁ ଏହି ସର୍ତ୍ତ ରକ୍ଷା କରିବା ସମ୍ଭବ । କିନ୍ତୁ ପ୍ରଯତ୍ନ ନ ହେଲେ ସାଧାରଣ ମନୁଷ୍ୟକୁ ପ୍ରାୟ ଶତଜନ୍ମ ଅତିବାହିତ କରିବାକୁ ହୋଇଥାଏ ।

 

ସନତ୍‍କୁମାର ପୁନଶ୍ଚ କହିଲେ–ଏହି ସଂସାରରେ ମନୁଷ୍ୟ କେତେକ ସଂସାର ନେଇ ଜନ୍ମଲାଭ କରିଥାଏ । ସାଧନା ବଳରେ ହିଁ ମନୁଷ୍ୟ ସଂସ୍କାର ମୁକ୍ତ ହୋଇପାରେ । ପୂର୍ବକର୍ମଜାତ ଏହି ସଂସ୍କାର ମନୁଷ୍ୟ ଦେହରେ ନିଜର ଋଚି ଅନୁଯାୟୀ ପରିବେଶ ମଧ୍ୟରେ ରହିବାକୁ ଜୀବନର ସାର୍ଥକତା ବୋଲି ମନେ କରିଥାଏ । କିନ୍ତୁ ସେହି ପରିବେଶର ମାୟା ତ୍ୟାଗ କରିବାରେ ସଚେଷ୍ଟ ହେଲେ ମନୁଷ୍ୟ ବିଶ୍ୱାତ୍ମା ବିଷ୍ଣୁଙ୍କୁ ଲାଭ କରି ସର୍ବଜନୀନ ହୋଇପାରେ । ରାଗ, ଦ୍ୱେଷ, ଲୋଭ, ଆସକ୍ତି, ମମତା ମନୁଷ୍ୟକୁ ସ୍ୱାର୍ଥପର କରିଥାଏ । କୁଚ୍ଛ୍ର ସାଧନ ଅନ୍ୟ ଯେ କୌଣସି ଉପାୟରେ ଏହି ପଞ୍ଚିରିପୁକୁ ଦମନ କରିପାରିଲେ ମନୁଷ୍ୟ ସାଧକ ହୁଏ । ମନ ପରିଚ୍ଛନ୍ନ କରି ବୁଦ୍ଧି ନିର୍ମଳ ହେଲେ ପ୍ରଚେଷ୍ଟା ବଳରେ ମନୁଷ୍ୟ ରିପୁ ମୁକ୍ତ ହୋଇପାରିଥାଏ । ଯେପରି ଦେହରେ ଧୂଳି ବାଲି ଲାଗିଲେ ଏହାକୁ ଝାଡ଼ି ସଫା କରାଯାଏ, ସେହିପରି ପଞ୍ଚରିପୁକୁ ଝାଡ଼ି ନିଶ୍ଚିହ୍ନ କରି ସଫା କରିବା ନିମନ୍ତେ ଚେଷ୍ଟା କରିବା ଉଚିତ । ଏହି କ୍ଷେତ୍ରରେ ଅଧ୍ୟବସାୟ ହିଁ ଏକମାତ୍ର ପନ୍ଥା । ବାହ୍ୟ ଇନ୍ଦ୍ରିୟ ସହିତ ଅନ୍ତଃଇନ୍ଦ୍ରିୟ ବିଶୁଦ୍ଧ ହେଲେ ଶ୍ରୀ ବିଷ୍ଣୁଙ୍କ ପ୍ରତ୍ୟକ୍ଷ ଦର୍ଶନ ଲାଭ ହୋଇଥାଏ ।

 

ସନତ୍‍କୁମାରଙ୍କ ବଚନ ଶୁଣି ଦାନବରାଜ ତୃପ୍ତ ହୋଇଥିଲେ । ସେ ନିଶ୍ଚିନ୍ତ ହେଲେ ଯେ ଯେଉଁ ଇନ୍ଦ୍ରିୟବର୍ଗ ନିତ୍ୟ ନିୟତ ମନୁଷ୍ୟକୁ ପ୍ରଲୁବ୍ଧ କରୁଅଛି ସେମାନଙ୍କୁ ନିୟନ୍ତ୍ରଣାଧୀନ କରି ଆତ୍ମଦର୍ଶୀ ହେବା ହିଁ ଜୀବନ ଧାରଣର ସାର୍ଥକତା । ଦାନବରାଜ ପୁନଶ୍ଚ ସନତ୍‍କୁମାରଙ୍କୁ ପ୍ରଶ୍ନ କଲେ–

 

ଗୁଣ ବୈଷମ୍ୟ, ସତ୍ତ୍ୱ, ରଜ, ତମ ଭେଦରେ ଏହି ତିନିଗୁଣର ଧର୍ମ ଓ କର୍ମକୁ କିପରି ପରିହାର କରାଯାଇ ପାରିବ ।

 

ସନତ୍‍କୁମାର କହିଲେ–ଆପାତତଃ ଦୃଷ୍ଟିରେ ଏହି ଗୁଣତ୍ରୟ ପୃଥକ । ଏମାନଙ୍କ ଧର୍ମ ଓ କର୍ମ ମଧ୍ୟ ପୃଥକ । କିନ୍ତୁ ଦେହ ସର୍ବସ୍ୱ ମନୁଷ୍ୟର ଏହି ପାର୍ଥକ୍ୟବୋଧ ଥାଏ । ଆତ୍ମଜ୍ଞାନ ହେଲେ ଏହି ତିନିଗୁଣ ପୃଥକ ନ ହୋଇ ସମସୂତ୍ରରେ ଏକ ହୋଇଥାନ୍ତି । ପ୍ରବୃତ୍ତ ଅନୁସାରେ ମନୁଷ୍ୟକୁ କର୍ମ କରାଏ ଓ ପ୍ରବୃତ୍ତ ରଖିଥାଏ । କିନ୍ତୁ ପୃଥକ ହେଲେହେଁ ସବୁ ଦେବତା ଏହି ଏକ ଐଶ୍ୱର୍ଯ୍ୟମୟ ଦେବତାଙ୍କର ଏକ ଏକ ଐଶ୍ୱର୍ଯ୍ୟ ମାତ୍ର ।

 

ତୁମେ ସର୍ବଦା ସ୍ମରଣ ରଖିବ ‘‘ରଜ ସ୍ତମଶ୍ଚ ସତ୍ତ୍ୱଞ୍ଚ ବିଦ୍ଧି ନାରାୟଣାତ୍ମକମ୍ / ସୋହ-ହ ଶ୍ରତ୍ମାନାଂ ଫଳଂ ତାତ କର୍ମଣସ୍ତତ୍ ଫଳଂ ବିଦୁ ।’’ ଅର୍ଥାତ୍ ସତ୍ତ୍ୱ, ରଜ, ତମ ଏହି ତିନି ଗୁଣ ହିଁ ନାରାୟଣ । ସେହି ନାରାୟଣ ଅବ୍ୟୟ, ଅକ୍ଷୟ, ସନାତନ, ପରମାତ୍ମା, ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ, ସନ୍ନ୍ୟାସ, ଆଶ୍ରମ ଜୀବନଯାପନ ଓ ଯାବତୀୟ ସତ୍ କର୍ମର ଫଳଶ୍ରୁତି । ସେହି ଫଳ ଲାଭ ହେଲେ ଭେଦାଭେଦ ଜ୍ଞାନଶୂନ୍ୟ ହୋଇ ସବୁ ଏକ ହୋଇଥାଏ । ସେହି ‘ଏକ’ ହିଁ ନାନା ରୂପରେ, ନାନା ବର୍ଣ୍ଣରେ ଏହି ଜଗତରେ ପ୍ରତିଭାତ ହୋଇଥାନ୍ତି । ଯେପରି ‘‘ସ ବ୍ରହ୍ମ ପରମୋଧର୍ମାସ୍ତପଶ୍ଚ ସଦସଚ୍ଚ ସଃ ।’’ ସେହି ବ୍ରହ୍ମ ଏକ ଆତ୍ମଦର୍ଶନ ରୂପ ପରମ ଧର୍ମ, ସମୂହ କର୍ମର ପ୍ରାପ୍ତବ୍ୟ ଫଳ ।

 

ଅତଃପର ସନତ୍‍କୁମାର ମୁହୂର୍ତ୍ତକ ପାଇଁ ନିଶ୍ଚୂପ ରହି ପୁନଶ୍ଚ କହିଲେ–ଏହି ବ୍ରହ୍ମଜ୍ଞାନ ବା ପରମ ଐଶ୍ୱର୍ଯ୍ୟର ବର୍ଣ୍ଣ କ’ଣ ? ତାହା ଶ୍ରବଣ କରନ୍ତୁ–

 

‘‘ଷଡ଼ ଜୀବ ବର୍ଣ୍ଣାଃ ପରମଂ ପ୍ରମାଣଂ

କୃଷ୍ଣୋ ଧୂସ୍ରୋ ନୀଳମ ଥାସ୍ୟ ମଧ୍ୟମ

ରକ୍ତଂ ପୁନଃ ସହଚରଂ ସୁଖଂ ତୁ

ହରିଦ୍ର ବର୍ଣ୍ଣଂ ସୁ ସୁଖଞ୍ଚ ଶୁକ୍ଳମ୍ ।’’

 

ଅର୍ଥାତ୍ ଏହା ପ୍ରଜା ସର୍ଗର ଛଅଗୋଟି ବର୍ଣ୍ଣ, ଯଥା କୃଷ୍ଣ, ଧୂସ୍ର, ନୀଳ, ରକ୍ତ, ହରିଦ୍ରା ବା ପୀତ ଓ ଶୁକ୍ଳ । ଏକମାତ୍ର ନରକରେ ହିଁ ମହାଘୋର ପାପାଚାରୀ କୃଷ୍ଣବର୍ଣ୍ଣର ସ୍ଥାନ । ଏହି ବର୍ଣ୍ଣ କ୍ଳେଶ, ଦୁଃଖ, ଆସକ୍ତି, ହତାଶାର ପ୍ରତୀକ । ଧୂସ୍ରବର୍ଣ୍ଣ ତୀର୍ଯ୍ୟକ ବର୍ଣ୍ଣ । ଏହି ଯୋନରେ ଜୀବ ଦୀର୍ଘକାଳ ଅତିବାହିତ କରିସାରି ରଜଗୁଣର ଅଧିକ, ତମଗୁଣର ସମାବସ୍ଥା ମାତ୍ରାଧିକ୍ୟ ସତ୍ତ୍ୱଗୁଣ ସମନ୍ୱିତ ହୋଇ ନୀଳବର୍ଣ୍ଣ ହୋଇଥାଏ । ନୀଳବର୍ଣ୍ଣ ମାନବ ସର୍ଗର ଗୁଣ । ଏହି ବର୍ଣ୍ଣ ମଧ୍ୟରେ ଅବସ୍ଥାନ କାଳରେ ଯଦି ତମ ଗୁଣ ହ୍ରାସ ପାଏ ଓ ସତ୍ତ୍ୱଗୁଣ ସମାବସ୍ଥାକୁ ଆସେ, ସେତେବେଳେ ମାନବ ସର୍ଗ ରକ୍ତବର୍ଣ୍ଣ ଧାରଣ କରି ଦେବତାଙ୍କର ଅନୁଗ୍ରାହକ ହୋଇଥାନ୍ତି । ଯଦି ରଜଗୁଣ କମିଯାଏ ଓ ତମୋଗୁଣ ସମାବସ୍ଥାରେ ରହି ସତ୍ତ୍ୱ ଗୁଣ ଆଧିକ୍ୟ ହୁଏ, ବର୍ଣ୍ଣ ପୀତବର୍ଣ୍ଣ ଧାରଣ କରନ୍ତି । ସୁଖପ୍ରଦ ପୀତବର୍ଣ୍ଣ ଦେବଗଣଙ୍କ ବର୍ଣ୍ଣ । ପୁନଶ୍ଚ ରଜଗୁଣ ସମାବସ୍ଥାରେ ରହି ତମୋଗୁଣ ହ୍ରାସ ହୋଇ ସତ୍ତ୍ୱଗୁଣ ପ୍ରାବଲ୍ୟ ହେଲେ ବର୍ଣ୍ଣ ପରମ ସୁଖପ୍ରଦ ଶୁକ୍ଳବର୍ଣ୍ଣ ହୋଇଥାଏ । ବିଶୋକ, ନିର୍ମଳ ଏହି ବର୍ଣ୍ଣରେ ହିଁ ପରମାତ୍ମା ପରଂବ୍ରହ୍ମ ଅବସ୍ଥାନ କରିଥାନ୍ତି । ଜ୍ଞାନ ବଳରେ ସେହି ବର୍ଣ୍ଣ ଲାଭକରି ମହାମୁନିଗଣ ବ୍ରହ୍ମଜ୍ଞାନୀ ହୋଇଛନ୍ତି । ଏହି ଶୁକ୍ଳ ବର୍ଣ୍ଣ ହିଁ ସନାତନ ବର୍ଣ୍ଣ । ଏହି ବର୍ଣ୍ଣକୁ ସାଧନା କରି ଜୀବନ୍ମୁକ୍ତ ହୁଏ । ଦାନବରାଜ, ମୋର ଅନୁମାନ ତୁମ୍ଭ ପ୍ରଶ୍ନର ଯଥାଯଥ ଉତ୍ତର ତୁମେ ପାଇଅଛ ।

 

ସର୍ବଦା ସ୍ମରଣ ରଖିବ, ବିଶୁଦ୍ଧ ଭାବ ହିଁ ସନାତନ ବ୍ରହ୍ମପଦ ଲାଭର ଏକମାତ୍ର ପନ୍ଥା ।

 

ଅବଶେଷରେ ପିତାମହ କହିଲେ–ମହାମୁନିଙ୍କ ବଚନ ଶୁଣୁ ଶୁଣୁ ବୃତ୍ରାସୁର ତନ୍ମୟ ହୋଇ ଯାଇଥିଲେ । ଏହାପରେ ଦାନବରାଜ ଭଗବାନ ବିଷ୍ଣୁଙ୍କ ଧ୍ୟାନରେ ତଦ୍‍ଗତ ହୋଇ ପ୍ରାଣତ୍ୟାଗ କଲେ ।

Image

 

ବ୍ରାହ୍ମଣୀ–ବ୍ୟାଧ ସର୍ପ ସମ୍ବାଦ

 

କୁରୁକ୍ଷେତ୍ର ରଣାଙ୍ଗନରେ ଶରଶଯ୍ୟାଶାୟୀ ଜ୍ଞାନବୃଦ୍ଧ ଦେବବ୍ରତ ଭୀଷ୍ମ ଯୁଧିଷ୍ଠିରଙ୍କ ସହିତ ପାଣ୍ଡବ ଭ୍ରାତାମାନଙ୍କୁ ଅନେକ ଉପଦେଶାତ୍ମକ କାହାଣୀ ଶୁଣାଉଥିଲେ । କାହାଣୀ ମାଧ୍ୟମରେ ଯେଉଁସବୁ ଉପଦେଶମାନ ସେ ଦେଉଥିଲେ ତାହା ତାଙ୍କର କଳ୍ପନା ପ୍ରସୂତ ନୁହେଁ । ସେ କହିଥିଲେ, ଏହିସବୁ ଉପଦେଶାତ୍ମକ ଘଟଣାବଳୀ ସମୂହ ସତ୍ୟ ରୂପରେ ଜଗତ ଇତିହାସ ପୃଷ୍ଠାରେ ଅଲକ୍ଷ୍ୟରେ ଲିପିବଦ୍ଧ ହୋଇଅଛି । ଭବିଷ୍ୟତ ଭରତ ସମ୍ରାଟଙ୍କୁ ସବୁଦିଗରୁ ସମର୍ଥ କରିବା ପାଇଁ ବାସ୍ତବ ସତ୍ୟ ଦୃଷ୍ଟାନ୍ତମାନ ପିତାମହ ଉତ୍ଥାନପତନ କରୁଥିଲେ । ଏକ ପରେ ଏକ ଦୁର୍ଲଭ ଉପଦେଶାବଳୀ ଧର୍ମରାଜଙ୍କ ସଂଶୟ ଓ ସନ୍ଦେହ ମୋଚନ କରୁଥିଲା । କିନ୍ତୁ ରଣକ୍ଷେତ୍ରରେ ଦୃଶ୍ୟପର୍ବତମାନ ଧର୍ମରାଜଙ୍କୁ ବାରମ୍ବାର ମନ ମଧ୍ୟରେ ଆଙ୍କି ହୋଇ ଆକୁଳ କରୁଥିଲା । ବିଶେଷତଃ ସର୍ବଜନପୂଜ୍ୟ ପିତାମହ ଭୀଷ୍ମ ପାଣ୍ଡବ ହସ୍ତଧୃତ ଶରବିଦ୍ଧ ହୋଇ ରୁଧିର ସ୍ନାତ ଅବସ୍ଥାରେ ଶେଷ ନିଃଶ୍ୱାସ ଦିନ ନିମନ୍ତେ ଅପେକ୍ଷାରତ ଦେଖି ଧର୍ମରାଜଙ୍କ ମନ ଅଧିକତର ବ୍ୟାକୁଳ ହେଉଥିଲା । ସେ ଭାବୁଥିଲେ, ଦୁର୍ଯ୍ୟୋଧନ ଖଳ କୁଟିଳ ଓ ଦୁର୍ମତି ସମ୍ପନ୍ନ ହୋଇଥିଲେ ହେଁ ସେ ଭାଗ୍ୟବାନ । କାରଣ ରଣଭୂମିରେ ସେ ବୀରଗତି ପ୍ରାପ୍ତ ହୋଇଛି । ପିତାମହଙ୍କ ଏହି ନିଦାରୁଣ ଦୁର୍ଦ୍ଦଶା ଦୁର୍ଯ୍ୟୋଧନକୁ ଦେଖିବାକୁ ହୋଇନାହିଁ । ଏହିସବୁ ଚିନ୍ତାରେ ଯୁଧିଷ୍ଠିର ପିତାମହଙ୍କୁ ପଚାରିଲେ, ପିତାମହ ଆପଣଙ୍କୁ ସର୍ବାଙ୍ଗରେ ଶର ନିକ୍ଷେପ କରି ଏପରି ମର୍ମାନ୍ତିକ ଯନ୍ତ୍ରଣା ଦେବା ପାଣ୍ଡବଙ୍କ ପାପକର୍ମ ନୁହେଁ କି ? ଆପଣଙ୍କ ସର୍ବାଙ୍ଗ ରୁଧିର ସ୍ନାତ ଓ ଇଚ୍ଛାମୃତ୍ୟୁ ଅପେକ୍ଷାରେ ରହି ଶାରୀରିକ ଯନ୍ତ୍ରଣା ଭୋଗ କରୁଛନ୍ତି । ଏହି ସବୁ ଦେଖି ମୋର ମନ ଅତୀବ ବ୍ୟତିବ୍ୟସ୍ତ ହେଉଛି । ମୋ ମନ ମଧ୍ୟରେ ଧାରଣା ହେଉଛି ପାଣ୍ଡବଗଣ ଗୁରୁଜନଙ୍କୁ ଶର ନିକ୍ଷେପ କରି ଏପରି ଯନ୍ତ୍ରଣା ଦେଇ ଏକ ମହାପାପ ଅର୍ଜନ କରିଛନ୍ତି ।

 

ଯୁଧିଷ୍ଠିରଙ୍କ ଏପରି ଶୋକବିହ୍ୱଳ ବାଣୀ ଶୁଣି ପିତାମହ କହିଲେ, ପାଣ୍ଡବ ଅଗ୍ରଜ, ତୁମ୍ଭେ ନ୍ୟାୟପଥ ଅବଲମ୍ବୀ ଓ ସଂଗ୍ରାମରେ ସ୍ଥିତଧୀ ଏବଂ ଅବିଚଳ । ମୋର ଏପରି ଦଶାରେ ପାପ, ପୁଣ୍ୟ ନିରୀକ୍ଷାରେ ନିଜକୁ ମୁହ୍ୟମାନ କରି କୃତଘ୍ନ ଦୁର୍ଯ୍ୟୋଧନ ମୃତ୍ୟୁକୁ ପୁଣ୍ୟବାନ ମୃତ୍ୟୁ ଆଖ୍ୟା ଦେଇ ଏପରି ବିଚଳିତ ହେବା ତୁମ୍ଭ ପକ୍ଷେ ଶୋଭାଜନକ ନୁହେଁ । ଏହି ଇହ ଜଗତରେ ପାପ, ପୁଣ୍ୟ ଗତି କିଏ ନିରୂପଣ କରିବ ? କାହାର ସେ ସାମର୍ଥ୍ୟ ଅଛି ? ଏହାର ବିଚାର ବା କିଏ କରିବ-?

 

ଯୁଧିଷ୍ଠିର କହିଲେ–ପିତାମହ ମୋର ବିବେକ ହିଁ ମୋର କୃତକର୍ମର ବିଚାରକ । କ୍ଷୁଦ୍ର ସ୍ୱାର୍ଥ ସିଦ୍ଧି ପାଇଁ ଆମ୍ଭେ ଏହି ଲଜ୍ଜାଜନକ ଜ୍ଞାତ-ବିରୋଧରେ ଅବତୀର୍ଣ୍ଣ ହୋଇ ନଥିଲେ କି ? ଅନ୍ୟାନ୍ୟ ବୀର ପୁଙ୍ଗବ ସହ କୁରୁପୁତ୍ର ଗଣଙ୍କୁ ଶତ୍ରୁ ଜ୍ଞାନରେ ନିର୍ମମ ଭାବେ ହତ୍ୟା କରି ନାହୁଁ କି ? ନିଷ୍ଠୁର ଶରାଘାତରେ ଆପଣଙ୍କୁ ରୁଧିରାପ୍ଲୁତ କରି ନାହୁଁ କି ? ଆପଣଙ୍କ ସ୍ନେହ ପାଣ୍ଡବ କୁଳ ପ୍ରତି ଅମ୍ଳାନ ଓ ଅଫୁରନ୍ତ ସତ୍ତ୍ୱେ ଓ ଆପଣଙ୍କୁ ପାଣ୍ଡବ ଗଣ ଏପରି ନିର୍ମମ ଶରାଘାତ କରି ଶଯ୍ୟାଶାୟୀ କରି ନାହାନ୍ତି କି ? ଏହି ସବୁ କଣ ପାପ ଓ ଅପରାଧମୂଳକ କର୍ମ ନୁହେଁ ? ଏହି ପାପ ଯୋଗୁଁ ନର୍କରେ ମଧ୍ୟ ମୋର ସ୍ଥାନ ନାହିଁ । ଏହା ଜାଣି ମଧ୍ୟ ଆପଣ ମୋତେ ଶାନ୍ତ ଓ ଅବିଚଳ ରହିବାକୁ କିପରି ଉପଦେଶ ଦେଉଛନ୍ତି ?

 

ପିତାମହ କହିଲେ–ଯୁଧିଷ୍ଠିର, ତଥାପି ମୁଁ କହୁଛି ତୁମେ ଶାନ୍ତ ହୁଅ । ତୁମ ବିବେକକୁ ମୋହମୁକ୍ତ କର । ମାୟାଜାଲରେ ତୁମ୍ଭର ବିବେକ ଆଚ୍ଛନ୍ନ ଥିବାରୁ ତୁମର ବିଚାର ଭ୍ରମାତ୍ମକ । ମନ ସ୍ଥିର କର । ତାହେଲେ ସତ୍ୟକୁ ଉପଲବ୍ଧି କରି ବ୍ରାହ୍ମଣୀ ‘ଗୌତମୀ’ ସଦୃଶ ନିର୍ବିକାର ହୋଇ ପାରିବ-। ପିତାମହଙ୍କ ଏତାଦୃଶ ବଚନ ଶୁଣି ଯୁଧିଷ୍ଠିର ବିସ୍ମିତ ହୋଇ ପଚାରିଲେ, ଗୌତମୀ ବ୍ରାହ୍ମଣୀ କିଏ-?

 

ପିତାମହ କହିଲେ–ଅନ୍ଧର ଯଷ୍ଟି ସଦୃଶ ଗୌତମୀ ନାମ୍ନୀ ବ୍ରାହ୍ମଣୀର ଏକମାତ୍ର ପୁତ୍ର ବ୍ରାହ୍ମଣୀର ସହାୟ ଓ ସମ୍ବଳ ଥିଲା । ବ୍ରାହ୍ମଣୀ ରାଗ, ଦ୍ୱେଷ ଓ ହିଂସା ଶୂନ୍ୟ ଥିଲେ । ତାଙ୍କର ସମସ୍ତଙ୍କ ପ୍ରତି ସ୍ନେହ ଥିବାରୁ କୌଣସି ଶତ୍ରୁ ନଥିଲା । ନିରୋଳା ଏକ ନିର୍ଜନ ସ୍ଥାନରେ ପୁତ୍ର ସହ ବ୍ରାହ୍ମଣୀ ମହାନନ୍ଦରେ ଦିନ କଟାଉଥିଲେ ।

 

ଏକଦା ଏକ ବିଷଧର ସର୍ପ ଦଂଶନରେ ସେହି ପୁତ୍ରର ଅକାଳ ବିୟୋଗ ଘଟିଲା । ପୁତ୍ର ବିୟୋଗରେ ଗୌତମୀ ବ୍ୟଥାତୁରା ହୋଇ ଉଠିଲେ । ସେହି ସମୟରେ ବ୍ରାହ୍ମଣୀଙ୍କ ପ୍ରତିବେଶୀ ‘ଅର୍ଜ୍ଜୂନକ’ ନାମ୍ନୀ ଏକ ବ୍ୟାଧ ପୁତ୍ରର ମୃତ୍ୟୁ ସମ୍ବାଦ ଶୁଣି ନିକଟସ୍ଥ ଏକ ବୁଦା ଅନ୍ତରାଳରେ ଲୁକାୟିତ ସେହି ସର୍ପକୁ ଧୃତ ଓ ଆବଦ୍ଧ କରି ଜୀବନ୍ତ ସର୍ପ ସହ ବ୍ୟାଧ ଗୌତମୀ ନିକଟରେ ଉପନୀତ ହେଲା । ହସ୍ତଧୃତ ସର୍ପକୁ ବ୍ରାହ୍ମଣୀଙ୍କ ସମ୍ମୁଖରେ ଆଣି ‘ଅର୍ଜ୍ଜୁନକ’ ପଚାରିଲା, ଏହି ସର୍ପକୁ ମୁଁ ପୋଡ଼ି ଦେବି ନା ଖଣ୍ଡ ଖଣ୍ଡ କାଟି ପୋଡ଼ିବି ? ପୁତ୍ରଶୋକଦଗ୍‌ଧ ବ୍ରାହ୍ମଣୀ କହିଲେ- ହସ୍ତ ବନ୍ଧନରୁ ଏହି ସର୍ପକୁ ତୁମେ ମୁକ୍ତ କର ।

 

ଅର୍ଜ୍ଜୁନକ କହିଲା–ବିନା ଦୋଷରେ ଏହି ସର୍ପ ତୁମ୍ଭ ପୁତ୍ରକୁ ଦଂଶନ କରି ଅକାଳ ବିୟୋଗ ଘଟାଇଛି । ଅତଏବ ମୃତ୍ୟୁ ହିଁ ଏହି ସର୍ପର ଯଥାର୍ଥ ଶାସ୍ତି ।

 

ଗୌତମୀ କହିଲେ–ତୁମ୍ଭେ ସର୍ପକୁ ମୁକ୍ତି ଦିଅ । ଏହି ସର୍ପ ଉପରେ ମୋର କୌଣସି ଆକ୍ରୋଶ ନାହିଁ ।

 

ଅର୍ଜ୍ଜୁନକ କହିଲା–ଏହି ସର୍ପ ତସ୍କର ସଦୃଶ ତୁମ୍ଭ ପୁତ୍ର ନିଧନ କରି ମହାପାପ କରିଛି, ଅତଏବ ହତ୍ୟାକାରୀର କୁକର୍ମ ପ୍ରତିଶୋଧ ନ ନେବା ପର୍ଯ୍ୟନ୍ତ ମୋର ମନ ଶାନ୍ତ ହେବ ନାହିଁ ।

 

ଗୌତମୀ କହିଲେ–ବ୍ୟାଧ, ତୁମ୍ଭର ଏହା ଏକ ମହାଭ୍ରମ । ଏହିପରି କର୍ମ କଲେ ତୁମ୍ଭର ଅଧର୍ମ ହେବ । ତୁମ୍ଭେ ଏପର୍ଯ୍ୟନ୍ତ ଧର୍ମ ଅଧର୍ମ ବୁଝିବାକୁ ସକ୍ଷମ ହୋଇ ନାହଁ । ତୁମ୍ଭେ ବୁଝିପାରୁ ନାହଁ କାହିଁକି ମୁଁ ଏ ସର୍ପକୁ ମୁକ୍ତି ଦେବାକୁ ଚାହୁଁଛି । ଏହି ସର୍ପକୁ ହତ୍ୟା କଲେ ସେହି ପାପ ଭାରରେ ମୁଁ ମଧ୍ୟ ନର୍କକୁ ଯିବି ।

 

ବ୍ୟାଧ ପ୍ରଶ୍ନ କଲା–କାହିଁକି ଆପଣ ଏପରି କହୁଛନ୍ତି ?

 

ଗୌତମୀ କହିଲେ–ମନୁଷ୍ୟ ଜୀବନ କ୍ଷଣସ୍ଥାୟୀ । କାଳ ନିର୍ଦ୍ଦେଶରେ ମନୁଷ୍ୟ ଏହି ପୃଥିବୀ ତ୍ୟାଗ କରେ । ମୋ ପୁତ୍ରର ମଧ୍ୟ ସେହି କାଳ ଆସିବାରୁ ନିୟତି ବିଧାନରେ ସେ ସର୍ପଦଂଶନରେ ମୃତ୍ୟୁ ବରଣ କରିଅଛି । ଅଲକ୍ଷ୍ୟରେ ‘କାଳ’ ହିଁ ସର୍ପ ରୂପରେ ମୋ ପୁତ୍ରର ମୃତ୍ୟୁ କାରଣ ହୋଇଅଛି । ପ୍ରତିଶୋଧ ସ୍ପୃହାରେ ଏହି ସର୍ପକୁ ବିନାଶ କଲେ ମଧ୍ୟ ମୋର ପୁତ୍ରର ପୁନର୍ଜୀବନ ଲାଭ ହେବା ସମ୍ଭବ ନୁହେଁ । ଏହା ପୁନର୍ଜୀବନ ପ୍ରାପ୍ତ ଯେତେବେଳେ ସମ୍ଭବ ନୁହେଁ, ସେତେବେଳେ ସର୍ପକୁ ହତ୍ୟା କରିବା ମହାପାପ ଓ ଅଧର୍ମ ନୁହେଁ କି ? ଜାଣିଶୁଣି ଏପରି ଅଧର୍ମ ଫଳ ଭାଗୀ ହେବାକୁ ମୁଁ ଚାହେଁ ନାହିଁ, ଅତଏବ ଏହି ସର୍ପକୁ ତୁମେ ମୁକ୍ତି ଦିଅ ।

 

ବ୍ୟାଧ ଅର୍ଜୁନକ କହିଲା–‘ପତି’ର ଅକାରଣ ନିନ୍ଦା ଶୁଣି ‘ସତୀ’ଙ୍କ ଦେହତ୍ୟାଗରେ ରୁଦ୍ରଦେବ ଦକ୍ଷଯଜ୍ଞ ପଣ୍ଡ କରି ନଥିଲେ କି ? ବୃତ୍ରାସୁରର ଅନ୍ୟାୟ ଅତ୍ୟାଚାର ଦମନ କରିବାପାଇଁ ଦେବରାଜ ଇନ୍ଦ୍ର ବୃତ୍ରାସୁରକୁ ବଜ୍ର ପ୍ରହାର କରି ନଥିଲେ କି ? ଏସବୁ କର୍ମ କଣ ଅଧର୍ମ, ଅନ୍ୟାୟ-?

 

ଗୌତମୀ କହିଲେ–ସେ ସବୁ କର୍ମ ସହିତ ତୁଳନା ଏ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ । ମୁଁ କେବଳ ମାତ୍ର ଏତିକି ଜାଣିଛି ଯେ ଏହି ସର୍ପ ନିଧନରେ ମୋର ପୁତ୍ରର ପୁନର୍ଜୀବନ ଲାଭ ହେବ ନାହିଁ । ଅତଏବ ଏହି ସର୍ପ ହତ୍ୟା ଅଧର୍ମ ।

 

ବ୍ୟାଧ କହିଲା–କିନ୍ତୁ ମୁଁ ଏହି ସର୍ପକୁ କଦାପି ମୁକ୍ତି ଦେବି ନାହିଁ କି ଜୀବନ୍ତରେ ଛାଡ଼ିବି ନାହିଁ । ଏହି ଖଳକୁ ଜୀବନ୍ତ ମୁକ୍ତ କଲେ ସେ ଆହୁରି ଅନେକ ନିରପରାଧ ବ୍ୟକ୍ତିକୁ ଦଂଶନ କରିପାରେ । ଅତଃପର ବ୍ୟାଧ ଅର୍ଜ୍ଜୁନକ ବନ୍ଧନ ଜର୍ଜର ସର୍ପକୁ ନିଧନ କରିବା ନିମନ୍ତେ ଉଦ୍ୟତ ହେଲେ । ସେହିକ୍ଷଣି ସର୍ପ ମନୁଷ୍ୟ କଣ୍ଠରେ କହିଲା ‘ବନ୍ଧନ କରି ମୋତେ କାହିଁକି କଷ୍ଟ ଦେଉଅଛ-? ମୁଁ କଣ ସ୍ୱେଚ୍ଛାରେ ଏହି ପୁତ୍ରକୁ ଦଂଶନ କରିଛି ?

 

ସର୍ପ ମୁଖରୁ ମନୁଷ୍ୟ କଣ୍ଠସ୍ୱର ଶୁଣି ନିଜକୁ ସଂଯତ କରି ଅର୍ଜ୍ଜୁନକ କହିଲା, ବ୍ରାହ୍ମଣୀଙ୍କ ପୁତ୍ର ନିଧନ କରି ସାଧୁ ସାଜିବାର ପ୍ରୟାସ କରୁଛ ? ସ୍ୱେଚ୍ଛାରେ ନ ହୋଇ କଣ ଅନିଚ୍ଛାରେ ପୁତ୍ରକୁ ଦଂଶନ କରିଛ ?

 

ସର୍ପ କହିଲା–ମୋର କୃତ କର୍ମ ଉପରେ ମୋର କୌଣସି ସ୍ୱାଧୀନତା ନାହିଁ । ମୁଁ ମୃତ୍ୟୁର ଅଧୀନ, ସେ ମୋତେ ଯାହା ଆଦେଶ କରନ୍ତି, ମୁଁ ତାହା ପାଳନ କରିବାକୁ ବାଧ୍ୟ । ମୁଁ ମୃତ୍ୟୁର ଆଜ୍ଞାବହ ମାତ୍ର । ‘ମୃତ୍ୟୁ’ ମୋତେ ଏହି ବ୍ରାହ୍ମଣୀଙ୍କର ପୁତ୍ରକୁ ନିଧନ କରିବା ନିମନ୍ତେ ପ୍ରେରଣ କରିଥିଲେ । ମୁଁ ନିମିତ୍ତ ମାତ୍ର । ଅତଏବ ‘ମୃତ୍ୟୁ’ ହିଁ ଏହି କର୍ମ ନିମନ୍ତେ ଶାସ୍ତି ପାଇବାର ପ୍ରକୃତ ଅଧିକାରୀ ।

 

ବ୍ୟାଧ କହିଲା–ତୁମ ଦଂଶନରେ ପୁତ୍ର ମୃତ୍ୟୁ ବରଣ କରିଛି । ଏହା ଆପାତତଃ ଦୃଷ୍ଟିରେ ସତ୍ୟ । ନିଜକୁ ‘ନିମିତ୍ତ’ କାରଣ କହି ‘ମୃତ୍ୟୁ’କୁ ଦୋଷୀ ସାବ୍ୟସ୍ତ କରୁଅଛ । କିନ୍ତୁ ଅନ୍ୟକୁ ଦୋଷୀ ସାବ୍ୟସ୍ତ କଲେ ହିଁ ମୋ ହସ୍ତରୁ ତୁମର ନିସ୍ତାର ନାହିଁ ।

 

ସର୍ପ କହିଲା–ଏହି ଅପକର୍ମର କର୍ତ୍ତା ଅଦୃଶ୍ୟରେ ରହିଅଛି । ମୁଁ ଦୃଶ୍ୟ ନିମିତ୍ତ ମାତ୍ର । ତୁମର ହସ୍ତଧୃତ ହେବାରୁ କଣ ତୁମ ହସ୍ତରୁ ମୋତେ ଶାସ୍ତି ଭୋଗ କରିବାକୁ ହେବ ? କୌଣସି ମତେ ମୁଁ ବଧଯୋଗ୍ୟ ନୁହେଁ । ମୋତେ ବଧ କରି ତୁମେ ଉଚିତ କାର୍ଯ୍ୟ କରିବ ନାହିଁ ।

 

ବ୍ୟାଧ କହିଲା–ଶଳତାର ଏକ ସୀମା ରହିବା ଆବଶ୍ୟକ । ତୁମେ ଅନ୍ୟାୟ କରି ମୋତେ ନୀତି ଶିକ୍ଷା ଦେଉଅଛ ? ଅନ୍ୟକୁ କର୍ତ୍ତା କରି ନିଜକୁ ରକ୍ଷା କରିବା ପ୍ରଚେଷ୍ଟା ତ୍ୟାଗ କର । ଚୋରି ଅଭିଯୋଗରେ ବିଚାରକ ଅଭିଯୁକ୍ତ ଚୋରକୁ ଶାସ୍ତି ନଦେଇ କଣ ଅପ୍ରତ୍ୟକ୍ଷ କର୍ତ୍ତାଙ୍କୁ ଶାସ୍ତି ଦେଇଥାଏ ?

 

ସର୍ପ କହିଲା–ଯଜମାନ, ପୁରୋହିତଙ୍କଦ୍ୱାରା ଯଜ୍ଞ କରାଇଥାନ୍ତି । କିନ୍ତୁ ଯଜ୍ଞ ଫଳ କିଏ ଭୋଗ କରେ ? ପୁରୋହିତ ନା ଯଜମାନ ? ଏହା ଯଦି ସତ୍ୟ, ତାହେଲେ ମୁଁ କାହିଁକି ଫଳ ଭୋଗ କରିବି ? ମୃତ୍ୟୁ ପ୍ରାଣୀକୁ ନିଷ୍ପ୍ରାଣ କରେ । ତାହେଲେ ଏ ଅପରାଧର ଫଳ କିଏ ଭୋଗ କରିବ ? ମୁଁ ନା ‘ମୃତ୍ୟୁ’ ?

 

ଏହାପରେ ପିତାମହ କହିଲେ–ଅନ୍ତରାଳରୁ ସ୍ୱୟଂ ମୃତ୍ୟୁ ଏପର୍ଯ୍ୟନ୍ତ ସର୍ବ ଓ ବ୍ୟାଧର କଥୋପକଥନ ଶୁଣୁଥିଲେ । ସେ ମନେ ମନେ ଚିନ୍ତା କରୁଥିଲେ ଅକାରଣ ସର୍ପ ମୋତେ କାହିଁକି ଦୋଷ ଦେଇ ଦୋଷୀ ସାବ୍ୟସ୍ତ କରୁଛି ?

 

ଏହାପରେ ମୃତ୍ୟୁ ନିଶ୍ଚୁପ ନରହି ରୁକ୍ଷ ସ୍ୱରରେ ସର୍ପକୁ କହିଲେ–ତୁମେ ଅଯଥା ମୋତେ କର୍ମର କର୍ତ୍ତା ରୂପେ ସୂଚାଇ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଅଛ । ତୁମେ ନିର୍ବୋଧ । ତୁମ୍ଭେ କଣ ଜାଣ ନାହିଁ ଯେ ‘ସର୍ବେ କାଳାତ୍ମକା-କାଳାତ୍ମକ ମିଦଂ ଜଗତ୍‌ ? ଅର୍ଥାତ୍‌ ସବୁହିଁ କାଳର ଅଧୀନ । ଏହି ଜଗତ ମଧ୍ୟ କାଳ କବଳିତ । କାଳରେହିଁ ଜନ୍ମ, କାଳରେହିଁ ସ୍ଥିତି, ଏବଂ କାଳରେହିଁ ବିଲୟ । ‘କାଳ’ ହିଁ ସର୍ବମୟ କର୍ତ୍ତା । କାଳ ଉପରେ କର୍ତ୍ତୃତ୍ୱ କରିବା ସାମର୍ଥ୍ୟ କାହାର ନାହିଁ ।

 

ସର୍ପ କହିଲା–ମୁଁ ଏହା ଜାଣେ, କେବଳ ବ୍ୟାଧର କ୍ରୋଧ ସମ୍ବରଣ ନିମନ୍ତେ ମୁଁ ଆପଣଙ୍କୁ ଆପାତତଃ ଦୋଷୀ ସାବ୍ୟସ୍ତ କରିଥିଲି । ଆପଣ ଦୋଷଯୁକ୍ତ ନୁହନ୍ତି କି ଦୋଷୀ ମଧ୍ୟ ନୁହନ୍ତି । ବ୍ୟାଧ ହସ୍ତରୁ ନିଜ ପ୍ରାଣରକ୍ଷା ପାଇଁ ମୁଁ ବ୍ୟାଧକୁ ଆପଣଙ୍କ ଆଦେଶରେ ଏହି କର୍ମ କରିଅଛି ବୋଲି କହିଅଛି ମାତ୍ର ।

 

ମୃତ୍ୟୁ କହିଲେ–ଭୁଜଙ୍ଗ, ଏହା ଜାଣିରଖ ଯେ ମୁଁ ମଧ୍ୟ ସ୍ୱାଧୀନ ନୁହେଁ । ମୁଁ ମଧ୍ୟ କାଳର ଅଧୀନ । ଇହଜଗତରେ ଯେଉଁ ପ୍ରାଣୀର ଆୟୁ ଶେଷ ହୋଇଥାଏ, କାଳର ଆଦେଶରେ ମୁଁ ତାହାକୁ ସଂହାର କରିବାକୁ ଉଦ୍ୟତ ହୋଇଥାଏ । ଭାଗ୍ୟଲିପିରେ ଯାହାର ଯେପରି ‘ମୃତ୍ୟୁ’ ଲେଖନୀରେ ଲେଖା ରହିଅଛି, ମୁଁ ସେହି ଲେଖନୀର ମାଧ୍ୟମ ମାତ୍ର । ଏହି ବ୍ରାହ୍ମଣୀଙ୍କ ପୁତ୍ର ଭାଗ୍ୟଲିପିରେ ସର୍ପଦଂଶନରେ ମୃତ୍ୟୁ ଅବଧାରିତ ଥିଲା, ତୁମେ ମୋର ମାଧ୍ୟମ ହୋଇ କାଳର ଅମୋଘ ଆଦେଶ ପାଳନ କରିଛି । ମୁଁ ମଧ୍ୟ କାଳ ଆଦେଶରେ ତୁମକୁ ଏହି ମୃତ୍ୟୁର ମାଧ୍ୟମ କରିଅଛି । ମୁଁ ଓ ତୁମେ କେହି ଅପରାଧୀ ନୁହେଁ, କେବଳ ନିମିତ୍ତି ମାତ୍ର ।

 

ମନୋଯୋଗ ଦେଇ ବ୍ୟାଧ ଏପର୍ଯ୍ୟନ୍ତ ସର୍ପ ଓ ମୃତ୍ୟୁର କଥୋପକଥନ ଶୁଣୁଥିଲା । ଅବଶେଷରେ ବ୍ୟାଧ ଉଭୟଙ୍କୁ ସମ୍ବୋଧନ କରି କହିଲା–

 

ତୁମ୍ଭେ ଦ୍ୱୟ ଯଦି କାଳର ଅଧୀନ, ତାହାଲେ ମୁଁ ଏପରି କୃଦ୍ଧ ହେଉଅଛି କାହିଁକି ? ମୋତେ କାହିଁକି ଏପରି ଇଚ୍ଛା ହେଉଛି କହିବାକୁ ଯେ, ମୃତ୍ୟୁ ତୁମ୍ଭଙ୍କୁ ଧିକ୍‌’, କାହିଁକି ବା ସର୍ପ ବିନାଶ ନିମନ୍ତେ ମୁଁ ଏପରି ତତ୍‌ପର ହୋଇ ଉଠିଛି ?

 

ମୃତ୍ୟୁ କହିଲେ–‘କାଳ’ ଏହି ଜଗତରେ ମନୁଷ୍ୟର ଅନ୍ତର୍ଜଗତ ଓ ବହିର୍ଜଗତ ସମୂହ ଉଦ୍ୟୋଗର ମୂଳ ଅଟେ । ସମସ୍ତ କାଳର ନିୟନ୍ତ୍ରଣାଧୀନ । ‘ମୃତ୍ୟୁ’ ଠାରୁ ‘କାଳ’ ‘କାଳ’ ଏହି ଶବ୍ଦ ଶୁଣି ଶୁଣି ବ୍ୟାଧ ଯେପରି ବିଭ୍ରାନ୍ତ ହୋଇ କଣ କରିବ କିଛି ଠିକ୍‌କରି ପାରୁନଥିଲା । ଏହି ସମୟରେ ସ୍ୱୟଂ ‘କାଳ’ ସେଠାରେ ଆବିର୍ଭୂତ ହୋଇ ସମ୍ବୋଧନ କରି କହିଲେ–

 

ସମସ୍ତେ ମୋ ଉପରେ ଦାୟିତ୍ୱ ଅର୍ପଣ କରି ନିଷ୍କୃତି ଲାଭ ନିମନ୍ତେ କାହିଁକି ପ୍ରଚେଷ୍ଟା କରୁଅଛ ? ମୁଁ ମଧ୍ୟ ଏହି ବିନାଶର କର୍ତ୍ତା ନୁହେଁ । ‘ଜୀବ’ର ବିନାଶର ମୂଳ ତାର ‘କର୍ମ’ । କର୍ମହିଁ ଫଳ ଭୋଗ ନିମନ୍ତେ ଶରୀର ଧାରଣ କରାଇଥାଏ । ଯେପରି କର୍ମ ଜୀବ କରିଥାଏ, ମୋ ମାଧ୍ୟମରେ ସେ ସେହିପରି ଫଳ ଭୋଗ କରିଥାଏ । କର୍ମହିଁ ସୁଖ ଦୁଃଖର କାରଣ । ମନୁଷ୍ୟର କୃତ କର୍ମ ଦେହ ଧାରଣ କରାଇ ଓ ଆୟୁଦେଇ ମନୁଷ୍ୟକୁ ଏହି ଇହଜଗତରୁ ପୁନଶ୍ଚ ମନୁଷ୍ୟକୁ ଫେରାଇ ନେଇଥାଏ । ଏହାର ଗତିରୋଧ କରିବା ସାମର୍ଥ୍ୟ ବା କୃର୍ତ୍ତିତ୍ୱ କାହାର ନାହିଁ । ଏହି ବ୍ରାହ୍ମଣୀ ତନୟା ଯେଉଁ କର୍ମ କରିଅଛି ସେହି କର୍ମଫଳହିଁ ବାଳକର ପ୍ରାଣ ସଂହାର କରିଛି । ଅତଏବ ବାଳକର ମୃତ୍ୟୁ ନିମନ୍ତେ ବାଳକର କର୍ମଫଳ ହିଁ ଦାୟୀ । ନା-ସର୍ପ, ନା-ମୃତ୍ୟୁ, ନା-କାଳ ।

 

ଏହାପରେ ବ୍ୟାଧ ଅର୍ଜ୍ଜୁନକ ନିଶ୍ଚୁପ ରହିଲେ । ପୁତ୍ରଶୋକ ଦଗ୍‌ଧ ଗୌତମୀଙ୍କ ଅନ୍ତରରୁ ଶୋକ ତିରୋହିତ ହେଲା ଏବଂ ସର୍ପ ମଧ୍ୟ ବନ୍ଧନମୁକ୍ତ ହେଲା ।

 

ପିତାମହ ସର୍ବଶେଷରେ କହିଲେ–ଅତଏବ ଧର୍ମରାଜ, ତୁମେ ନିଜକୁ ଶାନ୍ତ କର । ସ୍ଥିର ହୁଅ । ମୋ ଉପଦେଶ ଶ୍ରବଣ କର । ‘‘ନୈବତ୍ୱୟା କୃତମ୍‌ କର୍ମ ନାପି ଦୁର୍ଯ୍ୟୋଧନେନ ବୈ । କଳେ ନୈତତ୍‌କୃତମ୍‌ବିଦ୍ଧ ନିହତା ଯେନ ପାର୍ଥିବାଃ ।’’ ଅର୍ଥାତ୍‌ କୁରୁକ୍ଷେତ୍ର ରଣାଙ୍ଗନରେ ଯାହା ସବୁ ଘଟି ଯାଇଅଛି, ଏହି ସବୁ କର୍ମ କାଳକୃତ ନା ତୁମ୍ଭେ, ନା ଦୁର୍ଯ୍ୟୋଧନ । କାଳହିଁ ସବୁ ଭୂପତି ବର୍ଗଙ୍କୁ ବିନାଶ କରିଛି । ଯେ ଯାହାର ଫଳ କର୍ମାନୁସାରେ ଭୋଗ କରିଛନ୍ତି । ଅତଏବ ତୁମ୍ଭେ ନିମିତ୍ତି ମାତ୍ର-

Image

 

ଇନ୍ଦ୍ର–ଶୁକ୍ର ସମ୍ବାଦ

 

ମାନବ ଜୀବନ ଦୁର୍ଲଭ । ଅଭ୍ୟୁଦୟ ମାନବ ଜୀବନର ଏକମାତ୍ର କାମ୍ୟ ବସ୍ତୁ । ଅଭ୍ୟୁଦୟ ଯେତେ ଅଧିକ ହୋଇଥାଏ, ଜୀବନ ସେତିକି ସାର୍ଥକମୟ ହୋଇ ଉଠେ । ଏହି ସାର୍ଥକମୟ ଜୀବନ ଏ ସଂସାରରେ ଦୁର୍ଲଭ । କିନ୍ତୁ ଏପରି ଅଭ୍ୟୁଦୟ କିପରି ଲାଭ ହୁଏ ?

ଏହି ବିଚିତ୍ର ଜଗତରେ ଅସତ୍‌ କର୍ମର ଆକର୍ଷଣ ଓ ସତ୍‌କର୍ମର ଔଦାର୍ଯ୍ୟ ପରସ୍ପର ବିରୋଧୀ । ସ୍ନେହ, ପ୍ରେମ, ଶ୍ରଦ୍ଧା, ଭକ୍ତି ଓ ଦୟା ସମନ୍ୱୟରେ ଔଦାର୍ଯ୍ୟ ଗୁଣ ମନୁଷ୍ୟକୁ ମହୀୟାନ କରି ଜୀବନକୁ ଧନ୍ୟ କରେ, ଓ ଅସମ୍ଭବକୁ ସମ୍ଭବ କରିଥାଏ । ଏହାର ଉଦାହରଣ ସ୍ୱରୂପ କାଶୀରାଜାଙ୍କର ରାଜ୍ୟରେ ପ୍ରଜାଗଣଙ୍କର ନିର୍ବିବାଦ ଜୀବନ ଯାପନ ।

ସେହି ରାଜ୍ୟରେ ଏକଦା ଏକ ବ୍ୟାଧ ବିଷଲିପ୍ତ ଶର ସହ ବନକୁ ଶିକାର ଉଦ୍ଦେଶ୍ୟରେ ସ୍ୱଗୃହରୁ ନିର୍ଗତ ହୋଇଥିଲା । ବନ ମଧ୍ୟରେ ସେହି ବ୍ୟାଧ ଗୋଟିଏ ହୃଷ୍ଟପୁଷ୍ଟ ମୃଗ ବିଚରଣ କରିବା ଦେଖି, ବୁଦା ଅନ୍ତରାଳରେ ଆତ୍ମଗୋପନ କରି ମୃଗକୁ ଲକ୍ଷ୍ୟ କରି ଶର ନିକ୍ଷେପ କଲେହେଁ ଶରଟି ମୃଗକୁ ବିଦ୍ଧ ନ କରି ଏକ ବିଶାଳ ବୃକ୍ଷତ୍ୱକ୍‌କୁ ଭେଦ କରିଥିଲା । ଭଗ୍ନ ମନୋରଥ ହୋଇ ସେହି ବ୍ୟାଧ ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରିଥିଲା । କିନ୍ତୁ ସେ ଜାଣି ନ ଥିଲା ଯେ ସେହି ବିଷଲିପ୍ତ ଶର ବୃକ୍ଷର କି ପରିମାଣରେ ସର୍ବନାଶ କରିଥିଲା ।

ସେହି ବିଷ ତ୍ୱକ୍‌ର ଅନ୍ତରାଳସ୍ଥ ବୃକ୍ଷର ରସ ଶୋଣିତରେ ଧୀରେ ଧୀରେ ସଞ୍ଚାରିତ ହୋଇଥିଲା, ଫଳରେ ସେହି ବୃକ୍ଷ ପତ୍ରହୀନ, ଓ ଫଳ ଶୂନ୍ୟ ହୋଇ କ୍ଷୀଣକାୟ ହେବାକୁ ଲାଗିଲା । କ୍ରମଶଃ ସେହି ବୃକ୍ଷ କ୍ଷୀଣରୁ କ୍ଷୀଣତର ହେବାକୁ ଲାଗିଲା । ବୃକ୍ଷ କୋଟରସ୍ଥ ଆଶ୍ରିତ ସମସ୍ତ ପକ୍ଷୀଗଣ ସେହି ବୃକ୍ଷ ପରିତ୍ୟାଗ କରିଥିଲେ ହେଁ ଏକ ପ୍ରବୀଣ ଶୁକପକ୍ଷୀ ସେହି ବୃକ୍ଷାଶ୍ରୟ ତ୍ୟାଗ କରି ନଥିଲା ।

ଫଳହୀନ ବୃକ୍ଷରେ ଆହାର ନ ଥିବାରୁ ଶୁକପକ୍ଷୀଟି ମଧ୍ୟ କ୍ଷୀଣକାୟ ହେବାକୁ ଲାଗିଲା-। ଶୁକପକ୍ଷୀର ଏପରି ଆଚରଣରେ ଦେବରାଜ ଇନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ଚିନ୍ତା କଲେ, କେଉଁ କାରଣରୁ ଶୁକପକ୍ଷୀ ବୃକ୍ଷ ତ୍ୟାଗ ନ କରି ବୃକ୍ଷ ସହିତ ନିଜର ଜୀବନ ଉତ୍ସର୍ଗ କରିବା ନିମନ୍ତେ ଉଦ୍ୟତ ହୋଇଅଛି । ସେହି ରହସ୍ୟ ଉଦ୍‌ଘାଟନ ନିମନ୍ତେ ଏକଦା ଦେବରାଜ ଇନ୍ଦ୍ର ଏକ ବ୍ରାହ୍ମଣ ଛଦ୍ମ ବେଶରେ ବନ ମଧ୍ୟସ୍ଥ ସେହି ବୃକ୍ଷ ନିକଟରେ ଉପନୀତ ହେଲେ । କୋଟର ଗତ କ୍ଷୀଣକାୟ ଶୁକ ପକ୍ଷୀକୁ ଦେବରାଜ ପ୍ରଶ୍ନ ପଚାରିଲେ, ‘କଙ୍କାଳ ସର୍ବସ୍ୱ ଏହି ବୃକ୍ଷାଶ୍ରୟ କରି ତୁମେ କାହିଁକି ମୃତ୍ୟୁ ବରଣ କରୁଅଛ ?’

ଶୁକ ବୃକ୍ଷ କୋଟରରୁ ନିର୍ଗତ ହୋଇ ଅଭ୍ୟର୍ଥନା ଜ୍ଞାପନ କରି ବ୍ରାହ୍ମଣଙ୍କୁ କହିଲା, ମୁଁ ଜାଣେ ଆପଣ ଦେବରାଜ ଇନ୍ଦ୍ର । ଆପଣଙ୍କର ଦର୍ଶନ ଲାଭ କରି ମୁଁ ନିଜକୁ ମହାଭାଗ୍ୟବାନ ମନେ କରୁଅଛି ।

ଦେବରାଜଙ୍କ ଛଦ୍ମବେଶ ବୃଥା ହେଲା । ସେ ବୁଝିପାରିଲେ ଯେ ସତ୍ତ୍ୱ ଗୁଣାଧିକାରୀ ଏହି ଶୁକ ଅସାଧାରଣ, ବୁଦ୍ଧିମାନ ଓ କ୍ଷମତା ସଂପନ୍ନ ।

ଶୁକ କହିଲା, ଦେବରାଜ, ଆପଣ ଦେବକୁଳ ଶ୍ରେଷ୍ଠ । ସର୍ବକାଳରେ ଦେବଗଣ ଆପଣଙ୍କର ଶରଣାରତ ଓ ଆପଣଙ୍କର ନ୍ୟାୟ ସଂଗତ ଉପଦେଶ ଦେବଗଣଙ୍କର ସଦା ଶିରୋଧାର୍ଯ୍ୟ । ଆପଣ କିପରି ମୋତେ ଏହି ବୃକ୍ଷ ତ୍ୟାଗ କରିବାକୁ ପରାମର୍ଶ ଦେଉଛନ୍ତି ?

ଦେବରାଜ କହିଲେ, ଏହି ଶୀର୍ଣ୍ଣ ବୃକ୍ଷ ପତ୍ରହୀନ ଓ ଫଳହୀନ । ଏହା ବାସସ୍ଥଳୀର ଅନୁପଯୋଗୀ । ତୁମର ସଙ୍ଗୀ ସାଥୀମାନେ ମଧ୍ୟ ଏହି ସ୍ଥାନ ତ୍ୟାଗ କରି ଯାଇଛନ୍ତି । ଅନତି ଦୂରରେ ଏହି ଅରଣ୍ୟରେ ପତ୍ରଫଳ ସମୃଦ୍ଧ ବୃକ୍ଷମାନ ରହିଅଛି, ଅତଏବ ଅକାରଣରେ ଏହି ବୃକ୍ଷାଶ୍ରୟୀ ହୋଇ ମୃତ୍ୟୁକୁ କାହିଁକି ଆହ୍ୱାନ କରୁଅଛି ?

 

ଦୀର୍ଘ ନିଃଶ୍ୱାସ ତ୍ୟାଗ କରି ଶୁକ କହିଲା, ଦୈବକୁ ଅତିକ୍ରମ କରିବା ମୋର ଅସାଧ୍ୟ । ଏହି ବୃକ୍ଷହିଁ ମୋର ଜନ୍ମସ୍ଥଳୀ । ପିତା ସଦୃଶ ଏହି ବୃକ୍ଷ ମୋତେ ଲାଳନ ପାଳନ କରିଅଛି । ଘୋର ବିପର୍ଯ୍ୟୟରେ ମଧ୍ୟ ଏହି ବୃକ୍ଷ ମୋତେ ଯତ୍ନରେ ରକ୍ଷା କରିଅଛି । କିନ୍ତୁ ବର୍ତ୍ତମାନ ଏହି ବୃକ୍ଷ କ୍ଷୀଣ ଓ ଦୁର୍ବଳ ହେଲେ ମଧ୍ୟ କୃତଘ୍ନ ସଦୃଶ ଏହାକୁ ତ୍ୟାଗ କରିଯିବା ମୋର କଣ ଉଚିତ କାର୍ଯ୍ୟ ହେବ ? ପ୍ରାଣବାୟୁ ନିର୍ଗତ ହେଲେ ମଧ୍ୟ ମୁଁ ଯେ ସଂକଟ କାଳରେ ଆଶ୍ରୟଦାତାକୁ ତ୍ୟାଗ କରି ନାହିଁ ଏହା ଭାବି ଶାନ୍ତି ପାଇବି ।

 

ଶୁକର ଏପରି ବଚନ ଶୁଣି ଦେବରାଜଙ୍କ ମନ ଦ୍ରବୀଭୂତ ହୋଇଥିଲା । ପକ୍ଷୀର ଏପରି ମାନସିକତାରେ ପ୍ରୀତ ହୋଇ ଦେବରାଜ କହିଲେ, ତୁମେ ମୋ ଠାରୁ ବର ପ୍ରାର୍ଥନା କର ।

 

ଶୁକ ଦେବରାଜ କଥା ଶୁଣି ଅତ୍ୟନ୍ତ ଆନନ୍ଦିତ ହୋଇ କହିଲା, ଏହାହିଁ ଯଦି ଆପଣଙ୍କ ଅଭିଳାଷ ତାହେଲେ ମୋର ପ୍ରାର୍ଥନା, ପୂର୍ବପରି ଏହି ବୃକ୍ଷକୁ ଫଳ, ପୁଷ୍ପ, ପତ୍ରରେ ସମୃଦ୍ଧ କରି ଦିଅନ୍ତୁ ।

 

କାଳ ବିଳମ୍ବ ନ କରି ଦେବରାଜ ଇନ୍ଦ୍ର ଅମୃତ ବାରି ସିଞ୍ଚନ କରିବା ଫଳରେ ଶାଖା, ପ୍ରଶାଖା, ପତ୍ର, ପୁଷ୍ପ ଓ ଫଳ ସହ, ସେହି ବୃକ୍ଷ ନବ କଳେବର ଧାରଣ କରିଥିଲା ।

 

ମହାଭାଗ୍ୟବାନ ଶୁକ ମୃତ୍ୟୁ ପରେ ଇନ୍ଦ୍ରଲୋକକୁ ଗମନ କରିଥିଲା ।

 

ପ୍ରାଣ-ସଙ୍ଗହିଁ ଯଥାର୍ଥ ଅଭ୍ୟୁଦୟ ଘଟାଇଥାଏ ଓ ମନୁଷ୍ୟ ଅନ୍ତଃକରଣକୁ ବିଶାଳତା ପ୍ରଦାନ କରିଥାଏ ।

Image

 

ଶୂଦ୍ରମୁନି ସମ୍ବାଦ

 

ପ୍ରସଙ୍ଗାନ୍ତରରେ କୌତୂହଳୀ ଯୁଧିଷ୍ଠିର ଏକଦା ଶରଶଯ୍ୟାଶାୟୀ ପିତାମହ ଭୀଷ୍ମଙ୍କୁ ପଚାରିଥିଲେ ଯେ ବେଦାଧ୍ୟୟନ, ଯାଗଯଜ୍ଞ ଦ୍ୱିଜାତୀୟଙ୍କର କର୍ତ୍ତବ୍ୟ କର୍ମ ଓ ଆଚରଣୀୟ ଧର୍ମ ଏବଂ ‘ସେବା’ ଶୁଦ୍ରର ଶାସ୍ତ୍ରସମ୍ମତ ଧର୍ମ । ଯଦି କୌଣସି ରାଜର୍ଷି ସୌହାର୍ଦ୍ଦ ଓ ମିତ୍ରତା ବଶରେ ଶାସ୍ତ୍ର ବିଧି ଲଂଘନ କରନ୍ତି, ତାହାଲେ ସେ କ୍ଷେତ୍ରରେ କଣ ଫଳ ହୁଏ ?

 

ପିତାମହ ଧର୍ମରାଜଙ୍କର ଏହି ପ୍ରଶ୍ନ ଶୁଣି କହିଲେ, ପାଣ୍ଡବାଗ୍ରଜ ଧର୍ମର ଗତି ଅତି ସୂକ୍ଷ୍ମ ଓ ମନୁଷ୍ୟ ବୁଦ୍ଧିର ଅଗମ୍ୟ । ଦ୍ରଷ୍ଟା ପୁରୁଷ ଋଷି ବର୍ଗଙ୍କର ସୁସ୍ଥିର ଚିନ୍ତା ପ୍ରସୂତ ନିର୍ଦ୍ଦେଶହିଁ ଶାସ୍ତ୍ର ବିଧାନ । ମନୁଷ୍ୟର ଉତ୍କର୍ଷତା ଲାଭ ଓ ସୁସ୍ଥ ଜୀବନ ଯାପନ ନିମନ୍ତେ ମନୀଷୀ ଋଷିଗଣ ସଦା ସଚେଷ୍ଟ । ପ୍ରତ୍ୟେକ ମନୁଷ୍ୟର କେଉଁ ଅଧିକାର ଅଛି, ବା କେଉଁ ଅଧିକାର ନାହିଁ ଏହା ପୂର୍ବରୁ ମନୀଷୀଗଣ ବିଚାର ବିବେଚନା କରି ସ୍ଥିର କରିଯାଇଛନ୍ତି । କିନ୍ତୁ ସେହି ବିଧାନ ଲଂଘନ କରି ଯଦି କୌଣସି ଜ୍ଞାନୀ ପୁରୁଷ କୌଣସି ଅନଧିକାରୀକୁ ତାର ଅନାୟତ ଅଧିକାର ଦିଏ, ତାହେଲେ ଅନାୟତ ଅଧିକାର ଫଳ ସେହି ଜ୍ଞାନୀ ପୁରୁଷହିଁ ଭୋଗ କରିଥାଏ । ଏହି ଦିଗରୁ ଶାସ୍ତ୍ର ଅତି ନିର୍ମମ-

 

ପିତାମହ ପୁନଶ୍ଚ କହିଲେ ଧର୍ମରାଜ, ମୁଁ ଥରେ ୠଷିଙ୍କ ଠାରୁ ସେହିପରି ଏକ ମର୍ମାନ୍ତିକ କାହାଣୀ ଶ୍ରବଣ କରିଥିଲି ।

 

ଯୁଧିଷ୍ଠିର ପ୍ରଶ୍ନକଲେ, ମର୍ମାନ୍ତିକ କାହିଁକି ପିତାମହ ?

 

ପିତାମହ କହିଲେ–ଏକ ମହାଜ୍ଞାନୀ ନିକଟରେ ଏହା କାହିଁକି ଯେ ମର୍ମାନ୍ତିକ ତାହା ସେ କାହାଣୀ ଶୁଣିଲେ ତୁମ୍ଭେ ବୁଝିପାରିବ ।

 

ପିତାମହ କହିଲେ, ହିମାଳୟର ସାନୁଦେଶରେ ନାନା ବୃକ୍ଷ ସମନ୍ୱିତ ଓ ପୁଷ୍ପ ଶୋଭିତ ବିସ୍ତୀର୍ଣ୍ଣ ଏକ ସ୍ଥାନ ୠଷି ମୁନିଗଣଙ୍କର ଆଶ୍ରମ ଓ ଆଶ୍ରୟସ୍ଥଳୀ ଥିଲା । ‘ବାଳଖିଲ୍ୟା’ ମୁନିଙ୍କଠାରୁ ଅନେକ ଜୀବାତ୍ମ ତେଜସ୍ୱୀ ତପସ୍ୱୀଗଣ ସେହି ସ୍ଥାନରେ ନିଜ ନିଜ ଆଶ୍ରମରେ ରହି ସାଧନା ମଗ୍ନ ରହୁଥିଲେ । ପ୍ରଭାତ କାଳରେ ବେଦାଧ୍ୟୟନର ସୁମଧୁର ଗୁଞ୍ଜନରେ ସେହି ଅରଣ୍ୟ ପ୍ରଦେଶ ଗୁଞ୍ଜିରିତ ହୋଇ ଉଠୁଥିଲେ ।

 

ଏକଦା ଏକ ଶୂଦ୍ର ପରିଭ୍ରମଣ କାଳରେ ଆଶ୍ରମ ପ୍ରଧାନଙ୍କ ଆଶ୍ରମରେ ଉପନୀତ ହେଲେ । ସେ ଋଷିବରଙ୍କୁ ସନ୍ନ୍ୟାସ ଧର୍ମରେ ତାଙ୍କୁ ଦୀକ୍ଷା ଦାନ ଦେବାକୁ ଅନୁରୋଧ କଲେ । ଋଷିପ୍ରଧାନ କହିଲେ, ଏହା କିପରି ସମ୍ଭବ ? ତୁମେ ଶୂଦ୍ର ହୋଇଥିବାରୁ ସନ୍ନ୍ୟାସ ଗ୍ରହଣ କରିବା ଅଧିକାର ତୁମ୍ଭର ନାହିଁ କି ମୋର ମଧ୍ୟ ତୁମକୁ ଦୀକ୍ଷା ଦେବାର ଅଧିକାର ନାହିଁ । ସେବାହିଁ ତୁମ୍ଭର ଧର୍ମ । ଏହି ସ୍ଥାନରେ ରହି ସାଧୁ, ମହାତ୍ମାମାନଙ୍କୁ ମନ ପ୍ରାଣ ଦେଇ ସେବାକର । ତାହେଲେ ତୁମେ ସନ୍ନ୍ୟାସ ଧର୍ମ ଫଳ ପ୍ରାପ୍ତ ହେବ ।

 

କିନ୍ତୁ ଶୂଦ୍ରଙ୍କର ତପସ୍ୟା ଓ ସାଧନା ପ୍ରତି ଦୁର୍ବାର ଆକର୍ଷଣ ଥିବାରୁ, ସେ ୠଷିପ୍ରଧାନଙ୍କ ଉପଦେଶରେ ସନ୍ତୁଷ୍ଟ ନହୋଇ ବାଦ ପ୍ରତିବାଦ ନ କରି ସେହି ଆଶ୍ରମ ତ୍ୟାଗ କରିଥିଲେ ହେଁ ଅନତି ଦୂରରେ ଏକ ମନୋରମ ସ୍ଥାନରେ ଏକ ପୂର୍ଣ୍ଣ କୁଟୀର ନିର୍ମାଣ କରି ବସବାସ କଲେ । ସେହି କୁଟୀରରେ ଯଜ୍ଞ ନିମନ୍ତେ ବେଦୀ, ଦେବପୂଜା ନିମନ୍ତେ ଦେବାଳୟ ନିର୍ମାଣ କରି ୠଷି ମୁନି ସଦୃଶ ଜୀବନ ଯାପନ କରିବାକୁ ଲାଗିଲେ । ସଞ୍ଜମୀ ଓ ମିତାହାରୀ ରହି ଯାଗଯଜ୍ଞ, ପୂଜା ଅର୍ଚ୍ଚନା, ଅତିଥିସେବା ଦିନପରେ ଦିନ ନିଷ୍ଠା ସହିତ ପାଳନ ଓ ନିୟମ ନିଷ୍ଠା ସହିତ ପରମାନନ୍ଦରେ ରହିବା ଫଳରେ ତାଙ୍କ କାନ୍ତି ଋଷି ମୁନି ସଦୃଶ ଉଜ୍ଜ୍ୱଳ ହୋଇ ଉଠିଲା । ଦ୍ୱିଜାତି ନ ହୋଇ ମଧ୍ୟ ଯଥା ବିହିତ ପିତୃ ପୁରୁଷଗଣଙ୍କ ଶ୍ରାଦ୍ଧାଦି କରୁଥିଲେ ଓ ସନ୍ନ୍ୟାସ ଧର୍ମରେ ଦୀକ୍ଷିତ ନ ହୋଇ ମଧ୍ୟ ଜଟାଜୁଟ ସମନ୍ୱିତ ଦୀର୍ଘଦେହୀ ଶୂଦ୍ରଙ୍କୁ ଦେଖିଲେ କେହି ମଧ୍ୟ ସେ ଏକ ମୁନି ନୁହନ୍ତି ବୋଲି କହି ପାରୁ ନଥିଲେ ।

 

ସେହି ଶୂଦ୍ରମୁନି ଆଶ୍ରମବାସୀ ହୋଇଥିବାରୁ ଜ୍ଞାନୀଗୁଣୀ ଓ ମୁନି ଋଷି ଗଣ ସେହି ଆଶ୍ରମକୁ ଆସୁଥିଲେ ଓ ଆତିଥ୍ୟ ଗ୍ରହଣ କରୁଥିଲେ । ଏକଦା ଏକ ପରିବ୍ରାଜକ ସନ୍ନ୍ୟାସୀ ତପସ୍ୱୀ ଶୂଦ୍ରମୁନିଙ୍କ ଆଶ୍ରମରେ ଆତିଥ୍ୟ ଗ୍ରହଣ କରିଥିଲେ । ଶୂଦ୍ରମୁନିଙ୍କର ଯଥାଯୋଗ୍ୟ ସେବାରେ ତପସ୍ୱୀ ପରମ ତୃପ୍ତ ହୋଇ ଶୂଦ୍ରମୁନିଙ୍କ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇଥିଲେ । ଶୂଦ୍ରମୁନିଙ୍କ ଆଶ୍ରମ ସେହି ତପସ୍ୱୀଙ୍କ ଏକ ବିଶ୍ରାମସ୍ଥଳୀ ହୋଇଥିଲା ।

 

କିଛିକାଳ ଅତିକ୍ରାନ୍ତ ହେବାପରେ ଏକଦା ଶୂଦ୍ରମୁନି ନିଜର ପିତୃପୁରୁଷଗଣଙ୍କ ଶ୍ରାଦ୍ଧେଦି କର୍ମ କରିଦେବା ପାଇଁ ତପସ୍ୱୀଙ୍କୁ ଅନୁରୋଧ କରିଥିଲେ । ତପସ୍ୱୀ ଏହା ସ୍ୱୀକାର କରିବାରୁ ଶୂଦ୍ରମୁନି ଶ୍ରାଦ୍ଧର ଦ୍ରବ୍ୟାଦି ସଂଗ୍ରହ ନିମନ୍ତେ ତତ୍‌ପର ହେଲେ । ସେ ଶୂଦ୍ରକୁଳରେ ଜନ୍ମ ଗ୍ରହଣ କରିଥିବାରୁ ଶ୍ରାଦ୍ଧ କର୍ମର ‘ଗୁରୁମୁଖୀ’ ବିଦ୍ୟାଜ୍ଞାନ ତାଙ୍କର ନଥିଲା । ତେଣୁ ତପସ୍ୱୀଙ୍କ ନିର୍ଦ୍ଦେଶାନୁସାରେ ଶୂଦ୍ରମୁନି ଶ୍ରାଦ୍ଧ କର୍ମରେ ପ୍ରବୃତ୍ତ ହେଲେ ।

 

ତପସ୍ୱୀଙ୍କ ନିର୍ଦ୍ଦେଶାନୁଯାୟୀ କୁଶ ସ୍ଥାପନଠାରୁ ‘ହବ୍ୟ’ ‘କବ୍ୟା’ଦି ଦାନ ଯଥାଯଥ ଭାବରେ କରିବା ଫଳରେ ଶୂଦ୍ରମୁନି ପିତୃଋଣ ମୁକ୍ତ ହୋଇ ଶ୍ରାଦ୍ଧକର୍ମରେ କୁଶଳୀ ହୋଇ ଉଠିଲେ । ଅତଃପର ତପସ୍ୱୀ ସେହି ସ୍ଥାନ ତ୍ୟାଗ କରିଥିଲେ ଓ ଶୂଦ୍ରମୁନି ଅବଶିଷ୍ଟ ଜୀବନ ଧର୍ମ ପଥ ଅବଲମ୍ବନ କରି ଅତିବାହିତ କରିଥିଲେ ।

 

ପୁନଶ୍ଚ ପିତାମହ କହିଲେ ‘କାଳ’ ହସ୍ତରୁ କେହି ନିସ୍ତାର ପାଇ ନଥାଏ । ମନୁଷ୍ୟ ମରଣଧର୍ମୀ । ଆୟୁ ଶେଷ ହେଲେ ମୃତ୍ୟୁ ଅନିବାର୍ଯ୍ୟ ଓ କୃତଫଳ ଭୋଗ ନିମନ୍ତେ କର୍ମାନୁଯାୟୀ ମନୁଷ୍ୟ ନବଦେହ ଧାରଣ କରି ଜନ୍ମଲାଭ କରିଥାଏ ସଂସାର ଚକ୍ରର ଏହି ବିଧାନ ଅଲଂଘନୀୟ ।

 

ଆୟୁ ଶେଷ ହୋଇ ଥିବାରୁ ତପସ୍ୟା ବିଶୁଦ୍ଧ ସେହି ଶୂଦ୍ର ପୁଣ୍ୟଫଳ ଭୋଗ କରିଥିଲେ ଓ ମରଣାନ୍ତରରେ କର୍ମାନୁଯାୟୀ ଏକ ଖ୍ୟାତିନାମା ରାଜବଂଶରେ ରାଜପୁତ୍ର ଭାବରେ ଜନ୍ମଲାଭ କରିଥିଲେ ।

 

ବାଲ୍ୟକାଳରୁ ରାଜପୁତ୍ର ‘ଜାତିସ୍ମର’ ଥିଲେ । ପୂର୍ବଜନ୍ମର ଶୂଦ୍ରମୁନିଙ୍କ ଅତିଥି ସେହି ତପସ୍ୱୀ କାଳର ଧର୍ମ ପ୍ରହଣ କରି ସେହି ରାଜାଙ୍କର ରାଜପୁରୋହିତ ପୁତ୍ରରୂପେ ଜନ୍ମଗ୍ରହଣ କଲେ । ଅଧୀତ ବିଦ୍ୟା କେବେହେଁ ବିନଷ୍ଟ ହୋଇନଥାଏ । ଶୈଶବରୁ ସେହି ପୁରୋହିତ ପୁତ୍ର ଅସାଧାରଣ ମେଧା ବଳରେ ବେଦାଦି ଗ୍ରନ୍ଥ ଆୟତ କରିଥିଲେ ଓ ନାନା କର୍ମରେ କୁଶଳୀ ଥିଲେ ।

 

ରାଜପୁତ୍ର ମଧ୍ୟ ତାଙ୍କର ମଧୁର ସ୍ୱଭାବ ନିମନ୍ତେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ । ରାଜପ୍ରାସାଦରେ ରହି ଉଭୟ ରାଜପୁତ୍ର ଓ ରାଜ ପୁରୋହିତ ପୁତ୍ର କାଳକ୍ରମେ ଯୌବନାବସ୍ତା ପ୍ରାପ୍ତ ହେଲେ ।

 

ଅତଃପର ରାଜାଙ୍କ ମୃତ୍ୟୁ ପରେ ରାଜପୁତ୍ର ରାଜ ପଦବୀରେ ଅଭିଷିକ୍ତ ହୋଇ ପୁରୋହିତ ପୁତ୍ରକୁ ରାଜପୁରୋହିତ ପଦରେ ବରଣ କଲେ । ଯୁବ ପୁରୋହିତ ରାଜପ୍ରାସାଦରେ ସ୍ୱସ୍ତିବାଚନ, ସ୍ୱାଧ୍ୟାୟ ପଠନ, ଯାଗଯଜ୍ଞ ଓ ରାଜ୍ୟର ମଙ୍ଗଳ ନିମନ୍ତେ ଶାସ୍ତ୍ର ବିହିତ କ୍ରିୟାକର୍ମରେ ସଦା ବ୍ୟସ୍ତ ରହୁଥିଲେ । ମନ୍ତ୍ରୀ ପରିଷଦଙ୍କ ଠାରୁ ଅନ୍ୟାନ୍ୟ ସମସ୍ତ ରାଜ ପୁରୋହିତଙ୍କର କ୍ରିୟା କର୍ମ ଦେଖି ହତବାକ୍‌ ହୋଇଥିଲେ । କିନ୍ତୁ ରାଜା ରାଜପୁରୋହିତଙ୍କର କ୍ରିୟା କର୍ମ ଦେଖି ନୀରବରେ ବା ସମୟ ସମୟରେ ହାସ୍ୟ କରି ଉଠୁଥିଲେ ।

 

ପ୍ରତିଦିନ ରାଜା ପୁରୋହିତଙ୍କ କର୍ମରେ ସର୍ବସମ୍ମୁଖରେ ଉପହାସ ପୂର୍ଣ୍ଣ ହାସ୍ୟ କରୁଥିବାର ରାଜପୁରୋହିତ କ୍ଷୁବ୍‌ଧ ହୋଇ ଏହାର କାରଣ ଜାଣିବା ସୁଯୋଗ ଅପେକ୍ଷାରେ ଥିଲେ-

 

ଏକଦା ଅନ୍ଦର ମହଲରେ ରାଜାଙ୍କୁ ଏକାକୀ ବସିଥିବାର ଦେଖି ରାଜ ପୁରୋହିତ ସେଠାରେ ଉପସ୍ଥିତ ହେଲେ । ଅସମୟରେ ରାଜପୁରୋହିତଙ୍କୁ ଦେଖି ରାଜା ପ୍ରଶ୍ନକଲେ, ଏହି ଅସମୟରେ ଆପଣଙ୍କର ଏଠାକୁ ଆସିବାର କାରଣ କଣ ଜାଣିପାରେ କି ?

 

ପୁରୋହିତ କହିଲେ, ମହାରାଜ ମୋର ଏକ କୌତୂହଳ ନିରାସନ ନିମନ୍ତେ ମୁଁ ଏଠାକୁ ଆସିଅଛି । ରାଜନ୍‌, ଯଦି ଅଜ୍ଞା ଦେବେ ତାହେଲେ ମୁଁ ନିବେଦନ କରିବି ।

 

ପୁରୋହିତ କହିଲେ, ରାଜନ୍‌, ମୋର ପ୍ରତ୍ୟେକ ଧର୍ମ କର୍ମକୁ ଦେଖି ସର୍ବ ସମ୍ମୁଖରେ ଆପଣ ଏପରି ଉପହାସ କାହିଁକି କରୁଛନ୍ତି ? ଗମ୍ଭୀର କଣ୍ଠରେ ରାଜା କହିଲେ, ମୁଁ ଆପଣଙ୍କୁ ଉପହାସ କରି ଲଜ୍ଜିତ କରିବା ମାନସରେ ହାସ୍ୟ କରି ନଥାଏ । ମୋର ହାସ୍ୟ ବିଦ୍ରୂପ ନୁହେଁ । କର୍ମର ଅମୋଘ ଫଳ ଓ ଭାଗ୍ୟର ଦୁର୍ବାର ଗତି ଦେଖି ମୁଁ ହସିଥାଏ । ଆପଣଙ୍କୁ ଦେଖି ସନ୍ତାପିତ ହୋଇ ମୁଁ ହସି ଉଠେ । ମନସ୍ତାପ ଓ ଦୁଃଖରେ ମୁଁ ଏପରି କରିଥାଏ ।

 

ବିସ୍ମିତ ପୁରୋହିତ ମନସ୍ତାପ କାହିଁକି ବୋଲି ପଚାରିଲେ । ରାଜା କହିଲେ ଆପଣଙ୍କର ପୁଣ୍ୟାହ ବଚନ ଶୁଣି ଓ ପୌରୋହିତ୍ୟ କର୍ମ ଦେଖି ମୋର ପୂର୍ବଜନ୍ମ ସ୍ମୃତି ଉଦୟ ହୋଇଥାଏ ।

 

ବିସ୍ମିତ ରାଜପୁରୋହିତ ଅଧିକତର ବିସ୍ମୃତ ହୋଇ ପ୍ରଶ୍ନ କଲେ, ‘ପୂର୍ବଜନ୍ମ’ ? ରାଜା କହିଲେ, ସୌଭାଗ୍ୟବଶତଃ ମୁଁ ଜାତିସ୍ମର ହୋଇ ଜନ୍ମଲାଭ କରିଅଛି । ପୂର୍ବ ଜନ୍ମରେ ମୁଁ ଶୂଦ୍ର କୁଳରେ ଜନ୍ମ ଲାଭ କରି ଆଶ୍ରମବାସୀ ହୋଇ ସଂଯମ ସହିତ ମୁନିବ୍ରତ ପାଳନ କରୁଥିବାରୁ ଏହି ଜନ୍ମରେ ରାଜକୁଳରେ ରାଜସୌଭାଗ୍ୟ ନେଇ ଜନ୍ମ ଲାଭ କରି ପାରିଛି । ପୂର୍ବଜନ୍ମରେ ଆପଣ ଏକ ମହାତେଜସ୍ୱୀ ତପସ୍ୱୀ ଓ ମହଯୋଗୀ ସନ୍ନ୍ୟାସୀ ଥିଲେ । ସେହି ଜନ୍ମରେ ଆପଣ ପ୍ରୀତିବଶରେ ମୋର ଆଶ୍ରମରେ ରହି ଶ୍ରାଦ୍ଧାଦି କର୍ମରେ ମୋର ପୌରୋହିତ୍ୟ କର୍ମ କରିଥିଲେ । ମୁଁ ଶୂଦ୍ର ଥିବାରୁ ସେହି କର୍ମ ସମ୍ବନ୍ଧରେ ଅଜ୍ଞଥିବାରୁ ଆପଣ ମୋତେ କୁଶାଦି ସ୍ଥାପନ ଠାରୁ ‘ହବା କବ୍ୟା’ଦି ଶ୍ରାଦ୍ଧର ବିଧି ବିଧାନ ମାନ ଦେଖାଇ ଓ ଶୁଣାଇ ପିତୃଋଣ ମୁକ୍ତ କରିବା ନିମନ୍ତେ ମୋଦ୍ୱାରା ଶ୍ରାଦ୍ଧ କର୍ମ କରାଇଥିଲେ । ମୁଁ ସେହି କର୍ମର ଅନଧିକାରୀ ହୋଇ ସୁଦ୍ଧା ଆପଣ ଗତ ଜନ୍ମର ମୋଦ୍ୱାରା ସେହି କର୍ମ କରାଇଥିଲେ । ଏହା ଫଳରେ ଆପଣ ବ୍ରାହ୍ମଣ ହୋଇଥିବାରୁ ଆପଣଙ୍କର ଯୋଗ ଐଶ୍ୱର୍ଯ୍ୟ ଭ୍ରଷ୍ଟ ହୋଇଥିଲା ଏବଂ ସେହି ବିପରୀତ କର୍ମ ଫଳ ଯୋଗୁ ଏହି ଜନ୍ମରେ ଆପଣ ମୋର ପୁରୋହିତ ହୋଇ ଜନ୍ମଗ୍ରହଣ କରିଛନ୍ତି । ସେଥିପାଇଁ ଆପଣଙ୍କୁ ଦେଖିଲେ ମୋର ଦୁଃଖ ହୁଏ ଓ ଦୁଃଖରେ ମୁଁ ହସିଥାଏ ।

 

ପିତାମହ କହିଲେ, ଧର୍ମରାଜ, ଏହା ଶୁଣି ରାଜପୁରୋହିତ ବିମର୍ଷ ହୋଇଥିଲେ । ପରଜନ୍ମରେ ପୁନଶ୍ଚ ଆଉ ଅଧିକ କର୍ମଫଳ ଭୋଗ କରିବାକୁ ହେବ, ଏହି ଆଶଙ୍କାରେ ପୁରୋହିତଙ୍କ ମନ ଧିକ୍‌କାର ପୂର୍ଣ୍ଣ ହୋଇଥିଲା ।

 

ଅବଶିଷ୍ଟାଂଶ କାହାଣୀ ଧର୍ମରାଜ ଶୁଣିବାକୁ ନିମନ୍ତେ କୌତୂହଳୀ ହେବାରୁ ପିତାମହ କହିଲେ, ଅତଃପର ସେହି ରାଜପୁରୋହିତ ବିମର୍ଷ ଚିତ୍ତରେ ରାଜପ୍ରାସାଦ ତ୍ୟାଗ କରି ଏକ ନିର୍ଜନ ବନରେ କଠୋର ତପସ୍ୟାରତ ହୋଇଥିଲେ ଓ ଅବଶେଷରେ ସିଦ୍ଧି ଲାଭ କରିଥିଲେ ।

 

ତେଣୁ ଦ୍ୱିଜ ଜାତିକୁ ସୂକ୍ଷ୍ମ ଦ୍ରଷ୍ଟା ଋଷିଗଣ ସତର୍କ ବାଣୀ ଶୁଣାଇଛନ୍ତି, ଯଜ୍ଞ କର୍ମରେ ଅନଧିକାରୀ ଶୁଦ୍ରବର୍ଗଙ୍କ ଚିତ୍ତ ନିର୍ମଳ ନୁହେଁ ଓ ଅନ୍ତଃକରଣ ଶୁଦ୍ଧ ନୁହେଁ । ଅତଏବ ସେମାନଙ୍କୁ କେବେହେଁ ଯଜ୍ଞୋପଦେଶ ଦେବ ନାହିଁ, ନଚେତ୍‌ ଫଳ ବିଷମୟ ହେବ ।

Image

 

କପିଳ–ସ୍ୟୁମରଶ୍ମି ସମ୍ବାଦ

 

ଏକ ଦିଗରେ ସ୍ତ୍ରୀ ପୁତ୍ର ପରିଜନ ନେଇ ସଂସାର ଅରଣ୍ୟରେ ନିଷ୍ଠା ଓ ସତତା ସହିତ ଗାର୍ହସ୍ଥ୍ୟ ଧର୍ମ ପାଳନ କରିବାରେ ଯେପରି ଏକ ଶ୍ରେଣୀର ମନୁଷ୍ୟ ଦେଖାଯାନ୍ତି, ଅନ୍ୟ ଦିଗରେ ସେହିପରି ସଂସାର ବିରାଗୀ, ଦାରା-ପୁତ୍ର, ପରିଜନଙ୍କର ପ୍ରେମପ୍ରୀତି ଆସ୍ୱାଦ ବିମୁଖ, ନିର୍ଲିପ୍ତ ଅନ୍ୟ ଏକ ଶ୍ରେଣୀ ମନୁଷ୍ୟ ମଧ୍ୟ ଦେଖା ଯାଇଥାନ୍ତି । ଯେଉଁମାନେ ସଂସାର ବିରାଗୀ ସେମାନେ ନିରବଚ୍ଛିନ୍ନ ଜ୍ଞାନ ବଳରେ ଯୋଗ ମାର୍ଗରେ ରହି ଜୀବନ ଅତିବାହିତ କରନ୍ତି । ଏହି ଗୃହତ୍ୟାଗୀ ବିରାଗୀ ନିରନ୍ତର ଜନ୍ମ ମୃତ୍ୟୁର କ୍ଳେଶାବର୍ତ୍ତକୁ ଅତିକ୍ରମ କରି ଭୂମାନନ୍ଦରେ ବିଭୋର ହୋଇଥାନ୍ତି । ସେହିପରି ଗୃହୀ ବେଦବିହିତ ଗାର୍ହସ୍ଥ୍ୟ ଧର୍ମ ଆଶ୍ରୟ କରି ପରମ ତୃପ୍ତି ଲାଭ ମଧ୍ୟ କରିଥାନ୍ତି ।

 

ମନୁଷ୍ୟ ମନ ମଧ୍ୟରେ ସ୍ୱତଃ ପ୍ରଶ୍ନ ଉଠେ, କେଉଁ ପନ୍ଥା ଶ୍ରେଷ୍ଠ ଗାର୍ହସ୍ଥ୍ୟ ନା ସନ୍ନ୍ୟାସ । ଏକଦା ଏହିପରି ଏକ ପ୍ରଶ୍ନ ଧର୍ମରାଜ ଯୁଧିଷ୍ଠିରଙ୍କ ମନରେ ଜାତ ହେବାରୁ ସେ ଶରଶଯ୍ୟାଶାୟୀ ପିତାମହ ଭୀଷ୍ମଙ୍କୁ ପଚାରି ସଂଶୟ ମୋଚନ ନିମନ୍ତେ ଆଗ୍ରହୀ ହେଲେ । ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କର ସଂଶୟ ମୋଚନ ନିମନ୍ତେ ସ୍ୱୀୟ ଜ୍ଞାନ ଭଣ୍ଡାରରୁ ଏହି ସମସ୍ୟା ସମାଧାନ ନିମନ୍ତେ ଏକ ସଂବାଦ ପରିବେଷଣ କରିଥିଲେ ।

 

ପିତାମହ କହିଲେ–ଧାର୍ମିକ ପ୍ରବର ‘ରାଜା ନହୁଷ’ ସସାଗରା ପୃଥିବୀ ଅଧିପତି ଥିଲେ । ପ୍ରଜାଗଣଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ବିଧାନ ଓ ଅତିଥି ଅଭ୍ୟାଗତ ଆପ୍ୟାୟନରେ ରାଜା ନହୁଷଙ୍କର ଅତୁଳନୀୟ ନିଷ୍ଠା ଓ ସତତା ଥିଲା । ନହୁଷଙ୍କର ମଧ୍ୟ ବେଦଗ୍ରନ୍ଥରେ ଅସାଧାରଣ ପାଣ୍ଡିତ୍ୟ ଥିଲା । ପ୍ରତ୍ୟେକ କ୍ଷେତ୍ରରେ ସେ ବେଦର ଅନୁଶାସନ ଯଥାଯଥ ପାଳନ କରୁଥିଲେ ।

 

ଏକଦା ଋଷି ‘ତଷ୍ଟ୍ୱା’ ରାଜ ପରିବାରରେ ଆତିଥ୍ୟ ଗ୍ରହଣ କରିଥିଲେ । ବେଦବିଧି ଅନୁସାରେ ଅତିଥିଙ୍କର ଯଥାଯୋଗ୍ୟ ଆପ୍ୟାୟନ ଗୃହୀର ଧର୍ମ ହୋଇଥିବାରୁ ‘ରାଜା ନହୁଷ’ ଅତିଥିଙ୍କ ସତ୍କାର ନିମନ୍ତେ ଗୋମାଂସରେ ଅତିଥି ଯଜ୍ଞ ସମ୍ପାଦନ କରିବା ନିମନ୍ତେ ଗୋଶାଳାରୁ ଏକ ହୃଷ୍ଟପୁଷ୍ଟ ଗାଭୀ ଆଣିବାକୁ ଆଦେଶ ଦେଲେ । କାରଣ ବେଦ ମତରେ ଗାର୍ହସ୍ଥ୍ୟ ଆଶ୍ରମରେ ଅତିଥି ସେବାହିଁ ଶ୍ରେଷ୍ଠ ଧର୍ମ । ଅତିଥି ପରିତୁଷ୍ଟ ହେଲେ ସ୍ୱର୍ଗଲାଭ ହୁଏ ।

 

ସେହି ସମୟରେ ସର୍ବଜନ ପରିଚିତ ଜ୍ଞାନୀ, ମିତାହାରୀ, ସଂଯମୀ ମହାଜ୍ଞାନୀ କପିଳ ମୁନି ରାଜପରିବାରରେ ଅବସ୍ଥାନ କରୁଥିଲେ । ସେ ନୀରବ ଦ୍ରଷ୍ଟା ହୋଇ ସବୁ ଦେଖୁଥିଲେ, କିନ୍ତୁ ଅତିଥିସେବା ପାଇଁ ରାଜା ଗୋ-ଶାଳାରୁ ଏକ ପ୍ରାଣବନ୍ତ ଗାଭୀ ଆଣି ବଧ କରିବାକୁ ଉଦ୍ୟତ ହେବା ଦେଖି ଋଷିଙ୍କର ମୁଖରୁ ସ୍ୱତଃ ବାଣୀ ନିଃସୃତ ହୋଇଥିଲା-‘ହାୟ ବେଦ’ । ରାଜା ଓ ଋଷି ତଷ୍ଟ୍ୱା ଏହି ଅନୁଚ୍ଚ ବାଣୀ ଶ୍ରବଣ କରି ବିସ୍ମିତ ନେତ୍ରରେ ମହର୍ଷିଙ୍କୁ ନିରୀକ୍ଷଣ କଲେ । ଅଧିକତର ବିସ୍ମୟରେ ଉପସ୍ଥିତ ସମସ୍ତେ ଦେଖିଲେ ଯେ ଦଣ୍ଡାୟମାନ ବଧ୍ୟ ଗାଭୀ ମଧ୍ୟ ମହର୍ଷିଙ୍କୁ ସ୍ଥିର ଦୃଷ୍ଟିରେ ଦେଖୁଅଛି । ଗାଭୀଟି ଅସ୍ୱାଭାବିକ ବୋଲି ସେଠାରେ ଉପସ୍ଥିତ ସମସ୍ତଙ୍କର ଧାରଣା ହେଲା । ପରମୁହୂର୍ତ୍ତରେ ଗାଭୀ ମୁଖରୁ ମନୁଷ୍ୟ କଣ୍ଠସ୍ୱର ନିଃସୃତ ହେଲା । ଗାଭୀ କହିଲା, ମହର୍ଷି କପିଳ, ଆପଣ ମହାଜ୍ଞାନୀ, ବେଦବିଦ୍‌ହୋଇ ମଧ୍ୟ ବେଦ ଉଦ୍ଦେଶ୍ୟରେ ଏପରି ‘ହାୟ’ ‘ହାୟ’ କରି ଉଠିଲେ କାହିଁକି ? ତାପସଗଣ ଶମ-ଦମନଶୀଳ ଧୈର୍ଯ୍ୟବାନ ପୁରୁଷ । ସେମାନଙ୍କର ଦୃଷ୍ଟି ଶ୍ରୁତି ବିଜ୍ଞାନ ସମ୍ପନ୍ନ ଓ ବେଦକୁ ସେହିମାନେ ପରମେଶ୍ୱରଙ୍କର ନିଃଶ୍ୱାସଭୂତ ବାଣୀ ରୂପେ ମାନ୍ୟ କରିଥାନ୍ତି । କାରଣ ବେଦ ନିର୍ଦ୍ଦିଷ୍ଟ କର୍ମ ମଧ୍ୟରେ ହିଁ ମୁକ୍ତି ବିଦ୍ୟମାନ । କିନ୍ତୁ ଆପଣ ବେଦବିଦ୍‌ ହୋଇ ମଧ୍ୟ କିପରି ଏପରି ବୀର ବିପରୀତ କାବ୍ୟ ଉଚ୍ଚାରଣ କଲେ ?

 

ଗାଭୀର ବଚନ ଶୁଣି ମହର୍ଷି କପିଳଙ୍କର ମୁଖ ମଣ୍ଡଳରେ କୌଣସି ଚାଞ୍ଚଲ୍ୟ ଦେଖାଗଲା ନାହିଁ । ସେ ସ୍ୱାଭାବିକ ଭାବରେ ମୃଦୁ ହାସ୍ୟ କରି ଗାଭୀ ଉଦ୍ଦେଶ୍ୟରେ କହିଲେ, ବିପରୀତ ବାକ୍ୟ ଉଚ୍ଚାରଣ କରି ବେଦର ମୁଁ ଅବମାନନା କରି ନାହିଁ ବ୍ରାହ୍ମଣ । ମୁଁ ଜାଣେ ଯେ ବେଦବିହିତ ବ୍ରହ୍ମଚର୍ଯ୍ୟ, ଗ୍ରାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ନ୍ୟାସ, ସୁଖ ଓ ଶାଶ୍ୱତ ଶାନ୍ତିଲାଭର ସନାତନ ପନ୍ଥା ଓ ପ୍ରତ୍ୟେକ ପନ୍ଥାରେ ବେଦ ନିହିତ କର୍ମ କୌଶଳ ମଧ୍ୟ ସ୍ୱତନ୍ତ୍ର । ଫଳ ଉଦ୍ଦେଶ୍ୟରେ ‘ବେଦ’ ସେହି ସବୁ କର୍ମ କୌଶଳର ବିଧାନ ଦେଇଛି ଓ କେଉଁ ମାର୍ଗ ଶ୍ରେୟ ଓ ପ୍ରେୟ, କେଉଁ ମାର୍ଗ ବିଶେଷ ଓ ନିର୍ବିଶେଷ, ଏସବୁ ପ୍ରଶ୍ନର ଉତ୍ତର ବେଦ ନିହିତ । ମୁଁ ଜାଣିଅଛି ଯେ ଯଜ୍ଞାଦି କର୍ମ ବେଦ ବିହିତ ଓ ବେଦ ହିଁ ଦ୍ୟୁତିମାନ ଦିବ୍ୟପୁରୁଷଙ୍କର ତୁଷ୍ଟି ସାଧନ ନିମନ୍ତେ ନାନାବିଧ ଯାଗଯଜ୍ଞ ପ୍ରବର୍ତ୍ତନ କରିଅଛି । ଅପରାପର ଧର୍ମଗ୍ରନ୍ଥ ବେଦକୁ ଅନୁସରଣ କରି ବିଧି ବିଧାନକୁ ପ୍ରାଞ୍ଜଳ କରିଅଛି ମାତ୍ର । ବେଦରେ ଯେପରି ଯଜ୍ଞ କର୍ମରେ ପ୍ରାଣୀବଧ, ପ୍ରାଣହିଂସା ବିଧେୟ ସେହିପରି ବେଦବାଣୀ ଅଛି ଯେ ପ୍ରାଣୀହିଂସା ଓ ପ୍ରାଣୀବଧ ପରିଣତି ମଧ୍ୟ ଭୟାବହ । ଏକ ବେଦରେ ବିପରୀତ ବାଣୀ ଥିବାରୁ ତାହାର ବଳାବଳ ଜାଣିବାର ପ୍ରୟୋଜନ ନାହିଁକି ? ‘ଆଲମ୍ବନ’ ଅର୍ଥାତ୍‌ ପ୍ରାଣୀହିଂସା, ହିଂସା ଉଦ୍ରେକ କରେ ନାହିଁକି ? କେବେହେଁ ପ୍ରତ୍ୟକ୍ଷ ଅନୁଭବ କରିଅଛି କି ହିଂସାଶ୍ରୟୀ ହୋଇ ଶ୍ରେୟ ଲାଭ ହୋଇଥାଏ ?

 

ଗାଭୀର ଅନ୍ତରାଳବର୍ତ୍ତୀ ଦ୍ୱିଜଶ୍ରେଷ୍ଠ ‘ସ୍ୟୁମରଶ୍ମି’ ଏକ ନିଷ୍ଠାବାନ ବ୍ରାହ୍ମଣ ଥିଲେ । ମହର୍ଷି କପିଳ ଦିବ୍ୟ ଦୃଷ୍ଟିରେ ଏହା ପୂର୍ବରୁ ଜାଣିଥିଲେ, କିନ୍ତୁ ରାଜସଭାରେ ସେ ଅଜ୍ଞାନୀ ସଦୃଶ ଛଳନା କରି ରହିଥିଲେ । ଗାଭୀ ମୁଖରୁ ମନୁଷ୍ୟବାଣୀ ନିଃସୃତ ହେବାର ଦେଖି ‘ରାଜା ନହୁଷ’ ଅତିଥି ଭୋଜନ ସ୍ଥଗିତ ରଖି ବିଭ୍ରାନ୍ତିରେ ନୀରବ ହୋଇ ରହିଲେ । ଅଧିକନ୍ତୁ ଗାଭୀକୁ କପିଳ ବ୍ରାହ୍ମଣ ସମ୍ବୋଧନ କରିଥିବାରୁ ରାଜା ନହୁଷ କିଂକର୍ତ୍ତବ୍ୟ ବିମୂଢ଼ ହୋଇଗଲେ ।

 

ପୁନଶ୍ଚ ଗାଭୀରୂପୀ ସ୍ୟୁମରଶ୍ମି କହିଲେ, ମହର୍ଷି, ରାଜା ନହୁଷ ଗାର୍ହସ୍ଥ୍ୟ ଧର୍ମପାଳନ ଓ ଅତିଥି ଯଜ୍ଞ ସମ୍ପାଦନ ପାଇଁ ଗାଭୀ ‘ଆଲମ୍ବନ’ ବ୍ୟବସ୍ଥା କରିଥିଲେ । ଏଠାରେ ରାଜାଙ୍କର ରସନା ତୃପ୍ତି ଉଦ୍ଦେଶ୍ୟ ନଥିଲା । ‘ଶ୍ରୁତି’ରେ କୁହାଯାଇଛି, ଅତିଥି ଯଜ୍ଞ ଗୃହୀ ନିଷ୍ଠା ସହିତ ପାଳନ କଲେ ସ୍ୱର୍ଗସୁଖ ଲାଭ କରେ ଏବଂ ଏହି ସୁଖ ହିଁ ମନୁଷ୍ୟ ମାତ୍ରେ ହିଁ କାମ୍ୟ ବସ୍ତୁ । ପୁନଶ୍ଚ ‘ଶ୍ରୁତି’ରେ ଯଜ୍ଞ ବ୍ୟବସ୍ଥା ଓ କର୍ମ ପ୍ରଣାଳୀର ନିର୍ଦ୍ଦେଶମାନ ରହିଅଛି ଓ ଅତିଥିଙ୍କୁ ବଞ୍ଚିତ ନ କରିବାକୁ ପ୍ରକାରାନ୍ତରେ ନିର୍ଦ୍ଦେଶ ଅଛି । ‘ଶ୍ରୁତି’ରେ ‘ପ୍ରାଣୀ ଅନ୍ନ’ ହିସାବରେ ଛଗଳ, ଘୋଟକ, ମେଷ ଓ ଗାଭୀ ଏ ଚତୁଷ୍ପଦ ତୃଣଭୋଜୀ ପ୍ରାଣୀ ଓ ଖେଚର ମଧ୍ୟରୁ ପକ୍ଷୀ, ପୁନଶ୍ଚ ଭୂମିଜାତ ଦ୍ରବ୍ୟ ମଧ୍ୟରୁ ଧାନ, ଯବ, ଫଳ ମୂଳାଦି ପ୍ରାଣୀ ଅନ୍ନ ହିସାବରେ ବିଧାନ ଦେଇଅଛନ୍ତି ।

 

ପ୍ରଥମରେ ଶ୍ରୁତି ମତରେ ସ୍ୱୟଂ ପ୍ରଜାପତି, ଦେବଗଣଙ୍କ ସାହାଯ୍ୟରେ ଯଜ୍ଞ ସମ୍ପାଦନ କରି ଗୃହସ୍ଥ ସଂସାରୀଙ୍କୁ ଦ୍ୟୁତମାନ କରିଥିଲେ ଓ ସେହି ଗୃହସ୍ଥ ସଂସାରୀ ଗଣ ବେଦ ନିହିତ ବିଧିବିଧାନ ପାଳନ କରି ଦ୍ୟୁତିମାନ ହୋଇଥିଲେ । ପରବର୍ତ୍ତୀ କାଳରେ ଯଜମାନ ସୁଖ ସମୃଦ୍ଧି ପାଇଁ ଯଜ୍ଞ ସମ୍ପାଦନା ଦାୟିତ୍ୱ ବ୍ରାହ୍ମଣ ଉପରେ ନ୍ୟସ୍ତ ହୋଇଅଛି । କାରଣ ବ୍ରାହ୍ମଣ ‘ଭାଗ’ରୁ ହିଁ ଯଜ୍ଞର ଉଦ୍‌ଭବ । ସ୍ୱୟଂ ଭଗବାନ ଯଜ୍ଞ ସ୍ରଷ୍ଟା । ଯେଉଁ ଯଜମାନ, ବ୍ରାହ୍ମଣ ପୁରୋହିତ ଦାୟିତ୍ୱରେ ସ୍ୱୟମ୍ଭୁ ନିର୍ଦ୍ଦିଷ୍ଟ ଉପକରଣ ସଂଗ୍ରହ କରି ଯଜ୍ଞ ସମ୍ପାଦନ କରେ, ସେ ଭଗବତ ପ୍ରାପ୍ତି ବା ସ୍ୱର୍ଗସୁଖ ଲାଭ ଉଦ୍ଦେଶ୍ୟରେ ହିଁ ଯଜ୍ଞ କର୍ମ କରିଥାଏ । ପୁନଶ୍ଚ ବେଦରେ ଅଛି କର୍ମପ୍ରବୃତ୍ତ ରହିବା ଶ୍ରେଷ୍ଠ ଧର୍ମ । ଶ୍ରୁତି ବାକ୍ୟାନୁସାରେ ‘ଅନୁଯଜ୍ଞଂ ଜଗତ୍‌ ସର୍ବମ୍‌, ଯଜ୍ଞଶ୍ୱାନୁ ଜଗତ୍‌ସଦା’’ । ଅର୍ଥାତ୍‌ ଏହି ଜଗତ ଯଜ୍ଞକୁ ଅନୁସରଣ କରି ଓ ଯଜ୍ଞ ଜଗତକୁ ଅନୁସରଣ କରି ଚାଲିଛି । ଯଜ୍ଞ ହିଁ ଜଗତ୍‌ସ୍ଥିତିର ମୂଳ ଓ ଯଜ୍ଞର ବିଧିବିଧାନ ଅନୁସରଣ କରିବାହିଁ କର୍ତ୍ତବ୍ୟ କର୍ମ । ପୁନଶ୍ଚ ଶ୍ରୁତି ବାକ୍ୟାନୁସାରେ ଅହିମିକାକୁ ବର୍ଜନ କରି, ଅହଂଜାତ କାମନା ବିସର୍ଜନ ଦେଇ କର୍ମ ସାଧନ କଲେ ସେହି କର୍ମରେ ବିକୃତ ଓ ଅବିଳ ମାନସିକତାର ଅବକାଶ ନଥାଏ । ବେଦର ନିର୍ଦ୍ଦେଶାନୁସାରେ ବିଚାର ଶୂନ୍ୟ ହୋଇ ବିଧି ବିଧାନ ମାନି, ନିତ୍ୟ ଯଜ୍ଞ କରିବା ବିଧେୟ । ବେଦକୁ ପ୍ରମାଣ ସ୍ୱରୂପ ମାନି ଯେଉଁ ବ୍ୟକ୍ତି ଯଜ୍ଞ କର୍ମ କରିଥାଏ ସେହି ବ୍ୟକ୍ତି ପ୍ରବୃତ୍ତି, ନିବୃତ୍ତି ଶୂନ୍ୟ ହୋଇଥାଏ । ମୁଁ ସେହି ବିଶ୍ୱାସରେ ମହର୍ଷିଙ୍କ ଉକ୍ତିଙ୍କୁ ଅନ୍ତର୍ନିହିତ ଅର୍ଥରେ ପ୍ରତିବାଦ କରିଅଛି ।

 

‘ସ୍ୟୁମରଶ୍ମି’ଙ୍କର ବେଦ ଓ ଯଜ୍ଞ ସମ୍ବନ୍ଧରେ ସାରଗର୍ଭ ବଚନମାନ ଶୁଣି ମହର୍ଷି କପିଳ କହିଲେ, ବ୍ରାହ୍ମଣ, ତୁମ କଥାରୁ ମନେହୁଏ ଯେ ତୁମ୍ଭେ ଅଜ୍ଞାନୀ ନୁହେଁ । କିନ୍ତୁ ତୁମେ ଏହା କଣ ଅସ୍ୱୀକାର କରି ପାରିବ ଯେ ଲୌକିକ ଉପକରଣଦ୍ୱାରା ଯେଉଁ କର୍ମ ମନୁଷ୍ୟ ଯେଉଁ ଭାବରେ ସମ୍ପାଦନା କଲେ ମଧ୍ୟ ତାହା ‘ରଜ’ଗୁଣ ବିମୁକ୍ତ ? ସୁତରାଂ ଏହି ରଜଗୁଣାତ୍ମକ କର୍ମହିଁ ମନୁଷ୍ୟକୁ ଶୋକ-ଦୁଃଖ, ହର୍ଷବିଷାଦ ଭୋଗ କରାଇଥାଏ । ଏହା କଣ ଅସ୍ୱୀକାର୍ଯ୍ୟ ?

 

ସ୍ୟୁମରଶ୍ମି ଉତ୍ତରରେ ନା କହିଲେ ।

 

ପୁନଶ୍ଚ ଋଷି କପିଳ କହିଲେ, ତୁମ୍ଭେ ମୋତେ ଜ୍ଞାନ ମାର୍ଗରେ ବଚନମାନ ଶୁଣାଇଛ । ଇନ୍ଦ୍ରିୟ ସଂଯମ କରି ଯେଉଁ ମାର୍ଗ ସନ୍ନ୍ୟାସୀ ଅବଲମ୍ବନ କରିଥାନ୍ତି, ସେହି ମାର୍ଗରେ ସେମାନେ ଶୋକ, ଦୁଃଖ ଅତିକ୍ରମ କରି ବ୍ରହ୍ମ ସ୍ୱରୂପ ହୋଇ ବ୍ରହ୍ମନନ୍ଦରେ ରହିଥାନ୍ତି । ସେହି ସନ୍ନ୍ୟାସ ମାର୍ଗ ଅବଲମ୍ବନ ପାପ, ପୁଣ୍ୟ ଶୂନ୍ୟ, ଓ ଦ୍ୱନ୍ଦ୍ୱହୀନ ହୋଇ, ପର ମଧ୍ୟରେ ନିଜକୁ ଓ ନିଜ ମଧ୍ୟରେ ପରକୁ ଦେଖି ବିଶ୍ୱଜନନୀ ଭାବରେ ସମାହିତ ହୋଇ ପରମ କଲ୍ୟାଣ ଲାଭ କରିଥାନ୍ତି । ଏପରି ଅବସ୍ଥାରେ ‘‘ଗାର୍ହସ୍ଥେ କିଂ ପ୍ରୟୋଜନମ୍‌’’ ।

 

ସ୍ୟୁମରଶ୍ମି କପିଳ ମୁନିଙ୍କ କଥା ଶୁଣି କହିଲେ–ୠଷିବର । କର୍ମମୟ ଜୀବନର ଆସ୍ୱାଦ ଉପଭୋଗ ନକରି, କର୍ମହୀନ ସନ୍ନ୍ୟାସ ଧର୍ମ ଅବଲମ୍ବନ କଲେ ‘ପୁରୁଷାର୍ଥ’ ଲାଭ ହୋଇ ନଥାଏ । ଗୃହସ୍ଥାଶ୍ରମରେ ଗୃହସ୍ଥ ବେଦବିହିତ କର୍ମ ପାଳନ କରି ମଧ୍ୟ ଜ୍ଞାନୀ ହୋଇ ପରମ ତତ୍ତ୍ୱକୁ ଜାଣିବାର ଅବକାଶ ପାଇଥାଏ । ଅତଏବ ମୋ ମତରେ ଏହି ଗୃହସ୍ଥାଶ୍ରମ ସବୁକିଛିର ମୂଳ ଉପାଦନ । ନଚେତ୍‌ ‘ବେଦ’ ଏହି ମାର୍ଗ ଅବଲମ୍ବୀଙ୍କୁ ଯଜ୍ଞ କର୍ମ ନିମନ୍ତେ ନିର୍ଦ୍ଦେଶ ଦେଇ ନଥାନ୍ତା । ଗୃହସ୍ଥାଶ୍ରମରେ ମଧ୍ୟ କର୍ମ ବେଦମନ୍ତ୍ର ବ୍ୟତୀତ ସମ୍ପାଦିତ ହୋଇନଥାଏ । ଗର୍ଭାଧାନ, ସନ୍ତାନ ଉତ୍ପାଦନ, ବଂଶରକ୍ଷା, ଶ୍ରାଦ୍ଧ, ତର୍ପଣ ଆଦି ଇହଲୌକିକ ଓ ପାରିଲୌକିକ କର୍ମ ବେଦମନ୍ତ୍ରଦ୍ୱାରା ହିଁ ସମ୍ପାଦିତ ହୁଏ । ଶ୍ରୁତି ମତରେ ଦେବତା, ପିତୃଗଣ ଓ ଗୁରୁଙ୍କ ନିକଟରୁ ଜନ୍ମ ସୂତ୍ରରେ ଋଣ ନେଇ ମନୁଷ୍ୟ ଜନ୍ମ ଗ୍ରହଣ କରିଥାଏ । କିନ୍ତୁ କର୍ମତ୍ୟାଗ କରି ସନ୍ନ୍ୟାସ ନେଲେ ସେହି ଋଣକୁ କେବଳ ପ୍ରବଞ୍ଚନା କରାହୁଏ । ଗୃହସ୍ଥାଶ୍ରମରେ ରହି ଏହି ଋଣର ବିହତ କର୍ମାନୁଷ୍ଠାନ ନ କରିବାଦ୍ୱାରା ମନୁଷ୍ୟ ଋଣମୁକ୍ତ ହୋଇ ନଥାଏ । ଋଣମୁକ୍ତ ନହେଲେ ମୋକ୍ଷ ବା ପରମ ପୁରୁଷାର୍ଥ ଲାଭ ହୋଇ ନଥାଏ । ମୋର ଅନୁମାନ ଯେଉଁମାନେ ଶ୍ରୀହୀନ ଅଳସ ପଣ୍ଡିତ ସେହିମାନେ ହିଁ, ଗ୍ରାର୍ହସ୍ଥ୍ୟ ଧର୍ମ ତ୍ୟାଗର ପରାମର୍ଶ ଦେଇଥାନ୍ତି । ମୋ ମତରେ, ନ ବେଦାନଂ ପରିଭବାନ୍ନ ଶାଠ୍ୟେନ ନ ମାୟୟା / ମହତ୍‌ ପ୍ରାପ୍ନୋତି ପୁରୁଷୋ ବ୍ରାହ୍ମଣ ବ୍ରହ୍ମ ବନ୍ଦତି ।’’ ଅର୍ଥାତ୍‌ ବେଦକୁ ଅନାଦର ବା ଅବମୂଲ୍ୟାୟନ କରି ଶଠତା, ମାୟା ଅର୍ଥାତ୍‌ ଛଳ କପଟତାର ଆଶ୍ରୟ ନେଲେ ପରଂବ୍ରହ୍ମ ବା ପରମାତ୍ମା ଲାଭ ହୋଇ ନଥାଏ । ବେଦ ବିହତ କର୍ମାନୁଷ୍ଠାନରେ ପରଂବ୍ରହ୍ମ ଲାଭ ହୁଏ ।

 

ସ୍ୟୁମରଶ୍ମିଙ୍କ ବଚନ ଶୁଣି କପିଳ କହିଲେ, ସନ୍ନ୍ୟାସଧର୍ମ କାମନାହୀନ ଓ ସ୍ୱାର୍ଥବୋଧହୀନ । ସନ୍ନ୍ୟାସ ଧର୍ମାବଲମ୍ବୀ ବିଶ୍ୱର ପ୍ରତ୍ୟେକ ଜୀବାତ୍ମାକୁ ଜ୍ଞାନଦୃଷ୍ଟି ବଳରେ ନିଜ ଆତ୍ମାରୂପରେ ଦେଖିଥାନ୍ତି । କର୍ମ ମନୁଷ୍ୟକୁ କର୍ମବନ୍ଧନରେ ଆବନ୍ଧ ରଖି କ୍ରମଶଃ ପ୍ରବୃତ୍ତି ମାର୍ଗକୁ ନେଇଯାଏ । ଏକମାତ୍ର ସନ୍ନ୍ୟାସହିଁ ନିବୃତ୍ତ ମାର୍ଗ । ସଂଯମ ପରାକାଷ୍ଠା ନ ରହିଲେ ବେଦ ବିହିତ କୌଣସି କର୍ମ ସିଦ୍ଧ ହୋଇ ନଥାଏ ଏବଂ କର୍ମବିପାକରୁ ମୁକ୍ତ ନହେଲେ ପରମାର୍ଥ ଲାଭ ହୋଇ ନଥାଏ ।

 

ସ୍ୟୁମରଶ୍ମି କହିଲେ–ମହାଭାଗ, ବେଦର କର୍ମକାଣ୍ଡ ମଧ୍ୟରେ ଯେଉଁ ସବୁ କର୍ମ ଓ ଯଜ୍ଞର ନିର୍ଦ୍ଦେଶମାନ ଅଛି, ମନୁଷ୍ୟ ସେହିପରି କର୍ମ କରେ, ଆପଣ କେଉଁ ପ୍ରକାର ସଂଯମ ବିଷୟ କହୁଛନ୍ତି ?

 

କପିଳ କହିଲେ–ବ୍ରାହ୍ମଣ, ସଂଯମ ହିଁ ସବୁ କିଛିର ମୂଳ ବସ୍ତୁ । ଏହି ବିଶ୍ୱ କର୍ମମୟ ଓ ମନୁଷ୍ୟ ମାତ୍ରେହିଁ କର୍ମ କରିଥାଏ । ଈଶ୍ୱର ଯେପରି ସୃଷ୍ଟି ସହିତ ମନୁଷ୍ୟକୁ କର୍ମ କରିବାର ଅଧିକାର ଦେଇଛନ୍ତି, ସେହିପରି କର୍ମୋପଯୋଗୀ ହସ୍ତ, ପଦ, ବାଣୀ, ଉଦର ଓ ଉପସ୍ଥ ମଧ୍ୟ ଦେଇଛନ୍ତି । ଏମାନେ ଯେପରି ସ୍ୱଭାବ ଜାତ କର୍ମ କରିଥାନ୍ତି ସେହି ପରି କେଉଁ ମୁହୂର୍ତ୍ତରେ କର୍ମ କର୍ତ୍ତାଙ୍କ ସହିତ ବିଶ୍ୱାସ ଘାତକତା କରିପାରନ୍ତି, ତାହା ପୂର୍ବରୁ ଜଣା ଯାଇ ନଥାଏ । ଅତଏବ କର୍ତ୍ତବ୍ୟ ପାଳନ କରି ପରମାର୍ଥ ଲାଭ କରିବାକୁ ହେଲେ ଏହି ଇନ୍ଦ୍ରିୟ ଗଣଙ୍କ ସଂଯମରୂପୀ ଦ୍ୱାରପାଳ ସଦୃଶ ସଜାଗ ଦୃଷ୍ଟି ରଖିବା ବିଧେୟ ।

 

ସ୍ୟୁମରଶ୍ମି କିପରି, ବୋଲି ପଚାରିବାରୁ ପୁନଶ୍ଚ କପିଳ କହିଲେ–ହସ୍ତ ପଦଦ୍ୱାରା ମନୁଷ୍ୟ ଯେଉଁ କର୍ମମାନ କରିଥାଏ, ତାହା ପର ପୀଡ଼ନକାରୀ ନ ହେଲେ ସେପରି କର୍ମ ପୁରୁଷର ନିୟନ୍ତ୍ରଣାଧୀନ । କଟୁବାକ୍ୟ, ମିଥ୍ୟାବାକ୍ୟର ପ୍ରବଣତା ସଂଯମର ପରିଚୟ ବହନ କରେ ନାହିଁ । ମିତଭାଷୀ ଓ ସତ୍ୟଭାଷୀ ମନୁଷ୍ୟ ବଚନ ସଂଯମ ଅଧୀନ । ଅଗ୍ନି ସର୍ବଭୁକ୍‌ ଓ ଦାହକାରୀ ଏବଂ ଏହା ମନୁଷ୍ୟ ଉଦରରେ ବାସ କରେ । ସେହି ସର୍ବଭୁକ୍‌ ଅଗ୍ନିକୁ ଯେଉଁ ମନୁଷ୍ୟ ଉପବାସ ସଂଯମରେ ନିର୍ବାପିତ କରି, ସୁପ୍ରଚୁର ଆହାର୍ଯ୍ୟ ଦେଇ ଅଗ୍ନିଶିଖାକୁ ଲୁବ୍‌ଧ କରି ନଥାଏ, ସେହି ବ୍ୟକ୍ତିହିଁ ଅଗ୍ନିକୁ ସ୍ୱୀୟ ନିୟନ୍ତ୍ରଣାଧୀନ କରି ସଂଯମୀ ହୋଇଥାଏ । ପ୍ରାଣଧାରଣ ନିମନ୍ତେ ପ୍ରୟୋଜନୀୟ ଅନ୍ନ ଅତିରିକ୍ତ ଭକ୍ଷଣ ନ କଲେ ଉଦରକୁ ସଂଯମରେ ରଖି ହୁଏ । ସଂସାର ଜୀବନରେ ସଂଯମକୁ କରାୟତ କରିବା ସହଜସାଧ୍ୟ ନୁହେଁ । ଯେଉଁ ଧୀମାନେ ଲୋଭାତୁର ହୋଇ ନିଜ ପତ୍ନୀ ବ୍ୟତୀତ ଅନ୍ୟ ରମଣୀର ସଂସର୍ଗ କାମନା କରିନଥାଏ, ସେହି ବ୍ୟକ୍ତିହିଁ ‘ଉପସ୍ଥ’କୁ ସଂଯମରେ ରଖିଥାଏ । ଏହି ଇନ୍ଦ୍ରିୟଗୁଡ଼ିକୁ ଆୟତାଧୀନା ନ କରି ଯେ କୌଣସି କର୍ମ କଲେ ତା କେବଳ ଶାସ୍ତ୍ର ବିହିତ କର୍ମ କରା ଯାଇଥାଏ ସତ କିନ୍ତୁ କର୍ମ ବିଷୟକ ଜ୍ଞାନ ଲାଭ ହୁଏ ନାହିଁ । ଜ୍ଞାନ ଲାଭ ବ୍ୟତୀତ ବ୍ରହ୍ମଲାଭ ବା ସୁଖ ଲାଭ ସୁଦୂର ପରାହତ ।

 

କିଞ୍ଚିତ ନିଶ୍ଚୁପ ରହି ପୁନଶ୍ଚ କପିଳ କହିଲେ, ତୁମ୍ଭେ ଶାସ୍ତ୍ର ଜ୍ଞାନୀ ବିଦ୍ୱାନ ଓ ବ୍ରାହ୍ମଣ, ତା ନହୋଇଥିଲେ ଗାଭୀ ଶରୀର ଆଶ୍ରୟ କରି ମୋ ଉକ୍ତି ସମାଲୋଚନା କରି ପାରିନଥାନ୍ତ । ଯଦିଓ ତୁମ୍ଭେ ବ୍ରାହ୍ମଣ ତଥାପି ପ୍ରକୃତ ବ୍ରାହ୍ମଣଙ୍କ ପରିଚୟ କଣ ?

 

କପିଳଙ୍କ ପ୍ରଶ୍ନରେ ସ୍ୟୁମରଶ୍ମି ଚୁପ ରହିଥିଲେ, କାରଣ ସେ କପିଳ ମୁନିଙ୍କଠାରୁ ଅଧିକ କିଛି ଶୁଣିବା ନିମନ୍ତେ ବ୍ୟଗ୍ର ଥିଲେ ।

 

ପୁନଶ୍ଚ ମହର୍ଷି କପିଳ କହିଲେ–ଯେଉଁ ବ୍ୟକ୍ତିର ହସ୍ତ, ପଦ, ଉଦର ଓ ବାକ୍ୟ ସଂଯତ, ଯାହାକୁ ଶୀତର ଶୈତ୍ୟ ଓ ଗ୍ରୀଷ୍ମର ଦାବଦାହ ବିଚଳିତ କରିପାରେ ନାହିଁ, ପରନ୍ତୁ ବିଶ୍ୱର ନିଶ୍ୱରତା ଉପଲବ୍‌ଧି କରି ମାୟାରେ ଆବଦ୍ଧ ନହୋଇ ଆତ୍ମାନନ୍ଦୟ ହୋଇ ସ୍ୱୟଂ ସମ୍ପୂର୍ଣ୍ଣ ରହିଥାନ୍ତି ସେହି ବ୍ୟକ୍ତି ହିଁ ଯଥାର୍ଥ ବ୍ରାହ୍ମଣ । ସେଥିପାଇଁ ଦେବତାଙ୍କ ନିକଟରେ ‘‘ବ୍ରାହ୍ମଣ ଅଭୟଂ ସର୍ବଭୂତେଭ୍ୟଃ ସର୍ବୋଷାମଭୟଂ ଯତଃ/ସର୍ବଭୂତାତ୍ମଭୂତୋ ଯ ସ୍ତଂ ଦେବା ବ୍ରାହ୍ମଣଂ ବିଦୁଃ’’ । ଅର୍ଥାତ୍‌ ଯେଉଁ ବ୍ୟକ୍ତି ବିଶ୍ୱରେ ଯେ କୌଣସି ପରିସ୍ଥତିରେ ନିର୍ଭୟ ହୋଇ ରହେ ଏବଂ ଯାହା ନିକଟରୁ ପ୍ରତ୍ୟେକ ଅଭୟ ପାଇଥାନ୍ତି, ଅପରାପର ଭେଦାଭେଦଶୂନ୍ୟ ହୋଇ ନିଜ ଆତ୍ମାକୁ ବିଶ୍ୱର ପ୍ରତି ବସ୍ତୁ ମଧ୍ୟରେ ଉପଲବ୍‌ଧି କରି ପାରନ୍ତି ଏବଂ ବିମର୍ଷ ଭାବ ଦ୍ରୋହଶୂନ୍ୟ ରହି ହିଂସାଶ୍ରୟୀ ପ୍ରବୃତ୍ତି ମାର୍ଗରେ କର୍ମର ଉଦ୍ୟୋଗ କରି ନଥାନ୍ତି ସେହି ଯଥାର୍ଥ ବ୍ରାହ୍ମଣ । ବ୍ରହ୍ମଜ୍ଞାନ ବଳରେ ସ୍ୱୀୟ ମନୋବଳ ଓ ଜ୍ଞାନଲୋକଦ୍ୱାରା ପଥ ଅତିକ୍ରମ କରିଥାନ୍ତି । ସେହି ବ୍ରାହ୍ମଣ ହିଁ ଯଥାର୍ଥ କରିପାରେ ଯେ ପଶୁବଳି, ଦାନାଦି ଯାଗଜଜ୍ଞ ମୂଲ୍ୟହୀନ ଓ ଅସାର । ଅନ୍ତର ଅଗ୍ନିରେ ଇନ୍ଦ୍ରିୟ ଆହୁତି ହିଁ ପ୍ରକୃତି ଯଜ୍ଞ । ଏହି ଯଜ୍ଞଦ୍ୱାରା ମନୁଷ୍ୟ ଯୋଗଯୁକ୍ତ ହୋଇ ନିବୃତ୍ତି ମାର୍ଗରେ ପ୍ରବେଶ କରିଥାଏ । ଏହି ଯୋଗରେ ପଥ ସ୍ଥାୟୀ । ଶାସ୍ତ୍ର ବିଧିବିଧାନର ମର୍ମାର୍ଥ ବୋଧ ଏତେ ସହଜସାଧ୍ୟ ନୁହେଁ । ଯାହାକି ସମସ୍ତେ ଉପଲବ୍‌ଧି କରି ପାରିବେ । ନିହିତ ଅର୍ଥ ନବୁଝି ଶାସ୍ତ୍ରୋକ୍ତ କର୍ମ କଲେ ଉଦ୍ଦିଷ୍ଟ ଫଳ ଲାଭ ହୁଏ ନାହିଁ ।

 

ସ୍ୟୁମରଶ୍ମି କହିଲେ, ଭଗବାନ୍‌ ବେଦ ଏକ ସଙ୍ଗେ ଦୁଇଟି ପରସ୍ପର ବିରୋଧି ବଚନ କହିଅଛି ଯଥା ‘କର୍ମ କର’ ଓ ‘କର୍ମ ପରିତ୍ୟାଗ କର’ । କେଉଁ ବଚନ ସଠିକ ଓ ସତ୍ୟ ? ଆପଣ ନିବୃତ୍ତି ମାର୍ଗ ଉପଦେଶ କହିଛନ୍ତି, କିନ୍ତୁ ତ୍ୟାଗ ମାଧ୍ୟମରେ ମନୁଷ୍ୟ କିପରି ସାଫଲ୍ୟ ଲାଭ କରିବ-?

 

କପିଳ କହିଲେ- ତ୍ୟାଗ ବ୍ୟତୀତ ମନୁଷ୍ୟ ଯୋଗଯୁକ୍ତ ହୋଇପାରେ ନାହିଁ, କି ସର୍ବଭୂତ ଆତ୍ମାକୁ ନିଜ ଆତ୍ମା ମଧ୍ୟରେ ଉପଲବ୍‌ଧି କରିପାରେ ନାହିଁ । ସତ୍‌ପଥ ଅବଲମ୍ବନ ଓ ସତ୍‌ଜୀବନଯାପନରେ ଯୋଗ ଲବ୍‌ଧ ଫଳ ସହଜରେ ପ୍ରତ୍ୟକ୍ଷୀଭୂତ ହୋଇଥାଏ, କିନ୍ତୁ ଯାଗଯଜ୍ଞ, ଉପାସନାଦିରେ କେଉଁ ପ୍ରତ୍ୟକ୍ଷ ଫଳ ଦେଖାଯାଏ ?

 

ବିପାକରେ ପଡ଼ି ସ୍ୟୁମରଶ୍ମି କହିଲେ, ଧର୍ମ କର୍ମର ଅନୁଶୀଳନ ଶାସ୍ତ୍ର ସମ୍ମତ ଓ ଆଗମ ସମ୍ମତ ନହେଲେ ପ୍ରତ୍ୟକ୍ଷୀଭୂତ ହୁଏ ନାହିଁ । ବେଦ ମତାନୁସାରେ ଅନୁସରଣକାରୀ ଶାସ୍ତ୍ର ହିଁ ‘ଆଗମ’ । ପୂର୍ବ ମୀମାଂସାକୁ ମଧ୍ୟ ‘ଆଗମ’ କୁହାଯାଏ । ଶାସ୍ତ୍ର ନିର୍ଦ୍ଦିଷ୍ଟ ଧର୍ମକୁ ସଠିକ ଭାବେ ଆଚରଣ କଲେ ‘ଆଗମ’ ସମ୍ମତ କର୍ମ ଓ ‘ଆଗମ’ ନିର୍ଦ୍ଦିଷ୍ଟ ଫଳଲାଭ ହୁଏ । କିନ୍ତୁ ବିପରୀତ କର୍ମରେ ଉଦ୍ଦିଷ୍ଟ ଫଳ ଲାଭ ହୋଇ ନଥାଏ । ମୁଁ ଗାଭୀ ରୂପ ଧାରଣ କରି ମୋ ସଂଶୟ ନିରାସନ ନିମନ୍ତେ ଏଠାକୁ ଆସିଛି । ଆପଣ ତ୍ୟାଗ ସମ୍ବନ୍ଧରେ ପୂର୍ବରୁ ସୂଚନା ଦେଇ ଅଛନ୍ତି ସତ, କିନ୍ତୁ ଏହି କର୍ମମୟ ସଂସାରରେ ପ୍ରକୃତ ତ୍ୟାଗୀ କିଏ ? ମନୁଷ୍ୟ ଏହି କର୍ମମୟ ଜଗତରେ କର୍ମହୀନ ଓ ନିରାସକ୍ତ ହୋଇ ରହିପାରେ କି ? ଆପଣ ସ୍ୱୟଂ ଜ୍ଞାନୀ ହୋଇ ‘ହାୟ ବେଦ’ ଉଚ୍ଚାରଣ କରି ମାନସିକ ବିଷାଦ ପ୍ରକାଶ କରି ନାହାନ୍ତି କି ? ପୁଲକିତ ହେବା ବସ୍ତୁ ଦର୍ଶନରେ ଆପଣ ଆନନ୍ଦ ପ୍ରକାଶ କରନ୍ତି ନାହିଁ କି ? ଉପରୋକ୍ତ ଉଦାହରଣଗୁଡ଼ିକ ପ୍ରବୃତ୍ତି ମାର୍ଗର ପ୍ରକାଶ ନୁହେଁ କି ? ଇନ୍ଦ୍ରିୟ ନିବୃତ୍ତିରେ ମନୁଷ୍ୟ ଅକ୍ଷୟ ସୁଖ ଲାଭ କରିପାରେ କି ?

 

ସ୍ୟୁମରଶ୍ମିଙ୍କର ଏପରି ସାରଗର୍ଭ ପ୍ରଶ୍ନ ମାନ ଶୁଣି କପିଳ କହିଲେ, ଶାସ୍ତ୍ର ବିହିତ କର୍ମାଚରଣ ବ୍ୟତୀତ ଅକ୍ଷୟ ସୁଖ ଲାଭ ହୋଇ ନଥାଏ । କିନ୍ତୁ ଏହି ଆଚରଣ ଶବ୍ଦ ଅର୍ଥକୁ ସମ୍ୟକ ଉପଲବ୍‌ଧି କରି କର୍ମସାଧନା କଲେ ପ୍ରବୃତ୍ତି ମାର୍ଗରେ ମଧ୍ୟ ଅକ୍ଷୟ ସୁଖ ଲାଭ ହୁଏ । ଅତଏବ ଜ୍ଞାନ ବ୍ୟତୀତ କେବଳ ‘ପ୍ରବୃତ୍ତି’ ଓ ‘କର୍ମ’ ଆତ୍ୟନ୍ତିକ ସୁଖ ଓ ମୁକ୍ତି ଦେଇପାରି ନଥାଏ । ପ୍ରବୃତ୍ତି ମାର୍ଗ ଅବଲମ୍ବନରେ ତୁମେ ଏକାତ୍ମତା ଉପଲବ୍‌ଧି କରିଛ କି ? ‘ତମୋ’ମୟ ଏହି ଶରୀରର ତମ ପରାୟଣତାକୁ ‘ଜ୍ଞାନଐଶ୍ୱର୍ଯ୍ୟ’ ବଳରେ ପରାଭୂତ କଲେ ହେଁ ଏକାତ୍ମତା ବୋଧ ସମ୍ଭବ । ପ୍ରକୃତି ଜାତ ତମାଶ୍ରିତ କାମ, କ୍ରୋଧ, ଦ୍ୱେଷ, ଦମ୍ଭ, ଅସତ୍ୟ ଓ ମଦକୁ ଯୋଗାଶ୍ରିତ ଶମ-ଦମାଦି ଗୁଣଦ୍ୱାରା ଦମନ ନକଲେ ମନୁଷ୍ୟ ଜୀବନ ସାର୍ଥକ ହୋଇ ନଥାଏ ଓ ମନୁଷ୍ୟ ନିଜ ଅନ୍ତରରେ ବିଶ୍ୱ ସ୍ପନ୍ଦନ ଅନୁଭବ କରିପାରେ ନାହିଁ । ଜ୍ଞାନ-ମାର୍ଗ ଆଶ୍ରୟ କରି ଓ ସଂଯମ ମଧ୍ୟରେ ରହି କର୍ମର ଶୁଭାଶୁଭ ଫଳ ଯେଉଁ ବ୍ୟକ୍ତି ପରିତ୍ୟାଗ କରିଥାଏ ସେ ବ୍ୟକ୍ତି ହିଁ ଯଥାର୍ଥ ‘ଯତି’ । ଏକମାତ୍ର ଯଥାର୍ଥ ବ୍ରାହ୍ମଣ ହିଁ ସେହି ପରମ ଗତି ଲାଭ କରିଥାଏ ।

 

ସ୍ୟୁମରଶ୍ମି କହିଲେ, ଶ୍ରୁତି ମତିରେ ଯେଉଁ ଆଚାର ନ୍ୟାୟନିଷ୍ଠ ଓ ବେଦସମ୍ମତ ତାହାହିଁ ଶାସ୍ତ୍ର । ଶାସ୍ତ୍ର ଅର୍ଥ ଉପଲବ୍‌ଧି ନକରି ପ୍ରବୃତ୍ତି ମାର୍ଗରେ କର୍ମ କଲେ ତାହା କଦାପି ସୁଫଳ ଦେଇ ନଥାଏ, ଏହା ଅବଶ୍ୟ ସତ୍ୟ । କିନ୍ତୁ ଆପଣଙ୍କ ଉପଦେଶ ବଚନମାନ କାମନା-ବାସନାହୀନ, ନିର୍ଲୋଭ ଜ୍ଞାନମାର୍ଗ । ସନ୍ନ୍ୟାସୀଙ୍କ ପ୍ରତି ପ୍ରଯୁଜ୍ୟ । କିନ୍ତୁ ଏହି ସଂସାରରେ ସମସ୍ତେ ସନ୍ନ୍ୟାସ ଆଶ୍ରମରେ ରହନ୍ତି ନାହିଁ । ଅଧିକାଂଶ ମନୁଷ୍ୟ ଗୃହସ୍ଥାଶ୍ରମରେ ରହି ଆଶ୍ରମୋଚିତ କର୍ମ ଯଥା–ଅତିଥି ସେବା, ସ୍ୱାଧ୍ୟାୟ, ଯଜ୍ଞ ଶାସ୍ତ୍ର ମତାନୁସାରେ ଅନୁସରଣ କରି ପ୍ରତ୍ୟକ୍ଷ ଫଳଲାଭର ଆଶା ରଖିଥାନ୍ତି । ପୁନଶ୍ଚ କର୍ମକାଣ୍ଡ ବୃଥା ଜାଣି ମଧ୍ୟ ତାହାକୁ ପରିତ୍ୟାଗ କରିବା ବେଦ-ବିରୋଧୀ ଓ ନାସ୍ତିକତା । ତେଣୁ ମୁଁ ଜାଣିବାକୁ ଚାହେଁ ଯେ ଏହି ସଂସାରରେ କର୍ମକାଣ୍ଡ ମଧ୍ୟରେ ରହି କେଉଁ ଉପାୟରେ ସହଜରେ ମୋକ୍ଷ ଲାଭ ହୋଇପାରେ ?

 

ମହର୍ଷି କପିଳ କହିଲେ–ବ୍ରହ୍ମଜ୍ଞାନ ଲାଭ ହିଁ ମୋକ୍ଷ ଲାଭର ଏକମାତ୍ର ସୋପାନ । ବ୍ରାହ୍ମର ଦୁଇଟି ରୂପ ଅଛି (୧) ଶବ୍ଦବ୍ରହ୍ମ ବା ବେଦାଦି ଗ୍ରନ୍ଥ (୨) ଶବ୍ଦର ଅତୀତ ପରମାତ୍ମା, ପରମବ୍ରହ୍ମ ଯାହାର ପରିଚୟ ବୈଷମ୍ୟହୀନ ମହାନନ୍ଦ ।

 

ଧର୍ମହିଁ ମନୁଷ୍ୟର କର୍ମ ଓ ଧର୍ମାନୁଶୀଳନରେ ହିଁ ମୋକ୍ଷ ଲାଭ ହୋଇଥାଏ । କିନ୍ତୁ କେବଳ କର୍ମ ଧର୍ମ ନୁହେଁ । ଯେପରି ଜଳାଧାର ମାତ୍ରେ ହିଁ ନଦୀ ହୋଇ ନଥାଏ । ବୈଦିକ ନିଷ୍ଠାରେ କର୍ମକୁ ସଂସ୍କାର ଓ ବିଶୁଦ୍ଧ କଲେ, ଶୁଦ୍ଧ ଚିତ୍ତ କର୍ମକର୍ତ୍ତା ବ୍ରହ୍ମଜ୍ଞାନ ଲାଭ କରିଥାଏ । ଅତଏବ ଆଶ୍ରମୋଚିତ କର୍ମ କିପରି ମନୁଷ୍ୟକୁ ଅକ୍ଷୟ ସୁଖ ଭୋଗ ଦେଇଥାଏ ତାହା ଶ୍ରବଣ କର ।

 

ଅତୀତରେ ମନୁଷ୍ୟ ଜନ୍ମ ସହିତ କର୍ମମୟ ଜୀବନ ନେଇ ପ୍ରଥମେ ପୃଥିବୀକୁ ଆସିଥିଲା-। ବର୍ଣ୍ଣ ପାର୍ଥକ୍ୟ ଥିଲେ ମଧ୍ୟ ମନୁଷ୍ୟ ଏକତ୍ର ହୋଇ ବାସ କରୁଥିଲା ଓ ଜଣେ ଜଣଙ୍କ ନିମନ୍ତେ କାମ କରୁଥିଲା । ବିଜ୍ଞମାନେ ଜାଣନ୍ତି–

 

‘‘ସର୍ବବିର୍ଣ୍ଣେଷୂ ଜାତେଷୂ ନାସୀତ୍‌ କଶ୍ଚିଦ୍‌ବ୍ୟତିକ୍ମଃ

ବ୍ୟସ୍ତ ମେକଂ ଚତୁର୍ଥାହଂ ବ୍ରାହ୍ମଣା ଆଶ୍ରମଂ ବିଦୁଃ ।’’

 

ଅର୍ଥାତ୍‌ ସବୁ ବର୍ଣ୍ଣର ମନୁଷ୍ୟ ଅତୀତରେ ଏକ ଆଶ୍ରମରେ ରହିଥିଲେ । କାଳକ୍ରମେ ଆଶ୍ରମ ଭେଦରେ ସେହି ଏକ ଆଶ୍ରମ ଚାରି ଭାଗରେ ବିଭକ୍ତ ହେଲା, ଯଥା–ବ୍ରହ୍ମଚର୍ଯ୍ୟ, ଗ୍ରାହସ୍ଥ, ବାନପ୍ରସ୍ଥ ଓ ସନ୍ନ୍ୟାସ । ଏହା ସହିତ ଆଶ୍ରମୋଚିତ କର୍ମ କୌଶଳ ପନ୍ଥା ସ୍ଥିର କରି ନିଷ୍ଠା ସହିତ ତାହା ପାଳନ କରାଗଲା । ପୂର୍ବ ସଂସ୍କାର ଜାତ କେହି ସତ୍ତ୍ୱଗୁଣ ଧରି ବ୍ରାହ୍ମଣ, ସତ୍ତ୍ୱଗୁଣ ସହିତ ରଜ ଗୁଣ ଥାଇ କେହିବା କ୍ଷତ୍ରିୟ, ରଜଗୁଣ ସହିତ ତମଗୁଣଧାରୀ, କେହି ବା ବୈଶ୍ୟ ଓ ତମଗୁଣ ସର୍ବସ୍ୱ ହିଁ ଶୂଦ୍ର ରୂପରେ ଖ୍ୟାତି ହୋଇଥିଲେ । ଏହି ଚାରି ବର୍ଣ୍ଣ ମଧ୍ୟରୁ ଏକ ଶ୍ରେଣୀର ମନୁଷ୍ୟ ଜନ୍ମ ସଂସ୍କାର ନେଇ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରି ଜୀବନ ଓ ଜଗତ୍‌କୁ ନିଶ୍ୱର ଜ୍ଞାନ କରି କର୍ମର ଶୁଭାଶୁଭ, ପାପପୁଣ୍ୟ ଫଳ ଓ ପରିଣାମ ଚିନ୍ତା ଜଳାଞ୍ଜଳି ଦେଇ ନିର୍ବିକାର ପରମାତ୍ମା ସହିତ ନିଜକୁ ଯୋଗ ଯୁକ୍ତ କରିବା ଫଳରେ ସମ୍ପୂର୍ଣ୍ଣ ବନ୍ଧନ ହୀନ ହୋଇଥିଲେ । ଏହି ଶ୍ରେଣୀର ମନୁଷ୍ୟ ସାର୍ବଜନୀନ ନିଷ୍କାମ ଯତି-ସନ୍ନ୍ୟାସ ଗ୍ରହଣ କରିଥିଲେ ।

 

ଏହି ଯତି-ଧର୍ମ ଜ୍ଞାନମାର୍ଗ ଅବଲମ୍ବନ କରିଥାଏ । ଏହି ଜ୍ଞାନ ଲାଭରେ ଅକ୍ଷୟ ସୁଖ ଲାଭ ହୋଇଥାଏ । ଜ୍ଞାନମାର୍ଗ ମୁକ୍ତି ଲାଭର ପ୍ରକୃଷ୍ଟ ପନ୍ଥା । ‘ନିଷ୍କାମ’ କର୍ମ ମନୁଷ୍ୟ ଚିତ୍ତକୁ ଶୁଦ୍ଧ କରିଥାଏ ଏବଂ ଏହି ଶୁଦ୍ଧ ଚିତ୍ତରେ ‘ଜ୍ଞାନ’ର ବିକାଶ ହୋଇଥାଏ । ଏହି ଜ୍ଞାନ ବିକାଶ ଫଳରେ ମନୁଷ୍ୟ ଧର୍ମଜ୍ଞାନ ଓ କର୍ତ୍ତବ୍ୟ ଜ୍ଞାନରେ କର୍ମ ସମ୍ପାଦନା କରେ । କ୍ଷମା, ଦୟା, ଶାନ୍ତି, ଅହିଂସା, ସତ୍ୟ, ସରଳତା, ଅହଙ୍କାର ହୀନତା, ଶୁଦ୍ଧ ଚିତ୍ତର ଲକ୍ଷଣ । ଶୁଦ୍ଧ ଚିତ୍ତରେ ହିଁ ପରଂବ୍ରହ୍ମ ପରମାତ୍ମଙ୍କର ପରିପ୍ରକାଶ ଘଟିଥାଏ, ଏବଂ ‘ସନ୍ତୋଷ’ ହିଁ କର୍ତ୍ତବ୍ୟ କର୍ମର ଫଳଶ୍ରୁତି । କର୍ମଫଳ ତ୍ୟାଗୀ ସନ୍ନ୍ୟାସୀ ‘ଜ୍ଞାନ’ ମାର୍ଗରେ ସେହି ‘ସନ୍ତୋଷକୁ ଅବଲମ୍ବନ କରିଥାଏ । କାଳକ୍ରମେ ଯେଉଁମାନେ ଗୃହସ୍ଥାଶ୍ରମ ଅବଲମ୍ବନ କଲେ ସେମାନଙ୍କର ଏହା ସାର୍ବଜନୀତା ବୋଧ ଧୀରେ ଧୀରେ ଅବଲୁପ୍ତ ହୋଇ ସ୍ୱାର୍ଥ-କୈନ୍ଦ୍ରିକ ହୋଇ, ଆତ୍ମାନୁକୂଳ ସାଧନ ନିମନ୍ତେ ‘ବେଦ’ର ଅପବ୍ୟାଖ୍ୟା କରି, ସମଷ୍ଟି ମଧ୍ୟରେ ରହି ମଧ୍ୟ, ସେମାନଙ୍କର ବୁଦ୍ଧି ‘ବ୍ୟଷ୍ଟିସତ୍ତା’କୁ ଆଶ୍ରୟ କରିବା ଫଳରେ ଲୋଭ, ମୋହ, କ୍ରୋଧ ଓ ଅସୂୟା ଅଧୀନ ହୋଇ ଧର୍ମବିଚ୍ୟୁତ ହେଲେ । ଫଳରେ ଆନନ୍ଦମୟ-ସତ୍ତାହୀନ ହୋଇ, ଶୋକ, ଦୁଃଖ, ହର୍ଷ-ବିଷାଦ, ଜନ୍ମ-ମୃତ୍ୟୁ ଆବର୍ତ୍ତରେ ଆବର୍ତ୍ତିତ ହେବାରୁ ସେହିମାନଙ୍କର ବ୍ରହ୍ମଲାଭ ଓ ମୋକ୍ଷଲାଭ ସୁଦୂର ପରାହତ ହେଲା ।

 

ଅତଏବ ସର୍ବକଲ୍ୟାଣମୟ, ଋତ, ସତ୍ୟ, ଅବ୍ୟକ୍ତ, ବିନାଶ ଓ ଉତ୍ପତ୍ତି ମୂଳ ବ୍ରହ୍ମଙ୍କୁ ଉପଲବ୍‌ଧି କରି ଲାଭ କରିବାକୁ ହେଲେ ମନନଶୀଳତା ନେଇ ବେଦଗ୍ରନ୍ଥ ପଠନ, ଓ କର୍ମ ନିୟନ୍ତ୍ରଣ ସର୍ବୋତ୍ତମ ପନ୍ଥା । କାରଣ ବେଦଜ୍ଞାନୀଙ୍କ ମତରେ ‘‘ବେଦେ ସର୍ବଂ ପ୍ରତିଷ୍ଠିତ । ବେଦେହି ନିଷ୍ଠା ସର୍ବସ୍ୱ ଯଦସ୍ତିଚ ନାସ୍ତିଚ’’ । ଅର୍ଥାତ୍‌ ସବୁ କିଛି ବେଦରେ ହିଁ ପ୍ରତିଷ୍ଠିତ । ବେଦ ମଧ୍ୟରେ ଅସ୍ତି ଓ ନାସ୍ତିର ସନ୍ଧାନ ମିଳିଥାଏ । ଏହା ଅନୁଧାବନ କରିବାହିଁ ‘ଜ୍ଞାନ’ ନିଷ୍ଠା ।

 

ଗୃହସ୍ଥ ଜ୍ଞାନ ନିଷ୍ଠା ନେଇ ଆଶ୍ରମୋଚିତ କର୍ମରେ ପ୍ରବୃତ୍ତ ହେଲେ ଯଥାର୍ଥ ବେଦାନୁସାରୀ ଓ ଧର୍ମାନୁସାରୀ ହୋଇଥାଏ ଓ ଆତ୍ମମୟ ଜଗତରେ ଏବଂ ସେହି ଧର୍ମରେ କୌଣସି ଦ୍ରୋହର ସ୍ଥାନ ନଥାଏ । ଏହାହିଁ ‘ବେଦ’ ଓ ଏହାହିଁ ପରମେଶ୍ୱରଙ୍କର ନିଶ୍ୱାସ-ଭୂ ବାଣୀ ।

Image

 

Unknown

ଅଷ୍ଟବକ୍ର ଉତ୍ତରଦିକ୍‌ ସମ୍ବାଦ

 

ଏକଦା ଯୋଗଐଶ୍ୱର୍ଯ୍ୟ ସମ୍ଭୂତ ମହାଜ୍ଞାନୀ ସୁପଣ୍ଡିତ ଅଷ୍ଟବକ୍ରଙ୍କର ଏକ ସୁଲକ୍ଷଣା ଦ୍ୱିଜ କନ୍ୟାର ପାଣି ଗ୍ରହଣ କରି ସଂସାରୀ ହେବାର ବାସନା ଜାତ ହୋଇଥିଲା । ସେ ଏକ ସୁଯୋଗ୍ୟ ଉତ୍ତରାଧିକାରୀ ପାଇବା ଆଶାରେ ଏକ ସୁଯୋଗ୍ୟ କନ୍ୟାର ପାଣି ଗ୍ରହଣ ନିମନ୍ତେ ଚିନ୍ତା କରିବାକୁ ଲାଗିଲେ । ବାସନା ପୂରଣର ଅଭିଳାଷ ନେଇ ‘ଅଷ୍ଟବକ୍ର’ ଇତସ୍ତତ ପରିଭ୍ରମଣ କରିବା ସମୟରେ ଏକଦା ମହର୍ଷି ବଦାନ୍ୟଙ୍କ ଆଶ୍ରମରେ ଉପନୀତ ହେଲେ । ମହର୍ଷି ‘ବଦାନ୍ୟ’ଙ୍କର କନ୍ୟା ‘ସୁପ୍ରଭା’ ପିତାଙ୍କ ଆଦେଶରେ ଅଷ୍ଟବକ୍ରଙ୍କୁ ‘ଅତିଥି ରୂପେ ଲାଭ କରି ଯତ୍‌ପରୋନାସ୍ତି ଅତିଥି ସତ୍କାର କଲେ-। ଋଷି ଅଷ୍ଟବକ୍ରଙ୍କର କ୍ଳାନ୍ତି ବିନୋଦନ ଓ କ୍ଷୁଧା ନିବାରଣାନ୍ତେ ସେ କନ୍ୟା ସୁପ୍ରଭାଙ୍କୁ ଦେଖି ତାଙ୍କ ପ୍ରତି ଆକୃଷ୍ଟ ହେଲେ ।

 

କନ୍ୟା ସୁପ୍ରଭା ସୁନ୍ଦରୀ ନଥିଲେ ହେଁ ଅଷ୍ଟବକ୍ର ସୁପ୍ରଭାଙ୍କ ଗୁଣ ପରିଚୟ ପାଇ ତାଙ୍କୁହିଁ ପତ୍ନୀ ରୂପେ ଗ୍ରହଣ କରିବାକୁ ମନ ମଧ୍ୟରେ ସ୍ଥିର କଲେ । କାଳ ବିଳମ୍ବ ନ କରି ‘ବଦାନ୍ୟ’ ଋଷିଙ୍କ ନିକଟରେ ଅଷ୍ଟବକ୍ର କନ୍ୟାଟିର ପାଣିଗ୍ରହଣ କରିବା ନିମନ୍ତେ ପ୍ରସ୍ତାବ ଦେଲେ ।

 

ଅଷ୍ଟବକ୍ରଙ୍କ ପ୍ରସ୍ତାବରେ ବଦାନ୍ୟ ଋଷି ଉଲ୍ଲସିତ ହୋଇ କହିଲେ, ଯେଉଁ ବ୍ୟକ୍ତି ଅଗ୍ରବାସୀ, ଅନ୍ୟ କୌଣସି ରମଣୀଙ୍କୁ ଦାର ପରିଗ୍ରହ କରିନାହାନ୍ତି, ପ୍ରିୟଭାଷୀ, ସୁପୁରୁଷ ଓ ଲୋକମାନ୍ୟ, ସେହିପରି ପାତ୍ର ହସ୍ତରେ କନ୍ୟା ସମର୍ପଣ ନିମନ୍ତେ ସ୍ଥିର କରିଅଛି । ତୁମେ ଏହିସବୁ ସର୍ତ୍ତ ପୂରଣ କରିଥିଲେ ହେଁ, ଏହି ମୁହୂର୍ତ୍ତରେ ମୁଁ କୌଣସି ସିଦ୍ଧାନ୍ତ ନେଇ ପାରିବି ନାହିଁ ।

 

ଅଷ୍ଟବକ୍ର ପଚାରିଲେ–କାହିଁକି ମୁନିବର ?

 

ବଦାନ୍ୟ ଋଷି କହିଲେ, ଏହି ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ମୁଁ ତୁମକୁ ଯେଉଁଠାକୁ ଯିବାକୁ କହିବି, ସେହିଠାରେ ତୁମେ ଜଣଙ୍କୁ ସାକ୍ଷାତ କରିବ । ଅଷ୍ଟବକ୍ର ପାଣିଗ୍ରହଣ ନିମନ୍ତେ ଅତ୍ୟନ୍ତ ଉଦ୍‌ଗ୍ରୀବ ଥିଲେ, ସେ ସଙ୍ଗେ ସଙ୍ଗେ ଋଷି ବଦାନ୍ୟଙ୍କୁ ପଚାରିଲେ–କେଉଁ ଦିଗକୁ ଓ କିପରି ଯିବାକୁ ହେବ ନିର୍ଦ୍ଦେଶ ଦିଅନ୍ତୁ, ଏବଂ କାହା ସହିତ ସାକ୍ଷାତ କରିବାକୁ ହେବ ସେ ବିଷୟରେ କୁହନ୍ତୁ-

 

ଋଷି ବଦାନ୍ୟ କହିଲେ–ତୁମକୁ ‘ଉତ୍ତରଦିକ୍‌’ଙ୍କ ପାଖକୁ ଯିବାକୁ ହେବ । କୁବେରଙ୍କର ଅଳକାପୁରୀ ଅତିକ୍ରମ କରି, ହିମାଳୟସ୍ଥ ହରପାର୍ବତୀଙ୍କ ପ୍ରିୟ ସ୍ଥାନ ଅତିକ୍ରମ କରି ମହାପାର୍ଶ୍ୱ ପର୍ବତ ଲଂଘନ କରିବା ପରେ ଆହୁରି ଉତ୍ତରକୁ ଯାଇ ଦେଖିବ ମେଘ ସଦୃଶ ନୀଳ ବନରାଜି ଶୋଭିତ ଏକ ମନୋରମ ସ୍ଥାନରେ ଏକ ସୌଭାଗ୍ୟବତୀ ରମଣୀ ବାସ କରୁଛନ୍ତି । ପ୍ରଥମେ ସେଠାକୁ ଯାଇ ତାଙ୍କ ସଙ୍ଗେ ସାକ୍ଷାତ କରି ଫେରିବା ପରେ ମୁଁ ତୁମ ପ୍ରସ୍ତାବରେ ସମ୍ମତି ଦେବି ।

 

ଏହା ଶୁଣି ଅଷ୍ଟବକ୍ର ସର୍ତ୍ତ ପାଳନ ଉଦ୍ଦେଶ୍ୟରେ ‘ଉତ୍ତରଦିକ୍’ଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଯାତ୍ରା କଲେ । ହିମାଳୟର ଏକ ମନୋରମ ସ୍ଥାନରେ ଉପନୀତ ହୋଇ, ନିର୍ମଳ ‘ଅଶୋକ’ ତୀର୍ଥରେ ସ୍ନାନ ସମାପନ କରି ସନ୍ଧ୍ୟା ବନ୍ଦନାଦି ଅନ୍ତେ ସୁଖାସନ କୁଶାସନରେ ପ୍ରଥମ ରାତ୍ରି ଅତିବାହିତ କଲେ । ପରଦିନ ପ୍ରଭାତରେ ସୂର୍ଯ୍ୟସ୍ତୁତି ସମାପନାନ୍ତେ ରୁଦ୍ରାଣିରୁଦ୍ର ତୀର୍ଥର ଏକ ସରୋବର ସମୀପରେ କିୟତ୍ କାଳ ବିଶ୍ରାମ କରି କୈଳାସ ପର୍ବତାଭିମୁଖେ ଯାତ୍ରା କଲେ । କିୟତ୍‌ପଥ ଅତିକ୍ରମ କରି କୁବେରଙ୍କର ଅଳକାପୁରୀର ସୁବର୍ଣ୍ଣପଦ୍ମ ଶୋଭିତ ସରୋବର ନିକଟସ୍ଥ ହେଲେ । ମହର୍ଷିଙ୍କୁ ସେଠାରେ ଦେଖି କୁବେରଙ୍କର ଅନୁଚର ମଣିଭଦ୍ର ଋଷି ଅଷ୍ଟବକ୍ରଙ୍କୁ ସ୍ୱାଗତ ଜଣାଇଲେ ।

 

ଅଷ୍ଟବକ୍ର ମଣିଭଦ୍ରଙ୍କୁ କହିଲେ–ମଣିଭଦ୍ର ଧନାଧ୍ୟକ୍ଷ ବିଶ୍ରବା ତନୟ କୁବେରଙ୍କୁ ମୋର ଆଗମନ ବାର୍ତ୍ତା ପ୍ରଦାନ କର ।

 

ମଣିଭଦ୍ରଙ୍କ ନିକଟରୁ ଅଷ୍ଟବକ୍ରଙ୍କର ଆଗମନ ସମ୍ବାଦ ପାଇ କୁବେର, ପୁରୀ ଅଭ୍ୟନ୍ତରରୁ ଜ୍ୟୋତିଷ୍କ ସଦୃଶ ନିର୍ଗତ ହୋଇ ଯଥୋଚିତ ଅଭ୍ୟର୍ଥନା ଜ୍ଞାପନ କରି କହିଲେ ‘‘ମହାଭାଗ, ମୋ ପୁରୀରେ ଆତିଥ୍ୟ ଗ୍ରହଣ କରନ୍ତୁ । ଅତିଥି ସତ୍କାର ସୁଯୋଗ ଦେଇ ମୋତେ କୃତ୍ୟ କୃତ୍ୟ କରନ୍ତୁ ।

 

ବିନାଦ୍ୱିଧାରେ ଅଷ୍ଟବକ୍ର କୁବେରଙ୍କ ସହିତ ପୁରୀରେ ପ୍ରବେଶ କଲେ । ଯଥୋଚିତ ଅତିଥି ସତ୍କାରାନ୍ତେ ପରିତୃପ୍ତ ଅଷ୍ଟବକ୍ର ଉପବେଶନାନ୍ତେ, ଯକ୍ଷ, ଗନ୍ଧର୍ବ, କିନ୍ନରଗଣ ଋଷିଙ୍କର ଚିତ୍ତ ବିନୋଦନ ନିମନ୍ତେ ନୃତ୍ୟରତ ହେଲେ ।

 

କୁବେର ସବିନୟରେ କହିଲେ–ମହାଭାଗ, ଆପଣଙ୍କ ଯଥୋଚିତ ସତ୍କାର ମୋର ପରମ କର୍ତ୍ତବ୍ୟ, ଏବଂ ଅପ୍‌ସରାଗଣ ମଧ୍ୟ ପ୍ରସ୍ତୁତ । ଯଦି ଆପଣ ଅନୁମତି ଦିଅନ୍ତି, ତାହେଲେ ସେମାନେ ନୃତ୍ୟ ପରିବେଷଣ କରି ସତ୍କାର ଜନିତ ତୃପ୍ତି ଲାଭ କରି ପାରିବେ ।

 

ଅଷ୍ଟବକ୍ର କିଛିମାତ୍ର ଦ୍ୱିରୁକ୍ତି ନକରି ସମ୍ମତି ପ୍ରଦାନ କଲେ ।

 

ମୁହୂର୍ତ୍ତକ ମଧ୍ୟରେ ଯେପରି ଝଲସି ଉଠିଲା କୁବେରପୁରୀ । ଉର୍ବସୀ, ବିଦ୍ୟୋତା, ମିଶ୍ରକେଶୀ, ରମ୍ଭା, ଅଲମ୍ବୁଷାଙ୍କ ଠାରୁ ଆରମ୍ଭ କରି ଉର୍ବରା, ରତି ଇତ୍ୟାଦି ଯେତେ ସୁନ୍ଦରୀ ଅପ୍‌ସରାଗଣ ଥିଲେ ସମସ୍ତେ ଏକ ସଙ୍ଗରେ ନୃତ୍ୟ ଆରମ୍ଭ କଲେ ଓ ଗନ୍ଧର୍ବଗଣ ନୃତ୍ୟର ତାଳେ ତାଳେ ବାଦ୍ୟ ବାଦନର ଉତ୍ତରୋଳରେ ବିମୋହିତ ଅଷ୍ଟବକ୍ର ଦୀର୍ଘ ଏକବର୍ଷ ଅତିକ୍ରାନ୍ତ ହେଲେହେଁ ସ୍ଥାନ, କାଳ, ପାତ୍ର ସବୁ ବିସ୍ମୃତ ହୋଇଥିଲେ ।

 

ଅତଃପର କୁବେର ସବିନୟରେ ଅଷ୍ଟବକ୍ରଙ୍କୁ କହିଲେ, ଦୀର୍ଘ ଏକବର୍ଷରୁ ଅଧିକ କାଳ ଅତିକ୍ରାନ୍ତ ହୋଇଅଛି । କିନ୍ତୁ ଏହି ଅତୁଳନୀୟ ଗନ୍ଧର୍ବ ନୃତ୍ୟ ଆପଣଙ୍କୁ ଏପରି ବିମୋହିତ କରିଛି ଯେ, ଆପଣ ଏହି ଦୀର୍ଘ କାଳ ଅତିକ୍ରମ ହେବା ଜାଣିପାରି ନାହାନ୍ତି । ଯଦି ଆଉ ଅଧିକ କାଳ ଆପଣ ଏଠାରେ ଚିତ୍ତବିନୋଦନକାରୀ ନୃତ୍ୟଗୀତ ଉପଭୋଗ କରିବାର ବାସନା ରଖିଥାନ୍ତି, ତାହେଲେ ମୁଁ ସେହିଭଳି ଆଦେଶ ପାଳନ କରିବି ।

 

କୁବେରଙ୍କର ଏପରି ବଚନରେ ଅଷ୍ଟବକ୍ର ସଂବିତ ପ୍ରାପ୍ତ ହୋଇ ତ୍ୱରିତରେ ପୁରୀ ତ୍ୟାଗ କରିବାକୁ ଉଦ୍ୟତ ହୋଇ କହିଲେ, ଆପଣଙ୍କ ଆତିଥ୍ୟରେ ମୁଁ ଅତ୍ୟନ୍ତ ପ୍ରୀତ । ଆପଣଙ୍କର ସମୃଦ୍ଧି ଓ ଅଭ୍ୟୁଦୟ କାମନା କରେ । ମହାତ୍ମା ବଦାନ୍ୟଙ୍କ ଆଦେଶରେ ମୋତେ ବର୍ତ୍ତମାନ ଉତ୍ତରାଭିମୁଖୀ ହୋଇ ଯିବାକୁ ହେବ । ଆପଣ ଅନୁମତି ଦିଅନ୍ତୁ ।

 

ଏହି କଥା କହି ଅଷ୍ଟାବକ୍ର ପଦବ୍ରଜରେ ଯାତ୍ରା ଆରମ୍ଭ କଲେ । ଯାତ୍ରା ପଥରେ କୈଳାସ, ମନ୍ଦାରଚଳ ଓ ବିଶାଳ ପର୍ବତମାଳା ଅତିକ୍ରମ କରି ଉତ୍ତର ଦିଗସ୍ଥ ଏକ ସମତଳ ଭୂମିରେ ଉପନୀତ ହେଲେ । ବଦାନ୍ୟ ଋଷିଙ୍କ ନିର୍ଦ୍ଦେଶାନୁସାରେ, ସେହି ସମତଳ ଭୂମି ହିଁ ଅଭିପ୍ରେତ ସ୍ଥାନ ବୋଲି ଋଷିଙ୍କର ପ୍ରତୀୟମାନ ହେଲା ।

 

ଅଷ୍ଟବକ୍ର ଚତୁର୍ଦ୍ଦିଗ ନିରୀକ୍ଷଣ କରି ଦେଖିଲେ, ଚତୁର୍ଦ୍ଦିଗ ସାରୀ ସାରୀ ବୃକ୍ଷରାଜି ଶୋଭିତ ହୋଇ ସୁରମ୍ୟ ଭବନମାନ ହୀରା, ମଣି, ମୁକ୍ତାଦ୍ୱାରା ସୁଶୋଭିତ । ବଦାନ୍ୟ ଋଷିଙ୍କ ନିର୍ଦ୍ଦେଶ ମନେ ପଡ଼ିବାରୁ ଏହି ବୃକ୍ଷରାଜି ଶୋଭିତ ସୁରମ୍ୟ ଭବନ ମଧ୍ୟରୁ ହିଁ ଗୋଟିକରେ ‘ଉତ୍ତରଦିକ୍‌’ ନାମ୍ନୀ ଏକ ରମଣୀଙ୍କ ସହିତ ତାଙ୍କର ସାକ୍ଷାତ କରିବା କର୍ତ୍ତବ୍ୟ, କିନ୍ତୁ କେଉଁ ନିର୍ଦ୍ଦିଷ୍ଟ ଭବନରେ ସେହି ରମଣୀ ଅଛନ୍ତି ଜାଣି ନପାରି ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ପଥ ମଧ୍ୟରେ କୌଣସି ପଥଚାରୀ ଦୃଷ୍ଟିଗୋଚର ନହେବାରୁ ଅଷ୍ଟବକ୍ର ନିର୍ଦ୍ଦିଷ୍ଟ ଭବନ ସନ୍ଧାନ ନଜାଣି ଏକ ପରେ ଏକ ଭବନ ଅତିକ୍ରାନ୍ତ କରୁ କରୁ ରାତ୍ରିର ଦ୍ୱିତୀୟ ପ୍ରହର ମଧ୍ୟ ଅତିକ୍ରାନ୍ତ ହୋଇଥିଲା । ଅବଶେଷରେ ସମ୍ମୁଖସ୍ଥ ଏକ ଭବନରେ ରୁଦ୍ଧ ଦ୍ୱାରଦେଶରେ ଉପନୀତ ହୋଇ, ଗୃହସ୍ୱାମୀ ଉଦ୍ଦେଶ୍ୟରେ ଅଷ୍ଟବକ୍ର କହିଲେ-‘‘ଏ ଭବନରେ କିଏ ଅଛନ୍ତି ? ଏହି ଅସମୟରେ ମୁଁ ଏକ ଅତିଥି-।’’

 

ମୁହୂର୍ତ୍ତକ ମଧ୍ୟରେ ରୁଦ୍ଧଦ୍ୱାର ଉନ୍ମୋଚିତ ହୋଇ ଭବନ ମଧ୍ୟରୁ ନିର୍ଗତା ରୂପଯୌବନ ସମ୍ପନ୍ନା ସପ୍ତତନ୍ୱୀ ରମଣୀ ଋଷିଙ୍କୁ ଅଭ୍ୟର୍ଥନା ଜ୍ଞାପନ କରି, ଅଭ୍ୟନ୍ତରସ୍ଥ ଅତୀବ ରମଣୀୟ ଏକ କକ୍ଷରେ ବିଶ୍ରାମ କରିବାକୁ ଅନୁରୋଧ ଜଣାଇଲେ । ସେହି କକ୍ଷର ଦୁଇ ପାର୍ଶ୍ୱରେ ମଣିମୁକ୍ତା ଖଚିତ ଦୁଇଟି ପଲଙ୍କ ଥିଲା । କକ୍ଷାଭ୍ୟନ୍ତରରେ ଏକ ଅସ୍ଥି ଚର୍ମସାର ଅତୀବ ସୁବେଶା ଏକ ଜରାଜୀର୍ଣ୍ଣ ବୃଦ୍ଧା ଏକ ପଲଙ୍କରେ ଉପବିଷ୍ଟ ଥିଲେ । ମହର୍ଷି ଅଷ୍ଟବକ୍ରଙ୍କୁ ଦେଖି ସେହି ବୃଦ୍ଧା ଅଭ୍ୟର୍ଥନା ଜ୍ଞାପନ କରି ଅପର ପାର୍ଶ୍ୱସ୍ଥ ପଲଙ୍କରେ ଉପବେଶନ କରିବା ନିମନ୍ତେ ଅନୁରୋଧ କଲେ ।

 

ଅତଃପର ଋଷିବର ସେହି ସପ୍ତତନ୍ୱୀଙ୍କ ଉଦ୍ଦେଶ୍ୟରେ କହିଲେ, ଆପଣମାନେ ସମସ୍ତେ ଏ କକ୍ଷ ତ୍ୟାଗ କରନ୍ତୁ । ଏକମାତ୍ର ଯାହାର ରମଣୀ ସୁଲଭ ବାଚାଳତା ନାହିଁ, ସେ ହିଁ କେବଳ ଏହି କକ୍ଷରେ ରହି ପାରିବେ । ସୁତରାଂ ବୃଦ୍ଧା ରମଣୀଙ୍କ ବ୍ୟତୀତ ସମସ୍ତେ ସେହି କକ୍ଷ ଅଷ୍ଟବକ୍ରଙ୍କ ଆଦେଶାନୁସାରେ ତ୍ୟାଗ କଲେ ।

 

ଆଶୀର୍ବାଦ ଜ୍ଞାପନ କରି ଅଷ୍ଟବକ୍ର ବୃଦ୍ଧାଙ୍କୁ କହିଲେ- ରାତ୍ରୀ ଅଧିକ ହୋଇଥିବାରୁ ଆପଣ ନିଦ୍ରା ଯାଆନ୍ତୁ ଏବଂ ମୁଁ ମଧ୍ୟ ବିଶ୍ରାମ କରିବି ।

 

କିଛି ସମୟ ଅତିକ୍ରାନ୍ତ ପରେ ଅର୍ଦ୍ଧନିଦ୍ରାମଗ୍ନ ଅଷ୍ଟବକ୍ର ଏକ ଶୀର୍ଣ୍ଣ ଅଥଚ ବଳିଷ୍ଠ ଆଲିଙ୍ଗନ ଅନୁଭବ କଲେ । ଚକିତ ହୋଇ ସେହି ବୃଦ୍ଧା ତାଙ୍କୁ ଆଲିଙ୍ଗନ କରିବା ଅବସ୍ଥାରେ ଦେଖି ବିସ୍ମିତ ହେଲେ । ନିଜକୁ ମୁକ୍ତ କରି ଅଷ୍ଟବକ୍ର କହିଲେ, କ’ଣ ହୋଇଛି ? ଆପଣ କଣ ଅସୁସ୍ଥ ବୋଧ କରୁଛନ୍ତି କି ?

 

ରମଣୀ କହିଲେ–ବିପ୍ରବର ! ଏହି ନିଭୃତ କକ୍ଷରେ ସୁଦର୍ଶନ ପୁରୁଷ ଦର୍ଶନରେ ଯେକୌଣସି ରମଣୀ କାମବାଣରେ ଅସୁସ୍ଥ ହେବା ହିଁ ସ୍ୱାଭାବିକ । କୌଣସି ପୁରୁଷ ମଧ୍ୟ ନିର୍ବିକାର ରହି ପାରିବ ନାହିଁ ।

 

ଅଷ୍ଟବକ୍ର–କଣ ଏପରି କହୁଛନ୍ତି ?

 

ରମଣୀ କହିଲେ–ମୋ ଦେହ ଜୀର୍ଣ୍ଣ ହେଲେହେଁ, ମୋର ମନ ଜୀର୍ଣ୍ଣ ହୋଇ ନାହିଁ । ଆପଣଙ୍କ ସଙ୍ଗ ଲାଭ ପାଇଁ ମୋ ମନ ଚଞ୍ଚଳ ହେବାରୁ ନିଃସଙ୍କୋଚରେ ଆପଣଙ୍କୁ ନିବେଦନ କରିବାକୁ ମୁଁ ଆସିଅଛି । ମୋତେ ଗ୍ରହଣ କରନ୍ତୁ ।

 

ଜରାଗ୍ରସ୍ଥ ରମଣୀର ବୀଭତ୍ସ କାମନା ଅଷ୍ଟବକ୍ରଙ୍କୁ ବିସ୍ମିତ ଓ ହତବାକ୍‌ କରି ଦେଇଥିଲା ।

 

ପୁନଶ୍ଚ ରମଣୀ କହିଲେ–ମୋତେ ଏପରି ବିସ୍ମିତ ନେତ୍ରରେ କଣ ଦେଖୁଛନ୍ତି ? ଆପଣ ଧାର୍ମିକ ଓ ଜ୍ଞାନୀ । କାମ ପୀଡ଼ିତା ରମଣୀର କାମ ଚରିତାର୍ଥ କଣ ପୁରୁଷର ଧର୍ମ ନୁହେଁ ? ପତ୍ନୀ ରୂପେ ଗ୍ରହଣ କରି ମୋତେ ତୃପ୍ତ କରନ୍ତୁ । ପତ୍ନୀ ରୂପେ ମୁଁ ଆପଣଙ୍କୁ ସେବା କରି ମୁଁ ନିଜେ ମଧ୍ୟ ଧନ୍ୟା ହେବି । ପୁରୁଷ ସଂସର୍ଗ ସ୍ତ୍ରୀ ମାତ୍ର ହିଁ କାମ୍ୟ ।

 

ଅଷ୍ଟବକ୍ର–ଆପଣ ପରସ୍ତ୍ରୀ । ପତିବ୍ରତା ନାରୀର ଧର୍ମ ଜଳାଞ୍ଜଳି ଦେବା ପାପାଚାର । ଏହି ପାପାଚାରରୁ ନିବୃତ୍ତ ହୁଅନ୍ତୁ ।

 

ରମଣୀ–‘ପୁଣ୍ୟତୋୟା’ ସ୍ୱୀୟ ପ୍ରବାହ ପଥରେ ଦୁଇକୂଳ ଦୀର୍ଣ୍ଣ ବିଦୀର୍ଣ୍ଣ କରି ନଥାଏ କି-? ସ୍ଥାନ, କାଳ, ପାତ୍ର ନିର୍ବିଶେଷରେ ନାରୀ ମାତ୍ରେ ହିଁ ରତି ବିଳାସିନୀ । ଏହା ବାସ୍ତବ ସତ୍ୟ ଜାଣି ମୋତେ ଆପଣ ଗ୍ରହଣ କରନ୍ତୁ ।

 

ଅକମ୍ପିତ ଓ ଗମ୍ଭୀର କଣ୍ଠରେ ଅଷ୍ଟବକ୍ର କହିଲେ–ପର ସ୍ତ୍ରୀ ଗମନ ଅଧର୍ମ । ମୁଁ ନିଜର ଅଭ୍ୟୁଦୟ କାମନା କରି ନିଜ ନିର୍ବାଚିତ କନ୍ୟାକୁ ଦାର ପରିଗ୍ରହ କରିବାକୁ ସ୍ଥିର କରିଅଛି । ସେହି କ୍ଷେତ୍ରରେ ଅନ୍ୟ ରମଣୀ ସଙ୍ଗ ଚିନ୍ତା ମଧ୍ୟ ମହାପାପ । ଏହାଦ୍ୱାରା ଯଦି ଆପଣ ରୁଷ୍ଟା ହୋଇ ମୋତେ ଏଠାରେ ଅତିଥି ଭାବରେ ରଖିବାକୁ ଅନିଚ୍ଛୁକ ତା’ହେଲେ ମୁଁ ଅନ୍ୟତ୍ର ଚାଲିଯିବି । କିନ୍ତୁ ଆପଣଙ୍କ ପ୍ରସ୍ତାବରେ ସମ୍ମତି ଦେବା ମୋ ପକ୍ଷରେ ଅସମ୍ଭବ ।

 

ସଂଯତ ହୋଇ ରମଣୀ କହିଲେ- ମୋର କାମନା ପ୍ରତ୍ୟାଖ୍ୟାତ ହେଲେ ହେଁ ଆତିଥ୍ୟରେ ମୁଁ ଅବିଚଳ । ଯେତେଦିନ ଇଚ୍ଛା ଆପଣ ଏଠାରେ ରହି ବିଶ୍ରାମ କରି ପାରନ୍ତି ।

 

କୌତୂହଳୀ ହୋଇ ଅଷ୍ଟବକ୍ର ଚିନ୍ତା କଲେ, ରମଣୀ ବୈଭବଶାଳୀ ହୋଇ ଏପରି କୁରୂପା ମାନସିକଗ୍ରସ୍ଥା କିପରି ?

 

ପରଦିନ ସନ୍ଧ୍ୟା ସମୟରେ ସେହି ବୃଦ୍ଧା ଅଷ୍ଟବକ୍ରଙ୍କୁ ପଚାରିଲେ, ଆପଣଙ୍କ କଣ ପ୍ରୟୋଜନ ସାମଗ୍ରୀ କହିଲେ ପ୍ରସ୍ତୁତ କରିବି ।

 

ଅଷ୍ଟବକ୍ର କହିଲେ–ମୋର ଅବଗାହନର ଆୟୋଜନ କରନ୍ତୁ । ମୁଁ ସନ୍ଧ୍ୟା ବନ୍ଦନା କରିବି-

 

ଅତଃପର ରମଣୀ ସ୍ୱୟଂ ଇଷତ୍ ଉଷ୍ମ ବାରିଦ୍ୱାରା ଋଷିଙ୍କ ଅନୁମତି କ୍ରମେ ସ୍ନାନ କରାଇବାକୁ ଲାଗିଲେ । ସୁଗନ୍ଧି ତୈଳ, ଇଷତ୍‌ଉଷ୍ଣ ବାରି ଓ ସର୍ବାଙ୍ଗରେ ରମଣୀ ହସ୍ତ ସ୍ପର୍ଶରେ ଋଷି କ୍ରମେ ଆବିଷ୍ଟ ହେଲେ । ସଂବିତ୍‌ପ୍ରାପ୍ତ ହୋଇ ଦେଖିଲେ, ନିଶାକ୍ରାନ୍ତ ହୋଇ ପୂର୍ବ ଗଗନରେ ସୂର୍ଯ୍ୟୋଦୟ ସମୟ ଆଗମ । ଋଷି ସ୍ୱପ୍ନୋଧିତ ସଦୃଶ ସଙ୍ଗେ ସଙ୍ଗେ ସବୁ ଚିନ୍ତା ଅପସାରଣ କରି ସନ୍ଧ୍ୟା ବନ୍ଦନାନ୍ତେ ସୂର୍ଯ୍ୟଦେବଙ୍କୁ ଆହ୍ୱାନ ଜଣାଇଲେ ।

 

ଏହି ସବୁ କର୍ମ ସମାପନାନ୍ତେ ରମଣୀ ହସ୍ତ ପ୍ରସ୍ତୁତ ସୁମଧୁର ଅନ୍ନ ଆଣି ଅଷ୍ଟବକ୍ରଙ୍କ ସମ୍ମୁଖରେ ରଖି ଭୋଜନ କରିବାକୁ ଅନୁରୋଧ କଲେ ।

 

ଅଷ୍ଟବକ୍ର ଅନ୍ନ ଗ୍ରହଣ କରି ପରମ ତୃପ୍ତି ଲାଭ କରି ଭାବିଲେ, ଏ ଅନ୍ନ ନୁହେଁ ଯଥାର୍ଥ ଅମୃତ । ରାତ୍ରି ସମାଗତ ହେବାରୁ ଋଷି ପୁନଶ୍ଚ ସେହି କକ୍ଷରେ ପ୍ରବେଶାନ୍ତେ ଶଯ୍ୟା ଗ୍ରହଣ କଲେ-

 

ପ୍ରାୟ ମଧ୍ୟରାତ୍ରୀ ସମୟରେ ରମଣୀର କୋମଳ ସ୍ପର୍ଶରେ ମହର୍ଷିଙ୍କ ପୁନଶ୍ଚ ନିଦ୍ରାଭଗ୍ନ ହେଲା । ସେ ଚମକିତ ହୋଇ ଦେଖିଲେ, ଏକ ଅତୀବ ସୁବେଶା ତନ୍ୱୀ ନାରୀ ଶଯ୍ୟା ପାର୍ଶ୍ୱରେ ଉପବିଷ୍ଟା । ସେହି ଜରାଜୀର୍ଣ୍ଣ ବୃଦ୍ଧା ସେହି କକ୍ଷରେ ନଥିଲେ । ଋଷିଙ୍କ ମନେ ହେଲା, ସମ୍ଭବତଃ ସେହି ବୃଦ୍ଧା ଆକୃତି ପରିବର୍ତ୍ତନ ଘଟାଇ ତନ୍ୱୀ ଯୁବତୀ ରୂପରେ ପୁନଶ୍ଚ ପ୍ରଲୋଭିତ କରିବା ଉଦ୍ଦେଶ୍ୟରେ ଆସିଅଛି ।

 

ଅବିଚଳ କଣ୍ଠରେ ଅଷ୍ଟବକ୍ର କହିଲେ–ରମଣୀ ! ଏପରି ରୂପରେ ମୋ ପାଖକୁ ଆସିବାର ଅଭିପ୍ରାୟ କ’ଣ ? ନିଜକୁ ସଂଯତ କର । ନାରୀତ୍ୱର ଅବମାନନା କରି ଅଧର୍ମ କର ନାହିଁ-

 

ରମଣୀ କହିଲେ–ଧର୍ମରକ୍ଷା ନିମନ୍ତେ ମୁଁ ଆପଣଙ୍କର ଶରଣାପନ୍ନ । ମୁଁ କାମଧର୍ମା, ସ୍ୱାଧୀନା ଓ ସ୍ୱତନ୍ତ୍ରା–ମୋତେ ପରିତୃଷ୍ଟ ନକଲେ ଆପଣ ଅଧର୍ମ କରି ପାପଲିପ୍ତ ହେବେ ।

 

ଅଷ୍ଟବକ୍ର କହିଲେ–ମୁଁ ସ୍ୱେଚ୍ଛାଚାରୀ ନୁହେଁ । ସଂଯମ ହିଁ ମୋର ଧର୍ମ । କୌଣସି ପାପ ମୋତେ ସ୍ପର୍ଶ କରି ପାରିବ ନାହିଁ । ଭଗିନୀ ନାରୀ ହିଁ ସ୍ୱାଧୀନା ଓ ସ୍ୱତନ୍ତ୍ରା । କୁଳବତୀ ନାରୀ କେବେହେଁ ସ୍ୱତନ୍ତ୍ରା ନୁହେଁ । କୁମାରୀ ଦଶାରେ ନାରୀ ପିତା, ଯୌବନାବସ୍ଥାରେ ସ୍ୱାମୀ, ବୃଦ୍ଧାବସ୍ଥାରେ ପୁତ୍ରର ଅଧୀନା । ଅତଏବ ଆପଣ ଲାଳସା ସଂଯତ କରନ୍ତୁ ।

 

ରମଣୀ କହିଲେ–କୁମାରୀ କାଳରୁ ହିଁ ମୁଁ ବ୍ରହ୍ମଚାରିଣୀ, ଏବେ ମୁଁ କଣ ସ୍ୱତନ୍ତ୍ରା ନୁହେଁ । ଆପଣଙ୍କୁ ଦେଖି ମୁଁ ଆକୃଷ୍ଟା ହୋଇଛି । ଆପଣଙ୍କୁ ପାଇବା ନିମନ୍ତେ ମୁଁ ଅତୀବ ଉଦ୍‌ଗ୍ରୀବ । ପତ୍ନୀ ରୂପରେ ମୋତେ ଗ୍ରହଣ କରନ୍ତୁ ।

 

ଅଷ୍ଟବକ୍ରଙ୍କ ମନରେ ଦ୍ୱିମୁଖୀ ଚିନ୍ତା ଆବର୍ତ୍ତ ହେଉଥିଲା । ପ୍ରଥମତଃ ଏ ନାରୀ କିଏ ? ଏହି ନାରୀକି ସେହି ଜରାଜୀର୍ଣ୍ଣ ବୃଦ୍ଧା ? ଅଯଥା ସେହି ବୃଦ୍ଧା ନିଜ ଆକୃତି ପରିବର୍ତ୍ତନ ଘଟାଇ ଏପରି ଆଚରଣ ପ୍ରଦର୍ଶନର ତାତ୍ପର୍ଯ୍ୟ କଣ ?

 

ଦ୍ୱିତୀୟତଃ ଋଷି ବଦାନ୍ୟ କ’ଣ ଏପରି ପରୀକ୍ଷା କରିବା ନିମନ୍ତେ ଏଠାକୁ ପଠାଇ ଅଛନ୍ତି । ଏହିପରି ଚିନ୍ତା କରି ଅଷ୍ଟବକ୍ର କହିଲେ–ଆପଣ ନିବୃତ୍ତ ରୁହନ୍ତୁ । ମୁଁ ଯାହାକୁ ପତ୍ନୀ ରୂପେ ନିର୍ବାଚନ କରିଛି, ସେହି ରମଣୀ ବ୍ୟତୀତ ଅନ୍ୟ କୌଣସି ରମଣୀକୁ ପତ୍ନୀ ରୂପେ ଗ୍ରହଣ କରିବା ମୋ ପକ୍ଷେ ଅସମ୍ଭବ । ମୋର ଅନୁରୋଧ, ଆପଣ କିଏ ? ସତ୍ୟ ପରିଚୟ ପ୍ରକାଶ କରନ୍ତୁ ।

 

ଶାନ୍ତ ସ୍ୱରରେ ରମଣୀ କହିଲେ–ଉତ୍ତରଦିକ୍‌ ହିଁ ମୋର ସତ୍ୟ ପରିଚୟ । ମୁଁ ଜାଣେ, କାହିଁକି ବଦାନ୍ୟ ଋଷି ଆପଣଙ୍କୁ ଏଠାକୁ ପ୍ରେରଣ କରିଅଛନ୍ତି । ସଂସାର ଅନଭିଜ୍ଞ ଋଷିବରଙ୍କୁ ବିଚିତ୍ର ରୂପିଣୀ ନାରୀର ଛଳନାମୟୀ ଆଚରଣ ସମ୍ବନ୍ଧରେ ଅଭିଜ୍ଞ କରାଇବା ହିଁ ମୋର ଦାୟିତ୍ୱ ଥିଲା । ବିଚିତ୍ର ରୂପିଣୀ ନାରୀର ଚରିତ୍ର ଆପଣ ବାସ୍ତବ ରୂପରେ ଜାଣିଲେ, ଦେଖିଲେ ଓ ଅଭିଜ୍ଞତା ଅର୍ଜନ କଲେ । ଆପଣ ବର୍ତ୍ତମାନ ଏଠାରୁ ପ୍ରତ୍ୟାବର୍ତ୍ତନ କରନ୍ତୁ । ମୋ ଇଚ୍ଛାରେ ଆପଣଙ୍କର ପଥ ସୁଗମ ହେବ ।

 

ଅବଶେଷରେ ଋଷି ବଦାନ୍ୟ ମହୋଲ୍ଲାସରେ କନ୍ୟା ସୁପ୍ରଭାଙ୍କୁ ଅଷ୍ଟବକ୍ରଙ୍କ ହସ୍ତରେ ଅର୍ପଣ କରିଥିଲେ ।

Image

 

ମାତଙ୍ଗ–ଇନ୍ଦ୍ର ସମ୍ବାଦ

 

(କୁରୁକ୍ଷେତ୍ର ରଣାଙ୍ଗନରେ ଶାୟିତ ପିତାମହଙ୍କୁ ଯୁଧିଷ୍ଠିର ପ୍ରଶ୍ନ କରିଥିଲେ–ବ୍ରାହ୍ମଣ ଶ୍ରେଷ୍ଠବର୍ଣ୍ଣ ଓ ସର୍ବଜନପୂଜ୍ୟ, କିନ୍ତୁ ବ୍ରାହ୍ମଣ ବ୍ୟତୀତ ଅନ୍ୟ ବର୍ଣ୍ଣାଶ୍ରୟୀ କ୍ଷତ୍ରିୟ, ବୈଶ୍ୟ ବା ଶୂଦ୍ର ବ୍ରାହ୍ମଣତ୍ୱ ଲାଭ କରିବା ସମ୍ଭବ କି ?)

 

ଏହିପରି ପ୍ରଶ୍ନ କରିବା ସମୟରେ ଯୁଧିଷ୍ଠିର କହିଲେ–ପିତାମହ ତପସ୍ୟା ଓ ସାଧନା ବଳରେ ଅପ୍ରାପ୍ୟ କିଛି ନ ଥାଏ । କିନ୍ତୁ କେଉଁ ପ୍ରକାର ତପସ୍ୟା ବଳରେ କ୍ଷତ୍ରିୟ-ବୈଶ୍ୟ ବା ଶୂଦ୍ର ବ୍ରାହ୍ମଣତ୍ୱ ଲାଭ କରି ପାରିବେ ?

 

ପିତାମହ କହିଲେ–ବହୁ ଜନ୍ମ ଜନ୍ମାନ୍ତର, ବହୁ ଯୋନି ପରିଭ୍ରମଣ କରି ଅଶେଷ ସ୍ୱୀକୃତି ବଳରେ ଜୀବ ବ୍ରାହ୍ମଣ କୁଳରେ ଜନ୍ମ ଗ୍ରହଣ କରିଥାଏ । ଦୁଶ୍ଚର ତପସ୍ୟା କଲେ ମଧ୍ୟ ଅନ୍ୟ ବର୍ଣ୍ଣାଶ୍ରୟୀ ଯଥା–କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରଙ୍କର ବ୍ରାହ୍ମଣତ୍ୱ ଲାଭ ଅସମ୍ଭବ ଓ ଅସାଧ୍ୟ । ପୁନଶ୍ଚ ବ୍ରାହ୍ମଣ କୁଳରେ ଜନ୍ମ ଗ୍ରହଣ କଲେ ଯେ ବ୍ରାହ୍ମଣତ୍ୱ ଲାଭ ହେବ, ଏପରି ସିଦ୍ଧାନ୍ତ ମଧ୍ୟ ଭ୍ରମାତ୍ମକ ।

 

ଯୁଧିଷ୍ଠିର–ବ୍ରାହ୍ମଣ ଓ ବ୍ରାହ୍ମଣତ୍ୱ ମଧ୍ୟରେ କଣ ପ୍ରଭେଦ ଅଛି ?

 

ପିତାମହ–ଜ୍ଞାନୀ ପଣ୍ଡିତ ଗଣ ବାସ୍ତବ ପ୍ରତ୍ୟକ୍ଷ କରି ଏପରି ଏକ ଉପଦେଶ ମଧ୍ୟରେ ଏହି ପ୍ରଭେଦ ସ୍ୱୀକାର କରି ଅଛନ୍ତି । ବ୍ରାହ୍ମଣ କୁଳରେ ଜନ୍ମ ହୋଇ ମଧ୍ୟ ଯଥାର୍ଥ ବ୍ରାହ୍ମଣ, ବ୍ରାହ୍ମଣ ପଦବାଚ୍ୟ ନୁହେଁ, ଏହିପରି ଏକ କାହାଣୀ ଶୁଣ । ଯୁଧିଷ୍ଠିରଙ୍କ ମନରେ ସଂଶୟ ଜାତ ହୋଇ ଥିବାରୁ ସଂଶୟ ନିରାସନ ନିମନ୍ତେ ପିତାମହ ଏକ କାହାଣୀ ଶୁଣାଇବାକୁ ମନସ୍ଥ କଲେ ।

 

ପିତାମହ କହିଲେ–ବର୍ଣ୍ଣଶ୍ରେଷ୍ଠ ବ୍ରାହ୍ମଣ କୁଳର ବ୍ରାହ୍ମଣ ତନୟ ‘ମାତଙ୍ଗ’ ପିତାଙ୍କ ସାନ୍ନିଧ୍ୟରେ ରହି ବ୍ରାହ୍ମଣଙ୍କ ଯାବତୀୟ କର୍ମରେ ସୁନିପୁଣ ଥିଲେ ଏବଂ ବ୍ରାହ୍ମଣ କର୍ମ କୁଶଳତାରେ ସେ ସୁନାମ ଅର୍ଜନ କରିଥିଲେ ।

 

ଏକଦା ଏକ ଯଜମାନ ଯଜ୍ଞ ସାଧନ ନିମନ୍ତେ ବ୍ରାହ୍ମଣଙ୍କୁ ଆମନ୍ତ୍ରଣ ଜଣାଇଲେ । ସେହି ଯଜମାନଙ୍କର ବାସସ୍ଥଳୀ ସୁଦୂର ହୋଇଥିବାରୁ ଦୀର୍ଘପଥ ଅତିକ୍ରମ କରିବାକୁ ହେବ ଜାଣି, ଅସୁସ୍ଥ ବ୍ରାହ୍ମଣ, ପୁତ୍ର ମାତଙ୍ଗଙ୍କୁ ବାଧ୍ୟ ହୋଇ ଯଜମାନଙ୍କ ଗୃହରେ କର୍ମସମାପନ ନିମନ୍ତେ ଆଦେଶ ଦେଲେ । ପିତୃ ଆଜ୍ଞାରେ ମାତଙ୍ଗ ଦ୍ୱିରୁକ୍ତି ନ କରି ଦୁଇଟି ଗର୍ଦ୍ଦଭ ବାହିତ ଏକ ଯାନ ଆରୋହଣ ପୂର୍ବକ ଯଜମାନ ଗୃହ ଉଦ୍ଦେଶ୍ୟରେ ଯାତ୍ରା କଲେ ।

 

ଦିବସର ତାପ ଦାହ ତୀବ୍ର ହେବାରୁ ଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ମାତଙ୍ଗ ଦୁଇଟି ରର୍ଦ୍ଦଭ ବାହନ ମଧ୍ୟରୁ କନିଷ୍ଠ ଗର୍ଦ୍ଦଭକୁ କ୍ରମାଗତ କଷାଘାତ କରିବାକୁ ଲାଗିଲେ । କନିଷ୍ଠ ଗର୍ଦ୍ଦଭଟି କୈଶାର କାଳ ଅତିକ୍ରମ କରି ନ ଥିଲା । କ୍ରମାଗତ କଷାଘାତରେ ରୁଧିରାପ୍ଳୁତ କିଶୋର ଗର୍ଦ୍ଦଭର ମୁଖ କ୍ରନ୍ଦନରେ ବିଚଳିତ ହେବାରୁ ଗର୍ଦ୍ଦଭୀର ମନ ଆକୁଳ ହୋଇ ଉଠିଲା । କାରଣ କିଶୋର ଗର୍ଦ୍ଦଭଟି ଗର୍ଦ୍ଦଭୀର ସନ୍ତାନ ଥିଲା ।

 

ଏହିପରି ଅବସ୍ଥାରେ ଗର୍ଦ୍ଦଭୀ କିଶୋର ସନ୍ତାନକୁ ସାନ୍ତ୍ୱନା ଦେଉଥିଲା, ‘‘ପୁତ୍ର କ୍ରନ୍ଦନ ରୋଧ କର, ଆମେ ଅସହାୟ । ଏହି ଯାନ ଆରୋହୀ ଚଣ୍ଡାଳ ସଦୃଶ ଦୟା ମାୟାହୀନ ।’’

 

ଗର୍ଦ୍ଦଭୀର ଉକ୍ତି ଅତି କ୍ଷୀଣ ହେଲେହେଁ ମାତଙ୍ଗ ଯାନ ସଂଯତ କରି ଗର୍ଦ୍ଦଭୀକୁ ପଚାରିଲେ–ମୁଁ ଚଣ୍ଡାଳ ! ମୋ ବିଷୟରେ ତୁମ୍ଭେ କଣ ଜାଣ ?

 

ଉତ୍ତରରେ ଗର୍ଦ୍ଦଭୀ ଅଦମ୍ଭ କଣ୍ଠରେ କହିଲା–ଯାହା ସତ୍ୟ ତାହା ମୁଁ ପ୍ରକାଶ କରିଛି ।

 

ମାତଙ୍ଗ କହିଲେ, ତୋର ବଚନ ସତ୍ୟ କି ମିଥ୍ୟା ତାହା ମୁଁ ପ୍ରମାଣ କରି ଦେଖିବି । ମିଥ୍ୟା ହେଲେ ପ୍ରକୃତ ଚଣ୍ଡାଳର ଶାସ୍ତି ତୋତେ ଭୋଗ କରିବାକୁ ହେବ ।

 

ଅକପଟରେ ଗର୍ଦ୍ଦଭୀ କହିଲା, ମୁଁ ଆପଣଙ୍କର ଜନ୍ମ ବୃତ୍ତାନ୍ତ ଜାଣିଅଛି । କେଉଁ ସୌଭାଗ୍ୟ ବଳରେ ଆପଣ ବ୍ରାହ୍ମଣ କୁଳଜ ହୋଇ ପାରିଛନ୍ତି ତାହା ମୁଁ ବୁଝି ପାରୁ ନାହିଁ ।

 

ଅବାକ୍‌ ବିସ୍ମୟରେ ମାତଙ୍ଗ ଯାନ ଗତି ବିପରୀତ କରି ଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ପୁତ୍ରକୁ ଦେଖି ପିତା ଅଧୀର କଣ୍ଠରେ ପ୍ରଶ୍ନ କଲେ, କର୍ମ ପାଳନ ଦାୟୀତ୍ୱ ନେଇ ତାହା ସମ୍ପୂର୍ଣ୍ଣ ନ କରି ପଥ ମଧ୍ୟରୁ ପ୍ରତ୍ୟାବର୍ତ୍ତନ କରିବାର କାରଣ କଣ ?

 

ପିତାଙ୍କ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ମାତଙ୍ଗ ମାତାଙ୍କୁ ପ୍ରଶ୍ନ କଲେ, ମୋର ଜନ୍ମ ଇତିହାସ ସମ୍ବନ୍ଧରେ ଗର୍ଦ୍ଦଭୀଠାରୁ ଯାହା ଜାଣିଲ ତାହା କଣ ସତ୍ୟ ? ପ୍ରକୃତ ସତ୍ୟ ପ୍ରକାଶ କର ।

 

ବାଧ୍ୟ ହୋଇ ମାତଙ୍ଗଙ୍କ ସମ୍ମୁଖରେ ଅକପଟରେ ମାତା ସ୍ୱୀକାର କରି କହିଲେ-ମୁଁ ଏକ ନାପିତ ଯୁବକ ସହିତ ପୂର୍ବରୁ ଗୁପ୍ତରେ ବ୍ୟଭିଚାର ଲିପ୍ତ ହୋଇଥିଲି । ଏହା ତୁମ୍ଭ ପିତାଙ୍କ ଅଜ୍ଞାତ ଥିଲା । ସେହି ବ୍ୟଭିଚାର ଫଳସ୍ୱରୂପ ତୁମେ ଜନ୍ମ ହୋଇଥିଲ ।

 

ଏହି କଥା ପତ୍ନୀଙ୍କ ମୁଖରୁ ଶୁଣି ବ୍ରାହ୍ମଣ ଲଜ୍ଜାରେ ମସ୍ତକ ଅବନତ କଲେ ।

 

ମାତଙ୍ଗ କହିଲେ–ତାହେଲେ ଗର୍ଦ୍ଦଭୀ ସତ୍ୟ ବଚନ ହିଁ ପ୍ରକାଶ କରିଅଛି । ବ୍ରାହ୍ମଣ ବଂଶୋଦ୍ଭବ ହୋଇ ମଧ୍ୟ ମୁଁ ବ୍ରାହ୍ମଣତ୍ୱ ଲାଭ କରି ନାହିଁ କି କରିପାରିବି ନାହିଁ । ବ୍ରାହ୍ମଣ ଗର୍ଭରେ ଶୂଦ୍ରଔରସ ଜାତ ପୁତ୍ର ଚଣ୍ଡାଳ ବ୍ୟତୀତ ଅନ୍ୟ କିଛି ନୁହେଁ । ସେ ପିତାଙ୍କୁ କହିଲେ, ଭବିଷ୍ୟତରେ ମୋତେ କୌଣସି ବ୍ରାହ୍ମଣ କର୍ମାଦେଶ କରିବେ ନାହିଁ । ଯେତେ ଦୁଃସାଧ୍ୟ ହେଲେହେଁ ମୋତେ ବ୍ରାହ୍ମଣତ୍ୱ ଅର୍ଜନ କରିବାକୁ ହେବ । ଏହିପରି କହି ମାତଙ୍ଗ ବ୍ରାହ୍ମଣତ୍ୱ ଲାଭ ଉଦ୍ଦେଶ୍ୟରେ କଠୋର ତପସ୍ୟା ନିମନ୍ତେ ଗୃହରୁ ନିର୍ଗତ ହେଲେ ।

 

ଘୋର ଅରଣ୍ୟ ମଧ୍ୟରେ ଏକ ନିର୍ଜନ ସ୍ଥାନରେ ଅବସ୍ଥାନ ପୂର୍ବକ ତପଃ ଆଚରଣ ଆରମ୍ଭ କଲେ । ସେହି କଠୋର ସାଧନାରେ ଦେବଲୋକ ସନ୍ତ୍ରସ୍ଥ ହେବାରୁ, ଦେବରାଜ ଇନ୍ଦ୍ର ମାତଙ୍ଗଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ କହିଲେ-ତୁମେ ଏପରି କଠୋର ତପସ୍ୟା କାହିଁକି କରୁଅଛ-? ତୁମ୍ଭର ଅଭୀଷ୍ଟ ବର ପ୍ରାର୍ଥନା କର । ମାତଙ୍ଗ ଦେବରାଜଙ୍କୁ ସମ୍ମୁଖରେ ଦେଖି ଅତ୍ୟନ୍ତ ବିହ୍ୱଳ ହୋଇ କହିଲେ–ପ୍ରଭୁ ! ମୁଁ ଯେପରି ବ୍ରାହ୍ମଣତ୍ୱ ଲାଭ କରିବି, ସେହି ବର ମୋତେ ପ୍ରଦାନ କରନ୍ତୁ ।

 

ଦେବରାଜ କହିଲେ–ବିଶ୍ୱ ବ୍ରହ୍ମାଣ୍ଡର ସମୂହ ଦେବଭୋଗ୍ୟ ଉତ୍ତମ ବସ୍ତୁ ପ୍ରାର୍ଥନା କଲେ, ମୁଁ ତାହା ଦେଇପାରିବି, କିନ୍ତୁ ବ୍ରାହ୍ମଣତ୍ୱ ଦାନ ମୋ ପକ୍ଷରେ ଅସମ୍ଭବ ।

 

ମାତଙ୍ଗ–ଅସମ୍ଭବକୁ ସମ୍ଭବ କରିବା ନିମନ୍ତେ ମୁଁ ଏପରି କଠୋର ତପାଚରଣ କରିଅଛି-। ତପସ୍ୟା ସିଦ୍ଧି ନ ହେବା ପର୍ଯ୍ୟନ୍ତ ମୁଁ କଠୋରରୁ କଠୋରତର ତପସ୍ୟାରେ ନିଜକୁ ନିୟୋଗ କରିବି । କାରଣ ଏକମାତ୍ର ବ୍ରାହ୍ମଣତ୍ୱ ହିଁ ମୋର କାମ୍ୟ ।

 

ଇନ୍ଦ୍ର–ବ୍ରାହ୍ମଣତ୍ୱ ସଦୃଶ ପବିତ୍ର ବସ୍ତୁ ଏକ ଜନ୍ମ ତପସ୍ୟାରେ ଲାଭ କରିବା ଅସମ୍ଭବ । କୌଣସି ଶକ୍ତିଧର ଦେବତା ମଧ୍ୟ ଏହିପରି ଦାନ ଦେଇ ପାରିବେ ନାହିଁ । ବୃଥା ଚେଷ୍ଟାରୁ କ୍ଷାନ୍ତ ହୁଅ-। ତୁମ ପକ୍ଷରେ ବ୍ରାହ୍ମଣତ୍ୱ ଲାଭ ଅସମ୍ଭବ ।

 

ମାତଙ୍ଗ–ପ୍ରଭୋ । ତପସ୍ୟା ବଳରେ ହିଁ ଅସମ୍ଭବ ସମ୍ଭବ କରି ହୁଏ । ତାହେଲେ ମୋର ବ୍ରାହ୍ମଣତ୍ୱ ପ୍ରାପ୍ତି କାହିଁକି ହେବ ନାହିଁ ? ମୁଁ ବ୍ରାହ୍ମଣ ବଂଶଜ ।

 

ଦେବରାଜ–ଜନ୍ମଜନ୍ମାନ୍ତର ସଂସ୍କାର ବଳରେ ବର୍ଣ୍ଣଶ୍ରେଷ୍ଠ ବ୍ରାହ୍ମଣ ଗୃହରେ ଜନ୍ମଗ୍ରହଣ କଲେ ହେଁ, ତୁମେ ବର୍ଣ୍ଣଶ୍ରେଷ୍ଠ-ବୀଜ ସମ୍ଭୂତ ନୁହଁ । ଯେଉଁ ବୀଜରୁ ଯାହାର ଉତ୍ପତ୍ତି, ସେ ସେହି ବୀଜଗୁଣ ପ୍ରାପ୍ତ ହୋଇଥାଏ ଓ ସେହି ଗୁଣ ନେଇ ସେ ପ୍ରକାଶ ଲାଭ କରେ । ଏହା ଅନତିକ୍ରମ୍ୟ । ଚଣ୍ଡାଳ ଗୁଣ ସମ୍ପନ୍ନ ମଳିନ ଅନ୍ତଃକରଣ ନେଇ କେଉଁ ଭାବରେ ତୁମ୍ଭେ ଏହି ଏକ ଜନ୍ମରେ ବ୍ରାହ୍ମଣତ୍ୱ ଲାଭ ଆଶା କରୁଛ ? ବହୁ ଜନ୍ମର କଠୋର ତପସ୍ୟାରେ ମଧ୍ୟ ବ୍ରାହ୍ମଣତ୍ୱ ଗୁଣ, ଯଥା– ଅକ୍ରୋଧ, ଅଲୋଭ, ଅମାତ୍ମାର୍ଯ୍ୟ ଓ ସମଦର୍ଶିତା ଗୁଣ କେହି ବ୍ରାହ୍ମଣେତର ତପସ୍ୱୀ ଲାଭ କରିପାରି ନାହାନ୍ତି । ଅତଏବ କ୍ଷାନ୍ତ ରହି ଏହି ଜୀବନ ତୁମେ ନିର୍ବିକାର ଚିତ୍ତରେ ଅତିବାହିତ କରିବା ନିମନ୍ତେ ଅନ୍ୟ ବର ପ୍ରାର୍ଥନା କର ।

 

ମାତଙ୍ଗ ଦେବରାଜଙ୍କ ଏତାଦୃଶ ବଚନରେ କୌଣସି ମତାମତ ପ୍ରକାଶ ନକରି ନିଶ୍ଚୁପ ରହିବାରୁ ଦେବରାଜ ଅର୍ନ୍ତହିତ ହେଲେ ।

 

ଅତଃପର ମାତଙ୍ଗ ଗୟାଧାମକୁ ଯାଇ କେବଳ ମାତ୍ର ବୃଦ୍ଧାଙ୍ଗୁଷ୍ଠିରେ ଦଣ୍ଡାୟମାନ ହୋଇ ଓ ବାୟୁଭୁକ୍‌ହୋଇ ଅନେକ କାଳ କଠୋର ତପସ୍ୟାରତ ହୋଇ, ମେଦ ମଜ୍ଜାହୀନ, ଅସ୍ଥି ଚର୍ମସାର ହେଲେହେଁ ବ୍ରାହ୍ମଣତ୍ୱ ଲାଭ ନହେବା ପର୍ଯ୍ୟନ୍ତ ତପସ୍ୟାରେ ଅଟଳ ଓ ଅଚଳ ଥିଲେ । ଏହିପରି ତପସ୍ୟା କାଳ ମଧ୍ୟରେ ପୁନଶ୍ଚ ଦେବରାଜ ଆସି ମାତଙ୍ଗକୁ ସତର୍କ ବାଣୀ ଶୁଣାଇଲେ ।

 

ଦେବରାଜ–ନିବୃତ୍ତ ହୁଅ । ଅନ୍ୟ ବର ପ୍ରାର୍ଥନା କର । କୃଚ୍ଛ୍ର ସାଧନାରେ ମୃତ୍ୟୁବରଣ କଲେହେଁ, ତୁମର ବ୍ରାହ୍ମଣତ୍ୱ ଲାଭ ହେବ ନାହିଁ ।

 

ତପସ୍ୟାରତ ମାତଙ୍ଗ ଅବଶେଷରେ କ୍ଷୀଣ ଦୁର୍ବଳ ହୋଇ ଭାରସାମ୍ୟ ହରାଇ ଭୂତଳରେ ପତିତ ହୋଇ ସଂବିତ୍ ହରାଇ ଥିଲେ ।

 

ସେହି ସମୟରେ ଦେବରାଜ ଇନ୍ଦ୍ର ମାତଙ୍ଗକୁ ଭୂମିରୁ ଉଠାଇବାରୁ ମାତଙ୍ଗ ପୁନଃ ସଂବିତ୍ ପ୍ରାପ୍ତ ହୋଇ ପଚାରିଲେ–ଦେବରାଜ ! ମୋର କଣ ବ୍ରାହ୍ମଣତ୍ୱ ଲାଭ ହେବ ନାହିଁ । ଦୀର୍ଘ ତପସ୍ୟା ବଳରେ ମୋ ଅନ୍ତଃକରଣ କଣ ଏବେ ମଧ୍ୟ ଶୁଦ୍ଧ ହୋଇ ନାହିଁ ? ମୋତେ କଣ ବ୍ରାହ୍ମଣତ୍ୱ ସ୍ୱୀକୃତି ଆପଣ ଦେବେ ନାହିଁ ?

 

ଦେବରାଜ କହିଲେ–ମାତଙ୍ଗ ! ମୁଁ ପୂର୍ବରୁ କହିସାରିଛି ଓ ଏବେ ମଧ୍ୟ କହୁଅଛି, ତୁମ୍ଭର ବ୍ରାହ୍ମଣତ୍ୱ ଲାଭ ଅସମ୍ଭବ । ଏକ ଜନ୍ମ ତପସ୍ୟାରେ ବ୍ରାହ୍ମଣତ୍ୱ ଲାଭ ହୋଇପାରେ ନାହିଁ । ଅନେକ ଜନ୍ମ ଓ ଯୋନି ଅତିକ୍ରମ କରି କୌଣସି ଏକ ସମୟରେ ସୁକୃତ ବଳରେ ବ୍ରାହ୍ମଣତ୍ୱ ଲାଭ ହୋଇପାରେ । ଜନ୍ମ ଜନ୍ମାନ୍ତର ସାଧନା ବ୍ୟତୀତ ବ୍ରାହ୍ମଣତ୍ୱ ଲାଭ ଅସମ୍ଭବ ।

 

ମାତଙ୍ଗ–ଦୀର୍ଘକାଳ କଠୋର ତପସ୍ୟାରତ ହୋଇ ମୁଁ ସଂଯମ, ଅହିଂସା, ଓ ତିତିକ୍ଷାର ଚରମତମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସୁଦ୍ଧା, ମୋର ଦୁର୍ଭାଗ୍ୟବଶତଃ ବ୍ୟଭିଚାର ଜନିତ ବ୍ରାହ୍ମଣ କୁଳରେ ଜନ୍ମ ହୋଇଥିବାରୁ ଯଥାର୍ଥ ବ୍ରାହ୍ମଣତ୍ୱ ସ୍ୱୀକୃତି ଲାଭ କରିପାରିଲି ନାହିଁ । ମୁଁ ଏବେ ଉପଲବ୍‌ଧି କରିଅଛି ଯେ ‘‘ନୂନଂ ଦୈବଂ ନ ଶକ୍ୟଂ ହି ପୌରୁଷୋଣାତି ବର୍ତ୍ତିତୁମ୍‌ ।’’ ଅର୍ଥାତ୍‌ ପୁରୁଷାର୍ଥ ସାହାଯ୍ୟରେ ଦୈବକୁ କଦାପି ଲଂଘନ କରାଯାଏ ନାହିଁ ।

 

ଅତଃପର ଦୀର୍ଘନିଃଶ୍ୱାସ ତ୍ୟାଗକରି ଦେବରାଜ ଇନ୍ଦ୍ରଙ୍କୁ କହିଲେ–ଆପଣ ଯଦି ଏକାନ୍ତ ମୋତେ ବରଦାନଯୋଗ୍ୟ ବିବେଚିତ କରିଛନ୍ତି, ତାହେଲେ ମୋ ତପଃ ଉପଯୋଗ୍ୟ ବର ପ୍ରଦାନ କରନ୍ତୁ ।

 

ଦେବରାଜ ପ୍ରୀତ ହୋଇ କହିଲେ–ଦୀର୍ଘକାଳ କଠୋର ତପସ୍ୟା ବଳରେ ତୁମ୍ଭେ ସର୍ବଜନପୂଜ୍ୟ ହେବାର ଯୋଗ୍ୟ ହୋଇଅଛ । ମୋ ବରରେ ସଂକଳ୍ପ ମାତ୍ରେ ହିଁ ଆକାଶଚାରୀ ଦେବତାଙ୍କ ସଦୃଶ ଇଚ୍ଛାନୁସାରେ ରୂପ ଧାରଣ କରି ବିଚରଣ କରି ପାରିବ । ଆଜିଠାରୁ ତୁମ୍ଭେ ‘ଛନ୍ଦ-ଦେବ’ ନାମରେ ଏହି ତ୍ରିଲୋକରେ ବିଖ୍ୟାତ ହେବ ।

 

ଅତଃପର ଦେବରାଜ ପ୍ରସ୍ଥାନ କଲେ । ମାତଙ୍ଗ ବରମୟ ନବ ଜୀବନଯାପନ ନିମନ୍ତେ ଇହଲୋକ ଯଥା ସମୟରେ ତ୍ୟାଗ କରିଥିଲେ ।

Image

 

ଇନ୍ଦ୍ର–ବୃହସ୍ପତି–ସମ୍ବାଦ

 

(ଏହି ଆଖ୍ୟାୟିକାରେ ଦେବରାଜ ଇନ୍ଦ୍ର ବୃହସ୍ପତିଙ୍କଠାରୁ ଦାନର ମହାତ୍ମ୍ୟ ଶ୍ରବଣ କରି କିପରି ଆତ୍ମସନ୍ତୋଷ ଲାଭ କରିଥିଲେ, ତାହା ବର୍ଣ୍ଣନା କରାଯାଇଛି ।)

 

ଦାନ କର । ସାମର୍ଥ୍ୟ ଅର୍ଜନ କର । ସାମର୍ଥ୍ୟବାନ ହୋଇ ଦାନ କର । ଭୂମିପତି ପ୍ରଜାପାଳକ କ୍ଷତ୍ରିୟ ସାମର୍ଥ୍ୟବାନ ହୋଇ ଆତ୍ମକୈନ୍ଦ୍ରିକ ନହୋଇ, ସଂରକ୍ଷଣଶୀଳଯୁକ୍ତ ହୋଇ ଭୋଗବିମୁଖ ହୋଇ ଦାନ କର । ନିର୍ମଳ ଚିତ୍ତରେ ଗ୍ଳାନିହୀନ ମାନସିକତାରେ ଦାନମୁଖୀ ହୁଅ । ନିର୍ଲୋଭ, ନିରହଙ୍କାର ବ୍ରାହ୍ମଣଙ୍କୁ ଦାନ କର । ଯନ୍ତ୍ରଣା କ୍ଳିଷ୍ଟ ଦୀନଦରିଦ୍ର ଆତୁରଙ୍କୁ ଦାନକର ।

 

ଉପରୋକ୍ତ ଉପଦେଶ ସମ୍ବନ୍ଧରେ ଧର୍ମରାଜ ମନେ ମନେ ଚିନ୍ତା କରୁଥିଲେ, ନିଃସନ୍ଦେହରେ ଏହି ସମସ୍ତ ସାଧୁ ଉପଦେଶ, ତଥାପି ସେ ଭାବିଲେ କେଉଁ ବସ୍ତୁ ବାନ ଅଧିକ ମହତ୍ତ୍ୱପୂର୍ଣ୍ଣ ଏବଂ କେଉଁ ବସ୍ତୁ ଦାନ କଲେ ସାମର୍ଥ୍ୟବାନ ଅଧିକ ସମୃଦ୍ଧ ଓ ସମର୍ଥ ଲାଭ କରି ପାରିବ । ଏହି ଇହଲୌକିକ ଜୀବନ ପରିସମାପ୍ତିରେ ଅଦୃଶ୍ୟ ପରଜୀବନରେ କେଉଁ ଦାନ ଅଧିକ ଶାନ୍ତି ଦେଇ ପାରିବ ? ସମୃଦ୍ଧଶାଳୀ ମନୁଷ୍ୟ କେଉଁ ଦାନ, ଯଥା-ସ୍ୱର୍ଣ୍ଣ, ରୌପ୍ୟ, ବସ୍ତ୍ର ବା ଅନ୍ନ ଦାନ କରିବ ? ଦାନତୁଲ୍ୟ ଧର୍ମର ବିକଳ୍ପ ପନ୍ଥା ଆଉ କିଛି କଣ ନାହିଁ ? କେଉଁ ବସ୍ତୁ ଦାନରେ ଯଥାର୍ଥ ଧର୍ମ ଲାଭ ହୁଏ । ଏହିପରି ଅନେକ ସଂଶୟ ଯୁଧିଷ୍ଠିର ମନରେ ଜାତ ହେବା ଜାଣି ଜ୍ଞାନବୃଦ୍ଧ ପିତାମହ ସେ ସମସ୍ତ ସଂଶୟ ନିରାସନ ନିମନ୍ତେ କହିଲେ–ଧର୍ମରାଜ, ଦାନ କରିବା ପରି ସମ୍ପଦ କେଉଁମାନେ ଅର୍ଜ୍ଜନ କରିପାରନ୍ତି ତାହା ଶ୍ରବଣ କର ।

 

କ୍ଷାତ୍ରଧର୍ମ ଅବଲମ୍ବନ କରି ଯେଉଁ କ୍ଷତ୍ରିୟ ସାଧାରଣ ମନୁଷ୍ୟର ଦୁଃଖ, କଷ୍ଟ, ଅଭାବ, ଅନାଟନର ଦାୟ ଦାୟିତ୍ୱ ଗ୍ରହଣ କରିଥାଏ, ସେହିଁ ପ୍ରକୃତ ଦାନୀ । ପୂର୍ବକାଳରେ ରାଜନ୍ୟବର୍ଗ ପୁଣ୍ୟ ଅର୍ଜ୍ଜନ ପାଇଁ ଅଶ୍ୱମେଧ ଯଜ୍ଞ କରୁଥିଲେ । ଅଶ୍ୱମେଧ ଯଜ୍ଞ ଏକ ପୁଣ୍ୟ କର୍ମ ।

 

ଏହା ରାଜାଙ୍କୁ ସାର୍ବଭୌମତ୍ୱ, ବସୁନ୍ଧରାର ଏକଛତ୍ର ଆଧିପତ୍ୟ, ଅତୁଳ ଅସରନ୍ତି ସମ୍ପଦର ଅଧିଶ୍ୱର କରିଥାଏ । କିନ୍ତୁ କାଳକ୍ରମେ ‘କାଳବିଶେଷଜ୍ଞ’ ଗଣ ଯେତେବେଳେ ଦେଖିଲେ ଏହି ଆଧିପତ୍ୟ ଓ ବୈଭବ ରାଜାଗଣଙ୍କର କାମନା, ବାସନା, ଲାଳସା ଓ ଆସକ୍ତି କ୍ରମଶଃ ବୃଦ୍ଧି ଘଟାଇ ପ୍ରଜାଗଣଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ବିଧାନଠାରୁ ନିବୃତ୍ତ ରହି ରାଜନ୍ୟବର୍ଗ ଆତ୍ମକୈନ୍ଦ୍ରିକ ଭୋଗ ବିଳାସରେ ମତ୍ତ ହୋଇ ରହି କାଳାତିପାତ କରୁଛନ୍ତି, ସେହି କାଳ ବିଶେଷଜ୍ଞଗଣ ସେତେବେଳେ ଏକ ଅପୂର୍ବ ଭୂମିଦେବୀ ଗୀତ ଗାଥା ଶ୍ରବଣ କଲେ ।

 

ବିସ୍ମିତ ଧର୍ମରାଜ ‘ଭୂମିଦେବୀ ଗୀତ ଗାଥା’ କଣ ବୋଲି ପ୍ରଶ୍ନ କରିବାରୁ ପିତାମହ କହିଲେ–ସେହି ସମୟରେ ରାଜନ୍‌ବର୍ଗଙ୍କର ସ୍ୱାର୍ଥପରତାରେ କାତରା ହୋଇ ଦେବୀ ବସୁନ୍ଧରାଙ୍କ ଅନ୍ତରରୁ ଆକ୍ଷେପ ବାଣୀ ନିଃସୃତ ହୋଇଥିଲା । ସେତେବେଳେ ସେହି ବାଣୀକୁ ‘ଭୂମିଦେବୀ ଗୀତ ଗାଥା’ ବୋଲି କାଳ ବିଶେଷଜ୍ଞମାନେ କହିଥିଲେ ।

 

ଧର୍ମରାଜ ପ୍ରଶ୍ନ କଲେ, କଣ ସେହି ଆକ୍ଷେପ ବାଣୀ ପିତାମହ ?

 

ପିତାମହ କହିଲେ–ସେତେବେଳେ ଦେବୀ ବସୁନ୍ଧରା କହୁଥିଲେ ‘‘ହେ ରାଜନ୍‌ବର୍ଗ ମୋତେ ନେଇ ଏପରି ସର୍ବଗ୍ରାସୀ ହୁଅନାହିଁ । ମୋତେ ଦାନକରି ଭୋଗକର । ତାହାଲେ ତୁମ୍ଭର ମଙ୍ଗଳ ଓ କଲ୍ୟାଣ ହେବ । ଏହି ମର୍ତ୍ତ୍ୟଲୋକରେ ଦେବ ଦୁର୍ଲ୍ଲଭ ଆନନ୍ଦ ଉପଭୋଗ କରି କ୍ଳେଶ ବିବର୍ଜ୍ଜିତ ଅମରତ୍ୱ ଲାଭ କରିପାରିବ । ଦେବୀ ବସୁନ୍ଧରା ପୁନଶ୍ଚ କହିଥିଲେ–‘‘ମାମେବାଦତ୍ତ ମାଂ ଦତ୍ତମାଂ ଦତ୍ତ୍ୱା ମାତ୍ମବାସ୍ମ୍ୟଥ/ଅସ୍ମିଲ୍ଲୋକେ ପରେ ଚୈବ ତଦ୍ ଦତ୍ତଂ ଜାୟତେ ପୁନଃ ।’’

 

କିଞ୍ଚିତକାଳ ନିଶ୍ଚୁପ ରହି ପିତାମହ କହିଲେ–ଏହି ଭୂମିରତ୍ନ ପ୍ରସବିନୀ, ଭୂମି କାମଧେନୁ, ବସୁନ୍ଧରା ବା ଭୂମି ଜଗତରେ ମନୁଷ୍ୟର ଯେପରି ସମୂହ କାମନା ଓ ଆକାଂକ୍ଷା ପୂରଣ ନିମନ୍ତେ ଅବହେଳାରେ ଦାନ କରିଥାଏ, ସେହିପରି ମନୁଷ୍ୟର କାମନା ଅତୀତ ବସ୍ତୁ ମଧ୍ୟ ଦାନ କରିବାର ଅତୁଳନୀୟ ସାମର୍ଥ୍ୟ ଏହି ବସୁନ୍ଧରାର ଅଛି ।

 

ଏହି ମୃତ୍ତିକାଠାରୁ ମନୁଷ୍ୟ ଜାତ, ସୁତରାଂ ମୃତ୍ତିକା ପ୍ରତି ମନୁଷ୍ୟର ଏକ ସ୍ୱାଭାବିକ୍‌ ଆକର୍ଷଣ ରହିଥାଏ । ଏହା ମନୁଷ୍ୟର ସ୍ୱଭାବ ଧର୍ମ । ଏହି ସ୍ୱଭାବ ଧର୍ମକୁ ଯେଉଁ ମନୁଷ୍ୟ ପ୍ରଶ୍ରୟ ଦେଇଥାଏ, ସେ ନିଜକୁ ସଂକୀର୍ଣ୍ଣ କରି ଇନ୍ଦ୍ରିୟର ଦାସ ହୋଇ ପରକୁ ବଞ୍ଚିତ କରି କୂଟ-କୌଶଳରେ ନିଜକୁ ସମୃଦ୍ଧ କରି ଶାମୁକା ସଦୃଶ ହୋଇଥାଏ । ଏହି ସ୍ୱଭାବଧର୍ମ ମନୁଷ୍ୟକୁ ସତ୍ୟଠାରୁ ବହୁଦୂରକୁ ନେଇ ଯାଇଥାଏ ଓ ମନୁଷ୍ୟକୁ ପରସ୍ୱ ଅପହାରୀ, ମିଥ୍ୟାଚାରୀ, ନିର୍ଦୟୀ, ନିର୍ମମ ଓ ସହାନୁଭୂତି ହୀନ କରିଥାଏ । ମୂର୍ତ୍ତିକା, ଭୂମିହିଁ ଜୀବସ୍ଥାନ । ତୁମେ ମୁଁ ପ୍ରତି ମନୁଷ୍ୟ, ପ୍ରତି ପ୍ରାଣୀ, ଜୀବରୂପୀ ଇତର ବିଶେଷ ପ୍ରତ୍ୟେକ ପ୍ରାଣୀର ଏହି ଭୂମି ବା ମୂର୍ତ୍ତିକା ଉପରେ ସମାନ ଅଧିକାର ବା ଦାବୀ ରହିଛି । ଯେଉଁ ବ୍ୟକ୍ତି ପ୍ରକୃତ ସାମର୍ଥ୍ୟବାନ ସେ ହିଁ ଏହି ସମାନ ଅଧିକାରକୁ ସ୍ୱୀକୃତି ଦେଇ ଭୂମି ବା ଭୂମିଜକୁ ପ୍ରୟୋଜନ ଅନୁସାରେ ସମାନ ଭାବରେ ବଣ୍ଟନ କରି ଭୋଗ କରିଥାଏ ।

 

ଅନ୍ୟପକ୍ଷରେ ଯେଉଁମାନେ ବାହୁବଳରେ ଭୂମି ଉପରେ ଆଧିପତ୍ୟ ବିସ୍ତାର କରି ଭୋଗଲିପ୍ତ ଥାଆନ୍ତି, ସେମାନଙ୍କ ପ୍ରତି ବସୁନ୍ଧରାଙ୍କ ଆବେଦନ ରୂପୀ ସେହି ଗୀତ-ଗାଥାରେ ଅଛି-‘‘ସର୍ବଗ୍ରାସୀ ହୁଏନାହିଁ, ପରର ଅଧିକାର ଅପହରଣ କର ନାହିଁ, ତୁମ ସଦୃଶ ମୋର ଅନ୍ୟ ସନ୍ତାନଗଣଙ୍କୁ ଭୂମିହୀନ କରି ମୋ ହୃଦୟକୁ ବ୍ୟଥାତୁର କର ନାହିଁ । ମୋତେ ଦାନକରି ଭୋଗକର-। ସେହିଥିରେ ହିଁ ତୁପ୍ତ ହେବ ଓ ଆନନ୍ଦ ଲାଭ କରି ସମସ୍ତଙ୍କର ପ୍ରିୟ ଓ ସ୍ୱଜନ ହୋଇ ପରମାର୍ଥ ଲାଭ କରିବ ।’’

 

ଅତଏବ ଧର୍ମରାଜ ସଦାସ୍ମରଣ ରଖିବ, ମନୁଷ୍ୟର କ୍ଷୁଧା ପ୍ରଶମନକାରୀ ଅନ୍ନକୁହିଁ ନିର୍ବିଘ୍ନ କର ରଖିବାହିଁ ମହାପୁଣ୍ୟକର୍ମ ।

 

ସାମର୍ଥ୍ୟବାନ ମନୁଷ୍ୟର ଏହାହିଁ ପରମବ୍ରତ ଓ ପାଳନୀୟ କର୍ତ୍ତବ୍ୟ । ଯେଉଁ ବ୍ୟକ୍ତି ଏହି କର୍ତ୍ତବ୍ୟ ପାଳନରେ ପରାଙ୍‌ମୁଖ ସେ ଜୀବନ୍ମୃତ । ଯେଉଁ ବ୍ୟକ୍ତି ନିଷ୍ଠା ସହିତ ଏହି କର୍ତ୍ତବ୍ୟ ପାଳନ କରିଥାଏ, ଇହଜୀବନରେ ସେ ସ୍ୱର୍ଗସୁଖ ଭୋଗ କରେ । ଅତଏବ ଭୂମିଦାନ ବା ଭୂଦାନ ଏକ ଅତୁଲ୍ୟ ଦାନ । ଏହି ଦାନ ବ୍ରତ ପାଳନ କରି ମନୁଷ୍ୟ ଏକଧାରରେ ମହା ସଂଯମୀ ଓ ମହାନରୁ ମହତ୍ତର, ଶ୍ରେଷ୍ଠରୁ ଶ୍ରେଷ୍ଠତର ହୋଇ ସ୍ୱର୍ଗସୁଖ ଭୋଗ କରିଥାଏ । ଅତଏବ ଧର୍ମରାଜ ବାସ୍ତୁହୀନ ପ୍ରଜାଙ୍କୁ ବାସ୍ତୁଦାନ କର । ଭୂମିହୀନଙ୍କୁ ଭୂମିଦାନ କର । ଭୂମିହୀନଙ୍କୁ ଭୂମି ଦାନ କରିବାଦ୍ୱାରା ସେମାନେ ଭୂମି କର୍ଷଣ କରି ଉତ୍ପାଦିତ ଫସଲ ବିନିମୟରେ ସ୍ୱଚ୍ଛଳ ଜୀବନ ଯାପନ କରିପାରିବେ । ସ୍ୱର୍ଣ୍ଣ, ରୌପ୍ୟ, ବସ୍ତୁ ରତ୍ନ ଓ ଅନ୍ୟାନ୍ୟ ଦ୍ରବ୍ୟ ଦାନ ଭୂମିଦାନ ସଦୃଶ ସମାନ ଦାନ ନୁହେଁ । ଭୂମିଦାନରେ ଅନ୍ତର ଶୁଦ୍ଧ ବିକଶିତ ହୋଇ ମନର ଯାବତୀୟ ଆବର୍ଜନା ଦୂର ହୋଇଥାଏ । ସେଥିପାଇଁ ପୃଥିବୀର ଅନ୍ୟ ନାମ ପ୍ରୀୟଦତ୍ତା ।’’

 

ଏହି ଉପଦେଶ କେବଳ ମୋର ନୁହେଁ ଧର୍ମରାଜ, ଏହି ଉପଦେଶ ଏକ ପରମ୍ପରାଗତ ଉପଦେଶ ।

 

ଯୁଧିଷ୍ଠିର କହିଲେ–‘କାହିଁକି ପରମ୍ପରାଗତ’ ପିତାମହ ?

 

ପିତାମହ କହିଲେ–ବହୁପୂର୍ବରୁ ଜ୍ଞାନବୃଦ୍ଧଙ୍କଠାରୁ ମୁଁ ଶୁଣିଥିଲି ସଂଶୟାକୁଳ ଦେବରାଜ ପୁରନ୍ଦର ତୁମ ସଦୃଶ ଏକଦା ଦେବଗୁରୁ ବୃହସ୍ପତିଙ୍କର ଶରଣାପନ୍ନ ହୋଇ ପଚାରିଥିଲେ, ଭଗବନ୍‌-ଦାନେନ ସ୍ୱର୍ଗତଃ ସୁଖମେଧତେଯଦକ୍ଷୟଂ ମହାର୍ଘଞ୍ଚି ତଦ୍‌ବ୍ରୂହୀ ବଦତାଂ ବର’’ । ଅର୍ଥାତ୍ ହେ ଭଗବନ୍‌। ହେ ବାଗ୍ମୀବର ! ଦାନ, ଦାତାକୁ ସ୍ୱର୍ଗସୁଖ ଭୋଗ କରାଇଥାଏ, କିନ୍ତୁ ସେହି ସୁଖ କ୍ଷଣସ୍ଥାୟୀ ଓ ଅନିତ୍ୟ, କେଉଁ ଦାନ ମହତ୍ତ୍ୱରେ ମହୀୟାନ, ଅକ୍ଷୟ ଫଳଦାୟୀ ଏବଂ ସ୍ୱର୍ଗ ମୁଖ ତୁଲ୍ୟ ଅକ୍ଷୟ ସୁଖ ପ୍ରଦାନ କରିଥାଏ ?

 

ଦେବଗୁରୁ ବୃହସ୍ପତି ଇନ୍ଦ୍ରଙ୍କର ଏହି ପ୍ରଶ୍ନର ଉତ୍ତରରେ କହିଥିଲେ–ଭୂମିଦାନ ତୁଲ୍ୟ ଦାନ ନାହିଁ, ଏହା ସଂସାରର ଅଦ୍ୱିତୀୟ ମାନ । ଯେପରି ‘‘ନ ଭୂମି ଦାନାଦ୍‌ ଦେବେନ୍ଦ୍ର ପରଂ କିଞ୍ଚିଦିତ୍ତି ପ୍ରଭୋ/ବିଶିଷ୍ଟମିତି ମନ୍ୟାମି ଯଥା ପ୍ରାର୍ହୁର୍ମନୀଷୀଣଃ’’–ଅର୍ଥାତ୍‌ ମନୀଷୀମାନଙ୍କ ସହିତ ଏକମତ ହୋଇ ମନେକରେ ଭୂମିଦାନ ତୁଲ୍ୟ ଶ୍ରେଷ୍ଠଦାନ ଏ ସଂସାରରେ ଆଉ କିଛି ନାହିଁ । ଏହି ଭୂମି ପ୍ରିୟଦତ୍ତା’ ବା ଭୂମିଦାନ କଲେ ପ୍ରିୟ ଲାଭ ହୋଇଥାଏ ଓ ସ୍ଥିତି ଜନିତ ସୁଖ ଲାଭ ମଧ୍ୟ ହୋଇଥାଏ-। ଅତଏବ ହେ ଦେବରାଜ, ଦାନହିଁ ଜୀବନର ଯାଯାବରତ୍ୱର ଅବସାନ ଘଟାଇଥାଏ । ଅସ୍ଥିରତା ଅବସାନ କରି, ଜୀବନ ଅଭ୍ୟୁଦୟ ପଥ ସୁଗମ କରିଥାଏ । ଅନ୍ୟ କୌଣସି ଦାନ ଭୂମିଦାନ ତୁଲ୍ୟ ମହାନ୍‌ ନୁହେଁ ।

 

ଅତଃପର ଦେବରାଜ ପ୍ରଶ୍ନ କରିଥିଲେ–ସ୍ୱର୍ଣ୍ଣ, ଗୋ, ବିଦ୍ୟା, କନ୍ୟାଦାନ ଏହା ସବୁ କଣ ମହତ୍‌ଦାନ ନୁହେଁ ? ବିଶେଷତଃ ଗାଭୀଦାନ ଓ ବିଦ୍ୟା ଦାନକୁ ପ୍ରଶଂସନୀୟ ଦାନ ବୋଲି କୁହାଯାଇଥାଏ ।

 

ବୃହସ୍ପତି–ନିଃସନ୍ଦେହରେ ପ୍ରଶଂସନୀୟ ଯେକୌଣସି ଦାନ । କିନ୍ତୁ ଧନଧାନ୍ୟ ସମ୍ପନ୍ନା, ରତ୍ନପୂର୍ଣ୍ଣା, ସର୍ବକାମନା ତୃପ୍ତିକାରୀ ବସୁନ୍ଧରା ଦାନ ହିଁ ସର୍ବୋତ୍ତମ ଦାନ । ଏହି ଦାନ ଫଳରେ ସ୍ୱର୍ଗର ଯାବତୀୟ ସୁଖଭୋଗ ସେହି ଦାତାର ସେବା ନିମନ୍ତେ ଅପେକ୍ଷା କରିଥାଏ । ଜନ୍ମାନ୍ତରରେ ସେହି ବ୍ୟକ୍ତି ରାଜାଧିରାଜ ହୋଇଥାନ୍ତି ।

 

ଦେବରାଜ–ରଣକ୍ଷେତ୍ରରେ ଯେଉଁ ବୀର ସମ୍ମୁଖ ସମରରେ ପ୍ରାଣଦାନ ଦେଇଥାଏ ଏକମାତ୍ର ସେ ହିଁ ଏହି ମହତ୍ ଦାନ ଫଳରେ ସ୍ୱର୍ଗ ଗମନ କରିଥାଏ ।

 

ବୃହସ୍ପତି–ଏହା ଅବଶ୍ୟ ସତ୍ୟ । କିନ୍ତୁ ସ୍ୱଧର୍ମ ନିଷ୍ଠା ସହିତ ପାଳନ କଲେ ହେଁ ସେହି ବୀରର ସ୍ଥାନ ଭୂମିଦାନର ଫଳକୁ କୌଣସି କାଳରେ ଅତିକ୍ରମ କରିପାରେ ନାହିଁ । ଜୀବ ମାତ୍ରେ ହିଁ କାଳର ଅଧୀନ । କର୍ମାନୁଯାୟୀ ପୂର୍ବକର୍ମର ସଂସ୍କାର ଜୀବକୁ ଶରୀର ଧାରଣ କରାଇଥାଏ । ପୁନଶ୍ଚ ଶରୀର ଧାରଣ କରି ଜୀବ କର୍ମାଧୀନ ହୁଏ ଓ ପୁନଶ୍ଚ ଦେହ ଅବସାନ ଘଟାଇଥାଏ । ଏକମାତ୍ର କୀର୍ତ୍ତି ହିଁ ଏହି ଜୀବନଚକ୍ରକୁ ଅତିକ୍ରମ କରିପାରେ । ଏହି ଭୂମିଦାନ ମଧ୍ୟରେ ସେହି କୀର୍ତ୍ତି ହିଁ ଲୁକ୍‌କାୟିତ ହୋଇ ରହିଅଛି । ଯେଉଁ ମନୁଷ୍ୟ ଭୂମିହୀନ ଯୋଗ୍ୟ ବ୍ୟକ୍ତିକୁ ସ୍ୱଅର୍ଜିତ ଜମି ଦାନ କରେ ସେହି ବ୍ୟକ୍ତି ହିଁ ସର୍ବଶ୍ରେଷ୍ଠ କୀର୍ତ୍ତିବାନ ।

 

ଯେପରି ଜଳ ଉପରେ ଏକ ବିନ୍ଦୁ ତୈଳ ଚତୁର୍ଦ୍ଦିଗରେ ବିସ୍ତାର ଲାଭ କରିଥାଏ, ସେହିପରି ଭୂମିଦାନ, ଦାତାର ମାହାତ୍ମ୍ୟ ପରିଧିକୁ ବିସ୍ତୃତିରୁ ବିସ୍ତୃତିତର କରିଥାଏ । ସର୍ବଦା ଏହି ସାରସତ୍ତ୍ୱକୁ ସ୍ମରଣ ରଖିବା ଉଚିତ । ଯେପରି ନାସ୍ତି ଭୂମି ସମଂଦାନ, ନାସ୍ତିମାତୃ ସମଗୁରୁଃ/ନାସ୍ତି ସତ୍ୟୋସମ ଧର୍ମ, ନାସ୍ତି ଦାନ ସମୋ ନିଧିଃ’’ –ଅର୍ଥାତ୍ ଭୂଦାନ ତୁଲ୍ୟ ଦାନ ନାହିଁ, ମାତୃ ତୁଲ୍ୟ ଗୁରୁ ନାହିଁ, ସତ୍ୟ ସମ ଧର୍ମ ନାହିଁ ଓ ଦାନତୁଲ୍ୟ ଅନ୍ୟ କୌଣସି ନିଧି ନାହିଁ ।

 

ଅତଃପର ପିତାମହ କହିଲେ, ଧର୍ମରାଜ, ପୂର୍ବରୁ ତୁମ୍ଭଙ୍କୁ ପୃଥିବୀ ଦେବୀଙ୍କର ଯେଉଁ ଆକ୍ଷେପ ବାଣୀ ଶୁଣାଇଥିଲି, ସେହି ଆକ୍ଷେପବାଣୀ ଶୁଣି, ଏକଦା ଜମଦଗ୍ନି ପୁତ୍ର ‘ପର୍ଶୁରାମ’ ଏକବିଂଶ ବାର କ୍ଷତ୍ରିୟ ନିଧନ କରି ଯେଉଁ ବସୁନ୍ଧରାର ଏକ ଛତ୍ରାଧିପତି ହୋଇଥିଲେ, ଅବଶେଷରେ ମହାତ୍ମା କାଶ୍ୟପଙ୍କୁ ସେହି ବସୁନ୍ଧରା ଦାନ କରି ମହାପୁଣ୍ୟବାନ ହୋଇଥିଲେ ।

 

ସେହିପରି ଦେବଗୁରୁ ବୃହସ୍ପତିଙ୍କ ଠାରୁ ଦେବରାଜ ଇନ୍ଦ୍ର ଦାନ ମାହାତ୍ମ୍ୟ ଶ୍ରବଣ କରି ଅଙ୍ଗୀର ତନୟ ବୃହସ୍ପତିଙ୍କୁ ଧନ, ରତ୍ନ ପୂର୍ଣ୍ଣ ବସୁନ୍ଧରା ଦାନ କରିଥିଲେ ।

Image

 

ସୁବର୍ଣ୍ଣ–ମନୁ ସମ୍ବାଦ

 

ଏହି ଆଖ୍ୟାୟିକାରେ ଦେବତାଙ୍କ ଉଦ୍ଦେଶ୍ୟରେ ପୁଷ୍ପ, ଧୂପ ଓ ଦୀପ ଦାନର ମହତ୍ତ୍ୱ ବିଷୟରେ ଚର୍ଚ୍ଚା କରାଯାଇଛି । ଏହି ଚର୍ଚ୍ଚା ଶୁକ୍ରାଚାର୍ଯ୍ୟଙ୍କ ତଥ୍ୟ ଉପରେ ପ୍ରତିଷ୍ଠିତ ।

 

ଆଦିକାଳ ‘ସ୍ୱୟମ୍ଭୂବ ମନୁ’ଙ୍କର ‘କାଳ’ ହିସାବରେ ପରିଚିତ । ପ୍ରଜାସୃଷ୍ଟିର ପ୍ରଥମ ମନ୍ୱନ୍ତର ସମୟରୁ ଶାସ୍ତ୍ରଜ୍ଞ ସ୍ୱୟମ୍ଭୁବ ମନୁ ମହାରାଜଙ୍କର ବିଧାନମାନ ମନୁଷ୍ୟର ଆତ୍ମିକ ଅଭ୍ୟୁଦୟ ନିମିତ୍ତ ଉର୍ଦ୍ଦିଷ୍ଟ ଥିଲା ।

 

ସେହିମନୁଙ୍କ ଯୁଗରେ ‘ସୁବର୍ଣ୍ଣ’ ନାମରେ ଏକ ମହାତେଜସ୍ୱୀ ମୁନି ବାସ କରୁଥିଲେ । ସ୍ୱୀୟ ମନନଶୀଳତା ବଳରେ ମୁନିବର ନାନା ଜଟିଳ ସମସ୍ୟାମାନ ସମାଧାନ କରି ପାରୁଥିଲେ । କିନ୍ତୁ ଏକ ବିଶେଷ ପ୍ରଶ୍ନର ସମାଧାନ କୌଣସିମତେ ‘ମୁନି ସୁବର୍ଣ୍ଣ’ କରି ନପାରି ଅସ୍ଥିର ହୋଇଥିଲେ । ମୁନିଙ୍କର ଚିନ୍ତାର ବିଷୟ ଥିଲା-ଦେବତାଙ୍କ ଉଦ୍ଦେଶ୍ୟରେ ପୁଷ୍ପ, ଦୀପ ଓ ଧୂପ ଦାନର ବିଶେଷତ୍ୱ କଣ ? ଏହି ପ୍ରଶ୍ନ ସୁବର୍ଣ୍ଣଙ୍କ ମନ ମଧ୍ୟରେ ଜାତ ହେବାରୁ ସେ ସମାଧାନ ଉଦ୍ଦେଶ୍ୟରେ ଅସ୍ଥିର ଚିତ୍ତରେ ଇତସ୍ତତଃ ପରିଭ୍ରମଣ କଲେ ।

 

ଅକସ୍ମାତ୍‌ସୁବର୍ଣ୍ଣ ପଥଚାରୀ ମନୁ ମହାରାଜଙ୍କୁ ଭେଟିଲେ । ମନୁ ମହାରାଜଙ୍କୁ ଦେଖିବା ମାତ୍ରେ ସୁବର୍ଣ୍ଣଙ୍କ ମନର ଉତ୍ତାଳ ପରିବେଶ ଅନେକାଂଶରେ ପ୍ରଶମିତ ହେଲା । ପୂର୍ବ ପରିଚିତ ଯୋଗୁ ପରସ୍ପର ପରସ୍ପରଙ୍କୁ ଅଭିନନ୍ଦନ ଜ୍ଞାପନାନ୍ତେ ବିଶ୍ରାମ୍ଭାଳାପ ନିମନ୍ତେ ଉଭୟେ ମେରୁ ପର୍ବତର ଏକ ମନୋରମ ସ୍ଥାନରେ ଉପନୀତ ହେଲେ ।

 

ଉପବେଶନାନ୍ତେ ସୁବର୍ଣ୍ଣ ମୁନି ପ୍ରଶ୍ନ କଲେ–ମହାରାଜ, ଦେବତାଙ୍କ ଉଦ୍ଦେଶ୍ୟରେ ପୁଷ୍ପ, ଧୂପ ଓ ଦୀପଦାନର ବିଧାନ କାହିଁକି ଅଛି ? ଏପରି ଦାନରେ ଦାତାର କଣ ଫଳ ଲାଭ ହୁଏ ?

 

ସୁବର୍ଣ୍ଣ ମୁନିଙ୍କ ପ୍ରଶ୍ନ ଶୁଣି ମନୁ ମହାରାଜ କହିଲେ–ମହାଭାଗ ! ଆପଣଙ୍କର ଏହି ପ୍ରଶ୍ନ ନୂତନ ନୁହେଁ ।

 

ସୁବର୍ଣ୍ଣ–ଏହି ପ୍ରଶ୍ନ କଣ ପୂର୍ବରୁ କେହି କାହାକୁ ପଚାରିଥିଲେ ?

 

ମନୁ–ଏକଦା ବୀରୋଚନ ପୁତ୍ର ‘ବଳି’ ଶୁକ୍ରାଚାର୍ଯ୍ୟଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ।

 

ସହସା ସୁବର୍ଣ୍ଣ ବିସ୍ମିତ ହେବାରୁ, ମନୁ କହିଲେ–ଅସୁରରାଜ ବିରୋଚନଙ୍କ ପୁତ୍ର ‘ବଳି’ ଜନ୍ମାବଧି ଏକ ପରମ ବିଷ୍ଣୁଭକ୍ତ ଥିଲେ । ଠିକ୍‌ ଆପଣଙ୍କ ତୁଲ୍ୟ ଏକଦା ବଳି ଅସୂରକୁଳ ଗୁରୁ ମହାଜ୍ଞାନୀ ଭୃଗୁନନ୍ଦନ ଶୁକ୍ରାଚାର୍ଯ୍ୟଙ୍କୁ ଏକାନ୍ତରେ ପଚାରିଥିଲେ–ସୁମନ, ଧୂପ ଓ ଦୀପ ଦାନର ଫଳ କଣ ?

 

ସୁବର୍ଣ୍ଣ–ସୁମନ କ’ଣ ?

 

ମନୁ–ପୁଷ୍ପ ବା ଫୁଲର ଅପର ନାମ ‘ସୁମନ’ ‘‘ମନୋ ହ୍ଳାଦୟତେ ଯସ୍ମାତ୍ ଶ୍ରିୟଂ ଚାପି ଦଧାତି ଚ/ତସ୍ମାତ୍ ସୁମନସଃ ପ୍ରୋକ୍ତା ନରୈଃ ସୂକୃତକମତ୍ତଃ ।’’ ଅର୍ଥାତ୍ ପୁଷ୍ପ ମନକୁ ଆହ୍ଳାଦିତ କରେ । ବିଷର୍ଣ୍ଣତାର ଅବସାନ ଘଟାଏ ଓ ମନର ପ୍ରଫୁଲ୍ଲ କରେ । ମନ ପ୍ରଫୁଲ୍ଲ ରହିଲେ ମନୁଷ୍ୟ ସମୂହ ସମ୍ପଦର ଅଧିକାରୀ ହୋଇଥାଏ । କୃତକର୍ମା ପୁଣ୍ୟବାନ ମନୁଷ୍ୟଗଣ ପୁଷ୍ପକୁ ‘ସୁମନ’ ଆଖ୍ୟା ଦେଇଛନ୍ତି ।

 

ଏହି କଥା ଶୁଣି ସୁବର୍ଣ୍ଣ ମୁନି ଚିନ୍ତା କରିବାକୁ ଲାଗିଲେ, ପୁଷ୍ପ ମାତ୍ରେ ହିଁ ସୌନ୍ଦର୍ଯ୍ୟର ଆଧାର ଓ ସୁଗନ୍ଧର ପ୍ରତିମୂର୍ତ୍ତି । ଏପରି କେତେକ ପୁଷ୍ପ ଅଛି ଯାହାର ସୌରଭ ଦଶଦିଗକୁ ଆମୋଦିତ କରିଥାଏ ଓ ମନୁଷ୍ୟକୁ ମଧ୍ୟ ଆତ୍ମମଗ୍ନ କରି ବିଭୋର କରିଥାଏ ଏବଂ ଏପରି କେତେକ ପୁଷ୍ପ ଅଛି ଯାହାର ସୌନ୍ଦର୍ଯ୍ୟ ଓ ଆକର୍ଷଣ ଅଛି କିନ୍ତୁ ସୌରଭ ନାହିଁ । ଏହିପରି ଚିନ୍ତା କରିବା ସମୟରେ ମନୁ ମହାରାଜାଙ୍କ ବଚନରେ ସୁବର୍ଣ୍ଣଙ୍କ ଚିନ୍ତାଜାଲ ଛିନ୍ନ ହୋଇଥିଲା ।

 

ମନୁ ମହାରାଜ କହିଲେ–ଆପଣ ଅବଶ୍ୟ ଜାଣନ୍ତି ଦେବଗଣ ଅମୃତପ୍ରିୟ ଓ ଅମୃତ ବିଳାସୀ । ସେମାନେ ଅମୃତ ବ୍ୟତୀତ ଅନ୍ୟ କିଛି ଗ୍ରହଣ କରନ୍ତି ନାହିଁ ।

 

ସୁବର୍ଣ୍ଣ କହିଲେ–ଏହା ସର୍ବଜନ ବିଦିତ ଯେ ଯେପରି ଅନ୍ୟ କେହି ଅମୃତ ଭକ୍ଷଣ ବା ଗ୍ରହଣ କରି ନ ପାରିବେ, ସେଥି ନିମନ୍ତେ ଦେବଗଣ ସଯତ୍ନରେ ଏହି ଅମୃତକୁ ସର୍ବଦା ରକ୍ଷା କରିଥାନ୍ତି ।

 

ମନୁ ମହାରାଜ–ହଁ । ଅମୃତ ଲାଭର ଅଧିକାରୀ ହିଁ ଅମୃତର ମର୍ଯ୍ୟଦା ଜାଣିଥାଏ । ସେଥି ନିମନ୍ତେ ଦେବଗଣ ‘ଅମୃତ’ ବିଷୟରେ ଅତି ସଂରକ୍ଷଣଶୀଳ । ଯେଉଁ ବ୍ୟକ୍ତିର ମନ ସୌରଭ ମଣ୍ଡିତ ପୁଷ୍ପ ସୌଗନ୍ଧରେ ତୃପ୍ତ ହୋଇପାରେ ନାହିଁ, ତୁମେ କଣ ସେହି ବ୍ୟକ୍ତିକୁ ‘ଗୁଣଗ୍ରାହୀ’ ରୂପେ ସ୍ୱୀକୃତି ଦେଇପାରିବ ? ଅମୃତ ମଧ୍ୟ ଠିକ୍ ସେହିପରି । ଏହି ବିଶ୍ୱ ବ୍ରହ୍ମାଣ୍ଡରେ ଏକ ଦିଗରେ ଅମୃତ ଓ ଅନ୍ୟ ଦିଗରେ ବିଷ ମଧ୍ୟ ଅଛି । ସାଧାରଣ ମନୁଷ୍ୟ ଆପାତତଃ ରମଣୀୟରେ ବିଭୋର ଥିବାରୁ ବିଷକୁ ଅମୃତ ଜ୍ଞାନରେ ପାନ କରି କ୍ରମଶଃ ନିଜକୁ ବିଶେଷ ବା ସ୍ୱତନ୍ତ୍ର କରିଥାଏ । ସେଥି ନିମନ୍ତେ ଅମୃତ କେବଳ ଦେବଭୋଗ୍ୟ ।

 

‘‘ଅମୃତଂ ମନଃ ପ୍ରୀତିଂ ସଦ୍ୟ ସ୍ତୁପ୍ତିଂ ଦଦାତି ଚ

ମନୋ ଗ୍ଳପୟତେ ତୀବ୍ରଂ ବିଷଂ ଗନ୍ଧେନ ସର୍ବଶଃ ।’’

 

ଅର୍ଥାତ୍ ଅମୃତ ଦର୍ଶନରେ ମନ ପ୍ରସନ୍ନ ହୋଇଥାଏ, ଏବଂ ମନରେ ସଦାତୃପ୍ତିର ଆସ୍ୱାଦ ଅନୁଭବ କରେ, ଯାହା ସର୍ବଦା ଚିତ୍ତକୁ ଗ୍ଳାନିମୟ କରି ରଖେ ତାହାକୁ ‘ବିଷ’ କୁହାଯାଏ ।

 

ମନୁ କହିଲେ–ଏହି ଉକ୍ତି ସ୍ୱୟଂ ଭାର୍ଗବଙ୍କର । ଏକଦା ମହର୍ଷି ଭାର୍ଗବ ଶିଷ୍ୟ ‘ବଳିଙ୍କୁ’ ଦେବଗଣଙ୍କ ପୁଷ୍ପ ପ୍ରୀତି ବିଷୟରେ ଏହି ବଚନମାନ ଶୁଣାଇ ଥିଲେ ।

 

ଶୁକ୍ରାଚାର୍ଯ୍ୟ କହିଥିଲେ–ପାର୍ଥିବ ଜୀବ ଓ ଜଡ଼ଜଗତ ସୃଷ୍ଟି ସହିତ ବୃକ୍ଷରାଜି ମଧ୍ୟ ପ୍ରାକୃତିକ ନିୟମରେ ସୃଷ୍ଟ ହୋଇଥିଲା । ସେଥି ମଧ୍ୟରୁ କେତେକ ବୃକ୍ଷ, ପୁଷ୍ପ ଓ ଫଳରେ ସମୃଦ୍ଧ ହୋଇଥିଲା । ଯାଗଯଜ୍ଞଠାରୁ ଜୀବ କଲ୍ୟାଣ ବ୍ରତ ଧାରଣ କରି ସେହି ସବୁ ବୃକ୍ଷ ଜାତ ହୋଇଥିଲା-। ଅପରାପର ବୃକ୍ଷମାନ ଯଜ୍ଞ, କର୍ମ ଓ ହୋମରେ ଅପ୍ରୟୋଜନୀୟ ଓ ଦେବତାଙ୍କର କୌଣସି କର୍ମରେ ନ ଲାଗିବାରୁ ସେମାନେ କେବଳ ବଂଶ ବିସ୍ତାରକାରୀ ଅରଣ୍ୟ ସୃଷ୍ଟି କରିଥିଲେ । ଏହି ଶ୍ରେଣୀର ବୃକ୍ଷମାନ ପାହାଡ଼, ପର୍ବତ ଶ୍ରେଣୀରେ, ବସତି ପଲ୍ଲୀ ଓ କ୍ଷେତ୍ର ମଧ୍ୟରେ ବିଶେଷ ବିସ୍ତାରଲାଭ କରିଥାନ୍ତି ।

 

ଶୁକ୍ରାଚାର୍ଯ୍ୟ ପୁନଶ୍ଚ କହିଲେ–ଦାନବରାଜ ସ୍ମରଣ ରଖିବ, ପ୍ରୟୋଜନୀୟ ବୃକ୍ଷ ମଧ୍ୟରୁ ଏକମାତ୍ର ସୁଗନ୍ଧଯୁକ୍ତ ପୁଷ୍ପ ହିଁ ଦେବଗଣଙ୍କର ପ୍ରିୟ । ବିଶେଷତଃ ନିଷ୍କଣ୍ଟକ ବୃକ୍ଷର ଶ୍ୱେତବର୍ଣ୍ଣ ପୁଷ୍ପ ଦେବତାଙ୍କର ଅତି ପ୍ରିୟ ପୁଷ୍ପ । ଅବଶ୍ୟ ପଦ୍ମ, ତୁଳସୀ, ଚାମେଲୀ ମଧ୍ୟ ଦେବଗଣଙ୍କର ପ୍ରିୟ ପୁଷ୍ପ । ପୁଷ୍ପ ନିର୍ମଳ ହୋଇ ଥିବାରୁ ନିର୍ମାଲ୍ୟ ହୋଇପାରିଛି ।

 

ଦାନବରାଜ ବଳି ଶୁକ୍ରାଚାର୍ଯ୍ୟଙ୍କୁ ପଚାରିଲେ–ଜଳଜ ପୁଷ୍ପ ଯଥା କମଳ, ଓ ‘ଉତ୍ପଳ’ କଣ ଦେବଗଣଙ୍କର ପ୍ରିୟ ପୁଷ୍ପ ନୁହେଁ ?

 

ଶୁକ୍ରାଚାର୍ଯ୍ୟ–ଏହି ସବୁ ପୁଷ୍ପ ଗନ୍ଧର୍ବ, ନାଗ ଓ ଯକ୍ଷର ଅଧିକ ପ୍ରିୟ । କଣ୍ଟକାକୀର୍ଣ୍ଣ ପୁଷ୍ପ, ଘନ ରକ୍ତବର୍ଣ୍ଣ ବା କୃଷ୍ଣବର୍ଣ୍ଣ ପୁଷ୍ପ, ତୀବ୍ର ଗନ୍ଧଯୁକ୍ତ ପୁଷ୍ପ ଦେବଗଣଙ୍କର ପ୍ରିୟ ନୁହେଁ । ଏହି ସବୁ ପୁଷ୍ପ ଭୂତ, ପ୍ରେତାଦିଙ୍କର ଅଧିକ ପ୍ରିୟ । ସର୍ବଦା ସ୍ମରଣ ରଖିବ–

 

‘‘ଗନ୍ଧେନ ଦେବାସ୍ତୁଷ୍ୟାନ୍ତି ଦର୍ଶନାଦ୍‌ ଯକ୍ଷ-ରାକ୍ଷସଃ

ନାଗାଃ ସମୁପଭୋଗେନ ତ୍ରିଭିରୈତେସ୍ତୁ ମାନୁଷଃ ।’’

 

ଅର୍ଥାତ୍‌ ଦେବଗଣ ପୁଷ୍ପ ଗନ୍ଧରେ ତୁଷ୍ଟ ହୁଅନ୍ତି ଯକ୍ଷ, ନାଗାଦି ସମ୍ୟକ ଉପଭୋଗରେ ତୁଷ୍ଟ ଓ ମନୁଷ୍ୟ, ଦର୍ଶନ, ଆଘ୍ରାଣ ଓ ଉପଭୋଗରେ ତୁଷ୍ଟ ପ୍ରାପ୍ତ ହୁଅନ୍ତି ।

 

ଦେବଗଣଙ୍କୁ ଏବଂବିଧ ପୁଷ୍ପ ଦାନରେ ଦାତା ପୁଷ୍ଟି ପ୍ରାପ୍ତ ହୁଅନ୍ତି ।

 

ମନୁ ମହାରାଜ କହିଲେ, ଏହିପରି ଶୁକ୍ରାଚାର୍ଯ୍ୟ ବିରୋଚନ ପୁତ୍ର ବଳଙ୍କୁ ପୁଷ୍ପଦାନର ମହତ୍ତ୍ୱ କହି ସାରିବା ପରେ ଧୂପଦାନ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ ।

 

ଶୁକ୍ରାଚାର୍ଯ୍ୟ କହିଲେ–ଦେବତାଙ୍କ ନିକଟରେ ପୁଷ୍ପ ଯେପରି ପ୍ରିୟ, ଧୂପ ମଧ୍ୟ ସେହିପରି ପ୍ରିୟ । ଧୂପ ଦାନରେ ଦେବତା ପ୍ରୀତ ହୋଇଥାନ୍ତି ଓ ମନୁଷ୍ୟ ମନ ମଧ୍ୟ ପ୍ରସନ୍ନ ହୋଇଥାଏ । ପୁଷ୍ପ ସଦୃଶ ଧୂପ କ୍ଷେତ୍ରରେ ମଧ୍ୟ କିଛି ଇତର, ବିଶେଷ ରହିଅଛି ।

 

ଦାନବରାଜ ଶୁକ୍ରାଚାର୍ଯ୍ୟ ବଚନ ଶୁଣି ପଚାରିଲେ–ପୁରୁଦେବ, ଇତର ବିଶେଷ କହି ଆପଣ କେଉଁ ଲକ୍ଷ୍ୟରେ କହୁଛନ୍ତି ।

 

ଭାର୍ଗବ କହିଲେ–ପ୍ରାକୃତିକ ନିୟମରେ ପୁଷ୍ପ ଯେପରି ବୃକ୍ଷରେ ସ୍ୱତଃ ପ୍ରସ୍ଫୁଟିତ ହୋଇଥାଏ ଓ ହସ୍ତଦ୍ୱାରା ଆହରଣ କରାଯାଏ, ଧୂପକୁ ସେପରି ଭାବେ ପାଇବା ସମ୍ଭବ ନୁହେଁ ।

 

ପ୍ରକୃତି ଜାତ ବୃକ୍ଷାଦିରେ ନୈବେଦ୍ୟରୂପୀ ଧୂପ ମନୁଷ୍ୟ ପ୍ରସ୍ତୁତ କରିଥାଏ । ଧୂପ ତିନିପ୍ରକାର, ଯଥା ନିର୍ଯ୍ୟାସ, ସାରୀ ଓ କୃତ୍ରିମ ଧୂପ ।

 

ଦାନବରାଜ–ଏହି ତିନିଗୋଟି ମଧ୍ୟରୁ କେଉଁ ଧୂପ ଦେବତାଙ୍କର ପ୍ରିୟ ଧୂପ ?

 

ଶୁକ୍ରାଚାର୍ଯ୍ୟ–‘ନିର୍ଯ୍ୟାସ’ ହିଁ ଦେବଗଣଙ୍କର ଅଧିକ ପ୍ରିୟ । ବୃକ୍ଷାଦିର ଯେଉଁ ରସ ନିଃସୃତ ହୁଏ ତାହାକୁ ନିର୍ଯ୍ୟାସ କହନ୍ତି-ସେହି ରସରୁ ପ୍ରସ୍ତୁତ ଧୂପ ଦେବଗଣଙ୍କର ପ୍ରିୟ ।

 

ଅସୁରରାଜ କହିଲେ–ସାରୀ ଧୂପ କାହାକୁ କହନ୍ତି ?

 

ଶୁକ୍ରାଚାର୍ଯ୍ୟ–ପ୍ରାକୃତିକ ନିମୟରେ ଏପରି କେତେକ ବୃକ୍ଷ ଅଛି ଯାହାକୁ ଅଗ୍ନି ସ୍ପର୍ଶ କଲେ ସ୍ୱତଃ ହିଁ ସୁଗନ୍ଧ ନିର୍ଗତ ହୋଇଥାଏ । ଏହାହିଁ ସାରୀ ଧୂପ । ଏହି ଜାତୀୟ ଧୂପ ମଧ୍ୟରୁ ଅଗୁରୁ ହିଁ ସର୍ବଶ୍ରେଷ୍ଠ ।

 

ଅସୁରରାଜ–ନିର୍ଯ୍ୟାସ ସଦୃଶ ସୁଗନ୍ଧ ଅଗୁରୁ କଣ ଦେବତାଙ୍କର ପ୍ରିୟ ଧୂପ ?

 

ଶୁକ୍ରାଚାର୍ଯ୍ୟ–ଅବଶ୍ୟ ଏହା ଦେବ ପ୍ରିୟ, କିନ୍ତୁ ଏହି ଜାତୀୟ ଧୂପ, ଯକ୍ଷ, ରାକ୍ଷସ ଓ ନାଗଙ୍କର ସବୁଠାରୁ ଅଧିକ ପ୍ରିୟ । ଏହା ବ୍ୟତୀତ ନାନାବିଧ ବୃକ୍ଷର ସୁଗନ୍ଧ ରସ କାଷ୍ଠ ଚୂର୍ଣ୍ଣ ସହିତ ଘୃତ, ଶର୍କରା ଇତ୍ୟାଦି ଅଷ୍ଟବିଧ ଗନ୍ଧ ସଂମିଶ୍ରଣରେ ଅନ୍ୟ ଏକ ପ୍ରକାର ଧୂପ ପ୍ରସ୍ତୁତ କରାଯାଏ । ସେହି ଧୂପରେ ଅଗ୍ନି ସଂଯୋଗ କଲେ ଉଗ୍ର ମିଷ୍ଟ ଗନ୍ଧ ନିର୍ଗତ ହୋଇଥାଏ । ଏହା କୃତ୍ରିମ ଧୂପ । ଏହି ଜାତୀୟ ଧୂପ ଦେବଭୋଗ୍ୟ ନୁହେଁ । ମନୁଷ୍ୟ ଏହାକୁ ବିଳାସ ସାମଗ୍ରୀ ରୂପେ ବ୍ୟବହାର କରିଥାଏ ।

 

ଅତଃପର ସୁବର୍ଣ୍ଣ କହିଲେ–ପୁଷ୍ପ ଓ ଧୂପ ସମ୍ବନ୍ଧରେ ଭାର୍ଗବଙ୍କ ବଚନ ନିଃସନ୍ଦେହରେ ମନୋରମ, କିନ୍ତୁ ଦୀପଦାନ ସମ୍ବନ୍ଧରେ ଶୁକ୍ରାଚାର୍ଯ୍ୟ ଅସୁରରାଜଙ୍କୁ କଣ କହିଥିଲେ ? ଦେବଗଣ ସ୍ୱୀୟ ତେଜରେ ସଦା ଦୀପ୍ୟମାନ ସେମାନଙ୍କୁ ଦୀପଦାନ ଦେବାର କଣ ଯଥାର୍ଥତା ଅଛି କି ?

 

ମନୁ ମହାରାଜ, ଶୁକ୍ରାଚାର୍ଯ୍ୟଙ୍କ କଥା ଉଦ୍ଧାର କରି କହିଲେ–ସାର୍ଥକତା ଅବଶ୍ୟ ଅଛି । ଶୁକ୍ରାଚାର୍ଯ୍ୟ କହିଥିଲେ–ଏହି ଦୀପଦାନ ଦେବଗଣଙ୍କ ଭୋଗ୍ୟ ବସ୍ତୁ । ଶ୍ରଦ୍ଧା ସହିତ ଦେବାହୃତ ବସ୍ତୁକୁ ଦାନ କରିବାହିଁ ‘ଦୀପଦାନ’ । ଜବାକୁସୁମ ସୂର୍ଯ୍ୟଦେବଙ୍କୁ ଏହି ଉପଭୋଗ୍ୟ ତେଜୋମୟ ବସ୍ତୁ ଦାନ କଲେ, ସେ ସବୁଠାରୁ ଅଧିକ ପ୍ରୀତ ହୁଅନ୍ତି । ନିଶ୍ଚିଦ୍ର ଅନ୍ଧକାର ବିନାଶକ ଦୀପଶିଖା ସଦା ଊର୍ଦ୍ଧ୍ୱଗାମୀ । ଏହା ମନୁଷ୍ୟର ମନାନ୍ଧକାରକୁ ଦୂର କରି ବାହ୍ୟ ଅନ୍ଧକାର ମଧ୍ୟ ଦୂର କରେ । ଦୀପର ଉର୍ଦ୍ଧ୍ୱମୁଖୀ ଶିଖାରେ ମନ ନିର୍ମଳ ହୋଇ ଊର୍ଦ୍ଧ୍ୱଗାମୀ ହୁଏ ଏବଂ ଦେବଲୋକର ପବିତ୍ରତା ଅନୁଭବ କରାଯାଏ । ଯାହା ପ୍ରକାଶୋନ୍ମୁଖୀ ତାହାହିଁ ଏହି କାନ୍ତି ସମନ୍ୱିତ ଦୀପଶିଖାରୁ ଉଦ୍‌ଭାସିତ ହୋଇ ଉଠିଥାଏ । ଦୀପ ସ୍ୱପ୍ରକାଶ ହୋଇଥିବାରୁ ତେଜଶକ୍ତି ସମନ୍ୱିତ ଦୀପଶିଖା ଦେବଗଣଙ୍କର ପ୍ରିୟ, ରାକ୍ଷସ କୁଳର ନୁହେଁ । ବୁଦ୍ଧଜନଙ୍କ ମତରେ ‘‘ଆଲୋକ ଦାନଚକ୍ଷୁସ୍ମାନ୍‌ ପ୍ରଭାଯୁକ୍ତୋ ଭବେନ୍ନରଃ ।’’ ଅର୍ଥାତ୍‌ ଦୀପଦାନରେ ମନୁଷ୍ୟ ସ୍ୱୟଂ ପ୍ରଭାଯୁକ୍ତ ଓ ତେଜସ୍ୱୀ ହୁଏ ଓ ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି ପାଏ ।

 

ଅବଶେଷରେ ମନୁ ମହାରାଜ କହିଲେ–ତତ୍ତ୍ୱଦର୍ଶୀ ଋଷିଗଣ ଦେବଗଣଙ୍କ ଉଦ୍ଦେଶ୍ୟରେ ପୁଷ୍ପ, ଦୀପ ଓ ଧୂପର ବିଧାନ ଦେଇଛନ୍ତି । ଯେଉଁ ବିଧାନ ମାନି ଚଳିଲେ ମନୁଷ୍ୟର ଅଭ୍ୟୁଦୟ ହୁଏ, ସେଥିମଧ୍ୟରୁ ପୁଷ୍ପ ଧୂପ ଓ ଦୀପଦାନ ହିଁ ଅନ୍ୟତମ ଶ୍ରେଷ୍ଠ ପନ୍ଥା ।

 

ମହାତ୍ମା ସୁବର୍ଣ୍ଣଙ୍କର ସଂଶୟ ମୋଚନ ହେଲା । ଅତଃପର ମନୁମହାରାଜ୍‌ ବିଦାୟ ନେଇ ସ୍ୱସ୍ଥାନ ପ୍ରସ୍ଥାନୋଦ୍ୟତ ହେଲେ ।

Image

 

ବ୍ୟାସ–କୀଟ ସମ୍ବାଦ

 

(ଏହି ଆଖ୍ୟାୟିକାରେ କ୍ଷୁଦ୍ରାତି କ୍ଷୁଦ୍ର କୀଟ ସଦୃଶ ଜୀବ ମଧ୍ୟ ସ୍ୱ ପ୍ରଚେଷ୍ଟାରେ ଓ କର୍ମ ବଳରେ ଜୀବଶ୍ରେଷ୍ଠ ଓ ବର୍ଣ୍ଣଶ୍ରେଷ୍ଠ ହୋଇ ଜନ୍ମ ଲାଭ କିପରି କରିପାରେ ତାହା କୃଷ୍ଣଦୈପାୟନ ବ୍ୟାସଦେବ ହିଁ ବର୍ଣ୍ଣନା କରିଛନ୍ତି ।)

 

ଏକଦା ଘୋର ଅରଣ୍ୟର ନଦୀ ପ୍ରାନ୍ତରସ୍ଥ ବିସ୍ତୃତ ପଥ ମଧ୍ୟରେ ମହାଜ୍ଞାନୀ ‘ବ୍ୟାସଦେବ’ ଧୀର ପଦକ୍ଷେପରେ ପଥ ଅତିକ୍ରମ କରୁଥିଲେ । ସେହି ପଥ ଅତିକ୍ରମ କରିବା ସମୟରେ, ସହସା ସ୍ତବ୍‌ଧ ହୋଇ ‘ବ୍ୟାସଦେବ’ ଦେଖିଲେ ଏକ ‘କୀଟ’ ଦୃତ ଗତିରେ ପଥ ଅତିକ୍ରମ କରି ଅରଣ୍ୟ ଦିଗକୁ ଯାଉଅଛି ।

 

ମୁନିବର ଅନୁମାନ କଲେ ଯେ କୌଣସି କାରଣ ବଶତଃ କୀଟ ପ୍ରାଣଭୟଭୀତ ହୋଇ ଅରଣ୍ୟ ଗୁଳ୍ମ ରାଜି ମଧ୍ୟରେ ଆତ୍ମଗୋପନ କରିବାକୁ ପ୍ରୟାସ କରୁଅଛି । ସାମାନ୍ୟ ଅସାବଧାନ ହୋଇଥିଲେ, ମୁନିବରଙ୍କ ପଦକ୍ଷେପରେ କୀଟ ପିଷ୍ଟ ହୋଇଥାନ୍ତା । ଏହା ଅନୁମାନ କରି କୀଟର ଗମନ ପଥରେ ଅନ୍ତରାୟ ସୃଷ୍ଟି କରି ମୁନି କୀଟକୁ ପଚାରିଲେ, ‘‘ତୁମେ ଦୃତ ଗତିରେ କେଉଁ ଦିଗକୁ ଯାଉ ଅଛ ? ମୋର ଅନୁମାନ, ତୁମେ ଭୀତ ଓ ତ୍ରସ୍ତ ।’’

 

କୀଟ କହିଲା–ଆପଣ କଣ ଏକ କୋଳାହଳ ସହିତ ଘର୍ଘର ନିନାଦ ଶୁଣି ପାରୁ ନାହାନ୍ତି-?

 

ମୁନି ନିରୁତ୍ତର ରହିବାରୁ ପୁନଶ୍ଚ କୀଟ କହିଲା–ମୁଁ ଏହି ଶବ୍ଦ ସ୍ପଷ୍ଟ ଶୁଣି ପାରୁଛି । ବିକଟ ଶବ୍ଦରେ ଏକ ଗୋ ଶକଟ ଏହି ଦିଗକୁ ଆସୁଅଛି । ମୁହୂର୍ତ୍ତକ ମଧ୍ୟରେ ଏହି ପଥରେ ମୁଁ ପିଷ୍ଟ ହୋଇ ଯିବି, ମୋତେ ଯିବାକୁ ଦିଅନ୍ତୁ, ପଥ ଛାଡ଼ନ୍ତୁ । ଅପଘାତ ମୃତ୍ୟୁ ମୋର କାମ୍ୟ ନୁହେଁ ।

 

ବ୍ୟାସଦେବ କହିଲେ–ମୃତ୍ୟୁକୁ ତୁମେ ଏପରି ଭୟ କାହିକିଁ କରୁଅଛ ? ଜୀବନ ପ୍ରତି ଏପରି ମାୟା କାହିଁକି ରଖିଛ ? ତୁମେ କଣ ଏତେ ସୁଖୀ ଯେ ମୃତ୍ୟୁ ଭୟରେ କାତର ହେଉଛ ?

 

କୃଷ୍ଣଦୈପ୍ୟାୟନ ବ୍ୟାସଦେବ ଦିବ୍ୟଜ୍ଞାନ ବଳରେ କୀଟର ପୂର୍ବଜନ୍ମ ବୃତ୍ତାନ୍ତ ଅବଗତ ଥିଲେ, କିନ୍ତୁ କୀଟର ଏହା ଅଜ୍ଞାତ ଥିଲା ।

 

କୀଟ ବ୍ୟାସଦେବଙ୍କ ପ୍ରଶ୍ନ ଶୁଣି କହିଲା–ଯେଉଁ ଯୋନିରେ ଜନ୍ମ ହେଲେହେଁ ଜୀବନର ମାୟା ଜୀବ ମାତ୍ରେ ହିଁ ରଖିଥାଏ । ପ୍ରତ୍ୟେକ ପ୍ରାଣୀର ଜୀବନର ଏକ ନିର୍ଦ୍ଦିଷ୍ଟ ସୁଖବୋଧ ଥାଏ । ଅକାଳରେ ସେହି ସୁଖବୋଧ ବିନାଶ କରିବା କୌଣସି ଜୀବର କାମ୍ୟ ନୁହେଁ ।

 

ବ୍ୟାସଦେବ–ଏହା ଅବଶ୍ୟ ସତ୍ୟ ଯେ ପ୍ରତି ଜୀବର ଜୀବନରେ ଏକ ନିର୍ଦ୍ଦିଷ୍ଟ ସୁଖବୋଧ ଅଛି । କିନ୍ତୁ ଏହା କେଭେ ଚିନ୍ତା କରିଛି କି, ମନୁଷ୍ୟ ଜୀବନର ସୁଖବୋଧ ତୁଳନାରେ କୀଟ ଜୀବନର ସୁଖବୋଧ କେଡ଼େ ନଗଣ୍ୟ ?

 

କୀଟ କହିଲା–ମୁଁ କୀଟ ଯୋନିରେ ଜନ୍ମ । କୀଟ ଜୀବନହିଁ ମୋ ପାଇଁ ଲୋଭନୀୟ, କାହିଁକି ମୋ ଜୀବନକୁ ମୁଁ ଅକାଳରେ ବିନଷ୍ଟ କରିବି ?

 

ବ୍ୟାସଦେବ–ତୁମର ଏହି କୀଟ ଜନ୍ମ ମୋହ ତୁମକୁ ନିଦାରୁଣ ଭାବରେ ଆଚ୍ଛନ୍ନ କରିଛି-। ସେଥିପାଇଁ ଏହି ଜଘନ୍ୟ ଜୀବନ ପ୍ରତି ତୁମର ଧିକ୍‌କାର ଜାତ ହୋଇନାହିଁ । ତୁମେ ଏହି ଜୀବନକୁ ସାର୍ଥକ ବୋଲି ମନେ କରୁଅଛି । ତୁମର ପୂର୍ବ ସ୍ମୃତି ଭ୍ରଂଶ ହୋଇଥିବାରୁ ତୁମର ଏହି ଜୀବନ ପ୍ରତି ପ୍ରବଳ ମାୟା ଜାତ ହୋଇଅଛି ।

 

କୀଟ କହିଲା–‘ସ୍ମୃତିଭ୍ରଂଶ’ କିପରି ?

 

ବ୍ୟାସଦବ–ପୂର୍ବଜନ୍ମର କର୍ମ ଜନିତ ଫଳ ତୁମ୍ଭେ ଏହି ଜୀବନରେ ଭୋଗ କରୁଅଛ । ପୂର୍ବ ଜନ୍ମରେ ତୁମେ କିଛି ପୁଣ୍ୟ କର୍ମ କରିଥିଲ, ସେହି ପୁଣ୍ୟ ଫଳକୁ ଆଶ୍ରୟ କରି ମୁଁ ତୁମକୁ ତୁମର ପୂର୍ବ ଜନ୍ମର ସ୍ମୃତି ଶକ୍ତି ଦେଉଛି, ସେହି ଶକ୍ତି ବଳରେ ତୁମେ ଜାଣିପାରିବ ତୁମେ ପୂର୍ବଜନ୍ମରେ କଣ ଥିଲ, କେଉଁ କର୍ମ କରିଥିଲ ଓ କାହିଁକି ତୁମେ ଏପରି ଜନ୍ମ ଗ୍ରହଣ କରିଅଛି ।

 

ଏହା ଶୁଣି ପଥ ମଧ୍ୟସ୍ଥ କୀଟ ସ୍ଥାଣୁ ହୋଇ ରହିଲା । ଧୀରେ ଧୀରେ ଏକ ଅଭୂତପୂର୍ବ ଅନୁଭୂତି କୀଟ ଅନ୍ତରରେ ଅନୁଭବ କରିବାକୁ ଲାଗିଲା । ସେହି ମୁହୂର୍ତ୍ତରେ କୀଟର ପୂର୍ବ ଜନ୍ମ ବୃତ୍ତାନ୍ତ ସ୍ମୃତିପଟରେ ଉଦୟ ହେବାରୁ କୀଟ ଅନୁଭବ କଲା ସେ ଯେପରି ଶୂଦ୍ର ବଂଶଜାତ ଏକ ବିଶାଳଦେହୀ ଦାମ୍ଭିକ ଓ ଶକ୍ତି ମଦମତ୍ତ ପୁରୁଷ । ସେ ବ୍ରାହ୍ମଣଙ୍କୁ ଅବଜ୍ଞା କରି, ଚରମ ଔଦ୍ଧତ୍ୟ ସହକାରେ ଯେପରି ନଗର ପଥ ପ୍ରାନ୍ତରେ ପରିଭ୍ରମଣ କରୁଅଛି ଓ ଅତିଥିଙ୍କୁ ନିର୍ମମ ବାକ୍ୟବାଣରେ ବିମୁଖ କରି, ସଦ୍‌ବଂଶ ଜାତ ଧନୀ ପୁରୁଷର ସୁଖମୟ ସଂସାର ଦେଖି ଈର୍ଷାନ୍ୱିତ ହେଉଅଛି । ପରର ଧନ ସମ୍ପଦ ଅପହରଣ କରିବାକୁ ଉଦ୍ୟତ ହେଉଅଛି । ପୂର୍ବଜନ୍ମର ଏପରି ନିଷ୍ଠୁର କୃତକର୍ମ ଦୃଶ୍ୟମାନ ସ୍ମୃତି ପଟରେ ପ୍ରତିଫଳିତ ହେବାରୁ କୀଟ ଚମକି ଉଠିଲା ।

 

ବ୍ୟାସଦେବ କହିଲେ–ସ୍ମୃତି ବଳରେ ତୁମେ ତୁମର ପୂର୍ବଜନ୍ମ କର୍ମର ଦୃଶ୍ୟାବଳୀ ଦେଖିଲ ତ ?

 

କୀଟ ସମ୍ମତି ଜ୍ଞାପନ କରିବାରୁ, ବ୍ୟାସଦେବ ପୁନଶ୍ଚ କହିଲେ–ସେହି କର୍ମଫଳ ଯୋଗୁଁ ତୁମର ଏହି ଅଧୋଗତି ହୋଇଅଛି । କିନ୍ତୁ ପୂର୍ବଜନ୍ମର ତୁମର ଅଟଳ ମାତୃଭକ୍ତି ଓ ବନ୍ଧୁବର୍ଗ ତାଗିଦ୍‌ରେ ଅତିଥି ସତ୍କାର କରିଥିବାରୁ ତୁମର ଏହି ସ୍ମୃତି ଶକ୍ତି ଉଦ୍ରେକ ହୋଇ ପାରିଲା । ତା ନ ହୋଇଥିଲେ ମୋର ଶତ ଯୋଗ ବଳରେ ମଧ୍ୟ ତୁମ୍ଭର ଏହି ସ୍ମୃତି ଶକ୍ତି ଉଦ୍ରେକ ହୁଅନ୍ତା ନାହିଁ । ଅତଏବ ଏହି କୀଟ ଜୀବନ ଆପାତତଃ ସୁଖକର ହେଲେହେଁ ଏହା ଏକ ଚରମ ଦୁଃଖମୟ ଜୀବନ-। ଯେତେ ଶ୍ରୀଘ୍ର ତୁମର ଦେହାନ୍ତ ହେବ ସେତେ ଶୀଘ୍ର ତୁମ୍ଭର ମଙ୍ଗଳ ହେବ ।

 

ହତବିହ୍ୱଳ କୀଟ କହିଲା–ଭଗବନ୍‌, ଆପଣଙ୍କ ଅନୁଗ୍ରହ ବ୍ୟତୀତ ମୋର ଗତି, ମୁକ୍ତି ନାହିଁ । ମୋତେ ରକ୍ଷା କରନ୍ତୁ ।

 

ବ୍ୟାସଦେବ–ତୁମେ ମୋର ଶରଣାଗତ, ସୁତରାଂ ମୁଁ ବାକ୍ୟବଦ୍ଧ ହେଉଅଛି ଯେ ତୁମର ଗତି, ମୁକ୍ତିର ସବୁ ଦାୟିତ୍ୱ ମୁଁ ନେବି । ଯଥା ସମୟରେ ତୁମ ସହିତ ମୋର ପୁନଶ୍ଚ ସାକ୍ଷାତ୍‌ ହେବ-। ଅତଃପର ବ୍ୟାସଦେବ ବିଦାୟ ନେଇ ପ୍ରସ୍ଥାନ କଲେ ଓ କୀଟ ଚକ୍ରପିଷ୍ଟ ହୋଇ ପ୍ରାଣତ୍ୟାଗ କଲା-

 

ସୁଦୀର୍ଘ ପରବର୍ତ୍ତୀ କାଳରେ ଏକ କ୍ଷତ୍ରିୟ ରାଜବଂଶରେ ଏକ ଜାତିସ୍ମର ରାଜକୁମାର ଜନ୍ମ ଲାଭ କରିଥିଲେ । ରାଜାଙ୍କର ମୃତ୍ୟୁ ପରେ ସେହି ରାଜପୁତ୍ର ରାଜାସନ ପ୍ରାପ୍ତ ହୋଇ ଅସାଧାରଣ ନୈପୁଣ୍ୟରେ ରାଜକର୍ମ ପରିଚାଳନା କରୁଥିଲେ ।

 

ଏକଦା ଶିକାର କରିବା ବାହାନାରେ ସଦଳବଳେ ଏକ ଅରଣ୍ୟ ପ୍ରଦେଶରେ ପ୍ରବେଶ କରି, କୌଶଳ ସହିତ ନିଜକୁ ପାରିଷଦ ବର୍ଗଙ୍କଠାରୁ ବିଚ୍ଛିନ୍ନ କରି ସେହି ଯୁବରାଜ ବ୍ୟାସଦେବଙ୍କ କୁଟୀରରେ ଉପନୀତ ହେଲେ ।

 

ରାଜାଙ୍କୁ ଦେଖି ଦୂରଦର୍ଶୀ ବ୍ୟାସଦେବ ସବୁ ଜାଣିପାରି ସ୍ୱାଗତ ସମ୍ଭାଷଣ ଜଣାଇଲେ ।

 

ରାଜା କହିଲେ–ପୂର୍ବଜନ୍ମରେ ସେହି କୀଟ ଭାଗ୍ୟ ବଳରେ ଓ ଆପଣଙ୍କ ଅନୁଗ୍ରହ ଲାଭ କରି ଆପଣଙ୍କ କୃପାରେ ସ୍ୱଳ୍ପକାଳ ମଧ୍ୟରେ ତୀର୍ଯ୍ୟକ ଯୋନିର ଘୃଣିତ ସ୍ଥିର ଅତିକ୍ରମ କରି ଓ ଚଣ୍ଡାଳ, ଶୂଦ୍ର, ବୈଶ୍ୟ ଜନ୍ମ ଅତିକ୍ରମ କରି କ୍ଷତ୍ରିୟ ବଂଶରେ ଜନ୍ମ ଗ୍ରହଣ କରିଅଛି । ମୁଁ ଏହି ଜନ୍ମରେ ମାଂସ ସହ ସୁପ୍ରଚୁର ଅନ୍ନ ଭୋଜନ ସୁଖ ଉପଭୋଗ କରୁଅଛି । ରାଜାଙ୍କୁ ନିଶ୍ଚୁପ ରହିବା ନିମନ୍ତେ ଇଙ୍ଗିତ ଦେଇ ବ୍ୟାସଦେବ କିୟତ୍‌କାଳ ମୌନ ରହି କହିଲେ-ପୂର୍ବଜନ୍ମର ସଞ୍ଚିତ ପୁଣ୍ୟ ଓ ମୋର ଅନୁଗ୍ରହ ବଳରେ କୀଟ ଜନ୍ମ ଦଶାରେ ତୁମେ ମୋର ଶରଣାଗତ ହୋଇଥିଲ । ମୋର ଉପଦେଶ ନିର୍ଦ୍ୱିଧାରେ ପାଳନ କରିବାକୁ ତୁମେ ଅନ୍ୟ କୌଣସି ଯୋନିରେ ସୁଦୀର୍ଘ କାଳ ପରିଭ୍ରମଣ ନକରି, ସେହି ଆଶୀର୍ବାଦ ବଳରେ କ୍ଷତ୍ରିୟ କୁଳରେ ଜନ୍ମଲାଭ କରିଅଛ । ଜନ୍ମ ବିବର୍ତ୍ତନ ସଂକ୍ରାନ୍ତରେ କୁହାଯାଇଛି–‘‘ତୀର୍ଯ୍ୟକ ଯୋନ୍ୟାଃ ଶୂଦ୍ରତାମଭ୍ୟୁପୈତି/ଶୂଦ୍ରୋ ବୈଶ୍ୟଂ କ୍ଷତ୍ରିୟତ୍ୱଞ୍ଚି ବୈଶ୍ୟଃ/ବୃତ୍ତଶ୍ଳାଘୀ କ୍ଷତ୍ରିୟୋ ବ୍ରାହ୍ମଣ ତ୍ୱଂ/ସ୍ୱର୍ଗଂ ପୁଣ୍ୟଂ ବ୍ରାହ୍ମଣ ସାଧୁବୃତ୍ତଃ ।’’ –ଅର୍ଥାତ୍‌ ଜୀବ ପ୍ରଥମରେ ତୀର୍ଯ୍ୟକ ଯୋନିରୁ ଶୂଦ୍ର ଯୋନିରେ, ଶୂଦ୍ରରୁ ବୈଶ୍ୟ, ବୈଶ୍ୟରୁ କ୍ଷତ୍ରିୟ ଜନ୍ମ ଗ୍ରହଣ କରିଥାଏ । କ୍ଷତ୍ରିୟ ଯୋନିରେ ଜନ୍ମ ଲାଭ କରି ପ୍ରକୃତ କ୍ଷାତ୍ରଧର୍ମାନୁସାରେ ପ୍ରଜାପାଳନ କରି, ସଦାଚାର ବଳରେ କ୍ଷତ୍ରିୟ ବ୍ରାହ୍ମଣ ଯୋନିରେ ଜନ୍ମଲାଭ କରେ । ବ୍ରାହ୍ମଣ ଯୋନିରେ ଚିତ୍ତ, ନିଷ୍ଠା ଓ ସତତା ବଳରେ ବ୍ରାହ୍ମଣ ସ୍ୱର୍ଗ ପ୍ରାପ୍ତ ହୋଇ ଜରାଶୋକ ହୀନ ଆନନ୍ଦ ଉପଭୋଗ କରେ । ଯେଉଁ ବ୍ୟକ୍ତିର ଜୀବନର ଉତ୍ତୋରଣ ଯେତେ ଅଧିକ, ପାପଚିନ୍ତା ଓ ପାପସଂସ୍କାର ଠାରୁ ସେ ଏତେ ଶୀଘ୍ର ମୁକ୍ତି ଲାଭ କରିଥାଏ ଏବଂ ଅଧିକ ପରିମାଣରେ ସୁଖ ଭୋଗ କରିଥାଏ ।

 

ମୁଁ ଦେଖୁଅଛି ଏହି ଜୀବନରେ ମଧ୍ୟ ଘୃଣିତ କୀଟ ଜୀବନକୁ ତୁମେ ବିସ୍ମୃତ ହୋଇନାହଁ । ଏହି କ୍ଷତ୍ରିୟ ଜନ୍ମରେ ମଧ୍ୟ କ୍ଷାତ୍ର ଧର୍ମାନୁସାରେ ମାଂସାଶୀ ହେବା ପ୍ରବୃତ୍ତିକୁ ମଧ୍ୟ ଦମନ କରିପାରୁନାହଁ । ପୂର୍ବଜନ୍ମରେ ତୁମେ ମୋର ଶରଣାଗତ ଥିବାରୁ ଓ ମୁଁ ତୁମ ନିକଟରେ ବାକ୍ୟବଦ୍ଧ ହୋଇଥିବାରୁ ତୁମେ ଏହି ଜନ୍ମରେ ରାଜକୁଳଜ ହୋଇଅଛ । କିନ୍ତୁ ତୁମ ମନ ଓ ଇନ୍ଦ୍ରିୟକୁ ବଶୀଭୂତ କରିନାହିଁ । ସର୍ବଦା ସ୍ମରଣ ରଖିବ– କ୍ଷାତ୍ରଂ ଦେବବ୍ରତଂ କୀଟଭୂତାନାଂ ପରିପାଳନ୍‌ମ / କ୍ଷାତ୍ରଂ ଦେବବ୍ରତଂ ଧ୍ୟାୟଂ ସ୍ତୁତ୍ତୋ ବିପ୍ରତ୍ୱମେଷ୍ୟାସି’’–ଅର୍ଥାତ୍‌ ପ୍ରାଣୀ କୁଳର ରକ୍ଷା ଦେବଗଣଙ୍କର ବ୍ରତ । ଏହି ବ୍ରତ ହିଁ କ୍ଷାତ୍ର ଧର୍ମ । ସୁଚିନ୍ତିତ ଭାବରେ ତୁମେ ଏହି ଧର୍ମ ପାଳନ କର । ପର ଜନ୍ମରେ ଅବଶ୍ୟ ବ୍ରାହ୍ମଣତ୍ୱ ଲାଭ କରି ମୁକ୍ତିଲାଭ କରିବ ।

 

ଅତଃପର ସେହି ରାଜା ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରି ମନୁଷ୍ୟ, ଗାଭୀ ଓ ବ୍ରାହ୍ମଣ ସେବାରେ ଆତ୍ମନିୟୋଗ କଲେ । ନିଷ୍ଠା ସହିତ କ୍ଷାତ୍ର ଧର୍ମ ପାଳନ କରିବାରୁ ଜନପଦ ସମୃଦ୍ଧ ହୋଇ ଉଠିଲା । କ୍ଷତ୍ରିୟ ରାଜା ସ୍ୱକୀର୍ତ୍ତିରେ ମହୀୟାନ ହୋଇ ଉଠିଲେ । କ୍ଷତ୍ରିୟ ରାଜା ସ୍ୱକୀର୍ତ୍ତିରେ ମହୀୟାନ ହୋଇଉଠିଲେ । ଯଶର ଚରମ ଶୀର୍ଷଦେଶରେ ଉପନୀତ ହୋଇ ଏକଦା ରାଜା ରଣକ୍ଷେତ୍ରରେ ସମ୍ମୁଖ ସମରରେ ମୃତ୍ୟୁବରଣ କଲେ ।

 

ମହାମୁନି ବ୍ୟାସଙ୍କ ବାକ୍ୟାନୁସାରେ କ୍ଷତ୍ରିୟ ରାଜା ଦେହାନ୍ତେ ଏକ ପବିତ୍ର ବ୍ରାହ୍ମଣ କୁଳରେ ଜନ୍ମ ଗ୍ରହଣ କଲେ । କୀଟ ଯୋନିରେ ରହିବା କାଳରେ ବ୍ୟାସଦେବ କୀଟକୁ ବଚନ ଦେଇଥିଲେ ଯେ ‘‘ବ୍ରାହ୍ମଣ କୁଳରେ ଜନ୍ମ ହୋଇ ନିରାସକ୍ତ ଜୀବନ ଯାପନ କଲେ ମୁଁ ତୁମକୁ ବ୍ରହ୍ମବିଦ୍ୟା ଦାନ କରିବି ଓ ସେହି ବ୍ରହ୍ମବିଦ୍ୟା ବଳରେ ତୁମେ ଇଚ୍ଛାନୁସାରେ ଅବାଧରେ ତ୍ରିଲୋକ ଭ୍ରମଣ କରି ପାରିବ ।

 

କୃଷ୍ଣଦୈପ୍ୟାୟନ ବ୍ୟାସ ଯୋଗବଳରେ ରାଜାଙ୍କର ଜନ୍ମାନ୍ତର କଥା ଜାଣିପାରି କୀଟଯୋନିରେ କୀଟକୁ ବଚନ ଦେଇ ବାକ୍ୟବଦ୍ଧ କଥା ସ୍ମରଣ କରି ବ୍ରାହ୍ମଣ ଯୁବକଙ୍କ ନିକଟକୁ ଆସି କହିଲେ–ବ୍ରାହ୍ମଣ ଯୁବକ ! ତୁମେ କୁକର୍ମ ପ୍ରଭାବରେ ତୁମେ ବହୁପୂର୍ବରେ କୀଟ ଯୋନିରେ ଜନ୍ମଗ୍ରହଣ କରିଥିଲ । କିନ୍ତୁ ସାଧନା ଓ ନିଷ୍ଠା ବଳରେ ତୁମେ କୀଟରୁ କ୍ଷତ୍ରିୟ ଓ କ୍ଷତ୍ରିୟରୁ ବ୍ରାହ୍ମଣ କୁଳରେ ଜନ୍ମଲାଭ କରିପାରିଛ । ସର୍ବଦା ସ୍ମରଣ ରଖିବ ଜନ୍ମ ଜନ୍ମାନ୍ତରର ମୂଳ ବସ୍ତୁ ‘କର୍ମ’ । ନିଷ୍ଠା ସହିତ ବିହିତ କର୍ମ ପାଳନ ନକଲେ ମନୁଷ୍ୟ ଜନ୍ମ-ନନ୍ମାନ୍ତର ଧରି ହୀନ ଯୋନିରେ ଜନ୍ମଲାଭ କରିଥାଏ ଓ ଅଶେଷ କ୍ଳେଶ ଭୋଗ କରେ । ସେହି କର୍ମଫଳ ଅନୁଯାୟୀ ଅନେକଥର ଦେହ ଧାରଣ କରିଥାଏ, ଯେତେ ପର୍ଯ୍ୟନ୍ତ ପ୍ରାୟଶ୍ଚିତ ଶେଷ ହୋଇନଥାଏ, ପ୍ରାୟଶ୍ଚିତ ସମ୍ପୂର୍ଣ୍ଣ ହେଲେ ହୀନଜୀବ ମାନବ ଜନ୍ମ ଲାଭ କରେ । ସେହି କୀଟ ତୁମେ ଆଜି ବ୍ରାହ୍ମଣ କୁଳରେ ଜାତ ହୋଇଅଛ । ବ୍ରାହ୍ମଣ କୁଳରେ ଜନ୍ମ ହେବାରୁ ଅଶେଷ ଦୈବ ସମ୍ପଦର ଅଧିକାରୀ ହୋଇ ପାରିଛି । ଶ୍ରଦ୍ଧା ଓ ନମ୍ରତା ସହିତ ଜଗତ୍‌କଲ୍ୟାଣରେ ଏହି ଜନ୍ମର ସଦ୍‌ବ୍ୟବହାର କରି ସ୍ୱଧର୍ମ ପାଳନ କର । ମୋର ବଚନରେ ବିଶ୍ୱାସ ରଖ, ବ୍ରହ୍ମଲୋକ ତୁମ ନିମନ୍ତେ ଅପେକ୍ଷା କରି ରହିଅଛି ।

 

ଏହି ବଚନମାନ ଶୁଣି ବ୍ରାହ୍ମଣ ଯୁବକ ସଶ୍ରଦ୍ଧ ପ୍ରଣାମ ବ୍ୟାସଦେବଙ୍କୁ ଜଣାଇଲେ । ବ୍ୟାସଦେବ ପ୍ରଣାମ ଗ୍ରହଣାନ୍ତେ ସ୍ୱସ୍ଥାନ ଗମନ କଲେ ।

 

ବ୍ରାହ୍ମଣ ଯୁବକ ପରବର୍ତ୍ତୀ ଜୀବନ ବ୍ରତ ଓ ତପସ୍ୟାରେ ଆତ୍ମବିନିଯୋଗ କରି ଅନ୍ତିମ ଦଶା ଅନ୍ତେ ଅପାର ଆନନ୍ଦ ଲାଭ କରି, ସୂକ୍ଷ୍ମ ଦେହରେ ବ୍ରହ୍ମଲୋକ ଗମନ କଲେ ।

Image

 

ମୈତ୍ରେୟ–ବ୍ୟାସଦେବ ସଂବାଦ

 

(ଏହି ଆଖ୍ୟାୟିକାରେ ଦାନ ଓ ତପସ୍ୟା ସମ୍ପର୍କରେ ଭୀଷ୍ମ, ଧର୍ମରାଜ ଯୁଧିଷ୍ଠିରଙ୍କୁ ବ୍ୟାସଦେବ ଓ ମୈତ୍ରେୟଙ୍କ ମଧ୍ୟରେ କଥୋପକଥନ ଉପଦେଶ ଆକାରରେ ଶୁଣାଇଛନ୍ତି ।

 

କଥା ପ୍ରସଙ୍ଗରେ ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ କହିଥିଲେ, ଧର୍ମରାଜ, ଏହି ଛଳନାମୟୀ ପ୍ରକୃତି ବୈଚିତ୍ର୍ୟମୟ ଅସରନ୍ତି ବସ୍ତୁ ସମ୍ଭାର ନେଇ ନିତ୍ୟ ନୂତନ ରୂପ, ରସ, ଗନ୍ଧ ଓ ସ୍ପର୍ଶର ମନ୍ଦିର ଆକର୍ଷଣରେ ମନୁଷ୍ୟକୁ ପ୍ରଲୁବ୍‌ଧ କରେ । ମୋହମୟୀ ପ୍ରକୃତିର ଏହି ଆକର୍ଷଣରେ ଉଦ୍‌ଭ୍ରାନ୍ତ ହୋଇ ମନୁଷ୍ୟ, ଜରା ବାର୍ଦ୍ଧକ୍ୟ ବିସ୍ମୃତ ହୋଇ ଶତ୍ରୁକୁ ଉପେକ୍ଷା କରିଥାଏ । ସଂମ୍ଭ୍ରାନ୍ତ ଓ ଉଚ୍ଚକୁଳରେ ଜନ୍ମ ହୋଇ ମଧ୍ୟ, ମନୁଷ୍ୟ ନିଜର ଭୋଗ ବିଳାସ, ତଥା ସ୍ୱାର୍ଥ ସିଦ୍ଧିହିଁ ଜୀବନର ଏକମାତ୍ର କାମ୍ୟ ବସ୍ତୁ ବୋଲି ବୋଧ କରିଥାଏ । ଏହି ଆକର୍ଷଣର ଅନ୍ୟ ନାମ ହେଉଛି ଶୋକ-ଦୁଃଖ, ହତାଶା-ନିରାଶା, ସଂକୀର୍ଣ୍ଣତା ଓ ସ୍ୱାର୍ଥପରତା । ‘କାମ’ ହିଁ ମନୁଷ୍ୟ ଜୀବନର ମୂଳ ଆକର୍ଷଣ-। କାମରୁ ହିଁ ଭୋଗ ଲିପ୍‌ସା ଓ ଆକର୍ଷଣ ଜାତ ହୋଇଥାଏ । ଏହି ଆକର୍ଷଣ ଜୀବକୁ ପାଶବଦ୍ଧ କରେ । କାମାସକ୍ତ ମନୁଷ୍ୟ ଲାଳସାସକ୍ତ ହୋଇ ଅନ୍ଧକୂପ ଜୀବନ ଯାପନ କରିଥାଏ । ‘କାମ’ର ମୂଳଚ୍ଛେଦ ଓ ବିକର୍ଷଣ ଘଟାଇ ପାରିଲେ ମନୁଷ୍ୟ ଭେଦାଭେଦହୀନ ଓ ସର୍ବଜନୀନ ହୋଇପାରେ । ଏହି ମୂଳଚ୍ଛେଦ ଓ ବିକର୍ଷଣର କିପରି ସମ୍ଭବ ? ଏହି ବିଷୟରେ ତୁମେ ମୋ’ଠାରୁ ଶ୍ରବଣ କର ।

 

କାଳ ପ୍ରବାହରେ ମନୁଷ୍ୟ ‘ଆପ୍ତ ଉପଦେଶ’ ବିସ୍ମୃତ ହୁଏ । ଏହି ଆପ୍ତ ବଚନ ଅନୁସାରେ ପ୍ରୟୋଜନ ଅତିରିକ୍ତ ବସ୍ତୁ ନିଃସ୍ୱାର୍ଥରେ ଦାନ କରେ । ପରକୁ ଆପଣାର କର । ମନ ଔଦାର୍ଯ୍ୟ ପୂର୍ଣ୍ଣ କରି ଏବଂ ଚିତ୍ତ ଅବିଚଳ ରଖି ହୃଦୟକୁ ପ୍ରସାରିତ କର । ‘କାମଗନ୍ଧ-ସର୍ବସ୍ୱ-କାମନା’ ତିରୋହିତ କର । ଏହିପରି ଆଚରଣରେ ଯେଉଁ ନିଃସ୍ୱାର୍ଥ ଅନ୍ତଃକରଣ ସୃଷ୍ଟି ହେବ ତାହାହିଁ ବେଦକ୍ଷେତ୍ର ।

 

ଅତଃପର ଦାନ ପ୍ରସଙ୍ଗରେ ପିତାମହ କୁନ୍ତୀ ନନ୍ଦନକୁ ଏକ ବିରଳ ସମ୍ବାଦ ପରିବେଷଣ କରିଥିଲେ ।

 

ଏକଦା କୃଷ୍ଣଦୈପ୍ୟାୟନ ବ୍ୟାସଦେବ ଅରଣ୍ୟ ଆଶ୍ରମରୁ ନିର୍ଗତ ହୋଇ ପରିଭ୍ରମଣ କରି ବାରାଣସୀରେ ଉପନୀତ ହେଲେ । କ୍ଷୁଧା, ତୃଷ୍ଣା କ୍ଳାନ୍ତ ୠଷିବର ଅବଶେଷରେ ବାରାଣସୀର ମୁନିଶ୍ରେଷ୍ଠ ‘ମୈତ୍ରେୟଙ୍କ’ ଆତିଥ୍ୟ ଗ୍ରହଣ କଲେ ।

 

ଜରାଜୀର୍ଣ୍ଣ ବ୍ୟାସଦେବଙ୍କୁ ସହସା ଚିହ୍ନିବାର ଉପାୟ ନଥିଲା । ରୁକ୍ଷ ଜଟାଜୁଟ ସମନ୍ୱିତ ଦୀର୍ଣ୍ଣ ମଳିନ ବେଶୀ ବ୍ୟାସଦେବଙ୍କର ପରିଚୟ, ଯୋଗ ବଳରେ ମୈତ୍ରେୟ ଜାଣିପାରି ସଶ୍ରଦ୍ଧ ଅଭ୍ୟର୍ଥନା ଜ୍ଞାପନ କରି, ଉତ୍କୃଷ୍ଟ ଅନ୍ନାଦି ରନ୍ଧନ କରି ଅତିଥି ରୂପୀ ବ୍ୟାସଦେବଙ୍କୁ ଅପ୍ୟାୟିତ କଲେ-। ଅନ୍ନ ଭକ୍ଷଣରେ ଆପ୍ୟାୟିତ ବ୍ୟାସଦେବ ସେହି ଅମୃତତୁଲ୍ୟ ଅନ୍ନ ଗ୍ରହଣ କରି କିୟତ୍‌କାଳ ବିଶ୍ରାମ ଲାଭ ଅନ୍ତେ ଅନ୍ୟତ୍ର ଗମନୋଦ୍ୟତ ହେବା ସମୟରେ ମନ ମଧ୍ୟସ୍ଥ ଆନନ୍ଦ ଉଲ୍ଲାସ ସହସା ପ୍ରକାଶ କଲେ ।

 

ମୁନି ମୈତ୍ରେୟ, ଜୀବାତ୍ମା ଓ ପରମାତ୍ମା ଅଭେଦ ଜ୍ଞାନରେ ଜ୍ଞାନୀ ବ୍ୟାସଙ୍କର ହଠାତ୍‌ ଆନନ୍ଦ ଉଲ୍ଲାସ ଦର୍ଶନରେ ବିସ୍ମିତ ଓ ହତବାକ୍‌ ହୋଇ କୃତାଞ୍ଜଳି ଫୁଟରେ ଅଭିବାଦନ ଜ୍ଞାପନ କରି ପ୍ରଶ୍ନ କଲେ–ଭଗବାନ୍‌ ! ସର୍ବବ୍ୟାପୀ ପରମାତ୍ମା ସହିତ ବିଶ୍ୱର ସମୂହ ବସ୍ତୁର ସମ୍ବନ୍ଧ ଥିଲେହେଁ ପରମାତ୍ମାଙ୍କୁ ଶ୍ରେଷ୍ଠ ବୋଲି କୁହାଯାଇଛି । ମନୁଷ୍ୟ ପରମାତ୍ମାଙ୍କର ହିଁ ଶରଣାଗତ । ମନୁଷ୍ୟର ଯାବତୀୟ କର୍ମ ପରମାତ୍ମାଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ । ଏପରି ଆନନ୍ଦ ଉଲ୍ଲାସ ପ୍ରକାଶ କରିବା ସାଧାରଣ ମନୁଷ୍ୟ ପକ୍ଷରେ ହିଁ ସମ୍ଭବ । କିନ୍ତୁ ଆପଣ ଅଭେଦ ଜ୍ଞାନ ବଳରେ ଜ୍ଞାନୀ, ଆପଣଙ୍କର ଏବଂ ବିଧ ଆନନ୍ଦ ଉଲ୍ଲାସ ପ୍ରଦର୍ଶନର ମର୍ମାର୍ଥ କ’ଣ ?

 

ବ୍ୟାସଦେବ କହିଲେ–ମୈତ୍ରେୟ ! ଅତିଥିକୁ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରି ଅତିଥିର ଇଚ୍ଛାନୁସାରେ ଅତିଥି ସତ୍କାରକୁ ‘ଅତିଛନ୍ଦ’ କୁହାଯାଏ । ପ୍ରିୟ ବାକ୍ୟଦ୍ୱାରା ଅତିଥିଙ୍କ ଗୌରବ ପ୍ରକାଶକୁ ‘ଅତିବାଦ’ କୁହାଯାଏ । ଗୃହୀଠାରୁ ଯୁଗପତ୍‌ ‘ଅତିଛନ୍ଦ’ ଓ ଅତିବାଦ କଦାଚିତ୍‌ ଅତିଥି ଭାଗ୍ୟରେ ମିଳିଥାଏ । କିନ୍ତୁ ତୁମ୍ଭଠାରୁ ଯୁଗପତ୍‌ ଏହି ଦୁଇଟି ପ୍ରାପ୍ତ ହୋଇ ମୋର ଏବଂ ବିଧ ଆନନ୍ଦ ଓ ଉଲ୍ଲାସ ପ୍ରକାଶ ପାଇଛି । ଅତିଥିକୁ ନିକଟ ଆତ୍ମୀୟ ଜ୍ଞାନରେ ଉଦାର ହୃଦୟ ସହିତ ଗ୍ରହଣ କରିବା ଓ ପରିତୁଷ୍ଟ କରିବା ନିମନ୍ତେ ବେଦରେ ନିର୍ଦ୍ଦେଶ ଅଛି ।

 

ମନୁଷ୍ୟର ଆତ୍ମିକ ଅଭ୍ୟୁଦୟ ନିମନ୍ତେ ତିନିଗୋଟି ବାକ୍ୟରେ ବେଦ ଉତ୍ତମ ବ୍ରତ କଥା ପ୍ରକାଶ କରିଛନ୍ତି । ଏହା ହେଉଛି ‘ନଦ୍ରୁହ୍ୟେଚ୍ଚୈବ ଦଦ୍ୟାଚ୍ଚ ସତଂ ଚୈବ ପରଂ ବଦେତ୍‌’’ । ଅର୍ଥାତ୍‌ କାହାରି ପ୍ରତି ମନ ମଧ୍ୟରେ ବିରୂପ ଭାବ ପୋଷଣ କରିବ ନାହିଁ, ସଦା ଦାନ କରିବ । ମିଥ୍ୟାଚାରର ଆଶ୍ରୟ ନନେଇ ସଦା ସତ୍ୟ କଥା କହିବ । ଦାନତୁଲ୍ୟ ଧର୍ମ ନାହିଁ, ଦାନତୁଲ୍ୟ କର୍ମ ନାହିଁ । ଏହାହିଁ ହେଉଛି ବେଦବାକ୍ୟ ।

 

ସର୍ବପ୍ରଥମେ ମୁନି ଋଷିଗଣ ଏହି ବେଦବାକ୍ୟ ପାଳନ କରିଥିଲେ । ଋଷିଗଣଙ୍କର ଏହି ପନ୍ଥା ହିଁ ସଦା ବରଣୀୟ । ବେଦ କଦାପି ମିଥ୍ୟାବଚନ ପ୍ରକାଶ କରେ ନାହିଁ ।

 

ମୋର କ୍ଷୁଧା ନିବାରଣ ନିମନ୍ତେ ସୁମଧୁର ଅନ୍ନଦାନ, ତୃଷ୍ଣା ନିବାରଣାର୍ଥେ ଅମୃତ ସମ ପାନୀୟ ଦାନ, ତଦୁପରି ସୁନୃତ ବାକ୍ୟରେ ଜ୍ଞାନରେ ହେଉ ବା ଅଜ୍ଞାନରେ ହେଉ ମୋତେ ଆପ୍ୟାୟିତ କରି ତୁମେ ବେଦର ସେହି ନିର୍ଦ୍ଦେଶ ପାଳନ କରିଅଛ । ଏହାର ଫଳ ଅତ୍ୟନ୍ତ ସୁଖମୟ ଓ ତୁମେ ଅସରନ୍ତି ସୌଭାଗ୍ୟର ଅଧିକାରୀ ହୋଇଅଛ ।

 

ମୁନି ମୈତ୍ରେୟ କହିଲେ–ମହାଭାଗ ! ଶାସ୍ତ୍ରାନୁଶୀଳନ ଓ ତପସ୍ୟା ବଳରେ ମୋର ଦୃଢ଼ ପ୍ରତ୍ୟୟ ହୋଇଛି ଯେ ବିଦ୍ୱାନ ବ୍ରାହ୍ମଣଙ୍କୁ ଦାନ କରିବା ହିଁ ସର୍ବୋତ୍କୃଷ୍ଟ ମହତ୍‌ ଓ ପୁଣ୍ୟ କର୍ମ । ବ୍ରାହ୍ମଣ ତୃପ୍ତ ଥିଲେ, ଦେବତା, ପିତୃଗଣ ମଧ୍ୟ ତୃପ୍ତ ହୁଅନ୍ତି । ସହି ତୃପ୍ତି ଲାଭର ହିଁ ଦାତାର ଅଭ୍ୟୁଦୟ ଘଟିଥାଏ । ଦାନ ଗ୍ରହଣକାରୀ ବ୍ରାହ୍ମଣ ପ୍ରକୃତ ବିଦ୍ୱାନ ନ ହୋଇଥିଲେ, ବିତ୍ତଦାନ, ଅନ୍ନଦାନ ବା ସାମଗ୍ରୀ ଦାନରେ ଫଳୋଦୟ ଘଟେ ନାହିଁ ଓ ଶାସ୍ତ୍ର ମତରେ ଦାନ ସମ୍ପଦ ମଧ୍ୟ ବୃଥା ହୁଏ । କିନ୍ତୁ ମୋ ମତରେ କର୍ମ ମାତ୍ରେ ହିଁ ଫଳଦାୟୀ । ଦାନ ମଧ୍ୟ ଏକ କର୍ମ । ସେହି ଅନୁସାରେ ଦାନ କର୍ମ ମଧ୍ୟ ଫଳଦୀୟୀ ହେବ । ଫଳ ମଧ୍ୟରେ ସୁଫଳ ଓ କୁଫଳର ପାର୍ଥକ୍ୟ ରହିଛି ।

 

ଯେପରି ଫଳ ରହସ୍ୟ ଜାଣି କୌଣସି ପ୍ରକୃତ କୃଷକ ମନ ପ୍ରାଣ ଦେଇ ହଳ କର୍ଷଣରେ ଜମିକୁ ସାରପୁଷ୍ଟ କରି, ବୀଜବପନ କରିବା ପରେ ଉତ୍ତମ ଫସଲ ପାଇଥାଏ ସେହିପରି ଧନ ଓ ଅନ୍ନଦାତା ‘ଦାନଜ୍ଞାନ’ରେ ଜ୍ଞାନୀ ହୋଇ ଧନ ବା ଅନ୍ନ ପ୍ରକୃତ ବିଦ୍ୱାନ ବ୍ରାହ୍ମଣଙ୍କୁ ଦାନ କଲେ ନିଶ୍ଚୟ ସୁଫଳ ଲାଭ କରିଥାଏ ।

 

ଏବଂବିଧ ବଚନରେ ବ୍ୟାସଦେବ ମୈତ୍ରେୟଙ୍କୁ ନିଶ୍ଚୁପ ରହିବାକୁ ଇଙ୍ଗିତ ଦେଇ ବ୍ୟାସଦେବ କହିଲେ–

 

ମୈତ୍ରେୟ ! ତୁମେ ବ୍ରାହ୍ମଣ କୁଳରେ ଜନ୍ମ ହୋଇଅଛ, ପ୍ରକୃତ ବ୍ରାହ୍ମଣ ଅର୍ଥରେ ତୁମେ କାହାକୁ କହୁଛ ?

 

ମୈତ୍ରେୟ କହିଲେ–ବ୍ରାହ୍ମଣ କୁଳଜାତକୁ ହିଁ ବ୍ରାହ୍ମଣ କୁହାଯାଏ । କିନ୍ତୁ ଶାସ୍ତ୍ର ମତରେ–

 

‘‘ତପଃ ଶ୍ରୂତଜ୍‌ଚଃ ଯୋନିଶ୍ଚାପ୍ୟେତଦ୍‌ ବ୍ରାହ୍ମଣ୍ୟକାରଣମ୍‌

ତ୍ରିଭିର୍ଗୁଣୈଃ ସମୁଦିତୋସ୍ତତୋ ଭବତି ବୈ ଦ୍ୱିଜଃ ।’’

 

ଅର୍ଥାତ୍‌ ବ୍ରାହ୍ମଣ କୁଳଜାତ ଯେଉଁ ବ୍ରାହ୍ମଣ ତପସ୍ୟା, ଶାସ୍ତ୍ରଜ୍ଞାନ, ସଦାଚର ପରାୟଣତା ଏହି ତିନିଗୁଣ ଅଧିକାରୀ, ସେ ହିଁ ପ୍ରକୃତ ବ୍ରାହ୍ମଣ, ଦ୍ୱିଜ । ସେହି ବ୍ରାହ୍ମଣ ହିଁ ପ୍ରକୃତ ଦାନ ଗ୍ରହୀତା ଓ ଦାତା ମଧ୍ୟ ସେହି ଦାନରେ ସୁଖ ଲାଭ କରି ତୃପ୍ତ ହୋଇଥାଏ । ମୋର ସୌଭାଗ୍ୟ ମୁଁ ଆପଣଙ୍କ ସଦୃଶ ସତ୍‌ବ୍ରାହ୍ମଣଙ୍କ ଦର୍ଶନ ଓ ସେବାର ସୁଯୋଗ ଲାଭ କରିଅଛି । ମୋର ବିତ୍ତ, ଅନ୍ନ ସାର୍ଥକ ହୋଇଅଛି ।

 

ଏହାଶୁଣି ବ୍ୟାସଦେବ କହିଲେ–ବିଦ୍ୟା ଓ ତପସ୍ୟା ବଳରେ ଅନ୍ତଃକରଣ ନିର୍ମଳ ଓ ବୁଦ୍ଧି ମଧ୍ୟ ତୀକ୍ଷ୍‌ଣ ହୋଇଥାଏ ! ପ୍ରକୃତ ଗୁଣୀ, ଗୁଣୀଜନଙ୍କୁ ହିଁ ସମାଦର କରନ୍ତି । ଏହା ମୂର୍ଖ ପକ୍ଷରେ ସମ୍ଭବ ନୁହେଁ । ବେଦ ବିଦ୍ୟା ଓ ତପସ୍ୟା ମନୁଷ୍ୟକୁ ଜ୍ଞାନ ଗରିମାରେ ଦୀପ୍ତ ଓ ଗୁଣୀ କରିଥାଏ । ସେହି ଜ୍ଞାନଦୀପ୍ତ ମାନବ ବିତ୍ତ-ବାସନା ରୂପୀ ଅନ୍ଧକାରରୁ ମୁକ୍ତ ହୋଇ ହିରଣ୍ମୟ ଲୋକକୁ ଗମନ କରେ ଓ ସେଠାରେ ନିତ୍ୟ ବିରାଜମାନ କରେ ।

 

ଏହି ନବୀନ ବୟଃକ୍ରମରେ ତୁମେ ଗୃହସ୍ଥ ହୋଇ ମଧ୍ୟ ସେହି ହିରଣ୍ୟଲୋକ ସନ୍ଧାନରେ ତତ୍ପର ହେବା ଦେଖି ମୁଁ ପ୍ରୀତ । ସର୍ବଦା ସ୍ମରଣ ରଖିବ ‘ଯଥାକର୍ମ ତଥାଫଳ’ ସଂସାରରେ ରହି ମଧ୍ୟ ନିର୍ବିକାର ବ୍ୟକ୍ତି ହିଁ ଚିଦାନଳ ଲାଭ କରିଥାନ୍ତି ଓ ବିକାରଯୁକ୍ତ ମନୁଷ୍ୟ ଚିର ଅଶାନ୍ତି ଲାଭ କରି ସୁଖ-ଦୁଖ ତରଙ୍ଗରେ ଦୋଳାୟିତ ହୋଇ ଜୀବନ ଅତିବାହିତ କରନ୍ତି ।

 

ଦାନ ସଦୃଶ କର୍ମ ନାହିଁ । ତପସ୍ୟା ପରି ଧର୍ମ ନାହିଁ । ‘‘ସର୍ବଂ ବୈ ତପସ୍ୟା ଭେତି ତପୋହି ବଳବତ୍ତରମ୍‌ ।’’ ଆପତତଃ ଦୃଷ୍ଟିରୁ ଯାହ ମନୁଷ୍ୟ ଦୁର୍ଲ୍ଲଭ, ତପସ୍ୟା ନିକଟରେ ତାହା ସୁଲଭ । ତପସ୍ୟା ବଳ ଅଦ୍ୱିତୀୟ । ତପସ୍ୟା ମନୁଷ୍ୟ ଚିତ୍ତ ନିର୍ମଳ କରେ ଓ ବିଦ୍ୟା ମନୁଷ୍ୟକୁ ମୋହମୁକ୍ତ କରେ । ସର୍ବଦା ସ୍ମରଣ ରଖିବ–

 

ଅଦ୍‌ଭିର୍ଗାତ୍ରାନ୍ମଳମିବ ତମୋହଗ୍ନିପ୍ରଭାବ ଯଥା

ଦାନେନ ତପସ୍ୟା ଚୈବ ସର୍ବପାପମପୋହତି ।

 

ଅର୍ଥାତ୍‌ ଜ୍ଞାନରେ ହେଉ ବା ଅଜ୍ଞାନରେ ହେଉ ଜୀବନ ଧାରଣ କ୍ଷେତ୍ରରେ ଗୃହସ୍ଥକୁ ସମୟ ଅସମୟରେ କିଛି ପାପ କର୍ମ କରିବାକୁ ହୋଇଥାଏ । ଏକମାତ୍ର ଦାନ ଓ ତପସ୍ୟା ସେହି ଅବଶ୍ୟମ୍ଭାବୀ ପାପ ଫଳକୁ ବିନଷ୍ଟ କରିଥାଏ । ଯେପରି ଦେହର ମାଳିନ୍ୟ ଜଳ ଧୌତ କରେ, ଅଗ୍ନି ଅନ୍ଧକାର ଦୂର କରେ, ସହିପରି ଦାନ ଓ ତପସ୍ୟା ପାପ ଫଳକୁ ବିନଷ୍ଟ କରେ । ସର୍ବଦା ସ୍ମରଣ ରଖିବ, ଅନ୍ଧ, ଖଞ୍ଜ ଓ ବିକୃତ ଦେହୀ ହେଲେହେଁ, ଯଦି କୌଣସି ମନୁଷ୍ୟ ସର୍ବବିଧ ବିଦ୍ୟାରେ ସୁନିପୁଣ ହୋଇଥାଏ, ସେହି ହିଁ ଯଥାର୍ଥ ତପସ୍ୱୀ । ସେହିପରି ବ୍ୟକ୍ତିଙ୍କର ଯଥାର୍ଥ ସମାଦର କରିବାହିଁ ଗୃହସ୍ଥର ଧର୍ମ ।

 

ଅତଃପର କୃଷ୍ଣ ଦୈପ୍ୟାୟନ ବ୍ୟାସ–ବିଦାୟ ନେବା ପୂର୍ବରୁ ମୈତ୍ରେୟଙ୍କୁ ଏକ ଉପାଦେୟ ଉପଦେଶ ପ୍ରଦାନ କଲେ ।

 

‘‘ଯସ୍ମିନେବଂ କୁଳେ ସର୍ବ କଲ୍ୟାଣଂ ତତ୍ର ବର୍ତ୍ତତେ ।’’

 

ଅର୍ଥାତ୍‌ ଯେଉଁ କୁଳରେ ପତି ପତ୍ନୀର ଆଚରଣରେ ଓ ପତ୍ନୀ ପତିର ଆଚରଣରେ ସନ୍ତୁଷ୍ଟ ରହିଥାନ୍ତି ସେହି କୁଳରେ ‘କଲ୍ୟାଣ’ ବିଦ୍ୟମାନ ରହି କୁଳର ସୌଭାଗ୍ୟ ସମୃଦ୍ଧି ଘଟିଥାଏ ।

Image

 

କାର୍ତ୍ତ ବୀର୍ଯ୍ୟାର୍ଜୁନ–ବାୟୁଦେବ ସଂବାଦ

 

(ଏହି ଆଖ୍ୟାୟିକାରେ ପ୍ରକୃତ ଶକ୍ତିଧାରୀ, ଶ୍ରେଷ୍ଠ କିଏ, ଜ୍ଞାନ ସମୃଦ୍ଧ ସ୍ଥିତଧୀ ବ୍ରାହ୍ମଣ ନା ବାହୁବଳରେ ବଳୀୟାନ କ୍ଷତ୍ରିୟ ? ଏହି ବିଷୟରେ ‘ବାୟୁଦେବ’ କାର୍ତ୍ତବୀର୍ଯ୍ୟାର୍ଜୁନ’ ରାଜାଙ୍କୁ ଗଳ୍ପ ମାଧ୍ୟମରେ ସତ୍ୟାସତ୍ୟ ପ୍ରତିପାଦିତ କରିଛନ୍ତି ।)

 

‘ହୈହୟ’ ରାଜବଂଶର ‘କୃତବୀର୍ଯ୍ୟ’ ତନୟ ‘କାର୍ତ୍ତବୀର୍ଯ୍ୟାର୍ଜୁନ’ ସମୃଦ୍ଧ ‘ମାହିଷ୍ୱତୀ’ ନଗରର ଏକ ମହାପ୍ରତାପଶାଳୀ ନୃପତି ଥିଲେ । ସେ ସ୍ୱୀୟ ବାହୁବଳରେ ପୃଥିବୀର ନୃପତି ଗଣଙ୍କୁ ପରାଭୂତ କରି ଏବଂ ସ୍ୱର୍ଗ ରାଜ୍ୟରେ ଦେବଗଣଙ୍କୁ ପରାଜିତ କରି ତ୍ରିଲୋକରେ ସ୍ୱୀୟ ପ୍ରଭୁତ୍ୱ ବିସ୍ତାର କରିଥିଲେ ।

 

କ୍ଷତ୍ରିୟର ସ୍ୱଧର୍ମ ହିସାବରେ ପ୍ରଜାପାଳନ, ପ୍ରଜାରକ୍ଷଣ, ବ୍ରାହ୍ମଣଗଣଙ୍କର ମର୍ଯ୍ୟାଦା ରକ୍ଷା କରିବା ଏହା ସବୁ ବିସ୍ତୃତ ହୋଇ ଶକ୍ତି ମଦରେ ମଦମତ୍ତ ଓ ଅହଙ୍କାରରେ ସ୍ଫୀତବକ୍ଷ ‘କୀର୍ତ୍ତବୀର୍ଯ୍ୟ’ ସଦା ସର୍ବଦା ମୁଁ ହିଁ ଜ୍ୟେଷ୍ଠ, ମୁଁ ହିଁ ଶ୍ରେଷ୍ଠ । ମୋ ଇଚ୍ଛାରେ ଏକ ମୁହୂର୍ତ୍ତରେ ପ୍ରାଣ ଉଦୟ ଓ ବିନାଶ ହେବ, ଏହିପରି ବଚନମାନ କହୁଥିଲେ । ପୁନଶ୍ଚ ଧୈର୍ଯ୍ୟ, ବୀର୍ଯ୍ୟ, ପରାକ୍ରମରେ ସେ ଏକମାତ୍ର ଅଦ୍ୱିତୀୟ, ଏହିପରି ରାଜନ୍‌ଙ୍କର ଔଦ୍ଧତ୍ୟପୂର୍ଣ୍ଣ ଉକ୍ତିମାନ ଶୁଣି ବେଦମାତା ‘ଗାୟତ୍ରୀ’ ଦେବୀ ତ୍ରସ୍ତା ଓ ଦେବଗଣ ଶଙ୍କିତ ହେଲେ ।

 

ଏକଦା ସେହି ରାଜା ଅକାରଣ ଦମ୍ଭ ପ୍ରକାଶ କରିବା ସମୟରେ, ଏକ ଅଶରୀରୀ ଆକାଶବାଣୀ ଶ୍ରବଣ କଲେ–

 

‘‘ନ ତ୍ୱଂ ମୂଢ଼ ବିଜାନୀଷେ ବ୍ରାହ୍ମଣଂ କ୍ଷତ୍ରିୟାଦ୍‍ ବରମ୍‌

ସହିତୋ ବ୍ରାହ୍ମଣେନେହ କ୍ଷତ୍ରିୟଂ ଶାସ୍ତି ଦୈ ପ୍ରଜାଃ’’

 

ଅର୍ଥାତ୍‌ ହେ ମୂର୍ଖ, ଅର୍ବାଚୀନ ରାଜନ୍‌, ତୁମେ କଣ ଜାଣିନାହଁ ଯେ କ୍ଷତ୍ରିୟଠାରୁ ବ୍ରାହ୍ମଣ ଶ୍ରେଷ୍ଠ । ବ୍ରାହ୍ମଣ ସହାୟତାରେ ହିଁ କ୍ଷତ୍ରିୟ ପ୍ରଜାଗଣଙ୍କୁ ରକ୍ଷା କରିଥାଏ । ତୁମେ ମୂର୍ଖ, ମୋହାନ୍ଧ ଓ ମୂଢ଼ । କୃଦ୍ଧ କାର୍ତ୍ତବୀର୍ଯ୍ୟ ଅଲକ୍ଷ୍ୟ ବକ୍ତା ଉଦ୍ଦେଶ୍ୟରେ ଭୀମଗର୍ଜନ କରି କହିଲେ-କିଏ ତୁମେ ? ମୋତେ ମୂଢ଼ ଓ ମୂର୍ଖ ଭାବରେ ସମ୍ବୋଧନ କରୁଅଛ । ତୁମେ କଣ ଜାଣନାହିଁ ଯେ କ୍ଷତ୍ରିୟ ଅନ୍ନରେ ବ୍ରାହ୍ମଣ ଜୀବିକା ନିର୍ବାହ କରେ ଓ ବ୍ରାହ୍ମଣ କ୍ଷତ୍ରିୟର ଆଶ୍ରିତ ? ବ୍ରାହ୍ମଣ କିପରି ମୋ ଠାରୁ ଶ୍ରେଷ୍ଠ ହୋଇ ପାରିବ ? ଏ ଜଗତରେ ମୁଁ ହିଁ ସମସ୍ତଙ୍କଠାରୁ ଶ୍ରେଷ୍ଠ । ମୋର ପ୍ରତିଜ୍ଞା ତୁମେ ଶ୍ରବଣ କର । ଆଜିଠାରୁ କ୍ଷତ୍ରିୟ ହିଁ ବିଶ୍ୱରେ ଶ୍ରେଷ୍ଠ ରୂପେ ଗଣ୍ୟ ହେବ ।

 

ଅତଃପର ରାଜନ୍‌ ବ୍ରାହ୍ମଣ କୁଳ ମୂଳୋଚ୍ଛେଦ କରିବା ନିମନ୍ତେ ସଂକଳ୍ପବଦ୍ଧ ହେଲେ । ଏହିପରି ସମୟରେ ପୁନଶ୍ଚ ‘କାର୍ତ୍ତବୀର୍ଯ୍ୟ’ ଅନ୍ୟ ଏକ ପୌରୁଷଦୀପ୍ତ ଅଥଚ କୋମଳ ଆକାଶବାଣୀ ଶ୍ରବଣ କଲେ–‘‘କାର୍ତ୍ତବୀର୍ଯ୍ୟ ନିଜକୁ ସଂଯତ କର । ଏପରି ଦୁଃସାହସ କଲେ ଅଚିରେ ବିନଷ୍ଟ ହେବ-। ବ୍ରାହ୍ମଣର ଅପରିମେୟ ଶକ୍ତି ତୁମର ଅଜ୍ଞାତ’’ ।

 

କାର୍ତ୍ତବୀର୍ଯ୍ୟ ଅଦୃଶ୍ୟବାଣୀ ଉଦ୍ଦେଶ୍ୟରେ କହିଲେ–କିଏ ଏହିପରି ଅର୍ବାଚୀନ ବାକ୍ୟ ଉଚ୍ଚାରଣ କରୁଅଛି ? ବ୍ରାହ୍ମଣ କ’ଣ ମୋ ଠାରୁ ଅଧିକ ଶକ୍ତିଶାଳୀ ଓ ପରାକ୍ରମଶାଳୀ ?

 

ପୁନଶ୍ଚ ଆକାଶବାଣୀ ହେଲା–ବ୍ରାହ୍ମଣ ତୁମଠାରୁ ବହୁଗୁଣରେ ଅଧିକ ପରାକ୍ରମୀ । ବ୍ରାହ୍ମଣଗଣଙ୍କ ମଧ୍ୟରୁ ମାତ୍ର ଏକ ବ୍ରାହ୍ମଣ ତୁମକୁ ସର୍ବସ୍ୱାନ୍ତ କରି ରାଜଚ୍ୟୁତ କରିପାରିବ । ମୋର ପରିଚୟ ଶ୍ରବଣ କର । ମୁଁ ଦେବଦୂତ ବାୟୁଦେବ । –ତ୍ରିସତ୍ୟ କରି ମୁଁ ଯାହା କହୁଛି ତାହା ଶ୍ରବଣକର–‘‘ଅଜେୟା ବ୍ରାହ୍ମଣା ରାଜନ୍‌ ଦିବି ଚେହ ଚ ନିତ୍ୟଦା’’–ଅର୍ଥାତ୍‌ ମର୍ତ୍ତ୍ୟଲୋକ ଓ ସ୍ୱର୍ଗଲୋକରେ ବ୍ରାହ୍ମଣ ହିଁ ଅଜେୟ । ତୁମର ମଙ୍ଗଳ ନିମନ୍ତେ ଏପରି ସ୍ପର୍ଦ୍ଧା ପରିତ୍ୟାଗ କର ।

 

କାର୍ତ୍ତବୀର୍ଯ୍ୟ କହିଲେ–ମୋର ଅନୁମାନ, ମୋ ସଂକଳ୍ପରୁ ମୋତେ ନିରସ୍ତ କରିବା ନିମନ୍ତେ ଆପଣ ଦେବଲୋକରୁ ପ୍ରେରିତ ହୋଇଛନ୍ତି । ମୋ ପରି କ୍ଷତ୍ରିୟ ବୀର ସଦୃଶ କୌଣସି ବୀର ବ୍ରାହ୍ମଣ ଏହି ଜଗତରେ ଅଛନ୍ତି କି ?

 

ବାୟୁଦେବ–ତୁମ୍ଭେ ମୋହାଚ୍ଛନ୍ନ ଓ ବୁଦ୍ଧି ଭ୍ରଷ୍ଟ । ଏହା ସର୍ବଜନବିଦିତ ଯେ କ୍ଷତ୍ରିୟ ପ୍ରତ୍ୟକ୍ଷରେ ପ୍ରଜାପାଳନ କରିଥାଏ, କିନ୍ତୁ ବ୍ରାହ୍ମଣ କ୍ଷତ୍ରିୟ ମାଧ୍ୟମରେ ପରୋକ୍ଷରେ ପ୍ରଜାଗଣଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ଦେଖିଥାଏ । ବାହୁ ବଳରେ ତୁମ୍ଭେ ଅତି ବଳବାନ ହେଲେହେଁ, ବ୍ରାହ୍ମଣର ଧୀଶକ୍ତି ଓ ତେଜ ବ୍ୟତୀତ ପ୍ରଜାଗଣଙ୍କୁ କ୍ଷତି ବିମୁକ୍ତ କରି ପାରିବ ନାହିଁ ।

 

ହତ ଚକିତ କାର୍ତ୍ତବୀର୍ଯ୍ୟ ଅଧିକ ଶୁଣିବା ନିମନ୍ତେ ଉତ୍‌କୀର୍ଣ୍ଣ ହେଲେ ।

 

ବାୟୁଦେବ ପୁନଶ୍ଚ କହିଲେ–କାହାର ଅନୁଗ୍ରହରେ ତୁମେ ଦ୍ୱିହସ୍ତ ହୋଇ ମଧ୍ୟ ରଣକ୍ଷେତ୍ରରେ ସହସ୍ର ବାହୁ ବଳରେ ବଳୀୟାନ ହେବା ସାମର୍ଥ୍ୟ ଅର୍ଜନ କରିପାରଛ ଓ ପୃଥିବୀ ପୃଷ୍ଠରେ ବୀରରୂପେ ପ୍ରତିପାଦିତ ହୋଇଅଛ ? ଏହା ତୁମେ ନିଶ୍ଚୟ ସ୍ୱୀକାର କରିବ ଯେ ଶକ୍ତିଶାଳୀ ଅବଧୂତ ବ୍ରାହ୍ମଣ ‘ଦତ୍ତାତ୍ରେୟ’ଙ୍କ କୃପାରେ ହିଁ ତୁମ୍ଭର ଏପରି ବୀରତ୍ୱ ସମ୍ଭବ ହୋଇ ପାରିଛି ? ପୂର୍ବସ୍ମୃତି ମନ୍ଥନ କଲେ ତୁମେ ଏହା ଅବଶ୍ୟ ଜାଣିପାରିବ ।

 

ଅତଃପର କାର୍ତ୍ତବୀର୍ଯ୍ୟଙ୍କ ମନରେ ପୂର୍ବସ୍ମୃତି ଉଦିତ ହେଲା । ପୂର୍ବରେ ଯୌବରାଜ୍ୟରେ ଅଭିଷିକ୍ତ ହେବା ସମୟରେ ସେ ଅପରିମେୟ ଶକ୍ତିଧର ଅବଧୂତ ‘ଦତ୍ତାତ୍ରେୟ’ଙ୍କ ଅପରିସୀମ ଶକ୍ତି କଥା ଶୁଣିଥିଲେ । ଅଭିଷେକ କାଳରେ ମୁନି ଦତ୍ତାତ୍ରେୟ ମାହିଷ୍ୱତୀ ନଗରକୁ ଆସିଥିବାର ଜାଣିପାରି, ପ୍ରଚୁର ଧନ ସମ୍ପଦ ବ୍ୟୟ କରି ମୁନିଙ୍କୁ ମନ ପ୍ରାଣ ଦେଇ ସତ୍‌କାର କରିଥିଲେ । ସେହି ସମୟରେ ମୁନି ଦତ୍ତାତ୍ରେୟ ପ୍ରୀତ ହୋଇ କାର୍ତ୍ତବୀର୍ଯ୍ୟଙ୍କୁ କହିଥିଲେ–ରାଜନ୍, ତୁମ ସେବା, ନିଷ୍ଠାରେ ମୁଁ ପ୍ରୀତ, ମୋ ଠାରୁ ତୁମ୍ଭ ଇଚ୍ଛାନୁସାରେ ତିନିଗୋଟି ବର ପ୍ରାର୍ଥନା କର । ମୁଁ ତାହା ପୂରଣ କରିବି ।

 

କୃତ୍ତାର୍ଥ କାର୍ତ୍ତବୀର୍ଯ୍ୟ ମୁନିଙ୍କୁ ସେହି ସମୟରେ କହିଥିଲେ, ମୋତେ ପ୍ରଥମ ବର ଦିଅନ୍ତୁ ଯେ ମୁଁ ଯେପରି ସ୍ୱୀୟ ପରାକ୍ରମରେ ପୃଥିବୀ ଜୟ କରି କ୍ଷତ୍ରିୟ ଧର୍ମାନୁସାରେ ପୃଥିବୀ ପାଳନ କରିବି । ଦ୍ୱିତୀୟରେ ମୁଁ ଦ୍ୱହସ୍ତ ବିଶିଷ୍ଟ ହେଲେହେଁ ରଣାଙ୍ଗନରେ ମୋର ଯେପରି ସହସ୍ର ବାହୁବଳ ବିଶିଷ୍ଟ ପରାକ୍ରମ ହେବ ।

 

ତୃତୀୟରେ ମୁଁ ଯଦି କେବେହେଁ ବିପଦଗାମୀ ହୁଏ, ସତ୍ୟ ତ୍ୟାଗ କରି ଅସତ୍ୟ ଆଶ୍ରୟ କରେ, ସେହି ସମୟରେ ଯେପରି ମୁଁ କୌଣସି ସତ୍‌ପୁରୁଷଙ୍କଠାରୁ ଉପଦେଶ ପାଇବି ।

 

କୃପାମୟ ଭଗବନ୍‌ ଦତ୍ତାତ୍ରେୟ ତଥାସ୍ତୁ କହିଥିଲେ ।

 

ଅତଃପର ମୁନିବର ରାଜ୍ୟାଭିଷେକ ଅନ୍ତେ ରାଜ୍ୟ ତ୍ୟାଗକରି ଅନ୍ୟତ୍ର ଗମନ କରିଥିଲେ ।

 

ପୂର୍ବସ୍ମୃତି କାର୍ତ୍ତବୀର୍ଯ୍ୟଙ୍କ ମନରେ ଉଦୟ ହେବାରୁ ମୁହୂର୍ତ୍ତକ ମଧ୍ୟରେ ତାଙ୍କର ଆସ୍ଫାଳନ ଅନ୍ତର୍ହିତ ହେଲା । କାର୍ତ୍ତବୀର୍ଯ୍ୟଙ୍କୁ ନିଶ୍ଚୂପ ହେବା ଦେଖି ବାୟୁଦେବ କହିଲେ-ରାଜନ୍‌, ବ୍ରାହ୍ମଣ ଦତ୍ତାତ୍ରେୟଙ୍କୁ ତୁମର ମନେ ପଡ଼ୁନାହିଁ କି ? ମୁଁ ଜାଣେ ତୁମେ ଏବେ ମଧ୍ୟ ପ୍ରତ୍ୟହ ଅଗ୍ନିପୂଜା କର ଓ ଅଗ୍ନିପୂଜା ନ କରି ତୁମେ କୌଣସି କର୍ମରେ ପ୍ରବୃତ୍ତ ହୁଅ ନାହିଁ । ଏହା କଣ ସତ୍ୟ ନୁହେଁ ?

 

କାର୍ତ୍ତବୀର୍ଯ୍ୟ କହିଲେ–ତେଜମୟ ଅଗ୍ନି ହିଁ ମୋର ପୂଜ୍ୟ ।

 

ବାୟୁଦେବ–କାହିଁକି ଅଗ୍ନିପୂଜା କର ? ଯଦି ବ୍ରାହ୍ମଣ କ୍ଷତ୍ରିୟଠାରୁ ଅଧମ, ଅଗ୍ନିଦେବଙ୍କୁ ତୁମେ ପୂଜ୍ୟ ଭାବରେ କିପରି ଜ୍ଞାନ କରୁଛ ? ସ୍ୱୟଂ ଅଗ୍ନିଦେବ ହିଁ ବ୍ରାହ୍ମଣ । ଦେବଗଣ, ମର୍ତ୍ତ୍ୟବାସୀଙ୍କର ପ୍ରଦତ୍ତ ହବିଷ୍ୟାନ୍ନ ଏହି ଅଗ୍ନିରୂପୀ ବ୍ରାହ୍ମଣ ମୁଖରେହିଁ ଗ୍ରହଣ କରିଥାନ୍ତି । କାର୍ତ୍ତବୀର୍ଯ୍ୟ ନିର୍ବାକ୍ ରହିବାରୁ ବାୟୁଦେବ ପୁନଶ୍ଚ କହିଲେ-ନିର୍ବାକ କାହିଁକି ରାଜନ୍‌ ? ପୃଥିବୀର ଅନ୍ୟ ନାମ ‘କାଶ୍ୟପୀ’ କେବେଠାରୁ ଓ କାହିଁକି ଏହି ନାମ ହେଲା, ତାହା ସମ୍ଭବତଃ ତୁମର ଅଜ୍ଞାତ, ଅତଏବ ଶ୍ରବଣ କର ।

 

ବାୟୁଦେବ କହିଲେ–କ୍ଷତ୍ରିୟବୀର ‘ରାଜାଅଙ୍ଗଦ’ ଧାର୍ମିକ ଓ ଦାନବୀର ନୃପତି ଥିଲେ । ଦାନହିଁ ରାଜନ୍‌ଙ୍କର ଏକମାତ୍ର ବ୍ରତ ଥିଲା । ଏକଦା ରାଜା ଅଙ୍ଗଦ ବ୍ରାହ୍ମଣ ବର୍ଗଙ୍କୁ ପୃଥିବୀ ଦାନ ଦେବାକୁ ମନସ୍ଥ କଲେ । ଏହା ଜାଣିପାରି ‘ପୃଥିବୀ’ କ୍ଷୁବ୍‌ଧା ହୋଇଥିଲେ । କାରଣ ଏକମାତ୍ର କ୍ଷତ୍ରିୟର ହିଁ ପୃଥିବୀ ଉପରେ ନ୍ୟାୟ ସଂଗତ ଅଧିକାର ଅଛି । ବ୍ରହ୍ମାଙ୍କ କନ୍ୟା ପୃଥିବୀ କ୍ଷତ୍ରିୟ ଅଧୀନା ହୋଇ ରହିବାକୁ ଚାହିଁଲେ କାରଣ ବ୍ରାହ୍ମଣ ପୃଥିବୀଙ୍କର ମର୍ଯ୍ୟାଦା ରକ୍ଷା କରିବାରେ ଅସମର୍ଥ । କ୍ଷୁବ୍‌ଧା ପୃଥିବୀ ମନସ୍ଥ କଲେ–ରାଜା ଅଙ୍ଗଦ ଯଦି ବ୍ରାହ୍ମଣ ଗଣଙ୍କୁ ପୃଥିବୀ ଦାନ କରନ୍ତି, ତାହେଲେ ସେ ମଧ୍ୟ ନିଜ ସାମର୍ଥ୍ୟ ପ୍ରତ୍ୟାହାର କରି ନେଇ ଓ ଭୂମି ଅନୁର୍ବର କରି ବ୍ରହ୍ମଲୋକ ଗମନ କରିବେ । କିନ୍ତୁ ରାଜା ଅଙ୍ଗଦ ପୃଥିବୀ ଦାନ କରିବା ନିମନ୍ତେ ସ୍ଥିର ପ୍ରତିଜ୍ଞ ହେବାର ଦେଖି ପୃଥିବୀ ମଧ୍ୟ ନିଜ ସଂକଳ୍ପରେ ଅଟଳ ରହି ବ୍ରହ୍ମଲୋକ ଗମନ କଲେ ।

 

ମହାଯୋଗୀ ‘କାଶ୍ୟପ’ ଯୋଗବଳରେ ଏହା ଜାଣିପାରି ସୃଷ୍ଟି ବିପର୍ଯ୍ୟୟରୁ ଜୀବରକ୍ଷା ପାରିବା ନିମନ୍ତେ ପୃଥିବୀ ପରିତ୍ୟକ୍ତ ଅସାର, ଅନୁର୍ବର ଭୂମିକୁ ଯୋଗବଳରେ ସାରବାଦ କରିଦେଲେ । ବ୍ରାହ୍ମଣଙ୍କ ଚେଷ୍ଟାରେ ଅନୁର୍ବର ପୃଥିବୀର ଅଂଶ ସମୂହ ଅଧିକତର ଶସ୍ୟ ଶ୍ୟାମଳ ହେବାରୁ ମନୁଷ୍ୟର ସୁଖ ସ୍ୱାଚ୍ଛନ୍ଦ୍ୟ ଦ୍ୱିଗୁଣ ବର୍ଦ୍ଧିତ ହେଲା । ଏହିପରି ପ୍ରାୟ ତ୍ରିଂଶ ସହସ୍ର ବର୍ଷ ଅତିକ୍ରାନ୍ତ ହେବା ପରେ ବ୍ରହ୍ମଲୋକରୁ ପୃଥିବୀ ଅବତରଣ କରି ଋଷିବର କାଶ୍ୟପଙ୍କ ଯୋଗ ଐଶ୍ୱର୍ଯ୍ୟରେ ସ୍ତମ୍ଭୀତ ହୋଇ ଋଷିଙ୍କ ଶରଣାପନ୍ନ ହୋଇଥିଲେ ଏବଂ କାଶ୍ୟପଙ୍କ କନ୍ୟାରୂପେ ପୁନଶ୍ଚ ସ୍ୱସ୍ଥାନରେ ଅଧିଷ୍ଠିତ ହେଲେ । ସେହି କାରଣ ଓ ସେହି ଦିନଠାରୁ ପୃଥିବୀର ଅନ୍ୟ ଏକ ନାମ ‘କାଶ୍ୟପୀ’ । ଋଷି କାଶ୍ୟପ ଏକ ବର୍ଣ୍ଣଶ୍ରେଷ୍ଠ ବ୍ରାହ୍ମଣ ଥିଲେ । ରାଜନ୍‌ ତୁମେ କାଶ୍ୟପଙ୍କଠାରୁ ଅଧିକ ଶକ୍ତିବାନ କୌଣସି କ୍ଷତ୍ରିୟ ବୀରଙ୍କ ପରିଚୟ ଜାଣିଅଛ କି ?

 

ବିସ୍ମିତ କାର୍ତ୍ତବୀର୍ଯ୍ୟ ନୀରବ ରହିଲେ ।

 

ପୁନଶ୍ଚ ବାୟୁଦେବ କହିଲେ- ଅନ୍ୟ ଏକ ବ୍ରାହ୍ମଣର ପରାକ୍ରମ କାହାଣୀ ଶ୍ରବଣ କର । ‘ଉତଥ୍ୟ’ ମୁନି ଏକ ନିରୀହ ନିର୍ବିକାର ଆଶ୍ରମବାସୀ ତପୋଧନ ଥିଲେ । ମୁନି ‘ଉତଥ୍ୟ’ ଚନ୍ଦ୍ରଙ୍କ କନ୍ୟା ରୂପବତୀ ‘ଭଦ୍ରା’ଙ୍କୁ ମନପ୍ରାଣରେ ଭଲ ପାଉଥିଲେ । ଉଭୟଙ୍କର ପ୍ରେମ ନିବିଡ଼ ଥିଲା । ଏହା ଜାଣି ଭଦ୍ରାଙ୍କ ପିତା ଚନ୍ଦ୍ର ଶୁଭକ୍ଷଣ ଦେଖି ଭଦ୍ରାଙ୍କୁ ‘ଉତଥ୍ୟ’ ମୁନିଙ୍କ ହସ୍ତରେ ସମର୍ପଣ କରିଥିଲେ । କିନ୍ତୁ ଜଳେଶ୍ୱର ବରୁଣ ଦେବ ବହୁ ପୂର୍ବରୁ ‘ଭଦ୍ରା’ଙ୍କୁ ବିବାହ କରିବା ନିମନ୍ତେ ସ୍ଥିର କରିଥିଲେ । ବିବାହ ଅନ୍ତେ ନବଦମ୍ପତି ଯମୁନା ତଟସ୍ଥ ଆଶ୍ରମରେ ନିଶ୍ଚିନ୍ତରେ ଦିନାତିପାତ କରୁଥିଲେ । ଏକଦା ଭଦ୍ରା ଏକାକୀନୀ ଯମୁନା ନଦୀରେ ସ୍ନାନାର୍ଥେ ପ୍ରବେଶ କରନ୍ତେ, ସୁଯୋଗ ଅପେକ୍ଷାରେ ଥିବା ବରୁଣଦେବ ଭଦ୍ରାଙ୍କୁ ଅପହରଣ କରି ସ୍ୱଲୋକକୁ ନେଇ ଯାଇଥିଲେ । ଭଦ୍ରାଙ୍କ ସନ୍ଧାନରେ ବିଫଳ ମନୋରଥ ବିମର୍ଷ ‘ଉତଥ୍ୟ’ଙ୍କୁ ଦେଖି ଦେବର୍ଷି ନାରଦ ସହସା ଆର୍ବିଭୂତ ହୋଇ ଉତଥ୍ୟଙ୍କୁ ‘ଭଦ୍ରା’ଙ୍କର ଅପହରଣ କାହାଣୀ ଅବଗତ କରାଇଲେ ।

 

ଅତଃପର ଉତଥ୍ୟ ନାରଦଙ୍କୁ କହିଲେ–ମୋର ଆବେଦନ ନେଇ ଆପଣ ବରୁଣଦେବଙ୍କ ନିକଟକୁ ଗମନ କରନ୍ତୁ ଓ ନିବେଦନ କରନ୍ତୁ । ଭଦ୍ରା ମୋର ଧର୍ମ ପତ୍ନୀ । ଧର୍ମ ସାକ୍ଷୀ ରଖି ଭଦ୍ରାଙ୍କ ସହିତ ମୋର ବିବାହ ହୋଇଥିବାରୁ, ଭଦ୍ରା ବରୁଣଙ୍କ ନିକଟରେ ପରସ୍ତ୍ରୀ । ପରସ୍ତ୍ରୀ ଅପହରଣ ଓ ଅବମାନନା ମହା ଅଧର୍ମ । ବରୁଣଦେବ ଏହି ଗର୍ହିତ କର୍ମରୁ ନିବୃତ୍ତ ରହି ଧର୍ମର ମର୍ଯ୍ୟାଦା ରକ୍ଷା କରନ୍ତୁ । କିନ୍ତୁ ନାରଦଙ୍କ ପ୍ରଚେଷ୍ଟା ବିଫଳ ହୋଇଥିଲା ଓ ସେ ବରୁଣଙ୍କଠାରୁ ତିରସ୍କୃତ ହୋଇଥିଲେ ।

 

ଅତଃପର ‘ଉତଥ୍ୟ’ ମୁନି ରୋଷାଗ୍ନିରେ ପ୍ରଜ୍ୱଳିତ ହୋଇ ବରୁଣ ଦେବଙ୍କର ଜଳରାଜ୍ୟ ନିଃଶେଷରେ ପାନ କରିବାରୁ ପୃଥିବୀ ଜଳଶୂନ୍ୟ ହେଲା । ସମୁଦ୍ର ‘କୃଶକାୟ’ ହେଲା ଓ ଜଳାଶୟ ମାନ ଭୂମିମୟ ହେଲା ।

 

ଅତଃପର ଉତଥ୍ୟ ବରୁଣ ପୁରୀରେ ଉପନୀତ ହୋଇ ସେଠାରେ ପ୍ରବାହିତ ସରସ୍ୱତୀ ନଦୀ ଉଦ୍ଦେଶ୍ୟରେ କହିଲେ, ଅଚିରେ ଏହି ଅପବିତ୍ର ବରୁଣ ରାଜ୍ୟ ପରିତ୍ୟାଗ କରି ମରୁଭୂମିକୁ ଗମନ କର । ଫଳରେ ‘ବରୁଣ’ଙ୍କ ରାଜ୍ୟ ଓ ନଗର ଶ୍ରୀହୀନ ହୋଇଥିବାରୁ ଜଳ ଦେବତାଙ୍କ ଦର୍ପ ଚୂର୍ଣ୍ଣ ହୋଇଥିଲା । ସଂସମ୍ଭ୍ରମରେ ଜଳଦେବ ଭଦ୍ରାଙ୍କୁ ଉତଥ୍ୟ ମୁନିଙ୍କ ହସ୍ତରେ ପ୍ରତ୍ୟାର୍ପଣ କରିବା ପରେ ପ୍ରୀତ ମୁନିବର ଇହଲୋକସ୍ଥିତ ଜୀବର ଜଳ କଷ୍ଟ ମୋଚନ କରିଥିଲେ ।

 

ଅତଃପର ବାୟୁଦେବ କହିଲେ–ରାଜନ୍‌ ‘ଉତଥ୍ୟ’ ଏକ ସାମାନ୍ୟ ଅସ୍ତ୍ରଶସ୍ତ୍ରହୀନ ବ୍ରାହ୍ମଣ ଥିଲେ । କିନ୍ତୁ କେଉଁ କ୍ଷତ୍ରିୟ ବୀର ଏହି ବ୍ରାହ୍ମଣଙ୍କ ତୁଲ୍ୟ ମହାବୀର ହୋଇଥିଲେ । ତୁମେ ସେହିପରି କେହି କ୍ଷତ୍ରିୟ ବୀରଙ୍କୁ ଜାଣିଛ କି ?

 

ରାଜନ୍ ନିରୁତ୍ତର ରହିଲେ ।

 

ରାଜନ୍‌ଙ୍କୁ ନିରୁତ୍ତର ଦେଖି ବାୟୁଦେବ କହିଲେ ପୁନଶ୍ଚ ଶ୍ରବଣ କର–ଏକଦା ଦେବାସୁର ସଂଗ୍ରାମରେ ଦେବଗଣ ସ୍ୱର୍ଗ ଚ୍ୟୁତ ହୋଇଥିଲେ । ଶ୍ରୀହୀନ ଓ ସମ୍ପଦହୀନ ଦେବଗଣ ପୃଥିବୀରେ ଇତସ୍ତତଃ ପରିଭ୍ରମଣ କାଳରେ ମହାମୁନି ଅଗସ୍ତ୍ୟଙ୍କ ଆଶ୍ରମରେ ଉପନୀତ ହୋଇ ଋଷିଙ୍କର ଶରଣାପନ୍ନ ହୋଇଥିଲେ । ଦେବଗଣ କହିଲେ ମୁନିବର ! ସ୍ୱର୍ଗରାଜ୍ୟ ଓ ଅନ୍ତରୀକ୍ଷ ଅସୁରଗଣଙ୍କ ଅତ୍ୟାଚାରରେ ନିଗୃହୀତ ନିପୀଡ଼ିତ, ଅତଏବ ଆମେ ଆପଣଙ୍କ ଶରଣାଗତ । ଏହା ଶ୍ରବଣ କରି ବିଶୁଦ୍ଧାତ୍ମା ମହାମୁନି ଅଗସ୍ତିଙ୍କର କ୍ରୋଧାଗ୍ନି ସହସ୍ର ସୂର୍ଯ୍ୟଙ୍କ ତେଜ ସଦୃଶ ପ୍ରଚଣ୍ଡ ଦାବଦାହରେ ସ୍ୱର୍ଗଲୋକ ସ୍ଥିତ ଅସୁରଗଣଙ୍କ ଦିଗକୁ ଧାବିତ ହେଲା । ଦାବଦାହ ଜ୍ୱାଳାରେ ବିପର୍ଯ୍ୟସ୍ତ ଅସୁରଗଣ ଦକ୍ଷିଣ ଦିଗକୁ ପଳାୟନ କଲେ । ସ୍ୱର୍ଗରାଜ୍ୟ ଅସୁର ବିମୁକ୍ତ ହେବାରୁ ଦେବଗଣ ସ୍ୱର୍ଗରାଜ୍ୟ ପୁନଃପ୍ରାପ୍ତ ହୋଇଥିଲେ ଓ ପୃଥିବୀ ଶାନ୍ତ ହୋଇଥିଲା । ବିପର୍ଯ୍ୟସ୍ତ ଅଧିକାଂଶ ଦାନବଗଣ କୌଣସିମତେ ଦକ୍ଷିଣ ଦିଗକୁ ପଳାୟନ କରି ପ୍ରାଣରକ୍ଷା କରିଥିଲେ । କିନ୍ତୁ ସେଥିମଧ୍ୟରୁ କେତେକ ଦାନବ ପାତାଳଗାମୀ ହୋଇଥିଲେ । ଦେବଗଣ ଋଷି ଅଗସ୍ତ୍ୟଙ୍କୁ ସେହି ପାତାଳାଶ୍ରିତ ଅସୁରମାନଙ୍କୁ ନିଧନ କରିବା ନିମନ୍ତେ ଆବେଦନ କଲେ ହେଁ ‘ଅଗସ୍ତି’ ସମ୍ମତ ହୋଇ ନଥିଲେ । କାରଣ ଅସୁରଗଣ ପାତାଳ ପ୍ରବେଶ କରିବାରୁ ପୃଥିବୀରେ କୌଣସି ଅନିଷ୍ଟ ସାଧନ କରିବା ସମ୍ଭାବନା ନଥିଲା । ଏହିପରି ଋଷି ଅଗସ୍ତି ଯୁଗପତ୍‌ ପ୍ରତିଶୋଧ ପରାୟଣ ଓ କ୍ଷମାଯୁକ୍ତ ଦୁଇ ବିପରୀତ ଗୁଣ ସମନ୍ୱିତ ଥିଲେ ।

 

ରାଜନ୍‌, ଏହିପରି ବ୍ରାହ୍ମଣ ଋଷିଙ୍କ ସମତୁଲ୍ୟ କୌଣସି କ୍ଷତ୍ରିୟ ବୀରଙ୍କୁ ତୁମେ ଜାଣିଛ କି-?

 

ରାଜା କାର୍ତ୍ତବୀର୍ଯ୍ୟଙ୍କ ମନରୁ ଦୂରନ୍ତ ମଦମତ୍ତତା ଧୀରେ ଧୀରେ ଅପସାରିତ ହେବାକୁ ଲାଗିଲା । ଅତଃପର ବାୟୁଦେବ ରାଜାଙ୍କୁ ନିର୍ବାକ ଦେଖି ପୁନଶ୍ଚ ଶ୍ରବଣ କର ବୋଲି କହିଲେ ।

 

ବାୟୁଦେବ କହିଲେ–ମାନସ ସରୋବର ତୀରରେ ସମବେତ ଦେବବୃନ୍ଦ ଦୀର୍ଘକାଳ ଉପବାସ କରି ଏକ ମହାଯଜ୍ଞ କରୁଥିବାରୁ ସେମାନେ କ୍ରମଶଃ ଦୁର୍ବଳ ଓ କ୍ଷୀଣ ହୋଇଥିଲେ । ସେହି ସୁଯୋଗରେ ‘ଖଳି’ ନାମରେ ଆଖ୍ୟାତ ମହାକାୟ ପ୍ରାୟ ଦଶସହସ୍ର ଦାନବ ଦେବବଂଶକୁ ନିର୍ବାଣ କରିବା ଉଦ୍ଦେଶ୍ୟରେ ସେଠାରେ ଦେବଗଣଙ୍କୁ ଆକ୍ରମଣ କଲେ । ଦେବଗଣ ଦୁର୍ବଳ ହୋଇଥିଲେ ହେଁ ମାନସିକ ବଳରେ ସେହି ଆକ୍ରମଣର ପ୍ରତିରୋଧ କରିଥିଲେ । ପୂର୍ବରୁ ଦେବଗଣ ବ୍ରହ୍ମାଙ୍କୁ ତୁଷ୍ଟ କରି ବରପ୍ରାପ୍ତ ହୋଇଥିଲେ ଯେ ମାନସ ସରୋବର ବାରିରେ ସ୍ନାନ କଲେ, ଦେବକୁଳ ନିଧନ ହେଲେହେଁ ପୁନର୍ଜୀବନ ପ୍ରାପ୍ତ ହେବେ । ଅତଏବ ନିହତ ଦେବଗଣ ଯେଉଁ ମୁହୂର୍ତ୍ତରେ ‘ମାନସ’ ସରୋବର ବାରିରେ ନିକ୍ଷିପ୍ତ ହେଉଥିଲେ ସେହି ମୁହୂର୍ତ୍ତରେ ପୁନର୍ଜୀବନ ଲାଭ କରି ପ୍ରଭୂତ ବଳବାନ ହୋଇ ଆସୁରଗଣଙ୍କୁ ପ୍ରତି ଆକ୍ରମଣ କରୁଥିଲେ । ଅବଶେଷରେ ଅସୁରଗଣ ଦେବଗଣଙ୍କୁ ନିଃଶେଷ କରି ନପାରି ରଣଭଙ୍ଗ ଦେଇଥିଲେ । କିନ୍ତୁ ଦେବଗଣ ଦେବରାଜ ଇନ୍ଦ୍ରଙ୍କ ସମୀପରେ ଉପନୀତ ହେବାମାତ୍ରେ ପରାଜିତ ଅସୁରଗଣ ସେମାନଙ୍କ ପାଶ୍ଚାତ ଧାବନ କରି ଦେବରାଜଙ୍କୁ ମଧ୍ୟ ନିଗୃହୀତ କଲେ ।

 

ଅନେକ ଭାବିଚିନ୍ତି ଦେବରାଜ, ଦେବଗଣଙ୍କ ସହିତ ବିଶିଷ୍ଠ ଦେବଙ୍କର ଶରଣାପନ୍ନ ହେଲେ । ଦେବକୁଳର ଏହି ଦୁଃଖ ଦୁର୍ଦ୍ଦଶାରେ ବିଚଳିତ ହୋଇ ୠଷିବର କ୍ରୋଧଦୀପ୍ତ ହେବାରୁ ୠଷିଙ୍କ ତେଜ ବହ୍ନିରେ ‘ଖଳି’ ଅସୁରଗଣ ଦଗ୍‌ଧ ହୋଇଥିଲେ ।

 

ରାଜନ୍‌, ଏହି ବିଶିଷ୍ଠ ମଧ୍ୟ ବ୍ରାହ୍ମଣ ଥିଲେ । ଏହି ବ୍ରାହ୍ମଣଙ୍କ ସମତୁଲ୍ୟ କୌଣସି କ୍ଷତ୍ରିୟ ବୀରଙ୍କୁ ତୁମ୍ଭେ ଜାଣିଅଛ କି ?

 

ଅତଃପର ବାୟୁଦେବ କହିଲେ–ରାଜନ୍‌, ତୁମ୍ଭର ସୁବୁଦ୍ଧି ଜାଗରଣ ନିମନ୍ତେ ମୁଁ ଏହି ସବୁ ସତ୍ୟ କାହାଣୀମାନ କହୁଅଛି ।

 

ପ୍ରଜାପାଳନ, ଦୁଷ୍ଟଦମନ ଓ ପ୍ରଜାଙ୍କର ଅଭାବ ମୋଚନହିଁ କ୍ଷତ୍ରିୟ ଧର୍ମ କିନ୍ତୁ ଯଦି ସୂର୍ଯ୍ୟ, ଉତ୍ତାପ ଓ ଚନ୍ଦ୍ର କିରଣ ନ ଦିଅନ୍ତି, ମେଘ ବୃଷ୍ଟିଦାନରୁ ବିରତ ରୁହନ୍ତି, ଅନାଚାର, ଅତ୍ୟାଚାର ଓ ବ୍ୟଭିଚାର ପ୍ରାଦୁର୍ଭାବରେ ତୁମେ ନିଜକୁ ଓ ପ୍ରଜାଗଣଙ୍କୁ ଏକାକୀ ସଂରକ୍ଷଣ କରି ପାରିବ କି ? ଅତଏବ, ତୁମ ପରାକ୍ରମ ଅତୁଳନୀୟ ନୁହେଁ ।

 

କାର୍ତ୍ତବୀର୍ଯ୍ୟଙ୍କୁ ନୀରବ ଦେଖି ପୁନଶ୍ଚ ବାୟୁଦେବ କହିଲେ, ତୁମ୍ଭର କ୍ଷାତ୍ର ଶକ୍ତି ଏହା ପାରିବ ନାହିଁ । ଏକମାତ୍ର ବ୍ରାହ୍ମଣର ତେଜ ପରାକ୍ରମହିଁ କ୍ଷାତ୍ର ଧର୍ମକୁ ମହୀୟାନ କରିପାରେ । ତୁମେ, ମହାତାପସ ଅତ୍ରି ମୁନିଙ୍କ ନାମ ଶୁଣିଛ କି ? ମୋଠାରୁ ଶ୍ରବଣ କର ।

 

ଏକଦା ଦେବାସୁର ସଂଗ୍ରାମରେ ଦାନବଗଣ ଦେଖିଲେ ଯେ ସୂର୍ଯ୍ୟାଲୋକ ଓ ଚନ୍ଦ୍ର କିରଣରେ ଦିଗ୍‌ମଣ୍ଡଳ ଉଦ୍‌ଭାସିତ ହୋଇ ରହିବା ପର୍ଯ୍ୟନ୍ତ ଅସୁରଗଣଙ୍କର ନିୟତ ପରାଜୟ ଘଟୁଅଛି । ପରାମର୍ଶ କ୍ରମେ ଦୁର୍ଦ୍ଧର୍ଷ ରାକ୍ଷସଗଣ ରାହୁଙ୍କୁ ସୂର୍ଯ୍ୟାଲୋକ ଓ ଚନ୍ଦ୍ରକିରଣକୁ ପ୍ରତିହିତ କରିବା ନିମନ୍ତେ ଆଦେଶ ଦେଲେ । ଆଦେଶ ପ୍ରାପ୍ତ ହୋଇ ଦୁର୍ଦ୍ଧର୍ଷ ରାହୁ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଆବୃତ୍ତ କରି ରଖିଲେ । ଫଳରେ ଦିନମାନରେ ସୂର୍ଯ୍ୟାଲୋକ ପ୍ରକାଶିତ ବା ରାତ୍ରି ସମୟରେ ଚନ୍ଦ୍ର କିରଣ ଉଦ୍‌ଭାସିତ ହୋଇ ନଥିଲା-ଚତୁର୍ଦ୍ଦିଗ ନିଶ୍ଚିନ୍ଦ୍ର ଅନ୍ଧକାର ହେବାରୁ ଦେବଗଣ ହୀନବଳ ହେଲେ, ଅସୁରଗଣ ମହାପରାକ୍ରମୀ ହୋଇ ଉଠିଲେ । ଦାନବଗଣଙ୍କ ସହିତ ସଂଗ୍ରାମରେ ପର୍ଯ୍ୟୁଦସ୍ତ ହୋଇ ନିରୁପାୟ ଦେବଗଣ ରଣଭଙ୍ଗ ଦେଇ ମହର୍ଷି ଅତ୍ରୀଙ୍କ ଶରଣାପନ୍ନ ହେଲେ । ଦେଗଣଙ୍କ ବୃତ୍ତାନ୍ତ ଶୁଣି ୠଷିବର କହିଲେ, ଏହି ଦୁର୍ଦ୍ଦଶା ମୋର କାମ୍ୟ ନୁହେଁ, କିନ୍ତୁ ମୁଁ କଣ କରିପାରେ କହନ୍ତୁ । ଦେବଗଣ କହିଲେ-ଆପଣଙ୍କର ତପସ୍ୟା ବଳ ଆମେ ଜାଣିଅଛୁ । ଯଦି କୃପା କରି ତାପସ ଶକ୍ତି ବଳରେ ଏକାଧାରରେ ସୂର୍ଯ୍ୟାଲୋକ ଓ ଚନ୍ଦ୍ରକିରଣ ବିଚ୍ଛୁରଣ କରନ୍ତି, ତାହାଲେ ଆମେ ଦାନବଗଣଙ୍କୁ ନିଧନ କରିବାରେ ସମର୍ଥ ହେବୁ । ସେହିମତେ ୠଷିଙ୍କ ଶକ୍ତି ଏକାଧାରରେ ସୂର୍ଯ୍ୟାଲୋକ ଓ ଚନ୍ଦ୍ର କିରଣ ହୋଇ ଦେବଗଣଙ୍କୁ ଅସୁର ନିଧନରେ ସାହାଯ୍ୟ କରିଥିଲା । ରାହୁର କବଳରୁ ଦେବଗଣ ମୁକ୍ତ ହୋଇଥିଲେ । ରାଜନ୍‌ ! ଅତ୍ରୀଙ୍କ ସଦୃଶ ଦ୍ୱିତୀୟ କୌଣସି ଶକ୍ତିଧାରୀ କ୍ଷତ୍ରିୟ ଅଛନ୍ତି କି ?

 

କିୟତ୍‌କାଳ ନୀରବ ରହି ପୁନଶ୍ଚ ବାୟୁଦେବ କହିଲେ–ଦେବଗଣ ମଧ୍ୟ ଅହଙ୍କାରର ଶିକାର ହୋଇଥିଲେ । ବ୍ରାହ୍ମଣ କିପରି ସେମାନଙ୍କର ସଂବିତ୍‌ ପୁନଃପ୍ରାପ୍ତ କରାଇଥିଲେ ଏହା ଶ୍ରବଣ କର ।

 

ସୂର୍ଯ୍ୟତନୟ ଅଶ୍ୱିନୀ କୁମାର ଦ୍ୱୟଙ୍କୁ ଦେବଗଣ ସମଗୋତ୍ରୀୟ ବୋଲି ଭାବୁ ନଥିଲେ । ସେମାନେ ଦେବଗଣଙ୍କର ପ୍ରିୟ ସୋମରସ ପାନ ଭାଗରୁ ବଞ୍ଚିତ ଓ ଏକ ପଂକ୍ତିଭୋଜନରୁ ମଧ୍ୟ ବଞ୍ଚିତ ହୋଇଥିଲେ । ମହାବିଦ୍ୟା ଅଧିକାରୀ ଅଶ୍ୱିନୀ କୁମାର ଦ୍ୱୟଙ୍କୁ ଏହିପରି ହୀନମାନ୍ୟ ହେବାର ଦେଖି ମହାଶକ୍ତିଧର ବ୍ରାହ୍ମଣ ମହର୍ଷି ‘ଚ୍ୟବନ’ ଦେବରାଜ ଇନ୍ଦ୍ରଙ୍କୁ କହିଲେ–ଅଶ୍ୱିନୀ କୁମାର ଦ୍ୱୟଙ୍କୁ ଏପରି ଅପାଂକ୍ତେୟ କରି ରଖିବା ଉଚିତ ନୁହେଁ । ସେମାନଙ୍କ ସହିତ ଏକତ୍ର ସୋମରସ ଭାଗକରି ପାନକର, ସେଥିରେ ତୁମର ମଙ୍ଗଳ ହେବ ।

 

ଦେବରାଜ ଇନ୍ଦ୍ର ଏଥିରେ ଘୋର ଆପତ୍ତି ଉଠାଇବାକୁ ଚ୍ୟବନ ମୁନି କହିଲେ–ଦେବରାଜ, ବିସ୍ମୃତ ହୁଅ ନାହିଁ ଯେ ଅଶ୍ୱିନୀ କୁମାର ଦ୍ୱୟ ସୂର୍ଯ୍ୟଙ୍କର ପୁତ୍ର ଓ ସେମାନେ ଦେବତାଙ୍କ ସମକକ୍ଷ । ଏହି କୁମାରଦ୍ୱୟଙ୍କ ଗୁଣମୁଗ୍‌ଧ ହୋଇ ମୁଁ ଏମାନଙ୍କ ନିକଟରେ ପ୍ରତିଶ୍ରୁତି ଆବଦ୍ଧ ହୋଇଛି ଯେ ଏହି କୁମାରଦ୍ୱୟ ଦେବଗଣଙ୍କ ସହିତ ସୋମରସ ପାନର ଭାଗୀ ହେବେ । ଏବେ ମଧ୍ୟ କହୁଅଛି, ମୋ ବଚନ ରକ୍ଷା କର ।

 

ଦେବରାଜ ଇନ୍ଦ୍ର ମୁନିଙ୍କ ବଚନ ପ୍ରତ୍ୟାଖାନ କରି କହିଲେ, ଅନ୍ୟ ଦେବଗଣ ଇଚ୍ଛାକଲେ ଏକ ସଙ୍ଗେ ଅଶ୍ୱିନୀକୁମାର ଦ୍ୱୟଙ୍କ ସହିତ ସୋମରସ ପାନକରି ପାରନ୍ତି । କିନ୍ତୁ ମୁଁ କଦାପି ଏହା କରିପାରିବି ନାହିଁ ।

 

ଇନ୍ଦ୍ରଙ୍କର ଔଦ୍ଧତ୍ୱ ଚୂର୍ଣ୍ଣ କରିବା ନିମନ୍ତେ ଋଷିବର ରାଜା ଶର୍ଯ୍ୟାତିଙ୍କଦ୍ୱାରା ଏକ ମହାଯଜ୍ଞ କଲେ । ସେହି ଯଜ୍ଞର ଆହୁତିରୁ ସହସ୍ର ଦନ୍ତ ବିଶିଷ୍ଟ ବିଶାଳ ମୁଖ ବ୍ୟାଦନକାରୀ ‘ମଦ’ ନାମରେ ଏକ ବିରାଟକାୟ ପୁରୁଷ ଉଦ୍‌ଭବ ହୋଇଥିଲେ । ଇନ୍ଦ୍ରଙ୍କର ବଜ୍ର ପ୍ରହାର ଚ୍ୟବନ ଋଷିଙ୍କୁ ଯଜ୍ଞକର୍ମରୁ ନିବୃତ୍ତ କରି ପାରି ନଥିଲା । ଉଦ୍‌ଭୂତ ବିଶାଳକାୟ ‘ମଦ’ର ନିମ୍ନ ଓଷ୍ଠ ମୂର୍ତ୍ତିକା ସ୍ପର୍ଶ କରିଥିଲା ଓ ଊର୍ଦ୍ଧ୍ୱ ଓଷ୍ଠ ସ୍ୱର୍ଗଲୋକ ସ୍ପର୍ଶ କରିଥିଲା । ଏକ ବିରାଟ କ୍ଷୁଧାରେ ସେହି ବିକଟକାୟ ପୁରୁଷ ମୁଖ ବ୍ୟାଦନ କରିଥିବାରୁ ଇନ୍ଦ୍ରଙ୍କ ସହିତ ଦେବଗଣ ସେହି ମୁଖ ଗହ୍ୱର ମଧ୍ୟରେ ଆବଦ୍ଧ ହୋଇ ରହିଥିଲେ । ସେହି ସୁଯୋଗରେ ରାଜାହୀନ ସ୍ୱର୍ଗ ରାଜ୍ୟ ‘ଜପ’ ନାମରେ ଖ୍ୟାତ ଦୈତ୍ୟକୁଳ ଅଧିକାର କରିଥିଲେ । ସ୍ୱୟଂ ମହର୍ଷି ଚ୍ୟବନ ସମଗ୍ର ଭୂଖଣ୍ଡର ଆଧିପତ୍ୟ ନେଇଥିଲେ । ଦେବଗଣ ସହିତ ଦେବରାଜ ଇନ୍ଦ୍ର ଅବଶେଷରେ ମହର୍ଷି ଚ୍ୟବନଙ୍କ ପ୍ରସ୍ତାବ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ ଓ ଶେଷରେ ଅଶ୍ୱିନୀ କୁମାରଗଣ ଦେବାସନ ପ୍ରାପ୍ତ ହେଲେ ।

 

ଅବଶେଷରେ ପ୍ରୀତ ମହର୍ଷି ଚ୍ୟବନ ‘ମଦ’ର ମୁଖ ଗହ୍ୱର ମଧ୍ୟରୁ ଦେବଗଣଙ୍କୁ ମୁକ୍ତ କରିଥିଲେ । କିନ୍ତୁ ସ୍ୱର୍ଗରାଜ୍ୟ ‘କପ’ ଦାନବକୁଳ ଅଧିକାରରେ ଥିବାରୁ ଦେବଗଣ ବିଶ୍ୱସ୍ରଷ୍ଟା ବ୍ରହ୍ମାଙ୍କର ଶରଣାପନ୍ନ ହେଲେ । କିନ୍ତୁ ପ୍ରଜାପିତା ବ୍ରହ୍ମା ଦେବଗଣଙ୍କୁ କହିଲେ, ମୁଁ ନିରୂପାୟ । ଭୂମଣ୍ଡଳର ବ୍ରାହ୍ମଣଗଣ ଦେବ ସହାୟ ହେଲେ ତୁମ୍ଭେ ତୁମ୍ଭର ସ୍ୱମର୍ଯ୍ୟାଦା ପ୍ରାପ୍ତ ହେବ । ନିର୍ଦ୍ଦେଶ ପାଇ ଦେବରାଜ ଇନ୍ଦ୍ର ଓ ଦେବଗଣ ଭୂମଣ୍ଡଳ ବ୍ରାହ୍ମଣଗଣଙ୍କ ଶରଣାପନ୍ନ ହୋଇଥିଲେ ଓ ବ୍ରାହ୍ମଣଗଣ ପ୍ରୀତ ହୋଇ ‘କପ’ ଦାନବକୁଳ ନିଧନ ଯଜ୍ଞରେ ବ୍ରତୀ ହୋଇଥିଲେ । ସେହି ଯଜ୍ଞର ଯୋଗବଳରେ ଦେବଗଣ ବଳୀୟାନ ହୋଇ ସ୍ୱର୍ଗରାଜ୍ୟ ପୁନଃପ୍ରାପ୍ତ ହୋଇଥିଲେ ।

 

ବାୟୁଦେବ–ଅତଏବ ମୋର ପ୍ରଶ୍ନ ହେଉଛି, ପ୍ରକୃତ ଶକ୍ତିଧର କିଏ ? ପ୍ରକୃତ ଶ୍ରେଷ୍ଠ କିଏ ? ଜ୍ଞାନ ସମୃଦ୍ଧ ସ୍ଥିତଧୀ ବ୍ରାହ୍ମଣ ନା ବାହୁବଳରେ ବଳୀୟାନ କ୍ଷତ୍ରୀୟ ?

 

ବାୟୁଦେବଙ୍କ ଠାରୁ ଏହି ସବୁ ପ୍ରସଙ୍ଗମାନ ଶୁଣିବା ପରେ କାର୍ତ୍ତବୀର୍ଯ୍ୟଙ୍କ ମନରୁ ସବୁ ଅହଙ୍କାର, ବିଦ୍ୱେଷ ଓ ମତ୍ତତା ଦୂରୀଭୂତ ହେଲା । ଆତ୍ମସମର୍ପଣ କରି ରାଜନ୍ ବାୟୁଦେବଙ୍କ ଉଦ୍ଦେଶ୍ୟରେ କହିଲେ–ଭଗବାନ୍‌ । ବିପଥଗାମୀ ପଥରୁ ମହର୍ଷି ଦତ୍ତାତ୍ରେୟଙ୍କ ସ୍ମୃତି ଉଦ୍ରେକ କରାଇ ଓ ଉପଦେଶମାନ ଦେଇ ଆପଣ ମୋତେ ରକ୍ଷା କରିଛନ୍ତି । ଅହଙ୍କାର ଓ ମଦମତ୍ତତା ମୋତେ ଗ୍ରାସ କରିଥିଲା । ଆପଣ ମୋର ସଂବିତ୍‌କୁ ଉଦ୍‌ବୁଦ୍ଧ କରିଛନ୍ତି । ମୁଁ ସେଥିପାଇଁ ଆପଣଙ୍କ ନିକଟରେ ଚିର କୃତଜ୍ଞ ।

 

ମୋର ସଂଶୟ ଏହି ଯେ ମହର୍ଷି ‘ଚ୍ୟବନ’ ଦେବ ଅହଙ୍କାର କ୍ଷୁର୍ଣ୍ଣ କରିବା ପାଇଁ ‘ମଦ’ ଅସୁରକୁ ସୃଷ୍ଟି କରିଥିଲେ, କିନ୍ତୁ ସେହି ଅନିବାର୍ଯ୍ୟ କ୍ଷୁଧାକୁ ଋଷି କିପରି ନିୟନ୍ତ୍ରଣ କରିଥିଲେ ?

 

ସ୍ୱଲୋକ ଗମନ କରିବା ପୂର୍ବରୁ ବାୟୁଦେବ କହିଲେ, କାର୍ତ୍ତବୀର୍ଯ୍ୟ ! ସ୍ରଷ୍ଟାର ସୃଷ୍ଟି କେବେହେଁ ବିଲୀନ ହୁଏ ନାହିଁ । ଏହା ରୂପାନ୍ତରିତ ବା ସ୍ଥାନାନ୍ତରିତ ହୁଏ । ‘ମଦ’ ରାକ୍ଷସର ବିଶାଳ କ୍ଷୁଧା ନିବୃତ୍ତି ନିମନ୍ତେ ଋଷିବର ଚାରି ଶ୍ରେଣୀର ପ୍ରାଣୀ ନିର୍ଦ୍ଦିଷ୍ଟ କରିଥିଲେ । ସେମାନେ ହେଲେ ପଶା, ମୃଗୟା, ସୁରା ଓ ନାରୀ ।

 

ଅତଃପର ବାୟୁଦେବ ଅନ୍ତର୍ହିତ ହୋଇଥିଲେ ଓ କାର୍ତ୍ତବୀର୍ଯ୍ୟ ନିର୍ମମ ବାସ୍ତବତାକୁ ଅବଶେଷରେ ଉପଲବ୍‌ଧି କରିଥିଲେ ।

Image

 

Unknown

ବୃହସ୍ପତି–ଇନ୍ଦ୍ର ସମ୍ବାଦ

 

(ଏହି ଆଖ୍ୟାୟିକାରେ ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ ଯଥାର୍ଥ ରାଜାର ଯୋଗ୍ୟ ରାଜନୀତି, କୂଟନୀତି ଓ ରଣନୀତି ସମ୍ବନ୍ଧରେ ଇନ୍ଦ୍ର ଓ ବୃହସ୍ପତିଙ୍କର କଥୋପକଥନ ମାଧ୍ୟମରେ ଉପଦେଶମାନ ଦେଇଛନ୍ତି ।)

 

ଶରଶଯ୍ୟାଶାୟୀ ପିତାମହ ଭୀଷ୍ମ ଇପ୍‌ସିତ ମୁହୂର୍ତ୍ତ ଅପେକ୍ଷାରେ ଥିଲେହେଁ ଭାବୀ ମହୀପତି କୁନ୍ତୀନନ୍ଦନ ପାଣ୍ଡବାଗ୍ରଜ ଯୁଧିଷ୍ଠିରକୁ ଏକ ପରେ ଏକ ଉପଦେଶାବଳୀ ପ୍ରଦାନ କରି ଧର୍ମରାଜଙ୍କର କୌତୂହଳ ନିବାରଣ କରିବା ସଙ୍ଗେ ସଙ୍ଗେ ଜ୍ଞାନ ସମୃଦ୍ଧ କରୁଥିଲେ ।

 

ସ୍ୱୀୟ ଜ୍ଞାନ ଭଣ୍ଡାର ଉନ୍ମୁକ୍ତ କରି ରାଜନୀତିର କୂଟକୌଶଳ ଅନୁଶୀଳନରେ ଏକ ମହୀପତି କିପରି ସର୍ବପ୍ରିୟ ଓ ନିରଙ୍କୁଶ ହୋଇପାରିବ, ସେହି ସଂକ୍ରାନ୍ତରେ ନିଜର ସୁଦୀର୍ଘ ଜୀବନର ବାସ୍ତବ ଅଭିଜ୍ଞତା, ଦୃଷ୍ଟାନ୍ତ ମାଧ୍ୟମରେ ଭବିଷ୍ୟତ ମହୀପତିଙ୍କୁ ପ୍ରଦାନ କରୁଥିଲେ ।

 

ପ୍ରଜାପାଳନ ଓ ରାଜ୍ୟଶାସନ ସହିତ ଏକ ଆନୁସଙ୍ଗିକ ସମସ୍ୟା ଏହି ଯେ ଏକ ଭୂଖଣ୍ଡ ଅଧିପତି ସହିତ ଅନ୍ୟ ଏକ ଭୂଖଣ୍ଡ ଅଧିପତିଙ୍କର କୌଣସି ନା କୌଣସି କାରଣରେ ବିରୋଧ ଅନିବାର୍ଯ୍ୟ । ପ୍ରାୟଶଃ ଏହି ବିରୋଧ ସଂଗ୍ରାମରେ ହିଁ ପରିସମାପ୍ତି ହୋଇଥାଏ । ପ୍ରତିଦ୍ୱନ୍ଦ୍ୱୀ ଦୁଇ ଅଧିପତିଙ୍କ ମଧ୍ୟରୁ ଯେଉଁ ଅଧିପତି କୂଟକୌଶଳ ଓ ରଣନୀତିରେ ଅଧିକ ପାରଦର୍ଶୀ ସେ ହିଁ ସଂଗ୍ରାମରେ ଜୟୀ ହୋଇଥାନ୍ତି । ନୀତିଜ୍ଞ ଭୀଷ୍ମ ଅକପଟ ଚିତ୍ତରେ ସେହି କୂଟନୀତି, ରଣନୀତି ଓ ରାଜନୀତି ବିଷୟରେ ଧର୍ମରାଜଙ୍କୁ ଜ୍ଞାନୋପଦେଶ ପ୍ରଦାନ କରୁଥିଲେ ।

 

ଏକଦା ପ୍ରସଙ୍ଗାନ୍ତରରେ ଯୁଧିଷ୍ଠିର ପିତାମହଙ୍କୁ ପ୍ରଶ୍ନ କଲେ, ପିତାମହ, କେଉଁ ନୀତି ଅନୁସରଣ ଦ୍ୱାରା ରାଜା ଶତୃକୁ ବଶୀଭୂତ କରି ପାରିବ ? ପ୍ରବଳ ବିଶାଳ ସୈନ୍ୟ ସମାବୃତ୍ତ ନୃପତି ବୃନ୍ଦ ମଧ୍ୟରୁ ସ୍ୱଭାବ ଗୁଣରେ କେହିବା କୋମଳ ସ୍ୱଭାବ ଓ କେହିବା ଉଗ୍ର ସ୍ୱଭାବ ଯୁକ୍ତ ହୋଇଥାନ୍ତି-। କ୍ଷେତ୍ର ବିଶେଷରେ ରାଜା କିପରି ଆଚରଣ କରିବା ଉଚିତ ?

 

ପିତାମହ କହିଲେ–କେବଳ ଆଧିପତ୍ୟ ବିସ୍ତାର ମର୍ଯ୍ୟାଦା ସହିତ ଆଧିପତ୍ୟ ଅକ୍ଷୂର୍ଣ୍ଣ ରଖିବା ନିମନ୍ତେ ଏକ ନୃପତିଙ୍କର ଯେଉଁ ଜ୍ଞାନୀ ପ୍ରୟୋଜନୀୟ ସେହି ପରମ କୌଶଳ ତୁମେ ଜାଣିବାକୁ ଇଚ୍ଛୁକ । ଅତଏବ ଶ୍ରବଣ କର ।

 

ଯେଉଁ ନୃପତି ଯଥା ସମ୍ଭବ ଲୋକଙ୍କ କ୍ଷୟ ନକରି, ଅନ୍ୟ ଦେଶରେ ଅଧିପତିଙ୍କୁ ଆୟତାଧୀନ କରି ମୁଗ୍‌ଧ କରି ପାରନ୍ତି ସେହିଁ ଯଥାର୍ଥ ନୃପତି ଓ ସେହି ନୃପତିଙ୍କର ରାଜ୍ୟ ମଧ୍ୟ ସୁ-ସମୃଦ୍ଧ ହୋଇଥାଏ । ଏହି ପ୍ରସଙ୍ଗରେ ଦେବଗୁରୁ ବୃହସ୍ପତିଙ୍କର ଉପଦେଶମାନ ଶ୍ରବଣ କର ।

 

ଋଷି ଅଙ୍ଗିରାଙ୍କ ପୁତ୍ର ବୃହସ୍ପତି ସର୍ବବିଦ୍ୟା ସୁନିପୁଣ ଓ ସୁଦକ୍ଷ ଥିଲେ । ଫଳରେ ଦେବଲୋକରେ ବୃହସ୍ପତି ଶ୍ରେଷ୍ଠତ୍ୱ ଆସନ ଲାଭ କରି ପାରିଥିଲେ, ଏବଂ ଦେବଗଣ ବୃହସ୍ପତିଙ୍କୁ ଦେବଗୁରୁ ପଦରେ ବରଣ କରିଥିଲେ । ଦେବରାଜ ଇନ୍ଦ୍ର ମଧ୍ୟ ଦେବଗୁରୁଙ୍କ ବିନା ପରାମର୍ଶରେ କୌଣସି କର୍ତ୍ତବ୍ୟ କର୍ମ ସମ୍ପାଦନ କରୁ ନ ଥିଲେ । ଅନ୍ୟ ଦିଗରେ ଶାସ୍ତ୍ର ବିଶାରଦ ଅସୁର କୁଳ ପୁରୋହିତ ଶୁକ୍ରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଅସୁରଗଣ ସମୟ ନିଶେଷରେ ଦେବଗଣଙ୍କ ସହିତ ସଂଗ୍ରାମରତ ହେଉଥିଲେ ।

 

ଏକଦା ଦେବରାଜ ଇନ୍ଦ୍ର ଦୁର୍ଜୟ ସଂଗ୍ରାମରେ ବୁତ୍ରାସୁରକୁ ନିଧନ କରି ହୃତ ସ୍ୱର୍ଗରାଜ୍ୟ ପୁନଃପ୍ରାପ୍ତ ହୋଇ ଦେବଗୁରୁଙ୍କୁ ପଚାରିଲେ–ମହାଭାଗ, ଶତ୍ରୁ ସହିତ କିପରି ବ୍ୟବହାର କରିବା ଉଚିତ ? ବିନା ବଳ ପ୍ରୟୋଗରେ କେଉଁ ପଦ୍ଧତି ଅନୁସରଣ କଲେ ଶତ୍ରୁ ବଶୀଭୂତ ହୁଏ ? ପୁନଶ୍ଚ ଯୁଦ୍ଧ ଯଦି ଅନିବାର୍ଯ୍ୟ ହୁଏ ଓ ପ୍ରତିଦ୍ୱନ୍ଦ୍ୱୀ ରାଜା ସମପ୍ରଭାବଶାଳୀ ହୋଇଥିଲେ ଜୟ, ପରାଜୟ ଯେଉଁ କ୍ଷେତ୍ରରେ ଅନିଶ୍ଚିତ, ସେହି କ୍ଷେତ୍ରରେ ଜୟ ଲାଭ କରିବାକୁ ହେଲେ କରଣୀୟ କର୍ତ୍ତବ୍ୟ କଣ-?

 

ସେହିପରି ପ୍ରଜାଗଣଙ୍କ ମଧ୍ୟରୁ ଦୁଷ୍ଟ ସ୍ୱଭାବ ଯୁକ୍ତ ପ୍ରଜାଗଣ ଯଦି ରାଜାଙ୍କୁ ଅନ୍ତରରେ ସମର୍ଥନ କରି ନଥାନ୍ତି କେଉଁ ଉପାୟରେ ସେହି ଦୁଷ୍ଟ ପ୍ରଜାଗଣଙ୍କୁ ଚିହ୍ନଟ କରାଯାଇ ପାରିବ ?

 

ଭୀଷ୍ମଙ୍କ ଏତାଦୃଶ ବଚନ ଶୁଣି ଧର୍ମରାଜ ପିତାମହଙ୍କୁ କହିଲେ, ପିତାମହ ! ଦେବରାଜ ଇନ୍ଦ୍ରଙ୍କର ପ୍ରଶ୍ନମାନ ଯଥାର୍ଥ । ଯଥାର୍ଥ ରାଜତ୍ୱ ଓ ରାଜ୍ୟକୁ ସବୁ ଦିଗରୁ ସମୃଦ୍ଧ କରିବାକୁ ହେଲେ, ରାଜାଙ୍କର ଯେଉଁସବୁ ନୀତି ଜାଣିବା ଉଚିତ, ସେହି ସବୁ ଦେବରାଜ ବୃହସ୍ପତିଙ୍କୁ ପ୍ରଶ୍ନ ପଚାରି ନଥିଲେ କି ?

 

ପିତାମହ କହିଲେ–ଅବଶ୍ୟ ଧର୍ମରାଜ । ଦେବରାଜଙ୍କ ପ୍ରଶ୍ନ ଉତ୍ତରରେ ଦେବଗୁରୁ ବୃହସ୍ପତି ମଧ୍ୟ ରାଜନୀତିର ଯେଉଁ କୂଟ ଉପଦେଶମାନ ଶୁଣାଉଥିଲେ, ତାହା ସର୍ବକାଳରେ ସମସ୍ତ ରାଜା ଓ ଦେଶ ଶାସକଙ୍କର ଅନୁଶୀଳନୀୟ ।

 

ପୂର୍ବ ପ୍ରସଙ୍ଗ ଉତ୍‌ଥାପନ ପୂର୍ବକ ପିତାମହ କହିଲେ–ଦେବରାଜଙ୍କ ପ୍ରଶ୍ନମାନ ଶୁଣି ଦେବଗୁରୁ କହିଲେ, ଏହି ପୃଥିବୀରେ ନାନା ରୁଚି ସମ୍ପନ୍ନ, ନାନା ଆଚରଣ ଯୁକ୍ତ ମନୁଷ୍ୟଗଣ ଅଛନ୍ତି-। ଏହିସବୁ ବିଚିତ୍ର ପ୍ରଜାଗଣଙ୍କୁ ଶାସନ ପୂର୍ବକ ଆୟତ୍ତାଧୀନ ରଖିବା ଏକ ଦୁରୂହ କାର୍ଯ୍ୟ । ଯଥେଷ୍ଟ ପରିମାଣ ସଜାଗ ବୁଦ୍ଧି ବୃତ୍ତି ଦ୍ୱାରା ଶତ୍ରୁମିତ୍ର ଭେଦରେ ଶାସନାଧୀନ ପ୍ରଜାଗଣଙ୍କୁ ସଠିକ ଚିହ୍ନି ନପାରି ରାଜା ଯଦି କୋମଳ ସ୍ୱଭାବ ଯୁକ୍ତ ହୋଇ ଶାସନ କରିବା ପ୍ରୟାସୀ ହୁଅନ୍ତି, ତା’ହେଲେ ସୁଶୃଙ୍ଖଳ ରାଜତ୍ୱ ପରିବର୍ତ୍ତେ ରାଜାଙ୍କୁ ସାକ୍ଷାତ ସଲୀଳରେ ପଡ଼ିବାକୁ ହୋଇଥାଏ ।

ଏହା ଶୁଣି ଧର୍ମରାଜ କହିଲେ, ପିତାମହ କୋମଳ ସ୍ୱଭାବ ଏକ ଅଦ୍ୱିତୀୟ ଗୁଣ । ଏହାର ପ୍ରଭାବ ମଧ୍ୟ ସୁଦୂର ପ୍ରସାରୀ । ନିର୍ମମ ଶତ୍ରୁ ମଧ୍ୟ ଏହି ସ୍ୱଭାବ ସ୍ପର୍ଶରେ କୋମଳ ହୋଇଥାଏ ।

ପିତାମହ କହିଲେ–ଧର୍ମରାଜ ! ତୁମ୍ଭର ବଚନ ଅଯୌକ୍ତିକ ନହେଲେ ମଧ୍ୟ, ରାଜ୍ୟପାଳନ, ଶାସନ ଓ ସ୍ୱକୀୟତାକୁ ଅତୁଟ ରଖିବାକୁ ହେଲେ ସର୍ବଦା ରାଜା କୋମଳ ସ୍ୱଭାବ ଯୁକ୍ତ ହେବା ଅନୁଚିତ । କାରଣ ମନୁଷ୍ୟ ମଧ୍ୟରେ କେହିବା ଉଦାର, କେହି ବା କୁଟିଳ ହୋଇଥାନ୍ତି । କେହି ପର ପାଇଁ ନିଜକୁ ଉତ୍ସର୍ଗ କରିବା ବେଳେ ଅନ୍ୟ କେହି ପରର ସର୍ବସ୍ୱ ହରଣ କରି ଆତ୍ମ ସୁଖରେ ସମାଜରେ ଆଧିପତ୍ୟ ବିସ୍ତାର କରି ରହିବାକୁ ସଦା ତତ୍ପର ଥାଆନ୍ତି । ଯଦି କୋମଳ ସ୍ୱଭାବଯୁକ୍ତ ରାଜା ଏହି ଜାତୀୟ ପ୍ରଜାଗଣଙ୍କୁ ସର୍ବଦା ଦୟା ଦାକ୍ଷିଣ୍ୟ ପ୍ରଦର୍ଶନ କରନ୍ତି, ତାହେଲେ ପ୍ରତାରିତ ପ୍ରଜାଗଣଙ୍କ ପ୍ରତି ରାଜା ଅବିଚାର କରିଥାନ୍ତି ଓ ପ୍ରତାରକ ପ୍ରଜାଗଣଙ୍କର ଚରିତ୍ର କେବେହେଁ ସଂଶୋଧିତ ହୋଇ ନଥାଏ । ଏହି ଔଦାର୍ଯ୍ୟ ପ୍ରଦର୍ଶନରେ ରାଜାଙ୍କର ସ୍ୱକୀୟ ମର୍ଯ୍ୟାଦା ବିନଷ୍ଟ ହୁଏ ।

ଏହି ପ୍ରସଙ୍ଗରେ ଦେବଗୁରୁ ବୃହସ୍ପତି, ଦେବରାଜ ଇନ୍ଦ୍ରଙ୍କୁ ଯାହା କହିଥିଲେ ତାହା ଶ୍ରବଣ କର ।

‘‘ତୀକ୍ଷ୍ଣେ । ମା ମୃଦୁର୍ତ୍ତୂସ୍ରୋଂ ତୀକ୍ଷ୍ନଭବୋ ମୃର୍ଦୁଭବ’’ ।

ଅର୍ଥାତ୍‌ କଠୋର ହେବ ନାହିଁ କି କୋମଳ ହେବ ନାହିଁ । କ୍ଷେତ୍ର ବିଶେଷରେ କଠୋରତା ବା କୋମଳତା ଅବଲମ୍ବନ କରିବ । ସର୍ବଦା କୋମଳତା ଅବଲମ୍ବନ କଲେ ରାଜାଙ୍କ ସ୍ୱକୀୟତା ବିନଷ୍ଟ ହୁଏ । ସର୍ବଦା କଠୋର ସ୍ୱଭାବ ଯୁକ୍ତ ହେଲେ, ପ୍ରଜାଗଣ ଉଦ୍‌ବିଗ୍ନ ହୋଇ ରାଜ୍ୟ ଶ୍ରୀହୀନ ହୋଇଥାଏ, ଫଳରେ ଉଦ୍ଦାମ ସ୍ରୋତ ବେଗରେ ଅବିରାମ ପ୍ରବାହମାନ ନଦୀର ତୀର ଯେପରି ଧ୍ୱଂସ ହୋଇଥାଏ, କଠୋର ସ୍ୱଭାବ ରାଜାଙ୍କର ରାଜ୍ୟ ମଧ୍ୟ ସେହିପରି ବିନଷ୍ଟ ହୁଏ ।

 

ରାଜ୍ୟର ରକ୍ଷଣା ବେକ୍ଷଣ, ପରରାଜ୍ୟ ଅଧିକାର, ଦୁର୍ଦ୍ଧର୍ଷ ଶତ୍ରୁ ରାଜାଙ୍କୁ ପରାଭୂତ କରି ରାଜ୍ୟର ପରିସର ବୃଦ୍ଧି କରି ଶତ୍ରୁ ହୀନ ରାଜ୍ୟ ଉପଭୋଗ କରିବାହିଁ କ୍ଷତ୍ରିୟର ଯଥାର୍ଥ ରାଜଧର୍ମ । କିନ୍ତୁ ଅପେକ୍ଷାକୃତ ଅଧିକ ଶକ୍ତିଶାଳୀ ରାଜା କେବେହେଁ ବିନା ଯୁଦ୍ଧରେ ପରାଜୟ ସ୍ୱୀକାର କରି ନାହାନ୍ତି । ଅବଶ୍ୟ ଯୁଦ୍ଧରେ ଜୟ ପରାଜୟ ଅନିଶ୍ଚିନ୍ତ । ଅତଏବ ବୁଦ୍ଧିମାନ ରାଜା ଶତ୍ରୁ ରାଜାଙ୍କୁ କ୍ରୋଧ ବଶବର୍ତ୍ତୀ ହୋଇ ଯୁଦ୍ଧ କ୍ଷେତ୍ରକୁ ଆହ୍ୱାନ କରିବା ରାଜକର୍ତ୍ତବ୍ୟ ବିରୋଧୀ ।

 

କ୍ରୋଧ, ଭୟ ଓ ଉଲ୍ଲାସକୁ ସଂଯତ ରଖିବା, ଅକାରଣ ଶତ୍ରୁତା ସୃଷ୍ଟି କରିବା, ବାଦ ପ୍ରତିବାଦ ମଧ୍ୟରେ ଶତ୍ରୁ ସୃଷ୍ଟି କରିବା, କୂଟନୀତିଜ୍ଞ ରାଜାଙ୍କର କର୍ତ୍ତବ୍ୟ ନୁହେଁ । ଆଚାର, ଆଚରଣ ମାଧ୍ୟମରେ ଓ ମଧୁର ବଚନ ପ୍ରୟୋଗରେ ରାଜା ଏପରି ଭାବ ପ୍ରକାଶ କରିବା ଉଚିତ । ଯେପରି ଶତ୍ରୁରାଜା ଜାଣି ନ ପାରନ୍ତି ଯେ ଏହି ରାଜା ତାର ଶତ୍ରୁ । ଅର୍ଥାତ୍‌ ଶତ୍ରୁ ରାଜାଙ୍କ ପ୍ରତି ବାହ୍ୟିକ ଆଚରଣ ମିତ୍ରବିତ ହେବା ଉଚିତ । ସୁଦକ୍ଷ ଶିକାରୀ ସଦୃଶ ସୁଯୋଗ ଅପେକ୍ଷାରେ ରହି ସୁଯୋଗ ଆସିଲେ ସଦ୍‌ବ୍ୟବହାର କରି ଶତ୍ରୁକୁ ବିନାଶ କରିବା ବିଧେୟ । କିନ୍ତୁ ଏହି ସୁଯୋଗ କଦାଚିତ୍‌ ଆସିଥାଏ । ସୁତରାଂ ସୁଯୋଗ ଅପେକ୍ଷାରେ ସଦା ସଜାଗ ରହିବା ଉଚିତ । ଯେପରି ପକ୍ଷୀ ଶିକାରୀ ନିଜକୁ ଅନ୍ତରାଳରେ ରଖି, ପକ୍ଷୀର କଣ୍ଠସ୍ୱର ଅନୁକରଣ କରି, ପକ୍ଷୀ ସଦୃଶ ଗୁଞ୍ଜନ କଲେ ଝାଙ୍କ୍‌ଝାଙ୍କ୍‌ ପକ୍ଷୀ ଜାଲରେ ଆବଦ୍ଧ ହୋଇଥାନ୍ତି, ସେହିପରି ଶତ୍ରୁକୁ ବଶୀଭୂତ କରିବାକୁ ହେଲେ ଧୀମାନ ରାଜାଙ୍କୁ କୌଶଳ ଅବଲମ୍ବନ କରିବାକୁ ହୋଇଥାଏ ।

 

ଏହି ପର୍ଯ୍ୟନ୍ତ ଶୁଣି ସାରିବା ପରେ ଯୁଧିଷ୍ଠିର ପୁନଶ୍ଚ ପ୍ରଶ୍ନ କଲେ, ପିତାମହ ! କେଉଁ କୌଶଳରେ ରାଜ୍ୟର ପ୍ରଭୂତ କ୍ଷତି ସାଧନ ନ କରି ଶତ୍ରୁ ରାଜାକୁ ବଶୀଭୂତ କରିବା ସୁଯୋଗ ସୃଷ୍ଟି କରାଯାଇ ପାରେ ?

 

ପିତାମହ କହିଲେ–ଧର୍ମରାଜ ! କୂଟନୀତି ବିଶାରଦ ଗଣଙ୍କ ମତରେ–

 

‘‘ସଂନିପାତେ ନ ମନ୍ତବ୍ୟ ଶକ୍ୟେ ସତି କଥଞ୍ଚିନ

ଆନ୍ତ୍ୱେଭେଦ ପ୍ରଜାନାନଂ ଯୁଦ୍ଧମୁତ୍ତର ମୁଚ୍ୟତେ ।’’

 

ଅର୍ଥାତ୍‌ ସର୍ବପ୍ରଥମେ ସାମ ନୀତି ପ୍ରୟୋଗ କରି ଶତ୍ରୁ ରାଜାର ମନ ଜୟ କରି ବଶୀଭୂତ କରିବାର ପ୍ରଚେଷ୍ଟା କରିବ । ସେହି ନୀତି ବ୍ୟର୍ଥ ହେଲେ, ଭେଦନୀତି ପ୍ରୟୋଗ କରି, ପ୍ରଜାଗଣଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି, ଶତ୍ରୁ ରାଜାକୁ ଦୁର୍ବଳ କରିବାର ସୁଯୋଗ ନେବ । ସେହି ନୀତି ବ୍ୟର୍ଥ ହେଲେ ଉତ୍କୋଚାଦି ଓ ନାନା ଦାନ ମାଧ୍ୟମରେ ଶତ୍ରୁ ରାଜ୍ୟର ପ୍ରଜାଗଣଙ୍କୁ ନିଜ ବଶ ମଧ୍ୟରେ ଆଣିବାର ପ୍ରଚେଷ୍ଟା କରିବ, ଓ ସେହି ନୀତି ବ୍ୟର୍ଥ ହେଲେ ଯୁଦ୍ଧ ଘୋଷଣା କରିବ । ବିଜୀଗିଷୁ ରାଜାଙ୍କର ପ୍ରଥମରୁ ଯୁଦ୍ଧ ଘୋଷଣା ଅନୁଚିତ କର୍ମ ଏବଂ ଯୁଦ୍ଧର ଆସ୍ଫାଳନ ପ୍ରଦର୍ଶନ ମଧ୍ୟ ଅନୁଚିତ-। ସର୍ବଦା ଆଚାର ଆଚରଣରେ ହିତାକାଂକ୍ଷୀ ଭାବ ପ୍ରଦର୍ଶନ କରିବ ।

 

ସେଥି ନିମନ୍ତେ ଦେବଗୁରୁ ଦେବରାଜଙ୍କୁ କହିଥିଲେ, ପ୍ରଥମତଃ ଶତ୍ରୁ ରାଜ୍ୟର ପ୍ରଜାଗଣ ମଧ୍ୟରେ ସୁକୌଶଳରେ ବିଭେଦ ସୃଷ୍ଟି କରି ଶତ୍ରୁ ରାଜାର ଏକାନ୍ତ ଆନୁଗତ୍ୟ ତୃଣ ମୂଳ ଉତ୍ପାଟିତ କରି ଜାତୀୟ ସଂହତି ବିନଷ୍ଟ କରିବ । ଗୁପ୍ତଚର ମାଧ୍ୟମରେ ଏପରି ଏକ ବାତାବରଣ ସୃଷ୍ଟି କରିବ, ଯେପରି ପରସ୍ପର ପରସ୍ପରକୁ ବିଶ୍ୱାସ ନ କରନ୍ତି ଓ ପରସ୍ପର ପରସ୍ପରଠାରୁ ବିଚ୍ଛିନ୍ନ ହେବେ । ଅସାଧାରଣ ବୁଦ୍ଧିମତ୍ତାହିଁ ଏ କ୍ଷେତ୍ରରେ ରାଜାଙ୍କର ଆବଶ୍ୟକ ସାମଗ୍ରୀ ।

 

ଶତ୍ରୁ ରାଜ୍ୟରେ ଏପରି ଏକ ଅବାଞ୍ଛିତ ପରିସ୍ଥିତି ସୃଷ୍ଟି କରିବ, ଯେପରି ଶତ୍ରୁ ପକ୍ଷୀୟ ରାଜା ବୁଝିପାରିବ ନାହିଁ ଯେ ‘ବିଜୀଗିଷୁ ରାଜଶକ୍ତି’ ଶତ୍ରୁ ରାଜ୍ୟରେ ପ୍ରଜା ଅସନ୍ତୋଷ ଘଟାଇଅଛି ।

 

ପିତାମହଙ୍କ ମୁଖରୁ ଏପରି ଉପଦେଶମାନ ଶ୍ରବଣ କରି ଧର୍ମରାଜ କହିଲେ-ପିତାମହ, ସୁକୌଶଳରେ ବିଭେଦ ସୃଷ୍ଟି କରିବାକୁ ଉପଦେଶ ଦେବଗୁରୁ, ଦେବରାଜଙ୍କୁ ଦେଇଥିଲେ ହେଁ, ଏହା କିପରି ସମ୍ଭବ ? କାରଣ କୌଣସି ରାଜା ନିର୍ବୋଧ ନୁହେଁ । ରାଜ୍ୟର ସୁରକ୍ଷା ନିମନ୍ତେ ଯାହା କରଣୀୟ ରାଜା ତାହା ସୁଚାରୁ ରୂପେ କରିଥାନ୍ତି ଏବଂ ରାଜା ମଧ୍ୟ ରାଜାର ସମୂହ ବୃତ୍ତାନ୍ତ ସମ୍ୟକ ଭାବରେ ପରିଚିତ । ଅତଏବ ଶତ୍ରୁ ରାଜ୍ୟରେ ଗୁପ୍ତଚର ଅନୁପ୍ରବେଶ ଘଟାଇ ସେହି ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବା କିପରି ସମ୍ଭବ, ତାହା ମୋର ବୋଧଗମ୍ୟ ହେଉନାହିଁ ।

 

ପିତାମହ କହିଲେ–ଧର୍ମରାଜ ସେହି କୌଶଳ ବିଷୟରେ ଦେବଗୁରୁ ଦେବରାଜଙ୍କୁ ଯେଉଁ ବଚନମାନ ଶୁଣାଇଥିଲେ ତାହା ଶ୍ରବଣ କର । ଦେବଗୁରୁ କହିଥିଲେ, ସର୍ବୋତ୍କୃଷ୍ଟ କୌଶଳ ହେଉଛି କୂଟନୈତିକ ଓ ରାଜନୈତିକ କୌଶଳ ।

 

ରାଜ୍ୟରେ ପ୍ରଜାଗଣଙ୍କ ମଧ୍ୟରେ ଧନୀ ଦରିଦ୍ର ଭେଦାଭେଦ ଥାଏ । ସେନାନୀଙ୍କ ମଧ୍ୟରେ ପ୍ରଚ୍ଛନ୍ନ ରେଷା ରେଷି ମଧ୍ୟ ରହିଥାଏ । ଧନୀ ଦରିଦ୍ର ନିର୍ବିଶେଷରେ ସମସ୍ତେ ସୁଖ ଶାନ୍ତି ପ୍ରାପ୍ତି ଆଶାରେ ବ୍ୟାକୁଳ । ନିଃସ୍ୱ ଧନାକାଂକ୍ଷାରେ ଉଦ୍‌ଗ୍ରୀବ । ଧନୀ ଅଧିକ ଧନ ପ୍ରାପ୍ତି ଆଶାରେ ଲାଳାୟିତ । କୂଟପନ୍ଥୀ ରାଜାଙ୍କର ପ୍ରଜାଗଣଙ୍କର ଏହି ସ୍ୱଭାବ ବୈଶିଷ୍ଟ୍ୟ ବିସ୍ମୃତ ହେବା ଉଚିତ ନୁହେଁ । ଉତ୍କୋଚ ପ୍ରଦାନ କରି ଶତୃ ରାଜ୍ୟର ପ୍ରଜାଗଣଙ୍କର ମନ ଜୟ କରିବ ଏବଂ ସେନା ବିଭାଗ ମଧ୍ୟରେ ବିଭେଦ ସୃଷ୍ଟି କରାଇବ, ଓ ଶତ୍ରୁ ରାଜାର ଶକ୍ତିକୁ ହୀନ ବଳ କରି ‘ମନ୍ତ୍ରଗୁପ୍ତି’ ସାହାଯ୍ୟରେ ପ୍ରତିଦ୍ୱନ୍ଦ୍ୱୀ ରାଜାଙ୍କୁ ସହଜରେ ବଶୀଭୂତ ଓ ବିନଷ୍ଟ କରାଯାଇ ପାରିବ । ଏପରି କର୍ମ ସାଧନରେ ସର୍ବଦା ରାଜା ଏକାକୀ ଏହି କର୍ମ ଆୟତସାଧ୍ୟ କରିବା ଅସମ୍ଭବ, ମନ୍ତ୍ରିଗଣଙ୍କ ମନ୍ତ୍ରଣାରେ ରାଜା କର୍ମପନ୍ଥା ନିର୍ଦ୍ଧାରଣ କରିବେ । କିନ୍ତୁ ଏହି ପରିକଳ୍ପନା ମନ୍ତ୍ରଣା ସର୍ବଦା ଗୁପ୍ତ ରହିବା ଆବଶ୍ୟକ । ଏହାହିଁ ‘ମନ୍ତ୍ରଗୁପ୍ତି’ । ଏହି କ୍ଷେତ୍ରରେ ସୁଦକ୍ଷ ଗୁପ୍ତଚର ହିଁ ‘ବିଜୀଗିଷୂ’ ରାଜାଙ୍କର ପରମତର ‘ବନ୍ଧୁ’ ଓ ପ୍ରବଳତମ ‘ଶକ୍ତି’ ।

 

ଯୁଧିଷ୍ଠିର ଅତଃପର ପୁନଶ୍ଚ ପ୍ରଶ୍ନ କଲେ–ପିତାମହ, ଏହିପରି ଗୁପ୍ତଚର ନିୟୋଗ ଅତୀବ ଦୁରୂହ କର୍ମ ନୁହେଁ କି ?

 

ପିତାମହ–କୁନ୍ତୀନନ୍ଦନ, ଏ କର୍ମ ଅବଶ୍ୟ ଦୁରୂହ । କିନ୍ତୁ କୂଟନୀତିବିଶାରଦ ଧୀମାନ ନୃପତିଙ୍କ ପକ୍ଷେ କୌଣସି କର୍ମ ଦୁରୂହ ନୁହେଁ । କେଉଁ ଭାବରେ ଓ କିପରି ବ୍ୟକ୍ତିଙ୍କୁ ଗୁପ୍ତଚର ଭାବରେ ନିଯୁକ୍ତି କରିବାକୁ ହେବ ସେ ବିଷୟରେ ଦେବଗୁରୁ, ଦେବରାଜଙ୍କୁ ସେହି କୌଶଳର ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ସେହି କୌଶଳ ଅତି ଅପୂର୍ବ । ମନୋଯୋଗ ଦେଇ ଶ୍ରବଣ କର ।

 

ପିତାମହ କହିଲେ–ଦେବଗୁରୁ, ଏହି କୌଶଳ ପ୍ରସଙ୍ଗରେ କହିଥିଲେ ଏକାନ୍ତ ବିଶ୍ୱାସ ଭାଜନ ଓ ଆପଣାର ବ୍ୟକ୍ତିକୁ ରାଜା ଗୁପ୍ତଚର କର୍ମରେ ନିୟୋଗ କରିବେ, କିନ୍ତୁ ଏପରି ନିଯୁକ୍ତି ଦେବାର କର୍ମପନ୍ଥା ହେଉଛି, ହଠାତ୍‌ ରାଜା ସେହି ବିଶ୍ୱାସୀ ଗୁପ୍ତଚର ବିରୁଦ୍ଧରେ ଦେଶରେ ଅପବାଦ ରଟନା କରିବେ । ଜନସମାଜରେ ସେହି ବ୍ୟକ୍ତିଙ୍କୁ କଳଙ୍କିତ କରି ଯାବତୀୟ ଧନ ସମ୍ପଦ ବାଜ୍ୟାପ୍ତ କରି ସେହି ବ୍ୟକ୍ତିଙ୍କୁ ରାଜ୍ୟରୁ ବିତାଡ଼ିତ କରିବେ ଏବଂ ମନ୍ତ୍ରଗୁପ୍ତି ସାହାଯ୍ୟରେ ସେହି ବ୍ୟକ୍ତିଙ୍କୁ ଲୋକ ଚକ୍ଷୁରେ ଅବିଶ୍ୱାସ ଓ ହେୟ ପ୍ରତିପାଦିତ କରି ଗୋପନରେ ତାହାର ଯାବତୀୟ ଭରଣ ପୋଷଣ ଦାୟିତ୍ୱ ଗ୍ରହଣ କରିବେ ।

 

ଶତ୍ରୁ ରାଜ୍ୟରେ ସେହି ଗୁପ୍ତଚର ପ୍ରଜାଗଣ ଓ ସେନାନୀ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ ଶତ୍ରୁ ରାଜ୍ୟର ଅର୍ଥ, ସାମର୍ଥ୍ୟ ଓ ଅନ୍ୟାନ୍ୟ ଗୁପ୍ତ ତଥ୍ୟ ଗୋପନରେ ସଂଗ୍ରହ କରି ଗୋପନରେ ସେହି ସବୁ ତଥ୍ୟମାନ ନିଜ ରାଜାଙ୍କ ନିକଟକୁ ପ୍ରେରଣ କରିବେ । ଯଦି ରାଜା ଏହି ତଥ୍ୟମାନ ପାଇ ନିଶ୍ଚିତ ହୁଅନ୍ତି ଯେ ଗୁପ୍ତଚର, ଶତ୍ରୁ ସେନାନୀ ମଧ୍ୟରେ ପ୍ରକୃତ ବିଭେଦ ସୃଷ୍ଟି କରି ପାରିଛି, ତାହେଲେ ସେହି ରାଜ୍ୟ ଆକ୍ରମଣକରି ଅନାୟସରେ ସେହି ରାଜାକୁ ପରାଜିତ କରି ରାଜ୍ୟ କରାୟତ କରି ପାରିବେ ।

 

କିନ୍ତୁ ସର୍ବଦା ସ୍ମରଣ ରଖିବା ଉଚିତ ଯେ, ଏକ କାଳରେ ଏକାଧିକ ଶତ୍ରୁ ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ଅନୁଚିତ । ପ୍ରଥମେ ଶତୃ ରାଜାଙ୍କୁ ପର୍ଯ୍ୟୁଦସ୍ତ ଓ ବଶୀଭୂତ କରି, ଅନ୍ୟାନ୍ୟ ଶତ୍ରୁ ରାଜାଙ୍କୁ ଏକ ପରେ ଏକ ବଶୀଭୂତ କରିବାହିଁ କର୍ତ୍ତବ୍ୟ କର୍ମ । କିନ୍ତୁ ଯଦି ବିଜୀଗିଷୁ ରାଜା, ସମବେତ ଶତୃ ଶକ୍ତି ତୁଳନାରେ ଅଧିକ ଶକ୍ତିଶାଳୀ ହୁଅନ୍ତି, ତାହେଲେ ନିର୍ବିଚାର ସଂଗ୍ରାମ ଅନୁଚିତ ନୁହେଁ ।

 

ପୁନଶ୍ଚ ଦେବଗୁରୁ କହିଲେ–ଶତୃରାଜା ଅଧିକ ବଳବାନ ହୋଇଥିଲେ, ନତ ମସ୍ତକରେ ପରାଜୟ ସ୍ୱୀକାର କରିବା କର୍ତ୍ତବ୍ୟ, କିନ୍ତୁ ବୈରୀ ରାଜା ଜାଣିବା ଉଚିତ ନୁହେଁ ଯେ ତୁମ ମଧ୍ୟରେ ପ୍ରଚ୍ଛନ୍ନ ଭାବରେ ବୈରୀ ଭାବ ଅଛି ।

 

ବିଜୟୀ ‘ରାଜା’ର ଗତିବିଧିକୁ ପରାଜିତ ‘ରାଜା’ ସଦା ସଜାଗ ଦୃଷ୍ଟି ରଖିବ ଓ କୌଣସି ଅସତର୍କ ମୁହୂର୍ତ୍ତରେ ଆୟତ୍ତ କରି ପାରିଲେ, ବିଜୟୀ ରାଜାଙ୍କୁ ବଧ କରିବାର ସୁଯୋଗ ନେବା ଉଚିତ ।

 

ଏ ପର୍ଯ୍ୟନ୍ତ ଶ୍ରବଣ କରି ଯୁଧିଷ୍ଠିର ପୁନଶ୍ଚ ପ୍ରଶ୍ନ କଲେ, ପିତାମହ ! ରାଜ୍ୟରେ ଦୁଷ୍ଟ, ଶିଷ୍ଟ, ଶତୃ, ମିତ୍ର ପ୍ରଜାଗଣକୁ ନେଇ ରାଜା ରାଜତ୍ୱ କରିଥାନ୍ତି । କେଉଁ ଭାବରେ ଏହି ପ୍ରଜାଗଣଙ୍କୁ ଶତୃ, ମିତ୍ର, ଦୁଷ୍ଟ, ଶିଷ୍ଟ ଭେଦରେ ଚିହ୍ନଟ କରାଯାଇ ପାରିବ ?

 

ପିତାମହ କହିଲେ–ଧର୍ମରାଜ ! ଦେବରାଜ ମଧ୍ୟ ଅନୂରୂପ ପ୍ରଶ୍ନ ଦେବଗୁରୁଙ୍କୁ ପଚାରିଥିଲେ । ଉତ୍ତରରେ ଦେବଗୁରୁ କହିଲେ ‘‘ପୁରୁଷାନାଂ ପ୍ରଦୁଷ୍ଟନାଂ ସ୍ୱଭାବୋ ବଳ ବତ୍ତରଃ’’ । ଦୁଷ୍ଟ ପୁରୁଷଗଣଙ୍କର ସ୍ୱଭାବ ଅତିଶୟ ପ୍ରବଳ ଓ ଉଗ୍ର । ସେମାନେ ପରନୀଳାରେ ପଞ୍ଚମୁଖ, ପରର ଗୁଣକୀର୍ତ୍ତନ ଶ୍ରବଣରେ ବଧୀର ସଦୃଶ ରହି ଓଷ୍ଠଦଂଶନ କରିଥାନ୍ତି ଓ ଦୀର୍ଘଶ୍ୱାସ ତ୍ୟାଗ କରି ବିନାକାରଣରେ ଅସ୍ଥିରତା ପ୍ରକାଶ କରନ୍ତି । ଏହିପରି ବ୍ୟକ୍ତିଗଣ ଅପରାଧର ନିୟନ୍ତ୍ରିତ ବର୍ଗ ସହିତ ଏକ ପଂକ୍ତିରେ ଭୋଜନ ନକରି ସ୍ୱତନ୍ତ୍ର ଆସନ ଗ୍ରହଣ କରିଥାନ୍ତି । ଖାଦ୍ୟ ସାମଗ୍ରୀ ଯେତେ ଉତ୍ତମ ହେଲେହେଁ ଦୋଷ ବାଛିଥାନ୍ତି ।

 

ଅପର ପକ୍ଷରେ ପରର ଦୁଃଖ କଷ୍ଟକୁ ଯେଉଁ ବ୍ୟକ୍ତି ନିଜର କଷ୍ଟ ସଦୃଶ ଜ୍ଞାନ କରେ, ସେ ହିଁ ପ୍ରକୃତ ମିତ୍ର । ପରଦୁଃଖରେ ଯେଉଁ ବ୍ୟକ୍ତି ଆନନ୍ଦ ଅନୁଭବ କରିଥାଏ ସେ ହିଁ ଶତ୍ରୁ ।

 

ଅବଶେଷରେ ଯୁଧିଷ୍ଠିର ଉପଦେଶମାନ ଶ୍ରବଣ କରି, ଯେପରି ଏକ ତିମିରାନ୍ଧକାରରୁ ମୁକ୍ତ ହୋଇଥିଲେ ।

 

ପିତାମହ କହିଲେ, ଧର୍ମରାଜ ! ‘ବୃତ୍ରାସୁର’କୁ ହତ୍ୟା କରି ବିଚଳିତ ଚିତ୍ତ ଇନ୍ଦ୍ର ଦେବଗୁରୁ ବୃହସ୍ପତିଙ୍କର ଉପଦେଶରେ ଉପବିଷ୍ଟ ହୋଇ କାଳକ୍ରମେ ତ୍ରିଭୁବନ ବିଜୟୀ ହୋଇ ଉଠିଲେ ।

Image

 

ମାଣ୍ଡବ୍ୟ ମୁନି–ଜନକ ସମ୍ବାଦ

 

ଆତ୍ମଗ୍ଳାନି ବଡ଼ ମାରାତ୍ମକ, ମର୍ମାନ୍ତିକ ଓ ଭୀଷଣ । ବିଶେଷକରି କୌଣସି ବିବେକବାନ ପୁରୁଷକୁ ଯଦି ଏହି ଆତ୍ମଗ୍ଳାନି ଗ୍ରାସ କରେ ସହଜରେ ତାହା ନିବାରିତ ହୋଇ ନଥାଏ ।

 

ଧର୍ମରାଜ ଯୁଧିଷ୍ଠିରଙ୍କର ଏହି ରୂପ ଆତ୍ମଗ୍ଳାନି ହୋଇଥିଲା । ବାରମ୍ବାର ତାଙ୍କର ମାନସ ଚକ୍ଷୁରେ ଭାସି ଉଠୁଥିଲା କୁରୁକ୍ଷେତ୍ରର ସେହି ରଣାଙ୍ଗନ, ଯେଉଁଠାରେ ନିଷ୍ଠୁର ଭାବରେ ତାଙ୍କର ଆତ୍ମୀୟ, ଭ୍ରାତା, ସ୍ୱଜନ, ବନ୍ଧୁବାନ୍ଧବ ନିହତ ହୋଇଥିଲେ । ଏହି ଆତ୍ମୀୟ ସ୍ୱଜନଗଣଙ୍କର ଅକାଳ ମୃତ୍ୟୁର କାରଣ କେବଳ ରାଜସମ୍ପଦର ‘ତୃଷ୍ଣା’ । ବାରମ୍ବାର ଏଇ ସବୁ କଥା ଯୁଧିଷ୍ଠିରଙ୍କର ମାନସ ଚକ୍ଷୁରେ ଭାସି ଉଠିବାରୁ ତାଙ୍କ ଅନ୍ତରରେ ଧିକ୍‌କାର ଜାତ ହୋଇ ନିଦାରୁଣ ଅଶାନ୍ତିରେ ଦାବ ଦାହ ସୃଷ୍ଟି ହୋଇଥିଲା ।

 

ସେ ପିତାମାତାଙ୍କୁ ପ୍ରଶ୍ନ କରିଥିଲେ–ଏହି ଅଶାନ୍ତିର ଦାବ ଦାହ କଣ କେବେହେଁ ପ୍ରଶମିତ ହେବ ନାହିଁ ? ଏହାର ପ୍ରଶମନ ନିମନ୍ତେ କଣ କୌଣସି ଉପାୟ ନାହିଁ ?

 

ପିତାମହ ଭୀଷ୍ମ କହିଲେ–କୁନ୍ତୀନନ୍ଦନ ! କିଏ କହିଲା ଉପାୟ ନାହିଁ ? ରାଜସମ୍ପଦ ତୃଷ୍ଣାର ସ୍ୱଭାବ ସର୍ବଦା ଅତୃପ୍ତ ଓ ଏହି ତୃଷ୍ଣା କାମନା ବାସନା ଜୀବନ ବ୍ୟତୀତ ଅସମ୍ଭବ, ତଥାପି ଏହି ସର୍ବଗ୍ରାସୀ ତୃଷ୍ଣା ମଧ୍ୟରେ ମନୁଷ୍ୟ ରହି ମଦ୍ୟ ତୃପ୍ତ ହୋଇ ପାରିବ । କିଏ କହେ ରାଜସମ୍ପଦର ତୃଷ୍ଣା କେବଳ ଅନ୍ତର୍ଦାହକୁ ବୃଦ୍ଧି କରିଥାଏ, ପ୍ରଶମିତ କରେ ନାହିଁ ?

 

ପିତାମହଙ୍କ ବଚନରେ ଅଶାନ୍ତ ଯୁଧିଷ୍ଠିର ପଚାରିଲେ-ଏସବୁ କଣ ସମ୍ଭବ ପିତାମହ ?

 

ଭୀଷ୍ମ କହିଲେ–ସମ୍ଭବ ନିଶ୍ଚୟ । ଯଦି ଏହି ରାଜସମ୍ପଦ ତୃଷ୍ଣାରେ କେହି ଆତୁର ହୋଇ ବିବେକ ବୁଦ୍ଧି ନହରାଇ ଏହି ତୃଷ୍ଣାକୁ କରାଳବେଦନା ସର୍ବଗ୍ରାସୀ ହେବାର ସୁଯୋଗ ନଦିଏ, ତେବେ ଏହି ତୃଷ୍ଣା ବିବେକବାନ ମନୁଷ୍ୟର ଅନ୍ତର ନେଇ ଖେଳ ଖେଳିବାର ସୁଯୋଗ ପାଇ ନଥାଏ । ଅରଣ୍ୟରେ ବାସକରି କେହି ଯଦି ହିଂସ୍ର ଶ୍ୱାପଦ ପ୍ରତିହିତ କରିବା ଶକ୍ତିର ଅଧିକାରୀ ନହୁଏ ତାହାଲେ ସେ ସେହି ହିଂସ୍ର ଶ୍ୱାପଦର ଭକ୍ଷ ନିଶ୍ଚୟ ହେବ । ଅରଣ୍ୟବାସୀର ଅନ୍ତରରେ ଓ ବାହାରେ ଶ୍ୱାପଦ ପ୍ରତିହତ ସାମର୍ଥ୍ୟ ରହିବା ଉଚିତ । ଯୁଧିଷ୍ଠିର ପିତାମହଙ୍କର ସାମର୍ଥ୍ୟ ଶବ୍ଦ ଶୁଣି ଶବ୍ଦଟିର ସଂଜ୍ଞା ମନେ ମନେ ଚିନ୍ତାକରି ପଚାରିଲେ-ପିତାମହ ସେହି ସାମର୍ଥ୍ୟର ସ୍ୱରୂପ କଣ ?

 

ଭୀଷ୍ମ କହିଲେ–ସେହିପରି ଅତୀତରେ ଘଟିଥିବା ଏକ ଘଟଣା ଶୁଣ ।

 

ଭୀଷ୍ମ ଆରମ୍ଭ କଲେ–ଏକଦା ଧାର୍ମିକ ପ୍ରଜାବତ୍ସଳ ବିଦେହ ରାଜା ଜନକଙ୍କ ରାଜତ୍ୱ କାଳରେ ବିଦେହ ରାଜ୍ୟ ଶସ୍ୟ ଓ ଧନ ସମ୍ପଦ ପରିପୂର୍ଣ୍ଣ ଥିଲା । ରାଜକୋଷ ଅସରନ୍ତି ଥିବାରୁ କୌଣସି ପ୍ରଜା ଅଭାବଗ୍ରସ୍ଥ ବା କ୍ଷୁଧା ତାଡ଼ନାରେ ଦିନ ଯାପନ କରୁ ନଥିଲେ । ସୁଖ ଐଶ୍ଚର୍ଯ୍ୟରେ ବିରାଜ କରି ମଧ୍ୟ ବିଦେହ ରାଜା ଜନକଙ୍କ ଠାରେ ଦମ୍ଭ, ପରଶ୍ରୀକାତରତା ଓ ଅସୂୟାର ଲେଶ ମାତ୍ର ଚିହ୍ନ ନଥିଲା । ନିରୀହ ଓ ସରଳ ହୋଇଥିବାରୁ ସେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ ।

 

ଏକଦା ପାତ୍ର ମିତ୍ର ସମାବିଷ୍ଟ ରାଜା ଜନକଙ୍କ ରାଜସଭାରେ ‘ମାଣ୍ଡବ୍ୟ ମୁନି’ ହଠାତ୍‌ ଉପସ୍ଥିତ ହେଲେ । ଗୃହତ୍ୟାଗୀ ମାଣ୍ଡବ୍ୟ ସଂସାର ବନ୍ଧନରୁ ମୁକ୍ତି ଲାଭ ନିମନ୍ତେ ଅରଣ୍ୟାଶ୍ରୟୀ ହୋଇ କାଳ ଯାପନ କରୁଥିଲେ । ମୁନିବରଙ୍କୁ ଦେଖି ରାଜା ଜନକ ପାଦାର୍ଘ୍ୟ ଦେଇ ଉପବେଶନ ନିମନ୍ତେ ଉପଯୁକ୍ତ ଆସନ ପ୍ରଦାନ କଲେ ।

 

ରାଜା ଜନକ ମୁନିଙ୍କୁ ପଚାରିଲେ–ମୁନିବର ! ଆପଣଙ୍କ ନିମନ୍ତେ ମୁଁ କେଉଁ ସେବା କରିବି ?

 

ମାଣ୍ଡବ୍ୟ କହିଲେ–ରାଜା ଜନକ ! ମୁଁ ଆପଣଙ୍କଠାରୁ ରାଜସେବା ନେବା ନିମିତ୍ତ ଏଠାକୁ ଆସିନାହିଁ । ମୁଁ ଜାଣିବାକୁ ଚାହେଁ ଧନସମ୍ପଦର ସମ୍ପଦଶାଳୀ ହୋଇ ଆପଣ କିପରି ନିର୍ବିବାର ଚିତ୍ତରେ ରହିଅଛନ୍ତି ?

 

ମାଣ୍ଡବ୍ୟଙ୍କ ପ୍ରଶ୍ନ ଶୁଣି ରାଜା ଜନକ ଋଷିଙ୍କର କୌତୂହଳ ନିବାରଣ ନିମନ୍ତେ କହିଲେ–ହେ ମୁନିଶ୍ରଷ୍ଠ ! ମୁଁ ମୋର ଜ୍ଞାନ ଓ ବିବେକ ବୁଦ୍ଧି ବଳରେ ଜ୍ଞାତ ହୋଇ ଅନୁଭବ କରିଛି ଯେ ଏହି ନଶ୍ୱର ଜୀବନ କାଳ ମଧ୍ୟରେ ଯେତେ ଧନ ସମ୍ପଦ ଲାଭ କରୁ ନା କାହିଁକି ଓ ଯେତେ ଉପଭୋଗ ବସ୍ତୁ ସଞ୍ଚିତ କରି ରଖିଥାଉ ନା କାହିଁକି ମନୁଷ୍ୟ ଯଦି ମନେକରେ ସେଗୁଡ଼ିକ ଭୋଗରେ ହିଁ ତାର ସୁଖତୃପ୍ତି ନିହିତ, ତାହେଲେ ସେ ଭାବନା ତାର ତ୍ରୁଟିପୂର୍ଣ୍ଣ ଏବଂ ସେହି ତ୍ରୁଟି ନିମିତ୍ତ ତାକୁ ନିରନ୍ତର ସନ୍ତପ୍ତ ହେବାକୁ ପଡ଼ିବ । ପୁନଶ୍ଚ ରାଜା କହିଲେ–

 

‘‘ଯଚ୍ଚ କାମ ସୁଖଂ ଲୋକେ ଯଚ୍ଚ ଦିବ୍ୟଂ ମହତ୍‌ ସୁଖମ୍‌ ।

ତୃଷ୍ଣା କ୍ଷୟସୁଖ ସ୍ୟେତେ ନାର୍ହତ୍ତଃ ଷୋଡ଼ଶୀ କଲାମ’’ ।

 

ଅର୍ଥାତ୍‌ ଜଗତରେ କାମଜନିତ ସୁଖ, ସ୍ୱର୍ଗରେ ଦିବ୍ୟମହାନ ସୁଖ ଓ ସାଧାରଣ ମନୁଷ୍ୟ ନିକଟରେ ଏହି ସୁଖ ପରମ ସୁଖ ରୂପେ ପ୍ରତିଭାତ ହୋଇଥାଏ । କିନ୍ତୁ ମୋ ମତରେ ତୃଷ୍ଣା କ୍ଷୟ ଓ ତୃଷ୍ଣା କବଳିତ ନ ହେବା ମଧ୍ୟରେ ଯେଉଁ ସୁଖ ମିଳେ ସେ ସୁଖ ତାର ଷୋଳଭାଗରୁ ଏକଭାଗ ଯୋଗ୍ୟ ନୁହେଁ ।

 

ମୁନି ପଚାରିଲେ,–ତୃଷ୍ଣା ଓ କାମନା ସହଜାତ ପ୍ରବୃତ୍ତି । ଏହାର କ୍ଷୟ କିପରି ସମ୍ଭବ ?

 

ଜନକ କହିଲେ–କାହିଁକି ସମ୍ଭବ ହେବ ନାହିଁ ? ତୃଷ୍ଣା ଓ କାମନା ସହଜାତ ହେଲେ ହେଁ ଯଦି କେହି ଏହି ପ୍ରବୃତ୍ତିକୁ ନିଜସ୍ୱ ମନେକରି ତାରି ଉପରେ ଗୁରୁତ୍ୱ ଆରୋପ କରିଥାଏ, ତାହେଲେ ସଙ୍ଗତ କାରଣରେ ସେହି ପ୍ରବୃତ୍ତିକୁ ନିରାପଦରେ ସୁସ୍ଥ ଓ ସବଳ ରଖିବାର ଦାୟିତ୍ୱ ତାର ଆସିବାହିଁ ସ୍ୱାଭାବିକ । କାରଣ ସେତେବେଳେ ଏହି ପ୍ରବୃତ୍ତି ଉପରେ ମମତା ଜାଗ୍ରତ ହୋଇଥାଏ ଏବଂ ମମତା ଯୋଗୁହିଁ ମନୁଷ୍ୟ ମନ, ପ୍ରାଣ ଅନ୍ୟ ସବୁ କିଛି ଭୁଲି ତାର ସହଜାତ ପ୍ରବୃତ୍ତିର ମମତା ପ୍ରତି ଆକର୍ଷଣ ନିବିଷ୍ଟରୁ ନିବିଷ୍ଟତର ହୋଇଥାଏ । ଗୋରୁର ଶିଙ୍ଘ ଯେପରି ଗୋରୁର ଶରୀର ବୃଦ୍ଧି ସହିତ ବୃଦ୍ଧି ପାଇଥାଏ, ସେହିପରି ମମତ୍ୱର ଆର୍କଷଣରେ ଧନ ତୃଷ୍ଣା ଓ ଭୋଗପ୍ରତି ଆସକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଫଳରେ ସଞ୍ଚିତ ଧନ କ୍ଷୟ ହୋଇଥାଏ, ଓ ଭୋଗ ଯଦି ନିର୍ବିଘ୍ନ ହୋଇଥାଏ, ତାହେଲେ ତାହା ଦୁଃଖର କାରଣ ହେବା ସ୍ୱାଭାବିକ । ସେଥି ନିମନ୍ତେ ପ୍ରକୃତ ସୁଖ ଲାଭ କରିବା ନିମନ୍ତେ ନିର୍ମମ ହେବାକୁ ପଡ଼ିବ । କୌଣସି ବସ୍ତୁ କେବଳ ମୋର ଓ ମୋ ନିମିତ୍ତ, ଏଥିରେ ଅନ୍ୟ କେହି ଭାଗୀଦାର ରହିବେ ନାହିଁ । ଏପରି ଭାବନାରେ ପରମ ସୁଖ କେବେ ହେଁ ଲାଭ ହୋଇ ନଥାଏ । ପରମ ସୁଖ ପରିବର୍ତ୍ତେ ଭୟ ଶୋକ, ବିମର୍ଷତା ତାହାକୁ ଆଚ୍ଛନ୍ନ କରି ରଖିଥାଏ । ଏହି ଜ୍ଞାନ ଯେଉଁମାନଙ୍କର ଅଛି ସେ ସମୃଦ୍ଧି ସମ୍ପନ୍ନକୁ ଦୁଃଖ ରୂପେ ଜ୍ଞାନ କରିଥାଏ ଓ ସେହି ବିଷୟରେ ସେ କେବେହେଁ ଲିପ୍ତ ହୋଇ ନଥାଏ ।

 

ପୁନଶ୍ଚ ରାଜା କହିଲେ ବିବେକ ବୁଦ୍ଧିରେ ମୁଁ ଜାଣେ ଯେ–

 

‘ଯା ଦୁସ୍ତ୍ୟଜା ଦୁର୍ମତି ଭିର୍ଯ୍ୟା ନ ଜୀଯତି ଜୀର୍ଯତଃ

ଯୋହସୌ-ପ୍ରାଣାନ୍ତିକୋ ରୋଗାସ୍ତାଂ ତୃଷ୍ଣାଂ ତ୍ୟଜତଃ ସୁଖମ୍‌’ ।

 

ଅର୍ଥାତ୍‌ ଦୁର୍ମତି ସମ୍ପନ୍ନ ମନୁଷ୍ୟ ପକ୍ଷରେ ଯାହା ତ୍ୟାଗ କରିବା କଠିଣ, ଶରୀରଜୀର୍ଣ୍ଣ ହେଲେ ମଧ୍ୟ ଯାହା କେଭେ ଜୀର୍ଣ୍ଣ ହୁଏନାହିଁ, ପ୍ରାଣାନ୍ତ କାଳ ପର୍ଯ୍ୟନ୍ତ ଯାହାକୁ ସ୍ଥାୟୀ ବ୍ୟାଧି ବୋଲି ଯାହା କୁହାଯାଏ, ସେହି ତୃଷ୍ଣା ତ୍ୟାଗରେ ହିଁ ମନୁଷ୍ୟ ପରମ ସୁଖ ଅଧିକାରୀ ହୋଇଥାଏ । ଏହି ସାରତତ୍ତ୍ୱ ମୁଁ ଉପଲବ୍‌ଧି କରି ବିପୁଳ ସମ୍ପଦ ମଧ୍ୟରେ ରହି ମଧ୍ୟ ମୋର ଚିତ୍ତ ସ୍ଥିର ଓ ମନ ଅଚଞ୍ଚଳ ଏବଂ ନର୍ଦ୍ୱିଧାରେ ମୁଁ କହିବି ଯେ ‘‘ସୁସୁଖଂ ବତ ଜୀବାମି ଯସ୍ୟ ମେ ନାସ୍ତି କିଞ୍ଚନ / ମିଥିଳାୟାଂ ପ୍ରଦୀପ୍‌ତାୟାଂ ନ ମେ ଦହତି କିଞ୍ଚନ ।’’ ମୁଁ ଅନାବିଳ ସୁଖରେ ଜୀବନ କଟାଉଛି । କାରଣ ଏ ଜଗତରେ ‘ମୋର’ ବୋଲି କିଛି ମନେ କରେ ନାହିଁ । ଯଦି ସାରା ମିଥିଳା ପୋଡ଼ି ଭସ୍ମ ହୋଇଯାଏ ତାହେଲେ ମୋର କିଛି ଦଗ୍‌ଧ ହେବ ନାହିଁ ।

 

ରାଜର୍ଷିଙ୍କ ମାନସିକ ପରିଚୟ ଯେପରି ମାଣ୍ଡବ୍ୟ ମୁନିଙ୍କୁ ନୂତନ ପଥର ଦିଗ୍‌ନିର୍ଦ୍ଦେଶ ଦେଲା, ନିଶ୍ଚିନ୍ତ ମନରେ ରାଜାଙ୍କୁ ଶୁଭ କାମନା ଜଣାଇ ସେ ବିଦାୟ ନେଲେ ।

Image

 

ସଂବର୍ତ୍ତ–ମଋତ ସମ୍ବାଦ

 

(ଏହି ଆଖ୍ୟାୟିକାରେ ନିଷ୍ଠାବାନ ବ୍ରହ୍ମଚାରୀ ବୃହସ୍ପତିଙ୍କ କନିଷ୍ଠ ଭ୍ରାତା ‘ସଂବର୍ତ୍ତ କିପରି ଦେବରାଜ ଇନ୍ଦ୍ର ଓ ସୁରଗୁରୁ ବୃହସ୍ପତିଙ୍କର ଦର୍ପ ଚୂର୍ଣ୍ଣ କରିଥିଲେ, ତାହାର ସୂଚନା ଦିଆଯାଇଛି ।)

 

ସତ୍ୟଯୁଗ ସମାପ୍ତି ଓ ତ୍ରେତା ଯୁଗର ସନ୍ଧିକ୍ଷଣରେ ‘ରକ୍ଷବାକୁ ବଂଶର’ ଶେଷ ନୃପତି ଧର୍ମାଶ୍ରୟୀ ‘ସୁବର୍ଚା’ ଶତ୍ରୁ ରାଜନ୍‌ବର୍ଗଙ୍କ ଦ୍ୱାରା କ୍ରମାଗତ ନିପୀଡ଼ିତ ହୋଇ ମଧ୍ୟ ଧୈର୍ଯ୍ୟଚ୍ୟୁତ ନ ହୋଇ ସ୍ୱମହିମାରେ ପ୍ରତିଷ୍ଠିତ ଥିଲେ । ନୃପ ବତ୍ସଳ ପ୍ରଜାବୃନ୍ଦ ଧର୍ମାଶ୍ରୟୀ ନୃପତିଙ୍କ ଶାସନରେ ଆଶ୍ୱସ୍ଥ ହୋଇଥିଲେ ।

 

ଶତ୍ରୁ ନିପୀଡ଼ିତର ଶେଷ ସୀମାରେ, ସୈନ୍ୟହୀନ ରାଜା ଅସହାୟ ପ୍ରଜାଗଣଙ୍କୁ ରକ୍ଷା କରିବା ପାଇଁ ଏକଦା ଦୁଇ କର ମୁଷ୍ଟିବଦ୍ଧ କରି ଏପରି ଏକ ଶଙ୍ଖ ନିନାଦ କରିଥିଲେ ଯେ ସେହି ନିନାଦରୁ ଅଗଣିତ ବୀରସେନା ନିର୍ଗତ ହୋଇ ରାଜ୍ୟକୁ ସୁରକ୍ଷିତ କରିବା ଫଳରେ ପ୍ରଜାଗଣଙ୍କର ଅନିଶ୍ଚୟତା ଦୂର ହୋଇଥିଲା । ସେହି ଦିନଠାରୁ ପ୍ରଜାଗଣ ଆଶ୍ୱସ୍ଥ ହୋଇ ରାଜାଙ୍କର ନୂତନ ନାମ ‘କରନ୍ଧମ’ ନାମରେ ନାମିତ କରିଥିଲେ । ତାଙ୍କର ପୁତ୍ର ‘କାରନ୍ଧମ ଅରୀକ୍ଷିତ’ ସ୍ୱୀୟ ମହିମାରେ ପିତାଙ୍କ ମୃତ୍ୟୁପରେ ରାଜସିଂହାସନରେ ଆରୁଢ଼ ହୋଇ ମର୍ତ୍ତ୍ୟଲୋକରେ ଇନ୍ଦ୍ରତୁଲ୍ୟ ଅଧିଶ୍ୱର ହୋଇଥିଲେ । ରାଜା ଅରୀକ୍ଷିତ, ସୂର୍ଯ୍ୟତମ ତେଜସ୍ୱୀ, ପୃଥିବୀ ତୁଲ୍ୟ କ୍ଷମାଶୀଳ, ବୃହସ୍ପତି ସଦୃଶ ବୁଦ୍ଧିମାନ, ହିମାଳୟ ସଦୃଶ ସୁସ୍ଥିର ହୋଇ ଅଶ୍ୱମେଧ ଯଜ୍ଞ କରି ପୃଥିବୀର ଅଧିଶ୍ୱର ହୋଇଥିଲେ । ସେହି ଅଶ୍ୱମେଧ ଯଜ୍ଞରେ ମହାଜ୍ଞାନୀ ଅଙ୍ଗିରା ଋଷି ରାଜନ୍‌ଙ୍କ ଯଜ୍ଞର ପୌରୋହିତ୍ୟ କରିଥିଲେ । ଅରୀକ୍ଷିତଙ୍କ ମୃତ୍ୟୁ ପରେ ରାଜପୁତ୍ର ‘ମଋତ’ ରାଜପଦରେ ଅଭିଷିକ୍ତ ହୋଇ ଧର୍ମାନୁସାରେ ପ୍ରଜାପାଳନ କରି ସ୍ୱର୍ଗାଧିପ ଇନ୍ଦ୍ରଙ୍କ ତୁଲ୍ୟ ଗୌରବ ଓ ସୁଷମା ଅର୍ଜନ କରିଥିଲେ ।

 

ଇନ୍ଦ୍ରତ୍ୱ ଲାଭ କରିବା ନିମନ୍ତେ ଏକଦା ରାଜା ‘ମଋତ’ ଅଶ୍ୱମେଧ ଯଜ୍ଞ କରିବା ପାଇଁ ସ୍ଥିର କଲେ । ସେ ଚିନ୍ତା କଲେ ଯେ ସେ ଏପରି ଏକ ଯଜ୍ଞ କରିବେ ଯାହା କୌଣସି ରାଜା ଏପରିକି ‘ଇକ୍ଷବାକୁ’ ବଂଶର କୌଣସି ପୂର୍ବପୁରୁଷ ମଧ୍ୟ କେବେହେଁ ଏପରି ଯଜ୍ଞ କରି ନ ଥିଲେ ।

 

ସଂକଳ୍ପରେ ସ୍ଥିରପ୍ରତିଜ୍ଞ ରହି ହିମାଳୟର ଉତ୍ତରସ୍ଥ ମେରୁପର୍ବତ ସନ୍ନିହିତ ସୁବର୍ଣ୍ଣମୟ ପର୍ବତରେ ପାଦଦେଶରେ ସୁବର୍ଣ୍ଣ ଯଜ୍ଞଶାଳା ନିର୍ମାଣ ଓ ସୁବର୍ଣ୍ଣ ନିର୍ମିତ ହୋମକୁଣ୍ଡ ନିର୍ମାଣ କରି ବିଧିମତେ ଯଜ୍ଞ ସମ୍ପାଦନ ନିମନ୍ତେ ରାଜା ‘ମଋତ’ ଆନୁସଙ୍ଗିକ ଆୟୋଜନ କଲେ । ଅଭ୍ୟାଗତଙ୍କର ଆସ୍ଥାନ ନିମନ୍ତେ ଅସଂଖ୍ୟ ସୁବର୍ଣ୍ଣ-ଆଳୟ ନିର୍ମିତ ହୋଇଥିଲା । ରାଜା ମଋତ ସ୍ଥିର କରିଥିଲେ ଯେ ଅଶ୍ୱମେଧ ଯଜ୍ଞରେ ବ୍ରାହ୍ମଣଗଣଙ୍କୁ ସ୍ୱର୍ଣ୍ଣଦାନ କରିବେ । ଇନ୍ଦ୍ରଙ୍କ ସହିତ ସ୍ୱର୍ଗଲୋକବାସୀ ଦେବଗଣଙ୍କୁ ଆମନ୍ତ୍ରଣ କରି ଯଥାଯୋଗ୍ୟ ମର୍ଯ୍ୟାଦା ଦାନ କରିବେ, ଏବଂ ରାଜକୁଳ ପୁରୋହିତ ମହର୍ଷି ‘ଅଙ୍ଗିରା’ଙ୍କ ବଂଶଧର ‘ବୃହସ୍ପତି’ଙ୍କୁ ସେହି ଯଜ୍ଞରେ ପୁରୋହିତ ରୂପେ ବରଣ କରିବେ ।

 

ପୂର୍ବରୁ ମହର୍ଷି ଅଙ୍ଗିରା ଇହଲୋକରୁ ବିଦାୟ ନେଇଥିଲେ । ଜ୍ଞାନ ବୃଦ୍ଧ ଜ୍ୟେଷ୍ଠ ପୁତ୍ର ବୃହସ୍ପତି, ଯଜ୍ଞ କର୍ମ ସମ୍ପାଦନରେ ଦେବକୁଳ ଓ ମର୍ତ୍ତ୍ୟଲୋକରେ ଖ୍ୟାତ ଲାଭ କରିଥିଲେ । କନିଷ୍ଠ ପୁତ୍ର ‘ସଂବର୍ତ୍ତ’ ଯଜ୍ଞ କର୍ମରେ କୁଶଳୀ ଥିଲେହେଁ ଜ୍ୟେଷ୍ଠ ଭ୍ରାତା ବୃହସ୍ପତିଙ୍କର ନିପୀଡ଼ନରେ ଧୈର୍ଯ୍ୟହରା ହୋଇ, ସନ୍ନ୍ୟାସ ବ୍ରତ ଅବଲମ୍ବନ କରି ଏକଦା ସଂସାରତ୍ୟାଗୀ ହୋଇ ନିଋଦେଶ ହୋଇଥିଲେ ।

 

ସେହି ସମୟରେ ସ୍ୱର୍ଗ ରାଜ୍ୟର ଅଧିକାର ନେଇ ଦେବାସୁର ସଂଗ୍ରାମ ହୋଇଥିବାରୁ ନିରୂପାୟ ଦେବରାଜ ଇନ୍ଦ୍ର ବୃହସ୍ପତିଙ୍କ ସାହାଯ୍ୟରେ ଯଜ୍ଞ କରିଥିଲେ ଓ ବୃହସ୍ପତିଙ୍କ କର୍ମ କୌଶଳରେ ଅପହୃତ ଭ୍ରଷ୍ଟ ରାଜ୍ୟ ପୁନଃପ୍ରାପ୍ତ ହୋଇଥିଲେ । ସ୍ୱର୍ଗରାଜ୍ୟ ସିଂହାସନାଋଢ଼ ହୋଇ ଦେବରାଜ ଇନ୍ଦ୍ର ଦେବଗଣଙ୍କ ସମ୍ମତିରେ ବୃହସ୍ପତିଙ୍କୁ ଦେବଗୁରୁ ପଦରେ ବରଣ କରିଥିଲେ ।

 

ସେହି ସମୟରେ ଏକ ଅଶ୍ରୁତପୂର୍ବ ଅଶ୍ୱମେଧ ଯଜ୍ଞ ପୃଥିବୀ ପତି ରାଜା ମଋତ କରିବା ସଂକଳ୍ପ କରି ଆୟୋଜନ କରୁଥିଲେ । କୂଟକୌଶଳୀ ଦେବରାଜ ଇନ୍ଦ୍ର ଜାଣିପାରିଲେ, ଦେବକୁଳ ପୁରୋହିତ ବୃହସ୍ପତି ମଋତଙ୍କ ଯଜ୍ଞରେ ପୁରୋହିତ ପଦରେ ବ୍ରତୀ ହେଲେ, ସେହି ଯଜ୍ଞ ଫଳ ଅନିବାର୍ଯ୍ୟ ହେବ, ଏହା ଆଶଙ୍କା କରି ଏକଦା ଦେବେନ୍ଦ୍ର ବୃହସ୍ପତିଙ୍କ ସମ୍ମୁଖରେ ଉପନୀତ ହେଲେ । ସହସା ଦେବରାଜଙ୍କୁ ଦେଖି ବୃହସ୍ପତି ପଚାରିଲେ–ଅସୁରଗଣ କଣ ପୁନର୍ବାର ଉପଦ୍ରବ ସୃଷ୍ଟି କରିଛନ୍ତି ? ଆପଣ କଣ କୌଣସି ନୂତନ ଯଜ୍ଞ ଆୟୋଜନ କରୁଛନ୍ତି କି ? ଦେବରାଜ କହିଲେ, ମୁଁ ଅନ୍ୟ ଏକ ଉଦ୍ଦେଶ୍ୟ ଓ ଏକ ଆବେଦନ ନେଇ ଏଠାକୁ ଆସିଅଛି ।

 

ବୃହସ୍ପତି–ମୋର ଅନୁମାନ ଆପଣ ବିଚଳିତ । ଏପରି ବିଚଳିତ ହେବାର କାରଣ କଣ-? ମୋର ଯଜ୍ଞ କର୍ମରେ ଅସୁରଗଣ କଣ ନିଷ୍କ୍ରିୟ ହୋଇନାହାନ୍ତି ?

 

ଦେବରାଜ–ମର୍ତ୍ତ୍ୟରେ ଏକ ମରଣଶୀଳ ମନୁଷ୍ୟ ସହିତ ଆପଣଙ୍କ ପୂର୍ବ ସମ୍ପର୍କ ଥିବାରୁ ମୁଁ ବିଚଳିତ । ବିସ୍ମିତ ଦୃଷ୍ଟିରେ ବୃହସ୍ପତି କହିଲେ ମୋ ସହିତ ସମ୍ପର୍କ ? ଅକପଟରେ ଆପଣଙ୍କ ମନୋଭାବ ବ୍ୟକ୍ତ କରନ୍ତୁ । ସାଧ୍ୟାତୀତ ନହେଲେ ମୁଁ ଅବଶ୍ୟ ଆପଣଙ୍କର ପକ୍ଷ ଅବଲମ୍ବନ କରିବି-

 

ଦେବରାଜ–ପୃଥିବୀପତି ରାଜା ମଋତ ଅଶ୍ୱମେଧ ଯଜ୍ଞ କରି ମୋ ପର୍ଯ୍ୟାୟଭୁକ୍ତ ନିମନ୍ତେ ଉଦ୍ୟତ । ବଂଶ ପରମ୍ପରାରେ ଆପଣ ମଋତଙ୍କର କୁଳ ପୁରୋହିତ । ସଙ୍ଗତ କାରଣରେ ହିଁ ସେହି ଯଜ୍ଞରେ ରାଜନ୍‌ ଆପଣଙ୍କୁ ପୁରୋହିତ ଭାବରେ ବରଣ କରିବାପାଇଁ ନିଶ୍ଚୟ ଶରଣାପନ୍ନ ହେବେ ।

 

ବୃହସ୍ପତି–ରାଜନ୍‌ଙ୍କ ଦାବୀ ଅବଶ୍ୟ ଅଯୌକ୍ତିକ ନୁହେଁ ।

 

ଇନ୍ଦ୍ର–ଅମର ଦେବକୁଳ ଆପଣଙ୍କୁ ଗୁରୁରୂପେ ବରଣକରି ଯଜ୍ଞକର୍ମ ସମ୍ପାଦନ କରିଛନ୍ତି ଓ ହିତାକାଂକ୍ଷୀ ଜ୍ଞାନରେ ଆପଣଙ୍କୁ ଗ୍ରହଣ କରିଛନ୍ତି । ଆପଣ ଦେବତା ସଦୃଶ ଉଚ୍ଚାଭିଳାଷୀ, ମରଣଶୀଳ ରାଜାଙ୍କର ଯଜ୍ଞରେ ଯାଜ୍ଞିକ ହେବା ଆପଣଙ୍କର ଉଚିତ କାର୍ଯ୍ୟ ହେବ କି ? ଏହାଦ୍ୱାରା ଆପଣଙ୍କ ଦେବ-ମର୍ଯ୍ୟାଦା ହାନି ହେବ ନାହିଁ କି ?

 

କିୟତ୍‌କାଳ ଚିନ୍ତା କରି ବୃହସ୍ପତି କହିଲେ, ଦେବରାଜ, ଆପଣଙ୍କ ଅଭିପ୍ରାୟ କଣ ?

 

ଦେବରାଜ–ରାଜା ମଋତଙ୍କ ଯଜ୍ଞ କର୍ମରେ ଆପଣ ବ୍ରତୀ ହେଲେ ଦେବକୁଳ ମର୍ତ୍ତ୍ୟବାସୀଙ୍କ ସହିତ ଏକତ୍ର ସୋମରସ ପାନ କରିବାକୁ ହେବ । ଏହା ଲଜ୍ଜାକର ନୁହେଁ କି ? ମୋ ପକ୍ଷରେ ଏହା ଏକାନ୍ତ ଅସମ୍ଭବ । ପରୋକ୍ଷରେ ଆପଣହିଁ ଅପମାନିତ ହେବେ । ମୋର ଅନୁରୋଧ ରାଜା ମଋତ ଆପଣଙ୍କୁ ଆମନ୍ତ୍ରଣ କଲେ ଆପଣ ନିର୍ଦ୍ୱିଧାରେ ଏହା ପ୍ରତ୍ୟାଖ୍ୟାନ କରନ୍ତୁ । କିୟତ୍‌କାଳ ନୀରବ ରହି ବୃହସ୍ପତି କହିଲେ-ଆପଣ ନିଶ୍ଚିନ୍ତ ରୁହନ୍ତୁ । ଅପରିମେୟ ବୈଭବ ସମ୍ପନ୍ନ ଦେବକୁଳ ପରିତ୍ୟାଗ କରି ପରିମିତ ସାମର୍ଥ୍ୟବାନ କୌଣସି ପାର୍ଥିବ ରାଜା ଯେତେ ନିକଟତମ ହେଲେହେଁ, ସେହି ରାଜାର ‘ଯଜନ’ କର୍ମ ମୁଁ କରିବି ନାହିଁ ।

 

ଆଶ୍ୱସ୍ତ ହୋଇ ଦେବରାଜ ସ୍ୱୀୟ ଲୋକଙ୍କୁ ଗମନ କଲେ । କାରଣ ସେ ନିଶ୍ଚିନ୍ତ ଥିଲେ ଯେ ଧରଣୀ ଦ୍ୱିଧା ବିଭକ୍ତ ହେଲେହେଁ ସତ୍ୟବାଦୀ ଧାର୍ମିକ ପ୍ରବର ବୃହସ୍ପତିଙ୍କ ବାକ୍ୟ କେଭେ ମିଥ୍ୟା ହେବ ନାହିଁ । କିନ୍ତୁ ଏହି ଘଟଣା ସବୁ ରାଜା ମଋତଙ୍କ ଅଜ୍ଞାତ ଥିଲା ।

 

ସଂକଳ୍ପରେ ସ୍ଥିର ରହି ରାଜା ମଋତ ବୃହସ୍ପତିଙ୍କ ସମ୍ମୁଖରେ ଉପନୀତ ହୋଇ କହିଲେ-ଆପଣଙ୍କ ସହିତ ପୂର୍ବ ପରାମର୍ଶ ଅନୁଯାୟୀ ଯଜ୍ଞ କର୍ମ କରିବାର ସଂକଳ୍ପ କରିଅଛି । ‘ମାନସ’ କ୍ଷେତ୍ରକୁ ଯଜ୍ଞ ସ୍ଥାନ ରୂପେ ନିରୂପଣ କରିଅଛି । ଦ୍ରବ୍ୟାଦି ମଧ୍ୟ ପ୍ରାୟ ସଂଗୃହୀତ ହୋଇ ସାରିଛି । ଆପଣ ଏହି ମହାନ୍‌ ଯଜ୍ଞର ପୁରୋଧା ହୋଇ ଆରବ୍‌ଧ କର୍ମ ସୁସମ୍ପନ୍ନ କରିବାର ଦାୟିତ୍ୱ ଗ୍ରହଣ କରନ୍ତୁ ।

 

ବୃହସ୍ପତି–ଆପଣଙ୍କ ଯଜ୍ଞରେ ପୁରୋଧା ହେବା ମୋ ପକ୍ଷରେ ସମ୍ଭବ ନୁହେଁ । ଦେବରାଜ ମୋତେ ଏକ ମହାନଯଜ୍ଞରେ ବ୍ରତୀ କରିଛନ୍ତି । ମୁଁ ମଧ୍ୟ ତାଙ୍କୁ ବଚନ ଦେଇସାରିଛି ।

 

ବିନୀତ ସ୍ୱରରେ ମଋତ କହିଲେ–ଆପଣଙ୍କର ପିତୃଦେବଙ୍କ ସମୟରୁ ବଂଶ ପରମ୍ପରାରେ ମୁଁ ଆପଣଙ୍କ ଯଜମାନ । ଏଯାବତ୍‌ ପ୍ରତି କର୍ମରେ ମୁଁ ଆପଣଙ୍କ ଶରଣାଗତ ହୋଇଛି-। ମୋ ଗୁରୁଦେବ ରୂପେ ଆପଣ ସମ୍ମାନିତ । ବଂଶାନୁକ୍ରମେ ଆପଣହିଁ ମୋ ବଂଶରେ ଯାବତୀୟ ମାଙ୍ଗଳିକ କର୍ମରେ ଅଭ୍ୟୁଦୟର ସହାୟକ । ମୁଁ ଏପରି କଣ ଗୁରୁତର ଅପରାଧ କରିଛି ଯେ ମୋତେ ଆପଣ ହତାଶ କରୁଛନ୍ତି ।

 

ବୃହସ୍ପତି–ମୁଁ ବର୍ତ୍ତମାନ ସୁରରାଜଙ୍କ ପୁରୋହିତ । କୌଣସି ମନୁଷ୍ୟର କର୍ମରେ ପୌରୋହିତ୍ୟ କରିବା ମୋ ପକ୍ଷେ ସମ୍ଭବ ନୁହେଁ । ତୁମେ ଅନ୍ୟ କାହାକୁ ପୌରହିତ୍ୟରେ ବରଣ କରି ଯଜ୍ଞକର୍ମ ସମ୍ପାଦନ କର । ମୋର ସେଥିରେ କୌଣସି କ୍ଷୋଭ ନାହିଁ ।

 

ବୃହସ୍ପତିଙ୍କଠାରୁ ପ୍ରତ୍ୟାଖ୍ୟାତ ହୋଇ ବିମର୍ଷ ଚିତ୍ତରେ ରାଜା ମଋତ ପ୍ରାସାଦ ଅଭିମୁଖେ ଯାତ୍ରା କଲେ ।

 

ଅକସ୍ମାତ୍‌ ନାରଦଙ୍କ ସମ୍ମୁଖୀନ ହେବାରୁ, ରାଜନ୍‌ ଯଥୋଚିତ ସମ୍ଭାଷଣ ଜ୍ଞାପନ କଲେହେଁ, ସେହି ସ୍ୱଭାବସିଦ୍ଧ ଏକାନ୍ତତା ନଥିବାର ଦେଖି ନାରଦ କହିଲେ–ଆପଣ ଅନ୍ୟମନସ୍କ ଓ ବିମର୍ଷ କାହିଁକି ହୋଇଛନ୍ତି ?

 

ରାଜା ମୠତ ଦେବର୍ଷିଙ୍କୁ ଆଦ୍ୟୋପ୍ରାନ୍ତ ସବୁ ଘଟଣା କହିଗଲେ । ଅତଃପର ରାଜା ମଋତ କହିଲେ, ଗୁରୁଦେବ ମୋ ପ୍ରତି ବିମୁଖ, ମୋର ଏହି ଜୀବନ ଧିକ୍‌ । ଏହି ବ୍ୟର୍ଥ ଜୀବନରେ ମୂଲ୍ୟ କିଛି ନାହିଁ ।

 

ଦେବର୍ଷି–ଏପରି ହତାଶ ହେବାର କୌଣସି କାରଣ ନାହିଁ ।

ମଋତ–କଣ କହୁଛନ୍ତି ଦେବର୍ଷି ?

ଦେବର୍ଷି–ଆପଣ କଣ ଅନ୍ୟତମ ଗୁରୁପୁତ୍ର ସଂବର୍ତ୍ତଙ୍କୁ ବିସ୍ମୃତ ହୋଇଛନ୍ତି ?

 

ରାଜନ୍‌ଙ୍କ ମନେ ପଡ଼ିଲା, ସଂବର୍ତ୍ତ ବୃହସ୍ପତିଙ୍କ କନିଷ୍ଠ ସହୋଦର ଓ ଏକ ମହା ତେଜସ୍ୱୀ ବିପ୍ର । କିନ୍ତୁ ସେ ଦେବର୍ଷିଙ୍କୁ କହିଲେ–ସଂବର୍ତ୍ତ ବିରାଗୀ ହୋଇ କେଉଁଠାରେ ଅଛନ୍ତି, ମୁଁ ଜାଣେ ନାହିଁ । ଯଦି ସେ ମୋତେ ପ୍ରତ୍ୟାଖ୍ୟାନ କରନ୍ତି, ତାହେଲେ ଯଜ୍ଞ ମୁଁ କିପରି ସମ୍ପାଦନ କରିବି ?

 

ଦେବର୍ଷି ଆଶ୍ୱାସ ଦେଇ କହିଲେ–ଚେଷ୍ଟାକରି ଦେଖନ୍ତୁ । ଆପଣ ଋଷି ସମ୍ବର୍ତ୍ତଙ୍କ ଅପରିଚିତ ନୁହନ୍ତି । ଗୃହତ୍ୟାଗ କରି ଋଷିବର ବିବସ୍ତ୍ର ଦଶାରେ ଯତ୍ର ତତ୍ର ବିଚରଣ କରୁଛନ୍ତି । ତାଙ୍କର ପୂର୍ବ ସୌମ୍ୟ ମୂର୍ତ୍ତି ବିନଷ୍ଟ ହୋଇ ସେ ରୁଦ୍ରମୂର୍ତ୍ତି ଧାରଣ କରିଛନ୍ତି । ପରିଭ୍ରମଣ କାଳରେ ସେ ଏକବର୍ଷରେ ଥରେ ବାରାଣସୀକୁ ମହାଦେବ ଦର୍ଶନରେ ଆସନ୍ତି । ଆପଣ ବାରଣାସୀ ଗମନ କରନ୍ତୁ ଓ ମନ୍ଦିର ପ୍ରବେଶ ଦ୍ୱାରରେ ଋଷିଙ୍କର ଆଗମନ ଅପେକ୍ଷାରେ ରୁହନ୍ତୁ ।

 

ପୁନଶ୍ଚ ନାରଦ କହିଲେ–ହଠାତ୍‌ ତାଙ୍କୁ ଚିହ୍ନି ହେବନାହିଁ । ତାଙ୍କୁ ଚିହ୍ନିବାର ସହଜ ଉପାୟ ହେଉଛି ପ୍ରବେଶ ଦ୍ୱାର ନିକଟରେ ଏକ ଶବ ଦେହ ଦେଖିଲେ ଋଷିବର ମନ୍ଦିରରେ ପ୍ରବେଶ ନକରି ପ୍ରତ୍ୟାବର୍ତ୍ତନ କରିଥାନ୍ତି, ସେହି ସମୟରେ ଆପଣ ଜାଣିବେ ସେହି ବୃହସ୍ପତିଙ୍କ ସହୋଦର ସମ୍ବର୍ତ୍ତ । ଆପଣ ତାଙ୍କୁ ଅନୁସରଣ କରି ଅଭିପ୍ରାୟ ନିବେଦନ କରିବେ । ଯଦି ସମ୍ବର୍ତ୍ତ ମୋ ସମ୍ବାଦ ଜାଣିବାକୁ ଚାହାନ୍ତି, ଆପଣ ନିର୍ଦ୍ୱିଧାରେ କହିବେ, ମୁଁ ଅଗ୍ନିରେ ପ୍ରବେଶ କରିଅଛି ।

 

ମଋତ କୌତୂହଳୀ ହୋଇ ନାରଦଙ୍କୁ ଦୃଷ୍ଟି ନିକ୍ଷେପ କରିବାରୁ ଦେବର୍ଷି କହିଲେ–ଏହା ଏକ ଅସତ୍ୟ ଭାଷଣ ହେବନାହିଁ । କାରଣ ଏହା ଶୁଣିବା ମାତ୍ରେ ଋଷି ସଂବର୍ତ୍ତ ଯଜ୍ଞରେ ପୌରହିତ୍ୱ କର୍ମରେ ସମ୍ମତ ହେବେ ।

 

ଅତଃପର ରାଜା ମଋତ ରାଜପ୍ରାସାଦରେ ପ୍ରବେଶ ନକରି ବାରାଣସୀ ଅଭିମୁଖେ ଯାତ୍ରା କଲେ । ନାରଦଙ୍କ ନିର୍ଦ୍ଦେଶ ମତେ ମନ୍ଦିର ଦ୍ୱାର ସମ୍ମୁଖରେ ଏକ ଶବ ଦେହ ରଖି ରାଜା ମୠତ ତୀକ୍ଷ୍‌ଣ ଦୃଷ୍ଟିରେ ଇତସ୍ତତଃ ନିରୀକ୍ଷଣ କରିବାକୁ ଲାଗିଲେ । ଦିନପରେ ଦିନ ଅତିକ୍ରାନ୍ତ ହେଲେହେଁ ହତାଶ ନହୋଇ ଦେବର୍ଷିଙ୍କ ବଚନରେ ଦୃଢ଼ ପ୍ରତ୍ୟୟ ନେଇ ଋଷିବରଙ୍କ ଆଗମନ ପ୍ରତୀକ୍ଷାରେ ରହିଲେ । ଅବଶେଷରେ ଏକଦା ପ୍ରଭାତ କାଳରେ ମତ୍ତ ପ୍ରଭଞ୍ଜନ ସଦୃଶ ଦୀର୍ଘ ଜଟାଜୁଟ ଧାରୀ ତେଜଦୀପ୍ତ ଏକ ବିବସ୍ତ୍ର ପୁରୁଷକୁ ମନ୍ଦିର ପ୍ରବେଶ ଦ୍ୱାରରେ ଅଗ୍ରସର ହେବା ଦେଖିଲେ ।

 

ଦ୍ୱାର ପଥରେ ଉପନୀତ ହୋଇ ଶବ ଦେହକୁ ଦେଖି ତପସ୍ୱୀଙ୍କ ବଳିଷ୍ଠ ପଦକ୍ଷେପ ନିଶ୍ଚଳ ହୋଇଥିଲା ଓ ମୁହୂର୍ତ୍ତ ମଧ୍ୟରେ ସେ ଦ୍ରୂତ ଗତିରେ ଦ୍ୱାରର ବିପରୀତ ଦିଗକୁ ଗମନ କଲେ । ରାଜା ମୠତ ନିଃସନ୍ଦେହ ହେଲେ ଯେ ଏହି ତପସ୍ୱୀ ଋଷିବର ସଂବର୍ତ୍ତ ।

 

ଦୃଢ଼ପ୍ରତିଜ୍ଞ ରାଜା ନିର୍ଭୟରେ ସଂବର୍ତ୍ତକୁ ଅନୁସରଣ କଲେ । କିଛି ପଥ ଅତିକ୍ରମ କଲାପରେ ସଂବର୍ତ୍ତ ମଋତଙ୍କୁ ଅଗ୍ନିଦୃଷ୍ଟି ନିକ୍ଷେପ କଲେହେଁ ରାଜା ନିରୁଦ୍ୟମ ହୋଇ ନଥିଲେ । ଏହିପରି କିୟତ୍‌ ପଥ ଅତିକ୍ରାନ୍ତ ପରେ ଶ୍ରମକ୍ଳାନ୍ତ ସଂବର୍ତ୍ତ ପଥ ମଧ୍ୟରେ ଏକ ବିଶାଳ ବଟ ବୃକ୍ଷର ପାଦଦେଶରେ ବିଶ୍ରାମ ଲାଭ ନିମନ୍ତେ ଉପବେଶନ କରିବାରୁ ନାତିଦୂରରୁ ରାଜା ମଋତ ଋଷିବରଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ ।

 

ଉଚ୍ଚନିନାଦରେ ଋଷିବର କହିଲେ–ରାଜା ମଋତ, କାହିଁକି ମୋ ପଶ୍ଚାତରେ ଅନୁସରଣ କରିଅଛ ? ମୋ ନିକଟରେ ତୁମ୍ଭର କି ପ୍ରୟୋଜନ ? ମୋ ସନ୍ଧାନ ତୁମକୁ କିଏ ସେ ଦେଲା ?

 

ରାଜା ମଋତ କହିଲେ–ଆପଣଙ୍କ ସନ୍ଧାନ ଦେବର୍ଷି ନାରଦ ଦେଲେ ।

 

ସଂବଦ୍ଧ–ଦେବର୍ଷି କିପରି ଅଛନ୍ତି ? କେଉଁଠାରେ ଅଛନ୍ତି ?

 

ମଋତ କହିଲେ–ମୋତେ ଆପଣଙ୍କ ସନ୍ଧାନ ଦେଇ ଦେବର୍ଷି ଅଗ୍ନିରେ ପ୍ରବେଶ କରିଅଛନ୍ତି ।

 

ଏହା ଶ୍ରବଣ କରିବା ମାତ୍ରେ ଋଷିବରଙ୍କ ମୁଖମଣ୍ଡଳରେ ରୁଦ୍ର ରୂପ ମୁହୂର୍ତ୍ତକ ମଧ୍ୟରେ ଦୀପ୍ତିମୟ ହୋଇ ଉଠିଲା ।

 

ପରମୁହୂର୍ତ୍ତରେ ଋକ୍ଷ କଣ୍ଠରେ କହିଲେ–ମୁଁ ବାୟୁରୋଗଗ୍ରସ୍ତ । ଉନ୍ମାଦ ଓ ବିକୃତ ରୁଚି ସମ୍ପନ୍ନ । କାହିଁକି ମୋତେ ଯଜ୍ଞ କର୍ମରେ ନିୟୋଗ କରିବ ? ମୋର ଭ୍ରାତା ବୃହସ୍ପତି ଦେବରାଜଙ୍କ ପୁରୋହିତ । ସେ ଯେପରି ସୁନିପୁଣ ଭାବରେ ଯଜ୍ଞ କରିପାରିବେ, ମୁଁ ସେପରି କରିପାରିବି ନାହିଁ । କାହିଁକି ବୃହସ୍ପତିଙ୍କ ଶରଣାର୍ଥୀ ନ ହୋଇ ମୋତେ ଅନୁସରଣ କରୁଅଛ ?

 

ରାଜାମଋତ କହିଲେ–ମୁଁ ବୃହସ୍ପତିଙ୍କ ଠାରୁ ନିରାଶ ହୋଇଅଛି । ମୋର ଯଜ୍ଞ କର୍ମ ନ କରିବାକୁ ସେ ଦେବରାଜ ଇନ୍ଦ୍ରଙ୍କ ଠାରେ ପ୍ରତିଶ୍ରୂତିବଦ୍ଧ । ଦେବଯଜ୍ଞରେ ସେ ବ୍ରତୀ ହୋଇଥିବାରୁ, ମୋର ଯଜ୍ଞ କର୍ମକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ମୁଁ ଆପଣଙ୍କ ଯଜମାନ ଓ ଶରଣାର୍ଥୀ । ମୋତେ ସାହାଯ୍ୟ ନକଲେ ମୋର ପ୍ରଭୂତ ଅକଲ୍ୟାଣ ହେବ ।

 

ସଂବର୍ତ୍ତ–ଯଜମାନର କଲ୍ୟାଶ ସାଧନହିଁ ପୁରୋହିତର ବ୍ରତ । ବଂଶ ପରମ୍ପରାରେ ତୁମେ ମୋର ଯଜମାନ, କିନ୍ତୁ ବୃହସ୍ପତି ମୋର ଅଗ୍ରଜ, ତାଙ୍କର ଅନୁମତି ବ୍ୟତୀତ ମୁଁ ଏହି କର୍ମରେ ବ୍ରତୀ ହୋଇପାରିବି ନାହିଁ । ତୁମେ ଯାଇ ମୋ ଅଗ୍ରଜଙ୍କଠାରୁ ଅନୁମତି ଆଣ ।

 

ମଋତ–ଦେବଗୁରୁ ବୃହସ୍ପତି, ଦେବ ସାନ୍ନିଧ୍ୟ ଲାଭ କରି, ମୁଁ ଯଜମାନ ହେଲେ ମଧ୍ୟ ମୋର ଯଜ୍ଞକୁ ମନୁଷ୍ୟ ଯଜ୍ଞ କର୍ମ ଜ୍ଞାନରେ ପରିହାର କରିଅଛନ୍ତି । ସେ ମୋତେ ସ୍ପଷ୍ଟ ଭାଷାରେ କହିଛନ୍ତି, ଅନ୍ୟ ପୁରୋହିତ ଦ୍ୱାରା କର୍ମ ସମ୍ପାଦନ କର । ଏହାପରେ ଅନୁମତିର ପ୍ରୟୋଜନ ଅଛି କି-? ଅବଶ୍ୟ ଆପଣଙ୍କର ଆଦେଶ ମୋର ଶିରୋଧାର୍ଯ୍ୟ । କିନ୍ତୁ ମୋର ମନ ଏହି ଆଦେଶ ପାଳନକୁ ସମର୍ଥନ କରୁନାହିଁ ।

 

ସଂବର୍ତ୍ତ–ଅଗ୍ରଜ ବୃହସ୍ପତି ଦେବଗୁରୁ ପଦରେ ବୃତ୍ତ ହୋଇଛନ୍ତି ଓ ମନୁଷ୍ୟ କର୍ମକୁ ଅବଜ୍ଞା ସହିତ ପ୍ରତ୍ୟାଖ୍ୟନ କରିଛନ୍ତି, ଅତଏବ ତୁମ୍ଭର ମାନସିକତା ଅସାର ନୁହେଁ । ତୁମର ଯଜ୍ଞ କର୍ମ ଦେବରାଜ ଇନ୍ଦ୍ରଙ୍କର ଅଭିପ୍ରେତ ନୁହେଁ ।

 

କିୟତ୍‌କାଳ ନିଶ୍ଚୁପ ରହି ମୁନିବର ପୁନଶ୍ଚ କହିଲେ–କିନ୍ତୁ ଏକ ସର୍ତ୍ତରେ ମୁଁ ତୁମ୍ଭର ଯଜ୍ଞ କରିବି ।

 

ମଋତ–ଆଦେଶ କରନ୍ତୁ ।

 

ସଂବର୍ତ୍ତ–ମୋର ଯଜ୍ଞ କର୍ମରେ ଯୁଗପତ୍‌ ମୋର ଅଗ୍ରଜ ଓ ଦେବରାଜ ଇନ୍ଦ୍ର ପରାଭୂତ ହେବେ । ଅସହ୍ୟ ଜ୍ୱାଳାରେ ଯଜ୍ଞ କର୍ମ କାଳରେ, ସେମାନେ ଭୀଷଣ ହୋଇ ଉଠିବେ । କିନ୍ତୁ ତୁମେ ଆସ୍ଥା ଓ ଶ୍ରଦ୍ଧା ସହକାରେ ମୋ ପାର୍ଶ୍ୱରେ ସ୍ଥିର ହୋଇ ରହିବ । ଯଦି ସେହି ସମୟରେ ତୁମକୁ ବିଚଳିତ ହେବାର ମୁଁ ଦେଖିବି, ତାହେଲେ ମୋର ରୋଷାଗ୍ନିରେ ସବଂଶେ ତୁମେ ଭସ୍ମୀଭୂତ ହେବ ।

 

ମଋତ–ଆପଣ ନିଶ୍ଚିନ୍ତ ରୁହନ୍ତୁ ।

 

ସଂବର୍ତ୍ତ–ତୁମକୁ ଅଦ୍ଭୂତପୂର୍ବ ସୁବର୍ଣ୍ଣଯୁକ୍ତ ଯଜ୍ଞ କରିବାକୁ ହେବ, କିନ୍ତୁ ରାଜକୋଷରେ ଏତେ ପରିମାଣ ସୁବର୍ଣ୍ଣ କେଭେ ନଥିବ । ଅତଏବ ହିମାଳୟ ପୃଷ୍ଠଦେଶରେ ‘ମୁଞ୍ଜବାନ’ ପର୍ବତ ଉମା–ମହେଶ୍ୱରଙ୍କର ତପସ୍ୟା କ୍ଷେତ୍ର । ଧନାଧିପ କୁବେରଙ୍କର ବିକଟାକାୟ ଅନୁଚର ବୃନ୍ଦ ସେହି ପର୍ବତ ପ୍ରଦେଶରେ ରକ୍ଷିତ ଅସରନ୍ତି ସୁବର୍ଣ୍ଣକୁ ସଯତ୍ନରେ ରକ୍ଷା କରୁଛନ୍ତି । ତୁମେ ସେହି ଜରା, କ୍ଷୁଧା, ମୃତ୍ୟୁ ଭୟହୀନ ପର୍ବତ ପ୍ରଦେଶକୁ ଗମନ କର ଓ ଭଗବାନ ମହାଦେବଙ୍କୁ ନାମ ସ୍ତବରେ ତୁଷ୍ଟ କରି ପାରିଲେ, ଆଶୁତୋଷଙ୍କ କୃପାରେ କୁବେରଙ୍କ ଅନୁଚର ବୃନ୍ଦ ନିଷ୍କ୍ରିୟ ହୋଇ ପ୍ରତି ସୁବର୍ଣ୍ଣ ଖଣି ମୁଖ ତୁମ ନିମନ୍ତେ ପ୍ରଶସ୍ତ କରିଦେବେ, ଅତଃପର ତୁମେ ସେହି ବିପୁଳ ସୁବର୍ଣ୍ଣ ରାଶି ଲାଭ କରି ଅଭୀଷ୍ଟ ସିଦ୍ଧି ଲାଭ କରିବ ।

 

କାଳବିଳମ୍ବ ନକରି ରାଜା ମଋତ’ ମୁଞ୍ଜବାନ ପର୍ବତାଭିମୁଖେ ଯାତ୍ରା କଲେ । ଇତିମଧ୍ୟରେ ଗୁପ୍ତଚର ମୁଖରେ ଦେବରାଜ ସମୂହ ସଂବାଦ ଅବଗତ ହୋଇଥିଲେ । ସଂବର୍ତ୍ତଙ୍କର ପରାକ୍ରମ ପୂର୍ବରୁ ବୃହସ୍ପତିଙ୍କର ଜ୍ଞାତ ଥିଲା । ମଋତଙ୍କ ଯଜ୍ଞ କର୍ମରେ କନିଷ୍ଠ ଭ୍ରାତା ଋତ୍ୱିକ ହେବାର ବାର୍ତ୍ତା ଶ୍ରବଣ କରି, ବୃହସ୍ପତି ମାନସିକ ଅବସାଦଗ୍ରସ୍ତ ହେଲେ । କିନ୍ତୁ ଅବିଚଳିତ ଦେବରାଜ, ବୃହସ୍ପତିଙ୍କ ସମୀପରେ ଉପନୀତ ହୋଇ କହିଲେ–ବିଦ୍ୟା ବୁଦ୍ଧି ବଳରେ ଦେବ-ସୌଭାଗ୍ୟ ସଂରକ୍ଷଣକାରୀ, ଆପଣ ଦେବସମ-ସୌଭାଗ୍ୟବାନ । ମୃତ୍ୟୁକୁ ଜୟକରି ଆପଣ ମୃତ୍ୟୁଞ୍ଜୟୀ ହୋଇଛନ୍ତି । ଆପଣ ଉଦ୍‌ବିଗ୍ନ ହେବାର କୌଣସି ଗୁରୁତର କାରଣ ଥିଲେ, ତାହା ନିଃସଂକୋଚରେ ପ୍ରକାଶ କରନ୍ତୁ । ମୁଁ ସେହି ‘କାରଣ’ର ମୂଳୋଚ୍ଛେଦ କରିବି ।

 

ବୃହସ୍ପତି–ରାଜା ମଋତ ମର୍ତ୍ତ୍ୟଲୋକରେ ମୋର କନିଷ୍ଠ ଭ୍ରାତା ସଂବର୍ତ୍ତ ଦ୍ୱାରା ଅଶ୍ୱମେଧ ଯଜ୍ଞ କରିବାକୁ ଉଦ୍ୟତ ହୋଇଛନ୍ତି । ସେହି ଯଜ୍ଞ କର୍ମ ନିମନ୍ତେ ପ୍ରଭୂତ ସୁବର୍ଣ୍ଣ ଓ ଧନରାଶି ସଂଗୃହୀତ ହୋଇ ସାରିଛି ।

 

ଦେବରାଜ–ମୁଁ ଏହି ବିଷୟରେ ଜ୍ଞାତ ହୋଇ ସାରିଛି । ଦେବଶକ୍ତିର ପରିଚୟ ମନୁଷ୍ୟର ଅଜ୍ଞାତ । ଅତଏବ ଆପଣ ଉଦ୍‌ବିଗ୍ନ ହେବା ନିଷ୍ପ୍ରୟୋଜନ ।

 

ବୃହସ୍ପତି–ଦେବରାଜ, ଏହି ଯଜ୍ଞ କର୍ମରେ ସଂବର୍ତ୍ତ’ ରୁତ୍ୱିକ ହେବାର ସଂବାଦ ଶୁଣି ମୁଁ ବିଶେଷ ଉଦ୍‌ବିଗ୍ନ ।

 

ଦେବରାଜ–କିନ୍ତୁ ସଂବର୍ତ୍ତ ଅମର ନୁହନ୍ତି । ତାଙ୍କର ପରମାୟୁ ଦେବାଧୀନ ।

 

ଅତଏବ ଆପଣଙ୍କର ମାନସିକ ଶାନ୍ତି ଲାଭ ନିମନ୍ତେ, ମୁଁ କଣ କରିବି ଆଦେଶ କରନ୍ତୁ-

 

ବୃହସ୍ପତି–ରାଜା ମଋତଙ୍କର ଏହି ଅଶ୍ୱମେଧ ଯଜ୍ଞ ବନ୍ଦ କରିବାକୁ ହେବ ।

 

ଦେବରାଜ–ଆପଣ ନିଶ୍ଚିନ୍ତ ରୁହନ୍ତୁ । ସେହି ଦାୟିତ୍ୱ ମୁଁ ଗ୍ରହଣ କଲି । କିନ୍ତୁ ମୁଁ ଯାହା କହିବି, ଆପଣ ତାହା କରିବେ ତ ?

 

ବୃହସ୍ପତି–ଅବଶ୍ୟ କରିବି । ଆମ ଉଭୟଙ୍କର ମଙ୍ଗଳ ନିମନ୍ତେ ଆପଣ ଯାହା କହିବେ, ମୁଁ ତାହା କରିବି ।

 

ଦେବରାଜ–ତାହାଲେ ରାଜା ମରୁତର ଏହି ଯଜ୍ଞ କର୍ମରେ ଆପଣ ପୌରୋହିତ୍ୟ କରନ୍ତୁ । ସେହିପରି ବ୍ୟବସ୍ଥା ମୁଁ କରୁଅଛି ।

 

ଅତଃପର ଦେବରାଜ ଅଗ୍ନିଦେବଙ୍କୁ ନିକଟକୁ ଡାକି କହିଲେ–ଦେବଗୁରୁଙ୍କ ସହିତ ଆପଣ ରାଜା ମରୁତଙ୍କ ପାଖକୁ ଯାଆନ୍ତୁ । ମୋର ଅନୁରୋଧ ଜ୍ଞାପନ କରି ରାଜାଙ୍କୁ କହିବେ, ବୃହସ୍ପତି ରାଜାଙ୍କର ଅଶ୍ୱମେଧ ଯଜ୍ଞ କର୍ମରେ ଋତ୍ୱିଜ ହେବେ । ଯଜ୍ଞ କର୍ମରେ ରାଜା ବୃହସ୍ପତିଙ୍କୁ ବରଣ କଲେ, ନର ଦେହରେ ରାଜା ମରୁତ ଅମରତ୍ୱ ଓ ଅମରଲୋକ ପ୍ରାପ୍ତ ହେବେ ।

 

ରାଜା ମରୁତଙ୍କର ଯଜ୍ଞ କର୍ମ ନିମନ୍ତେ ସୁବର୍ଣ୍ଣ ସଂଗ୍ରହ ସମାପ୍ତ ହୋଇଥିଲା । ଅନ୍ୟାନ୍ୟ ଦ୍ରବ୍ୟ ସାମଗ୍ରୀ ମଧ୍ୟ ସୁପ୍ରଚୁର ଆୟୋଜନ ହୋଇଥିଲା । ଯଜ୍ଞକର୍ମ ଶୁଭାରମ୍ଭ ନିମନ୍ତେ ସମସ୍ତେ ସଂବର୍ତ୍ତଙ୍କ ଆଦେଶ ଅପେକ୍ଷାରେ ଥିଲେ । ଏହି ସମୟରେ ଅଗ୍ନିଦେବ, ଦେବଗୁରୁ ବୃହସ୍ପତିଙ୍କ ସହ ରାଜା ମରୁତଙ୍କ ସମୀପରେ ଉପସ୍ଥିତ ହେଲେ । ସଂବର୍ତ୍ତ ମଧ୍ୟ ସେହି ସମୟରେ ରାଜନ୍‌ଙ୍କ ପାର୍ଶ୍ୱରେ ଉପବିଷ୍ଟ ଥିଲେ ।

 

ସହସା ଅଗ୍ନିଦେବ ଓ ଦେବଗୁରୁ ବୃହସ୍ପତିଙ୍କୁ ଦେଖି, ରାଜା ମରୁତ ଉଭୟଙ୍କୁ ସାଦର ଅଭ୍ୟର୍ଥନା ଜ୍ଞାପନ କରି, ଦେବରାଜଙ୍କ କୁଶଳ ସମ୍ବାଦ ଜିଜ୍ଞାସା କଲେ ।

 

ଅଗ୍ନିଦେବ କହିଲେ–ମହାଭାଗ ! ଦେବରାଜ ସୁସ୍ଥ ଅଛନ୍ତି । କିନ୍ତୁ ସେଠାରୁ ଏକ ବାର୍ତ୍ତାନେଇ ଦେବଗୁରୁଙ୍କ ସହିତ ମୁଁ ଏଠାକୁ ଆସିଅଛି ।

 

ମଋତ–କି ବାର୍ତ୍ତା ! ଅଗ୍ନିଦେବ ?

 

ଅଗ୍ନିଦେବ–ଦେବରାଜଙ୍କ ଅନୁରୋଧ, ଆପଣ ଏହି ମହତୀ ଯଜ୍ଞରେ ସୁରଗୁରୁ ବୃହସ୍ପତିଙ୍କୁ ପୌରୋହିତ୍ୟ ପଦରେ ବରଣ କରନ୍ତୁ ।

 

ମଋତ–ଏହା କରିବାଦ୍ୱାରା କଣ ଲାଭ ହେବ ?

 

ଅଗ୍ନିଦେବ–ଦେବରାଜ ପ୍ରୀତ ହୋଇ ଆପଣଙ୍କୁ ଅମରତ୍ୱ ପ୍ରଦାନ କରିବେ ।

 

ମଋତ–କିନ୍ତୁ ଏପରି କର୍ମ ବର୍ତ୍ତମାନ ମୋ କ୍ଷେତ୍ରରେ କରିବା ସମ୍ଭବ ନୁହେଁ । ମୁଁ ପୂର୍ବରୁ ମୋର କୁଳଗୁରୁ ବୃହସ୍ପତିଙ୍କର ଶରଣାପନ୍ନ ହୋଇଥିଲି । କିନ୍ତୁ ନିଦାରୁଣ ଭାବରେ ପ୍ରତ୍ୟାଖ୍ୟାତ ହୋଇ ମହର୍ଷି ସଂବର୍ତ୍ତକୁ ଋତ୍ୱିକ ପଦରେ ବରଣ କରି ସାରିଛି । ମୁଁ ଏପରି ସତ୍ୟଭ୍ରଷ୍ଟ ଓ ନୀତିଭ୍ରଷ୍ଟ ହୋଇପାରିବି ନାହିଁ । ବୃହସ୍ପତି ଦେବଗଣଙ୍କର ଯାଜନ କର୍ମ କରୁଛନ୍ତି । ଅତଏବ ମୋ ଯଜ୍ଞ କର୍ମରେ ତାଙ୍କର ସମ୍ମାନ ହାନି ହେବାର ଆଶଙ୍କା ଅଛି ।

 

ଅଗ୍ନିଦେବ–ଦେବରାଜ ! ଆପଣଙ୍କର ମିତ୍ର । ଅତଏବ ସୁଚିନ୍ତା କରି ସିଦ୍ଧାନ୍ତ ନିଅନ୍ତୁ । ଦେବରାଜଙ୍କ ନିର୍ଦ୍ଦେଶ ଏହି ଯେ ବୃହସ୍ପତିଙ୍କୁ ଆପଣଙ୍କ ଯଜ୍ଞ କର୍ମରେ ବ୍ରତୀ କରିଲେ ଆପଣ ଅମରତ୍ୱ ଲାଭ କରିବେ ଓ ଯେକୌଣସି ଅମର ଲୋକର ଅଧିଶ୍ୱର ହେବେ । ପୃଥିବୀପତି, ଅମର ପଦ ଲାଭଠାରୁ ଅଧିକ ସୌଭାଗ୍ୟଜନକ ଆଉ କଣ ହୋଇପାରେ ?

 

ଏପର୍ଯ୍ୟନ୍ତ ସଂବର୍ତ୍ତ ନୀରବ ରହି ଉଭୟଙ୍କର ଆଳାପଚାରିତା ଶୁଣୁଥିଲେ । ଅତଃପରେ ରାଜାଙ୍କୁ ଅଧିକ କିଛି କହିବାର ସୁଯୋଗ ନଦେଇ ସେ ବଜ୍ର ଗମ୍ଭୀର କଣ୍ଠରେ ଅଗ୍ନିଦେବଙ୍କୁ କହିଲେ–ଯଦି ନିଜର ମଙ୍ଗଳ କାମନା କର, ତାହେଲେ ବୃହସ୍ପତିଙ୍କ ସହ ଅଚିରେ ଏଠାରୁ ବିଦାୟ ନିଅ । ପୁନଶ୍ଚ ଏଠାକୁ ଆସିବାକୁ ପ୍ରୟାସ କଲେ ମୋର ରୋଷୋଗ୍ନିରେ ତୁମେ ଭସ୍ମୀଭୂତ ହେବ ।

 

କୌଣସି ଉଚ୍ଚବାଚ୍ୟ ନ କରି ଅଗ୍ନିଦେବ ତତ୍‌କ୍ଷଣାତ୍‌ ସେହି ସ୍ଥାନ ତ୍ୟାଗ କଲେ ।

 

ଅଗ୍ନିଦେବଙ୍କୁ ପ୍ରତ୍ୟାଗତ ହେବାର ଦେଖି ଦେବରାଜ କହିଲେ, ତୁମର ପ୍ରଥମ ପ୍ରୟାସ ବ୍ୟର୍ଥ ହୋଇଛି । କିନ୍ତୁ ହତାଶ ନ ହୋଇ ସୁରଗୁରୁଙ୍କ ସହ ପୁନଶ୍ଚ ଗମନ କର । ରାଜା ମଋତ ସମ୍ମତ ହେବାକୁ ବାଧ୍ୟ ହେବେ, ନଚେତ୍‌ମୁଁ ତାଙ୍କୁ ପ୍ରଭୁତି ଶାସ୍ତିରେ ଜର୍ଜ୍ଜର କରିବି ।

 

ଅଗ୍ନିଦେବ କହିଲେ–ଦେବରାଜ ! ବ୍ରହ୍ମତେଜରେ ଦୀପ୍ତିମାନ ସଂବର୍ତ୍ତଙ୍କର ସମ୍ମୁଖୀନ ହେବାକୁ ମୋର ସାହସ ନାହିଁ । ମୁଁ ଅଗ୍ନିଦେବ ହୋଇ ମଧ୍ୟ ଋଷିଙ୍କ ରୋଷବହ୍ନିରେ ବିନଷ୍ଟ ହେବାକୁ ସମ୍ମତ ନୁହେଁ । ଆପଣ ସେହି ବ୍ରହ୍ମତେଜକୁ ଉପେକ୍ଷା କରି ପାରିବେ କି ? ପୂର୍ବରେ ଏହିରୂପ ବ୍ରାହ୍ମଣ ତେଜକୁ ଉପେକ୍ଷା କରି, ଆପଣ ବୃତ୍ରାସୁର କବଳିତ ହୋଇଥିଲେ । ମହର୍ଷି ଚ୍ୟବନଙ୍କ ଯଜ୍ଞରୁ ଆବିର୍ଭୁତ ମଦ’ ରାକ୍ଷସ ହସ୍ତରୁ ନିଜକୁ ରକ୍ଷା କରିବା ନିମନ୍ତେ ଅଶ୍ୱିନୀ କୁମାର ଦ୍ୱୟଙ୍କ ସହିତ ଏକତ୍ର ସୋମରସ ପାନ କରି ନିଜ ସଂକଳ୍ପରୁ ବିଚ୍ୟୁତ ହୋଇଥିଲେ । ମୋତେ ମାର୍ଜ୍ଜନା କରନ୍ତୁ । ଅନ୍ୟ କୌଣସି ଦେବତାଙ୍କୁ ଆପଣ ସେହିଠାକୁ ପ୍ରେରଣ କରନ୍ତୁ ।

 

ଚିନ୍ତାନ୍ୱିତ ହୋଇ ଦେବରାଜ କହିଲେ–ତୁମ୍ଭର ଯୁକ୍ତି ଅବଶ୍ୟ ସ୍ୱୀକାର୍ଯ୍ୟ । କିନ୍ତୁ ମୋ ପକ୍ଷରେ ନିଶ୍ଚେଷ୍ଟ ହେବା ଅସମ୍ଭବ । ଅତଃପର ଗନ୍ଧର୍ବ ‘ଧୃତରାଷ୍ଟ୍ର’ଙ୍କୁ ଆହ୍ୱାନ କରି ଦେବରାଜ କହିଲେ, ସୁରଗୁରୁ ସହ ରାଜା ମଋତଙ୍କ ନିକଟକୁ ଗମନ କର । ରାଜାଙ୍କୁ କହିବ ମୋ ପ୍ରସ୍ତାବରେ ସମ୍ମତ ନହେଲେ, ମୋର ବଜ୍ରାଘାତ ନିମନ୍ତେ ପ୍ରସ୍ତୁତ ରହିବେ ।

 

ଇନ୍ଦ୍ରାଦେଶରେ ଗନ୍ଧର୍ବ ଧୃତରାଷ୍ଟ୍ର ସୁରୁଗୁରୁଙ୍କ ସହ ରାଜା ମଋତଙ୍କୁ ଦେବରାଜଙ୍କ ଆଦେଶ ନିବେଦନ କଲେ ।

 

ଦୃକ୍‌ପାତ ନକରି ରାଜା ମଋତ କହିଲେ–ସୁରଗୁରୁ ବୃହସ୍ପତି ଦେବଗଣଙ୍କ ଯଜ୍ଞକାରୀ । ମୋର ଏହି ଯଜ୍ଞ ବ୍ରାହ୍ମଣଶ୍ରେଷ୍ଠ ସଂବର୍ତ୍ତ ହିଁ କରିବେ ।

 

ଅତଃପର ରାଜା ମଋତ ପ୍ରଚଣ୍ଡ ପବନ ସହ ନଭଃମଣ୍ଡଳ ବିଦୀର୍ଣ୍ଣକାରୀ ବଜ୍ରର ନିର୍ଘୋଷ ନିନାଦ ହୁଙ୍କାର ଶ୍ରବଣ କଲେ । ଭୀତତ୍ରସ୍ତ ମଋତ, ମୁନି ସଂବର୍ତ୍ତଙ୍କର ଶରଣାପନ୍ନ ହୋଇ କହିଲେ-ମହାଭାଗ, ଏହି ବିପଦରୁ ମୁକ୍ତ କରନ୍ତୁ ।

 

ସଂବର୍ତ୍ତ–ଦଶ ଦିଗରେ ବଜ୍ରପାତ ହେଲେହେଁ, ଝଡ଼ ତୋଫାନ ଓ ପ୍ଳାବନରେ ଏହି ବନପ୍ରଦେଶ ଜଳମଗ୍ନ ହେଲେହେଁ, ତୁମେ ଭୀତ ହୁଅ ନାହିଁ । ନିଜକୁ ସଂଯତ କର । ମୁଁ ଯଜ୍ଞାରମ୍ଭ କରୁଅଛି । ମୁଁ ସେହିମାନଙ୍କ ଉଦ୍ଦେଶ୍ୟରେ ହିଁ ପ୍ରଥମ ଯଜ୍ଞ କର୍ମ କରିବି ।

 

ମଋତ–ଏହି ଯଜ୍ଞରେ ଦେବରାଜଙ୍କ ସହ ଦେବଗଣ ଉପସ୍ଥିତ ନହେଲେ ମୋର ଯଜ୍ଞ କର୍ମ ଅସମ୍ପୂର୍ଣ୍ଣ ହେବ । ଅତଏବ ମୋର ପ୍ରାର୍ଥନା ଇନ୍ଦ୍ରଦେବଙ୍କୁ ଉପସ୍ଥିତ ହେବା ନିମନ୍ତେ ଯଜ୍ଞରେ ଆମନ୍ତ୍ରଣ କରନ୍ତୁ ଓ ସେହି ହର୍ବି ଭାଗ ଗ୍ରହଣ କରନ୍ତୁ । ଅପରାପର ଦେବଗଣ ମଧ୍ୟ ଆମନ୍ତ୍ରିତ ହୋଇ ନିଜ ନିଜ ଆସନରେ ଉପସ୍ଥିତ ରହି ସୋମରସ ପାନ କରନ୍ତୁ ।

 

ସଂବର୍ତ୍ତ–ତୁମ୍ଭର ମନୋସ୍କାମନା ପୂର୍ଣ୍ଣ ହେଉ । ଅତଃପର ସଂବର୍ତ୍ତ ଏକ ଏକ ଦେବତାଙ୍କ ଉଦ୍ଦେଶ୍ୟରେ ଏକ ଏକ ଆବାହନି ମନ୍ତ୍ର ଉଚ୍ଚାରଣ କରିବାକୁ ଲାଗିଲେ । ପ୍ରକୃତି ଶାନ୍ତ ହୋଇଗଲା-। ଯେପରି ବଂଶୀ ସୁରରେ ଆକୃଷ୍ଟ ହୋଇ ସର୍ପ ଗର୍ତ୍ତ ମଧ୍ୟରୁ ନିର୍ଗତ ହୋଇଥାଏ ଏବଂ ଯେପରି ସୁବେଶୀ କାମମୋହିତା କାମିନୀ ପୁରୁଷଙ୍କୁ ଆକର୍ଷଣ କରିଥାଏ, ସେହିପରି ଆବାହନ ମନ୍ତ୍ର ଆକର୍ଷଣରେ ଆକର୍ଷିତ ହୋଇ, ଦେବରାଜ ଇନ୍ଦ୍ରଙ୍କ ସହ ଅମରଲୋକବାସୀ ଦିଗପାଳ, ଦେବବୃନ୍ଦ ସେହି ଯଜ୍ଞ ଭୂମିରେ ସମବେତ ହେଲେ ।

 

ଦେବରାଜଙ୍କୁ ଦେଖି ଆପ୍ଳୁତ କଣ୍ଠରେ ରାଜା ମଋତ କହିଲେ- ଯଦି ଆପଣ ଏଠାରେ ଆଗମନ ପୂର୍ବକ ଅନୁଗ୍ରହ ପ୍ରକାଶ କରିଅଛନ୍ତି, ତାହେଲେ ମୋର ସ୍ୱହସ୍ତ ପ୍ରସ୍ତୁତ ‘ସୋମରସ’ ପାନ କରନ୍ତୁ । ଅତଃପର ସଂବର୍ତ୍ତଙ୍କୁ ନିର୍ଦ୍ଦେଶ କରି ସମବେତ ଦେବଗଣଙ୍କ ଉଦ୍ଦେଶ୍ୟରେ ରାଜା ମଋତ କହିଲେ ମୁଁ ଏହି ଯଜ୍ଞରେ ଋଷିବର ସଂବର୍ତ୍ତଙ୍କୁ ପୌରୋହିତ୍ୟ ପଦରେ ବରଣ କରିଅଛି ।

 

ଦେବରାଜ ମଋତଙ୍କ ବଚନ ନିର୍ଦ୍ଧାରଣ କରି କହିଲେ–ମୁଁ ଏହି ତେଜସ୍ୱୀ ମହାଦେବଙ୍କୁ ଜାଣିଛି । ମୋର ପୂର୍ବ ଦ୍ୱେଷ ଓ ନିର୍ବାପିତ ହୋଇଅଛି । ମୋତେ ମିତ୍ର ଜ୍ଞାନରେ ଗ୍ରହଣ କରନ୍ତୁ ।

 

ଇନ୍ଦ୍ରଙ୍କ ବଚନ ଶୁଣି ସଂବର୍ତ୍ତ କହିଲେ–ଦେବରାଜ, ଯଦି ଆପଣ ସନ୍ତୁଷ୍ଟ ଚିତ୍ତରେ ରାଜା ମଋତଙ୍କ ମିତ୍ର ଜ୍ଞାନ କରିଛନ୍ତି, ତାହେଲେ ଆପଣ ଦେବଗଣଙ୍କ ନିମନ୍ତେ ଯଜ୍ଞ ଭାଗ ନିର୍ଣ୍ଣୟ କରି ଯଜ୍ଞ କର୍ମ ଯେପରି ସଫଳ ଓ ସମ୍ପୂର୍ଣ୍ଣ ହେବ, ସେହି ବିଷୟରେ ଆଦେଶ ଓ ଉପଦେଶମାନ ଦିଅନ୍ତୁ-

 

ସଂବର୍ତ୍ତଙ୍କ ବଚନ ସମାପ୍ତି ମାତ୍ରେ ଦେବରାଜ, ସୁରଗଣଙ୍କୁ ଆମନ୍ତ୍ରଣ କରି, ତତ୍‌କ୍ଷାଣାତ୍‌ ଯଜ୍ଞ କର୍ମ ସୁବଣ୍ଟନ କରି ଅଭୂତପୂର୍ବ ଅତିଥିଶାଳାମାନ, ରତ୍ନୋଜ୍ୱଳ ସଭାଗୃହ, ରଙ୍ଗମଞ୍ଚ ଓ ଏକ ସ୍ୱର୍ଗ ସଦୃଶ ଯଜ୍ଞଶାଳା ନିର୍ମାଣ କରାଇଲେ । ହୋମ କୁଣ୍ଡ ପ୍ରଜ୍ଜ୍ୱଳିତ ହେଲା । ଦେବଗଣ ‘ହବି’ ଗ୍ରହଣ କରି ଏକତ୍ର ସୋମରସ ପାନ କଲେ ।

 

ଅବଶେଷରେ ଦେବରାଜ ରାଜା ମଋତଙ୍କ ସହ ସଖ୍ୟତା ବନ୍ଧନରେ ଆବଦ୍ଧ ହୋଇ, ଦିଗପାଳ ସହିତ ଅମରାବତୀଙ୍କୁ ପ୍ରସ୍ଥାନ କଲେ । ଅକାତର ସୁବର୍ଣ୍ଣ ଦାନରେ ଦ୍ୱିଜଗଣ ପ୍ରସନ୍ନ ଚିତ୍ତରେ ବିଦାୟ ନେଲେ ।

 

ଅବଶିଷ୍ଟ ଅସରନ୍ତି ସୁବର୍ଣ୍ଣ ନିଃଶେଷ ନ ହେବାରୁ ସ୍ତ୍ରାପାକାର ହୋଇ ସେହି ବନଭୂମିରେ ରହିଥିଲା ।

 

କୁରୁକ୍ଷେତ୍ର ଯୁଦ୍ଧ ଶେଷରେ ବିନଷ୍ଟ ଧନ ସମ୍ପଦ ଓ ଶୂନ୍ୟ କୋଷାଗାର ଦର୍ଶନରେ କୁନ୍ତୀ ନନ୍ଦନ ଯୁଧିଷ୍ଠିର ‘ବେଦବ୍ୟାସ’ଙ୍କ ପରାମର୍ଶ କ୍ରମେ ବନଭୂମି ଗଚ୍ଛିତ ସେହି ଅଜ୍ଞାତ ଧନ ସମ୍ପଦ ଆହରଣ କରି ଅଭୀଷ୍ଟ ଅଶ୍ୱମେଧ ଯଜ୍ଞ କରିଥିଲେ ।

Image

 

ଘଣ୍ଟାକର୍ଣ୍ଣ–ଶ୍ରୀକୃଷ୍ଣ ସମ୍ବାଦ

 

(ଏହି ଆଖ୍ୟାୟିକାରେ ମାଂସାଶୀ ପିଶାଚ ଘଣ୍ଟାକର୍ଣ୍ଣ କିପରି ସରଳତା ଓ ନିର୍ମଳ ଅନ୍ତଃକରଣ ଯୋଗୁଁ ଶ୍ରୀବିଷ୍ଣୁ ଦର୍ଶନ କରି ମୁକ୍ତ ହୋଇଥିଲେ ତାହା ବର୍ଣ୍ଣନା କରାହୋଇଛି ।)

 

ଏକଦା ବଦରିକା ଆଶ୍ରମରେ ମହାତେଜୋ-ମହାତପୋ ନର-ନାରାୟଣ ଋଷିଦ୍ୱୟ କଳକଳ ନିନାଦିନୀ ଗଙ୍ଗାର ଉତ୍ତରଦିଗସ୍ଥ ଶାନ୍ତ ସମାହିତ ଏକ ତପୋବନ ଆଶ୍ରମରେ ବାସ କରୁଥିଲେ । ହୋମାଗ୍ନିର ପୂତଗନ୍ଧମୟ ଶାନ୍ତ ପରିବେଶରେ ସେହି ତପୋବନସ୍ଥ ଅନ୍ୟ ଋଷିଗଣ ସଦା ତପସ୍ୟା ନିରତ ଥିଲେ ।

 

ଏକଦା ଯଦୁକୁଳ ଶିରୋମଣି, ବୃଷ୍ଣିବଂଶ ଗୌରବ–ଶ୍ରୀକୃଷ୍ଣ, କୈଳାସରେ ଦ୍ୱାଦଶ ବର୍ଷ ବ୍ୟାପୀ ତପସ୍ୟା ମଗ୍ନ ରହିବା ନିମନ୍ତେ ସ୍ଥିର କଲେ । ଶ୍ରୀକୃଷ୍ଣଙ୍କ ଏବଂ ବିଧ ବାସନାରେ ଯଦୁକୁଳ ବିସ୍ମିତ ହୋଇଥିଲେ, କାରଣ ସେ ସ୍ୱୟଂ ଶକ୍ତିମାନ, ଜଗତ୍‌ପୂଜ୍ୟ, ଜୀବକୁଳପୂଜ୍ୟ ଓ ଜଗତ୍‌ ବନ୍ଦିତ । କିନ୍ତୁ ସ୍ୱୟଂ ବାସୁଦେବଙ୍କ ମନୋବାସନାର ମର୍ମୋଦ୍ଧାର ଯଦୁକୁଳ ନିକଟରେ ଏକ ଅତ୍ୟାଶ୍ଚର୍ଯ୍ୟ, ଅସମ୍ଭବ କର୍ମ ।

 

ବିଦାୟନେବା ପୂର୍ବ ମୁହୂର୍ତ୍ତରେ ଯାଦବ ସଭାରେ ରାଜା ଉଗ୍ରସେନ, ଅଗ୍ରଜ ବଳରାମ, ସାତ୍ତ୍ୱକି, ଉଦ୍ଧବ, କୃତବର୍ମା ଓ ଯଦୁକୁଳର ଅନ୍ୟ ମହାରଥୀ ଗଣଙ୍କୁ ଶ୍ରୀକୃଷ୍ଣ ସତର୍କବାଣୀ ଶୁଣାଇ କହିଲେ–ମୋର ଅନୁପସ୍ଥିତି କାଳରେ ତୁମ୍ଭେ ସର୍ବଦା ସତର୍କ ରହିବ । ଦ୍ୱାରିକାର ଅନିଷ୍ଟ ହେବାକୁ ଦେବନାହିଁ । ଆତ୍ମତୃପ୍ତିରେ ମଗ୍ନ ନରହି, ସର୍ବଦା ଦୁର୍ଦ୍ଧର୍ଷ ଦ୍ରୋଣଶିଷ୍ୟ ବିପର୍ଯ୍ୟୟକାରୀ, ଛିଦ୍ରାନ୍ୱେଷୀ ‘ପୁଣ୍ଡ୍ର ରାଜ’ ପୌଣ୍ଡର ରୋଷାନଳରୁ ଦ୍ୱାରକାକୁ ରକ୍ଷା କରିବ ମନ ପ୍ରାଣ ଦେଇ ଏହି ଦାୟିତ୍ୱ ପାଳନ କରିବ ।

 

ଅତଃପର ଗରୁଡ଼ ବାହନରେ ଶ୍ରୀକୃଷ୍ଣ ଦ୍ୱାରକା ତ୍ୟାଗ କରି ଆକାଶମାର୍ଗ ପରିକ୍ରମରେ ବଦରିକା ଆଶ୍ରମରେ ଉପନୀତ ହେଲେ । ସେହି ବିଶାଳା ବଦରୀଙ୍କୁ ଥରେ ମାତ୍ର ଦର୍ଶନ ନକରି ଶ୍ରୀକୃଷ୍ଣଙ୍କ ଯିବା ଅସମ୍ଭବ ।

 

ଶ୍ରୀକୃଷ୍ଣଙ୍କ ଆଗମନର ତପୋବନ ସଚକିତ ହୋଇ ଉଠିଲା । ବଶିଷ୍ଠ, ବାମଦେବ, ରେଭ୍ୟ, କାଶ୍ୟପ, କଣ୍ୱ, ଭରଦ୍ୱାଜ, ଗୌତମ, ଅତ୍ରି-ଅଙ୍ଗିରା, ଅସିତ–ଦେବଳଙ୍କଠାରୁ ମହା ତାପସ ବାଲ୍ମୀକି ଏବଂ ଅପରାପର ମହାଋଷିଗଣ ପାଦାର୍ଘ୍ୟ ଦେଇ ସେହି ପ୍ରାଣାଧିକ୍‌ ଅତିଥିଙ୍କୁ ସ୍ୱାଗତ ଜ୍ଞାପନ କଲେ ।

 

ସମସ୍ତଙ୍କ ଆତିଥ୍ୟ ଗ୍ରହଣ କରି ଶ୍ରୀକୃଷ୍ଣ ତପୋବନର ଉତ୍ତର ଦିଗସ୍ଥ ନରନାରାୟଣ ଋଷି ଦ୍ୱୟଙ୍କ ଶାନ୍ତ ତପୋବନ ଆଶ୍ରମରେ ଉପନୀତ ହୋଇ ଆଶ୍ରମର ଏକ ପ୍ରାନ୍ତରରେ ଉପବେଶନ କଲେ । ଅକସ୍ମାତ୍‌ ଏକ ଅଶାନ୍ତ କୋଳାହଳରେ ଆଶ୍ରମର ନିସ୍ତବ୍‌ଧତା ଭଙ୍ଗ ହେଲା । ଧାବମାନ ବନ୍ୟପ୍ରାଣୀଗଣଙ୍କର ବିଚିତ୍ର କଳରବ, ଅଗଣିତ ଅସଂଖ୍ୟ ପିଶାଚଙ୍କର ବିକଟ ପୈଶାଚିକ ଉଲ୍ଲାସରେ ବାସୁଦେବଙ୍କର ଆତ୍ମମଗ୍ନ ଭାବ ତିରୋହିତ ହେଲା । ଉତ୍କର୍ଣ୍ଣ ଶ୍ରୀକୃଷ୍ଣ ସଜାଗ ଦୃଷ୍ଟିପାତ କରି ଦେଖିଲେ ସନ୍ନିକଟସ୍ଥ ଧାବମାନ ମୃଗଯୂଥ, ଭୟଭୀତ ବରାହ ଓ ହସ୍ତୀଗଣ ମଧ୍ୟରୁ କେହି ବା ଶରବିଦ୍ଧ, କେହି ବା ରକ୍ତାକ୍ତ କଳେବରରେ ଧାବମାନ ଏବଂ ପଶ୍ଚାତରେ ଧାବମାନ ଅଗଣିତ ଅସଂଖ୍ୟ ପିଶାଚଙ୍କର ଉଲ୍ଲସିତ ଧ୍ୱନି ଶୁଣିଲେ ।

 

ଶିକାରୀ ଶ୍ୱେନଗଣ କ୍ଷିପ୍ର ଗତିରେ ସେହି ଧାବନ୍ତ ପ୍ରାଣୀଗଣଙ୍କୁ ଆକ୍ରମଣୋଦିତ୍ୟ । ଶ୍ୱେନଗଣଙ୍କ ପଶ୍ଚାତରେ ଦୁଇ ବିକଟ ପିଶାଚଙ୍କ ସହିତ ଅନ୍ୟ ପିଶାଚଗଣ ମତ ଉଲ୍ଲାସରେ ଆଶ୍ରମ ସନ୍ନିକଟସ୍ଥ ହେବାର ଦେଖିଲେ । ଶ୍ରୀକୃଷ୍ଣ ପୁନଶ୍ଚ ଦେଖିଲେ ସେହି ଅତୃପ୍ତ ମାଂସାଶୀ ପିଶାଚଗଣ ପ୍ରଜ୍ୱଳିତ ମଶାଲ ହସ୍ତରେ ଉଲ୍ଲାସରେ ନିହତ ପଶୁମାନଙ୍କର ମାଂସଖଣ୍ଡମାନ ମୁଖଗହ୍ୱରରେ ନିକ୍ଷେପ କରୁଛନ୍ତି ।

 

କିନ୍ତୁ ଶ୍ରୀକୃଷ୍ଣଙ୍କ ସମ୍ମୁଖବର୍ତ୍ତୀ ହୋଇ ସମସ୍ତଙ୍କର ଦୁର୍ବାରଗତି ଯେପରି ସ୍ତବ୍‌ଧ ହୋଇଗଲା । ପଶ୍ଚାତରେ ଥିବା ଦୁଇ ପିଶାଚଙ୍କ ମଧ୍ୟରୁ ଏକ ବିକଟାଳ ପିଶାଚ ଶ୍ରୀକୃଷ୍ଣଙ୍କ ସମ୍ମୁଖକୁ ଆସି ପଚାରିଲା–ଆପଣ ଏକାକୀ ଏହି ନିବିଡ଼ ଅରଣ୍ୟରେ କଣ କରୁଛନ୍ତି ? ଆପଣଙ୍କର ପରିଚୟ କଣ ? ଏହି ଶ୍ୱାପଦ ସଂକୁଳ ବଣପ୍ରଦେଶରେ ଆପଣ ଭୀତତ୍ରସ୍ତ ନ ହୋଇ କିପରି ଅଛନ୍ତି ?

 

ମୃଦୁହାସ୍ୟ କରି ଶ୍ରୀକୃଷ୍ଣ କହିଲେ–ମନୁଷ୍ୟଗଣଙ୍କୁ ଭୟମୁକ୍ତ କରିବାହିଁ ମୋର ଦାୟିତ୍ୱ । ମୁଁ ଯଦୁବଂଶ ଜାତ ଓ କ୍ଷତ୍ରିୟ । କିନ୍ତୁ ତୁମ୍ଭମାନଙ୍କର ପରିଚୟ କଣ ? ତୁମ୍ଭେମାନେ କଣ ଜାଣିନାହଁ, ମହାପୁଣ୍ୟମୟ ଏହି ବଦରୀକ୍ଷେତ୍ର ତାପସଗଣଙ୍କର ନିଶ୍ଚିନ୍ତ ତପସ୍ୟା ଭୂମି । ତାପସମାନଙ୍କର ବିଘ୍ନ ସୃଷ୍ଟି କର ନାହିଁ । ନଚେତ୍‌ ଯଥାଯୋଗ୍ୟ ଶାସ୍ତି ଭୋଗ କରିବ । ତୁମ୍ଭ ଦୁଇଜଣଙ୍କର ପରିଚୟ ପ୍ରଦାନ କର । କେଉଁଠାରୁ ଆସିଅଛ ?

 

ଶ୍ରୀକୃଷ୍ଣଙ୍କର ନିନାଦିତ ମଧୁର କଣ୍ଠସ୍ୱରର ଯାଦୁ ବଳରେ ପିଶାଚଗଣ ଯେପରି ସ୍ତବ୍‌ଧ ହୋଇ ରହିଲେ । ଦୀର୍ଘଦେହୀ ବିକଟକାୟ ବିଶାଳ ବାହୁ ଯୁକ୍ତ ଅଗ୍ରବର୍ତ୍ତୀ ପିଶାଚ କହିଲା-ମୋର ନାମ ଘଣ୍ଟାକର୍ଣ୍ଣ । ଏହି ନାମରେ ମୁଁ ସର୍ବଜନ ବିଦିତ । ଜାଣେନାହିଁ କେଉଁ ପାପକର୍ମ ଫଳରେ ମୁଁ ଏପରି ମାଂସ ରୁଧିର ଲୋଲୁପ ପିଶାଚ ହୋଇଛି ।

 

କୌତୂହଳୀ ହୋଇ ଶ୍ରୀକୃଷ୍ଣ ପଚାରିଲେ–ଘଣ୍ଟାକର୍ଣ୍ଣ ?

 

ଘଣ୍ଟାକର୍ଣ୍ଣ କହିଲା–ବିଷ୍ଣୁନାମ ଶ୍ରବଣ ମୋର ଅସହ୍ୟ ଥିଲା । ଏହି ନାମ ଶ୍ରବଣରୁ ବିରତ ରହିବା ନିମନ୍ତେ ମୁଁ ମୋର ଦୁଇ କର୍ଣ୍ଣରେ ଦୁଇଟି ଘଣ୍ଟା ବାନ୍ଧି ରଖିଥିଲି ।

 

ଶ୍ରୀକୃଷ୍ଣ–ସେ ଘଣ୍ଟାଦ୍ୱୟ କାହିଁ ? ବର୍ତ୍ତମାନ ଦେଖୁନାହିଁ ତ ।

 

ଘଣ୍ଟାକର୍ଣ୍ଣ–ମୁଁ ବର୍ତ୍ତମାନ ସାରତତ୍ତ୍ୱ ଜାଣିସାରି ବୁଝିପାରିଛି ଯେ ସେ ଘଣ୍ଟ ଦ୍ୱୟ ନିଷ୍ପ୍ରୟୋଜନ ।

 

ଶ୍ରୀକୃଷ୍ଣ–କିପରି ?

 

ଘଣ୍ଟାକର୍ଣ୍ଣ–ମୁଁ କୁବେରଙ୍କ ଅନୁଚର । ସର୍ବଦା କ୍ରୁର କର୍ମରେ ରତ ରହି, ଏକଦା ଅନୁତାପ ଦଗ୍‌ଧ ହୋଇ କୈଳାସ ପର୍ବତକୁ ଗମନ କରି ଭଗବାନ ଶଙ୍କରଙ୍କ ସ୍ତୁତିଗାନ କରି ଶଙ୍କରଙ୍କୁ ପ୍ରସନ୍ନ କରିଥିଲି । ଭଗବାନ ଶଙ୍କର ପ୍ରସନ୍ନ ହୋଇ ମୋତେ ବରଦାନ ଦେବାକୁ ସମ୍ମତ ହେବାରୁ ମୁଁ ‘ମୁକ୍ତି’ ବର ପ୍ରାର୍ଥନା କରିଥିଲି । ମୁଁ ଶଙ୍କରଙ୍କୁ ପ୍ରାର୍ଥନାକରି କହିଥିଲି ପ୍ରଭୋ ମୋତେ ଏହି ନରକ ଯନ୍ତ୍ରଣାରୁ ମୁକ୍ତି ଦିଅନ୍ତୁ ।

 

ଶ୍ରୀକୃଷ୍ଣ ପଚାରିଲେ–ତୁମ ପ୍ରାର୍ଥନା ଦେବାଦିଦେବ ମହାଦେବ ପୂରଣ କଲେ କି ?

 

ଘଣ୍ଟାକର୍ଣ୍ଣ–ଶଙ୍କର କହିଲେ, ତୁମକୁ ମୁକ୍ତିଦେବା ମୋର ସାମର୍ଥ୍ୟ ବାହାରେ । ଜଗତ୍‌ସ୍ରଷ୍ଟା ଓ ପାଳନ ଏକମାତ୍ର ‘ବିଷ୍ଣୁ’ ହିଁ ତୁମର ମୁକ୍ତିଦାତା । ସେହିଁ କେବଳ ମୁକ୍ତି ଦେଇ ପାରିବେ-। ତୁମେ ବିଷ୍ଣୁଙ୍କ ଶରଣ ନିଅ ।

 

ଶଙ୍କରଙ୍କ କଥା ଶୁଣି ଅନୁଶୋଚନାରେ ମୋର କର୍ଣ୍ଣରୁ ଘଣ୍ଟଦ୍ୱୟ ଉନ୍ମୁକ୍ତ କରି ନିକ୍ଷେପ କରିଛି । ମୋର ଅନ୍ତର ବିଷ୍ଣୁଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ ।

 

ଶ୍ରୀକୃଷ୍ଣ–ଏହି ପଥ ଅତିକ୍ରମ କରି କେଉଁ ଦିଗକୁ ଯାଉଅଛ ?

 

ଘଣ୍ଟାକର୍ଣ୍ଣ–ମହାଦେବଙ୍କ ନିର୍ଦ୍ଦେଶରେ ମୋର ଏହି କଙ୍କାଳସାର ସହୋଦର ସହ ବଦରୀତୀର୍ଥ ନର-ନାରାୟଣ ଆଶ୍ରମକୁ ଆସିଅଛି । ଋଷିଦ୍ୱୟଙ୍କୁ ଦର୍ଶନ କରି ପଶ୍ଚିମ ସମୁଦ୍ର ତୀରସ୍ଥ ଦ୍ୱାରବତୀ ନଗରକୁ ଯିବି । ମହାଦେବଙ୍କଠାରୁ ଶୁଣିଅଛି ସେଠାରେ ସ୍ୱୟଂ ‘ବିଷ୍ଣୁ’ ଯଦୁ ଓ ବୃଷ୍ଣିକୁଳ ସହିତ ବାସ କରୁଛନ୍ତି । ମୋର ନିତ୍ୟ ସଙ୍ଗୀ ପିଶାଚଗଣଙ୍କର ନିଦାରୁଣ କ୍ଷୁଧା ନିବୃତ୍ତି ପାଇଁ ପଶୁମାଂସ ଭକ୍ଷଣ ବ୍ୟତୀତ ଜୀବନଧାରଣ କିପରି ସମ୍ଭବ ? ମୁଁ ଏଠାରେ ଅଧିକ କାଳକ୍ଷେପ କରିବି ନାହିଁ । ମଧ୍ୟରାତ୍ରି ସମାଗତ । ଏହାହିଁ ମୋର ପ୍ରଶସ୍ଥ ସାଧନ କାଳ ।

 

କାଳବିଳମ୍ବ ନକରି ଘଣ୍ଟାକର୍ଣ୍ଣ ଶ୍ୱେନଗଣଙ୍କୁ ନିସ୍ତବ୍‌ଧ ହେବାର ଆଦେଶ କରି ସଞ୍ଚିତ ଯଥାସମ୍ଭବ ମାଂସ ଭକ୍ଷଣ ଓ ରୁଧିର ପାନ କରି ଏକାଗ୍ର ଚିତ୍ତରେ କେଶବଙ୍କର ଧ୍ୟାନମଗ୍ନ ହୋଇ ଅବଶେଷରେ ଆତ୍ମସମାହିତ ହେଲା ।

 

କୀୟତକାଳ ଏହିପରି ଅବସ୍ଥାରେ ଗତ ହେଲା ପରେ ଘଣ୍ଟାକର୍ଣ୍ଣର ଅନ୍ତର ମଧ୍ୟରେ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ପୀତ ବସନ ବନମାଳୀ ଜ୍ୟୋତିର୍ମୟ ରୂପରେ ଉଦ୍‌ଭାସିତ ହୋଇ ଉଠିଲେ । ଅନ୍ତର୍ଦୃଷ୍ଟିରେ ଘଣ୍ଟାକର୍ଣ୍ଣ ଶ୍ରୀବିଷ୍ଣୁଙ୍କୁ ଦର୍ଶନ କରି ମହାନନ୍ଦରେ ମୁଦ୍ରିତ ନେତ୍ର ଉନ୍ମେଷ କରିବା ମାତ୍ରେ ଦେଖିଲେ ଶଙ୍ଖ, ଚକ୍ର, ଗଦା ପଦ୍ମଧାରୀ କଣ୍ଠରେ କୌସ୍ତୁଭ ମଣି ଯୁକ୍ତ ପ୍ରଲମ୍ବିତ ଗଳାମାଳଧାରଣ ପୂର୍ବକ ସେହି ପଶ୍ନକର୍ତ୍ତା ସ୍ମିତ ଆନନ୍ଦରେ ମୃଦୁହାସ୍ୟ କରୁଛନ୍ତି ।

 

ସେହି ସମୟରେ ଆକାଶବାଣୀ ହେଲା–ଘଣ୍ଟାକର୍ଣ୍ଣ ! ବଦରିକାଶ୍ରମସ୍ଥିତ ନର-ନରାୟଣ ଆଶ୍ରମରେ ତୁମେ ଜନାର୍ଦ୍ଦନଙ୍କର ସାକ୍ଷାତ୍‌ ଲାଭ କରିଅଛ । ଅଚିରେ ମୁକ୍ତିଲାଭ କରିବ ।

 

ଘଣ୍ଟାକର୍ଣ୍ଣ ସମ୍ବିତ୍‌ ଫେରି ଉପଲବ୍‌ଧି କଲା, ଏହି ମାନବହିଁ ଜନାର୍ଦ୍ଦନ । ଭକ୍ତ ବାସନାପୂର୍ଣ୍ଣ ନିମନ୍ତେ ଦ୍ୱାରକାପୁରୀ ତ୍ୟାଗ କରି ଏଠାକୁ ଆସି ଅଛନ୍ତି । ଘଣ୍ଟାକର୍ଣ୍ଣ ପାପ ଜୀବନରୁ ଅଚିରେ ମୁକ୍ତ ହେବା ଜାଣି ମହାନନ୍ଦରେ ଚିନ୍ତା କରିବାକୁ ଲାଗିଲା । ଏହି ମାନବରୂପୀ ଶ୍ରୀହରିଙ୍କୁ କଣ ପାଦାର୍ଘ୍ୟ ଦେବ ।

 

ଅତଃପର ଘଣ୍ଟାକର୍ଣ୍ଣ ଏକ ସୁନ୍ଦର ପାତ୍ରରେ କର୍ତ୍ତିତ ଦୁଇଖଣ୍ଡ ମାଂସ ମଧ୍ୟରୁ ଏକଖଣ୍ଡ ମାଂସ ଜଳ ବିଧୌତ କରି ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ଉପଚାର ସ୍ୱରୂପ ସ୍ଥାପନ କରି ବିନମ୍ର କଣ୍ଠରେ କହିଲା, କୃପା କରି ଦୀନର ଏହି ଉପଚାର ଗ୍ରହଣ କରନ୍ତୁ । ଏହି ମାଂସ ଖଣ୍ଡ ସଦ୍ୟ କର୍ତ୍ତିତ ଏକ ବ୍ରାହ୍ମଣର ମାଂସ ଖଣ୍ଡ । ଏହା ଅବଶ୍ୟ ଉତ୍ତମ ଆହାର୍ଯ୍ୟ ବୋଲି ମୋର ଅନୁମାନ ।

 

ଘଣ୍ଟାକର୍ଣ୍ଣର ସରଳତାରେ ମୁଗ୍‌ଧ ହୋଇ ଶ୍ରୀକୃଷ୍ଣ କହିଲେ–ଭକ୍ତର ଦାନ ଓ ଉପହାର ଭଗବାନ ସାଦରରେ ଗ୍ରହଣ କରିଥାନ୍ତି । କିନ୍ତୁ ବ୍ରାହ୍ମଣ ଦେହ ମାଂସ ମୋର ଉପଚାର ହୋଇପାରିବ ନାହିଁ । କାରଣ ବ୍ରାହ୍ମଣ ଦେବପୂଜ୍ୟ । ତୁମର ଏହି ଉପହାର ଗ୍ରହଣ ନକଲେହେଁ ତୁମର ଶୁଦ୍ଧମନ, ନିର୍ମଳ ଅନ୍ତଃକରଣ ଓ ସାରଲ୍ୟ ହିଁ ମୋର ଅମୂଲ୍ୟ ଉପହାର । ଭକ୍ତର ଏହି ଦାନହିଁ ଭଗବାନଙ୍କ ନିମନ୍ତେ ଶ୍ରେଷ୍ଠ ଉପହାର ।

 

ଅତଃପର ଶ୍ରୀକୃଷ୍ଣ ସାନ୍ତ୍ୱନା ଛଳରେ ଘଣ୍ଟାକର୍ଣ୍ଣ ସର୍ବାଙ୍ଗରେ ହସ୍ତସ୍ପର୍ଶ କରିବାରୁ ଅପ୍ରତ୍ୟାଶିତ ଭାବରେ ଘଣ୍ଟାକର୍ଣ୍ଣର ପୈଶାଚିକ କାମନା, ବାସନା ଦୂରୀଭୂତ ହେଲା ଓ ନରଦେହୀ ଶ୍ରୀକୃଷ୍ଣ ଦିବ୍ୟକାନ୍ତି ଧାରଣ କରି ନବରୂପରେ ଘଣ୍ଟାକର୍ଣ୍ଣ ସମ୍ମୁଖରେ ଆବିର୍ଭୂତ ହେଲେ । ଶ୍ରୀକୃଷ୍ଣ ସସ୍ନେହରେ କହିଲେ, ତୁମ୍ଭର ଇପ୍‌ସିତ ଅଭିଳାଷ ପୂର୍ଣ୍ଣ ହୋଇଛି ତ ?

 

ଘଣ୍ଟାକର୍ଣ୍ଣ ସମ୍ମତି ଜ୍ଞାପନ କରିବାରୁ, ନରରୂପୀ ନାରାୟଣ କହିଲେ, ତୁମେ ସ୍ୱର୍ଗ ଗମନ କର, ନିକଟରେ ମୋର ସାଜୁଯ୍ୟ ଲାଭ କରିବ । ତୁମ୍ଭ ସହୋଦର ମଧ୍ୟ ତୁମ୍ଭ ସହିତ ସଦ୍‌ଗତି ଲାଭ କରିବ । ଅନ୍ୟ କୌଣସି ଅଭିଳାଷ ଥିଲେ ପ୍ରାର୍ଥନା କର ।

 

ଘଣ୍ଟାକର୍ଣ୍ଣ–ମୋର ପ୍ରାର୍ଥନା, ନିର୍ମଳ ଅନ୍ତଃକରଣରେ ଏହି ଅପୂର୍ବ ସମାଗମକୁ ଯେଉଁ ବ୍ୟକ୍ତି ସ୍ମରଣ କରିବ-ସେହି କଳୁଷ ମୁକ୍ତ ହୋଇ ଚିଦାନନ୍ଦଙ୍କର ସାନ୍ନିଧ୍ୟ ଲାଭ କରିବ ଓ କୃଷ୍ଣ ଭକ୍ତିର ସଦା ଅଚଳ ଓ ଅଟଳ ରହିବ ।

 

ଶ୍ରୀକୃଷ୍ଣ–‘ଏଦମସ୍ତୁ’ ।

 

ଅତଃପର ଗରୁଡ଼ ବାହନରେ ଶ୍ରୀକୃଷ୍ଣ ବନସ୍ଥଳୀ ତ୍ୟାଗ କରି କୈଳାଶ ଅଭିମୁଖେ ଯାତ୍ରା କଲେ ।

Image

 

ଶକୁନ–ଶୃଗାଳ–ବିହ୍ୱଳ

 

(ଏହି ଆଖ୍ୟାୟିକାରେ ମନୁଷ୍ୟ ଆପଦ କାଳରେ ନିରଦ୍‌ବିଗ୍ନ ରହି ସଂକଳ୍ପରେ ଦୃଢ଼ ନିଶ୍ଚୟ ହେଲେ ଦୈବ ମଧ୍ୟ ସମୟବେଳେ ସହାୟ ହୋଇଥାଏ, ଏହି ସାରତତ୍ତ୍ୱ ପିତାମହ ଭୀଷ୍ମ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି କାହାଣୀ ମାଧ୍ୟମରେ ଜଣାଇଛନ୍ତି ।)

 

ପ୍ରସଙ୍ଗାନ୍ତରରେ ପିତାମହ ଭୀଷ୍ମ ଧର୍ମରାଜଙ୍କୁ କହିଲେ–ପାଣ୍ଡବ ଅଗ୍ରଜ ! ମନୁଷ୍ୟ ଯଦି ଆପଦ କାଳରେ ଅନୁଦ୍‌ବିଗ୍ନ ରହି ତାର ସଂକଳ୍ପରେ ଦୃଢ଼ତା ରଖେ, ତାହେଲେ ଦୈବ ମଧ୍ୟ ଅନୁକୂଳ ହୋଇଥାଏ । ସୁତରାଂ ବିପଦରେ ନିରୁଦ୍‌ବିଗ୍ନ ବ୍ୟକ୍ତିର ଅସାଧ୍ୟ କିଛି ନଥାଏ । ଏହି ସାରତତ୍ତ୍ୱ ମୁଁ ତୁମକୁ ଏକ କାହାଣୀ ମାଧ୍ୟମରେ ଶୁଣାଉଛି । ମନ ଦେଇ ଶ୍ରବଣ କର ।

 

ପିତାମହ କହିଲେ–ଏକଦା ଏକ ପିତାଙ୍କର ଶତ ପ୍ରୟାସ ଓ ଚେଷ୍ଟା ସତ୍ତ୍ୱେ ବଂଶର ଏକମାତ୍ର ବଂଶଧର ପୁତ୍ରର ପ୍ରାଣରକ୍ଷା ହୋଇ ନଥିଲା ।

 

ପ୍ରଭାତର ସୂର୍ଯ୍ୟୋଦୟରେ ଚତୁର୍ଦ୍ଦିଗରେ ପ୍ରାଣୀଗଣଙ୍କର ପ୍ରାଣସ୍ପନ୍ଦନ ଚଞ୍ଚଳ ହୋଇଥିଲେହେଁ, ଜଡ଼, ସ୍ତବ୍‌ଧ, ବିହ୍ୱଳ ଓ ଶୋକ ସନ୍ତପ୍ତ ପିତା, ଏକମାତ୍ର ପୁତ୍ରର ମୃତ୍ୟୁଶଯ୍ୟା ପାର୍ଶ୍ୱରେ ମୃତ୍ୟୁର ଘନକୃଷ୍ଣ ଛାୟାକୁ ନିରୀକ୍ଷଣ କରି ମୂହ୍ୟମାନ ହୋଇ ବସି ରହିଥିଲେ ।

 

ସୂର୍ଯ୍ୟଦେବ ଗଗନ ପଥରେ ଉଦିତ ହେବାରୁ, ପ୍ରତିବେଶୀଗଣ ସହ ଶୋକାର୍ତ୍ତ ପିତା, ପାର୍ଥିବ ଜଗତରୁ ବିଦାୟୀପୁତ୍ର ସହ ଶ୍ମଶାନ ଉଦ୍ଦେଶ୍ୟରେ ଯାତ୍ରା କଲେ ।

 

ସୁଦୀର୍ଘ ପଥ ଅତିକ୍ରମ କରି ଶବବାହୀଗଣ ସହ ପିତା ଗ୍ରାମାନ୍ତେ ଏକ ବନ ମଧ୍ୟସ୍ଥ ନିରୋଳା ଶ୍ମଶାନରେ ଉପନୀତ ହେଲେ । ଶବବାହୀଗଣ ମୃତ ପୁତ୍ରର ନିଷ୍ପ୍ରାଣ ଦେହକୁ ଶ୍ମଶାନ ଭୂମି ଶଯ୍ୟାରେ ସ୍ଥାପନ କଲେ । ମୃତ ଦେହର ଉଜ୍ଜ୍ୱଳକାନ୍ତି ଅମଳିନ ଓ ଅକ୍ଷୀ ଗୋଲକ ସ୍ୱାଭାବିକ ଥିବାରୁ ମୃତ ପୁତ୍ର ନିଦ୍ରିତ ବୋଲି ପ୍ରତୀୟମାନ ହେଉଥିଲା । ଆତୁର ପିତୃ ହୃଦୟ ପ୍ରକୃତିର ଦୁର୍ବାର ଆକର୍ଷଣ ବନ୍ଧନରେ ସ୍ପର୍ଶାତୁର ସମ୍ବେଦନଶୀଳ ଶୋକ ବିଳାପରେ ମଥିତ ହେଉଥିଲା । ଶୋକକାତର ପିତାଙ୍କ ମନୋବ୍ୟଥାରେ ବ୍ୟଥିତ ସଙ୍ଗୀ ପ୍ରତିବେଶୀଗଣ ମଧ୍ୟ ବିହ୍ୱଳ ହୋଇ, ସେହି ଶ୍ମଶାନ ଭୂମିରେ ପିତାଙ୍କ ପାର୍ଶ୍ୱରେ ନିର୍ବାକ ନେତ୍ରରେ ଶବକୁ ନିରୀକ୍ଷଣ କରୁଥିଲେ ।

 

ଇତିମଧ୍ୟରେ ଆଦିତ୍ୟଦେବ ନିୟମାନୁସାରେ ଗଗନପଥ ଅତିକ୍ରମ କରିବାରେ ଲାଗିଥିଲେ । ଶ୍ମଶାନ ନିକଟସ୍ଥ ନିବିଡ଼ତମ ଶାଖା ପ୍ରଶାଖା ସମନ୍ୱିତ ଏକ ସୁବିଶାଳ ବୃକ୍ଷରେ ଏକ ବିକଟାକାର ପ୍ରବୀଣ ଶକୁନର ଆଶ୍ରୟସ୍ଥଳୀ ଥିଲା । ସେହି ବୃକ୍ଷର ଅତି ସନ୍ନିକଟରେ ଏକ ଗର୍ତ୍ତ ଅଭ୍ୟନ୍ତରରେ ଏକ ଚତୁର ଶୃଗାଳର ମଧ୍ୟ ବାସସ୍ଥଳୀ ଥିଲା । ବାଳକର ମୃତ ଦେହ ଦର୍ଶନରେ ଆପାତଃ କ୍ଷୂନ୍ନିବୃତ୍ତି ଆଶାରେ ଶକୁନ ଆଶ୍ୱସ୍ଥ ଓ କ୍ଷୂନ୍ନିବୃତ୍ତି ପରିକଳ୍ପନାରେ ଶୃଗାଳ ସଜାଗ ହୋଇ ଉଠିଲା ।

 

ଶକୁନକୁ ଦେଖି ମୃତ ବାଳକର ସ୍ୱଜନବର୍ଗ ସଜାଗ ରହି ଓ ସେହି ସ୍ଥାନ ତ୍ୟାଗ ନ କରିବାରୁ ଶକୁନ ଅଧୀର ଓ ଅସ୍ଥିର ହେବାକୁ ଲାଗିଲା । ଅବଶେଷରେ ଧୈର୍ଯ୍ୟ ହରେଇ ଶକୁନ ସ୍ୱୀୟ ଆବସରୁ ନିର୍ଗତ ହେଲା । ମୃତ ଦେହ ସନ୍ନିକଟସ୍ଥ ହୋଇ ସ୍ୱଭାବ ସିଦ୍ଧ କର୍କଶ କଣ୍ଠରେ କହିଲା–‘‘ଏକ ଶବକୁ ଘେରି ରହି ଆପଣମାନେ କାହିଁକି ହାହୁତାଶ କରୁଛନ୍ତି ? ଏପରି ଅବୋଧ ମନୁଷ୍ୟଗଣଙ୍କୁ ମୁଁ ପୂର୍ବରୁ କେଭେଁ ଦେଖିନାହିଁ । ଜନ୍ମ ହେଲେ ମୃତ୍ୟୁ ଅନିବାର୍ଯ୍ୟ । ଶ୍ମଶାନହିଁ ମୃତର ଏକମାତ୍ର ଗତି । ପୂର୍ବରୁ ଅନେକାନେକ ଶବବାହୀ ଶବକୁ ଶ୍ମଶାନ ଦେବତା ଉଦ୍ଦେଶ୍ୟରେ ସମ୍ପ୍ରଦାନ କରି ଶ୍ମଶାନ ତ୍ୟାଗ କରିଛନ୍ତି । ମୁଁ ଜାଣିଛି ମନୁଷ୍ୟ ଏକ ବୁଦ୍ଧିମାନ ପ୍ରାଣୀ । କିନ୍ତୁ ବୁଦ୍ଧିମାନ ପ୍ରାଣୀଗଣ ଏପରି ଶୋକ ସନ୍ତପ୍ତ କାହିଁକି ହେଉଛନ୍ତି । ଏହାଦ୍ୱାରା କଣ ମୃତ ପୁତ୍ର ପୁନର୍ଜୀବନ ଲାଭ କରିବ ? ଶିଶୁଠାରୁ ଯୁବା, ବୃଦ୍ଧ, ଶତ୍ରୁ ମିତ୍ର ଏହିପରି ସମସ୍ତଙ୍କର କାଳର ସ୍ୱାଭାବିକ ନିୟମରେ ମୃତ୍ୟୁ ଅନିବାର୍ଯ୍ୟ । ଶୋକ, ଦୁଃଖ ବା ହା ହାହୁତାଶ କଲେ ଗତାୟୁଃର ଆୟୁ ଲାଭ ହୋଇ ନଥାଏ । ଏହିପରି ଦୀର୍ଘକାଳ ଏଠାରେ ଅପେକ୍ଷମାନ ରହିଲେ ମଧ୍ୟ ମୃତର ଜୀବନ ପ୍ରାପ୍ତି ହେବ ନାହିଁ । ଏହି ଗଭୀର ଅରଣ୍ୟ ମଧ୍ୟ ନିରାପଦ ନୁହେଁ । ସୂର୍ଯ୍ୟାସ୍ତ ପୂର୍ବରୁ ଆପଣମାନଙ୍କର ମଙ୍ଗଳ ନିମନ୍ତେ ଏହି ଶବ ଦେହକୁ ତ୍ୟାଗ କରି ବନଭୂମିରୁ ନିଷ୍କ୍ରାନ୍ତ ହୁଅନ୍ତୁ ।’’

 

ଶକୁନ ବଚନ ଶ୍ରବଣ କରି ଶୋକସନ୍ତପ୍ତ ସ୍ୱଜନବର୍ଗଙ୍କ ସହ ମୃତ ପୁତ୍ରର ପିତା ଶୋକ ସମ୍ବରଣ କରି, ମୃତପୁତ୍ରକୁ ତ୍ୟାଗକରି ପ୍ରସ୍ଥାନୋଦ୍ୟତ ହେଲେ ।

 

ଅସ୍ତାଚଳଗାମୀ ସୂର୍ଯ୍ୟାଲୋକ ମ୍ରିୟମାଣ ହେଲେହେଁ ନିଷ୍ପ୍ରଭ ହୋଇ ନଥିଲା । ସେହି ମୁହୂର୍ତ୍ତରେ କାଳ ସଦୃଶ ଘନ-କୃଷ୍ଣ-ବର୍ଣ୍ଣର ଏକ ବିଶାଳ ଦେହୀ ଶୃଗାଳ ଗର୍ତ୍ତରୁ ନିଷ୍କ୍ରାନ୍ତ ହୋଇ କହିଲା–‘‘ମୁଁ ଜାଣି ନଥିଲି, ମନୁଷ୍ୟ ଏଡ଼େ ନିର୍ଦ୍ଦୟ, ନିର୍ମମ ଓ ବୁଦ୍ଧିହୀନ । ଶକୁନ ବଚନ ଶ୍ରବଣ କରି ଆପଣମାନେ ଏହି ନଧରକାନ୍ତି ବାଳକକୁ ତ୍ୟାଗକରି ପ୍ରସ୍ଥାନୋଦ୍ୟତ ହୋଇଛନ୍ତି ? କିନ୍ତୁ ଏହି ମୃତ ବାଳକ ଆପଣଙ୍କର କୁଳଜାତ । ପରକୁଳ ଜାତ ନୁହେଁ । ତୀର୍ଯ୍ୟକ୍‌ ପ୍ରାଣୀ କୁଳର ନିଜ କୁଳଜାତ ଶାବକଙ୍ଗ ପ୍ରତି ଯେପରି ମାୟା ମମତା ରହିଥାଏ, ସେହିପରି ମାୟା ମମତା ଆପଣମାନଙ୍କଠାରେ ଦେଖୁନାହିଁ । ଯଦିଚ ତୀର୍ଯ୍ୟକ୍‌ ପ୍ରାଣୀଗଣ ସେମାନଙ୍କର ଶିଶୁ ଶାବକ ବୟଃକ୍ରମ ପ୍ରାପ୍ତ ହେଲେ ପରିତ୍ୟାଗ କରିଥାନ୍ତି । ମୋ ଜ୍ଞାନତଃ ମନୁଷ୍ୟ କ୍ଷେତ୍ରରେ ସେପରି ଆଚରଣ ମୁଁ କେଭେ ଦେଖିନାହିଁ-। କିନ୍ତୁ ଆପଣମାନେ ଏପରି ନିର୍ଦ୍ଦୟ କିପରି ହୋଇ ପାରିଛନ୍ତି ?

 

ସମବେତ ସ୍ୱଜନବର୍ଗ କହିଲେ–ମୃତ ଦେହ ନିକଟରେ ଅପେକ୍ଷା କରି ରହିଲେ ଲାଭ କଣ ? ରାତ୍ରିକାଳ ସମାଗତ ଓ ଅନ୍ଧକାର ମଧ୍ୟ ଆସନ୍ନ ।

 

ମୃଦୁହାସ୍ୟ କରି ଶୃଗାଳ କହିଲା–ମନୁଷ୍ୟ ମାତ୍ରେ ହିଁ ନିଶାନ୍ଧକାରରେ ଶ୍ମଶାନ ଭୂମିରେ ଭୀତତ୍ରସ୍ତ ହୋଇଥାଏ । କିନ୍ତୁ ସୂର୍ଯ୍ୟଦେବ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅସ୍ତଗାମୀ ହୋଇ ନାହାନ୍ତି । ହଠାତ୍‌ ଏପରି ଏହି ସ୍ଥାନରେ ପୁତ୍ରକୁ ରଖି ସ୍ଥାନ ତ୍ୟାଗ କରିବା ଉଚିତ ନୁହେଁ । ମୋର ଅନୁମାନ ଆପଣଙ୍କ ପୁତ୍ର ମୃତ ନୁହେଁ ଘୂମନ୍ତ । ଏହିପରି ଘୂମନ୍ତ ବାଳକକୁ ତ୍ୟାଗ କରି ସୂର୍ଯ୍ୟାସ୍ତ ପୂର୍ବରୁ ପ୍ରସ୍ଥାନ କରିବା ସମୀଚୀନ ହେବ ନାହିଁ । ଆପଣ କିପରି ଜାଣିଲେ ବାଳକ ପ୍ରକୃତରେ ମୃତ । ବୁଦ୍ଧିମାନ ମନୁଷ୍ୟ ହୋଇ ଆପଣ ଏପରି ନିର୍ବୋଧ ଆଚରଣ କିପରି କରୁଛନ୍ତି ? ପ୍ରାଣୀ ମାତ୍ରର ହିଁ ପ୍ରାଣ ସର୍ବାଧିକ ପ୍ରିୟ । ତଥାପି ଦେହୀର ମୃତ ସ୍ୱଜନ ଦେହ ପ୍ରତି ସ୍ନେହ ମମତା ରହିବା କର୍ତ୍ତବ୍ୟ ।

 

ବିହ୍ୱଳ ସ୍ୱଜନବର୍ଗ ଶୃଗାଳର ଏବଂବିଧ ବଚନମାନ ଶୁଣି ପୁନଶ୍ଚ ମୃତ ଦେହ ପାର୍ଶ୍ୱରେ ଉପବେଶନ କଲେ । ଶୃଗାଳ ବଚନମାନ ଶକୁନର କର୍ଣ୍ଣଗୋଚର ହୋଇଥିଲେହେଁ ସଂଯମ ରକ୍ଷା କରି କହିଲା–ଏ ପର୍ଯ୍ୟନ୍ତ ପିତା ମୃତ ବାଳକର ଆକର୍ଷଣରୁ ମୁକ୍ତ ହୋଇପାରି ନାହାନ୍ତି କି ? ଏହା ଅବଶ୍ୟ ସ୍ୱାଭାବିକ ଯେ ପିତା ପୁତ୍ର ବିୟୋଗରେ ଶୋକ କାତରଗ୍ରସ୍ଥ ହୋଇଥାନ୍ତି । କିନ୍ତୁ ଶୁଷ୍କ କାଷ୍ଠଖଣ୍ଡ ସଦୃଶ ସ୍ଥାଣୁ ହୋଇ ରହିବା ସମୀଚୀନ କି ? ଏହାଦ୍ୱାରା ଗତାୟୂର ଆୟୂ ପୁନଃପ୍ରାପ୍ତି ହୋଇପାରେ କି ? ମୃତ୍ୟୁ କାଳାଧୀନ । ବିଳାପ କଲେ ମଧ୍ୟ ନିୟତିକୁ ପ୍ରତିରୋଧ କରିବା ମନୁଷ୍ୟର ଅସାଧ୍ୟ । ଭୂମିଷ୍ଠ ହେବା ପୂର୍ବରୁ ମାତୃଗର୍ଭରେ ଶିଶୁର ମୃତ୍ୟୁ ହେଲେ, ପିତାକୁ ସେହି ଦୈବଫଳ ସ୍ୱୀକାର କରିବାକୁ ହୋଇଥାଏ । କର୍ମ ଗୁଣ ଓ ଭାଗ୍ୟଚକ୍ରାନୁଯାୟୀ ମନୁଷ୍ୟ ଏ ଜଗତକୁ ଆସିଥାଏ ଓ ଯାଇଥାଏ । ଏହି ଘୋର ଶ୍ମଶାନରେ ଅଯଥା ବିଳାପ ନକରି ନିବିଷ୍ଟ ଚିତ୍ତରେ ସ୍ୱଗୃହରେ ତପସ୍ୟା କରିବା ବିଧେୟ । କାରଣ ତପସ୍ୟାରେ ହିଁ ଅସାଧ୍ୟ ମଧ୍ୟ ସାଧ୍ୟ ହୋଇଥାଏ । ସତ୍‌ପଥ ଅବଲମ୍ବନ, ସତ୍‌କର୍ମ ପାଳନ ଓ ତପସ୍ୟା ବଳରେ ହିଁ ମନୁଷ୍ୟ ଶୋକ ତାପ ମୁକ୍ତ ହୁଏ । ଆପଣ ମନୁଷ୍ୟ ତଦୁପରି ବର୍ଣ୍ଣଶ୍ରେଷ୍ଠ ବ୍ରାହ୍ମଣ । ସୁତରାଂ ତପସ୍ୟା ଦ୍ୱାରାହିଁ ମହାକାଳକୁ ଜୟକରି ପାରିବେ । ଶୋକ ବିଳାପରେ ନୁହେଁ ।

 

ଶକୁନ ବଚନମାନ ଶୁଣି ବିହ୍ୱଳ ପିତା ଓ ସ୍ୱଜନବର୍ଗ ଅଧିକତର ବିହ୍ୱଳ ହୋଇ ଉଠିଲେ-। ସେମାନେ ନିଶ୍ଚିନ୍ତ ହେଲେ ଯେ ଗୁଧ୍ର ବଚନ ଅବଶ୍ୟ ସତ୍ୟ । ଶୋକ ବିଳାପରେ ଭାଗ୍ୟ ପରିବର୍ତ୍ତନ ହୋଇ ପାରିବ ନାହିଁ । ବାସ୍ତବ ସତ୍ୟକୁ ଅସ୍ୱୀକାର କରିବା ମନୁଷ୍ୟର ଅସାଧ୍ୟ । ଶୋକ ନୁହେଁ କି ବିଳାପ ନୁହେଁ ଏକମାତ୍ର ତପସ୍ୟା ହିଁ ଭାଗ୍ୟକୁ ସୁନିୟନ୍ତ୍ରଣ କରିପାରିବ । ଅତଏବ ସ୍ୱଜନବର୍ଗ ସହ ମୃତ ବାଳକର ପିତା ପ୍ରସ୍ଥାନୋଦ୍ୟତ ହେବାରୁ ପଥରୋଧ କରି ପୁନଶ୍ଚ ଶୃଗାଳ କହିବାକୁ ଆରମ୍ଭ କଲା ।

 

ଶୃଗାଳ କହିଲା–ଗୃହକୁ ପ୍ରତ୍ୟାଗମନ କଲେହେଁ, ଅପତ୍ୟ ସ୍ନେହ ଆପଣ ବିସ୍ମୃତ ହୋଇ ପାରିବେ କି ?

 

ବିହ୍ୱଳ ବ୍ରାହ୍ମଣ କହିଲେ–ମୁଁ ପିତା, ପୁତ୍ରଶୋକ କିପରି ବିସ୍ୱୃତ ହେବି ?

 

ଶୃଗାଳ–ଶକୁନଠାରୁ ଦୈବ ଉପଦେଶ ଲାଭକରି, ଏହି ଶ୍ମଶାନଭୂମି ତ୍ୟାଗ କରିବାକୁ କାହିଁକି ଉଦ୍ୟତ ହୋଇଛନ୍ତି ? ପୁରୁଷାର୍ଥକୁ ବିସ୍ମୃତ ହୋଇଅଛନ୍ତି କି ? ସଚେଷ୍ଟ ହୋଇ ଲକ୍ଷ୍ୟବସ୍ତୁ ଲାଭ ପାଇଁ ଉଦ୍ୟୋଗୀ ନହେଲେ ମନୁଷ୍ୟ ଭାଗ୍ୟର ଶିକାର ହୋଇଥାଏ । ନିଶ୍ଚେଷ୍ଟ ଓ ଅଳସ ବ୍ୟକ୍ତି ହିଁ ଭାଗ୍ୟ ବିଶ୍ୱାସୀ । ଶକୁନ ବଚନ ଶୁଣି ନିଶ୍ଚେଷ୍ଟ ହେବା ସିଦ୍ଧାନ୍ତ କାହିଁକି ଗ୍ରହଣ କରିଛନ୍ତି ? ଏହି ମୃତ ଦେହ ରକ୍ଷା କରିବା ନିମନ୍ତେ ପ୍ରଯତ୍ନ ନ ନେଲେ, ଦୈବ କେବେହେଁ ସଦୟ ହେବ ନାହିଁ । ଏପର୍ଯ୍ୟନ୍ତ ସନ୍ଧ୍ୟା ସମାଗତ ହୋଇନାହିଁ, ଅଥଚ ପ୍ରାଣ ଭୟରେ ଭୀତ ହୋଇ, ପ୍ରିୟ ବଂଶଜକୁ ତ୍ୟାଗକରି କାହିଁକି ପ୍ରସ୍ଥାନୋଦ୍ୟତ ହେଉଛନ୍ତି ? ଶୃଗାଳ ବଚନମାନ ଶୁଣି ବ୍ରାହ୍ମଣ ଓ ଶବବାହୀଗଣ ନିଶ୍ଚିତ ହେଲେ ଯେ ଦୈବ ସହିତ ପୁରୁଷାର୍ଥ, ଭାଗ୍ୟ ସହିତ ପ୍ରୟାସ ବ୍ୟତୀତ ମନୋବାସନା କେବେହେଁ ପୂର୍ଣ୍ଣ ହୁଏ ନାହିଁ । ଅତଏବ ଶୋକାଭିଭୂତ ନହୋଇ ପ୍ରୟାସ ନେଲେ ଅସାଧ୍ୟ ମଧ୍ୟ ସାଧ୍ୟ ହୋଇପାରେ । ଏହାଭାବି ପୁନଶ୍ଚ ସମସ୍ତେ ମୃତ ଦେହର ଚତୁର୍ଦିଗରେ ଅପେକ୍ଷମାନ ରହିଲେ ।

 

ପୁତ୍ରର ମସ୍ତକକୁ ସ୍ୱୀୟ କ୍ରୋଡ଼ରେ ଧାରଣ କରି ପିତା, ପୁତ୍ରଶୋକରେ ପୁନଶ୍ଚ ବିଳାପ କରିବାକୁ ଲାଗିଲେ ।

 

ନିକଟସ୍ଥ ଶକୁନ ଅତଃପର କହିଲା, ମୁଁ ଶୃଗାଳର ବଚନମାନ ଶୁଣିଅଛି । ମୁଁ ଏକ ପ୍ରବୀଣ ଶକୁନି । ସହସ୍ର ବର୍ଷ ବ୍ୟାପୀ ମୁଁ ଏହି ବୃକ୍ଷରେ ବାସ କରୁଅଛି । ଏପର୍ଯ୍ୟନ୍ତ ସ୍ତ୍ରୀ, ପୁରୁଷ, ଯୁବା, ବାଳକ, ବୃଦ୍ଧାମାନଙ୍କର ମୃତ ଦେହ ମଧ୍ୟ ଏହି ଶ୍ମଶାନରେ ଦେଖିଛି । କିନ୍ତୁ କୌଣସି ମୃତ ଦେହ ପୁନର୍ଜୀବନ ଲାଭ ଦେଖିନାହିଁ । ଆପଣଙ୍କର ମୃତ ପୁତ୍ରର ଇନ୍ଦ୍ରିୟ ବର୍ଗ ନିଷ୍କ୍ରିୟ ହୋଇ ସାରିଛି, ତଥାପି ଏଠାରେ ଅପେକ୍ଷମାନ ରହି ପୁତ୍ରର ଜୀବନପ୍ରାପ୍ତି ଆଶା ଏକ ଦୁରାଶା ମାତ୍ର । ନିଜର ମଙ୍ଗଳ ନିମନ୍ତେ ଏହି ବନଭୂମି ସତ୍ୱର ତ୍ୟାଗ କରନ୍ତୁ ।

 

ସ୍ୱଜନବର୍ଗ ପରିବୃତ୍ତ ପିତା ଭାବିଲେ, ଶକୁନ ସତ୍ୟ ବଚନ କହିଅଛି । ଶୁଷ୍କ ବୃକ୍ଷ କଣ ବାରିସିଞ୍ଚନରେ ସଜୀବ ଓ ସବୁଜ ହୋଇପାରେ ? ଯଦି ଏହା ସମ୍ଭବ ନୁହେଁ ତାହେଲେ ମୃତ ଦେହରେ ଜୀବନ ସଞ୍ଚାର ମଧ୍ୟ ଏକ ଦୁରାଶା ମାତ୍ର ।

 

ଅତଃପର ସମସ୍ତେ ପ୍ରସ୍ଥାନୋଦ୍ୟତ ହେବା ସମୟରେ ପୁନଶ୍ଚ ଶୃଗାଳ କହିଲା, ‘‘ମହାବୃଦ୍ଧ ଶକୁନ ମହାବିଜ୍ଞ ସଦୃଶ ଦମ୍ଭୋକ୍ତି କରିଅଛି । ଆପଣ ଜାଣିଥିବେ ‘ଶ୍ରୀରାମଚନ୍ଦ୍ର’ ଶୂଦ୍ର ଶମ୍ବୁକକୁ ନିଧନ କରିଥିଲେ, ସେହି ମୃତ ଜୀବନ ବିନିମୟରେ ଏକ ବ୍ରାହ୍ମଣ ବାଳକ ପୁନର୍ଜୀବନ ପ୍ରାପ୍ତ ହୋଇଥିଲା । ରାଜର୍ଷି ‘ଶ୍ୱେତ’ଙ୍କର ବାଳକ ପୁତ୍ର ମୃତ୍ୟୁ ବରଣ କରିଥିଲା କିନ୍ତୁ ଯୋଗ ବଳରେ ସେହି ମୃତ ବାଳକ ପୁନର୍ଜୀବନ ଲାଭ କରିଥିଲା ।

 

ବିହ୍ୱଳ ବ୍ରାହ୍ମଣ କ୍ଷୀଣକଣ୍ଠରେ କହିଲେ–ମୁଁ ଜଣେ ସଂସାରୀ, ସାଧାରଣ ମନୁଷ୍ୟ । ଅତଏବ ଭାଗ୍ୟକୁ ସ୍ୱୀକାର କରିବାହିଁ ବିଧେୟ ।

 

ଶୃଗାଳ–ଆପଣଙ୍କୁ ଧିକ୍‌ । ଭାଗ୍ୟ ସହିତ ସଂଗ୍ରାମ କରିବାହିଁ ପୁରୁଷର ପୌରୁଷ । ଯଦିବା ଆପଣ ଭାଗ୍ୟକୁ ବିଶ୍ୱାସ କରନ୍ତି, ତାହେଲେ ଆପଣଙ୍କର ଶୋକ ବିନାପ ଶ୍ରବଣ କରି କୌଣସି ସିଦ୍ଧ ମୁନି ବା ଦେବତା କରୁଣାବେଶରେ ଏହି ପୁତ୍ରର ଜୀବନ ଦାନ କରି ପାରନ୍ତି । ଶୃଗାଳର ଏବଂ ବିଧ ଆଶା ବଚନମାନ ଶୁଣି ପୁନଶ୍ଚ ସମସ୍ତେ ଶବ ଦେହ ଚତୁଃପାର୍ଶ୍ୱରେ ଅପେକ୍ଷା କଲେ ।

 

ଏହାଦେଖି ଶକୁନର ଅତ୍ୟନ୍ତ କ୍ରୋଧଜାତ ହେଲା । ତାର ସମସ୍ତ ପରିକଳ୍ପନା ଶୃଗାଳ ମାଟି କରୁଥିବାର ଦେଖି ସେ କ୍ରୁଦ୍ଧ ସ୍ୱରରେ କହିଲା, ‘ଧୂର୍ତ୍ତ ଶୃଗାଳର ବୃଥା ବଚନମାନ ଶୁଣି ଏହି ପ୍ରେତ ନଗରରେ ପୁନଶ୍ଚ ଅପେକ୍ଷା କରୁଛନ୍ତି । ପ୍ରକୃତି ନିୟମାନୁସାରେ ଯେଉଁ ବ୍ୟକ୍ତି ଚିରଦିନ ନିମନ୍ତେ ବିଦାୟ ନିଏ, ସେ କେବେହେଁ ଫେରି ଆସେ ନାହିଁ । ଏହି ସଂସାରରେ ଧର୍ମ ଓ ଅଧର୍ମ ଯୁଗପତ୍‌ ରହିଅଛି । ଧର୍ମପଥରେ ସୁଖ, ସମୃଦ୍ଧି ଲାଭ ହୁଏ ଓ ଅଧର୍ମ ପଥରେ ବିନାଶ ଘଟିଥାଏ । ଏହି ମୃତ ପୁତ୍ର ସମ୍ଭବତଃ ଅଧର୍ମ ଆଚରଣର ଫଳ ଭୋଗ କରିଅଛି । ଶତସହସ୍ର ଶୃଗାଳ ଜୀବନ ଉତ୍ସର୍ଗ କଲେ ମଧ୍ୟ ବା ମନୁଷ୍ୟ ଅଶ୍ରୁ ବାରିରେ ନଦୀ ସ୍ରୋତ ସୃଷ୍ଟି ହେଲେ ମଧ୍ୟ ମୃତର ଜୀବନ ଲାଭ ଏକ ଦୁରାଶା ମାତ୍ର । ରାତ୍ରିକାଳ ସମାଗତ । ଅଳ୍ପକାଳ ପରେ ପିଶାଚ ନୃତ୍ୟରେ ଏହି ବନଭୂମି ଭୟଙ୍କର ରୂପ ଧାରଣ କରିବ ।

 

ବ୍ରାହ୍ମଣ କହିଲେ–ତୁମ୍ଭର ଯୁକ୍ତି ଅବଶ୍ୟ ସ୍ୱୀକାର୍ଯ୍ୟ । ଏହା ମଧ୍ୟ ହୋଇପାରେ ରାତ୍ରି ହେବା ପୂର୍ବରୁ କୌଣସି ସିଦ୍ଧ ପୁରୁଷ ଏଠାକୁ ଆସିପାରନ୍ତି ।

 

ଶକୁନ–ସ୍ନେହ ମନୁଷ୍ୟର ବୁଦ୍ଧିନାଶ କରେ । ଆୟୁଶେଷ ହେଲେ ସିଦ୍ଧ ପୁରୁଷ ମଧ୍ୟ ଆୟୁଦାନ କରିପାରନ୍ତି ନାହିଁ । ଏକମାତ୍ର ଦେବାଦିଦେବ ଶଙ୍କର, କୁମାର କାର୍ତ୍ତିକେୟ ଓ ଭଗବାନ ବ୍ରହ୍ମା ଗତାୟୁର ଜୀବନଦାନ କରିପାରନ୍ତି । ଆପଣଙ୍କର ଏପରି କଣ ତପସ୍ୟା ବଳ ଅଛି ଯେ ଭଗବତ୍‌କୃପା ପ୍ରାପ୍ତି ହେବେ ? ଅତଏବ ସତ୍ୱର ଏହି ସ୍ଥାନ ତ୍ୟାଗ କରନ୍ତୁ ।

 

ସେମାନେ ଗମନୋଦ୍ୟତ ହେବା ଦେଖି ପୁନଶ୍ଚ ଶୃଗାଳ ପଥରୋଧ କରି କହିଲା–ବୃଦ୍ଧିହୀନ ମନୁଷ୍ୟ ହିଁ ଏହିପରି ଅର୍ବାଚୀନ ବଚନ ସ୍ୱୀକାର କରି ବିଚାର ବୁଦ୍ଧି ଶୂନ୍ୟ ହୋଇଥାଏ । ଏହା ଚିରନ୍ତନ ସତ୍ୟ ଯେ ସୁଖ ପରେ ଦୁଃଖ, ଦୁଃଖପରେ ସୁଖ ଚକ୍ରାକାରରେ ଆସିଥାଏ । ଯେପରି ରାତ୍ରିର ଅନ୍ଧକାର ଚିରସ୍ଥାୟୀ ନୁହେଁ, ସେହିପରି ଦୁଃଖ ମଧ୍ୟ ଚିରସ୍ଥାୟୀ ନୁହେଁ । ଧୈର୍ଯ୍ୟ ଧାରଣ କଲେ ଅବଶ୍ୟ ଆପଣ ପୁତ୍ର ସୁଖ ଭୋଗ କରିବେ ଓ ସୁଖର ପୁନରାଗମନ ହେବ । ମୁଁ ଏବେ ମଧ୍ୟ ନିଶ୍ଚିତ ଯେ ଏହି ପୁତ୍ର ଆପଣଙ୍କର ଜୀବିତ ଓ ଅଘୋର ନିଦ୍ରା ମଗ୍ନ ।

 

ପୁନଶ୍ଚ ସ୍ୱଜନବର୍ଗ ସହ ପିତା ମୃତ ଦେହ ପାର୍ଶ୍ୱରେ ଉପବେଶନ କଲେ । ଏହିପରି ଏକ ଦିଗରେ ମିଷ୍ଟଭାଷୀ ସହୃଦୟ ଅଭିନୟ ପଟୁ ଶୃଗାଳ ବଚନ ଓ ଅନ୍ୟ ଦିଗରେ କ୍ଷୁଧାର୍ତ୍ତ କର୍କଶ ସ୍ୱରଯୁକ୍ତ ଶକୁନର ନିର୍ଭେଜାଲ ବଚନମାନ ଶୁଣି ଦୋଦୁଲ୍ୟମାନ ବିହ୍ୱଳ ପିତା ଓ ଶବବାହୀ ସ୍ୱଜନବର୍ଗ ଉଭୟସଂକଟ ମଧ୍ୟରେ ରହିଲେ । ଏକ ପଶୁ, ଏକ ପକ୍ଷୀର ସ୍ୱାର୍ଥ ସିଦ୍ଧି ପାଇଁ ନିଦାରୁଣ ଚତୁର ଉପଦେଶମାନ ଶୁଣି, ସେହି ସବୁ ଉପଦେଶାବଳୀର ଯଥାର୍ଥ ମର୍ମାର୍ଥ ସେହି ସମୟରେ ସେହି ପରିସ୍ଥିତିରେ, ସେମାନେ ଅନୁଧାବନ କରିବାରେ ବିଫଳ ହୋଇଥିଲେ ।

 

କ୍ରମଶଃ ସୂର୍ଯ୍ୟ ଅସ୍ତମିତ ହେଲେ । ପୁତ୍ର ବିୟୋଗ କାତର ପିତା ଓ ସ୍ୱଜନ ବର୍ଗ ଅଧିକରୁ ଅଧିକ ମୂହ୍ୟମାନ ହୋଇ ସେହିଠାରେ କିଂକର୍ତ୍ତବ୍ୟବିମୂଢ଼ ହୋଇ ବସି ରହିଥିଲେ ।

 

ଏହି ସମୟରେ ଅନ୍ତରୀକ୍ଷ ମାର୍ଗରେ ହରପାର୍ବତୀ ପୃଥିବୀ ପରିଭ୍ରମଣରେ ନିର୍ଗତ ହୋଇଥିଲେ । ଶୋକ ସନ୍ତପ୍ତ ପିତା ଓ ସ୍ୱଜନବର୍ଗଙ୍କୁ ସେହି ଶ୍ମଶାନରେ ପୁତ୍ରର ଶବ ଚତୁଃପାର୍ଶ୍ୱରେ ମୂହ୍ୟମାନ ଅବସ୍ଥାରେ ଦେଖି ଭଗବତୀ ପାର୍ବତୀଙ୍କର ମନରେ କରୁଣା ଉଦ୍ରେକ ହେଲା ।

 

ଭଗବାନ ଶଙ୍କର ପାର୍ବତୀଙ୍କ ଅଭିପ୍ରାୟ ଜାଣିପାରି, ସେହି ଶ୍ମଶାନଭୂମିରେ ଆବିର୍ଭୂତ ହେଲେ । ହତଚକିତ ହୋଇ ସମବେତ ମନୁଷ୍ୟଗଣ ଦେବାଦିଦେବଙ୍କୁ ପ୍ରଣାମ ଜଣାଇଲେ ।

 

ଶଙ୍କର ପିତାଙ୍କୁ କହିଲେ–ତୁମର ଅଭିଳଷିତ ବର ପ୍ରାର୍ଥନା କର । ମୁଁ ସେହି ବର ଦାନ ତୁମକୁ ଦେବି ।

 

ଶୋକ ବିହ୍ୱଳ ବ୍ରାହ୍ମଣ କହିଲେ–ମୋର ଏକମାତ୍ର ବଂଶଧର ପୁତ୍ର ଅକାଳରେ ମୃତ୍ୟୁ ବରଣ କରିଅଛି । କୃପାକରି ମୋ ପୁତ୍ରର ଜୀବନ ଦାନ ଦେଇ ମୋତେ ଓ ସ୍ୱଜନବର୍ଗଙ୍କୁ ଶୋକମୁକ୍ତ କରନ୍ତୁ ।

 

ଦେବାଦିଦେବ ଶଙ୍କର ‘ତଥାସ୍ତୁ’ କହିବାପରେ ଅଚିରେ ନିଷ୍ପ୍ରାଣ ବାଳକ ଦେହରେ ପ୍ରାଣ ସଞ୍ଚାର ହେଲା । କିନ୍ତୁ ବିମର୍ଷ ଶକୁନ ଓ ଶୃଗାଳ ନିଦାରୁଣ କ୍ଷୁଧା ଜ୍ୱାଳାରେ ହତ୍‌ବାକ୍‌ ହୋଇ ରହିଲେ ।

 

ଅନ୍ତର୍ଯ୍ୟାମୀ ଭଗବାନ ଶଙ୍କର ଦୟା ପରବଶ ହୋଇ ସେମାନଙ୍କୁ ମଧ୍ୟ ଏପରି ବରଦାନ ଦେଲେ ଯେ ସେମାନେ କ୍ଷୁଧା ଜ୍ୱାଳା ବିସ୍ମୃତ ହୋଇଥିଲେ ।

Image

 

ସୁଲଭା–ଜନକ ସମ୍ବାଦ

 

(ତ୍ରିଦଣ୍ଡୀ ସନ୍ନ୍ୟାସିନୀ ‘ସୁଲଭା’ ମିଥିଳାଧିଶ ରାଜ ଜନକ ଧର୍ମଧ୍ୱଜଙ୍କର ‘ମୋକ୍ଷତତ୍ତ୍ୱ’ ପରୀକ୍ଷା ପୂର୍ବକ ରାଜାଙ୍କୁ ମୋକ୍ଷ ଧର୍ମ ସମ୍ବନ୍ଧରେ କିପରି ସଠିକ ଜ୍ଞାନ ପ୍ରଦାନ କରିଥିଲେ–ତାହା ଏହି ଆଖ୍ୟାୟିକାରେ ଆଲୋଚନା କରାଯାଇଅଛି ।)

 

ବିଦେହ ରାଜା ମିଥିଳାଧିଶ ରାଜପରିବାରରେ ବଂଶ ପରମ୍ପରା ବା ଉତ୍ତରାଧିକାର ସୂତ୍ରରେ ଯେଉଁ ରାଜା ମିଥିଳା ସିଂହାସନାରୂଢ଼ ହେଉଥିଲେ, ସେହି ରାଜା ‘ରାଜା ଜନକ’ ଉପାଧିରେ ଭୂଷିତ ହେଉଥିଲେ । ଏହି ଉପାଧି ନିମେର୍ମାହତା କାରଣ ବଶତଃ ଥିବାରୁ ପ୍ରତ୍ୟେକ ମିଥିଳାଧିଶ ‘ଜନକ’ ଉପାଧିରେ ଭୂଷିତ ଥିଲେ ।

 

ଏକା କାଳରେ ମିଥିଳା ନଗରୀରେ ଜନକ ‘ଜନକ’ ଉପାଧି ବିଭୂଷିତ ହୋଇ ‘ଜନଦେବ’ ମିଥିଳା ସିଂହାସନାରୁଢ଼ ହୋଇଥିଲେ । ରାଜସଭାରେ ବିଦ୍ୱାନ ଜନମଣ୍ଡଳୀର ଧର୍ମାଲୋଚନାରେ ସଦା ସର୍ବଦା କାଳ କାଟୁଥିଲେହେଁ, ରାଜା ଜନଦେବ ସେହି ଆଲୋଚନାର ସୂତ୍ରମାନ ଧରି ଅନେକ ସମସ୍ୟାରେ ରାଜାଙ୍କ ମନରେ ସଂଶୟ ଜାତ ହେଉଥିଲା । ଯେପରି ମୂଳ ସଂଶୟ ଥିଲା ଆତ୍ମାର କଣ ପୃଥକ ଅସ୍ତିତ୍ୱ ନାହିଁ ? ଦେହ କଣ ଆତ୍ମା’ ଦେହ ପରିଚର୍ଯ୍ୟାରେ କଣ ଆତ୍ମପରିଚର୍ଯ୍ୟା ଓ ସମଦର୍ଶିତା ଲାଭ କରାଯାଇପାରେ ? ଏହି ସବୁ ନିଗୂଢ଼ ସଂଶୟରେ ରାଜ ଜନଦେବ ଅଧିକାଂଶ ସମୟ ଆତ୍ମମଗ୍ନ ରହୁଥିଲେ ।

 

ଏହିପରି ସମୟରେ ଏକଦା ପରମଜ୍ୟୋତି ମହର୍ଷି ପଞ୍ଚଶିଖି ମିଥିଳା ରାଜ ସଭାରେ ଆବିର୍ଭୂତ ହେଲେ । ମହର୍ଷି ପଞ୍ଚଶିଖିଙ୍କ ଆଧ୍ୟାତ୍ମ ଜ୍ଞାନ ବଳରେ ରାଜା ଜନପଦଙ୍କୁ ସେ ବିଭ୍ରାନ୍ତ ମୁକ୍ତ କରି ପରମଜ୍ଞାନ ଦେଇ କହିଲେ ‘‘ଦେହ ଓ ଆତ୍ମା ଏକ ନୁହେଁ । ଦେହ ଆତ୍ମାର ଆଧାର ମାତ୍ର । ଦେହ ସସୀମ ଓ ଆତ୍ମା ଅସୀମ । ଅତ୍ମଜୀବ ରୂପୀ ହୋଇ ଆତ୍ମା ଜୀବ ଦେହରେ ଥିଲେ ହେଁ ଏହା ଏକ ଅଖଣ୍ଡ ‘ସତ୍ତା’ ।

 

ଦେହ ବୋଧରେ ଆସକ୍ତି ଓ ଲାଳସା ଜାତ ହୁଏ, କିନ୍ତୁ ଆତ୍ମବୋଧ ଓ ଆତ୍ମଜ୍ଞାନରେ ଈର୍ଷାଦ୍ୱେଷହୀନ ବିଶ୍ୱଚେତନା ଜାଗ୍ରତ ହୁଏ । ଭେଦାଭେଦହୀନ ‘ଚୈତନ୍ୟ ସତ୍ତା’ ମୋହଯୁକ୍ତ ହୋଇ ଜୀବର ଜୀବନ ସାର୍ଥକ କରିଥାଏ । ଏହି ସବୁ ଦିବ୍ୟଜ୍ଞାନ ରାଜା ଜନଦେବ ମହର୍ଷି ପଞ୍ଚଶିଖିଠାରୁ ପ୍ରାପ୍ତ ହୋଇଥିବାରୁ ରାଜା ପଞ୍ଚଶିଖିଙ୍କୁ କୁଳଗୁରୁଙ୍କ ଆସନ ପ୍ରଦାନ କରିଥିଲେ । ସେହି ଦିନଠାରୁ ପଞ୍ଚଶିଖି ଜନକ ରାଜପରିବାରରେ ଧର୍ମୋପଦେଷ୍ଟା ଗୁରୁଙ୍କର ଆସନ ଅଳଙ୍କୃତ କରିଥିଲେ ।

 

ସେହି ସମୟରେ ଗୁରୁ ପଞ୍ଚଶିଖିଙ୍କ ସଦୃଶ ସାର୍ଥକ ସତ୍ୟ ଦ୍ରଷ୍ଟା ବ୍ୟକ୍ତି ବିରଳ ଥିଲେ । ପଣ୍ଡିତକୁଳ ସେହି ଅଦ୍ୱିତୀୟ ମନୀଷୀଙ୍କୁ ‘ସାଂଖ୍ୟ’ ଶାସ୍ତ୍ରର ପ୍ରବକ୍ତା-ଦ୍ୱିତୀୟ ‘ଭଗବାନ କପିଳ’ଙ୍କ ଆସନ ପ୍ରଦାନ କରିଥିଲେ । ଦିବ୍ୟ ଦୃଷ୍ଟି ସମ୍ପନ୍ନ ‘ପଞ୍ଚଶିଖି’ ଦେହୀ ଓ ଦେହର ପ୍ରଭେଦ ରହସ୍ୟ ପ୍ରତ୍ୟକ୍ଷ କରିବାକୁ ସମର୍ଥ କରିଥିଲେ ।

 

ପଞ୍ଚଶିଖିଙ୍କର ଜନ୍ମବୃତ୍ତାନ୍ତ ଏକ ତମସାବୃତ୍ତ କାହାଣୀ କପିଳା ନାମ୍ନୀ ଏକ ବ୍ରାହ୍ମଣୀ ଆତ୍ମୀୟାଙ୍କ ସ୍ତନଦୁଗ୍‌ଧ ପାନକରି ସେ ଶୈଶବ ଅତିବାହିତ କରିଥିଲେ । ଅତଃପର ଲୋକ ସମାଜରେ ସେ କାପିଳେୟ ନାମରେ ବିଦିତ ଥିଲେ । ଶୈଶବ କାଳରୁ ସାଧନା ବଳରେ ‘କାପିଳେୟ’ ‘ପଞ୍ଚକୋଷ ଅତୀତ ‘ଶିଖାବ୍ରହ୍ମ’ ବା ପଞ୍ଚଶିଖକୁ ପ୍ରତ୍ୟକ୍ଷ କରିଥିଲେ । ସେହି କାରଣରୁ ତାଙ୍କର ଅପର ନାମ ‘ପଞ୍ଚଶିଖି’ ଥିଲା ।

 

ମହର୍ଷି ‘ପଞ୍ଚଶିଖ’, ‘ପଞ୍ଚସ୍ତୋତ୍ର’ ବିଶିଷ୍ଟ ମନ ରହସ୍ୟରେ ଅଭିଜ୍ଞ ଥିଲେ । ପଞ୍ଚକୋଷ ଓ ପ୍ରତିକୋଷର ଯଥାଯଥ ଉପାସନା କରି ‘ଶମ’-‘ଦମ-ଉପରତି’-‘ତିତିକ୍ଷା’–ସମାଧାନ ଏହି ପଞ୍ଚଗୁଣରେ ଦକ୍ଷତା ଅର୍ଜ୍ଜନ କରି ଶିଖାସମ ଉଜ୍ଜ୍ୱଳ ଥିବାରୁ ସେ ସମ୍ଭବତଃ ‘ପଞ୍ଚଶିଖ’ ନାମରେ ସର୍ବଜନ ବିଦିତ ଥିଲେ ।

 

ବିଦେହ ରାଜବଂଶ, ମହର୍ଷି ପଞ୍ଚଶିଖଙ୍କ ଜ୍ଞାନ ନିକଟରେ ଆନୁଗତ୍ୟ ସ୍ୱୀକାର କରିଥିବାରୁ ବିଦେହ ରାଜଗଣ ‘ରାଜର୍ଷି ଜନକ’ ନାମରେ ଆଖ୍ୟାତ ହୋଇଥିଲେ । କାଳକ୍ରମେ ରାଜା ଯନଦେବଙ୍କ ପରେ ମିଥିଳା ସିଂହାସନରେ ରାଜର୍ଷି-ଜନକ ଉପାଧି ବିଭୂଷିତ ହୋଇ ରାଜା ଧର୍ମଧ୍ୱଜ ମିଥିଳା ସିଂହାସନାରୂଢ଼ ହେଲେ । ଜନ ସମାଜରେ ରାଜା ଧର୍ମଧ୍ୱଜ’ ବ୍ରହ୍ମଜ୍ଞାନୀ ଧର୍ମଧାରକ ଓ ଧର୍ମବାହାକ ରୂପେ ସମାଦୃତ ହୋଇଥିଲେ ।

 

ସେହି ସମୟରେ ଉଚ୍ଚକୁଳଜାତ ଆବାଲ୍ୟ ସଂସାର ବିରାଗିନୀ ‘ସୁଲଭା, ଲୌକୀକ ଜୀବନଯାପନରେ ପରାଙ୍‌ମୁଖ ହୋଇ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ସାଧନାରେ ସିଦ୍ଧିଲାଭ କରି ସତ, ରଜ, ତମ ତିନିଗୁଣର ପ୍ରତୀକ ଓ ନିୟନ୍ତ୍ରକ ତ୍ରିଦଣ୍ଡ ଧାରଣ କରି ଗୈରିକ ବସନ ବିମଣ୍ଡିତା ଏକ ପରିବ୍ରାଜିକା ସନ୍ନ୍ୟାସିନୀ ଜୀବନଯାପନ କରୁଥିଲେ । ଭିକ୍ଷାପାତ୍ର ହସ୍ତରେ ସେ ଗ୍ରାମରୁ ଗ୍ରାମାନ୍ତର ପରିଭ୍ରମଣ କରି ଯଥାଲାଭରେ ସନ୍ତୁଷ୍ଟ ହେଉଥିଲେ । ରାତ୍ରୀବାସ ବ୍ୟତୀତ ସେହି ସନ୍ନ୍ୟାସିନୀ ଏକ ସ୍ଥାନରେ ଅଧିକ କାଳାତିପାତ କରୁ ନଥିଲେ ।

 

ଏହିପରି ପରିଭ୍ରମଣ କରିବା ସମୟରେ ଏକଦା ରାଜା ‘ଧର୍ମଧ୍ୱଜ’ଙ୍କର ଜ୍ଞାନ ଗରିମା ଓ ପ୍ରଶଂସା ବଚନମାନ ଶୁଣି ଚାକ୍ଷୁସରେ ମୋକ୍ଷତତ୍ତ୍ୱ’ ସମ୍ବନ୍ଧୀୟ ଜ୍ଞାନ ପରୀକ୍ଷା ବାସନା ସୁଲଭଙ୍କ ମନରେ ଜାତ ହେଲା । ସେହି ବାସନା ପୂରଣ ନିମନ୍ତେ ବନପ୍ରଦେଶର ଏକ ନିର୍ଜ୍ଜନ ସ୍ଥାନରେ, ପାର୍ଶ୍ୱରେ ତ୍ରିଦଣ୍ଡ ସ୍ଥାପନ କରି ନିବିଡ଼ ଯୋଗାସନରେ ଉପବେଶନ କରି, ଯୋଗବଳରେ ସନ୍ନ୍ୟାସିନୀ ଦେହ ପିଞ୍ଜରା ତ୍ୟାଗ କରି ଏକ କାମିନୀ ରୂପ ଧାରଣ କଲେ ।

 

ଏକଦା ମିଥିଳାର ରାଜସିଂହାସନରେ ରାଜା ଧର୍ମଧ୍ୱଜ ମନ୍ତ୍ରୀ ଓ ପାରିଷଦ ବର୍ଗସହ ଜ୍ଞାନୀଗୁଣୀଙ୍କ ସମାବେଶରେ ଆଲୋଚନାରତ ସମୟରେ ଏକ ପୂର୍ଣ୍ଣ ଯୌବନା ରମଣୀ ସଭା ମଧ୍ୟରେ ପ୍ରବେଶ କଲେ । ସୁବେଶୀ ମୂର୍ତ୍ତିମତୀ ଶ୍ରୀମଣ୍ଡିତ ସେହି ରମଣୀଙ୍କୁ ଦେଖି ରାଜା ବିସ୍ମିତ ହେଲେ । ବିସ୍ମିତ ରାଜା ରମଣୀଙ୍କୁ ଦେଖି ମନରେ ଚିନ୍ତାକଲେ ‘କିଏ ଏହି ରମଣୀ’ ? କାହାର ବା କନ୍ୟା ହୋଇପାରନ୍ତି ? କେଉଁଠାରୁ ବା ଆସିଛନ୍ତି ଓ କଣ ବା ଉଦ୍ଦେଶ୍ୟ ? କିନ୍ତୁ ପ୍ରଥମ ସାକ୍ଷାତରେ ପରିଚୟ ପ୍ରଶ୍ନ ରୀତିବିରୁଦ୍ଧ ଭାବି ଆଗନ୍ତୁକାଙ୍କୁ ଯଥାରୀତି ଆପ୍ୟାୟନ ଜ୍ଞାପନ କରି ଆସନ ପ୍ରଦାନ କଲେ । ରମଣୀଙ୍କର ନୟନର ମୋହିନୀମୟ ବିଲ୍ୱୋଳ କଟାକ୍ଷ ପାତରେ ସଂଯମୀ ଜନକ ଧର୍ମଧ୍ୱଜଙ୍କ ମନରେ ଚାଞ୍ଚଲ୍ୟ ସୃଷ୍ଟି ହେଲା । ସେ ମନେ ମନେ ଭାବିଲେ, ତାଙ୍କର ସଂଯମ ଓ ଆସକ୍ତିହୀନକା ସମସ୍ତ କଣ ଏହି ରମଣୀର ମୋହିନୀ ମାୟାରେ ଧୂଳିସାତ୍‌ ହୋଇଯିବ ? ମନକୁ କଠୋର ସଂଯମରେ ରଖି ଓ ଦୃଢ଼ ଚିତ୍ତରେ ଆତ୍ମସମୀକ୍ଷା କରି ଜାଣିପାରିଲେ ଯେ ରମଣୀ ଏକ ଅସାଧାରଣ ଶକ୍ତିସମ୍ପନ୍ନା ଯୋଗିନୀ ଓ ତ୍ରିଦଣ୍ଡଧାରା ସନ୍ନ୍ୟାସିନୀ । ରାଜା ଏହା ଜାଣିପାରି ହତଚକିତ ହୋଇ ଚିନ୍ତାକଲେ ଯୋଗିନୀ ବେଶ ତ୍ୟାଗ କରି, ଏହି ସୁବେଶା କାମିନୀ ରୂପ ଧାରଣ କରି ଏହିଠାକୁ ଆସିବାର ଅଭିପ୍ରାୟ କଣ ଥାଇପାରେ ? ମନ ସଂଯତ କରି ଧର୍ମଧ୍ୱଜ କାମିନୀଙ୍କୁ ପଚାରିଲେ, ଆପଣଙ୍କ ସହିତ ମୋର ସାକ୍ଷାତ ଏକ ଶୁଭ ସଂକେତ । କିନ୍ତୁ ଆପଣ କିଏ ? ଏହି ବୟଃକ୍ରମରେ ସନ୍ନ୍ୟାସିନୀ ଦୀକ୍ଷା ବା କାହିଁକି ଗ୍ରହଣ କରିଛନ୍ତି । କେଉଁଠାରୁ ବା ଆପଣ ଆସିଛନ୍ତି ?

 

ରାଜାଙ୍କର ଏହିସବୁ ପ୍ରଶ୍ନରେ ରମଣୀ ନିରୁତ୍ତର ରହି ଜନକଙ୍କୁ ବିଲ୍ୱୋଳ କଟାକ୍ଷପାତ କରିବାକୁ ଲାଗିଲେ ।

 

ପୁନଶ୍ଚ ରାଜା କହିଲେ–ଆପଣ ନିଶ୍ଚୁପ ରହିବାରୁ, ମୁଁ ମୋ ପରିଚୟ ପ୍ରଦାନ କରୁଛି । ମହାଜ୍ଞାନୀ ବୃଦ୍ଧ ସନ୍ନ୍ୟାସୀ ପଞ୍ଚଶିଖ’ ମୋର ଗୁରୁଦେବଙ୍କର ପ୍ରଦତ୍ତ ଜ୍ଞାନ ସମ୍ପଦ ବଳରେ ମୋର ଯାବତୀୟ ମାନସିକ ଦ୍ୱନ୍ଦ୍ୱ ଓ ସଂଶୟ ଦୂର ହୋଇଅଛି । ଗୁରୁଦେବଙ୍କ ପ୍ରଦତ୍ତ ଜ୍ଞାନ ବଳରେ ମୁଁ ଉପଲବ୍ଧି କରିଛି ଯେ ‘ଆସକ୍ତି’ର ଅପର ନାମ ‘ବନ୍ଧନ’ । ଏହି ‘ବନ୍ଧନ’ ଯୋଗୁହିଁ ଜୀବ ଆନନ୍ଦ ବା ବିଷାଦ ଭାବ ନେଇ ପୁନଃ ପୁନଃ ଦେହଧାରଣ କରିଥାଏ । ଆତ୍ମଜ୍ଞାନ ବିକାଶଦ୍ୱାରା ମନୁଷ୍ୟ ପରମ ସତ୍ୟ ଉପଲବ୍‌ଧି କରି ଜାଣିପାରେ ଯେ ଏହି ସଂସାର ଅନିତ୍ୟ ଓ ଅସାର ।

 

ସଂସାରରେ ସ୍ତ୍ରୀ-ପୂତ୍ର, ଆତ୍ମୀୟ-ସ୍ୱଜନ, ବିଷୟ-ବୈଭବ, ଐଶ୍ୱର୍ଯ୍ୟ-ସମ୍ପଦ, ସମସ୍ତ ‘ମୋହ’ର ନାମାନ୍ତର ମାତ୍ର । ଯେପରି ଲୁବ୍‌ଧକ ଜାଲ ବିସ୍ତାର କରି ଶିକାର ଅନ୍ୱେଷଣଣରେ ଘୂରି ବୁଲୁଥାଏ, ସେହିପରି ଶବ୍ଦ, ସ୍ପର୍ଶ ରୂପ, ରସ, ରନ୍ଧ ଏକ ଏକ ଅବ୍ୟୟବ ଧାରଣ କରି ଜୀବକୁ ନିତ୍ୟ ମାୟା ଜାଲରେ ଆବଦ୍ଧ କରିଥାନ୍ତି । ଫଳରେ ‘ଜୀବ’ ଜନ୍ମ-ମୃତ୍ୟୁ, ଜରା-ବ୍ୟାଧିର ଦାସତ୍ୱ ବନ୍ଧନରେ ଆବଦ୍ଧ ହୋଇଥାଏ । କିନ୍ତୁ ଆତ୍ମଜ୍ଞାନ ବିକାଶରେ ବୋଧଶକ୍ତି ଜାଗରିତ ହୋଇ, ଜୀବ ପାର୍ଥିବ ଭୋଗ୍ୟବସ୍ତୁର ଅନିତ୍ୟତା ଉପଲବ୍‌ଧି କରି ‘ଆସକ୍ତିଶୂନ୍ୟ’ ଓ ସ୍ଫୃହାଶୂନ୍ୟ ହୋଇଥାଏ । ଏହି ବୋଧଶକ୍ତି ଜାଗରଣରେ ବୈରାଗ୍ୟ ନିର୍ଲିପ୍ତତା ଜାଗ୍ରତା ହୁଏ ଓ ‘ବ୍ୟଷ୍ଟି’ ସ୍ୱାର୍ଥ ବିଲୀନ ହୋଇ ସମଷ୍ଟି ସ୍ୱାର୍ଥର ଆନନ୍ଦ ଉଦୟ ହୋଇଥାଏ । ମୁଁ ଗୁରୁଦେବଙ୍କ କୃପାରେ ସେହି ପରମ ତତ୍ତ୍ୱ ଜ୍ଞାତ ହୋଇ ସେହି ମହାସୁଖରେ ସୁଖୀ ଓ ଆତ୍ମସମ୍ୱେଦନଶୀଳ ହୋଇ ପାରିଛି । ‘ସାଂଖ୍ୟ’, ଯୋଗ ଓ ରାଜଧର୍ମ, ଏହି ତିନି ପ୍ରକାର ମୋକ୍ଷ ଧର୍ମ ମଧ୍ୟରେ ରହି ନିର୍ଦ୍ଦିଷ୍ଟ ଗନ୍ତବ୍ୟ ପଥର ସଠିକ ସନ୍ଧାନ ପାଇଥିବାରୁ, ଗୃହସ୍ଥ ଧର୍ମ ପାଳନ କରି ମଧ୍ୟ ମୁଁ ଅନାସକ୍ତ ଓ ଆତ୍ମମଗ୍ନ ରହି ମହାନନ୍ଦରେ ଏହି ରାଜକାର୍ଯ୍ୟ ପରିଚାଳନା କରି ପାରୁଅଛି । ମୋତେ ଗୁରୁଦେବ ଅନ୍ୟ ଏକ ଅମୂଲ୍ୟ ଉପଦେଶ ଦେଇଛନ୍ତି–

 

‘‘ଯମେଚ ନିୟମେଶ୍ଚୈବ, କାମେ, ଦ୍ୱେଷେ, ପରିଗ୍ରହେ

ମାନେ, ଦମ୍ଭେ ତଥା ସ୍ନେହେ ସଦୃଶାସ୍ତେ କୁଟୂମ୍ୱିଭିଃ ।’’

 

ଅର୍ଥାତ୍‌ ରମଣୀ, ଯମ, ନିୟମ, କାମ, ଦ୍ୱେଷ, ପରିଗ୍ରହ, ମାନ, ଦମ୍ଭ ଓ ସ୍ନେହ ଯେଉଁ ଗୃହସ୍ଥର ଆୟତାଧୀନ, ସେହି ବ୍ୟକ୍ତି ସନ୍ନ୍ୟାସୀ ମୁକ୍ତ ପୁରୁଷ । ମୋର ପୁରୁଷ ସତ୍ତା, ମୂର୍ତ୍ତିକା ଖଣ୍ଡ, ପ୍ରସ୍ତର ଓ ସ୍ୱର୍ଣ୍ଣଖଣ୍ଡକୁ ସମାନ ଜ୍ଞାନ କରିଥାଏ । ଏହି ଜ୍ଞାନ ଦିଗରୁ ମୁଁ ଗୃହୀ ହେଲେହେଁ କୌଣସି ତ୍ରିଦଣ୍ଡୀ ସନ୍ନ୍ୟାସୀଙ୍କ ତୁଳନାରେ କିଛିମାତ୍ର ନ୍ୟୁନ ନୁହେଁ ।

 

ଅତଃପର କିୟତ୍‌କାଳ ନୀରବ ରାଜା ଧର୍ମଧ୍ୱଜ ଅନ୍ତର୍ଭେଦୀ ଦୃଷ୍ଟିରେ ରମଣୀଙ୍କର ମୁଖମଣ୍ଡଳ ଜ୍ୟୋତି ଅନ୍ତରାଳରେ ଏକ ରମଣୀୟ ଲାବଣ୍ୟ ଦର୍ଶନ କରି ବୁଝି ପାରିଲେ ଯେ ଏହି ସୁବେଶୀ ଅବଶ୍ୟ ଏକ ତ୍ରିଦଣ୍ଡୀ ସନ୍ନ୍ୟାସିନୀ । କିନ୍ତୁ ରାଜାଙ୍କର ମନରେ ସେହି ଏକ ସଂଶୟ କାହିଁକି ଏହି ସନ୍ନ୍ୟାସିନୀ ଏହିପରି ସୁବେଶା କାମିନୀ ରୂପରେ ଏଠାକୁ ଆସିଛନ୍ତି ଓ ନୀରବ କଟାକ୍ଷପାତରେ ମୋତେ ବିମୋହିତ କରୁଛନ୍ତି ?

 

ରମଣୀଙ୍କୁ ନିଶ୍ଚୁପ ଦେଖି ରାଜା ପୁନଶ୍ଚ ପ୍ରଶ୍ନ କଲେ–ଆପଣ ମୋର ପରିଗ୍ରହ କଥା ଚିନ୍ତା କରି, ମୋର ବୈରାଗ୍ୟ ସମ୍ୱନ୍ଧରେ ସନ୍ଧିହାନ କି ? ଯଦି ଆପଣଙ୍କର ଏହି ସନ୍ଦେହ ଥାଏ ଓ ଏହି ଅଭିପ୍ରାୟ ଜାତ ହୁଏ, ତାହେଲେ ଆପଣ ‘ସଙ୍ଗଲାଭ’ ବାସନାରୁ ମୁକ୍ତ ହୋଇପାରି ନାହାନ୍ତି । ନରପତି ହିସାବରେ ଛତ୍ର, ଚାମର, ଦଣ୍ଡ ମୁଁ ଯେପରି ପରିତ୍ୟାଗ କରିଛି, ସେହିପରି ସନ୍ନ୍ୟାସିନୀ ହୋଇ ଆପଣ କମଣ୍ଡଳୁ ଗ୍ରହଣ କରିବା ଉଚିତ ନୁହେଁ କି ? ଯଦି ଆପଣ ଜ୍ଞାନ ଲାଭ କରି ତ୍ରିଦଣ୍ଡ ଧାରଣ କରି ଜ୍ଞାନନ୍ମୁକ୍ତ ହୋଇ ପାରିଛନ୍ତି ତାହେଲେ ସେହି ପ୍ରକାର ଜ୍ଞାନ ସମ୍ପନ୍ନ ରାଜା କାହିଁକି ଜୀବନ୍ମୁକ୍ତ ହୋଇ ପାରିବ ନାହିଁ ?

 

ଜ୍ଞାନ ବୈରାଗ୍ୟ ହିଁ ସାଧନର ପ୍ରକୃତ ସମ୍ପଦ । ସାଧନା ବଳରେ ଧନ, ଜନ ନିର୍ବିଶେଷରେ ଯେ କୌଣସି ମନୁଷ୍ୟ ବନ୍ଧନହୀନ ଓ ଜୀବନ୍ମୁକ୍ତ ହୋଇପାରେ । ମୋର ପରିଚୟ ମୁଁ ପ୍ରଦାନ କଲି, ବର୍ତ୍ତମାନ ଆପଣ ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ ।

 

ତଥାପି ରମଣୀ ନିରୁତ୍ତର ରହି ସଂଯମହୀନ ମୋହିନୀ ଦୃଷ୍ଟିରେ କଟାକ୍ଷ ବାଣରେ ରାଜା ଧର୍ମଧ୍ୱଜଙ୍କୁ ବିବଶ କରୁଥିଲେ ।

 

ରାଜା ଧର୍ମଧ୍ୱଜ ନିଜକୁ ସଂଯତ ରଖି ଦୃଢ଼ କଣ୍ଠରେ କହିଲେ–ମୋର ଧାରଣା ଥିଲା, ଆପଣ ଜଣେ ଯୋଗଯୁକ୍ତା ସନ୍ନ୍ୟାସିନୀ ଓ ଜୀବନ୍ମୁକ୍ତା । କିନ୍ତୁ ଆପଣଙ୍କର ଏତାଦୃଶ ନୀରବ ଆଚରଣ ମୋ ମନକୁ କ୍ରମଶଃ ସନ୍ଦିଗ୍‌ଧ କରୁଅଛି ଏହି ସୌନ୍ଦର୍ଯ୍ୟ, ସୁଠାମ, ଦେହ ବଲ୍ଲରୀ ଓ ଯୌବନ ଏ ସମସ୍ତ ଯୋଗ ବିରୁଦ୍ଧ । ତଥାପି ଆପଣ ତ୍ରିଦଣ୍ଡ ଧାରଣ କରିଛନ୍ତି । ମୋ ମତରେ ତ୍ରିଦଣ୍ଡ ମର୍ଯ୍ୟାଦା ରକ୍ଷା କରିବାରେ ଏକାନ୍ତ ଅଯୋଗ୍ୟା । କାରଣ–

 

‘‘ନ ଚ କାମସମାଯୁକ୍ତେ ଯୁକ୍ତେଂପ୍ୟାସ୍ତି ତ୍ରିଦଣ୍ଡକେ

ନ ରକ୍ଷ୍ୟତେ ତ୍ୱୟା ଚେଦ୍ଂ ନ ମୁକ୍ତସ୍ୟାସ୍ତି ଗୋପନା ।’’

 

ଅର୍ଥାତ୍‌ ଯଦି ଯୋଗଯୁକ୍ତ ମନୁଷ୍ୟ ତ୍ରିଦଣ୍ଡ ଧାରଣ କରି ମଧ୍ୟ କାମ ଭୋଗାସକ୍ତ ହୁଏ, ତାହେଲେ ତାହାର ତ୍ରିଦଣ୍ଡ ଧାରଣ ଅନୁଚିତ ଓ ବୃଥା । ଯଦି ଆପଣ ପ୍ରକୃତ ପକ୍ଷେ ସନ୍ନ୍ୟାସୀ ଧର୍ମ ଅବଲମ୍ୱନ କରିଛନ୍ତି ତାହେଲେ ସେହି ଧର୍ମର ମର୍ଯ୍ୟାଦା ରକ୍ଷା କରନ୍ତୁ, ଅଯଥା ସ୍ୱରୂପ ଗୋପନ ନିମନ୍ତେ ସନ୍ନ୍ୟାସିନୀ ଭାବ ପ୍ରଦର୍ଶନ ଅନ୍ୟାୟ ଅଧର୍ମ । ମୋର ଅନୁମାନ ଆପଣ ପ୍ରକୃତ ସନ୍ନ୍ୟାସିନୀ ନୁହନ୍ତି ତା ନ ହୋଇଥିଲେ ଆପଣ ଏପରି ମୋହିନୀ ଦୃଷ୍ଟିରେ ମୋତେ କଟାକ୍ଷ କରନ୍ତେ ନାହିଁ କି ଏପରି ଆଶ୍ରମ ଧର୍ମ କଳୁଷିତ କରି ନଥାନ୍ତେ ।

 

ଏହି ବାକ୍ୟ ଶ୍ରବଣରେ ରମଣୀୟ ନେତ୍ରଦ୍ୱୟରେ ଯେପରି ଏକ ବିଦ୍ୟୁତ ଝଲକ ଚମକି ଉଠିଲା ।

 

ପୁନଶ୍ଚ ରାଜା କହିଲେ–ମୋର ଅନୁମାନ, –ଆପଣ ବର୍ଣ୍ଣଶ୍ରେଷ୍ଠ ବ୍ରାହ୍ମଣ କନ୍ୟା, କିନ୍ତୁ ମୁଁ କ୍ଷତ୍ରିୟ ବଂଶଜ । ମୋ ସହିତ ଆପଣଙ୍କର ସଂଯୋଗ ବର୍ଣ୍ଣ ଶଙ୍କରତାକୁ ପ୍ରଶ୍ରୟ ଦେବ ନାହିଁ କି ? ମୁଁ ଗୃହସ୍ଥ କିନ୍ତୁ ଆପଣ ଯତି ଧର୍ମାଶ୍ରୟୀ । ପୁନଶ୍ଚ ଆପଣଙ୍କର ଗୋତ୍ର ଜାଣିନାହିଁ । ଯଦି ସମଗୋତ୍ରା ହୁଅନ୍ତି ତାହେଲେଏହି ସଂଯୋଗରେ ଗୋତ୍ର ମଧ୍ୟ କଳୁଷିତ ହେବ । ପୁନଶ୍ଚ ଯଦି ଆପଣ ସଧବା ହୁଅନ୍ତି ତାହାଲେ ପତିଙ୍କ ଜୀବିତାବସ୍ଥାରେ ଉପପତି ଗ୍ରହଣ ଧର୍ମକୁ କଳୁଷିତ କରିବ ଏବଂ ଯଦି ଆପଣ ମୋତେ ବଶୀଭୂତ କରିବାପାଇଁ ଅନ୍ୟ କେହି ରାଜା ଦ୍ୱାରା ପ୍ରେରିତ, ତା’ହେଲେ ଅକପଟରେ ପ୍ରକାଶ କରନ୍ତୁ । କାରଣ–

 

‘‘ରାଜ୍ଞାଂ ହି ବଳମୈଶ୍ଚର୍ଯ୍ୟଂ ବ୍ରହ୍ମ ବ୍ରହ୍ମବିଦ୍ୟା ବଳମ୍‌

ରୂପଯୌବନ ସୌଭାଗ୍ୟଂ ସ୍ତ୍ରୀଣାଂ ବଳମନୂତ୍ତମମ୍‌ ।’’

 

ଅର୍ଥାତ୍‌ ରାଜାଙ୍କର ଐଶ୍ୱର୍ଯ୍ୟ, ବଳ, ବ୍ରାହ୍ମଣଙ୍କର ବଳ ‘ବେଦ’, ସ୍ତ୍ରୀଗଣଙ୍କର ଉତ୍ତମ ବଳ ‘ରୂପ ଯୌବନ ସୌଭାଗ୍ୟ’, ଯାହାକି ଅସାଧ୍ୟ ସାଧନ କରିପାରେ ।

 

କାମନାସକ୍ତ ସ୍ତ୍ରୀ ପୁରୁଷ ସଂଯୋଗ ସୁଖ ଅମୃତତୁଲ୍ୟ । କିନ୍ତୁ ଅନୁରକ୍ତା ନାରୀ ଅନୁରକ୍ତ ପୁରୁଷ ଲାଭରେ ବିଫଳ ହୋଇଥିଲେ ବିଷବତ୍‌ ଭୟଙ୍କରୀ ହୋଇଥାଏ । ମୁଁ ପ୍ରଥମରୁ ଆପଣଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବାକୁ ଚାହିଁଥିଲି, କିନ୍ତୁ ଆପଣ ଆତ୍ମଗୋପନ କରି ବାରମ୍ୱାର ମୋତେ ବିବଶ କରିବାକୁ ଚେଷ୍ଟିତା । ମୋ ସହିତ ମୋର ସଭାସଦ୍‌ଗଣ ମଧ୍ୟ ଆପଣଙ୍କର କଟାକ୍ଷରେ ଜର୍ଜରିତ ।

 

ଏହିପରି ତିରସ୍କାର ଜର୍ଜରିତ ହୋଇ ରମଣୀ ତିଳେମାତ୍ର ବିଚଳିତ ନହୋଇ ବୀଣା ନିନାଦିତ ସ୍ୱରରେ କହିଲେ–‘‘ଶୁଣିଥିଲି ରାଜା ଜନକ ଧର୍ମଧ୍ୱଜ ଗୃହସ୍ଥ ହୋଇ ମଧ୍ୟ, ମହାଜ୍ଞାନୀ, ଜୀବନ୍ମୁକ୍ତ, ବାକ୍ୟ ବିଶାରଦ ଓ ସୁବକ୍ତା, କିନ୍ତୁ ବର୍ତ୍ତମାନ ଦେଖୁଛି ତାହା କେବଳ ପ୍ରଚାର ମାତ୍ର । ରାଜାଙ୍କର ବାକ୍ୟ ସଂଜ୍ଞା ବିନ୍ୟାସ ଶୁଣି ମୋର ଅନୁମାନ ରାଜା ବାକ୍ୟ ସଂଜ୍ଞା ବିଷୟରେ ଅଜ୍ଞ । ମୋର ଜ୍ଞାନ ବୁଦ୍ଧିରେ ମୁଁ ଜାଣିଛି–

 

‘‘ଯସ୍ତୁ ବକ୍ତା ଦ୍ୱୟୋରର୍ଥମବିରୁଦ୍ଧଂ ପ୍ରଭାଷତେ

ଶ୍ରୋତୁଶ୍ଚୈବାତ୍ମନଶ୍ଚୈବ ସ ବକ୍ତା ନେତରୋ ନୃପ ।’’

 

ଅର୍ଥାତ୍‌ ରାଜନ୍‌, ଯେଉଁ ବକ୍ତା ନିଜର ଓ ଶ୍ରୋତାର ଏହିପରି ଉଭୟ ପକ୍ଷଙ୍କର ଅନୁକୂଳ ବିଷୟ କହିଥାନ୍ତି ସେ ହିଁ ପ୍ରକୃତ ବକ୍ତା । ଆପଣ ମୋକ୍ଷ ଧର୍ମଜ୍ଞ ହୋଇ ବାକ୍ୟର ଏହି ଆନୁକୂଲ୍ୟ କିପରି ବିସ୍ମୃତ ହୋଇଛନ୍ତି ?

 

ପୁନଶ୍ଚ ଯଦି ଆପଣ ଆତ୍ମଜ୍ଞାନୀ ଓ ଜୀବନ୍ମୁକ୍ତ ତାହେଲେ ମୋର ବ୍ୟକ୍ତି ପରିଚୟ ଜାଣିବା ନିମନ୍ତେ ଏତେ ଉତ୍ସୁକ କାହିଁକି ? ଯଦି ଆପଣ ମୁକ୍ତ ପୁରୁଷ, ଆପଣଙ୍କର ଦୃଷ୍ଟି ମୋ ଶରୀର ପ୍ରତି କାହିଁକି ଆବଦ୍ଧ ଅଛି ?

 

ଏହି ଦେହ ପ୍ରକୃତି ଜାତ ଓ ନିତ୍ୟ ପରିବର୍ତ୍ତନୀଳ । ଅତଏବ ଏହାର ବିନାଶ ଓ ଉତ୍ପତ୍ତି ବିଷୟରେ ଆପଣ କଣ ଅଜ୍ଞାତ ? ଆପଣ ଅବଶ୍ୟ ଜାଣିଥିବେ ପୁରୁଷର ବୀର୍ଯ୍ୟ ଓ ସ୍ତ୍ରୀ ଶୋଣିତ ସଂଯୋଗରେ ‘କଲଳ’ ନାମରେ ଏକ ପଦାର୍ଥ ଉତ୍ପତ୍ତି ହୋଇଥାଏ । ଏହି କଲଳରୁ ବୁଦ୍‌ବୁଦ୍‌, ବୁଦ୍‌ବୁଦ୍‌ରୁ ମାଂସପେଶୀ, ମାଂସ ମାଂସପେଶୀରୁ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ରୋମାବଳୀ ନଖ ଇତ୍ୟାଦି ଉତ୍ପନ୍ନ ହୋଇଥାଏ । ସ୍ତ୍ରୀ ଗର୍ଭରେ ନବମ ମାସ ପୂର୍ଣ୍ଣ ହେଲେ ଦେହ ଭୂମିଷ୍ଠ ହୋଇଥାଏ । ସ୍ତ୍ରୀ ଗର୍ଭରେ ନବମ ମାସ ପୂର୍ଣ୍ଣ ହେଲେ ଦେହ ଭୂମିଷ୍ଠ ହୋଇଥାଏ ଓ ସେହି ଦେହ ନାମ ଓ ରୂପ ଗ୍ରହଣ କରେ ଏବଂ ବିଶେଷ ଚିହ୍ନରେ ସ୍ତ୍ରୀ ଓ ପୁରୁଷ ଲିଙ୍ଗ ଚିହ୍ନିତ ହୋଇଥାଏ । ଦେହର କମନୀୟତା ଓ ରୂପ ସୌନ୍ଦର୍ଯ୍ୟ ବୟୋଃବୃଦ୍ଧି ସହି ପରିବର୍ତ୍ତିତ ହୋଇଥାଏ । ଏହି ପରିବର୍ତ୍ତନ ଅପରିହାର୍ଯ୍ୟ ଓ ଦୃଶ୍ୟମାନ । ଯେତେବେଳେ ଏହି ଦେହ ଏକ ଅବସ୍ଥାରୁ ଅନ୍ୟ ଅବସ୍ଥା ବିଶେଷରେ ପରିବର୍ତ୍ତନଶୀଳ, ସେତେବେଳେ କୌଣସି ଆତ୍ମଜ୍ଞାନୀ ଜୀବନ୍ମୁକ୍ତ ବ୍ୟକ୍ତି ପ୍ରଶ୍ନ କରିପାରେ କି କିଏ ? କେଉଁଠାରୁ ଆସିଅଛ ? ଓ କିଏ କାହାର ?

 

ରାଜା ଧର୍ମଧ୍ୱଜ ଯେପରି ନିର୍ବାକ ଶ୍ରୋତା ଭୂମିକାରେ ଅବତୀର୍ଣ୍ଣ ।

 

ପୁନଶ୍ଚ ରମଣୀ କହିଲେ–ପଞ୍ଚଶିଖିଙ୍କଠାରୁ ଜ୍ଞାନୋପବେଶ ଆପଣ ସମ୍ୟକ୍‌ ଉପଲବ୍‌ଧି କରି ନାହାନ୍ତି । କାରଣ ଆପଣ ଏବେ ମଧ୍ୟ ଆବଦ୍ଧ । ଅତଏବ ମୋର ମନେହୁଏ ଆପଣ ମୋକ୍ଷଧର୍ମାଶ୍ରୟୀ ହେଲେ ହେଁ ଆସକ୍ତି ମୁକ୍ତ ହୋଇ ପାରିନାହାନ୍ତି ।

 

ଧର୍ମ-ଅର୍ଥ-କାମ ଏହି ତ୍ରିବର୍ଗ ସହିତ ଆପଣ ଏବେ ମଧ୍ୟ ନିବିଡ଼ ସମ୍ପର୍କ ରଖିଛନ୍ତି । ନଚେତ୍‌ ଆପଣ କିପରି ଏବେ ମଧ୍ୟ ‘ବିଦେହରାଜ’,‘ ମିଥିଳାପତି’, ଏହି ସବୁ ଲୌକିକ ଆଖ୍ୟାରେ ପ୍ରତିଷ୍ଠିତ ରହି ରାଜା ଉପାଧିରେ ରାଜତ୍ୱ କରୁଛନ୍ତି ? ରାଜାଙ୍କର ବିଶେଷ ସମ୍ପଦ ସ୍ତ୍ରୀ, ପୁତ୍ର, ଶରୀର, କୋଷ, ମିତ୍ର-ସଂଗ୍ରହ । ଆପଣ ଏହି ସବୁ ସମ୍ପଦର ଅଧିକାରୀ । ରାଜସିଂହାସନ ପ୍ରାପ୍ତ ହୋଇଥିବାରୁ ଆପଣ ଅନ୍ୟକୁ ଅନୁଗ୍ରହ ପ୍ରଦର୍ଶନ କରିଥାନ୍ତି, ଦାନ କରନ୍ତି, ଦଣ୍ଡ ଦିଅନ୍ତି । ଏହି ନଗରୀରେ ଏକମାତ୍ର ରାଜପ୍ରାସାଦହିଁ ଆପଣଙ୍କର ବାସସ୍ଥାନ । ବିଶ୍ରାମର ବାସନା ଥିଲେ ମଧ୍ୟ ଆପଣ ସ୍ୱଚ୍ଛାରେ ବିଶ୍ରାମ ନେଇ ପାରନ୍ତି ନାହିଁ । ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ରାଜ୍ୟର ନିୟମାନୁଯାୟୀ ପରମୂଖାପେକ୍ଷୀ ହୋଇ ରହିବାକୁ ହୋଇଥାଏ । ସ୍ତ୍ରୀ, ପୁତ୍ର, କୋଷ, ମିତ୍ର, ସଂଗ୍ରହ ଏହି ପଞ୍ଚବସ୍ତୁ ଓ ତତ୍‌ସହ ଇଚ୍ଛା, ଦ୍ୱନ୍ଦ୍ୱ ଯେ କୌଣସି ମନୁଷ୍ୟକୁ ରାଜ-ପଦ ବାଚ୍ୟରେ କାହିଁକି ଭୂଷିତ କରିବ ନାହିଁ । ମୋ ମତରେ–

 

‘‘ସର୍ବଃ ସ୍ୱେ ସ୍ୱେ ଗୃହେ ରାଜାସର୍ବଃ ସ୍ୱେ ସ୍ୱେ ଗୃହେ ଗୃହୀ

ନିଗ୍ରହାନୂ ଗ୍ରହାନ କୁର୍ବସ୍ତୁଲ୍ୟୋ ଜନକ ରାଜଭଃ’’

 

ଅର୍ଥାତ୍‌ ହେ ଜନକ ରାଜନ୍‌ ପ୍ରତି ମନୁଷ୍ୟ ନିଜ ଗୃହରେ ରାଜା । ପ୍ରତି ମନୁଷ୍ୟ ନିଜ ନିଜ ଗୃହରେ ଗୃହୀ, ରାଜସିଂହାସନରେ ଅଧିଷ୍ଠିତ ରାଜା ସଦୃଶ ପ୍ରତି ମନୁଷ୍ୟ ସମୟ ବିଶେଷରେ କାହାକୁ ଦଣ୍ଡ ବା ଅନୁଗ୍ରହ ପ୍ରଦର୍ଶନ କରିଥାଏ ।

 

ଅତଏବ ବିଶେଷ ଗୁଣ ଯୁକ୍ତ ରାଜ ସହିତ ସାଧାରଣ ମନୁଷ୍ୟର କୌଣସି ପ୍ରଭେଦ ମୁଁ ଦେଖୁନାହିଁ । ରାଷ୍ଟ୍ର, ରାଜକୋଷ, ସେନାନୀ ଏହି ସମସ୍ତ ଆପଣଙ୍କର ବୋଲି ଆପଣ ସଦାସର୍ବଦା କହୁଛନ୍ତି । ଆସକ୍ତି ବଣରେ ରାଜଛତ୍ର-ଚାମର ଦଣ୍ଡ ଧାରଣ କରି ଆପଣ ଅନ୍ୟକୁ କୃପା ଦୃଷ୍ଟିରେ ଦେଖୁଛନ୍ତି । ଆପଣ ଜୀବନ୍ମୁକ୍ତ ହୋଇ ପାରି ନାହାନ୍ତି, ନଚେତ୍‌ ମୋ ସଦୃଶ ତ୍ରିଦଣ୍ଡୀ ସନ୍ନ୍ୟାସିନୀକୁ ସର୍ବସମ୍ମୁଖରେ ଅନୁଚିତ ବାକ୍ୟ କିପରି ପ୍ରୟୋଗ କରି ପାରିଲେ ।

 

ଆପଣ କିପରି ଏତାଦୃଶ ଚିନ୍ତାକରି କହିପାରିଲେ ଯେ ମୁଁ ଆପଣଙ୍କର ସଂସର୍ଗ କାମନା କରି ବର୍ଣ୍ଣ, ଧର୍ମ ଓ ଆଶ୍ରମକୁ କଳୁଷିତ କରିଅଛି । ବର୍ଣ୍ଣାଶ୍ରମ ଧର୍ମ ମୋର ଅଜ୍ଞାତ ନୁହେଁ । ଆପଣ ଯେପରି ଜାଣନ୍ତି, ମୁଁ ମଧ୍ୟ ସେହିପରି ଜାଣେ । କିନ୍ତୁ ପଞ୍ଚଶିଖି ସଦୃଶ ଗୁରୁଙ୍କଠାରୁ ଜ୍ଞାନ ଲାଭ କରି ଆପଣ କିପରି ବିସ୍ମୃତ ହେଲେ ଯେ–

 

‘‘ନ ହି ମୁକ୍ତସ୍ୟ, ମୁକ୍ତେନ ତାସ୍ୟକତ୍ୱ ପୃଥକ୍‌ ତ୍ୱୟୋଃ

ଭାବଭାବ ସମାଯୋଗ ଜାୟତେ ବର୍ଣ୍ଣ ସଙ୍କରଃ ।’’

 

ଅର୍ଥାତ୍‌ ଜୀବନ୍ମୂକ୍ତ ଜ୍ଞାନୀ ଏକତ୍ୱ ସହିତ ବା ପୃଥକ ସହିତରେ ଭାବ ଏବଂ ଅଭାବ ଅର୍ଥାତ୍‌ ଆତ୍ମା ଓ ପ୍ରକୃତିର ସଂଯୋଗ ହେଲେହେଁ ବର୍ଣ୍ଣସଙ୍କର ଉତ୍ପତ୍ତି ସମ୍ପୂର୍ଣ୍ଣ ଅସମ୍ଭବ ।

 

ମୁଁ ଆପଣଙ୍କୁ ଆବିଷ୍ଟ କରିଥିଲେହେଁ କୌଣସି ଭାବରେ ସ୍ପର୍ଶ କରିନାହିଁ । ପଦ୍ମପତ୍ରରେ ବାରି ଆବିଷ୍ଟ ହୋଇପାରେ, ଲିପ୍ତ ହୋଇ ନଥାଏ । ଜ୍ଞାନ ଲାଭକରି କାହିଁକି ଆପଣ ଉପଲବ୍‌ଧି କରି ପାରିନାହାନ୍ତି ଯେ ଆତ୍ମମୟ ଏହି ଜଗତରେ ଆତ୍ମା ବ୍ୟତୀତ ଅନ୍ୟ କୌଣସି ବସ୍ତୁର ସତ୍ତା ନାହିଁ, ବା ଅନ୍ୟ କୌଣସି ବସ୍ତୁ ଆତ୍ମା ଅସ୍ତିତ୍ୱ-ହୀନ ନୁହେଁ । ଏପରି କ୍ଷେତ୍ରରେ ଆପଣଙ୍କର ଅର୍ଥରେ ସଂଯୋଗ କଦାପି ସମ୍ଭବ ନୁହେଁ । ମୁଁ ଆପଣଙ୍କୁ ସ୍ପର୍ଶ କରିନାହିଁ, ଅଥଚ ଆପଣ ମୋ ସ୍ପର୍ଶ ଅନୁଭବ କରି ମୋ ଉପରେ ବାକ୍ୟବାଣ ପ୍ରୟୋଗ କରିଛନ୍ତି । ତାହେଲେ ପ୍ରକାରାନ୍ତରେ ଆପଣ ପରସ୍ତ୍ରୀ ସ୍ପର୍ଶଦୋଷରେ ଦୁଷ୍ଟ ହୋଇ ଗାର୍ହସ୍ଥ୍ୟ ଧର୍ମଚ୍ୟୁତ ହୋଇ ନାହାନ୍ତି କି ? ମୋକ୍ଷବାଣୀ ବଚନ କହି କହି ଆପଣ ଗାର୍ହସ୍ଥ୍ୟ ଓ ମୋକ୍ଷ ମଧ୍ୟରେ କ୍ରିଶଙ୍କୁ ଅବସ୍ଥାରେ ନାହାନ୍ତି କି ?

 

ରମଣୀଙ୍କ ଏତାଦୃଶ ବଚନ ଶ୍ରବଣରେ ରାଜା ଜନକଙ୍କ ମନ ଦୋଦୁଲ୍ୟମାନ ହୋଇ ଉଠିଲା । ରମଣୀଙ୍କର ବଚନ ଓ ମର୍ମାର୍ଥ ଯୁକ୍ତିପୂର୍ଣ୍ଣ ହୋଇଥିବାରୁ ରାଜା ନିଶ୍ଚୁପ ରହି ରମଣୀଙ୍କୁ କହିବାକୁ ସୁଯୋଗ ଦେଲେ ।

 

ପୁନଶ୍ଚ ରମଣୀ କହିଲେ–ଆପଣଙ୍କଠାରୁ ‘ମୋକ୍ଷ’ ଧର୍ମର ସ୍ୱରୂପ ଜାଣିବା ନିମନ୍ତେ ମୁଁ କାମିନୀ ବେଶରେ ଏହିଠାକୁ ଆସିଥିଲି । ପ୍ରକୃତପକ୍ଷେ ମୁଁ ଏକ ସନ୍ନ୍ୟାସିନୀ, ବର୍ଣ୍ଣସଙ୍କରକାରିଣୀ ନୁହେଁ କି ବ୍ରାହ୍ମଣ କନ୍ୟା ମଧ୍ୟ ନୁହେଁ ।

 

ମୁଁ ରାଜର୍ଷି ପ୍ରଧାନଙ୍କ ମହତ କୁଳରେ ଜାତା । ମୋର ଲୌକିକ ପରିଚୟ ‘ସୁଲଭା’ । ଯୋଗ୍ୟପତି ଲାଭରେ ବିଫଳ ହୋଇ ମୁଁ ମୋକ୍ଷ ଧର୍ମ ଆଶ୍ରୟ ଓ ବ୍ରହ୍ମଚର୍ଯ୍ୟ ପାଳନ କରି ସ୍ୱୀୟ ଧର୍ମରେ ଆଶ୍ରିତ ଅଛି । ଆପଣ ମହାଗୁରୁ ପଞ୍ଚଶିଖିଙ୍କର ଆଶ୍ରିତ ଅଛନ୍ତି । ଅତଏବ ମୋର ପ୍ରାର୍ଥନା ଆପଣଙ୍କର ଅଜ୍ଞାନତା ଅବସାନ ହେଉ ଆତ୍ମଦର୍ଶନ କରି ପରଂବ୍ରହ୍ମରେ ନିମଗ୍ନ ରହି ଜ୍ଞାନ ସମୃଦ୍ଧ ହୁଅନ୍ତୁ ।

 

ମୁହୂର୍ତ୍ତକ ମଧ୍ୟରେ ରାଜା ଧର୍ମଧ୍ୱଜଙ୍କର ସର୍ବବିଧ ଆତ୍ମାଭିମାନ ଦୂରୀଭୁତ ହେଲା ଓ ଉଦ୍‌ଭାସିତ ସୂର୍ଯ୍ୟ ସଦୃଶ ରାଜାଙ୍କ ଅନ୍ତଃକରଣ ଜ୍ଞାନାଲୋକରେ ଉଦ୍‌ଭାସିତ ହୋଇ ଉଠିଲା ।

 

ଅବଶେଷରେ ଯତିଧର୍ମାବଲମ୍ୱିନୀ ‘ସୁଲଭା’ ରାଜସନ୍ନିଧାନରେ ରାତ୍ରି ଅବସାନ କରି ମିଥିଳା ନଗରୀ ତ୍ୟାଗ କଲେ ।

Image